ଯୀଶୁ ଖ୍ରୀଷ୍ଟ କିଏ ?
ପାଠ ୩
ଯୀଶୁ ଖ୍ରୀଷ୍ଟ କିଏ ?
ଯୀଶୁଙ୍କୁ ପରମେଶ୍ୱରଙ୍କ “ପ୍ରଥମଜାତ” ପୁତ୍ର ବୋଲି କୁହାଯାଇଛି କାହିଁକି ? (୧)
ତାଙ୍କୁ “ବାକ୍ୟ” କୁହାଯାଇଛି କାହିଁକି ? (୧)
ଯୀଶୁ ପୃଥିବୀକୁ ଜଣେ ମନୁଷ୍ୟ ରୂପେ ଆସିଥିଲେ କାହିଁକି ? (୨-୪)
ସେ ଚମତ୍କାର କର୍ମ କରିଥିଲେ କାହିଁକି ? (୫)
ଯୀଶୁ ନିକଟ ଭବିଷ୍ୟତରେ କʼଣ କରିବେ ? (୬)
୧. ପୃଥିବୀକୁ ଆସିବା ପୂର୍ବରୁ ଯୀଶୁ ଜଣେ ଆତ୍ମିକ ବ୍ୟକ୍ତି ଭାବେ ସ୍ୱର୍ଗରେ ଥିଲେ । ସେ ପରମେଶ୍ୱରଙ୍କ ପ୍ରଥମ ସୃଷ୍ଟି ଥିଲେ, ସେଥିପାଇଁ ତାଙ୍କୁ ପରମେଶ୍ୱରଙ୍କ “ପ୍ରଥମଜାତ” ପୁତ୍ର ବୋଲି କୁହାଯାଇଛି । (କଲସୀୟ ୧:୧୫; ପ୍ରକାଶିତ ବାକ୍ୟ ୩:୧୪) ଯୀଶୁ କେବଳ ଏକମାତ୍ର ସନ୍ତାନ, ଯାହାଙ୍କୁ ପରମେଶ୍ୱର ସ୍ୱୟଂ ସୃଷ୍ଟି କରିଥିଲେ । ଯିହୋବା ସ୍ୱର୍ଗର ଓ ପୃଥିବୀର ଅନ୍ୟାନ୍ୟ ସକଳ ବସ୍ତୁକୁ ସୃଷ୍ଟି କରିବା ପାଇଁ ପ୍ରାକ-ମାନବ ଯୀଶୁଙ୍କୁ “ମୁଖ୍ୟ କାରୀଗର” ରୂପେ ନିୟୋଜିତ କରିଥିଲେ । (ହିତୋପଦେଶ ୮:୨୨-୩୧; କଲସୀୟ ୧:୧୬, ୧୭) ପରମେଶ୍ୱର ତାଙ୍କୁ ନିଜର ପ୍ରମୁଖ ପ୍ରବକ୍ତା ରୂପେ ମଧ୍ୟ ବ୍ୟବହାର କରିଥିଲେ । ସେଥିପାଇଁ ଯୀଶୁଙ୍କୁ “ବାକ୍ୟ” କୁହାଯାଏ ।—ଯୋହନ ୧:୧-୩; ପ୍ରକାଶିତ ବାକ୍ୟ ୧୯:୧୩.
୨. ପରମେଶ୍ୱର ନିଜ ପୁତ୍ରର ଜୀବନକୁ ମରିୟମଙ୍କ ଗର୍ଭରେ ସ୍ଥାନାନ୍ତରିତକରି ତାଙ୍କୁ ପୃଥିବୀକୁ ପଠାଇଥିଲେ । ତେଣୁ ଯୀଶୁଙ୍କର କେହି ମନୁଷ୍ୟ ପିତା ନ ଥିଲେ । ଅତଏବ, ତାଙ୍କୁ ଉତ୍ତରାଧିକାର ସୂତ୍ରରେ କୌଣସି ପାପ କିମ୍ବା ଅସିଦ୍ଧତା ମିଳି ନାହିଁ । ପରମେଶ୍ୱର ତିନୋଟି କାରଣ ପାଇଁ ଯୀଶୁଙ୍କୁ ପୃଥିବୀକୁ ପଠାଇଥିଲେ: (୧) ପରମେଶ୍ୱରଙ୍କ ସମ୍ବନ୍ଧରେ ଆମ୍ଭମାନଙ୍କୁ ସତ୍ୟ ଶିକ୍ଷା ଦେବା ପାଇଁ (ଯୋହନ ୧୮:୩୭), (୨) ସମ୍ପୂର୍ଣ୍ଣ ସଚ୍ଚୋଟପଣିଆ ବଜାୟ ରଖିବା ଓ ଆମର ଅନୁକରଣୀୟର ଏକ ଆଦର୍ଶ ସୃଷ୍ଟି କରିବା (୧ ପିତର ୨:୨୧) ଏବଂ (୩) ଆମ୍ଭମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ନିମିତ୍ତ ନିଜର ଜୀବନ ବଳିଦାନ କରିବା ପାଇଁ । ଏହାର କି ଆବଶ୍ୟକତା ଥିଲା ? —ମାଥିଉ ୨୦:୨୮.
୩. ପରମେଶ୍ୱରଙ୍କ ଆଜ୍ଞା ଅମାନ୍ୟ କରି, ପ୍ରଥମ ପୁରୁଷ ଆଦମ ଯେଉଁ ମନ୍ଦକାର୍ଯ୍ୟ କରିଥିଲେ ବାଇବଲ୍ ତାହାକୁ “ପାପ” କହେ । ତେଣୁ ପରମେଶ୍ୱର ତାଙ୍କର ମୃତ୍ୟୁଦଣ୍ଡ ଘୋଷଣା କଲେ । (ଆଦି ପୁସ୍ତକ ୩:୧୭-୧୯) ପରମେଶ୍ୱରଙ୍କ ଆଦର୍ଶର ମାନଦଣ୍ଡରେ ସେ ନିମ୍ନ ହୋଇଗଲେ, ତେଣୁ ସେ ଆଉ ସିଦ୍ଧ ରହିଲେ ନାହିଁ । ଧୀରେ-ଧୀରେ ସେ ବୃଦ୍ଧ ହେଲେ ଓ ମୃତ୍ୟୁବରଣ କଲେ । ଆଦମ ନିଜର ସମସ୍ତ ସନ୍ତାନସନ୍ତତିଙ୍କ ମଧ୍ୟରେ ପାପ ପ୍ରବେଶ କରାଇଦେଇଥିଲେ । ଏଥିଯୋଗୁଁ ଆମ୍ଭେମାନେ ମଧ୍ୟ ବୃଦ୍ଧ ଓ ରୁଗ୍ଣ ହେଉ ଓ ମୃତ୍ୟୁବରଣ କରୁ । ମାନବଜାତିକୁ କିପରି ରକ୍ଷା କରାଯାଇ ପାରେ ?—ରୋମୀୟ ୩:୨୩; ୫:୧୨.
୪. ଯୀଶୁ ଠିକ୍ ଆଦମଙ୍କ ପରି ଜଣେ ସିଦ୍ଧ ମାନବ ଥିଲେ । ଆଦମଙ୍କଠାରୁ ଭିନ୍ନ, ଯୀଶୁ ଯଦିଓ କଠିନ ପରୀକ୍ଷାରେ ଥିଲେ, ପରମେଶ୍ୱରଙ୍କ ପ୍ରତି ସଂପୂର୍ଣ୍ଣ ରୂପେ ଆଜ୍ଞାକାରୀ ଥିଲେ । ଅତଏବ, ସେ ନିଜର ସିଦ୍ଧ ମାନବ ଜୀବନକୁ ଆଦମଙ୍କ ପାପର ମୂଲ୍ୟ ନିମିତ୍ତ ବଳିଦାନ ଦେଲେ । ଏହାକୁ ହିଁ ବାଇବଲ “ମୁକ୍ତିର ମୂଲ୍ୟ” ବୋଲି ଉଲ୍ଲେଖ କରିଅଛି । ଏହି ପ୍ରକାରେ ଆଦମଙ୍କ ସନ୍ତାନମାନେ ମୃତ୍ୟୁଦଣ୍ଡରୁ ମୁକ୍ତ ହୋଇଥାନ୍ତେ । ଯେଉଁମାନେ ଯୀଶୁଙ୍କ ଉପରେ ବିଶ୍ୱାସ ରଖିବେ ସେମାନେ ପାପରୁ କ୍ଷମା ପାଇ ଅନନ୍ତ ଜୀବନ ପ୍ରାପ୍ତ ହେବେ ।—୧ ତୀମଥି ୨:୫, ୬; ଯୋହନ ୩:୧୬; ରୋମୀୟ ୫:୧୮, ୧୯.
୫. ଯୀଶୁ ଯେତେବେଳେ ପୃଥିବୀରେ ଥିଲେ, ସେ ରୋଗୀମାନଙ୍କୁ ଆରୋଗ୍ୟ କଲେ, କ୍ଷୁଧିତମାନଙ୍କୁ ଭୋଜନ ଦେଲେ ଓ ଅଶାନ୍ତଝଡ଼କୁ ଶାନ୍ତ କଲେ । ସେ ମୃତମାନଙ୍କୁ ମଧ୍ୟ ଜୀବନ ଦାନ ଦେଲେ । କାହିଁକି ସେ ଏପରି ଚମତ୍କାର କାର୍ଯ୍ୟ କରୁଥିଲେ ? (୧) ପୀଡ଼ିତ ଜନଙ୍କ ପ୍ରତି ତାଙ୍କର ଦୟା ଆସୁଥିଲା, ତେଣୁ ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲୋ (୨) ତାହାର ଏହି ଆଶ୍ଚର୍ଯ୍ୟକର୍ମ ତାଙ୍କୁ ପରମେଶ୍ୱଙ୍କ ପୁତ୍ର ବୋଲି ପ୍ରମାଣିତ କରିଥିଲା । (୩) ଯେତେବେଳେ ସେ ରାଜା ହୋଇ ପୃଥିବୀକୁ ଶାସନ କରିବେ ସେତେବେଳେ ଆଜ୍ଞାଧୀନ ମାନବଜାତି ପାଇଁ କʼଣ କରିବେ ତାହା ସେଥିରୁ ସୂଚିତ ହୋଇଥିଲା । —ମାଥିଉ ୧୪:୧୪; ମାର୍କ ୨:୧୦-୧୨; ଯୋହନ ୫:୨୮, ୨୯.
୬. ଯୀଶୁ ମୃତ୍ୟୁବରଣକଲେ ଓ ପରମେଶ୍ୱରଙ୍କ ଦ୍ୱାରା ଆତ୍ମିକ ଶରୀରରେ ପୁନରୁତ୍ଥିତ ହୋଇ ସ୍ୱର୍ଗକୁ ଫେରିଗଲେ । (୧ ପିତର ୩:୧୮) ସେହିସମୟଠାରୁ ପରମେଶ୍ୱର ତାଙ୍କୁ ରାଜା ରୂପେ ମନୋନୀତ କଲେ । ଅତିଶୀଘ୍ର ଯୀଶୁ ଏହି ଧରାପୃଷ୍ଠରୁ ସକଳ ଦୁଷ୍ଟତା ଓ ଦୁଃଖକଷ୍ଟ ଦୂର କରିଦେବେ ।—ଗୀତସଂହିତା ୩୭:୯-୧୧; ହିତୋପଦେଶ ୨:୨୧, ୨୨.
[୭ ପୃଷ୍ଠାରେ ଚିତ୍ର]
ଯୀଶୁଙ୍କ ସେବାକାର୍ଯ୍ୟରେ ଶିକ୍ଷାଦାନ, ଚମତ୍କାର କର୍ମ ସଂପାଦ ଓ ଏପରିକି ଆମ୍ଭମାନଙ୍କ ପାଇଁ ନିଜର ଜୀବନବଳିଦାନ ସମ୍ମିଳିତ ଥିଲା