ଅଧ୍ୟୟନ ଲେଖା ୩୮
ଗୀତ ୨୫ ଖାସ୍ ସମ୍ପତ୍ତି
କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?
“ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।”—ମାଥି. ୨୪:୪୦.
କʼଣ ଶିଖିବା ?
ଆମେ ଯୀଶୁଙ୍କ ତିନୋଟି ଉଦାହରଣ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଦୁନିଆର ବ୍ୟବସ୍ଥାର ବିନାଶର ପୂର୍ବେ ଯେଉଁ ନ୍ୟାୟ କରାଯିବ ସେସମୟ ବିଷୟରେ ଏଥିରେ କʼଣ କୁହାଯାଇଛି ।
୧. ଯୀଶୁ ଖୁବ୍ ଶୀଘ୍ର କʼଣ କରିବେ ?
ଆଜି ଆମେ ବହୁତ ରୋମାଞ୍ଚକ ସମୟରେ ବଞ୍ଚୁଛୁ । ଖୁବ୍ ଶୀଘ୍ର ଯୀଶୁ ପୃଥିବୀରେ ଥିବା ପ୍ରତ୍ୟେକ ମଣିଷର ନ୍ୟାୟ କରିବେ । କିନ୍ତୁ ତାʼ ପୂର୍ବେ ଦୁନିଆରେ କʼଣ କʼଣ ହେବ, ସେବିଷୟରେ ସେ ନିଜ ଶିଷ୍ୟମାନଙ୍କୁ କହିଥିଲେ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ “ଲକ୍ଷଣ” ବିଷୟରେ କହିଥିଲେ, ଯେଉଁଥିରୁ ସେମାନେ ବୁଝିପାରନ୍ତେ ଯେ ତାଙ୍କ ଆଗମନ ଓ ଦୁନିଆର ବ୍ୟବସ୍ଥାର “ଯୁଗାନ୍ତ” ଆରମ୍ଭ ହୋଇଯାଇଛି । (ମାଥି. ୨୪:୩) ଏହି ଲକ୍ଷଣ ବିଷୟରେ ମାଥିଉ ୨୪ ଓ ୨୫ ଅଧ୍ୟାୟରେ, ମାର୍କ ୧୩ ଅଧ୍ୟାୟ ଓ ଲୂକ ୨୧ ଅଧ୍ୟାୟରେ କୁହାଯାଇଛି ।
୨. (କ) ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ? (ଖ) ଯୀଶୁ ଯେଉଁ ଉଦାହରଣଗୁଡ଼ିକ ଦେଲେ, ସେଥିରୁ ଆମେ କʼଣ ବୁଝିପାରୁ ?
୨ ଯୀଶୁ ଆମକୁ ତିନୋଟି ଉଦାହରଣ ଦେଲେ ଏବଂ ସେହି ଉଦାହରଣରେ ଆମ ପାଇଁ ଚେତାବନୀ ଦିଆଯାଇଛି । ଏଥିରୁ ଆମେ ନ୍ୟାୟର ସମୟ ପାଇଁ ପ୍ରସ୍ତୁତ ହୋଇପାରିବା । ଏହି ତିନୋଟି ଉଦାହରଣ ହେଉଛି: ମେଷ ଓ ଛାଗଗୁଡ଼ିକର ଉଦାହରଣ, ନିର୍ବୁଦ୍ଧି ଓ ସୁବୁଦ୍ଧି କନ୍ୟାମାନଙ୍କ ଉଦାହରଣ ଏବଂ ତୋଡ଼ାର ଉଦାହରଣ । ଏହି ଉଦାହରଣଗୁଡ଼ିକରୁ ଆମେ ବୁଝିପାରୁ ଯେ ଯୀଶୁ ଆମ କାମଗୁଡ଼ିକ ଆଧାରରେ ଆମର ନ୍ୟାୟ କରିବେ । ଏହି ଲେଖାରେ ଆମେ ଏହି ତିନୋଟି ଉଦାହରଣ ଉପରେ ଚର୍ଚ୍ଚା କରିବା ଓ ଜାଣିବା ଯେ ଆମେ ସେଥିରୁ କʼଣ ଶିଖିପାରିବା । ଆସନ୍ତୁ ପ୍ରଥମେ ମେଷ ଓ ଛାଗଗୁଡ଼ିକର ଉଦାହରଣ ଉପରେ ଧ୍ୟାନ ଦେବା ।
ମେଷ ଓ ଛାଗଗୁଡ଼ିକର ଉଦାହରଣ
୩. ଯୀଶୁ କେବେ ଲୋକମାନଙ୍କ ନ୍ୟାୟ କରିବେ ?
୩ ମେଷ ଓ ଛାଗଗୁଡ଼ିକର ଉଦାହରଣ ଦେଇ ଯୀଶୁ ଏବିଷୟରେ ଜଣାଇଲେ ଯେ ସେ କେଉଁ ଆଧାରରେ ଲୋକମାନଙ୍କ ନ୍ୟାୟ କରିବେ । ସେ ଏହା ଦେଖିବେ ଯେ ଲୋକମାନେ ଖୁସିଖବର ଶୁଣିବା ପରେ କʼଣ କରିଛନ୍ତି ଏବଂ ତାଙ୍କ ଅଭିଷିକ୍ତ ଭାଇମାନଙ୍କ ସହଯୋଗ କରିଛନ୍ତି ନା ନାହିଁ । (ମାଥି. ୨୫:୩୧-୪୬) ଯୀଶୁ ମେଷଗୁଡ଼ିକୁ ଛାଗଗୁଡ଼ିକଠାରୁ କେବେ ଅଲଗା କରିବେ ? ସେ “ମହାକ୍ଲେଶ” ସମୟରେ ହର୍ମିଗିଦ୍ଦୋନ୍ର ଠିକ୍ ପୂର୍ବେ ଏପରି କରିବେ । (ମାଥି. ୨୪:୨୧) ଯେପରି ଜଣେ ପ୍ରତିପାଳକ ମେଷଗୁଡ଼ିକୁ ଛାଗଗୁଡ଼ିକରୁ ଅଲଗା କରେ, ଠିକ୍ ସେହିଭଳି ଯୀଶୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରୁଥିବା ଲୋକମାନଙ୍କୁ ସେହି ଲୋକମାନଙ୍କଠାରୁ ଅଲଗା କରିବେ, ଯେଉଁମାନେ ତାଙ୍କ ଭାଇମାନଙ୍କୁ ସହଯୋଗ କଲେ ନାହିଁ ।
୪. ଆମେ କାହିଁକି ଭରସା ରଖିପାରିବା ଯେ ଯୀଶୁ ଲୋକମାନଙ୍କର ସଠିକ୍ ନ୍ୟାୟ କରିବେ ? (ଯିଶାଇୟ ୧୧:୩, ୪) (ଚିତ୍ର ମଧ୍ୟ ଦେଖନ୍ତୁ ।)
୪ ବାଇବଲରେ କୁହାଯାଇଛି ଯେ ଯିହୋବା ଯୀଶୁଙ୍କୁ ନ୍ୟାୟୀ ନିଯୁକ୍ତ କରିଛନ୍ତି ଏବଂ ସେ ସଠିକ୍ ନ୍ୟାୟ କରିବେ । (ଯିଶାଇୟ ୧୧:୩, ୪ ପଢ଼ନ୍ତୁ ।) ସେ ଲୋକମାନଙ୍କ ବ୍ୟବହାର, ଚିନ୍ତାଧାରା ଓ ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ଏବଂ ଏ କଥା ଉପରେ ବି ଯେ ସେମାନେ ଅଭିଷିକ୍ତ ଭାଇମାନଙ୍କ ସହ କିପରି ବ୍ୟବହାର କରନ୍ତି । (ମାଥି. ୧୨:୩୬, ୩୭; ୨୫:୪୦) ଯୀଶୁଙ୍କୁ ଏବିଷୟରେ ଜଣାଥିବ ଯେ କିଏ ତାଙ୍କ ଅଭିଷିକ୍ତ ଭାଇମାନଙ୍କୁ ସହଯୋଗ କରିଛନ୍ତି ଏବଂ ତାଙ୍କ କାମରେ ସାହାଯ୍ୟ କରିଛନ୍ତି । a ଆମେ କିପରି ତାଙ୍କ କାମରେ ସାହାଯ୍ୟ କରିପାରିବା ? ଗୋଟିଏ ବିଶେଷ ଉପାୟ ହେଉଛି, ପ୍ରଚାର କାମରେ ସେମାନଙ୍କୁ ସହଯୋଗ କରି । ଯେଉଁମାନେ ତାଙ୍କର ସହଯୋଗ କରିବେ, ସେମାନେ “ଧାର୍ମିକ” ଗଣିତ ହେବେ ଏବଂ ସେମାନଙ୍କ ପାଇଁ “ଅନନ୍ତ ଜୀବନ” ପାଇବାର ସୁଯୋଗ ଥିବ । (ମାଥି. ୨୫:୪୬; ପ୍ରକା. ୭:୧୬, ୧୭) ସତରେ ସେମାନଙ୍କୁ ବହୁତ ବଡ଼ ପୁରସ୍କାର ମିଳିବ ! ଆଉ ଯଦି ସେମାନେ ମହାକ୍ଳେଶରେ ଏବଂ ତାʼପରେ ବି ବିଶ୍ୱସ୍ତ ରହିବେ, ତାହେଲେ ସେମାନଙ୍କ ନାମ “ଜୀବନ ପୁସ୍ତକରେ” ସବୁଦିନ ପାଇଁ ଲେଖି ଦିଆଯିବ ।—ପ୍ରକା. ୨୦:୧୫.
୫. ମେଷ ଓ ଛାଗଗୁଡ଼ିକର ଉଦାହରଣରୁ କʼଣ ଶିକ୍ଷା ମିଳେ ଏବଂ ଏଥିରୁ କାହାକୁ ଲାଭ ହେବ ?
୫ ପ୍ରମାଣିତ କରନ୍ତୁ ଯେ ଆପଣ ବିଶ୍ୱସ୍ତ ଅଟନ୍ତି । ମେଷ ଓ ଛାଗଗୁଡ଼ିକର ଉଦାହରଣରୁ ଯେଉଁ ଶିକ୍ଷା ମିଳେ ତାହା ବିଶେଷ କରି ସେମାନଙ୍କ ପାଇଁ ଅଟେ ଯେଉଁମାନଙ୍କୁ ପୃଥିବୀରେ ଅନନ୍ତ ଜୀବନ ବଞ୍ଚିବାର ଆଶା ଅଛି । ସେମାନେ ପ୍ରଚାର କାମରେ ଖ୍ରୀଷ୍ଟଙ୍କ ଭାଇମାନଙ୍କ ସହଯୋଗ କରିବା ସହିତ ସେମାନଙ୍କ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମଧ୍ୟ ମାନିବା ଉଚିତ୍ । ଏପରି କରି ସେମାନେ ଦେଖାଇପାରିବେ ଯେ ସେମାନେ ବିଶ୍ୱସ୍ତ ଅଟନ୍ତି । (ମାଥି. ୨୪:୪୫) କିନ୍ତୁ ଯେଉଁମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଅଛି ସେମାନଙ୍କ ପାଇଁ ଏହି ଉଦାହରଣରେ ଗୋଟିଏ ଜରୁରୀ ଶିକ୍ଷା ଅଛି ଏବଂ ଚେତାବନୀ ମଧ୍ୟ ଅଛି । ତାହା କʼଣ ? ଯେପରି ଆମେ ଦେଖିଥିଲୁ, ଯୀଶୁ ଲୋକମାନଙ୍କ ବ୍ୟବହାର, ଚିନ୍ତାଧାରା ଓ ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି, ତେଣୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ପ୍ରମାଣିତ କରିବାକୁ ପଡ଼ିବ ଯେ ସେମାନେ ବିଶ୍ୱସ୍ତ ଅଟନ୍ତି । ମେଷ ଓ ଛାଗଗୁଡ଼ିକର ଉଦାହରଣ ଛଡ଼ା ଯୀଶୁ ଆହୁରି ଦୁଇଟି ଉଦାହରଣ ଦେଲେ, ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଚେତାବନୀ ଅଛି । ଏହି ଉଦାହରଣଗୁଡ଼ିକ ମଧ୍ୟ ମାଥିଉ ୨୫ ଅଧ୍ୟାୟରେ ଦିଆଯାଇଛି । ଆସନ୍ତୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ।
ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣ
୬. ପାଞ୍ଚଜଣ କନ୍ୟାମାନେ ନିଜକୁ ସୁବୁଦ୍ଧି କିପରି ପ୍ରମାଣିତ କଲେ ? (ମାଥି. ୨୫:୬-୧୦)
୬ କନ୍ୟାମାନଙ୍କ ଉଦାହରଣରେ ଯୀଶୁ କହିଲେ ଯେ ଦଶଜଣ କନ୍ୟା ବରଙ୍କୁ ଭେଟିବା ପାଇଁ ଯାʼନ୍ତି । (ମାଥି. ୨୫:୧-୪) ସେମାନେ ବରଙ୍କ ସହ ବିବାହ ଭୋଜିରେ ଯିବା ପାଇଁ ଚାହୁଁଥିଲେ । ଯୀଶୁ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ “ସୁବୁଦ୍ଧି” ଓ ଅନ୍ୟ ପାଞ୍ଚଜଣଙ୍କୁ “ନିର୍ବୁଦ୍ଧି” କହିଲେ । ସୁବୁଦ୍ଧି କନ୍ୟାମାନେ ପୂରା ପ୍ରସ୍ତୁତି କରି ଆସିଥିଲେ ଓ ସେମାନେ ସତର୍କ ବି ଥିଲେ । ସେମାନେ ବରଙ୍କ ନ ଆସିବା ଯାଏ, ଏପରିକି ଅଧରାତି ପର୍ଯ୍ୟନ୍ତ ବି ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲେ । ସେଥିପାଇଁ ସେମାନେ ନିଜ ସାଙ୍ଗରେ ଦୀପ ଆଣିଥିଲେ ଓ ଦୀପ ଜଳାଇ ରଖିବା ପାଇଁ ପାତ୍ରରେ ତେଲ ବି ଆଣିଥିଲେ । (ମାଥିଉ ୨୫:୬-୧୦ ପଢ଼ନ୍ତୁ ।) ତାʼପରେ ଯେବେ ବର ଆସିଲେ, ତେବେ ସେହି ସୁବୁଦ୍ଧି କନ୍ୟାମାନେ ବିବାହ ଭୋଜି ପାଇଁ ତାଙ୍କ ସାଙ୍ଗରେ ଭିତରକୁ ଚାଲିଗଲେ । ଏହି କନ୍ୟାମାନଙ୍କ ଭଳି ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ଆସିବା ଯାଏ ଜାଗ୍ରତ ଥିବେ ଓ ବିଶ୍ୱସ୍ତ ହୋଇ ରହିବେ, ସେମାନଙ୍କୁ ବର ଅର୍ଥାତ୍ ଯୀଶୁ ନିଜ ସହ ସ୍ୱର୍ଗକୁ ନେଇଯିବେ, ଯେଉଁଠାରେ ସେମାନେ ଶାସନ କରିବେ । b (ପ୍ରକା. ୭:୧-୩) କିନ୍ତୁ ଅନ୍ୟ ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନଙ୍କ ସହ କʼଣ ହୁଏ ?
୭. ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନଙ୍କ ସହ କʼଣ ହୁଏ ଓ କାହିଁକି ?
୭ ଯେବେ ବରଙ୍କ ଆସିବାର ସମୟ ହୋଇଯାଇଥିଲା ତେବେ ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନେ ପ୍ରସ୍ତୁତ ନ ଥିଲେ । ସେମାନଙ୍କ ଦୀପ ଲିଭିବାକୁ ଲାଗିଥିଲା ଆଉ ତାହାକୁ ଜଳାଇ ରଖିବା ପାଇଁ ତାଙ୍କ ପାଖରେ ତେଲ ବି ନ ଥିଲା, ତେଣୁ ସେମାନେ ତେଲ କିଣିବା ପାଇଁ ଚାଲିଗଲେ । ଆଉ ଏହି ସମୟ ମଧ୍ୟରେ ବର ଆସିଗଲେ ଆଉ ‘ଯେଉଁ କନ୍ୟାମାନେ ପ୍ରସ୍ତୁତ ଥିଲେ, ସେମାନେ ତାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା ।’ (ମାଥି. ୨୫:୧୦) ଯେତେବେଳେ ନିର୍ବୁଦ୍ଧି କନ୍ୟାମାନେ ଫେରିଲେ, ସେତେବେଳେ ସେମାନେ ବି ଭିତରକୁ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ବର ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ।” (ମାଥି. ୨୫:୧୧, ୧୨) ସେହି ପାଞ୍ଚଜଣ କନ୍ୟାମାନେ ପୂରା ପ୍ରସ୍ତୁତ ହୋଇ ଆସି ନ ଥିଲେ, ସେଥିପାଇଁ ସେମାନେ ବର ଆସିବା ଯାଏ ଅପେକ୍ଷା କରିପାରିଲେ ନାହିଁ । ଏଥିରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?
୮-୯. କନ୍ୟାମାନଙ୍କ ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ପ୍ରମାଣିତ କରନ୍ତୁ ଯେ ଆପଣ ପ୍ରସ୍ତୁତ ଓ ସତର୍କ ଅଛନ୍ତି । କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ ଏହା ଭବିଷ୍ୟତବାଣୀ କରୁ ନ ଥିଲେ ଯେ ଯେବେ ସେ ମହାକ୍ଳେଶ ପୂର୍ବରୁ ଆସିବେ, ତେବେ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନ ପ୍ରସ୍ତୁତ ରହିବେ ଆଉ କିଛି ପ୍ରସ୍ତୁତ ରହିବେ ନାହିଁ । ଏହା ପରିବର୍ତ୍ତେ ସେ ବୁଝାଇବା ପାଇଁ ଚାହୁଁଥିଲେ ଯେ ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନ ତାଙ୍କ ଆସିବା ଯାଏ ଅପେକ୍ଷା କରନ୍ତି ନାହିଁ ଓ ବିଶ୍ୱସ୍ତ ରହନ୍ତି ନାହିଁ, ତେବେ ତାଙ୍କ ସହ କʼଣ ହେବ । ତାଙ୍କୁ ସ୍ୱର୍ଗରେ ପୁରସ୍କାର ମିଳିବ ନାହିଁ । (ଯୋହ. ୧୪:୩, ୪) ସତରେ ଏହା ବହୁତ ଗମ୍ଭୀର କଥା ଅଟେ ! ଯଦିଓ ଆମକୁ ସ୍ୱର୍ଗରେ କିମ୍ବା ପୃଥିବୀରେ ବଞ୍ଚିବାର ଆଶା ଅଛି, ତଥାପି ଆମ ସମସ୍ତଙ୍କୁ ଏହି ଉଦାହରଣରେ ଦିଆଯାଇଥିବା ଚେତାବନୀ ଉପରେ ଧ୍ୟାନ ଦେବା ଉଚିତ୍ । ଆମ ପ୍ରତ୍ୟେକଙ୍କୁ ଜାଗ୍ରତ ରହିବାର ଅଛି ଅର୍ଥାତ୍ ପ୍ରସ୍ତୁତ ରହିବାର ଅଛି ଓ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର ଅଛି ।—ମାଥି. ୨୪:୧୩.
୯ କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ କହୁଥିଲେ ଯେ ଆମ ପାଇଁ ସତର୍କ ରହିବା ଓ ପ୍ରସ୍ତୁତ ରହିବା ବହୁତ ଜରୁରୀ । ଏହା ପରେ ଯୀଶୁ ତୋଡ଼ାର ଉଦାହରଣ ଦିଅନ୍ତି । ଏହି ଉଦାହରଣରୁ ସେ ଆମକୁ ଶିଖାଇବା ପାଇଁ ଚାହାନ୍ତି ଯେ ଆମକୁ ପରିଶ୍ରମୀ ହେବା ଉଚିତ୍ ।
ତୋଡ଼ାର ଉଦାହରଣ
୧୦. ଦୁଇଜଣ ଦାସ କିପରି ପ୍ରମାଣିତ କଲେ ଯେ ସେମାନେ ନିଜ ମାଲିକର ବିଶ୍ୱସ୍ତ ଅଟନ୍ତି ? (ମାଥିଉ ୨୫:୧୯-୨୩)
୧୦ ତୋଡ଼ାର ଉଦାହରଣରେ ଯୀଶୁ ତିନିଜଣ ଦାସ ବିଷୟରେ କହନ୍ତି । ସେମାନଙ୍କ ମାଲିକ ବିଦେଶ ଯିବା ପୂର୍ବରୁ ସେହି ତିନିଜଣଙ୍କୁ ଡାକି କିଛି ତୋଡ଼ା ଦିଅନ୍ତି । ସେସମୟରେ ତୋଡ଼ାର ମୂଲ୍ୟ ବହୁତ ଅଧିକ ଥିଲା । ସେହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଦାସ ନିଜ ମାଲିକଙ୍କ ବିଶ୍ୱସ୍ତ ପ୍ରମାଣିତ ହୁଅନ୍ତି, କିନ୍ତୁ ଜଣେ ନୁହେଁ । (ମାଥି. ୨୫:୧୪-୧୮) ବିଶ୍ୱସ୍ତ ଦାସ କଠିନ ପରିଶ୍ରମ କରି ନିଜ ମାଲିକ ପାଇଁ ବହୁତ ଟଙ୍କା ରୋଜଗାର କରନ୍ତି । ଯେବେ ମାଲିକ ଫେରନ୍ତି, ତେବେ ଦେଖନ୍ତି ଯେ ସେହି ଦୁଇଜଣ ଦାସଙ୍କୁ ସେ ଯେଉଁ ପଇସା ଦେଇଥିଲେ ସେମାନେ ତାʼର ଦୁଇଗୁଣ ପଇସା ରୋଜଗାର କରନ୍ତି । ମାଲିକ ସେହି ଦୁଇଜଣଙ୍କୁ ପ୍ରଶଂସା କରନ୍ତି ଏବଂ କହନ୍ତି, ‘ତୁମ୍ଭେ ଆପଣା ମାଲିକର ଆନନ୍ଦର ସହଭାଗୀ ହୁଅ ।’ (ମାଥିଉ ୨୫:୧୯-୨୩ ପଢ଼ନ୍ତୁ ।) କିନ୍ତୁ ତୃତୀୟ ଦାସ ପାଖରେ ଯେଉଁ ପଇସା ଥିଲା, ସେ ତାହାର କʼଣ କରେ ?
୧୧. ମାଲିକ “ଅଳସ” ଦାସ ସହ କʼଣ କରନ୍ତି ଓ କାହିଁକି ?
୧୧ ତୃତୀୟ ଦାସକୁ ମାଲିକ ଗୋଟିଏ ତୋଡ଼ା ଦେଇଥିଲେ । କିନ୍ତୁ ସେହି ଦାସ ବହୁତ “ଅଳସ” ଥିଲା । ମାଲିକ ଚାହୁଁଥିଲେ ଯେ ସେ ସେହି ପଇସାରୁ ଆହୁରି ଅଧିକ ରୋଜଗାର କରୁ । କିନ୍ତୁ ଏପରି କରିବା ପରିବର୍ତ୍ତେ ସେ ସେହି ପଇସାକୁ ମାଟିରେ ପୋତି ଦିଏ । ଯେବେ ମାଲିକ ବିଦେଶରୁ ଫେରନ୍ତି, ତେବେ ସେ ଦେଖନ୍ତି ଯେ ସେହି ଦାସ କୌଣସି ପଇସା ରୋଜଗାର କରିନି । ତାʼସହ ତାʼ ବ୍ୟବହାର ବି ଠିକ୍ ନ ଥିଲା । ସେ ନିଜ ମାଲିକକୁ କ୍ଷମା ମାଗିବା ପରିବର୍ତ୍ତେ ତାଙ୍କୁ ଦୋଷ ଦେବାକୁ ଲାଗିଲା ଆଉ କହିଲା, ମୁଁ ଜାଣିଛି “ଆପଣ ଯେ ଜଣେ କଠିନ ଲୋକ ।” ଏହା ଶୁଣି ମାଲିକ ବହୁତ ରାଗିଯାʼନ୍ତି । ସେ ତାʼଠାରୁ ନିଜ ପଇସା ନେଇଯାʼନ୍ତି ଆଉ ତାକୁ ଘରୁ ବାହାରେ ପକାଇ ଦିଅନ୍ତି ।—ମାଥି. ୨୫:୨୪, ୨୬-୩୦.
୧୨. ଆଜି କେଉଁମାନେ ସେହି ଦୁଇଜଣ ପରିଶ୍ରମୀ ଦାସ ଭଳି ଅଟନ୍ତି ?
୧୨ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସେହି ଦୁଇଜଣ ପରିଶ୍ରମୀ ଦାସ ଭଳି ଅଟନ୍ତି । ସେମାନଙ୍କ ମାଲିକ ଯୀଶୁ ସେମାନଙ୍କୁ କହନ୍ତି, ‘ତୁମ୍ଭେ ଆପଣା ମାଲିକର ଆନନ୍ଦର ସହଭାଗୀ ହୁଅ ।’ ସେ ସେମାନଙ୍କୁ ପୁରସ୍କାର ଦିଅନ୍ତି ଅର୍ଥାତ୍ ସେମାନଙ୍କୁ ମୃତ ଲୋକମାନଙ୍କ ମଧ୍ୟରୁ ସବୁଠୁ ପ୍ରଥମେ ଜୀବିତ କରନ୍ତି । (ମାଥି. ୨୫:୨୧, ୨୩; ପ୍ରକା. ୨୦:୫ଖ) କିନ୍ତୁ ଯୀଶୁ ଏହି ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଚେତାବନୀ ବି ଦେଉଥିଲେ । ସେ ଏହା ଚାହୁଁ ନ ଥିଲେ ଯେ ସେମାନେ ଅଳସ ଦାସ ଭଳି ହୁଅନ୍ତୁ । ତାହେଲେ ସେମାନଙ୍କୁ କʼଣ କରିବାର ଥିଲା ?
୧୩-୧୪. ତୋଡ଼ାର ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନ କʼଣ ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ପ୍ରମାଣିତ କରନ୍ତୁ ଯେ ଆପଣ ପରିଶ୍ରମୀ ଅଟନ୍ତି ଓ ମନପ୍ରାଣ ଦେଇ ସେବା କରନ୍ତି । କନ୍ୟାମାନଙ୍କ ଉଦାହରଣ ଭଳି ତୋଡ଼ାର ବି ଉଦାହରଣ ଦେଇ ଯୀଶୁ ଏହା ଭବିଷ୍ୟତବାଣୀ କରୁ ନ ଥିଲେ ଯେ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଳସ ହୋଇଯିବେ । ଏହା ପରିବର୍ତ୍ତେ ସେ ଏହା ବୁଝାଇବା ପାଇଁ ଚାହୁଁଥିଲେ ଯେ ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କ ଉତ୍ସାହ କମ୍ ହୋଇଯାଏ, ତାହେଲେ ତାଙ୍କ ସହ କʼଣ ହୋଇପାରେ । ତାଙ୍କୁ ଯେଉଁ “ଆହ୍ୱାନ” ଦିଆଯାଇଛି ଏବଂ “ମନୋନୟନ” କରାଯାଇଛି, ସେ ତାହାର ଯୋଗ୍ୟ ରହିବେ ନାହିଁ ଏବଂ ସେ ସେହି ସ୍ୱର୍ଗୀୟ ରାଜ୍ୟରେ ଯାଇପାରିବେ ନାହିଁ ।—୨ ପିତ. ୧:୧୦.
୧୪ କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କହୁଥିଲେ ଯେ ସେମାନଙ୍କୁ ସତର୍କ ଓ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ । ଆଉ ତୋଡ଼ାର ଉଦାହରଣ ଦେଇ ସେ କହିଲେ ଯେ ସେମାନଙ୍କୁ ମନପ୍ରାଣ ଦେଇ ସେବା କରିବାକୁ ପଡ଼ିବ । ଏହି ଉଦାହରଣଗୁଡ଼ିକ ଛଡ଼ା ଯୀଶୁ ଆଉ କିଛି ବି କହିଲେ ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଗୋଟିଏ ଚେତାବନୀ ଅଛି । ସେ ମାଥିଉ ୨୪:୪୦, ୪୧ ପଦରେ କହିଲେ ଯେ ଯେବେ ସେମାନଙ୍କର ନ୍ୟାୟ କରାଯିବ ଏବଂ ସେମାନଙ୍କୁ ମୁଦ୍ରାଙ୍କିତ କରାଯିବ, ତେବେ କʼଣ ହେବ ?
କେଉଁମାନଙ୍କୁ “ଗ୍ରହଣ କରାଯିବ” ?
୧୫-୧୬. ମାଥିଉ ୨୪:୪୦, ୪୧ ପଦରୁ କିପରି ଜଣାପଡ଼େ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଜାଗ୍ରତ ରହିବା ଦରକାର ?
୧୫ ଏହି ତିନୋଟି ଉଦାହରଣ ଦେବା ପୂର୍ବେ ଯୀଶୁ କହିଥିଲେ ଯେ ଯେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ନ୍ୟାୟ କରାଯିବ ଏବଂ ସେମାନଙ୍କୁ ମୁଦ୍ରାଙ୍କିତ କରାଯିବ, ସେସମୟରେ ଏହା ସ୍ପଷ୍ଟ ଜଣାପଡ଼ିବ ଯେ କାହା ଉପରେ ଯୀଶୁଙ୍କ ମଞ୍ଜୁରି ଅଛି । ସେ କହିଥିଲେ ଯେ ଦୁଇଜଣ ଲୋକ କ୍ଷେତରେ କାମ କରୁଥିବେ ଏବଂ ଦୁଇଜଣ ସ୍ତ୍ରୀ ଚକି ପେଷୁଥିବେ । ସେମାନଙ୍କୁ ଦେଖିଲେ ଏପରି ଲାଗିପାରେ ଯେ ସେମାନେ ଏକାଭଳି କାମ କରୁଛନ୍ତି । କିନ୍ତୁ ଯୀଶୁ କହିଲେ ଯେ “ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।” (ମାଥିଉ ୨୪:୪୦, ୪୧ ପଢ଼ନ୍ତୁ ।) ତାʼପରେ ସେ ନିଜ ଶିଷ୍ୟମାନଙ୍କୁ କହନ୍ତି, “ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।” (ମାଥି. ୨୪:୪୨) ଯୀଶୁ କନ୍ୟାମାନଙ୍କ ଉଦାହରଣ ଦେବା ପରେ ମଧ୍ୟ ଏପରି ହିଁ କିଛି କହିଥିଲେ । (ମାଥି. ୨୫:୧୩) ତାହେଲେ କʼଣ ଏହି ଦୁଇଟି ଉଦାହରଣ ମଧ୍ୟରେ କିଛି ସମ୍ପର୍କ ଅଛି ? ହୁଏତ ଥାଇପାରେ ? ଆଉ ଏଥିରୁ ଜଣାପଡ଼େ ଯେ ଯେଉଁ ଖ୍ରୀଷ୍ଟିୟାନ ସତରେ ଅଭିଷିକ୍ତ ଅଟନ୍ତି ଏବଂ ଯିଏ ବିଶ୍ୱସ୍ତ ରହିବେ, ଯୀଶୁ ସେମାନଙ୍କୁ ନିଜ ସହିତ ସ୍ୱର୍ଗକୁ “ଘେନି” ନେବେ, ଯେଉଁଠାରେ ସେମାନେ ତାଙ୍କ ସହିତ ମିଶି ଶାସନ କରିବେ ।—ଯୋହ. ୧୪:୩.
୧୬ ପ୍ରମାଣିତ କରନ୍ତୁ ଯେ ଆପଣ ଜାଗ୍ରତ ଅଛନ୍ତି । ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଜାଗ୍ରତ ରହନ୍ତି ନାହିଁ, ତେବେ ତାଙ୍କୁ “ମନୋନୀତ” ଲୋକମାନଙ୍କ ସହିତ ଏକାଠି କରାଯିବ ନାହିଁ । (ମାଥି. ୨୪:୩୧) ଏହି କଥା ଯିହୋବାଙ୍କ ସେସମସ୍ତ ସେବକଙ୍କ ଉପରେ ବି ଲାଗୁ ହୁଏ, ଯେଉଁମାନଙ୍କୁ ଏହି ପୃଥିବୀରେ ବଞ୍ଚିବାର ଆଶା ଅଛି । ସେମାନଙ୍କୁ ବି ଯୀଶୁଙ୍କ ଚେତାବନୀ ଉପରେ ଧ୍ୟାନ ଦେବାକୁ ପଡ଼ିବ । ସେମାନଙ୍କୁ ଜାଗ୍ରତ ଏବଂ ବିଶ୍ୱସ୍ତ ରହିବାକୁ ପଡ଼ିବ ।
୧୭. ଯଦି ଯିହୋବା ବର୍ତ୍ତମାନ ସମୟରେ କାହାରିକୁ ଅଭିଷେକ କରନ୍ତି, ତାହେଲେ ଆମକୁ କାହିଁକି ଚିନ୍ତିତ ହେବା ଉଚିତ୍ ନୁହେଁ ?
୧୭ ଆମେ ଯିହୋବାଙ୍କୁ ଭଲଭାବରେ ଜାଣିଛୁ, ତେଣୁ ଆମକୁ ପୂରା ଭରସା ଅଛି ଯେ ଯିହୋବା ଯାହା ବି କରିବେ ତାହା ପୂରାପୂରି ଠିକ୍ ଥିବ । ସେଥିପାଇଁ ଆମେ ଏହା ଭାବି ଚିନ୍ତା କରି ନ ଥାଉ ଯେ ଯିହୋବା ବର୍ତ୍ତମାନ ସମୟରେ କିଛି ବିଶ୍ୱସ୍ତ ଲୋକମାନଙ୍କୁ ପବିତ୍ର ଶକ୍ତିରୁ ଅଭିଷେକ କରିଛନ୍ତି ଏବଂ ସେମାନଙ୍କୁ ସ୍ୱର୍ଗ ଯିବା ପାଇଁ ବାଛିଛନ୍ତି । c ଆମେ ଯୀଶୁଙ୍କ ସେହି ଉଦାହରଣ ମନେ ରଖୁ, ଯେଉଁଥିରେ ସେ କହିଥିଲେ ଯେ କିଛି ଶ୍ରମିକଙ୍କୁ ୧୧ ତମ ଘଟିକାରେ ଅଙ୍ଗୁର ବଗିଚାରେ କାମ କରିବା ପାଇଁ ଡକା ଯାଇଥିଲା । (ମାଥି. ୨୦:୧-୧୬) କିନ୍ତୁ ସେହି ଶ୍ରମିକମାନଙ୍କୁ ସେତିକି ହିଁ ମଜୁରି ମିଳେ ଯେତିକି ଦିନସାରା କାମ କରୁଥିବା ଶ୍ରମିକମାନଙ୍କୁ ଦିଆଯାଏ । ଠିକ୍ ସେହିଭଳି, ଜଣେ ଖ୍ରୀଷ୍ଟିୟାନଙ୍କୁ କେବେ ଅଭିଷେକ କରାଗଲା ତାହା ମହତ୍ତ୍ୱ ରଖେନି, ବରଂ ଯଦି ସେ ବିଶ୍ୱସ୍ତ ରହନ୍ତି ତାହେଲେ ତାଙ୍କୁ ମଧ୍ୟ ଅନ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଭଳି ସ୍ୱର୍ଗରେ ବଞ୍ଚିବାର ସୁଯୋଗ ମିଳିବ ।
ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
୧୮-୧୯. ଆମେ ଯେଉଁ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲୁ, ସେଥିରୁ ଆମେ କʼଣ ଶିଖିଲୁ ଏବଂ ସେଥିରେ ଆମ ପାଇଁ କʼଣ ଚେତାବନୀ ଦିଆଯାଇଛି ?
୧୮ ଆମେ ଏହି ଲେଖାରେ କʼଣ ଶିଖିଲୁ ? ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଏହି ପୃଥିବୀରେ ସବୁଦିନ ପାଇଁ ବଞ୍ଚିବାର ଆଶା ଅଛି, ସେମାନେ ମେଷ ଓ ଛାଗଗୁଡ଼ିକର ଉଦାହରଣରୁ ଶିଖନ୍ତି ଯେ ସେମାନଙ୍କୁ ଆଜି ଏବଂ ଯେବେ ମହାକ୍ଳେଶ ଆସିବ ସେସମୟରେ ବି ଯିହୋବାଙ୍କ ବିଶ୍ୱସ୍ତ ରହିବାର ଅଛି । ଯଦି ସେମାନେ ବିଶ୍ୱସ୍ତ ରହନ୍ତି, ତେବେ ହର୍ମିଗିଦ୍ଦୋନ୍ ପୂର୍ବେ ଯେବେ ଯୀଶୁ ନ୍ୟାୟ କରିବେ, ତେବେ ସେ ସେମାନଙ୍କୁ ଧାର୍ମିକ ଗଣିତ କରିବେ ଏବଂ “ଅନନ୍ତ ଜୀବନ” ଦେବେ ।—ମାଥି. ୨୫:୪୬.
୧୯ ଆମେ ଆହୁରି ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେଲୁ ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଚେତାବନୀ ଥିଲା । ଯୀଶୁ ଦଶଜଣ କନ୍ୟାଙ୍କ ଉଦାହରଣ ଦେଇ କହିଲେ ଯେ ସେମଧ୍ୟରୁ ପାଞ୍ଚଜଣ କନ୍ୟା ସୁବୁଦ୍ଧି ଥିଲେ । ସେମାନେ ସତର୍କ ଥିଲେ ଏବଂ ବର ନ ଆସିବା ଯାଏ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ନିର୍ବୁଦ୍ଧି କନ୍ୟାମାନେ ପ୍ରସ୍ତୁତ ନ ଥିଲେ, ତେଣୁ ବର ସେମାନଙ୍କୁ ବିବାହ ଭୋଜିରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । ଏଥିରୁ ଆମେ ଶିଖୁ ଯେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଯେବେ ଯାଏ ଯୀଶୁ ଏହି ଦୁନିଆକୁ ବିନାଶ ନ କରନ୍ତି, ସେସମୟ ଯାଏ ଅପେକ୍ଷା କରିବାକୁ ପଡ଼ିବ । ତାʼପରେ ଆମେ ତୋଡ଼ାର ଉଦାହରଣ ଉପରେ ଧ୍ୟାନ ଦେଲୁ, ଯେଉଁଥିରେ କୁହାଯାଇଥିଲା ଯେ ଦୁଇଜଣ ବିଶ୍ୱସ୍ତ ଦାସ ବହୁତ ପରିଶ୍ରମୀ ଥିଲେ ଏବଂ ନିଜ ମାଲିକର କାମ ମନପ୍ରାଣ ଦେଇ କରୁଥିଲେ । ସେମାନଙ୍କ ପରିଶ୍ରମ ଦେଖି ମାଲିକ ବହୁତ ଖୁସି ହୋଇଯାʼନ୍ତି ଏବଂ ସେମାନଙ୍କୁ ପୁରସ୍କାର ଦିଅନ୍ତି । କିନ୍ତୁ ସେ ଅଳସ ଦାସକୁ ବାହାର କରିଦିଅନ୍ତି । ଏଥିରୁ ଆମେ କʼଣ ଶିଖୁ ? ଆମକୁ ବିନାଶ ଆସିବା ଯାଏ ଯିହୋବାଙ୍କ ସେବା କରିବା ଜାରି ରଖିବା ଉଚିତ୍ । ଶେଷରେ ଆମେ ଦେଖିଲୁ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଜାଗ୍ରତ ରହିବାକୁ ପଡ଼ିବ । ତେବେ ଯାଇ ଯୀଶୁ ସେମାନଙ୍କୁ ନିଜ ସହିତ ସ୍ୱର୍ଗକୁ “ଘେନି” ନେବେ । ସେମାନେ ସେସମୟକୁ ଆଗ୍ରହର ସହ ଅପେକ୍ଷା କରୁଛନ୍ତି, ଯେବେ ସେମାନେ ଯୀଶୁଙ୍କ ସହିତ ସ୍ୱର୍ଗରେ “ଏକତ୍ର” କରାଯିବେ । ହର୍ମିଗିଦ୍ଦୋନ୍ ଯୁଦ୍ଧ ପରେ ଯେବେ ମେଷଶାବକଙ୍କ ଅର୍ଥାତ୍ ଯୀଶୁଙ୍କ ବିବାହ ହେବ, ତେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ତାଙ୍କର କନ୍ୟା ହେବେ ।—୨ ଥେସ. ୨:୧; ପ୍ରକା. ୧୯:୭, ୯.
୨୦. ଯେଉଁମାନେ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି, ଯିହୋବା ସେମାନଙ୍କୁ କʼଣ ପୁରସ୍କାର ଦେବେ ?
୨୦ ସେହି ସମୟ ବହୁତ ନିକଟ ଅଛି, ଯେବେ ଯୀଶୁ ଏହି ଦୁନିଆର ନ୍ୟାୟ କରିବେ । କିନ୍ତୁ ଆମକୁ ଡରିବା ଉଚିତ୍ ନୁହେଁ । ଯଦି ଆମେ ବିଶ୍ୱସ୍ତ ରହିବା, ତାହେଲେ ଆମ ପ୍ରେମମୟୀ ପିତା ଯିହୋବା ଆମକୁ ସେହି ଶକ୍ତି ଦେବେ ଯାହା “ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ,” ଯାହାଦ୍ୱାରା ଆମେ “ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ” ହୋଇପାରିବା । (୨ କରି. ୪:୭; ଲୂକ ୨୧:୩୬) ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ, ଯଦି ଆମେ ଯୀଶୁଙ୍କ ଉଦାହରଣରେ ଦିଆଯାଇଥିବା ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ ଆମେ ଯିହୋବାଙ୍କ ହୃଦୟ ଖୁସି କରିବା । ସେ ଆମ ଉପରେ ମହାକୃପା କରିବେ ଏବଂ ଆମ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖା ହୋଇରହିବ ।—ଦାନି. ୧୨:୧; ପ୍ରକା. ୩:୫.
ଗୀତ ୨୬ ତୁମ୍ନେ ମେରେ ଲିଏ କିୟା
a ମେ ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?” ପଢ଼ନ୍ତୁ ।
b ଆହୁରି ଅଧିକ ଜାଣିବା ପାଇଁ ୧୫ ମାର୍ଚ୍ଚ, ୨୦୧୫ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “କ୍ୟା ଆପ୍ ‘ଜାଗ୍ତେ ରହେଙ୍ଗେ’ ?” ପଢ଼ନ୍ତୁ ।
d ଚିତ୍ର ବିଷୟରେ: ଜଣେ ଅଭିଷିକ୍ତ ଭଉଣୀ ଜଣେ ଝିଅ ସହ ଅଧ୍ୟୟନ କରୁଛନ୍ତି, ଯାହାକୁ ସେ ପ୍ରଚାର କରିବା ସମୟରେ ଭେଟିଥିଲେ ।