इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସେମାନେ ସମସ୍ୟାର ସାମନା କଲେ

ରିକାର୍ଡୋ ଓ ଆଣ୍ଡ୍ରେସଙ୍କ କାହାଣୀ

ରିକାର୍ଡୋ ଓ ଆଣ୍ଡ୍ରେସଙ୍କ କାହାଣୀ

ବାଇବଲର ଶିକ୍ଷାଗୁଡ଼ିକ ଲୋକମାନଙ୍କ ଜୀବନ ବଦଳାଇପାରେ । ଏପରି ଦୁଇଜଣ ଲୋକଙ୍କ ଜୀବନ କାହାଣୀ ଶୁଣନ୍ତୁ, ଯାହା ଏକଥାକୁ ପ୍ରମାଣିତ କରେ ।

ରିକାର୍ଡୋ: ମୁଁ ୧୫ ବର୍ଷର ଥିବା ବେଳେ ଗୋଟିଏ ଗ୍ୟାଙ୍ଗ୍‌ରେ ସାମିଲ୍‌ ହୋଇଗଲି । ମୁଁ ନିଜ ସାଙ୍ଗମାନଙ୍କ ଭଳି ହେବାକୁ ଲାଗିଲି । ମୁଁ କେବଳ ଚାହୁଁଥିଲି ଯେ ମୋତେ ୧୦ ବର୍ଷ ପାଇଁ ଜେଲ ହୋଇଯାଉ । ହୁଏତ ଏକଥା ଶୁଣି ଆପଣଙ୍କୁ ଅଜବ ଲାଗିବ । କିନ୍ତୁ ଆମ ଅଞ୍ଚଳରେ ଏପରି ଲୋକମାନଙ୍କୁ ବହୁତ ପ୍ରଶଂସା କରାଯାଉଥିଲା ଯେଉଁମାନେ ଜେଲ ଯାଉଥିଲେ । ତେଣୁ ମୁଁ ମଧ୍ୟ ଜେଲ ଯିବାକୁ ଚାହୁଁଥିଲି ।

ଗ୍ୟାଙ୍ଗ୍‌ର ଲୋକମାନେ ଯାହା ଯାହା କରୁଥିଲେ, ମୁଁ ସେସବୁ କାମ କଲି । ଏପରିକି ନିଶାଦ୍ରବ୍ୟ ସେବନ କଲି, ଯୌନ ସମ୍ପର୍କ ରଖିଲି ଓ ମାରପିଟ୍‌ ମଧ୍ୟ କଲି । ଦିନେ ମୋ ଗ୍ୟାଙ୍ଗ୍‌ ଅନ୍ୟ ଏକ ଗ୍ୟାଙ୍ଗ୍‌ ଉପରେ ଗୁଳିଚାଳନା କରୁଥିଲା । ତାʼପରେ ସେହି ଗ୍ୟାଙ୍ଗ୍‌ ଆମ ଜାଗାରେ ପହଞ୍ଚି ଆମେ ମଦ ପିଉଥିବା ବେଳେ ଆମ ଉପରେ ଆକ୍ରମଣ କଲା । ମୋତେ ଲାଗିଲା ଯେ ମୁଁ ଆଜି ମରିଯିବି । କିନ୍ତୁ ମୁଁ ବଞ୍ଚିଗଲି । ତାʼପରେ ମୁଁ ଭାବିବାକୁ ଲାଗିଲି, ମୁଁ କିପରି ଜୀବନ ବିତାଉଛି, ମୁଁ କʼଣ ଚାହେଁ ? ତାʼପରେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ନିଜ ଜୀବନକୁ ବଦଳାଇବି । କିନ୍ତୁ ମୁଁ ଏହା କିପରି କରନ୍ତି ? କିଏ ମୋତେ ସାହାଯ୍ୟ କରନ୍ତା ?

ମୋର ଅଧିକାଂଶ ସମ୍ପର୍କୀୟମାନେ ଦୁଃଖୀ ରହୁଥିଲେ । ସେମାନଙ୍କ ଜୀବନରେ ଅନେକ ସମସ୍ୟା ଥିଲା । କିନ୍ତୁ ମୋର ଜଣେ ମାମୁଁଙ୍କର ପରିବାର ବହୁତ ଖୁସିରେ ରହୁଥିଲା । ସେମାନେ ବହୁତ ଭଲ ଲୋକ ଥିଲେ । ସେମାନେ ବାଇବଲ ଅନୁସାରେ ଜୀବନ ବିତାଉଥିଲେ । ଅନେକ ବର୍ଷ ପୂର୍ବରୁ ସେମାନେ ମୋତେ କହିଥିଲେ ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ । ତେଣୁ ସେହି ଘଟଣାର କିଛି ସମୟ ପରେ ମୁଁ ଯିହୋବାଙ୍କ ନାମ ନେଇ ପ୍ରାର୍ଥନା କଲି ଓ ତାଙ୍କୁ ସାହାଯ୍ୟ ମାଗିଲି । ତାʼପର ଦିନ ହିଁ ଜଣେ ଯିହୋବାଙ୍କ ସାକ୍ଷୀ ମୋ ଘରର କବାଟ ବାଡ଼େଇଲେ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେହି ସାକ୍ଷୀ ମୋତେ ବାଇବଲରୁ ଶିଖାଇଲେ ।

କିଛି ସମୟ ପରେ ମୋ ଆଗରେ ଗୋଟିଏ ସମସ୍ୟା ଆସିଗଲା । ମୋର ପୁରୁଣା ସାଙ୍ଗମାନେ ବାରମ୍ବାର ଫୋନ୍‌ କରି ମୋତେ ବୁଲିବା ପାଇଁ ଡାକୁଥିଲେ । ସେମାନଙ୍କୁ ମନା କରିବା ମୋ ପାଇଁ ବହୁତ କଷ୍ଟକର ଥିଲା । କିନ୍ତୁ ମୁଁ ଦୃଢ଼ ନିଷ୍ପତ୍ତି ନେଇଥିଲି ଯେ ମୁଁ ବାଇବଲ ଶିଖିବା ଜାରି ରଖିବି । ଏହି ନିଷ୍ପତ୍ତି ନେଇ ମୁଁ ବହୁତ ଖୁସି ଥିଲି । ମୋ ଜୀବନ ରାତାରାତି ବଦଳିଗଲା ଓ ମୁଁ ପ୍ରକୃତ ଖୁସି ପାଇଲି ।

ମୋତେ ମନେଅଛି ପୂର୍ବେ ମୁଁ ଈଶ୍ୱରଙ୍କୁ କହୁଥିଲି ଯେ ମୋତେ ୧୦ ବର୍ଷ ଯାଏ ଜେଲ ହୋଇଯାଉ, ଯାହାଫଳରେ ଗ୍ୟାଙ୍ଗ୍‌ରେ ମୋର ପ୍ରଶଂସା ହେଉ । କିନ୍ତୁ ଏବେ ମୁଁ ଈଶ୍ୱରଙ୍କୁ କହେ ଯେ ମୁଁ କମ୍‌ରୁ କମ୍‌ ୧୦ ବର୍ଷ ଯାଏ ଆପଣଙ୍କର ଅଧିକରୁ ଅଧିକ ସେବା କରିବାକୁ ଚାହେଁ ଏବଂ ଲୋକମାନଙ୍କୁ ଏକ ଭଲ ଜୀବନ ବଞ୍ଚିବା ପାଇଁ ଶିଖାଇବାକୁ ଚାହେଁ, ଠିକ୍‌ ଯେପରି ମୋତେ ଶିଖାଯାଇଥିଲା । ଈଶ୍ୱର ମୋ ପ୍ରାର୍ଥନା ଶୁଣିଲେ । ମୁଁ ୧୭ ବର୍ଷରୁ ଲୋକମାନଙ୍କୁ ବାଇବଲ ଶିଖାଉଛି । ପ୍ରତିମାସ ପ୍ରାୟ ୭୦ ଘଣ୍ଟା ଏହି କାମ କରୁଛି । ମୁଁ ଆପଣଙ୍କୁ ଏହା ବି ଜଣାଇବାକୁ ଚାହେଁ ଯେ ମୁଁ କେବେ ଜେଲ ଗଲିନାହିଁ ।

କିନ୍ତୁ ମୋର ଅନେକ ପୁରୁଣା ସାଙ୍ଗମାନଙ୍କୁ ଲମ୍ବା ସମୟର ଜେଲ ଦଣ୍ଡ ହୋଇଛି । ସେମଧ୍ୟରୁ କିଛି ସାଙ୍ଗମାନଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି । ଯେବେ ମୁଁ ସେହି ପୁରୁଣା ଦିନଗୁଡ଼ିକୁ ମନେପକାଏ, ତେବେ ମୋ ମନରେ ସେହି ସମ୍ପର୍କୀୟମାନଙ୍କ ପାଇଁ କୃତଜ୍ଞତା ଭରିଯାଏ ଯେଉଁମାନେ ଯିହୋବାଙ୍କ ସାକ୍ଷୀ ଅଟନ୍ତି । ମୁଁ ଦେଖିଥିଲି ଯେ ସେମାନେ ବାଇବଲ ଅନୁସାରେ ଜୀବନ ବିତାନ୍ତି ଓ ସେମାନଙ୍କୁ ଏକଥାରୁ କିଛି ଫରକ ପଡ଼େନି ଯେ ସେମାନେ ଅନ୍ୟମାନଙ୍କଠାରୁ ଅଲଗା । ମୁଁ ଗ୍ୟାଙ୍ଗ୍‌ର ସାଙ୍ଗମାନଙ୍କ ଅପେକ୍ଷା ସେମାନଙ୍କର ଆଦର କରୁଥିଲି । ସବୁଠୁ ବେଶି ମୋ ମନରେ ଈଶ୍ୱରଙ୍କ ପାଇଁ କୃତଜ୍ଞତା ଭରିଯାଏ । କାରଣ ସେ ମୋତେ ଏକ ଭଲ ଜୀବନ ବଞ୍ଚିବା ଶିଖାଇଲେ ।

ଆଣ୍ଡ୍ରେସ: ମୁଁ ଗୋଟିଏ ଗରିବ ଅଞ୍ଚଳରେ ବଢ଼ିଲି । ସେଠାରେ ନିଶାଦ୍ରବ୍ୟ ନେବା, ଅନ୍ୟମାନଙ୍କୁ ଲୁଟିବା, ହତ୍ୟା କରିବା ଓ ବେଶ୍ୟାବୃତ୍ତି ବହୁତ ସାଧାରଣ କଥା ଥିଲା । ବାପାଙ୍କୁ ମଦ ଓ ଡ୍ରଗ୍ସର ଅଭ୍ୟାସ ଥିଲା । ବାପାମାଆ ସବୁବେଳେ ଝଗଡ଼ା ହେଉଥିଲେ । ସେମାନେ ପରସ୍ପରକୁ ଗାଳି ଦେଉଥିଲେ ଓ ମାରପିଟ୍‌ କରୁଥିଲେ ।

ମୁଁ ଅଳ୍ପ ବୟସରୁ ହିଁ ମଦ ପିଇବା ଓ ନିଶାଦ୍ରବ୍ୟ ସେବନ କରିବାକୁ ଲାଗିଲି । ମୁଁ ଅଧିକାଂଶ ସମୟରେ ରାସ୍ତାଘାଟରେ ବୁଲୁଥିଲି । ମୁଁ ଚୋରି କରୁଥିଲି ଓ ଚୋରି ହୋଇଥିବା ଜିନିଷଗୁଡ଼ିକୁ ବିକ୍ରି କରୁଥିଲି । ଯେବେ ମୁଁ ଟିକେ ବଡ଼ ହେଲି, ତେବେ ବାପା ମୋ ସହ ସାଙ୍ଗ ହେବା ପାଇଁ ଚାହିଁଲେ । କିନ୍ତୁ ତାʼପାଇଁ ସେ ଭୁଲ ରାସ୍ତା ଆପଣାଇଲେ । ସେ ମୋତେ ଶିଖାଇଲେ ଯେ ନିଶାଦ୍ରବ୍ୟଗୁଡ଼ିକର ଚୋରାଚାଲାଣ କିପରି କରାଯାଏ ଓ ବେଆଇନ ଜିନିଷଗୁଡ଼ିକୁ ଦେଶ ଭିତରକୁ କିପରି ଅଣାଯାଏ ଓ କିପରି ବିକ୍ରି କରାଯାଏ । ଦେଖୁ ଦେଖୁ ମୁଁ ମାଲାମାଲ ହୋଇଗଲି । କିନ୍ତୁ ଦିନେ ପୋଲିସ ମୋ ଘରକୁ ଆସିଲା । ସେମାନେ ମୋତେ ଗିରଫ କରିନେଲେ ଓ ମୋତେ ପାଞ୍ଚ ବର୍ଷ ପାଇଁ ଜେଲଦଣ୍ଡ ହୋଇଗଲା । କାରଣ ମୁଁ ଜଣକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲି ।

ଦିନେ ସକାଳେ ଜେଲରେ ଲାଉଡସ୍ପିକରରେ ଘୋଷଣା କରାଗଲା ଯେ ଯିହୋବାଙ୍କ ସାକ୍ଷୀମାନେ ବାଇବଲରୁ କିଛି ଆଲୋଚନା କରିବେ ଓ ସବୁ କଏଦୀମାନେ ସେଠାକୁ ଯାଇ ତାହା ଶୁଣିପାରିବେ । ମୁଁ ଭାବିଲି ମୁଁ ବି ଯିବି । ସାକ୍ଷୀମାନଙ୍କର କଥା ମୋତେ ଠିକ୍‌ ଲାଗିଲା । ତେଣୁ ମୁଁ ସେମାନଙ୍କ ସହ ବାଇବଲ ଶିଖିବାକୁ ଲାଗିଲି । ସେମାନେ ସ୍ପଷ୍ଟ ଭାବେ କହିଲେ ଯେ ଈଶ୍ୱରଙ୍କ ଉଚ୍ଚ ସ୍ତର କʼଣ ଅଟେ ଓ ଏହାର ଗମ୍ଭୀରତାକୁ ଲୁଚାଇଲେ ନାହିଁ ।

ମୋତେ ଅନୁଭବ ହେଲା ଯେ ମୋତେ ନିଜ ଜୀବନଶୈଳୀ ବଦଳାଇବାକୁ ପଡ଼ିବ । କିନ୍ତୁ ମୁଁ ଜାଣିଥିଲି ଯେ ଏହା ମୁଁ ନିଜ ବଳରେ କରିପାରିବି ନାହିଁ । ମୋତେ ସେସମୟରେ ବେଶି କଷ୍ଟ ହେଉଥିଲା ଯେବେ ଅନ୍ୟ କଏଦୀମାନେ ମୋତେ ଧମକ ଦେଉଥିଲେ । କାରଣ ମୁଁ ଯାହା କରୁଥିଲି, ତାହା ସେମାନଙ୍କୁ ଭଲ ଲାଗୁ ନ ଥିଲା । ମୁଁ ବୁଦ୍ଧି ଓ ଶକ୍ତି ପାଇଁ ପ୍ରାର୍ଥନା କଲି ଓ ଯିହୋବା ମୋତେ ସାହାଯ୍ୟ କଲେ । ମୋତେ ବହୁତ ସାହସ ମିଶିଲା, ତେଣୁ ମୁଁ ବାଇବଲ ପଢ଼ିବା ଛାଡ଼ିଲି ନାହିଁ, ବରଂ ମୁଁ ଏବିଷୟରେ ଅନ୍ୟମାନଙ୍କୁ ମଧ୍ୟ କହିବାକୁ ଲାଗିଲି ।

ଯେବେ ମୋର ଜେଲରୁ ବାହାରିବାର ସମୟ ଆସିଲା, ତେବେ ମୋତେ ବହୁତ ଡର ଲାଗିଲା । ମୁଁ ସେଠାରେ ଆହୁରି କିଛି ସମୟ ରହିବାକୁ ଚାହୁଁଥିଲି । ମୋତେ ଲାଗିଲା ମୁଁ ଜେଲ ବାହାରେ କିପରି ବଞ୍ଚିବି । ଯେବେ ମୁଁ ଜେଲ ଛାଡ଼ି ଯାଉଥିଲି, ତେବେ ଅନେକ କଏଦୀ ମୋତେ ବିଦାୟ ଦେବା ପାଇଁ ଆସିଲେ । କିଛି କଏଦୀମାନେ ପ୍ରେମର ସହ କହିଲେ, ‘ଭଲରେ ରହିବ, ଛୋଟ ଗୁରୁ ।’

ବେଳେ ବେଳେ ମୁଁ ଭାବେ ଯେ ଯଦି ମୁଁ ଈଶ୍ୱରଙ୍କ ଶିକ୍ଷା ପାଇ ନ ଥାʼନ୍ତି, ତାହେଲେ ମୋର ଜୀବନ କିପରି ହୋଇଥାʼନ୍ତା । ଏବିଷୟରେ ଭାବିଲେ ମୋ ଦେହରେ ଶିହରଣ ଖେଳିଯାଏ । ଈଶ୍ୱରଙ୍କର ଅଶେଷ ଧନ୍ୟବାଦ ଯେ ସେ ମୋତେ ନିଜ ପ୍ରେମର ଯୋଗ୍ୟ ବୋଲି ମନେ କଲେ । a

a ବାଇବଲ ଆହୁରି ଅନେକ ଲୋକଙ୍କର ଜୀବନ ବଦଳାଇ ଦେଇଛି । ଏପରି କିଛି ଲୋକମାନଙ୍କ ବିଷୟରେ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଲାଇବ୍ରେରୀ ଭାଗରେ ଆଉ କିଛି ଲେଖା ଉପରେ କ୍ଲିକ୍‌ କରନ୍ତୁ, ତାʼପରେ “ବାଇବଲ ଜୀବନ ବଦଳାଇ ଦିଏ” ଭାଗ ଦେଖନ୍ତୁ ।