ପରମେଶ୍ୱରଙ୍କୁ ସମ୍ମାନ ଦେଲାଭଳି ପରିବାର ଗଠନ କରିବା
ଅଧ୍ୟାୟ ୧୫
ପରମେଶ୍ୱରଙ୍କୁ ସମ୍ମାନ ଦେଲାଭଳି ପରିବାର ଗଠନ କରିବା
୧-୩. କେତେକ ଲୋକ ବିବାହ ଓ ପିତୃତ୍ୱର ସାଧାରଣ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଅସମର୍ଥ ହୁଅନ୍ତି କାହିଁକି, କିନ୍ତୁ ବାଇବଲ କିପରି ସାହାଯ୍ୟ କରି ପାରିବ ?
ମନେକରନ୍ତୁ ଆପଣ ନିଜର ଘରଟିଏ ତିଆରି କରିବା ପାଇଁ ଯୋଜନା କରୁଛନ୍ତି । ଆପଣ ଜମି କିଣୁଛନ୍ତି । ଗଭୀର ଆଶା ନେଇ ଆପଣ ନିଜ ନୂଆ ଘରକୁ କଳ୍ପନା ଚକ୍ଷୁରେ ଦେଖୁଛନ୍ତି । କିନ୍ତୁ ଯଦି ଆପଣଙ୍କ ପାଖରେ ସରଞ୍ଜାମ ଓ ଦକ୍ଷତା ନ ଥାଏ ? ଆପଣଙ୍କ ଉଦ୍ୟମ କି ନିରାଶାଜନକ ହେବ !
୨ ଅନେକ ଦମ୍ପତି ଏକ ସୁଖୀ ପରିବାରର ସ୍ୱପ୍ନ ଦେଖି ନିଜ ବୈବାହିକ ଜୀବନ ଆରମ୍ଭ କରିଥାଆନ୍ତି, କିନ୍ତୁ ସେମାନଙ୍କର ଏହା ଗଠନ କରିବା ପାଇଁ ପ୍ରୟୋଜନୀୟ ସରଞ୍ଜାମ କିମ୍ବା କୌଶଳ ନ ଥାଏ । ବିବାହର କିଛି ଦିନ ପରେ ବୀପରିତ ଚାଲିଚଳନ ବଢ଼ିଯାଏ । ଲଢ଼େଇ ଓ ଝଗଡ଼ା ଦୈନନ୍ଦିନର କାର୍ଯ୍ୟାବଳୀରେ ପରିଣତ ହୋଇଯାଏ । ଯେତେବେଳେ ସନ୍ତାନ ଜନ୍ମ ହୁଅନ୍ତି, ନୂଆ ପିତା-ମାତା ଦେଖିବାକୁ ପାଆନ୍ତି ଯେ ସେମାନେ ବୈବାହିକ ଜୀବନ ନିର୍ବାହରେ ଯେପରି ଅସଫଳ ଥିଲେ, ପିତାମାତାର କର୍ତ୍ତବ୍ୟ ପାଳନରେ ସେହିପରି ଅଦକ୍ଷ ।
୩ କିନ୍ତୁ ଆନନ୍ଦର କଥା, ଏ ବିଷୟରେ ବାଇବଲ ସାହାଯ୍ୟ କରିପାରିବ । ଏହାର ନୀତିଗୁଡ଼ିକ ସରଞ୍ଜାମ ସଦୃଶ ଅଟେ ଯାହାକି ଆପଣଙ୍କୁ ଏକ ସୁଖୀ ପରିବାର ଗଠନ କରିବାରେ ସମର୍ଥ କରିବ । (ହିତୋପଦେଶ ୨୪:୩) ଆସନ୍ତୁ ଦେଖିବା ଏହା କିପରି ।
ସୁଖୀ ପରିବାର ଗଠନ କରିବା ପାଇଁ ସରଞ୍ଜାମ
୪. ବିବାହବନ୍ଧନରେ ସମସ୍ୟାଗୁଡ଼ିକୁ ଆଶା କରାଯିବା ଉଚିତ କାହିଁକି ଓ ବାଇବଲରେ କେଉଁ ସ୍ତରସବୁ ଦିଆଯାଇଛି ?
୪ ଏକ ବିବାହିତ ଦମ୍ପତ୍ତି ଯେତେ ସୁସଙ୍ଗତ ହୋଇ ଥାଆନ୍ତୁ ନା କାହିଁକି, ସେମାନଙ୍କ ମଧ୍ୟରେ ମାନସିକ ଗଠନ, ବାଲ୍ୟଅନୁଭୂତି ଓ ପରିବାର ପୃଷ୍ଠଭୂମି ଦିଗରୁ ପାର୍ଥକ୍ୟ ଥାଏ । ସେଥିପାଇଁ ଆଶା କରାଯାଏ ବିବାହ ପରେ କିଛି ସମସ୍ୟା ଆସିବ । ସେଗୁଡ଼ିକର ମୁକାବିଲା କରାଯିବ କିପରି ? ହଁ, ଯେତେବେଳେ ନିର୍ମାଣକାରୀ ଗୃହ ନିର୍ମାଣ କରନ୍ତି, ସେମାନେ ଜୋଜନା ବିଷୟରେ ପରାମର୍ଶ ନିଅନ୍ତି । ଏସବୁ ହେଲା ଅନୁସରଣୀୟ ନିର୍ଦ୍ଦେଶସମୂହ । ଏକ ସୁଖୀ ପରିବାର ଗଠନ କରିବା ପାଇଁ ବାଇବଲ ପରମେଶ୍ୱରଙ୍କ ନିର୍ଦ୍ଦେଶସମୂହ ପ୍ରଦାନ କରେ । ଆସନ୍ତୁ ଏଗୁଡ଼ିକ ମଧ୍ୟରୁ କିଛିଟା ଆମେ ଅନୁଧ୍ୟାନ କରିବା ।
୫. ବିବାହବନ୍ଧନରେ ବିଶ୍ୱସ୍ତତାର ମହତ୍ୱକୁ ବାଇବଲ କିପରି ଜୋର୍ ଦିଏ ?
୫ ବିଶ୍ୱସ୍ତତା । ଯୀଶୁ କହିଥିଲେ: “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ।” a (ମାଥିଉ ୧୯:୬) ପ୍ରେରିତ ପାଉଲ ଲେଖିଛନ୍ତି: “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।” (ଏବ୍ରୀ ୧୩:୪) ସେଥିପାଇଁ ବିବାହିତ ବ୍ୟକ୍ତିମାନଙ୍କୁ ସେମାନଙ୍କ ସାଥୀମାନଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ଯିହୋବାଙ୍କ ଠାରେ ନୈତିକ ଆଜ୍ଞାବରଣ ରଖିବା ଉଚିତ ।—ଆଦି ପୁସ୍ତକ ୩୯:୭-୯.
୬. ବିବାହବନ୍ଧନକୁ ବଜାୟ ରଖିବା ପାଇଁ ବିଶ୍ୱସ୍ତତା କିପରି ସାହାଯ୍ୟ କରିବ ?
୬ ବିଶ୍ୱସ୍ତତା ବିବାହକୁ ସମ୍ମାନ ଓ ସୁରକ୍ଷା ଦିଏ । ବିଶ୍ୱସ୍ତସାଥୀମାନେ ଜାଣନ୍ତି ଯେ ଯାହା କିଛି ଘଟୁନା କାହିଁକି, ସେମାନେ ପରସ୍ପରକୁ ସାହାଯ୍ୟ କରିବେ । (ଉପଦେଶକ ୪:୯-୧୨) ଯେଉଁମାନେ ସାମାନ୍ୟ ସମସ୍ୟାର ସୂତ୍ରପାତରେ ସେମାନଙ୍କ ବିବାହବନ୍ଧନକୁ ଭାଙ୍ଗିଦିଅନ୍ତି ସେମାନେ କେତେ ଯେ ଭିନ୍ନ ! ଏଭଳି ବ୍ୟକ୍ତିମାନେ ‘ଭୁଲ ସାଥୀକୁ ବାଛିଛନ୍ତି’ ବୋଲି ଶୀଘ୍ର ସିଦ୍ଧାନ୍ତ କରି ନିଅନ୍ତି, ସେମାନେ ‘ପରସ୍ପରକୁ ଆଉ ଭଲ ନ ପାଇ’ ଏକ ନୂତନ ସାଥୀର ସନ୍ଧାନ ହିଁ ଏହାର ସମାନଧାନ ବୋଲି ଭାବନ୍ତି । କିନ୍ତୁ ଏହା ପତି କିମ୍ବା ପତ୍ନିର ମାନସିକ ଅଭିବୃଦ୍ଧିକୁ ସୁଯୋଗ ଦିଏ ନାହିଁ । ପରିଣାମତଃ, ଏଭଳି ଅବିଶ୍ୱସ୍ତ ବ୍ୟକ୍ତି ନୂତନ ସାଥୀ ପାଖରେ ମଧ୍ୟ ଏକା ସସସ୍ୟା ଉଠାଇଥାଆନ୍ତି । ଜଣେ ବ୍ୟକ୍ତିର ସୁନ୍ଦର ଘର ଅଛି କିନ୍ତୁ ଛାତରୁ ପାଣି ଗଳୁଛି, ତେବେ ସେ ନିଶ୍ଚୟ ମରାମତି କରିବା ପାଇଁ ଚେଷ୍ଟା କରିବ । ସେ ନିଜ ଘର ଛାଡ଼ି ଅନ୍ୟ ଘରକୁ ଚାଲିଯିବ ନାହିଁ । ସେହିପରି ଜଣେ ସାଥୀକୁ ପରିବର୍ତ୍ତନ କରି ସମସ୍ୟା ସମାଧାନ କରି ହେବନାହିଁ । ଯେତେବେଳେ ସମସ୍ୟା ଦେଖାଯିବ ବିବାହବନ୍ଧନକୁ ସମାପ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ବରଂ ଏହାକୁ ରକ୍ଷା କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରନ୍ତୁ । ଏଇଭଳି ବିଶ୍ୱସ୍ତତା ବିବାହବନ୍ଧନକୁ ସୁରକ୍ଷା, ତତ୍ତ୍ୱାବଧାନ ଓ ଅଭିଳାଷର ଯୋଗ୍ୟ କରେ ।
୭. ବିବାହିତ ଲୋକମାନଙ୍କ ପାଇଁ ଭାବବିନିମୟ ପ୍ରାୟ କଠିନ ହୁଏ କହିଁକି, କିନ୍ତୁ “ନୂତନ ମନୁଷ୍ୟତ୍ୱ” ଧାରଣ କରିବା ଦ୍ୱାରା କିପରି ସାହାଯ୍ୟ ପାଇପାରିବେ ?
୭ ଭାବବିନିମୟ । ବାଇବଲର ଗୋଟିଏ ପ୍ରବାଦ କହେ: “ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ ।” (ହିତୋପଦେଶ ୧୫:୨୨) ତଥାପି, କେତେକ ବିବାହିତ ଦମ୍ପତ୍ତିଙ୍କ ପାଇଁ ଭାବବିନିମୟ କଠିନ ହୋଇପଡ଼େ । ଏଭଳି ହୁଏ କାହିଁକି ? କାରଣ ମନୁଷ୍ୟର ଭାବବିନିମୟ ବିଭିନ୍ନ ଧରଣର । ବାସ୍ତବରେ ଏହା ଏପରି ଏକ ତଥ୍ୟ ଯାହାକି ପ୍ରାୟ ଯଥେଷ୍ଟ ପରିମାଣର ଭୁଲ ବୁଝାମଣା ଓ ନୈରାଶ୍ୟଆଡ଼କୁ ପରିଚାଳିତ କରେ । ପିଲାବେଳର ଲାଳନପାଳନର ଏକ ଭୂମିକା ଏହା ମଧ୍ୟରେ ଥାଇପାରେ । ଉଦାହରଣସ୍ୱରୂପ, ହୁଏତ କେହି କେହି ଏପରି ପରିବେଶରେ ବଡ଼ ହୋଇଥିବେ ଯେଉଁଠି ପିତାମାତା ସର୍ବଦା ଝଗଡ଼ା କରୁଥିଲେ । ବର୍ତ୍ତମାନ ପ୍ରାପ୍ତବୟସ୍କ ବିବାହିତ ବ୍ୟକ୍ତିରୂପେ ସେମାନେ ହୁଏତ ସେମାନଙ୍କ ସାଥୀ ସହିତ ସ୍ନେହ ଓ ପ୍ରେମରେ କଥା କହିବା ଜାଣି ନ ଥିବେ । ତଥାପି ଆପଣଙ୍କ ଘର ‘ଏକ ବିବାଦପୂର୍ଣ୍ଣ ଘର’ ଭାବେ ଅବକ୍ଷୟ ହେବାର ପ୍ରୟୋଜନ ନାହିଁ । (ହିତୋପଦେଶ ୧୭:୧) ବାଇବଲ “ନୂତନ ବ୍ୟକ୍ତିତ୍ୱ” ଆହରଣ ଉପରେ ଜୋର୍ ଦିଏ ଓ ଏହା ବିଦ୍ୱେଷ, ତିକ୍ତତା, ଚିତ୍କାର ଓ କଟୁଭାଷାକୁ କ୍ଷମା କରେ ନାହିଁ ।—ଏଫିସୀୟ ୪:୨୨-୨୪, ୩୧.
୮. ଯେତେବେଳେ ଆପଣ ନିଜ ସାଥୀ ସହିତ ଅସହମତ ହୁଅନ୍ତି ତେବେ କେଉଁ କଥାଟି ସହାୟକ ହୋଇପାରିବ ?
୮ ମତଭେଦ ହେଲେ ଆପଣ କʼଣ କରି ପାରିବେ ? ଆପଣ ଓ ଆପଣଙ୍କ ସାଥୀ ଉଭୟେ ଯଦି କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି, ତାହାହେଲେ ହିତୋପଦେଶ ୧୭:୧୪ (NW) ପଦର ଉପଦେଶ ଅନୁସରଣ କରିବା ଭଲ, “କନ୍ଦଳ ବଢ଼ିବା ପୂର୍ବରୁ ସ୍ଥାନ ପରିତ୍ୟାଗ କର ।” ହଁ, ପରବର୍ତ୍ତୀ ସମୟ ପାଇଁ ଆଲୋଚନା ସ୍ଥଗିତ ରଖି ପାରନ୍ତି, ଯେତେବେଳେ ଆପଣ ଓ ଆପଣଙ୍କ ସାଥୀ ଉଭୟେ ଶାନ୍ତ ଥିବେ । (ଉପଦେଶକ ୩:୧, ୭) ଯେ କୌଣସି ପିରସ୍ଥିତିରେ “ଶୁଣିବାରେ ତତ୍ପର, କହିବାରେ ଧୀର, ପୁଣି କ୍ରୋଧ କରିବାରେ ଧୀର,” ହେବାକୁ ଚେଷ୍ଟା କରନ୍ତୁ । (ଯାକୁବ ୧:୧୯) ପରିସ୍ଥିତିକୁ ସଂଶୋଧନ କରିବା ଆପଣଙ୍କ ଲକ୍ଷ୍ୟ ହେବା ଉଚିତ, ତର୍କ ଜିତିବା ନୁହେଁ । (ଆଦିପୁସ୍ତକ ୧୩:୮, ୯) ଆପଣଙ୍କୁ ଓ ଆପଣଙ୍କ ସାଥୀକୁ ଶାନ୍ତ କରିବା ଭଳି କଥା ଓ କହିବାର ଶୈଳୀ ବାଛି ନିଅନ୍ତୁ । (ହିତୋପଦେଶ ୧୨:୧୮; ୧୫:୧, ୪; ୨୯:୧୧) ସର୍ବୋପରି ପ୍ରକୁପିତ ଅବସ୍ଥାରେ ରହନ୍ତୁ ନାହିଁ, କିନ୍ତୁ ଏକତ୍ର ନମ୍ରଭାବେ ପ୍ରାର୍ଥନା ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଯୋଗାଯୋଗ କରି ସାହାଯ୍ୟ ଲୋଡ଼ନ୍ତୁ ।—ଏଫିସୀୟ ୪:୨୬, ୨୭; ୬:୧୮.
୯. ଏହା କିପରି କୁହାଯାଇପାରେ ଯେ ଭାବବିନିମୟ ହୃଦୟରୁ ଆରମ୍ଭ ହୁଏ ?
୯ ବାଇବଲର ଗୋଟିଏ ପ୍ରବାଦ କହେ: “ଜ୍ଞାନବାନର ହୃଦୟ ଆପଣା ମୁଖକୁ ଶିକ୍ଷା ଦିଏ, ପୁଣି ତାହାର ଓଷ୍ଠାଧର ପାଣ୍ଡିତ୍ୟ ବଢ଼ାଏ ।” (ହିତୋପଦେଶ ୧୬:୨୩) ପ୍ରକୃତରେ, ତାʼହେଲେ ଭାବବିନିମୟ ସଫଳତାର ଚାବିଟି ହୃଦୟରେ ରହିଛି, ମୁଖରେ ନୁହେଁ । ଆପଣଙ୍କ ସାଥୀ ପ୍ରତି ଆପଣଙ୍କ ମନୋଭାବ କʼଣ ? ବାଇବଲ ଖ୍ରୀଷ୍ଟିୟାନମାନଙ୍କୁ “ସହାନୁଭୂତି” ଦେଖେଇବା ପାଇଁ ଉତ୍ସାହ ଦିଏ । (୧ ପିତର ୩:୮) ଆପଣଙ୍କ ବିବାହ-ସାଥୀ ମର୍ମପିଡ଼ାର ଅନୁଭବ କରିବାବେଳେ ଆପଣ ଏଭଳି କରିପାରିବେ କି ? ଯଦି ପାରିବେ, ତେବେ କିପରି ଉତ୍ତର ଦେବାକୁ ହେବ, ଜାଣି ପାରିବେ ।—ଯିଶାଇୟ ୫୦:୪.
୧୦, ୧୧. ଜଣେ ସ୍ୱାମୀ ୧ ପିତର ୩:୭ ପଦର ଉପଦେଶ କିପରି ଲାଗୁ କରି ପାରିବେ ?
୧୦ ସମ୍ମାନ ଓ ଶ୍ରଦ୍ଧା । ଖ୍ରୀଷ୍ଟିୟାନ ସ୍ୱାମୀମାନଙ୍କୁ କୁହାଯାଉଛି “ଉତ୍ତମ ବୁଝାବଣା ସହକାରେ ଦୁର୍ବଳ ପାତ୍ର ଭାବି ସ୍ତ୍ରୀମାନଙ୍କ ସହିତ ବାସକର ।” (୧ ପିତର ୩:୭, NW) କୌଣସି ବ୍ୟକ୍ତି ତା ସ୍ତ୍ରୀକୁ ସମ୍ମାନ କରିବା ତାʼର ମୂଲ୍ୟ ଉପଲବ୍ଧି ସହିତ ଜଡ଼ିତ ରହିଛି । ଜଣେ ସ୍ୱାମୀ ନିଜ ପତ୍ନୀ ସହିତ “ଜ୍ଞାନପୂର୍ବକ” ବାସ କଲେ, ସେ ସ୍ତ୍ରୀର ଅନୁଭୂତି, କ୍ଷମତା, ବୁଦ୍ଧିମତା ଓ ଗାରିମା ପ୍ରତି ତାʼର ଉତ୍ତମ ବିବେଚନା କରିପାରିବ । ଯିହୋବା ସ୍ତ୍ରୀମାନଙ୍କୁ କିପରି ଦୃଷ୍ଟିରେ ଦେଖନ୍ତି ଓ ସେମାନଙ୍କ ସହିତ କିପରି ବ୍ୟବହାର ଚାହାନ୍ତି ଏସବୁ ମଧ୍ୟ ତାʼର ଶିଖିବା ଆବଶ୍ୟକ ।
୧୧ ମନେ କରନ୍ତୁ, ଆପଣଙ୍କ ଘରେ ଗୋଟିଏ ଭଲ କାର୍ଯ୍ୟୋପଯୋଗୀ ପାତ୍ର ଅଛି, ତାହା ବିଶେଷଭାବେ ସୂକ୍ଷ୍ମ । ଆପଣ କʼଣ ଏହାକୁ ଯତ୍ନସହକାରେ ବ୍ୟବହାର କରିବେନି ? ପିତର ସେହି ପ୍ରକାରେ “ଦୁର୍ବଳ ପାତ୍ର” ପଦକୁ ବ୍ୟବହାର କରିଛନ୍ତି, ଏବଂ ସେହି ପ୍ରକାରେ ଚିନ୍ତାକରି ଜଣେ ଖ୍ରୀଷ୍ଟିୟାନ ସ୍ୱାମୀକୁ ନିଜ ପ୍ରେମମୟୀ ପତ୍ନି ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାର ଦେଖାଇବା ଉଚିତ ।
୧୨. ଜଣେ ପତ୍ନୀ କିପରି ଦେଖାଇ ପାରିବ ଯେ ସେ ନିଜ ସ୍ୱାମୀକୁ ଗଭୀରଭାବେ ଶ୍ରଦ୍ଧା କରେ ?
୧୨ କିନ୍ତୁ ବାଇବଲ ଜଣେ ପତ୍ନୀକୁ କʼଣ ପରାମର୍ଶ ଦିଏ ? ପାଉଲ ଲେଖିଛନ୍ତି: “ସ୍ତ୍ରୀ ଆପଣା ସ୍ୱାମୀକି ଭକ୍ତି କରୁ ।” (ଏଫିସୀୟ ୫:୩୩) ପତ୍ନୀକୁ ଅନୁଭବ କରିବାର ଆବଶ୍ୟକ ଅଛି ଯେ ତା ସାଥୀ ତାକୁ ସମ୍ମାନ କରେ ଓ ଗଭୀରଭାବେ ଭଲପାଏ, ଠିକ୍ ସେହିପରି ସ୍ୱାମୀକୁ ମଧ୍ୟ ଭାବିବାର ଅଛି ଯେ ତାʼର ପତ୍ନୀ ତାକୁ ଶ୍ରଦ୍ଧା କରେ । ଜଣେ ଶ୍ରଦ୍ଧାମୟୀ ପତ୍ନୀ ବିନା ବିବେଚନାରେ ନିଜ ସ୍ୱାମୀର ତୃଟିସବୁ ଚାରିଆଡ଼େ କହିବ ନାହିଁ, ସ୍ୱାମୀ ଖ୍ରୀଷ୍ଟିୟାନ ଥାଉ ବା ନ ଥାଉ । ସେ ସ୍ୱାମୀର ଆଚରଣକୁ ଗୋପନୀୟ ଭାବରେ କିମ୍ବା ପ୍ରକାଶ୍ୟ ଭାବରେ ସମାଲୋଚନା କରି ତାʼର ମର୍ଯ୍ୟଦାକୁ କ୍ଷୁର୍ଣ୍ଣ କରିବ ନାହିଁ ।—୧ ତୀମଥି ୩:୧୧; ୫:୧୩.
୧୩. ଶାନ୍ତିପୂର୍ଣ୍ଣ ପଦ୍ଧତିର ଦୃଷ୍ଟିକୋଣ କିପରି ବ୍ୟକ୍ତ କରାଯାଇପାରେ ?
୧୩ ଏହାର ଅର୍ଥ ନୁହେଁ ଯେ ପତ୍ନୀ ନିଜର ମତାମତ ପ୍ରକାଶ କରିପାରିବ ନାହିଁ । ଯଦି କୌଣସି କଥା ତାକୁ ବିଚଳିତ କରେ, ତେବେ ସେ ଶ୍ରଦ୍ଧାର ସହିତ ନିଜ ବିଚାର ପ୍ରକାଶ କରି ପାରିବ । (ଆଦି ପୁସ୍ତକ ୨୧:୯-୧୨) ସ୍ୱାମୀକୁ କୌଣସି ଅଭିପ୍ରାୟ ଜଣାଇବା ତା ପ୍ରତି ଗୋଟିଏ ବଲ୍ ଫୋପାଡ଼ିବା ସହିତ ତୁଳନା କରାଯାଇପାରେ । ସେ ଆସ୍ତେ କରି ଫୋପାଡ଼ିଲେ ତାʼର ସ୍ୱାମୀ ସହଜରେ ଧରିପାରେ କିମ୍ବା ସେ ଜୋର୍ରେ ଫୋପାଡ଼ି ତାʼର ସ୍ୱାମୀକୁ ଆଘାତ କରିପାରେ । ତେବେ ଅଧିକ ଉତ୍ତମ ହେବ, ଯଦି ଉଭୟେ ସାଥୀ ଦୋଷାରୋପକୁ ଏଡ଼ାଇ ମୃଦୁ ଓ ପ୍ରଶାନ୍ତ ଶୈଳୀରେ କଥା କହନ୍ତେ !—ମାଥିଉ ୭:୧୨; କଲସୀୟ ୪:୬; ୧ ପିତର ୩:୩, ୪.
୧୪. ବୈବାହିକ ଜୀବନରେ ଆପଣଙ୍କ ସାଥୀ ଯଦି ବାଇବଲ ନୀତିଗୁଡ଼ିକୁ ଲାଗୁ କରିବାରେ ଅଳ୍ପମାତ୍ର ଆଗ୍ରହ ଦେଖାଏ, ତେବେ ଆପଣଙ୍କୁ କʼଣ କରିବା ଉଚିତ ?
୧୪ ଆମେ ଦେଖିଲୁ ଯେ ବାଇବଲ ନୀତିସବୁ ଏକ ସୁଖୀ ବୈବାହିକ ଜୀବନ ଗଠନ କରିବାରେ ଆପଣଙ୍କୁ ସାହାଯ୍ୟ କରେ । କିନ୍ତୁ ଆପଣଙ୍କ ପତ୍ନୀ ଯଦି ବାଇବଲରେ ସାମାନ୍ୟ ଆଗ୍ରହ ଦେଖାଏ, ତେବେ କʼଣ ହେବ ? ଏବେ ମଧ୍ୟ ଅନେକ କିଛି ଅର୍ଜନ କରାଯାଇ ପାରେ, ଯଦି ଆପଣ ପରମେଶ୍ୱରଙ୍କ ଜ୍ଞାନ ଆପଣଙ୍କ କ୍ଷେତ୍ରରେ ପ୍ରୟୋଗ କରିବେ । ପିତର ଲେଖିଥିଲେ: “ହେ ପତ୍ନୀମାନେ ତୁମ ପତିମାନଙ୍କର ବଶୀଭୂତା ହୁଅ । ତାହାହେଲେ ବାକ୍ୟର ବଶୀଭୁତ ହୋଇ ନ ଥିବା ଯଦି କେହି ଥାଆନ୍ତି, ବାକ୍ୟ ପ୍ରୟୋଗ ବିନା ସେମାନେ ସଦାଚରଣ ଦ୍ୱାରା ନିଜ ପତିମାନଙ୍କୁ ବିଶ୍ୱାସ ପଥକୁ ଆଣିପାରିବେ । ସେମାନେ ତୁମ୍ଭମାନଙ୍କ ଆଦରପୂର୍ବ ବ୍ୟବହାର ତଥା ସତୀସାଧ୍ୱୀ ସୁଲଭ ଆଚରଣ ଦେଖିଲେ, ତାହା ସମ୍ଭବପର ହେବ ।” (୧ ପିତର ୩:୧, ୨, NW) ନିସନ୍ଦେହରେ, ଏ କଥା ଜଣେ ସ୍ୱାମୀଙ୍କ ପ୍ରତି ମଧ୍ୟ ପ୍ରଯୋଜ୍ୟ ହେବ ଯାହାର ପତ୍ନୀ ବାଇବଲ ପ୍ରତି ଉଦାସୀନ । ଆପଣଙ୍କ ସାଥୀ ଅମନଯୋଗୀଭାବେ ଯାହା କିଛି କରିବାକୁ ମନୋନୀତ କରୁ ନା କାହିଁକି, ବାଇବଲ ନୀତିସବୁ ଆପଣଙ୍କୁ ଜଣେ ଉତ୍ତମ ସ୍ୱାମୀ ବା ପତ୍ନୀରୂପେ ପରିଣତ କରିବ । ପରମେଶ୍ୱରଙ୍କ ଜ୍ଞାନ ଆପଣଙ୍କୁ ଜଣେ ଉତ୍ତମ ଜନକରୂପେ ମଧ୍ୟ ଗଢ଼ି ପାରିବ ।
ପରମେଶ୍ୱରଙ୍କ ଜ୍ଞାନ ଅନୁସାରେ ସନ୍ତାନମାନଙ୍କୁ ଲାଳନପାଳନ କରନ୍ତୁ
୧୫. ପିଲାମାନଙ୍କୁ ଲାଳନପାଳନ କରିବାର ତୃଟିପୂର୍ଣ୍ଣ ପଦ୍ଧତି ବେଳେ ବେଳେ କିପରି ଆଗକୁ ବୃଦ୍ଧି ପାଏ, କିନ୍ତୁ ଏହି ପଦ୍ଧତି କିଭଳି ଭଙ୍ଗ କରାଯାଇପାରେ ?
୧୫ କେବଳ ମାତ୍ର ଗୋଟିଏ କରତ କିମ୍ବା ହାତୁଡ଼ି ଥିଲେ କେହି ଜଣେ ଦକ୍ଷ ବଢ଼େଇ ହୋଇପାରେ ନାହିଁ । ସେହି ପ୍ରକାରେ, କେବଳ ସନ୍ତାନ-ସନ୍ତତି ଥିଲେ ଜଣେ ଦକ୍ଷ ଜନକ ହୋଇପାରିବ ନାହିଁ । ଜାଣିଶୁଣି କିମ୍ବା ଅଜାଣତରେ ପିତାମାତାମାନେ ପ୍ରାୟ ସେମାନଙ୍କ ସନ୍ତାନମାନଙ୍କୁ ମନୁଷ୍ୟକରି ଗଢ଼ିଥାଆନ୍ତି, ଯେପରି ସେମାନେ ମଣିଷ ହୋଇଥିଲେ । ଏଭଳିଭାବେ ସନ୍ତାନ ପାଳନର ତ୍ରୁଟିପୂର୍ଣ୍ଣ ପଦ୍ଧତି ବେଳେବେଳେ ଗୋଟିଏ ପ୍ରଜନ୍ମରୁ ପରବର୍ତ୍ତୀ ପ୍ରଜନ୍ମକୁ ସ୍ତାନାନ୍ତରିତ ହୋଇଥାଏ । ଗୋଟିଏ ପ୍ରାଚୀନ ପ୍ରବାଦ କହେ: “ପିତୃପୁରୁଷମାନେ କଞ୍ଚା ଦ୍ରାକ୍ଷାଫଳ ଖାଇଲେ, ସନ୍ତାନଗଣର ଦାନ୍ତ ଖଟା ହୋଇଯାଏ ।” (NW) ତଥାପି, ଶାସ୍ତ୍ର ଦେଖାଏ ଯେ ଜଣେ ବ୍ୟକ୍ତିକୁ ନିଜ ପିତାମାତାଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ହିଁ ଅନୁସରଣ କରିବାକୁ ହେବ ତାହା ନୁହେଁ । ସେ ଭିନ୍ନ ପଥ ବାଛିପାରନ୍ତି ଯାହା ଯିହୋବାଙ୍କ ନିୟମ ଦ୍ୱାରା ପ୍ରଭାବିତ ।—ଯିହିଜିକଲ ୧୮:୨, ୧୪, ୧୭.
୧୬. ନିଜ ପରିବାରର ଭରଣପୋଷଣ କରିବା ମହତ୍ୱପୂର୍ଣ୍ଣ ଅଟେ କାହିଁକି ଓ ଏଥିରେ କʼଣ ସମ୍ମିଳିତ ରହିଛି ?
୧୬ ଯିହୋବା ଆଶା କରନ୍ତି ଯେ ଖ୍ରୀଷ୍ଟିୟାନ ପିତାମାତାମାନେ ସେମାନଙ୍କ ସନ୍ତାନମାନଙ୍କୁ ଉପଯୁକ୍ତ ପଥ ପ୍ରଦର୍ଶନ କରିବେ ଓ ଯତ୍ନ ନେବେ । ପାଉଲ ଲେଖିଛନ୍ତି: “ଯଦି କେହି ଆପଣା ଆତ୍ମୀୟ, ବିଶେଷତଃ ଆପଣା ପରିବାରର ତତ୍ତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକୀର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ ।” (୧ ତୀମଥି ୫:୮) କେତେ ପ୍ରଭାବଶାଳୀ ଶବ୍ଦ ! ଭରଣପୋଷଣକାରୀରୂପେ ନିଜ ଭୂମିକା ପାଳନକରି ନିଜ ପିଲାମାନଙ୍କ ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ଯତ୍ନନେବା ଜଣେ ଧର୍ମ-ପରାୟଣ ବ୍ୟକ୍ତିର ବିଶେଷାଧିକାର ଓ ଦାୟିତ୍ୱ ଅଟେ । ବାଇବଲ ପ୍ରୟୋଜନୀୟ ସିଦ୍ଧାନ୍ତସବୁ ଦିଏ ଯାହା ନିଜ ପିଲାମାନଙ୍କ ପାଇଁ ଏକ ସୁଖୀ ପରିବେଶ ଗଠନ କରିବାରେ ପିତାମାତାଙ୍କୁ ସାହାଯ୍ୟ କରିପାରେ । ଏସବୁ ମଧ୍ୟରୁ କେତେଗୁଡ଼ିଏ ବିବେଚନା କରନ୍ତୁ ।
୧୭. ଆପଣଙ୍କ ପିଲାମାନଙ୍କ ହୃଦୟରେ ପରମେଶ୍ୱରଙ୍କ ନିୟମ ରଖିବାକୁ ଚାହାନ୍ତି, ତେବେ କʼଣ ଆବଶ୍ୟକ ?
୧୭ ଏକ ଉତ୍ତମ ଉଦାହରଣ ତିଆରି କରନ୍ତୁ । ଇଶ୍ରାୟେଲୀୟ ପିତାମାତାଙ୍କୁ ଆଜ୍ଞା ଦିଆଯାଇଥିଲା: “ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ, ତୁମ୍ଭେ ଆପଣା ଗୃହରେ ବସିବାବେଳେ, ପଥରେ ଚାଲିବାବେଳେ, ଶୟନ କରିବାବେଳେ ଓ ଉଠିବାବେଳେ, ସେମାନଙ୍କ ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ ।” ପିତାମାତା ସେମାମଙ୍କ ସନ୍ତାନମାନଙ୍କୁ ପରମେଶ୍ୱରଙ୍କ ସ୍ତର ଶିକ୍ଷା ଦେବାର ଥିଲା । ଏହି ଦୃଢ଼ ଉକ୍ତି ଦ୍ୱାରା ସତର୍କ କରିଦିଆ ଯାଇଥିଲା: “ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ ।” (ଆମର ବକ୍ରାକାର ଅକ୍ଷର) (ଦ୍ୱିତୀୟ ବିବରଣ ୬:୬, ୭) ହଁ, ପିତାମାତାଙ୍କ ପାଖରେ ଯାହା ନାହିଁ, ତାହା ସେମାନେ ଦେଇପାରିବେ ନାହିଁ । ଯଦି ପରମେଶ୍ୱରଙ୍କ ନିୟମ ଆପଣଙ୍କ ସନ୍ତାନମାନଙ୍କ ହୃଦୟରେ ଲିପିବଦ୍ଧ କରିବାକୁ ଚାହାନ୍ତି, ତେବେ ପ୍ରଥମେ ଆପଣଙ୍କ ହୃଦୟରେ ଲିପିବଦ୍ଧ ହେବା ଆବଶ୍ୟକ ।—ହିତୋପଦେଶ ୨୦:୭. ଲୂକ ୬:୪୦ ତୁଳନା କରନ୍ତୁ ।
୧୮. ପ୍ରେମ ବ୍ୟକ୍ତ କରିବାରେ ଯିହୋବା କିପରି ଏକ ଉତ୍ତମ ଉଦାହରଣ ରଖିଛନ୍ତି ?
୧୮ ଆପଣଙ୍କ ପ୍ରେମର ପ୍ରତିଶ୍ରୁତି ଦିଅନ୍ତୁ । ଯୀଶୁଙ୍କ ବାପ୍ତିସ୍ମ ସମୟରେ ଯିହୋବା ଘୋଷଣା କରିଥିଲେ: “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।” (ଲୂକ ୩:୨୨) ଏଭଳିଭାବେ ଯିହୋବା ନିଜ ପୁତ୍ର ବୋଲି ସ୍ୱୀକାର କଲେ, ମୁକ୍ତଭାବେ ତାଙ୍କ ଉପରେ ଅନୁମୋଦନ ବ୍ୟକ୍ତ କଲେ ଓ ନିଜ ପ୍ରେମର ପ୍ରତିସୃତି ଦେଲେ । ପରେ ଯୀଶୁ ତାଙ୍କ ପିତାଙ୍କୁ କହିଥିଲେ: ‘ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିଲ ।’ (ଯୋହନ ୧୭:୨୪) ଜଣେ ଧର୍ମ-ପରାୟଣ ପିତାମାତାଭାବେ ନିଜ ସନ୍ତାନମାନଙ୍କୁ ଆପଣଙ୍କ ପ୍ରେମର ମୌଖିକ ଓ ଶାରୀରିକ ଅଭିବ୍ୟକ୍ତିକୁ ବୁଝିବାକୁ ଦିୟନ୍ତୁ—ଏବଂ ବେଳେବେଳେ ଏହା କରନ୍ତୁ । ସର୍ବଦା ମନେ ରଖନ୍ତୁ: “ପ୍ରେମ ଉନ୍ନତ୍ତି ଘଟାଏ ।”—୧ କରିନ୍ଥୀୟ ୮:୧, NW.
୧୯, ୨୦. ପିଲାମାନଙ୍କୁ ଶୃଙ୍ଖଳିତ କରିବାରେ କʼଣ ଜଡ଼ିତ ଅଛି ଓ ଯିହୋବାଙ୍କ ଉଦାହରଣରେ ପିତାମାତାମାନେ କିପରି ଉପକାର ପାଇପାରିବେ ?
୧୯ ଅନୁଶାସନ । ବାଇବଲ ପ୍ରେମପୂର୍ଣ୍ଣ ଅନୁଶାସନର ମହତ୍ୱ ଉପରେ ଜୋର୍ ଦିଏ । (ହିତୋପଦେଶ ୧:୮) ଯେଉଁ ପିତାମାତାମାନେ ଆଜି ସେମାନଙ୍କ ସନ୍ତାନମାନଙ୍କୁ ପଥ ପ୍ରଦର୍ଶନ କରିବା ଦାୟିତ୍ୱ ଏଡ଼ାଇ ଥାଆନ୍ତି, ସେମାନେ ଭବିଷ୍ୟତରେ ନିଶ୍ଚୟ ହୃଦୟବିଦାରକ ଫଳାଫଳର ସମ୍ମୁଖୀନ ହେବେ । ଅନ୍ୟପକ୍ଷରେ, ପିତାମାତାମାନଙ୍କୁ ଶେଷସୀମାକୁ ନ ଯିବା ପାଇଁ ସାବଧାନ କରାଯାଇଛି । “ହେ ପିତାମାନେ” ପାଉଲ କହିଥିଲେ: “ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହିତ ନ ହୁଅନ୍ତୁ ।” (କଲସୀୟ ୩:୨୧) ପିତାମାତାମାନେ ତାଙ୍କ ସନ୍ତାନମାନଙ୍କୁ ଅତ୍ୟଧିକ ଶାସନ କରିବା କିମ୍ବା ସେମାନଙ୍କ ତ୍ରୁଟିସବୁ କ୍ରମାଗତ ଧରିବା ଓ ସେମାନଙ୍କ ଉଦ୍ୟମକୁ ସମାଲୋଚନା କରିବା ଉଚିତ ନୁହେଁ ।
୨୦ ଅନୁଶାସନ ପ୍ରଦାନର ଭଲ ଉଦାହରଣ ଆମ ସ୍ୱର୍ଗସ୍ଥ ପିତା ଯିହୋବା ପରମେଶ୍ୱର ରଖିଛନ୍ତି । ତାଙ୍କ ସଂଶୋଧନ କେବେ ଶେଷ ହୁଏ ନାହିଁ । ପରମେଶ୍ୱର ନିଜ ଲୋକମାନଙ୍କୁ କହିଥିଲେ: “ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ।” (ଯିରିମିୟ ୪୬:୨୮) ଏହି ବିଷୟରେ ପିତାମାତାମାନେ ଯିହୋବାଙ୍କ ଅନୁକରଣ କରିବା ଉଚିତ । ଯେଉଁ ଅନୁଶାସନ ପରିମିତ ମାତ୍ରାରୁ ଅଧିକ ହୁଏ କିମ୍ବା ସଂଶୋଧନ ଓ ଶିକ୍ଷାର ଉଦ୍ଦେଶ୍ୟକୁ ଅତିକ୍ରମ କରେ ତାହା ନିଶ୍ଚିତ କ୍ରୋଧ ଉତ୍ପନ୍ନ କରେ ।
୨୧. ପିତାମାତାମାନେ କିପରି ନିର୍ଦ୍ଧାରଣ କରିପାରିବେ ଯେ ସେମାନଙ୍କ ଅନୁଶାସନ ପ୍ରଭାବକାରୀ କି ନାହିଁ ?
୨୧ ପିତାମାତାମାନେ କିପରି ନିଶ୍ଚିତ ହେବେ ଯେ ସେମାନଙ୍କ ଅନୁଶାସନ ପ୍ରଭାବକାରୀ କି ନାହିଁ ? ସେମାନେ ନିଜକୁ ପଚାରି ପାରନ୍ତି, ‘ମୋର ଅନୁଶାସନ କʼଣ ସମ୍ପନ କରେ ?’ ସେମାନଙ୍କୁ ଅନୁଶାସନ ଶିଖାଇବା ଉଚିତ । ଆପଣଙ୍କ ପିଲାମାନେ ବୁଝିବା ଉଚିତ ଯେ କାହିଁକି ତାଙ୍କୁ ଶାସନ କରାଯାଉଛି । ପିତାମାତାମାନଙ୍କୁ ସେମାନଙ୍କ ସଂଶୋଧନର ପରବର୍ତ୍ତୀ ଫଳ ସମ୍ବନ୍ଧରେ ମଧ୍ୟ ଭାବିବା ଉଚିତ । ପ୍ରକୃତରେ ପ୍ରାୟ ସମସ୍ତ ପିଲାମାନେ ଅନୁଶାସନ ସମୟରେ ପ୍ରଥମେ ବିରକ୍ତ ହୁଅନ୍ତି । (ଏବ୍ରୀ ୧୨:୧୧) କିନ୍ତୁ ଅନୁଶାସନ କେବେହେଁ ଜଣେ ପିଲାକୁ ଭୟଭୀତ କିମ୍ବା ପରିତ୍ୟକ୍ତବୋଧ ନ କରାଉ କିମ୍ବା ତାʼଭିତରେ ଉତ୍ତରାଧିକାର ସୂତ୍ରରେ ଦୁଷ୍ଟତାର ଛାପ ନ ଛାଡ଼ୁ । ନିଜ ଲୋକମାନଙ୍କୁ ସଂଶୋଧନ କରିବା ପୂର୍ବରୁ ଯିହୋବା କହିଥିଲେ: “ଭୟ କର ନାହିଁ, . . . କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁଁ ।” (ଯିରିମିୟ ୪୬:୨୮) ହଁ, ଏଭଳିଭାବେ ଶାସନ କରିବା ଉଚିତ ଯେମିତି ଆପଣଙ୍କ ସନ୍ତାନମାନେ ଅନୁଭବ କରିବେ ଯେ ଆପଣ ସେମାନଙ୍କ ସହିତ ତାଙ୍କ ସ୍ନେହମୟ ସାହାଯ୍ୟକାରୀ ପିତାମାତାରୂପେ ଅଛନ୍ତି ।
“ହିତଜନକ ପରାମର୍ଶ” ଅର୍ଜନ କରିବା
୨୨, ୨୩. ଏକ ସୁଖୀ ପରିବାର ଗଠନ କରିବା ପାଇଁ ପ୍ରୟୋଜନୀୟ ପରାମର୍ଶ କିପରି ପାଇପାରିବେ ?
୨୨ ଏକ ସୁଖୀ ପରିବାର ଗଠନ ପାଇଁ ଯିହୋବା ପ୍ରୟୋଜନୀୟ ସରଞ୍ଜାମସବୁ ଦେଇଥିବାରୁ ଆମେ କୃତଜ୍ଞ । କିନ୍ତୁ କେବଳ ସରଞ୍ଜାମର ଅଧିକାରୀ ହେବା ଯଥେଷ୍ଟ ନୁହେଁ । ସେସବୁ ଉପଯୁକ୍ତଭାବେ ବ୍ୟବହାର କରିବାରେ ଆମେ ଅଭ୍ୟସ୍ତ ହେବା ଉଚିତ୍ । ଉଦାହରଣସ୍ୱରୂପ, ଜଣେ ନିର୍ମାତା ନିଜ ସରଞ୍ଜାମଗୁଡ଼ିକ ପ୍ରୟୋଗ କରିବା ବିଷୟରେ ମନ୍ଦ ଅଭ୍ୟାସର ବଶବର୍ତ୍ତି ହୋଇପାରେ । ସେ ସରଞ୍ଜାମଗୁଡ଼ିକର ପୁରାପୁରି ଭୂଲ ବ୍ୟବହାର କରିପାରେ । ଏଭଳି ପରିସ୍ଥିତିରେ, ତାʼର କାର୍ଯ୍ୟପ୍ରଣାଳୀର ଫଳ ସ୍ୱାଭାବିକରୂପେ ନିକୃଷ୍ଟମାନର ହେବ । ସେଇପ୍ରକାରେ, ଆପଣ ହୁଏତ ବର୍ତ୍ତମାନ ଅବଗତ ହୋଇପାରିଥିବେ ଯେ ହାନିକାରକ ଅଭ୍ୟାସଗୁଡ଼ିକ ଆପଣଙ୍କ ପରିବାରରେ ପ୍ରବେଶ କରିଛି । କେତେଗୁଡ଼ିଏ ଅଭ୍ୟାସ ହୁଏତ ଆପଣଙ୍କୁ ଦୃଢ଼ଭାବେ ଧରିରଖିଥିବ ଓ ପରିବର୍ତ୍ତନ କରିବା କଠିନ ହେଉଥିବ । ପରନ୍ତୁ ବାଇବଲର ଉପଦେଶ ଅନୁସରଣ କରନ୍ତୁ: “ଯେମନ୍ତ ଜ୍ଞାନବାନ ଶୁଣିବ ଓ ପାଣ୍ଡିତ୍ୟ ବୃଦ୍ଧି ପାଇବ; ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ ।”—ହିତୋପଦେଶ ୧:୫.
୨୩ ନିରନ୍ତର ପରମେଶ୍ୱରଙ୍କ ଜ୍ଞାନ ଆହରଣ ଦ୍ୱାରା ଆପଣ ହିତଜନକ ପରାମର୍ଶ ଅର୍ଜନ କରି ପାରିବେ । ପାରିବାରିକ ଜୀବନରେ ପ୍ରୟୋଜନସୁଲଭ ନୀତିସକଳ ପ୍ରତି ସଜାଗ ରହି ଆବଶ୍ୟକ ସ୍ଥଳେ ପ୍ରୟୋଗ କରନ୍ତୁ । ବରିଷ୍ଠ ଓ ପୋଖତ ଖ୍ରୀଷ୍ଟିୟାନମାନଙ୍କୁ ଦେଖନ୍ତୁ, ଯେଉଁମାନେ କି ବିବାହ-ସାଥୀ ଓ ପିତାମାତାଭାବେ ଉତ୍ତମ ଉଦାହରଣ ରଖିଛନ୍ତି । ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ । ସର୍ବୋପରି, ଆପଣଙ୍କ ଚିନ୍ତାସବୁ ଯିହୋବାଙ୍କ ନିକଟରେ ପ୍ରାର୍ଥନା ମାଧ୍ୟମରେ ଉପସ୍ଥାପିତ କରନ୍ତୁ । (ଗୀତସଂହିତା ୫୫:୨୨; ଫିସିପ୍ପୀୟ ୪:୬, ୭) ସେ ଆପଣଙ୍କୁ ଏକ ସୁଖୀ ପାରିବାରିକ ଜୀବନର ଆନନ୍ଦ ଉପଭୋଗ କରିବାରେ ସାହାଯ୍ୟ କରିପାରିବେ ଯାହା ତାଙ୍କୁ ମହିମାନ୍ୱିତ କରିବ ।
[ପାଦ ଟିପ୍ପଣୀଗୁଡ଼ିକ]
a ପୁନର୍ବିବାହ ପାଇଁ ବିବାହବିଚ୍ଛେଦ କରିବାର ଏକମାତ୍ର ଶାସ୍ତ୍ରୀୟ ଆଧାର ହେଉଛି—“ବ୍ୟଭିଚାର”—ବିବାହିତ ଜୀବନ ବାହାରେ ଯୌନସମ୍ପର୍କ ।—ମାଥିଉ ୧୯:୯.
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
ସୁଖୀ ବୈବାହିକ ଜୀବନରେ ବିଶ୍ୱସ୍ତତା, ଭାବବିନିମୟ, ସମ୍ମାନ ଓ ଶ୍ରଦ୍ଧାର ଅବଦାନ କʼଣ ?
ପିତାମାତାମାନେ ସନ୍ତାନମାନଙ୍କ ପ୍ରତି ତାଙ୍କ ପ୍ରେମ ବିଷୟରେ କେଉଁ ପ୍ରକାରେ ଆଶ୍ୱସ୍ତ କରି ପାରିବେ ?
ଉଚିତ ଅନୁଶାସନରେ କେଉଁ ତତ୍ତ୍ୱ ସମ୍ମିଳିତ ଅଛି ?
[ଅଧ୍ୟୟନ ପ୍ରଶ୍ନ]
[୧୪୭ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]