इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ମାନବଜାତିର ଉଦ୍ଧାର ପାଇଁ ପରମେଶ୍ୱର କʼଣ କରିଛନ୍ତି

ମାନବଜାତିର ଉଦ୍ଧାର ପାଇଁ ପରମେଶ୍ୱର କʼଣ କରିଛନ୍ତି

ଅଧ୍ୟାୟ ୭

ମାନବଜାତିର ଉଦ୍ଧାର ପାଇଁ ପରମେଶ୍ୱର କʼଣ କରିଛନ୍ତି

୧, ୨. (କ) କିପରି ଜଣେ ରୋମୀୟ ସେନାପତି ଈଶ୍ୱରଙ୍କ ପୁତ୍ର କିଏ, ବୁଝିପାରିଥିଲେ ? (ଖ) ଯୀଶୁଙ୍କୁ ମୃତ୍ୟୁବରଣ କରିବା ପାଇଁ ଯିହୋବା କାହିଁକି ଅନୁମତି ଦେଇଥିଲେ ?

 ପ୍ରାୟ ୨,୦୦୦ ବର୍ଷ ତଳେ ବସନ୍ତ ଋତୁର ଏକ ଅପରାହ୍ନରେ ଜଣେ ରୋମୀୟ ସେନାପତି ତିନି ଜଣ ପୁରୁଷଙ୍କର ଧୀର ଯନ୍ତ୍ରଣାଦାୟକ ମୃତ୍ୟୁ ଦେଖିଲେ । ସେହି ସେନାପତି ଜଣକ ବିଶେଷତଃ ଜଣକୁ ଭଲ ଭାବରେ ଦେଖିଥିଲେ—ସେ ଥିଲେ ଯୀଶୁ ଖ୍ରୀଷ୍ଟ । ଯୀଶୁଙ୍କୁ ଗୋଟିଏ କାଠର ସ୍ତମ୍ଭ ଉପରେ କଣ୍ଟା ପିଟାଯାଇଥିଲା । ମଧ୍ୟାନ୍ନ ଆକାଶ ତାଙ୍କ ମୃତ୍ୟୁ କ୍ଷଣରେ ଅନ୍ଧକାରାଛନ୍ନ ହୋଇଗଲା । ତାଙ୍କର ମୃତ୍ୟୁ ସମୟରେ ପୃଥିବୀ ଭୟଙ୍କର ଭାବେ କମ୍ପିଉଠିଲା ଓ ସେହି ସୈନିକଟି ଆଶ୍ଚର୍ଯ୍ୟ ହୋଇ କହିଉଠିଲା: “ସତ୍ୟ, ଏହି ବ୍ୟକ୍ତି ଈଶ୍ୱରଙ୍କ ପୁତ୍ର ଥିଲେ ।”—ମାର୍କ ୧୫:୩୯.

ଈଶ୍ୱରଙ୍କ ପୁତ୍ର ! ସେହି ସୈନିକଟି ଠିକ୍‌ କହିଥିଲା । ପୃଥିବୀ ପୃଷ୍ଠରେ ଏଯାବତ୍‌ ଘଟିଥିବା ସର୍ବାଧିକ ମହତ୍ୱପୂର୍ଣ୍ଣ ଘଟଣା ମଧ୍ୟରୁ ଗୋଟିକୁ ସେ ଦେଖିଥିଲା । ପୂର୍ବରୁ ବହୁଥର ପରମେଶ୍ୱର ନିଜେ ଯୀଶୁଙ୍କୁ ପ୍ରିୟ ପୁତ୍ର ବୋଲି ସମ୍ବୋଧନ କରିଥିଲେ । (ମାଥିଉ ୩:୧୭; ୧୭:୫) ଯିହୋବା କାହିଁକି ତାଙ୍କ ପୁତ୍ରଙ୍କୁ ମୃତ୍ୟୁ ବରଣ କରିବାକୁ ଅନୁମତି ଦେଲେ ? କାରଣ ଏହା ଥିଲା ପାପ ଓ ମୃତ୍ୟୁରୁ ମାନବଜାତିକୁ ଉଦ୍ଧାର କରିବା ପାଇଁ ଈଶ୍ୱରଙ୍କ ଏକ ଉପାୟ ।

ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ ମନୋନୀତ

୩. ମାନବଜାତି ସମ୍ପର୍କରେ ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ମନୋନୀତ କରିବା ଉପଯୁକ୍ତ ଥିଲା କାହିଁକି ?

ଆମେ ଆଗରୁ ଜାଣିଛୁ, ଯୀଶୁଙ୍କର ମାନବଜନ୍ମ ପୂର୍ବରୁ ଏକ ଅସ୍ତିତ୍ୱ ଥିଲା । ତାଙ୍କୁ ପରମେଶ୍ୱରଙ୍କ “ଅଦ୍ୱିତୀୟ ପୁତ୍ର” ବୋଲି କୁହାଯାଏ, କାରଣ ଯିହୋବା ପ୍ରତ୍ୟକ୍ଷ ଭାବେ ତାଙ୍କୁ ସୃଷ୍ଟି କରିଥିଲେ । ତାପରେ ଈଶ୍ୱର ଯୀଶୁଙ୍କ ଦ୍ୱାରା ଅନ୍ୟସବୁ ବସ୍ତୁଗୁଡ଼ିକ ସୃଷ୍ଟି କରିଥିଲେ । (ଯୋହନ ୩:୧୮; କଲସୀୟ ୧:୧୬) ବିଶେଷତ ଯୀଶୁ ମାନବଜାତିକୁ ଭଲ ପାଇଥିଲେ । (ହିତୋପଦେଶ ୮:୩୦, ୩୧) ଏଥିରେ ଆଶ୍ଚର୍ଯ୍ୟ ହେବାର କଛି ନାହିଁ, ମାନବଜାତି ଯେତେବେଳେ ମୃତ୍ୟୁଦଣ୍ଡର ଅଧିନସ୍ତ ହୋଇଥିଲେ, ଯିହୋବା ତାଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଗୋଟିଏ ବିଶେଷ ଉଦ୍ଦେଶ୍ୟ ସାଧନ ନିମିତ୍ତ ମନୋନୀତ କରିଥିଲେ !

୪, ୫. ଯୀଶୁ ପୃଥିବୀକୁ ଆସିବା ପୂର୍ବେ ମଶୀହ ସମ୍ବନ୍ଧୀୟ ବଂଶ ସମ୍ପର୍କରେ ବାଇବଲ କʼଣ ପ୍ରକାଶ କରିଥିଲା ?

ଏଦନ ଉଦ୍ୟନରେ ଆଦମ, ହବା ଓ ଶୟତାନ ଉପରେ ଦଣ୍ଡାଦେଶ ଘୋଷଣା କରିବା ସମୟରେ ପରମେଶ୍ୱର ଭବିଷ୍ୟତ୍‌ ଉଦ୍ଧାରକାରୀଙ୍କୁ ଏକ “ବଂଶ” ରୂରେ ଉଲ୍ଲେଖ କରିଥିଲେ । ଏହି ବଂଶ ଅଥବା ବଂଶଧର, ମୁକ୍ତ କରିବେ ସେହି ଭୟାନକ ଦୁଃଖ ଦୁର୍ଦଶାରୁ ଯାହା ଶୟତାନ, ପିଶାଚ ବା “ସେହି ପୁରାତନ ସର୍ପ” ଆଣିଥିଲା । ବାସ୍ତବରେ ସେହି ପ୍ରତିଜ୍ଞାତ ବଂଶ ଶୟତାନ ଏବଂ ତାʼର ଅନୁଗାମୀମାନଙ୍କୁ ଚୁର୍ଣ୍ଣ କରିଦେବେ ।—ଆଦି ପୁସ୍ତକ ୩:୧୫; ୧ ଯୋହନ ୩:୮; ପ୍ରକାଶିତ ବାକ୍ୟ ୧୨:୯.

ବହୁ ଶତାଦ୍ଦୀ ଧରି, ପରମେଶ୍ୱର କ୍ରମଶ ଏହି ବଂଶ, ଯାହାକୁ ମଶୀହ କୁହାଯାଏ, ତାଙ୍କ ସମ୍ବନ୍ଧରେ ଆହୁରି ଅଧିକ ପ୍ରକାଶ କରିଥିଲେ । ଯେପରି ୩୭ ପୃଷ୍ଠାର ତାଲିକାରେ ଦେଖାଯାଇଛି, ବହୁ ଭବିଷ୍ୟଦ୍‌ବାଣୀ ପୃଥିବୀରେ ତାଙ୍କ ଜୀବନ ବିଷୟରେ ବିଷଦ ବିବରଣୀ ପ୍ରଦାନ କରେ । ଉଦାହରଣସ୍ୱରୁପ, ପରମେଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ପାଇଁ ତାଙ୍କର ଭୂମିକା ପରିପୂର୍ଣ୍ଣ କରିବାରେ ତାଙ୍କୁ ଭୟାନକ ଦୁର୍ବ୍ୟବହାର ସହ୍ୟ କରିବାକୁ ପଡ଼ିଥିଲା ।—ଯିଶାଇୟ ୫୩:୩-୫.

ମଶୀହ କାହିଁକି ମୃତ୍ୟୁବରଣ କରିବେ

୬. ଦାନିୟେଲ ୯:୨୪-୨୬ ପଦ ଅନୁସାରେ ମଶୀହ କʼଣ ସମ୍ପାଦନ କରିବେ ଓ କିପରି ?

ଦାନିୟେଲ ୯:୨୪-୨୬ ପଦରେ ଉଲ୍ଲେଖ ଥିବା ଭବିଷ୍ୟଦ୍‌ବାଣୀ କହିଥିଲା, ସେହି ମଶୀହ—ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତି ଏକ ମହାନ ଉଦ୍ଦେଶ୍ୟ ପୂର୍ଣ୍ଣ କରିବେ । ଚିରକାଳ ‘ଆଜ୍ଞା ଲଙ୍ଘନ ସମାପ୍ତି, ପାପର ଶେଷ, ଅଧର୍ମର ପ୍ରାୟଶ୍ଚିତ ଓ ଅନନ୍ତ କାଳ ସ୍ଥାଇ ଧର୍ମ ଆଣିବାକୁ’ ସେ ପୃଥିବୀକି ଆସିବେ । ମଶୀହ ବିଶ୍ୱସ୍ତ ମାନବଜାତିଙ୍କ ଠାରୁ ମୃତ୍ୟୁ ଦଣ୍ଡକୁ ଦୂର କରିବେ । କିନ୍ତୁ କିପରି ସେ ତାହା କରିବେ ? ଭବିଷ୍ୟଦ୍‌ବାଣୀ ବ୍ୟାଖ୍ୟାକରେ ଯେ, ସେ “ଉଚ୍ଛିନ୍ନ ହେବେ” ବା ତାଙ୍କର ମୃତ୍ୟୁ ଘଟିବ ।

୭. ଯୀହୂଦୀମାନେ ପଶୁବଳି ଉତ୍ସର୍ଗ କରୁଥିଲେ କାହିଁକି ଏବଂ ଏଗୁଡ଼ିକ କାହାର ପୂର୍ବାଭାସ ଥିଲା ?

ପ୍ରାଚୀନ ଇଶ୍ରାୟେଲୀୟମାନେ ଅପରାଧ ପାଇଁ ପ୍ରାୟଶ୍ଚିତର ଧାରଣା ସମ୍ବନ୍ଧରେ ପରିଚିତ ଥିଲେ । ପରମେଶ୍ୱର ମୋଶାଙ୍କ ମାଧ୍ୟମରେ ଦେଇଥିବା ବ୍ୟବସ୍ଥା ଅନୁଯାଇ ସେମାନେ ତାଙ୍କର ଉପାସନାରେ ନିୟମିତ ଭାବରେ ପଶୁବଳି ଦେଉଥିଲେ । ଏହିସବୁ ଇଶ୍ରାୟେଲ ଜାତିକୁ ସ୍ମରଣ କରିଦେଉଥିଲା ଯେ ମାନବଜାତିର ପ୍ରାୟଶ୍ଚିତ ଅଥବା ମାର୍ଜନା ପାଇଁ କିଛି ପ୍ରୟୋଜନ ଥିଲା । ପ୍ରେରିତ ପାଉଲ ଏହି ନିୟମକୁ ଏହିଭାବେ ସାରାଂଶ କରିଥିଲେ: “ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ ।” (ଏବ୍ରୀ ୯:୨୨) ଖ୍ରୀଷ୍ଟିୟାନମାନେ ମୋଶାଙ୍କ ନିୟମ ଦାବି କରୁଥିବା ବଳି ଉତ୍ସର୍ଗ ପ୍ରଭୃତିର ଅଧିନରେ ନାହାନ୍ତି । (ରୋମୀୟ ୧୦:୪; କଲସୀୟ ୨:୧୬, ୧୭) ସେମାନେ ଆହୁରି ଜାଣନ୍ତି ଯେ ପଶୁବଳି ପାପ ପାଇଁ ସ୍ଥାୟୀ ଓ ସମ୍ପୂର୍ଣ୍ଣ କ୍ଷମା ପ୍ରଦାନ କରିପାରିବ ନାହିଁ । ଏହା ପରିବର୍ତ୍ତେ ଏହି ବଳିପ୍ରଥା ଆହୁରି ଅନେକ ବେଶି ମୂଲ୍ୟବାନ ବଳି ବା ଉତ୍ସର୍ଗର ପୂର୍ବାଭାସ ଥିଲା—ତାହା ଥିଲା ମଶୀହ ଅଥବା ଖ୍ରୀଷ୍ଟଙ୍କର ଜୀବନବଳି । (ଏବ୍ରୀ ୧୦:୪, ୧୦. ଗାଲାତୀୟ ୩:୨୪ ତୁଳନା କରନ୍ତୁ ।) ତଥାପି, ହୁଏତ ଆପଣ ପଚାରି ପାରନ୍ତି, ‘ପ୍ରକୃତରେ କʼଣ ମଶୀହଙ୍କ ମୃତ୍ୟୁବରଣ କରିବାର ଆବଶ୍ୟକତା ଥିଲା ?’

୮, ୯. କେଉଁ ମୂଲ୍ୟବାନ ବିଷୟଗୁଡ଼ିକ ଆଦମ ଓ ହବା ହରାଇଥିଲେ ଏବଂ ସେମାନଙ୍କ କାର୍ଯ୍ୟ ସେମାନଙ୍କ ବଂଶଧରମାନଙ୍କ ଉପରେ କି ପ୍ରଭାବ ପକାଇଥିଲା ?

ହଁ, ମାନବଜାତିର ଉଦ୍ଧାର ପାଇଁ ମଶୀହଙ୍କ ମୃତ୍ୟୁବରଣ ଆବଶ୍ୟକ ଥିଲା । ଏହାର କାରଣ ବୁଝିବା ପାଇଁ ଆମକୁ ନିଶ୍ଚିତ ଭାବେ ଏଦନ ଉଦ୍ୟାନକୁ ସ୍ମରଣ କରିବାକୁ ହେବ ଓ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେବେଳେ ଆଦମ, ହବା ବିଦ୍ରୋହ କରିଥିଲେ, ସେତେବେଳେ ଯାହା ହରାଇ ଥିଲେ, ତାଙ୍କର ସେହି ବାଚାଳତାକୁ ବୁଝିବାପାଇଁ ଚେଷ୍ଟା କରିବାକୁ ହେବ । ତାଙ୍କ ପାଖରେ ଅନନ୍ତ ଜୀବନ ରଖା ଯାଇଥିଲା ! ଈଶ୍ୱରଙ୍କ ସନ୍ତାନରୂପେ ସେମାନେ ତାଙ୍କ ସଙ୍ଗରେ ସିଧାସଳଖ ସମ୍ପର୍କ ଉପଭୋଗ କରୁଥିଲେ । କିନ୍ତୁ ସେମାନେ ଯେତେବେଳେ ଯିହୋବାଙ୍କ ଶାସନତନ୍ତ୍ର ଆଗ୍ରାହ୍ୟ କଲେ, ସେମାନେ ସବୁକିଛି ହରାଇଥିଲେ ଏବଂ ମନୁଷ୍ୟଜାତି ଉପରକୁ ପାପ ଓ ମୃତ୍ୟ ଆଣିଥିଲେ ।—ରୋମୀୟ ୫:୧୨.

ଆମର ପ୍ରଥମ ପିତାମାତା ସାମାନ୍ୟ ଋଣଗ୍ରସ୍ତ ହୋଇ ବିପୁଳ ସୌଭାଗ୍ୟ ହରାଇବାରୁ ଏହା ହୋଇଥିଲା । ଆଦମ ଓ ହବା ସେହି ଋଣକୁ ତାଙ୍କର ବଂଶଧର ଉପରେ ଲଦିଦେଇଥିଲେ । ଯେହେତୁ ଆମେ ସିଦ୍ଧ ଏବଂ ନିଷ୍ପାପ ଅବସ୍ଥାରେ ଜନ୍ମଗ୍ରହଣ କରିନୁ, ଆମେ ପ୍ରତେକେ ପାପ ଗ୍ରସ୍ତ ଓ ମୃତ୍ୟୁବରଣ କରୁ । ଯେତେବେଳେ ଆମେ ଅସୁସ୍ଥ ହେଉ ଅଥବା କିଛି କଟୁ କଥା କହୁ, ଯଦି ଆମେ ସେଥିରୁ ନିବୃତ୍ତ ରହି ପାରନ୍ତେ, ତେବେ ଏହାର କାରଣ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଋଣ—ମଣିଷର ଅସିଦ୍ଧତାର ପ୍ରଭାବ ବିଷୟରେ ଅନୁଭବ କରିପାରନ୍ତେ । (ରୋମୀୟ ୭:୨୧-୨୫) ଯାହା ଆଦମ ହରେଇଥିଲା ତାହା ପୁଣି ଥରେ ପାଇବା ପାଇଁ ଆମର ଏକମାତ୍ର ଆଶା ଅଛି । କିନ୍ତୁ ଆମେ ସିଦ୍ଧ ମଣିଷ ଜୀବନ ଉପାର୍ଜନ କରିପାରିବୁ ନାହିଁ । କାରଣ ସମସ୍ତ ଅସିଦ୍ଧ ମଣିଷ ପାପ କରନ୍ତି, ଆମେ ସବୁ ମୃତ୍ୟୁଲାଭ କରୁ, ଜୀବନ ନୁହେଁ ।—ରୋମୀୟ ୬:୨୩.

୧୦. ଆଦମ ଯାହା ହରାଇଥିଲା ତାହା ପୁନରୁଦ୍ଧାର କରିବା ପାଇଁ କʼଣ ପ୍ରୟୋଜନ ଥିଲା ?

୧୦ ତଥାପି ଆଦମ ଯାହା ହରାଇ ଥିଲା, ତାʼର ଜୀବନ ପରିବର୍ତ୍ତେ କʼଣ ଅନ୍ୟ କିଛି ଦିଆଯାଇ ପାରିଥାନ୍ତା ? କିନ୍ତୁ ଈଶ୍ୱରଙ୍କ ନ୍ୟାୟର ମାନ ଭାରସାମ୍ୟ ରକ୍ଷା କରିବା ପାଇଁ “ପ୍ରାଣ ପରିବର୍ତ୍ତେ ପ୍ରାଣ” ଦାବିକରେ । (ଯାତ୍ରା ପୁସ୍ତକ ୨୧:୨୩) ତେଣୁ ଯେଉଁ ଜୀବନ ହରାଇଥିଲା, ତାʼର ମୂଲ୍ୟ ପରିବର୍ତ୍ତେ ଗୋଟିଏ ଜୀବନ ଦେବା କଥା । ଯେ କୌଣସି ମଣିଷର ଜୀବନ ହେଲେ ଚଳିବ ନାହିଁ । ଗୀତସଂହିତା ୪୯:୭, ୮ ଅସିଦ୍ଧ ମାନବ ସମ୍ପର୍କରେ କୁହେ: “କେହି ଆପଣା ଭାଇ ନିତ୍ୟଜୀବୀ ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ ମୁକ୍ତ କରି ନ ପାରେ କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ ଦେଇ ନ ପାରେ ।” ତେଣୁ ଅବସ୍ଥା ଆଶାଶୁନ୍ୟ ହେବ କି ? ନିଶ୍ଚିତଭାବେ ନୁହେଁ ।

୧୧. (କ) ଏବ୍ରୀ ଭାଷାରେ “ମୁକ୍ତିର ମୂଲ୍ୟ” ଶବ୍ଦଟି କି ଅର୍ଥ ବୁଝାଏ ? (ଖ) କିଏ ଏକମାତ୍ର ମଣିଷଜାତିଙ୍କୁ ରକ୍ଷା କରିପାରେ ଏବଂ କାହିଁକି ?

୧୧ ଏବ୍ରୀ ଭାଷାରେ “ମୂକ୍ତିର ମୁଲ୍ୟ” ଶବ୍ଦ ଏକ ବନ୍ଧୀକୁ ମୁକ୍ତ କରିବା ପାଇଁ ଦିଆଯାଉଥିବା ଟଙ୍କାକୁ ସୂଚିତ କରେ ଏବଂ ତାହାର ସମତୁଲ୍ୟ ଅର୍ଥ ମଧ୍ୟ ଦିଏ । ଆଦମ ଯାହା ହରେଇଥିଲା ତାହାର ଅନୁରୁପ ମୂଲ୍ୟ କେବଳ ମାତ୍ର ଗୋଟିଏ ସିଦ୍ଧ ମାନବ ଦେଇପାରିବ । ଆଦମଙ୍କ ପରେ ପୃଥିବୀରେ ଜନ୍ମିଥିବା ଏକମାତ୍ର ସିଦ୍ଧ ମାନବ କେବଳ ଯୀଶୁଖ୍ରୀଷ୍ଟ ଥିଲେ । ତେଣୁ ବାଇବାଲ ଯୀଶୁଙ୍କୁ “ଅନ୍ତିମ ଆଦମ” କୁହେ ଏବଂ ଆମକୁ ଆଶ୍ୱାସନା ଦିଏ ଯେ ଖ୍ରୀଷ୍ଟ ‘ସମସ୍ତଙ୍କ ପାଇଁ ମୂକ୍ତିର ମୁଲ୍ୟସ୍ୱରୂପେ ଆପଣାକୁ ଦାନ କରିଥିଲେ ।’ (୧ କରନ୍ଥୀୟ ୧୫:୪୫; ୧ ତୀମଥି ୨:୫, ୬) ଆଦମ ନିଜ ସନ୍ତାନମାନଙ୍କୁ ଦେଇଥିଲେ ମୃତ୍ୟୁ, କିନ୍ତୁ ଯୀଶୁ ନିଜ ମୃତ୍ୟୁ ସମୟରେ ଉତ୍ତରାଧିକାରୀ ସୁତ୍ରେ ଅନନ୍ତ ଜୀବନ ଦେଇଥିଲେ । ପ୍ରଥମ କରନ୍ଥୀୟ ୧୫:୨୨ ପଦଟି ବୁଝାଉଛି: “ଆଦମଙ୍କ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁ ଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ ।” ତାʼହେଲେ ଯଥାର୍ଥ ଭାବେ ଯୀଶୁଙ୍କୁ “ଅନନ୍ତ କାଳୀନ ପିତା” କୁହାଯିବ ।—ଯିଶାଇୟ ୯:୬, ୭.

ମୁକ୍ତିର ମୂଲ୍ୟ କିପରି ଦିଆଗଲା

୧୨. କେବେ ଯୀଶୁ ମଶୀହ ହୋଇଥିଲେ ଏବଂ ତାʼପରେ ସେ କେଉଁ ଜୀବନ ପଥରେ ଅଗ୍ରସର ହୋଇଥିଲେ ?

୧୨ ସାମାନ୍ୟ ଯୁଗ ୨୯ ର ଶରତ୍‌ କାଳରେ ଯୀଶୁ ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ କରିବା ନିମନ୍ତେ ନିଜ ଆତ୍ମିୟ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବାକୁ ଗଲେ । ସେହି ସମୟରେ ଯିହୋବା ଯୀଶୁଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ କଲେ । ସେହି ମୁହୁର୍ତ୍ତରେ ଯୀଶୁ ମଶୀହ ନାମରେ ବା ଅଭିଷିକ୍ତ ବ୍ୟକ୍ତି ଭାବରେ ଇଶ୍ୱରଙ୍କ ଦ୍ୱାରା ପରିଗଣିତ ହେଲେ । (ମାଥିଉ ୩:୧୬, ୧୭) ତାʼପରେ ଯୀଶୁ ତାଙ୍କର ସାଢ଼େ ତିନି ବର୍ଷର ପରିଚର୍ଯ୍ୟା କାର୍ଯ୍ୟ ଆରମ୍ଭ କଲେ । ସେ ନିଜ ଦେଶସାରା ବୁଲିବୁଲି ପରମେଶ୍ୱରଙ୍କର ରାଜ୍ୟ ପ୍ରଚାର କରି ବିଶ୍ୱାସୀ ଅନୁଗାମୀଙ୍କୁ ଏକତ୍ରୀତ କଲେ । କିନ୍ତୁ ଭବିଷ୍ୟଦ୍‌ବାଣୀ ଅନୁସାରେ ଖୁବ୍‌ ଶୀଘ୍ର ତାଙ୍କ ପ୍ରତି ବିରୋଧିତା ବଢ଼ିଉଠିଲା ।—ଗୀତସଂହିତା ୧୧୮:୨୨; ପ୍ରେରିତ ୪:୮-୧୧.

୧୩. କେଉଁ ଘଟଣାଗୁଡ଼ିକ ଯୀଶୁଙ୍କୁ ଜଣେ ବିଶ୍ୱସ୍ତ ରକ୍ଷକରୂପେ ମୃତ୍ୟୁଆଡ଼କୁ ନେଇଥିଲା ?

୧୩ ଯୀଶୁ ସାହସର ସହିତ ଧର୍ମୀୟ ନେତାମାଙ୍କର କପଟତାର ମୁଖା ଖୋଲି ଦେଇଇଥିଲେ । ତେଣୁ ସେମାନେ ତାଙ୍କର ମୃତ୍ୟୁ କାମନା କରିଥିଲେ । ଶେଷରେ ସେମାନେ ଗୋଟିଏ ଜଘନ୍ୟ ଚକ୍ରାନ୍ତ କରି ବିଶ୍ୱାସଘାତକତା, ଗିରଫଦାରି, ବେଆଇନ ମକଦମା, ରାଜଦ୍ରୋହ ପ୍ରଭୃତି ମିଥ୍ୟା ଅଭିଯୋଗ ଯୋଡ଼ିଥିଲେ । ଯୀଶୁଙ୍କୁ ଆଘାତ କରାଯାଇଥିଲା, ଛେପ ପକାଯାଇଥିଲା, ବିଦ୍ରୁପ କରାଯାଇଥିଲା ଏବଂ ବେତ୍ରାଘାତରେ ତାଙ୍କର ଦେହ ଫଟାଇ ଦିଆଯାଇଥିଲା । ରୋମୀୟ ଶାସକ ପନ୍ତୀୟ ପିଲାତ ତାଙ୍କୁ ଗୋଟିଏ ଯନ୍ତ୍ରଣାଦାୟକ ସ୍ତମ୍ଭ ଉପରେ ମାରିବା ପାଇଁ ଆଦେଶ ଦେଇଥିଲେ । ତାଙ୍କୁ ଗୋଟିଏ କାଠ ଖୁଣ୍ଟି ଉପରେ କଣ୍ଟା ଦ୍ୱାରା ପିଟାଯାଇ ଝଲାଇ ରଖାଯାଇଥିଲା । ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାଦାୟକ ଥିଲା, ମୃତ୍ୟୁବରଣ କରିବା ପାଇଁ ଅନେକ ସମୟ ଲାଗିଥିଲା । ସେହି ସମସ୍ତ କଠିନ ପରୀକ୍ଷା ସମୟରେ ଯୀଶୁ ପରମେଶ୍ୱରଙ୍କ ଉପରେ ପୂର୍ଣ୍ଣ ଆସ୍ଥା ବଜାୟ ରଖିଥିଲେ ।

୧୪. ଈଶ୍ୱର କାହିଁକି ତାଙ୍କ ପୁତ୍ରଙ୍କୁ କଷ୍ଟ ପାଇବାକୁ ଓ ମୃତ୍ୟୁ ଭୋଗ କରିବାକୁ ଅନୁମତି ଦେଇଥିଲେ ?

୧୪ ଏହି ପ୍ରକାରେ ସା.ଯୁ. ୩୩ ସାଲରେ ନିସାନ ମାସର ୧୪ ତାରିଖରେ, ଯୀଶୁ ତାଙ୍କ ଜୀବନ ଅନେକଙ୍କ ଉଦ୍ଧାର ପାଇଁ “ମୁକ୍ତିର ମୂଲ୍ୟ” ରୂପେ ଉତ୍ସର୍ଗ କରିଥିଲେ । (ମାର୍କ ୧୦:୪୫; ୧ ତୀମଥି ୨:୫, ୬) ସ୍ୱର୍ଗରୁ ଯିହୋବା ତାଙ୍କ ପ୍ରିୟ ପୁତ୍ରଙ୍କ ଯନ୍ତ୍ରଣା ଓ ମୃତ୍ୟୁ ଦେଖିଥିଲେ । ଏପରି ଏକ ଶୋଚନୀୟ ଘଟଣା ଘଟିବା ପାଇଁ ପରମେଶ୍ୱର କାହିଁକି ଅନୁମତି ଦେଇଥିଲେ । କାରଣ ସେ ମନୁଷ୍ୟଜାତିଙ୍କୁ ଭଲ ପାଉଥିଲେ । ଯୀଶୁ କହିଲେ “ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହନ ୩:୧୬) ଯିହୋବା ପୂର୍ଣ୍ଣ ନ୍ୟାୟର ବିଚାରକ ଅଟନ୍ତି, ଏହା ଯୀଶୁଙ୍କ ମୃତ୍ୟୁ ଆମକୁ ଶିକ୍ଷା ଦିଏ । (ଦ୍ୱିତିୟ ବିବରଣ ୩୨:୪) କେହି ହୁଏତ ଭାବି ପାରନ୍ତି ଯେ, ପରମେଶ୍ୱର କାହିଁକି ପ୍ରାଣ ପରିବର୍ତ୍ତେ ପ୍ରାଣ ତାଙ୍କ ନ୍ୟାୟ ବିଚାରର ଏହି ନିୟମକୁ ପରିତ୍ୟାଗ କଲେ ନାହିଁ । ଆଦମର ପାପ କର୍ମର ମୂଲ୍ୟକୁ ମଧ୍ୟ ଉପେକ୍ଷା କଲେ ନାହଁ । କାରଣ ଯିହୋବା ତାଙ୍କ ନିୟମସବୁ ପାଳନ କରି ଚାଲନ୍ତି, ଏପରିକି ନିଜକୁ ବହୁତ ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ସେଗୁଡ଼ିକ ବଜାୟ ରଖନ୍ତି ।

୧୫. ଯେହେତୁ ଯୀଶୁଙ୍କ ଅସ୍ତିତ୍ୱକୁ ଚିରସ୍ଥାୟୀ ରୁପେ ସମାପ୍ତ ହେବାକୁ ଦେଇଥିଲେ ଅନ୍ୟାୟ ହୋଇଥାଆନ୍ତା, ସେଥିପାଇଁ ଯିହୋବା କʼଣ କଲେ ?

୧୫ ଯିହୋବାଙ୍କ ନ୍ୟାୟ ବିଚାର ଆହୁରି ମଧ୍ୟ ଆଶା କରିଥିଲା, ଯେପରି କି ଯୀଶୁଙ୍କ ମୃତ୍ୟୁର ସୁଫଳ ଫଳେ । ସର୍ବୋପରି ଏହା କʼଣ ନ୍ୟାୟସଙ୍ଗତ ହେବ, ଯଦି ବିଶ୍ୱସ୍ତ ଯୀଶୁଙ୍କୁ ଚିରକାଳ ମୃତ୍ୟୁରେ ଶୁଆଇ ରଖାଯାଏ ? ଅବଶ୍ୟ ନୁହଁ ! ଏବ୍ରୀୟ ଶାସ୍ତ୍ର ଭବିଷ୍ୟଦ୍‌ବାଣୀ କରିଥିଲା ଯେ, ଈଶ୍ୱରଙ୍କ ବିଶ୍ୱସ୍ତ ବ୍ୟକ୍ତି, କବର ଭିତରେ ରହିବେ ନାହିଁ । (ଗୀତସଂହିତ ୧୬:୧୦; ପ୍ରେରିତ ୧୩:୩୫) ତିନି ଦିନ ପାଇଁ ସେ ମୃତ୍ୟୁ କବଳିତ ହୋଇ ଶୋଇ ରହିଥିଲେ ଏବଂ ତାʼପରେ ଯିହୋବା ଈଶ୍ୱର ତାଙ୍କୁ ଜୀବନରେ ଗୋଟିଏ ବିକ୍ରମଶାଳୀ ଆତ୍ମିକ ପ୍ରାଣୀରୂପେ ପୁନରୁତ୍‌ଥିତ କରିଥିଲେ ।—୧ ପିତିର ୩:୧୮.

୧୬. ସ୍ୱର୍ଗକୁ ଫେରିବା ପରେ ଯୀଶୁ କʼଣ କରିଥିଲେ ?

୧୬ ନିଜର ମୃତ୍ୟୁରେ ଯୀଶୁ ମନୁଷ୍ୟ ଜୀବନକୁ ଚିରଦିନ ପାଇଁ ସମର୍ପଣ କରିଥିଲେ । ସ୍ୱର୍ଗୀୟ ଜୀବନରେ ପୁନରୁତ୍‌ଥିତ ହୋଇ ସେ ଜଣେ ଜୀବନଦାୟୀ ଆତ୍ମା ହୋଇଗଲେ । ଏହାଛଡ଼ା ବିଶ୍ୱର ପବିତ୍ରତମ ସ୍ଥାନକୁ ଆରୋହଣ କରିଥିଲେ, ସେ ତାଙ୍କ ପ୍ରିୟ ପିତାଙ୍କ ସଙ୍ଗେ ପୁନର୍ବାର ମିଳିତ ହୋଇଥିଲେ । ପ୍ରଥାନୁଯାୟୀ ତାଙ୍କୁ ସିଦ୍ଧ ମାନବ ଜୀବନର ମୂଲ୍ୟ ପ୍ରଦାନ କରିବାକୁ ପଡ଼ିଥିଲା । (ଏବ୍ରୀ ୯:୨୩-୨୮) ସେହି ମହାର୍ଘ ଜୀବନର ମୂଲ୍ୟ ଆଜ୍ଞାବହ ମାନବଜାତି ପକ୍ଷରେ ପ୍ରୟୋଗ କରାଯାଇପାରେ । ଆପଣଙ୍କ ପାଇଁ ଏହାର ଅର୍ଥ କʼଣ ?

ଆପଣ ଏବଂ ଯୀଶୁଙ୍କ ମୁକ୍ତିର ମୂଲ୍ୟ

୧୭. ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟସ୍ୱରୁପ ବଳିଦାନ ଭିତ୍ତିରେ କ୍ଷମା ପାଇବାର ସୁଯୋଗକୁ ଆମେ କିପରି ଗ୍ରହଣ କିରିବା ?

୧୭ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଜି ମଧ୍ୟ ଆପଣଙ୍କ ଉପକାରରେ ଆସିବା ଭଳି ତିନୋଟି ଉପାୟ ବିଷୟରେ ଚିନ୍ତା କରନ୍ତୁ । ପ୍ରଥମେ ଏଥିରେ ପାପରୁ କ୍ଷମା ମିଳେ । ଯୀଶୁଙ୍କ ପାତିତ ରକ୍ତରେ ବିଶ୍ୱାସ କଲେ, “ମୁକ୍ତି ମୂଲ୍ୟ ଆମକୁ ମୁକ୍ତି ଦେବ” । ହଁ, “ପାପରୁ ଆମକୁ କ୍ଷମା ମିଳିବ ।” (ଏଫିସୀୟ ୧:୭, NW) ଯଦି ଆମେ ଗୁରୁତର ପାପ କରୁ, ତେବେ ଯୀଶୁଙ୍କ ନାମରେ ପରମେଶ୍ୱରଙ୍କୁ କ୍ଷମା ମାଗିପାରିବା । ଯଦି ଆମେ ପ୍ରକୃତରେ ଅନୁତପ୍ତ, ତେବେ ଯିହୋବା ତାଙ୍କ ପୁତ୍ରଙ୍କ ମୁକ୍ତିର ମୂଲ୍ୟ ଆମକୁ ଅର୍ପଣ କରିବେ । ପାପ କରିବା ଦ୍ୱାରା ପରମେଶ୍ୱର ଆମକୁ ଯେଉଁ ମୃତ୍ୟୁ ଦଣ୍ଡ ଦିୟନ୍ତି, ତାʼ ପରିବର୍ତ୍ତେ ସେ ଆମକୁ କ୍ଷମା ପ୍ରଦାନ କରିବେ ଓ ଉଚିତ୍‌ ବିବେକ ବୋଧ ପାଇଁ ଆଶୀର୍ବାଦ କରିବେ ।—ପ୍ରେରିତ ୩:୧୯; ୧ ପିତର ୩:୨୧.

୧୮. କେଉଁ ଉପାୟରେ ଯୀଶୁଙ୍କ ବଳିଦାନ ଆମକୁ ଆଶା ପ୍ରଦାନ କରିପାରେ ?

୧୮ ଦ୍ୱିତିୟତଃ, ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆମର ଭବିଷ୍ୟତ ଜୀବନ ପାଇଁ ଆଶାର ଏକ ମୂଳଭିତି ପ୍ରଦାନ କରେ । ଦର୍ଶନରେ ଯୋହନ ଦେଖିଲେ, “ଏକ ମହା ଜନତା, ଯାହାକୁ କେହି ଗଣିପାରୁ ନ ଥିଲେ ।” ସେମାନେ ଏହି ବ୍ୟବସ୍ଥାର ଶେଷ ପର୍ଯ୍ୟାୟରେ ମହାଧ୍ୱଂସୀ ପ୍ରଳୟରୁ ରକ୍ଷା ପାଇବେ । ସେମାନେ କାହିଁକି ରକ୍ଷା ପାଇବେ ଯେତେବେଳେ ଈଶ୍ୱର ଅନ୍ୟସବୁ ବ୍ୟକ୍ତିଙ୍କୁ ବିନାଶ କରିବେ ? ଜଣେ ସ୍ୱର୍ଗଦୂତ ଯୋହନଙ୍କୁ କହିଲେ ଯେ, ସେହି ମହା ଜନତା ଯୀଶୁଙ୍କ ଅର୍ଥାତ “ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି ।” (ପ୍ରକାଶିତ ବାକ୍ୟ ୭:୯, ୧୪) ଯେପର୍ଯନ୍ତ ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କ ପାତିତ ରକ୍ତରେ ବିଶ୍ୱାସ କରୁ ଏବଂ ଐଶ୍ୱରିକ ପ୍ରୟୋଜନଗୁଡ଼ିକ ସଙ୍ଗେ ମେଳ ରଖି ଜୀବନଯାପନ କରୁ, ତେବେ ଈଶ୍ୱରଙ୍କ ଦୃଷ୍ଟିରେ ପରିଚ୍ଛନ୍ନ ରହିବୁ ଓ ଅନନ୍ତ ଜୀବନର ଆଶା ରଖିପାରିବୁ ।

୧୯. ଖ୍ରୀଷ୍ଟଙ୍କ ବଳିଦାନ କିପରି ପ୍ରମାଣ କରେ ଯେ ସେ ଓ ତାଙ୍କ ପିତା ଆପଣଙ୍କୁ ପ୍ରେମ କରନ୍ତି ?

୧୯ ତୃତୀୟତଃ, ମୁକ୍ତି ମୂଲ୍ୟର ବଳିଦାନ ଚୁଡ଼ାନ୍ତ ଭାବରେ ଯୀହୋବାଙ୍କ ପ୍ରେମର ପ୍ରମାଣ ଦିଏ । ଖ୍ରୀଷ୍ଟଙ୍କ ମୃତ୍ୟୁ ବିଶ୍ୱ ଇତିହାସରେ ଦୁଇଟି ସର୍ବଶ୍ରେଷ୍ଠ ମହାନ ପ୍ରେମର ପରିଚୟକୁ ପ୍ରମୂର୍ତ୍ତ କରିଥିଲା: (୧) ଆମପାଇଁ ତାଙ୍କର ପୁତ୍ରକୁ ମୃତ୍ୟୁବରଣ କରିବା ପାଇଁ ପଠାଇବା ଈଶ୍ୱରଙ୍କ ପ୍ରେମର ଏକ ନିଦର୍ଶନ; (୨) ମୁକ୍ତିର ମୂଲ୍ୟ ସ୍ୱରୁପ ନିଜକୁ ସ୍ୱେଚ୍ଛାରେ ଉତ୍ସର୍ଗ କରିବା ଯୀଶୁଙ୍କ ପ୍ରେମର ପରିଚୟ । (ଯୋହନ ୧୫:୧୩; ରୋମୀୟ ୫:୮) ଯଦି ଆମେ ପ୍ରକୃତରେ ବିଶ୍ୱାସ ରଖୁ, ଏହି ପ୍ରେମ ଆମ ପ୍ରତ୍ୟେକ ଓ ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ ହେବ । ପ୍ରେରିତ ପାଉଲ କହିଲେ: ଈଶ୍ୱରଙ୍କ ପୁତ୍ର ମୋତେ ପ୍ରେମ କଲେ . . . ଏବଂ ମୋ ପାଇଁ ଜୀବନ ପ୍ରଦାନ କଲେ ।”—ଗାଲାତୀୟ ୨:୨୦; ଏବ୍ରୀ ୨:୯; ୧ ଯୋହନ ୪:୯, ୧୦.

୨୦. ଯୀଶୁଙ୍କ ମୁକ୍ତିର ମୂଲ୍ୟସ୍ୱରୁପ ବଳିଦାନରେ ଆମେ କାହିଁକି ବିଶ୍ୱାସ କରିବା ଉଚିତ୍‌ ?

୨୦ ସୁତରାଂ ଆସନ୍ତୁ ଯୀଶୁଙ୍କର ମୁକ୍ତିର ମୂଲ୍ୟରୂପି ବଳିଦାନ ଉପରେ ବିଶ୍ୱାସ ରଖି ଈଶ୍ୱର ଓ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରେମପ୍ରତି ଆମର କୃତଜ୍ଞତା ଜଣାଇବା । ତାହା ଆମକୁ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିବ । (ଯୋହନ ୩:୩୬) ତଥାପି ଆମର ପରିତ୍ରାଣ ପୃଥିବୀରେ ଯୀଶୁଙ୍କର ଜୀବନ ଓ ମୃତ୍ୟୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ନୁହେଁ । ନା, ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ଆଉ ଗୋଟିଏ ମହତ୍ୱର ବିଷୟ । ପରବର୍ତ୍ତି ଅଧ୍ୟାୟରେ ସେହି ବିଷୟର ବର୍ଣ୍ଣନା ଆମ ସମସ୍ତଙ୍କୁ ଅଭିଭୁତ କରିବ । କରଣ ଏହା ସୂଚୀତ କରିବ ଈଶ୍ୱର କାହିଁକି ଏହି ପୃଥିବିରେ ଏତେ ଦିନ ପର୍ଯ୍ୟନ୍ତ ଦୁଷ୍ଟତା ଓ ଦୁଃଖକଷ୍ଟ ରଖିଛନ୍ତି ।

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ମାନବଜାତିକୁ ରକ୍ଷା କରିବା ପାଇଁ ଯୀଶୁଙ୍କୁ କାହିଁକି ମୃତ୍ୟୁବରଣ କରିବାକୁ ପଡ଼ିଲା ?

ମୁକ୍ତିର ମୂଲ୍ୟ କେଉଁ ପ୍ରକାରେ ଦିଆଯାଇଥିଲା ?

ମୁକ୍ତି ମୂଲ୍ୟରୁ ଆପଣ କେଉଁ ଭାବରେ ଉପକୃତ ହୁଅନ୍ତି ?

[ଅଧ୍ୟୟନ ପ୍ରଶ୍ନ]

[୬୭ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]