ଆପଣ କିପରି ପରମେଶ୍ୱରଙ୍କ ନିକଟତର ହୋଇପାରିବେ
ଅଧ୍ୟାୟ ୧୬
ଆପଣ କିପରି ପରମେଶ୍ୱରଙ୍କ ନିକଟତର ହୋଇପାରିବେ
୧. ଅନେକ ଧର୍ମ ମଧ୍ୟରେ କେଉଁ ପ୍ରକାର ସ୍ପଷ୍ଟ ସମାନତା ରହିଛି ?
ପ୍ରାଚ୍ୟ ଦେଶରେ ପରିଭ୍ରମଣ କରୁଥିବା ଜଣେ ପର୍ଯ୍ୟଟକ ଏକ ବୌଦ୍ଧ ମନ୍ଦିରର ଧାର୍ମିକ ବିଧି ବିଧାନ ଦେଖି ଆଚମ୍ବିତ ହୋଇଥିଲେ । ଯଦିଓ ପ୍ରତିମାଗୁଡ଼ିକ ମରିୟମ ବା ଖ୍ରୀଷ୍ଟଙ୍କର ନଥିଲା, ଅନେକ ବିଧି ବିଧାନ ତାଙ୍କ ସ୍ୱଦେଶ ଗୀର୍ଜାର ବିଧିପରି ଥିଲା । ଉଦାହରଣସ୍ୱରୁପ, ସେ ଜପମାଳୀର ବ୍ୟବହାର ଓ ପ୍ରାର୍ଥନା ସଙ୍ଗୀତଗାନ ଲକ୍ଷ୍ୟ କରିଥିଲେ । ଅନ୍ୟମାନେ ମଧ୍ୟ ଏହିପରି ତୁଳନା କରିଛନ୍ତି । ପ୍ରାଚ୍ୟ କିମ୍ବା ପାଶ୍ଚାତ୍ୟ ଦେଶୀୟ ଭକ୍ତଗଣ ଯେଉଁ ପ୍ରଣାଳୀରେ ପରମେଶ୍ୱରଙ୍କ ନିକଟତର ହେବାପାଇଁ ଚେଷ୍ଟା କରନ୍ତି, ସେମାନଙ୍କ ଉପାସନାର ବସ୍ତୁଗୁଡ଼ିକରେ ପ୍ରାୟ ଅସାଧାରଣ ସାଦୃଶ୍ୟ ରହିଛି ।
୨. ପ୍ରାର୍ଥନାର ବ୍ୟାଖ୍ୟା କିପରି କରାଯାଇଛି ଓ ଆନେକ ଲୋକ କାହିଁକି ପ୍ରାର୍ଥନା କରନ୍ତି ?
୨ ମୁଖ୍ୟତଃ ଅନେକ ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ୱାରା ତାଙ୍କ ନିକଟତର ହେବା ପାଇଁ ଚେଷ୍ଟା କରନ୍ତି । ପ୍ରାର୍ଥନାକୁ “ପୁଣ୍ୟ ବା ପବିତ୍ର—ପରମେଶ୍ୱର, ଦେବତାଗଣ, ସର୍ବୋତ୍କୃଷ୍ଟ ସ୍ଥାନ, କିମ୍ବା ଅଲୌକିକ ଶକ୍ତି ସହିତ ମନୁଷ୍ୟର ଯୋଗାଯୋଗ ଓ ରକ୍ଷାର ଏକମାଧ୍ୟମ” ରୂପେ ବର୍ଣ୍ଣନା କରାଯାଇଛି । (ଦି ନିଉ ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକା) ଯଦିଓ ପ୍ରାର୍ଥନାରେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ସମୟରେ କେତେକ ଲୋକ କେବଳ ଭାବିଥାଆନ୍ତି ଯେ ଏଥିରୁ ସେମାନେ କʼଣ ଲାଭ ପାଇପାରିବେ । ଉଦାହରଣସ୍ୱରୂପ, ଜଣେ ଲୋକ ଯିହୋବା ସାକ୍ଷୀମାନଙ୍କ ମଧ୍ୟରୁ ଜଣକୁ ପଚାରିଥିଲେ: “ଯଦି ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତି, ତେବେ ମୋ ପରିବାରରେ, କର୍ମସ୍ଥଳରେ ଓ ମୋ ସ୍ୱାସ୍ଥ୍ୟ ସହିତ ଥିବା ସମସ୍ୟାସବୁର ସମାଧାନ ହୋଇଯିବ କି ?” ସେ ଲୋକଟି ପ୍ରତ୍ୟକ୍ଷରୂପେ ସେହିପରି ଭାବିଥିଲା, କିନ୍ତୁ ଅନେକ ଲୋକ ପ୍ରାର୍ଥନା କରନ୍ତି ଓ ଦେଖନ୍ତି ଯେ ସେମାନଙ୍କ ସମସ୍ୟାସବୁ ସେମିତି ରହିଛି । ତେଣୁ ଆମେ ହୁଏତ ପଚାରି ପାରୁ, ‘କାହିଁକି ଆମେ ପରମେଶ୍ୱରଙ୍କ ନିକଟତର ହେବା ଉଚିତ୍ ?’
ପରମେଶ୍ୱରଙ୍କ ନିକଟତର ହେବା କାହିଁକି
୩. ଆମ ପ୍ରାର୍ଥନା କାହା ପ୍ରତି ନିବେଦିତ ହେବା ଉଚିତ୍ ଓ କାହିଁକି ?
୩ ପ୍ରାର୍ଥନା ଏକ ନିରର୍ଥକ ରୀତି ନୁହେଁ, ଏହା କେବଳ ମାତ୍ର କିଛି ଲାଭପ୍ରାପ୍ତ କରିବାର ଉପାୟ ମଧ୍ୟ ନୁହେଁ । ପରମେଶ୍ୱରଙ୍କ ସହିତ ଏକ ନିବିଡ଼ ସମ୍ପର୍କ ରଖିବା ହେଉଛି ତାଙ୍କ ନିକଟବର୍ତ୍ତୀ ହେବାର ପ୍ରଧାନ କାରଣ । ତେଣୁ ଆମ ପ୍ରାର୍ଥନା ପରମେଶ୍ୱର ଯିହୋବାଙ୍କ ପ୍ରତି ହେବା ଉଚିତ୍ । ଗୀତସଂହିତା ଲେଖକ ଦାଉଦ କହିଥିଲେ, “ଯେଉଁମାନେ ଯିହୋବାଙ୍କୁ ଡାକନ୍ତି, ସେ ସେମାନଙ୍କ ନିକଟବର୍ତ୍ତି ହୁଅନ୍ତି ।” (ଗୀତସଂହିତା ୧୪୫:୧୮, NW) ଯିହୋବା ତାଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆମକୁ ଆମନ୍ତ୍ରଣ କରନ୍ତି । (ଯିଶାଇୟ ୧:୧୮) ଯେଉଁମାନେ ଏହି ଆମନ୍ତ୍ରଣ ଗ୍ରହଣ କରନ୍ତି, ସେମାନେ ସେଇ ଗୀତସଂହିତା ଲେଖକଙ୍କ ସହିତ ଏକମତ, ଯିଏ କହିଥିଲେ: “ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ମୋ ପାଇଁ ମଙ୍ଗଳକର ।” କାହିଁକି ? କାରଣ ଯେଉଁମାନେ ଯିହୋବା ପରମେଶ୍ୱରଙ୍କ ନିକଟତର ହେବେ, ସେମାନେ ପ୍ରକୃତ ସୁଖ ଓ ମାନସିକ ଶାନ୍ତି ପାଇବେ ।—ଗୀତସଂହିତା ୭୩:୨୮.
୪, ୫. (କ) ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? (ଖ) ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମେ କେଉଁ ପ୍ରାକାର ସମ୍ପର୍କ ସ୍ଥାପନ କରି ପାରିବା ?
୪ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ କାହିଁକି ପ୍ରାର୍ଥନା କରିବା, ଯଦି ‘ଆମେ ତାଙ୍କୁ ମାଗିବା ପୂର୍ବରୁ ସେ ଆମ ଆବଶ୍ୟକତା ଜାଣନ୍ତି ?’ (ମାଥିଉ ୬:୮; ଗୀତସଂହିତା ୧୩୯:୪) ପ୍ରାର୍ଥନା ଦେଖାଏ ଯେ ପରମେଶ୍ୱରଙ୍କ ଉପରେ ଆମର ବିଶ୍ୱାସ ଅଛି ଓ ତାଙ୍କୁ “ପ୍ରତେକ ଉତ୍ତମ ଦାନ ଓ ପ୍ରତେକ ସିଦ୍ଧ ବରର” ଉତ୍ସରୂପେ ଆମେ ଦେଖୁ । (ଯାକୁବ ୧:୧୭; ଏବ୍ରୀ ୧୧:୬) ଯିହୋବା ଆମ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୁଅନ୍ତି । (ହିତୋପଦେଶ ୧୫:୮) ସେ ଆମ ଉପଲବ୍ଧି ଓ ପ୍ରଶଂସାର ଅର୍ଥପୂର୍ଣ୍ଣ ଅଭିବ୍ୟକ୍ତି ଶୁଣି ଖୁସି ହୁଅନ୍ତି, ଯେପରିକି ଜଣେ ପିତା ନିଜ ଛୋଟ ଶିଶୁଠାରୁ କୃତଜ୍ଞତାର ଅକପଟ ଶବ୍ଦ ଶୁଣି ଆନନ୍ଦିତ ହୁଅନ୍ତି । (ଗୀତସଂହିତା ୧୧୯:୧୦୮) ଯେଉଁଠାରେ ପିତା-ସନ୍ତାନର ସମ୍ପର୍କ ଭଲ ସେଠାରେ ଭାବବିନିମୟ ଭଲ ହୋଇଥାଏ । ଯେଉଁ ଶିଶୁ ସ୍ନେହ ପାଏ, ସେ ନିଜ ପିତାଙ୍କ ସହ କଥା କହିବାକୁ ଚାହେଁ । ପରମେଶ୍ୱରଙ୍କ ସହିତ ଆମ ସମ୍ପର୍କରେ ମଧ୍ୟ ଏହା ସତ୍ୟ । ଯଦି ଆମେ ପରମେଶ୍ୱରଙ୍କ ବିଷୟରେ ଉପଯୁକ୍ତ ଶିକ୍ଷା ନେଉଛୁ ଓ ଆମ ପ୍ରତି ସେ ଯେଉଁ ପ୍ରେମ ଦେଖାଇଛନ୍ତି, ସେଥିରେ ଯଦି ଆମେ ପ୍ରକୃତରେ ଆକର୍ଷିତ, ତେବେ ତାଙ୍କ ନିକଟରେ ପ୍ରାର୍ଥନା କରି ନିଜକୁ ପ୍ରକାଶ କରିବା ପାଇଁ ଆମର ଦୃଢ଼ ଇଚ୍ଛା ରହିବ ।—୧ ଯୋହନ ୪:୧୬-୧୮.
୫ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ସମୟରେ ଆମ୍ଭମାନଙ୍କୁ ଶ୍ରଦ୍ଧାପୂର୍ଣ୍ଣ ହେବା ଉଚିତ୍, କିନ୍ତୁ ଆମେ ସଠିକ୍ ଶବ୍ଦ ବ୍ୟବହାର କରିବା ବିଷୟରେ ଅଧିକ ଉଦ୍ବିଗ୍ନ ହେବା ଦରକାର ନାହିଁ । (ଏବ୍ରୀ ୪:୧୬) ଆମେ ସବୁସମୟରେ ପରମେଶ୍ୱରଙ୍କ ନିକଟକୁ ଯାଇପାରୁ । ଆମେ ପ୍ରାର୍ଥନାରେ ପରମେଶ୍ୱରଙ୍କୁ ‘ଆମ ମନର ସବୁ କଥା ଖୋଲି କହିପାରୁ,’ ଏହା କି ବିଶେଷ ସୁଯୋଗ ! (ଗୀତସଂହିତା ୬୨:୮) ପରମେଶ୍ୱରଙ୍କୁ ବୁଝିପାରିଲେ ତାଙ୍କ ସହିତ ଏକ ଉଷ୍ମ ସମ୍ପର୍କ ସ୍ଥାପନ କରାଯାଇ ପାରେ, ଯେପରିକି ସେହି ବିଶ୍ୱାସୀ ପୁରୁଷ ଅବ୍ରାହାମ୍ ପରମେଶ୍ୱରଙ୍କ ମିତ୍ରରୂପେ ଆନନ୍ଦ ଉପଭୋଗ କରିଥିଲେ । (ଯାକୁବ ୨:୨୩) କିନ୍ତୁ ବିଶ୍ୱର ସାର୍ବଭୌମ ପ୍ରଭୁଙ୍କୁ ପ୍ରାର୍ଥନା କଲା ସମୟରେ ତାଙ୍କ ନିକଟତର ହେବା ପାଇଁ ଆମେ ତାଙ୍କ ଆବଶ୍ୟକତାଗୁଡ଼ିକ ନିଶ୍ଚୟ ମାନିବା ଉଚିତ୍ ।
ପରମେଶ୍ୱରଙ୍କ ନିକଟତର ହେବା ପାଇଁ ଆବଶ୍ୟକୀୟ ବିଷୟ
୬, ୭. ଯଦିଓ ପରମେଶ୍ୱର ଅର୍ଥର ଦାବି କରନ୍ତି ନାହିଁ, ସେ ଆମ ଠାରୁ କʼଣ ଆବଶ୍ୟକ କରନ୍ତି ଯେତେବେଳେ ଆମେ ପ୍ରାର୍ଥନା କରୁ ?
୬ ପରମେଶ୍ୱରଙ୍କ ନିକଟକୁ ଯିବା ପାଇଁ ଅର୍ଥର ଆବଶ୍ୟକ ହୋଇଥାଏ କି ? ଅନେକ ଲୋକ ତାଙ୍କ ପାଇଁ ପ୍ରାର୍ଥନା କରିବାଲାଗି ପାଦ୍ରୀମାନଙ୍କୁ ପଇସା ଦିଅନ୍ତି । ଏପରିକି କେତେକ ଲୋକ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ଦାନର ପରିମାଣ ଅନୁସାରେ ସେମାନଙ୍କ ପ୍ରାର୍ଥନା ଗ୍ରହଣ କରାଯିବ । ଯାହା ହେଉନା କାହିଁକି, ପରମେଶ୍ୱରଙ୍କ ବାକ୍ୟ ଏକଥା କହେ ନାହିଁ ଯେ, ପ୍ରାର୍ଥନାରେ ଯିହୋବାଙ୍କ ନିକଟବର୍ତ୍ତୀ ହେବା ପାଇଁ ଆର୍ଥିକ ଦାନର ଆବଶ୍ୟକ ହୁଏ । ତାଙ୍କ ଆଧ୍ୟାତ୍ମିକ ବ୍ୟବସ୍ଥା ଏବଂ ପ୍ରାର୍ଥନାରେ ତାଙ୍କ ସହିତ ସମ୍ପର୍କ ଓ ଆଶୀର୍ବାଦ ବିନା ମୂଲ୍ୟରେ ମିଳେ ।—ଯିଶାଇୟ ୫୫:୧, ୨.
୭ ତେବେ କʼଣ ଆବଶ୍ୟକ ଅଛି ? ହୃଦୟର ସଠିକ ଭାବ ଅତି ଆବଶ୍ୟକ । (୨ ବଂଶାବଳି ୬:୨୯, ୩୦; ହିତୋପଦେଶ ୧୫:୧୧) ଅମ ଅନ୍ତଃକରଣରେ ଆମେ ପରମେଶ୍ୱର ଯିହୋବାଙ୍କୁ “ପ୍ରାର୍ଥନାଶ୍ରବଣକାରୀ” ଓ “ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା” ରୂପେ ବିଶ୍ୱାସ ରଖିବା ଉଚିତ୍ । (ଗୀତସଂହିତା ୬୫:୨; ଏବ୍ରୀ ୧୧:୬) ଆମର ଅନ୍ତଃକରଣ ମଧ୍ୟ ନମ୍ର ରହିବା ଉଚିତ୍ । (୨ ରାଜାବଳି ୨୨:୧୯; ଗୀତସଂହିତା ୫୧:୧୭) ନିଜ ଦୃଷ୍ଟାନ୍ତଗୁଡ଼ିକ ମଧରୁ ଗୋଟିକରେ ଯୀଶୁ ଖ୍ରୀଷ୍ଟ ଦେଖାଇଥିଲେ ଯେ ପରମେଶ୍ୱରଙ୍କ ନିକଟରେ ଏକ ନମ୍ର ମନୋଭାବ ସମ୍ପନ ନିରହଂକାରୀ କରଗ୍ରାହୀ, ଜଣେ ଅହଙ୍କାରୀ ଫାରୂଶୀଠାରୁ ଅଧିକ ଧାର୍ମିକ ପ୍ରମାଣିତ ହୋଇଥିଲେ । (ଲୁକ ୧୮:୧୦-୧୪) ଆମେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ଏହା ମନେ ରଖିବା ଯେ “ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ ।”—ହିତୋପଦେଶ ୧୬:୫.
୮. ଯଦି ପରମେଶ୍ୱର ଆମ ପ୍ରାର୍ଥନାର ଉତ୍ତର ଦିୟନ୍ତୁ ବୋଲି ଆମେ ଚାହିଁବା, ତେବେ ଆମେ କେଉଁ ଜିନିଷ ଠାରୁ ନିଜକୁ ଶୁଚି କରିବା ?
୮ ଯଦି ପରମେଶ୍ୱର ଆମ ପ୍ରାର୍ଥନାର ଉତ୍ତର ଦିୟନ୍ତୁ ବୋଲି ଆମେ ଚାହିଁବା, ତେବେ ନିଜକୁ ପାପମୟ ଆଚରଣରୁ ମୁକ୍ତ କରିବାକୁ ହେବ । ପରମେଶ୍ୱରଙ୍କ ନିକଟତର ହେବା ପାଇଁ ଯେତେବେଳେ ଶିଷ୍ୟ ଯାକୁବ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ, ସେ କହିଥିଲେ: “ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର ।” (ଯାକୁବ ୪:୮) ଏପରିକି ଦୁଷ୍କର୍ମକାରୀମାନେ ମଧ୍ୟ ଯଦି ଅନୁତାପ କରି ସେମାନଙ୍କ ପୁରାତନ ଜୀବନ ଶୈଳୀକୁ ଛାଡ଼ନ୍ତି, ତେବେ ଯିହୋବାଙ୍କ ସ୍ନେହମୟ ସମ୍ପର୍କ ଲାଭ କରିପାରିବେ । (ହିତୋପଦେଶ ୨୮:୧୩) ଯଦି ଆମେ ଆମ ପଥ ପରିଷ୍କାର କରିଅଛୁ ବୋଲି କେବଳ ମାତ୍ର ଛଳନା କରିବା, ତେବେ ଯିହୋବା ଆମମାନଙ୍କର କଥା ଶୁଣିବେ ନାହିଁ । ପରମେଶ୍ୱରଙ୍କ ବାକ୍ୟ କହିଥାଏ, “ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ ।”—୧ ପିତର ୩:୧୨.
୯. ଆମେ କାହା ଦ୍ୱାରା ଯିହୋବାଙ୍କ ନିକଟବର୍ତ୍ତୀ ହୋଇ ପାରିବା ଓ କାହିଁକି ?
୯ ବାଇବଲ ବର୍ଣ୍ଣନା କରେ: “ପାପ ନ କରି ସତ୍କୃର୍ମ କରିବା ଭଳି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ ।” (ଉପଦେଶକ ୭:୨୦) ଏଠାରେ ଆପଣ ହୁଏତ ପଚାରି ପାରନ୍ତି: ‘ତେବେ ଆମେ ପରମେଶ୍ୱର ଯିହୋବାଙ୍କ ନିକଟବର୍ତ୍ତୀ ହୋଇପାରିବା କିପରି ?’ ବାଇବଲ ଉତ୍ତର ଦିଏ: “କେହି ଯଦି ପାପ କରେ, ତାହା ହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ ।” (୧ ଯୋହନ ୨:୧) ଯଦିଓ ଆମେ ପାପୀ, ଆମ ପାଇଁ ମୃତ୍ୟୁବରଣ କରିଥିବା ଯୀଶୁଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଦ୍ୱାରା ଆମେ ସ୍ୱତନ୍ତ୍ରଭାବେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବା । (ମାଥିଉ ୨୦:୨୮) କେବଳ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ମାଧ୍ୟମ ଯେଉଁ ମାଧ୍ୟମ ଦେଇ ଆମେ ଯିହୋବା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବା । (ଯୋହନ ୧୪:୬) ଯଦି ଯୀଶୁଙ୍କ ମୁକ୍ତି ମୂଲ୍ୟକୁ କମ୍ ଗୁରୁତ୍ୱ ଦେଇ ଜାଣିଶୁଣି ପାପ କରୁ, ତେବେ ଆମେ କଦାପି ଉପକାର ପାଇବା ନାହିଁ । (ଏବ୍ରୀ ୧୦:୨୬) ଯଦି ଆମେ ମନ୍ଦରୁ ନିବୃତ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁ, ତଥାପି କେବେ କେବେ ଭୁଲ୍ କରିବସୁ, ତେବେ ଆମେ ଅନୁତାପ କରି କ୍ଷମାପ୍ରାପ୍ତ ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରିପାରୁ । ଯେତେବେଳେ ଆମେ ଏକ ନମ୍ର ଅନ୍ତଃକରଣ ସହ ତାଙ୍କ ନିକଟକୁ ଯିବା, ସେ ଆମ ପ୍ରାର୍ଥନା ଶୁଣିବେ ।—ଲୁକ ୧୧:୪.
ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାର ସୁଯୋଗ
୧୦. ପ୍ରାର୍ଥନା କଲାବେଳେ ଆମେ କିପରି ଯୀଶୁଙ୍କ ଅନୁକରଣ କରିପାରିବା ଓ ବ୍ୟକ୍ତିଗତ ପ୍ରାର୍ଥନା କରିବା ପାଇଁ କେତେକ ସୁଯୋଗ କʼଣ ?
୧୦ ଯୀଶୁ ଖ୍ରୀଷ୍ଟ ଯିହୋବାଙ୍କ ସହିତ ଥିବା ସମ୍ପର୍କକୁ ବହୁମୂଲ୍ୟ ମନେକରୁଥିଲେ । ସେଥିପାଇଁ ଯୀଶୁ ବ୍ୟକ୍ତିଗତ ପ୍ରାର୍ଥନାରେ ପରମେଶ୍ୱରଙ୍କ ସହ କଥାବାର୍ତ୍ତା କରିବା ପାଇଁ ସମୟ କରି ନେଉଥିଲେ । (ମାର୍କ ୧:୩୫; ଲୁକ ୨୨:୪୦-୪୬) ଯୀଶୁଙ୍କ ଉଦାହରଣଗୁଡ଼ିକୁ ଅନୁକରଣ କରି ନିୟମିତରୂପେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଆମର ମଙ୍ଗଳ ହେବ । (ରୋମୀୟ ୧୨:୧୨) ପ୍ରାର୍ଥନା ଦ୍ୱାରା ଦିନ ଆରମ୍ଭ କରିବା ଉପଯୁକ୍ତ, ଶୋଇବା ପୂର୍ବରୁ ଦିନର କାର୍ଯ୍ୟକଳାପ ପାଇଁ ଯଥାଯଥ ରୂପେ ଯିହୋବାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଉଚିତ୍ । ଦିନରେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାପାଇଁ “ସର୍ବଦା” ସଂକଳ୍ପ କରନ୍ତୁ । (ଏଫୀସିୟ ୬:୧୮) ଯିହୋବା ଆମ ପ୍ରାର୍ଥନା ଶୁଣିପାରିବେ, ଏକଥା ଜାଣି ଆମେ ନିରବରେ ପ୍ରାର୍ଥନା କରିପାରିବା । ଏକାନ୍ତରେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ତାଙ୍କ ସହିତ ଆମ ସମ୍ପର୍କ ଦୃଢ଼ ହୋଇପାରିବ, ପ୍ରତିଦିନ ଯିହୋବାଙ୍କୁ ପ୍ରାର୍ଥନା କରିବା ଦ୍ୱରା ଆମେ ତାଙ୍କ ନିକଟତର ହୋଇପରିବା ।
୧୧. (କ) ପରିବାରରେ ସମସ୍ତେ ଏକତ୍ର ପ୍ରାର୍ଥନା କରିବା ଉଚିତ୍ କାହିଁକି ? (ଖ) ପ୍ରାର୍ଥନାର ଶେଷରେ ଯେତେବେଳେ ଆପଣ “ଆମେନ୍” କହନ୍ତି, ଏହାର ଅର୍ଥ କʼଣ ?
୧୧ ଶ୍ରେଣୀବଦ୍ଧ ହୋଇ ଲୋକମାନଙ୍କ ପକ୍ଷରୁ କରାଯାଇଥିବା ପ୍ରାର୍ଥନା ମଧ୍ୟ ଯିହୋବା ଶୁଣନ୍ତି । (୧ ରାଜାବଳି ୮:୨୨-୫୩) ଆମେ ପରିବାରରେ ଏକତ୍ର ହୋଇ ମଧ୍ୟ ପରମେଶ୍ୱରଙ୍କ ନିକଟତର ହୋଇ ପାରିବା, ଯେଉଁଠି ପରିବାରର ମୁରବି ପ୍ରାର୍ଥନା ପରିଚାଳନା କରନ୍ତି । ଏହା ପରିବାର ବନ୍ଧନକୁ ଦୃଢ଼ କରେ, ଯେବେ ମାତା-ପିତା ପରମେଶ୍ୱରଙ୍କୁ ନମ୍ରତା ସହ ପ୍ରାର୍ଥନା କରନ୍ତି, ତାହା ଶୁଣି ଅଳ୍ପ ବୟସ୍କ ପିଲାମାନଙ୍କ ପାଇଁ ଯିହୋବା ବାସ୍ତବ ହୋଇଯାଆନ୍ତି । କେହି ଯଦି ଦଳଗତଭାବେ ପ୍ରାର୍ଥନାରେ ପ୍ରତିନିଧିତ୍ୱ କରନ୍ତି, ସମ୍ଭବତଃ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ, ତେବେ କʼଣ ହୁଏ ? ଯଦି ଆମେ ଶ୍ରୋତାମାନଙ୍କ ମଧ୍ୟରେ ହୋଇଥାଉ, ତେବେ ଏକାଗ୍ରତାସହ ଶୁଣିବା ଯାହାଫଳରେ ପ୍ରାର୍ଥନାର ଶେଷରେ ଆମେ ସମ୍ପୂର୍ଣ୍ଣ ଅନ୍ତଃକରଣସହ “ଆମେନ୍” କହିପାରିବା, ଯାହାର ଅର୍ଥ “ଏହିପରି ହେଉ ।”—୧ କରନ୍ଥୀୟ ୧୪:୧୬.
ଯିହୋବା ଯେଉଁ ପ୍ରାର୍ଥନାସବୁ ଶୁଣନ୍ତି
୧୨. (କ) ପରମେଶ୍ୱର କିଛି ପ୍ରାର୍ଥନାର ଉତ୍ତର ଦେଇ ନଥାନ୍ତି କାହିଁକି ? (ଖ) ଆମେ କେବଳ ବ୍ୟକ୍ତିଗତ ଆବଶ୍ୟକ ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିବା ଉଚିତ୍ ନୁହେଁ କାହିଁକି ?
୧୨ କେତେକ ଲୋକ ଯଦିଓ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, ସେମାନଙ୍କ ପ୍ରାର୍ଥନାର ଉତ୍ତର ସେ ପ୍ରଦାନ କରୁନଥିବା ପରି ଅନୁଭବ କରିପାରନ୍ତି । କିନ୍ତୁ ପ୍ରେରିତ ଯୋହନ କହିଥିଲେ: “ପୁଣି ଆମ୍ଭେମାନେ ଯଦି [ପରମେଶ୍ୱରଙ୍କ] ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ।” (୧ ଯୋହନ ୫:୧୪) ସୁତରାଂ ଆମକୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ ପ୍ରାର୍ଥନା କରିବା ଆବଶ୍ୟକ । ଯେହେତୁ ସେ ଆମ ଆଧ୍ୟାତ୍ମିକ ମଙ୍ଗଳ ପାଇଁ ଉତ୍ସାହୀ, ଆମ ଆଧ୍ୟାତ୍ମିକତାକୁ ଯାହା କିଛି ପ୍ରଭାବିତ କରୁଛି, ତାହା ପ୍ରାର୍ଥନା ପାଇଁ ଏକ ଉପଯୁକ୍ତ ବିଷୟ ହେବ । ଶାରୀରିକ ଆବଶ୍ୟକତାକୁ ସମ୍ପୂର୍ଣ୍ଣରୂପେ କେନ୍ଦ୍ରୀଭୁତ କରୁଥିବା ପ୍ରଲୋଭନକୁ ଆମେ ପ୍ରତିରୋଧ କରିବା ଉଚିତ୍ । ଉଦାହରଣସସ୍ୱରୂପ, ରୋଗ ସହିତ ସଂଘର୍ଷ କଲା ସମୟରେ ଅନ୍ତର୍ଦୃଷ୍ଟି ଓ ସହନଶୀଳତା ପାଇଁ ପ୍ରାର୍ଥନା କରିବା ଉଚିତ୍, କିନ୍ତୁ ଶାରୀରିକ ଚିନ୍ତା ଯେପରି ଆଧ୍ୟାତ୍ମିକ ଉତ୍ସାହକୁ କ୍ଷୀଣ କରି ନ ଦିଏ । (ଗୀତସଂହିତା ୪୧:୧-୩) ଜଣେ ଖ୍ରୀଷ୍ଟିୟାନ ମହିଳା ନିଜ ସ୍ୱାସ୍ଥ୍ୟ ପ୍ରତି ଆବଶ୍ୟକତାଠାରୁ ଅଧିକ ଚିନ୍ତିତ ହୋଇ ଯିହୋବାଙ୍କୁ ତାଙ୍କର ଅସୁସ୍ଥତା ପ୍ରତି ଉଚିତ୍ ଦୃଷ୍ଟିକୋଣ ରଖିବା ପାଇଁ ଯିହୋବାଙ୍କ ନିକଟରେ ସାହାଯ୍ୟ ମାଗିଥିଲେ । ପ୍ରତିଫଳରେ, ମହିଳାଙ୍କର ସ୍ୱାସ୍ଥର ସମସ୍ୟା ଅତି ସାମାନ୍ୟ ହେଲା ଓ ତାଙ୍କୁ “ମହାଶକ୍ତି” ଦିଆଗଲାଭଳି ସେ ଅନୁଭବ କଲେ । (୨ କରନ୍ଥୀୟ ୪:୭) ଅନ୍ୟମାନଙ୍କୁ ଆଧ୍ୟାତ୍ମିକଭାବରେ ସାହାଯ୍ୟ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ହୋଇଥିଲା ଓ ସେ ଜଣେ ପୂର୍ଣ୍ଣ-ସମୟ ରାଜ୍ୟର ଉଦ୍ଘୋଷକ ହୋଇଥିଲେ ।
୧୩. ମାଥିଉ ୬:୯-୧୩ ପଦରେ ଉଲ୍ଲିଖିତ ହୋଇଥିବା କେତେକ ଉପଯୁକ୍ତ ବିଷୟଗୁଡ଼ିକ କʼଣ ଯାହା ଆମେ ଆମ ପ୍ରାର୍ଥନାରେ ଆନ୍ତର୍ଭୁକ୍ତ କରିପାରିବା ?
୧୩ ଆମେ ଆମ ପ୍ରାର୍ଥନାରେ କʼଣ ଅନ୍ତର୍ଭୁକ୍ତ କରି ପାରିବା, ଯାହାଫଳରେ ଯିହୋବା ସେସବୁ ଶୁଣି ପ୍ରସନ୍ନ ହେବେ ? ପ୍ରାର୍ଥନା କିପରି କରାଯିବ, ତାହା ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ଶିଖାଇଥିଲେ । ମାଥିଉ ୬:୯-୧୩ ପଦରେ ଉଲ୍ଲିଖିତ ଆଦର୍ଶ ପ୍ରାର୍ଥନାରେ ସେ ସେହି ବିଷୟଗୁଡ଼ିକର ନମୁନା ଦେଇଛନ୍ତି, ଯାହାଫଳରେ ଆମେ ଉଚିତ୍ରୂପେ ପ୍ରାର୍ଥନା କରି ପାରିବା । ଆମ ପ୍ରାର୍ଥନାରେ ମୁଖ୍ୟ ବିଷୟ କʼଣ ହେବା ଉଚିତ୍ ? ଯିହୋବା ପରମେଶ୍ୱରଙ୍କ ନାମ ଓ ରାଜ୍ୟ ପ୍ରାଥମିକ ସ୍ଥାନ ପାଇବା ଉଚିତ୍ । ଆମର ପ୍ରୟୋଜନୀୟ ବସ୍ତୁଗୁଡ଼କ ପାଇଁ ପ୍ରାର୍ଥନା କରିବା ଉପଯୁକ୍ତ । ଆମ ପାପର କ୍ଷମାପ୍ରାପ୍ତି ପାଇଁ ପ୍ରଲୋଭନରୁ ଏବଂ ଦୁଷ୍ଟ ପିଶାଚ ଓ ଶୟତାନ ଠାରୁ ମୁକ୍ତି ପାଇବା ପାଇଁ ମଧ୍ୟ ପ୍ରାର୍ଥନା କରିବା ଗୁରୁତ୍ୱପୂର୍ଣ୍ଣ । ଆମେ ଏହି ପ୍ରାର୍ଥନାକୁ ସଙ୍ଗୀତଭଳି ଗାଇବା କିମ୍ବା ଏହାର ଅର୍ଥ ନ ବୁଝି ଏହାକୁ ମୁଖସ୍ଥ କରି ପୁନରାବୃତ୍ତି କରିବା ପାଇଁ ଯୀଶୁ ଚାହୁଁ ନ ଥିଲେ । (ମାଥିଉ ୬:୭) ଜଣେ ଶିଶୁ ନିଜ ବାପାଙ୍କ ସହିତ କଥା କହିବା ବେଳେ ଯଦି ସବୁ ସମୟରେ ଏକା ପ୍ରକାର ଶବ୍ଦ ବ୍ୟବହାର କରିବ, ତେବେ ଏହା କି ପ୍ରକାର ସମ୍ପର୍କ ହେବ ?
୧୪. ନିବେଦନ ବ୍ୟତୀତ ଅନ୍ୟ କେଉଁ ପ୍ରାର୍ଥନାସବୁ ଆମେ ଦେଇ ପାରିବ ?
୧୪ ନିବେଦନ ଓ ଆନ୍ତରିକ ବିନତି ବ୍ୟତିତ ଆମେ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ ପାଇଁ ପ୍ରାର୍ଥନା କରି ପାରିବା । (ଗୀତସଂହିତା ୩୪:୧; ୯୨:୧; ୧ ଥେସଲନୀକୀୟ ୫:୧୮) ଅନ୍ୟମାନଙ୍କ ପାଇଁ ମଧ୍ୟ ଆମେ ପ୍ରାର୍ଥନା କରି ପାରିବା । ଆମ ଆଧ୍ୟାତ୍ମିକ ଭାଇ ଓ ଭଉଣୀ ଯେଉଁମାନେ ପୀଡ଼ିତ ଓ ନିର୍ଯାତିତ ଅବସ୍ଥାରେ ଅଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କରି ତାଙ୍କ ପ୍ରତି ଆମ ଆଗ୍ରହ ଦେଖାଇବା ଦ୍ୱାରା ଯିହୋବା ପ୍ରସନ୍ନ ହୁଅନ୍ତି । (ଲୁକ ୨୨:୩୨; ଯୋହନ ୧୭:୨୦; ୧ ଥେସଲନୀକୀୟ ୫:୨୫) ବାସ୍ତବରେ, ପ୍ରେରିତ ପାଉଲ ଲେଖିଥିଲେ: “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଇଶ୍ୱରଙ୍କ ନିକଟରେ ଜଣାଅ । ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱର, ତାହାଙ୍କ ଶାନ୍ତି ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ ।”—ଫିଲିପ୍ପୀୟ ୪:୬, ୭.
ପ୍ରାର୍ଥନାରେ ଲାଗିରୁହନ୍ତୁ
୧୫. ଯଦି ଆମ ପ୍ରାର୍ଥନାର ଉତ୍ତର ଦିଆଯାଉ ନଥିବା ପରି ମନେହୁଏ, ତେବେ ଆମେ କʼଣ ମନେରଖିବା ଉଚିତ୍ ?
୧୫ ଯଦିଓ ଆପଣ ପରମେଶ୍ୱରଙ୍କ ବିଷୟରେ ଜ୍ଞାନ ଅର୍ଜନ କରୁଛନ୍ତି, ଆପଣଙ୍କୁ ଅନେକ ସମୟରେ ଆପଣଙ୍କ ପ୍ରାର୍ଥନାର ଉତ୍ତର ନ ପାଇଲା ପରି ଅନୁଭବ ହୋଇପାରେ । କାରଣ ଏକ ନିର୍ଦ୍ଧିଷ୍ଟ ପ୍ରାର୍ଥନାର ଉତ୍ତର ଦେବାର ସମୟ ପରମେଶ୍ୱରଙ୍କର ହୁଏତ ସେ ଯାଏ ଆସିନାହିଁ । (ଉପଦେଶକ ୩:୧-୯) ଯିହୋବା କୌଣସି ଏକ ପସ୍ଥିତିକୁ କିଛି ସମୟ ପାଇଁ ଚାଲୁ ରହିବାକୁ ଅନୁମତି ଦେଇଥାଆନ୍ତି, କିନ୍ତୁ ସେ ପ୍ରାର୍ଥନାର ଉତ୍ତର ଦିଅନ୍ତି ଓ ଏପରି କରିବାର ଉପଯୁକ୍ତ ସମୟ ଜାଣନ୍ତି ।—୨ କରନ୍ଥୀୟ ୧୨:୭-୯.
୧୬. ପ୍ରାର୍ଥନାରେ ଆମେ ଅବିରତ ଲାଗିରହିବା କାହିଁକି ଓ ଏପରି କରିବା ପରମେଶ୍ୱରଙ୍କ ସହିତ ଆମ ସମ୍ପର୍କକୁ କିପରି ପ୍ରଭାବିତ କରିପାରିବ ?
୧୬ ପ୍ରାର୍ଥନାରେ ଅବିରତଭାବେ ଲାଗିରହିବା ଦ୍ୱାରା ଆମେ ପରମେଶ୍ୱରଙ୍କୁ ଯାହା କହୁଅଛୁ, ସେଥିରେ ଆମ ଆନ୍ତରିକ ଉତ୍ସାହ ପ୍ରକାଶ ହୋଇଥାଏ । (ଲୁକ ୧୮:୧-୮) ଉଦାହରଣସ୍ୱରୁପ, ଆମେ ଯିହୋବାଙ୍କୁ ଏକ ନିର୍ଦ୍ଧିଷ୍ଟ ଦୁର୍ବଳତାରୁ ଜୟୀ ହେବାପାଇଁ ସାହାଯ୍ୟ ମାଗିପାରୁ । ପ୍ରାର୍ଥନାରେ ଲାଗିରହି ଓ ଆମ ଆବେଦନ ସହିତ ସଙ୍ଗତି ରଖି କାର୍ଯ୍ୟ କରିବା ଦ୍ୱାରା ଆମେ ଆମର ଅକପଟତା ଦେଖାଇଥାଉ । ଆମର ଆବେଦନଗୁଡ଼ିକ ନିର୍ଦିଷ୍ଟ ଓ ସଚ୍ଚୋଟ ହେବା ଉଚିତ୍ । ଆମେ ପ୍ରଲୋଭନର ସମ୍ମୁଖୀନ ହେବା ସମୟରେ ଏକାଗ୍ରରୂପେ ପ୍ରାର୍ଥନା କରିବା ଗୁରୁତ୍ୱପୂର୍ଣ୍ଣ । (ମାଥିଉ ୬:୧୩) ଆମ ପାପପୂର୍ଣ୍ଣ ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣର ଚେଷ୍ଟା କଲା ସମୟରେ ଯେବେ ଆମେ ଅବିରତ ପ୍ରାର୍ଥନା କରିଚାଲୁ, ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ତାହା ଆମେ ଦେଖିବା । ଏହା ଆମ ବିଶ୍ୱାସକୁ ବଢ଼ାଇବ ଓ ତାଙ୍କ ସହିତ ଆମ ସମ୍ପର୍କକୁ ଦୃଢ଼ କରିବ ।—୧ କରନ୍ଥୀୟ ୧୦:୧୩; ଫିଲିପ୍ପୀୟ ୪:୧୩.
୧୭. ପରମେଶ୍ୱରଙ୍କୁ ସେବା କରିବାରେ ଭକ୍ତିପୂର୍ଣ୍ଣ ମନୋବୃତ୍ତି ରଖିବା ଦ୍ୱାରା ଆମେ କିପରି ଲାଭବାନ ହେବା ?
୧୭ ଯିହୋବା ପରମେଶ୍ୱରଙ୍କୁ ପବିତ୍ର ସେବା ଅର୍ପଣ କରିବାରେ ପ୍ରାର୍ଥନାପୂର୍ଣ୍ଣ ମନୋବୃତ୍ତି ବଜାୟ ରଖିବା ଦ୍ୱାରା ଆମେ ବୁଝି ପାରିବା ଯେ ଆମ ନିଜ ଶକ୍ତିରେ ଆମେ ତାଙ୍କୁ ସେବା କରୁ ନାହୁଁ । ଯିହୋବା ହିଁ ତାଙ୍କୁ ସେବା କରିବା ପାଇଁ ଆମକୁ ଶକ୍ତି ପ୍ରଦାନ କରନ୍ତି । (୧ କରନ୍ଥୀୟ ୪:୭) ଏହି ସ୍ୱୀକାର ହିଁ ଆମକୁ ନମ୍ର ହେବାରେ ସାହାଯ୍ୟ କରିବ ଓ ତାଙ୍କ ସହିତ ଆମ ସମ୍ପର୍କର ଉନ୍ନତି ସାଧନ କରିବ । (୧ ପିତର ୫:୫, ୬) ହଁ, ପ୍ରାର୍ଥନାରେ ଲାଗିରହିବା ପାଇଁ ଆମର ସଠିକ୍ କାରଣ ରହିଛି । ଆମ ଆନ୍ତରିକ ପ୍ରାର୍ଥନା ଦ୍ୱାରା କିପରି ଆମେ ପ୍ରେମମୟ ସ୍ୱର୍ଗସ୍ଥ ପିତାଙ୍କ ନିକଟବର୍ତ୍ତି ହେବା, ଏହି ବହୁମୂଲ୍ୟ ଜ୍ଞାନ ଆମ ଜୀବନକୁ ପ୍ରକୃତରେ ସୁଖମୟ କରିବ ।
ଯିହୋବାଙ୍କ ସହିତ ଭାବବିନିମୟ ଏକ ତରଫା ନୁହେଁ
୧୮. ପରମେଶ୍ୱରଙ୍କୁ ଆମେ କିପରି ଶୁଣି ପାରିବା ?
୧୮ ପରମେଶ୍ୱର ଆମ ପ୍ରାର୍ଥନା ଶୁଣନ୍ତୁ ବୋଲି ଯଦି ଆମେ ଚାହିଁବା, ତେବେ ଆମେ ତାଙ୍କ କଥା ଶୁଣିବା ଉଚିତ୍ । (ଯିଖରିୟ ୭:୧୩) ସେ ଏବେ ନିଜ ବାର୍ତ୍ତା ଐଶ୍ୱରୀୟରୂପେ ଅନୁପ୍ରାଣିତ ଭାବବାଦୀଙ୍କ ଦ୍ୱାରା ପଠାନ୍ତି ନାହିଁ ଓ ନିଶ୍ଚିତରୂପେ ପ୍ରେତାତ୍ମାବାଦୀ ସାଧନା ବ୍ୟବହାର କରନ୍ତି ନାହିଁ । (ଦ୍ୱିତୀୟ ବିବରଣ ୧୮:୧୦-୧୨) କିନ୍ତୁ ତାଙ୍କ ବାକ୍ୟ ବାଇବଲ ଅଧ୍ୟୟନ କରିବା ଦ୍ୱାରା ଆମେ ପରମେଶ୍ୱରଙ୍କ କଥା ଶୁଣି ପାରିବା । (ରୋମୀୟ ୧୫:୪; ୨ ତୀମଥି ୩:୧୬, ୧୭) ଯେପରି ଆମେ ଆମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ସ୍ୱାଦଯୁକ୍ତ ଶାରୀରିକ ଖାଦ୍ୟ ଆବଶ୍ୟକ କରୁ, ଠିକ୍ ସେହିପରି ଆମକୁ ‘ପାରମାର୍ଥିକ ବାକ୍ୟର ଅମିଶ୍ରିତ ଦୁଗ୍ଧ ପାନ’ କରିବା ପାଇଁ ଅମକୁ ଉପଦେଶ ଦିଆଯାଉଛି । ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ପଢ଼ି ଆଧ୍ୟାତ୍ମିକ ଖାଦ୍ୟ ପାଇଁ ଆସକ୍ତ ହୁଅନ୍ତୁ ।—୧ ପିତର ୨:୨, ୩; ପ୍ରେରିତ ୧୭:୧୧.
୧୯. ବାଇବଲରୁ ଆପଣ ଯାହା କିଛି ପଢ଼ିନ୍ତି, ସେଥିରେ ଧ୍ୟାନ ଦେଲେ କʼଣ ଲାଭ ମିଳେ ?
୧୯ ବାଇବଲରୁ ଆପଣ ଯାହା ପଢ଼ୁଛନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ । (ଗୀତସଂହିତା ୧:୧-୩; ୭୭:୧୧, ୧୨) ଏହାର ଅର୍ଥ ହେଉଛି ବିଷୟ ଉପରେ ଗଭୀର ଚିନ୍ତା କରିବା । ଏହାକୁ ଆପଣ ଖାଦ୍ୟ ହଜମ କରିବା ସହିତ ତୁଳନା କରିପାରନ୍ତି । ଯେଉଁ ବିଷୟ ଆପଣ ପଢ଼ୁଛନ୍ତି ତାହା ସହିତ ପୂର୍ବରୁ ଜାଣିଥିବା ବିଷୟର ତୁଳନାତ୍ମକ ଅଧ୍ୟୟନ ଦ୍ୱାରା ଆପଣ ଆଧ୍ୟାତ୍ମିକ ଖାଦ୍ୟକୁ ହଜମ କରି ପାରିବେ । ପ୍ରଦତ୍ତ ବିଷୟଟି ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରୁଛି, କିମ୍ବା ଯିହୋବାଙ୍କ ଗୁଣ ଓ ବ୍ୟବହାର ବିଷୟରେ ଏହା କʼଣ ପ୍ରକାଶ କରେ ଏଥିପ୍ରତି ଚିନ୍ତା କରନ୍ତୁ । ସୁତରାଂ, ନିଜ ବ୍ୟକ୍ତିଗତ ଅଧ୍ୟୟନ ଦ୍ୱାରା ଯିହୋବା ଯୋଗାଉଥିବା ଆଧ୍ୟାତ୍ମିକ ଖାଦ୍ୟ ଆପଣ ଗ୍ରହଣ କରି ପାରିବେ । ଏହା ଆପଣଙ୍କୁ ପରମେଶ୍ୱରଙ୍କ ନିକଟତର କରିବ ଓ ପ୍ରତିଦିନର ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ ।
୨୦. ଆମେ ଖ୍ରୀଷ୍ଟିଆନ୍ ସଭାଗୁଡ଼ରେ ଉପସ୍ଥିତ ହେଲେ ପରମେଶ୍ୱରଙ୍କ ନିକଟତର ହେବା ପାଇଁ କିପରି ସାହାଯ୍ୟ ପାଉ ?
୨୦ ଇଶ୍ରାୟେଲୀୟମାନେ ଯେପରି ପରମେଶ୍ୱରଙ୍କ ନିୟମର ସାର୍ବଜନୀନ ପାଠ ମନଯୋଗସହ ଶୁଣିବା ପାଇଁ ଏକତ୍ରିତ ହେଉଥିଲେ, ଠିକ୍ ସେହିପରି ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଆଲୋଚନା ହେଉଥିବା ପରମେଶ୍ୱରଙ୍କ ବାକ୍ୟ ଶୁଣିବା ଦ୍ୱାରା ମଧ୍ୟ ଆପଣ ତାଙ୍କ ନିକଟତର ହୋଇ ପାରିବେ । ସେହି ସମୟର ଉପଦେଷ୍ଟାମାନେ ସେମାନଙ୍କ ନିୟମ ପାଠ କରି ଅର୍ଥ ବୁଝାଉଥିଲେ, ଏହିଭଳିଭାବେ ସେମାନେ ଶ୍ରୋତାମାନଙ୍କୁ ବୁଝିବା ପାଇଁ ଓ ସେମାନେ ଯାହା ଶୁଣିଛନ୍ତି ତାକୁ ପ୍ରୟୋଗ କରିବାରେ ସାହାଯ୍ୟ କରୁଥିଲେ । ଏହା ସେମାନଙ୍କୁ ଆନନ୍ଦ ଦେଉଥିଲା । (ନିହିମିୟା ୮:୮, ୧୨) ତେଣୁ ଯିହୋବା ସାକ୍ଷୀମାନଙ୍କ ସଭାରେ ଉପସ୍ଥିତ ହେବା ପାଇଁ ଅଭ୍ୟାସ କରନ୍ତୁ । (ଏବ୍ରୀ ୧୦:୨୪, ୨୫) ଏହା ଆପଣଙ୍କୁ ପରମେଶ୍ୱରଙ୍କ ଜ୍ଞାନ ବୁଝିବାରେ ଓ ତାହା ଆପଣଙ୍କ ଜୀବନରେ ପ୍ରୟୋଗ କରିବାରେ ସାହାଯ୍ୟ କରିବ ଓ ଆପଣଙ୍କ ପାଇଁ ଖୁସି ଆଣିବ । ବିଶ୍ୱବ୍ୟାପୀ ଖ୍ରୀଷ୍ଟୀୟ ଭ୍ରାତୃତ୍ୱ ବନ୍ଧନ ଆପଣଙ୍କୁ ଯିହୋବାଙ୍କ ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରିବ । ଆଉ ଆମେ ଯେପରି ଦେଖିପାରିବୁ ଆପଣ ପରମେଶ୍ୱରଙ୍କ ଲୋକମାନଙ୍କ ମେଳରେ ପ୍ରକୃତ ସୁରକ୍ଷା ପାଇପାରିବେ ।
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
ଆପଣ ପରମେଶ୍ୱରଙ୍କ ନିକଟତର ହେବା ଉଚିତ୍ କାହିଁକି ?
ପରମେଶ୍ୱରଙ୍କ ନିକଟତର ହେବା ପାଇଁ କେତେକ ଆବଶ୍ୟକ ସର୍ତ୍ତଗୁଡ଼ିକ କʼଣ ?
ଆପଣଙ୍କ ପ୍ରାର୍ଥନାରେ ଆପଣ କʼଣ ଅନ୍ତର୍ଭୁକ୍ତ କରି ପାରିବେ ?
ଆପଣ ପ୍ରାର୍ଥନାରେ କାହିଁକି ଲାଗିରହିବା ଉଚିତ୍ ?
ଏବେ ଆପଣ ଯିହୋବାଙ୍କର କଥା କିପରି ଶୁଣିପାରିବେ ?
[ଅଧ୍ୟୟନ ପ୍ରଶ୍ନ]
[୧୫୭ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]