ଆମ ସମସ୍ୟା
ସମସ୍ୟାଗୁଡ଼ିକୁ ପୂରାପୂରି କିପରି ଶେଷ କରିପାରିବା ?
କʼଣ ଆପଣଙ୍କୁ ଲାଗେ ଯେ ମଣିଷ ସେହିସବୁ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ଯେଉଁ କାରଣଗୁଡ଼ିକ ଯୋଗୁଁ ଆମ ଶାନ୍ତି ଓ ସୁରକ୍ଷା ବିପଦରେ ଅଛି ? ଆମ ସମସ୍ୟାଗୁଡ଼ିକର ପ୍ରକୃତ ସମାଧାନ ତେବେ ହେବ, ଯେବେ ଏଗୁଡ଼ିକୁ ପୂରାପୂରି ଶେଷ କରିଦିଆଯିବ ।
ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଟୋମ୍ ନାମକ ଜଣେ ବ୍ୟକ୍ତି ରୋଗରେ ପଡ଼ିଗଲା ଓ ପରେ ତାʼର ମୃତ୍ୟୁ ହୋଇଗଲା । ଏହାର କାରଣ କʼଣ ଥିଲା ? ଟୋମ୍ର ମୃତ୍ୟୁ ପୂର୍ବରୁ ତାʼର ଯେଉଁ ହସ୍ପିଟାଲରେ ଚିକିତ୍ସା ହୋଇଥିଲା, ସେଠାର ଜଣେ ଡାକ୍ତର କହନ୍ତି, “ଯେବେ ଆରମ୍ଭରେ ତାʼର ରୋଗର ଲକ୍ଷଣ ଜଣାପଡ଼ିଲା, ତେବେ କେହି ବି ତାʼର ରୋଗର କାରଣ ଜାଣିବା ପାଇଁ ଚେଷ୍ଟା କଲେନି । ଏପରି ଜଣାପଡ଼େ ଯେ ଆରମ୍ଭରେ ଯେଉଁ ଡାକ୍ତରମାନେ ଟୋମ୍ର ଚିକିତ୍ସା କଲେ, ସେମାନେ କେବଳ ତାʼର କଷ୍ଟକୁ କମ୍ କରିବା ପାଇଁ କିଛି ଔଷଧ ସବୁ ଦେଉଥିଲେ ।”
ଠିକ୍ ସେହିପରି ମଣିଷ ବି ଦୁନିଆର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କିଛି ଏମିତି ହିଁ କରୁଛି । ଯେପରି, ସରକାରଗୁଡ଼ିକ ଅପରାଧ ଦୂର କରିବା ପାଇଁ କିଛି ନିୟମ ଜାରି କରାଏ, ଜାଗା ଜାଗାରେ ଭିଡିଓ କ୍ୟାମେରା ଲଗାଏ, ଆଉ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବା ପାଇଁ ପୋଲିସର ସଂଖ୍ୟା ବଢ଼ାଏ । ଏପରି ପଦକ୍ଷେପ ନେଲେ ଅବଶ୍ୟ ଅପରାଧ କମ୍ ହୁଏ, କିନ୍ତୁ ତାହା ପୂରାପୂରି ଶେଷ ହୁଏନି । କାରଣ ଅପରାଧର ଅସଲ କାରଣ ହେଉଛି ଲୋକମାନଙ୍କର ଚିନ୍ତାଧାରା, ତାଙ୍କର ବିଶ୍ୱାସ, ଆଉ ତାଙ୍କର ଖରାପ ଇଚ୍ଛା ।
ଦାନିୟେଲ ଦକ୍ଷିଣ ଆମେରିକାର ଏପରି ଦେଶରେ ରହୁଥିଲା ଯେଉଁଠି ବହୁତ ଗରିବ ଲୋକମାନେ ରହୁଥିଲେ । ସେ କହେ, “ଦିନେ ଏପରି ସମୟ ଥିଲା ଯେବେ ଆମେ ଆରାମରେ ରହୁଥିଲୁ । ଏଠାର ସହର ଓ ଗାଁଗୁଡ଼ିକରେ ଚୋରି ଡକାୟତିର କୌଣସି ଡର ନ ଥିଲା । କିନ୍ତୁ ଆଜି ଆଉ ସେପରି ଦିନ ନାହିଁ । ଦାରିଦ୍ରତା ବଢ଼ିବା ଯୋଗୁଁ ଲୋକମାନଙ୍କର ଅସଲ ରୂପ ଦେଖିବାକୁ ମିଳୁଛି । ସେମାନେ ଏତେ ଲୋଭୀ ହୋଇଯାଇଛନ୍ତି ଯେ ଅନ୍ୟମାନଙ୍କର ଜିନିଷ ଲୁଟିବା ଓ ଅନ୍ୟର ଜୀବନ ନେବା ପାଇଁ ବି ପଛଘୁଞ୍ଚା ଦେଉ ନାହାନ୍ତି ।”
ମଧ୍ୟ ପୂର୍ବର ଗୋଟିଏ ଦେଶର ଜଣେ ଲୋକ କହେ ଯେ ସେଠାର ଲୋକମାନଙ୍କର କିପରି ଚିନ୍ତାଧାରା ଥିଲା । ସେହି ବ୍ୟକ୍ତି ଜଣକ ସେଠାରେ ହେଉଥିବା ଯୁଦ୍ଧରୁ ନିଜ ଜୀବନ ରକ୍ଷା କରି ପଳାଇଯାଇଥିଲା ଆଉ ପରେ ତାକୁ ବାଇବଲର ଶିକ୍ଷା ମିଳିଲା । ସେ କହେ, “ମୁଁ ଯେଉଁ ସହରରେ ବଡ଼ ହୋଇଥିଲି, ସେଠାର ଯୁବାମାନଙ୍କୁ ତାଙ୍କ ପରିବାରର ଲୋକ, ରାଜନେତା ଆଉ ଧର୍ମଗୁରୁମାନେ ଶିଖାଉଥିଲେ ଯେ ସେମାନଙ୍କୁ ଯୁଦ୍ଧରେ ଭାଗ ନେବା ନିହାତି ଜରୁରୀ ଆଉ ନିଜକୁ ଜଣେ ବୀର ଯୋଦ୍ଧା ଭାବେ ପ୍ରମାଣିତ କରିବା ଉଚିତ୍ । ବିପକ୍ଷ ଦଳର ଲୋକମାନଙ୍କୁ ମଧ୍ୟ ଏହି କଥା ଶିଖାଯାଉଥିଲା । ମୁଁ ଦେଖିଲି ଯେ ନେତା ଓ ଗୁରୁମାନଙ୍କ କଥାରେ ପଡ଼ିଲେ କେତେ ଖରାପ ପରିଣାମ ହୋଇପାରେ ।”
ଗୋଟିଏ ପୁରୁଣା ଶାସ୍ତ୍ରରେ କେତେ ସତ କଥା ଲେଖାଯାଇଛି:
-
“ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ ।”—ଆଦି ପୁସ୍ତକ ୮:୨୧.
-
“ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ ?”—ଯିରିମୀୟ ୧୭:୯.
-
‘କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ଚୌର୍ଯ୍ୟ ଓ ମିଥ୍ୟାସାକ୍ଷ୍ୟ ହୃଦୟରୁ ବାହାରେ ।’—ମାଥିଉ ୧୫:୧୯.
ଲୋକମାନଙ୍କଠାରେ ଯେଉଁ ଖରାପ ଗୁଣଗୁଡ଼ିକ ଦେଖିବାକୁ ମିଳେ, ସେଗୁଡ଼ିକୁ ଶେଷ କରିବାରେ ମଣିଷ ଅସଫଳ ହୋଇଛି । ସତ କହିବାକୁ ଗଲେ ଲୋକମାନଙ୍କଠାରେ ଏହି ଖରାପ ଗୁଣଗୁଡ଼ିକ ଦିନକୁ ଦିନ ଆହୁରି ଅଧିକ ଦେଖିବାକୁ ମିଳୁଛି । (୨ ତୀମଥି ୩:୧-୫) ଏହି କାରଣ ଯୋଗୁଁ ଦୁନିଆରେ ସମସ୍ୟାଗୁଡ଼ିକ ବଢ଼ିଚାଲିଛି ଯାହା ବିଷୟରେ ପୂର୍ବ ଲେଖାଗୁଡ଼ିକରେ କୁହାଯାଇଥିଲା । ଆଜି ଲୋକମାନଙ୍କ ପାଖରେ ଆଗ ଅପେକ୍ଷା ଅଧିକ ତଥ୍ୟ ଅଛି ଆଉ କାହାରିକୁ ସମ୍ପର୍କ କରିବା ପାଇଁ ଭଲ ସୁବିଧା ଅଛି, ତଥାପି ଆମ ଶାନ୍ତି ଓ ସୁରକ୍ଷା ବିପଦରେ ଅଛି । ତାହେଲେ ପ୍ରଶ୍ନ ଉଠେ ଯେ ଶାନ୍ତି ଓ ସୁରକ୍ଷା ଆଣିବା ପାଇଁ ଆମେ କାହିଁକି ଅସଫଳ ହେଉଛୁ ? କʼଣ ଆମେ କେବେ ସଫଳ ହେବା ? କʼଣ ଶାନ୍ତି ଓ ସୁରକ୍ଷା ଆଣିବା ଆମ ହାତରେ ନାହିଁ ?
କʼଣ ଆମେ ଅସମ୍ଭବକୁ ସମ୍ଭବ କରିବା ପାଇଁ ଚେଷ୍ଟା କରୁଛୁ ?
ଯଦି ବି ଆମେ କୌଣସି ଚମତ୍କାର କରି ଲୋକମାନଙ୍କଠାରେ ଥିବା ଖରାପ ଗୁଣଗୁଡ଼ିକୁ ଶେଷ କରିଦେବା ତଥାପି ଆମେ ଦୁନିଆରେ ସୁରକ୍ଷା ଆଣିପାରିବା ନାହିଁ । କାରଣ ମଣିଷର କିଛି ସୀମା ଅଛି ।
ସତ କଥା ହେଉଛି, “ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ ।” (ଯିରିମୀୟ ୧୦:୨୩) ମଣିଷକୁ ଏପରି ଭାବରେ ସୃଷ୍ଟି ହିଁ କରାଯାଇ ନାହିଁ ଯେ ସେ ଅନ୍ୟ ମଣିଷ ଉପରେ ଶାସନ କରିପାରିବ । ଯେପରି ଆମକୁ ସମୁଦ୍ର ଭିତରେ ବା ମହାକାଶରେ ରହିବା ପାଇଁ ସୃଷ୍ଟି କରାଯାଇ ନାହିଁ, ଠିକ୍ ସେହିପରି ଆମକୁ ଅନ୍ୟ ଉପରେ ଶାସନ କରିବା ପାଇଁ ମଧ୍ୟ ସୃଷ୍ଟି କରାଯାଇ ନାହିଁ ।
ଏହି କଥା ଉପରେ ଟିକେ ଧ୍ୟାନ ଦିଅନ୍ତୁ: କʼଣ କାହାରିକୁ ଏହା ଭଲ ଲାଗେ ଯେ ତାଙ୍କ ବୟସର କିମ୍ବା ତାଙ୍କ ବରାବରର କେହି ତାଙ୍କୁ କହନ୍ତୁ ଯେ ଠିକ୍ କʼଣ ଓ ଭୁଲ କʼଣ ? ଗର୍ଭପାତ କରାଇବେ ନା ନାହିଁ, ପିଲାମାନଙ୍କୁ ଅନୁଶାସନ କିପରି ଦେବେ, ଏହି ମାମଲାଗୁଡ଼ିକରେ କʼଣ ତାଙ୍କୁ ଭଲ ଲାଗିବ ଯେ କେହି ତାଙ୍କ ପାଇଁ ନିଷ୍ପତ୍ତି ନେବେ ଯେ ତାଙ୍କୁ କʼଣ କରିବା ଉଚିତ୍ ? ତେଣୁ ବାଇବଲ ଯାହା କହେ ତାହା ଠିକ୍ ଅଟେ ଯେ ମଣିଷ ପାଖରେ ଅନ୍ୟକୁ ଶାସନ କରିବାର ଅଧିକାର ନାହିଁ ଆଉ ନା ତାʼର ଯୋଗ୍ୟତା ଅଛି । ତାହେଲେ ଆମକୁ ସଠିକ୍ ବାଟ କିଏ ଦେଖାଇପାରିବ ?
ଆମ ସୃଷ୍ଟିକର୍ତ୍ତା ବ୍ୟତୀତ ଆଉ କେହି ଆମକୁ ସଠିକ୍ ବାଟ ଦେଖାଇପାରିବେ ନାହିଁ । କାରଣ ସେ ହିଁ ଆମକୁ ସୃଷ୍ଟି କରିଛନ୍ତି ! ଅନେକ ଲୋକ ଭାବନ୍ତି ଯେ ଈଶ୍ୱର ଆମକୁ ଭୁଲିଯାଇଛନ୍ତି, କିନ୍ତୁ ଏହା ସତ ନୁହେଁ । ସେ ଆମର ଭଲ ଚାହାନ୍ତି । ସେଥିପାଇଁ ସେ ବାଇବଲରେ ଆମ ପାଇଁ ଭଲ ପରାମର୍ଶ ଲେଖାଇଛନ୍ତି । ବାଇବଲ ଏକ ଅସାଧାରଣ ବହି ଅଟେ । ଏହି ବହି ପଢ଼ିଲେ ଆମେ ଜାଣିପାରୁ ଯେ ମଣିଷର କʼଣ ସୀମା ଅଛି ଆଉ ଆଜି ପର୍ଯ୍ୟନ୍ତ ମଣିଷକୁ କାହିଁକି ଏତେ ଦୁଃଖକଷ୍ଟ ସହିବାକୁ ପଡ଼ୁଛି । ଆମେ ଏହା ବି ବୁଝିପାରୁ ଯେପରି ଜଣେ ଜର୍ମାନ୍ ଦାର୍ଶନିକ ଲେଖିଥିଲେ, “ଲୋକମାନେ ଓ ସରକାରଗୁଡ଼ିକ ଇତିହାସରେ ଘଟିଥିବା ଘଟଣାଗୁଡ଼ିକରୁ କିଛି ଶିଖିପାରିଲେ ନାହିଁ ।”
ବାଇବଲର ବୁଦ୍ଧିଭରା ପରାମର୍ଶ, ଆମ ଲାଭ ପାଇଁ !
ଜଣେ ବୁଦ୍ଧିମାନ ବ୍ୟକ୍ତି କହିଥିଲେ, “ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା ।” (ଲୂକ ୭:୩୫) ବାଇବଲରେ ଅନେକ ବୁଦ୍ଧିଭରା ପରାମର୍ଶ ଦିଆଯାଇଛି । ଯେପରି “ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ ।” (ଗୀତସଂହିତା ୧୪୬:୩) ଏହି ପରାମର୍ଶକୁ ମାନିଲେ ଆମେ ମିଛ ପ୍ରତିଜ୍ଞାଗୁଡ଼ିକୁ ଭରସା କରିବା ନାହିଁ, ଆଉ ସେହି କଥାଗୁଡ଼ିକ ଉପରେ ଆଶା କରିବାନି ଯାହା କେବେ ପୂରା ହେବ ନାହିଁ । କେନେଥ୍ ଉତ୍ତର ଆମେରିକାର ଏପରି ଏକ ସହରରେ ରହୁଥିଲେ ଯେଉଁଠାରେ ବହୁତ ହିଂସା ହେଉଥିଲା । ସେ କହନ୍ତି, “ସବୁ ନେତାମାନେ ପ୍ରତିଜ୍ଞା କରନ୍ତି ଯେ ସବୁ କିଛି ଠିକ୍ କରିଦେବେ, କିନ୍ତୁ ଏପରି କରିପାରନ୍ତି ନାହିଁ । ସେମାନେ ବାରମ୍ବାର ଅସଫଳ ହୁଅନ୍ତି । ଏଥିରୁ ପ୍ରମାଣିତ ହୁଏ ଯେ ବାଇବଲର କଥା ବିଲ୍କୁଲ୍ ଠିକ୍ ଅଟେ ।”
ଦାନିଏଲ୍ ଯାହା ବିଷୟରେ ପୂର୍ବରୁ କୁହାଯାଇଛି, ସେ କହନ୍ତି, “ଦିନକୁ ଦିନ ମୋର ଏହି କଥା ଉପରେ ଭରସା ବଢ଼ି ବଢ଼ି ଯାଉଛି ଯେ ମଣିଷ ଠିକ୍ରେ କେବେ ବି ଶାସନ କରିପାରିବ ନାହିଁ । . . . ଯଦି ଆପଣଙ୍କର ବ୍ୟାଙ୍କରେ ବହୁତ ପଇସା ଅଛି କିମ୍ବା ଆପଣ କୌଣସି ପେନ୍ସନ୍ ସ୍କିମ୍ରେ ପଇସା ଲଗାଇଛନ୍ତି, ତେବେ ବି ଏହି କଥାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ଆପଣଙ୍କର ବୃଦ୍ଧାବସ୍ଥା ପୂରା ଆରାମରେ କଟିବ । ମୁଁ ଦେଖିଛି ଯେ ଏସବୁରେ ଭରସା କରିକି ଅନେକ ଲୋକ ନିରାଶ ହୋଇଛନ୍ତି ।”
ସତରେ, ବାଇବଲରେ ଦିଆଯାଇଥିବା ପରାମର୍ଶ ମାନିଲେ ଆମେ ଏପରି କଥା ଉପରେ ଆଶା କରିବାନି ଯାହା କେବେ ପୂରା ହେବ ନାହିଁ । କେବଳ ଏତିକି ନୁହଁ ଆମକୁ ଗୋଟିଏ ଆଶା ବି ମିଳିବ । ଏବିଷୟରେ ଆଗକୁ ଦିଆଯାଇଥିବା ଲେଖାଗୁଡ଼ିକରେ ଦିଆଯାଇଛି ।