इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସତ୍ୟ ପରମେଶ୍ୱର କିଏ ?

ସତ୍ୟ ପରମେଶ୍ୱର କିଏ ?

ଅଧ୍ୟାୟ ୩

ସତ୍ୟ ପରମେଶ୍ୱର କିଏ ?

୧. ବାଇବଲର ପ୍ରାରମ୍ଭିକ ବାକ୍ୟ ସହିତ ଅନେକ ଲୋକ କାହିଁକି ଏକମତ ହୁଅନ୍ତି ?

 ରାତ୍ରିରେ ନିର୍ମଳ ଆକାଶକୁ ଚାହିଁଲେ ଏତେ ସଂଖ୍ୟକ ତାରା ଦେଖି ଆପଣ ବିସ୍ମିତ ହୁଅନ୍ତି ନାହିଁ କି ? ସେସବୁର ଅସ୍ତିତ୍ୱ ବିଷୟରେ ଆପଣ କିପରି ବୁଝାଇବେ ? ଆଉ ପୃଥିବୀର ସଜୀବ ବସ୍ତୁଗୁଡ଼ିକ ଯଥା—ରଙ୍ଗୀନ୍‌ ପୁଷ୍ପ, ମଧୁର କୂଜନରତ ପକ୍ଷୀ, ସମୁଦ୍ରରେ ଲମ୍ଫ ମାରୁଥିବା ଶକ୍ତିଶାଳୀ ତିମି, ଏମାନଙ୍କ ବିଷୟରେ ବା କʼଣ କୁହାଯାଇପାରେ ? ତାଲିକା ଅଶେଷ ଭାବରେ ଚାଲିବ । ଏ ସମସ୍ତ ଜିନିଷ ଦୈବାତ୍‌ ଆପେ-ଆପେ ଅସିନାହିଁ । ଅନେକେ ବାଇବଲର ପ୍ରାରମ୍ଭିକ ବାକ୍ୟ ସହିତ ଏକମତ ହୋଇଥାଆନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ: ‘ଆଦ୍ୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ସୃଷ୍ଟି କଲେ ।’—ଆଦିପୁସ୍ତକ ୧:୧.

୨. ବାଇବଲ ପରମେଶ୍ୱରଙ୍କ ବିଷୟରେ କʼଣ କହେ ଓ ଏହା ଆମକୁ କʼଣ କରିବା ପାଇଁ ଉତ୍ସାହିତ କରେ ?

ପରମେଶ୍ୱରଙ୍କ ବିଷୟରେ ଲୋକମାନଙ୍କର ବିଭିନ୍ନ ଧାରଣା ରହିଛି । କିଛି ଲୋକ ପରମେଶ୍ୱରଙ୍କୁ ଏକ ନୈର୍ବ୍ୟକ୍ତିକ ଶକ୍ତି ବୋଲି ଭାବନ୍ତି । ପରମେଶ୍ୱରଙ୍କୁ ପାଇବା ଅତି ଦୁରୂହ ବୋଲି ବିଶ୍ୱାସ କରିବାଯୋଗୁଁ କୋଟିକୋଟି ଲୋକମାନେ ସେମାନଙ୍କ ମୃତ ପୂର୍ବପୁରୁଷଙ୍କୁ ଉପାସନା କରନ୍ତି । କିନ୍ତୁ ବାଇବଲ ପ୍ରକାଶ କରେ, ସତ୍ୟ ପରମେଶ୍ୱର ଏପରି ବାସ୍ତବିକ ବ୍ୟକ୍ତି ଅଟନ୍ତି, ଯିଏ ବ୍ୟକ୍ତିଗତ ଭାବେ ଆମ ସମସ୍ତଙ୍କ ପାଇଁ ଗଭୀରଭାବେ ଆଗ୍ରହ ଦେଖାଇଥାଆନ୍ତି । ସେଥିପାଇଁ ଏହା ଆମକୁ “ପରମେଶ୍ୱରଙ୍କର ଅନ୍ୱେଷଣ” କରିବା ପାଇଁ ଆଗ୍ରହ କରିଥାଏ ଓ କହିଥାଏ: “ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।”—ପ୍ରେରିତ ୧୭:୨୭.

୩. ପରମେଶ୍ୱରଙ୍କ ପ୍ରତିମୂର୍ତ୍ତୀ ତିଆରି କରିବା ଅସମ୍ଭବ କାହିଁକି ?

ପରମେଶ୍ୱର ଦେଖିବାକୁ କିପରି ? ତାଙ୍କର ଅଳ୍ପ କେତେକ ସେବକ ତାଙ୍କ ମହିମାମୟ ଉପସ୍ଥିତିକୁ ଦର୍ଶନରେ ଦେଖିଛନ୍ତି । ଏଥିରେ ସେ ନିଜକୁ ସିଂହାସନରେ ବସିଥିବା ଓ ତାଙ୍କଠାରୁ ଉଜ୍ୱଳମୟ ଆଲୋକ ବିଚ୍ଛୁରିତ ହେଉଥିବାର ସଙ୍କେତ କରିଛନ୍ତି । ତଥାପି ଯେଉଁମାନେ ଏପରି ଦର୍ଶନ ଦେଖିଥିଲେ, ସେମାନେ କେବେହେଲେ ତାଙ୍କ ମୁଖ ମଣ୍ଡଳ ବିଷୟରେ ସ୍ପଷ୍ଟରୂପେ ବର୍ଣ୍ଣନା କରି ନାହାନ୍ତି । (ଦାନିୟେଲ ୭:୯, ୧୦; ପ୍ରକାଶିତବାକ୍ୟ ୪:୨, ୩) ଏହାର କାରଣ “ଈଶ୍ୱର ଆତ୍ମା ଅଟନ୍ତି;” ତାଙ୍କର ପାର୍ଥିବ ଶରୀର ନାହିଁ । (ଯୋହନ ୪:୨୪) ବାସ୍ତବରେ ଆମ ସୃଷ୍ଟିକର୍ତ୍ତାଙ୍କର ସଠିକ୍‌ ପାର୍ଥିବ ପ୍ରତିମୂର୍ତ୍ତୀ ତିଆରି କରିବା ଅସମ୍ଭବ, ଯେହେତୁ “କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ ।” (ଯୋହନ ୧:୧୮; ଯାତ୍ରାପୁସ୍ତକ ୩୩:୨୦) ତଥାପି ବାଇବଲ ପରମେଶ୍ୱରଙ୍କ ବିଷୟରେ ଆମକୁ ଅନେକ ଶିକ୍ଷା ଦେଇଥାଏ ।

ସତ୍ୟ ପରମେଶ୍ୱରଙ୍କ ଏକ ନାମ ଅଛି

୪. ବାଇବଲରେ ପରମେଶ୍ୱରଙ୍କ ନିମନ୍ତେ ବ୍ୟବହୃତ ଅର୍ଥପୂର୍ଣ୍ଣ ଉପାଧିଗୁଡ଼ିକ କʼଣ ?

ବାଇବଲରେ ସତ୍ୟ ପରମେଶ୍ୱର ଏସବୁ ଉକ୍ତି ଦ୍ୱାରା ବର୍ଣ୍ଣିତ ହୋଇଛନ୍ତି, ଯେପରି “ସର୍ବଶକ୍ତିମାନ ପରମେଶ୍ୱର,” “ସର୍ବୋପରିସ୍ଥ,” “ମହାନ ସୃଷ୍ଟିକର୍ତ୍ତା,” “ମହାନ ଶିକ୍ଷକ,” “ସାର୍ବଭୌମ ପ୍ରଭୁ,” ଓ “ଅନନ୍ତ କାଳୀନ ରାଜା” ପ୍ରଭୃତି । (ଆଦିପୁସ୍ତକ ୧୭:୧; ଗୀତସଂହିତା ୫୦:୧୪; ଉପଦେଶକ ୧୨:୧, NW; ଯିଶାଇୟ ୩୦:୨୦, NW; ପ୍ରେରିତ ୪:୨୪, NW; ୧ ତୀମଥି ୧:୧୭) ଏହି ଉପାଧିଗୁଡ଼ିକର ଅନୁଧ୍ୟାନ ଆମକୁ ପରମେଶ୍ୱରଙ୍କ ବିଷୟରେ ଜ୍ଞାନ ବଢ଼ିବାରେ ସାହାଯ୍ୟ କରିବ ।

୫. ପରମେଶ୍ୱରଙ୍କ ନାମ କʼଣ ଓ ଏବ୍ରୀ ଶାସ୍ତ୍ରରେ ଏହାର ଉଲ୍ଲେଖ କେତେଥର ହୋଇଛି ?

କିନ୍ତୁ ପରମେଶ୍ୱରଙ୍କ ଏକ ଅନନ୍ୟ ନାମ ଅଛି ଯାହା କେବଳ ଏବ୍ରୀ ଶାସ୍ତ୍ରରେ ପ୍ରାୟ ୭୦୦୦ଥର ଦେଖାଯାଇଥାଏ—ତାଙ୍କର ଯେ କୌଣସି ଉପାଧିଠାରୁ ଅନେକ ଥର ବେଶୀ । ପ୍ରାୟ ୧୯୦୦ ବର୍ଷ ପୂର୍ବେ, ଯିହୂଦୀମାନେ ଅନ୍ଧବିଶ୍ୱାସ ଯୋଗୁଁ ଐଶ୍ୱରିକ ନାମ ଉଚ୍ଚାରଣ କରିବାକୁ ବନ୍ଦ କରିଦେଲେ । ବାଇବଲୀୟ ଏବ୍ରୀ ସ୍ୱରବର୍ଣ୍ଣ ବିନା ଲେଖାଯାଉଥିଲା । ତେଣୁ ମୋଶା, ଦାଉଦ ଓ ପ୍ରାଚୀନ ସମୟର ଅନ୍ୟ ଲୋକମାନେ ଏହି ଚାରୋଟି ବ୍ୟଞ୍ଜନବର୍ଣ୍ଣ (יהוה) ଉଚ୍ଚାରଣ କରୁଥିଲେ ଯାହାକୁ ନେଇ ପରମେଶ୍ୱରଙ୍କ ନାମ ଗଠିତ ହୁଏ, କିପରି ଉଚ୍ଚାରଣ କରୁଥିଲେ ତାହା ନିଶ୍ଚିତରୂପେ ଜାଣିବା ପାଇଁ କୌଣସି ଉପାୟ ନାହିଁ । କିଛି ବିଦ୍ୱାନ କହନ୍ତି ଯେ ପରମେଶ୍ୱରଙ୍କ ନାମକୁ “ୟାହ୍‌ୱେହ୍‌” ଉଚ୍ଚାରଣ କରାଯାଇଥାଇପାରେ, କିନ୍ତୁ ସେମାନେ ନିଶ୍ଚିତ ନୁହନ୍ତି । ଇଂରାଜୀ ଉଚ୍ଚାରଣ “ଯିହୋବା” ଅନେକ ଶତାବ୍ଦୀ ଧରି ବ୍ୟବହାର ହୋଇ ଆସୁଛି ଓ ବର୍ତ୍ତମାନ ଏହା ଅନ୍ୟ ଭାଷାମାନଙ୍କରେ ମଧ୍ୟ ସମାନରୂପେ ବିସ୍ତୃତ ଭାବରେ ଗ୍ରହଣ କରାଯାଉଛି ।—ଯାତ୍ରାପୁସ୍ତକ ୬:୩ ଓ ଯିଶାଇୟ ୨୬:୪ ଦେଖନ୍ତୁ ।

କାହିଁକି ଆପଣ ପରମେଶ୍ୱରଙ୍କ ନାମ ବ୍ୟବହାର କରିବା ଉଚିତ୍‌

୬. ଗୀତସଂହିତା ୮୩:୧୮ ଯିହୋବାଙ୍କ ବିଷୟରେ କʼଣ କହେ ଓ ଆମେ ଏହି ନାମକୁ କାହିଁକି ଉଚ୍ଚାରଣ କରିବା ଉଚିତ ?

ପରମେଶ୍ୱରଙ୍କ ଅନନ୍ୟ ନାମ ଯିହୋବା, ତାଙ୍କୁ ଅନ୍ୟସବୁ ଈଶ୍ୱରଙ୍କଠାରୁ ଭିନ୍ନ ଭାବେ ପ୍ରତିଷ୍ଠିତ କରିଥାଏ । ସେଥିପାଇଁ ବାଇବଲରେ ବିଶେଷତଃ ଏବ୍ରୀ ଶାସ୍ତ୍ରରେ ସେହି ନାମ ଅନେକ ଥର ଦେଖାଯାଇଥାଏ । ଅନେକ ଅନୁବାଦକ ଐଶ୍ୱରିକ ନାମକୁ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି, କିନ୍ତୁ ଗୀତସଂହିତା ୮୩:୧୮ ସ୍ପଷ୍ଟଭାବରେ କହେ: “ସଦାପ୍ରଭୁ [“ଯିହୋବା,” NW] ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ ।” ତେଣୁ ଯେତେବେଳେ ଆମେ ପରମେଶ୍ୱରଙ୍କ ବିଷୟରେ କହୁଅଛୁଁ, ତାଙ୍କ ବ୍ୟକ୍ତିଗତ ନାମକୁ ବ୍ୟବହାର କରିବା ଆମପାଇଁ ଉପଯୁକ୍ତ ।

୭. ଯିହୋବା ନାମର ଅର୍ଥ ଆମକୁ ପରମେଶ୍ୱରଙ୍କ ବିଷୟରେ କʼଣ ଶିକ୍ଷା ଦେଇଥାଏ ?

ଯିହୋବା ନାମଟି ଏକ ଏବ୍ରୀ କ୍ରିୟାପଦର ସ୍ୱରୂପ ଯାହାର ଅର୍ଥ “ହେବା” ତେଣୁ, ପରମେଶ୍ୱର ନାମର ଅର୍ଥ “ସେ ଅସ୍ତିତ୍ୱ ଆଣନ୍ତି ।” ଯିହୋବା ପରମେଶ୍ୱର ଏହିପରିଭାବେ ନିଜକୁ ଜଣେ ମହାନ ଉଦ୍ଦେଶ୍ୟକାରୀ ଭାବେ ଚିହ୍ନିତ କରାନ୍ତି । ସେ ସର୍ବଦା ନିଜ ଉଦ୍ଦେଶ୍ୟକୁ ବାସ୍ତବତାରେ ପରିଣତ କରନ୍ତି । କେବଳ ସତ୍ୟ ପରମେଶ୍ୱର ହିଁ ଏହି ନାମକୁ ଗ୍ରହଣ କରି ପାରନ୍ତି, କାରଣ ମନୁଷ୍ୟ ନିଜ ଯୋଜନାରେ କୃତକାର୍ଯ୍ୟ ହେବା ବିଷୟରେ କେବେ ମଧ୍ୟ ନିଶ୍ଚିତ ହୋଇପାରିବ ନାହିଁ । (ଯାକୁବ ୪:୧୩, ୧୪) କେବଳ ଏକମାତ୍ର ଯିହୋବା କହିପାରନ୍ତି: “ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ତେମନ୍ତ ହେବ; . . . ଯେଉଁ କାର୍ଯ୍ୟପାଇଁ ଆମ୍ଭେ ପ୍ରେରଣ କରୁଁ ତହିଁରେ କୃତାର୍ଥ ହେବ ।”—ଯିଶାଇୟ ୫୫:୧୧.

୮. ମୋଶାଙ୍କ ଦ୍ୱାରା ପରମେଶ୍ୱର କେଉଁ ଉଦ୍ଦେଶ୍ୟ ଘୋଷଣା କରିଥିଲେ ?

ଏବ୍ରୀ କୁଳପତିଗଣ ଅବ୍ରାହାମ, ଇସ୍‌ହାକ୍‌ ଓ ଯାକୁବ ପ୍ରତ୍ୟେକେ “ଯିହୋବାଙ୍କ ନାମରେ ପ୍ରାର୍ଥନା କରିଥିଲେ,” କିନ୍ତୁ ସେମାନେ ଐଶ୍ୱରିକ ନାମର ସମ୍ପୂର୍ଣ୍ଣ ମହତ୍ତ୍ୱ ବୁଝିପାରି ନଥିଲେ । (ଆଦିପୁସ୍ତକ ୨୧:୩୩, NW; ୨୬:୨୫; ୩୨:୯; ଯାତ୍ରାପୁସ୍ତକ ୬:୩) ପରେ ଯେତେବେଳେ ଯିହୋବା ସେମାନଙ୍କ ଉତ୍ତରାଧିକାରୀ ସନ୍ତାନ ଇଶ୍ରାୟେଲୀୟଙ୍କୁ ମିଶରର ଦାସତ୍ୱରୁ ମୁକ୍ତକରି ଏକ “ଦୁଗ୍ଧମଧୁପ୍ରବାହୀ ଦେଶ” ଦେବା ନିମନ୍ତେ ନିଜ ଉଦ୍ଦେଶ୍ୟ ଘୋଷଣା କଲେ, ହୁଏତ ଏହା ସେମାନଙ୍କୁ ଅସମ୍ଭବ ମନେ ହୋଇଥିଲା । (ଯାତ୍ରାପୁସ୍ତକ ୩:୧୭) କିନ୍ତୁ ପରମେଶ୍ୱର ମୋଶାଙ୍କୁ ନିଜ ନାମର ଅନନ୍ତ ମହତ୍ୱ ଉପରେ ଗୁରୁତ୍ୱ ଦେଇ କହିଥିଲେ: “ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ ଅବ୍ରାହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ [“ଯିହୋବା,” NW], ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି’ ଆମର ଏହି ନାମ ଅନନ୍ତକାଳ ସ୍ଥାୟୀ, ପୁଣି ପରୁଷାନୁକ୍ରମେ ସ୍ମରଣୀୟ ଅଟେ ।”—ଯାତ୍ରାପୁସ୍ତକ ୩:୧୫.

୯. ଯିହୋବାଙ୍କ ସହିତ ଫାରୋ କିପରି ବ୍ୟବହାର କରିଥିଲେ ?

ମୋଶା, ମିଶରୀୟ ରାଜା ଫାରୋଙ୍କୁ କହିଥିଲେ, ପ୍ରାନ୍ତରରେ ଯିହୋବାଙ୍କ ଉପାସନା କରିବା ନିମନ୍ତେ ଇଶ୍ରାୟେଲୀୟମାନଙ୍କୁ ଯିବାପାଇଁ ଅମୁମତି ଦିଅନ୍ତୁ । କିନ୍ତୁ ଫାରୋ, ଯିଏ କି ନିଜେ ଏକ ଈଶ୍ୱର ବୋଲି ବିବେଚିତ ହେଉଥିଲେ ଓ ଅନ୍ୟ ମିଶରୀୟ ଈଶ୍ୱରଙ୍କୁ ଉପାସନା କରୁଥିଲେ, ସେ ଉତ୍ତର ଦେଇ କହିଲେ: “ସଦାପ୍ରଭୁ [“ଯିହୋବା,” NW] କିଏ, ଯେ ଆମ୍ଭେ ତାହାର କଥା ମାନି ଇଶ୍ରାୟେଲକୁ ଛାଡ଼ି ଦେବୁ ? ଆମ୍ଭେ ସଦାପ୍ରଭୁ [“ଯିହୋବା,” NW] କୁ ଚିହ୍ନି ନାହୁଁ ଓ ଇଶ୍ରାୟେଲକୁ ଛାଡ଼ିଦେବୁ ନାହିଁ ।”—ଯାତ୍ରାପୁସ୍ତକ ୫:୧, ୨.

୧୦. ପ୍ରାଚୀନ ମିଶରରେ ଇଶ୍ରାୟେଲୀୟଙ୍କ ବିଷୟ ସହିତ ଜଡ଼ିତ ନିଜ ଉଦ୍ଦେଶ୍ୟକୁ ନେଇ ଯିହୋବା କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ ?

୧୦ ଏହାପରେ ଯିହୋବା ନିଜ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ପ୍ରଗତିଶୀଳ କାର୍ଯ୍ୟପନ୍ଥା ଗ୍ରହଣ କଲେ, ଅର୍ଥାତ୍‌ ନିଜ ନାମର ସମନ୍ୱୟରେ କାର୍ଯ୍ୟ କଲେ । ସେ ପ୍ରାଚୀନ ମିଶରରେ ଦଶଟି ମହାମାରୀ ଘଟାଇଲେ । ଶେଷ ମହାମାରୀରେ, ଗର୍ବି ଫାରୋଙ୍କ ପୁତ୍ର ସମେତ୍‌ ସମସ୍ତ ମିଶରୀୟଙ୍କ ପ୍ରଥମଜାତ ସନ୍ତାନ ମରିଗଲେ । ଏହାପରେ ମିଶରୀୟମାନେ ଇଶ୍ରାୟେଲୀୟଙ୍କୁ ମୁକ୍ତିଦେବା ନିମନ୍ତେ ବ୍ୟଗ୍ର ହୋଇଥିଲେ । ସମ୍ଭବତଃ, କିଛି ମିଶରୀୟ ଯିହୋବାଙ୍କ ଶକ୍ତିରେ ଅତି ପ୍ରଭାବିତ ହୋଇ ଇଶ୍ରାୟେଲୀୟଙ୍କ ସହିତ ମିଶରଦେଶ ଛାଡ଼ିବାରେ ମିଶିଗଲେ ।—ଯାତ୍ରାପୁସ୍ତକ ୧୨:୩୫-୩୮.

୧୧. ଲୋହିତ ସାଗରରେ ଯିହୋବା କେଉଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ ଓ ତାଙ୍କ ଶତ୍ରୁମାନେ କʼଣ ସ୍ୱୀକାର କରିବାକୁ ବାଧ୍ୟ ହେଲେ ?

୧୧ ଜିଦ୍‌ଖୋର୍‌ ଫାରୋ ଓ ତାଙ୍କ ସୈନ୍ୟ, ସେମାନଙ୍କ ୬୦୦ ଯୁଦ୍ଧରଥ ସହିତ ତାଙ୍କ କ୍ରୀତଦାସମାନଙ୍କୁ ଆୟତ୍ତ କରିବାକୁ ଧାଇଁଲେ । ଯେପରି ମିଶରୀୟମାନେ ପାଖେଇ ଆସିଲେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଭାବରେ ଲୋହିତ ସାଗରକୁ ବିଭାଜିତ କରିଦେଲେ ଯାହା ଫଳରେ ଇଶ୍ରାୟେଲୀୟମାନେ ଶୁଷ୍କ ପଥ ଦେଇ ପାରହୋଇ ପାରିଲେ । ଯେତେବେଳେ ପଶ୍ଚାତ୍‌ ଧାବନକାରୀମାନେ ସମୁଦ୍ର ଭିତରକୁ ପଶିଲେ, ଯିହୋବା “ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ ସେମାନେ ଅତି କଷ୍ଟରେ ରଥ ଚଲାଇଲେ ।” ସେଥିରେ ମିଶରୀୟ ସୈନିକମାନେ କହିଲେ: “ଆସ, ଆମ୍ଭେମାନେ ଇଶ୍ରାୟେଲ ସମ୍ମୁଖରୁ ପଳାଇ ଯାଉଁ; କାରଣ ଯିହୋବା ସେମାନଙ୍କର ସପକ୍ଷହୋଇ ମିଶରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ।” କିନ୍ତୁ ଏହା ଅତି ବିଳମ୍ବ ହୋଇଯାଇଥିଲା । ବିରାଟ ପ୍ରାଚୀରତୁଲ୍ୟ ଜଳ ଭାଙ୍ଗି ପଡ଼ିଲା ଓ ‘ସେମାନଙ୍କ ଯୁଦ୍ଧ ରଥ ଓ ଅଶ୍ୱାରୋହୀଙ୍କ ସହିତ ଫାରୋଙ୍କ ସମଗ୍ର ସୈନ୍ୟବାହିନୀକୁ ବୁଡ଼ାଇଦେଲା ।’ (ଯାତ୍ରା ପୁସ୍ତକ ୧୪:୨୨-୨୫, ୨୮) ଏହିପରି ଯିହୋବା ନିଜପାଇଁ ଏକ ମହାନ ନାମ ପ୍ରତିଷ୍ଠା କଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଅବିସ୍ମରଣୀୟ ହୋଇ ରହିଛି ।—ଯୀହୋଶୂୟ ୨:୯-୧୧.

୧୨, ୧୩. (କ) ପରମେଶ୍ୱରଙ୍କ ନାମର ଅର୍ଥ ଆମ ପାଇଁ ଆଜି କʼଣ ରହିଛି ? (ଖ) ଲୋକମାନେ କେଉଁ ବିଷୟ ଶିଖିବା ଅତି ଗୁରୁତ୍ୱପୂର୍ଣ୍ଣ ଓ କାହିଁକି ?

୧୨ ପରମେଶ୍ୱର ନିଜପାଇଁ ଯେଉଁ ନାମ ରଖିଛନ୍ତି, ତାହା ଆଜି ମଧ୍ୟ ଆମ ପାଇଁ ମହତ୍ୱପୂର୍ଣ୍ଣ ଅର୍ଥ ରହିଛି । ତାଙ୍କ ନାମ, ଯିହୋବା, ନିଶ୍ଚିତରୂପେ ପ୍ରତିଷ୍ଠିତ କରାଏ ଯେ, ତାଙ୍କର ଯାହା କିଛି ଉଦ୍ଦେଶ୍ୟ ତାହା ସେ ସତ୍ୟ ଘଟାଇବେ । ତାଙ୍କର ପ୍ରାଥମିକ ଉଦ୍ଦେଶ୍ୟକୁ ସଫଳ କରିବା ଏଥିମଧ୍ୟରେ ଅନ୍ତର୍ଭୁକ୍ତ, ତାହା ହେଉଛି ଆମ ପୃଥିବୀ ଏକ ପାରଦୀଶରେ ପରିଣତ ହେବ । (ଆଦିପୁସ୍ତକ ୧:୨୮; ୨:୮) ସେହିପରିଭାବେ, ପରମେଶ୍ୱର ତାଙ୍କ ସାର୍ବଭୌମତ୍ୱର ସକଳ ବିରୋଧୀଙ୍କୁ ବିତାଡ଼ିତ କରିବେ, ଯେପରି ସେ କହିଛନ୍ତି: “ତହିଁରେ ଆମ୍ଭେ ଯେ ସଦାପ୍ରଭୁ [“ଯିହୋବା,” NW] ଅଟୁ, ଏହା ସେମାନେ ଜାଣିବେ ।” (ଯିହିଜିକଲ ୩୮:୨୩) ଏହାପରେ ପରମେଶ୍ୱର ନିଜ ଉପାସକଙ୍କୁ ଏକ ଧାର୍ମିକ ନୂତନ ଜଗତ ଅର୍ପଣ କରିବା ପ୍ରତିଜ୍ଞାକୁ ସମ୍ପନ୍ନ କରିବେ ।—୨ ପିତର ୩:୧୩.

୧୩ ଯେଉଁମାନେ ପରମେଶ୍ୱରଙ୍କ ଅନୁଗ୍ରହ ଚାହାନ୍ତି, ସେମାନେ ସମସ୍ତେ ବିଶ୍ୱାସ ରଖି ତାଙ୍କ ନାମରେ ପ୍ରାର୍ଥନା କରିବାକୁ ଶିଖିବା ଉଚିତ୍‌ । ବାଇବଲ ପ୍ରତିଜ୍ଞା କରିଥାଏ: “ଯେ କେହି ପ୍ରଭୁଙ୍କ [“ଯିହୋବା,” NW] ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।” (ରୋମୀୟ ୧୦:୧୩) ହଁ, ଯିହୋବା ନାମ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଯିହୋବାଙ୍କୁ ଆପଣଙ୍କ ପରମେଶ୍ୱର ଓ ମୁକ୍ତିଦାତାରୂପେ ପ୍ରାର୍ଥନା କଲେ ଅନନ୍ତ ସୁଖ ମିଳିପାରେ ।

ସତ୍ୟ ପରମେଶ୍ୱରଙ୍କ ଗୁଣ

୧୪. ପରମେଶ୍ୱରଙ୍କ କେଉଁ ମୁଖ୍ୟ ଗୁଣସବୁକୁ ବାଇବଲ ଆଲୋକପାତ କରିଥାଏ ?

୧୪ ମିଶରରୁ ଇଶ୍ରାୟେଲୀୟମାନଙ୍କ ମୁକ୍ତି ଘଟଣାର ପର୍ଯ୍ୟାଲୋଚନା ପରମେଶ୍ୱରଙ୍କ ଚାରୋଟି ମୌଳିକ ଗୁଣ ବିଷୟରେ ଆଲୋକପାତ କରିଥାଏ, ଯାହା ସେ ପୂର୍ଣ୍ଣ ଭାରସାମ୍ୟ ସହିତ ଧାରଣ କରିଥାଆନ୍ତି । ଫାରୋଙ୍କ ସହିତ ବ୍ୟବହାର ତାଙ୍କର ବିସ୍ମୟକର ଶକ୍ତିକୁ ପ୍ରକାଶ କରିଥିଲା । (ଯାତ୍ରାପୁସ୍ତକ ୯:୧୬) ସେହି ଜଟିଳ ପରିସ୍ଥିତିକୁ ପରମେଶ୍ୱର ଯେଉଁଭଳି ବିଚକ୍ଷଣ ଉପାୟରେ ପରିଚାଳନା କରିଥିଲେ ତାହା ତାଙ୍କ ଅତୁଳନୀୟ ପ୍ରଜ୍ଞାକୁ ପ୍ରଦର୍ଶିତ କରିଥିଲା । (ରୋମୀୟ ୧୧:୩୩) ସେ ନିଜର ବିରୋଧୀମାନଙ୍କୁ ଓ ନିଜ ସେବକମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ଉପରେ ଦଣ୍ଡବିଧାନ କରି ସମୁଚିତ ନ୍ୟାୟ ପ୍ରକାଶ କରିଥିଲେ । (ଦ୍ୱିତୀୟବିବରଣୀ ୩୨:୪) ପରମେଶ୍ୱରଙ୍କ ଏକ ସର୍ବୋତ୍କୃଷ୍ଟ ଗୁଣ ହୋଉଛି ପ୍ରେମ । ଅବ୍ରାହାମଙ୍କ ବଂଶଧରମାନଙ୍କ ସମ୍ବନ୍ଧରେ ଯିହୋବା ନିଜ ପ୍ରତିଜ୍ଞା ପୂର୍ଣ୍ଣ କରିବା ଦ୍ୱାରା ସୁବିଦିତ ପ୍ରେମ ଦେଖାଇଥିଲେ । (ଦ୍ୱିତୀୟବିବରଣୀ ୭:୮) ସେ କିଛି ମିଶରୀୟଙ୍କଠାରୁ ମିଥ୍ୟା ଦେବତାଙ୍କୁ ପରିତ୍ୟାଗ କରାଇ କେବଳ ସତ୍ୟ ପରମେଶ୍ୱରଙ୍କ ଶରଣାପନ୍ନ ହେବାରେ ପ୍ରଭୂତ କରାଇ ମଧ୍ୟ ପ୍ରେମ ଦେଖାଇଥିଲେ ।

୧୫, ୧୬. କେଉଁ ପ୍ରକାରରେ ପରମେଶ୍ୱର ନିଜ ପ୍ରେମ ଦେଖାଇଛନ୍ତି ?

୧୫ ଆପଣ ବାଇବଲ ପାଠକଲେ ଦେଖିବାକୁ ପାଇବେ ଯେ, ପ୍ରେମ ହେଉଛି ପରମେଶ୍ୱରଙ୍କ ମୁଖ୍ୟ ଗୁଣ ଓ ସେ ଏହାକୁ ଭିନ୍ନ ଭିନ୍ନ ମାଧ୍ୟମରେ ପ୍ରଦର୍ଶନ କରିଥାଆନ୍ତି । ଉଦାହରଣସ୍ୱରୂପ, ସେ ପ୍ରେମ କାରଣରୁ ଏକ ସୃଷ୍ଟିକର୍ତ୍ତା ହେଲେ ଓ ପ୍ରଥମେ ଜୀବନର ଆନନ୍ଦ ଆତ୍ମିକ ପ୍ରାଣିଙ୍କ ସହିତ ବଣ୍ଟନ କଲେ । ସେହି କୋଟି କୋଟି ଦୂତଗଣ ପରମେଶ୍ୱରଙ୍କୁ ପ୍ରେମ କରନ୍ତି ଓ ତାଙ୍କ ପ୍ରଶଂସା କରନ୍ତି । (ଆୟୁବ ୩୮:୪, ୭; ଦାନିୟେଲ ୭:୧୦) ପରମେଶ୍ୱର ପୃଥିବୀକୁ ସୃଷ୍ଟି କରି ଏହାକୁ ମନୁଷ୍ୟର ସୁଖଦ ବାସୋପଯୋଗୀ କରି ଗଢ଼ିତୋଳିବାରେ ପ୍ରେମ ଦେଖାଇଛନ୍ତି ।—ଆଦିପୁସ୍ତକ ୧:୧, ୨୬-୨୮; ଗୀତସଂହିତା ୧୧୫:୧୬.

୧୬ ଆମେ ପରମେଶ୍ୱରଙ୍କ ପ୍ରେମରୁ ଏତେ ଉପକୃତ ହୋଇଅଛୁ ଯେ, ତାହାକୁ ଉଲ୍ଲେଖ କରିବା ଅସମ୍ଭବ । ଗୋଟିଏ ବିଷୟ ହେଲା, ପରମେଶ୍ୱର ଆମ ଶରୀରକୁ ଏପରି ଅଦ୍ଭୁତ ପ୍ରଣାଳିରେ ତିଆରି କରିଅଛନ୍ତି, ଯାହା ଫଳରେ ଆମେ ଜୀବନ ଉପଭୋଗ କରିପାରୁଁ । (ଗୀତସଂହିତା ୧୩୯:୧୪) ତାଙ୍କ ପ୍ରେମ ଏଥିରେ ମଧ୍ୟ ଦେଖାଇଥାଆନ୍ତି ଯେ, ସେ “ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁଗୁଡ଼ିକ ଦେଇ ଭୋଜନ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି ।” (ପ୍ରେରିତ ୧୪:୧୭) ଏପରିକି ସେ “ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟୋଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି ।” (ମାଥିଉ ୫:୪୫) ପୁଣି ପ୍ରେମ ଆମକୁ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଜ୍ଞାନ ପ୍ରାପ୍ତ କରିବାରେ ପ୍ରେରଣା ଦିଏ ଓ ତାଙ୍କୁ ଆନନ୍ଦମନରେ ଉପାସନା କରିବାରେ ସାହାଯ୍ୟ କରେ । ବସ୍ତୁତଃ, “ପରମେଶ୍ୱର ପ୍ରେମ ଅଟନ୍ତି ।” (୧ ଯୋହନ ୪:୮) କିନ୍ତୁ ତାଙ୍କ ବ୍ୟକ୍ତିତ୍ୱର ଅନେକ ସ୍ଥିତି ରହିଛି ।

“ସ୍ନେହଶୀଳ ଓ କୃପାମୟ ପରମେଶ୍ୱର”

୧୭. ଯାତ୍ରାପୁସ୍ତକ ୩୪:୬, ୭ ପଦରେ ଆମେ ପରମେଶ୍ୱରଙ୍କ ବିଷୟରେ କʼଣ ଶିକ୍ଷା ପାଇଥାଉ ?

୧୭ ଇଶ୍ରାୟେଲୀୟମାନେ ଲୋହିତ ସାଗରକୁ ଅତିକ୍ରମ କରିସାରିବା ପରେମଧ୍ୟ ପରମେଶ୍ୱରଙ୍କ ବିଷୟରେ ଉତ୍ତମରୂପେ ଜାଣିବାର ଆବଶ୍ୟକ ଥିଲା । ମୋଶା ଏହି ଆବଶ୍ୟକ ଅନୁଭବ କରି ପ୍ରାର୍ଥନା କଲେ: “ମୁଁ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ଆଶାରେ ଯେମନ୍ତ ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ଆପଣା ଗତି ଜଣାଅ ।” (ଯାତ୍ରାପୁସ୍ତକ ୩୩:୧୩) ମୋଶା ପରମେଶ୍ୱରଙ୍କ ଘୋଷଣା ଶୁଣିବାଦ୍ୱାରା ତାଙ୍କୁ ଉତ୍ତମରୂପେ ଜାଣିଥିଲେ: “ଯିହୋବା, ଯିହୋବା, ସ୍ନେହଶୀଳ ଓ କୃପାମୟ ପରମେଶ୍ୱର, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; ସହସ୍ର ସହସ୍ର ପୁରୁଷପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ, ଆଜ୍ଞାଲଙ୍ଘନ ଓ ପାପ କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା, ଅପରାଧର ପ୍ରତିଫଳଦାତା ।” (ଯାତ୍ରାପୁସ୍ତକ ୩୪:୬, ୭) ପରମେଶ୍ୱର ଇଚ୍ଛାକୃତ ପାପୀଙ୍କୁ ସେମାନଙ୍କ ମନ୍ଦକାର୍ଯ୍ୟର ପ୍ରତିଫଳରୁ ରକ୍ଷା ନକରି ନ୍ୟାୟ ସହିତ ନିଜ ପ୍ରେମର ଭାରସାମ୍ୟ ରଖନ୍ତି ।

୧୮. ଯିହୋବା ନିଜକୁ କିପରି କୃପାବାନ୍‌ ବୋଲି ପ୍ରମାଣିତ କରିଛନ୍ତି ?

୧୮ ମୋଶା ଶିଖିଥିଲେ ଯେ, ପରମେଶ୍ୱର ଦୟା ଦେଖାଇଥାଆନ୍ତି । ଯେଉଁମାନେ କଷ୍ଟଭୋଗ କରୁଅଛନ୍ତି, ଜଣେ ଦୟାଳୁବ୍ୟକ୍ତି ସେମାନଙ୍କ ପ୍ରତି ସମବେଦନା ଦେଖାଏ ଓ ସେମାନଙ୍କୁ ସେଥିରୁ ମୁକ୍ତି ଦେବାପାଇଁ ଚେଷ୍ଟା କରେ । ସେହିପରି ପରମେଶ୍ୱର ମାନବଜାତି ପାଇଁ ଦୁଃଖ, ରୋଗ ଓ ମୃତ୍ୟୁରୁ ଚିରସ୍ଥାୟୀ ମୁକ୍ତିର ବ୍ୟବସ୍ଥା କରିବା ଦ୍ୱାରା କରୁଣା ଦେଖାଇଛନ୍ତି । (ପ୍ରକାଶିତ ବାକ୍ୟ ୨୧:୩-୫) ପରମେଶ୍ୱରଙ୍କ ଉପାସକଗଣ ଏହି ଦୁଷ୍ଟ ସଂସାରର ପରିସ୍ଥିତି ଯୋଗୁଁ ଘୋର ବିପତ୍ତି ଅଙ୍ଗେନିଭେଇ ପାରନ୍ତି, କିମ୍ବା ସେମାନେ ନିର୍ବୋଧ ପରି କାର୍ଯ୍ୟ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ଯଦି ସେମାନେ ନମ୍ରତାର ସହିତ ସାହାଯ୍ୟ ପାଇଁ ଯିହୋବାଙ୍କ ପାଖକୁ ଫେରନ୍ତି, ସେ ସେମାନଙ୍କୁ ସାନ୍ତ୍ୱନା ଦେଇ ସାହାଯ୍ୟ କରିବେ । କାହିଁକି ? କାରଣ ସେ ଦୟାଳୁ ଭାବରେ ନିଜ ଉପାସକଙ୍କ ପାଇଁ ସ୍ନିଗ୍ଧ ସହାନୁଭୂତି ଦେଖାଇଥାଆନ୍ତି ।—ଗୀତସଂହିତା ୮୬:୧୫; ୧ ପିତର ୫:୬, ୭.

୧୯. ପରମେଶ୍ୱର ସ୍ନେହଶୀଳ ଅଟନ୍ତି, ଏହା ଆମେ କାହିଁକି କହି ପାରିବା ?

୧୯ ଅଧିକାର ପ୍ରାପ୍ତ ଅନେକ ବ୍ୟକ୍ତି ଅନ୍ୟମାନଙ୍କୁ କଠୋର ଭାବରେ ବ୍ୟବହାର କରନ୍ତି । ଅପରପକ୍ଷରେ, ଯିହୋବା ତାଙ୍କ ନମ୍ର ସେବକଙ୍କ ପ୍ରତି କିପରି କରୁଣାମୟ ଅଟନ୍ତି ! ଯଦିଓ ସେ ବିଶ୍ୱର ସର୍ବୋଚ୍ଚ ଅଧିକାରୀ ଅଟନ୍ତି, ସାଧାରଣ ଭାବରେ ସେ ସମସ୍ତ ମାନବଜାତିକୁ ଅପାର କୃପା ଦେଖାଇଥାଆନ୍ତି । (ଗୀତସଂହିତା ୮:୩, ୪; ଲୁକ ୬:୩୫) ଯିହୋବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମଧ୍ୟ କୃପାବନ୍ତ ଅଟନ୍ତି, ସେ ସେମାନଙ୍କର ଅନୁଗ୍ରହ ପାଇଁ ବିଶେଷ ପ୍ରାର୍ଥନା ମଧ୍ୟ ଶୁଣିଥାଆନ୍ତି । (ଯାତ୍ରା ୨୨:୨୬, ୨୭; ଲୁକ ୧୮:୧୩, ୧୪) ଆବଶ୍ୟ ପରମେଶ୍ୱର କାହାକୁ ଅନୁଗ୍ରହ ବା କୃପା ଦେଖାଇବା ପାଇଁ ବାଧ୍ୟ ନୁହନ୍ତି । (ଯାତ୍ରାପୁସ୍ତକ ୩୩:୧୯) ଏଥିପାଇଁ ଆମକୁ ପରମେଶ୍ୱରଙ୍କ କୃପା ଓ ସ୍ନେହଭାବ ପାଇଁ ଗଭୀର କୃତଜ୍ଞତା ଦେଖାଇବା ଆବଶ୍ୟକ ।—ଗୀତସଂହିତା ୧୪୫:୧, ୮.

କ୍ରୋଧରେ ଧୀର, ନିରପେକ୍ଷ ଓ ନ୍ୟାୟବନ୍ତ

୨୦. ଯିହୋବା ଉଭୟ କ୍ରୋଧରେ ଧୀର ଓ ନିରପେକ୍ଷ ଅଟନ୍ତି ତାହା କିପରି ପ୍ରମାଣିତ ହୁଏ ?

୨୦ ଯିହୋବା କ୍ରୋଧ କରିବାରେ ଧୀର । କିନ୍ତୁ, ଏହାର ଅର୍ଥ ନୁହେଁ ଯେ, ସେ ପଦକ୍ଷେପ ନିଅନ୍ତି ନାହିଁ, ଯେପରି ସେ ଜିଦ୍‌ଖୋର୍‌ ଫାରୋ ଓ ତାʼର ସୈନ୍ୟମାନଙ୍କୁ ଲୋହିତ ସାଗରରେ ଧ୍ୱଂସକରି ଦେଇଥିଲେ । ପୁଣି ଯିହୋବା ନିରପେକ୍ଷ ମଧ୍ୟ ଅଟନ୍ତି । ଏହି କାରଣରୁ ତାଙ୍କ ଅନୁଗ୍ରହ ପ୍ରାପ୍ତ ଇଶ୍ରାୟେଲୀୟ ଲୋକମାନେ କ୍ରମାଗତ ମନ୍ଦ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁଁ ଘଟଣାବସତଃ ତାଙ୍କ ଅନୁଗ୍ରହ ହରାଇଥିଲେ । ପରମେଶ୍ୱର ସମସ୍ତ ଜାତିର ଲୋକଙ୍କୁ ନିଜ ଉପାସକରୂପେ ଗ୍ରହଣ କରନ୍ତି, କିନ୍ତୁ କେବଳ ଯେଉଁମାନେ ତାଙ୍କ ଧାର୍ମିକ ପଥ ସହିତ ସମ୍ମତ ହୁଅନ୍ତି ।—ପ୍ରେରିତ ୧୦:୩୪, ୩୫.

୨୧. (କ) ପ୍ରକାଶିତ ବାକ୍ୟ ୧୫:୨-୪ ପଦ ପରମେଶ୍ୱରଙ୍କ ବିଷୟରେ ଆମ୍ଭମାନଙ୍କୁ କʼଣ ଶିକ୍ଷା ଦିଏ ? (ଖ) ପରମେଶ୍ୱର ଠିକ୍‌ କହୁଥିବା କାର୍ଯ୍ୟକୁ କରିବା ପାଇଁ ଆମକୁ କʼଣ ସହଜସାଧ୍ୟ କରିବ ?

୨୧ ପରମେଶ୍ୱରଙ୍କ “ନ୍ୟାଯ୍ୟ କାର୍ଯ୍ୟସମୂହ” ବିଷୟରେ ଜାଣିବାର ଗୁରୁତ୍ୱ ଉପରେ ବାଇବଲ ପୁସ୍ତକର ପ୍ରକାଶିତ ବାକ୍ୟ ଆଲୋକପାତ କରିଥାଏ । ଏହା ଆମକୁ ସ୍ୱର୍ଗସ୍ଥ ପ୍ରାଣୀମାନେ ଗାନ କରୁଥିବା ବିଷୟ କହିଥାଏ: “ହେ ଯିହୋବା, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ୍‌ ଓ ଆଶ୍ଚର୍ଯ୍ୟ; ହେ ଜାତି ସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାଯ୍ୟ ଓ ସତ୍ୟ । ହେ ଯିହୋବା, କିଏ ତୁମ୍ଭକୁ ଭୟ ନ କରିବ ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଚ୍ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି ।” (ପ୍ରକାଶିତ ବାକ୍ୟ ୧୫:୨-୪) ଯିହୋବା ଯାହା ଠିକ୍‌ ବୋଲି କହନ୍ତି, ସେହି ଅନୁସାରେ ଚାଲିବା ଦ୍ୱାରା ଆମେ ତାଙ୍କ ପ୍ରତି ପୂର୍ଣ୍ଣ ଭୟ ବା ତାଙ୍କ ପ୍ରତି ଶ୍ରଦ୍ଧା ରଖିପାରିବା । ଆମେ ପରମେଶ୍ୱରଙ୍କ ପ୍ରଜ୍ଞା ଓ ପ୍ରେମକୁ ସ୍ମରଣକରିବା ଦ୍ୱାରା ଏହା ସହଜ ହେବ । ଆମମାନଙ୍କ ଉପକାର ପାଇଁ ତାଙ୍କର ନିର୍ଦ୍ଦେଶସବୁ ଦିଆଯାଇଛି ।—ଯିଶାଇୟ ୪୮:୧୭, ୧୮.

“ଯିହୋବା ଆମର ଏକମାତ୍ର ପରମେଶ୍ୱର”

୨୨. ଯେଉଁମାନେ ବାଇବଲକୁ ଗ୍ରହଣ କରନ୍ତି, ସେମାନେ ଏକ ତ୍ରିତ୍ୱକୁ ଗ୍ରହଣ କରନ୍ତି ନାହିଁ କାହିଁକି ?

୨୨ ପ୍ରାଚୀନ ଇଶ୍ରାୟେଲୀୟମାନେ ଅନେକ ଦେବତାଙ୍କୁ ଉପାସନା କରୁଥିଲେ, କିନ୍ତୁ ଯିହୋବା “ସ୍ୱଗୌରବ-ରକ୍ଷଣରେ ଉଦ୍‌ଯୋଗୀ ପରମେଶ୍ୱର” ଅଟନ୍ତି । (ଯାତ୍ରାପୁସ୍ତକ ୨୦:୫) ମୋଶା ଇଶ୍ରାୟେଲୀୟଙ୍କୁ ସ୍ମରଣ କରାଇଥିଲେ ଯେ, “ଯିହୋବା ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ଯିହୋବା ଅଟନ୍ତି ।” (ଦ୍ୱିତୀୟବିବରଣ ୬:୪, NW) ସେହି ବାକ୍ୟଗୁଡ଼ିକୁ ଯୀଶୁ ଖ୍ରୀଷ୍ଟ ପୁନରାବୃତ୍ତି କରିଥିଲେ । (ମାର୍କ ୧୨:୨୮, ୨୯) ସେଥିପାଇଁ ଯେଉଁମାନେ ବାଇବଲକୁ ପରମେଶ୍ୱରଙ୍କ ବାକ୍ୟ ଭାବରେ ଗ୍ରହଣ କରନ୍ତି, ସେମାନେ ତିନିଟି ଈଶ୍ୱର ମିଶି ଏକ ବ୍ୟକ୍ତି ବା ଈଶ୍ୱର କୁହାଯାଉଥିବା ତ୍ରିତ୍ୱକୁ ଉପାସନା କରନ୍ତି ନାହିଁ । ବାସ୍ତବରେ, “ତ୍ରିତ୍ୱ” ଶବ୍ଦଟି ବାଇବଲର କୌଣସି ସ୍ଥାନରେ ଦେଖାଯାଏ ନାହିଁ । ସତ୍ୟ ପରମେଶ୍ୱର, ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭିନ୍ନ ଅନ୍ୟ ଜଣେ ବ୍ୟକ୍ତି ଅଟନ୍ତି । (ଯୋହନ ୧୪:୨୮; ୧ କରିନ୍ଥୀୟ ୧୫:୨୮) ପରମେଶ୍ୱରଙ୍କ ପବିତ୍ର ଆତ୍ମା ଏକ ବ୍ୟକ୍ତି ନୁହେଁ । ଏହା ଯିହୋବାଙ୍କ ଶକ୍ରିୟଶକ୍ତି, ଯାହା ସର୍ବଶକ୍ତିମାନ ତାଙ୍କ ଉଦ୍ଦେଶ୍ୟକୁ ସମ୍ପାଦନ କରିବା ପାଇଁ ପ୍ରୟୋଗ କରିଥାଆନ୍ତି ।—ଆଦିପୁସ୍ତକ ୧:୨; ପ୍ରେରିତ ୨:୧-୪, ୩୨, ୩୩; ୨ ପିତର ୧:୨୦, ୨୧.

୨୩. (କ) ପରମେଶ୍ୱରଙ୍କ ପାଇଁ ଆପଣଙ୍କ ପ୍ରେମ କିପରି ବଢ଼ିବ ? (ଖ) ଜୀବିତ ପରମେଶ୍ୱରଙ୍କ ବିଷୟରେ ଯୀଶୁ କʼଣ କହିଥିଲେ ଓ ଖ୍ରୀଷ୍ଟଙ୍କ ବିଷୟରେ ଆମେ କʼଣ ଜାଣିବା ଆବଶ୍ୟକ ?

୨୩ ଯିହୋବା କେଡ଼େ ବିସ୍ମୟକର, ଏକଥା ଯେତେବେଳେ ଆପଣ ବିଚାର କରନ୍ତି, ସେ ଯେ ଆପଣଙ୍କ ଉପାସନାର ଯୋଗ୍ୟ, ଏଥିରେ କʼଣ ଆପଣ ଏକମତ ନୁହନ୍ତି ? ଆପଣ ପରମେଶ୍ୱରଙ୍କ ବାକ୍ୟ ବାଇବଲକୁ ଅଧ୍ୟୟନ କଲେ ଆପଣ ତାଙ୍କ ବିଷୟରେ ଉତ୍ତମରୂପେ ଜାଣିବାକୁ ପାଇବେ ଓ ଆପଣଙ୍କ ଅନନ୍ତ କାଳୀନସୁଖ ଓ ମଙ୍ଗଳ ପାଇଁ ସେ ଆପଣଙ୍କଠାରୁ କʼଣ ଚାହାନ୍ତି, ତାହା ଜାଣିପାରିବେ । (ମାଥିଉ ୫:୩, ୬) ଏହା ବ୍ୟତୀତ ପରମେଶ୍ୱରଙ୍କ ପ୍ରତି ଆପଣଙ୍କ ପ୍ରେମ ବଢ଼ିବ । ଉପଯୁକ୍ତଭାବେ ଯୀଶୁ କହିଛନ୍ତି: “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ପ୍ରତି ଏପରି ପ୍ରେମ ଯୀଶୁଙ୍କର ଥିଲା । କିନ୍ତୁ ଯୀଶୁଙ୍କ ବିଷୟରେ ବାଇବଲ କʼଣ ପ୍ରକାଶ କରିଥାଏ ? ଯିହୋବାଙ୍କ ଉଦ୍ଦେଶ୍ୟରେ ତାଙ୍କର ଭୂମିକା କʼଣ ?

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

ପରମେଶ୍ୱରଙ୍କ ନାମ କʼଣ ଓ ଏବ୍ରୀ ଶାସ୍ତ୍ରରେ ଏହାର ଉଲ୍ଲେଖ କେତେଥର ହୋଇଛି ?

ଆପଣ ପରମେଶ୍ୱରଙ୍କ ନାମ ଉଚ୍ଚାରଣ କରିବା ଉଚିତ କାହିଁକି ?

ପରମେଶ୍ୱରଙ୍କ କେଉଁ ଗୁଣସବୁ ବିଶେଷତଃ ଆପଣଙ୍କୁ ପ୍ରଭାବିତ କରୁଛି ?

[ଅଧ୍ୟୟନ ପ୍ରଶ୍ନ]

[୨୯ ପୃଷ୍ଠାରେ ଚିତ୍ର]

ଆପଣ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତାଙ୍କୁ କେତେ ଉତ୍ତମରୂପେ ଜାଣନ୍ତି ?