इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରନ୍ତୁ

ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରନ୍ତୁ

ଅଧ୍ୟାୟ ୧୨

ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରନ୍ତୁ

୧. ଯେତେବେଳେ ଯୀଶୁ ଦୁଷ୍ଟ ପ୍ରେତାତ୍ମାଙ୍କ ସମ୍ମୁଖୀନ ହେଲେ ସେ କି ପ୍ରତିକ୍ରିୟା ଦେଖାଇଥିଲେ ?

 ନିଜ ବାପ୍ତିସ୍ମର ଠିକ୍‌ ପରେ ଯୀଶୁ ଖ୍ରୀଷ୍ଟ ଯିହୂଦା ପ୍ରାନ୍ତରରେ ପ୍ରାର୍ଥନା ଓ ଧ୍ୟାନ କରିବା ପାଇଁ ଗଲେ । ସେଠାରେ ପିଶାଚ ଅର୍ଥାତ ଶୟତାନ ତାଙ୍କୁ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରିଥିଲା । ଅଥଚ, ଯୀଶୁ ପିଶାଚର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କଲେ ଓ ତା ଫାନ୍ଦରେ ପଡ଼ିଲେ ନାହିଁ । ପୃଥିବୀରେ ସେବାକାର୍ଯ୍ୟ କରିବା ସମୟରେ ଯୀଶୁ ଅନ୍ୟାନ୍ୟ ଦୁଷ୍ଟ ପ୍ରେତାତ୍ମାର ମଧ୍ୟ ସମ୍ମୁଖୀନ ହୋଇଥିଲେ । ତଥାପି, ସେ ବାରମ୍ବାର ସେମାନଙ୍କୁ ଭର୍ତ୍ସନାକରି ପ୍ରତିରୋଧ କରିଥିଲେ ।—ଲୂକ ୪:୧-୧୩; ୮:୨୬-୩୪; ୯:୩୭-୪୩.

୨. କେଉଁ ପ୍ରଶ୍ନଗୁଡ଼ିକ ଆମେ ବିବେଚନା କରିବା ?

ବାଇବଲ ବର୍ଣ୍ଣନା କରିଥିବା ପ୍ରତିରୋଧର ଏହିସବୁ ବୃତ୍ତାନ୍ତଗୁଡ଼ିକରୁ ଆମେ ବୁଝିବା ଉଚିତ ଯେ ଦୁଷ୍ଟ ପ୍ରେତାତ୍ମାମାନଙ୍କର ଶକ୍ତି ଏବେବି ରହିଛି । ସେମାନେ ଲୋକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି । ତଥାପି, ଆମେ ଏହି ମାନ୍ଦାତ୍ମାମାନଙ୍କର ପ୍ରତିରୋଧ କରି ପାରିବା । କିନ୍ତୁ ଦୁଷ୍ଟ ପ୍ରେତାତ୍ମାମାନଙ୍କର ଉଦ୍‌ଗମ କେଉଁଠାରୁ ହୋଇଥିଲା ? ସେମାନେ କାହିଁକି ମନୁଷ୍ୟମାନଙ୍କୁ ପ୍ରତାରଣା କରିବା ପାଇଁ ଚେଷ୍ଟା କରନ୍ତି ? ସେମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କେଉଁ କୌଶଳ ବ୍ୟବହାର କରନ୍ତି ? ଏଭଳି ପ୍ରଶ୍ନର ଉତ୍ତର ଆପଣଙ୍କୁ ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରିବାରେ ସାହାଯ୍ୟ କରିବ ।

ଦୁଷ୍ଟ ପ୍ରେତାତ୍ମା –ସେମାନଙ୍କର ଉଦ୍‌ଭବ ଓ ଲକ୍ଷ୍ୟ

୩. ପିଶାଚ ଅର୍ଥାତ ଶୟତାନର ଉତ୍ପତ୍ତି କିଭଳି ହୋଇଥିଲା ?

ମନୁଷ୍ୟମାନଙ୍କୁ ସୃଷ୍ଟି କରିବାର ବହୁ ପୂର୍ବେ ଯିହୋବା ପରମେଶ୍ୱର ବହୁସଂଖ୍ୟକ ଆତ୍ମିକ ପ୍ରାଣୀମାନଙ୍କୁ ସୃଷ୍ଟି କରିଥିଲେ । (ଆୟୁବ ୩୮:୪, ୭) ଯେମିତି ଅଧ୍ୟାୟ ୬ରେ ବ୍ୟାଖ୍ୟା କରାଯାଇଛି, ଏଇ ସ୍ୱର୍ଗଦୂତମାନଙ୍କ ମଧ୍ୟରୁ ଜଣେ ଏଭଳି ଅଭିଳାଷ ବଢ଼ାଇଥିଲେ ଯେ ମନୁଷ୍ୟମାନେ ଯିହୋବାଙ୍କ ଉପାସନା କରିବା ପରିବର୍ତ୍ତେ ତାକୁ ଉପାସନା କରନ୍ତୁ । ସେହି ଲକ୍ଷ୍ୟଆଡ଼କୁ ଅଗ୍ରସର ହୋଇ ଏହି ଦୁଷ୍ଟ ସ୍ୱର୍ଗଦୂତ ସୃଷ୍ଟିକର୍ତ୍ତାଙ୍କ ବିରୋଧ ଓ ନିନ୍ଦା କଲା, ଏପରିକି ପ୍ରଥମ ନାରୀକୁ ଇଙ୍ଗିତ କଲା ଯେ ପରମେଶ୍ୱର ଜଣେ ମିଥ୍ୟାବାଦୀ । ତାପରେ ପ୍ରକୃତରେ ଏହି ବିଦ୍ରୋହୀ ଆତ୍ମିକ ପ୍ରାଣୀ ପିଶାଚ [ନିନ୍ଦୁକ] ଶୟତାନ [ବିରୋଧୀ] ନାମରେ ଜଣାଗଲା ।—ଆଦି ପୁସ୍ତକ ୩:୧-୫; ଆୟୁବ ୧:୬.

୪. ନୋହଙ୍କ ସମୟରେ କେତେକ ସ୍ୱର୍ଗଦୂତ କିପରି ପାପ କରିଥିଲେ ?

ପରେ ଅନ୍ୟ ସ୍ୱର୍ଗଦୂତମାନେ ପିଶାଚ ଅର୍ଥାତ ଶୟତାନର ପକ୍ଷ ନେଇଥିଲେ । ଧାର୍ମିକ ବ୍ୟକ୍ତି ନୋହଙ୍କ ସମୟରେ, ଏମାନଙ୍କ ମଧ୍ୟରୁ କେତେକ ଦୂତ ସ୍ୱର୍ଗରେ ନିଜ କାର୍ଯ୍ୟ ପରିତ୍ୟାଗ କରି ପାର୍ଥିବ ନାରୀମାନଙ୍କ ସହ ଯୌନ ଲାଳସାର ପରିତୃପ୍ତି ପାଇଁ ରକ୍ତ ମାଂସର ଶରୀର ଧାରଣ କଲେ । ଶୟତାନ ସେହି ସ୍ୱର୍ଗଦୂତମାନଙ୍କୁ ଅବଜ୍ଞାକାରିତାର ପଥ ଗ୍ରହଣ କରିବା ପାଇଁ ପ୍ରଭାବିତ କରିଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ଫଳରେ ସେମାନେ ନେଫିଲିମ୍‌ [ଦାନବ] ଅଭିହିତ ସଙ୍କର ସନ୍ତାନମାନଙ୍କୁ ଜନ୍ମ ଦେଲେ, ଯେଉଁମାନେ ଅବୈଧ ଦାମ୍ଭିକ ବ୍ୟକ୍ତିରେ ପରିଣତ ହେଲେ । ଯେତେବେଳେ ଯିହୋବା ବୃହତ ଜଳପ୍ଲାବନ କଲେ ସମସ୍ତ ଦୁର୍ନୀତିଗ୍ରସ୍ତ ମାନବଜାତି ଓ ଅବଜ୍ଞାକାରୀ ସ୍ୱର୍ଗଦୂତମାନଙ୍କ ଏହି ଅନୈତିକ ସନ୍ତାନମାନଙ୍କୁ ବିନାଶ କଲେ । ବିଦ୍ରୋହୀ ସ୍ୱର୍ଗଦୂତମାନେ ନିଜ ରକ୍ତ ମାଂସର ଦେହ ପରିତ୍ୟାଗ କରି ଆତ୍ମିକ କ୍ଷେତ୍ରକୁ ଫେରିବା ଦ୍ୱାରା ବିନାଶରୁ ରକ୍ଷା ପାଇଗଲେ । କିନ୍ତୁ ପରମେଶ୍ୱର ଏଇ ପିଶାଚମାନଙ୍କୁ ଦମନ କରି ଆଧ୍ୟାତ୍ମିକ ଅନ୍ଧକାର ମଧ୍ୟରେ ରଖିଲେ । (ଆଦି ପୁସ୍ତକ ୬:୧-୭, ୧୭; ଯିହୂଦା ୬) ତଥାପି, ସେହି ‘ପ୍ରେତାତ୍ମାମାନଙ୍କ ପ୍ରଧାନ’ ଶୟତାନ ଓ ତାହାର ଦୁଷ୍ଟ ସ୍ୱର୍ଗଦୂତ ନିଜ ବିଦ୍ରୋହରେ ଆଗେଇ ଚାଲିଛନ୍ତି । (ଲୂକ ୧୧:୧୫) ସେମାନଙ୍କର ଲକ୍ଷ୍ୟ କʼଣ ?

୫. ଶୟତାନ ଓ ତାʼର ପିଶାଚମାନଙ୍କ ଲକ୍ଷ୍ୟ କʼଣ ଓ ସେମାନେ ଲୋକମାନଙ୍କୁ ଫାନ୍ଦରେ ପକାଇବା ପାଇଁ କʼଣ ଉପଯୋଗ କରନ୍ତି ?

ଶୟତାନ ଓ ପିଶାଚମାନଙ୍କର ମନ୍ଦଲକ୍ଷ୍ୟ ହେଉଛି ଲୋକଙ୍କୁ ଭୁଲାଇ ଯିହୋବାଙ୍କ ବିରୋଧୀ କରିବା । ଅତଏବ, ଏହି ଦୁଷ୍ଟଜଣକ ସାରାମାନବ ଇତିହାସରେ ଲୋକମାନଙ୍କୁ ପଥଭ୍ରଷ୍ଟ, ଭୟାର୍ତ୍ତ ଓ ଆକ୍ରମଣ କରି ଆସୁଛି । (ପ୍ରକାଶିତ ବାକ୍ୟ ୧୨:୯) ଆଧୁନିକ-କାଳର ଉଦାହରଣ ସୁନିଶ୍ଚିତ କରେ ଯେ, ପିଶାଚର ଆକ୍ରମଣ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାରାତ୍ମକ । ଲୋକମାନଙ୍କୁ ଫାନ୍ଦରେ ପକେଇବା ପାଇଁ ପିଶାଚ ପ୍ରାୟ ସମସ୍ତ ପ୍ରେତାତ୍ମାବାଦକୁ ଉପଯୋଗ କରୁଛି । କିପରି ଏହି ପିଶାଚମାନେ ପ୍ରଲୋଭନ ଦେଖାନ୍ତି ଓ ଆପଣ ନିଜକୁ କିପରି ଏଥିରୁ ରକ୍ଷା କରି ପାରିବେ ?

ଦୁଷ୍ଟ ପ୍ରେତାତ୍ମା ଆପଣଙ୍କୁ ପଥଭ୍ରଷ୍ଟ କରିବାପାଇଁ କିପରି ଚେଷ୍ଟା କରେ

୬. ପ୍ରେତାତ୍ମାବାଦ କʼଣ ଓ ତାହାର ବିଭିନ୍ନ ରୂପ କʼଣ ?

ପ୍ରେତାତ୍ମାବାଦ କʼଣ ? ଏହା ପିଶାଚ କିମ୍ବା ଦୁଷ୍ଟ ପ୍ରେତାତ୍ମାମାନଙ୍କ ସହିତ ପ୍ରତ୍ୟକ୍ଷରୂପେ କିମ୍ବା କୌଣସି ମନୁଷ୍ୟ ମାଧ୍ୟମରେ ସଂଯୋଗ ସ୍ଥାପନ କରିବା ପ୍ରଥା । ଶିକାରୀ ପାଇଁ ଥୋପ ଯାହା କରିଥାଏ, ପିଶାଚଙ୍କ ପାଇଁ ପ୍ରେତାତ୍ମାବାଦ ସେହି କାର୍ଯ୍ୟ କରିଥାଏ । ଏହା ଶିକାରକୁ ଆକର୍ଷଣ କରେ । ଯେପରିକି ଜଣେ ଶିକାରୀ ପଶୁମାନଙ୍କୁ ଫାଶରେ ପକେଇବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ର ବ୍ୟବହାର କରିଥାଏ, ସେହିପରି ଦୁଷ୍ଟ ପ୍ରେତାତ୍ମାମାନେ ମନୁଷ୍ୟମାନଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ବିଭିନ୍ନ ରୂପରେ ପ୍ରେତାତ୍ମାବାଦକୁ ପ୍ରୟୋଗ କରିଥାନ୍ତି । (ଗୀତସଂହିତା ୧୧୯:୧୧୦ ତୁଳନା କରନ୍ତୁ ।) ଏସବୁ ମଧ୍ୟରେ ଶୁଭାଶୁଭବାଦୀ, ଗଣକ, ମାୟାବୀ, ମୋହକ, ଭୂତୁଡ଼ିୟା, ଗୁଣୀ ଓ ପ୍ରେତପରାମର୍ଶୀ ଏବଂ ମୃତମାନଙ୍କ ସହିତ ସଂଯୋଗ ସ୍ଥାପନ ପ୍ରଭୃତି ଅନ୍ତର୍ଭୁକ୍ତ ।

୭. ପ୍ରେତାତ୍ମାବାଦ କେତେ ବ୍ୟାପକ ଓ ଏମିତିକି ତଥାକଥିତ ଖ୍ରୀଷ୍ଟିଆନ୍‌ ଦେଶମାନଙ୍କରେ ମଧ୍ୟ କାହିଁକି ତାହା ବୃଦ୍ଧି ପାଉଛି ?

ଏହି ପ୍ରଲୋଭନୀୟ ଥୋପ ପ୍ରେତାତ୍ମାବାଦ ପାଇଁ କାମ କରି ପୃଥିବୀବ୍ୟାପି ଲୋକମାନଙ୍କୁ ଆକର୍ଷିତ କରେ । ଯେଉଁମାନେ ମାଳ ଅଞ୍ଚଳର ଗାଁମାନଙ୍କରେ ବାସ କରନ୍ତି, ସେମାନେ ଗୁଣିଆ ପାଖକୁ ଯାଆନ୍ତି ଓ ସହରରେ କାର୍ଯ୍ୟାଳୟର କର୍ମଚାରୀମାନେ ଜ୍ୟୋତିଷୀମାନଙ୍କଠାରୁ ପରାମର୍ଶ ନିଅନ୍ତି । ଏପରିକି ତଥାକଥିତ ଖ୍ରୀଷ୍ଟିଆନ୍‌ ଦେଶମାନଙ୍କରେ ମଧ୍ୟ ପ୍ରେତାତ୍ମାବାଦ ବୃଦ୍ଧି ପାଉଛି । ଗବେଷଣାରୁ ଜଣାପଡ଼େ ଯେ କେବଳ ଆମେରିକାରେ ପ୍ରାୟ ୩୦ଗୋଟି ପତ୍ରିକାର ମୋଟ ବିତରଣ ୧,୦୦,୦୦,୦୦୦ରୁ ଅଧିକ ଯେଉଁଥିରେ ପ୍ରେତାତ୍ମାବାଦର ବିଭିନ୍ନ ରୂପସବୁ ପ୍ରକାଶିତ ଓ ପ୍ରଚାରିତ ହୋଇଥାଏ । ପ୍ରେତାତ୍ମାବାଦୀ ବସ୍ତୁ ଉପରେ ବ୍ରାଜିଲ୍‌ବାସୀ ପ୍ରତି ବର୍ଷ ୫୦ କୋଟିରୁ ଅଧିକ ଡଲର ବ୍ୟୟ କରନ୍ତି । ତଥାପି ସେ ଦେଶରେ ପ୍ରେତାତ୍ମାବାଦୀ ଉପାସନା-କେନ୍ଦ୍ରଗୁଡ଼ିକୁ ଯାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଲୋକ ବାପ୍ତିସ୍ମ-ପ୍ରାପ୍ତ କ୍ୟାଥଲିକ ଯେଉଁମାନେ ମାସ୍‌ରେ ମଧ୍ୟ ଉପସ୍ଥିତ ହୁଅନ୍ତି । ଯେହେତୁ କେତେକ ପାଦ୍ରି ପ୍ରେତାତ୍ମାବାଦର ଅଭ୍ୟାସ କରନ୍ତି, ତେଣୁ ଅନେକ ଧାର୍ମିକ ଲୋକେ ଭାବନ୍ତି ଏହା ଅଭ୍ୟାସ କରିବା ବୋଧେ ପରମେଶ୍ୱରଙ୍କ ଗ୍ରହଣଯୋଗ୍ୟ । କିନ୍ତୁ ପ୍ରକୃତରେ ତାହା କʼଣ ଗ୍ରହଣଯୋଗ୍ୟ ?

ପ୍ରେତାତ୍ମାବାଦର ଅଭ୍ୟାସକୁ ବାଇବଲ କାହିଁକି ନିନ୍ଦା କରେ

୮. ପ୍ରେତାତ୍ମାବାଦ ସମ୍ପର୍କରେ ଶାସ୍ତ୍ରୀୟ ଦୃଷ୍ଟିକୋଣ କʼଣ ?

ଯଦି ଆପଣଙ୍କୁ ଶିକ୍ଷା ଦିଆଯାଇଥାଏ ଯେ ପ୍ରେତାତ୍ମାବାଦର କେତେକ ରୂପ ମହତ୍‌ ଆତ୍ମାମାନଙ୍କ ସହ ସଂପର୍କ କରିବାର ମାଧ୍ୟମ, ତେବେ ଆପଣ ଏହା ଜାଣି ବିସ୍ମିତ ହେବେ ଯେ ବାଇବଲ ପ୍ରେତାତ୍ମାବାଦ ସଂପର୍କରେ କʼଣ କହେ । ଯିହୋବାଙ୍କ ଲୋକମାନଙ୍କୁ ଚେତାବନୀ ଦିଆଯାଇଥିଲା: “ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ ।” (ଆମର ବକ୍ରାକାର ଅକ୍ଷର ।) (ଲେବୀୟପୁସ୍ତକ ୧୯:୩୧; ୨୦:୬, ୨୭) ବାଇବଲର ପ୍ରକାଶିତବାକ୍ୟ ପୁସ୍ତକ ଚେତାବନୀ ଦିଏ, “ଯେଉଁମାନେ ପ୍ରେତାତ୍ମାବାଦର ଅଭ୍ୟସ କରନ୍ତି,” ସେମାନେ ‘ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ପଡ଼ିବେ । ଏହାହିଁ ଦ୍ୱିତୀୟ [ଅନନ୍ତ] ମୃତ୍ୟୁ ।’ (ପ୍ରକାଶିତବାକ୍ୟ ୨୧:୮; ୨୨:୧୫) ପ୍ରେତାତ୍ମାବାଦର ସକଳ ରୂପକୁ ଯିହୋବା ପରମେଶ୍ୱର ଅସ୍ୱୀକାର କରନ୍ତି । (ଦ୍ୱିତୀୟ ବିବରଣ ୧୮:୧୦-୧୨) ଏଭଳି କାହିଁକି ?

୯. ଆମେ କାହିଁକି ଏହି ସିଦ୍ଧାନ୍ତରେ ପହଞ୍ଚି ପାରିବା ଯେ ଆତ୍ମିକ ଜଗତରୁ ଆସୁଥିବା ବର୍ତ୍ତମାନ-ସମୟର ବାର୍ତ୍ତାସବୁ ଯିହୋବାଙ୍କଠାରୁ ଆସୁନାହିଁ ?

ବାଇବଲ ସମ୍ପୂର୍ଣ୍ଣ ହେବା ପୂର୍ବେ, ଯିହୋବା ତୃଟିଶୂନ୍ୟ ଆତ୍ମାମାନଙ୍କୁ କିମ୍ବା ଧାର୍ମିକ ସ୍ୱର୍ଗଦୂତମାନଙ୍କୁ କେତେକ ମନୁଷ୍ୟ ସହିତ ଯୋଗାଯୋଗ କରିବା ପାଇଁ ପ୍ରେରଣ କରିଥିଲେ । ଏହାର ସମାପନ ପରଠାରୁ ପରମେଶ୍ୱରଙ୍କ ବାକ୍ୟ ସେହି ପଥ ପ୍ରଦର୍ଶନ କରୁଅଛି ଯାହା ମନୁଷ୍ୟମାନେ ଯିହୋବାଙ୍କୁ ମନପ୍ରାଣଦେଇ ସେବା କରିବାର ପ୍ରୟୋଜନୀୟତା ଦର୍ଶାଏ । (୨ ତୀମଥି ୩:୧୬, ୧୭; ଏବ୍ରୀ ୧:୧, ୨) ସେ ନିଜ ପବିତ୍ର ବାକ୍ୟକୁ ଉପେକ୍ଷା ନକରି ମାଧ୍ୟମଗୁଡ଼ିକ ଦ୍ୱାରା ସନ୍ଦେଶ ଦିୟନ୍ତି । ଆତ୍ମିକ ଜଗତରୁ ଆସୁଥିବା ବର୍ତ୍ତମାନ-ସମୟର ଏଭଳି ବାର୍ତ୍ତାସବୁ ଦୁଷ୍ଟ ପ୍ରେତାତ୍ମାଙ୍କଠାରୁ ଆସିଥାଏ । ପ୍ରେତାତ୍ମାବାଦର ଅଭ୍ୟାସ ପିଶାଚର ଉତ୍ପୀଡ଼ନ କିମ୍ବା ଦୁଷ୍ଟ ପ୍ରେତାତ୍ମାଙ୍କ ଦ୍ୱାରା ବଶୀକରଣ ମଧ୍ୟ ହୋଇ ପାରେ । ଏଥିପାଇଁ, ପରମେଶ୍ୱର ପ୍ରେମପୂର୍ବକ ଆମକୁ କୌଣସି ପ୍ରେତାତ୍ମାବାଦୀ ଅଭ୍ୟାସରେ ସପୃକ୍ତ ନ ହେବା ପାଇଁ ସତର୍କ କରାଉଛନ୍ତି । (ଦ୍ୱିତୀୟ ବିବରଣ ୧୮:୧୪; ଗାଲାତୀୟ ୫:୧୯-୨୧) ତାହାଛଡ଼ା ଯଦି ଆମେ ପ୍ରେତାତ୍ମାବାଦ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଜାଣି ମଧ୍ୟ ଏହି କୁଅଭ୍ୟାସକୁ ଚାଲୁ ରଖିବା, ତେବେ ଆମେ ବିଦ୍ରୋହୀ ଦୁଷ୍ଟ ପ୍ରେତାତ୍ମାଙ୍କ ପକ୍ଷ ନେଉଛୁ ଓ ପରମେଶ୍ୱରଙ୍କ ଶତ୍ରୁ ହେଉଛୁ ।—୧ ଶାମୂୟେଲ ୧୫:୨୩; ୧ ବଂଶାବଳୀ ୧୦:୧୩, ୧୪; ଗୀତସଂହିତା ୫:୪.

୧୦. ଶୁଭାଶୁଭ-ବିଦ୍ୟା କʼଣ ଓ ଆମେ ତାହା କାହିଁକି ପରିହାର କରିବା ଉଚିତ ?

୧୦ ପ୍ରେତାତ୍ମାବାଦର ଏକ ପ୍ରଚଳିତ ରୂପ ହେଉଛି ଶୁଭାଶୁଭବାଦୀ—ଆତ୍ମାମାନଙ୍କ ସାହାଯ୍ୟରେ ଭବିଷ୍ୟତ କିମ୍ବା ଅଜ୍ଞାତ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା । ଶୁଭାଶୁଭବାଦୀର କେତେକ ରୂପ ହେଉଛି ଜ୍ୟୋତିଷ-ବିଦ୍ୟା, ସ୍ଫଟିକ ଗୋଲକ ଦେଖିବା, ସ୍ୱପ୍ନର ଅର୍ଥ କହିବା, ହସ୍ତରେଖା-ଶାସ୍ତ୍ର ଓ ତାସ କାର୍ଡ଼ ବ୍ୟବହାର କରି ଭବିଷ୍ୟତ ଜାଣିବା । ଅନେକ ଲୋକ ଶୁଭାଶୁଭ-ବିଦ୍ୟାକୁ ଅକ୍ଷତିକାରକ ଖେଳ ଭାବନ୍ତି, କିନ୍ତୁ ବାଇବଲ କହେ ଯେ ଜ୍ୟୋତିଷୀ ଓ ଦୁଷ୍ଟାତ୍ମାମାନେ ଘନିଷ୍ଠଭାବେ ଜଡ଼ିତ । ଉଦାହରଣସ୍ୱରୂପ ପ୍ରେରିତ ୧୬:୧୬-୧୯ (NW) ପଦ ଉଲ୍ଲେଖ କରେ, “ଭବିଷ୍ୟତ କହୁଥିବା ଆତ୍ମା” ଜଣେ ଝିଅକୁ “ଭବିଷ୍ୟତ କହିବାରେ” ସକ୍ଷମ କରିଥିଲା । କିନ୍ତୁ ତାʼର ଭବିଷ୍ୟତ କହିବାର କ୍ଷମତା ନଷ୍ଟ ହୋଇଯାଇଥିଲ, ଯେତେବେଳେ ତାଠାରୁ ପିଶାଚକୁ ବାହାର କରିଦିଆଯାଇଥିଲା । ସ୍ପଷ୍ଟତଃ ଶୁଭାଶୁଭ-ବିଦ୍ୟା ହେଉଛି ଗୋଟିଏ ପ୍ରଲୋଭନୀୟ ଥୋପ ଯାହା ଦ୍ୱାରା ପିଶାଚ ଲୋକମାନଙ୍କୁ ଫାନ୍ଦରେ ପକାଏ ।

୧୧. ମୃତମାନଙ୍କ ସହିତ ଯୋଗାଯୋଗ କରିବାର ଚେଷ୍ଟା କିପରି ଫାନ୍ଦରେ ପକେଇଥାଏ ?

୧୧ ଯଦି ପରିବାରର ଜଣେ ପ୍ରିୟଜନ କିମ୍ବା ଘନିଷ୍ଠ ମିତ୍ରଙ୍କ ମୃତ୍ୟୁରେ ଆପଣ ଶୋକ କରୁଛନ୍ତି, ତେବେ ଅନ୍ୟ ଏକ ପ୍ରଲୋଭନ ଦ୍ୱାରା ଆପଣ ସହଜରେ ପ୍ରଲୋଭିତ ହୋଇ ପାରନ୍ତି । ଏକ ଆତ୍ମିକ ମାଧ୍ୟମ ଆପଣଙ୍କୁ ବିଶେଷ ସୂଚନା ଦେଇ ପାରେ କିମ୍ବା ଏଭଳି କଣ୍ଠସ୍ୱରରେ କହିପାରେ ଯାହା ଅବିକଳ ସେହି ମୃତ ବ୍ୟକ୍ତିର ମନେ ହେବ । ସାବଧାନ ! ମୃତମାନଙ୍କ ସହିତ ଯୋଗାଯୋଗ କଲେ ଫାନ୍ଦରେ ପଡ଼ିପାରନ୍ତି । କାହିଁକି ? କାରଣ ମୃତବ୍ୟକ୍ତି କଥା କହି ପାରନ୍ତି ନାହିଁ । ଯେମିତିକି ଆପଣଙ୍କର ବୋଧେ ମନେଥିବ, ପରମେଶ୍ୱରଙ୍କ ବାକ୍ୟ ସ୍ପଷ୍ଟରୂପେ କହେ ମୃତ୍ୟୁ ହେଲା ପରେ ଜଣେ ବ୍ୟକ୍ତି ‘ମାଟିରେ ମିଶି ଯାଏ; ସେହି ଦିନ ତାହାର ସବୁ କଳ୍ପନା ନଷ୍ଟ ହୁଏ,’ ମୃତଲୋକ “କିଛି ଜାଣନ୍ତି ନାହିଁ ।” (ଗୀତସଂହିତା ୧୪୬:୪; ଉପଦେଶକ ୯:୫, ୧୦) ଏହା ବ୍ୟତୀତ, ବାସ୍ତବରେ ପିଶାଚ ମୃତ ବ୍ୟକ୍ତିର ଅବିକଳ କଣ୍ଠସ୍ୱର କରି ତାଙ୍କ ସମ୍ବନ୍ଧରେ ଆତ୍ମିକ ମାଧ୍ୟମକୁ ସୂଚନା ଦେବାରେ ଜାଣିଛି । (୧ ଶାମୂୟେଲ ୨୮:୩-୧୯) ତେଣୁ ‘ଯିଏ ମୃତମାନଙ୍କୁ ଡାକେ’ ସେ ଦୁଷ୍ଟ ପ୍ରେତାତ୍ମାର ଫାନ୍ଦରେ ଆବଦ୍ଧ ହୁଏ ଓ ଯିହୋବା ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରେ ।—ଦ୍ୱିତୀୟ ବିବରଣ ୧୮:୧୧, ୧୨; ଯିଶାଇୟ ୮:୧୯.

ଆକର୍ଷଣରୁ ଆକ୍ରମଣ

୧୨, ୧୩. ପିଶାଚ ଲୋକମାନଙ୍କୁ ପ୍ରଲୋଭିତ ଓ ଉପଦ୍ରବ କରିବାରେ ଜିଦ୍‌ ରଖେ, ଏହାର କି ପ୍ରମାଣ ଅଛି ?

୧୨ ଯେତେବେଳେ ଆପଣ ପ୍ରେତାତ୍ମାବାଦ ସମ୍ବନ୍ଧରେ ପରମେଶ୍ୱରଙ୍କ ଉପଦେଶ ପାଳନ କରନ୍ତି, ତେବେ ଆପଣ ପିଶାଚମାନଙ୍କ ପ୍ରଲୋଭନକୁ ପଦାଘାତ କରୁଛନ୍ତି । (ଗୀତସଂହିତା ୧୪୧:୯, ୧୦ ତୁଳନା କରନ୍ତୁ; ରୋମୀୟ ୧୨:୯) ତାହ ଯଦି ହୁଏ, ଦୁଷ୍ଟ ପ୍ରେତାତ୍ମାଗଣ କʼଣ ଆପଣଙ୍କୁ ସେମାନଙ୍କ ଅକ୍ତିଆରରେ ନେବାର ଚେଷ୍ଟା ଛାଡ଼ିଦେବ ? କୌଣସି ପ୍ରକାରେ ନୁହେଁ ! ଯୀଶୁଙ୍କୁ ତିନି ଥର ପରୀକ୍ଷା କରିବା ପରେ ଶୟତାନ “କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା ।” (ଲୂକ ୪:୧୩) ସେହିପରି, ଜିଦ୍‌ଖୋର ଆତ୍ମାମାନେ କେବଳ ଲୋକମାନଙ୍କୁ ଆକର୍ଷଣ କରନ୍ତି ନାହିଁ ସେମାନଙ୍କୁ ମଧ୍ୟ ଆକ୍ରମଣ କରନ୍ତି ।

୧୩ ପରମେଶ୍ୱରଙ୍କ ସେବକ ଆୟୁବ ପ୍ରତି ଶୟତାନର ଆକ୍ରମଣ ବିଷୟରେ ପୂର୍ବ ବିବେଚନାକୁ ସ୍ମରଣ କରନ୍ତୁ । ପିଶାଚ ତାʼର ପଶୁଧନର କ୍ଷତି ଓ ଅଧିକାଂଶ ଦାସଙ୍କ ମୃତ୍ୟୁର କାରଣ ହୋଇଥିଲା । ଏପରିକି ଶୟତାନ ଆୟୁବଙ୍କ ସନ୍ତାନମାନଙ୍କୁ ମଧ୍ୟ ହତ୍ୟା କରିଥିଲା । ପରେ, ସେ ସ୍ୱୟଂ ଆୟୁବଙ୍କୁ ମଧ୍ୟ ଏକ ଯନ୍ତ୍ରଣାଦାୟକ ରୋଗରେ ପିଡ଼ିତକଲା । କିନ୍ତୁ ଆୟୁବ ପରମେଶ୍ୱରଙ୍କ ପ୍ରତି ନିଜ ଅଖଣ୍ଡତା ବଜାୟ ରଖିଥିଲେ ଓ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । (ଆୟୁବ ୧:୭-୧୯; ୨:୭, ୮; ୪୨:୧୨) ସେହି ସମୟରୁ ପିଶାଚମାନେ କେତେକ ଲୋକଙ୍କୁ ମୂକ କିମ୍ବା ଅନ୍ଧ କରି ସେମାନଙ୍କୁ ଦୁଃଖ ଦେଇ ଆନନ୍ଦ ପାଉଛନ୍ତି । (ମାଥିଉ ୯:୩୨, ୩୩; ୧୨:୨୨; ମାର୍କ ୫:୨-୫) ଆଜିକାଲିର ବିବରଣୀରୁ ଦେଖାଯାଉଛି ଯେ ପିଶାଚମାନେ କେତେକ ଲୋକମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ଓ ଅନ୍ୟ କେତେକଙ୍କ ମସ୍ତିଷ୍କବିକୃତି ଘଟାଉଛନ୍ତି । ଅନ୍ୟ କେତେକ ଲୋକଙ୍କୁ ସେମାନେ ହତ୍ୟା ଓ ଆତ୍ମହତ୍ୟା କରିବା ପାଇଁ ଉତ୍‌ପ୍ରେରିତ କରୁଛନ୍ତି, ଯାହାକି ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ଅଟେ । (ଦ୍ୱିତୀୟ ବିବରଣ ୫:୧୭; ୧ ଯୋହନ ୩:୧୫) ଏହା ସତ୍ୱେ, ଏମିତି ହଜାର ହଜାର ଲୋକ ଏହି ଦୁଷ୍ଟ ପ୍ରେତାତ୍ମାଙ୍କ ଫାନ୍ଦରେ ଦିନେ ପଡ଼ିଥିଲେ, ବର୍ତ୍ତମାନ ନିଜକୁ ସେଥିରୁ ମୁକ୍ତ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ପାଇଁ ଏହା କିପରି ସମ୍ଭବ ହେଲା ? ସେମାନେ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦ୍ୱାରା ଏହା କରିପାରିଛନ୍ତି ।

ଦୁଷ୍ଟ ପ୍ରେତାତ୍ମାଙ୍କ ପ୍ରତିରୋଧ କିପରି କରିବେ

୧୪. ପ୍ରଥମ-ଶତାବ୍ଦୀର ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କ ଉଦାହରଣ ଅନୁରୂପେ ଆପଣ ଦୁଷ୍ଟ ପ୍ରେତାତ୍ମାଙ୍କ ପ୍ରତିରୋଧ କିପରି କରି ପାରିବେ ?

୧୪ ଦୁଷ୍ଟ ପ୍ରେତାତ୍ମାର ପ୍ରତିରୋଧ କରିବା ପାଇଁ କେଉଁ ଉପାୟରେ ଆପଣ ନିଜକୁ ଓ ନିଜ ପରିବାରକୁ ସେମାନଙ୍କ ଫାନ୍ଦରୁ କିପରି ରକ୍ଷାକରି ପାରିବେ ? ଏଫିସିଅସରେ ଥିବା ପ୍ରଥମ-ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ବିଶ୍ୱାସୀ ହେବା ପୂର୍ବେ ପ୍ରେତାତ୍ମାବାଦର ଅଭ୍ୟାସ କରୁଥିଲେ, ପରେ ସେମାନେ ସକାରାତ୍ମକ ପଦକ୍ଷେପ ନେଲେ । ଆମେ ପଢ଼ୁ ଯେ “ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ ।” (ପ୍ରେରିତ ୧୯:୧୯) ଆପଣ ପ୍ରେତାତ୍ମାବାଦର ଅଭ୍ୟାସ କରି ନଥିଲେ ମଧ୍ୟ ସେ ସମ୍ବନ୍ଧୀୟ ଯାହାକିଛି ଉପଯୋଗ କରୁଛନ୍ତି, ସେଥିରୁ ମୁକ୍ତ ରୁହନ୍ତୁ । ପୁସ୍ତକ, ପତ୍ରିକା, ଭିଡିଓ, ପୋସ୍‌ଟର୍‌, ସଂଗୀତ ରେକର୍ଡିଙ୍ଗ ପ୍ରଭୃତି ପ୍ରେତାତ୍ମାବାଦର ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହୃତ ବସ୍ତୁସମୂହ ଏହାର ଅନ୍ତର୍ଭୁକ୍ତ । ପ୍ରତିମା, ଡେଉଁରିଆ ଓ ସୁରକ୍ଷା ପାଇବା ପାଇଁ ପିନ୍ଧାଯାଉଥିବା ଅନ୍ୟାନ୍ୟ ବସ୍ତୁ ଏବଂ ପ୍ରେତାତ୍ମାବାଦ ଅଭ୍ୟାସକାରୀ ବ୍ୟକ୍ତିଠାରୁ ମିଳୁଥିବା ଉପହାର ମଧ୍ୟ ଏଥି ସହିତ ଜଡ଼ିତ ଅଛି । (ଦ୍ୱିତୀୟ ବିବରଣ ୭:୨୫, ୨୬; ୧ କରିନ୍ଥୀୟ ୧୦:୨୧) ଦୃଷ୍ଟାନ୍ତସ୍ୱରୂପ: ଥାଇଲ୍ୟାଣ୍ଡ୍‌ର ଏକ ବିବାହିତ ଦମ୍ପତିଙ୍କୁ ପିଶାଚମାନେ ବହୁଦିନ ଧରି ଉତ୍ପୀଡ଼ିତ କରିଥିଲେ । ତାʼପରେ ସେମାନେ ପ୍ରେତାତ୍ମାବାଦ ସମ୍ବନ୍ଧୀୟ ସମସ୍ତ ବସ୍ତୁ ଦୂର କଲେ । ପରିଣାମ କʼଣ ହୋଇଥିଲା ? ସେମାନେ ପୈଶାଚିକ ଆକ୍ରମଣରୁ ମୁକ୍ତ ହୋଇଥିଲେ ଓ ପରେ ପ୍ରକୃତ ଆଧ୍ୟାତ୍ମିକ ଉନ୍ନତି କରିଥିଲେ ।

୧୫. ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରିବା ପାଇଁ ଆଉ ଗୋଟିଏ ପ୍ରୟୋଜନୀୟ ପଦକ୍ଷେପ କʼଣ ?

୧୫ ଦୁଷ୍ଟ ପ୍ରେତାତ୍ମାଙ୍କ ପ୍ରତିରୋଧ କରିବା ପାଇଁ ଆଉ ଗୋଟିଏ ପ୍ରୟୋଜନୀୟ ପଦକ୍ଷେପ ହେଉଛି ପ୍ରେରିତ ପାଉଲଙ୍କ ପରାମର୍ଶ ଗ୍ରହଣ କରି ପରମେଶ୍ୱର-ପ୍ରଦତ୍ତ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଯୁଦ୍ଧାସ୍ତ୍ର ପରିଧାନ କରିବା । (ଏଫିସୀୟ ୬:୧୧-୧୭) ଖ୍ରୀଷ୍ଟିୟାନମାନଙ୍କୁ ଦୁଷ୍ଟ ପ୍ରେତାତ୍ମାଙ୍କ ବିରୁଦ୍ଧରେ ନିଜ ସୁରକ୍ଷା ସୁଦୃଢ଼ କରିବା ଆବଶ୍ୟକ । ଏହି ପଦକ୍ଷେପ ପାଇଁ କʼଣ ପ୍ରୟୋଜନ ? ପାଉଲ କହିଥିଲେ, “ବିଶ୍ୱାସରୂପ ଢ଼ାଲ ଧର, ଯଦ୍ୱାରା ପାପାତ୍ମାର ଅଗ୍ନିବାଣସବୁ ନିର୍ବାଣ କରିବାକୁ ସମର୍ଥ ହେବ ।” ପ୍ରକୃତରେ, ଆପଣଙ୍କ ବିଶ୍ୱାସ ଯେତେ ଅଧିକ ଦୃଢ଼ ହେବ, ସେତିକି ଅଧିକ ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରିବାକୁ ସାମର୍ଥ ହେବେ ।—ମାଥିଉ ୧୭:୧୪-୨୦.

୧୬. ଆପଣ ନିଜ ବିଶ୍ୱାସକୁ କିପରି ସୁଦୃଢ଼ କରି ପାରିବେ ?

୧୬ ଆପଣ ନିଜ ବିଶ୍ୱାସକୁ କିଭଳି ଦୃଢ଼ କରି ପାରିବେ ? ନିୟମିତ ବାଇବଲ ଅଧ୍ୟୟନ ଓ ତାହାର ପରାମର୍ଶ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା । ଜଣେ ବ୍ୟକ୍ତିଙ୍କ ବିଶ୍ୱାସର ଦୃଢ଼ତା ମୁକ୍ଷତଃ ତାହାର ଆଧାର—ପରମେଶ୍ୱରଙ୍କ ଜ୍ଞାନର ପରିପକ୍ୱତା—ଉପରେ ନିର୍ଭର କରେ । ବାଇବଲ ଅଧ୍ୟୟନ କରିବା ଦ୍ୱାରା ଯଥାର୍ଥ ଜ୍ଞାନ ପାଇଛନ୍ତି ଓ ଗମ୍ଭିରତା ସହିତ ଗ୍ରହଣ କରିଛନ୍ତି, ତାହା ଆପଣଙ୍କ ବିଶ୍ୱାସକୁ ସୁଦୃଢ଼ କରିଛି, ଆପଣ କʼଣ ଏହା ମାନନ୍ତି ନାହିଁ ? (ରୋମୀୟ ୧୦:୧୦, ୧୭) ଏଥିପାଇଁ ନିଃସନ୍ଦେହରେ ଆପଣ ଏହି ଅଧ୍ୟୟନ ଚାଲୁ ରଖନ୍ତୁ ଓ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଉପସ୍ଥିତ ହେବାକୁ ଅଭ୍ୟାସରେ ପରିଣତ କରନ୍ତୁ, ତେବେ ଆପଣଙ୍କ ବିଶ୍ୱାସ ଆହୁରି ଅଧିକ ସୁଦୃଢ଼ ହେବ । (ରୋମୀୟ ୧:୧୧, ୧୨; କଲସୀୟ ୨:୬, ୭) ଏହା ପିଶାଚର ଆକ୍ରମଣ ବିରୁଦ୍ଧରେ ଶକ୍ତିଶାଳୀ ରକ୍ଷାକବଚ ହେବ ।—୧ ଯୋହନ ୫:୫.

୧୭. ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଧ କରିବା ପାଇଁ ଆଉ କେଉଁ ପଦକ୍ଷେପ ଜରୁରୀ ହୋଇପାରିବ ?

୧୭ ଦୁଷ୍ଟ ପ୍ରେତାତ୍ମା ଶକ୍ତିର ପ୍ରତିରୋଦ୍ଧ କରିବା ପାଇଁ ଯଦି ଜଣେ ବ୍ୟକ୍ତିର ଦୃଢ଼ସଂକଳ୍ପ ଥାଏ, ତେବେ ସେ ଆଉ କେଉଁ ପଦକ୍ଷେପ ନେଇ ପାରିବ ? ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କର ଅଧିକ ସୁରକ୍ଷାର ପ୍ରୟୋଜନ ଥିଲା କାରଣ ସେମାନେ ପିଶାଚବାଦ ଅଧ୍ୟୁଷିତ ସହରରେ ବାସ କରୁଥିଲେ । ଏଥିପାଇଁ ପାଉଲ ସେମାନଙ୍କୁ କହିଥିଲେ: “ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର ।” (ଏଫିସୀୟ ୬:୧୮) ଯେହେତୁ ଆମେ ଏକ ପିଶାଚ-ଗ୍ରସ୍ତ ଜଗତରେ ବାସ କରୁଛୁ, ଦୁଷ୍ଟ ପ୍ରେତାତ୍ମାଙ୍କ ପ୍ରତିରୋଧ ପାଇଁ ଓ ପରମେଶ୍ୱରଙ୍କ ସୁରକ୍ଷା ପାଇଁ ନିବିଷ୍ଟ ଭାବେ ପ୍ରାର୍ଥନା କରିବା ଅପରିହାର୍ଯ୍ୟ । (ମାଥିଉ ୬:୧୩) ଏହି ସମ୍ବନ୍ଧରେ ଖ୍ରୀଷ୍ଟିୟାନ ମଣ୍ଡଳୀରେ ନିଯୁକ୍ତ ପ୍ରାଚୀନମାନଙ୍କ ଆଧ୍ୟାତ୍ମିକ ଉପଦେଶ ଓ ପ୍ରାର୍ଥନାସବୁ ସହାୟକ ହେଉଛି ।—ଯାକୁବ ୫:୧୩-୧୫.

ଦୁଷ୍ଟ ପ୍ରେତାତ୍ମାଙ୍କ ବିରୁଦ୍ଧରେ ଆପଣଙ୍କ ସଂଗ୍ରାମ ବଜାୟ ରଖନ୍ତୁ

୧୮, ୧୯. ଯଦି ପିଶାଚ ଜଣେ ବ୍ୟକ୍ତିକୁ ପୁଣି ହଇରାଣ କରେ ତେବେ କʼଣ କରାଯାଇପାରେ ?

୧୮ ଏଇ ପ୍ରାରମ୍ଭିକ ପଦକ୍ଷେପସବୁ ନେଲା ପରେ ମଧ୍ୟ କେହି କେହି ଦୁଷ୍ଟ ପ୍ରେତାତ୍ମାଙ୍କ ଦ୍ୱାରା ହଇରାଣ ହୋଇଛନ୍ତି । ଉଦାହରଣସ୍ୱରୂପ, କୋଟି ଡି ଆଇଭରି ନାମକ ସ୍ଥାନର ଜଣେ ପୁରୁଷ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କଲେ ଓ ନିଜର ସବୁ ଡେଉଁରିଆ ନଷ୍ଟ କରିଦେଲେ । ତାʼପରେ ସେ ଭଲ ଉନ୍ନତି କଲେ, ଯିହୋବାଙ୍କ ପ୍ରତି ନିଜର ଜୀବନ ସମର୍ପଣ କଲେ ଓ ବାପ୍ତିଜିତ ହେଲେ । କିନ୍ତୁ ବାପ୍ତିସ୍ମର ଗୋଟିଏ ସପ୍ତାହ ପରେ ପିଶାଚମାନେ ପୁଣି ତାକୁ ହଇରାଣ କରିବାକୁ ଆରମ୍ଭ କଲେ, ଏକ ଅଜଣା କଣ୍ଠସ୍ୱର ତାଙ୍କୁ ନୂତନ ବିଶ୍ୱାସ ତ୍ୟାଗ କରିବାକୁ କହିଲା । ଯଦି ଆପଣଙ୍କ ପ୍ରତି ଏଭଳି ଘଟେ, ଏହାର ଅର୍ଥ କʼଣ ଆପଣ ଯିହୋବାଙ୍କ ସୁରକ୍ଷା ହରେଇଛନ୍ତି ? କେବେବି ନୁହେଁ ।

୧୯ ଯଦିଓ ସିଦ୍ଧ ମାନବ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରୀୟ ସୁରକ୍ଷା ଥିଲା, ସେ ମଧ୍ୟ ଦୁଷ୍ଟ ଆତ୍ମିକ ପ୍ରାଣୀ ପିଶାଚ ଶୟତାନର କଣ୍ଠସ୍ୱର ଶୁଣିଥିଲେ । ଯୀଶୁ ଦେଖେଇଥିଲେ ଏଭଳି ସମୟରେ କʼଣ କରିବାକୁ ହେବ । ସେ ପିଶାଚକୁ କହିଥିଲେ: “ହେ ଶୟତାନ ଦୂର ହୁଅ !” (ମାଥିଉ ୪:୩-୧୦) ସେହିପରି ପ୍ରେତାତ୍ମ ଜଗତଠାରୁ ଆସୁଥିବା କଣ୍ଠସ୍ୱର ପ୍ରତି ଆପଣ କର୍ଣ୍ଣପାତ କରିବେ ନାହିଁ । ସାହାଯ୍ୟ ପାଇଁ ଯିହୋବାଙ୍କୁ ଡାକି ଦୁଷ୍ଟ ପ୍ରେତାତ୍ମଙ୍କ ପ୍ରତିରୋଧ କରନ୍ତୁ । ହଁ, ପରମେଶ୍ୱରଙ୍କ ନାମ ଉଚ୍ଚାରଣ କରି ଉଚ୍ଚସ୍ୱରରେ ପ୍ରାର୍ଥନା କରନ୍ତୁ । ହିତୋପଦେଶ ୧୮:୧୦ ପଦ କହେ: “ସଦାପ୍ରଭୁ [ଯିହୋବା] ଙ୍କ ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ସେଠକୁ ପଳାଇ ରକ୍ଷା ପାଏ ।” କୋଟି ଡି ଆଇଭରି ନାମକ ସ୍ଥାନର ସେଇ ଖ୍ରୀଷ୍ଟିୟାନ ପୁରୁଷ ଏହାହିଁ କଲେ, ଫଳରେ ଦୁଷ୍ଟ ପ୍ରେତାତ୍ମାମାନେ ଉପଦ୍ରବ କଲେନାହିଁ ।—ଗୀତସଂହିତା ୧୨୪:୮; ୧୪୫:୧୮.

୨୦. ସାରାଂଶରେ, ଦୁଷ୍ଟ ପ୍ରେତାତ୍ମାର ପ୍ରତିରୋଧ କରିବା ପାଇଁ ଆପଣ କʼଣ କରିପାରିବେ ?

୨୦ ଦୁଷ୍ଟ ପ୍ରେତାତ୍ମାମାନଙ୍କୁ ଅସ୍ତିତ୍ୱରେ ରହିବା ପାଇଁ ଯିହୋବା ଅନୁମତି ଦେଇଛନ୍ତି । କିନ୍ତୁ ସେ ନିଜ କ୍ଷମତା ବିଶେଷ କରି ନିଜ ପ୍ରଜାମାନଙ୍କ ସପକ୍ଷରେ ପ୍ରଦର୍ଶନ କରନ୍ତି ଓ ତାଙ୍କ ନାମ ସମୁଦାୟ ପୃଥିବୀରେ ଘୋଷିତ ହେଉଛି । (ଯାତ୍ରା ପୁସ୍ତକ ୯:୧୬) ଯଦି ଆପଣ ପରମେଶ୍ୱରଙ୍କ ନିକଟତର ହୁଅନ୍ତି, ତେବେ ଦୁଷ୍ଟ ପ୍ରେତାତ୍ମାଙ୍କୁ ଭୟ କରିବା ଆବଶ୍ୟକ ନାହିଁ । (ଗଣନା ପୁସ୍ତକ ୨୩:୨୧, ୨୩; ଯାକୁବ ୪:୭, ୮; ୨ ପିତର ୨:୯) ସେମାନଙ୍କ କ୍ଷମତା ସୀମିତ । ନୋହଙ୍କ ସମୟରେ ସେମାନଙ୍କୁ ଦଣ୍ଡ ଦିଆଯାଇଥିଲା, ନିକଟ ଅତୀତରେ ସେମାନଙ୍କୁ ସ୍ୱର୍ଗରୁ ନିକ୍ଷିପ୍ତ କରାହୋଇଛି ଓ ବର୍ତ୍ତମାନ ସେମାନେ ଅନ୍ତିମ ନ୍ୟାୟର ପ୍ରତୀକ୍ଷା କରୁଛନ୍ତି । (ଯିହୂଦା  ୬; ପ୍ରକାଶିତ ବାକ୍ୟ ୧୨:୯; ୨୦:୧-୩, ୭-୧୦, ୧୪) ବାସ୍ତବରେ, ସେମାନଙ୍କ ପାଇଁ ଆସୁଥିବା ବିନାଶ ଯୋଗୁଁ ସେମାନେ ଥରହର ହେଉଛନ୍ତି । (ଯାକୁବ ୨:୧୯) ତେଣୁ ଦୁଷ୍ଟ ପ୍ରେତାତ୍ମା ଯଦି କୌଣସି ପ୍ରକାର ପ୍ରଲୋଭନ ଦ୍ୱାରା ଆପଣଙ୍କୁ ଆକର୍ଷିତ କରନ୍ତି କିମ୍ବା ଯେ କୌଣସି ଉପାୟରେ ଆକ୍ରମଣ କରିବାରେ ଚେଷ୍ଟା କରନ୍ତି, ତେବେ ଆପଣ ସେମାନଙ୍କ ପ୍ରତିରୋଧ କରି ପାରିବେ । (୨ କରିନ୍ଥୀୟ ୨:୧୧) ପ୍ରେତାତ୍ମାବାଦର ପ୍ରତ୍ୟେକ କାର୍ଯ୍ୟକୁ ପରିହାର କରନ୍ତୁ, ପରମେଶ୍ୱରଙ୍କ ବାକ୍ୟର ଉପଦେଶ ଗ୍ରହଣ କରନ୍ତୁ ଓ ଯିହୋବାଙ୍କ ଅନୁମୋଦନ ପାଇଁ ପ୍ରାର୍ଥନା କରନ୍ତୁ । ଅବିଳମ୍ବେ ଏହା କରନ୍ତୁ, କାରଣ ଆପଣଙ୍କ ଜୀବନ ଆପଣଙ୍କ ଦ୍ୱାରା ଦୁଷ୍ଟ ପ୍ରେତାତ୍ମାଙ୍କ ପ୍ରତିରୋଧ କରିବା ଉପରେ ନିର୍ଭର କରୁଛି !

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଦୁଷ୍ଟ ପ୍ରେତାତ୍ମାମାନେ ଲୋକମାନଙ୍କୁ କିଭଳି ପଥଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ?

ବାଇବଲ ପ୍ରେତାତ୍ମାବାଦକୁ ନିନ୍ଦା କରେ କାହିଁକି ?

ଜଣେ ବ୍ୟକ୍ତି ଦୁଷ୍ଟ ଆତ୍ମିକ ଶକ୍ତିଠାରୁ କିଭଳି ମୁକ୍ତ ହୋଇ ପାରିବ ?

ଦୁଷ୍ଟ ପ୍ରେତାତ୍ମାଙ୍କ ବିରୁଦ୍ଧରେ ଆପଣଙ୍କ ପ୍ରତିରୋଧ ବଜାୟ ରଖିବା ଉଚିତ କାହିଁକି ?

[ଅଧ୍ୟୟନ ପ୍ରଶ୍ନ]

[୧୧୦ ପୃଷ୍ଠାରେ ଚିତ୍ର]

ପ୍ରେତାତ୍ମାବାଦର ରୂପଗୁଡ଼ିକୁ ଆପଣମାନେ କେଉଁ ଦୃଷ୍ଟିକୋଣରେ ଦେଖନ୍ତି ?