इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନର ଆଦର କରନ୍ତୁ

ଜୀବନର ଆଦର କରନ୍ତୁ

ଜୀବନର ଆଦର କରିବା କାହିଁକି ଜରୁରୀ ଅଟେ ?

ଯେବେ ଜଣେ ବ୍ୟକ୍ତି କୌଣସି ଏପରି କାମ କରେ ଯେଉଁଥିରୁ ତାʼ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚେ ବା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଏ ତେବେ ଏଥିରୁ ଜଣାପଡ଼େ ଯେ ସେ ନିଜ ଜୀବନର ଆଉ ନା ଅନ୍ୟମାନଙ୍କ ଜୀବନର ଚିନ୍ତା କରେ ।

  • ବିଡ଼ି ସିଗାରେଟ୍‌ ପିଇଲେ କେବଳ କ୍ୟାନସର ହୋଇ ନ ଥାଏ ବରଂ ଶରୀର ମଧ୍ୟ ଏତେ ଦୁର୍ବଳ ହୋଇ ପଡ଼େ ଯେ ଏହି ଭୟଙ୍କର ରୋଗ ସହ ଲଢ଼ିପାରେନି । କୁହାଯାଏ ଯେଉଁମାନଙ୍କର ମୃତ୍ୟୁ ଫୁସ୍‌ଫୁସ୍‌ର କ୍ୟାନସର ଯୋଗୁଁ ହୋଇଥାଏ, ସେମାନଙ୍କ ମଧ୍ୟରୁ ପ୍ରାୟ ୯୦% ଲୋକ ନିଜେ ସିଗାରେଟ୍‌ ପିଉଥିଲେ ବା ତାଙ୍କ ଆଖପାଖର ଲୋକମାନେ ସିଗାରେଟ୍‌ ପିଉଥିଲେ ।

  • ଜନସତ୍ତା ସମାଚାରପତ୍ର ନାମକ ହିନ୍ଦୀ ଖବରକାଗଜ ଅନୁସାରେ ଭାରତରେ ପଢ଼ୁଥିବା ସ୍କୁଲ ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ହିଂସା ସ୍କୁଲ ଓ ସମାଜ ପାଇଁ ବିପଦ ହୋଇଯାଉଛି । କିଛି ଦେଶରେ ତ ସ୍କୁଲଗୁଡ଼ିକରେ ଏବଂ ଅନ୍ୟ ଜାଗାଗୁଡ଼ିକରେ ଖୋଲା ଖୋଲି ଭାବରେ ଗୁଳିବର୍ଷଣ ହୋଇଥାଏ, ଏଥିପାଇଁ ପ୍ରତିବର୍ଷ ଅନେକ ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ୁଛି । ଗୋଟିଏ ଜଣାଶୁଣା ୟୁନିଭରସିଟିର ରିପୋର୍ଟରେ ଲେଖାଅଛି, “ଗୋଟିଏ ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଯଦିଓ ଅନେକ ପିଲା ଗୁଳିବର୍ଷଣରୁ ବଞ୍ଚିଯାʼନ୍ତି, ତଥାପି ଏହି ଘଟଣାର ପ୍ରଭାବ ତାଙ୍କ ଉପରେ ପଡ଼ିଥାଏ । ଅନେକ ବର୍ଷ ଯାଏଁ ତାଙ୍କୁ ଏହି ଘଟଣାର ଖରାପ ସ୍ମୃତିଗୁଡ଼ିକ ହଇରାଣ କରେ ।”

  • ଯେବେ ଲୋକମାନେ ମଦ ପିଇ କିମ୍ବା ଡ୍ରଗ୍ସ ନେଇ ଗାଡ଼ି ଚଲାନ୍ତି ତେବେ ଏଥିରୁ ଆକ୍ସିଡେଣ୍ଟ ହୋଇପାରେ । ଏପରିକି ସଡ଼କରେ ଚାଲୁଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ହୋଇପାରେ । ଯେବେ ଲୋକେ ଏହିପରି ଭାବେ ଜୀବନର ଚିନ୍ତା କରନ୍ତି ନାହିଁ, ତେବେ ଏହାର ଖରାପ ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼େ ।

ଆପଣ କିପରି କରିପାରିବେ ?

ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କʼଣ ଆପଣଙ୍କୁ ବିଡ଼ି-ସିଗାରେଟ୍‌, ଇ-ସିଗାରେଟ୍‌, ଅଧିକ ମଦ ପିଇବା କିମ୍ବା ଡ୍ରଗ୍ସ ନେବାର ଅଭ୍ୟାସ ଅଛି ? ଏହି ଖରାପ ଅଭ୍ୟାସଗୁଡ଼ିକ ଆପଣଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ, ବିଶେଷ କରି ଆପଣଙ୍କ ପରିବାର ପାଇଁ ବିପଦଜନକ ହୋଇପାରେ । ତେଣୁ ଏବେ ମଧ୍ୟ ସମୟ ଅଛି ଆପଣ ଏହି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ି ଦିଅନ୍ତୁ ।

‘ଆସ, ଶରୀରର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ ।’ —୨ କରିନ୍ଥୀୟ ୭:୧.

ନିଜର ଏବଂ ଅନ୍ୟମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ଘରକୁ ଭଲ ଅବସ୍ଥାରେ ରଖନ୍ତୁ । ଯଦି କୌଣସି ଜାଗାରେ ମରାମତିର ଆବଶ୍ୟକ ଅଛି, ତେବେ ତାହା କରନ୍ତୁ ଯାହାଦ୍ୱାରା କୌଣସି ଅଘଟଣା ନ ଘଟୁ । ନିଜ ଗାଡ଼ିକୁ ବି ଭଲ ଅବସ୍ଥାରେ ରଖନ୍ତୁ ଏବଂ ଧ୍ୟାନର ସହ ଚଲାନ୍ତୁ । ଅନ୍ୟମାନଙ୍କ କଥାରେ ଆସି ଏପରି କିଛି କରନ୍ତୁ ନାହିଁ, ଯେଉଁଥିରୁ ଆପଣଙ୍କୁ ଆଘାତ ଲାଗିପାରେ କିମ୍ବା ଆପଣଙ୍କ ଜୀବନ ଯାଇପାରେ ।

“ତୁମେ ନୂତନ ଗୃହ ନିର୍ମାଣ କଲେ ଛାତ ଚାରିପଟେ ବାଡ଼ ଘେରାଇ ଦେବ; ନଚେତ୍‌ କେହି ତଳେ ପଡ଼ିଗଲେ ତାʼର ମୃତ୍ୟୁ ପାଇଁ ତୁମେ ଦାୟୀ ହେବ ।” —ଦ୍ୱିତୀୟ ବିବରଣ ୨୨:୮, NIBV. a

ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତୁ । ଜୀବନ ପ୍ରତି ଆଦର ଦେଖାଇବାର ଅର୍ଥ ଏହା ବି ଯେ ଆମେ ସମସ୍ତ ଲୋକଙ୍କ ସହ ଭଲ ବ୍ୟବହାର କରୁ ଯଦିଓ ସେମାନେ ଯେକୌଣସି ଜାତି ବା ଦେଶର ଥାʼନ୍ତୁ, ଧନୀ ବା ଗରିବ ଥାʼନ୍ତୁ, ଶିକ୍ଷିତ କିମ୍ବା ଅଶିକ୍ଷିତ ଥାʼନ୍ତୁ । ଏପରି କରିବା ଠିକ୍‌ ମଧ୍ୟ କାରଣ ଆଜି ଦୁନିଆରେ ଯେତେ ବି ଲଢ଼େଇ ଝଗଡ଼ା ହେଉଛି ଓ ହିଂସା ହେଉଛି, ତାର ସବୁଠୁ ବଡ଼ କାରଣ ଏହା ଯେ ଲୋକମାନେ ଭେଦଭାବ କରନ୍ତି ଏବଂ ପରସ୍ପରକୁ ଘୃଣା କରନ୍ତି ।

“ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ । ଆଉ, ପରସ୍ପର ପ୍ରତି ସଦୟ ହୁଅ [ଅର୍ଥାତ୍‌ ଭଲ ବ୍ୟବହାର କର] ।”—ଏଫିସୀୟ ୪:୩୧, ୩୨.

ଆମେ କʼଣ କରୁ ?

ଯିହୋବାଙ୍କ ସାକ୍ଷୀ ଲୋକମାନଙ୍କୁ ଗୋଟିଏ ଭଲ ଓ ସୁସ୍ଥ ଜୀବନ ବଞ୍ଚିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । ଆମ ସଭାଗୁଡ଼ିକ ହୁଏ ଆଉ ଆମେ ଲୋକଙ୍କ ସହିତ ବାଇବଲ ଉପରେ ଚର୍ଚ୍ଚା ବି କରୁ । ଏଥିରେ ଆମେ ଏପରି ସିଦ୍ଧାନ୍ତଗୁଡ଼ିକ ଉପରେ ଚର୍ଚ୍ଚା କରୁ ଯେଉଁଥିରୁ ଲୋକମାନେ ରାଗିବା, ସିଗାରେଟ୍‌ ପିଇବା କିମ୍ବା ଡ୍ରଗ୍ସ ନେବା ଭଳି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରନ୍ତି ।

ଆମ ନିର୍ମାଣ କାମର ଜାଗାରେ ସୁରକ୍ଷାର ପୂରା ଧ୍ୟାନ ରଖାଯାଏ । କିଛି ଯିହୋବାଙ୍କ ସାକ୍ଷୀ ରାଜ୍ୟଘର ଏବଂ ସଂଗଠନର ଅନ୍ୟ ବିଲ୍‌ଡିଙ୍ଗଗୁଡ଼ିକୁ ତିଆରି କରିବାରେ ସାହାଯ୍ୟ କରନ୍ତି । ସେମାନଙ୍କୁ ଟ୍ରେନିଙ୍ଗ ଦିଆଯାଏ ଯେ ସେମାନେ ସାବଧାନର ସହ କିପରି କାମ କରିପାରିବେ, ଯାହାଦ୍ୱାରା କୌଣସି ଦୁର୍ଘଟଣା ନ ଘଟୁ । ଏହାଛଡ଼ା ମଝି ମଝିରେ ଆମ ବିଲ୍‌ଡିଙ୍ଗଗୁଡ଼ିକର ଯାଞ୍ଚ କରାଯାଏ ଆଉ ତାʼର ଦେଖାରେଖା କରାଯାଏ, ଯାହାଦ୍ୱାରା ତାହା ଅଞ୍ଚଳର ନିୟମ ଅନୁସାରେ ସୁରକ୍ଷିତ ରହୁ ।

କୌଣସି ବିପତ୍ତି ଆସିଲେ ଆମେ ରିଲିଫ୍‌ କାମ କରୁ । ୨୦୨୨ରେ ସାରା ଦୁନିଆରେ ପ୍ରାୟ ୨୦୦ଟି ବଡ଼ ବଡ଼ ବିପତ୍ତି ଆସିଲା । ଏହି ସମୟରେ ଲୋକଙ୍କ ପାଖରେ ରିଲିଫ୍‌ ଜିନିଷକୁ ପହଞ୍ଚାଇବା ପାଇଁ ଆମେ ପ୍ରାୟ ୯୦ କୋଟି ଟଙ୍କା ଖର୍ଚ୍ଚ କଲୁ ।

୨୦୧୪ ଓ ୨୦୧୮ରେ ଯେବେ ଆଫ୍ରିକାର ଦେଶଗୁଡ଼ିକରେ ଇବୋଲା ଭାଇରସ୍‌ ବ୍ୟାପିବାକୁ ଲାଗିଲା, ତେବେ ଆମେ ଲୋକଙ୍କୁ ଶିଖାଇଲୁ ଯେ ସେମାନେ କିପରି ସାବଧାନ ହୋଇ ରହିପାରିବେ, ଯାହାଦ୍ୱାରା ଏହି ମାରାତ୍ମକ ଭାଇରସ୍‌ ଆଉ ନ ବ୍ୟାପୁ । ଆମ ସଂଗଠନ କିଛି ଲୋକଙ୍କୁ ପଠାଇଲା ଯେଉଁମାନେ ଅଲଗା ଅଲଗା ସମୂହର ଲୋକଙ୍କ ସହ ଏବିଷୟରେ କଥା ହେଲେ, “ଆଜ୍ଞା ମାନିଲେ ଜୀବନ ରକ୍ଷା ହୁଏ ।” ଆମ ପ୍ରତ୍ୟେକ ଉପାସନାର ଜାଗାରେ ହାତ ଧୋଇବାର ବ୍ୟବସ୍ଥା କରାଗଲା । ଆମେ ଏକଥା ଉପରେ ଜୋର୍‌ ଦେଲୁ ଯେ ହାତ ଧୋଇବା କେତେ ଜରୁରୀ ଏବଂ ଏହି ରୋଗକୁ ବ୍ୟାପିବାରୁ ରୋକିବା ପାଇଁ କʼଣ କରାଯାଇପାରିବ ।

ଆଫ୍ରିକାର ସିଏରା ଲିଓନ ଦେଶରେ ରେଡିଓରେ ଗୋଟିଏ ଘୋଷଣା କରାଯାଇଥିଲା । ସେଥିରେ ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶଂସା କରାଗଲା ଯେ ସେମାନେ ଇବୋଲା ଭାଇରସରୁ ବଞ୍ଚିବା ପାଇଁ କେବଳ ନିଜ ଲୋକଙ୍କ ନୁହେଁ, ବରଂ ଅନ୍ୟମାନଙ୍କର ବି ସାହାଯ୍ୟ କଲେ ।

୨୦୧୪ରେ ଯେବେ ଲାଇବେରିଆରେ ଇବୋଲା ଭାଇରସ୍‌ ବ୍ୟାପିବାକୁ ଲାଗିଲା, ତେବେ ରାଜ୍ୟଘରର ବାହାରେ ହାତ ଧୋଇବାର ବ୍ୟବସ୍ଥା କରାଗଲା ।

a ପ୍ରାଚୀନ ମଧ୍ୟପୂର୍ବରେ ଘରର ଛାତ ସମତଳ ରହୁଥିଲା ଓ ପ୍ରତିଦିନର କାମ ସେଠି କରାଯାଉଥିଲା । ତେଣୁ ସେଠାକାର ପରିବାର ଲୋକଙ୍କ ଓ ଅନ୍ୟମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିୟମ ଦିଆଯାଇଥିଲା ।