इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କଲୋକଙ୍କ ମେଳରେ ସୁରକ୍ଷା ପାଆନ୍ତୁ

ପରମେଶ୍ୱରଙ୍କଲୋକଙ୍କ ମେଳରେ ସୁରକ୍ଷା ପାଆନ୍ତୁ

ଅଧ୍ୟାୟ ୧୭

ପରମେଶ୍ୱରଙ୍କଲୋକଙ୍କ ମେଳରେ ସୁରକ୍ଷା ପାଆନ୍ତୁ

୧, ୨. ଏକ ଝଡ଼ରେ ଛାରଖାର ହୋଇଥିବା ଅଞ୍ଚଳର ଲୋକମାନଙ୍କ ପରି ମାନବଜାତିର ଅବସ୍ଥା କିପରି ହୋଇଛି ?

 କଳ୍ପନା କରନ୍ତୁ, ଆପଣ ବାସ କରୁଥିବା ଅଞ୍ଚଳକୁ ଏକ ପ୍ରଚଣ୍ଡ ଝଡ଼ ଛାରଖାର କରିଦେଲା । ଆପଣଙ୍କ ଘର ଭାଙ୍ଗିଗଲା ଓ ଆପଣଙ୍କ ଧନସମ୍ପତ୍ତି ନଷ୍ଟ ହୋଇଗଲା । ଖାଦ୍ୟର ଅଭାବ ହେଲା । ସ୍ଥିତି ନୈରାଶ୍ୟଜନକ ମନେ ହେଉଥିଲା । ଏହା ପରେ, ଆଶାତୀତଭାବେ ହଠାତ ସାହାଯ୍ୟ ସାମଗ୍ରୀ ପହଞ୍ଚାଇ ଦିଆଗଲା । ଖାଦ୍ୟ ଓ ବସ୍ତ୍ର ବହୁ ପରିମାଣରେ ଯୋଗାଇ ଦିଆଗଲା । ଆପଣଙ୍କ ପାଇଁ ଏକ ନୂତନ ଗୃହ ତିଆରି କରାଗଲା । ନିଶ୍ଚିତରୂପେ ଯେଉଁ ବ୍ୟକ୍ତିଙ୍କ ଦ୍ୱାରା ଏସବୁ ଯୋଗାଇବା ସମ୍ଭବ ହେଲା, ତାଙ୍କ ପ୍ରତି ଆପଣ କୃତଜ୍ଞ ହେବେ ।

ଏହିପରି ଆଜି ମଧ୍ୟ କିଛି ଘଟୁଛି । ସେହି ଝଡ଼ ପରି ଆଦମ ଓ ହବାଙ୍କ ଅବଜ୍ଞା ମାନବଜାତିର ବହୁତ କ୍ଷତି ଘଟାଇଛି । ମାନବଜାତିର ପାରଦୀଶ ଗୃହ ନଷ୍ଟ ହୋଇଛି । ସେହି ସମୟଠାରୁ ଲୋକମାନଙ୍କୁ ଯୁଦ୍ଧ, ଅପରାଧ ଓ ଅନ୍ୟାୟରୁ ସୁରକ୍ଷା ଦେବାରେ ସମସ୍ତ ଲୌକିକ ସରକାର ବିଫଳ ହୋଇଛନ୍ତି । ଧର୍ମ, ହିତକର ଆଧ୍ୟାତ୍ମିକ ଭୋଜନ ନଦେଇ ବହୁ ସଂଖ୍ୟକ ଲୋକମାନଙ୍କୁ ଅନାହାର ଅବସ୍ଥାରେ ଛାଡ଼ିଦେଇଛି । ତଥାପି, ଆଧ୍ୟାତ୍ମିକଭାବେ ଦେଖିଲେ ଯିହୋବା ପରମେଶ୍ୱର ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଯୋଗାଇ ଦେଉଛନ୍ତି । ସେ ତାହା କିପରି କରୁଛନ୍ତି ?

“ବିଶ୍ୱସ୍ତ ଓ ବୁଦ୍ଧିମାନ୍‌ ଦାସ”

୩. ମାନବଜାତି ପାଇଁ ଯିହୋବା କିପରି ବ୍ୟବସ୍ଥା କରନ୍ତି, ଏହା କେଉଁ ଉଦାହରଣ ଦ୍ୱାରା ଦେଖାଇ ଦିଆଯାଇଛି ?

ସାହାଯ୍ୟ ସାମଗ୍ରୀ ସାଧାରଣତଃ ଏକ ସଂଗଠିତ ମାଧ୍ୟମ ଦ୍ୱାରା ବିତରଣ କରାଯାଏ ଓ ଠିକ୍‌ ସେହିପରି ଯିହୋବା ତାଙ୍କ ଲୋକମାନଙ୍କ ପାଇଁ ଆଧ୍ୟାତ୍ମିକ ବ୍ୟବସ୍ଥା କରିଛନ୍ତି । ଉଦାହରଣ ସ୍ୱରୂପ, ପ୍ରାୟ ୧,୫୦୦ ବର୍ଷ ପାଇଁ ଇଶ୍ରାଲୀୟମାନେ “ଯିହୋବାଙ୍କ ମଣ୍ଡଳୀରେ” ଥିଲେ । ସେମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ନିୟମ ଶିକ୍ଷା ଦେବାକୁ ସେହି ଲୋକମାନେ ଥିଲେ, ଯେଉଁମାନଙ୍କୁ ମାଧ୍ୟମରୂପେ ବ୍ୟବହାର କରାଯାଉଥିଲା । (୧ ବଂଶାବଳି ୨୮:୮; ୨ ବଂଶାବଳି ୧୭:୭-୯) ସା.ଯୁ. ପ୍ରଥମ ଶତାବ୍ଦୀରେ ଯିହୋବା ଖ୍ରୀଷ୍ଟିୟାନ ସଂଗଠନ ସ୍ଥାପନ କଲେ । ମଣ୍ଡଳୀଗୁଡ଼ିକ ଗଠିତ ହେଲା, ପ୍ରେରିତ ଓ ପ୍ରୌଢ଼ ବ୍ୟକ୍ତିମାନଙ୍କ ଦ୍ୱାରା ନିର୍ମିତ ପରିଚାଳନା ସମିତିର ଅଧୀନରେ ସେମାନେ କାର୍ଯ୍ୟ ସଂପାଦନ କଲେ । (ପ୍ରେରିତ ୧୫:୨୨-୩୧) ସେହିପରି ଆଜିମଧ୍ୟ ଯିହୋବା ଏକ ସଂଗଠିତ ଗୋଷ୍ଠୀ ମାଧ୍ୟମରେ ନିଜ ଲୋକମାନଙ୍କ ସହିତ ସମ୍ପର୍କ ରକ୍ଷା କରନ୍ତି । ଏହା ଆମେ କିପରି ଜାଣିବା ?

୪. ଆଧୁନିକ ସମୟରେ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ପ୍ରମାଣିତ ହୋଇଛନ୍ତି ଓ ପରମେଶ୍ୱରଙ୍କ ଆଧ୍ୟାତ୍ମିକ ବ୍ୟବସ୍ଥା କିପରି ପ୍ରାପ୍ତ ହୋଇଛି ?

ଯୀଶୁ କହିଥିଲେ ଯେ ରାଜପଦ ପ୍ରାପ୍ତ ହେବା ସମୟରେ ତାଙ୍କ ଅନୁଗାମୀମାନଙ୍କୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସମାନେ” ଯଥା ସମୟରେ ଖାଦ୍ୟ ଯୋଗାଇବେ । (ମାଥିଉ ୨୪:୪୫-୪୭) ୧୯୧୪ ମସିହାରେ ଯେତେବେଳେ ଯୀଶୁଙ୍କୁ ସ୍ୱର୍ଗସ୍ଥ ରାଜାରୂପେ ଅଧିଷ୍ଠିତ କରାଗଲା, ଏହି “ଦାସ” ବୋଲି କିଏ ପ୍ରମାଣିତ ହେଲେ ? ନିଶ୍ଚିତରୂପେ ଖ୍ରୀଷ୍ଟୀୟ ଜଗତର ପାଦ୍ରୀବର୍ଗ ନୁହେଁ । କାରଣ ଅଧିକାଂଶତଃ, ପ୍ରଥମ ବିଶ୍ୱ ଯୁଦ୍ଧରେ ସେମାନଙ୍କ ନିଜ ରାଷ୍ଟ୍ରୀୟ ସରକାରଙ୍କର ପକ୍ଷ ନେଇଥିବା ବିଷୟରେ ପ୍ରଚାର କରି ସେମାନଙ୍କ ଗୋଷ୍ଠୀକୁ ପୋଷଣ କରୁଥିଲେ । ପରମେଶ୍ୱରଙ୍କ ପବିତ୍ର ଆତ୍ମାଦ୍ୱାରା ଅଭିଷିକ୍ତ ଓ ଯୀଶୁ କହିଥିବା “ସାନ ପଲ” ହେଉଛନ୍ତି ପ୍ରକୃତ ଖ୍ରୀଷ୍ଟିୟାନ ଗୋଷ୍ଠୀ, ଏମାନେ ଉପଯୁକ୍ତଭାବେ ସମୟାନୁସାରେ ଆଧ୍ୟାତ୍ମିକ ଭୋଜନ ବିତରଣ କରୁଛନ୍ତି । (ଲୁକ ୧୨:୩୨) ଏହି ଅଭିଷିକ୍ତ ଖ୍ରୀଷ୍ଟିୟାନ୍‌ମାନେ ଲୌକିକ ସରକାର ପରିବର୍ତ୍ତେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ । ଫଳସ୍ୱରୂପ, ପରବର୍ତ୍ତୀ ବର୍ଷଗୁଡ଼ିକରେ ସତ୍ୟ ଧର୍ମର ଆଭ୍ୟାସ କରି ଲକ୍ଷ ଲକ୍ଷ ସଂଖ୍ୟାରେ ଧାର୍ମିକଭାବେ ପର୍ଯ୍ୟବସିତ “ଅନ୍ୟ ମେଷଗୁଡ଼ିକ” ଅଭିଷିକ୍ତ “ଦାସ” ସହିତ ସଂଯୁକ୍ତ ହେଲେ । (ଯୋହନ ୧୦:୧୬) ଏହି ‘ବିଶ୍ୱସ୍ତ ଦାସ’ ଓ ଏହାର ବର୍ତ୍ତମାନ-ଦିନର ପରିଚାଳନା ସମିତିକୁ ଉପଯୋଗକରି ପରମେଶ୍ୱର ଆଧ୍ୟାତ୍ମିକ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ପ୍ରୟୋଜନବୋଧ କରୁଥିବା ଲୋକଙ୍କୁ ଯୋଗାଇବା ପାଇଁ ନିଜ ସଙ୍ଗଠିତ ଲୋକମାନଙ୍କୁ ନିର୍ଦ୍ଦେଶ ଦିୟନ୍ତି ।

“ଯଥାସମୟରେ ଖାଦ୍ୟ”

୫. ଆଜି ଜଗତରେ ଆଧ୍ୟାତ୍ମିକ ଅବସ୍ଥାର ସ୍ଥିତି କʼଣ, କିନ୍ତୁ ଯିହୋବା ଏହି ବିଷୟରେ କʼଣ କରିବାକୁ ଯାଉଛନ୍ତି ?

ଯୀଶୁ କହିଥିଲେ: “ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର [ଯିହୋବା] ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।” (ମାଥିଉ ୪:୪) କିନ୍ତୁ ଦୁଃଖର କଥା ଯେ ପରମେଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟପ୍ରତି ଅଧିକାଂଶ ଲୋକ ମନଯୋଗ ଦେଉ ନାହାନ୍ତି । ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତା ଆମୋଷଙ୍କ ଦ୍ୱାରା ଯେପରି ପୂର୍ବରୁ କୁହାଯାଇଥିଲା: “ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁ ଯିହୋବାଙ୍କ ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ ।” (ଆମୋଷ ୮:୧୧, NW) ଏପରିକି ଅତି ଧାର୍ମିକ ଲୋକମାନେ ମଧ୍ୟ ଆଧ୍ୟାତ୍ମିକଭାବେ କ୍ଷୁଧିତ । ତଥାପି, ଯିହୋବାଙ୍କ ଇଚ୍ଛା ଯେ, “ସମସ୍ତଙ୍କର ଉଦ୍ଧାର ହେଉ ଓ ସେମାନେ ସତ୍ୟର ଯଥାର୍ଥ ଜ୍ଞାନ ପ୍ରାପ୍ତ ହୁଅନ୍ତୁ ।” (୧ ତୀମଥି ୨:୩, ୪) ସେହି ଅନୁସାରେ, ସେ ପ୍ରଚୁର ପରିମାଣରେ ଆଧ୍ୟାତ୍ମିକ ଭୋଜନ ଯୋଗାଉଛନ୍ତି । କିନ୍ତୁ ଏହା କେଉଁଠାରେ ମିଳିପାରିବ ?

୬. ଅତୀତରେ ଆଧ୍ୟାତ୍ମିକଭାବେ କିପରି ସେ ନିଜ ଲୋକମାନଙ୍କୁ ପୋଷଣ କରିଥିଲେ ?

ସମଗ୍ର ଇତିହାସରେ, ଯିହୋବା ନିଜ ଲୋକମାନଙ୍କୁ ଦଳବଦ୍ଧ ହିସାବରେ ଆଧ୍ୟାତ୍ମିକ ଭୋଜନ ବିତରଣ କରିଥିଲେ । (ଯିଶାଇୟ ୬୫:୧୩) ଉଦାହରଣସ୍ୱରୂପ, ପରମେଶ୍ୱରଙ୍କ ନିୟମରେ ଦଳବଦ୍ଧଭାବେ ନିର୍ଦ୍ଦେଶ ଦେବା ପାଇଁ ଇଶ୍ରାୟେଲୀୟ ଯାଜକମାନେ ପୁରୁଷ, ନାରୀ ଓ ପିଲାମାନଙ୍କୁ ଏକତ୍ର କରୁଥିଲେ । (ଦ୍ୱିତୀୟ ବିବରଣ ୩୧:୯, ୧୨) ପରିଚାଳନା ସମିତିର ଅଧୀନରେ ସମସ୍ତଙ୍କୁ ପ୍ରୋତ୍ସାହନ ଓ ନିର୍ଦ୍ଦେଶ ପାଇଁ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନ୍‌ମାନେ ମଣ୍ଡଳୀ ସଂଗଠିତ କଲେ ଓ ସଭାର ଆୟୋଜନ କଲେ । (ରୋମୀୟ ୧୬:୫; ଫିଲୀମୋନ ୧, ୨) ଯିହୋବାଙ୍କ ସାକ୍ଷୀମାନେ ଏହି ନମୁନା ଅନୁକରଣ କରନ୍ତି । ଆପଣଙ୍କୁ ସେମାନଙ୍କ ସବୁ ସଭାରେ ଉପସ୍ଥିତ ହେବାପାଇଁ ହାର୍ଦ୍ଦିକ ଆମନ୍ତ୍ରଣ କରୁଛନ୍ତି ।

୭. ଖ୍ରୀଷ୍ଟିୟାନ ସଭାରେ ନିୟମିତ ଉପସ୍ଥିତ ହେବା, ଜ୍ଞାନ ଓ ବିଶ୍ୱାସ ସହିତ କିପରିଭାବେ ସମ୍ପୃକ୍ତ ?

ନିଶ୍ଚୟ ବ୍ୟକ୍ତିଗତ ଭାବେ ବାଇବଲ ଅଧ୍ୟୟନରେ ଆପଣ ଅଧିକ ଶିଖିସାରିଥିବେ । ହୋଇପାରେ କେହିଜଣେ ସାକ୍ଷୀ ଆପଣଙ୍କୁ ସାହାଯ୍ୟ କରିଥିବେ । (ପ୍ରେରିତ ୮:୩୦-୩୫) କିନ୍ତୁ ଯଦି ଉପଯୁକ୍ତ ଯତ୍ନ ନ ଦିଆଯାଏ, ତେବେ ଏକ ଚାରାଗଛ ପରି ଆପଣଙ୍କ ବିଶ୍ୱାସ ଶୁଖିଯାଇ ମରିଯାଇପାରେ । ସୁତରାଂ, ଆପଣ ଉପଯୁକ୍ତ ଆଧ୍ୟାତ୍ମିକ ପୁଷ୍ଟି ପାଇବା ଉଚିତ । (୧ ତୀମଥି ୪:୬) ଆପଣଙ୍କୁ ଆଧ୍ୟାତ୍ମିକଭାବେ ପୋଷଣ କରିବା ପାଇଁ ସ୍ଥାପିତ ଖ୍ରୀଷ୍ଟିୟାନ ସଭା କ୍ରମାଗତ କାର୍ଯ୍ୟକ୍ରମ ଯୋଗାଏ, ଯେପରିକି ଆପଣ ପରମେଶ୍ୱରଙ୍କ ଜ୍ଞାନରେ ବୃଦ୍ଧି ପାଇ ବିଶ୍ୱାସରେ ବଢ଼ି ପାରନ୍ତି, ଏଥିପାଇଁ ସାହାଯ୍ୟ କରନ୍ତି ।—କଲସୀୟ ୧:୯, ୧୦.

୮. ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଉପସ୍ଥିତ ହେବା ପାଇଁ ଆମକୁ କାହିଁକି ପ୍ରୋତ୍ସାହିତ କରାଯାଉଛି ?

ସଭା ଅନ୍ୟଏକ ଅତି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ କରେ । ପାଉଲ ଲେଖିଥିଲେ: “ଆସନ୍ତୁ ଆମେ ପ୍ରେମ ଓ ଉତ୍ତମ କାର୍ଯ୍ୟରେ ପରସ୍ପରପ୍ରତି ଉତ୍ସାହିତ କରିବାକୁ ଚିନ୍ତା କରିବା, ଏକାଠି ସମ୍ମିଳିତ ହେବାରେ ଅବହେଳା କରିବା ନାହିଁ ।” (ଏବ୍ରୀ ୧୦:୨୪, ୨୫, NW) “ଉତ୍ସାହିତ କରିବା” ଅନୁଦିତ ଗ୍ରୀକ୍‌ ଶବ୍ଦ “ତେଜିୟାନ କରିବା” ଅର୍ଥ ବି ହୋଇପାରେ । ବାଇବଲର ଏକ ହିତୋପଦେଶ କହେ: “ଲୁହା ଦ୍ୱାରା ଲୁହା ନିଜେ ତେଜିୟାନ ହୁଏ, ସେହିପରି ଜଣେ ଲୋକ ଅନ୍ୟଜଣର ମୁଖ ତେଜସ୍ୱୀ କରେ ।” (ହିତୋପଦେଶ ୨୭:୧୭, NW) ଆମେ ସମସ୍ତେ ନିରନ୍ତର ‘ତେଜସ୍ୱୀ ହେବା’ ଆବଶ୍ୟକ । ଜଗତର ଦୈନିକ ଚାପ ଆମ ବିଶ୍ୱାସକୁ ନିସ୍ତେଜ କରିପାରେ । ଯେତେବେଳେ ଆମେ ଖ୍ରୀଷ୍ଟିୟାନ ସଭାରେ ଉପସ୍ଥିତ ହେଉଛୁ, ସେଠାରେ ପ୍ରୋତ୍ସାହନର ଆଦାନ ପ୍ରଦାନ ରହିଛି । (ରୋମୀୟ ୧:୧୧, ୧୨) “ପରସ୍ପରକୁ ପ୍ରୋତ୍ସାହନ ଦିଅ ଓ ପରସ୍ପର ଉନ୍ନତି ନିମନ୍ତେ ଯତ୍ନବାନ ହୁଅ,” ମଣ୍ଡଳୀର ସଦସ୍ୟମାନେ ପ୍ରେରିତ ପାଉଲଙ୍କ ଉପଦେଶ ଅନୁକରଣ କରିଥାଆନ୍ତି ଓ ଏସବୁ ଆମ ବିଶ୍ୱାସକୁ ତେଜିଆନ୍‌ କରେ । (୧ ଥେସଲନୀକୀୟ ୫:୧୧, NW) ଖ୍ରୀଷ୍ଟିୟାନ ସଭାରେ ନିୟମିତ ଉପସ୍ଥିତ ହେବା ମଧ୍ୟ ଦର୍ଶାଏ ଯେ, ଆମେ ପରମେଶ୍ୱରଙ୍କୁ ପ୍ରେମ କରୁଛୁ ଓ ତାଙ୍କର ସ୍ତୁତି କରିବାକୁ ତାହା ଆମକୁ ସୁଯୋଗ ଦିଏ ।—ଗୀତସଂହିତା ୩୫:୧୮.

“ପ୍ରେମକୁ ପରିଧାନ କର”

୯. ପ୍ରେମ ପ୍ରଦର୍ଶନ କରି ଯିହୋବା କିପରି ଉଦାହରଣ ରଖିଛନ୍ତି ?

ପାଉଲ ଲେଖିଥିଲେ: “ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନସ୍ୱରୂପ ।” (କଲସୀୟ ୩:୧୪) ଯିହୋବା ଆମ ପାଇଁ ଅନୁଗ୍ରହପୂର୍ବକ ଏହି ପରିଚ୍ଛଦର ବ୍ୟବସ୍ଥା କରିଛନ୍ତି । କେଉଁ ପ୍ରକାରେ ? ଖ୍ରୀଷ୍ଟିୟାନମାନେ ପ୍ରେମ ପ୍ରଦର୍ଶିତ କରି ପାରନ୍ତି, କାରଣ ପ୍ରେମ ଯିହୋବା ପରମେଶ୍ୱରଙ୍କ ପ୍ରଦତ୍ତ ପବିତ୍ର ଆତ୍ମାର ଫଳ ମଧ୍ୟରୁ ଗୋଟିଏ । (ଗାଲାତୀୟ ୫:୨୨, ୨୩) ଯିହୋବା ନିଜ ଅଦ୍ୱିତୀୟ ପୁତ୍ରକୁ ପଠାଇ ମହାନ ପ୍ରେମର ନିଦର୍ଶନ ଆମକୁ ଦେଖାଇଛନ୍ତି । ଯାହାଫଳରେ ଆମେ ଅନନ୍ତ ଜୀବନ ପାଇପାରୁ । (ଯୋହନ ୩:୧୬) ଏହି ପ୍ରେମ ପ୍ରକାଶ କରିବାରେ ଏହାର ଏକ ଶ୍ରେଷ୍ଠ ନିଦର୍ଶନ ଆମପାଇଁ ଆଦର୍ଶ ହୋଇରହିଛି । “ଈଶ୍ୱର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ,” ପ୍ରେରିତ ଯୋହନ ଲେଖିଛନ୍ତି, “ତେବେ ଆମ୍ଭେମାନେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ ।”—୧ ଯୋହନ ୪:୧୧.

୧୦. “ଭାଇମାନଙ୍କ ସମ୍ପୂର୍ଣ୍ଣ ସଙ୍ଗଠନରୁ” ଆମେ କିପରି ଉପକାର ପାଇପାରିବା ?

୧୦ ରାଜ୍ୟଗୃହର ସଭାଗୁଡ଼ିକରେ ଆପଣଙ୍କ ଉପସ୍ଥିତି ସ୍ନେହ ଦେଖାଇବାରେ ଅତ୍ୟୁତ୍ତମ ସୁଯୋଗ ଦେବ । ସେଠାରେ ଆପଣ ବହୁତ ପ୍ରକାରର ଲୋକମାନଙ୍କୁ ସାକ୍ଷାତ କରିବେ । ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, ଆପଣ ସେମାନଙ୍କ ମଧ୍ୟରୁ ଆନେକଙ୍କ ପ୍ରତି ସଙ୍ଗେ ସଙ୍ଗେ ଆକର୍ଷଣ ଅନୁଭବ କରିବେ । ଅବଶ୍ୟ ଯିହୋବାଙ୍କ ସେବକମାନଙ୍କ ମଧ୍ୟରେ ବି ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ହୋଇଥାଏ । ସମ୍ଭବତଃ ଅତୀତରେ ଆପଣଙ୍କ ଆଗ୍ରହ ବା ଗୁଣ ସହିତ ସାମ୍ୟ ନଥିବା ଲୋକଙ୍କୁ ଆପଣ ଏଡ଼ାଇ ଯାଉଥିଲେ । କିନ୍ତୁ, ଖ୍ରୀଷ୍ଟିୟାନମାନଙ୍କୁ ‘ଭାଇମାନଙ୍କ ସମ୍ପୂର୍ଣ୍ଣ ସଙ୍ଗଠନ ପ୍ରତି ସ୍ନେହ ରଖିବା’ ଆବଶ୍ୟକ । (୧ ପିତର ୨:୧୭, NW) ସେଥିପାଇଁ ରାଜ୍ୟ ଗୃହରେ ସେମାନଙ୍କ ସହିତ ଘନିଷ୍ଟ ହେବାକୁ ଲକ୍ଷ୍ୟ ରଖନ୍ତୁ—ଏପରିକି ଯେଉଁ ବ୍ୟକ୍ତିମାନଙ୍କ ବୟସ, ବ୍ୟକ୍ତିତ୍ୱ, ଜାତି ବା ଶିକ୍ଷାଗତ ଯୋଗ୍ୟତା ଆପଣଙ୍କଠାରୁ ଭିନ୍ନ । ଏହିପରି ପ୍ରତ୍ୟେକଙ୍କର କିଛି ନା କିଛି ପ୍ରୀତିକର ଗୁଣ ଆପଣ ଦେଖିବାକୁ ପାଇବେ ।

୧୧. ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିଭିନ୍ନତା ଥିଲେମଧ୍ୟ, ନିରାଶ ହେବା ଉଚିତ୍‌ ନୁହେଁ କାହିଁକି ?

୧୧ ମଣ୍ଡଳୀରେ ବ୍ୟକ୍ତିତ୍ୱର ବିଭିନ୍ନତା ଆପଣଙ୍କୁ କେବେହେଲେ ନିରାଶ କରିବ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ, କଳ୍ପନା କରନ୍ତୁ ଗୋଟିଏ ରାସ୍ତାରେ ଅନେକ ସଂଖ୍ୟକ ଯାନ ଆପଣଙ୍କ ପାର୍ଶ୍ୱଦେଇ ଗତି କରୁଛି । ସେଗୁଡ଼ିକର ଗତି ବା ସ୍ଥିତି ସମାନ ନୁହେଁ । କେତେକ ଅନେକ ମାଇଲ ଯାତ୍ରା କରିସାରିଛନ୍ତି, କିନ୍ତୁ ଅନ୍ୟ କେତେକ ଆପଣଙ୍କଭଳି ଏହିକ୍ଷଣି ଯାତ୍ରା ଆରମ୍ଭ କରିଛନ୍ତି । ତଥାପି, ଏହି ଭିନ୍ନତାକୁ ଖାତିର ନକରି ସବୁଗୁଡ଼ିକ ଗୋଟିଏ ରାସ୍ତାରେ ଯାତ୍ରା କରୁଛନ୍ତି । ଏହା ଗୋଟିଏ ମଣ୍ଡଳୀର ସଂଯୁକ୍ତ ବ୍ୟକ୍ତିମାନଙ୍କ ସହିତ ସମତୁଲ୍ୟ । ସମସ୍ତ ଖ୍ରୀଷ୍ଟିୟାନଙ୍କ ଗୁଣଗୁଡ଼ିକ ସମାନଭାବେ ବିକସିତ ହୁଏ ନାହିଁ । ଏହା ବ୍ୟତୀତ, ସମସ୍ତେ ସମାନ ଶାରୀରିକ ବା ମାନସିକ ଅବସ୍ଥାରେ ନୁହନ୍ତି । କେତେକ ଅନେକ ବର୍ଷରୁ ଯିହୋବାଙ୍କୁ ଉପାସନା କରିଆସୁଛନ୍ତି; ଅନ୍ୟମାନେ ଏହିକ୍ଷଣି ଆରମ୍ଭ କରିଛନ୍ତି । ହେଲେମଧ୍ୟ, ‘ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୋଇ’ ସମସ୍ତେ ଅନନ୍ତଜୀବନ ପଥରେ ଆଗେଇ ଯାଉଛନ୍ତି । (୧ କରନ୍ଥୀୟ ୧:୧୦) ତେଣୁ ମଣ୍ଡଳୀରେ ସଦସ୍ୟମାନଙ୍କର ଦୁର୍ବଳତା ପରିବର୍ତ୍ତେ ଶ୍ରେଷ୍ଠ ଗୁଣ ପ୍ରତି ଧ୍ୟାନ ଦିଅନ୍ତୁ । ଏପରି ଇଚ୍ଛା କଲେ ଆପଣଙ୍କ ହୃଦୟ ପ୍ରସନ୍ନ ହେବ ଓ ଆପଣ ଅନୁଭବ କରିପାରିବେ ଯେ, ଏହି ଲୋକମାନଙ୍କ ମଧ୍ୟରେ ପରମେଶ୍ୱର ଅଛନ୍ତି । ନିଶ୍ଚିତ ଭାବରେ ଆପଣ ଏଠାରେ ହିଁ ରହିବାକୁ ଚାହିଁବେ ।—୧ କରନ୍ଥୀୟ ୧୪:୨୫.

୧୨, ୧୩. (କ) କେହି ଜଣେ ଯଦି ଆପଣଙ୍କୁ ମଣ୍ଡଳୀରେ ଅପମାନ କରେ, ତେବେ ଆପଣ କʼଣ କରିବେ ? (ଖ) ଆକ୍ରୋଶଭାବ ନ ରଖିବା ଗୁରୁତ୍ୱପୂର୍ଣ୍ଣ କାହିଁକି ?

୧୨ ଯେହେତୁ ସକଳ ମାନବଜାତି ଅସିଦ୍ଧ, କେବେ କେବେ ମଣ୍ଡଳୀରେ କେହି ହୁଏତ ଏପରି କିଛି କହିପାରେ ବା କରିପାରେ ଯାହା ଆପଣଙ୍କୁ ବିତୃଷ୍ଣା ଲାଗିପାରେ । (ରୋମୀୟ ୩:୨୩) ଶିଷ୍ୟ ଯାକୁବ ଯଥାର୍ଥରୂପେ ଲେଖିଥିଲେ: “ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ । ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ ।” (ଯାକୁବ ୩:୨) ଯଦି କେହି ଆପଣଙ୍କୁ ଅସନ୍ତୁଷ୍ଟ କରେ, ତେବେ ଆପଣ କିପରି ପ୍ରତିକ୍ରିୟା ଦେଖାଇବେ ? ଏକ ବାଇବଲ ହିତୋପଦେଶ କହେ: “ମନୁଷ୍ୟର ସୁବୁଦ୍ଧି [“ଅନ୍ତଦୃଷ୍ଟି,” NW] ତାହାକୁ କ୍ରୋଧରେ ଧୀର କରେ; ପୁଣି ଦୋଷ ଛାଡ଼ିଦେବା ତାହାର ଭୂଷଣ ।” (ହିତୋପଦେଶ ୧୯:୧୧) ଅନ୍ତଦୃଷ୍ଟିର ଅର୍ଥ ହେଉଛି ଏକ ସ୍ଥିତିର ମୂଳତତ୍ୱ ବୁଝିବା ପାଇଁ ଗଭୀର ଭାବରେ ଦେଖିବା, ଯାହା ଜଣେ ବ୍ୟକ୍ତିକୁ ଏକ ନିର୍ଦ୍ଧିଷ୍ଟ ପ୍ରକାରରେ କହିବା କିମ୍ବା କାର୍ଯ୍ୟକରିବା ପାଇଁ ସମର୍ଥ କରିଥାଏ । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଆମ ନିଜ ଭୁଲକୁ ନ ଧରିବା ପାଇଁ ଅଧିକ ଅନ୍ତଦୃଷ୍ଟି ଉପଯୋଗ କରିଥାଉ । ଅନ୍ୟମାନଙ୍କ ଅସିଦ୍ଧତାକୁ ବୁଝି ଆଚ୍ଛାଦନ କରିବାରେ ମଧ୍ୟ ଅନ୍ତଦୃଷ୍ଟିକୁ କାହିଁକି ଉପଯୋଗ କରିବା ନାହିଁ ?—ମାଥିଉ ୭:୧-୫; କଲସୀୟ ୩:୧୩.

୧୩ ଆମେ ନିଜେ ଯଦି ଯିହୋବାଙ୍କ ଠାରୁ କ୍ଷମା ପାଇବା ପାଇଁ ଚାହୁଁଛୁ ତେବେ ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ, ଏହା କେବେହେଲେ ଭୁଲନ୍ତୁ ନାହିଁ । (ମାଥିଉ ୬:୯, ୧୨, ୧୪, ୧୫) ଯଦି ଆମେ ସତ୍ୟ ବିଷୟରେ ଶିଖୁଛୁ, ଅନ୍ୟମାନଙ୍କ ସହିତ ସ୍ନେହମୟ ବ୍ୟବହାର କରିବା । (୧ ଯୋହନ ୧:୬, ୭; ୩:୧୪-୧୬; ୪:୨୦, ୨୧) ସେଥିପାଇଁ, ଯଦି ଆପଣ ମଣ୍ଡଳୀରେ ଜଣେ ବ୍ୟକ୍ତିଙ୍କ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ କ୍ରୋଧ ସମ୍ବରଣ କରନ୍ତୁ । ଯଦି ଆପଣ ପ୍ରେମକୁ ପରିଧାନ କରିଛନ୍ତି, ତେବେ ଆପଣ ସମସ୍ୟାକୁ ସମାଧାନ କରିବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କରିବେ ଓ ଆପଣଙ୍କର ଯଦି ଦୋଷ ଥାଏ ତେବେ କ୍ଷମା ପ୍ରାର୍ଥନା ପାଇଁ ପଛଘୂଞ୍ଚା ଦିୟନ୍ତୁ ନାହିଁ ।—ମାଥିଉ ୫:୨୩, ୨୪; ୧୮:୧୫-୧୭.

୧୪. କେଉଁ ଗୁଣଗୁଡ଼ିକ ଆମେ ପରିଧାନ କରିବା ଉଚିତ୍‌ ?

୧୪ ପ୍ରେମର ନିକଟତର ଅନ୍ୟ ଗୁଣସବୁ ଆମକୁ ପରିଧାନ କରିବା ଉଚିତ । ପାଉଲ ଲେଖିଥିଲେ: “କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର ।” ଏହି ଗୁଣସବୁ ପ୍ରେମଦ୍ୱାରା ପରିବେଷ୍ଟିତ ଈଶ୍ୱରୀୟ “ନୂତନ ସ୍ୱଭାବର [“ବ୍ୟକ୍ତିତ୍ୱ,” NW]” ଅଂଶ ଅଟେ । (କଲସୀୟ ୩:୧୦, ୧୨) ଏସବୁ ପରିଧାନ କରିବା ପାଇଁ ଆପଣ କି ଉଦ୍ୟମ କରିବେ ? ବିଶେଷତଃ ଯଦି ଆପଣ ଭ୍ରାତୃପ୍ରେମ ପରିଧାନ କରନ୍ତି, ଆପଣ କʼଣ ଯୀଶୁଙ୍କ ଶିଷ୍ୟମାନଙ୍କ ପରିଚୟ ଚିହ୍ନ ଧାରଣ କରିବେ, କାରଣ ସେ କହିଲେ: “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହା ହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।”—ଯୋହନ ୧୩:୩୫.

ସୁରକ୍ଷାର ସ୍ଥାନ

୧୫. ମଣ୍ଡଳୀ ଏକ ଆଶ୍ରୟସ୍ଥଳପରି ହୋଇଥାଏ କିପରି ?

୧୫ ମଣ୍ଡଳୀ ଏକ ଆଶ୍ରୟସ୍ଥଳିରୂପେ କାର୍ଯ୍ୟ କରେ, ଯେଉଁଠାରେ ଆପଣ ସୁରକ୍ଷା ଅନୁଭବ କରିପାରିବେ । ଏଠାରେ ଆପଣ ସଚ୍ଚୋଟ ହୃଦୟୀ ଲୋକମାନଙ୍କୁ ପାଇବେ ଯେଉଁମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଠିକ୍‌ ତାହା କରିବା ପାଇଁ ଚେଷ୍ଟା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ସେହି ଅଭ୍ୟାସ ଓ ମନୋବୃତ୍ତିଗୁଡ଼ିକୁ ତ୍ୟାଗ କରି ଦେଇଛନ୍ତି ଯାହା ହୁଏତ ଆପଣ ତ୍ୟାଗ କରିବା ପାଇଁ ସଂଗ୍ରାମ କରୁଛନ୍ତି । (ତିତସ ୩:୩) ସେମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ, କାରଣ ଆମ୍ଭମାନଙ୍କୁ କୁହାଯାଇଛି “ପରସ୍ପରର ଭାର ବହନ କର ।” (ଗାଲାତୀୟ ୬:୨) ସ୍ୱାଭାବିକଭାବେ, ଉନ୍ନତିର ପଥରେ ଗତି କରିବା ଆପଣଙ୍କର ନିଜ ଦାୟିତ୍ୱ ଯାହା ପରିଶେଷରେ ଆପଣଙ୍କୁ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିବ । (ଗାଲାତୀୟ ୬:୫; ଫିଲିପ୍‌ପୀୟ ୨:୧୨) ସାହାଯ୍ୟ ଓ ସହଯୋଗ କରିବା ପାଇଁ ମାଧ୍ୟମରୂପେ ଯିହୋବା ଖ୍ରୀଷ୍ଟିୟାନ ମଣ୍ଡଳୀର ବ୍ୟବସ୍ଥା କରିଛନ୍ତି । ଆପଣଙ୍କ ସମସ୍ୟା ଯେତେ କଷ୍ଟକର ହେଉ ନା କାହିଁକି, ଆପଣଙ୍କର ଏକ ମୂଲ୍ୟବାନ ସମ୍ପଦ ଅଛି—ତାହା ହେଉଛି ଏହି ପ୍ରେମମୟ ମଣ୍ଡଳୀ ଯାହା କଷ୍ଟ ଓ କ୍ଷତି ସମୟରେ ଆପଣଙ୍କୁ ସାହାଯ୍ୟ କରିବ ।—ଲୁକ ୧୦:୨୯-୩୭; ପ୍ରେରିତ ୨୦:୩୫ ତୁଳନା କରନ୍ତୁ ।

୧୬. ମଣ୍ଡଳୀର ପ୍ରାଚୀନମାନେ କି ସାହାଯ୍ୟ କରିଥାଆନ୍ତି ?

୧୬ ସେମାନଙ୍କ ମଧ୍ୟରୁ ଯେଉଁମାନେ ଆପଣଙ୍କୁ ସାହାଯ୍ୟ କରିବେ, ସେମାନେ “ଉପଯୁକ୍ତ ମନୁଷ୍ୟ” ଅର୍ଥାତ—ମଣ୍ଡଳୀର ମନୋନୀତ ପ୍ରାଚୀନ କିମ୍ବା ଅଧ୍ୟକ୍ଷମାନେ, ଯେଉଁମାନେ ସ୍ୱେଚ୍ଛାରେ ଓ ଆଗ୍ରହସହକାରେ ପଲକୁ ପ୍ରତିପାଳନ କରନ୍ତି । (ଏଫିସୀୟ ୪:୮, ୧୧, ୧୨; ପ୍ରେରିତ ୨୦:୨୮; ୧ ପିତର ୫:୨, ୩) ସେମାନଙ୍କ ବିଷୟରେ ଯିଶାଇୟ ଭବିଷ୍ୟଦ୍‌ବାଣୀ କରିଥିଲେ: “ଏକ ମନୁଷ୍ୟ ବତାସରେ ଆଶ୍ରୟ ସ୍ଥାନ ଓ ଝଡରେ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍‌ ଶୈଳର ଛାୟାସ୍ୱରୂପ ହେବେ ।”—ଯିଶାଇୟ ୩୨:୨.

୧୭. (କ) ମୁଖ୍ୟତଃ କେଉଁ ପ୍ରକାର ସାହାଯ୍ୟ ଯୀଶୁ ଦେବା ପାଇଁ ଚାହାନ୍ତି ? (ଖ) ପରମେଶ୍ୱର ନିଜ ଲୋକମାନଙ୍କ ପାଇଁ କʼଣ ବ୍ୟବସ୍ଥା କରିବାର ପ୍ରତିଜ୍ଞା କରିଛନ୍ତି ?

୧୭ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ଧାର୍ମିକ ନେତାମାନଙ୍କ ଦ୍ୱାରା ପ୍ରେମମୟ ତତ୍ତ୍ୱାବଧାନର ଘୋର ଅଭାବ ଥିଲା । ଲୋକମାନଙ୍କ ଅବସ୍ଥା ତାଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥିଲା । ପ୍ରକୃତରେ ସେ ଆଧ୍ୟାତ୍ମିକଭାବେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ଯୀଶୁ ସେମାନଙ୍କ ପାଇଁ କରୁଣା ଦେଖାଇଥିଲେ କାରଣ “ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ ।” (ମାଥିଉ ୯:୩୬) ବର୍ତ୍ତମାନ ଦିନର ଲୋକଙ୍କ ଶୋଚନୀୟ ଅବସ୍ଥା ବିଷୟ ଏଥିରେ କିପରି ଉପଯୁକ୍ତ ଭାରରେ ବର୍ଣ୍ଣନା କରାଯାଇଛି, ଯେଉଁମାନଙ୍କର ଆଧ୍ୟାତ୍ମିକ ସାହାଯ୍ୟ ଓ ସାନ୍ୱନା ଦେବାକୁ କେହି ନଥିବା ଯୋଗୁଁ ହୃଦୟବିଦାରକ ଯନ୍ତ୍ରଣା ସହ୍ୟ କରି ସାହାଯ୍ୟ ପାଇଁ ଆସୁଛନ୍ତି ! କିନ୍ତୁ ଯିହୋବାଙ୍କ ଲୋକଙ୍କ ପାଇଁ ଆଧ୍ୟାତ୍ମିକ ସାହାଯ୍ୟ ଅଛି, କାରଣ ସେ ପ୍ରତିଜ୍ଞା କରିଛନ୍ତି: “ଆମ୍ଭେ ସେମାନଙ୍କ ପାଇଁ ପାଳକଗଣ ନିଯୁକ୍ତ କରିବା, ସେମାନେ ପାଳନକରିବେ, ପୁଣି ସେମାନେ ଆଉ ଭୀତ କି ନିରାଶ ନୋହିବେ, କିଅବା ସେମାନଙ୍କ ମଧ୍ୟରୁ କେହି ମରିହଜି ଯିବେନାହିଁ ।”—ଯିରିମିୟ ୨୩:୪, NW.

୧୮. ଯଦି ଆମେ ଆଧ୍ୟାତ୍ମିକ ସାହାଯ୍ୟ ଆବଶ୍ୟକ କରୁ, ତେବେ ଆମେ ଜଣେ ପ୍ରାଚୀନ ନିକଟକୁ ଯିବା ଉଚିତ୍‌ କାହିଁକି ?

୧୮ ମଣ୍ଡଳୀରେ ମନୋନୀତ ପ୍ରାଚୀନମାନଙ୍କ ସହିତ ପରିଚିତ ହୁଅନ୍ତୁ । ପରମେଶ୍ୱରଙ୍କ ଜ୍ଞାନ ପ୍ରୟୋଗ କରିବାରେ ସେମାନେ ଅଧିକ ଅନୁଭବି, କାରଣ ବାଇବଲରେ ଉଲ୍ଲିଖିତ ଅଧ୍ୟକ୍ଷତାର ଗୁଣ ସେମାନେ ପାଇଛନ୍ତି । (୧ ତୀମଥି ୩:୧-୭; ତିତସ ୧:୫-୯) ପରମେଶ୍ୱରଙ୍କ ଆବଶ୍ୟକତାର ବିରୁଦ୍ଧାଚରଣ କରୁଥିବା ଅଭ୍ୟାସ କିମ୍ବା ଦୁର୍ଗୁଣକୁ ଅତିକ୍ରମ କରିବା ପାଇଁ ଆଧ୍ୟାତ୍ମିକ ସାହାଯ୍ୟ ଯଦି ଆପଣ ଚାହାନ୍ତି, ତେବେ ସେମାନଙ୍କ ମଧ୍ୟରୁ କାହାରି ପାଖକୁ ଯିବା ପାଇଁ ଦ୍ୱିଧା କରନ୍ତୁ ନାହିଁ । ଆପଣ ଦେଖିବେ ଯେ ପ୍ରାଚୀନମାନେ ପାଉଲଙ୍କ ଆଦେଶ ଅନୁସରଣ କରନ୍ତି: “ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କ ତତ୍ତ୍ୱ ନିଅ, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ ।”—୧ ଥେସଲନୀକୀୟ ୨:୭, ୮; ୫:୧୪.

ଯିହୋବାଙ୍କ ଲୋକମାନଙ୍କ ସହିତ ସୁରକ୍ଷାର ଆନନ୍ଦ ଉପଭୋଗ କରନ୍ତୁ

୧୯. ଯିହୋବାଙ୍କ ସଂଗଠନ ଭିତରେ ଯେଉଁମାନେ ସୁରକ୍ଷା ପାଇବା ପାଇଁ ଇଚ୍ଛା କରନ୍ତି, ସେମାନଙ୍କୁ ଯିହୋବା କି ଆଶୀର୍ବାଦ ପ୍ରଦାନ କରିଛନ୍ତି ?

୧୯ ଯଦିଓ ଆମେ ବର୍ତ୍ତମାନ ଅସିଦ୍ଧ ଅବସ୍ଥାରେ ଜୀବିତ, ଯିହୋବା ଆମକୁ ଆଧ୍ୟାତ୍ମିକ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଯୋଗାଇଥାଆନ୍ତି । ନିଶ୍ଚୟ, ଭୌତିକ ପାରଦୀଶର ଉପକାର ପାଇଁ ପରମେଶ୍ୱର ପ୍ରତିଜ୍ଞା କରିଥିବା ନୂତନ ଜଗତକୁ ଅପେକ୍ଷା କରିବା ଉଚିତ । କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ସଂଗଠନର ଅଂଶ ଅଟନ୍ତି, ସେମାନେ ବର୍ତ୍ତମାନ ମଧ୍ୟ ଆଧ୍ୟାତ୍ମିକ ପାରଦୀଶର ସୁରକ୍ଷା ଉପଭୋଗ କରୁଛନ୍ତି । ସେମାନଙ୍କ ସମ୍ବନ୍ଧରେ ଯିହିଜିକଲ ଭବିଷ୍ୟଦ୍‌ବାଣୀ କରିଥିଲେ: “ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ ।”—ଯିହିଜିକଲ ୩୪:୨୮; ଗୀତସଂହିତା ୪:୮.

୨୦. ଯିହୋବାଙ୍କ ଉପାସନା ନିମନ୍ତେ ଆମେ ଯାହାକିଛି ଉତ୍ସର୍ଗ କରୁ, ତାହାର କ୍ଷତି ପୂରଣ ସେ କିପରି କରିବେ ?

୨୦ ଯିହୋବା ନିଜ ବାକ୍ୟ ଓ ସଂଗଠନ ମାଧ୍ୟମରେ ପ୍ରେମମୟ ଆଧ୍ୟାତ୍ମିକ ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ଆମେ କେଡ଼େ କୃତଜ୍ଞ ! ପରମେଶ୍ୱରଙ୍କ ଲୋକମାନଙ୍କର ନିକଟତର ହୁଅନ୍ତୁ । ପରମେଶ୍ୱରଙ୍କ ଜ୍ଞାନ ଅର୍ଜନ କରିବାରେ ଆପଣଙ୍କ ମିତ୍ର ବା ବନ୍ଧୁମାନେ ଆପଣଙ୍କ ବିଷୟରେ ଯାହା ଭାବିଲେ ମଧ୍ୟ ସେଥିରେ ଭୟଭୀତ ହୋଇ ଦୂରେଇ ଯାଆନ୍ତୁ ନାହିଁ । କେତେକ ନିନ୍ଦା କରିପାରନ୍ତି କାରଣ ଆପଣ ଯିହୋବା ସାକ୍ଷୀମାନଙ୍କ ସହିତ ମିଳାମିଶା କରୁଛନ୍ତି ଓ ରାଜ୍ୟଗୃହ ସଭାରେ ଉପସ୍ଥିତ ହେଉଛନ୍ତି । କିନ୍ତୁ ପରମେଶ୍ୱରଙ୍କ ଉପାସନା ନିମନ୍ତେ ଆପଣ ଯାହାକିଛି ଉତ୍ସର୍ଗ କରନ୍ତି, ସେଥିପାଇଁ ସେ ଉଦାରତାସହ କ୍ଷତି ପୂରଣ କରିବେ । (ମଲାଖି ୩:୧୦) ଏହାଛଡ଼ା ଯୀଶୁ କହିଲେ: “ଯେଉଁ ଲୋକ ମୋହର ସୁସମାଚାର ନିମନ୍ତେ ଗୃହ, ଭ୍ରାତା, ଭଗ୍ନୀ ମାତା, ସନ୍ତାନ-ସନ୍ତତି ଓ ଭୂମି ପରିତ୍ୟାଗ କରିଅଛି, ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭ୍ରାତା, ଭଗ୍ନୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ ।” (ମାର୍କ ୧୦:୨୯, ୩୦) ହଁ, ଆପଣ ପଛରେ ଯାହାକିଛି ଛାଡ଼ିଛନ୍ତି ବା ବର୍ତ୍ତମାନ ସହ୍ୟ କରୁଛନ୍ତି, ତାହା କିଛିନୁହେଁ, ଆପଣ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଆନନ୍ଦଦାୟକ ସାହଚର୍ଯ୍ୟ ଓ ଆଧ୍ୟାତ୍ମିକ ସୁରକ୍ଷା ପାଇପାରିବେ ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

“ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ?

ଆଧ୍ୟାତ୍ମିକଭାବେ ଆମକୁ ପୋଷଣ କରିବାପାଇଁ ଯିହୋବା କʼଣ ବ୍ୟବସ୍ଥା କରିଛନ୍ତି ?

ଖ୍ରୀଷ୍ଟିୟାନ ମଣ୍ଡଳୀ ଆମକୁ କିପରି ସାହାଯ୍ୟ କରିବେ ?

[ଅଧ୍ୟୟନ ପ୍ରଶ୍ନ]

[୧୬୫ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]