इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣ କାହାର କର୍ତ୍ତୃତ୍ୱ ସ୍ୱୀକାର କରିବା ଉଚିତ ?

ଆପଣ କାହାର କର୍ତ୍ତୃତ୍ୱ ସ୍ୱୀକାର କରିବା ଉଚିତ ?

ଅଧ୍ୟାୟ ୧୪

ଆପଣ କାହାର କର୍ତ୍ତୃତ୍ୱ ସ୍ୱୀକାର କରିବା ଉଚିତ ?

୧, ୨. ସମସ୍ତ ପ୍ରକାର ଅଧିକାର ହାନୀକାରକ କି ? ବ୍ୟାଖ୍ୟା କରନ୍ତୁ ।

 “କର୍ତ୍ତୃତ୍ୱ,” ଅନେକ ଲୋକଙ୍କ ପାଇଁ ଏହି ଶବ୍ଦଟି ଅପ୍ରୀତିକର । ଏହା ସ୍ୱାଭାବିକ, କାରଣ କାର୍ଯ୍ୟକ୍ଷେତ୍ରରେ, ପରିବାରରେ ଓ ସରକାରଙ୍କ ଦ୍ୱାରା କର୍ତ୍ତୃତ୍ୱର ପ୍ରାୟତଃ ଅସଦ୍‌ବ୍ୟବହାର ହୋଇଥାଏ । ବାଇବଲ ଯଥାଯଥଭାବେ କହେ: “ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଦେଖାଏ ।” (ଉପଦେଶକ ୮:୯) ହଁ, ଅନେକେ ଅନ୍ୟମାନଙ୍କ ପ୍ରତି ଅତ୍ୟାଚାରୀ ଓ ସ୍ୱାର୍ଥପର ରୀତିରେ କର୍ତ୍ତୃତ୍ୱ ଜାହିରି କରନ୍ତି ।

କିନ୍ତୁ ସକଳ କର୍ତ୍ତୃତ୍ୱ ହାନୀକାରକ ନୁହେଁ । ଉଦାହରଣ ସ୍ୱରୂପ, ଏହା ନିଶ୍ଚିତ କୁହାଯାଇପାରେ ଯେ ଆମ ଶରୀର ଆମ ଉପରେ କର୍ତ୍ତୃତ୍ୱ ଜାହିର କରେ । ଏହା ଆମକୁ ଶ୍ୱାସକ୍ରିୟା, ଖାଇବା-ପିଇବା ଓ ଶୋଇବା ପାଇଁ “ଆଦେଶ” ଦିଏ । ଏହା କʼଣ ଅତ୍ୟାଚାର ? ନା । ଆମର ମଙ୍ଗଳ ପାଇଁ ଏସବୁ ଦାବିଗୁଡ଼ିକୁ ପାଳନ କରାଯାଏ । ଯଦିଓ ଆମର ଶାରୀରିକ ଚାହିଦା ପ୍ରତି ବଶ୍ୟତାସ୍ୱୀକାର ଅନିଚ୍ଛାକୃତ, ଅନ୍ୟ ପ୍ରକାରର କର୍ତ୍ତୃତ୍ୱ ଅଛି ଯାହା ପାଇଁ ଇଚ୍ଛାକୃତ ବଶ୍ୟତାସ୍ୱୀକାର ପ୍ରୟୋଜନ । କିଛି ଉଦାହରଣ ବିବେଚନା କରାଯାଉ ।

ସର୍ବୋଚ୍ଚ କର୍ତ୍ତୃତ୍ୱ

୩. ଯିହୋବାଙ୍କୁ ନ୍ୟାୟସଂଗତରୂପେ “ସାର୍ବଭୌମ ପ୍ରଭୁ” କୁହାଯାଇଛି କାହିଁକି ?

ବାଇବଲରେ ଯିହୋବାଙ୍କୁ ୩୦୦ଥର ଠାରୁ ବି ବେଶି “ସାର୍ବଭୌମ ପ୍ରଭୁ” କୁହାଯାଇଛି । ସାର୍ବଭୌମ ହେଉଛନ୍ତି ଜଣେ ଯିଏକି ସର୍ବୋଚ୍ଚ କର୍ତ୍ତୃତ୍ୱ ଦଖଲ କରନ୍ତି । କେଉଁ ବିଷୟଟି ଯିହୋବାଙ୍କୁ ଏଇ ପଦମର୍ଯ୍ୟାଦାର ଅଧିକାର ଦେଉଛି ? ପ୍ରକାଶିତ ବାକ୍ୟ ୪:୧୧, ପଦ ଉତ୍ତର ଦିଏ: “ହେ ଆମର ଈଶ୍ୱର [ଯିହୋବା] ଗୌରବ, ସମ୍ମାନ ତଥା ପରାକ୍ରମ ଗ୍ରହଣ କରିବା ପାଇଁ ତୁମେ ସୁଯୋଗ୍ୟ; କାରଣ ତୁମେ ହିଁ ସକଳ ବସ୍ତୁ ସୃଷ୍ଟି କରିଅଛ; ତବ ଇଚ୍ଛାରେ ସେ ସମସ୍ତ ହୋଇଛନ୍ତି ସୃଷ୍ଟ ତଥା ଅସ୍ତିତ୍ୱପ୍ରାପ୍ତ ।”

୪. ଯିହୋବା କିପରି ନିଜ କର୍ତ୍ତୃତ୍ୱ ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ?

ଆମର ସୃଷ୍ଟିକର୍ତ୍ତାରୂପେ ଯିହୋବା ଯେମିତି ମନେକରନ୍ତି ସେଇଭାବେ ନିଜ କର୍ତ୍ତୃତ୍ୱକୁ ବ୍ୟବହାର କରିବାର ଅଧିକାର ରହିଛି । ଏହା ଆତଙ୍କିତ ମନେହୋଇପାରେ, ବିଶେଷତଃ ଯେତେବେଳେ ଆମେ ପରମେଶ୍ୱରଙ୍କ “ପରାକ୍ରମର ମାହାତ୍ମ୍ୟ” ବିଷୟ ବିବେଚନା କରୁ । ତାଙ୍କୁ “ସର୍ବଶକ୍ତିମାନ ପରମେଶ୍ୱର” କୁହାଯାଏ । ଏହି ପଦ ଏବ୍ରୀ ଭାଷାରେ ଅତ୍ୟଧିକ ଶକ୍ତିଶାଳୀ ବୋଲି ଜଣାଇଥାଏ । (ଯିଶାଇୟ ୪୦:୨୬; ଆଦି ପୁସ୍ତକ ୧୭:୧) ତଥାପି, ଯିହୋବା ନିଜର ଶକ୍ତିକୁ ପରୋପକାରୀ ରୀତିରେ ପ୍ରଦର୍ଶିତ କରିଥାଆନ୍ତି, କାରଣ ପ୍ରେମ ତାଙ୍କର ପ୍ରଧାନ ଗୁଣ ଅଟେ ।—୧ ଯୋହନ ୪:୧୬.

୫. ଯିହୋବାଙ୍କ କର୍ତ୍ତୃତ୍ୱ ପ୍ରତି ଅଧୀନତା ସ୍ୱୀକାର କରିବା କଷ୍ଟକର ନୁହେଁ କାହିଁକି ?

ଯଦିଓ ଯିହୋବା ଚେତାବନୀ ଦେଇଥିଲେ ଯେ ସେ ଅନୁତପ୍ତହୀନ କୁକର୍ମିମାନଙ୍କୁ ଦଣ୍ଡ ଦେବେ, ମୋଶା ତାଙ୍କୁ ମୁଖ୍ୟତ ଏହି ପ୍ରକାରେ ଜାଣିଥିଲେ, “ସଦାପ୍ରଭୁ [ଯିହୋବା] ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର; ସେ ବିଶ୍ୱାସନୀୟ ପରମେଶ୍ୱର; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି ।” (ଦ୍ୱିତୀୟ ବିବରଣ ୭:୯) ଟିକିଏ ଭାବନ୍ତୁ ! ବିଶ୍ୱର ସର୍ବୋଚ୍ଚ କର୍ତ୍ତୃତ୍ୱର ଅଧିକାରୀ ଆମକୁ ସେବା କରିବା ପାଇଁ ବାଧ୍ୟ କରନ୍ତି ନାହିଁ । କିନ୍ତୁ, ପ୍ରେମ ଯୋଗୁଁ ଆମେ ତାଙ୍କଆଡ଼କୁ ଆକର୍ଷିତ ହେଉ । (ରୋମୀୟ ୨:୪; ୫:୮) ଯିହୋବାଙ୍କ କର୍ତ୍ତୃତ୍ୱ ପ୍ରତି ଅଧୀନତା ଦେଖାଇବା ସୁଖକର ମଧ୍ୟ ହୋଇଥାଏ, କାରଣ ତାଙ୍କ ନିୟମ ସର୍ବଦା ଆମ ଉପକାର ପାଇଁ କାମ କରିଥାଏ ।—ଗୀତସଂହିତା ୧୯:୭, ୮.

୬. ଏଦନ ଉଦ୍ୟାନରେ କର୍ତ୍ତୃତ୍ୱ ପ୍ରତି ଦିବାଦ କିଭଳି ଆରମ୍ଭ ହୋଇଥିଲା ଓ ତାହାର ପରିଣାମ କʼଣ ହେଲା ?

ଆମର ପ୍ରଥମ ପିତା-ମାତା ପରମେଶ୍ୱରଙ୍କ ସାର୍ବଭୌମତ୍ୱକୁ ଅଗ୍ରାହ୍ୟ କରିଥିଲେ । ସେମାନେ ତାଙ୍କ ଭଲମନ୍ଦ ବିଷୟରେ ସ୍ୱୟଂ ନିର୍ଣ୍ଣୟକରିବା ପାଇଁ ଚାହିଁଥିଲେ । (ଆଦି ପୁସ୍ତକ ୩:୪-୬) ଫଳସ୍ୱରୂପ, ସେମାନେ ତାଙ୍କ ପାରଦୀଶ ଗୃହରୁ ବହିଷ୍କୃତ ହେଲେ । ତାʼପରେ ଯିହୋବା ମନୁଷ୍ୟମାନଙ୍କୁ କର୍ତ୍ତୃତ୍ୱ ଢାଞ୍ଚାରେ ତିଆରି କରିବା ପାଇଁ ଅନୁମତି ଦେଲେ ଯଦ୍ୱାରା ସେମାନେ ଅସିଦ୍ଧ ହେଲେବି ଏକ ସୁବ୍ୟବସ୍ଥିତ ସମାଜରେ ବାସ କରିବେ । ଏମାନଙ୍କ ମଧ୍ୟରୁ କେତେକ କର୍ତ୍ତୃତ୍ୱ କʼଣ ଓ ପରମେଶ୍ୱର କେତେ ମାତ୍ରାରେ ଆମକୁ ତାଙ୍କ ଅଧୀନରେ ରହିବା ପାଇଁ ପ୍ରତ୍ୟାଶା କରନ୍ତି ?

“ଆଧିକାର ପ୍ରାପ୍ତ ଶାସନକର୍ତ୍ତା”

୭. କେଉଁମାନେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” ଓ ପରମେଶ୍ୱରଙ୍କ କର୍ତ୍ତୃତ୍ୱ ସହିତ ସେମାନଙ୍କ ସ୍ଥାନର ସମ୍ବନ୍ଧ କʼଣ ?

ପ୍ରେରିତ ପାଉଲ ଲେଖିଥିଲେ: “ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ ।” କେଉଁମାନେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” ? ପରବର୍ତ୍ତୀ ପଦଗୁଡ଼ିକରେ ପାଉଲଙ୍କ ବାକ୍ୟ ଦେଖାଏ ଯେ ସେମାନେ ହେଲେ ଲୋକିକ ସରକାରଙ୍କ ଶାସନକର୍ତ୍ତା । (ରୋମୀୟ ୧୩:୧-୭; ତିତସ ୩:୧) ମନୁଷ୍ୟଙ୍କ ସରକାରୀ କର୍ତ୍ତୃପକ୍ଷଙ୍କୁ ଯିହୋବା ଆରମ୍ଭ କରିନଥିଲେ; କିନ୍ତୁ ସେମାନେ ତାଙ୍କ ଅନୁମତି ପାଇ ଅସ୍ତିତ୍ୱରେ ଅଛନ୍ତି । ତେଣୁ ପାଉଲ ଲେଖିପାରିଥିଲେ: “ଏ ସକଳ କର୍ତ୍ତୃପକ୍ଷ ଅଛନ୍ତି, ସେମାନେ ପରମେଶ୍ୱରଙ୍କ ଦ୍ୱରା ନିଯୁକ୍ତ ।” ଏହା ଏଭଳି ପାର୍ଥିବ କର୍ତ୍ତୃପକ୍ଷଙ୍କ ସମ୍ପର୍କରେ କʼଣ ଇଙ୍ଗିତ କରେ ? ସେମାନେ ପରମେଶ୍ୱରଙ୍କ କର୍ତ୍ତୃତ୍ୱର ଅଧୀନସ୍ଥ ଅଥବା ନିମ୍ନତର । (ଯୋହନ ୧୯:୧୦, ୧୧) ସେଥିପାଇଁ, ଯେତେବେଳେ ମନୁଷ୍ୟଙ୍କ ନିୟମ ଓ ପରମେଶ୍ୱରଙ୍କ ନିୟମ ମଧ୍ୟରେ ବିବାଦ ହୁଏ, ଖ୍ରୀଷ୍ଟିୟାନମାନଙ୍କୁ ଅବଶ୍ୟ ବାଇବଲ-ପ୍ରଶିକ୍ଷିତ ବିବେକ ଦ୍ୱାରା ପରିଚାଳିତ ହେବାକୁ ପଡ଼ିବ । ସେମାନଙ୍କୁ “ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଉଚିତ୍‌ ।”—ପ୍ରେରିତ ୫:୨୯.

୮. ଆପଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କଠାରୁ କିଭଳି ଉପକାର ପାଇବେ ଓ ସେମାନଙ୍କ ପ୍ରତି ଅଧୀନତା କିପରି ଦେଖାଇବେ ?

କିନ୍ତୁ ଅଧିକାଂଶ ସମୟରେ, ସରକାରୀ ଶାସନକର୍ତ୍ତାଗଣ ‘ଆମର ମଙ୍ଗଳ ନିମନ୍ତେ ପରମେଶ୍ୱରଙ୍କ ସେବକରୂପେ କାର୍ଯ୍ୟ କରନ୍ତି ।’ (ରୋମୀୟ ୧୩:୪, NW) କେଉଁ ଉପାୟରେ ? ହଁ, ଭାବି ଦେଖନ୍ତୁ, ଶାସନକର୍ତ୍ତାଗଣ କେତେ ଉପାୟରେ ମନୁଷ୍ୟକୁ ସୁଯୋଗ ସୁବିଧା ଦିଅନ୍ତି, ଯେମିତି ଡାକ ପ୍ରେରଣ, ପୋଲିସ୍‌ ଓ ଅଗ୍ନି ନିରାପତ୍ତାମୂଳକ ବ୍ୟବସ୍ଥା, ମଇଳା ନିଷ୍କାସନ ଓ ଶିକ୍ଷା ବ୍ୟବସ୍ଥା ଇତ୍ୟାଦି । “ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦିଅ,” ପାଉଲ ଲେଖିଥିଲେ, “କାରଣ ସେମାନେ ଈଶ୍ୱରଙ୍କ ସେବକସ୍ୱରୂପ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି ।” (ରୋମୀୟ ୧୩:୬) ରାଜସ୍ୱ ଅଥବା ଅନ୍ୟ କୌଣସି ଆଇନଗତ ବାଧ୍ୟତା ସମ୍ପର୍କରେ ଆମର “ସଦାଚରଣ” କରିବା ଉଚିତ ।—ଏବ୍ରୀ ୧୩:୧୮.

୯, ୧୦. (କ) ଅଧିକାର ପ୍ରାପ୍ତ ଶାସନକର୍ତ୍ତାମାନେ ପରମେଶ୍ୱରଙ୍କ ବ୍ୟବସ୍ଥାରେ କିପରି ଅନୁରୂପ କାର୍ଯ୍ୟ କରନ୍ତି ? (ଖ) ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବିରୋଧ କରିବା ଭୂଲ୍‌ ହେବ କାହିଁକି ?

ବେଳେ ବେଳେ ଅଧିକାରପ୍ରାପ୍ତ ଶାସନକର୍ତ୍ତାଗଣ ତାଙ୍କର କ୍ଷମତାକୁ ଅପବ୍ୟବହାର କରିଥାନ୍ତି । ସେମାନଙ୍କ ପ୍ରତି ବଶ୍ୟତା ସ୍ୱୀକାରର ଦାୟିତ୍ୱରୁ କʼଣ ତାହା ଆମକୁ ମୁକ୍ତ କରେ ? ନା, ତାହା କରେନାହିଁ । ଯିହୋବା ଏହି କର୍ତ୍ତୃପକ୍ଷଙ୍କ ଅନ୍ୟାୟ କାର୍ଯ୍ୟସବୁ ନିରୀକ୍ଷଣ କରନ୍ତି । (ହିତୋପଦେଶ ୧୫:୩) ମନୁଷ୍ୟର ଶାସନ ସମ୍ପର୍କରେ ତାଙ୍କ ସହନଶୀଳତାର ଅର୍ଥ ନୁହେଁ ଯେ ସେ ଏହାର ଦୁର୍ନୀତିକୁ ଉପେକ୍ଷା କରିବେ ଅଥବା ଆମେ ଯେ ତାହା କରୁ ଏପରି ପ୍ରତ୍ୟାଶା କରିବେ ନାହିଁ । ପ୍ରକୃତରେ ପରମେଶ୍ୱର ଯଥାଶୀଘ୍ର “ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି” ନିଜ ଧାର୍ମିକ ସରକାରୀ ଶାସନ ଦ୍ୱାରା ଏଗୁଡ଼ିକୁ ବଦଳାଇଦେବେ । (ଦାନିୟେଲ ୨:୪୪) କିନ୍ତୁ ଏହା ନ ଘଟିବା ପର୍ଯ୍ୟନ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତାଗଣ ଉପଯୋଗୀ ଉଦ୍ଦେଶ୍ୟ ସାଧନ କରିବେ ।

୧୦ ପାଉଲ ବ୍ୟାଖ୍ୟା କରିଥିଲେ: “ଅତଏବ ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ ।” (ରୋମୀୟ ୧୩:୨) ଆଧିକାରପ୍ରାପ୍ତ ଶାସନକର୍ତ୍ତାଗଣ ପରମେଶ୍ୱରଙ୍କ “ବ୍ୟବସ୍ଥା” ସକାଶେ କିଛି ପରିମାଣରେ ବ୍ୟବସ୍ଥା ରକ୍ଷା କରନ୍ତି, ଯାହା ନ ଥିଲେ ବିଶୃଙ୍ଖଳା ଓ ଅରାଜକତା ରାଜତ୍ୱ କରନ୍ତା । ଏମାନଙ୍କ ବିରୋଧିତା କରିବା ଅଶାସ୍ତ୍ରୀୟ ଓ ମୁର୍ଖତା ହୋଇଥାଏ । ଉଦାହରଣସ୍ୱରୂପ: ମନେ କରନ୍ତୁ, ଆପଣଙ୍କ ଅସ୍ତ୍ରୋପଚାର କରାଯାଇଛି ଓ ସିଲେଇସବୁ କ୍ଷତସ୍ଥାନକୁ ରକ୍ଷା କରୁଛି । ଯଦିଓ ସିଲେଇଗୁଡ଼ିକ ଦେହର ଅଂଶ ନୁହେଁ, ତାହା ସୀମିତ ସମୟ ପାଇଁ ଉଦ୍ଦେଶ୍ୟ ସାଧନ କରୁଛି । ଅକାଳରେ ସିଲେଇ କାଟି ପକାଇଲେ ତାହା କ୍ଷତିକାରକ ହୋଇପାରେ । ସେହିପରି ଲୋକିକ ସରକାରୀ କର୍ତ୍ତୃପକ୍ଷଗଣ ପରମେଶ୍ୱରଙ୍କ ଆଦି ଉଦ୍ଦେଶ୍ୟର ଅଂଶ ନ ଥିଲେ । କିନ୍ତୁ ଯେ ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ପୃଥିବୀକୁ ସମ୍ପୁର୍ଣ୍ଣରୂପେ ଶାସନ ନ କରିଛି, ଲୋକିକ ସରକାରମାନେ ସମାଜକୁ ଏକତ୍ର ଧାରଣ କରିଥିବେ, ଏତଏବ ବର୍ତ୍ତମାନ ସମୟ ପାଇଁ ସେମାନେ ପରମେଶ୍ୱରଙ୍କ ଇଚ୍ଛାର ଉପଯୋଗୀ କାର୍ଯ୍ୟ ସାଧନ କରୁଛନ୍ତି । ଆମେ ପରମେଶ୍ୱରଙ୍କ ନିୟମ ଓ କର୍ତ୍ତୃତ୍ୱକୁ ପ୍ରଥମ ସ୍ଥାନ ଦେଇ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶ୍ୟତା ସ୍ୱୀକାରକରିବା ଉଚିତ ।

ପରିବାର ମଧ୍ୟରେ କର୍ତ୍ତୃତ୍ୱ

୧୧. ମୁରବିପଣିଆର ସିଦ୍ଧାନ୍ତକୁ ଆପଣ କିପରି ବ୍ୟାଖ୍ୟା କରିବେ ?

୧୧ ପରିବାର ହେଉଛି ମାନବ ସମାଜର ମୌଳିକ ଭିତ୍ତି । ଏହା ଭିତରେ ପତି-ପତ୍ନୀ ପ୍ରଶଂସନୀୟ ସାହଚର୍ଯ୍ୟ ପାଇ ପାରନ୍ତି, ଆଉ ସନ୍ତାନମାନେ ସୁରକ୍ଷିତ ରହି ସାବାଳକ ହେବାପାଇଁ ଶିକ୍ଷାଲାଭ କରିପାରନ୍ତି । (ହିତୋପଦେଶ ୫:୧୫-୨୧; ଏଫିସୀୟ ୬:୧-୪) ଏପରି ଏକ ଉତ୍ତମ ବ୍ୟବସ୍ଥା ହେବା ଆବଶ୍ୟକ ଯାହା ପରିବାରର ସଦସ୍ୟମାନଙ୍କୁ ଶାନ୍ତି ଓ ସଂହତିରେ ବାସ କରିବା ପାଇଁ ସମର୍ଥ କରି ପାରିବ । ଯିହୋବା ଏହାକୁ ମୁରବି ଭାବରେ ନିସ୍ପନ୍ନ କରିଥାଆନ୍ତି, ଯାହାର ସାରାଂଶ ୧ କରିନ୍ଥୀୟ ୧୧:୩ ପଦରେ ଦିଆଯାଇଛି “ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକସ୍ୱରୂପ, ପୁରୁଷ ସ୍ତ୍ରୀର ମସ୍ତକସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକସ୍ୱରୂପ ।”

୧୨, ୧୩. ପରିବାରର ମୁଖ୍ୟ କିଏ ଓ ଯୀଶୁଙ୍କ ମୁରବିପଣିଆର ଉପଯୋଗରୁ କʼଣ ଶିକ୍ଷା ପାଇପାରିବା ?

୧୨ ସ୍ୱାମୀ ପରିବାରର ମୁଖ୍ୟ କିନ୍ତୁ ତାଙ୍କ ଉପରେ ମଧ୍ୟ ଜଣେ ମୁଖ୍ୟ ଅଛନ୍ତି—ଯୀଶୁ ଖ୍ରୀଷ୍ଟ । ପାଉଲ ଲେଖିଥିଲେ: ‘ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରୁଥିଲେ ଓ ସେଥିପାଇଁ ନିଜକୁ ଉତ୍ସର୍ଗ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର ।’ (ଏଫିସୀୟ ୫:୨୫) ଜଣେ ସ୍ୱାମୀ ଖ୍ରୀଷ୍ଟଙ୍କ ପ୍ରତି ନିଜର ବଶ୍ୟତା ସେତେବେଳେ ଦେଖାଇଥାଏ ଯେତେବେଳେ ସେ ନିଜ ପତ୍ନୀ ସହିତ ସେହି ପ୍ରକାରେ ଆଚରଣ କରେ, ଯେପରି ଯୀଶୁ ମଣ୍ଡଳୀ ସହିତ ସର୍ବଦା କରିଥିଲେ । (୧ ଯୋହନ ୨:୬) ଯୀଶୁଙ୍କୁ ଅନେକ ଦାୟିତ୍ୱ ଅର୍ପଣ କରାହୋଇଛି, କିନ୍ତୁ ସେ ଏହାକୁ ପରମ ସୌମ୍ୟତା, ପ୍ରେମ ଓ ଯୁକ୍ତିସହକାରେ ପାଳନ କରନ୍ତି । (ମାଥିଉ ୨୦:୨୫-୨୮) ଜଣେ ମନୁଷ୍ୟ ହିସାବରେ ସେ କେବେହେଲେ ନିଜ କର୍ତ୍ତୃତ୍ୱ ପଦକୁ ଅପବ୍ୟବହାର କରି ନ ଥିଲେ । ସେ ଥିଲେ “ମୃଦୁଶୀଳ ଓ ନମ୍ରଚିତ୍ତ,” ଆଉ ସେ ନିଜ ଅନୁଗାମୀମାନଙ୍କୁ “ଦାସ” ପରିବର୍ତ୍ତେ “ବନ୍ଧୁ” କହୁଥିଲେ । “ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି,” ସେ ସେମାନଙ୍କୁ ପ୍ରତିଜ୍ଞା ଦେଇଥିଲେ ଓ ସେଇଭଳି ସେ ତାହା ଲିଭାଇଥିଲେ ।—ମାଥିଉ ୧୧:୨୮, ୨୯; ଯୋହନ ୧୫:୧୫.

୧୩ ଯୀଶୁଙ୍କ ଉଦାହରଣ ସ୍ୱାମୀମାନଙ୍କୁ ଶିକ୍ଷା ଦେଇଥାଏ ଯେ ଖ୍ରୀଷ୍ଟିୟାନ କର୍ତ୍ତୃତ୍ୱ କୌଣସି କଠୋର ବ୍ୟବସ୍ଥା ନୁହେଁ । ତାହା ବରଂ ସମ୍ମାନ ଓ ଆତ୍ମତ୍ୟାଗୀ ପ୍ରେମର ପଦବୀ । ଏହା ଜଣେ ସାଥୀ ପ୍ରତି କୌଣସି ଶାରୀରିକ କିମ୍ବା ମୌଖିକ ଅନ୍ୟାୟ ଆଚରଣକୁ ସ୍ପଷ୍ଟଭାବେ ପ୍ରତ୍ୟାଖ୍ୟାନ କରେ । (ଏଫିସୀୟ ୪:୨୯, ୩୧, ୩୨; ୫:୨୮, ୨୯; କଲସୀୟ ୩:୧୯) ଯଦି ଜଣେ ଖ୍ରୀଷ୍ଟିୟାନ ପୁରୁଷ ନିଜ ସ୍ତ୍ରୀସହ ଅନ୍ୟାୟ ଆଚରଣ କରେ, ତେବେ ତାʼର ଅନ୍ୟାନ୍ୟ ସକଳ ଭଲକାମ ମୂଲ୍ୟହୀନ ହୋଇଯିବ ଓ ପ୍ରାର୍ଥାନାରେ ବ୍ୟାଘାତ ଆସିବ ।—୧ କରିନ୍ଥୀୟ ୧୩:୧-୩; ୧ ପିତର ୩:୭.

୧୪, ୧୫. ପରମେଶ୍ୱରଙ୍କ ଜ୍ଞାନ ଜଣେ ସ୍ତ୍ରୀକୁ ତା ସ୍ୱାମୀର ଅଧୀନତା ସ୍ୱୀକାର କରିବାରେ କିପରି ସାହାଯ୍ୟ କରେ ?

୧୪ ଯେତେବେଳେ ଜଣେ ସ୍ୱାମୀ ଖ୍ରୀଷ୍ଟଙ୍କ ଉଦାହରଣ ଅନୁକରଣ କରେ ତେବେ ତାʼର ପତ୍ନୀ ପକ୍ଷରେ ଏଫିସୀୟ ୫:୨୨, ୨୩ ବାକ୍ୟଗୁଡ଼ିକୁ ପାଳନ କରିବା ସହଜ ହୋଇଥାଏ: “ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକସ୍ୱରୂପ ।” ଯେପରି ସ୍ୱାମୀ ଖ୍ରୀଷ୍ଟଙ୍କ ବଶୀଭୂତ, ଠିକ୍‌ ସେହିପରି ପତ୍ନୀ ନିଜ ସ୍ୱାମୀଙ୍କ ବଶୀଭୂତା ହେବା ଉଚିତ । ବାଇବଲ ଏହା ସ୍ପଷ୍ଟ କରେ ଯେ ଗୁଣବତୀ ପତ୍ନୀମାନେ ନିଜ ଈଶ୍ୱରୀୟ ଜ୍ଞାନ ଓ ପରିଶ୍ରମ ପାଇଁ ସମ୍ମାନ ଓ ପ୍ରଶଂସାର ଯୋଗ୍ୟ ଅଟନ୍ତି ।—ହିତୋପଦେଶ ୩୧:୧୦-୩୧.

୧୫ ନିଜ ସ୍ୱାମୀ ପ୍ରତି ଜଣେ ଖ୍ରୀଷ୍ଟିୟାନ ପତ୍ନୀର ବଶ୍ୟତା ଆପେକ୍ଷିକ । ଏହାର ଅର୍ଥ ହେଲା ଯଦି କୌଣସି ବିଷୟରେ ବଶ୍ୟତା ସ୍ୱୀକାର କରିବା ଫଳରେ ଈଶ୍ୱରୀୟ ନିୟମ ଭଙ୍ଗ ହୁଏ, ତେବେ ମନୁଷ୍ୟଙ୍କ ଆଜ୍ଞା ପରିବର୍ତ୍ତେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବା ଉଚିତ । ସେତେବେଳେ ମଧ୍ୟ ଜଣେ ପତ୍ନିର ଦୃଢ଼ସ୍ଥିତି “ନମ୍ର ଓ ଶାନ୍ତିଯୁକ୍ତ” ହେବା ଉଚିତ । ଏହା ବ୍ୟକ୍ତ କରିବା ଉଚିତ ଯେ ପରମେଶ୍ୱରଙ୍କ ଜ୍ଞାନ ତାକୁ ଜଣେ ଉତ୍ତମ ପତ୍ନୀରେ ପରିଣତ କରିଛି । (୧ ପିତର ୩:୧-୪) ଏହା ଜଣେ ଖ୍ରୀଷ୍ଟିୟାନ ପୁରୁଷ ପାଇଁ ମଧ୍ୟ ସତ୍ୟ ଯାହାର ପତ୍ନୀ ଅବିଶ୍ୱାସୀ । ବାଇବଲ ନୀତିସମୁହ ପାଳନ ତାକୁ ଜଣେ ଉତ୍ତମ ସ୍ୱାମୀରେ ପରିଣତ କରିବ ।

୧୬. ଯୀଶୁଙ୍କ ଯୁବକ ଅବସ୍ଥାର ଉଦାହରଣ ପିଲାମାନେ କିପରି ଅନୁକରଣ କରିପାରିବେ ?

୧୬ ଏଫିସୀୟ ୬:୧ ପିଲାମାନଙ୍କ ଭୂମିକାର ରୂପରେଖା ଦିଏ, ଏହା କୁହେ: “ହେ ପିଲାମାନେ, ପ୍ରଭୁଙ୍କ ସକାସେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ; କାରଣ ତାହା ଯଥାର୍ଥ ।” ଯୀଶୁ ଯେମିତି ବଡ଼ ବୟସରେ ନିଜ ପିତା-ମାତାଙ୍କ ବଶୀଭୂତ ହୋଇ ରହିଥିଲେ, ସେହିପରି ଖ୍ରୀଷ୍ଟିୟାନ ପିଲାମାନେ ତାଙ୍କ ଉଦାହରଣ ଅନୁକରଣ କରନ୍ତୁ । ଜଣେ ଆଜ୍ଞାକାରୀ ବାଳକ ହିସାବରେ ସେ “ଜ୍ଞାନ ତଥା ବୟସ ଓ ଈଶ୍ୱର ତଥା ମନୁଷ୍ୟଙ୍କ ପ୍ରୀତିରେ ବୃଦ୍ଧିପ୍ରାପ୍ତ ହୋଇଥିଲେ ।”—ଲୂକ ୨:୫୧, ୫୨, ଓଡ଼ିଆ କ୍ୟାଥ୍‌ଲିକ ବାଇବଲ ।

୧୭. ପିତାମାତାଙ୍କ କର୍ତ୍ତୃତ୍ୱର ପ୍ରୟୋଗ ପିଲାମାନଙ୍କ ଉପରେ କି ପ୍ରଭାବ ପକାଇପାରେ ?

୧୭ ଯେଉଁ ଉପାୟରେ ପିତାମାତା ନିଜ ଦାୟିତ୍ୱସବୁ ପାଳନ କରନ୍ତି ତାହା ସନ୍ତାନମାନଙ୍କୁ କର୍ତ୍ତୃତ୍ୱର ସମ୍ମାନ କିମ୍ବା ବିଦ୍ରୋହ କରିବା ଦିଗରେ ପ୍ରଭାବିତ କରିପାରେ । (ହିତୋପଦେଶ ୨୨:୬) ତେଣୁ ପିତାମାତାମାନେ ନିଜେ ନିଜକୁ ପଚାରିବା ଉତିତ୍‌, ‘ମୁ କʼଣ ମୋର କର୍ତ୍ତୃତ୍ୱର ପ୍ରୟୋଗ ସସ୍ନେହରେ କିମ୍ବା କଠୋର ଭାବରେ କରେ ? ମୁଁ କʼଣ ସବୁକିଛି ମାନି ନିଏ ?’ ଜଣେ ଧର୍ମ-ପରାୟଣ ପିତାଙ୍କଠାରୁ ପ୍ରତ୍ୟାଶା କରାଯାଏ ଯେ ସେମାନେ ସ୍ନେହମୟ ଓ ବିବେଚକ ହୁଅନ୍ତୁ, ତା ସହିତ ଈଶ୍ୱରୀୟ ନୀତି ସକଳକୁ ଦୃଢ଼ଭାବେ ପାଳନ କରନ୍ତୁ । ଯଥାର୍ଥଭାବେ ପାଉଲ ଲେଖିଥିଲେ: “ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର ।”—ଏଫିସୀୟ ୬:୪; କଲସୀୟ ୩:୨୧.

୧୮. ପିତାମାତାଙ୍କ ଶାସନ କିପରି ହେବା ଉଚିତ ?

୧୮ ପିତାମାତାମାନଙ୍କୁ ନିଜ ଶିକ୍ଷାଦାନ ପଦ୍ଧତିକୁ ନିପୁଣଭାବେ ଯାଞ୍ଚ କରିବା ଉଚିତ, ବିଶେଷଭାବେ ଯଦି ସେମାନେ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଆଜ୍ଞାକାରୀ ହୁଅନ୍ତୁ ଓ ଏଇ ପ୍ରକାରେ ସେମାନଙ୍କୁ ଆନନ୍ଦିତ କରନ୍ତୁ । (ହିତୋପଦେଶ ୨୩:୨୪, ୨୫) ବାଇବଲରେ, ଅନୁଶାସନ ମୁଖ୍ୟତଃ ଉପଦେଶର ଗୋଟିଏ ରୂପ ଅଟେ । (ହିତୋପଦେଶ ୪:୧; ୮:୩୩) ଏହା ପ୍ରେମ ଓ ନମ୍ରତା ସହିତ ଜଡ଼ିତ, କ୍ରୋଦ୍ଧ ଓ ନିଷ୍ଠୁରତା ସହିତ ନୁହେଁ । ତେଣୁ, ଖ୍ରୀଷ୍ଟିୟାନ ପିତାମାତାମାନେ ବୁଦ୍ଧିମତାପୂର୍ବକ କାମ କରିବା ଆବଶ୍ୟକ ଓ ନିଜ ସନ୍ତାନମାନଙ୍କୁ ଅନୁଶାସନ କରିବା ସମୟରେ ନିଜେ ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।—ହିତୋପଦେଶ ୧:୭.

ମଣ୍ଡଳୀରେ କର୍ତ୍ତୃତ୍ୱ

୧୯. ଖ୍ରୀଷ୍ଟିୟ-ମଣ୍ଡଳୀରେ ଭଲ ବ୍ୟବସ୍ଥା ପାଇଁ ପରମେଶ୍ୱର କିପରି ଆୟୋଜନ କରିଛନ୍ତି ?

୧୯ ଯିହୋବା ହେଉଛନ୍ତି ଶାନ୍ତିର ପରମେଶ୍ୱର, ଏହା ତର୍କସଂଗତ ଯେ ସେ ନିଜ ଲୋକମାନଙ୍କ ପାଇଁ କ୍ଷମତାପନ୍ନ ଓ ସୁସଙ୍ଗଠିତ ନେତୃତ୍ୱ ପ୍ରଦାନ କରନ୍ତି । ତଦନୁସାରେ ସେ ଯୀଶୁଙ୍କୁ ମଣ୍ଡଳୀର ମସ୍ତକରୂପେ ନିଯୁକ୍ତ କରିଛନ୍ତି । (୧ କରିନ୍ଥୀୟ ୧୪:୩୩, ୪୦; ଏଫିସୀୟ ୧:୨୦-୨୩) ଯୀଶୁଙ୍କ ଅଦୃଶ୍ୟ ନେତୃତ୍ୱରେ ପରମେଶ୍ୱର ଏହି ଆୟୋଜନକୁ କ୍ଷମତାପନ୍ନ କରିଛନ୍ତି ଯାହା ଦ୍ୱାରା ପ୍ରତ୍ୟେକ ମଣ୍ଡଳୀରେ ନିଯୁକ୍ତ ପ୍ରାଚୀନମାନେ ପ୍ରେମରେ ସ୍ୱେଚ୍ଛାକୃତ ଉତ୍ସାହସହ ମେଷମାନଙ୍କୁ ପ୍ରତିପାଳନ କରନ୍ତି । (୧ ପିତର ୫:୨, ୩) ସହାୟକ ସେବକମାନେ ବିଭିନ୍ନ ପ୍ରକାରରେ ସେମାନଙ୍କୁ ସାହାଯ୍ୟ କରନ୍ତି ଓ ମଣ୍ଡଳୀର ବହୁମୂଲ୍ୟ ସେବା କାର୍ଯ୍ୟ କରନ୍ତି ।—ଫିଲ୍ଲିପ୍ପୀୟ ୧:୧.

୨୦. ଆମକୁ ଖ୍ରୀଷ୍ଟିୟାନ ପ୍ରାଚୀନମାନଙ୍କ ପ୍ରତି ବଶୀଭୂତ ହେବା ଉଚିତ କାହିଁକି ଓ ଏହା କାହିଁକି ଲାଭଜନକ ?

୨୦ ଖ୍ରୀଷ୍ଟିୟାନ ପ୍ରାଚୀନମାନଙ୍କ ସମ୍ବନ୍ଧରେ ପାଉଲ ଲେଖିଛନ୍ତି: “ତୁମ୍ଭେମାନେ ନେତାମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରି ପାରନ୍ତି; ଦୁଃଖରେ କଲେ ତୁମ୍ଭମାନଙ୍କର କିଛି ଲାଭ ନାହିଁ ।” (ଏବ୍ରୀ ୧୩:୧୭) ପରମେଶ୍ୱର ଖ୍ରୀଷ୍ଟିୟାନ ଅଧ୍ୟକ୍ଷମାନଙ୍କୁ ବୁଦ୍ଧିମତ୍ତାପୂର୍ବକ ମଣ୍ଡଳୀର ଆଧ୍ୟାତ୍ମିକ ଆବଶ୍ୟକତାର ପ୍ରତିପାଳନ କରିବା ପାଇଁ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ପ୍ରାଚୀନମାନେ ପାଦ୍ରିବର୍ଗ ଗଠନ କରନ୍ତି ନାହିଁ । ସେମାନେ ପରମେଶ୍ୱରଙ୍କ ସେବକ ଓ ଦାସ ଅଟନ୍ତି, ଯେମିତି ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ କରିଥିଲେ, ସେମାନେ ସହ-ଉପାସକମାନଙ୍କ ସେବାକାରୀ । (ଯୋହନ ୧୦:୧୪, ୧୫) ଶାସ୍ତ୍ରୀୟରୂପେ ଯୋଗ୍ୟ ପୁରୁଷ ଆମର ପ୍ରଗତି ଓ ଆଧ୍ୟାତ୍ମିକ ଉନ୍ନତିରେ ଆଗ୍ରହ ନେଉଛନ୍ତି, ଏହା ଜାଣିଲେ ଆମେ ଉତ୍ସାହିତ ହୋଇ ସହଯୋଗ ଦେବା ଓ ବଶୀଭୂତ ହେବା ।—୧ କରିନ୍ଥୀୟ ୧୬:୧୬.

୨୧. ନିଯୁକ୍ତ ପ୍ରାଚୀନମାନେ ସହଖ୍ରୀଷ୍ଟିୟାନମାନଙ୍କୁ ଆଧ୍ୟାତ୍ମିକ ରୂପେ ସାହାଯ୍ୟ କରିବା ପାଇଁ କିପରି ଚେଷ୍ଟା କରନ୍ତି ?

୨୧ କେବେ କେବେ, ମେଷ ପଥଭ୍ରଷ୍ଟ ହୋଇପାରନ୍ତି କିମ୍ବା ହାନୀକାରକ ସାଂସାରିକ ବିଷୟ ଦ୍ୱାରା ବିପଦ ଆସିପାରେ । ମୁଖ୍ୟ ପାଳକ ନେତୃତ୍ୱରେ, ଅଧୀନସ୍ତ ପାଳକରୂପେ ପ୍ରାଚୀନମାନେ ସେମାନଙ୍କ ପରିଚାଳନା ଅଧୀନରେ ଥିବା ଆବଶ୍ୟକତା ପ୍ରତି ସତର୍କ ଅଛନ୍ତି ଓ ତତ୍‌ପର ହୋଇ ସେମାନଙ୍କ ବ୍ୟକ୍ତିଗତ ଧ୍ୟାନ ଦେଉଛନ୍ତି । (୧ ପିତର ୫:୪) ସେମାନେ ମଣ୍ଡଳୀର ସଦସ୍ୟମାନଙ୍କୁ ସାକ୍ଷାତ କରନ୍ତି ଓ ଉତ୍ସାହ ଦିଅନ୍ତି । ପିଶାଚ ପରମେଶ୍ୱରଙ୍କ ଲୋକମାନଙ୍କ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରଚେଷ୍ଟା କରୁଛି ଜାଣି ପ୍ରାଚୀନମାନେ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ ବ୍ୟବହାର କରନ୍ତି । (ଯାକୁବ ୩:୧୭, ୧୮) ସେମାନେ ବିଶ୍ୱାସ, ଏକତା ଓ ଅଭିନ୍ନତା ବଜାୟ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି ଯେଉଁଥି ପାଇଁ ଯୀଶୁ ନିଜେ ପ୍ରାର୍ଥନା କରିଥିଲେ ।—ଯୋହନ ୧୭:୨୦-୨୨; ୧ କରିନ୍ଥୀୟ ୧:୧୦.

୨୨. କୁକର୍ମ ମାମଲାରେ ପ୍ରାଚୀନମାନେ କି ସାହାଯ୍ୟ ପ୍ରଦାନ କରନ୍ତି ?

୨୨ ଯଦି ଜଣେ ଖ୍ରୀଷ୍ଟିୟାନ ପାପ କରିବା ହେତୁ କଷ୍ଟ ଭୋଗ କରେ ବା ନିରୁତ୍ସାହିତ ହୁଏ ତେବେ କʼଣ ହେବ ? ବାଇବଲର ସାନ୍ତ୍ୱନାଦାୟକ ପରାମର୍ଶ ଓ ପ୍ରାଚୀନମାନଙ୍କର ହୃଦୟଭରା ପ୍ରାର୍ଥନା ତାକୁ ଆରୋଗ୍ୟ କରି ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଆଣିବାରେ ସାହାଯ୍ୟ କରିପାରିବ । (ଯାକୁବ ୫:୧୩-୧୫) ପବିତ୍ର ଆତ୍ମା ଦ୍ୱାରା ନିଯୁକ୍ତ ଏହି ପୁରୁଷମାନଙ୍କର ସେମାନଙ୍କୁ ଅନୁଶାସନ ଓ ତାଡ଼ନା ଦେବାର ଅଧିକାର ମଧ୍ୟ ରହିଛି ଯେଉଁମାନେ କୁକର୍ମ ପଥରେ ଚାଲନ୍ତି ବା ମଣ୍ଡଳୀର ଆଧ୍ୟାତ୍ମିକ ଓ ନୈତିକ ସ୍ୱଚ୍ଛତାକୁ ବିପଦରେ ପକାନ୍ତି । (ପ୍ରେରିତ ୨୦:୨୮; ତିତସ ୧:୯; ୨:୧୫) ମଣ୍ଡଳୀକୁ ପରିଷ୍କାର ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ସାଙ୍ଘାତିକ କୂକର୍ମ ବିଷୟରେ ପ୍ରକାଶ କରିବାକୁ ପଡ଼ିବ । (ଲେବୀୟ ୫:୧) ଯଦି ଜଣେ ଖ୍ରୀଷ୍ଟିୟାନ ଲୋକ ଘୋର ପାପ କରି ଶାସ୍ତ୍ରୀୟ ଅନୁଶାସନ ଓ ତାଡ଼ନା ସ୍ୱୀକାର କରେ ଓ ପ୍ରକୃତ ପଶ୍ଚାତାପର ପ୍ରମାଣ ଦିଏ, ତେବେ ତାକୁ ସାହାଯ୍ୟ କରାଯିବ । ଯିଏ କ୍ରମାଗତଭାବେ ପଶ୍ଚାତାପହୀନ ହୋଇ ପରମେଶ୍ୱରଙ୍କ ନିୟମ ଲଙ୍ଘନ କରେ ତାହାକୁ ଅବଶ୍ୟ ବହିଷ୍କୃତ କରାଯିବ ।—୧ କରିନ୍ଥୀୟ ୫:୯-୧୩.

୨୩. ମଣ୍ଡଳୀର ଭଲ ପାଇଁ ଖ୍ରୀଷ୍ଟିୟାନ ଅଧ୍ୟକ୍ଷମାନେ କʼଣ ପ୍ରଦାନ କରନ୍ତି ?

୨୩ ବାଇବଲ ଭବିଷ୍ୟଦ୍‌ବାଣୀ କରିଥିଲା ଯେ ରାଜା ଯୀଶୁଖ୍ରୀଷ୍ଟଙ୍କ ଅଧୀନରେ ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରବୀଣ ପୁରୁଷମାନଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ସୁବିଧା, ସୁରକ୍ଷା ଓ ସତେଜତା ପ୍ରଦାନ କରିବା ପାଇଁ ରାଜାରୂପେ ନିଯୁକ୍ତ କରାଯିବ । (ଯିଶାଇୟ ୩୨:୧, ୨) ଆଧ୍ୟାତ୍ମିକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବା ପାଇଁ ସେମାନେ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକମାନଙ୍କରୂପେ ନେତୃତ୍ୱ ନେବେ । (ଏଫିସୀୟ ୪:୧୧, ୧୨, ୧୬) ଯଦିଓ ଖ୍ରୀଷ୍ଟିୟାନ ଅଧ୍ୟକ୍ଷମାନେ ବେଳେ-ବେଳେ ସଙ୍ଗୀବିଶ୍ୱାସୀମାନଙ୍କୁ ତାଡ଼ନା, ଦଣ୍ଡ ଓ ପରାମର୍ଶ ଦେଇପାରନ୍ତି, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ ପ୍ରାଚୀନମାନଙ୍କ ଲାଭକାରୀ ଶିକ୍ଷାର ପ୍ରୟୋଗ କଲେ ସମସ୍ତଙ୍କୁ ଜୀବନ ପଥରେ ପରିଚାଳିତ ହେବାପାଇଁ ସାହାଯ୍ୟ ମିଳିଥାଏ ।—ହିତୋପଦେଶ ୩:୧୧, ୧୨; ୬:୨୩; ତିତସ ୨:୧.

କର୍ତ୍ତୃତ୍ୱ ସମ୍ପର୍କରେ ଯିହୋବାଙ୍କ ଦୃଷ୍ଟିକୋଣ ସ୍ୱୀକାର କରନ୍ତୁ

୨୪. କେଉଁ ବିବାଦ ବିଷୟ ଉପରେ ଆମର ପ୍ରତିଦିନ ପରୀକ୍ଷା ହୋଇଥାଏ ?

୨୪ ପ୍ରଥମ ପୁରୁଷ ଓ ନାରୀଙ୍କ ପରୀକ୍ଷା ଶାସନକର୍ତ୍ତାଙ୍କ ପ୍ରତି ବଶ୍ୟତାସ୍ୱୀକାର ବିଷୟ ଉପରେ କରାଯାଇଥିଲା । ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ, ଆମେ ପ୍ରତିଦିନ ସେହିଭଳି ପରୀକ୍ଷାର ସମ୍ମୁଖୀନ ହେଉ । ଶୟତାନ ଅର୍ଥାତ ପିଶାଚ ମାନବଜାତି ମଧ୍ୟରେ ବିଦ୍ରୋହୀ ଆତ୍ମାକୁ ପ୍ରବିଷ୍ଟ କରାଇଛି । (ଏଫିସୀୟ ୨:୨) ସ୍ୱାଧୀନତାର ପଥକୁ ପ୍ରଲୋଭନ ଢ଼ଙ୍ଗରେ ବଶ୍ୟତାର ପଥଠାରୁ ଉତ୍ତମକରି ଦେଖାଇ ଦିଆଯାଉଛି ।

୨୫. ଜଗତର ବିଦ୍ରୋହୀ ଆତ୍ମାକୁ ପରିହାର କରିବାରେ ଓ ପରମେଶ୍ୱରଙ୍କ ଅନୁମତିପ୍ରାପ୍ତ କର୍ତ୍ତୃତ୍ୱ ପ୍ରତି ବଶ୍ୟତାସ୍ୱୀକାର କରିବାରେ କʼଣ ଲାଭ ଅଛି ଯାହାକୁ ସେ ପ୍ରୟୋଗ କରନ୍ତି ?

୨୫ କିନ୍ତୁ ଆମେ ସଂସାରର ବିଦ୍ରୋହୀ ଆତ୍ମାକୁ ପ୍ରତ୍ୟାଖ୍ୟାନ କରିବା ଉଚିତ । ଏଭଳି କରିବା ଦ୍ୱାରା ଆମେ ଦେଖିବା ଯେ ଈଶ୍ୱରୀୟ ଅଧୀନତା ମହାନ ପ୍ରତିଫଳ ଆଣିଥାଏ । ଉଦାହରଣସ୍ୱରୂପ ଆମେ ଏଭଳି ଦୁଶ୍ଚିନ୍ତା ଓ ନୈରାଶ୍ୟଠାରୁ ଦୂରରେ ରହିବା ଯାହା ପାର୍ଥିବ ଅଧିକାରୀଙ୍କ ସହିତ ସମସ୍ୟାରେ ଜଡ଼ିତ ବ୍ୟକ୍ତିଙ୍କ ପାଖରେ ସାଧାରଣ । ଆମେ ଅନେକ ପରିବାରରେ ଦେଖାଦେଇଥିବା ସଂଘର୍ଷକୁ ହ୍ରାସ କରିପାରିବା । ଆଉ ଆମେ ନିଜ ଖ୍ରୀଷ୍ଟିୟାନ ସହବିଶ୍ୱାସୀଙ୍କ ସ୍ନେହ, ପ୍ରେମମୟ ସାହଚର୍ଯ୍ୟର ଉପକାରକୁ ଉପଭୋଗ କରିପାରିବା । ସର୍ବୋପରି ଆମର ଈଶ୍ୱରୀୟ ଅଧୀନତା ସର୍ବୋଚ୍ଚ କର୍ତ୍ତା ଯିହୋବାଙ୍କ ସହିତ ଏକ ଉତ୍ତମ ସମ୍ବନ୍ଧରେ ପରିଣତ ହେବ ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଯିହୋବା ନିଜ କର୍ତ୍ତୃତ୍ୱ କିଭଳି ଜାହିର କରନ୍ତି ?

କେଉଁମାନେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” ଓ ତାଙ୍କ ଅଧୀନରେ ଆମେ କିପରି ରହିବା ?

ମୁରବିପଣିଆର ସିଦ୍ଧାନ୍ତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି କʼଣ ଦାଯିତ୍ୱ ଆଣିଥାଏ ?

ଖ୍ରୀଷ୍ଟିୟାନ ମଣ୍ଡଳୀରେ ଆମେ କେମିତି ଅଧୀନତା ଦେଖାଇବା ?

[ଅଧ୍ୟୟନ ପ୍ରଶ୍ନ]

[୧୩୪ ପୃଷ୍ଠାରେ ବାକ୍ସ]

ବଶବର୍ତ୍ତୀ ଅଟନ୍ତି ବିନାଶକ ନୁହନ୍ତି

ସାର୍ବଜନୀନ ପ୍ରଚାର ଦ୍ୱାରା ଯିହୋବାଙ୍କ ସାକ୍ଷୀମାନେ ପ୍ରକୃତ ଶାନ୍ତି ଓ ସୁରକ୍ଷା ପାଇଁ ମାନବଜାତିର ଏକମାତ୍ର ଆଶାରୂପେ ପରମେଶ୍ୱରଙ୍କ ରାଜ୍ୟଆଡ଼କୁ ସଂକେତ କରିଥାଆନ୍ତି । କିନ୍ତୁ ପରମେଶ୍ୱରଙ୍କ ରାଜ୍ୟର ଏହି ଆଗ୍ରହୀ ଘୋଷଣାକାରୀ ଯେ କୌଣସି ସରକାର ଅଧୀନରେ ରହିଲେ ମଧ୍ୟ ସରକାରଙ୍କର ବଶବର୍ତ୍ତୀ ନୁହନ୍ତି । ଅନ୍ୟ ପକ୍ଷରେ, ସାକ୍ଷୀମାନେ ଅତ୍ୟଧିକ ସମ୍ମାନନୀୟ ଓ ନିୟମ-ପାଳକ ନାଗରୀକମାନଙ୍କ ମଧ୍ୟରୁ ଅଟନ୍ତି । ଗୋଟିଏ ଆଫ୍ରିକୀୟ ଦେଶର ଜଣେ ଅଧିକାରୀ କହିଥିଲେ, “ଯଦି ସମସ୍ତ ଧାର୍ମିକ ସମ୍ପ୍ରଦାୟ ଯିହୋବାଙ୍କ ସାକ୍ଷୀଭଳି ହୁଅନ୍ତେ, ତେବେ କୌଣସି ହତ୍ୟା, ସିନ୍ଧିଚୋରୀ, ଅପକର୍ମ, କଏଦୀ ଓ ପରମାଣୁ ବୋମା ରହନ୍ତା ନାହିଁ । କବାଟ ସଦାବେଳେ ବନ୍ଦ ରଖନ୍ତେ ନାହିଁ ।”

ଏହା ସ୍ୱୀକାର କରି ଅନେକ ଦେଶର ଅଧିକାରୀମାନେ ସାକ୍ଷୀମାନଙ୍କ ପ୍ରଚାର କାର୍ଯ୍ୟକୁ ବିନାକିଛି ବାଧାରେ ଅଗ୍ରସର ହେବାକୁ ଦେଇଛନ୍ତି । ଅନ୍ୟାନ୍ୟ ଦେଶମାନଙ୍କର ଅଧିକାରୀମାନେ ଯିହୋବାଙ୍କ ସାକ୍ଷୀମାନଙ୍କ ଭଲ ପ୍ରଭାବ ହୃଦୟଙ୍ଗମ କରି ପ୍ରତିବନ୍ଧ କିମ୍ବା ବାଧା ଉଠେଇଦେଲେ । ଏହା ଠିକ୍‌ ସେଇଭଳି ଯେମିତି ପାଉଲ ଅଧିକାର ପ୍ରାପ୍ତ ଶାସନ କର୍ତ୍ତାଙ୍କ ଆଜ୍ଞା ପାଳନ କରିବା ବିଷୟରେ ଲେଖିଛନ୍ତି: “ସଦାଚାର କର, ତାହା ହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ ।”—ରୋମୀୟ ୧୩:୧, ୩.