ପରମେଶ୍ୱରଙ୍କ ଜ୍ଞାନ ପ୍ରକାଶ କରୁଥିବା ପୁସ୍ତକ
ଅଧ୍ୟାୟ ୨
ପରମେଶ୍ୱରଙ୍କ ଜ୍ଞାନ ପ୍ରକାଶ କରୁଥିବା ପୁସ୍ତକ
୧, ୨. ଆମେ ଆମ ସୃଷ୍ଟିକର୍ତ୍ତାଙ୍କର ଉପଦେଶ କାହିଁକି ଆବଶ୍ୟକ କରିଥାଉ ।
ଏହା ଯୁକ୍ତିଯୁକ୍ତ ଯେ ପ୍ରେମମୟ ସୃଷ୍ଟିକର୍ତ୍ତା ମାନବଜାତି ପାଇଁ ଏକ ଉପଦେଶ ଓ ନିର୍ଦ୍ଦେଶାତ୍ମକ ପୁସ୍ତକର ବ୍ୟବସ୍ଥା କରିବେ । ମନୁଷ୍ୟଜାତି ପାଇଁ ଏହି ନିର୍ଦ୍ଦେଶ ଯେ ଆବଶ୍ୟକ ଏଥିରେ କʼଣ ଆପଣ ଏକମତ ନୁହନ୍ତି ?
୨ ୨,୫୦୦ ବର୍ଷରୁ ଅଧିକ ପୂର୍ବେ ଜଣେ ଐତିହାସିକ ଓ ଭବିଷ୍ୟଦ୍ବକ୍ତା ଲେଖିଥିଲେ: “ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ: ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ ।” (ଯିରିମିୟ ୧୦:୨୩) ପୂର୍ବାପେକ୍ଷା, ଆଜି ଏହି ଉକ୍ତିର ସତ୍ୟତା ବେଶୀ ଅଛି । ସେଥିପାଇଁ ଐତିହାସିକ ଉଇଲିୟମ୍ ଏଚ୍. ମେକ୍ନିଲ୍ କହନ୍ତି: “ଏହି ଗ୍ରହଉପରେ ମାନବର ଦୁଃସାହସିକ କାର୍ଯ୍ୟ ସମାଜର ପ୍ରଚଳିତ ବ୍ୟବସ୍ଥାକୁ ଭାଙ୍ଗି ଅବିରତ ଭାବରେ ସଙ୍କଟ ଓ ଅସ୍ଥିରତା ଆଣିଅଛି ।”
୩, ୪. (କ) ଏକ ବାଇବଲ ଅଧ୍ୟୟନ ପାଇଁ ଆମେ କିପରି ମନୋବୃତ୍ତି ରଖିବା ଉଚିତ ? (ଖ) ବାଇବଲର ପରୀକ୍ଷା ଦିଗରେ ଆମେ କିପରି ଅଗ୍ରସର ହେବା ?
୩ ବିଜ୍ଞତାର ପଥରେ ପରିଚାଳିତ ହେବା ପାଇଁ ବାଇବଲ ଆମର ସମସ୍ତ ଆବଶ୍ୟକତା ପୂରଣ କରିଥାଏ । ଏହା ସତ ଯେ ଅନେକ ଲୋକ ପ୍ରଥମେ ବାଇବଲ ପଢ଼ିଲାବେଳେ ଅଭିଭୂତ ହୋଇଥାଆନ୍ତି । ଏହା ଏକ ବୃହତ୍ ପୁସ୍ତକ ଓ ଏହାର କିଛି କିଛି ଅଂଶ ବୁଝିବା ସହଜ ନୁହେଁ । କିନ୍ତୁ ଯଦି ଆପଣଙ୍କୁ ଏକ ମୂଲ୍ୟବାନ ସମ୍ପତ୍ତିର ଉତ୍ତରାଧିକାରୀ ହେବା ପାଇଁ କʼଣ କରିବାକୁ ହେବ, ତାହାର ଲିଖିତ ନିର୍ଦ୍ଦେଶ ଥିବା ଦଲିଲ୍ଟିଏ ଦିଆଯାଏ, ତେବେ କʼଣ ଆପଣ ଏହାକୁ ଯତ୍ନସହକାରେ ପଢ଼ିବା ପାଇଁ ସମୟ ଦେବେନାହିଁ ? ଯଦି ଆପଣ ଏହି ଦଲିଲର କୌଣସି ଅଂଶ ବୁଝିବାକୁ କଠିନ ପାଆନ୍ତି, ସମ୍ଭବତଃ ଆପଣ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ନେବେ ଯାହାଙ୍କର ଏହି ବିଷୟରେ ଧାରଣା ଥିବ । ବାଇବଲ ପ୍ରତି ଠିକ୍ ଏପରି ମନୋବୃତ୍ତି ପୋଷଣ ନ କରିବା କାହିଁକି ? (ପ୍ରେରିତ ୧୭:୧୧) ବସ୍ତୁଗତ ଉତ୍ତରାଧିକାରଠାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେପରି ଆମେ ପୂର୍ବ ଅଧ୍ୟାୟରେ ଶିଖିଲୁ, ପରମେଶ୍ୱର ବିଷୟକ ଜ୍ଞାନ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିପାରେ ।
୪ ଆସନ୍ତୁ ଏହି ପୁସ୍ତକଟିକୁ ପରୀକ୍ଷା କରିବା ଯାହା ପରମେଶ୍ୱରଙ୍କ ଜ୍ଞାନକୁ ପ୍ରଦର୍ଶିତ କରିଥାଏ । ପ୍ରଥମେ ଆମେ ବାଇବଲର ସଂକ୍ଷିପ୍ତ ପରିଚୟ ଦେବା । ଏହାପରେ, ଅନେକ ଅଭିଜ୍ଞ ବ୍ୟକ୍ତି ବାଇବଲକୁ ପରମେଶ୍ୱରଙ୍କ ଅନୁପ୍ରାଣିତ ବାକ୍ୟ ବୋଲି କାହିଁକି ବିଶ୍ୱାସ କରନ୍ତି, ତାହାର କାରଣ ଆମେ ଆଲୋଚନା କରିବା ।
ବାଇବଲରେ କʼଣ ଅନ୍ତର୍ଭୁକ୍ତ ଅଛି
୫. (କ) ଏବ୍ରୀ ଶାସ୍ତ୍ରରେ କʼଣ ଅନ୍ତର୍ଭୁକ୍ତ ହୋଇଛି ? (ଖ) ଗ୍ରୀକ୍ ଶାସ୍ତ୍ର ଅନ୍ତର୍ଗତ ବିଷୟସବୁ କʼଣ ?
୫ ବାଇବଲ ଦୁଇ ଭାଗରେ ବିଭକ୍ତ । ୬୬ ଗୋଟି ପୁସ୍ତକ ଏଥିରେ ଅନ୍ତର୍ଭୁକ୍ତ ଯାହାକୁ ପ୍ରାୟତଃ ପୁରାତନ ନିୟମ ଓ ନୂତନ ନିୟମ କୁହାଯାଏ । ଅଣଚାଳିଶଟି ବାଇବଲ ପୁସ୍ତକ ମୂଳତଃ ଏବ୍ରୀ ଓ ୨୭ ଗୋଟି ଗ୍ରୀକ୍ ଭାଷାରେ ରଚିତ ହୋଇଥିଲା । ଏବ୍ରୀ ଶାସ୍ତ୍ରାବଳୀରେ, ଆଦିପୁସ୍ତକରୁ ନେଇ ମଲାଖି ପର୍ଯ୍ୟନ୍ତ ସୃଷ୍ଟି ଓ ମନୁଷ୍ୟ ଇତିହାସର ପ୍ରଥମ ୩,୫୦୦ ବର୍ଷର ବର୍ଣ୍ଣନା ଅଛି । ବାଇବଲର ଏହି ଭାଗକୁ ଅନୁଧ୍ୟାନ କରିବା ଦ୍ୱାରା ଆମେ ଇଶ୍ରାୟେଲୀୟଙ୍କ ପ୍ରତି ପରମେଶ୍ୱରଙ୍କ ଆଚରଣ ବିଷୟରେ ଜାଣିବା—ସା.ଯୁ.ପୂ. ୧୬ଶ ଶତାବ୍ଦୀରେ ଏକ ଜାତିରୂପେ ସେମାନଙ୍କ ଜନ୍ମ ଠାରୁ ସା.ଯୁ.ପୂ. ୫ମ ଶତାବ୍ଦୀ ପର୍ଯ୍ୟନ୍ତ । a ଗ୍ରୀକ୍ ଶାସ୍ତ୍ରାବଳୀ ମାଥିଉ ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଅନ୍ତର୍ଗତ, ଏହା ସା.ଯୁ. ପ୍ରଥମ ଶତାବ୍ଦୀରେ ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ଶିଷ୍ୟଙ୍କ ଶିକ୍ଷା ଓ କାର୍ଯ୍ୟକଳାପ ବିଷୟରେ କେନ୍ଦ୍ରିତ ।
୬. ଆମେ ସମ୍ପୂର୍ଣ୍ଣ ବାଇବଲକୁ ଆଧ୍ୟୟନ କରିବା ଉଚିତ୍ କାହିଁକି ?
୬ କେହି କେହି ଦାବି କରିଥାନ୍ତି ଯେ “ପୁରାତନ ନିୟମ” ହେଉଛି ଯିହୂଦୀମାନଙ୍କ ପାଇଁ ଓ “ନୂତନ ନିୟମ” ଖ୍ରୀଷ୍ଟିୟାନମାନଙ୍କ ପାଇଁ । କିନ୍ତୁ ୨ ତୀମଥି ୩:୧୬ ପଦ ଅନୁସାରେ, “ସମସ୍ତ ଶାସ୍ତ୍ର ଈଶ୍ୱରନିଶ୍ୱଶିତ ଏବଂ ଉପକାରୀ ।” (ଆମର ବକ୍ରାକାର ଅକ୍ଷର ।) ତେଣୁ ଶାସ୍ତ୍ରର ସଠିକ୍ ଅଧ୍ୟୟନରେ ସମ୍ପୂର୍ଣ୍ଣ ବାଇବଲ ଅନ୍ତର୍ଭୁକ୍ତ ହେବା ଉଚିତ୍ । ପ୍ରକୃତପକ୍ଷେ, ବାଇବଲର ଦୁଇ ଭାଗ ପରସ୍ପରର ପରିପୂରକ ଓ ସୁସମନ୍ୱିତ ହୋଇ ଗୋଟିଏ ସାମଗ୍ରିକ ବିଷୟ ଗଠନ କରନ୍ତି ।
୭. ବାଇବଲର ମୁଖ୍ୟ ବିଷୟ କʼଣ ?
୭ ହୁଏତ ଆପଣ ଅନେକ ବର୍ଷଧରି ଧାର୍ମିକ ସଭାରେ ଉପସ୍ଥିତ ହୋଇଥିବେ ଓ ଉଚ୍ଚସ୍ୱରରେ ବାଇବଲ ପଠନ ହେଉଥିବା ଶୁଣିଥିବେ କିମ୍ବା ଆପଣ ନିଜେ ସେଥିରୁ କିଛି ଉଦ୍ଧୃତ ଅଂଶ ପଢ଼ିଥିବେ । ଆପଣ କʼଣ ଜାଣିଥିଲେ କି ଆଦିପୁସ୍ତକଠାରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାଇବଲର ବିଷୟବସ୍ତୁ ସମାନ ? ହଁ, ଗୋଟିଏ ସୁସମନ୍ୱିତ ବିଷୟ ବାଇବଲରେ ସ୍ଥାନିତ ହୋଇଛି । ସେହି ବିଷୟଟି କʼଣ ? ଏହା ହେଲା ମାନବସମାଜକୁ ଶାସନ କରିବା ପାଇଁ ପରମେଶ୍ୱରଙ୍କ ଅଧିକାରର ସତ୍ୟତା ପ୍ରତିପାଦନ ଓ ତାଙ୍କର ରାଜ୍ୟ ମାଧ୍ୟମରେ ତାଙ୍କ ପ୍ରେମମୟ ଉଦ୍ଦେଶ୍ୟର ଉପଲବ୍ଧି । ପରମେଶ୍ୱର ଏହି ଉଦ୍ଦେଶ୍ୟକୁ କିପରି ପୂରଣ କରିବେ, ତାହା ଆମେ ପରେ ଦେଖିବା ।
୮. ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ବିଷୟରେ ବାଇବଲ କʼଣ ପ୍ରକାଶ କରିଥାଏ ?
୮ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହିତ, ବାଇବଲ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଦର୍ଶାଇଥାଏ । ଉଦାହରଣସ୍ୱରୂପ, ବାଇବଲରୁ ଆମେ ଶିଖିପାରିବା ଯେ ପରମେଶ୍ୱର ଅନୁଭୁତିଶୀଳ ଓ ଆମର ପସନ୍ଦଗୁଡ଼ିକ ତାଙ୍କଠାରେ ଗୁରୁତ୍ୱଲାଭ କରେ । (ଗୀତସଂହିତା ୭୮:୪୦, ୪୧; ହିତୋପଦେଶ ୨୭:୧୧; ଯିହିଜିକଲ ୩୩:୧୧) ଗୀତସଂହିତା ୧୦୩:୮-୧୪ କହିଥାଏ ଯେ, ପରମେଶ୍ୱର “ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ ।” ‘ଆମେ କେବଳ ମାତ୍ର ଧୂଳିରୁ ଗଠିତ’ ଓ ମୃତ୍ୟୁପରେ ସେଇ ଧୂଳିରେ ହିଁ ମିଶିଯାଉ—ଏକଥା ମନେରଖି ପରମେଶ୍ୱର ସହାନୁଭୂତିଶୀଳ ହୋଇ ଆମକୁ ଶିକ୍ଷା ଦେଇଥାନ୍ତି । (ଆଦିପୁସ୍ତକ ୨:୭; ୩:୧୯) କି ଅଦ୍ଭୁତ ଗୁଣ ସେ ଦେଖାଇଥାଆନ୍ତି ! ଏହି ପ୍ରକାର ଈଶ୍ୱରଙ୍କୁ କʼଣ ଉପାସନା କରିବାକୁ ଆପଣ ଚାହାନ୍ତି ନାହିଁ ?
୯. ପରମେଶ୍ୱରଙ୍କ ମାନଦଣ୍ଡ ବିଷୟରେ ବାଇବଲ ଆମକୁ କିପରି ସଠିକ୍ ଧାରଣା ଦେଇଥାଏ ଓ ଆମେ ଏହି ଜ୍ଞାନ ଦ୍ୱାରା କିପରି ଉପକୃତ ହୋଇପାରିବା ?
୯ ପରମେଶ୍ୱରଙ୍କ ମାନଦଣ୍ଡ ବିଷୟରେ ବାଇବଲ ଆମକୁ ସଠିକ୍ ଧାରଣା ଦେଇଥାଏ । ଏଗୁଡ଼ିକ ଅନେକ ସମୟରେ ବିଧିରୂପେ ବର୍ଣ୍ଣିତ ହୋଇଛି । ତଥାପି, ବହୁବାର ବ୍ୟବହାରିକ ଉଦାହରଣ ଦ୍ୱାରା ଦିଆଯାଇଥିବା ଶିକ୍ଷା, ସିଦ୍ଧାନ୍ତଗୁଡ଼ିକରେ ପ୍ରତିଫଳିତ କରାଯାଇଛି । ଆମର ଉପକାର ପାଇଁ ପ୍ରାଚୀନ ଇଶ୍ରାୟେଲୀୟଙ୍କ ଇତିହାସରେ ବର୍ଣ୍ଣିତ ଘଟଣାସବୁ ପରମେଶ୍ୱର ଲେଖାଇଛନ୍ତି । ଏହି ନିରପେକ୍ଷ ବୃତାନ୍ତଗୁଡ଼ିକ ଦେଖାଇଥାଏ ଯେ ଲୋକମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ସହିତ ସାମଞ୍ଜସ୍ୟ ରଖି କାର୍ଯ୍ୟ କଲେ କʼଣ ହୁଏ ଓ ସେହିପରି ଯେତେବେଳେ ସେମାନେ ନିଜ ଇଚ୍ଛାରେ ଚାଲନ୍ତି, ତେବେ କି ଦୁଃଖମୟ ପରିଣାମ ହୋଇଥାଏ । (୧ ରାଜା ୫:୪; ୧୧:୪-୬; ୨ ବଂଶାବଳୀ ୧୫:୮-୧୫) ଏପରି ବାସ୍ତବ ଜୀବନବୃତାନ୍ତ ପଢ଼ିଲେ ନିଶ୍ଚୟ ଆମ ହୃଦୟକୁ ସ୍ପର୍ଶ କରିବ । ଯଦି ଆମେ ବର୍ଣ୍ଣିତ ଘଟଣାସବୁକୁ ଦୃଷ୍ଟିପାତ କରିବାକୁ ଚେଷ୍ଟା କରିବା, ତେବେ ସେଥିରେ ଅନ୍ତର୍ଭୁକ୍ତ ଲୋକମାନଙ୍କ ମଧ୍ୟରେ ନିଜକୁ ଚିହ୍ନଟ କରିପାରିବା । ଏହିପରି ଭଲ ଉଦାହରଣରୁ ଆମେ ଉପକୃତ ହୋଇ ପାରିବା ଓ ସେହି ବିପଦଗୁଡ଼ିକୁ ଏଡ଼ାଇ ପାରିବା, ଯେଉଁଥିରେ କୁକର୍ମକାରୀମାନେ ଫାନ୍ଦରେ ପଡ଼ିଥିଲେ । ହେଲେମଧ୍ୟ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆବଶ୍ୟକ: ଆମେ କିପରି ନିଶ୍ଚିତ ହୋଇପାରିବା ଯେ ଯାହା ଆମେ ବାଇବଲରୁ ପଢ଼ୁଅଛୁ, ତାହା ବାସ୍ତବରେ ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରେରିତ ?
ଆପଣ ବାଇବଲକୁ ବିଶ୍ୱାସ କରିପାରିବେ କି ?
୧୦. (ଖ) କିଛି ଲୋକମାନେ ବାଇବଲକୁ ଅପ୍ରଚଳିତ ବୋଲି ଅନୁଭବ କରନ୍ତି କାହିଁକି ? (ଖ) ବାଇବଲ ବିଷୟରେ ୨ ତିମଥୀ ୩:୧୬, ୧୭ ଆମକୁ କʼଣ କହିଥାଏ ?
୧୦ ହୁଏତ ଆପଣ ଲକ୍ଷ୍ୟ କରିଥିବେ ଯେ, ଉପଦେଶ ଦେଉଥିବା ଅଧିକାଂଶ ପୁସ୍ତକ ଖୁବ୍ ଅଳ୍ପ ସମୟରେ ପୁରୁଣା ଓ ଅନାବଶକ ହୋଇଯାଏ । ବାଇବଲ ବିଷୟରେ କʼଣ କୁହାଯିବ ? ଏହା ଅତି ପୁରାତନ ଓ ଏହାର ଶେଷ ବାକ୍ୟଗୁଡ଼ିକ ଲିପିବଦ୍ଧ ହେବାଠାରୁ ପ୍ରାୟ ୨,୦୦୦ ବର୍ଷ ଅତିକ୍ରମ ହୋଇସାରିଛି । ସେଥିପାଇଁ ଅନେକେ ଏହାକୁ ଆଧୁନିକ ଯୁଗରେ ପ୍ରଯୋଜ୍ୟ ନୁହେଁ ବୋଲି ଭାବନ୍ତି । କିନ୍ତୁ ଯଦି ବାଇବଲ ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରାଣିତ, ତେବେ ଏହା ଅତି ପୁରୁଣା ହେଲେ ସୁଦ୍ଧା ଏହାର ଉପଦେଶ ଚିରନ୍ତନ ଓ ସମକାଳୀନ ହେବା ଉଚିତ୍ । ଶାସ୍ତ୍ର ଏବେ ମଧ୍ୟ “ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।”—୨ ତିମଥୀ ୩:୧୬, ୧୭.
୧୧-୧୩. ଆମେ କାହିଁକି କହିପାରିବା ଯେ, ବାଇବଲ ବର୍ତ୍ତମାନ ସମୟ ପାଇଁ ମଧ୍ୟ ପ୍ରଯୋଜ୍ୟ ଅଟେ ?
୧୧ ଗଭୀର ଅନୁସନ୍ଧାନ ଦର୍ଶାଇଥାଏ ଯେ, ବାଇବଲର ନୀତିସମୂହ ଆଜି ମଧ୍ୟ ସେତିକି ପ୍ରଯୋଜ୍ୟ ଯେତିକି ପ୍ରଥମେ ଏହାର ଲିପିବଦ୍ଧ ସମୟରେ ଥିଲା । ଉଦାହରଣ ସ୍ୱରୂପ, ବାଇବଲରେ ମନୁଷ୍ୟ ସ୍ୱଭାବ ବିଷୟରେ ଏପରି ସ୍ପଷ୍ଟ ଅବତାରଣା କରିଥାଏ ଯାହା ପ୍ରତ୍ୟେକ ବଂଶର ମନୁଷ୍ୟଜାତି ପାଇଁ ପ୍ରଯୋଜ୍ୟ । ମାଥିଉଙ୍କ ପୁସ୍ତକ ୫ ରୁ ୭ ଅଧ୍ୟାୟରେ ବର୍ଣ୍ଣିତ ପର୍ବତ ଉପରେ ଦେଇଥିବା ଯୀଶୁଙ୍କ ଉପଦେଶ ସହଜଭାବେ ଲକ୍ଷଣୀୟ । ଏହି ଉପଦେଶ ପ୍ରୟାତି ଭାରତୀୟ ନେତା ମୋହନ୍ଦାଶ କରମଚାନ୍ଦ ଗାନ୍ଧୀଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ଏକ ବ୍ରିଟିଶ୍ କର୍ମଚାରୀଙ୍କୁ କହିଥିଲେ: “ଯେତେବେଳେ ମୋର ଓ ଆପଣଙ୍କ ଦେଶବାସୀ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ଏହି ପାର୍ବତୀୟ ଉପଦେଶକୁ ମାନିବାକୁ ଲାଗିବେ, କେବଳ ଆମ ଦେଶର ନୁହେଁ, କିନ୍ତୁ ସମଗ୍ର ପୃଥିବୀର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।”
୧୨ ଯୀଶୁଙ୍କ ଶିକ୍ଷାରେ ଲୋକମାନେ ପ୍ରଭାବିତ ହୁଅନ୍ତି, ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ! ପାର୍ବତୀୟ ଉପଦେଶରେ ସେ ଆମକୁ ସତ୍ୟ ସୁଖର ପଥ ଦେଖାଇଥିଲେ । ବିବାଦକୁ କିପରି ସମାଧାନ କରିବା, ତାହା ସେ ବୁଝାଇଥିଲେ । ପ୍ରାର୍ଥନା କିପରି କରିବା, ତାହା ସେ ନିର୍ଦ୍ଦେଶ ଦେଇଥିଲେ । ବସ୍ତୁଗତ ପଦାର୍ଥର ସଦୁପଯୋଗ କରିବା ଓ ଅନ୍ୟମାନଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ସେ ସ୍ୱର୍ଣ୍ଣମୟ ନିୟମ ଦେଇଥିଲେ । ଧାର୍ମିକ ଭଣ୍ଡମାନଙ୍କୁ କିପରି ଚିହ୍ନିବା ଓ ଏକ ସୁରକ୍ଷିତ ଭବିଷ୍ୟତ କିପରି ପାଇବା, ତାହାମଧ୍ୟ ଏହି ଉପଦେଶର ବିଷୟବସ୍ତୁରେ ଅନ୍ତର୍ଭୁକ୍ତ ଥିଲା ।
୧୩ ପାର୍ବତୀୟ ଉପଦେଶରେ ଓ ଅବଶିଷ୍ଟ ପୃଷ୍ଠାମାନଙ୍କରେ ବାଇବଲ ସ୍ପଷ୍ଟରୂପରେ କହେ ଯେ, ନିଜ ବ୍ୟକ୍ତିଗତ ଜୀବନର ଉନ୍ନତି ସାଧନ ପାଇଁ କʼଣ କରିବା ଉଚିତ୍ ଓ କାହାକୁ ଏଡ଼େଇ ଯିବା ଉଚିତ୍ । ଏହାର ଉପଦେଶଗୁଡ଼ିକ ଏତେ ବାସ୍ତବଧର୍ମୀ ଯେ ଜଣେ ଶିକ୍ଷାବିତ୍ ଥରେ ଏପରି କହିବା ପାଇଁ ପ୍ରୟୋଚିତ ହୋଇଥିଲେ: “ଯଦିଓ ମୁଁ ସ୍ନାତକ ଓ ସ୍ନାତକୋତ୍ତର ଡ଼ିଗ୍ରୀଧରି ଗୋଟିଏ ଉଚ୍ଚ ବିଦ୍ୟାଳୟର ପରାମର୍ଶଦାତା ରୂପେ କାର୍ଯ୍ୟକରେ ଏବଂ ମାନସିକ ସ୍ୱାସ୍ଥ୍ୟ ଓ ମନୋବିଜ୍ଞାନ ବିଷୟରେ ଅନେକ ପୁସ୍ତକ ପଢ଼ିଛି, କିନ୍ତୁ ମୁଁ ଆବିଷ୍କାର କରିଛି ଯେ, ସଫଳ ବିବାହ, ତରୁଣ ବୟସର ଅପରାଧ ନିବାରଣ ତଥା ବନ୍ଧୁତା ସ୍ଥାପନ ଓ ରକ୍ଷା କରିବା ପ୍ରଭୁତି ବିଷୟରେ ବାଇବଲର ଉପଦେଶ ମୋର ଅଧ୍ୟୟନ କରିଥିବା ଗ୍ରନ୍ଥଠାରୁ ନିଶ୍ଚିତରୂପେ ଶ୍ରେୟସ୍କର ।” ବାସ୍ତବଧର୍ମୀ ଓ ସମୟୋପଯୋଗୀ ହେବା ସହିତ ବାଇବଲ ଭରସାଯୋଗ୍ୟ ଅଟେ ।
ସଠିକ୍ ଓ ନିର୍ଭରଯୋଗ୍ୟ
୧୪. କʼଣ ଦେଖାଇଥାଏ ଯେ, ବାଇବଲ ବିଜ୍ଞାନ ଦୃଷ୍ଟିରୁ ସତ୍ୟ ଅଟେ ?
୧୪ ଯଦିଓ ବାଇବଲ ଏକ ବିଜ୍ଞାନ ପୁସ୍ତକ ନୁହେଁ, ଏହା ବୈଜ୍ଞାନିକ ଦୃଷ୍ଟିରୁ ସଠିକ୍ । ଉଦାହରଣ ସ୍ୱରୂପ, ଯେତେବେଳେ ଲୋକମାନେ ବିଶ୍ୱାସ କରୁଥିଲେ ଯେ ପୃଥିବୀ ଚେପ୍ଟା, ଭବିଷ୍ୟଦ୍ବକ୍ତା ଯିଶାଇୟ ଏହାକୁ ‘ଗୋଲାକାର’ ବୋଲି ଉଲ୍ଲେଖ କରିଥିଲେ । (ଏବ୍ରୀ, କୁଘ୍ ଶବ୍ଦଟି ଏଠାରେ “ଗୋଲକ” କୁ ବୁଝାଏ) (ଯିଶାଇୟ ୪୦:୨୨) ଯିଶାଇୟଙ୍କ ସମୟଠାରୁ ସହସ୍ର ସହସ୍ର ବର୍ଷ ପରେ ମଧ୍ୟ ପୃଥିବୀର ଗୋଲାକାର ଧାରଣା ବ୍ୟାପକ ଭାବରେ ଗ୍ରହଣ କରାଯାଇ ନ ଥିଲା । ଏହା ବ୍ୟତୀତ, ଆୟୁବ ୨୬:୭—୩,୦୦୦ରୁ ଅଧିକ ବର୍ଷ ପୂର୍ବେ ରଚିତ—ଏଥିରେ କୁହାଯାଇଛି ଯେ, ପରମେଶ୍ୱର “ଅବସ୍ତୁ ଉପରେ ପୃଥିବୀକି ଝୁଲାନ୍ତି” । ଜଣେ ବାଇବଲ ବିଦ୍ୱାନ କହନ୍ତି: “ଜ୍ୟୋତିର୍ବିଦ୍ୟା ଦ୍ୱାରା ପ୍ରମାଣିତ ସତ୍ୟ ବିଷୟରେ ଆୟୁବ କିପରି ଜାଣିଲା ଯେ, ପୃଥିବୀ ଶୂନ୍ୟରେ ସ୍ୱୟଂ-ଭାରସାମ୍ୟ ବଳରେ ଝୁଲୁଅଛି, ଏହା ଏକ ଏପରି ପ୍ରଶ୍ନ ଯାହା ପବିତ୍ର ଶାସ୍ତ୍ରର ପ୍ରେରଣାକୁ ଅସ୍ୱୀକାର କରୁଥିବା ଲୋକେ ସମାଧାନ କରିପାରିବେ ନାହିଁ ।”
୧୫. ବାଇବଲର ବିବରଣ ଶୈଳୀ ଆମର ବିଶ୍ୱାସକୁ ଦୃଢ଼ କରିଥାଏ କିପରି ?
୧୫ ବାଇବଲର ବିବରଣ ଶୈଳୀ ମଧ୍ୟ ଏହି ଅତି ପୁରାତନ ପୁସ୍ତକରେ ଆମର ଆସ୍ଥାକୁ ଦୃଢ଼ କରିଥାଏ । ପୌରାଣିକ କାହାଣୀର ବିପରୀତ ପରି ବାଇବଲରେ ଦିଆଯାଇଥିବା ଘଟଣାଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ସମୟ ସହିତ ଜଡ଼ିତ । (୧ ରାଜା ୧୪:୨୫; ଯିଶାଇୟ ୩୬:୧; ଲୁକ ୩:୧, ୨) ଅପର ପକ୍ଷରେ ପ୍ରାଚୀନ ଐତିହାସିକମାନେ ସର୍ବଦା ନିଜ ଶାସକମାନଙ୍କ ବିଜୟ ବିଷୟ ଅତିରଞ୍ଜନକରି ଜଣାଇଥିଲେ ଏବଂ ପରାଜୟ ଓ ଭୁଲ୍କୁ ଲୁଚାଇଲାବେଳେ ବାଇବଲ ଲେଖକମାନେ ନିଜର ଜଘନ୍ୟ ପାପ ବିଷୟରେ ମଧ୍ୟ ସତ୍ୟବାଦୀ ଓ ନିରପେକ୍ଷ ଥିଲେ—ଏପରିକି ସେମାନଙ୍କ ଗମ୍ଭୀର ପାପ ବିଷୟରେ ମଧ୍ୟ ।—ଗଣନାପୁସ୍ତକ ୨୦:୭-୧୩; ୨ ଶାମୂୟେଲ ୧୨:୭-୧୪; ୨୪:୧୦.
ଭବିଷ୍ୟଦ୍ବାଣୀର ଏକ ପୁସ୍ତକ
୧୬. ବାଇବଲ ପରମେଶ୍ୱରଙ୍କ ଅନୁପ୍ରାଣିତ ବାକ୍ୟ, ତାହାର ଅକାଟ୍ୟ ପ୍ରମାଣ କʼଣ ?
୧୬ ପରିପୂର୍ଣ୍ଣ ଭବିଷ୍ୟଦ୍ବାଣୀ ଚୂଡ଼ାନ୍ତ ପ୍ରମାଣ ଦେଇଥାଏ ଯେ, ବାଇବଲ ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରାଣିତ । ବାଇବଲରେ ଅନେକ ଭବିଷ୍ୟଦ୍ବାଣୀ ଅଛି ଯାହା ପୁଙ୍ଖାନୁପୁଙ୍ଖ ଭାବରେ ପରିପୂର୍ଣ୍ଣ ହୋଇଛି । ନିଶ୍ଚିତ ଭାବରେ, କେବଳ ମାତ୍ର ମନୁଷ୍ୟ ଏଥିପାଇଁ ଦାୟୀ ହୋଇ ନ ପାରନ୍ତି । ତେବେ ଏହି ଭବିଷ୍ୟଦ୍ବାଣୀଗୁଡ଼ିକ ପଛରେ କʼଣ ଅଛି ? ବାଇବଲ ସ୍ୱୟଂ କହେ ଯେ “ଭାବବାଣୀ କେବେହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ୱରପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା . . . ବା ପରମେଶ୍ୱରଙ୍କ ଅଦୃଶ୍ୟ ଶକ୍ତି ଦ୍ୱାରା . . . ଚାଳିତ ହୋଇ କଥା କହିଥିଲେ ।” (୨ ପିତର ୧:୨୧) କିଛି ଉଦାହରଣ ବିଷୟରେ ବିଚାର କରନ୍ତୁ ।
୧୭. ବାବିଲୋନର ପତନ ବିଷୟରେ କେଉଁ ଭବିଷ୍ୟଦ୍ବାଣୀଗୁଡ଼ିକ ପୂର୍ବରୁ କୁହାଯାଇଥିଲା ଓ ଏଗୁଡ଼ିକ କିପରି ପରିପୂର୍ଣ୍ଣ ହେଲା ?
୧୭ ବାବିଲୋନ୍ ପ୍ରଦେଶର ପତନ । ମେଦ ଓ ପାରସୀୟଙ୍କ ଦ୍ୱାରା ବାବିଲୋନର ପତନ ହେବା ବିଷୟ ଉଭୟ ଯିଶାଇୟ ଓ ଯିରିମିୟ ଦ୍ୱାରା ପୂର୍ବସଂକେତ କରାଯାଇଥିଲା । ବିଶେଷ ଭାବରେ, ବାବିଲୋନର ପରାଜୟ ହେବାର ପ୍ରାୟ ୨୦୦ ବର୍ଷ ପୂର୍ବେ ଏହି ଘଟଣା ବିଷୟରେ ଯିଶାଇୟଙ୍କ ଭବିଷ୍ୟଦ୍ବାଣୀରେ ଲିପିବଦ୍ଧ ହୋଇଥିଲା ! ଭବିଷ୍ୟଦ୍ବାଣୀର ନିମ୍ନଲିଖିତ ଅଂଶଗୁଡ଼ିକ ବର୍ତ୍ତମାନ ଐତିହାସିକ ଲେଖା ଅଟେ: ୟୁଫ୍ରେଟିସ୍ ନଦୀର ଗତିପଥ ବଦଳାଇ ଏକ କୃତ୍ରିମ ହ୍ରଦରେ ପରିଣତ ହେବା ଓ ନିଜେ ଶୁଷ୍କ ହୋଇଜିବା (ଯିଶାଇୟ ୪୪:୨୭; ଯିରିମିୟ ୫୦:୩୮); ବାବିଲୋନୀୟ ନଦୀଗୁଡ଼ିକର ଅସାବଧାନତା ଯୋଗୁଁ ସୁରକ୍ଷାର ନ୍ୟୁନତା (ଯିଶାଇୟ ୪୫:୧); ଏବଂ କୋରସ ନାମକ ଶାସକ ଦ୍ୱାରା ଏହାର ବିଜୟ ।—ଯିଶାଇୟ ୪୪:୨୮.
୧୮. “ଗ୍ରୀସ୍ ରାଜାଙ୍କ” ଉତ୍ଥାନ ଓ ପତନ ବିଷୟରେ ବାଇବଲର ଭବିଷ୍ୟଦ୍ବାଣୀ କିପରି ପରିପୂର୍ଣ୍ଣ ହୋଇଥିଲା ?
୧୮ “ଗ୍ରୀସ୍ର ରାଜାଙ୍କ” ଉତ୍ଥାନ ଓ ପତନ । ଦାନିୟେଲ ଏକ ଦର୍ଶନରେ ଗୋଟାଏ ଛାଗ ଗୋଟିଏ ମେଷକୁ ଆଘାତ କରି ତାହାର ଶିଙ୍ଗ ଦ୍ୱୟକୁ ଭାଙ୍ଗି ପକାଇବାର ଦେଖିଲେ । ଏହାପରେ ଛାଗଟିର ବୃହତ୍ ଶିଙ୍ଗଟି ଭାଙ୍ଗିଯାଇ ସେହି ସ୍ଥାନରେ ଚାରୋଟି ଶିଙ୍ଗ ଉତ୍ପନ୍ନ ହେଲା । (ଦାନିୟେଲ ୮:୧-୮) ଦାନିୟେଲଙ୍କୁ ଏହାର ଅର୍ଥ ପ୍ରକାଶ କରିଦିଆଗଲା: “ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା । ପୁଣି, ସେ ଲୋମଶ ଛାଗ ଯବନ [ଗ୍ରୀସ୍] ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବା ବୃହତ୍ ଶୃଙ୍ଗ ପ୍ରଥମ ରାଜା । ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ ।” (ଦାନିୟେଲ ୮:୨୦-୨୨) ଏହି ଭବିଷ୍ୟଦ୍ବାଣୀର ଅନୁରୁପରେ, ପ୍ରାୟ ଦୁଇ ଶତାବ୍ଦୀ ପରେ, “ଗ୍ରୀସ୍ର ରାଜା” ପରାକ୍ରମଶାଳୀ ଆଲେକ୍ଜାଣ୍ଡାର ଦୁଇ-ଶିଙ୍ଗ ମେଦ-ପାରସୀୟ ଶାସକକୁ ପରାଜୟ କଲେ । ଆଲେକ୍ଜାଣ୍ଡାର୍ ସା.ଯୁ.ପୂ. ୩୨୩ ରେ ମୃତ୍ୟୁ ବରଣ କଲେ ଓ ଶେଷରେ ତାଙ୍କ ଚାରି ସେନାପତି ତାହାର ସ୍ଥାନ ନେଲେ । ତଥାପି ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ରାଜ୍ୟ ଆଲେକ୍ଜାଣ୍ଡାର୍ଙ୍କ ସାମ୍ରାଜ୍ୟ ପରି ଶକ୍ତିଶାଳୀ ନଥିଲା ।
୧୯. କେଉଁ ଭବିଷ୍ୟଦ୍ବାଣୀଗୁଡ଼ିକ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ପରିପୂର୍ଣ୍ଣ ହୋଇଥିଲା ?
୧୯ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ । ଏବ୍ରୀ ଶାସ୍ତ୍ରରେ ଅନେକ ଭବିଷ୍ୟଦ୍ବାଣୀ ଅଛି, ଯାହା ଯୀଶୁଙ୍କ ଜନ୍ମ, ସେବାକାର୍ଯ୍ୟ, ମୃତ୍ୟୁ ଓ ପୁନରୁତ୍ଥାନରେ ପରିପୂର୍ଣ୍ଣ ହୋଇଛି । ଉଦାହରଣ ସ୍ୱରୂପ, ୭୦୦ ବର୍ଷ ପୂର୍ବେ ମୀଖା କହିଥିଲେ ଯେ ମଶୀହ ବା ଖ୍ରୀଷ୍ଟ ବେଥ୍ଲେହିମରେ ଜନ୍ମନେବେ । (ମୀଖା ୫:୨; ଲୁକ ୨:୪-୭) ମୀଖାଙ୍କ ସମକାଳୀନ ଯିଶାଇୟ ପୂର୍ବରୁ କହିଥିଲେ ଯେ ମଶୀହଙ୍କୁ ପ୍ରହାର କରାଯିବ ଓ ଛେପ ପକାଯିବ । (ଯିଶାଇୟ ୫୦:୬; ମାଥିଉ ୨୬:୬୭) ପାଞ୍ଚଶହ ବର୍ଷ ପୂର୍ବେ ଯିଖରିୟ ଭବିଷ୍ୟଦ୍ବାଣୀ କରିଥିଲେ ଯେ, ୩୦ଗୋଟି ରୌପ୍ୟ ମୁଦ୍ରା ବିନିମୟରେ ବିଶ୍ୱାସଘାତକମାନେ ମଶୀହଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରିବେ । (ଯିଖରିୟ ୧୧:୧୨; ମାଥିଉ ୨୬:୧୫) ଏକ ହଜାରରୁ ଅଧିକ ବର୍ଷ ପୂର୍ବେ, ଦାଉଦ, ଯୀଶୁଙ୍କ ମୃତ୍ୟୁବେଳର ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଥିଲେ । (ଗୀତସଂହିତା ୨୨:୭, ୮, ୧୮; ମାଥିଉ ୨୭:୩୫, ୩୯-୪୩) ମଶୀହଙ୍କ ପ୍ରକଟନ କେବେ ହେବ, ଏହା ସଙ୍ଗେ ସଙ୍ଗେ ତାଙ୍କ ସେବାକାର୍ଯ୍ୟର କାଳ ଓ ମୃତ୍ୟୁର ସମୟ ବିଷୟରେ ଦାନିୟେଲଙ୍କ ଭବିଷ୍ୟଦ୍ବାଣୀ ପ୍ରାୟ ପାଞ୍ଚ ଶତାବ୍ଦୀ ପୂର୍ବରୁ ପ୍ରକାଶ ପାଇଥିଲା । (ଦାନିୟେଲ ୯:୨୪-୨୭) ଏହା ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପରିପୂର୍ଣ୍ଣ ହୋଇଥିବା ଭବିଷ୍ୟଦ୍ବାଣୀର ମାତ୍ର କେତୋଟି ନମୁନା । ପରେ ଆପଣ ତାଙ୍କ ବିଷୟରେ ଅଧିକ ପଢ଼ିଲେ ଫଳପ୍ରଦ ହେବ ।
୨୦. ପରିପୂର୍ଣ୍ଣ ହୋଇଥିବା ବାଇବଲ ଭବିଷ୍ୟଦ୍ବାଣୀର ଲେଖା ଦ୍ୱାରା ଆମକୁ କେଉଁ ବିଶ୍ୱାସ ହେବା ଉଚିତ ?
୨୦ ଅନେକ ଦୀର୍ଘକାଳର ଅନ୍ୟ ବାଇବଲ ଭବିଷ୍ୟଦ୍ବାଣୀଗୁଡ଼ିକ ପରିପୂର୍ଣ୍ଣ ହୋଇସାରିଛି । ‘କିନ୍ତୁ,’ ଆପଣ ପଚାରି ପାରନ୍ତି, ‘ଏହା ମୋ ଜୀବନକୁ କିପରି ପ୍ରଭାବିତ କରିବ ?’ ଯଦି କେହି ବହୁବର୍ଷ ଧରି ଆପଣଙ୍କୁ ସତ୍ୟ କହୁଥାଏ, ତେବେ ଯଦି ସେ କୌଣସି ନୂଆ କଥା କହନ୍ତି, ଆପଣ କʼଣ ତାଙ୍କୁ ହଠାତ୍ ସନ୍ଦେହ କରିବେ ? ନା ! ପରମେଶ୍ୱର ସଂପୂର୍ଣ୍ଣରୂପେ ବାଇବଲରେ ସତ୍ୟ କହିଅଛନ୍ତି । ବାଇବଲ ଯାହା ପ୍ରତିଜ୍ଞା କରେ, ସେଥିରେ କʼଣ ଆପଣଙ୍କର ବିଶ୍ୱାସ ଦୃଢ଼ କରିବା ଉଚିତ୍ ନୁହେଁ, ଯେପରିକି ଆଗାମୀ ପାର୍ଥିବ ପାରଦୀଶ ବିଷୟରେ ଏହାର ଭବିଷ୍ୟଦ୍ବାଣୀ ? ନିଶ୍ଚୟ ଆମ ବିଶ୍ୱାସ ପ୍ରଥମ ଶତାବ୍ଦୀର ଯୀଶୁଙ୍କ ଶିଷ୍ୟ ପାଉଲଙ୍କ ପରି ହୋଇପାରେ, ଯିଏ ଲେଖିଲେ ଯେ, ‘ପରମେଶ୍ୱର ମିଥ୍ୟା କହି ପାରିବେ ନାହିଁ ।’ (ତିତସ ୧:୨) ଏହାବ୍ୟତୀତ, ଆମେ ଯେତେବେଳେ ଶାସ୍ତ୍ର ପଢ଼ି ତାହାର ଉପଦେଶ କାମରେ ଲଗାଉ, ସେତେବେଳେ ଆମେ ଏପରି ପ୍ରଜ୍ଞାଦ୍ୱାରା ସଂଚାଳିତ ହେଉଛୁଁ, ଯାହା ମନୁଷ୍ୟ ନିଜ ଅନୁଭୂତିରେ ସାଧନ କରିପାରିବ ନାହିଁ, କାରଣ ବାଇବଲ ଏପରି ପୁସ୍ତକ ଯାହା ପରମେଶ୍ୱରଙ୍କ ଜ୍ଞାନ ପ୍ରକାଶ କରିଥାଏ ଓ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିଥାଏ ।
ପରମେଶ୍ୱରଙ୍କ ଜ୍ଞାନ ପାଇଁ “ଲାଳସା ରଖନ୍ତୁ”
୨୧. ଯଦି ବାଇବଲରୁ ଅର୍ଜନ କରିଥିବା କିଛି ଶିକ୍ଷା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ମନେ ହୁଏ, ତେବେ ଆପଣ କʼଣ କରିବା ଉଚିତ ?
୨୧ ଆପଣ ବାଇବଲର ଅଧ୍ୟୟନ କରିଲେ ସମ୍ଭବତଃ ଆପଣ ଏପରି ଶିକ୍ଷା ପାଇବେ, ଯାହା ଆପଣଙ୍କୁ ପୂର୍ବରୁ ଦିଆଯାଇଥିବା ଶିକ୍ଷା ଠାରୁ ଭିନ୍ନ । ଆପଣ ହୁଏତ ଏହା ମଧ୍ୟ ପାଇବେ ଯେ, ଆପଣଙ୍କ କିଛି ପ୍ରିୟ ଧାର୍ମିକ ପ୍ରଥା ପରମେଶ୍ୱରଙ୍କୁ ପ୍ରସନ୍ନ କରେ ନାହିଁ । ପରମେଶ୍ୱରଙ୍କ ମାନଦଣ୍ଡର ଠିକ୍ ଓ ଭୁଲ ବିଷୟରେ ଆପଣ ଶିଖିବେ, ଯାହା ଏହି ସଂସାରରେ ସାର୍ବଜନିକ ଭାବେ ପ୍ରଚଳିତ ମାନଠାରୁ ଉଚ୍ଚତର । ପ୍ରଥମେ-ପ୍ରଥମେ ଏହା ଆଶ୍ଚର୍ଯ୍ୟ ଜନକ ପରି ମନେ ହୋଇ ପାରେ । କିନ୍ତୁ ଧୈର୍ଯ୍ୟ ଧରନ୍ତୁ ! ପରମେଶ୍ୱରଙ୍କ ଜ୍ଞାନ ପାଇବା ପାଇଁ ଯତ୍ନପୂର୍ବକ ଶାସ୍ତ୍ରର ନିରୀକ୍ଷଣ କରନ୍ତୁ । ଉକ୍ତ ସମ୍ଭାବନାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ଯେ, ବାଇବଲର ପରାମର୍ଶ ଆପଣଙ୍କ ଚିନ୍ତାଧାରା ଓ କାଯ୍ୟରେ ସମନ୍ୱୟ ପାଇଁ ଦାବି କରିପାରେ ।
୨୨. ଆପଣ କାହିଁକି ବାଇବଲ ଅଧ୍ୟୟନ କରୁଛନ୍ତି ଓ ଅନ୍ୟମାନଙ୍କୁ ଏହି ବିଷୟରେ ବୁଝିବାପାଇଁ ଆପଣ କିପରି ସାହାଯ୍ୟ କରିପାରିବେ ?
୨୨ ସଦାଶୟ ମିତ୍ର ଓ ବନ୍ଧୁମାନେ ଆପଣଙ୍କ ବାଇବଲ ଅଧ୍ୟୟନକୁ ବିରୋଧ କରି ପାରନ୍ତି, କିନ୍ତୁ ଯୀଶୁ କହିଥିଲେ: “ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବି । ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି ।” (ମାଥିଉ ୧୦:୩୨, ୩୩) କେତେଜଣ ଆଶଙ୍କା କରିପାରନ୍ତି ଯେ, ଆପଣ ଗୋଟିଏ ଧର୍ମମତ ସହିତ ଜଡ଼ିତ ହେବେ ବା ଧର୍ମାନ୍ଧ ହୋଇଯିବେ । କିନ୍ତୁ ବାସ୍ତବରେ ଆପଣ କେବଳ ପରମେଶ୍ୱର ଓ ତାଙ୍କ ସତ୍ୟ ଜ୍ଞାନ ଆହରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । (୧ ତିମଥୀ ୨:୩, ୪) ଆପଣ ଯାହା ଶିକ୍ଷା ନେଉଛନ୍ତି, ସେ ବିଷୟରେ ଅନ୍ୟମାନଙ୍କୁ କହିବା ସମୟରେ ଯୁକ୍ତିପୂର୍ଣ୍ଣ ନୁହେଁ ବରଂ ଯୁକ୍ତିସଙ୍ଗତ ହୁଅନ୍ତୁ ଓ ଏହି ବିଷୟରେ ସେମାନଙ୍କୁ ବୁଝିବାପାଇଁ ସାହାଯ୍ୟ କରନ୍ତୁ । (ଫିଲିପ୍ପୀୟ ୪:୫) ମନେରଖନ୍ତୁ, ଅନେକ ଲୋକଙ୍କୁ “ବିନା ବାକ୍ୟରେ ଜୟ କରିହୁଏ,” ଯେତେବେଳେ ସେମାନେ ପ୍ରମାଣ ଦେଖନ୍ତି ଯେ ବାସ୍ତବରେ ବାଇବଲର ଜ୍ଞାନ ଲୋକଙ୍କ ପାଇଁ ଲାଭପ୍ରଦ ।—୧ ପିତର ୩:୧, ୨, NW.
୨୩. ପରମେଶ୍ୱରଙ୍କ ଜ୍ଞାନ ପାଇଁ ଆପଣ କିପରି “ଲାଳସା ରଖିବେ” ?
୨୩ ବାଇବଲ ଆମକୁ ଉଦ୍ବୋଧିତ କରିଥାଏ: “ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା [“ଲାଳସା,” NW] କର ।” (୧ ପିତର ୨:୨) ଏକ ଶିଶୁ ନିଜର ପୋଷଣ ପାଇଁ ନିଜ ମାଁ ଉପରେ ନିର୍ଭର କରିଥାଏ ଓ ତାହା ପୂରଣ କରିବା ନିମନ୍ତେ ଅବିରତ ବାଧ୍ୟ କରିଥାଏ । ଠିକ୍ ସେହିପରି, ଆମେ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଉପରେ ନିର୍ଭର କରିଥାଉଁ । ଆପଣଙ୍କ ଅଧ୍ୟୟନକୁ କ୍ରମାଗତ ରଖି ତାଙ୍କ ଜ୍ଞାନ ପାଇଁ “ଲାଳସା କରନ୍ତୁ ।” ବାସ୍ତବରେ, ଦୈନନ୍ଦିନ ବାଇବଲ ପଢ଼ିବା ଆପଣଙ୍କ ଲକ୍ଷ୍ୟ ରଖନ୍ତୁ । (ଗୀତସଂହିତା ୧:୧-୩, NW) ଏହା ଆପଣଙ୍କ ପାଇଁ ପ୍ରଚୁର ଆଶୀର୍ବାଦ ଆଣିବ, ଯେପରି ଗୀତସଂହିତା ୧୯:୧୧ ପରମେଶ୍ୱରଙ୍କ ନିୟମ ବିଷୟରେ କହିଥାଏ: “ତହିଁର ପ୍ରତିପାଳନରେ ମହାଫଳ ଥାଏ ।”
[ପାଦ ଟିପ୍ପଣୀଗୁଡ଼ିକ]
a ସା.ଯୁ.ପୂ. ର ଅର୍ଥ ହେଉଛି “ସାମାନ୍ୟ ଯୁଗ ପୂର୍ବ”, ଯାହା ଖ୍ରୀ.ପୂ. (“ଖ୍ରୀଷ୍ଟ ପୂର୍ବ”) ଅପେକ୍ଷା ଅଧିକ ଯଥାର୍ଥ । ସା.ଯୁ. “ସାମାନ୍ୟ ଯୁଗ” କୁ ସୂଚିତ କରେ, ପ୍ରାୟତଃ ଏ.ଡି. କିମ୍ବା ଏନୋ ଡୋମିନି ମଧ୍ୟ କୁହାଯାଇଥାଏ ଯାହାର ଅର୍ଥ “ଆମ ପ୍ରଭୁଙ୍କ ବର୍ଷରେ ।”
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
କେଉଁ କାରଣରୁ ବାଇବଲ ଅନ୍ୟ ପୁସ୍ତକଠାରୁ ଭିନ୍ନ ଓ ଅନନ୍ୟ ଅଟେ ?
ଆପଣ ବାଇବଲରେ କାହିଁକି ନିର୍ଭର କରିପାରିବେ ?
ଆପଣଙ୍କୁ କʼଣ ପ୍ରମାଣିତ କରିଥାଏ ଯେ, ବାଇବଲ ପରମେଶ୍ୱରଙ୍କ ଅନୁପ୍ରାଣିତ ବାକ୍ୟ ଅଟେ ?
[ଅଧ୍ୟୟନ ପ୍ରଶ୍ନ]
[୧୪ ପୃଷ୍ଠାରେ ବାକ୍ସ]
ନିଜ ବାଇବଲ ସହିତ ସୁପରିଚିତ ହୁଅନ୍ତୁ
ବାଇବଲ ସହିତ ସୁପରିଚିତ ହେବା ଆଦୌ କଷ୍ଟସାଧ୍ୟ ନୁହେଁ । ବାଇବଲ ପୁସ୍ତକର କ୍ରମ ଓ ସ୍ଥାନ ଜାଣିବା ପାଇଁ ଆପଣ ଏହାର ସୂଚୀପତ୍ର ବ୍ୟବହାର କରନ୍ତୁ ।
ସହଜ ଉପଯୋଗପାଇଁ ବାଇବଲ ପୁସ୍ତକଗୁଡ଼ିକରେ ଅନେକ ଅଧ୍ୟାୟ ଓ ପଦ ଅଛି । ଅଧ୍ୟାୟ ଗୁଡ଼ିକର ବିଭାଜନ ୧୩ ଦଶ ଶତାବ୍ଦୀରେ ହୋଇଥିଲା ଓ ଆପାତତଃ ୧୬ ଦଶ ଶତାବ୍ଦୀରେ ଏକ ଫ୍ରେଞ୍ଚ୍ ମୁଦ୍ରଣ ଗ୍ରୀକ୍ ଶାସ୍ତ୍ରକୁ ବର୍ତ୍ତମାନ ପ୍ରଚଳିତ ପଦରେ ବିଭାଜନ କଲା । ୧୫୫୩ ରେ ପ୍ରକାଶିତ ଏକ ଫ୍ରେଞ୍ଚ୍ ସଂସ୍କରଣର ପ୍ରଥମ ବାଇବଲ ଥିଲା ଯେଉଁଥିରେ ଉଭୟ ଅଧ୍ୟାୟ ଓ ପଦସଂଖ୍ୟା ଥିଲା ।
ଯେତେବେଳେ ଏହି ପୁସ୍ତକରେ ଶାସ୍ତ୍ରବଚନ ଉଦ୍ଧୃତ ହୁଏ, ସେତେବେଳେ ପ୍ରଥମ ସଂଖ୍ୟା ଅଧ୍ୟାୟକୁ ନିର୍ଦ୍ଦେଶ କରେ ଓ ପରବର୍ତ୍ତୀ ସଂଖ୍ୟାଟି ପଦକୁ ସୂଚିତ କରେ । ଉଦାହରଣ ସ୍ୱରୂପ, ଉଦ୍ଧୃତ “ହିତୋପଦେଶ ୨:୫”ର ଅର୍ଥ ହେଉଛି ହିତୋପଦେଶ ପୁସ୍ତକର ଅଧ୍ୟାୟ ୨ ଓ ପଦ ୫ । ଉଦ୍ଧୃତ ଶାସ୍ତ୍ରବଚନଗୁଡ଼ିକୁ ଦେଖି ଆପଣ ସହଜରେ ଅତି ଶୀଘ୍ର ବାଇବଲ ପାଠ ପାଇପାରିବେ ।
ବାଇବଲ ସହିତ ସୁପରିଚିତ ହେବାର ସର୍ବୋତ୍ତମ ପ୍ରଣାଳୀ ହେଲା ଏହାକୁ ଦୈନନ୍ଦିନ ଅଧ୍ୟୟନ କରିବା । ପ୍ରଥମେ ପ୍ରଥମେ ଏହା ହୁଏତ କଷ୍ଟକର ହୋଇପାରେ । କିନ୍ତୁ ଯଦି ଆପଣ ଅଧ୍ୟାୟର ଦୀର୍ଘତା ଅନୁଯାୟୀ ଦିନକୁ ତିନିରୁ ପାଞ୍ଚ ଅଧ୍ୟାୟ ପଢ଼ନ୍ତି, ତେବେ ଆପଣ ସଂପୂର୍ଣ୍ଣ ବାଇବଲକୁ ଗୋଟିଏ ବର୍ଷ ମଧ୍ୟରେ ପଢ଼ି ଶେଷ କରିପାରିବେ । ଏହା ଆଜିଠାରୁ କାହିଁକି ଆରମ୍ଭ କରିବେନି ?
[୧୯ ପୃଷ୍ଠାରେ ବାକ୍ସ]
ବାଇବଲ—ଏକ ଅନନ୍ୟ ପୁସ୍ତକ
• ବାଇବଲ “ପରମେଶ୍ୱରଙ୍କ ଦ୍ୱାରା ଅନୁପ୍ରାଣିତ ।” (୨ ତିମଥୀ ୩:୧୬) ଯଦିଓ ଏହାର ଶବ୍ଦ ମନୁଷ୍ୟ ରଚିତ, ପରମେଶ୍ୱର ସେମାନଙ୍କ ଚିନ୍ତାକୁ ନିର୍ଦ୍ଦେଶ କରିଥିଲେ, ତେଣୁ ବାଇବଲ ପ୍ରକୃତରେ “ପରମେଶ୍ୱରଙ୍କ ବାକ୍ୟ” ଅଟେ ।—୧ ଥେସଲନୀକୀୟ ୨:୧୩.
• ବାଇବଲ ୧୬ ଶତାବ୍ଦୀରୁ ଅଧିକ ବର୍ଷ ଧରି ବିଭିନ୍ନ ପୃଷ୍ଠଭୁମିର ପ୍ରାୟ ୪୦ ଜଣ ରଚୟିତାଙ୍କ ଦ୍ୱାରା ଲିଖିତ । ଏହାସତ୍ୱେ, ବାଇବଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁସଙ୍ଗତ ।
• ବାଇବଲ ଅନ୍ୟ ଯେକୌଣସି ପୁସ୍ତକ ଅପେକ୍ଷା ଅଧିକ ବିବାଦର ସମ୍ମୁଖୀନ ହେବା ସତ୍ୱେ ସୁରକ୍ଷିତ ହୋଇ ରହିଛି । ମଧ୍ୟଯୁଗରେ, ଖଣ୍ଡିଏ ମାତ୍ର ଶାସ୍ତ୍ର ରଖିବା ଯୋଗୁଁ ଲୋକଙ୍କୁ ସ୍ତମ୍ଭରେ ଜାଳି ଦିଆଯାଇଥିଲା ।
• ବାଇବଲ ହେଉଛି ପୃଥିବୀର ସର୍ବାଧିକ ମାତ୍ରାରେ ବିକ୍ରୟ ହେଉଥିବା ପୁସ୍ତକ । ଏହା ସଂପୂର୍ଣ୍ଣ ବା ଆଂଶିକଭାବେ ପ୍ରାୟ ୨,୦୦୦ ଭାଷାରେ ଅନୂଦିତ ହୋଇ ସାରିଛି । ଏହା ସହସ୍ର ସହସ୍ର କୋଟି ସଂଖ୍ୟାରେ ଛପା ହୋଇଛି ଓ ପୃଥିବୀରେ କ୍ୱଚିତ୍ ଏପରି କୌଣସି ସ୍ଥାନ ଥାଇପାରେ ଯେଉଁଠି ଏହାର ଖଣ୍ଡିଏ ସଂଖ୍ୟା ମିଳିବ ନାହିଁ ।
• ବାଇବଲର ଅତି ପୁରାତନ ଭାଗ ସା.ଯୁ.ପୂ. ୧୬ଶ ଶତାବ୍ଦୀର ଅଟେ । ଏହା ହିନ୍ଦୁମାନଙ୍କର ଋକ୍-ବେଦ (ପ୍ରାୟ ସା.ଯୁ.ପୂ. ୧୩୦୦) କିମ୍ବା ବୌଦ୍ଧ ମାନଙ୍କ “ତ୍ରିପିଟକ” (ସା.ଯୁ.ପୂ. ପଞ୍ଚମ ଶତାବ୍ଦୀ) ବା ଇସ୍ଲାମ୍ ମାନଙ୍କ କୋରାନ୍ (ସା.ଯୁ. ସପ୍ତମ ଶତାବ୍ଦୀ), ସଙ୍ଗେ ସଙ୍ଗେ ସିଣ୍ଟୋ ନିହୋଙ୍ଗି (ସା.ଯୁ. ୭୨୦) ଠାରୁ ବି ପୂର୍ବରୁ ରଚିତ ।
[୨୦ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]