इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି

ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି

ଅଧ୍ୟାୟ ୪

ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି

୧, ୨. ପରମେଶ୍ୱରଙ୍କ ଜ୍ଞାନର ଚାବିକାଠିକୁ ସଂସାରର ଧର୍ମଗୁଡ଼ିକ କିପରି ବାଦ୍‌ ଦେଇଛନ୍ତି ?

 ଆପଣ ଘରର ଦ୍ୱାରଦେଶରେ ଠିଆ ହୋଇ ନିଜ ଚାବି ଦରାଣ୍ଡୁଛନ୍ତି । ଅନ୍ଧକାର ଓ ଶୀତ ହେତୁ ଆପଣ ଭିତରକୁ ପଶିବା ପାଇଁ ବ୍ୟଗ୍ର ଅଛନ୍ତି—କିନ୍ତୁ ଚାବି କିଛି କାମ କରୁ ନାହିଁ । ଏହା ସଠିକ୍‌ ଚାବି ପରି ମନେ ହେଉଛି, କିନ୍ତୁ ତାଲା ଖୋଲିବାର କୌଣସି ଆଭାସ ମିଳୁନାହିଁ । କେଡ଼େ ନୈରାଶ୍ୟଜନକ ! ଆପଣ ନିଜ ଚାବିକୁ ପୁଣି ଥରେ ଦେଖନ୍ତି । କʼଣ ଆପଣ ସଠିକ୍‌ ଚାବି ଲଗାଇଛନ୍ତି ? କେହିଜଣେ ଚାବିଟିକୁ ଭାଙ୍ଗି ଦେଇଛି କି ?

ଏହି ସଂସାରର ଧାର୍ମିକ ଦ୍ୱନ୍ଦ୍ୱ ପରମେଶ୍ୱରଙ୍କ ଜ୍ଞାନ ସହିତ କʼଣ କରିଛି, ତାହାର ଏହା ଏକ ଉପଯୁକ୍ତ ଉଦାହରଣ । ଆମ ବୋଧଶକ୍ତିକୁ ଖୋଲିଦେଇଥିବା ଏହି ଚାବିଟିକୁ ଅନେକେ ଅଦଳ ବଦଳ କରିଛନ୍ତି—ସେ ଯୀଶୁ ଖ୍ରୀଷ୍ଟ । ଅନେକ ଧର୍ମ ଯୀଶୁଙ୍କୁ ସଂପୂର୍ଣ୍ଣରୂପେ ଅବଜ୍ଞା କରିବା ଦ୍ୱାରା ଚାବିଟିକୁ ଅପସାରଣ କରିଦେଇଛନ୍ତି । ଅନ୍ୟମାନେ ଯୀଶୁଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ଭାବରେ ଉପାସନା କରି ତାଙ୍କ ଭୂମିକାକୁ ବିକୃତ କରିଛନ୍ତି । ଯେ କୌଣସି ପରିସ୍ଥିତିରେ, ଏହି ମୁଖ୍ୟ ପାତ୍ର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯଥାର୍ଥ ବୁଝାବଣା ବିନା ପରମେଶ୍ୱରଙ୍କ ଜ୍ଞାନ ରୁଦ୍ଧହୋଇ ରହିଛି ।

୩. ଯୀଶୁଙ୍କୁ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି କୁହାଯିବା ଉଚିତ୍‌ କାହିଁକି ?

ଆପଣଙ୍କର ହୁଏତ ମନେଥାଇ ପାରେ, ଯୀଶୁ କହିଥିଲେ: “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) ଏହା କହି ଯୀଶୁ ନିଜେ ଗର୍ବିତ ହେଉ ନ ଥିଲେ । ଖ୍ରୀଷ୍ଟଙ୍କ ଯଥାର୍ଥ ଜ୍ଞାନର ଆବଶ୍ୟକତା ବିଷୟରେ ଶାସ୍ତ୍ର ବାରମ୍ବାର ଗୁରୁତ୍ୱ ଆରୋପ କରିଥାଏ । (ଏଫିସୀୟ ୪:୧୩; କଲସୀୟ ୨:୨; ୨ ପିତର ୧:୮; ୨:୨୦) ପ୍ରେରିତ ପିତର ବ୍ୟାଖ୍ୟା କରିଥିଲେ: “ସମସ୍ତ ଭାବବାଦୀ ତାଙ୍କ [ଯୀଶୁ ଖ୍ରୀଷ୍ଟଙ୍କ] ବିଷୟରେ ସାକ୍ଷ୍ୟ ଦିଅନ୍ତି ।” (ପ୍ରେରିତ ୧୦:୪୩) ପ୍ରେରିତ ପାଉଲ ଲେଖିଥିଲେ: “ସେହି [ଯୀଶୁଙ୍କ] ଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି ।” (କଲସୀୟ ୨:୩) ପୁଣି ପାଉଲ ଏହା ମଧ୍ୟ କହିଲେ, ଯୀଶୁଙ୍କ କାରଣରୁ ହିଁ ଯିହୋବାଙ୍କ ସମସ୍ତ ପ୍ରତିଜ୍ଞା ସତ୍ୟ ହୋଇଛି । (୨ କରିନ୍ଥୀୟ ୧:୨୦) ସେଥିପାଇଁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି । ଯୀଶୁଙ୍କ ବିଷୟରେ ଆମର ଜ୍ଞାନ ତାଙ୍କର ମୂଳ ପ୍ରକୃତି ଓ ପରମେଶ୍ୱରଙ୍କ ବ୍ୟବସ୍ଥାରେ ତାଙ୍କ ଭୂମିକା ପରି ବିକୃତିମୁକ୍ତ ହେବା ଉଚିତ୍‌ । କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ କାହିଁକି ତାଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟର କେନ୍ଦ୍ର ବୋଲି ମନେ କରନ୍ତି ?

ପ୍ରତିଜ୍ଞାତ ମଶୀହ

୪, ୫. ମଶୀହଙ୍କ ଉପରେ କେଉଁ ଆଶାଗୁଡ଼ିକ କେନ୍ଦ୍ରିଭୁତ ଥିଲା ଓ ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ କେଉଁ ଦୃଷ୍ଟିରେ ଦେଖିଥିଲେ ?

ବିଶ୍ୱାସୀ ପୁରୁଷ ହେବଲଙ୍କ ଦିନଠାରୁ ପରମେଶ୍ୱରଙ୍କ ସେବକମାନେ ଆଗ୍ରହର ସହିତ ସେହି ବଂଶର ପ୍ରତ୍ୟାଶା କରିଥିଲେ, ଯାହାଙ୍କ ବିଷୟରେ ସ୍ୱୟଂ ପରମେଶ୍ୱର ଯିହୋବା ପୂର୍ବରୁ କହିଥିଲେ । (ଆଦିପୁସ୍ତକ ୩:୧୫; ୪:୧-୮; ଏବ୍ରୀ ୧୧:୪) ସେହି ବଂଶ ମଶୀହ, ଅର୍ଥାତ୍‌ “ଅଭିଷିକ୍ତ ବ୍ୟକ୍ତି” ରୂପେ ପରମେଶ୍ୱରଙ୍କ ଉଦ୍ଦେଶ୍ୟକୁ ପୂର୍ଣ୍ଣକରିବେ ବୋଲି ପୂର୍ବରୁ ପ୍ରକାଶ କରାଯାଇଥିଲା । ସେ “ପାପର ଲୋପ” କରିବେ ବୋଲି ଓ ତାଙ୍କ ରାଜ୍ୟର ମହିମାବିଷୟ ଗୀତସଂହିତାରେ ପୂର୍ବେ ବର୍ଣ୍ଣିତ ହୋଇଥିଲା । (ଦାନିୟେଲ ୯:୨୪-୨୬; ଗୀତସଂହିତା ୭୨:୧-୨୦) ସେହି ମଶୀହରୂପେ କିଏ ପ୍ରମାଣିତ ହୋଇଥାନ୍ତେ ?

ଆନ୍ଦ୍ରିୟ ନାମକ ଜଣେ ଯିହୂଦୀ ଯୁବକ ଅନୁଭବ କରିଥିବା ଉତ୍ତେଜନା ବିଷୟରେ କଳ୍ପନା କରନ୍ତୁ, ଯେତେବେଳେ ସେ ନାଜରିତର ଯୀଶୁଙ୍କ ବାକ୍ୟ ଶୁଣିଥିଲେ । ଆନ୍ଦ୍ରିୟ ନିଜ ଭାଇ ଶିମୋନ ପିତରଙ୍କ ପାଖକୁ ଦୋଡ଼ିଯାଇ କହିଲେ: “ଆମ୍ଭେମାନେ ମଶୀହଙ୍କର ଦେଖା ପାଇଅଛୁ ।” (ଯୋହନ ୧:୪୧) ଯୀଶୁଙ୍କର ଶିଷ୍ୟମାନେ ସେ ହିଁ ପ୍ରତିଜ୍ଞାତ ମଶୀହ ବୋଲି ବୁଝିସାରିଥିଲେ । (ମାଥିଉ ୧୬:୧୬) ସତ୍ୟ ଖ୍ରୀଷ୍ଟିୟାନମାନେ ଯୀଶୁ ପ୍ରକୃତରେ ପୂର୍ବକଥିତ ମଶୀହ ବା ଖ୍ରୀଷ୍ଟ ଥିଲେ ବୋଲି ବିଶ୍ୱାସ କରି ସେମାନଙ୍କ ଜୀବନ ବଳିଦାନ କରିବା ପାଇଁ ପ୍ରସ୍ତୁତ ଥିଲେ । ଏଥିପାଇଁ ସେମାନଙ୍କ ପାଖରେ କʼଣ ପ୍ରମାଣ ଥିଲା ? ଆସନ୍ତୁ ଆମେ ତିନୋଟି ପ୍ରମାଣ ଉପରେ ବିଚାର କରିବା ।

ଯୀଶୁ ହିଁ ମଶୀହ ଥିବାର ପ୍ରମାଣ

୬. (କ) ପ୍ରତିଜ୍ଞାତ ବଂଶ କେଉଁ ବଂଶରୁ ଉତ୍ପନ୍ନ ହେବାର ଥିଲା ଓ ଯୀଶୁ ସେହି ବଂଶରୁ ଆସିଥିଲେ ବେଲି ଆମେ କିପରି ଜାଣିବା ? (ଖ) ସା.ଯୁ. ୭୦ର ପରବର୍ତ୍ତୀ ସମୟରେ ଜୀବିତ କୌଣସି ବ୍ୟକ୍ତିଙ୍କ ପାଇଁ ନିଜକୁ ମଶୀହ ହେବାର ଦାବିକୁ ପ୍ରମାଣିତ କରିବା ଅସମ୍ଭବ ହୋଇଥାନ୍ତା କାହିଁକି ?

ଯୀଶୁଙ୍କ ବଂଶାବଳୀ ତାଙ୍କୁ ପ୍ରତିଜ୍ଞାତ ମଶୀହରୂପେ ଚିହ୍ନିତ କରିବା ପାଇଁ ପ୍ରଥମ ଆଧାରରୂପେ ସ୍ଥାପିତ । ଯିହୋବା ନିଜ ସେବକ ଅବ୍ରାହମଙ୍କୁ କହିଥିଲେ ଯେ, ପ୍ରିତିଜ୍ଞାତ ବଂଶ ତାଙ୍କ ପରିବାରରୁ ହିଁ ଆସିବ । ଅବ୍ରାହାମଙ୍କ ସନ୍ତାନ ଇସ୍‌ହାକ୍‌, ଇସ୍‌ହାକ୍‌ଙ୍କ ସନ୍ତାନ ଯାକୁବ ଓ ଯାକୁବଙ୍କ ସନ୍ତାନ ଯିହୂଦା ପ୍ରତ୍ୟେକେ ସମାନ ପ୍ରତିଜ୍ଞା ପାଇଥିଲେ । (ଆଦିପୁସ୍ତକ ୨୨:୧୮; ୨୬:୨-୫; ୨୮:୧୨-୧୫; ୪୯:୧୦) ଅନେକ ଶତାବ୍ଦୀ ପରେ ମଶୀହଙ୍କ ଅବତରଣ ଆହୁରି ନିକଟତର ସ୍ପଷ୍ଟ ହୋଇଗଲା, ଯେତେବେଳେ ରଜା ଦାଉଦଙ୍କୁ କୁହାଗଲା ଯେ, ସେହି ବଂଶଟି ତାଙ୍କ ପରିବାରରୁ ଉଦ୍‌ଭବ ହେବ । (ଗୀତସଂହିତା ୧୩୨:୧୧; ଯିଶାଇୟ ୧୧:୧, ୧୦) ଯୀଶୁ ସେହି ପରିବାର ବଂଶରୁ ଆସିଥିଲେ, ତାହା ମାଥିଉ ଓ ଲୁକ ରଚିତ ସୁସମାଚାର ସୁନିଶ୍ଚିତ କରିଥାଏ । (ମାଥିଉ ୧:୧-୧୬; ଲୁକ ୩:୨୩-୩୮) ଯୀଶୁଙ୍କ ଅନେକ ଉତ୍କୃଟ ଶତ୍ରୁ ଥିବା ସତ୍ୱେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କ ସୁବିଦିତ ଆଗମନ ବିଷୟରେ ତର୍କ କରି ନ ଥିଲେ । (ମାଥିଉ ୨୧:୯, ୧୫) ବାସ୍ତବରେ ତାଙ୍କ ବଂଶାବଳୀ ବିଷୟ ତର୍କର ଉର୍ଦ୍ଧରେ ଥିଲା । ଯାହାହେଉ ସା.ଯୁ. ୭୦ରେ ଯେତେବେଳେ ଯିରୂଶାଲମ ଧ୍ୱଂସ ହେଲା, ଯିହୂଦୀ ପରିବାରର ଅଭିଲେଖ ଲୋପ ପାଇଗଲା । ସା.ଯୁ. ୭୦ର ପରବର୍ତ୍ତୀ ସମୟରେ କେହି ଜଣେ ମଧ୍ୟ ପ୍ରତିଜ୍ଞାତ ମଶୀହ ଭାବେ ନିଜର ଦାବିକୁ ପ୍ରମାଣିତ କରିପାରି ନାହାନ୍ତି ।

୭. (କ) ଯୀଶୁ ମଶୀହ ଥିଲେ ଏହାର ଦ୍ୱିତୀୟ ପର୍ଯ୍ୟାୟର ପ୍ରମାଣ କʼଣ ? (ଖ) ଯୀଶୁଙ୍କ ସମ୍ବନ୍ଧରେ ମୀଖା ୫:୨ ପଦ କିପରି ପରିପୂର୍ଣ୍ଣ ହେଲା ?

ପରିପୂର୍ଣ୍ଣ ଭବିଷ୍ୟଦ୍‌ବାଣୀ ପ୍ରମାଣ ପାଇଁ ଦ୍ୱିତୀୟ ଆଧାର । ମଶୀହଙ୍କ ଜୀବନର ବିଭିନ୍ନ ଦିଗ ବିଷୟରେ ଏବ୍ରୀ ଶାସ୍ତ୍ରର ଭବିଷ୍ୟଦ୍‌ବାଣୀ ବର୍ଣ୍ଣନା କରିଥାଏ । ସା.ଯୁ.ପୂ. ଅଷ୍ଟମ ଶତାବ୍ଦୀ ପୂର୍ବରୁ ଭବିଷ୍ୟଦ୍‌ବକ୍ତା ମୀଖା କହିଥିଲେ, ଏହି ମହାନ ଶାସକ ଏକ ନଗଣ୍ୟ ନଗରୀ ବେଥ୍‌ଲେହିମରେ ଜନ୍ମ ଗ୍ରହଣ କରିବେ । ଇଶ୍ରାୟେଲରେ ବେଥ୍‌ଲେହିମ ନାମରେ ଦୁଇଟି ନଗରୀକୁ ନାମକରଣ କରାଯାଇଥିଲା, ତେବେ ଭବିଷ୍ୟଦ୍‌ବାଣୀ କେଉଁ ନଗରୀକୁ ନିର୍ଦ୍ଦେଶ କରିଥିଲା: ବେଥ୍‌ଲେହିମ ଉଫ୍ରାଥା, ଯେଉଁଠି ରାଜା ଦାଉଦ ଜନ୍ମ ଗ୍ରହଣ କରିଥିଲେ । (ମୀଖା ୫:୨) ଯୀଶୁଙ୍କ ପିତା-ମାତା, ଯୋଶେଫ ଓ ମରିୟମ, ବେଥ୍‌ଲେହିମର ଉତ୍ତର ଦିଗରେ ପ୍ରାୟ ୧୫୦ କିଲୋମିଟର ଦୂରସ୍ଥ ନାଜରିତରେ ରହୁଥିଲେ । ମରିୟମ ଯେତେବେଳେ ଗର୍ଭବତୀ ଅବସ୍ଥାରେ ଥିଲେ, ରୋମୀୟ ଶାସକ କାଇସର ଅଗଷ୍ଟସ ସମସ୍ତ ଲୋକଙ୍କୁ ନିଜ ନିଜର ଗୃହ ନଗରୀରେ ପଞ୍ଜିକରଣ କରିବା ପାଇଁ ଆଜ୍ଞା ଦେଇଥିଲେ । a ସେଥିପାଇଁ ଯୋସେଫ ନିଜ ଗର୍ଭବତୀ ପତ୍ନୀଙ୍କୁ ବେଥ୍‌ଲେହିମକୁ ନେବାକୁ ପଡ଼ିଥିଲା, ଯେଉଁଠି ଯୀଶୁଙ୍କର ଜନ୍ମ ହେଲା ।—ଲୁକ ୨:୧-୭.

୮. (କ) ୬୯ “ସପ୍ତାହ” କେବେ ଓ କେଉଁ ଘଟଣା ସହ ଆରମ୍ଭ ହୋଇଥିଲା ? (ଖ) ୬୯ “ସପ୍ତାହ” କେତେ ଦୀର୍ଘ ଓ ଏହାର ସମାପ୍ତିରେ କʼଣ ହେଲା ?

ସା.ଯୁ.ପୂ. ଷଷ୍ଠ ଶତାବ୍ଦୀରେ ଭବିଷ୍ୟଦ୍‌ବକ୍ତା ଦାନିୟେଲ ଭବିଦ୍‌ଷ୍ୟବାଣୀ କରିଥିଲେ ଯେ, ଯିରୂଶାଲମର ପୁନର୍ସ୍ଥାପନ ଓ ପୁନଃନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ବାହାରିବାର ୬୯ “ସପ୍ତାହ” ପରେ “ମଶୀହ ଅଧୀପତିଙ୍କର” ଆବିର୍ଭାବ ହେବ । (ଦାନିୟେଲ ୯:୨୪, ୨୫) ଏହି “ସପ୍ତାହଗୁଡ଼ିକ” ପ୍ରତ୍ୟେକ ସାତବର୍ଷ ବ୍ୟାପି ହେବ । b ବାଇବଲ ଓ ଧର୍ମ ନିରପେକ୍ଷ ଇତିହାସ ଅନୁସାରେ ଯିରୂଶାଲମର ପୁନଃନିର୍ମାଣ ପାଇଁ ସା.ଯୁ.ପୂ. ୪୫୫ ରେ ଆଦେଶ ଜାରି ହୋଇଥିଲା । (ନିହିମିୟା ୨:୧-୮) ତେଣୁ ସା.ଯୁ.ପୂ. ୪୫୫ ଠାରୁ ୪୮୩ (୬୯ର ୭ଗୁଣ) ବର୍ଷ ପରେ ମଶୀହଙ୍କ ଆବିର୍ଭାବ ହେବାର ଥିଲା । ଏହା ସା.ଯୁ. ୨୯, ଯେଉଁ ବର୍ଷ ଯିହୋବା ପବିତ୍ର ଆତ୍ମାଦ୍ୱାରା ଯିଶୁଙ୍କୁ ଅଭିଷିକ୍ତ କରାଇଥିଲେ । ଏହିପରି ଯୀଶୁ “ଖ୍ରୀଷ୍ଟ” (ଅର୍ଥାତ୍‌ “ଅଭିଷିକ୍ତ ବ୍ୟକ୍ତି”) ବା ମଶୀହ ହେଲେ ।—ଲୁକ ୩:୧୫, ୧୬, ୨୧, ୨୨.

୯. (କ) ଗୀତସଂହିତା ୨:୨ ପଦ କିପରି ପରିପୂର୍ଣ୍ଣ ହୋଇଥିଲା ? (ଖ) ଯୀଶୁଙ୍କ ଜୀବନରେ ପରିପୂର୍ଣ୍ଣ ହୋଇଥିବା ଅନ୍ୟ କେତେକ ଭବିଷ୍ୟଦ୍‌ବାଣୀ କʼଣ ? (ସାରଣୀ ଦେଖନ୍ତୁ ।)

ଅବଶ୍ୟ ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ପ୍ରତିଜ୍ଞାତ ମଶୀହ ଭାବରେ ଗ୍ରହଣ କରି ନ ଥିଲେ ଓ ଶାସ୍ତ୍ର ମଧ୍ୟ ଏହାକୁ ପୂର୍ବରୁ କହିଥିଲା । ଯେପରିକି ଗୀତସଂହିତା ୨:୨ ପଦରେ ରାଜା ଦାଉଦ ଐଶ୍ୱରିକ ଭାବରେ ଭବିଷ୍ୟଦ୍‌ବାଣୀ କରିବାକୁ ଅନୁପ୍ରାଣିତ ହୋଇଥିଲେ: “ସଦାପ୍ରଭୁ [“ଯିହୋବା,” NW]ଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତାଗଣ ଏକତ୍ର ମନ୍ତ୍ରଣା କରନ୍ତି ।” ଏହି ଭବିଷ୍ୟଦ୍‌ବାଣୀ ଯିହୋବାଙ୍କ ଅଭିଷିକ୍ତ ବ୍ୟକ୍ତି ବା ମଶୀହଙ୍କ ବିରୁଦ୍ଧରେ ଆକ୍ରମଣ କରିବାପାଇଁ ଏକାଧିକ ଦେଶର ଶାସକ ଏକତ୍ର ହେବେ, ଏହି ବିଷୟର ପୂର୍ବ ସୂଚନା ଦେଇଥିଲା । ପ୍ରକୃତରେ ତାହାହିଁ ଘଟିଥିଲା । ଯିହୂଦୀ ଧର୍ମୀୟ ନେତା, ରାଜା ହେରୋଦ୍‌ ଓ ରୋମୀୟ ରାଜ୍ୟପାଳ ପନ୍ତିୟ ପୀଲାତ୍‌ ସମସ୍ତେ ଯୀଶୁଙ୍କୁ ବଧ କରିବାରେ ଅଂଶ ନେଇଥିଲେ । ପୂର୍ବରୁ ପରସ୍ପର ଶତ୍ରୁ ଥିବା ହେରୋଦ ଓ ପୀଲାତ ସେହି ସମୟଠାରୁ ବନ୍ଧୁ ହୋଇଗଲେ । (ମାଥିଉ ୨୭:୧, ୨; ଲୁକ ୨୩:୧୦-୧୨; ପ୍ରେରିତ ୪:୨୫-୨୮) ଯୀଶୁ ଯେ ମଶୀହ ଥିଲେ, ଏହି ବିଷୟରେ ଅଧିକ ପ୍ରମାଣ ପାଇଁ ପ୍ରଦତ୍ତ ତାଲିକା ଦେଖନ୍ତୁ, ଯେଉଁଥିରେ “ମଶୀହ ସମ୍ବନ୍ଧୀୟ କେତେକ ସୁବିଦିତ ଭବିଷ୍ୟଦ୍‌ବାଣୀ” ଆଖ୍ୟା ଦିଆଯାଇଛି ।

୧୦. କେଉଁ ପ୍ରକାରରେ ଯିହୋବା ସାକ୍ଷ୍ୟ ଦେଇଥିଲେ ଯେ, ଯୀଶୁ ତାଙ୍କ ପ୍ରତିଜ୍ଞାତ ଅଭିଷିକ୍ତ ବ୍ୟକ୍ତି ଥିଲେ ?

୧୦ ଯୀଶୁଙ୍କ ମଶୀହ ସମ୍ବନ୍ଧରେ ସପକ୍ଷ ପ୍ରମାଣ ପାଇଁ ତୃତୀୟ ଆଧାର ହେଉଛି ଯିହୋବା ପରମେଶ୍ୱରଙ୍କ ସାକ୍ଷ୍ୟ । ଯୀଶୁ ପ୍ରତିଜ୍ଞାତ ମଶୀହ ଥିଲେ, ଏହା ଲୋକମାନଙ୍କୁ ଜଣାଇବା ପାଇଁ ଯିହୋବା ସ୍ୱର୍ଗଦୂତମାନଙ୍କୁ ପଠାଇଥିଲେ । (ଲୁକ ୨:୧୦-୧୪) ବାସ୍ତବରେ ଯୀଶୁଙ୍କ ପାର୍ଥିବ ଜୀବନ କାଳରେ ହିଁ ତାଙ୍କୁ ଅନୁମୋଦନ କରି, ନିଜ ମନ୍ତବ୍ୟ ଯିହୋବା ସ୍ୱୟଂ ସ୍ୱର୍ଗରୁ କହିଥିଲେ । (ମାଥିଉ ୩:୧୬, ୧୭; ୧୭:୧-୫) ଯିହୋବା ପରମେଶ୍ୱର ଯୀଶୁଙ୍କୁ ଚମତ୍କାର କର୍ମ କରିବା ନିମନ୍ତେ ଶକ୍ତି ପ୍ରଦାନ କରିଥିଲେ । ଏଗୁଡ଼ିକ ପ୍ରତ୍ୟେକଟି ଯୀଶୁ ଯେ ମଶୀହ ଥିଲେ, ତାହାର ଐଶ୍ୱରିକ ପ୍ରମାଣ ଅଟେ । କାରଣ ପରମେଶ୍ୱର କେବେ ହେଲେ ଜଣେ ଭଣ୍ଡ ବ୍ୟକ୍ତିଙ୍କୁ ଚମତ୍କାର କରିବା ପାଇଁ ଶକ୍ତି ଦେବେ ନାହିଁ । ଯିହୋବା ସୁସମାଚାର ଲେଖାକୁ ଅନୁପ୍ରାଣିତ କରିବାରେ ମଧ୍ୟ ନିଜ ପବିତ୍ର ଆତ୍ମାକୁ ପ୍ରୟୋଗ କରିଥିଲେ, ଯାହାଫଳରେ ଇତିହାସରେ ସର୍ବାଧିକ ଅନୂଦିତ ଓ ପ୍ରଚାରିତ ପୁସ୍ତକ ବାଇବଲରେ ଯୀଶୁଙ୍କ ମଶୀହତ୍ୱର ପ୍ରମାଣ ଏକ ଅଂଶ ହୋଇ ପାରିଛି ।—ଯୋହନ ୪:୨୫, ୨୬.

୧୧. ଯୀଶୁ ମଶୀହ ଥିଲେ, ଏହାର କେତେ ପ୍ରମାଣ ଅଛି ?

୧୧ ଏହି ସମସ୍ତ ପ୍ରକାର ପ୍ରମାଣ ସହିତ ଅନ୍ତର୍ଭୁତ ଶତଶତ ଘଟଣା ଚିହ୍ନଟ କରେ ଯେ, ଯୀଶୁ ହିଁ ପ୍ରତିଜ୍ଞାତ ମଶୀହ । ତେବେ ସୁସ୍ପଷ୍ଟ ଭାବରେ ପ୍ରକୃତ ଖ୍ରୀଷ୍ଟିୟାନମାନେ ତାଙ୍କୁ ଏପରି ବୁଝିଛନ୍ତି: “ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି” ଓ ସେ ହେଉଛନ୍ତି ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି । (ପ୍ରେରିତ ୧୦:୪୩) କିନ୍ତୁ ସେ ମଶୀହ ଥିଲେ, କେବଳ ଏହି ସତ୍ୟଠାରୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଅଧିକ ଜାଣିବାର ଅଛି । ତାଙ୍କ ଉତ୍ପତ୍ତି କେଉଁଠି ହୋଇଥିଲା ? ସେ କିପରି ଥିଲେ ?

ଯୀଶୁଙ୍କ ମାନବପୂର୍ବ ଅସ୍ତିତ୍ୱ

୧୨, ୧୩. (କ) ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ ସ୍ୱର୍ଗରେ ଥିଲେ, ତାହା ଆମେ କିପରି ଜାଣିବା ? (ଖ) “ବାକ୍ୟ” କିଏ ଓ ସେ ମନୁଷ୍ୟ ରୂପରେ ଆସିବା ପୂର୍ବରୁ କʼଣ କରିଥିଲେ ?

୧୨ ଯୀଶୁଙ୍କ ଜୀବନକାଳକୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟଟି ସେ ପୃଥିବୀରେ ଜନ୍ମ ନେବାର ବହୁ ପୂର୍ବରୁ ଆରମ୍ଭ ହୋଇଛି । ମୀଖା ୫:୨ ପଦ କହେ, ମଶୀହଙ୍କ ଉତ୍ପତ୍ତି “ଅତିପୁରାତନ, ଅର୍ଥାତ ଅନାଦି କାଳରୁ” ଥିଲା । ଯୀଶୁ ସ୍ପଷ୍ଟଭାବରେ କହିଥିଲେ ଯେ, ସେ “ଊର୍ଦ୍ଧସ୍ଥାନରୁ” ଅର୍ଥାତ ସ୍ୱର୍ଗରୁ ଆସିଥିଲେ । (ଯୋହନ ୮:୨୩; ୧୬:୨୮) ପୃଥିବୀକୁ ଆସିବା ପୂର୍ବରୁ କେତେକାଳ ସେ ସ୍ୱର୍ଗରେ ଥିଲେ ?

୧୩ ଯୀଶୁଙ୍କୁ ପରମେଶ୍ୱଙ୍କ “ଅତ୍ୱିତୀୟ ପୁତ୍ର” କୁହାଯାଇଛି, କାରଣ ଯିହୋବା ତାଙ୍କୁ ପ୍ରତ୍ୟକ୍ଷରୂପେ ସୃଷ୍ଟି କରିଥିଲେ । (ଯୋହନ ୩:୧୬) ସେ “ସମସ୍ତ ସୃଷ୍ଟିର ପ୍ରଥମଜାତ” ହେତୁ ପରମେଶ୍ୱର ତାଙ୍କୁ ଅନ୍ୟ ସମସ୍ତ ବସ୍ତୁ ସୃଷ୍ଟି କରିବାରେ ନିୟୋଜିତ କଲେ । (କଲସୀୟ ୧:୧୫; ପ୍ରକାଶିତ ବାକ୍ୟ ୩:୧୪) ଯୋହନ ୧:୧ ପଦ କହେ ଯେ, “ବାକ୍ୟ” (ନିଜେ ମାନବପୂର୍ବ ଅସ୍ତିତ୍ୱରେ ଯୀଶୁ) “ଆଦ୍ୟରେ” ପରମେଶ୍ୱରଙ୍କ ସଙ୍ଗରେ ଥିଲେ । ତେଣୁ “ଆକାଶମଣ୍ଡଳ ଓ ପୃଥିବୀ” ଯେତେବେଳେ ସୃଷ୍ଟି ହେଲା, ବାକ୍ୟ ଯିହୋବାଙ୍କ ସଙ୍ଗରେ ଥିଲେ । ପରମେଶ୍ୱର ବାକ୍ୟକୁ ସମ୍ବୋଧନ କରି କହିଲେ: “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରିବା ।” (ଆଦିପୁସ୍ତକ ୧:୧, ୨୬) ଠିକ୍‌ ସେହିପରି ହିତୋପଦେଶ ୮:୨୨-୩୧ ପଦରେ ବର୍ଣ୍ଣିତ ଅଛି ଯେ, ପରମେଶ୍ୱରଙ୍କ ପ୍ରିୟ “କର୍ମକର୍ତ୍ତା” ବାକ୍ୟ ହିଁ ପ୍ରଜ୍ଞା ସ୍ୱରୁପ ଯିହୋବାଙ୍କ ସହିତ ସମସ୍ତ ବସ୍ତୁ ସୃଷ୍ଟି କରିବାରେ କାର୍ଯ୍ୟ କରିଥିଲେ । ଯିହୋବା ତାଙ୍କୁ ଅସ୍ତିତ୍ୱକୁ ଆଣିଲା ପରେ, ପୃଥିବୀକୁ ମନୁଷ୍ୟ ହୋଇ ଆସିବା ପୂର୍ବରୁ ବାକ୍ୟ ପରମେଶ୍ୱରଙ୍କ ସହିତ ସ୍ୱର୍ଗରେ ବହୁ ଯୁଗ ବିତାଇଥିଲେ ।

୧୪. ଯୀଶୁଙ୍କୁ “ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତୀ” ବୋଲି କୁହାଯାଇଛି କାହିଁକି ?

୧୪ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ, କଲସୀୟ ୧:୧୫ ପଦ ଯୀଶୁଙ୍କୁ “ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି” ବୋଲି କହିଥାଏ ! ବହୁକାଳ ନିକଟ ସମ୍ପର୍କ ରଖିବା ଯୋଗୁଁ ଆଜ୍ଞାକାରୀ ପୁତ୍ର ଠିକ୍‌ ତାଙ୍କ ପିତା, ଯିହୋବାଙ୍କ ସଦୃଶ ହୋଇଗଲେ । ଯୀଶୁଙ୍କୁ କାହିଁକି ପରମେଶ୍ୱରଙ୍କ ଜୀବନ-ଦାୟକ ଜ୍ଞାନର ଚାବିକାଠି କୁହାଯାଏ, ଏହା ତାହାର ଅନ୍ୟ ଏକ କାରଣ । ଯୀଶୁ ପୃଥିବୀରେ ରହିବା ସମୟରେ ଯେଉଁ କାର୍ଯ୍ୟସବୁ କରିଥିଲେ, ଠିକ୍‌ ତାହାହିଁ ଯିହୋବା ମଧ୍ୟ କରିଥାନ୍ତେ । ସେଥିପାଇଁ ଯୀଶୁଙ୍କ ବିଷୟରେ ଜାଣିବାର ଅର୍ଥ ଯିହୋବାଙ୍କ ବିଷୟରେ ଆମ ଜ୍ଞାନ ବଢ଼ାଇବା । (ଯୋହନ ୮:୨୮; ୧୪:୮-୧୦) ତେବେ ନିଶ୍ଚିତ ଭାବରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଅଧିକ ଜାଣିବା ଗୁରୁତ୍ୱପୂର୍ଣ୍ଣ ଅଟେ ।

ପୃଥିବୀରେ ଯୀଶୁଙ୍କ ଜୀବନ

୧୫. ଯୀଶୁ ଜଣେ ସିଦ୍ଧ ଶିଶୁ ଭାବରେ କିପରି ଜନ୍ମ ଗ୍ରହଣ କରିଥିଲେ ?

୧୫ ଯୀଶୁଙ୍କ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଏହି ପୃଥିବୀରେ କଟିଥିଲା । ଯେତେବେଳେ ପରମେଶ୍ୱର ତାଙ୍କ ଜୀବନକୁ ସ୍ୱର୍ଗରୁ ସ୍ଥାନାନ୍ତର କରି ମରିୟମ ନାମକ ବିଶ୍ୱାସୀ ଯୀହୂଦି କୁମାରୀଙ୍କ ଗର୍ଭରେ ସସ୍ଥାପନ କଲେ, ସେ ସ୍ୱେଚ୍ଛାପୂର୍ବକ ତାହା ସ୍ୱୀକାର କରିଥିଲେ । ଯିହୋବାଙ୍କ ଶକ୍ତିଶାଳି ପବିତ୍ର ଆତ୍ମା କିମ୍ବା ଶକ୍ରିୟ ଶକ୍ତି ମରିୟମଙ୍କ ଉପରେ “ଚ୍ଛାୟାବୃତ” କଲା, ଫଳରେ ସେ ଗର୍ଭବତୀ ହୋଇ ଏକ ସିଦ୍ଧ ବାଳକକୁ ଜନ୍ମ ଦେଲେ । (ଲୁକ ୧:୩୪, ୩୫, ଓଡ଼ିଆ କ୍ୟାଥଲିକ ବାଇବଲ ।) ଯୀଶୁ ଉତ୍ତରାଧିକାରରୂପେ କୌଣସି ଅସିଦ୍ଧତା ପାଇ ନଥିଲେ, ଯେହେତୁ ତାଙ୍କ ଜୀବନ ଏକ ସିଦ୍ଧ ଉତ୍ସରୁ ଆସିଥିଲା । ସେ ଏକ ସାଧାରଣ ଗୃହରେ ବଢ଼େଇ ଯୋସେଫଙ୍କ ପୋଷ୍ୟ ପୁତ୍ରରୂପେ ଲାଳିତ-ପାଳିତ ହୋଇଥିଲେ ଓ ପରିବାର ଅନେକ ଶିଶୁଙ୍କ ମଧ୍ୟରେ ସେ ବୟୋଜେଷ୍ଠ ଥିଲେ ।—ଯିଶାଇୟ ୭:୧୪; ମାଥିଉ ୧:୨୨, ୨୩; ମାର୍କ ୬:୩.

୧୬, ୧୭. (କ) ଚମତ୍କାର କର୍ମ କରିବା ପାଇଁ ଯୀଶୁ କେଉଁଠୁ ଶକ୍ତି ପାଇଥିଲେ ଓ ସେଗୁଡ଼ିକ ମଧ୍ୟରୁ କେତେକ ଚମତ୍କାର କʼଣ ? (ଖ) ଯୀଶୁ ଦେଖାଇଥିବା କେତେକ ଗୁଣସବୁ କʼଣ ?

୧୬ ଯିହୋବା ପରମେଶ୍ୱରଙ୍କ ପ୍ରତି ଯୀଶୁଙ୍କ ଗଭୀର ଭକ୍ତି ପୂର୍ବରୁ ସ୍ପଷ୍ଟଭାବେ ଦେଖାଯାଇଥିଲା, ଯେତେବେଳେ ସେ ୧୨ବର୍ଷର ହୋଇଥିଲେ । (ଲୁକ ୨:୪୧-୪୯) ୩୦ ବର୍ଷ ବୟସରେ ନିଜ ସେବାକାର୍ଯ୍ୟ ଆରମ୍ଭ କରିବା ପରେ ଯୀଶୁ ତାଙ୍କ ସଙ୍ଗୀ ମନୁଷ୍ୟଙ୍କ ପ୍ରତି ମଧ୍ୟ ଅପାର ପ୍ରେମ ପ୍ରଦର୍ଶିତ କରିଥିଲେ । ଯେତେବେଳେ ପରମେଶ୍ୱରଙ୍କ ପବିତ୍ର ଆତ୍ମା ତାଙ୍କୁ ଚମତ୍କାର କର୍ମ କରିବା ପାଇଁ କ୍ଷମତା ପ୍ରଦାନ କଲା, ସେ ରୁଗ୍‌ଣ, ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ କୁଷ୍ଠରୋଗୀମାନଙ୍କୁ କରୁଣାସିକ୍ତ କରି ଆରୋଗ୍ୟ କଲେ । (ମାଥିଉ ୮:୨-୪; ୧୫:୩୦) ସହସ୍ର ସହସ୍ର କ୍ଷୁଧିତଙ୍କୁ ଯୀଶୁ ପରିତୁଷ୍ଟ କଲେ । (ମାଥିଉ ୧୫:୩୫-୩୮) ନିଜ ବନ୍ଧୁମାନଙ୍କ ଜୀବନ ପ୍ରତି ବିପଦାପନ୍ନ ଝଡ଼କୁ ସେ ରୋକି ଦେଇଥିଲେ । (ମାର୍କ ୪:୩୭-୩୯) ବାସ୍ତବରେ ଏପରିକି ସେ ମୃତମାନଙ୍କୁ ମଧ୍ୟ ପୁନରୁତ୍‌ଥିତ କରିଥିଲେ । (ଯୋହନ ୧୧:୪୩, ୪୪) ଏହି ଚମତ୍କାରଗୁଡ଼ିକ ଇତିହାସର ସୁପ୍ରତିଷ୍ଠିତ ଘଟଣା । ଏପରିକି ଯୀଶୁଙ୍କ ଶତ୍ରୁମାନେ ମଧ୍ୟ ସ୍ୱୀକାର କରିଥିଲେ ଯେ, ସେ ‘ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ ।’—ଯୋହନ ୧୧:୪୭, ୪୮.

୧୭ ଯୀଶୁ ନିଜର ସମଗ୍ର ଦେଶରେ ଯାତ୍ରା କରି ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଇଥିଲେ । (ମାଥିଉ ୪:୧୭) ସେ ଧୈର୍ଯ୍ୟ ଓ ବିଚାର ଶିକ୍ତ ସମ୍ପନ୍ନତାର ସର୍ବୋତ୍ତମ ଉଦାହରଣ ଦେଖାଇଛନ୍ତି । ଏପରିକି ଯେତେବେଳେ ଶିଷ୍ୟମାନେ ତାଙ୍କ ବିଶ୍ୱାସକୁ ଶିଥିଳ କରିଦେଲେ, ସେ ସହାନୁଭୁତିସହ କହିଲେ: “ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।” (ମାର୍କ ୧୪:୩୭, ୩୮) ତଥାପି, ସତ୍ୟକୁ ଘୃଣା କରୁଥିବା ଓ ଅସହାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ପ୍ରତି ଯୀଶୁ ସାହାସୀ ଓ ସ୍ପଷ୍ଟବାଦୀ ଥିଲେ । (ମାଥିଉ ୨୩:୨୭-୩୩) ସର୍ବୋପରି ସେ ନିଜ ପିତାଙ୍କ ପ୍ରେମର ଉଦାହରଣକୁ ପୂର୍ଣ୍ଣରୂପେ ଅନୁକରଣ କରିଥିଲେ । ଏପରିକି ଯୀଶୁ ଅସିଦ୍ଧ ମାନବଜାତିଙ୍କ ଭବିଷ୍ୟତର ଆଶା ପାଇଁ ମୃତ୍ୟୁବରଣ କରିବାକୁ ମଧ୍ୟ ଇଚ୍ଛୁକ ଥିଲେ । ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ, ଆମେ ଉଚିତଭାବେ ଯୀଶୁଙ୍କୁ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି କହିପାରିବା ! ହଁ, ସେ ହେଉଛନ୍ତି ଜୀବିତ ଚାବିକାଠି ! କିନ୍ତୁ ଆମେ ତାଙ୍କୁ ଜୀବିତ ଚାବିକାଠି କାହିଁକି କହିବା ? ଏହା ଆମକୁ ତାଙ୍କ ଜୀବନୀର ତୃତୀୟ ପର୍ଯ୍ୟାୟକୁ ଆଣିଥାଏ ।

ଯୀଶୁ ଆଜି

୧୮. ଯୀଶୁଖ୍ରୀଷ୍ଟଙ୍କୁ ଆଜି ଆମେ କେଉଁ ଦୃଷ୍ଟରେ ଦେଖିବା ଉଚିତ୍‌ ?

୧୮ ଯଦିଓ ବାଇବଲ ଯୀଶୁଙ୍କ ମୃତ୍ୟୁର ବିବରଣୀ ଦେଇଥାଏ, ସେ ବର୍ତ୍ତମାନ ଜୀବିତ ଅଛନ୍ତି ! ବାସ୍ତବରେ ସା.ଯୁ. ପ୍ରଥମ ଶତାବ୍ଦୀରେ ଜୀବିତ ଶହଶହ ଲୋକମାନେ ଏହି ସତ୍ୟତାର ଚକ୍ଷୁଷସାକ୍ଷୀ ଥିଲେ ଯେ, ସେ ପୁନରୁତ୍‌ଥିତ ହୋଇଥିଲେ । (୧ କରନ୍ଥୀୟ ୧୫:୩-୮) ଭବିଷ୍ୟଦ୍‌ବାଣୀ ଅନୁସାରେ ସେ ସ୍ୱର୍ଗକୁ ଯାଇ ନିଜ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ ଓ ରାଜକୀୟ ଅଧିକାର ପାଇବା ପାଇଁ ଅପେକ୍ଷା କଲେ । (ଗୀତସଂହୀତା ୧୧୦:୧; ଏବ୍ରୀ ୧୦:୧୨, ୧୩) ତେଣୁ ଆଜି ଆମେ ଯୀଶୁଙ୍କୁ କିପରି ଦେଖିବା ଉଚିତ୍‌ ? ଆମେ ତାଙ୍କୁ କୁଣ୍ଡଳୀରେ ଶୋଇଥିବା ଜଣେ ଅସହାୟ ଶିଶୁ ଚିନ୍ତାକରିବା ବା ମୃତ୍ୟୁଦଣ୍ଡ ଦିଆଯାଉଥିବା ସମୟରେ ଯନ୍ତ୍ରଣାରେ ପୀଡ଼ିତ ଜଣେ ବ୍ୟକ୍ତିପରି ଭାବିବା ? ନା । ସେ ଏକ ଶକ୍ତିଶାଳୀ, ରାଜା ଅଟନ୍ତି ! ବର୍ତ୍ତମାନ ସେ ଅତିଶୀଘ୍ର ଏହି ବିପଦଗ୍ରସ୍ତ ପୃଥିବୀରେ ନିଜ ଶାସନ ଆରମ୍ଭ କରିବେ ।

୧୯. ନିକଟ ଭବିଷ୍ୟତରେ ଯୀଶୁ କି ପଦକ୍ଷେପ ନେବେ ?

୧୯ ପ୍ରକାଶିତ ବାକ୍ୟ ୧୯:୧୧-୧୫ ପଦରେ ରାଜା ଯୀଶୁଖ୍ରୀଷ୍ଟ ଅପୂର୍ବ ଶକ୍ତିଶାଳୀ ହୋଇ ଦୁଷ୍ଟଙ୍କୁ ବିନାଶ କରିବା ନିମନ୍ତେ ଆସୁଥିବା ସ୍ପଷ୍ଟରୂପେ ବର୍ଣ୍ଣିତ ହୋଇଛି । ଆଜି କୋଟି-କୋଟି ପୀଡ଼ିତ ଲୋକଙ୍କ ଦୁଃଖ-କଷ୍ଟକୁ ଶେଷ କରିବାପାଇଁ ପ୍ରେମମୟ ସ୍ୱର୍ଗୀୟ ଶାସକ କେଡ଼େ ଉତ୍ସୁକ ହେଉଥିବେ ! ଠିକ୍‌ ସେହିପରି ସେ ପୃଥିବୀରେ ଥିବା ସମୟରେ ଦେଖାଇଥିବା ଉଦାହରଣକୁ ଯେଉଁମାନେ ଅନୁକରଣ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଉତ୍ସୁକ ଅଛନ୍ତି । (୧ ପିତର ୨:୨୧) ସେ ଆସନ୍ନ ଆର୍ମାଗେଦନ, ବା ‘ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧରୁ’ ସେମାନଙ୍କୁ ରକ୍ଷା କରିବାପାଇଁ ଚାହାନ୍ତି, ଯାହାଫଳରେ ସେମାନେ ପରମେଶ୍ୱରଙ୍କ ସ୍ୱର୍ଗୀୟ ରାଜ୍ୟର ପାର୍ଥୀବ ପ୍ରଜାରୂପେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିପାରିବେ ।—ପ୍ରକାଶିତ ବାକ୍ୟ ୭:୯, ୧୪; ୧୬:୧୪, ୧୬.

୨୦. ସହସ୍ର ବର୍ଷର ରାଜତ୍ୱ ସମୟରେ ଯୀଶୁ ମାନବଜାତି ପାଇଁ କʼଣ କରିବେ ?

୨୦ ଯୀଶୁଙ୍କ ପୂର୍ବକଥିତ ସହସ୍ର ବର୍ଷ ଶାନ୍ତିପୂର୍ଣ୍ଣ ରାଜତ୍ୱ ସମୟରେ ସେ ସମସ୍ତ ମାନବଜାତିଙ୍କ ମଙ୍ଗଳ ପାଇଁ ଚମତ୍କାର କର୍ମ କରିବେ । (ଯିଶାଇୟ ୯:୬, ୭; ୧୧:୧-୧୦; ପ୍ରକାଶିତବାକ୍ୟ ୨୦:୬) ଯୀଶୁ ସବୁ ରୁଗ୍‌ଣମାନଙ୍କୁ ଆରୋଗ୍ୟ କରିବେ ଓ ମୃତ୍ୟୁର ସମାପ୍ତି କରିବେ । ସେ କୋଟି କୋଟି ଲୋକମାନଙ୍କୁ ପୁନତ୍‌ରୁଥାନ କରିବେ, ଯାହାଫଳରେ ସେମାନେ ପୃଥିବୀରେ ଅନନ୍ତକାଳ ପର୍ଯ୍ୟନ୍ତ ରହିବା ପାଇଁ ଏକ ସୁଯୋଗ ପାଇବେ । (ଯୋହନ ୫:୨୮, ୨୯) ପରବର୍ତ୍ତୀ ଏକ ଅଧ୍ୟାୟରେ ଆପଣ ତାଙ୍କ ମଶୀହ ସମ୍ବନ୍ଧୀୟ ରାଜ୍ୟ ବିଷୟରେ ଅଧିକ ଜାଣିବା ପାଇଁ ଉତ୍ସୁକ ହେବେ । ଏହି ବିଷୟରେ ଆଶ୍ୱସ୍ତ ରହନ୍ତୁ: ରାଜ୍ୟ ଶାସନ ଅଧୀନରେ ଆମ ଜୀବନ କେଡ଼େ ସୁନ୍ଦର ହେବ ତାହା ଆମେ କଳ୍ପନା କରିପାରିବା ନାହିଁ । ଯୀଶୁଖ୍ରୀଷ୍ଟଙ୍କ ସହିତ ଅଧିକ ଉତ୍ତମରୂପେ ପରିଚିତ ହେବା କେତେ ଅତ୍ୟାବଶ୍ୟକ ! ହଁ, ଏହା ଅପରିହାର୍ଯ୍ୟ ଯେ, ଆମେ ଯୀଶୁଙ୍କୁ କେବେ ହେଲେ ନିଜ ଦୃଷ୍ଟି ଅନ୍ତରାଳରୁ ଦୂର ହେବା ପାଇଁ ଦେବା ନାହିଁ, କାରଣ ସେ ପରମେଶ୍ୱରଙ୍କ ଜ୍ଞାନର ଜୀବନ୍ତ ଚାବିକାଠି ଅଟନ୍ତି ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ ।

[ପାଦ ଟିପ୍ପଣୀଗୁଡ଼ିକ]

a ଏହି ପଞ୍ଜିକରଣ ରୋମୀୟ ସାମ୍ରାଜ୍ୟକୁ ଅଧିକ କର ଆଦାୟ କରିବା ପାଇଁ ସମର୍ଥ କଲା । ଅନ୍ତତଃ, ଅଗଷ୍ଟସ ଅଜାଣତରେ ଏପରି ଶସକଙ୍କ ବିଷୟରେ ଥିବା ଭବିଷ୍ୟଦ୍‌ବାଣୀକୁ ପରିପୂର୍ଣ୍ଣ କରିବାରେ ସାହାଯ୍ୟ କଲେ ଯିଏ କି ‘ରାଜ୍ୟର ପ୍ରଜାପୀଡ଼କୁ ପ୍ରେରଣ କରିବ’ । ସେହି ଭବିଷ୍ୟଦ୍‌ବାଣୀ ପୂର୍ବରୁ କହିଥିଲା ଯେ, “ନିୟମର ଅଧିପତି” ବା ମଶୀହ ଏହି ଶାସକଙ୍କ ଉତ୍ତରାଧିକାରୀଙ୍କ ସମୟରେ “ଭଗ୍ନ” ହେବ । ଅଗଷ୍ଟସଙ୍କ ଉତ୍ତରାଧିକାରୀ ତିବେରିୟୁସଙ୍କ ରାଜତ୍ୱ ସମୟରେ ଯୀଶୁଙ୍କ ହତ୍ୟା କରାଗଲା ।—ଦାନିୟେଲ ୧୧:୨୦-୨୨.

b ପ୍ରାଚୀନ ଯିହୂଦୀମାନେ ସାଧାରଣତଃ ସପ୍ତାହସବୁ ବର୍ଷରେ ବୁଝୁଥିଲେ । ଉଦାହରଣସ୍ୱରୂପ, ସପ୍ତାହର ପ୍ରତ୍ୟେକ ସପ୍ତମ ଦିନ ବିଶ୍ରାମ ଦିନ ଥିଲା ଓ ପ୍ରତ୍ୟେକ ସପ୍ତମ ବର୍ଷ ବିଶ୍ରାମ ବର୍ଷ ଥିଲା ।—ଯାତ୍ରାପୁସ୍ତକ ୨୦:୮-୧୧; ୨୩:୧୦, ୧୧.

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ଯୀଶୁଙ୍କ ବଂଶାବଳୀ ତାଙ୍କ ମଶୀହ ଥିବାର ଦାବୀକୁ କିପରି ସମର୍ଥନ କରିଥିଲା ?

ଯୀଶୁଙ୍କ ଜୀବନରେ ପରିପୂର୍ଣ୍ଣ ହୋଇଥିବା କେତେକ ମଶୀହ ସମ୍ବନ୍ଧୀୟ ଭବିଷ୍ୟଦ୍‌ବାଣୀ ଗୁଡ଼ିକ କʼଣ ?

ପରମେଶ୍ୱର ପ୍ରତ୍ୟକ୍ଷରୂପେ କିପରି ଦେଖାଇଥିଲେ ଯେ, ଯୀଶୁ ତାଙ୍କ ଅଭିଷିକ୍ତ ବ୍ୟକ୍ତି ?

ଯୀଶୁ ପରମେଶ୍ୱରଙ୍କ ଜ୍ଞାନର ଜୀବିତ ଚାବିକାଠି, କାହିଁକି ?

[ଅଧ୍ୟୟନ ପ୍ରଶ୍ନ]

[Chart on page 37]

ମଶୀହ ସମ୍ବନ୍ଧୀୟ କେତେକ ସୁବିଦିତ ଭବିଷ୍ୟତବାଣୀ

ଭବିଷ୍ୟତବାଣୀ ଘଟଣା ପରିପୂର୍ଣ୍ଣ

ତାଙ୍କ ପ୍ରାରମ୍ଭିକ ଜୀବନ

ଯିଶାଇୟ ୭:୧୪ କୁମାରୀଙ୍କ ଦ୍ୱାରା ଜନ୍ମ ମାଥିଉ ୧:୧୮-୨୩

ଯିରିମିୟ ୩୧:୧୫ ତାଙ୍କ ଜନ୍ମ ପରେ ଶିଶୁମାନଙ୍କ ହତ୍ୟା ମାଥିଉ ୨:୧୬-୧୮

ତାଙ୍କ ସେବା କାର୍ଯ୍ୟ

ଯିଶାଇୟ ୬୧:୧, ୨ ପରମେଶ୍ୱରଙ୍କଠାରୁ ତାଙ୍କ କାର୍ଯ୍ୟ-ନିଯୁକ୍ତି ଲୁକ ୪:୧୮-୨୧

ଯିଶାଇୟ ୯:୧, ୨ ସେବା କାର୍ଯ୍ୟ ଦ୍ୱାରା ଲୋକମାନଙ୍କୁ ମାଥିଉ ୪:୧୩-୧୬

ମହାଆଲୁଅ ଦେଖାଗଲା

ଗୀତସଂହିତା ୬୯:୯ ଯିହୋବାଙ୍କ ଗୃହ ପାଇଁ ଉଦ୍‌ଯୋଗୀ ଯୋହନ ୨:୧୩-୧୭

ଯିଶାଇୟ ୫୩:୧ ବିଶ୍ୱାସ କଲେ ନାହିଁ ଯୋହନ ୧୨:୩୭, ୩୮

ଯିଖିରିୟ ୯:୯ ଗର୍ଦ୍ଦଭୀର ଶାବକ ଉପରେ ମାଥିଉ ୨୧:୧-୯

ଗୀତସଂହୀତା ୧୧୮:୨୬ ଆରୋହଣ କରି ଯିରୁଶାଲେମକୁ

ପ୍ରବେଶ; ରାଜା ଓ ଯିହୋବାଙ୍କ ନାମରେ

ଆଗମନକାରୀ ରୂପେ ସ୍ୱାଗତ

ଶତ୍ରୁ ହସ୍ତରେ ସମର୍ପଣ ଓ ତାଙ୍କର ମୃତ୍ୟୁ

ଗୀତସଂହିତା ୪୧:୯; ୧୦୯:୮ ଜଣେ ପ୍ରେରିତ ବିଶ୍ୱାସଘାତକ; ପ୍ରେରିତ ୧:୧୫-୨୦

ଯୀଶୁଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରେ

ଓ ପରେ ପୁନସ୍ଥାପନ କରାଯାଏ

ଯିଖିରିୟ ୧୧:୧୨ ୩୦ଗୋଟି ରୈପ୍ୟ ମୁଦ୍ରାପାଇଁ ଶତ୍ରୁ ମାଥିଉ ୨୬:୧୪, ୧୫

ହସ୍ତରେ ସମର୍ପିତ ହେଲେ

ଗୀତସଂହୀତା ୨୭:୧୨ ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ମାଥିଉ ୨୬:୫୯-୬୧

ଦଣ୍ଡାୟମାନ କରାଗଲା

ଗୀତସଂହିତା ୨୨:୧୮ ତାଙ୍କ ବସ୍ତ୍ରପାଇଁ ଗୁଲିବାଣ୍ଟ କରାଗଲା ଯୋହନ ୧୯:୨୩, ୨୪

ଯିଶାଇୟ ୫୩:୧୨ ଅଧାର୍ମିକମାନଙ୍କ ସହ ଗଣିତ ହେଲେ ମାଥିଉ ୨୭:୩୮

ଗୀତସଂହିତା ୨୨:୭, ୮ ମୃତ୍ୟୁ ସମୟରେ ପରିହାସ କରାଗଲା ମାର୍କ ୧୫:୨୯-୩୨

ଗୀତସଂହିତା ୬୯:୨୧ ଅମ୍ଳରସ ଦିଆଗଲା ମାର୍କ ୧୫:୨୩, ୩୬

ଯିଶାଇୟ ୫୩:୫ ବଦ୍ଧ କରାଗଲେ ଯୋହନ ୧୯:୩୪, ୩୭

ଯିଖିରିୟ ୧୨:୧୦

ଯିଶାଇୟ ୫୩:୯ ଧନବାନଙ୍କ ସହିତ ଅନ୍ତ୍ୟେଷ୍ଟି କୃତ ହେଲେ ମାଥିଉ ୨୭:୫୭-୬୦

ଗୀତସଂହିତା ୧୬:୮-୧୧, କ୍ଷୟପ୍ରାପ୍ତ ହେବା ପୂର୍ବରୁ ଜୀବିତ ପ୍ରେରିତ ୨:୨୫-୩୨;

NW ଫୁଟ୍‌ନୋଟ ୧୩:୩୪-୩୭

[୩୫ ପୃଷ୍ଠାରେ ଚିତ୍ର]

ରୋଗୀମାନଙ୍କୁ ଆରୋଗ୍ୟ କରିବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଶକ୍ତି ଦେଇଥିଲେ