इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !

ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !

ଅଧ୍ୟାୟ ୧

ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !

୧, ୨. ସୃଷ୍ଟିକର୍ତ୍ତା ଆପଣଙ୍କ ପାଇଁ କʼଣ ଚାହାନ୍ତି ?

 କେହି ଜଣେ ପ୍ରିୟଜନଙ୍କ ଏକ ସ୍ନେହମୟ ଆଲିଙ୍ଗନ । ପ୍ରିୟ ବନ୍ଧୁଙ୍କସହିତ ଏକ ଉତ୍ତମ ଭୋଜନ ବେଳେ ହୃଦୟଭରା ହସ । ଖୁସିରେ ଖେଳୁଥିବା ନିଜ ପାଲାମାନଙ୍କୁ ଦେଖିବାର ଆନନ୍ଦ । ଏପରି ମୁହୂର୍ତ୍ତସବୁ ଜୀବନରେ ସୁଖର ମୁହୂର୍ତ୍ତ ହୋଇଥାଏ । ତଥାପି, ଅନେକ ଲୋକଙ୍କ ପାଇଁ, ଜୀବନ ଗୋଟିକ ପରେ ଗୋଟିଏ ଗୁରୁତର ସମସ୍ୟାର ସମାହାର ପରି ମନେହୁଏ । ଯଦି ଆପଣଙ୍କର ମଧ୍ୟ ଏହିପରି ଅନୁଭବ ହୋଇଥାଏ, ତେବେ ଧୈର୍ଯ୍ୟ ଧରନ୍ତୁ ।

ପରମେଶ୍ୱରଙ୍କ ଇଚ୍ଛା ଯେ ଆପଣ ସୁନ୍ଦର ପରିବେଶରେ ଉତ୍ତମ ପରିସ୍ଥିତିରେ ସ୍ଥାୟୀ ସୁଖ ଉପଭୋଗ କରନ୍ତୁ । ଏହା କେବଳ ମାତ୍ର ଏକ ସ୍ୱପ୍ନ ନୁହେଁ, ପରମେଶ୍ୱର ବାସ୍ତବରେ ଆପଣଙ୍କୁ ଏପରି ଏକ ସୁଖମୟ ଭବିଷ୍ୟତର ଚାବିକାଠି ଦିଅନ୍ତି । ସେହି ଚାବିକାଠିଟି ହେଉଛି ଜ୍ଞାନ ।

୩. କେଉଁ ଜ୍ଞାନ ସୁଖର ଚାବିକାଠି ଅଟେ ଓ କାହିଁକି ଆମେ ନିଶ୍ଚିତ ହୋଇ ପାରିବା ଯେ ପରମେଶ୍ୱର ସେହି ଜ୍ଞାନ ପ୍ରଦାନକରି ପାରିବେ ?

ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଜ୍ଞାନ ବିଷୟରେ କହୁଅଛୁ ଯାହା ମାନବପ୍ରଜ୍ଞା ଠାରୁ ମହତ୍ତର । ଏହା ହେଉଛି “ପରମେଶ୍ୱର ବିଷୟକ ଜ୍ଞାନ ।” (ହିତୋପଦେଶ ୨:୫, NW) ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଜଣେ ବାଇବଲ ଲେଖକ କହିଥିଲେ: “ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ୱର ।” (ଏବ୍ରୀ ୩:୪) ଭାବିଦେଖନ୍ତୁ, ସକଳ ବିଷୟର ସ୍ରଷ୍ଟା ପାଖରେ କେତେ ଜ୍ଞାନ ଥିବ ! ବାଇବଲ କହେ ଯେ ପରମେଶ୍ୱର ସବୁ ତାରକା ଗଣନା କରନ୍ତି ଓ ନାମ ଦିଅନ୍ତି । କି ଆଶ୍ଚର୍ଯ୍ୟଜନକ ଭାବନା, କାରଣ ଆମ ଛାୟାପଥରେ ସହସ୍ର କୋଟି ତାରକା ଅଛନ୍ତି ଏବଂ ଜ୍ୟୋତିର୍ବିତ୍‌ମାନେ କହନ୍ତି ଯେ ଆହୁରି ପ୍ରାୟ ଦଶ ସହସ୍ର କୋଟି ଅନ୍ୟ ଛାୟାପଥ ଅଛି ! (ଗୀତସଂହିତା ୧୪୭:୪) ଆମ ସମସ୍ତଙ୍କ ବିଷୟରେ ମଧ୍ୟ ପରମେଶ୍ୱର ଜାଣନ୍ତି, ତେଣୁ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ସଠିକ ଉତ୍ତର ତାଙ୍କ ଛଡ଼ା ଆଉ କିଏ ଦେଇପାରେ ?—ମାଥିଉ ୧୦:୩୦.

୪. ପରମେଶ୍ୱର ଆମକୁ ପଥପ୍ରଦର୍ଶନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ଏହା ଆମେ କାହିଁକି ଆଶା କରିବା ଉଚିତ ଓ କେଉଁ ପୁସ୍ତକ ଏହି ଆବଶ୍ୟକତାକୁ ପୂରଣ କରିଥାଏ ?

କଳ୍ପନା କରନ୍ତୁ, ଦୁଇଜଣ ଲୋକ ସେମାନଙ୍କ କାର ମରାମତି କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଫଳ ହୋଇ ଜଣେ ନିଜର ସରଞ୍ଜାମ ଫୋପାଡ଼ି ଦିଏ । ଅନ୍ୟ ଜଣକ ଧିରସ୍ଥିର ଭାବରେ ଭୁଲ ସଜାଡ଼ି ଚାବି ଘୁରାଇ ଦେଖେ ଓ ଯେପରି ଇଞ୍ଜିନ୍‌ ଚାଲୁହୋଇ ସୁଗମ ଭାବରେ ଚାଲିବାକୁ ଆରମ୍ଭ କରେ, ତାଙ୍କ ମୁଖରେ ମୃଦୁହାସ୍ୟ ଖେଳିଯାଏ । ସେହି ଦୁଇଜଣଙ୍କ ମଧ୍ୟରୁ କାହାପାଖରେ ନିର୍ମାତାଙ୍କ ନିର୍ଦ୍ଦେଶ ପୁସ୍ତିକା ଥିଲା, ଆପଣଙ୍କୁ ତାହା ଅନୁମାନ କରିବା ପାଇଁ କଠିନ ହେବ ନାହିଁ । ଏହା କʼଣ ଯୁକ୍ତିପୂର୍ଣ୍ଣ ମନେହେଉ ନାହିଁ ଯେ ପରମେଶ୍ୱର ଆମମାନଙ୍କ ଜୀବନର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ପୁସ୍ତିକା ଦିଅନ୍ତେ ? ବୋଧହୁଏ, ଆପଣ ଜାଣନ୍ତି ଯେ ବାଇବଲ ଠିକ୍‌ ତାହାହିଁ ଦାବି କରିଥାଏ—ଐଶ୍ୱରୀୟ ଜ୍ଞାନ ପ୍ରଦାନ କରିବା ନିମନ୍ତେ ଆମ ସୃଷ୍ଟିକର୍ତ୍ତାଙ୍କଠାରୁ ଏହି ନିର୍ଦ୍ଦେଶ ଏବଂ ପଥପ୍ରଦର୍ଶକ ପୁସ୍ତକ ପ୍ରସ୍ତୁତ କରାଯାଇଅଛି ।—୨ ତୀମଥି ୩:୧୬.

୫. ବାଇବଲରେ ଯେଉଁ ଜ୍ଞାନ ଅଛି ତାହା କେତେ ମୂଲ୍ୟବାନ ?

ଯଦି ବାଇବଲର ଦାବି ସଠିକ ହୁଏ, ତେବେ ଭାବିଦେଖନ୍ତୁ, ସେହି ପୁସ୍ତକ ଜ୍ଞାନର କେତେ ବଡ଼ ଭଣ୍ଡାର ହୋଇଥିବ ! ହିତୋପଦେଶ ୨:୧-୫ ପଦରେ ଜ୍ଞାନ ଅନ୍ୱେଷଣ ପାଇଁ ଆମକୁ ଉତ୍ସାହିତ କରାଯାଇଛି, ଠିକ୍‌ ଗୁପ୍ତଧନ ଖୋଳିଲା ଭଳି—ମାନବ ଚେତନାର ମୃତ୍ତିକା ଭିତରୁ ନୁହେଁ, ପରମେଶ୍ୱରଙ୍କ ବାକ୍ୟ ଭିତରୁ । ଯଦି ଆମେ ସେଠାରେ ଖୋଜିବା, ଆମେ “ପରମେଶ୍ୱରଙ୍କ ଜ୍ଞାନ ପାଇପାରିବା ।” ପରମେଶ୍ୱର ଆମ ସୀମିତ କ୍ଷମତା ଓ ଆବଶ୍ୟକତା ବୁଝନ୍ତି, ତେଣୁ ସେ ଆମକୁ ଉପଦେଶ ଦିଅନ୍ତି ଯାହା ଆମକୁ ସୁଖଶାନ୍ତିରେ ଜୀବନ ବିତାଇବା ପାଇଁ ସାହାଯ୍ୟ କରିବ । (ଗୀତସଂହିତା ୧୦୩:୧୪; ଯିଶାଇୟ ୪୮:୧୭) ଅଧିକନ୍ତୁ, ଐଶ୍ୱରୀୟ ଜ୍ଞାନ ଆମମାନଙ୍କୁ ଆନନ୍ଦଦାୟକ ସୁସମାଚାର ପ୍ରଦାନ କରେ ।

ଅନନ୍ତ ଜୀବନ !

୬. ପରମେଶ୍ୱରଙ୍କ ଜ୍ଞାନ ସମ୍ବନ୍ଧରେ ଯୀଶୁ ଖ୍ରୀଷ୍ଟ କି ପ୍ରତିଶ୍ରୁତି ଦେଇଥିଲେ ?

ସୁବିଖ୍ୟାତ ଐତିହାସିକ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ ସୁସ୍ପଷ୍ଟ ଭାବରେ ପରମେଶ୍ୱରଙ୍କ ଜ୍ଞାନର ବୈଶିଷ୍ଟ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ: “ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) କଳ୍ପନା କରନ୍ତୁ—ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ !

୭. ପରମେଶ୍ୱର ଆମ୍ଭମାନଙ୍କର ମୃତ୍ୟୁ ଚାହାନ୍ତି ନାହିଁ ଏହାର ପ୍ରମାଣ କʼଣ ?

ଅନନ୍ତ ଜୀବନକୁ ମାତ୍ର ଏକ ସ୍ୱପ୍ନ ଭାବି ମନରୁ ହଠାତ୍‌ ଦୂରେଇ ଦିଅନ୍ତୁ ନାହିଁ । ଏହା ପରିବର୍ତ୍ତେ ମନୁଷ୍ୟ ଶରୀରର ଗଠନ ପ୍ରଣାଳୀକୁ ନିରୀକ୍ଷଣ କରନ୍ତୁ । ଏହା ଚାଖିବା, ଶୁଣିବା, ଶୁଙ୍ଘିବା, ଦେଖିବା ଏବଂ ଅନୁଭବ କରିବା ପାଇଁ ଚମତ୍କାର ଭାବରେ ଗଠିତ । ରୁଚିକର ଖାଦ୍ୟ, ପକ୍ଷୀଙ୍କ ମଧୁର କୂଜନ, ସୁବାସିତ ପୁଷ୍ପ, ସୁନ୍ଦର ଦୃଶ୍ୟ, ସୁଖକର ସାନ୍ନିଧ୍ୟ ପରି ପୃଥିବୀର ବହୁ ଜିନିଷ ଆମ ଇନ୍ଦ୍ରିୟଙ୍କୁ ଉଲ୍ଲସିତ କରିଥାଏ ! ଆମ ବିସ୍ମୟକର ମସ୍ତିଷ୍କ ଏକ ଶକ୍ତିଶାଳୀ କମ୍ପ୍ୟୁଟର ଠାରୁ ମଧ୍ୟ ଅଧିକ ଉନ୍ନତ ଏହା ଆମକୁ ଉକ୍ତ ଜିନିଷଗୁଡ଼ିକୁ ତାରିଫ୍‌ ଓ ଉପଭୋଗ କରିବା ପାଇଁ ସମର୍ଥ କରିଥାଏ । ଆପଣ କʼଣ ଭାବନ୍ତି, ଆମ ସୃଷ୍ଟିକର୍ତ୍ତା ଚାହାନ୍ତି ଯେ ଆମେ ମୃତ୍ୟୁବରଣ କରି ଏହି ସମସ୍ତ ଜିନିଷ ହରାଇବା ? ସେ ଚାହାନ୍ତି ଯେ ଆମ୍ଭେମାନେ ସୁଖରେ ରହି ଚିରକାଳ ଜୀବନ ଉପଭୋଗ କରୁ, ଏହା ଭାବିବା କʼଣ ଅଧିକ ଯୁକ୍ତିସଙ୍ଗତ ନୁହେଁ ? ପରମେଶ୍ୱରଙ୍କ ଜ୍ଞାନ ଆପଣଙ୍କ ପାଇଁ ତାହାହିଁ କରିପାରେ ।

ପାରଦୀଶରେ ଜୀବନ

୮. ମନୁଷ୍ୟଜାତିର ଭବିଷ୍ୟତ ବିଷୟରେ ବାଇବଲ କʼଣ କହିଥାଏ ?

ପୃଥିବୀ ଓ ମନୁଷ୍ୟଜାତିର ଭବିଷ୍ୟତ ବିଷୟରେ ବାଇବଲ ଯାହା କହେ, ତାହାର ସାରାଂଶ ଏକ ଶବ୍ଦରେ କୁହାଯାଇପାରେ—ପାରଦୀଶ ! ଯୀଶୁ ଖ୍ରୀଷ୍ଟ ଜଣେ ମୃତ୍ୟୁମୁଖୀ ଲୋକକୁ ଏହି ବିଷୟରେ କହିଥିଲେ: “ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।” (ଲୂକ ୨୩:୪୩) ପାରଦୀଶର ସୂଚନା ସେ ଲୋକର ମନକୁ ନିଶ୍ଚୟ ଆମର ପ୍ରଥମ ମାତା-ପିତା, ଆଦମ ଓ ହବାଙ୍କ ସୁଖମୟ ଅବସ୍ଥାର କଥା ଆଣିଥିଲା । ପରମେଶ୍ୱର ଯେବେ ସେମାନଙ୍କୁ ସୃଷ୍ଟି କରିଥିଲେ, ସେମାନେ ସିଦ୍ଧ ଥିଲେ ଓ ପରମେଶ୍ୱର ପରିକଳ୍ପନା ଓ ସ୍ଥାପନ କରିଥିବା ଏକ ପାର୍କ ସଦୃଶ ପ୍ରମୋଦ ଉଦ୍ୟାନରେ ରହୁଥିଲେ । ଏହାକୁ ଯଥାର୍ଥ ଭାବେ ଏଦନ ଉଦ୍ୟାନ କୁହାଯାଉଥିଲା, ଯାହାର ଅର୍ଥ ଆନନ୍ଦ ।

୯. ମୂଳ ପାରଦୀଶରେ ବାସ କରିବା କିପରି ଥିଲା ?

ସେହି ଉଦ୍ୟାନଟି କେଡ଼େ ସୁନ୍ଦର ଥିଲା ! ଏହା ପ୍ରକୃତରେ ପାରଦୀଶ ଥିଲା । ଏହାର ସୁନ୍ଦର ବୃକ୍ଷରାଜି ମଧ୍ୟରେ ସୁସ୍ୱାଦୁ ଫଳଦାୟକ ବୃକ୍ଷସବୁ ଥିଲା । ଆଦମ ଓ ହବା ସେମାନଙ୍କ ଅଧିକୃତ ଭୁଭାଗରେ ପରିଭ୍ରମଣ କରୁଥିଲେ, ମଧୁର ଜଳ ପାନ କରୁଥିଲେ ଓ ବୃକ୍ଷରୁ ସୁସ୍ୱାଦୁ ଫଳ ସଂଗ୍ରହ କରୁଥିଲେ, ସେମାନଙ୍କର ଭୟଭ୍ରାନ୍ତି କିମ୍ବା ଚିନ୍ତିତ ହେବାର କୌଣସି କାରଣ ନଥିଲା । ଏପରିକି ଜନ୍ତୁମାନଙ୍କ ଠାରୁ ମଧ୍ୟ କୌଣସି ବିପଦ ନଥିଲା, କାରଣ ପରମେଶ୍ୱର ପ୍ରଥମ ପୁରୁଷ ଓ ତାଙ୍କ ପତ୍ନୀଙ୍କୁ ସେମାନଙ୍କ ଉପରେ ପ୍ରେମମୟ କର୍ତ୍ତୁତ୍ୱ ଦେଇଥିଲେ । ଏହା ସହିତ ପ୍ରଥମ ମାନବ ଯୁଗଳଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଥିଲା । ଯେତେବେଳ ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ଆଜ୍ଞାବହ ହୋଇ ରହିଥିଲେ, ସେମାନଙ୍କ ସମ୍ମୁଖରେ ଆଜୀବନ ସୁଖମୟ ଭବିଷ୍ୟତ ଥିଲା । ସେମାନଙ୍କୁ ତାଙ୍କର ଅତ୍ୟୁତ୍ତମ ପାରଦୀଶମୟ ଗୃହର ଯତ୍ନ ନେବାପାଇଁ ସନ୍ତୋଷଜନକ କାମ ଦିଆଯାଇଥିଲା । ଏହା ବ୍ୟତିତ, ପରମେଶ୍ୱର ଆଦମ ଓ ହବାଙ୍କୁ “ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କରିବା” ପାଇଁ ଆଦେଶ ଦେଇଥିଲେ । ଆମର ସମ୍ପୂର୍ଣ୍ଣ ଗ୍ରହ ଏକ ସୌନ୍ଦର୍ଯ୍ୟ ଓ ଆନନ୍ଦମୟ ସ୍ଥାନରେ ପରିବର୍ତ୍ତନ ହୋଇଉଠିବା ଯାଏଁ ସେମାନେ ଓ ସେମାନଙ୍କ ଉତ୍ତରପୁରୁଷମାନେ ପାରଦୀଶର ସୀମାକୁ ପ୍ରସାରିତ କରିବାର ଥିଲା ।—ଆଦିପୁସ୍ତକ ୧:୨୮.

୧୦. ଯୀଶୁଙ୍କ ମନରେ କʼଣ ଥିଲା, ଯେତେବେଳେ ସେ ପାରଦୀଶ ବିଷୟରେ କହିଥିଲେ ?

୧୦ ଯେତେବେଳେ ଯୀଶୁ ପାରଦୀଶର ଉଲ୍ଲେଖ କଲେ, ଅନ୍ତତଃ, ସେ ମୃତ୍ୟୁମୁଖୀ ଲୋକଟିକୁ ସୁଦୂର ଅତୀତ ବିଷୟରେ ଚିନ୍ତା କରିବା ପାଇଁ କହି ନଥିଲେ । ନା, ଯୀଶୁ ଭବିଷ୍ୟତ ବିଷୟରେ କହୁଥିଲେ ! ସେ ଜାଣିଥିଲେ ଯେ ଆମର ସମ୍ପୂର୍ଣ୍ଣ ପାର୍ଥିବ ଗୃହ ଏକ ପାରଦୀଶରେ ପରିଣତ ହୋଇଯିବ । ଏପରି ଭାବରେ ମନୁଷ୍ୟ ଓ ପୃଥିବୀ ପାଇଁ ପରମେଶ୍ୱର ନିଜ ମୌଳିକ ଉଦ୍ଦେଶ୍ୟ ପୂରଣ କରିବେ । (ଯିଶାଇୟ ୫୫:୧୦, ୧୧) ହଁ, ପାରଦୀଶ ପୁନଃସ୍ଥାପିତ ହେବ ! ଏହା କେଉଁ ପ୍ରକାର ହେବ ? ପରମେଶ୍ୱରଙ୍କ ବାକ୍ୟ, ପବିତ୍ର ବାଇବଲ ଏହାର ଉତ୍ତର ଦେଉଥାଏ ।

ପୁନଃସ୍ଥାପିତ ପାରଦୀଶରେ ଜୀବନ

୧୧. ପୁନଃସ୍ଥାପିତ ପାରଦୀଶରେ ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁର ଅବସ୍ଥା କʼଣ ହେବ ?

୧୧ ରୋଗ, ବୃଦ୍ଧାବସ୍ଥା ଓ ମୃତ୍ୟୁ ଆଉ ରହିବ ନାହିଁ । “ସେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିର ମାନଙ୍କର କର୍ଣ୍ଣ ମୁକ୍ତ ହେବ । ସେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ ।” (ଯିଶାଇୟ ୩୫:୫, ୬) “ଈଶ୍ୱର ସ୍ୱୟଂ [ମନୁଷ୍ୟମାନଙ୍କ] ସଙ୍ଗରେ ରହିବେ . . . ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ, କ୍ରନ୍ଦନ ଓ ବ୍ୟଥା ବି ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୩, ୪.

୧୨. ଆମ୍ଭେମାନେ କାହିଁକି ନିଶ୍ଚିତ ହୋଇପାରିବା ଯେ ଭବିଷ୍ୟତ ପାରଦୀଶରେ ଅପରାଧ, ହିଂସା, ବା ଦୁଷ୍ଟତା ରହିବ ନାହିଁ ?

୧୨ ଅପରାଧ, ଅତ୍ୟାଚାର ଓ ଦୁଷ୍ଟତା ଚିରକାଳ ପାଇଁ ଦୂର ହୋଇଯିବ । “ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ . . . ଆଉ ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟ ଲୋକ ନ ଥିବ . . . ସେ ନ ଥିବ । ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ।” (ଗୀତସଂହିତା ୩୭:୯-୧୧) “ମାତ୍ର ଦୁଷ୍ଟଗଣ ପୃଥିବୀରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ଉତ୍ପାଟିତ ହେବେ ।”—ହିତୋପଦେଶ ୨:୨୨.

୧୩. ପରମେଶ୍ୱର ଶାନ୍ତି କିପରି ଆଣିବେ ?

୧୩ ପୃଥିବୀ ବ୍ୟାପି ଶାନ୍ତି ପ୍ରତିଷ୍ଠା ହେବ । “ସେ [ପରମେଶ୍ୱର] ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି; ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି ।” (ଗୀତସଂହିତା ୪୬:୯) “ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ ।”—ଗୀତସଂହିତା ୭୨:୭.

୧୪, ୧୫. ପୁନଃସ୍ଥାପିତ ପାରଦୀଶର ଗୃହ, କାର୍ଯ୍ୟ ଓ ଖାଦ୍ୟ ବିଷୟରେ ବାଇବଲ କʼଣ କହିଥାଏ ?

୧୪ ବାସଗୃହ ସୁରକ୍ଷିତ ହେବ ଓ କାର୍ଯ୍ୟସବୁ ସନ୍ତୋଷଜନକ ହେବ । “ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ . . . ସେମାନେ ନିର୍ମାଣ କଲେ ଅନ୍ୟକେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ ଅନ୍ୟକେହି ଫଳ ଭୋଗ କରିବ ନାହିଁ; କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ; ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ଯାଏ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ । ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦ ପାଇଁ ପ୍ରସବ କରିବେ ନାହିଁ ।”—ଯିଶାଇୟ ୬୫:୨୧-୨୩.

୧୫ ପର୍ଯ୍ୟାପ୍ତ ଭାବରେ ସ୍ୱାସ୍ଥ୍ୟକର ଖାଦ୍ୟ ଉପଲବ୍ଧ ହେବ । “ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ ।” (ଗୀତସଂହିତା ୭୨:୧୬) “ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି; ପରମେଶ୍ୱର, ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ ।”—ଗୀତସଂହିତା ୬୭:୬.

୧୬. ପାରଦୀଶରେ ଜୀବନ ଆନନ୍ଦଦାୟକ ହେବ କାହିଁକି ?

୧୬ ପାରଦୀଶ ପୃଥିବୀରେ ଅନନ୍ତ ଜୀବନ ଆନନ୍ଦମୟ ହେବ । “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।” (ଗୀତସଂହୀତା ୩୭:୨୯) “ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ ।”—ଯୀଶାଇୟ ୩୫:୧.

ଜ୍ଞାନ ଓ ଆପଣଙ୍କ ଭବିଷ୍ୟତ

୧୭. (କ) ଯଦି ପାରଦୀଶର ଜୀବନ ଆପଣଙ୍କୁ ଆକର୍ଷଣୀୟ ଲାଗେ, ତେବେ ଆପଣ କʼଣ କରିବା ଉଚିତ ? (ଖ) ପରମେଶ୍ୱର ପୃଥିବୀରେ ବିରାଟ ପରିବର୍ତ୍ତନ ଆଣିବେ ତାହା ଆମେ କିପରି ଜାଣିବା ?

୧୭ ଯଦି ପାରଦୀଶର ଜୀବନ ପ୍ରତି ଆପଣ ଆଗ୍ରହୀ, ତେବେ କୌଣସି କଥାକୁ ପରମେଶ୍ୱରଙ୍କ ଜ୍ଞାନ ପ୍ରାପ୍ତିରେ ବାଧା ଦିଅନ୍ତୁ ନାହିଁ । ସେ ମାନବଜାତିକୁ ଭଲ ପାଆନ୍ତି ଓ ପୃଥିବୀକୁ ପାରଦୀଶରେ ପରିଣତ କରିବା ପାଇଁ ଯାହାକିଛି ପରିବର୍ତ୍ତନ ଆବଶ୍ୟକ ତାହା ସେ କରିବେ । ମନେକରନ୍ତୁ, ପୃଥିବୀରେ ବଢ଼ି ଚାଲିଥିବା ଦୁଃଖ ଓ ଅନ୍ୟାୟକୁ ବିଲୋପ କରିବାର କ୍ଷମତା ଯଦି ଆପଣଙ୍କର ଥାଆନ୍ତା, ତାହା କʼଣ ଆପଣ କରନ୍ତେ ନାହିଁ ? ପରମେଶ୍ୱର କʼଣ ତାହାଠାରୁ କମ୍‌ କରିବେ ବୋଲି ଆମେ ଆଶା କରିବା ? ବାସ୍ତବରେ ବାଇବଲ ଏପରି ଏକ ନିର୍ଦ୍ଧିଷ୍ଟ ସମୟ ବିଷୟରେ ସୁସ୍ପଷ୍ଟ ଭାବରେ କହିଥାଏ, ଯେତେବେଳେ ପରମେଶ୍ୱର ଏହି ବିବାଦ-ଗ୍ରସ୍ତ ପରିସ୍ଥିତିକୁ ଦୂର କରି ଏକ ପରିପୂର୍ଣ୍ଣ ଧାର୍ମିକ ବ୍ୟବସ୍ଥା ପୁନଃସ୍ଥାପନ କରିବେ । (ଦାନିୟେଲ ୨:୪୪) କିନ୍ତୁ ବାଇବଲ ଏସବୁ କହିବା ବ୍ୟତୀତ ଆଉ ଅନେକ କିଛି କରିଥାଏ । ପରମେଶ୍ୱର ପ୍ରତିଜ୍ଞା କରିଥିବା ନୂତନ ପୃଥିବୀରେ ଆମେ କିପରି ତିଷ୍ଠିବା, ତାହା ଆମକୁ ଦେଖାଇଥାଏ ।—୨ ପିତର ୩:୧୩; ୧ ଯୋହନ ୨:୧୭.

୧୮. ବର୍ତ୍ତମାନ ପରମେଶ୍ୱରଙ୍କ ଜ୍ଞାନ ଆପଣଙ୍କ ପାଇଁ କʼଣ କରିପାରେ ?

୧୮ ପରମେଶ୍ୱରଙ୍କ ଜ୍ଞାନ ଏବେ ମଧ୍ୟ ଆପଣଙ୍କ ପାଇଁ ଅନେକ କିଛି କରିପାରେ । ଜୀବନର ଗଭୀର ଓ ଅତି ଜଟିଳ ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରେ ଦିଆଯାଇଅଛି । ଏହାର ପରାମର୍ଶ ଗ୍ରହଣକଲେ ଆପଣ ପରମେଶ୍ୱରଙ୍କ ସହିତ ମିତ୍ରତା ବଢ଼ାଇବାରେ ସାହାଯ୍ୟ ପାଇପାରିବେ । କି ଆପୂର୍ବ ସୁଯୋଗ ! ଏହା ଆପଣଙ୍କୁ ଏପରି ଶାନ୍ତି ଭୋଗ କରିବା ପାଇଁ ସକ୍ଷମ କରିବ ଯାହା କେବଳ ପରମେଶ୍ୱର ଦେଇପାରିବେ । (ରୋମୀୟ ୧୫:୧୩, ୩୩) ଯେତେବେଳେ ଆପଣ ଏହି ଅତ୍ୟାବଶ୍ୟକ ଜ୍ଞାନ ଆହରଣ କରିବାକୁ ଆରମ୍ଭ କରନ୍ତି, ମନେହେବ ଆପଣ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟଆଡ଼କୁ ଗତି କରୁଛନ୍ତି । ପରମେଶ୍ୱରଙ୍କ ଜ୍ଞାନ ଆହରଣ କରିବାରେ ଆପଣ କେବେହେଲେ ଅନୁଶୋଚନା କରିବେ ନାହିଁ, ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ ।

୧୯. ପରବର୍ତ୍ତୀ ଆଧ୍ୟାୟରେ ଆମେ କେଉଁ ପ୍ରଶ୍ନ ଉପରେ ଆଲୋଚନା କରିବା ?

୧୯ ପରମେଶ୍ୱରଙ୍କ ଜ୍ଞାନ ବହନକାରୀ ପୁସ୍ତକ ଭାବରେ ଆମେ ବାଇବଲକୁ ଉଲ୍ଲେଖ କରିଅଛୁ, ତଥାପି, ଆମେ କିପରି ଜାଣିବା ଯେ ଏହା କେବଳ ମାନବ ପ୍ରଜ୍ଞା ଭିତରେ ସୀମିତ ନୁହେଁ ବରଂ ଏହାଠାରୁ ବହୁ ଉଚ୍ଚତର ଓ ମହତ୍ତର ? ଆମେ ଏହି ପ୍ରଶ୍ନ ପରବର୍ତ୍ତି ଅଧ୍ୟାୟରେ ଆଲୋଚନା କରିବା ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ପରମେଶ୍ୱରଙ୍କ ଜ୍ଞାନ ଆପଣଙ୍କୁ ସୁଖମୟ ଅନନ୍ତ ଜୀବନଆଡ଼କୁ କାହିଁକି ନେଇପାରେ ?

ଆସନ୍ତା ପାର୍ଥିବ ପାରଦୀଶରେ ଜୀବନ କିପରି ହେବ ?

ପରମେଶ୍ୱରଙ୍କଠାରୁ ଜ୍ଞାନ ଆହରଣ ଦ୍ୱାରା ଆପଣ ବର୍ତ୍ତମାନ କାହିଁକି ଲାଭବାନ ହୋଇପାରିବେ ?

[ଅଧ୍ୟୟନ ପ୍ରଶ୍ନ]