इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ

ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ

ଅଧ୍ୟାୟ ୧୦

ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ

୧, ୨. ଲୌକିକ ସରକାରଗୁଡ଼କ କିପରି ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି ?

 ଗୋଟିଏ ଅକର୍ମଣ୍ୟ ଉପକରଣ କିଣିବାର ଅନୁଭୂତି ଆପଣଙ୍କର ଥିବ । ମନେକରନ୍ତୁ, ଆପଣ ଜଣେ ମରାମତକାରୀ ଲୋକକୁ ଡାକିଲେ, ସେ ସେହି ଉପକରଣଟି କୌଶଳରେ ମରାମତି କଲା, ମାତ୍ର କିଛି କ୍ଷଣ ପରେ ତାହା ଖରାପ ହୋଇଗଲା । ଏହା କେତେ ନୈରାଶ୍ୟପୂର୍ଣ୍ଣ !

ମନୁଷ୍ୟଗଢ଼ା ସରକାରଗୁଡ଼ିକ ମଧ୍ୟ ଏହା ସହିତ ସମାନ । ସୁଖ ଓ ଶାନ୍ତି ନିଶ୍ଚୟ ଦେବାଭଳି ଏକ ସରକାରକୁ ମାନବଜାତି ସବୁବେଳେ ଚାହାନ୍ତି । ଅକ୍ଳାନ୍ତ ପରିଶ୍ରମ କରିବା ସତ୍ୱେ ମଧ୍ୟ ସମାଜର ଏ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ । ଅନେକ ଶାନ୍ତି ଚୁକ୍ତି କରାଯାଇଛି—ମାତ୍ର ସେଗୁଡ଼ିକ ବିଫଳ ହୋଇଛି । ଏହା ଛଡ଼ା କୌଣସି ସରକାର କେବେହେଲେ ଦାରିଦ୍ର୍ୟ, ପକ୍ଷପାତିତ୍ୱ, ଅପରାଧ, ରୋଗ, ଏବଂ ପରିବେଶ ଧ୍ୱଂସକ୍ରୀଆକୁ ଉନ୍ମଳିତ କରିବାରେ ସମର୍ଥ ହୋଇଛନ୍ତି ? ଲୌକିକ ସରକାର ନିୟମରେ ଏଗୁଡ଼ିକ ସାଧିତ ହୋଇପାରିବ ନାହିଁ । ଏଥିପାଇଁ ଇଶ୍ରାୟେଲର ଜ୍ଞାନୀ ରାଜା ଶଲୋମନ କହିଥିଲେ, “ମନୁଷ୍ୟ ଆପଣା ବାଟ କି ରୂପେ ବୁଝିପାରିବ ?”—ହିତୋପଦେଶ ୨୦:୨୪.

୩. (କ) ଯୀଶୁଙ୍କ ପ୍ରଚାରର ମୂଳବିଷୟ କʼଣ ଥିଲା ? (ଖ) କେତେକ ଲୋକ କିପରି ଭାବରେ ପରମେଶ୍ୱରଙ୍କ ରାଜ୍ୟର ବର୍ଣ୍ଣନା କରିଛନ୍ତି ?

ନିରାଶ ହୁଅନ୍ତୁ ନାହିଁ ! ଚିରସ୍ଥାୟୀ ବିଶ୍ୱ ସରକାର କେବଳ ମାତ୍ର ସ୍ୱପ୍ନ ନୁହେଁ । ଏହା ଯୀଶୁଙ୍କ ପ୍ରଚାରର ମୂଳ ବିଷୟ ଥିଲା । ସେ ଏହାକୁ “ପରମେଶ୍ୱରଙ୍କ ରାଜ୍ୟ” କହିଥିଲେ ଏବଂ ଶିଷ୍ୟମାନଙ୍କୁ ଏଥିପାଇଁ ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ । (ଲୁକ ୧୧:୨; ୨୧:୩୧) ଅବଶ୍ୟ ଧାର୍ମିକ ପରିସ୍ଥିତିରେ କେବେ କେବେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଉଲ୍ଲେଖ କରାଯାଏ । ପ୍ରକୃତରେ କୋଟିକୋଟି ଲୋକ ଏଥିପାଇଁ ଦୈନିକ ପ୍ରାର୍ଥନା କରନ୍ତି, ମାତ୍ର ଯେତେବେଳେ ପ୍ରଭୁଙ୍କ ପ୍ରାର୍ଥନା କରନ୍ତି, (ଯାହାକୁ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ଆଦର୍ଶ ପ୍ରାର୍ଥନା କୁହାଯାଏ ।) ଯଦି କେହି ସେମାନଙ୍କୁ ପଚାରନ୍ତି, “ପରମେଶ୍ୱରଙ୍କ ରାଜ୍ୟ କʼଣ ?” ଲୋକମାନେ ବିଭିନ୍ନ ମତ ଦିଅନ୍ତି । କେତେକ କହନ୍ତି, “ଏହା ଆମ ହୃଦୟରେ ଅଛି ।” ଅନ୍ୟମାନେ ସ୍ୱର୍ଗରେ ଅଛିବୋଲି କହନ୍ତି । ବାଇବଲ ଆମକୁ ସ୍ପଷ୍ଟ ଉତ୍ତର ଦିଏ, ଆସନ୍ତୁ ଦେଖିବା ।

ଗୋଟିଏ ଉଦ୍ଦେଶ୍ୟପୂର୍ଣ୍ଣ ରାଜ୍ୟ

୪, ୫. ଯିହୋବା କାହିଁକି ତାଙ୍କ ସାର୍ବଭୌମତ୍ୱର ଏକ ନୂତନ ପ୍ରକାଶ ଦେଖାଇବା ପାଇଁ ମନସ୍ଥ କଲେ, ଏବଂ ଏହା କʼଣ ସମ୍ପାଦନ କରିବ ?

ଯିହୋବା ପରମେଶ୍ୱର ଚିରଦିନ ପାଇଁ ବିଶ୍ୱର ରାଜା ବା ସର୍ବପ୍ରଧାନ ଶାସନକର୍ତ୍ତା ଭାବରେ ରହିଛନ୍ତି । ଯେହେତୁ ସେ ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା, ତେଣୁ ସେ ଏହି ଉପାଧିର ଯୋଗ୍ୟ ବ୍ୟକ୍ତି ଅଟନ୍ତି । (୧ ବଂଶାବଳୀ ୨୯:୧୧; ଗୀତସଂହିତା ୧୦୩:୧୯; ପ୍ରେରିତ ୪:୨୪) ତେଣୁ ଯୀଶୁ ଯେଉଁ ରାଜ୍ୟ ବିଷୟରେ ପ୍ରଚାର କଲେ, ତାହା ପରମେଶ୍ୱରଙ୍କ ସାର୍ବଭୌମତ୍ୱ ଆଗରେ ଗୌଣ ଅଟେ । ସେହି ମଶୀହ ରାଜ୍ୟର ଗୋଟିଏ ବିଶେଷ ଉଦ୍ଦେଶ୍ୟ ଅଛି । ତାହା କʼଣ ?

ପ୍ରଥମ ମାନବ ଦମ୍ପତି ଈଶ୍ୱରଙ୍କ ଆଧିପତ୍ୟ ବିରୁଦ୍ଧରେ ବିଦ୍ରୋହ କଲେ, ଏହା ଅଧ୍ୟାୟ ୬ ରେ ଉଲ୍ଲେଖ କରାଯାଇଛି । ଏହି ବିଚାର୍ଯ୍ୟ ବିଷୟର ଉତ୍ଥାପନ ହେବା ଯୋଗୁଁ ଯିହୋବା ତାଙ୍କର ସାର୍ବଭୌମତ୍ୱର ନୂତନ ଆବିର୍ଭାବ କରିବା ପାଇଁ ମନସ୍ଥ କଲେ । ପରମେଶ୍ୱର ଏକ “ବଂଶ” ଉତ୍ପନ କରିବା ପାଇଁ ନିଜ ଉଦ୍ଦେଶ୍ୟ ଘୋଷଣା କଲେ, ଯିଏ ସେହି ସାପ ଶୟତାନକୁ ମର୍ଦ୍ଦନ କରିବ ଓ ମଣିଷଜାତିକୁ ବଂଶଗତ ପାପର ପ୍ରଭାବରୁ ମୁକ୍ତ କରିବ । ମୁଖ୍ୟ “ବଂଶ” ହେଉଛନ୍ତି ଯୀଶୁଖ୍ରୀଷ୍ଟ ଏବଂ “ପରମେଶ୍ୱରଙ୍କ ରାଜ୍ୟ” ତାହାଙ୍କ ଅଭିକର୍ତ୍ତା, ଏହା ଶୟତାନକୁ ସମୂଳେ ନିଶ୍ଚିହ୍ନ କରିବ । ଏହି ରାଜ୍ୟ ଦ୍ୱାରା ଯୀଶୁଖ୍ରୀଷ୍ଟ ପୃଥିବୀ ଉପରେ ଯିହୋବାଙ୍କ ନାମରେ ତାଙ୍କ ଶାସନକୁ ପୁନଃସ୍ଥାପନ କରିବେ, ଚିରଦିନ ପାଇଁ ପରମେଶ୍ୱରଙ୍କ ନ୍ୟାୟପୂର୍ଣ୍ଣ ସାର୍ବଭୌମତ୍ୱକୁ ପ୍ରତିପାଦନ କରିବେ ।—ଆଦିପୁସ୍ତକ ୩:୧୫; ଗୀତସଂହିତା ୨:୨-୯.

୬, ୭. (କ) ରାଜ୍ୟ କେଉଁଠାରେ ଓ କେଉଁମାନେ ତାଙ୍କ ସହଯୋଗୀ ଶାସକ ? (ଖ) କେଉଁମାନେ ରାଜ୍ୟର ପ୍ରଜାବୃନ୍ଦ ?

ଦୁଷ୍ଟ ଫାରୁଶୀଙ୍କୁ ସମ୍ବୋଧିତ କରି ଯୀଶୁ କହିଥିଲେ: “ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି ।” (ଲୁକ ୧୭:୨୧) ଯୀଶୁ କʼଣ ବୁଝାଇଥିଲେ ଯେ, ଈଶ୍ୱରଙ୍କ ରାଜ୍ୟ ସେହି ଦୁଷ୍ଟମାନଙ୍କ ହୃଦୟ ଭିତରେ ଅଛି ? ନା । ଆଦି ଗ୍ରୀକର ସଠିକ ଅନୁବାଦ ଅନୁସାରେ “ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ହିଁ ଅବସ୍ଥିତ ।” (NW) ଯୀଶୁ ସେମାନଙ୍କୁ ବୁଝାଇଥିଲେ ଯେ, ସେ ସେମାନଙ୍କ ମଧ୍ୟରେ ଭାବୀରାଜା ହିସାବରେ ଉପସ୍ଥିତ ଅଛନ୍ତି । ଏହା କୌଣସି ବ୍ୟକ୍ତିର ହୃଦୟରେ ଥିବା ବିଷୟ ଠାରୁ ଭିନ୍ନ, ଈଶ୍ୱରଙ୍କ ରାଜ୍ୟ ହେଲା ଗୋଟିଏ ବାସ୍ତବ ସରକାର, ଏଥିରେ ଜଣେ ଶାସନକର୍ତ୍ତା ଓ ପ୍ରଜାଗଣ ଅଛନ୍ତି । ଏହା ଏକ ସ୍ୱର୍ଗୀୟ ଶାସନ ବ୍ୟସସ୍ଥା, କାରଣ ଏହାକୁ “ସ୍ୱର୍ଗରାଜ୍ୟ” ବା ଈଶ୍ୱରଙ୍କ ରାଜ୍ୟ ଉଭୟ କୁହାଯାଏ । (ମାଥିଉ ୧୩:୧୧; ଲୁକ ୮:୧୦) ମନୁଷ୍ୟ ପୁତ୍ର ତୁଲ୍ୟ ଏକ ପୁରୁଷ ପରି ଏହାର ଶାସକଙ୍କୁ ଭବିଷ୍ୟଦ୍‌ବକ୍ତା ଦାନିୟେଲ ଦର୍ଶନରେ ଦେଖିଲେ । ତାଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ନିକଟକୁ ଆଣି “ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାଙ୍କର ସେବା କରିବେ, ସେଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ ମହିମା ଏବଂ ରାଜ୍ୟ ଦିଆଗଲା ।” (ଦାନିୟେଲ ୭:୧୩, ୧୪) ଏହି ରାଜା କିଏ ? ବାଇବଲ ଯୀଶୁଖ୍ରୀଷ୍ଟଙ୍କୁ “ମନୁଷ୍ୟ ପୁତ୍ର” ବୋଲି ଅବିହିତ କରେ । (ମାଥିଉ ୧୨:୪୦; ଲୁକ ୧୭:୨୬) ହଁ, ଯିହୋବା ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ରାଜା ହେବା ପାଇଁ ମନୋନୀତ କରିଥିଲେ ।

ଯୀଶୁ ଏକାକୀ ଶାସନ କରିବେ ନାହିଁ । ତାଙ୍କ ସହିତ ସେ ୧,୪୪,୦୦୦ ଲୋକଙ୍କୁ ସହଯୋଗୀ ରାଜା ଓ ଯାଜକ କରିବା ପାଇଁ “ପୃଥିବୀରୁ କିଣିନେବେ ।” (ପ୍ରକାଶିତ ୫:୯, ୧୦; ୧୪:୧, ୩; ଲୁକ ୨୨:୨୮-୩୦) ଯେଉଁମାନେ ଖ୍ରୀଷ୍ଟଙ୍କର ବଶବର୍ତ୍ତି ହେବେ, ସେମାନେ ପରମେଶ୍ୱରଙ୍କର ବିଶ୍ୱବ୍ୟାପୀ ମନୁଷ୍ୟ ପରିବାରର ସଦସ୍ୟ ହେବେ । (ଗୀତସଂହିତା ୭୨:୭, ୮) କିନ୍ତୁ ସେହି ରାଜ୍ୟ ଯେ ପ୍ରକୃତରେ ପରମେଶ୍ୱରଙ୍କ ସାର୍ବଭୌମତ୍ୱର ଯଥାର୍ଥତା ପ୍ରତିପାଦନ କରିବ ଓ ଆମ ପୃଥିବୀରେ ଗୋଟିଏ ପାରଦୀଶ ପୁନର୍ସ୍ଥାପନ କରିବ, ଏଥିରେ ଆମେ କିପରି ନିଶ୍ଚିତ ହୋଇପାରିବୁ ?

ପରମେଶ୍ୱରଙ୍କ ରାଜ୍ୟର ବାସ୍ତବତା

୮, ୯. (କ) ପରମେଶ୍ୱରଙ୍କ ରାଜ୍ୟର ବିଶ୍ୱାସନୀୟତାକୁ କିପରି ପ୍ରମାଣ କରିପାରିବା ? (ଖ) ରାଜ୍ୟର ବାସ୍ତବତା ସମ୍ପର୍କରେ ଆମେ କାହିଁକି ନିଶ୍ଚିତ ହୋଇପାରିବୁ ?

ମନେକରନ୍ତୁ ଅଗ୍ନି ଦ୍ୱାରା ଆପଣଙ୍କ ଘର ଜଳି ଧ୍ୱଂସ ହୋଇଗଲା । ବର୍ତ୍ତମାନ ଆପଣଙ୍କର ଜଣେ ବନ୍ଧୁ ଯାହାର ଘର ତିଆରି କରିବାର କ୍ଷମାତା ଅଛି, ପ୍ରତିଜ୍ଞା କଲେ ଯେ ସେ ଘର ତିଆରି କରିଦେବେ ଏବଂ ଆପଣଙ୍କ ପରିବାର ପାଇଁ କିଛି ଖାଦ୍ୟର ବ୍ୟବସ୍ଥା କରିବେ । ଯଦି ଆପଣଙ୍କ ବନ୍ଧୁ ସବୁବେଳେ ସତ କହୁଥାନ୍ତି, ତେବେ ଆପଣ କʼଣ ତାଙ୍କୁ ବିଶ୍ୱାସ କରିବେ ନାହିଁ ? ଧରିନିୟନ୍ତୁ, ପରଦିନ ଆପଣ କାମରୁ ଫେରିଲା ପରେ ଦେଖିଲେ କେତେକ ମୂଲିଆ ନିଆଁରେ ପୋଡ଼ିଯାଇଥିବା ଭଗ୍ନାବଶେଷ ପଦାର୍ଥଗୁଡ଼ିକୁ ସଫା କରିବା ଆରମ୍ଭ କରିଦେଇଛନ୍ତି । ବନ୍ଧୁ ଜଣକ ଆପଣଙ୍କ ପାଇଁ ମଧ୍ୟ ଖାଦ୍ୟ ଆଣିଦେଇଛନ୍ତି । ଆପଣ ନିଶ୍ଚିତ ରୂପେ ବିଶ୍ୱାସ କରିବେ ଯେ, ସମୟ କ୍ରମେ ଘରଟି କେବଳ ପୁନଃନିର୍ମାଣ ହେବନାହିଁ, ମାତ୍ର ପୁର୍ବରୁ ଥିବା ଘର ଅପେକ୍ଷା ଅଧିକ ଭଲ ହେବ ।

ସେହି ପ୍ରକାରେ ଯିହୋବା ଆମକୁ ରାଜ୍ୟର ବାସ୍ତବତା ବିଷୟରେ ଆତ୍ମବିଶ୍ୱାସ ଜନ୍ମାନ୍ତି । ଯେପରି ବାଇବଲର ଏବ୍ରୀ ପୁସ୍ତକ ରାଜ୍ୟର ଆୟୋଜନ ବିଷୟରେ ଅନେକ ଘଟଣାର ପୂର୍ବାଭାସ ଦିଏ । (ଏବ୍ରୀ ୧୦:୧) ପରମେଶ୍ୱରଙ୍କ ରାଜ୍ୟର ପୂର୍ବ ଝଲକଗୁଡ଼ିକ ପାର୍ଥିବ ଇଶ୍ରାଇଲ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳେ । ତାହା ଏକ ସାଧାରଣ ସରକାର ନୁହେଁ, କାରଣ ତାଙ୍କରି ଶାସକମାନେ “ଯିହୋବାଙ୍କ ସିଂହାସନରେ” ବସିଥିଲେ । (୧ ବଂଶାବଳୀ ୨୯:୨୩) ଏହାଛଡ଼ା ପୂର୍ବରୁ ଭବିଷ୍ୟଦ୍‌ବାଣୀ କରାଯାଇଥିଲା: “ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୂଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ ।” (ଆଦିପୁସ୍ତକ ୪୯:୧୦) a ହଁ, ପରମେଶ୍ୱରଙ୍କ ଏହି ସରକାର ଚିରସ୍ଥାୟୀ ରାଜା ଯୀଶୁଙ୍କର ଏହି ଯିହୂଦା ରାଜକୀୟ ବଂଶରେ ଜନ୍ମ ହେବାରଥିଲା—ଲୁକ ୧:୩୨, ୩୩.

୧୦. (କ) ଈଶ୍ୱରଙ୍କ ମଶୀହ ରାଜ୍ୟର ମୂଳଦୂଆ କେବେ ସ୍ଥାପିତ ହୋଇଥିଲା ? (ଖ) ଯୀଶୁଙ୍କ ଭାବୀ ସହଶାସକମାନେ କେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତେ ?

୧୦ ଯୀଶୁ ପ୍ରେରିତଙ୍କ ମନୋନୟନ ସମୟରେ ପରମେଶ୍ୱରଙ୍କ ମଶୀହ ରାଜ୍ୟର ମୂଳଦୁଆ ପକାଇଥିଲେ । (ଏଫିସିୟ ୨:୧୯, ୨୦; ପ୍ରକାଶିତ ବାକ୍ୟ ୨୧:୧୪) ଏହି ୧,୪୪,୦୦୦ ଲୋକ ପ୍ରଥମେ ଯୀଶୁଙ୍କ ସହିତ ସହଯୋଗୀ ରାଜାରୂପେ ସ୍ୱର୍ଗରୁ ରାଜତ୍ୱ କରିବେ । ପୃଥିବୀରେ ରହିଥିବା ସମୟରେ ଯୀଶୁଙ୍କ ଆଜ୍ଞାରେ ଏହି ସହଯାଜକମାନେ ଗୋଟିଏ ପ୍ରଚାର ଅଭିଜାନ କରିଥିଲେ, ଏତିକିବେଳେ ଯୀଶୁ କହିଥିଲେ, “ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ କରାଅ ।”—ମାଥିଉ୨୮:୧୯.

୧୧. ବର୍ତ୍ତମାନ ରାଜ୍ୟର ପ୍ରଚାର କାର୍ଯ୍ୟ କିପରି କରାଯାଉଛି ଓ ତାହା କʼଣ ସମ୍ପାଦନ କରୁଛି ?

୧୧ ଶିଷ୍ୟ ଗ୍ରହଣ କରିବା ପାଇଁ ଯେଉଁ ଆଜ୍ଞା ଦିଆଯାଇଥିଲା, ତାହା ଏବେ ମଧ୍ୟ ପାଳିତ ହେଉଛି । ଅଦ୍ଭୂତପୂର୍ବ ରୁପେ ପାଳିତ ହେଉଛି । ଯୀଶୁଙ୍କ ଭବିଷ୍ୟଦ୍‌ବାଣୀ ସହିତ ସାମଞ୍ଜସ୍ୟ ରଖି ଯିହୋବାଙ୍କ ସାକ୍ଷୀମାନେ ସାରା ଜଗତରେ ସେହି ସୁସମାଚାର ପ୍ରଚାର କରୁଛନ୍ତି । “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ଜଗତରେ ପ୍ରଚାର କରାଯିବ, ତତ୍ପରେ ଯୁଗାନ୍ତ ହେବ ।” (ମାଥିଉ ୨୪:୧୪) ରାଜ୍ୟ ପ୍ରଚାର କାର୍ଯ୍ୟକୁ ଆଖିରେ ରଖି ଏକ ବିଶାଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଚାଲୁ ରହିଛି । ଯେଉଁମାନେ ପରମେଶ୍ୱରଙ୍କ ରାଜ୍ୟର ନିୟମ ଓ ସିଦ୍ଧାନ୍ତର ଅଧୀନରେ ଅଛନ୍ତି, ସେମାନେ ବର୍ତ୍ତମାନ ଶାନ୍ତି ଓ ଏକତାର ଅଭିଜ୍ଞତା ପାଇପାରୁଛନ୍ତି । ଯାହା ଲୌକିକ ସରକାର ଠାରୁ ପାଇବେ ନାହିଁ । ପରମେଶ୍ୱରଙ୍କ ରାଜ୍ୟର ବାସ୍ତବତା ଏହି କଥାର ସ୍ପଷ୍ଟ ପ୍ରମାଣ କରେ !

୧୨. (କ) ରାଜ୍ୟ ଘୋସଣାକାରୀଙ୍କୁ ଯିହୋବାଙ୍କ ସାକ୍ଷୀ କହିବା ଉପଯୁକ୍ତ ହେବ କାହିଁକି ? (ଖ) ପରମେଶ୍ୱରଙ୍କ ରାଜ୍ୟ ଲୌକିକ ସରକାର ଠାରୁ କିପରି ପୃଥକ ଅଟେ ?

୧୨ ଯିହୋବା ଇଶ୍ରାୟେଲୀୟଙ୍କୁ କହିଲେ, “ତୁମ୍ଭେମାନେ ମୋର ସାକ୍ଷୀ ଓ ମନୋନୀତ ଦାସ ଅଟ ।” (ଯିଶାଇୟ ୪୩: ୧୦-୧୨) ଯୀଶୁ ହେଉଛନ୍ତି ସେହି “ବିଶ୍ୱସ୍ତ ସାକ୍ଷୀ,” ଅତ୍ୟୁତ୍ସାହ ସହିତ ରାଜ୍ୟର ସୁସମାଚର ଘୋଷଣା କରିଥିଲେ । (ପ୍ରକାଶିତ ବାକ୍ୟ ୧:୫; ମାଥିଉ ୪:୧୭) ବର୍ତ୍ତମାନ ସମୟର ରାଜ୍ୟ ଘୋଷକଗଣ ଐଶ୍ୱରିକ ରୂପେ ମନୋନୀତ ହୋଇ ଈଶ୍ୱର ପ୍ରଦତ୍ତ ଯିହୋବା ସାକ୍ଷୀ ନାମ ଧାରଣ କରନ୍ତି । କିନ୍ତୁ ସାକ୍ଷୀମାନେ ଅନ୍ୟମାନଙ୍କ ସହିତ ରାଜ୍ୟ ବିଷୟରେ କଥାବାର୍ତ୍ତା କରିବା ପାଇଁ କାହିଁକି ବହୁତ ସମୟ ବ୍ୟୟ କରୁଛନ୍ତି ? କାରଣ ରାଜ୍ୟ ହିଁ ମାନବଜାତିର ଏକମାତ୍ର ଆଶା ହୋଇଥିବାରୁ ସେମାନେ ଏପରି କରନ୍ତି । ଲୌକିକ ସରକାର ଆଜି ନୁହେଁ ତ କାଲି ଭଙ୍ଗିଯିବ, କିନ୍ତୁ ଈଶ୍ୱରଙ୍କ ରାଜ୍ୟ କେବେହେଲେ ଭାଙ୍ଗିବ ନାହିଁ । ଯିଶାଇୟ ୯:୬, ୭ ପଦ ଏହାର ଶାସକ ଯୀଶୁଖ୍ରୀଷ୍ଟଙ୍କୁ “ଶାନ୍ତିର ରାଜ କୁମାର” ବୋଲି ଉଲ୍ଲେଖ କରି କହେ ତାଙ୍କ “ରାଜ୍ୟର କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ ।” ପରମେଶ୍ୱରଙ୍କ ରାଜ୍ୟ ଲୌକିକ ସରକାର ପରି ନୁହେଁ—ଆଜି ଅଛି, କାଲି ରହିବ ନାହିଁ । ବାସ୍ତବରେ ଦାନିୟେଲ ୨:୪୪ ପଦରେ ଉଲ୍ଲେଖ ଅଛି, “ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହି ସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ ।”

୧୩. (କ) କେଉଁ ସମସ୍ୟାଗୁଡ଼ିକ ପରମେଶ୍ୱରଙ୍କ ରାଜ୍ୟରେ ସମାଧାନ ହୋଇପାରିବ ? (ଖ) ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ କାର୍ଯ୍ୟରେ ପରିଣତ ହେବ, ଏଥିରେ ଆମେ କାହିଁକି ନିଶ୍ଚିତ ହୋଇପାରିବା ?

୧୩ ଯୁଦ୍ଧ, ଅପରାଧ, ଅସୁସ୍ଥତା, ଖାଦ୍ୟାଭାବ ଓ ବାସଅଭାବ ଇତ୍ୟାଦି କେଉଁ ମାନବରାଜା ଦୂର କରିପାରିବ ? ଏହା ଛଡ଼ା କେଉଁ ପାର୍ଥିବ ଶାସକ ମୃତଲୋକଙ୍କୁ ପୁନରୁତ୍ଥାନ କରିପାରିବ ? ପରମେଶ୍ୱରଙ୍କ ରାଜ୍ୟ ଓ ଏହାର ରାଜା ଏହି ବିଷୟଗୁଡ଼ିକ ନିଷ୍ପତ୍ତି କରିବେ । ଯେଉଁ ଉପକରଣଗୁଡ଼ିକ ଠିକରୂପେ କାମ କରୁନାହିଁ ଏବଂ ଯେଉଁଗୁଡ଼ିକ ବହୁତ ଥର ମରାମତି କରିବାକୁ ପଡ଼ୁଛି, ସେହିପରି ରାଜ୍ୟ ନିଜକୁ ତୃଟିପୂର୍ଣ୍ଣ ପ୍ରମାଣ କରିବ ନାହିଁ । ଏହା ପରିବର୍ତ୍ତେ ଈଶ୍ୱରଙ୍କ ରାଜ୍ୟ ସଫଳ ହେବ, କାରଣ ଯିହୋବା ପ୍ରତିଜ୍ଞା କରୁଛନ୍ତି: “ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛାକରୁ, ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ ।” (ଯିଶାଇୟ ୫୫:୧୧) ପରମେଶ୍ୱରଙ୍କ ଉଦ୍ଦେଶ୍ୟ କେବେହେଲେ ଅସଫଳ ହେବ ନାହିଁ, କିନ୍ତୁ ତାଙ୍କର ରାଜ୍ୟ ଶାସନ କେବେଠାରୁ ଆରମ୍ଭ ହେବାର ଥିଲା ?

ରାଜ୍ୟ ଶାସନ—କେବେ ?

୧୪. ରାଜ୍ୟ ସମ୍ବନ୍ଧରେ ଯୀଶୁଙ୍କ ଶିଷ୍ୟମାନଙ୍କର କି ମତାନ୍ତର ଥିଲା, କିନ୍ତୁ ଯୀଶୁ ତାଙ୍କ ରାଜତ୍ୱ ବିଷୟରେ କʼଣ ଜାଣିଥିଲେ ?

୧୪ “ହେ ପ୍ରଭୁ ଆପଣ କʼଣ ଏହି ସମୟରେ ଇଶ୍ରାୟେଲ ରାଜ୍ୟ ପୁନଃପ୍ରତିଷ୍ଠା କରିବେ ?” ଶିଷ୍ୟମାନେ ଯୀଶୁଙ୍କୁ ଏହି ପ୍ରଶ୍ନ ପଚାରିଥିଲେ କାରଣ ସେମାନେ ସେତେବେଳେ ଈଶ୍ୱରଙ୍କ ରାଜ୍ୟର ଉଦ୍ଦେଶ୍ୟ ଓ ଏହାର ଶାସନ ଆରମ୍ଭର ନିର୍ଦ୍ଦିଷ୍ଟ ସମୟ ଜାଣି ନଥିଲେ । ଏହି ବିଷୟ ସମ୍ପର୍କରେ ଚିନ୍ତା ନ କରିବା ପାଇଁ ଯୀଶୁ ସେମାନଙ୍କୁ ସାବଧାନ କରି କହିଲେ: “ପରମ ପିତା ନିଜ ଅଧିକାର ବଳରେ ଯେଉଁ ସମୟ ଅଥବା ଦିନ ନିରୂପଣ କରିଅଛନ୍ତି, ତାହା ତୁମର ଜାଣିବା ଆବଶ୍ୟକ ନୁହେଁ ।” ଯୀଶୁ ଜାଣିଥିଲେ ପୃଥିବୀରେ ତାଙ୍କ ରାଜତ୍ୱ ଭବିଷ୍ୟତ ପାଇଁ ସଂଗୃହିତ ଥିଲା, ଅର୍ଥାତ ତାଙ୍କ ପୁନରୁତ୍ଥାନ ଓ ସ୍ୱର୍ଗାରୋହଣର ବହୁ ସମୟ ପରେ । (ପ୍ରେରିତ ୧:୬-୧୧; ଲୁକ ୧୯:୧୧, ୧୨, ୧୫) ଶାସ୍ତ୍ର ଏହା ଭବିଷ୍ୟଦ୍‌ବାଣୀ କରିଥିଲା । ତାହା କିପରି ?

୧୫. ଗୀତସଂହିତା ୧୧୦:୧ ପଦ ଯୀଶୁଙ୍କ ରାଜତ୍ୱ କାଳ ବିଷୟରେ କʼଣ ଆଲୋକପାତ କରେ ?

୧୫ ଭବିଷ୍ୟସୂଚକ ରୂପେ ଯୀଶୁଙ୍କୁ “ପ୍ରଭୁ” ସମ୍ବୋଧନ କରି ରାଜା ଦାଉଦ କହିଲେ: “ସଦାପ୍ରଭୁ [ଯିହୋବା] ମୋର ପ୍ରଭୁଙ୍କୁ କହିଲେ: ‘ଆମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ମୋ ଦକ୍ଷିଣ ପାର୍ଶ୍ୱରେ ବସିଥାଅ’” (ଗୀତସଂହିତା ୧୧୦:୧. ପ୍ରେରିତ ୨:୩୪-୩୬ ତୁଳନା କରନ୍ତୁ ।) ଏହି ଭବିଷ୍ୟଦ୍‌ବାଣୀ ସୂଚିତକରେ ଯେ ସ୍ୱର୍ଗକୁ ଯିବାପରେ ଯୀଶୁ ସଙ୍ଗେସଙ୍ଗେ ତାଙ୍କ ରାଜତ୍ୱ ଆରମ୍ବ କରିବେ ନାହିଁ । ବରଂ ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅପେକ୍ଷା କରିବେ । (ଏବ୍ରୀ ୧୦:୧୨, ୧୩) ଏହି ପ୍ରତୀକ୍ଷା କେତେକାଳ ପର୍ଯ୍ୟନ୍ତ ? କେବେ ତାଙ୍କ ରାଜତ୍ୱ ଆରମ୍ଭ ହେବ ? ଏହି ଉତ୍ତରଗୁଡ଼ିକ ପାଇବା ପାଇଁ ବାଇବଲ ଆମକୁ ସାହାଯ୍ୟ କରେ ।

୧୬. ସାମାନ୍ୟ ଯୁଗ ପୁର୍ବ ୬୦୭ ରେ କʼଣ ଘଟିଥିଲା ଓ ଏହା ପରମେଶ୍ୱରଙ୍କ ରାଜ୍ୟ ସହିତ କି ସମ୍ବନ୍ଧ ଥିଲା ?

୧୬ ସମସ୍ତ ପୃଥିବୀରେ ଏକମାତ୍ର ନଗର ଯିରୂଶାଲମ୍‌ ଉପରେ ଯିହୋବା ତାଙ୍କ ନାମ ସ୍ଥାପନ କରିଥିଲେ । (୧ ରାଜାବଳୀ ୧୧:୩୬) ପରମେଶ୍ୱରଙ୍କ ସ୍ୱର୍ଗୀୟ ରାଜ୍ୟର ପ୍ରତୀକ ସ୍ୱରୂପ ଈଶ୍ୱର ଅନୁମୋଦିତ ପାର୍ଥିବ ରାଜ୍ୟର ଏହା ଏକ ରାଜଧାନୀ ଥିଲା । ତେଣୁ ସାଧାରଣ ସାଲ ପୁର୍ବ ୬୦୭ ରେ ବାବିଲୋନୀୟଙ୍କ ଦ୍ୱରା ଯିରୂଶାଲମର ଧ୍ୱଂସ ଅତୀବ ତାତ୍ପର୍ଯ୍ୟପୁର୍ଣ୍ଣ ଥିଲା । ପୃଥିବୀରେ ଏହି ଘଟଣା ତାଙ୍କ ପ୍ରଜାମାନଙ୍କ ଉପରେ ପରମେଶ୍ୱରଙ୍କ ପ୍ରତ୍ୟକ୍ଷ ଶାସନର ଏକ ଦୀର୍ଘ ବିରତିର ଆରମ୍ଭକୁ ସୂଚିତ କରୁଥିଲା । ପ୍ରାୟ ଛଅ ଶତାବ୍ଦୀ ପରେ, ଯୀଶୁ ସୂଚିତ କରିଥିଲେ ଯେ, ଶାସନର ସେହି ବିରାମ କାଳ ସେତେବେଳେ ମଧ୍ୟ ଚାଲୁଥିଲା । କାରଣ ସେ କହିଥିଲେ: “ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ୍‌ ସେମାନଙ୍କର ପଦଦଳିତ ହୋଇ ରହିବ ।”—ଲୁକ ୨୧:୨୪.

୧୭. (କ) “ବିଜାତିଙ୍କ ସମୟ” କʼଣ, କେତେକାଳ ପର୍ଯ୍ୟନ୍ତ ଏହା ଚାଲିଥିଲା ? (ଖ) କେବେ ଏହି “ବିଜାତିଙ୍କ ସମୟ” ଆରମ୍ଭ ଓ ଶେଷ ହୋଇଥିଲା ?

୧୭ “ବିଜାତିଙ୍କ ସମୟ” ଚାଲିଥିଲା ବେଳେ ଜାଗତିକ ସରକାରଗୁଡ଼କ ପରମେଶ୍ୱରଙ୍କ ଅନୁମୋଦିତ ଶାସନ ବ୍ୟବସ୍ଥାକୁ ବାଧା ଦେବା ପାଇଁ ଅନୁମତି ଦିଆଯିବ । ସେହି ସମୟ ସା.ଯୁ.ପୁ. ୬୦୭ ରେ ଯିରୂଶାଲମ ଧ୍ୱଂସ ହେବାସଙ୍ଗେ ଆରମ୍ଭ ହୋଇଥିଲା । ଦାନିୟେଲ ସୂଚିତ କରିଥିଲେ ଯେ, ଏହି ସମୟ “ସାତକାଳ” ପର୍ଯ୍ୟନ୍ତ ଚାଲିବ । (ଦାନିୟେଲ ୪:୨୩-୨୫) ଏହା କେତେ ଦୀର୍ଘ ସମୟ ହେବ ? ବାଇବଲ ଉଲ୍ଲେଖ କରେ ସାଢ଼େ ତିନି “କାଳ” ଯାହା ୧,୨୬୦ ଦିନ ସହ ସମାନ । (ପ୍ରକାଶିତ ବାକ୍ୟ ୧୨:୬, ୧୪) ଏହି ସମୟର ଦୁଇଗୁଣ ଅର୍ଥାତ ସାତ କାଳ, ୨,୫୨୦ ଦିନ ସହ ସମାନ ହେବ । କିନ୍ତୁ ଏହି ଅଳ୍ପ କାଳରେ କିଛି ଉଲ୍ଲେଖ ଯୋଗ୍ୟ ଘଟଣା ଘଟିନାହିଁ । ଦାନିୟେଲର ଭବିଷ୍ୟଦ୍‌ବାଣୀ ପ୍ରତି “ଏକ ଦିନ ପାଇଁ ଏକ ବର୍ଷ” ପ୍ରୟୋଗ କରି ସା.ଯୁ.ପୂ. ୬୦୭ ସାଲରୁ ୨,୫୨୦ ବର୍ଷ ଗଣାନା କଲେ ଆମେ ୧୯୧୪ ସାଲରେ ପହଞ୍ଚିବୁ ।—ଗଣନା ୧୪:୩୪; ଯିହିଜିକଲ ୪:୬.

୧୮. ରାଜ୍ୟର କ୍ଷମତା ପାଇବାର ଅଳ୍ପ କ୍ଷଣ ପରେ ଯୀଶୁ କʼଣ କରିଥିଲେ, ଏବଂ ତାହା ପୃଥିବୀକୁ କିପରି ପ୍ରଭାବିତ କରିଥିଲା ?

୧୮ ଯୀଶୁ କʼଣ ଏହି ସମୟରେ ସ୍ୱର୍ଗରୁ ରାଜତ୍ୱ ଆରମ୍ଭ କରିଥିଲେ ? ସେ ଯାହା କରିଥଲେ ତାହା ଶାସ୍ତ୍ରୀୟ କାରଣସହ ପରବର୍ତ୍ତି ଅଧ୍ୟାୟରେ ଆଲୋଚନା କରାଯିବ । ଅବଶ୍ୟ ପୃଥିବୀରେ ଯୀଶୁଙ୍କ ଶାସନ ଆରମ୍ଭ ସଙ୍ଗେ-ସଙ୍ଗେ ଶାନ୍ତି ଦ୍ୱାରା ଚିହ୍ନିତ ହୋଇ ପାରିବ ନାହିଁ । ପ୍ରକାଶିତ ୧୨:୭-୧୨ ପଦରେ ଦେଖାଯାଏ, ରାଜ୍ୟ ଗ୍ରହଣ କରିବାର ଠିକ୍‌ ପରେ ଯୀଶୁ ଶୟତାନ ଓ ତାʼର ଦୂତଙ୍କୁ ସ୍ୱର୍ଗରୁ ବିତାଡ଼ିତ କରିଦେବେ । ଏହାର ଅର୍ଥ ପୃଥିବୀ ପାଇଁ ଦୁଃଖ ଦୁର୍ଦଶା, କିନ୍ତୁ ଏହା ଜାଣି ଆନନ୍ଦ ମିଳେ, କାରଣ ଶୟତାନ ପାଖରେ ଆଉ “ଅଳ୍ପ ସମୟ” ବାକି ଅଛି । ଅତି ଶୀଘ୍ର ଆମେ ଆନନ୍ଦ ପାଇବକୁ ସମର୍ଥ ହେବୁ, କେବଳ ଏଥିପାଇଁ ନୁହେଁ ଯେ ପରମେଶ୍ୱରଙ୍କ ରାଜ୍ୟ ଶାସନ କରିବ, କିନ୍ତୁ ଏହା ପୃଥିବୀ ଓ ଆଜ୍ଞାକାରୀ ମାନବଜାତି ପାଇଁ ଆଶୀର୍ବାଦ ଆଣିବ । (ଗୀତସଂହିତା ୭୨:୭, ୮) ଏହା ଯେ ଶୀଘ୍ର ହେବ, ଆମେ କିପରି ଜାଣିବା ?

[ପାଦ ଟିପ୍ପଣୀଗୁଡ଼ିକ]

a ଶୀଲୋ ନାମର ଅର୍ଥ “ଯାହାର ଏହା, ସେ; ସେ ଯାହାର ଅଧିକାର ଅଛି ।” ସମୟ କ୍ରମେ ଏହା ସ୍ପଷ୍ଟ ହୋଇଗଲା ଯେ “ଯିହୂଦା ଗୋତ୍ରର ସେହି ସିଂହ” ଯୀଶୁଖ୍ରୀଷ୍ଟ ଥିଲେ । (ପ୍ରକାଶିତ ୫:୫) କେତେକ ଯିହୂଦୀ ଟାରଗମମାନେ (ଅନୁବାଦ) ଶିଲୋ ଶବ୍ଦ ପରିବର୍ତ୍ତେ “ମଶୀହ” ବା “ମଶୀହ ରାଜା” ଲେଖିଥିଲେ ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ପରମେଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କେଉଁଠାରୁ ଶାସନ କରେ ?

କିଏ ରାଜ୍ୟ ଶାସନ କରେ ଓ ଏହାର ପ୍ରଜା କିଏ ?

ଯିହୋବା କିପରି ଆମକୁ ଆଶ୍ୱାସନା ଦିୟନ୍ତି ଯେ ତାଙ୍କ ରାଜ୍ୟ ବାସ୍ତବ ଅଟେ ?

“ବିଜାତିଙ୍କ ସମୟ” କେବେ ଆରମ୍ଭ ଓ କେବେ ଶେଷ ହେଲା ?

[ଅଧ୍ୟୟନ ପ୍ରଶ୍ନ]

[୯୪ ପୃଷ୍ଠାରେ ବାକ୍ସ]

ପରମେଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ କେତେକ ମହତ୍ୱପୂର୍ଣ୍ଣ ଘଟଣାବଳୀ

• ଯିହୋବା ଏକ “ବଂଶ” ଉତ୍ପନ୍ନ କରିବା ପାଇଁ ତାଙ୍କ ନିଜ ଉଦ୍ଦେଶ୍ୟ ଘୋଷଣା କରନ୍ତି, ଏହା ସର୍ପ, ଶୟତାନ ଅର୍ଥାତ ପିଶାଚର ମସ୍ତକ ଚୁର୍ଣ୍ଣ କରିବ ।—ଆଦିପୁସ୍ତକ ୩:୧୫.

• ସା.ଯୁ.ପୁ. ୧୯୪୩ ରେ ଯିହୋବା ସୂଚିତ କରିଥିଲେ ଏହି “ବଂଶ” ଆବ୍ରାହାମଙ୍କର ଏକ ମାନବ ବଂଶଧର ହେବ ।—ଆଦି ପୁସ୍ତକ ୧୨:୧-୩, ୭; ୨୨:୧୮.

• ସା.ଯୁ.ପୁ. ୧୫୧୩ ରେ ଇଶ୍ରାୟେଲିୟଙ୍କୁ ଦିଆଯାଇଥିବା ବ୍ୟବସ୍ଥା ଚୁକ୍ତି ‘ଆଗାମୀ ଉତ୍ତମ ବିଷୟଗୁଡ଼ିକର ଛାୟାସ୍ୱରୂପ ।’—ଯାତ୍ରାପୁସ୍ତକ ୨୪:୬-୮; ଏବ୍ରୀ ୧୦:୧.

• ସା.ଯୁ.ପୁ. ୧୧୧୭ ରେ ଇଶ୍ରାୟେଲର ପାର୍ଥିବ ରାଜ୍ୟ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତି ସମୟରେ ଦାଉଦଙ୍କ ବଂଶ ଚାଲିଲା ।—୧ ଶାମୁୟେଲ ୧୧:୧୫; ୨ ଶାମୁୟେଲ ୭:୮, ୧୬.

• ସା.ଯୁ.ପୁ. ୬୦୭ ରେ ଯିରୂଶାଲମର ଧ୍ୱଂସ ହୋଇଥିଲା ଏବଂ “ବିଜାତିଙ୍କ ସମୟ” ଆରମ୍ଭ ହୋଇଥିଲା ।—୨ ରାଜାବଳି ୨୫:୮-୧୦, ୨୫, ୨୬; ଲୁକ ୨୧:୨୪.

• ସାଧାରଣ ଯୁଗ ୨୯ ରେ ଯୀଶୁ ମନୋନୀତ ରାଜାରୂପେ ଅଭିଷିକ୍ତ ହୋଇ ପାର୍ଥିବ ପରିଚର୍ଯ୍ୟାରେ ଅଗ୍ରସର ହେଲେ—ମାଥିଉ ୩:୧୬, ୧୭; ୪:୧୭; ୨୧:୯-୧୧.

• ସାଧାରଣ ଯୁଗ ୩୩ ରେ ଯୀଶୁ ସ୍ୱର୍ଗାରୋହଣ କରିଥିଲେ, ସେଠାରେ ତାଙ୍କ ଶାସନ ଆରମ୍ଭ ନ ହେବା ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅପେକ୍ଷା କରିବେ ।—ପ୍ରେରିତ ୫:୩୦, ୩୧; ଏବ୍ରୀ ୧୦:୧୨, ୧୩.

• “ବିଜାତିଙ୍କ ସମୟ” ଶେଷ ହେଲାପରେ, ସାଧାରଣ ଯୁଗ ୧୯୧୪ ରେ ଯୀଶୁ ସ୍ୱର୍ଗୀୟ ରାଜ୍ୟର ସିଂହାସନରେ ଅଧିଷ୍ଟିତ ହେଲେ ।—ପ୍ରକାଶିତ ବାକ୍ୟ ୧୧:୧୫.

• ଶୟତାନ ଏବଂ ତାʼର ଦୂତମାନଙ୍କୁ ପୃଥିବୀରେ ନିକ୍ଷିପ୍ତ କରାଯିବାରୁ ମାନବଜାତି ପ୍ରତି ଦୁଃଖ ଦୁର୍ଦଶା ବଢ଼ିଗଲା—ପ୍ରକାଶିତ ବାକ୍ୟ ୧୨:୯-୧୨.

• ଯୀଶୁ ପରମେଶ୍ୱରଙ୍କ ରାଜ୍ୟରୁ ପୃଥିବୀ ବ୍ୟାପି ସୁମମାଚାର ପ୍ରଚାରର ତତ୍ୱାବଧାନ କରନ୍ତି ।—ମାଥିଉ ୨୪:୧୪; ୨୮:୧୯, ୨୦.