इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆମେ କାହିଁକି ବୃଦ୍ଧ ହେଉ ଓ ମୃତ୍ୟୁବରଣ କରୁ ?

ଆମେ କାହିଁକି ବୃଦ୍ଧ ହେଉ ଓ ମୃତ୍ୟୁବରଣ କରୁ ?

ଅଧ୍ୟାୟ ୬

ଆମେ କାହିଁକି ବୃଦ୍ଧ ହେଉ ଓ ମୃତ୍ୟୁବରଣ କରୁ ?

୧. ବୈଜ୍ଞାନିକମାନେ ମାନବ ଜୀବନ ବିଷୟରେ କʼଣ ବୁଝାଇବାକୁ ଅସମର୍ଥ ହୋଇଛନ୍ତି ?

 ବୈଜ୍ଞାନିକମାନେ ଜାଣି ନାହାନ୍ତି କାହିଁକି ମଣିଷ ବୃଦ୍ଧ ହୁଏ ଓ ମୃତ୍ୟୁବରଣ କରେ । ଦେଖାଯାଏ ଯେ, ଆମର ଜୀବକୋଷଗୁଡ଼ିକ ଅନବରତଭାବେ ନବିକୃତ ହେଉଥିବାରୁ ଆମେ ସର୍ବଦା ଜୀବିତ ରହିବା ଉଚିତ । ହ୍ୟୁଜନ୍‌ ସୋଶିକିଗାକୁ (ପ୍ରାମାଣିକ ଜୀବକୋଷ ବିଜ୍ଞାନ ଗ୍ରନ୍ଥ) ମତରେ, “ଜୀବକୋଷର ବୟଃବୃଦ୍ଧି ସହିତ ଜଣେ ବ୍ୟକ୍ତିର ବୟଃବୃଦ୍ଧି ଓ ମୃତ୍ୟୁ କିଭଳିଭାବେ ସଂଯୁକ୍ତ, ଏହା ବଡ଼ ରହସ୍ୟ ।” ଅନେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଜୀବନ “ପ୍ରାକୃତିକ, ସହଜାତ” ଭାବେ ସସୀମ । ସେମାନେ ଠିକ୍‌ ବୋଲି ଆପଣ ଭାବନ୍ତି କି ?

୨. ଜୀବନ କ୍ଷଣଭଙ୍ଗୁର ଭାବି କେତେକ ଲୋକ କʼଣ କଲେ ?

ମନୁଷ୍ୟମାନେ ସବୁବେଳେ ଅଧିକ ସମୟ ବଞ୍ଚିବାକୁ ଓ ଅନନ୍ତ ଜୀବନ ପାଇବାକୁ ଚେଷ୍ଟା କରିଆସୁଛନ୍ତି । ସାମାନ୍ୟ ଯୁଗ ପୂର୍ବ ଚତୁର୍ଥ ଶତାବ୍ଦୀରୁ ଅମରତ୍ୱ ପାଇଁ ତିଆରି ବୋଲି ମନେ କରାଯାଉଥିବା ଗୋଟିଏ ଔଷଧ ଚୀନା ଗୁଣି ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିଥିଲା । ପରବର୍ତ୍ତି କାଳରେ ଚୀନ୍‌ ଦେଶର ସମ୍ରାଟମାନେ ପାରଦରୁ ତିଆରି ଏହି ଆୟୁବର୍ଦ୍ଧକ ରସାୟନ ଖାଇ ମୃତ୍ୟୁବରଣ କରିଥିଲେ ! ପୃଥିବୀର ସବୁ ଦେଶର ଲୋକ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ସେମାନଙ୍କର ଅସ୍ତିତ୍ୱର ଅନ୍ତ ନୁହେଁ । ବୌଦ୍ଧ, ହିନ୍ଦୁ, ମୁସଲମାନ ଏବଂ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁ ପରେ ଜୀବନର ଏକ ଉଜ୍ୱଳ ଆଶା ଅଛି । ଖ୍ରୀଷ୍ଟୀୟ ଜଗତର ଅନେକ ଲୋକ ମୃତ୍ୟୁ ପରେ ସ୍ୱର୍ଗକୁ ଯିବାର ଆଶା ରଖିଛନ୍ତି ।

୩. (କ)ମନୁଷ୍ୟ କାହିଁକି ଅନନ୍ତ ଜୀବନର ଲାଳସା ରଖିଛି ? (ଖ) ମୃତ୍ୟୁ ବିଷୟରେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ଦରକାର ?

ମୃତ୍ୟୁ ପରେ ସୁଖର ଧାରଣା ଅନନ୍ତ ଜୀବନର ଲାଳସାକୁ ପ୍ରତିବିମ୍ବିତ କରେ । “ଯଦିଓ ସମୟର ସୀମା ନାହିଁ, ସେ ସେମାନଙ୍କ ହୃଦୟରେ ଅନନ୍ତ ଜୀବନର ଆଶା ସ୍ଥାପିତ କରିଅଛନ୍ତି,” ବାଇବଲ କୁହେ ଈଶ୍ୱର ଆମ ମନ ଭିତରେ ଅନନ୍ତ ଜୀବନର ଜ୍ଞାନ ରୋପିତ କରିଅଛନ୍ତି । (ଉପଦେଶକ ୩:୧୧) ସେ ପ୍ରଥମ ମାନବଙ୍କୁ ଏପରି ସମ୍ଭାବନା ଦେଇ ସୃଷ୍ଟି କରିଥିଲେ ଯେପରି ସେମାନେ ପୃଥିବୀରେ ଅନନ୍ତ କାଳ ପର୍ଯ୍ୟନ୍ତ ବଞ୍ଚି ରହି ପାରିବେ । (ଆଦିପୁସ୍ତକ ୨:୧୬, ୧୭) ତାʼହେଲେ କାହିଁକି ମନୁଷ୍ୟ ମୃତ୍ୟୁବରଣ କରୁଅଛି ? କିପରି ମୃତ୍ୟୁ ଏହି ପୃଥିବୀକୁ ପ୍ରବେଶ କଲା ? ପରମେଶ୍ୱରଙ୍କ ଜ୍ଞାନ ଏହି ପ୍ରଶ୍ନ ଉପରେ ଆଲୋଚନା କରୁଅଛି ।—ଗୀତସଂହିତା ୧୧୯:୧୦୫.

ଏକ କୁଟିଳ ଷଡ଼ଯନ୍ତ୍ର

୪. ମାନବର ମୃତ୍ୟୁ ପାଇଁ ଦାୟୀଥିବା ଦୋଷୀଟିକୁ ଯୀଶୁ ଖ୍ରୀଷ୍ଟ କିପରି ଚିହ୍ନାଇ ଥିଲେ ?

ଅପରାଧୀ ତାʼର ଅପରାଧ ଲୁଚାଇବାକୁ ଚେଷ୍ଟାକରେ । ଏହା ସେହି ଅପରାଧୀର ପକ୍ଷରେ ମଧ୍ୟ ସତ୍ୟ, ଯିଏ ପୃଥିବୀରେ ସହସ୍ର କୋଟି ଲୋକଙ୍କ ମୃତ୍ୟୁର ଅପରାଧ ପାଇଁ ଦାୟୀ । ସେ କଥାରେ ଏପରି ଛଳନାତ୍ମକ କାର୍ଯ୍ୟ କଲା ଯଦ୍ୱାରା ମଣିଷ ମୃତ୍ୟୁର ରହସ୍ୟ ଭିତରେ ଲୁଚି ରହିଗଲା । ଯୀଶୁ ଖ୍ରୀଷ୍ଟ ସେହି ଅପରାଧୀକୁ ଚିହ୍ନାଇଲେ, ଯେତେବେଳେ ଯେଉଁମାନେ ତାଙ୍କୁ ମାରିବାକୁ ଖୋଜୁଥିଲେ, ଯୀଶୁ ସେମାନଙ୍କୁ କହିଲେ: “ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ ।”—ଯୋହନ ୮:୩୧, ୪୦, ୪୪.

୫. (କ) ଯିଏ ଶୟତାନ୍‌ ବା ପିଶାଚ ହେଲା, ତାʼର ମୂଳ କʼଣ ଥିଲା ? (ଖ) “ଶୟତାନ୍‌” ଓ “ପିଶାଚ” ଶବ୍ଦଟିର ଅର୍ଥ କଣ ?

ହଁ, ଶୟତାନ୍‌ ହେଉଛି ଗୋଟିଏ ଈର୍ଷାପରାୟଣ “ନରଘାତକ” । ବାଇବଲ ମତରେ ସେ ବାସ୍ତବରେ ଜଣେ ବ୍ୟକ୍ତି, କୌଣସି ବ୍ୟକ୍ତିର ହୃଦୟରେ ଥିବା ଦୁଷ୍ଟତା ନୁହେଁ । (ମାଥିଉ ୪:୧-୧୧) ଯଦିଓ ସେ ପ୍ରଥମେ ଜଣେ ଧାର୍ମିକ ଦୂତ ଭାବରେ ସୃଷ୍ଟି ହୋଇଥିଲା, “ସେ ସତ୍ୟରେ ସ୍ଥିରହୋଇ ରହି ପାରିଲା ନାହିଁ ।” ଉପଯୁକ୍ତ ଭାବେ ତାକୁ ଶୟତାନ ଅର୍ଥାତ ପିଶାଚ ନାମ ଦିଆଗଲା ! (ପ୍ରକାଶିତ ବାକ୍ୟ ୧୨:୯) ତାକୁ “ଶୟତାନ,” କିମ୍ବା “ବିରୋଧୀ,” କୁହାଗଲା କାରଣ ସେ ଯିହୋବାଙ୍କର ପ୍ରତିରୋଧ ଓ ବିରୋଧ କଲା । ଏହି ଅପରାଧୀକୁ “ପିଶାଚ,” ଅର୍ଥାତ “ନିନ୍ଦୁକ” ମଧ୍ୟ କୁହାଯାଇଛି, କାରଣ ସେ ନିନ୍ଦାତ୍ମକ ଭାବେ ପରମେଶ୍ୱରଙ୍କୁ ବିକୃତ କରିଛି ।

୬. ଶୟତାନ୍‌ କାହିଁକି ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲା ?

କେଉଁ କଥା ଶୟତାନକୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉତ୍‌ପ୍ରେରିତ କଲା ? ଲୋଭ । ଲୋଭର ବଶବର୍ତ୍ତି ହୋଇ ମନୁଷ୍ୟଙ୍କଠାରୁ ଯିହୋବା ପାଉଥିବା ଉପାସନା ସେ ନିଜେ ଚାହିଁଲା । କେବଳ ସୃଷ୍ଟିକର୍ତ୍ତାଙ୍କ ପ୍ରାପ୍ୟ ଏହି ଉପାସନା ନିଜେ ପାଇବାର ଅଭିଳାଷକୁ ସେ ଦୂର କରିପାରିଲା ନାହିଁ । (ଯିହିଜିକଲ ୨୮:୧୨-୧୯ ତୁଳନା କରନ୍ତୁ ।) ଫଳରେ ଶୟତାନ ହୋଇଯାଇଥିବା ସେହି ସ୍ୱର୍ଗଦୂତଟି ଏହି ଲୋଭି ଆକାଂକ୍ଷା ଫଳପ୍ରସୂ ହୋଇ ପାପକୁ ଜନ୍ମ ଦେବା ପର୍ଯ୍ୟନ୍ତ ତାକୁ ଲାଳନ କଲା ।—ଯାକୁବ ୧:୧୪, ୧୫.

୭. (କ) ମଣିଷ ମୃତ୍ୟୁର କାରଣ କʼଣ ? (ଖ) ପାପ କʼଣ ?

ମନୁଷ୍ୟର ମୃତ୍ୟୁ ପାଇଁ ଦାୟୀଥିବା ଦୋଷୀକୁ ଆମେ ଚିହ୍ନିତ କଲୁ । କିନ୍ତୁ ମନୁଷ୍ୟର ମୃତ୍ୟୁର ବିଶେଷ କାରଣଟି କʼଣ ? ବାଇବଲ କହେ: “ମୃତ୍ୟର ନାହୁଡ଼ ପାପ ।” (୧ କରନ୍ଥୀୟ ୧୫:୫୬) ଆଉ ପାପ କʼଣ ? ଏହାର ଅର୍ଥ ବୁଝିବା ପାଇଁ ଆସନ୍ତୁ ବାଇବଲର ମୌଳିକ ଭାଷାକୁ ବୁଝି ତାହାର ଅର୍ଥ ଉପରେ ବିଚାର କରିବା । “ପାପ କରିବାକୁ” ସାଧାରଣଭାବେ ଏବ୍ରୀୟ ଓ ଗ୍ରୀକ୍‌ ଭାଷାର “ହରାଇବା” କ୍ରିୟାପଦଟିରେ ଅନୁବାଦ କରାଯାଇଛି ଯାହାର ଅନ୍ୟ ଏକ ଅର୍ଥ ଲକ୍ଷ ସ୍ଥଳରେ ପହଁଞ୍ଚି ନ ପାରିବା । ଆମେ ସବୁ କେଉଁ ଲକ୍ଷ୍ୟ ସ୍ଥଳରୁ ବିଚ୍ୟୁତ ହୋଇଛୁ ? ପରମେଶ୍ୱରଙ୍କ ପୂର୍ଣ୍ଣ ଅଧୀନସ୍ତ ହେବାରୁ ବଞ୍ଚିତ ହୋଇଅଛୁ । ତାହେଲେ, ପାପ ସଂସାରରେ କିପରି ପ୍ରବେଶ କଲା ?

ସେହି ଷଡ଼ଯନ୍ତ୍ର କିପରି କରାଗଲା

୮. ଶୟତାନ ମନୁଷ୍ୟର ଉପାସନା ପାଇବାକୁ କିପରି ଚେଷ୍ଟାକଲା ?

ଶୟତାନ ବହୁତ ସତର୍କତାର ସହିତ ଏପରି ଏକ ଷଡ଼ଯନ୍ତ୍ର ରଚନା କଲା, ଯାହା ଫଳରେ ସେ ଭାବିଲା ସବୁ ମନୁଷ୍ୟ ଉପରେ ସେ ରାଜତ୍ୱ କରିପାରିବ ଏବଂ ତାକୁ ସବୁ ମନୁଷ୍ୟ ଉପାସନା କରିବେ । ସେ ପ୍ରଥମ ମନୁଷ୍ୟ ଦମ୍ପତି ଆଦମ ଓ ହବାକୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ପାଇଁ ପ୍ରରୋଚିତ କରିବାକୁ ସ୍ଥିରକଲା । ଯିହୋବା ଈଶ୍ୱର ଆମର ପ୍ରଥମ ମାତା ପିତାଙ୍କୁ ସେହି ଜ୍ଞାନ ଦେଇଥିଲେ, ଯାହା ସେମାନଙ୍କୁ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିଥାନ୍ତା । ସେମାନେ ଜାଣିଥିଲେ ସେମାନଙ୍କର ସୃଷ୍ଟିକର୍ତ୍ତା ମହାନ ଅଟନ୍ତି, କାରଣ ସେ ସେମାନଙ୍କୁ ଏକ ସୁନ୍ଦର ଏଦନ ଉଦ୍ୟାନରେ ରଖିଥିଲେ । ଆଦମ ବିଶେଷଭାବେ ତାଙ୍କ ସ୍ୱର୍ଗସ୍ଥ ପିତାଙ୍କ ଗୁଣ ସେତେବେଳେ ଅନୁଭବ କରିଥିଲେ, ଯେତେବେଳେ ଈଶ୍ୱର ତାକୁ ଗୋଟିଏ ସୁନ୍ଦରୀ ସାହାଯ୍ୟକାରୀ ପତ୍ନୀ ଦେଲେ । (ଆଦିପୁସ୍ତକ ୧:୨୬, ୨୯; ୨:୭-୯, ୧୮-୨୩) ପ୍ରଥମ ମାନବ ଦମ୍ପତିଙ୍କ ଜୀବନ ପ୍ରବାହ ଈଶ୍ୱରଙ୍କ ଆଜ୍ଞାକାରିତା ଉପରେ ନିର୍ଭର କରୁଥିଲା ।

୯. ପ୍ରଥମ ମଣିଷକୁ ଈଶ୍ୱର କʼଣ ଆଜ୍ଞା ଦେଇଥିଲେ ଓ ଏହା କାହିଁକି ଉଚିତ୍‌ ଥିଲା ?

ଈଶ୍ୱର ଆଦମଙ୍କୁ ଆଜ୍ଞା ଦେଇଥିଲେ: “ଉଦ୍ୟାନର ସମସ୍ତ ଗଛର ଫଳ ସ୍ୱଛନ୍ଦରେ ଭୋଜନ କରିପାର । କିନ୍ତୁ ଭଲ ମନ୍ଦ ଜ୍ଞାନ ଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ । ଯେଉଁଦିନ ତାହା ଖାଇବ ଅବଶ୍ୟ ମୃତ୍ୟୁବରଣ କରିବ ।” (ଆଦିପୁସ୍ତକ ୨:୧୬, ୧୭, NW) ସୃଷ୍ଟିକର୍ତ୍ତାରୂପେ ଯିହୋବା ଈଶ୍ୱରଙ୍କର ନୈତିକ ମାନ ନିର୍ଦ୍ଧାରଣ କରିବା ଓ ତାଙ୍କ ସୃଷ୍ଟଜୀବଙ୍କ ଭଲ ମନ୍ଦ ସ୍ଥିର କରିବାର ଅଧିକାର ଥିଲା । ଯେହେତୁ ବଗିଚାରେ ଥିବା ଅନ୍ୟ ସମସ୍ତ ଗଛର ଫଳ ଖାଇବାକୁ ଈଶ୍ୱର ଆଦମ ଓ ହବାକୁ ସ୍ୱାଧୀନତା ଦେଇଥିଲେ, ତେଣୁ ଈଶ୍ୱରଙ୍କ ନିର୍ଦ୍ଦେଶ ଯୁକ୍ତିଯୁକ୍ତ ଥିଲା । ଗର୍ବିତ ଭାବେ ନିଜେ ନିଜର ନୈତିକ ମାନ ସ୍ଥାପନ କରିବା ପରିବର୍ତ୍ତେ ଏହି ନିୟମ ମାନି ଚଳିଥିଲେ ସେମାନେ ଯିହୋବାଙ୍କ ନ୍ୟାୟ ସଙ୍ଗତ କ୍ଷମତା ପ୍ରତି ଆନୁଗତ୍ୟ ଦେଖାଇ ପାରିଥାନ୍ତେ ।

୧୦. (କ) ମନୁଷ୍ୟକୁ ନିଜ ପକ୍ଷକୁ ଆଣିବା ପାଇଁ ଶୟତାନ୍‌ ସେ ଦୁହିଁଙ୍କ ସହିତ କିପରି ସମ୍ପର୍କ ସ୍ଥାପନ କଲା ? (ଖ) ଶୟତାନ ଯିହୋବାଙ୍କ ଉପରେ କିପରି ଦୋଷ ଲଗାଇଲା ? (ଗ) ପରମେଶ୍ୱରଙ୍କ ଉପରେ ଶୟତାନର ଆକ୍ରମଣ ବିଷୟରେ ଆପଣ କʼଣ ଚିନ୍ତା କରନ୍ତି ?

୧୦ ପିଶାଚ ପ୍ରଥମ ମାନବ ଦମ୍ପତିଙ୍କୁ ପରମେଶ୍ୱରଙ୍କଠାରୁ ଦୂର କରିବା ପାଇଁ ଗୋଟିଏ ଫାନ୍ଦ କଲା । ସେ ସେମାନଙ୍କୁ ମିଛ କହି ତା ପକ୍ଷକୁ ନେଲା । ମାୟାସ୍ୱର ଉତ୍ପନକାରୀ କଣ୍ଢେଇକୁ ବ୍ୟବହାର କରିବା ପରି ଗୋଟିଏ ସର୍ପକୁ ବ୍ୟବହାର କରି ପିଶାଚ ହବାକୁ ପଚାରିଲା: “ସତରେ କʼଣ ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ଈଶ୍ୱର ତୁମ୍ଭମାନଙ୍କୁ ମନା କରିଛନ୍ତି ?” ହବା ଯେତେବେଳେ ଈଶ୍ୱରଙ୍କ ଆଜ୍ଞା ଉଲ୍ଲେଖ କରିଥିଲା । ଶୟତାନ ଘୋଷଣା କଲା, “ତୁମ୍ଭେମାନେ କେବେହେଲେ ମରିବ ନାହିଁ ।” ତାପରେ ଯିହୋବା ଈଶ୍ୱରଙ୍କ ଉପରେ ଖରାପ ଆରୋପ ଲଗାଇ ସେ କହିଲା: “ପରମେଶ୍ୱର ଜାଣନ୍ତି ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହିଦିନ ତୁମ୍ଭମାନଙ୍କ ଆଖି ଖୋଲିଯିବ ଓ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ” । (ଆଦିପୁସ୍ତକ ୩:୧-୫, NW) ଏହି ପ୍ରକାରେ ଶୟତାନ ଇଙ୍ଗିତ କଲା ଯେ ଈଶ୍ୱର ତୁମ୍ଭମାନଙ୍କୁ କିଛି ଭଲ ଜିନିଷଠାରୁ ବଞ୍ଚିତ କରିଥିଲେ । ସତ୍ୟନିଷ୍ଠ ପ୍ରେମମୟ, ସ୍ୱର୍ଗସ୍ଥ ପିତା, ଯିହୋବାଙ୍କ ଉପରେ ଏହା କେତେବଡ଼ ନିନ୍ଦା ଜନକ ଆକ୍ରମଣ ଥିଲା !

୧୧. ଆଦମ ଓ ହବା ଶୟତାନର ସହଅପରାଧୀ କିପରି ହୋଇଥିଲେ ?

୧୧ ହବା ଆଉଥରେ ସେହି ଗଛକୁ ଚାହିଁଲା, ଏବେ ଏହାର ଫଳ ବିଶେଷ ଲୋଭନୀୟ ମନେ ହେଉଥିଲା । ତେଣୁ ସେ ସେହି ଫଳ ନେଇ ଖାଇଲା । ପରେ ତାʼର ସ୍ୱାମୀ ପରମେଶ୍ୱରଙ୍କ ଆଜ୍ଞାକୁ ଅବଜ୍ଞାକରି ଜାଣିଶୁଣି ସେହି ପାପ କର୍ମରେ ତା ସହିତ ଯୋଗଦେଲା । (ଆଦିପୁସ୍ତକ ୩:୬) ଯଦିଓ ହବା ପ୍ରତାରିତ ହୋଇଥିଲା, କିନ୍ତୁ ଉଭୟେ ଆଦମ ଓ ହବା ମଣିଷ ସମାଜ ଉପରେ ଶାସନ କରିବାକୁ ପିଶାଚର ପରିକଳ୍ପନାକୁ ସମର୍ଥନ କରିଥିଲେ । ପ୍ରକୃତରେ, ସେମାନେ ତାʼର ସହଅପରାଧୀ ହୋଇଗଲେ ।—ରୋମୀୟ ୬:୧୬; ୧ ତୀମଥି ୨:୧୪.

୧୨. ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବାର ପରିଣାମ କʼଣ ହେଲା ?

୧୨ ଆଦମ ଓ ହବା ନିଜ କୃତକର୍ମର ଫଳ ଭୋଗ କଲେ । ସେମାନେ ବିଶେଷ ଜ୍ଞାନ ସମ୍ପନ୍ନ ଈଶ୍ୱର ତୁଲ୍ୟ ହେଲେ ନାହିଁ । ବରଂ ସେମାନେ ଲଜ୍ଜିତ ହୋଇ ନିଜକୁ ଲୁଚାଇଲେ । ଯିହୋବା ଈଶ୍ୱର ଆଦମକୁ ତାʼର ପ୍ରତିଫଳ ଦେଲେ ଓ ଦଣ୍ଡଘୋଷଣା କଲେ: “ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହିତ ହେଲ ତହିଁରେ ନ ମିଶିବା ପର୍ଯନ୍ତ ମୁଖର ଝାଳରେ ଆହାର କରିବ, ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ ।” (ଆଦିପୁସ୍ତକ ୩:୧୯) “ଯେଉଁଦିନ” ଆମର ପ୍ରଥମ ପିତାମାତା ଭଲ ଓ ମନ୍ଦ ବୃକ୍ଷର ଫଳ ଖାଇଲେ, ସେହିଦିନଠାରୁ ଈଶ୍ୱରଙ୍କ ଦଣ୍ଡାଦେଶ ପାଇଥିଲେ ଓ ତାଙ୍କ ଦୃଷ୍ଟିରେ ମରିଗଲେ । ତାʼପରେ ସେମାନେ ସେହି ପାରଦୀଶରୁ ବହିଷ୍କୃତ ହେଲେ ଓ ଶାରୀରିକ ମୃତ୍ୟୁର ପତନ ଆରମ୍ଭ ହେଲା ।

ପାପ ଏବଂ ମୃତ୍ୟୁ କିପରି ବିସ୍ତାରିତ ହେଲା

୧୩. ପାପ କିପରି ସମସ୍ତ ମଣିଷଜାତି ଉପରେ ବିସ୍ତାର ଲାଭ କଲା ?

୧୩ ଆପାତଃ ଦୃଷ୍ଟିରେ ମନୁଷ୍ୟଠାରୁ ଶ୍ରଦ୍ଧା ଲାଭ କରିବା ପାଇଁ ଶୟତାନ ନିଜର ଚକ୍ରାନ୍ତରେ ସଫଳ ହୋଇଥିଲା । ତଥାପି, ସେ ତାʼର ଉପାସକମାନଙ୍କୁ ଜୀବିତ ରଖି ପାରିଲା ନାହିଁ । ଯେତେବେଳଠାରୁ ପ୍ରଥମ ମାନବ ଦମ୍ପତି ମଧ୍ୟରେ ପାପ କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲା, ସେମାନେ ଆଉ ସେମାନଙ୍କର ବଂଶଧରମାନଙ୍କ ଭିତରେ ସୁଦ୍ଧତା ସଞ୍ଚାରିତ କରିପାରି ନଥିଲା । ପଥର ଉପରେ ଖୋଦିତ କୌଣସି ଲିପିଭଳି ଆମ୍ଭମାନଙ୍କର ପିତାମାତାଙ୍କର ଜିନ୍‌ ମଧ୍ୟରେ ପାପ ଗଭୀର ଭାବରେ ନିମଜ୍ଜିତ ହୋଇଯାଇଥିଲା । ତେଣୁ, ସେମାନେ କେବଳ ମାତ୍ର ଅଶୁଦ୍ଧ ବଂଶଧରମାନଙ୍କୁ ଜନ୍ମ ଦେଇପାରିଥିଲେ । ଯେହେତୁ ଆଦମ ଓ ହବା ପାପ କଲାପରେ ସେମାନଙ୍କର ସମସ୍ତ ସନ୍ତାନ ଜନ୍ମ ହୋଇଥିଲା, ସେମାନଙ୍କର ବଂଶଧରମାନେ ପାପ ଓ ମୃତ୍ୟୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ ।—ଗୀତସଂହିତା ୫୧:୫; ରୋମୀୟ ୫:୧୨.

୧୪. (କ) ଯେଉଁମାନେ ନିଜର ପାପକୁ ଅସ୍ୱୀକାର କରୁଛନ୍ତି, ଆମେ ସେମାନଙ୍କୁ କାହା ସହିତ ତୁଳନା କରିପାରିବା ? (ଖ) ଇଶ୍ରାୟେଲୀୟମାନଙ୍କୁ ପାପ ବିଷୟରେ କିପରି ଅବଗତ କରାଗଲା ?

୧୪ କିନ୍ତୁ ବର୍ତ୍ତମାନ ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ ଯେ, ସେମାନେ ପାପୀ । ପୃଥିବୀର କେତେକ ଭାଗରେ, ଉତ୍ତରାଧିକାର ସୂତ୍ରରେ ପାଇଥିବା ପାପ ବିଷୟରେ ଧାରଣା ସାଧାରଣ ଭାବେ ଅଜ୍ଞାତ । କିନ୍ତୁ ଏହା ପ୍ରମାଣ କରେ ନାହିଁ ଯେ, ପାପର ଅସ୍ତିତ୍ୱ ନାହିଁ । ଅପରିଷ୍କାର ମୁହଁ ଦେଖାଇ କୌଣସି ବାଳକ ହୁଏତ ଦାବିକରି ପାରେ ଯେ ସେ ପରିଷ୍କାର, ଆଉ ତାକୁ ଦର୍ପଣରେ ଦେଖାଇଲେ ଯାଇ ଏକଥା ବୁଝିପାରିବ । ପ୍ରାଚୀନ ଇଶ୍ରାୟେଲ ଜାତି ଏପରି ଏକ ବାଳକ ଭଳି ଥିଲେ, ଯେତେବେଳେ ସେମାନେ ଈଶ୍ୱରଙ୍କ ନିୟମ ମୋଶାଙ୍କ ଦ୍ୱାରା ପାଇଥିଲେ । ନିୟମ ସ୍ପଷ୍ଟ କରିଥିଲା ଯେ ପାପର ଅସ୍ତିତ୍ୱ ଅଛି । “ପାପ କʼଣ ତାହା ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି,” ପ୍ରେରିତ ପାଉଲ ବୁଝାଇଥିଲେ । (ରୋମୀୟ ୭:୭-୧୨) ଦର୍ପଣ ଦେଖୁଥିବା ବାଳକ ପରି ନିଜେ ନିଜକୁ ଦେଖିବା ପାଇଁ ନିୟମକୁ ପ୍ରୟୋଗ କରିବା ଦ୍ୱାରା ଇଶ୍ରାଲୀୟମାନେ ଜାଣିପାରିଲେ ଯେ ସେମାନେ ଯିହୋବାଙ୍କର ଦୃଷ୍ଟିରେ ଅସିଦ୍ଧ ।

୧୫. ପରମେଶ୍ୱରଙ୍କ ବଚନ ଦର୍ପଣରେ ନିଜକୁ ଦେଖିବା ଦ୍ୱାରା କʼଣ ଜଣାପଡ଼ୁଛି ?

୧୫ ପରମେଶ୍ୱରଙ୍କ ବଚନ ଦର୍ପଣରେ ନିଜକୁ ଦେଖି ଓ ତାʼର ମାନରେ ନିଜକୁ କଳନା କରି ଆମେ ଜାଣୁ ଯେ ଆମେ ଅସିଦ୍ଧ । (ଯାକୁବ ୧:୨୩-୨୫) ଉଦାହରଣ ସ୍ୱରୂପ ମାଥିଉ ୨୨:୩୭-୪୦ ପଦରେ ବର୍ଣ୍ଣିତ ପରମେଶ୍ୱରଙ୍କୁ ଓ ଆପଣା ପଡ଼ୋଶୀମାନଙ୍କୁ ଭଲ ପାଇବା ବିଷୟରେ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କୁ କହିଥିବା କଥା ବିଚାର କରନ୍ତୁ । ଏହି ବିଷୟଟି ମନୁଷ୍ୟ ଅନେକ ଥର ଭୁଲିଯାଉଅଛି ! ପରମଶ୍ୱରଙ୍କୁ ବା ପଡ଼ୋଶିଙ୍କୁ ଭଲ ପାଇବାରେ ଅସଫଳ ହେଲେ ମଧ୍ୟ ଅନେକ ଲେକଙ୍କ ବିବେକକୁ ବାଧା ଲାଗେନି ।—ଲୂକ ୧୦:୨୯-୩୭.

ଶୟତାନର କୌଶଳ ପ୍ରତି ସାବଧାନ ରୁହନ୍ତୁ !

୧୬. ଶୟତାନର କୌଶଳର ଶିକାର ହେବାରୁ ବଞ୍ଚିବା ପାଇଁ ଆମେ କʼଣ କରି ପାରିବା ଓ ତାହା କାହିଁକି କଷ୍ଟକର ?

୧୬ ଶୟତାନ ଜାଣିଶୁଣି ଆମକୁ ପାପରେ ପକାଇବାକୁ ଚେଷ୍ଟାକରେ । (୧ ଯୋହନ ୩:୮) ତାʼର କୌଶଳର ଶିକାର ହେବାରୁ ବଞ୍ଚିବା ପାଇଁ କିଛି ବାଟ ଅଛି କି ? ହଁ, କିନ୍ତୁ ଏଥିପାଇଁ ଆମେ ଇଚ୍ଛାକୃତ ପାପ ପ୍ରବଣତା ବିରୁଦ୍ଧରେ ଲଢ଼ିବା ପ୍ରୟୋଜନ । ଏହା ଏତେ ସହଜ ନୁହେଁ, କାରଣ ଆମର ପାପ କରିବାର ସହଜାତ ପ୍ରବୃତ୍ତି ବହୁତ ପ୍ରବଳ । (ଏଫିସୀୟ ୨:୩) ପ୍ରେରିତ ପାଉଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । କାହିଁକି ? କାରଣ ତାହାଙ୍କ ଭିତରେ ପାପ ଥିଲା । ଯଦି ଆମେ ପରମେଶ୍ୱରଙ୍କ ଅନୁମୋଦନ ଚାହୁଁ, ତେବେ ଆମକୁ ମଧ୍ୟ ଆମର ନିଜ ଭିତରେ ଥିବା ପାପପୂର୍ଣ୍ଣ ପ୍ରବୃତ୍ତି ବିରୁଦ୍ଧରେ ଲଢ଼ିବାକୁ ହେବ ।—ରୋମୀୟ ୭:୧୪-୨୪; ୨ କରନ୍ଥୀୟ ୫:୧୦.

୧୭. କେଉଁ କଥା ଆମର ପାପମୟ ପ୍ରବୃତ୍ତି ବିରୁଦ୍ଧରେ ହେଉଥିବା ଲଢ଼େଇକୁ କଷ୍ଟକର କରେ ?

୧୭ ଯେହେତୁ ଶୟତାନ ପରମେଶ୍ୱରଙ୍କ ନିୟମ ଉଲଙ୍ଘନ କରିବା ସକାଶେ ଆମକୁ ପ୍ରବର୍ତ୍ତାଇବା ପାଇଁ ସର୍ବଦା ସୁଯୋଗ ଖୋଜୁଥାଏ, ତେଣୁ ପାପ ବିରୁଦ୍ଧରେ ଆମର ଲଢ଼େଇ ଏତେ ସହଜ ନୁହେଁ । (୧ ପିତର ୫:୮) ଅନ୍ୟ ସହଖ୍ରୀଷ୍ଟୀୟଙ୍କ ପାଇଁ ଚିନ୍ତାକରି ପାଉଲ କହିଲେ, “ସର୍ପ ଆପଣା ଧୂର୍ତ୍ତତାରେ ହବାକୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋର ଏହି ଭୟ ହୋଉଅଛି ।” (୨ କରିନ୍ଥୀୟ ୧୧:୩) ଶୟତାନ ଆଜି ମଧ୍ୟ ତଦ୍ରୂପ କୌଶଳ ପ୍ରୟୋଗ କରୁଛି । ସେ ଯିହୋବାଙ୍କ ଶୁଭାକାଂକ୍ଷା ଏବଂ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାର ଉପକାରିତା ସମ୍ବନ୍ଧରେ ସନ୍ଦେହର ବୀଜ ବୁଣିବାକୁ ଚେଷ୍ଟା କରୁଅଛି । ଉତ୍ତରାଧିକାର ସୂତ୍ରରେ ପାଇଥିବା ଆମର ପାପ ପ୍ରବଣତାର ସୁଯୋଗ ନେଇ ଶୟତାନ ଆମକୁ ଅହଂକାର, ଲୋଭ, ଘୃଣା ଓ କୁସଂସ୍କାରର ପଥରେ ପରିଚାଳିତ କରିବାକୁ ଚେଷ୍ଟାକରେ ।

୧୮. ଶୟତାନ ପାପକୁ ବଢ଼ାଇବା ପାଇଁ ସଂସାରକୁ କିପରି ପ୍ରୟୋଗ କରୁଅଛି ?

୧୮ ଆମ ବିରୁଦ୍ଧରେ ଶୟତାନର ଗୋଟିଏ କୌଶଳ ହେଉଛି ଏଇ ସଂସାର, ଯାହା ତାʼର ଶକ୍ତିର ଅଧୀନ । (୧ ଯୋହନ ୫:୧୯) ଯଦି ଆମେ ସାବଧାନ ହେବା ନାହିଁ ତାହେଲେ ଆମ ଚାରିପାଖରେ ଥିବା ସଂସାରର ଅସତ୍‌ ଲୋକମାନେ ଆମ ଉପରେ ଏପରି ଚାପ ପକାଇବେ ଯାହାକି ପରମେଶ୍ୱରଙ୍କ ନୈତିକ ସ୍ତରକୁ ଉଲଙ୍ଘନ କରି ପାପପୂର୍ଣ୍ଣ ପଥରେ ଚାଲିବାକୁ ଆମକୁ ବାଧ୍ୟ କରିବ । (୧ ପିତର ୪:୩-୫) ଅନେକ ଲୋକ ପରମେଶ୍ୱରଙ୍କ ନିୟମକୁ ମାନୁନାହାନ୍ତି ଓ ଏପରିକି ନିଜ ବିବେକର ଆହ୍ୱାନ ଶୁଣାଇବାକୁ ରାଜି ହେଉନାହାନ୍ତି, ସେଥିପାଇଁ କ୍ରମେ ସେମାନେ ସମ୍ବେଦନହୀନ ହୋଇପଡ଼ୁଛନ୍ତି । (ରୋମୀୟ ୨:୧୪, ୧୫; ୧ ତୀମଥି ୪:୧, ୨) କିଛି ଲୋକ ଧୀରେ ଧୀରେ ଏପରି ପଥ ଅବଲମ୍ବନ କରନ୍ତି, ଯାହା ପ୍ରଥମେ ତାଙ୍କର ଅଶୁଦ୍ଧ ବିବେକ ମଧ୍ୟ ଅନୁମୋଦନ କରିନଥାନ୍ତା ।—ରୋମୀୟ ୧:୨୪-୩୨; ଏଫିସୀୟ ୪:୧୭-୧୯.

୧୯. ନିର୍ମଳ ଜୀବନ ଯାପନ କରିବା କେବଳ ମାତ୍ର ଯଥେଷ୍ଟ ନୁହେଁ କାହିଁକି ?

୧୯ ନିର୍ମଳ ଜୀବନ ଯାପନ ଏହି ସଂସାରରେ ଏକ କୃତିତ୍ୱ । କିନ୍ତୁ ଆମ ସୃଷ୍ଟିକର୍ତ୍ତାଙ୍କୁ ପ୍ରସନ୍ନ କରିବାକୁ ହେଲେ ଆହୁରି ଅଧିକ କିଛି କରିବାକୁ ପଡ଼ିବ । ଈଶ୍ୱରଙ୍କ ପ୍ରତି ଆମର ବିଶ୍ୱାସ ରହିବା ଦରକାର ଏବଂ ତାଙ୍କ ପ୍ରତି ଥିବା ଦାୟିତ୍ୱକୁ ମଧ୍ୟ ହୃଦୟଙ୍ଗମ କରିବା ଦରକାର । (ଏବ୍ରୀ ୧୧:୬) “ଯଦି କେହି ସତ୍କୃର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ ।” (ଯାକୁବ ୪:୧୭) ହଁ, ଜାଣିଶୁଣି ଈଶ୍ୱରଙ୍କ ଆଜ୍ଞା ଆଗ୍ରାହ୍ୟ କରିବା ପାପ ଅଟେ ।

୨୦. ଠିକ୍‌ ଚିନ୍ତାଧାରାରୁ ନିବୃତ୍ତ କରିବା ପାଇଁ ଶୟତାନ କିପରି ଚେଷ୍ଟା କରିପାରେ, ମାତ୍ର ଏହି ଚାପକୁ ପ୍ରତିରୋଧ କରିବା ପାଇଁ ଆପଣଙ୍କୁ କʼଣ ସାହାଯ୍ୟ କରିବ ?

୨୦ ବାଇବଲ ଅଧ୍ୟୟନ ମାଧ୍ୟମରେ ଆପଣଙ୍କର ଈଶ୍ୱର ବିଷୟକ ଜ୍ଞାନଲାଭ ପଥରେ ସମ୍ଭବତଃ ଶୟତାନ ବିରୋଧ କରିବାକୁ ପ୍ରରୋଚନା ଦେବ । ଏହା ଆଶା କରାଯାଏ ଆପଣ ଏହିପରି ଚାପରେ ପଡ଼ି ସଠିକ୍‌ ଅଭ୍ୟାସ କରିବାକୁ ଛାଡ଼ନ୍ତୁ ନାହିଁ । (ଯୋହନ ୧୬:୨) ଯଦିଓ ବହୁ ଶାସକ ଯୀଶୁଙ୍କ ପରିଚର୍ଯ୍ୟା କାଳରେ ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ, କିନ୍ତୁ କାଳେ ସେମାନେ ସମାଜଚ୍ୟୁତ ହେବେ, ଏହି ଭୟରେ ତାଙ୍କୁ ସ୍ୱୀକାର କରୁ ନ ଥିଲେ । (ଯୋହନ ୧୨:୪୨, ୪୩) ଯେଉଁମାନେ ଈଶ୍ୱରଙ୍କ ଜ୍ଞାନକୁ ଅନ୍ୱେଷଣ କରନ୍ତି, ଶୟତାନ ନିର୍ଦୟଭାବେ ସେମାନଙ୍କୁ ଧମକାଇବାକୁ ଚେଷ୍ଟା କରେ । କିନ୍ତୁ ଯିହୋବା ଯେଉଁ ବିସ୍ମୟକର କାର୍ଯ୍ୟ ସମ୍ପାଦନ କରିଛନ୍ତି, ସେଗୁଡ଼ିକୁ ଆପଣ ସ୍ମରଣ ଓ ହୃଦୟଙ୍ଗମ କରିବା ଉଚିତ୍‌ । ଏପରିକି ଏହି ଉପଲବ୍‌ଧି ପାଇବା ପାଇଁ ଆପଣ ବିରୋଧୀମାନଙ୍କୁ ସାହାଯ୍ୟ କରିବାରେ ସମର୍ଥ ହୋଇପାରିବେ ।

୨୧. ଆମେ ସଂସାରକୁ ଓ ଆମର ପାପମୟ ପ୍ରବୃତ୍ତିକୁ କିପରି ଜିତି ପାରିବା ?

୨୧ ଯେତେବେଳ ପର୍ଯ୍ୟନ୍ତ ଆମେ ଅସିଦ୍ଧ ଅଛୁ, ଆମେ ପାପ କରିବୁ । (୧ ଯୋହନ ୧:୮) ତଥାପି ଏହି ସଂଗ୍ରାମ ପାଇଁ ଆମ ପାଖରେ ସାହାଯ୍ୟ ଅଛି । ହଁ, ସେହି ଦୁଷ୍ଟ ଶୟତାନ ଅର୍ଥାତ ପିଶାଚ ବିରୁଦ୍ଧରେ ଲଢ଼ି ଜିତିବା ସମ୍ଭବ ହେବ । (ରୋମୀୟ ୫:୨୧) ପୃଥିବୀରେ ନିଜର ପରିଚର୍ଯ୍ୟା ସମୟର ଶେଷ ଭାଗରେ ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଉତ୍ସାହିତ କରି କହିଥିଲେ: “ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହାସ ଧର; ମୁଁ ଜଗତକୁ ଜୟ କରିଅଛି ।” (ଯୋହନ ୧୬:୩୩) ଈଶ୍ୱରଙ୍କ ସାହାଯ୍ୟରେ ଅସିଦ୍ଧ ଲୋକମାନଙ୍କ ପକ୍ଷରେ ଜଗତକୁ ଜିତିବା ମଧ୍ୟ ସମ୍ଭବ ହୋଇପାରିବ । ଶୟତାନ ସେମାନଙ୍କୁ ଧରିପାରିବ ନାହିଁ, ଯେଉଁମାନେ ତାକୁ ବିରୋଧ କରୁଛନ୍ତି ଏବଂ ‘ପରମେଶ୍ୱରଙ୍କ ଅଧୀନରେ ଅଛନ୍ତି ।’ (ଯାକୁବ ୪:୭; ୧ ଯୋହନ ୫:୧୮) ଆମେ ଦେଖିପାରିବା ଯେ ପରମେଶ୍ୱର ପାପ ଓ ମୃତ୍ୟୁର ବନ୍ଧନରୁ ମୁକ୍ତି ପାଇଁ ଗୋଟିଏ ମାର୍ଗ ଦେଖାଇଛନ୍ତି ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଶୟତାନ ଅର୍ଥାତ ପିଶାଚ କିଏ ?

ମନୁଷ୍ୟଜାତି ବୃଦ୍ଧ ହୋଇ ମୃତ୍ୟୁବରଣ କରେ କାହିଁକି ?

ପାପ କʼଣ ?

ଶୟତାନ ଲୋକଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ଇଚ୍ଛାକୃତ ପାପଆଡ଼କୁ କିପରି ଟାଣେ ?

[ଅଧ୍ୟୟନ ପ୍ରଶ୍ନ]

[୫୪ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]