इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଏହା ହିଁ ଶେଷ କାଳ !

ଏହା ହିଁ ଶେଷ କାଳ !

ଅଧ୍ୟାୟ ୧୧

ଏହା ହିଁ ଶେଷ କାଳ !

୧. ପୃଥିବୀର ପରିସ୍ଥିତି ସମ୍ବନ୍ଧରେ ଚିନ୍ତା କରି ଅନେକ ଲୋକ କାହିଁକି ହତବୁଦ୍ଧି ହୋଇ ପଡ଼ନ୍ତି, କିନ୍ତୁ ପୃଥିବୀ ଘଟଣାବଳୀର ଏକ ବିଶ୍ୱାସନୀୟ ବ୍ୟାଖ୍ୟା କେଉଁଠାରେ ମିଳି ପାରିବ ?

 ଆମର ଅଶାନ୍ତ ସଂସାର ଏଭଳି ସ୍ଥିତିରେ ପହଞ୍ଚିଲା କିପରି ? ଆମର ଗତିପଥ କେଉଁ ଦିଗକୁ ? ଆପଣ ଏଭଳି ପ୍ରଶ୍ନ କେବେ ପଚାରିଛନ୍ତି କି ? ଅନେକ ଲୋକ ସଂସାରର ପରିସ୍ଥିତି ଦେଖି ହତବୁଦ୍ଧି ହୋଇଯାଆନ୍ତି । ଯୁଦ୍ଧ, ରୋଗ ଓ ଅପରାଧ ଭଳି ବାସ୍ତବିକତାଗୁଡ଼ିକ ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ ଯେ ଭବିଷ୍ୟତରେ କʼଣ ଅଛି । ସରକାରୀ ନେତାମାନେ ଅଳ୍ପମାତ୍ର ଆଶା ଦେଇଥାଆନ୍ତି । ତଥାପି, ଏହି ଦୁଃଖଦାୟକ ଦିନର ଏକ ବିଶ୍ୱାସଯୋଗ୍ୟ ବ୍ୟାଖ୍ୟା ପରମେଶ୍ୱରଙ୍କ ବାକ୍ୟରୁ ମିଳିଥାଏ । ସମୟର ସ୍ରୋତରେ ଆମେ କେଉଁଠି ଅଛୁ, ଏହା ଦେଖିବା ପାଇଁ ବାଇବଲ ବିଶ୍ୱାସନୀୟ ଭାବରେ ଆମର ସାହାଯ୍ୟ କରିଥାଏ । ଏହା ଆମକୁ ଦେଖାଏ ଯେ, ଆମେ ବର୍ତ୍ତମାନ ପ୍ରଚଳିତ ରୀତିବ୍ୟବସ୍ଥାର “ଶେଷ କାଳରେ” ପହଞ୍ଚି ଯାଇଛୁ ।—୨ ତୀମଥି ୩:୧.

୨. ଯୀଶୁଙ୍କୁ ଶିଷ୍ୟମାନେ ଯେଉଁ ପ୍ରଶ୍ନ ପଚାରିଥିଲେ, ସେ ତାହାର ଉତ୍ତର କିଭଳିଭାବେ ଦେଇଥିଲେ ?

ଉଦାହରଣସ୍ୱରୂପ, ଯୀଶୁଙ୍କ ଶିଷ୍ୟମାନଙ୍କ ଦ୍ୱାରା ଉତ୍ଥାପିତ କେତେକ ପ୍ରଶ୍ନର ସେ ଯାହା ଉତ୍ତର ଦେଇଥିଲେ ସେ ସମ୍ବନ୍ଧରେ ବିଚାର କରନ୍ତୁ । ଯୀଶୁଙ୍କ ମୃତ୍ୟୁର ତିନି ଦିନ ପୂର୍ବେ ସେମାନେ ତାଙ୍କୁ ପଚାରିଥିଲେ: “ଆପଣଙ୍କ ଆଗମନ ଓ ଯୁଗାନ୍ତର [ରୀତିବ୍ୟବସ୍ଥା] ଲକ୍ଷଣ କଅଣ ହେବ ?” a (ମାଥିଉ ୨୪:୩) ପ୍ରତ୍ୟୁତ୍ତରରେ ଯୀଶୁ ବିଶେଷ ଜାଗତିକ ଘଟଣାବଳୀ ଓ ପରିସ୍ଥିତି ସମ୍ପର୍କରେ କହିଥିଲେ ଯାହା ସ୍ପଷ୍ଟରୂପେ ଦେଖେଇଥାଏ ଯେ, ଏଇ ବିଧର୍ମି ବ୍ୟବସ୍ଥା ଶେଷକାଳରେ ଉପସ୍ଥିତ ହୋଇଅଛି ।

୩. ଯୀଶୁଙ୍କ ଶାସନ ଆରମ୍ଭ ପରେ ପୃଥିବୀର ପରିସ୍ଥିତି କାହିଁକି ଅତ୍ୟଧିକ ଶୋଚନୀୟ ହୋଇଅଛି ?

ଯେପରି ପୂର୍ବବର୍ତ୍ତୀ ଅଧ୍ୟାୟରେ ପ୍ରଦର୍ଶିତ ହୋଇଛି, ବାଇବଲ କାଳକ୍ରମ ଏଇ ସିଦ୍ଧାନ୍ତରେ ଉପନୀତ କରିଥାଏ ଯେ, ପରମେଶ୍ୱରଙ୍କ ରାଜ୍ୟ ଇତିମଧ୍ୟରେ ଶାସନ ଆରମ୍ଭ କରିଛି । କିନ୍ତୁ ତାହା କିପରି ହୋଇପାରିବ ? ସ୍ଥିତି ଭଲ ନୁହେଁ, ଆହୁରି ଖରାପ ହୋଇଚାଲିଛି । ବାସ୍ତବିକ, ଏହା ହିଁ ଏକ ପ୍ରକୃଷ୍ଟ ନିଦର୍ଶନ ଯେ ପରମେଶ୍ୱରଙ୍କ ରାଜ୍ୟ ଶାସନ ଆରମ୍ଭ କରିଛି । ଏପରି କାହିଁକି ? କାରଣ ଗୀତସଂହିତା ୧୧୦:୨ ପଦ ଆମକୁ ସୂଚନା ଦିଏ, ଏକ ସମୟରେ ଯୀଶୁ “ନିଜ ଶତ୍ରୁମାନଙ୍କ ମଧ୍ୟରେ” ଶାସନ କରିବେ । ପ୍ରକୃତରେ, ଶୟତାନ ଓ ତାʼର ପୈଶାଚିକ ଦୂତମାନଙ୍କୁ ପୃଥିବୀର ସନ୍ନିକଟେ ନିକ୍ଷେପ କରିବା ସ୍ୱର୍ଗସ୍ଥ ରାଜାରୂପେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା । (ପ୍ରକାଶିତ ବାକ୍ୟ ୧୨:୯) ଏହାର ପ୍ରଭାବ କʼଣ ହୋଇଥିଲା ? ତାହା ପ୍ରକାଶିତ ବାକ୍ୟ ୧୨:୧୨ ପଦରେ ଠିକ୍‌ ସେହିପରି ଭବିଷ୍ୟଦ୍‌ବାଣୀ ହୋଇଥିଲା: “ପୃଥିବୀ ଓ ସମୁଦ୍ର, ତୁମ୍ଭେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ (ପିଶାଚ) ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଯାଇଅଛି ।” ଆମେ ବର୍ତ୍ତମାନ ସେହି “ଅତି ଅଳ୍ପ ସମୟ” ମଧ୍ୟରେ ବାସ କରୁଅଛୁ ।

୪. ଶେଷ କାଳର କେତେକ ଲକ୍ଷଣ କʼଣ ଓ ଏଗୁଡ଼ିକ କʼଣ ଇଙ୍ଗିତ କରେ ? (ବାକ୍‌ସ ଦେଖନ୍ତୁ ।)

ସୁତରାଂ ଆଶ୍ଚର୍ଯ୍ୟ ନୁହେଁ, ଯେତେବେଳେ ଯୀଶୁଙ୍କୁ ତାଙ୍କ ଆଗମନ ଓ ରୀତିବ୍ୟବସ୍ଥାର ସମାପ୍ତି ବିଷୟରେ କି ଲକ୍ଷଣ ହେବ ବୋଲି ପ୍ରଶ୍ନ କରାଯାଇଥିଲା, ତାଙ୍କର ଉତ୍ତର ପ୍ରଶାନ୍ତଜନକ ଥିଲା । ସେହି ଚିହ୍ନର ବିଭିନ୍ନ ଅଂଶାବଳୀ ୧୦୨ ପୃଷ୍ଠା ବକ୍ସ୍‌ରେ ମିଳିବ । ଯେପରି ଆପଣ ଦେଖି ପାରନ୍ତି, ଖ୍ରୀଷ୍ଟିୟାନ୍‌ ପ୍ରେରିତ ପାଉଲ, ପିତର ଓ ଯୋହନ ଶେଷ କାଳ ସଂପର୍କରେ ଆମମାନଙ୍କୁ ଆହୁରି ଅଧିକ ବିଷଦ ବିବରଣୀ ଦେଇଛନ୍ତି । ସତ, ଅଧିକାଂଶ ଲକ୍ଷଣ ଶେଷ କାଳର ଦୁଃଖମୟ ପରିସ୍ଥିତି ସହ ଜଡ଼ିତ । ତଥାପି, ଏହି ଭବିଷ୍ୟଦ୍‌ବାଣୀର ପରିପୂର୍ଣ୍ଣତାରୁ ଆମ୍ଭମାନଙ୍କ ଦୃଢ଼ବିଶ୍ୱାସ ହେବା ଉଚିତ ଯେ, ଏହି ଦୁଷ୍ଟ ରୀତି ବ୍ୟବସ୍ଥାର ପରିସମାପ୍ତି ନିକଟ ହେଲାଣି । ଆସନ୍ତୁ ଆମେ ଶେଷ କାଳର କେତେକ ମୁଖ୍ୟ ଲକ୍ଷଣ ଭଲଭାବରେ ନିରୀକ୍ଷଣ କରିବା ।

ଶେଷ କାଳର ଲକ୍ଷଣ

୫, ୬. ଯୁଦ୍ଧ ଓ ଦୁର୍ଭିକ୍ଷ ସମ୍ବନ୍ଧୀୟ ଭବିଷ୍ୟଦ୍‌ବାଣୀଗୁଡ଼ିକ କିଭଳି ସଫଳ ହେଉଅଛି ?

“ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ ।” (ମାଥିଉ ୨୪:୭; ପ୍ରକାଶିତ ବାକ୍ୟ ୬:୪) ଲେଖକ ଆର୍ନେଷ୍ଟ ହେମିଂଗ୍‌ୱେ ପ୍ରଥମ ବିଶ୍ୱଯୁଦ୍ଧକୁ କହିଥିଲେ “ପୃଥିବୀରେ ପୂର୍ବରୁ କେବେ ଘଟି ନ ଥିବା ସବୁଠାରୁ ବଡ଼, ନାରକୀୟ, କୁପରିଚାଳିତ ହତ୍ୟାକାଣ୍ଡ” ଦି ୱାର୍ଲଡ୍‌ ଇନ୍‌ ଦି କ୍ରୁସିବଲ୍‌—୧୯୧୪-୧୯୧୯ (ଇଂଗ୍ରାଜୀ) ପୁସ୍ତକ ଅନୁସାରେ, ଏହା ଥିଲା “ଯୁଦ୍ଧର ଏକ ନୂତନ ପରିସର, ମାନବଜାତିର ଅଭିଜ୍ଞତାରେ ପ୍ରଥମ ସମ୍ପୁର୍ଣ୍ଣ ଯୁଦ୍ଧ । ଏହାର ସମୟ, ବ୍ୟାପକତା ଓ ପ୍ରଭାବ ପୂର୍ବର ସବୁ ଅଭିଜ୍ଞତା ଓ ସାଧାରଣ ସମ୍ଭାବନାକୁ ଅତିକ୍ରମ କରିଯାଇଥିଲା ।” ତାʼପରେ ଆସିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଯାହାକି ପ୍ରଥମ ବିଶ୍ୱଯୁଦ୍ଧ ଅପେକ୍ଷା ଅଧିକ ଧ୍ୱଂସାତ୍ମକ ପ୍ରମାଣିତ ହୋଇଥିଲା । ଇତିହାସର ଅଧ୍ୟାପକ ହ୍ୟୁ ଥୋମାସ କହନ୍ତି, “ବିଂଶ ଶତାବ୍ଦୀରେ ମେଶିନ୍‌ ଗନ୍‌, ଟ୍ୟାଙ୍କ୍‌, ବୀ-୫୨ [ବୋମାବର୍ଷକ ବିମାନ], ପାରମାଣୁ ବୋମା ଓ ପରିଶେଷରେ କ୍ଷେପଣାସ୍ତ୍ର ପ୍ରଭୂତ୍ୱ ବିସ୍ତାର କଲା । ଅନ୍ୟାନ୍ୟ ଯୁଗର ଯେ କୌଣସି ଯୁଦ୍ଧ ଅପେକ୍ଷା ଏହା ଅତ୍ୟଧିକ ରକ୍ତାକ୍ତ ଓ ଧ୍ୱଂସକାରୀ ରୂପେ ଚିହ୍ନିତ ।” ଶୀତଳ ଯୁଦ୍ଧ ଶେଷ ହେବା ପରେ ନିରସ୍ତ୍ରୀକରଣ ସଂପର୍କରେ ଅନେକ କିଛି କୁହାଯାଇଥିଲା ସତ । କିନ୍ତୁ ଗୋଟିଏ ବିବରଣୀ ହିସାବ ଦିଏ ଯେ ପ୍ରସ୍ତାବିତ ହ୍ରାସ ପରେ ପ୍ରାୟ ୧୦,୦୦୦ ରୁ ୨୦,୦୦୦ ପାରମାଣବିକ ଅସ୍ତ୍ରଶସ୍ତ୍ର ରହିଥିବ—ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ହୋଇଥିବା ଅଗ୍ନିଶକ୍ତି ଅପେକ୍ଷା ୯୦୦ ଗୁଣରୁ ବି ଅଧିକ ।

“ଦୁର୍ଭିକ୍ଷ ହେବ ।” (ଖାଦ୍ୟାଭାବ) (ମାଥିଉ ୨୪:୭; ପ୍ରକାଶିତ ବାକ୍ୟ ୬:୫, ୬, ୮) ୧୯୧୪ ମସିହାପରଠାରୁ ଅନ୍ତତଃ ୨୦ଟି ମାରାତ୍ମକ ଦୁର୍ଭିକ୍ଷ ହୋଇଛି । ଦୁର୍ଦ୍ଦଶାଗ୍ରସ୍ତ ଅଞ୍ଚଳର ଅନ୍ତର୍ଭୁକ୍ତ ଦେଶଗୁଡ଼ିକ ହେଲା ବଙ୍ଗଳାଦେଶ, ବୁରୁଣ୍ଡି, କାମ୍ବୋଡିଆ, ଚୀନ, ଇଥିଓପିଆ, ଗ୍ରୀସ୍‌, ଭାରତ, ନାଇଜେରିଆ, ଋଷିଆ, ରୁୱାଣ୍ଡା, ସୋମାଲିୟା ଓ ସୁଦାନ । କିନ୍ତୁ ଦୁର୍ଭିକ୍ଷ ସର୍ବଦା ଖାଦ୍ୟାଭାବ କାରଣରୁ ହୋଇନଥାଏ । ଦଳେ କୃଷି-ବୈଜ୍ଞାନିକ ଓ ଅର୍ଥଶାସ୍ତ୍ରଜ୍ଞମାନଙ୍କ ସିଦ୍ଧାନ୍ତ ହେଲା: “ଗତ କେତେ ଦଶନ୍ଧିଧରି ପୃଥିବୀର ଖାଦ୍ୟ ଯୋଗାଣ, ଜନସଂଖ୍ୟାଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଅନ୍ତତଃ ୮୦ କୋଟି ଲୋକେ ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ଅଛନ୍ତି, . . . ସେମାନେ କ୍ରମାଗତ ପୁଷ୍ଟିସାର ଅଭାବରୁ ଉଦ୍ଧାର ପାଇବା ପାଇଁ ପ୍ରଚୁର ପରିମାଣର ଖାଦ୍ୟ କ୍ରୟ କରିବାରେ ଅସମର୍ଥ ।” ଅନ୍ୟାନ୍ୟ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଜଡ଼ିତ ହୋଇ ରହିଛି । ଟରଣ୍ଟୋ ବିଶ୍ୱବିଦ୍ୟାଳୟର ଡା. ଆବ୍‌ଡେଲ୍ଗାଲୀଲ୍‌ ଏଲ୍‌ମେକୀ ଦୁଇଟି ଉଦାହରଣ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ବିପୁଳ ପରିମାଣର ଖାଦ୍ୟ ବିଦେଶକୁ ରପ୍ତାନି ହେଉଥିବା ବେଳେ ସେଠାରେ ହଜାର ହଜାର ଲୋକ ଅନାହାରରେ ରହୁଛନ୍ତି । ମନେ ହୁଏ ସରକାରମାନେ ନିଜ ଦେଶବାସୀଙ୍କୁ ଖାଦ୍ୟଯୋଗାଣ ପରିବର୍ତ୍ତେ ଯୁଦ୍ଧରେ ବିନିଯୋଗ କରିବା ପାଇଁ ବିଦେଶୀ ମୁଦ୍ରା ଅର୍ଜନ କରିବାରେ ଆଗ୍ରହୀ । ଡା. ଏଲ୍‌ମେକୀଙ୍କ ସିଦ୍ଧାନ୍ତ ? ଦୁର୍ଭିକ୍ଷ ହେଲା ପ୍ରାୟତଃ “ବଣ୍ଟନ ଓ ସରକାରୀ ନୀତିର ଏକ ସୃଷ୍ଟି ।”

୭. ଆଜିକାଲିର ମହାମାରୀ ସଂପର୍କୀୟ ତଥ୍ୟଗୁଡ଼ିକ କʼଣ ?

“ମହାମାରୀ ।” (ଲୂକ ୨୧:୧୧; ପ୍ରକାଶିତ ବାକ୍ୟ ୬:୮) ସ୍ପେନିସ ଇନ୍‌ଫ୍ଲୁଏଞ୍ଜା ୧୯୧୮-୧୯ ମସିହାରେ ଅନ୍ତତଃ ୨.୧ କୋଟି ଲୋକଙ୍କ ଜୀବନ ନେଇଥିଲା । ଏ. ଏ. ହୋୟେଲିଂ ଦି ଗ୍ରେଟ୍‌ ଏପିଡେମିକ୍‌ ପୁସ୍ତକରେ ଲେଖିଛନ୍ତି: “ଇତିହାସରେ କେବେ ବି ପୃଥିବୀ ଏପରି କୌଣସି ହତ୍ୟାକାରୀ ଦ୍ୱାରା ଧ୍ୱଂସ ହେବାର ଦେଖି ନାହିଁ, ଯିଏ ଏତେଶୀଘ୍ର ଏତେବେଶୀ ମନୁଷ୍ୟଙ୍କୁ ଗ୍ରାସ କରିନେଇଛି ।” ଆଜିକାଲି ମହାମାରୀର ପ୍ରକୋପ ବଢ଼ି ଚାଲିଛି । ପ୍ରତି ବର୍ଷ କ୍ୟାନ୍‌ସର ୫୦ ଲକ୍ଷ ଲୋକଙ୍କୁ ମାରୁଛି, ଆମାଶୟ ରୋଗରେ ୩୦ ଲକ୍ଷରୁ ଅଧିକ ଶିଶୁ ଓ ପିଲାଙ୍କ ଜୀବନହାନି ଘଟୁଛି ଓ ଯକ୍ଷ୍ମାରୋଗରେ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଶ୍ୱାସ-ସଂକ୍ରମଣ, ମୁଖ୍ୟତଃ ନିମୋନିଆରେ ପ୍ରତି ବର୍ଷ ପାଞ୍ଚ ବର୍ଷରୁ କମ୍‌ ବୟସର ୩୫ ଲକ୍ଷ ପିଲାଙ୍କ ଜୀବନ ଯାଉଛି । ୨୫୦ କୋଟି—ପୃଥିବୀର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଲୋକେ—ଜଳାଭାବ— ଦୂଷିତ ଜଳ ଓ ମଇଳା-ନିଷ୍କାଶନ ଅବ୍ୟବସ୍ଥା କାରଣରୁ ବହୁ ପ୍ରକାର ରୋଗ ଭୋଗିଥାଆନ୍ତି । ଏଡ୍‌ସ ସ୍ମରଣ କରାଇ ଦିଏ ଯେ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖଯୋଗ୍ୟ ସଫଳତା ସତ୍ୱେ, ମନୁଷ୍ୟ ମହାମାରୀ ଦୂର କରିବାରେ ସକ୍ଷମ ନୁହେଁ ।

୮. ଲୋକେ କିପରି “ଲୋଭୀ” ପ୍ରମାଣିତ ହେଉଛନ୍ତି ?

“ଲୋକମାନେ . . . ଧନଲୋଭୀ ହେବେ ।” (୨ ତୀମଥି ୩:୨) ପୃଥିବୀର ସମସ୍ତ ଦେଶରେ ମନେ ହୁଏ ଆହୁରି ଅଧିକ ସମ୍ପତ୍ତି ପାଇଁ ମନୁଷ୍ୟମାନଙ୍କର ଅତୃପ୍ତ କ୍ଷୁଧା ରହିଛି । ପ୍ରାୟତଃ ଜଣେ ବ୍ୟକ୍ତିର ବେତନ ପରିମାଣରୁ ତାʼର “ସଫଳତା” ଓ ତା ପାଖରେ ଯେତେ ଅଛି ସେଥିରୁ ତାʼର “କୃତିତ୍ତ୍ୱ” ମପାଯାଏ । ଏକ ବିଜ୍ଞାପନ ସଂସ୍ଥାର ଉପାଧ୍ୟକ୍ଷ କହିଥିଲେ “ବସ୍ତୁବାଦ ଆମେରୀକୀୟ ସମାଜରେ ଅନ୍ୟତମ ଚଳିତ ଶକ୍ତି . . . ଓ ଅନ୍ୟାନ୍ୟ ପ୍ରମୁଖ ବଜାରମାନଙ୍କରେ ମଧ୍ୟ ଅଧିକାଧିକ ମହତ୍ୱପୂର୍ଣ୍ଣ ଶକ୍ତି ଭାବରେ ରହିଥିବ ।” ଏହା କʼଣ ଆପଣ ରହୁଥିବା ସ୍ଥାନରେ ବି ଘଟୁଛି ?

୯. ପିତାମାତାଙ୍କ ପ୍ରତି ପୂର୍ବକଥିତ ଅବଜ୍ଞା ସମ୍ପର୍କରେ କʼଣ କୁହାଯାଇପାରେ ?

“ପିତାମାତାଙ୍କର ଅବାଧ୍ୟ ।” (୨ ତୀମଥି ୩:୨) ବର୍ତ୍ତମାନ-ସମୟରେ ପିତାମାତା, ଶିକ୍ଷକ ଓ ଅନ୍ୟମାନଙ୍କଠାରେ ପ୍ରତ୍ୟକ୍ଷ ପ୍ରମାଣ ଅଛି ଯେ ଅନେକ ପିଲା ହେଉଛନ୍ତି ଅସମ୍ମାନକାରୀ ଓ ଅବଜ୍ଞାକାରୀ । ଏମାନଙ୍କ ମଧ୍ୟରୁ କେତେକ ଅଳ୍ପବୟସ୍କ ପିଲା ନିଜ ପିତାମାତାଙ୍କ ଅସଦାଚରଣ ପ୍ରତି ପ୍ରତିକ୍ରିୟା ଦେଖାନ୍ତି କିମ୍ବା ତାହାର ଅନୁକରଣ କରୁଛନ୍ତି । କ୍ରମବର୍ଦ୍ଧନ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟ, ଆଇନ୍‌, ଧର୍ମ ଓ ନିଜ ପିତାମାତାଙ୍କ ଉପରୁ ବିଶ୍ୱାସ ହରେଇଛନ୍ତି ଏବଂ ସେମାନେ ତାଙ୍କ ପ୍ରତି ବିଦ୍ରୋହ କରୁଛନ୍ତି । ଜଣେ ଅଭିଜ୍ଞ ଶିକ୍ଷକଙ୍କ ମତରେ, “ମନେ ହୁଏ ଯେ କୌଣସି କଥା ପ୍ରତି ସମ୍ମାନ କମାଇ ଦେବା ସେମାନଙ୍କର ପ୍ରବୃତ୍ତିରେ ପରିଣତ ହୋଇଛି ।” କିନ୍ତୁ ଆନନ୍ଦର ବିଷୟ ଯେ ପରମେଶ୍ୱରଙ୍କୁ ଭୟ କରୁଥିବା ଅନେକ ପିଲାଙ୍କ ଆଚରଣ ଆଦର୍ଶନୀୟ ।

୧୦, ୧୧. ଲୋକେ କ୍ରୂର ଓ ସ୍ୱାଭାବିକ ସ୍ନେହଶୂନ୍ୟ ହେବେ, ଏହାର କି ପ୍ରମାଣ ଅଛି ?

୧୦ “କ୍ରୂର ।” (୨ ତୀମଥି ୩:୩, NW) “କ୍ରୂର” ଏଇ ଗ୍ରୀକ୍‌ ଶବ୍ଦଟିର ଅନୁଦିତ ଅର୍ଥ ହେଉଛି ‘ନିର୍ଦୟ, ହିଂସ୍ର ଓ ମାନବିକ କରୁଣା ଓ ସହାନୁଭୂତିର ଅଭାବ ।’ ବର୍ତ୍ତମାନ ସମୟର ଅନେକ ହିଂସ୍ର, ଦୁଷ୍କର୍ମକାରୀମାନଙ୍କ ପ୍ରତି ଏହା କେତେ ପ୍ରଯୁଜ୍ୟ ! ଗୋଟିଏ ସମ୍ପାଦକୀୟରେ କୁହାଯାଇଥିଲା, “ଜୀବନ ଏତେ ଅପ୍ରୀତିକର, ଏତେ ରକ୍ତାକ୍ତ ବିଭୀଷିକାପୂର୍ଣ ହୋଇଯାଇଛି ଯେ ଦୈନିକ ସମ୍ବାଦ ପଢ଼ିବା ପାଇଁ ଏକ ଲୌହ ହୃଦୟ ପ୍ରୟୋଜନ ।” ଜଣେ ଗୃହ ନିରାପତା-ରକ୍ଷୀ କହିଥିଲେ, ଏମିତି ମନେ ହୁଏ ଯେ ଏବେ ଅନେକ ଯୁବକ ନିଜ କର୍ମର ପରିଣାମ ପ୍ରତି ଏକାବେଳକେ ଅନ୍ଧ । ସେ କହିଲେ: “ମନୋଭାବ ହେଉଛି, ‘କାଲି କʼଣ ହେବ ମୁଁ ଜାଣେନା । ମୋର ଯାହା ଦରକାର ମୁଁ ଆଜି ହିଁ ନେବି ।’”

୧୧ “ସ୍ୱାଭାବିକ ସ୍ନେହଶୂନ୍ୟ ।” (୨ ତୀମଥି ୩:୩) ଗ୍ରୀକ୍‌ ଶବ୍ଦରୁ ଅନୁଦିତ ଏହି ଶବ୍ଦଟିର ଅର୍ଥ “ହୃଦୟହୀନ, ଅମାନୁଷିକ” ଓ ଏକ “ସ୍ୱାଭାବିକ ପରିବାରିକ ସ୍ନେହର ଅଭାବ ।” (ଦି ନ୍ୟୁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡିକ୍ସ୍‌ନାରୀ ଅଫ୍‌ ନ୍ୟୁ ଟେଷ୍ଟାମେଣ୍ଟ୍‌ ଥିୟୋଲୋଜୀ, ଇଂରାଜୀ) ହଁ, ପରିବାର ମଧ୍ୟରେ ଯେଉଁଠି ପ୍ରକୃତରେ ସ୍ନେହ ରହିବା କଥା ସେଠି ଆଦୌ ରହେ ନାହିଁ । ବିବାହିତ ସାଥୀ, ଛୋଟ ପିଲା ଓ ଏପରିକି ବୟସ୍କ ପିତାମାତାଙ୍କ ପ୍ରତି ଅପବ୍ୟବହାରର ବିବରଣ ଅତି ସାଧାରଣ ଘଟଣାଭାବେ ଚିନ୍ତାର ବିଷୟ ହୋଇ ପଡ଼ିଛି । ଗୋଟିଏ ଗବେଷକ ଦଳ ମନ୍ତବ୍ୟ ଦେଇଛନ୍ତି: “ଗୋଟିଏ ଚାପଡ଼ କିମ୍ବା ଧକ୍କା, ଛୁରିମରା କିମ୍ବା ଗୁଳିଚାଳନା—ଏଭଳି ମାନବ ହିଁସା ଆମ ସମାଜର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ପରିବାର ଭିତରେ ହିଁ ବାରମ୍ବାର ଘଟିଥାଏ ।”

୧୨. ଲୋକେ ଈଶ୍ୱରୀୟ ଭକ୍ତିର ବେଶ ଧରନ୍ତି, ଏହା କାହିଁକି କୁହାଯାଇପାରେ ?

୧୨ “ସେମାନେ ଭକ୍ତିର ଭେଖ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି ।” (୨ ତୀମଥି ୩:୫) ଜୀବନକୁ ଉତ୍ତମ ଦିଗରେ ପରିଚାଳିତ କରିବା ପାଇଁ ବାଇବଲର ଶକ୍ତି ରହିଛି । (ଏଫିସୀୟ ୪:୨୨-୨୪) ତଥାପି, ବର୍ତ୍ତମାନ ଅନେକେ ନିଜ ଧର୍ମକୁ ଏକ ପର୍ଦାରୂପେ ବ୍ୟବହାର କରି ତାହାରି ପଛରେ ସେମାନେ ଏଭଳି ବିଧର୍ମ କାମ କରୁଛନ୍ତି ଯାହା ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରୁଛି । ମିଥ୍ୟା, ଚୋରୀ ଓ ଯୌନଗତ ବ୍ୟଭିଚାର ଏସବୁକୁ ପ୍ରାୟ ଧାର୍ମିକ ନେତାମାନେ ମାର୍ଜନା କରୁଛନ୍ତି । ଅନେକ ଧର୍ମ ପ୍ରେମର ପ୍ରଚାର କରନ୍ତି ଅଥଚ ଯୁଦ୍ଧକୁ ସମର୍ଥନ କରୁଛନ୍ତି । ଇଣ୍ଡିଆ ଟୁଡେ ପତ୍ରିକାର ଏକ ସଂପାଦକୀୟ ଲେଖା ମନ୍ତବ୍ୟ ଦିଏ, “ସର୍ବୋଚ୍ଚ ସୃଷ୍ଟିକର୍ତ୍ତାଙ୍କ ନାମରେ ମନୁଷ୍ୟ ନିଜ ଜାତି ପ୍ରତି ଅତି ଘୃଣ୍ୟ ନୃଶଂସ ଦୁଷ୍କର୍ମ କରିଅଛି ।” ବାସ୍ତବରେ, ନିକଟ ଅତୀତରେ ଦୁଇଗୋଟି ରକ୍ତାକ୍ତ ସଂଘର୍ଷ—ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧଖ୍ରୀଷ୍ଟୀୟଜଗତର କେନ୍ଦ୍ରଭୂମିରେ ସଂଘଟିତ ହୋଇଥିଲା ।

୧୩. ପୃଥିବୀକୁ ବିନାଶ କରିଦିଆଯାଉଛି, ଏହାର କି ପ୍ରମାଣ ଅଛି ?

୧୩ “ପୃଥିବୀକୁ ବିନାଶ କରିବା ।” (ପ୍ରକାଶିତ ବାକ୍ୟ ୧୧:୧୮) ସାରା ପୃଥିବୀରୁ ୧୦୪ ଜଣ ନୋବେଲ ପୁରଷ୍କାର ବୀଜେତାମାନଙ୍କ ସମେତ ୧,୬୦୦ରୁ ଅଧିକ ବୈଜ୍ଞାନିକ ସମ୍ପୃକ୍ତ ବୈଜ୍ଞାନିକ ସଙ୍ଘ (ୟୁ. ସି. ଏସ୍‌), ଦ୍ୱାରା ପ୍ରକାଶିତ ଏକ ସତର୍କବାଣୀ ଜାରୀ କରାଯାଇଥିଲା ଯେ, “ମନୁଷ୍ୟ ଓ ପ୍ରାକୃତିକ ଜଗତ ଏକ ସଂଘର୍ଷ ପଥରେ ରହିଛି । ମାତ୍ର କେତେ ଦଶକ ମଧ୍ୟରେ ବିପତ୍ତି ଏଡ଼ାଇବାର ସମସ୍ତ ଉପାୟ ଶେଷ ହୋଇଯିବ ।” ବିବରଣୀ ଅନୁଯାୟୀ ମନୁଷ୍ୟର ଜୀବନ-ହାନିକାରକ ଅଭ୍ୟାସଗୁଡ଼ିକ “ପୃଥିବୀକୁ ଏପରିଭାବେ ପରିବର୍ତ୍ତିତ କରିଦେବ ଯେ ସ୍ୱାଭାବିକ ଭାବେ ଆମର ଜୀବନ ନିର୍ବାହ କରିବା ଅସମ୍ଭବ ହେବ ।” ଓଜୋନ ସ୍ତରର ଅବକ୍ଷୟ, ଜଳ ପ୍ରଦୂଷଣ, ନିର୍ବନୀକରଣ, ମୃତ୍ତିକାର ଉର୍ବରତା ହ୍ରାସ ଓ ବହୁ ଜୀବ ଓ ଉଦ୍ଭିଦ ପ୍ରଜାତିର ବିଲୋପ ଅତୀବ ଜରୁରୀ ସମସ୍ୟା ବୋଲି ଉଲ୍ଲେଖ କରାଯାଇଛି ଯାହାର ପ୍ରତିକାର ଅବଶ୍ୟକ । ୟୁ.ସୀ.ଏସ. କହିଅଛି, “ପରସ୍ପର ନିର୍ଭରଶୀଳ ଜୀବନ ସ୍ରୋତର ଅବୈଧ ପରିବର୍ତ୍ତନ ଏପରି ଗଭୀର ପ୍ରଭାବ ପକେଇପାରେ, ଯାହା ଫଳରେ ଆମର ସ୍ୱଳ୍ପଜ୍ଞାତ ଜୀବଜଗତର ଜୀବନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଧ୍ୱଂସ ହୋଇପାରେ ।”

୧୪. ମାଥିଉ ୨୪:୧୪ ପଦ ଆମ ସମୟରେ ପରିପୂର୍ଣ୍ଣ ହେଉଛି, ଆପଣ କିପରି ପ୍ରମାଣ ଦେଇପାରିବେ ?

୧୪ “ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।” (ମାଥିଉ ୨୪:୧୪) ଯୀଶୁ ଭବିଷ୍ୟଦ୍‌ବାଣୀ କରିଥିଲେ ଯେ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ସୁସମାଚାର ପୃଥିବୀବ୍ୟାପୀ ପ୍ରଚାର କରାଯିବ । ଐଶ୍ୱରିକ ସାହାଯ୍ୟ ଓ ଆଶୀର୍ବାଦରୁ ଲକ୍ଷ ଲକ୍ଷ ଯିହୋବାଙ୍କ ସାକ୍ଷୀଗଣ କୋଟି କୋଟି ଘଣ୍ଟା ବ୍ୟୟ କରୁଛନ୍ତି ଏହି ପ୍ରଚାର ଓ ଶିଷ୍ୟ ସଂଗ୍ରହ କରିବା କାର୍ଯ୍ୟରେ । (ମାଥିଉ ୨୮:୧୯, ୨୦) ହଁ, ସାକ୍ଷୀଗଣ ଜାଣନ୍ତି ଯେ, ଯଦି ସେମାନେ ସୁସମାଚାର ପ୍ରଚାର ନ କରିବେ ତାହେଲେ ସେମାନେ ଅପରାଧୀ ହେବେ । (ଯିହିଜିକଲ ୩:୧୮, ୧୯) କିନ୍ତୁ ସେମାନେ ଆନନ୍ଦିତ, କାରଣ ପ୍ରତି ବର୍ଷ ହଜାର ହଜାର ବ୍ୟକ୍ତି କୃତଜ୍ଞତାର ସହିତ ରାଜ୍ୟବାର୍ତ୍ତା ପ୍ରତି ଅନୁକୂଳ ମନୋଭାବ ଦେଖାଉଛନ୍ତି ଓ ସତ୍ୟ ଖ୍ରୀଷ୍ଟିୟାନ ହିସାବରେ କାର୍ଯ୍ୟ କରୁଛନ୍ତି ଅର୍ଥାତ୍‌ ଯିହୋବାଙ୍କ ସାକ୍ଷୀରୂପେ ନିଜକୁ ପରିଚିତ କରୁଛନ୍ତି । ଯିହୋବାଙ୍କ ସେବା କରିବା ଓ ତାଙ୍କ ଜ୍ଞାନ ପ୍ରସାରିତ କରିବା ଏକ ମୂଲ୍ୟବାନ ବିଶେଷାଧିକାର ଅଟେ । ସମୁଦାୟ ପୃଥିବୀରେ ଏହି ସୁସମାଚାର ପ୍ରଚାର ହେବା ପରେ ଏହି ଦୁଷ୍ଟ ରୀତି ବ୍ୟବସ୍ଥାର ସମାପ୍ତି ଘଟିବ ।

ସାକ୍ଷ୍ୟପ୍ରମାଣ ପ୍ରତି ଅନୁରୂପ ପ୍ରତିକ୍ରିୟା ଦେଖାନ୍ତୁ

୧୫. କିଭଳିଭାବେ ବର୍ତ୍ତମାନ ପ୍ରଚଳିତ ଦୁଷ୍ଟ ରୀତି ବ୍ୟବସ୍ଥାର ସମାପ୍ତି ହେବ ?

୧୫ ଏହି ବ୍ୟବସ୍ଥାର ସମାପ୍ତି କିପରି ହେବ ? ବାଇବଲ ଭବିଷ୍ୟଦ୍‌ବାଣୀ କରେ ଯେ ଏହି ପୃଥିବୀର ରାଜନୈତିକ ସତ୍ତା ଦ୍ୱାରା ‘ମହାନଗରୀ ବାବିଲୋନ’ (NW) ଅର୍ଥାତ୍‌ ମିଥ୍ୟା ଧର୍ମର ବିଶ୍ୱ ସାମ୍ରାଜ୍ୟ ଉପରେ ଆକ୍ରମଣ ସହିତ ଏକ “ମହାକ୍ଳେଶ” ଆରମ୍ଭ ହେବ । (ମାଥିଉ ୨୪:୨୧; ପ୍ରକାଶିତ ବାକ୍ୟ ୧୭:୫, ୧୬) ଯୀଶୁ କହିଥିଲେ ଏହି ସମୟରେ ‘ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ ।’ (ମାଥିଉ ୨୪:୨୯) ଏହା ସାକ୍ଷାତ ଦୈବ ଘଟଣାଗୁଡ଼ିକୁ ସୂଚିତ କରିପାରେ । ଯେପରି ଭାବେ ହେଉ ଧର୍ମ ଜଗତର ଦିପ୍ତିମାନ ଆଲୋକରେଖାଗୁଡ଼ିକୁ ପଦାରେ ପକାଇ ଦୂରୀଭୂତ କରାଯିବ । ତାʼପରେ ଶୟତାନ, ଯାହାକୁ “ମାଗୋଗ ଦେଶର ଗୋଗ” କୁହାଯାଇଛି, ଯିହୋବାଙ୍କ ଲୋକମାନଙ୍କ ଉପରେ ସାମଗ୍ରିକ ଆକ୍ରମଣ କରିବା ପାଇଁ ଭ୍ରଷ୍ଟ ଲୋକମାନଙ୍କୁ ବ୍ୟବହାର କରିବ । କିନ୍ତୁ ଶୟତାନ ସଫଳ ହେବ ନାହିଁ, କାରଣ ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ । (ଯିହିଜିକଲ ୩୮:୧, ୨, ୧୪-୨୩) “ସର୍ବଶକ୍ତିମାନ ପରମେଶ୍ୱରଙ୍କ ସେଇ ମହାଦିନର ଯୁଦ୍ଧରେ” ଅର୍ଥାତ୍‌ ଆର୍ମାଗେଦନ ସମୟରେ “ମହାକ୍ଳେଶ” ଚରମତା ଲଭିବ । ତାହା ଶୟତାନର ପାର୍ଥିବ ସଂଗଠନର କୌଣସି ଅବଶେଷ ରହିବାକୁ ଦେବ ନାହିଁ । ରକ୍ଷାପ୍ରାପ୍ତ ମାନବଜାତି ପ୍ରତି ଅଶେଷ ଆଶୀର୍ବାଦର ଧାରା ଉନ୍ମକ୍ତ ହେବ ।—ପ୍ରକାଶିତ ବାକ୍ୟ ୭:୯, ୧୪; ୧୧:୧୫; ୧୬:୧୪, ୧୬; ୨୧:୩, ୪.

୧୬. ଆମେ କିପରି ଜାଣିବା ଯେ ଶେଷ କାଳ ପାଇଁ ଭବିଷ୍ୟଦ୍‌ବାଣୀ ହୋଇଥିବା ଲକ୍ଷଣସବୁ ଆମ ସମୟରେ ଲାଗୁ ହେଉଛି ?

୧୬ ଶେଷକାଳର ବର୍ଣ୍ଣନା ଦେଉଥିବା ଭବିଷ୍ୟତର କିଛି ଲକ୍ଷଣ ଆପଣାଛାଏଁ ଇତିହାସର ଅନ୍ୟ କାଳରେ ପ୍ରଯୋଜ୍ୟ ବୋଲି ମନେ ହୋଇପାରେ । କିନ୍ତୁ ସମନ୍ୱିତ କରାଗଲେ ଭବିଷ୍ୟଦ୍‌ବାଣୀର ପ୍ରମାଣଗୁଡ଼ିକ ଆମ ସମୟକୁ ନିର୍ଭୁଲଭାବେ ଦେଖେଇଦିଏ । ଉଦାହରଣସ୍ୱରୂପ: କୌଣସି ବ୍ୟକ୍ତିର ହସ୍ତାଙ୍ଗୁଳିର ରେଖାସମୂହର ଛାପ ଏପରି ନମୁନା ଦିଏ ଯେ ଅନ୍ୟ କୌଣସି ବ୍ୟକ୍ତିର ହୋଇ ପାରେନା । ସେହି ପ୍ରକାରେ ଶେଷକାଳର ନିଜସ୍ୱ ଛାପ ଅଥବା ଚିହ୍ନ ବା ଘଟଣାବଳୀର ନମୁନା ରହିଛି । ଏହା ଏଭଳି “ହସ୍ତାଙ୍ଗୁଳିର ଛାପ” ଗଠନ କରେ ଯାହା ଅନ୍ୟ କୌଣସି ସମୟର ହୋଇ ପାରେନା । ପରମେଶ୍ୱରଙ୍କ ସ୍ୱର୍ଗୀୟ ରାଜ୍ୟ ବର୍ତ୍ତମାନ ଶାସନ କରୁଛି ସେ ସମ୍ବନ୍ଧରେ ବାଇବଲ ସୂଚନାଗୁଡ଼ିକୁ ନେଇ ଯେତେବେଳେ ବିବେଚନା କରା ହୁଏ, ସାକ୍ଷ୍ୟପ୍ରମାଣ ଆମକୁ ଏପରି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଏକ ଦୃଢ଼ ଭିତ୍ତି ଦେଇଥାଏ ଯେ ଏହି ସମୟ ବାସ୍ତବରେ ଶେଷକାଳ । ଆହୁରି ସ୍ପଷ୍ଟଭାବରେ ଶାସ୍ତ୍ରୀୟ ପ୍ରମାଣ ରହିଛି ଯେ ବର୍ତ୍ତମାନ ଦୁଷ୍ଟ ବ୍ୟବସ୍ଥାର ଶୀଘ୍ର ଧ୍ୱଂସ ହେବ ।

୧୭. ଶେଷ କାଳର ଏହି ଜ୍ଞାନ ଆମକୁ କʼଣ କରିବା ପାଇଁ ପରିଚାଳିତ କରିବା ଉଚିତ ?

୧୭ ଏସବୁ ପ୍ରମାଣ ଦେଖି ଏହା ଯେ ଶେଷକାଳ, ଏକଥା ଆପଣ କିଭଳି ଗ୍ରହଣ କରିବେ ? ଏହା ଉପରେ ବିଚାର କରନ୍ତୁ: ଯଦି ଏକ ଭୟଙ୍କର ଧ୍ୱଂସାତ୍ମକ ଝଡ଼ ହେବାର ଅଛି, ଅବିଳମ୍ବେ ଆମେ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବା । ବର୍ତ୍ତମାନ ବ୍ୟବସ୍ଥା ସମ୍ବନ୍ଧରେ ବାଇବଲ କହୁଥିବା ବିଷୟଗୁଡ଼ିକୁ ଆମେ କାର୍ଯ୍ୟରେ ପରିଣତ କରିବା ଉଚିତ । (ମାଥିଉ ୧୬:୧-୩) ଆମେ ସ୍ପଷ୍ଟଭାବେ ଦେଖିପାରୁଛୁ ଯେ, ଆମେ ଏହି ପ୍ରଚଳିତ ବ୍ୟବସ୍ଥାର ଶେଷକାଳରେ ବାସ କରୁଛୁ । ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ପାଇଁ ଯେ କୌଣସି ପ୍ରୟୋଜନୀୟ ପରିବର୍ତ୍ତନକୁ ଆମେ ଗ୍ରହଣ କରିବା ଉଚିତ । (୨ ପିତର ୩:୩, ୧୦-୧୨) ପରିତ୍ରାଣକର୍ତ୍ତା ରୂପେ ନିଜକୁ ଉଲ୍ଲେଖ କରିବା ସମୟରେ ଯୀଶୁ ଅତ୍ୟାବଶ୍ୟକ ଆହ୍ୱାନ କରିଅଛନ୍ତି: “ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତ୍‌ତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍‌ ତୁମ୍ଭମାନଙ୍କ ଉପରେ ପଡ଼େ; କାରଣ ତାହା ଫାନ୍ଦସ୍ୱରୂପେ ସମଗ୍ର ପୃଥିବୀନିବାସୀସମସ୍ତଙ୍କ ଉପରେ ଆସିବ । କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ ।”—ଲୂକ ୨୧:୩୪-୩୬.

[ପାଦ ଟିପ୍ପଣୀଗୁଡ଼ିକ]

a କେତେକ ବାଇବଲରେ “ରୀତିବ୍ୟବସ୍ଥା” ପରିବର୍ତ୍ତେ “ଜଗତ” ଶବ୍ଦ ବ୍ୟବହୃତ ହୋଇଥାଏ । ଡବ୍‌ଲ୍ୟୁ. ଈ. ୱାଇନ୍‌ଙ୍କ ଏକ୍ସ୍‌ପୋଜିଟୋରୀ ଡିକ୍ସ୍‌ନାରୀ ଅଫ୍‌ ନ୍ୟୁ ଟେଷ୍ଟାମେଣ୍ଟ୍‌ ୱାଡ଼୍‌ସ୍‌ (ଇଂରାଜୀ) ଅନୁଯାୟୀ ଗ୍ରୀକ୍‌ ଶବ୍ଦ ‘ଏୟୋନ୍‌’ ଏକ ଅନିର୍ଦ୍ଦିଷ୍ଟ ସମୟକାଳକୁ ଅଥବା ଘଟଣାବଳୀ ସହିତ ଜଡ଼ିତ ସମୟକାଳକୁ ବୁଝାଏ । ପାର୍କହର୍ସଟ୍‌ଙ୍କ ଗ୍ରୀକ ଏଣ୍ଡ୍‌ ଇଂଲିଶ ଲେକ୍ସିକୋନ୍‌ ଟୁ ଦି ନ୍ୟୁ ଟେସ୍ଟାମେଣ୍ଟ୍‌ (ପୃଷ୍ଠା ୧୭) ଏବ୍ରୀ ୧:୨ ପଦରେ ଏୟୋନସ୍‌ (ବହୁବଚନ) ବ୍ୟବହାର କରିବା ସମୟରେ “ଏହି ରୀତିବ୍ୟବସ୍ଥା” ଅନ୍ତର୍ଭୁକ୍ତ କରିଥାଏ । ତେଣୁ “ରୀତିବ୍ୟବସ୍ଥାର” ଅନୁବାଦ ସହିତ ମୌଳିକ ଗ୍ରୀକ୍‌ ଶାସ୍ତ୍ରର ସାମଞ୍ଜସ୍ୟ ଅଛି ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଖ୍ରୀଷ୍ଟଙ୍କ ଶାସନ ଆରମ୍ଭରେ ପୃଥିବୀର ଘଟଣା ସମ୍ପର୍କରେ ବାଇବଲ କʼଣ ଭବିଷ୍ୟଦ୍‌ବାଣୀ କରିଥିଲା ?

ଶେଷ କାଳର କେତେକ ଲକ୍ଷଣ କʼଣ ?

ଏହା ଶେଷ କାଳ ବୋଲି କେଉଁ କଥା ଆପଣଙ୍କୁ ନିଶ୍ଚିତ କରେ ?

[ଅଧ୍ୟୟନ ପ୍ରଶ୍ନ]

[୧୦୨ ପୃଷ୍ଠାରେ ବାକ୍ସ]

ଶେଷ କାଳର କେତେକ ଲକ୍ଷଣ

• ଅପୂର୍ବ ଯୁଦ୍ଧ ।—ମାଥିଉ ୨୪:୭; ପ୍ରକାଶିତ ବାକ୍ୟ ୬:୪.

• ଦୁର୍ଭିକ୍ଷ ।—ମାଥିଉ ୨୪:୭; ପ୍ରକାଶିତ ବାକ୍ୟ ୬:୫, ୬, ୮.

• ମହାମାରୀ ।—ଲୂକ ୨୧:୧୧; ପ୍ରକାଶିତ ବାକ୍ୟ ୬:୮.

• ଅଧର୍ମ ବୃଦ୍ଧି ।—ମାଥିଉ ୨୪:୧୨.

• ପୃଥିବୀକୁ ବିନାଶ କରିବା ।—ପ୍ରକାଶିତ ବାକ୍ୟ ୧୧:୧୮.

• ଭୂମିକମ୍ପ ।—ମାଥିଉ ୨୪:୭.

• ବିଷମ ସମୟ ଯାହାର ସମ୍ମୁଖୀନ କରିବା କଠିନ ।—୨ ତୀମଥି ୩:୧.

• ଅତ୍ୟଧିକ ଧନଲୋଭ ।—୨ ତୀମଥି ୩:୨.

• ପିତାମାତାଙ୍କର ଅବାଧ୍ୟ ।—୨ ତୀମଥି ୩:୨.

• ସ୍ନେହଶୂନ୍ୟ ।—୨ ତୀମଥି ୩:୩.

• ଈଶ୍ୱରପ୍ରିୟ ନ ହୋଇ ବିଳାସୀ ହେବେ ।—୨ ତୀମଥି ୩:୪.

• ଆତ୍ମ ସଂଯମର ଅଭାବ ।—୨ ତୀମଥି ୩:୩.

• ଈଶ୍ୱର ଭକ୍ତିହୀନ ।—୨ ତୀମଥି ୩:୩.

• ଅବଶ୍ୟମ୍ଭାବୀ ବିପଦ ପାଇଁ କୌଣସି ଧ୍ୟାନ ନ ଦେବା ।—ମାଥିଉ ୨୪:୩୯.

• ପରିହାସକ ଶେଷ କାଳର ପ୍ରମାଣ ଅଗ୍ରାହ୍ୟ କରିବେ ।—୨ ପିତର ୩:୩, ୪.

• ପୃଥିବୀବ୍ୟାପୀ ପରମେଶ୍ୱରଙ୍କ ରାଜ୍ୟ ପ୍ରଚାର ।—ମାଥିଉ ୨୪:୧୪.

[୧୦୧ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]