इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସମସ୍ୟା

ଆମ ସୁରକ୍ଷା ବିପଦରେ ଅଛି

ଆମ ସୁରକ୍ଷା ବିପଦରେ ଅଛି

“ଆଜିର ଦୁନିଆରେ ଏତେ ଟେକ୍ନୋଲୋଜିର ସୁବିଧା ଅଛି, ଏତେ ପଇସା, ସାଧନ ଓ ଅନ୍ୟ ସୁବିଧାଗୁଡ଼ିକ ଅଛି ଯେତେ ଆଗରୁ କେବେ ବି କାହାରି ପାଖରେ ନ ଥିଲା । କିନ୍ତୁ ଲାଗୁଛି ଏବେର ଏହି ଦୁନିଆ ରାଜନୈତିକ, ଅର୍ଥନୈତିକ, ଆଉ ପରିବେଶକୁ ପୂରା ପୂରି ନଷ୍ଟ କରିଦେବ ।”​—ବିଶ୍ୱ ସଂକଟ ରିପୋର୍ଟ ୨୦୧୮, ବିଶ୍ୱ ଆର୍ଥିକ ମଞ୍ଚ, ଇଂରାଜୀ ।

ଅନେକ ବିଶେଷଜ୍ଞ ମଣିଷ ଓ ପୃଥିବୀର ଭବିଷ୍ୟତ ବିଷୟରେ କାହିଁକି ଏତେ ଚିନ୍ତା କରୁଛନ୍ତି ? କାରଣ ଆମ ଆଗରେ ଅନେକ ସମସ୍ୟା ଘେରି ରହିଛି । ସେ ମଧ୍ୟରୁ କିଛି ହେଉଛି:

  • ଇଣ୍ଟରନେଟ୍‌ ମାଧ୍ୟମରେ ଅପରାଧ: ଅଷ୍ଟ୍ରେଲିଆର ଏକ ଖବର କାଗଜ କହେ, “ଇଣ୍ଟରନେଟ୍‌ରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । ଏହା ପିଲାମାନଙ୍କ ସହ ଖରାପ କାମ କରୁଥିବା ଲୋକ, ଗୁଣ୍ଡା, ବଦମାସ, ଟ୍ରୋଲ୍‌ a ଆଉ ହ୍ୟାକରମାନଙ୍କର ଗୋଟିଏ ମନପସନ୍ଦର ଜାଗା ହୋଇଯାଇଛି । କାହାରି ବ୍ୟକ୍ତିଗତ ତଥ୍ୟର ଚୋରି ଏପରି ଏକ ଅପରାଧ ଅଟେ ଯାହା ଦୁନିଆରେ ସବୁଠୁ ବେଶି ହେଉଛି । . . . ଇଣ୍ଟରନେଟ୍‌ ଘୃଣିତ କାମ ଓ ହିଂସାତ୍ମକ କାମଗୁଡ଼ିକ କରାଇବାର ଏକ ମୁଖ୍ୟ ଜରିଆ ହୋଇଯାଇଛି ।” ୨୨ ଜୁଲାଇ, ୨୦୧୭ ର ନବଭାରତ ଟାଇମ୍ସ ପତ୍ରିକାରେ କୁହାଯାଇଥିଲା ଯେ ୨୦୧୭ ର ଆରମ୍ଭର ଛଅ ମାସ ମଧ୍ୟରେ ଭାରତରେ ପ୍ରତି ୧୦ ମିନିଟ୍‌ରେ ଇଣ୍ଟରନେଟ୍‌ ଜରିଆରେ ଗୋଟିଏ ଅପରାଧ ହୋଇଛି ।”

  • ଧନୀ ଓ ଗରିବ ଲୋକମାନଙ୍କ ମଧ୍ୟରେ ଦୂରତା: ଗରିବମାନଙ୍କୁ ସାହାଯ୍ୟ କରୁଥିବା ଗୋଟିଏ ସଂଗଠନ କିଛି ଦିନ ପୂର୍ବରୁ ଗୋଟିଏ ରିପୋର୍ଟ ଦେଇଛି । ସେଠାରେ କୁହାଯାଇଛି ଯେ ଦୁନିଆର ଅଧା ଜନସଂଖ୍ୟା ପାଖରେ ସମୁଦାୟ ଯେତିକି ପଇସା ଅଛି, ସେତିକି ପଇସା ଦୁନିଆର ଆଠଜଣ ଧନୀ ଲୋକଙ୍କ ପାଖରେ ଅଛି । ସେହି ରିପୋର୍ଟରେ ଏହା ବି କୁହାଯାଇଛି ଯେ ଦେଶଗୁଡ଼ିକର ଖରାପ ଅର୍ଥ ବ୍ୟବସ୍ଥା ଯୋଗୁଁ ସମାଜରେ ସବୁଠୁ ଗରିବ ଲୋକଙ୍କର ଅଧିକାର ଛଡ଼ାଇ ଧନୀ ଲୋକଙ୍କର ପକେଟ୍‌ ଭରାଯାଉଛି । ଆଉ ଏହି ଗରିବ ଲୋକମାନଙ୍କ ମଧ୍ୟରେ ସ୍ତ୍ରୀମାନଙ୍କର ସଂଖ୍ୟା ଅଧିକ । କିଛି ଲୋକ ଏହା ବି ଭାବି ଡରୁଛନ୍ତି ଯେ ଯଦି ଧନୀ ଓ ଗରିବ ଲୋକଙ୍କ ମଧ୍ୟରେ ଏହିପରି ଭାବରେ ଦୂରତା ବଢ଼ି ବଢ଼ି ଚାଲେ, ତେବେ ଆଗକୁ ଆହୁରି ଦଙ୍ଗା ବଢ଼ି ଚାଲିବ ।

  • ଯୁଦ୍ଧ ଓ ଅତ୍ୟାଚାର: ୨୦୧୮ ର ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସିର ଏକ ରିପୋର୍ଟ କହେ ଯେ ଆଜି କୋଟି କୋଟି ଲୋକମାନଙ୍କୁ ନିଜ ଘର ଛାଡ଼ି ପଳାଇବାକୁ ପଡ଼ୁଛି । ଆଗରୁ ଏମିତି କେବେ ହୋଇ ନ ଥିଲା । ବିଶେଷ କରି ଯୁଦ୍ଧ ଓ ଅତ୍ୟାଚାର ଯୋଗୁଁ ୬ କୋଟି ୮୦ ଲକ୍ଷ ଲୋକଙ୍କୁ ବାଧ୍ୟ ହୋଇ ନିଜ ଅଞ୍ଚଳ ଛାଡ଼ି ପଳାଇବାକୁ ପଡ଼ିଛି । ରିପୋର୍ଟରେ ଏହା ବି କୁହାଯାଇଛି ଯେ “ପ୍ରତି ୨ ସେକେଣ୍ଡରେ ଜଣେ ବ୍ୟକ୍ତିକୁ ନିଜ ସବୁକିଛି ଛାଡ଼ି ପଡ଼ାଇବାକୁ ପଡ଼ୁଛି ।”

  • ପରିବେଶ ବିପଦ: ବିଶ୍ୱ ସଂକଟ ରିପୋର୍ଟ ୨୦୧୮ ଅନୁସାରେ “ଅନେକ ପଶୁପକ୍ଷୀ ଓ ଗଛଲତାର ସବୁପ୍ରଜାତିଗୁଡ଼ିକ ଲୁପ୍ତ ହେବାରେ ଲାଗିଛି । ପବନ ଓ ସମୁଦ୍ରରେ ଯେପରି ଭାବରେ ପ୍ରଦୂଷଣ ବଢ଼ିଚାଲିଛି, ତାହା ମଣିଷ ପାଇଁ ବଡ଼ ବିପଦ ହୋଇଯାଇଛି ।” କିଛି ଦେଶଗୁଡ଼ିକରେ କୀଟପତଙ୍ଗଗୁଡ଼ିକର ସଂଖ୍ୟା ବି କମ୍‌ ହୋଇ ଚାଲିଛି । କୀଟପତଙ୍ଗଗୁଡ଼ିକ ଗଛଲତାଗୁଡ଼ିକୁ ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି, ତେଣୁ ବୈଜ୍ଞାନିକମାନେ କହନ୍ତି ଯେ ଯଦି ଏମାନଙ୍କ ସଂଖ୍ୟା ଏପରି ହିଁ କମିବାକୁ ଲାଗେ ତେବେ ଏହା ପରିବେଶ ଉପରେ ବହୁତ ଖରାପ ପ୍ରଭାବ ପକାଇବ । ସାମୁଦ୍ରିକ ପ୍ରବାଳ ବି ବିପଦରେ ଅଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଗତ ୩୦ ବର୍ଷ ମଧ୍ୟରେ ଦୁନିଆର ଅଧା ପ୍ରବାଳ ନଷ୍ଟ ହୋଇଯାଇଛି ।

କʼଣ ଆମେ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିପାରିବା ଯାହାଫଳରେ ଆମେ ସୁରକ୍ଷିତ ରହିପାରିବା ? କିଛି ଲୋକ କହନ୍ତି ଯେ ଯଦି ଆମେ ଏହି ମାମଲାରେ ଲୋକମାନଙ୍କୁ ଶିକ୍ଷା ଦେବା ତେବେ ହୁଏତ ଏହି ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ ପ୍ରଶ୍ନ ଉଠେ ଯେ ଲୋକମାନଙ୍କୁ କେଉଁଭଳି ଶିକ୍ଷା ଦିଆଯିବା ଉଚିତ୍‌ ? ଆଗକୁ ଦିଆଯାଇଥିବା ଲେଖାଗୁଡ଼ିକରେ ଏବିଷୟରେ କୁହାଯାଇଛି ।

a ଇଣ୍ଟରନେଟ୍‌ରେ କାହାରି ପକ୍ଷରେ କିମ୍ବା ବିପକ୍ଷରେ ଲେଖୁଥିବା ବ୍ୟକ୍ତି ।