इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ଯିହୋବାଙ୍କ ସେବାରେ ମିଳିଲା ଅନେକ ଆଶିଷ

ଯିହୋବାଙ୍କ ସେବାରେ ମିଳିଲା ଅନେକ ଆଶିଷ

ଏହା ୧୯୫୧ ମସିହାର କଥା ଅଟେ । ମୁଁ କାନାଡ଼ାର କ୍ୟୁବେକ ପ୍ରାନ୍ତର ଗୋଟିଏ ଛୋଟ ସହର ରୁଆନରେ କିଛି ସମୟ ପୂର୍ବେ ହିଁ ପହଞ୍ଚି ଥିଲି । ମୋ ପାଖରେ ଗୋଟିଏ ଘରର ଠିକଣା ଥିଲା । ମୁଁ ସେଠାକୁ ଯାଇ ସେହି ଘରର କବାଟ ବାଡ଼ାଇଲି । ଭାଇ ମାର୍ସେଲ ଫିଲ୍‌ଟୋ a କବାଟ ଖୋଲିଲେ । ସେ ଗିଲିଅଡ୍‌ ସ୍କୁଲ ଯାଇଥିଲେ ଏବଂ ଜଣେ ମିଶନାରୀ ଥିଲେ । ସେ ୨୩ ବର୍ଷର ଥିଲେ ଆଉ ବହୁତ ଲମ୍ବା ଥିଲେ । ଆଉ ମୁଁ ୧୬ ବର୍ଷର ଥିଲି ଓ ଉଚ୍ଚତାରେ ତାଙ୍କଠାରୁ ବହୁତ ଛୋଟ ଥିଲି । ମୁଁ ତାଙ୍କୁ ଗୋଟିଏ ଚିଠି ଦେଲି ଯେଉଁଥିରେ ଲେଖାଥିଲା ଯେ ମୋତେ ସେଠାରେ ଅଗ୍ରଦୂତ ସେବା କରିବା ପାଇଁ ପଠାଯାଇଛି । ଚିଠି ପଢ଼ିବା ପରେ ସେ ମୋ ଆଡ଼କୁ ଦେଖି ପଚାରିଲେ, “କʼଣ ତମ ମାଆଙ୍କୁ ଜଣା ଅଛି ଯେ ତମେ ଏଇଠି ଆସିଛ ?”

କେବଳ ମାଆ ସତ୍ୟରେ ଥିଲେ, ବାପା ନୁହେଁ

ମୋ ଜନ୍ମ ୧୯୩୪ ମସିହାରେ ହୋଇଥିଲା । ମୋ ବାପାମାଆ ସ୍ୱିଜରଲ୍ୟାଣ୍ଡରୁ କାନାଡ଼ାର ଆଣ୍ଟେରିୟୋ ପ୍ରାନ୍ତରେ ରହିବାକୁ ଲାଗିଲେ । ଆମେ ସେଠାରେ ଥିବା ଟିମିଂସ ନାମକ ଛୋଟିଆ ସହରରେ ରହୁଥିଲୁ, ଯାହା ସୁନା ଖଣି ପାଇଁ ପ୍ରସିଦ୍ଧ ଥିଲା । ୧୯୩୯ ମସିହାର ଆଖପାଖରେ ମୋ ମାଆ ପ୍ରହରୀଦୁର୍ଗ ପତ୍ରିକା ପଢ଼ିବା ଆରମ୍ଭ କଲେ ଏବଂ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଯିବାକୁ ଲାଗିଲେ । ମାଆ ମୋତେ ଓ ମୋ ଛଅଜଣ ଭାଇଭଉଣୀଙ୍କୁ ସଭାରେ ନେଇ ଯାଉଥିଲେ । କିଛି ସମୟ ପରେ ସେ ଜଣେ ଯିହୋବାଙ୍କ ସାକ୍ଷୀ ହୋଇଗଲେ ।

ମାଆଙ୍କ ଏହି ନିଷ୍ପତ୍ତିରୁ ବାପା ଜମା ବି ଖୁସି ନ ଥିଲେ । କିନ୍ତୁ ମାଆଙ୍କୁ ସତ୍ୟ ପ୍ରତି ବହୁତ ପ୍ରେମ ଥିଲା । ଆଉ ସେ ଭାବି ନେଇଥିଲେ ଯେ ଯାହା ବି ହୋଇଯାଉ ନା କାହିଁକି ସେ ଯିହୋବାଙ୍କୁ ଛାଡ଼ିବେ ନାହିଁ । ଆଉ ୧୯୪୦ ମସିହାର ଆରମ୍ଭରେ ଯେବେ କାନାଡ଼ାରେ ଯିହୋବାଙ୍କ ସାକ୍ଷୀମାନଙ୍କ କାମରେ ରୋକ ଲାଗିଲା, ତେବେ ବି ମାଆ ଯିହୋବାଙ୍କ ସେବା କରିବା ଛାଡ଼ିଲେ ନାହିଁ । ବାପା ମାଆଙ୍କୁ ବହୁତ ଓଲଟା ସିଧା କଥା କହୁଥିଲେ, ତଥାପି ମାଆ ସବୁବେଳେ ତାଙ୍କ ସହ ଆଦର ଓ ପ୍ରେମର ସହ ବ୍ୟବହାର କରୁଥିଲେ । ଆଉ ଏହାର ଆମମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିଲା ଓ ଆମେ ବି ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲୁ । ଧୀରେ ଧୀରେ ବାପାଙ୍କ ସ୍ୱଭାବ ବଦଳିଗଲା ଆଉ ସେ ଆମ ସହ ଭଲ ବ୍ୟବହାର କରିବାକୁ ଲାଗିଲେ ।

ପୂର୍ଣ୍ଣ ସମୟର ସେବା ଆରମ୍ଭ କଲି

ଅଗଷ୍ଟ ୧୯୫୦ ମସିହାରେ ମୁଁ ‘ଈଶ୍ୱରଶାସିତ ପ୍ରଗତି ସମ୍ମିଳନୀରେ’ ଗଲି, ଯାହା ଆମେରିକାର ନ୍ୟୁୟର୍କ ସହରରେ ରଖାଯାଇଥିଲା । ଏଠାରେ ଅଲଗା ଅଲଗା ଦେଶର ଭାଇଭଉଣୀମାନେ ଆସିଥିଲେ । ଏହି ଭାଇଭଉଣୀମାନଙ୍କ ସହ ଭେଟି ମୋତେ ବହୁତ ଭଲ ଲାଗିଲା । ଯେବେ ମୁଁ ସେହି ଭାଇଭଉଣୀମାନଙ୍କ ସହିତ ଭେଟିଲି, ଯେଉଁମାନେ ଗିଲିଅଡ୍‌ ସ୍କୁଲ ଯାଇଥିଲେ ଆଉ ସେମାନଙ୍କର ଅନୁଭବ ଶୁଣିଲି ତେବେ ମୋର ବି ଯିହୋବାଙ୍କ ସେବା କରିବା ପାଇଁ ଉତ୍ସାହ ବଢ଼ିଗଲା । ମୁଁ ଭାବିଲି ଯେ ମୁଁ ବି ପୂର୍ଣ୍ଣ ସମୟର ସେବା କରିବି ! ଘରକୁ ପହଞ୍ଚିବା ମାତ୍ରେ ମୁଁ ଅଗ୍ରଦୂତ ସେବା ପାଇଁ ଫର୍ମ ଭରି ଦେଲି । ତାʼପରେ କାନାଡ଼ା ଶାଖା କାର୍ଯ୍ୟାଳୟରୁ ମୋତେ ଗୋଟିଏ ଚିଠି ମିଳିଲା ଆଉ ସେମାନେ ମୋତେ କହିଲେ ଯେ ମୋତେ ଆଗ ବାପ୍ତିସ୍ମ ନେବାକୁ ହେବ । ସେହି ବର୍ଷ ୧ ଅକ୍ଟୋବରରେ ମୁଁ ବାପ୍ତିସ୍ମ ନେଲି । ଏହାର ଗୋଟିଏ ମାସ ପରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କଲି ଆଉ ମୋତେ କାପସ୍‌କେସିଂ ନାମକ ଜାଗାକୁ ପଠାଗଲା । ଏହି ସହର ଆମ ଘରଠାରୁ ବହୁତ ଦୂରରେ ଥିଲା ।

କ୍ୟୁବେକରେ ପ୍ରଚାର କରିବା ସମୟରେ

୧୯୫୧ ମସିହାରେ ଶାଖା କାର୍ଯ୍ୟାଳୟରୁ ମୋତେ ଗୋଟିଏ ଚିଠି ମିଳିଲା । ସେହି ଚିଠିରେ ଲେଖାଥିଲା ଯେ ଯେଉଁ ଭାଇଭଉଣୀମାନେ ଫ୍ରେଞ୍ଚ ଭାଷା ଜାଣନ୍ତି, ସେମାନେ କ୍ୟୁବେକରେ ସେବା କରିବା ବିଷୟରେ ଭାବିପାରିବେ । କାରଣ ସେଠାରେ ଫ୍ରେଞ୍ଚ ଭାଷା କହୁଥିବା ଅଧିକାଂଶ ଲୋକ ରହନ୍ତି । ମୁଁ ପିଲାବେଳରୁ ହିଁ ଇଂରାଜୀ ଓ ଫ୍ରେଞ୍ଚ ଭାଷା ଜାଣୁଥିଲି, ତେଣୁ ମୁଁ କ୍ୟୁବେକ ଯିବା ପାଇଁ ଭାବିଲି । ଆଉ ଶାଖା କାର୍ଯ୍ୟାଳୟ ମୋତେ ରୁଆନ ସହର ପଠାଇଲା । ସେଠାରେ ମୁଁ କାହାରିକୁ ବି ଜାଣି ନ ଥିଲି । ଶାଖା କାର୍ଯ୍ୟାଳୟ ମୋତେ ଯେଉଁଠି ଯିବାର ଥିଲା ତାʼର କେବଳ ଗୋଟିଏ ଠିକଣା ଦେଲା । ଯାହା ବିଷୟରେ ମୁଁ ଆରମ୍ଭରେ କହିଥିଲି । ଭାଇ ମାର୍ସେଲ ଓ ମୁଁ ଭଲ ସାଙ୍ଗ ହୋଇଗଲୁ । ଆଉ ଚାରି ବର୍ଷ ଯାଏ ମୁଁ କ୍ୟୁବେକରେ ବହୁତ ଭଲଭାବେ ସେବା କଲି । ମୁଁ ସେଠାରେ ବିଶେଷ ଅଗ୍ରଦୂତ ସେବା ବି ଆରମ୍ଭ କଲି ।

ଗିଲିଅଡ୍‌ ଗଲା ପରେ ବି ଆଶା ପୂରା ହେବା ପାଇଁ ସମୟ ଲାଗିଲା

ଯେବେ ମୁଁ କ୍ୟୁବେକରେ ସେବା କରୁଥିଲି, ତେବେ ମୋତେ ଗିଲିଅଡ୍‌ ସ୍କୁଲର ୨୬ତମ କ୍ଲାସ ପାଇଁ ଡକାଗଲା । ଏହି କ୍ଲାସ ନ୍ୟୁୟର୍କର ସାଉଥ୍‌ ଲ୍ୟାନ୍‌ସିଙ୍ଗ ସହରରେ ରଖାଯାଇଥିଲା । ଏହି କ୍ଲାସ ବିଷୟରେ ଶୁଣି ମୋତେ ବହୁତ ଖୁସି ଲାଗିଲା । ୧୨ ଫେବୃଆରୀ, ୧୯୫୬ ମସିହାରେ ମୁଁ ଗିଲିଅଡ୍‌ ସ୍କୁଲରୁ ଗ୍ରାଜୁଏଟ୍‌ ହେଲି । ଆଉ ମୋତେ ପଶ୍ଚିମ ଆଫ୍ରିକାର ଘାନା b ଦେଶକୁ ପଠାଗଲା । ଘାନା ଯିବା ପୂର୍ବରୁ କାଗଜପତ୍ର ତିଆରି କରିବା ପାଇଁ ମୋତେ “କିଛି ସପ୍ତାହ” ପାଇଁ କାନାଡ଼ା ଯିବାର ଥିଲା ।

କିନ୍ତୁ ଏହି କାଗଜପତ୍ର ତିଆରି କରିବା ପାଇଁ ମୋତେ ସାତ ମାସ ଟୋରଣ୍ଟୋରେ ରହିବାକୁ ପଡ଼ିଲା । ସେଠାରେ ମୁଁ ଭାଇ କ୍ରିପ୍ସଙ୍କ ଘରେ ରହିଲି । ତାଙ୍କ ଝିଅର ନାମ ଶିଲା ଥିଲା । ଆମେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲୁ । ମୁଁ ତାକୁ ବିବାହ ପାଇଁ କହିବାକୁ ଚାହୁଁଥିଲି, କିନ୍ତୁ ମୋତେ ଘାନା ଯିବା ପାଇଁ ଭିଜା ମିଳିଗଲା । ଆମେ ଦୁହେଁ ଏବିଷୟରେ ପ୍ରାର୍ଥନା କଲୁ ଏବଂ ଏହା ନିଷ୍ପତ୍ତି ନେଲୁ ଯେ ମୁଁ ଘାନା ଯିବି । କିନ୍ତୁ ଆମେ ଭାବିଲୁ ଯେ ଆମେ ପରସ୍ପରକୁ ଚିଠି ଲେଖିବା ଆଉ ପରେ ବିବାହ ବିଷୟରେ ଭାବିବା । ଏହା ଏତେ ସହଜ ନ ଥିଲା କିନ୍ତୁ ପରେ ଆମକୁ ଅନୁଭବ ହେଲା ଯେ ଆମେ ଠିକ୍‌ ନିଷ୍ପତ୍ତି ନେଇଥିଲୁ ।

ଗୋଟିଏ ମାସ ଯାଏ ମୁଁ ଟ୍ରେନ୍‌ରେ, ଜିନିଷ ନେଉଥିବା ସାମୁଦ୍ରିକ ଜାହାଜ ଏବଂ ଉଡ଼ାଜାହାଜରେ ଯାତ୍ରା କଲି । ତେବେ ଯାଇ ମୁଁ ଘାନାର ଆକ୍ରା ସହର ପହଞ୍ଚିଲି । ସେଠାରେ ମୋତେ ଜିଲା ଅଧ୍ୟକ୍ଷଙ୍କ ଦାୟିତ୍ୱ ଦିଆଗଲା । ଏହି କାମ ପାଇଁ ମୋତେ ଘାନା ସହର ଛଡ଼ା ତାʼ ଆଖପାଖ ଦେଶଗୁଡ଼ିକରେ ମଧ୍ୟ ଯିବାକୁ ପଡ଼ୁଥିଲା । ଯେପରି ଆଇଭରି କୋଷ୍ଟ (ଯାହା ଏବେ କୋଟ୍‌ ଡି ଆଇଭରି ନାମରେ ଜଣାଯାଏ) ଏବଂ ଟୋଗୋଲ୍ୟାଣ୍ଡ (ଯାହା ଏବେ ଟୋଗୋ ନାମରେ ଜଣାଯାଏ) । ଶାଖା କାର୍ଯ୍ୟାଳୟ ମୋତେ ଗୋଟିଏ ଗାଡ଼ି (ଜିପ୍‌) ଦେଇଥିଲା । ମୁଁ ସେଥିରେ ଯାତ୍ରା କରୁଥିଲି । ଅଲଗା ଅଲଗା ଜାଗା ଯାଇ ଭାଇଭଉଣୀମାନଙ୍କୁ ଭେଟିବା ମୋତେ ବହୁତ ଭଲ ଲାଗୁଥିଲା !

ମୁଁ ଶନିବାର ରବିବାର ଦିନ ସମ୍ମିଳନୀରେ ବ୍ୟସ୍ତ ରହୁଥିଲି । ଆମ ପାଖରେ ସମ୍ମିଳନୀ ଭବନ ନ ଥିଲା, ତେଣୁ ଭାଇମାନେ ବାଉଁଶର ଗୋଟିଏ ଢାଞ୍ଚା ତିଆରି କରୁଥିଲେ । ଆଉ ସମ୍ମିଳନୀରେ ଆସୁଥିବା ଭାଇଭଉଣୀମାନେ ଟାଣ ଖରାରୁ ରକ୍ଷା ପାଇ ପାରନ୍ତୁ, ତାʼପାଇଁ ସେହି ଢାଞ୍ଚା ଉପରେ ଖଜୁରୀ ଡାଳର ଛାତ ତିଆରି କରୁଥିଲେ । ସେସମୟରେ ଆମ ପାଖରେ ଫ୍ରିଜ ନ ଥିଲା, ସେଥିପାଇଁ ଆମେ ପଶୁଗୁଡ଼ିକ ରଖୁଥିଲୁ, ଯାହାଫଳରେ ଯେଉଁ ଭାଇଭଉଣୀମାନେ ସମ୍ମିଳନୀକୁ ଆସନ୍ତେ ସେମାନଙ୍କୁ ଆମେ ସେଗୁଡ଼ିକୁ କାଟି ରୋଷେଇ କରିକି ଦେଇପାରନ୍ତୁ ।

ଏହି ସମ୍ମିଳନୀରେ ଅନେକଥର ମଜାଦାର ଜିନିଷ ହେଉଥିଲା । ସେ ମଧ୍ୟରୁ ଗୋଟିଏ ହେଉଛି, ଥରେ ଜଣେ ଭାଇ ହର୍ବ ଜେନିଂଗ୍‌ଜ c ଯିଏ ଜଣେ ମିଶନାରୀ ଥିଲେ, ଗୋଟିଏ ଭାଷଣ ଦେଉଥିଲେ । ସେସମୟରେ ଗୋଟିଏ ବାଛୁରୀ ଷ୍ଟେଜ୍‌ ସାମନାରେ ଆସି ଏଣେ ତେଣେ ଦୌଡ଼ିବାକୁ ଲାଗିଲା । ତେଣୁ ଭାଇ ହର୍ବ ଭାଷଣ ଦେଇପାରିଲେନି । ଆଉ ସେ ବାଛୁରୀ ବୁଝିପାରୁ ନ ଥିଲା ଯେ ସେ କୁଆଡ଼େ ଯିବ । ସେସମୟରେ ଚାରିଜଣ ଭାଇ ଯେଉଁମାନେ ସେହି ବାଛୁରୀକୁ ଧରିପାରନ୍ତେ ଆସି ତାକୁ ବାହାରକୁ ନେଇଗଲେ । ଏହା ଦେଖି ସମସ୍ତେ ଖୁସିରେ ତାଳି ମାରିବାକୁ ଲାଗିଲେ ।

ସମ୍ମିଳନୀ ସପ୍ତାହର ବାକି ଦିନରେ ମୁଁ ଆଖପାଖ ଗାଁକୁ ଯାଇ ଦ ନ୍ୟୁ ୱାଲ୍‌ଡ ସୋସାଇଟି ଇନ୍‌ ଏକ୍ସନ୍‌ ନାମକ ଫିଲ୍ମ ଦେଖାଉଥିଲି । ମୁଁ ଦୁଇଟା ଖମ୍ବ ବା ଦୁଇଟି ଗଛରେ ଗୋଟିଏ ମୋଟା ଧଳା ଚାଦର ବାନ୍ଧି ଦେଉଥିଲି ଆଉ ସେଥିରେ ପ୍ରୋଜେକ୍ଟରରୁ ଫିଲ୍ମ ଦେଖାଉଥିଲି । ଗାଁର ଲୋକମାନଙ୍କୁ ଫିଲ୍ମ ଦେଖି ବହୁତ ଭଲ ଲାଗୁଥିଲା । କିଛି ଲୋକମାନେ ପ୍ରଥମ ଥର ଫିଲ୍ମ ଦେଖୁଥିଲେ । ଯେବେ ବି ଫିଲ୍ମରେ ବାପ୍ତିସ୍ମର ଦୃଶ୍ୟ ଆସୁଥିଲା, ସେସମୟରେ ଲୋକମାନେ ବହୁତ ଖୁସି ହୋଇ ଯାଉଥିଲେ ଓ ଜୋର୍‌ ଜୋର୍‌ରେ ତାଳି ମାରୁଥିଲେ । ଯେକେହି ଏହି ଫିଲ୍ମ ଦେଖୁଥିଲେ, ସେମାନେ ବୁଝିପାରୁଥିଲେ ଯେ ଯିହୋବାଙ୍କ ସଂଗଠନ ସାରା ଦୁନିଆରେ ଭରି ରହିଛି । ଆଉ ତାଙ୍କ ଲୋକମାନଙ୍କ ମଧ୍ୟରେ ବହୁତ ଏକତା ଅଛି ।

୧୯୫୯ ମସିହାରେ ଘାନାରେ ଆମ ବିବାହ ହେଲା

୧୯୫୮ ମସିହାରେ ନ୍ୟୁୟର୍କ ସହରରେ ଗୋଟିଏ ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ଥିଲା । ଆଫ୍ରିକାରେ ପ୍ରାୟ ଦୁଇ ବର୍ଷ ସେବା କଲା ପରେ ସେଠାରେ ଯିବା ପାଇଁ ମୋତେ ବହୁତ ଇଚ୍ଛା ହେଉଥିଲା । ସେସମୟରେ ଶିଲା କ୍ୟୁବେକରେ ବିଶେଷ ଅଗ୍ରଦୂତ ସେବା କରୁଥିଲା ଆଉ ସେ ବି ସେହି ଅଧିବେଶନରେ ଆସନ୍ତା । ଏବେ ଯାଏ ଆମେ କେବଳ ପରସ୍ପରକୁ ଚିଠି ଲେଖୁଥିଲୁ, କିନ୍ତୁ ତାକୁ ସାମନାରେ ଭେଟି ମୋତେ ବହୁତ ଖୁସି ଲାଗିଲା । ମୁଁ ତାକୁ ପଚାରିଲି, ‘ତମେ ମୋତେ ବିବାହ କରିବ ?’ ସେ ରାଜି ହୋଇଗଲା । ମୁଁ ଭାଇ ନୋରଙ୍କୁ d ଚିଠି ଲେଖି ତାଙ୍କୁ ପଚାରିଲି ଯେ କʼଣ ଶିଲା ଗିଲିଅଡ୍‌ ସ୍କୁଲ ଯାଇପାରିବ, ଯାହାଫଳରେ ସେ ମୋ ସହ ଆଫ୍ରିକାରେ ସେବା କରିପାରିବ । ସେ ରାଜି ହୋଇଗଲେ । କିଛି ସମୟ ପରେ ଶିଲା ଘାନା ଆସିଲା । ତାʼପରେ ୩ ଅକ୍ଟୋବର, ୧୯୫୯ ମସିହାରେ ଆମେ ଆକ୍ରାରେ ବିବାହ କଲୁ । ଆମକୁ ଏପରି ଲାଗିଲା ଯେପରି ଆମେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେବା ଯୋଗୁଁ ଆମକୁ ଏହି ଆଶିଷ ମିଳିଲା ।

କେମେରୁନ୍‌ରେ ମିଶି ସେବା କଲୁ

କେମେରୁନ୍‌ ଶାଖା କାର୍ଯ୍ୟାଳୟରେ କାମ କରିବା ସମୟରେ

୧୯୬୧ ମସିହାରେ ଆମକୁ କେମେରୁନ୍‌ ଦେଶ ପଠାଗଲା । ସଂଗଠନ ସେଠାରେ ଗୋଟେ ନୂଆ ଶାଖା କାର୍ଯ୍ୟାଳୟ ଆରମ୍ଭ କରିବା ପାଇଁ ଚାହୁଁଥିଲା । ସେଠାରେ ମୋତେ ଶାଖା ସେବକର ଦାୟିତ୍ୱ ଦିଆଗଲା । କାମ ତ ବହୁତଗୁଡ଼ିଏ ଥିଲା, କିନ୍ତୁ ସେସମୟରେ ମୁଁ ବହୁତ କିଛି ଶିଖିଲି । ତାʼପରେ ୧୯୬୫ ମସିହାରେ ଆମକୁ ଜଣାପଡ଼ିଲା ଯେ ଶିଲା ମାଆ ହେବାକୁ ଯାଉଛି । ସତ କହିବାକୁ ଗଲେ ଆମକୁ ଆରମ୍ଭରେ ବୁଝା ହିଁ ପଡ଼ୁ ନ ଥିଲା ଯେ ଆମେ ଏହି ଦାୟିତ୍ୱକୁ କିପରି ତୁଲାଇବା । କିନ୍ତୁ କିଛି ସମୟ ପରେ ଏହା ଭାବି ଆମକୁ ବହୁତ ଖୁସି ହେଲା ଯେ ଆମେ ବାପାମାଆ ହେବାକୁ ଯାଉଛୁ । ଆମେ କାନାଡ଼ାକୁ ପୁଣି ଫେରିଯିବା ପାଇଁ ଭାବିଲୁ । କିନ୍ତୁ ପରେ ଆମକୁ ଏପରି ଖବର ଶୁଣିବାକୁ ମିଳିଲା, ଯାହା ଶୁଣି ଆମେ ପୂରା ଭାଙ୍ଗି ପଡ଼ିଲୁ ।

ଆମ ପିଲା ଜନ୍ମ ହେବା ପୂର୍ବରୁ ଆମେ ତାକୁ ହରାଇଦେଲୁ । ଡାକ୍ତର ଆମକୁ କହିଲେ ଯେ ଆମର ପୁଅ ହୋଇଥାʼନ୍ତା । ଏହି କଥାକୁ ୫୦ ବର୍ଷ ବିତି ଯାଇଛି କିନ୍ତୁ ଆମେ ଏହି ଘଟଣାକୁ ଭୁଲି ନାହୁଁ । ଆମେ ବହୁତ ଦୁଃଖି ଥିଲୁ କିନ୍ତୁ ଆମେ କେମେରୁନ୍‌ର ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁଥିଲୁ, ସେଥିପାଇଁ ଆମେ ସେଠାରେ ହିଁ ରହି ସେବା କଲୁ ।

୧୯୬୫ ମସିହାରେ କେମେରୁନ୍‌ରେ ଶିଲାଙ୍କ ସହିତ

ରାଜନୈତିକ ମାମଲାରେ ନିଷ୍ପକ୍ଷ ରହିବା ପାଇଁ କେମେରୁନ୍‌ର ଭାଇଭଉଣୀମାନଙ୍କୁ ବହୁତ ଅତ୍ୟାଚାର ସହିବାକୁ ପଡ଼ୁଥିଲା । ଆଉ ଯେବେ ରାଷ୍ଟ୍ରପତିଙ୍କ ନିର୍ବାଚନ ହେଉଥିଲା, ସେସମୟରେ ତାଙ୍କ ପରିସ୍ଥିତି ଆହୁରି ଖରାପ ହୋଇଯାଉଥିଲା । ତାʼପରେ ଯେଉଁ କଥାର ଡର ଥିଲା ତାହା ହିଁ ହେଲା । ୧୩ ମେ, ୧୯୭୦ ମସିହାରେ କେମେରୁନ୍‌ରେ ଆମର କାମ ଉପରେ ସରକାର ରୋକ୍‌ ଲଗାଇଦେଲା । ଆମ ଶାଖା କାର୍ଯ୍ୟାଳୟ ତିଆରି ହେବାର ମାତ୍ର ପାଞ୍ଚ ମାସ ହୋଇଥିଲା, କିନ୍ତୁ ସରକାର ତାକୁ ଜବତ କରିନେଲା । ଗୋଟେ ସପ୍ତାହ ମଧ୍ୟରେ ସବୁ ମିଶନାରୀମାନଙ୍କ ସହ ମୋତେ ଓ ଶିଲାକୁ ବି ବାହାର କରିଦିଆଗଲା । କେମେରୁନ୍‌ର ଭାଇଭଉଣୀମାନଙ୍କୁ ଛାଡ଼ି ଯିବା ଆମ ପାଇଁ ଏତେ ସହଜ ନ ଥିଲା । ଆମେ ସେମାନଙ୍କୁ ବହୁତ ପ୍ରେମ କରୁଥିଲୁ ତେଣୁ ତାଙ୍କ ବିଷୟରେ ଭାବି ଆମକୁ ବହୁତ ଚିନ୍ତା ହେଉଥିଲା ।

ଛଅ ମାସ ଧରି ଆମେ ଫ୍ରାନ୍ସ ଶାଖା କାର୍ଯ୍ୟାଳୟରେ ଥିଲୁ । ମୁଁ ସେଠାରେ ରହି କେମେରୁନ୍‌ର ଭାଇଭଉଣୀମାନଙ୍କ ପାଇଁ କାମ କରୁଥିଲି । ତାʼପରେ କେମେରୁନ୍‌ରେ ଯାହା ବି କାମ ହେଉଥିଲା ତାକୁ ନାଇଜେରିଆ ଶାଖା କାର୍ଯ୍ୟାଳୟ ଦେଖୁଥିଲା । ଆଉ ଡିସେମ୍ବର ୧୯୭୦ ମସିହାରେ ଆମକୁ ନାଇଜେରିଆ ପଠାଗଲା । ସେଠାର ଭାଇଭଉଣୀମାନେ ଆମକୁ ପ୍ରେମର ସହ ସ୍ୱାଗତ କଲେ । ସେଠାରେ ଆମେ ଅନେକ ବର୍ଷ ଯାଏ ଖୁସିରେ ସେବା କଲୁ ।

କଠିନ ନିଷ୍ପତ୍ତି

୧୯୭୩ ମସିହାରେ ଆମକୁ ଗୋଟିଏ କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା । ଶିଲାଙ୍କ ଦେହ ଖରାପ ଥିଲା ତେଣୁ ତାଙ୍କୁ ବହୁତ ସମୟରୁ କଷ୍ଟ ସହିବାକୁ ପଡ଼ୁଥିଲା । ଯେବେ ଆମେ ନ୍ୟୁ ୟର୍କର ଗୋଟିଏ ଅଧିବେଶନରେ ଯାଇଥିଲୁ, ସେସମୟରେ ସେ କାନ୍ଦିକାନ୍ଦି ମୋତେ କହିଲା, “ସବୁବେଳେ ମୋ ଦେହ ଖରାପ ରହେ । ମୁଁ ଥକି ଯାଇଛି । ମୋ ଦ୍ୱାରା ଆଉ ହୋଇପାରିବନି ।” ଶିଲା ୧୪ ବର୍ଷରୁ ମୋ ସହ ପଶ୍ଚିମ ଆଫ୍ରିକାରେ ସେବା କରୁଥିଲା । ପରିସ୍ଥିତି ଯେପରି ବି ଥାଉ ନା କାହିଁକି, ସେ କେବେବି ଯିହୋବାଙ୍କ ସେବା କରିବା ଛାଡ଼ିଲା ନାହିଁ । କିନ୍ତୁ ଏବେ ଆମକୁ କିଛି ପରିବର୍ତ୍ତନ କରିବାର ଥିଲା । ଆମେ ଏବିଷୟରେ ପରସ୍ପର ସହ ବହୁତ କଥା ହେଲୁ ଆଉ ଅନେକଥର ଆମେ ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲୁ । ତାʼପରେ ଆମେ ନିଷ୍ପତ୍ତି ନେଲୁ ଯେ ଆମେ ପୁଣି କାନାଡ଼ା ଫେରିଯିବା, କାରଣ ସେଠାରେ ଶିଲାର ଭଲ ଚିକିତ୍ସା ହୋଇପାରନ୍ତା ଆଉ ତାʼର ଦେହ ଭଲ ହୋଇପାରନ୍ତା । ମିଶନାରୀ ସେବା ସହିତ ପୂର୍ଣ୍ଣ ସମୟର ସେବା ଛାଡ଼ିବା ଆମ ପାଇଁ ଜୀବନର ସବୁଠୁ କଠିନ ନିଷ୍ପତ୍ତି ଥିଲା ।

କାନାଡ଼ା ପହଞ୍ଚିବା ପରେ ମୁଁ ମୋର ଜଣେ ପୁରୁଣା ସାଙ୍ଗ ସହିତ କାମ କଲି । ଟୋରଣ୍ଟୋ ପାଖରେ ତାʼର କାର ବିକ୍ରି କରିବାର ବ୍ୟବସାୟ ଥିଲା । ଆମେ ଗୋଟିଏ ବିଲ୍‌ଡିଙ୍ଗରେ ଭଡ଼ାରେ ଗୋଟିଏ ଘର ନେଲୁ ଆଉ କିଛି ପୁରୁଣା ଫର୍ନିଚର ବି କିଣିଲୁ । ଏହି ଜିନିଷ ସବୁ ପାଇଁ ଆମେ ଋଣ ନେଲୁ ନାହିଁ । ଆମେ ନିଜ ଜୀବନକୁ ସାଦା କରିବାକୁ ଚାହୁଁଥିଲୁ, କାରଣ ଆମେ ପୁଣିଥରେ ପୂର୍ଣ୍ଣ ସମୟର ସେବା ଆରମ୍ଭ କରିବା ପାଇଁ ଭାବିଥିଲୁ । କିନ୍ତୁ ଆମେ କେବେବି ଭାବି ନ ଥିଲୁ ଯେ ଆମର ଏହି ଇଚ୍ଛା ଏତେ ଶୀଘ୍ର ପୂରା ହୋଇଯିବ ।

ଆଣ୍ଟେରିୟୋର ନୋର୍ୱେଲ୍‌ ସହରରେ ଗୋଟିଏ ସମ୍ମିଳନୀ ଭବନ ତିଆରି କରାଯାଉଥିଲା । ମୁଁ ପ୍ରତି ଶନିବାର ସେଠାରେ ସାହାଯ୍ୟ କରିବା ପାଇଁ ଯାଉଥିଲି । କିଛି ସମୟ ପରେ ମୋତେ ‘ସମ୍ମିଳନୀ ଭବନର ଅଧ୍ୟକ୍ଷ’ ନିଯୁକ୍ତ କରାଗଲା । ଶିଲାର ଦେହ ବି ଠିକ୍‌ ହେବାକୁ ଲାଗିଥିଲା, ସେଥିପାଇଁ ଆମକୁ ଲାଗିଲା ଯେ ଆମେ ଏହି ଦାୟିତ୍ୱ ତୁଲାଇପାରିବା । ଜୁନ୍‌ ୧୯୭୪ ମସିହାରେ ଆମେ ସମ୍ମିଳନୀ ଭବନର ଗୋଟିଏ ଘରେ ରହିବାକୁ ଲାଗିଲୁ । ଆମେ ବହୁତ ଖୁସି ଥିଲୁ ଯେ ଆମେ ପୁଣିଥରେ ପୂର୍ଣ୍ଣ ସମୟର ସେବା ଆରମ୍ଭ କରିପାରୁଛୁ !

ଶିଲାର ଦେହ ଧୀରେ ଧୀରେ ଠିକ୍‌ ହୋଇଗଲା । ତେଣୁ ଦୁଇ ବର୍ଷ ପରେ ଯେବେ ଆମକୁ ସର୍କିଟ କାମ କରିବା ପାଇଁ କୁହାଗଲା, ତେବେ ଆମେ ରାଜି ହୋଇଗଲୁ । ଆମକୁ ସର୍କିଟ କାମ କରିବା ପାଇଁ ମ୍ୟାନିଟୋବା ପ୍ରାନ୍ତ ପଠାଗଲା ଆଉ ସେଠାରେ ହାଡ଼ଭଙ୍ଗା ଥଣ୍ଡା ରହେ ଏବଂ ବହୁତ ବରଫ ପଡ଼େ । କିନ୍ତୁ ସେଠାର ଭାଇଭଉଣୀମାନେ ବହୁତ ଭଲ, ତେଣୁ ଆମକୁ ଏତେ ଥଣ୍ଡାରେ ବି କିଛି ଫରକ ପଡ଼ିଲାନି । ଆମେ ଶିଖିଲୁ ଯେ ଆମେ କେଉଁଠି ସେବା କରୁଛୁ ତାହା ମହତ୍ତ୍ୱ ରଖେନି ବରଂ ଏହା ମହତ୍ତ୍ୱ ରଖେ ଯେ ଆମେ ଯିହୋବାଙ୍କ ସେବା କରିବା ଜାରି ରଖୁ ।

ଗୋଟିଏ ଜରୁରୀ କଥା ଶିଖିଲି

ଅନେକ ବର୍ଷ ସର୍କିଟ କାମ କରିବା ପରେ ୧୯୭୮ ମସିହାରେ ଆମକୁ କାନାଡ଼ା ବୈଥେଲ ଡକାଗଲା । ଏହାର କିଛି ସମୟ ପରେ ମୋତେ ଗୋଟିଏ ଜରୁରୀ କଥା ଶିଖିବାକୁ ମିଳିଲା । ମୋଣ୍ଟ୍ରିଆଲ୍‌ରେ ଗୋଟିଏ ବିଶେଷ ସଭା ରଖାଯାଇଥିଲା ଆଉ ସେଠାରେ ଫ୍ରେଞ୍ଚ ଭାଷାରେ ମୋତେ ଦେଢ଼ ଘଣ୍ଟା ଭାଷଣ ଦେବା ପାଇଁ କୁହାଗଲା । ମୁଁ ଭଲଭାବେ ଭାଷଣ ଦେଇପାରିଲିନି, ତେଣୁ ଲୋକମାନେ ଭାଷଣ ଉପରେ ଧ୍ୟାନ ଦେଇପାରିଲେ ନାହିଁ । ତାʼପରେ ସେବା ବିଭାଗର ଜଣେ ଭାଇ ଏବିଷୟରେ ମୋତେ ପରାମର୍ଶ ଦେଲେ । କିନ୍ତୁ ମୋତେ ସେହି ଭାଇଙ୍କ କଥା ଭଲ ଲାଗିଲାନି । ସେ ମୋର ପ୍ରଶଂସା କରୁ ନ ଥିଲେ, କେବଳ ମୋର ଭାଷଣରେ ଭୁଲ ବାହାର କରୁଥିଲେ । ମୋତେ ବୁଝିବାର ଥିଲା ଯେ ମୁଁ ଭଲଭାବେ ଭାଷଣ ଦେଇପାରେନି ଏବଂ ମୋତେ ସୁଧାର କରିବାର ଅଛି । କିନ୍ତୁ ମୁଁ ନିଜ ଭୁଲ ମାନିବା ପରିବର୍ତ୍ତେ ସେହି ଭାଇଙ୍କଠାରେ ଭୁଲ ବାହାର କରୁଥିଲି ଆଉ ଭାବିବାକୁ ଲାଗିଲି ଯେ ତାଙ୍କ ପରାମର୍ଶ ଦେବାର ଉପାୟ ଠିକ୍‌ ନ ଥିଲା ।

ଫ୍ରେଞ୍ଚ ଭାଷାରେ ଭାଷଣ ଦେବା ପରେ ମୁଁ ଗୋଟିଏ ଜରୁରୀ କଥା ଶିଖିଲି

କିଛି ଦିନ ପରେ ଶାଖା ସମିତିର ଜଣେ ଭାଇ ଏବିଷୟରେ ମୋ ସହିତ କଥା ହେଲେ । ମୁଁ ତାଙ୍କୁ କହିଲି ଯେ ମୋତେ ବହୁତ ଖରାପ ଲାଗୁଛି, ମୋତେ ସେହି ଭାଇଙ୍କ ସହିତ ଏପରି କଥା ହେବାର ନ ଥିଲା । ତାʼପରେ ଯେଉଁ ଭାଇ ମୋତେ ପରାମର୍ଶ ଦେଇଥିଲେ ତାଙ୍କୁ ମୁଁ କ୍ଷମା ମାଗିଲି । ଆଉ ସେ ମୋତେ କ୍ଷମା କରିଦେଲେ । ଏଥିରୁ ମୁଁ ଗୋଟିଏ ଜରୁରୀ କଥା ଶିଖେ ଯାହା ମୁଁ କେବେ ବି ଭୁଲିବିନି । ତାହା ହେଉଛି ଯେ ଆମକୁ ସବୁବେଳେ ନମ୍ର ରହିବା ଉଚିତ୍‌ । (ହିତୋ. ୧୬:୧୮) ଏବିଷୟରେ ମୁଁ ଅନେକଥର ଯିହୋବାଙ୍କୁ ପ୍ରାର୍ଥନା କଲି ଏବଂ ମୁଁ ଭାବିନେଇଛି ଯେ ଯେବେବି କେହି ମୋତେ ପରାମର୍ଶ ଦେବେ, ସେଥିରେ ମୁଁ ଭୁଲ ବାହାର କରିବିନି ।

ମୁଁ ଗତ ୪୦ ବର୍ଷରୁ କାନାଡ଼ା ବୈଥେଲରେ ସେବା କରୁଛି ଏବଂ ୧୯୮୫ ମସିହାରୁ ଶାଖା ସମିତିର ସଦସ୍ୟ ଅଟେ । ୨୦୨୧ ଫେବୃଆରୀରେ ମୋ ସ୍ତ୍ରୀ ଶିଲାର ମୃତ୍ୟୁ ହୋଇଗଲା । ସେବିଷୟରେ ଭାବି ଆଜି ବି ମୋତେ ବହୁତ ଦୁଃଖ ଲାଗେ । ମୋ ଦେହ ପ୍ରାୟ ସମୟରେ ଖରାପ ରହେ ତଥାପି ମୁଁ ଯିହୋବାଙ୍କ ସେବାରେ ବ୍ୟସ୍ତ ରହେ, ଦିନ କିପରି ବିତି ଯାଏ ଜଣା ହିଁ ପଡ଼େନି । (ଉପ. ୫:୨୦) ମୋ ଜୀବନରେ ଅନେକ ସମସ୍ୟା ଆସିଲା, କିନ୍ତୁ ତାʼଠୁ ବି ବେଶି ମୋତେ ମୋ ଜୀବନରେ ଖୁସି ମିଳିଲା । ମୁଁ ସବୁବେଳେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇଛି । ମୋତେ ପୂର୍ଣ୍ଣ ସମୟ ସେବା କରିବାର ୭୦ ବର୍ଷ ହୋଇଯାଇଛି । ମୋର ଏହା ହିଁ ପ୍ରାର୍ଥନା ଯେ ଯୁବା ଭାଇଭଉଣୀମାନେ ମଧ୍ୟ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତୁ । ମୋତେ ଭରସା ଅଛି ଯେ ଏପରି କରିବା ଦ୍ୱାରା ସେମାନଙ୍କୁ ବି ଅନେକ ଆଶିଷ ମିଳିବ । ଆଉ ସେମାନେ ଏପରି ଜୀବନର ମଜା ନେଇପାରିବେ ଯାହା କେବଳ ଯିହୋବାଙ୍କ ସେବାରୁ ମିଳେ !

a ୧ ଫେବୃଆରୀ, ୨୦୦୦ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଭାଇ ମାର୍ସେଲ ଫିଲ୍‌ଟୋଙ୍କ ଜୀବନ କାହାଣୀ, “ୟହୋୱା ମେରା ଶରଣସ୍ଥାନ ଔର ବଲ୍‌ ହୈ” ପଢ଼ନ୍ତୁ ।

b ୧୯୫୭ ଯାଏ ଆଫ୍ରିକାର ଏହି ଅଞ୍ଚଳରେ ଇଂରେଜମାନେ ଶାସନ କରୁଥିଲେ ଏବଂ ଏହା ଗୋଲ୍ଡ କୋଷ୍ଟ ନାମରେ ଜଣାଯାଉଥିଲା ।

c ୧ ଡିସେମ୍ବର, ୨୦୦୦ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଭାଇ ହର୍‌ବଟ୍‌ ଜନିଙ୍ଗଜ୍‌ଙ୍କ ଜୀବନ କାହାଣୀ, ‘ତୁମ୍‌ ନାହିଁ ଜାନତେ କି କଲ୍‌ ତୁମ୍‌ହାରେ ଜୀୱାନ କା କ୍ୟା ହୋଗା’ ପଢ଼ନ୍ତୁ ।

d ସେସମୟରେ ଭାଇ ନେଥନ୍‌ ଏଚ. ନୋର ସଂଗଠନର କାମର ନେତୃତ୍ୱ ନେଉଥିଲେ