इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଏବେ ଯାଏ ଦେଖିଲୁ ଯେ ଈଶ୍ୱର ଖୁବ୍‌ ଶୀଘ୍ର ଦୁଷ୍ଟ ଲୋକମାନଙ୍କୁ ଓ ଏହି ପୃଥିବୀରେ ହେଉଥିବା ଦୁଷ୍ଟ କାମଗୁଡ଼ିକୁ ଶେଷ କରିଦେବେ । ଆମେ ପୂରା ଭରସା ରଖିପାରିବା ଯେ ସେ ଏପରି ନିଶ୍ଚୟ କରିବେ, କାରଣ ସେ ପ୍ରତିଜ୍ଞା କରିଛନ୍ତି:

‘ଏହି ଜଗତ ଲୋପ ପାଉଅଛି ।’—୧ ଯୋହନ ୨:୧୭, ନ୍ୟୁ ଇଣ୍ଡିଆ ବାଇବଲ ଭର୍ସନ ।

କିନ୍ତୁ ଯେତେବେଳେ ଈଶ୍ୱର ଏହି ପୃଥିବୀକୁ ବିନାଶ କରିବେ, ସେତେବେଳେ କିଛି ଲୋକ ନିଶ୍ଚୟ ରକ୍ଷା ପାଇବେ । କାରଣ ସେ ଏହା ବି କହିଛନ୍ତି:

‘ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ସବୁଦିନ ଜୀବିତ ରହିବ ।’

ତାʼଅର୍ଥ ହେଉଛି, ଯଦି ଆମେ ବିନାଶରୁ ରକ୍ଷା ପାଇବାକୁ ଚାହୁଁ ତେବେ ଆମକୁ ଈଶ୍ୱରଙ୍କ ଇଚ୍ଛା ପୂରା କରିବାକୁ ହେବ । କିନ୍ତୁ ଈଶ୍ୱରଙ୍କ ଇଚ୍ଛା କʼଣ ? ତାହା ଜାଣିବା ପାଇଁ ପ୍ରଥମେ ଆମକୁ ତାଙ୍କୁ ଜାଣିବାକୁ ହେବ ।

ବିନାଶରୁ ରକ୍ଷା ପାଇବା ପାଇଁ ‘ଈଶ୍ୱରଙ୍କୁ ଜାଣନ୍ତୁ’

ଯୀଶୁ କହିଥିଲେ, “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) ଯଦି ଆମେ ବିନାଶରୁ ରକ୍ଷା ପାଇବାକୁ ଚାହୁଁ ଏବଂ ଏପରି ଜୀବନ ଚାହୁଁ ଯାହା କେବେ ଶେଷ ହେବ ନାହିଁ, ତେବେ ଆମକୁ ଈଶ୍ୱରଙ୍କୁ ଭଲ ଭାବେ ଜାଣିବାକୁ ହେବ । କିଛି ଲୋକ ବିଶ୍ୱାସ କରନ୍ତି ଯେ ଈଶ୍ୱର ଅଛନ୍ତି ଏବଂ ସେମାନେ ତାଙ୍କ ବିଷୟରେ କିଛି ଜାଣିଥାʼନ୍ତି । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଆମକୁ ଈଶ୍ୱରଙ୍କ ସହ ଭଲ ସମ୍ପର୍କ ଗଢ଼ିବାକୁ ହେବ, ଯେପରି ଆମେ ନିଜ ସାଙ୍ଗ ସହ କରିଥାଉ । କାହାରି ସହ ସାଙ୍ଗ ହେବା ପାଇଁ ଆମେ ସମୟ ବାହାର କରିଥାଉ, ଯାହାଫଳରେ ଆମେ ତାଙ୍କୁ ଭଲ ଭାବେ ଜାଣିଥାଉ । ଏପରି କଲେ ତାଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୋଇଥାଏ । ସେହିପରି ଈଶ୍ୱରଙ୍କ ସହ ମଜବୁତ୍‌ ସମ୍ପର୍କ ଗଢ଼ିବା ପାଇଁ ଆମକୁ ସମୟ ବାହାର କରିବାକୁ ପଡ଼ିବ । ଆସନ୍ତୁ ଆମେ ଈଶ୍ୱରଙ୍କ ବିଷୟରେ ବାଇବଲରୁ ଜାଣିବା ।

ପ୍ରତିଦିନ ପବିତ୍ର ଶାସ୍ତ୍ର ବାଇବଲ ପଢ଼ନ୍ତୁ

ଯଦି ଆପଣ ଈଶ୍ୱରଙ୍କୁ ସାହାଯ୍ୟ ମାଗିବେ ଏବଂ ତାଙ୍କ ଆଜ୍ଞା ମାନିବେ, ତେବେ ସେ ଆପଣଙ୍କୁ ପୃଥିବୀର ବିନାଶରୁ ରକ୍ଷା କରିବେ

ଆମେ ଜୀବିତ ରହିବା ପାଇଁ ପ୍ରତିଦିନ ଖାଦ୍ୟ ଖାଉ । ଧ୍ୟାନ ଦିଅନ୍ତୁ ଯେ ଯୀଶୁ କʼଣ କହିଥିଲେ, “ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।”—ମାଥିଉ ୪:୪.

ଆମେ ବାଇବଲ ପଢ଼ିଲେ ଯିହୋବା ଈଶ୍ୱରଙ୍କ ବିଷୟରେ ଜାଣିପାରୁ । ବାଇବଲ ପଢ଼ିଲେ ଆମେ ଜାଣିପାରୁ ଯେ ଅତୀତରେ ଈଶ୍ୱର କʼଣ କରିଥିଲେ, ସେ ଆଜି କʼଣ କରୁଛନ୍ତି ଏବଂ ଭବିଷ୍ୟତରେ କʼଣ କରିବେ ।

ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

ହୁଏତ ଆପଣ ଈଶ୍ୱରଙ୍କ ଆଜ୍ଞା ମାନିବାକୁ ଚାହାନ୍ତି, କିନ୍ତୁ ଆପଣ ଏପରି କାମ କରୁଥିବେ ଯାହା ତାଙ୍କୁ ପସନ୍ଦ ନୁହେଁ । ଏପରି ପରିସ୍ଥିତିରେ ଆପଣ କʼଣ କରିବେ ? ଈଶ୍ୱରଙ୍କୁ ଭଲ ଭାବେ ଜାଣନ୍ତୁ । ଏଥିରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ ।

ଏସିଆରେ ରହୁଥିବା ଜଣେ ସ୍ତ୍ରୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଅନୈତିକ ଜୀବନ ଜୀଉଁଥିଲେ । ତାʼପରେ ସେ ବାଇବଲ ପଢ଼ିଲେ ଆଉ ସେ ଜାଣିଲେ ଯେ ଈଶ୍ୱର ଆଜ୍ଞା ଦେଇଛନ୍ତି, “ବ୍ୟଭିଚାରଠାରୁ ପଳାୟନ କର ।” (୧ କରିନ୍ଥୀୟ ୬:୧୮) ସେ ଈଶ୍ୱରଙ୍କୁ ପ୍ରାର୍ଥନାରେ ଖରାପ କାମ ଛାଡ଼ିବା ପାଇଁ ସାହାଯ୍ୟ ମାଗିଲେ । ତାʼପରେ ସେ ଈଶ୍ୱରଙ୍କ ସାହାଯ୍ୟରେ ଖରାପ କାମକୁ ଛାଡ଼ିପାରିଲେ । କିନ୍ତୁ ତାଙ୍କୁ ଏବେ ବି ଅନେକ ଥର ସଂଘର୍ଷ କରିବାକୁ ପଡ଼େ । ସେ କହନ୍ତି, “ଯେତେବେଳେ ବି ମୋ ମନରେ କୌଣସି ଖରାପ ଚିନ୍ତାଧାରା ଆସେ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରେ । ଆଉ ତାଙ୍କୁ ସ୍ପଷ୍ଟଭାବେ କହେ ଯେ ମୋତେ କିପରି ଲାଗୁଛି । ମୁଁ ଜାଣିଛି ମୁଁ ନିଜ ବଳରେ ଏହି ଯୁଦ୍ଧ ଜିତିପାରିବି ନାହିଁ । ପ୍ରାର୍ଥନା କରିବାରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଆହୁରି ମଜବୁତ୍‌ ହୋଇଛି ।” ଏହି ସ୍ତ୍ରୀଙ୍କ ଭଳି ଆଜି ଲକ୍ଷ ଲକ୍ଷ ଲୋକ ଯିହୋବାଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ଯିହୋବା ଈଶ୍ୱର ସେମାନଙ୍କୁ ସାହସ ଦେଉଛନ୍ତି ଯେ ସେମାନେ ନିଜଠାରେ ସୁଧାର କରିପାରିବେ ଏବଂ ତାଙ୍କ ଦୃଷ୍ଟିରେ ଯାହା ସଠିକ୍‌ ସେହି କାମ କରିପାରିବେ ।—ଫିଲିପ୍‌ପୀୟ ୪:୧୩.

ଯେତେବେଳେ ଆପଣ ଈଶ୍ୱରଙ୍କୁ ଭଲ ଭାବେ ଜାଣିବେ, ସେ ମଧ୍ୟ ଆପଣଙ୍କୁ ଜାଣିବେ । ଆଉ ଆପଣ ତାଙ୍କ ଭଲ ସାଙ୍ଗ ହୋଇଯିବେ । (ଗାଲାତୀୟ ୪:୯; ଗୀତସଂହିତା ୨୫:୧୪) ତାʼପରେ ଯେତେବେଳେ ନୂଆ ଦୁନିଆ ଆସିବ, ଆପଣ ବି ସେଠି ରହିପାରିବେ । କିନ୍ତୁ ସେହି ଦୁନିଆ କେମିତି ଥିବ ? ଆସନ୍ତୁ ପରବର୍ତ୍ତୀ ଲେଖାରେ ଦେଖିବା ।

a ବାଇବଲ ଅନୁସାରେ ଈଶ୍ୱରଙ୍କ ନାମ ଯିହୋବା ଅଟେ ।