इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପିଶାଚ କିଏ ?

ପିଶାଚ କିଏ ?

ପାଠ ୪

ପିଶାଚ କିଏ ?

ପିଶାଚ ଶୟତାନ—ସେ କେଉଁଠାରୁ ଆସିଲା ? (୧, ୨)

ଶୟତାନ ଲୋକମାନଙ୍କୁ କିପରି ବିଭ୍ରାନ୍ତ କରେ ? (୩-୭)

ଆପଣଙ୍କୁ କାହିଁକି ପିଶାଚର ପ୍ରତିରୋଧ କରିବା ଉଚିତ ? (୭)

. “ପିଶାଚ” ଶବ୍ଦର ଅର୍ଥ, ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତି ପ୍ରତି ଦ୍ୱେଷପୂର୍ଣ୍ଣ ମିଥ୍ୟା କହେ । “ଶୟତାନ” ର ଅର୍ଥ ଜଣେ ଶତ୍ରୁ ବା ବିରୋଧୀ । ପରମେଶ୍ୱରଙ୍କ ମୁଖ୍ୟ ଶତ୍ରୁକୁ ଏହି ଆଖ୍ୟା ଦିଆଯାଇଅଛି । ପ୍ରଥମେ ସେ ସ୍ୱର୍ଗରେ ପରମେଶ୍ୱଙ୍କ ସହିତ ସିଦ୍ଧ ସ୍ୱର୍ଗଦୂତ ଥିଲା । କିନ୍ତୁ ସେ ପରେ ନିଜକୁ ବହୁତ ବଡ଼ ମନେକଲା ଓ ଯଥାର୍ଥ ଭାବେ ପରମେଶ୍ୱରଙ୍କ ଉଦ୍ଦିଷ୍ଟ ଉପାସନା ନିଜେ ପାଇବା ପାଇଁ ଲାଳାୟିତ ହେଲା ।—ମାଥିଉ ୪:୮-୧୦.

. ଏହି ସ୍ୱର୍ଗଦୂତ ଶୟତାନ, ହବା ସହିତ ଏକ ସର୍ପ ମାଧ୍ୟମରେ କଥା କହିଲା । ସେ ତାହାଙ୍କୁ ମିଥ୍ୟା କହି ପରମେଶ୍ୱରଙ୍କୁ ଅବଜ୍ଞା କରିବାକୁ ସେ ପ୍ରରୋଚିତ କରିଥିଲା । ଏପରି ଭାବେ ଶୟତାନ ପରମେଶ୍ୱରଙ୍କ “ସାର୍ବଭୌମତ୍ୱ” ବା ସର୍ବୋଚ୍ଚ ପଦକୁ ଆକ୍ରମଣ କଲା । ଶୟତାନ ପରମେଶ୍ୱରଙ୍କୁ ପ୍ରଶ୍ନ କରିଥିଲା ଯେ, ସେ କʼଣ ନିଜ ପ୍ରଜାମାନଙ୍କର ହିତକର ଓ ଯଥାଯୋଗ୍ୟ ଶାସନ କରୁଅଛନ୍ତି । ସେ ଆହୁରି ମଧ୍ୟ ସନ୍ଦେହ କରିଥିଲା ଯେ, କୌଣସି ମନୁଷ୍ୟ ପରମେଶ୍ୱର ପ୍ରତି ବିଶ୍ୱସ୍ତ ରହିବେ କି ? ଏସବୁ କରିବା ହେତୁ ଶୟତାନ ନିଜେ ନିଜକୁ ପରମେଶ୍ୱରଙ୍କ ଶତ୍ରୁ କରିନେଲା । ଏଥିପାଇଁ ତାକୁ ପିଶାଚ ଶୟତାନ ଭାବେ ଅଭିହିତ କରାଗଲା ।—ଆଦି ପୁସ୍ତକ ୩:୧-୫; ଆୟୁବ ୧:୮-୧୧; ପ୍ରକାଶିତ ବାକ୍ୟ ୧୨:୯.

. ଶୟତାନ ନିଜର ଉପାସନା କରିବା ପାଇଁ ଲୋକମାନଙ୍କୁ ପ୍ରତାରିତ କରେ । (୨ କରିନ୍ଥୀୟ ୧୧:୩, ୧୪) ଗୋଟିଏ ଉପାୟ ହେଉଛି, ମିଥ୍ୟା ଧର୍ମ ଦ୍ୱାରା ସେ ଲୋକମାନଙ୍କୁ ବିଭ୍ରାନ୍ତ କରେ । ଯଦି କୌଣସି ଧର୍ମ ପରମେଶ୍ୱରଙ୍କ ବିଷୟରେ ମିଥ୍ୟା ଶିକ୍ଷା ଦିଏ, ତାହା ପ୍ରକୃତରେ ଶୟତାନର ଉଦ୍ଦେଶ୍ୟ ସାଧନ କରେ । (ଯୋହନ ୮:୪୪) ମିଥ୍ୟା ଧର୍ମର ସଦସ୍ୟମାନେ ଆନ୍ତରିକଭାବେ ବିଶ୍ୱାସ କରୁଥିବେ ଯେ, ସେମାନେ ସତ୍ୟ ପରମେଶ୍ୱରଙ୍କ ଉପାସନା କରୁଛନ୍ତି । କିନ୍ତୁ ସେମାନେ ପ୍ରକୃତରେ ଶୟତାନର ସେବା କରୁଛନ୍ତି । ସେ ହେଉଛନ୍ତି ‘ଏ ଜଗତର ପରମେଶ୍ୱର’ ।—୨ କରିନ୍ଥୀୟ ୪:୪.

. ଶୟତାନ ଅନ୍ୟ ଏକ ପ୍ରଣାଳୀରେ ଲୋକମାନଙ୍କୁ ନିଜର ଅଧୀନସ୍ଥ କରେ ତାହା ହେଉଛି ପ୍ରେତାତ୍ମବାଦ । ସେମାନେ ହୁଏତ ନିଜର ସୁରକ୍ଷା, ଅନ୍ୟମାନଙ୍କ କ୍ଷତି, ଭବିଷ୍ୟତ ବିଷୟରେ ଜାଣିବା, କିମ୍ବା ଚମତ୍କାର କର୍ମ କରିବା ପାଇଁ ପ୍ରେତାତ୍ମାଗୁଡ଼ିକୁ ଡାକି ପାରନ୍ତି । ଏ ସମସ୍ତ ମନ୍ଦକାର୍ଯ୍ୟ ପଛରେ ଶୟତାନ ଦୁଷ୍ଟ ଶକ୍ତି ରୂପେ ରହିଛି । ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ, ଆମେମାନେ ପ୍ରେତାତ୍ମବାଦ ସହିତ କୌଣସି ସମ୍ପର୍କ ରଖିବା ନାହିଁ ।—ଦ୍ୱିତୀୟ ବିବରଣ ୧୮:୧୦-୧୨; ପ୍ରେରିତ ୧୯:୧୮, ୧୯.

. ଚରମ ଜାତିଗତ ଅହଙ୍କାରରାଜନୈତିକ ସଂଗଠନଗୁଡ଼ିକ ପ୍ରତି ଆନୁଗତ୍ୟ ମାଧ୍ୟମରେ ଶୟତାନ ଲୋକମାନଙ୍କୁ ବିପଥଗାମୀ କରାଏ । କେହି କେହି ଭାବନ୍ତି ଯେ, ତାଙ୍କର ଜାତି ବା ରାଷ୍ଟ୍ର ଅନ୍ୟମାନଙ୍କ ଅପେକ୍ଷା ଉତ୍ତମ । କିନ୍ତୁ ଏହା ସତ୍ୟ ନୁହେଁ । (ପ୍ରେରିତ ୧୦:୩୪, ୩୫) ଅନ୍ୟ ଲୋକେ ମନୁଷ୍ୟ ସମାଜର ସମସ୍ୟାର ସମାଧାନ ପାଇଁ ରାଜନୈତିକ ସଂଗଠନ ଉପରେ ଭରସା କରନ୍ତି । ଏପରି କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ରାଜ୍ୟକୁ ପ୍ରତ୍ୟାଖ୍ୟାନ କରୁଅଛନ୍ତି । ଏହି ରାଜ୍ୟ ହିଁ ଆମ୍ଭମାନଙ୍କ ସମସ୍ୟାର ଏକମାତ୍ର ସମାଧାନ ।—ଦାନିଏଲ ୨:୪୪.

. ଲୋକମାନଙ୍କୁ ବିଭ୍ରାନ୍ତ କରିବାର ଶୟତାନର ଅନ୍ୟ ଏକ ଉପାୟ ହେଉଛି, ପାପପୂର୍ଣ୍ଣ ଅଭିଳାଷାରେ ଲୋକମାନଙ୍କୁ ପ୍ରଲୋଭିତ କରିବା । ଯିହୋବା ପାପପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଏଡ଼େଇ ଯିବା ପାଇଁ ଆମକୁ କହନ୍ତି କାରଣ ସେ ଜାଣନ୍ତି ସେଗୁଡ଼ିକ ଆମ କ୍ଷତି କରିବ । (ଗାଲାତୀୟ ୬:୭, ୮) କିଛି ଲୋକ ଚାହିଁପାରନ୍ତି ଯେ ଆପଣ ଏପରି ଅଭ୍ୟାସରେ ସେମାନଙ୍କ ସହିତ ଯୋଗଦିଅନ୍ତେ । କିନ୍ତୁ, ମନେରଖିବାକୁ ହେବ, ଏପରି କାର୍ଯ୍ୟ କରେଇବା ପାଇଁ ଯେ ଚାହାଁନ୍ତି ପ୍ରକୃତରେ ସେ ଶୟତାନ ।—୧ କରିନ୍ଥୀୟ ୬:୯, ୧୦; ୧୫:୩୩.

. ଯିହୋବାଙ୍କୁ ପରିତ୍ୟାଗ କରାଇବାପାଇଁ ଶୟତାନ ଆପଣଙ୍କୁ ନିର୍ଯାତନା ଦେଇପାରେ କିମ୍ବା ବିରୋଧତା କରିପାରେ । ଆପଣଙ୍କୁ ବାଇବଲ ଅଧ୍ୟୟନ କରୁଥିବାର ଦେଖି ହୁଏତ ଆପଣଙ୍କ ପ୍ରିୟଜନ କ୍ରୋଧିତ ହୋଇପାରନ୍ତି । କେହି କେହି ହୁଏତ ଉପହାସ କରି ପାରନ୍ତି । କିନ୍ତୁ ଆପଣ ନିଜ ଜୀବନ ପାଇଁ କାହା ପାଖରେ ଋଣୀ ? ଶୟତାନ ଆପଣଙ୍କୁ ଭୟାର୍ତ୍ତ କରିବାକୁ ଚାହେଁ, ଯାହା ଫଳରେ ଯିହୋବାଙ୍କ ବିଷୟରେ ଶିକ୍ଷା ଆପଣ ବନ୍ଦ କରିଦେବେ । ଶୟତାନକୁ ବିଜୟୀ ହେବାକୁ ଦିଅନ୍ତୁ ନାହିଁ ! (ମାଥିଉ ୧୦:୩୪-୩୯; ୧ ପିତର ୫:୮, ୯) ପିଶାଚକୁ ପ୍ରତିରୋଧ କରିବା ଦ୍ୱାରା ଆପଣ ଯିହୋବାଙ୍କୁ ଆନନ୍ଦିତ କରି ପାରିବେ ଓ ତାଙ୍କ ସାର୍ବଭୌମତ୍ୱକୁ ସର୍ବୋଚ୍ଚ ସ୍ଥାନ ଦେଇ ପାରିବେ ।—ହିତୋପଦେଶ ୨୭:୧୧.

[୯ ପୃଷ୍ଠାରେ ଚିତ୍ର]

ମିଥ୍ୟା ଧର୍ମ, ପ୍ରେତାତ୍ମବାଦ ଓ ରାଷ୍ଟ୍ରୀୟବାଦ ଲୋକମାନଙ୍କୁ ବିଭ୍ରାନ୍ତ କରେ

[୯ ପୃଷ୍ଠାରେ ଚିତ୍ର]

ଯିହୋବାଙ୍କ ବିଷୟରେ ନିୟମିତ ଶିକ୍ଷା ନେବା ଦ୍ୱାରା ଶୟତାନକୁ ପ୍ରତିରୋଧ କରନ୍ତୁ