इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏପରି ସରକାର ଯିଏ ସମସ୍ୟାଗୁଡ଼ିକୁ ଦୂର କରେ

“ଶାନ୍ତିର ସୀମା ରହିବ ନାହିଁ”

“ଶାନ୍ତିର ସୀମା ରହିବ ନାହିଁ”

ସଂଯୁକ୍ତ ରାଷ୍ଟ୍ର ଦୁନିଆର ସବୁ ଲୋକଙ୍କୁ ପ୍ରୋତ୍ସାହନ ଦେଉଛି ଯେ ସେମାନେ ପରସ୍ପରକୁ ସହଯୋଗ କରନ୍ତୁ, କାହାରି ଅଧିକାର ଛଡ଼ାଇ ନିଅନ୍ତୁ ନାହିଁ ଆଉ ପରିବେଶକୁ ସୁରକ୍ଷା କରନ୍ତୁ । ସଂଯୁକ୍ତ ରାଷ୍ଟ୍ର କାହିଁକି ଏପରି କରୁଛି, ଏହାର କାରଣ ମାହେର ନାସେର ନାମକ ଜଣେ ବ୍ୟକ୍ତି ୟୁ ଏନ୍‌ କ୍ରୋନିକାଲ୍‌ ନାମକ ପ୍ରକାଶନରେ କହନ୍ତି, “ଦୁନିଆର ପ୍ରାୟ ସବୁ ଦେଶର ପାଣିପାଗରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅପରାଧ, ଭେଦଭାବ ଓ ଯୁଦ୍ଧ ବଢ଼ି ବଢ଼ି ଚାଲିଛି । ବହୁ ମାତ୍ରାରେ ଲୋକମାନଙ୍କୁ ନିଜ ଦେଶ ଛାଡ଼ି ପଳାଇବାକୁ ପଡ଼ୁଛି, ଆତଙ୍କବାଦ ଓ ସଂକ୍ରାମକ ରୋଗର ସଂଖ୍ୟା ମଧ୍ୟ ବଢ଼ିଚାଲିଛି ।”

କିଛି ଲୋକ ଏହା ବି କହିଛନ୍ତି ଯେ ପୂରା ଦୁନିଆରେ ଗୋଟିଏ ସରକାର ରହିବା ଉଚିତ୍‌ । ଇଟାଲୀର ଦାର୍ଶନିକ, କବି ଓ ରାଜନେତା ଦାନ୍ତେ (୧୨୬୫-୧୩୨୧ ମସିହା) ଆଉ ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ (୧୮୭୯-୧୯୫୫) ବି ଏହା ହିଁ ବିଶ୍ୱାସ କରୁଥିଲେ । ଦାନ୍ତେ ବିଶ୍ୱାସ କରୁଥିଲେ ଯେ ଯେବେ ଯାଏଁ ସବୁ ଦେଶର ନିଜର ଗୋଟିଏ ଗୋଟିଏ ସରକାର ଥିବ ତେବେ ଯାଏଁ ଦୁନିଆ ଭାଗ ଭାଗ ହୋଇ ରହିବ । ଆଉ ସେସମୟ ଯାଏଁ ଦୁନିଆରେ ଶାନ୍ତି ନ ଥିବ । ସେ ଯୀଶୁଙ୍କ ଶବ୍ଦକୁ ଉଲ୍ଲେଖ କରି କହିଲେ “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ ।”—ଲୂକ ୧୧:୧୭.

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇଟି ପରମାଣୁ ବୋମାର ବିସ୍ଫୋରଣ ହୋଇଥିଲା । ସେହି ଯୁଦ୍ଧର କିଛି ସମୟ ପରେ ଆଲବର୍ଟ ଆଇନଷ୍ଟାଇନ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧିତ କରି ଗୋଟିଏ ଖବରକାଗଜରେ ଚିଠି ଲେଖିଲେ । ସେ ଲେଖିଲେ, “ସଂଯୁକ୍ତ ରାଷ୍ଟ୍ରକୁ ପୂରା ଦୁନିଆରେ ସୁରକ୍ଷା ଆଣିବା ପାଇଁ ଅତି ଶୀଘ୍ର ପଦକ୍ଷେପ ନେବା ଉଚିତ୍‌ । ଏପରି କରିବା ପାଇଁ ତାକୁ ପୂରା ଦୁନିଆରେ ଗୋଟିଏ ସରକାର ଆଣିବା ପାଇଁ ମୂଳଦୂଆ ପକାଇବା ଉଚିତ୍‌ ।”

କିନ୍ତୁ ପ୍ରଶ୍ନ ଉଠେ ଯେ ଯଦି ଦୁନିଆରେ ଗୋଟିଏ ସରକାର ଥିବ, ତାହେଲେ ବି ଏହି କଥାର କʼଣ ଗ୍ୟାରେଣ୍ଟି ଅଛି ଯେ ସେଥିରେ ଶାସନ କରୁଥିବା ନେତା ସଚ୍ଚୋଟ ଥିବ, ଲୋକମାନଙ୍କ ଉପରେ ଅତ୍ୟାଚାର କରିବନି ଆଉ ଭଲ ଭାବେ ଶାସନ କରିବ ? କ’ଣ ସେ କେବେ ଭ୍ରଷ୍ଟ ହେବନି ? ଇଂରାଜୀ ଇତିହାସକାର ଲର୍ଡ ଏକ୍ଟନ୍‌ କହିଥିଲେ, “ଶକ୍ତି ମଣିଷକୁ ଭ୍ରଷ୍ଟ କରିଦିଏ । ଯାହା ପାଖରେ ଯେତେ ଶକ୍ତି ଥାଏ, ସେ ସେତେ ବେଶି ଭ୍ରଷ୍ଟ ଥାଏ ।”

ଏକଥା ସତ ଯେ ପୂରା ଦୁନିଆରେ ଏକତା ଥିଲେ ହିଁ ଶାନ୍ତି ଆସିବ । କିନ୍ତୁ ଏହି ଏକତା କିପରି ଆସିବ ? କ’ଣ ଆମେ ଏହା ଆଶା କରିବା ଯେ ପୂରା ଦୁନିଆ କେବେ ଏକ ହୋଇପାରିବ ? ବାଇବଲରୁ ଜଣାପଡ଼େ ଯେ ଏପରି ନିଶ୍ଚୟ ହେବ । କିନ୍ତୁ ମଣିଷ ଏହା କରିପାରିବ ନାହିଁ । ଯଦି ସବୁ ନେତା ମିଶି ଗୋଟିଏ ସରକାର ଗଢ଼ିବେ ଆଉ ସେହି ସରକାର ପୂରା ଦୁନିଆରେ ଶାସନ କରିବ, ତାହେଲେ ବି ତାହା ଏକତା ଆଣିପାରିବ ନାହିଁ । କାରଣ ନେତାମାନେ ଭ୍ରଷ୍ଟ ହୋଇପାରନ୍ତି । କିନ୍ତୁ ବାଇବଲରେ ଲେଖାଅଛି ଯେ ଏପରି ସରକାର ଈଶ୍ୱର ଆଣିବେ । ଈଶ୍ୱରଙ୍କୁ ଦୁନିଆରେ ଶାସନ କରିବାର ଅଧିକାର ଅଛି, ତେଣୁ ସେ ହିଁ ଶାସନ କରିବେ । ବାଇବଲରେ ତାଙ୍କ ସରକାରକୁ “ଈଶ୍ୱରଙ୍କ ରାଜ୍ୟ” କୁହାଯାଇଛି ।—ଲୂକ ୪:୪୩.

“ତୁମ୍ଭର ରାଜ୍ୟ ଆସୁ”

ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କୁ ଏହା ପ୍ରାର୍ଥନା କରିଥିଲେ: “ତୁମ୍ଭର ରାଜ୍ୟ ଆସୁ । ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୯, ୧୦) ଏପରି କହି ସେ ଈଶ୍ୱରଙ୍କ ସରକାର ପାଇଁ ପ୍ରାର୍ଥନା କଲେ । ଈଶ୍ୱରଙ୍କ ରାଜ୍ୟ ଈଶ୍ୱରଙ୍କ ଇଚ୍ଛା ପୂରା କରିବ, ସ୍ୱାର୍ଥୀ ମଣିଷର ନୁହଁ ଯେଉଁମାନଙ୍କ ପାଇଁ କେବଳ ସେମାନଙ୍କ ପଦବୀ ମହତ୍ତ୍ୱ ରଖେ ।

ଈଶ୍ୱରଙ୍କ ରାଜ୍ୟକୁ “ସ୍ୱର୍ଗରାଜ୍ୟ” ମଧ୍ୟ କୁହାଯାଇଛି । (ମାଥିଉ ୫:୩) ଏପରି କାହିଁକି କୁହାଯାଇଛି ? କାରଣ ଏହି ସରକାର ପୃଥିବୀରୁ ନୁହେଁ, ସ୍ୱର୍ଗରୁ ଶାସନ କରିବ । ସେଥିପାଇଁ ଏହି ସରକାରକୁ ଲୋକମାନଙ୍କର ଆର୍ଥିକ ସାହାଯ୍ୟର ଆବଶ୍ୟକତା ପଡ଼ିବ ନାହିଁ । ଟିକେ ଭାବନ୍ତୁ, ଏହି ରାଜ୍ୟରେ ଲୋକମାନେ କେତେ ଶାନ୍ତିରେ ରହିବେ ।

ଈଶ୍ୱରଙ୍କ ରାଜ୍ୟରେ ଯୀଶୁ ଖ୍ରୀଷ୍ଟ ରାଜା ହେବେ । ତାଙ୍କୁ ଈଶ୍ୱର ରାଜା ଭାବେ ବାଛିଛନ୍ତି । ଯୀଶୁଙ୍କ ବିଷୟରେ ବାଇବଲରେ କୁହାଯାଇଛି:

  • “ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ । . . . ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ ।”—ଯିଶାଇୟ ୯:୬, ୭.

  • ‘ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହା ଲୁପ୍ତ ହେବ ନାହିଁ ।’—ଦାନିୟେଲ ୭:୧୪.

  • ‘ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି ।’—ପ୍ରକାଶିତ ବାକ୍ୟ ୧୧:୧୫.

ଯୀଶୁ ଯେପରି ପ୍ରାର୍ଥନା କରିଥିଲେ ଠିକ୍‌ ସେମିତି ହିଁ ହେବ । ଈଶ୍ୱରଙ୍କ ରାଜ୍ୟରେ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ପୂରା ହେବ । ସେସମୟରେ ଲୋକମାନେ ପୃଥିବୀର ଭଲ ଭାବେ ଯତ୍ନ ନେବା ଶିଖିବେ, ସେଥିପାଇଁ ପୃଥିବୀର କୌଣସି କ୍ଷତି ହେବ ନାହିଁ ଆଉ ଜୀବଜନ୍ତୁ ବି ଲୁପ୍ତ ହେବେ ନାହିଁ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଈଶ୍ୱରଙ୍କ ରାଜ୍ୟରେ ଲୋକମାନଙ୍କୁ ଭଲ ଶିକ୍ଷା ମିଳିବ । ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ସିଦ୍ଧାନ୍ତ ଥିବ । ଆଉ ଲୋକମାନେ ଭାଗ ଭାଗ ହୋଇ ରହିବେ ନାହିଁ । ବାଇବଲରେ ଲେଖାଅଛି, ‘ସେମାନେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ ।’—ଯିଶାଇୟ ୧୧:୯.

ସଂଯୁକ୍ତ ରାଷ୍ଟ୍ର ଆଜି ଯାହା କରିପାରୁ ନାହିଁ, ତାହା ସେସମୟରେ ସମ୍ଭବ ହେବ, ପୂରା ଦୁନିଆରେ ଲୋକମାନେ ଶାନ୍ତି ଓ ଏକତାରେ ରହିବେ । ବାଇବଲ କହେ ଯେ ସେମାନେ “ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ ।” (ଗୀତସଂହିତା ୩୭:୧୧) କିଛି ସମୟ ପରେ “ଅପରାଧ,” “ପ୍ରଦୂଷଣ,” “ଦାରିଦ୍ରତା” ଓ “ଯୁଦ୍ଧ” ଭଳି ଶବ୍ଦର ବ୍ୟବହାର ଆଉ ହେବ ନାହିଁ । କିନ୍ତୁ ଏହା କେବେ ହେବ ? ଈଶ୍ୱରଙ୍କ ସରକାର କେବେ ଏହି ଭଲ ପରିସ୍ଥିତି ଆଣିବ ? ସେହି ରାଜ୍ୟରେ ବଞ୍ଚିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ଆସନ୍ତୁ ଦେଖିବା ।