इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୪

ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

“ସମସ୍ତଙ୍କୁ ସମାଦର [ଆଦର] କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର ।”—୧ ପିତର ୨:୧୭.

୧, ୨. (କ) ଆମେ କାହାର ମାର୍ଗଦର୍ଶନ ଅନୁସାରେ ଚାଲିବା ଉଚିତ୍‌ ? (ଖ) ଏହି ଅଧ୍ୟାୟରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?

 ହୁଏତ ଛୋଟ ବେଳେ ଏପରି ଅନେକ ଥର ହୋଇଥିବ ଯେତେବେଳେ ଆପଣଙ୍କ ପିତାମାତା ଆପଣଙ୍କୁ କିଛି କାମ କରିବା ପାଇଁ କହିଥିବେ, କିନ୍ତୁ ସେହି କାମ କରିବାକୁ ଆପଣଙ୍କ ମନ ହେଉ ନ ଥିବ । ଆପଣ ନିଜ ପିତାମାତାଙ୍କୁ ପ୍ରେମ କରୁଥିଲେ ଏବଂ ଜାଣୁଥିଲେ ଯେ ତାଙ୍କ କଥା ଶୁଣିବା ଉଚିତ୍‌ । ତଥାପି ବେଳେ ବେଳେ ଆପଣଙ୍କୁ ତାଙ୍କ କଥା ଶୁଣିବାକୁ ଇଚ୍ଛା ହେଉ ନ ଥିଲା ।

ଆମ ପିତା ଯିହୋବା ଆମକୁ ପ୍ରେମ କରନ୍ତି । ସେ ଆମକୁ ସେସବୁ ଦେଇଛନ୍ତି ଯାହାଫଳରେ ଆମେ ଜୀବନର ଆନନ୍ଦ ନେଇପାରିବା । ଆମେ ଏକ ଭଲ ଜୀବନ ଜୀଇଁବା ପାଇଁ ସେ ଆମକୁ ମାର୍ଗଦର୍ଶନ ମଧ୍ୟ ଦିଅନ୍ତି । ସେ ଅନେକ ଥର ଲୋକମାନଙ୍କ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି । ତେଣୁ ଆମେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର କରିବା ଉଚିତ୍‌ । ଆମ ଉପରେ ଅଧିକାର ଦେଇଛନ୍ତି ସେମାନଙ୍କୁ ଆମେ ଆଦର କରିବା ଉଚିତ୍‌ । (ହିତୋପଦେଶ ୨୪:୨୧) କିନ୍ତୁ ବେଳେ ବେଳେ ଆମକୁ ତାଙ୍କ ପରାମର୍ଶ ପାଳନ କରିବା କଷ୍ଟକର ଲାଗିପାରେ । ଏପରି କାହିଁକି ? ଯିହୋବା କାହିଁକି ଚାହାନ୍ତି ଯେ ଆମେ ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବା ? ଆମେ ଯିହୋବାଙ୍କ ଅଧିକାରର ଆଦର କିପରି କରିପାରିବା ?—ଅଧିକ ବିବରଣୀ-୯ ଦେଖନ୍ତୁ ।

ଏହା କାହିଁକି କଷ୍ଟକର ଲାଗିପାରେ ?

୩, ୪. (କ) ଲୋକମାନେ କିପରି ଅପରିପୂର୍ଣ୍ଣ ହୋଇଗଲେ ? (ଖ) ମାର୍ଗଦର୍ଶନଗୁଡ଼ିକୁ ପାଳନ କରିବା କାହିଁକି କଷ୍ଟକର ଲାଗିପାରେ ?

ଲୋକମାନଙ୍କୁ କାହାରି ଅଧିକାରରେ ରହିବା ଭଲ ଲାଗେ ନାହିଁ । ତେଣୁ ସେମାନଙ୍କୁ ଅନ୍ୟମାନଙ୍କର କଥା ଶୁଣିବା କଷ୍ଟକର ଲାଗିପାରେ । ପ୍ରଥମ ମଣିଷ ଆଦମ ଓ ହବାଙ୍କ ସମୟରୁ ହିଁ ଏପରି ହୋଇ ଆସୁଛି । ଯଦିଓ ସେମାନଙ୍କୁ ପରିପୂର୍ଣ୍ଣ ଭାବେ ସୃଷ୍ଟି କରାଯାଇଥିଲା, ତଥାପି ସେମାନେ ଯିହୋବାଙ୍କ ଅଧିକାର ବିରୋଧରେ କାମ କଲେ ଏବଂ ଅପରିପୂର୍ଣ୍ଣ ହୋଇଗଲେ । ତାʼପରେ ଯେତେ ଲୋକ ଜନ୍ମ ହେଲେ ସମସ୍ତେ ଅପରିପୂର୍ଣ୍ଣ ହେଲେ । ଏହି ଅପରିପୂର୍ଣ୍ଣତା ଯୋଗୁଁ ହିଁ ଆମକୁ ଯିହୋବା ଓ ଲୋକମାନଙ୍କଠାରୁ ମିଳୁଥିବା ମାର୍ଗଦର୍ଶନ ଅନୁସାରେ ଚାଲିବା କଷ୍ଟକର ଲାଗିପାରେ । ଏହାଛଡ଼ା, ଆଉ ଗୋଟିଏ କାରଣ ହେଉଛି ଯିହୋବା ଯେଉଁ ଲୋକମାନଙ୍କୁ ଆମ ଉପରେ ଅଧିକାର ଦେଇଛନ୍ତି, ସେମାନେ ମଧ୍ୟ ଅପରିପୂର୍ଣ୍ଣ ।—ଆଦି ପୁସ୍ତକ ୨:୧୫-୧୭; ୩:୧-୭; ଗୀତସଂହିତା ୫୧:୫; ରୋମୀୟ ୫:୧୨.

ଅପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଅତି ସହଜରେ ଆମ ଭିତରେ ଅହଂକାରର ଭାବନା ଆସେ ଏବଂ ମାର୍ଗଦର୍ଶନକୁ ପାଳନ କରିବା ଆମକୁ କଷ୍ଟକର ଲାଗେ । ପ୍ରାଚୀନ ଇସ୍ରାଏଲରେ କୋରହ ନାମକ ବ୍ୟକ୍ତିଙ୍କ ସହ ମଧ୍ୟ ଏପରି ହିଁ ହୋଇଥିଲା । ସେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଥିଲେ, କିନ୍ତୁ ପରେ ସେ ଅହଂକାରୀ ହୋଇଗଲେ । ସେ ମୋଶାଙ୍କ ବହୁତ ଅପମାନ କଲେ । ଯିହୋବା ମୋଶାଙ୍କୁ ଇସ୍ରାଏଲ ରାଷ୍ଟ୍ରର ମାର୍ଗଦର୍ଶନ କରିବା ପାଇଁ ବାଛିଥିଲେ । ଏହା ସତ୍ତ୍ୱେ ସେ ଟିକେ ବି ଅହଂକାରୀ ନ ଥିଲେ । ତାଙ୍କ ବିଷୟରେ ବାଇବଲରେ ଲେଖାଅଛି ଯେ ସେ ସେସମୟର ସବୁଠାରୁ ନମ୍ର ଲୋକ ଥିଲେ । ତଥାପି କୋରହ ମୋଶାଙ୍କର ନିର୍ଦ୍ଦେଶଗୁଡ଼ିକୁ ମାନିବାକୁ ଚାହୁଁ ନ ଥିଲେ । ସେ ଅନେକ ଲୋକଙ୍କୁ ନିଜ ଆଡ଼କୁ କରିନେଲେ ଏବଂ ସେମାନେ ସମସ୍ତେ ମିଶି ମୋଶାଙ୍କ ବିରୋଧୀ ହୋଇଗଲେ । କିନ୍ତୁ ସେମାନଙ୍କୁ ଏହାର ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଲା । ସେମାନଙ୍କୁ ମାରି ଦିଆଗଲା । (ଗଣନା ପୁସ୍ତକ ୧୨:୩; ୧୬:୧-୩, ୩୧-୩୫) ବାଇବଲରେ କୋରହଙ୍କ ପରି ଅନେକ ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କଠାରୁ ଆମେ ଶିଖୁ ଯେ ଅହଂକାରର ପରିଣାମ ବହୁତ ଭୟଙ୍କର ହୋଇଥାଏ ।—୨ ବଂଶାବଳୀ ୨୬:୧୬-୨୧; ଅଧିକ ବିବରଣୀ-୧୦ ଦେଖନ୍ତୁ ।

୫. କିଛି ଲୋକମାନେ ନିଜ ଅଧିକାରର ଭୁଲ ବ୍ୟବହାର କିପରି କଲେ ?

ସାଧାରଣତଃ ଦେଖାଯାଇଛି ଯେ ଅଧିକାର ପାଇବା ପରେ ଲୋକମାନେ ଭ୍ରଷ୍ଟ ହୋଇଯାʼନ୍ତି । ଯଦି ଆମେ ଇତିହାସରେ ଦେଖିବା, ତାହେଲେ ମଧ୍ୟ ଆମେ ଜାଣିପାରିବା ଯେ ଅଧିକାଂଶ ରାଜାମାନେ ନିଜ ଶକ୍ତିର ଭୁଲ ବ୍ୟବହାର କରିଥିଲେ । (ଉପଦେଶକ ୮:୯ ପଢ଼ନ୍ତୁ ।) ଏହାର ଗୋଟିଏ ଉଦାହରଣ ହେଉଛନ୍ତି, ଶାଉଲ । ଯେତେବେଳେ ଯିହୋବା ତାଙ୍କୁ ଇସ୍ରାଏଲ ଦେଶର ରାଜା ଭାବେ ବାଛିଥିଲେ, ସେତେବେଳେ ସେ ଜଣେ ନମ୍ର ଓ ଭଲ ମଣିଷ ଥିଲେ । କିନ୍ତୁ ପରେ ସେ ଅହଂକାରୀ ହୋଇଗଲେ । ସେ ଦାଉଦଙ୍କୁ ଈର୍ଷା କରିବାକୁ ଲାଗିଲେ ଏବଂ ବିନା କୌଣସି କାରଣରେ ତାଙ୍କୁ ଅତ୍ୟାଚାର କରିବାକୁ ଲାଗିଲେ । (୧ ଶାମୁୟେଲ ୯:୨୦, ୨୧; ୧୦:୨୦-୨୨; ୧୮:୭-୧୧) ଶାଉଲଙ୍କ ପରେ ଦାଉଦ ରାଜା ହେଲେ । ସେ ଜଣେ ଭଲ ରାଜା ଥିଲେ । କିନ୍ତୁ ପରେ ସେ ମଧ୍ୟ ନିଜ ଅଧିକାରର ଭୁଲ ବ୍ୟବହାର କଲେ । ସେ ବତ୍‌ଶେବାଙ୍କ ସହ ଅନୈତିକ ଯୌନ ସମ୍ପର୍କ ରଖିଲେ, ଯିଏ ତାଙ୍କ ଏକ ସୈନିକ ଊରୀୟଙ୍କ ପତ୍ନୀ ଥିଲେ । ପରେ ସେ ନିଜ ପାପ ଲୁଚାଇବା ପାଇଁ ଊରୀୟଙ୍କୁ ଯୁଦ୍ଧରେ ପଠାଇ ହତ୍ୟା କରାଇଦେଲେ ।—୨ ଶାମୁୟେଲ ୧୧:୧-୧୭.

ଆମେ ଯିହୋବାଙ୍କ ଅଧିକାରକୁ କାହିଁକି ଆଦର କରୁ ?

୬, ୭. (କ) ଯିହୋବାଙ୍କ ପ୍ରତି ପ୍ରେମ ଥିବା ଯୋଗୁଁ ଆମେ କʼଣ କରୁ ? (ଖ) କେଉଁ ବିଷୟ ପ୍ରତି ଧ୍ୟାନ ରଖିଲେ, ଆମେ ସେତେବେଳେ ମଧ୍ୟ ଯିହୋବାଙ୍କ ଆଜ୍ଞା ପାଳନ କରିପାରିବା, ଯେତେବେଳେ ତାହା କରିବା ସହଜ ହୋଇ ନ ଥାଏ ?

ଆମେ କୌଣସି ଲୋକଙ୍କଠାରୁ ଅଧିକ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ତାହାଙ୍କ ଅଧିକାରକୁ ଆଦର କରୁ ଏବଂ ତାହାଙ୍କୁ ଖୁସି କରିବା ପାଇଁ ଚାହୁଁ । (ହିତୋପଦେଶ ୨୭:୧୧; ମାର୍କ ୧୨:୨୯, ୩୦ ପଢ଼ନ୍ତୁ ।) ପ୍ରଥମ ମଣିଷ ଆଦମ ଓ ହବାଙ୍କ ସମୟରୁ ହିଁ ଶୟତାନ ଏହା ଚେଷ୍ଟା କରିଆସିଛି ଯେ ମଣିଷମାନେ ଯିହୋବାଙ୍କ ଅଧିକାର ଉପରେ ପ୍ରଶ୍ନ କରନ୍ତୁ । ଶୟତାନ ଆମ ମନରେ ସନ୍ଦେହ ସୃଷ୍ଟି କରେ ଯେ ଆମକୁ କʼଣ କରିବା ଉଚିତ୍‌ ଏହା ଜଣାଇବାର ଅଧିକାର ଯିହୋବାଙ୍କ ପାଖରେ ନାହିଁ । କିନ୍ତୁ ଆମେ ଜାଣୁ ଯେ ଏହା ମିଛ ଅଟେ । ଯିହୋବାଙ୍କୁ ଆମ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି । ବାଇବଲ କହେ, “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ ।”—ପ୍ରକାଶିତ ବାକ୍ୟ ୪:୧୧.

ହୁଏତ ଆପଣଙ୍କୁ ଛୋଟବେଳୁ ହିଁ ଏହା ଶିଖାଯାଇଛି ଯେ ଆପଣ ସବୁବେଳେ ନିଜ ପିତାମାତାଙ୍କର ଆଜ୍ଞା ପାଳନ କରିବା ଉଚିତ୍‌, ଏପରିକି ଇଚ୍ଛା ନ ଥିଲେ ମଧ୍ୟ । ଠିକ୍‌ ସେହିପରି, ଯିହୋବାଙ୍କ ଆଜ୍ଞା ପାଳନ କରିବା ମଧ୍ୟ ବେଳେ ବେଳେ ଆମକୁ କଷ୍ଟକର ଲାଗିପାରେ । କିନ୍ତୁ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାହାଙ୍କୁ ଆଦର କରୁ, ତେଣୁ ଆମେ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ପୂରା ଚେଷ୍ଟା କରୁ । ଏ କ୍ଷେତ୍ରରେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଏକ ବଢ଼ିଆ ଉଦାହରଣ ଅଟନ୍ତି । ସେ ଯିହୋବାଙ୍କ ଆଜ୍ଞା ସବୁବେଳେ ପାଳନ କଲେ, ଏପରିକି ଯେତେବେଳେ ତାହା କରିବା ତାଙ୍କ ପାଇଁ ସହଜ ନ ଥିଲା । ଏହା ଯୋଗୁଁ ସେ ନିଜ ପିତାଙ୍କୁ କହିଲେ, “ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।”—ଲୂକ ୨୨:୪୨; ଅଧିକ ବିବରଣୀ-୧୧ ଦେଖନ୍ତୁ ।

୮. ଯିହୋବା ଆମକୁ କିପରି ମାର୍ଗଦର୍ଶନ ଦିଅନ୍ତି ? (“ ପରାମର୍ଶ ପାଳନ କରନ୍ତୁ” ନାମକ ବକ୍ସ ଦେଖନ୍ତୁ ।)

ଆଜି ଯିହୋବା ଆମକୁ ବିଭିନ୍ନ ଉପାୟରେ ମାର୍ଗଦର୍ଶନ ଦିଅନ୍ତି । ଯେପରି— ସେ ଆମକୁ ବାଇବଲ ଦେଇଛନ୍ତି ଏବଂ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିଛନ୍ତି । ଆମେ ପ୍ରାଚୀନମାନଙ୍କ ଆଦର କରିବା ଉଚିତ୍‌ । ଏପରି କରିବା ଦ୍ୱାରା ଆମେ ଯିହୋବାଙ୍କ ଅଧିକାରର ଆଦର କରିଥାଉ । ଯଦି ଆମେ ପ୍ରାଚୀନମାନଙ୍କ ଆଜ୍ଞା ପାଳନ କରିବା ନାହିଁ, ତେବେ ଆମେ ଦେଖାଇବା ଯେ ଆମେ ଯିହୋବାଙ୍କ ଆଜ୍ଞା ମଧ୍ୟ ପାଳନ କରୁ ନାହୁଁ । ଯେତେବେଳେ ଇସ୍ରାଏଲୀୟମାନେ ମୋଶାଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଯିହୋବାଙ୍କୁ ଏହା ଭଲ ଲାଗିଲା ନାହିଁ । ଯିହୋବାଙ୍କ ଦୃଷ୍ଟିରେ ଏହା ଏପରି ଥିଲା, ଯେପରି ସେମାନେ ତାହାଙ୍କ କଥା ଶୁଣୁ ନାହାନ୍ତି ।—ଗଣନା ପୁସ୍ତକ ୧୪:୨୬, ୨୭; ଅଧିକ ବିବରଣୀ-୧୨ ଦେଖନ୍ତୁ ।

୯. ପ୍ରେମ ଆମକୁ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କର ଆଦର କରିବା ପାଇଁ କିପରି ପ୍ରେରଣା ଦିଏ ?

ଯେତେବେଳେ ଆମେ ମଣ୍ଡଳୀରେ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କ ଆଦର କରୁ, ସେତେବେଳେ ଆମେ ଦେଖାଉ ଯେ ଆମେ ଭାଇଭଉଣୀମାନଙ୍କୁ ମଧ୍ୟ ପ୍ରେମ କରୁ । ତାହା କିପରି ? ଏହା ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସେ, ସେତେବେଳେ ରିଲିଫ ଦଳର ଲୋକେ ଅଧିକରୁ ଅଧିକ ଲୋକମାନଙ୍କର ଜୀବନ ରକ୍ଷା କରିବା ପାଇଁ ମିଳିମିଶି କାମ କରନ୍ତି । ସେହି ଦଳର ପ୍ରତ୍ୟେକ ସଦସ୍ୟ ଯେତେବେଳେ ନିର୍ଦ୍ଦେଶ ଦେଉଥିବା ବ୍ୟକ୍ତିଙ୍କ କଥା ଶୁଣିବେ, ସେତେବେଳେ ଭଲଭାବେ କାମ କରିପାରିବେ । ଯଦି ସେହି ଦଳର ଜଣେ ବ୍ୟକ୍ତି ନିର୍ଦ୍ଦେଶ ନ ମାନି ତାକୁ ଯାହା ଠିକ୍‌ ଲାଗେ ସେପରି କରେ, ତେବେ କʼଣ ହେବ ? ତାʼର ଉଦ୍ଦେଶ୍ୟ ଯେତେ ଭଲ ହୋଇଥାଉ ନା କାହିଁକି ତାʼର ଏହି କାମ ଯୋଗୁଁ ଦଳର ଅନ୍ୟ ସଦସ୍ୟମାନଙ୍କ ଉପରେ ସମସ୍ୟା ଆସିପାରେ । ଏପରିକି କାହାରିକୁ ଆଘାତ ମଧ୍ୟ ଲାଗିପାରେ । ଠିକ୍‌ ସେହିପରି, ଯେତେବେଳେ ଆମେ ଯିହୋବାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲିବା ନାହିଁ ଏବଂ ଅଧିକାର ଥିବା ବ୍ୟକ୍ତିଙ୍କର କଥା ଶୁଣିବା ନାହିଁ, ସେତେବେଳେ ଆମ ଭାଇଭଉଣୀଙ୍କୁ ମଧ୍ୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ । କିନ୍ତୁ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ଆମେ ଦେଖାଉ ଯେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ ଏବଂ ଯିହୋବାଙ୍କ ବ୍ୟବସ୍ଥାକୁ ସହଯୋଗ କରୁ ।—୧ କରିନ୍ଥୀୟ ୧୨:୧୪, ୨୫, ୨୬.

୧୦, ୧୧. ବର୍ତ୍ତମାନ ଆମେ କେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ?

୧୦ ଯିହୋବା ଆମକୁ ଯାହା ବି କରିବା ପାଇଁ କହନ୍ତି, ତାହା ଆମ ଭଲ ପାଇଁ କହନ୍ତି । ଯେତେବେଳେ ଆମେ ପରିବାରରେ, ମଣ୍ଡଳୀରେ ଅଧିକାର ରଖୁଥିବା ବ୍ୟକ୍ତିମାନଙ୍କର ଏବଂ ସରକାରୀ ଅଧିକାରୀମାନଙ୍କର ଆଦର କରୁ, ସେତେବେଳେ ସମସ୍ତଙ୍କର ମଙ୍ଗଳ ହୋଇଥାଏ ।—ଦ୍ୱିତୀୟ ବିବରଣ ୫:୧୬; ରୋମୀୟ ୧୩:୪; ଏଫିସୀୟ ୬:୨, ୩; ଏବ୍ରୀ ୧୩:୧୭.

୧୧ ଯଦି ଆମେ ଧ୍ୟାନ ଦେବା ଯେ ଯିହୋବା ଆମକୁ ଅନ୍ୟମାନଙ୍କ ଆଦର କରିବା ପାଇଁ କାହିଁକି କହନ୍ତି, ତେବେ ଆମ ପାଇଁ ସେମାନଙ୍କୁ ଆଦର କରିବା ସହଜ ହୋଇଯିବ । ଆସନ୍ତୁ ଦେଖିବା ଜୀବନର ତିନୋଟି କ୍ଷେତ୍ରରେ ଆମେ କିପରି ଅନ୍ୟମାନଙ୍କ ଆଦର କରିପାରିବା ।

ପରିବାରରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

୧୨. ଜଣେ ପତି ଯିହୋବାଙ୍କ ଆଦର କିପରି କରିପାରିବ ?

୧୨ ପରିବାରର ବ୍ୟବସ୍ଥା ଯିହୋବା କରିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିଜ ନିଜ ଭୂମିକା ରହିଛି । ଯେତେବେଳେ ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ଭୂମିକା ଭଲଭାବେ ବୁଝନ୍ତି ଓ ତୁଲାନ୍ତି, ସେତେବେଳେ ପରିବାର ଭଲଭାବେ ଚାଲେ ଏବଂ ସମସ୍ତେ ଖୁସିରେ ରହନ୍ତି । (୧ କରିନ୍ଥୀୟ ୧୪:୩୩) ଯିହୋବା ପରିବାରରେ ପତିଙ୍କୁ ମୁଖିଆ ଭାବେ ନିଯୁକ୍ତ କରିଛନ୍ତି । ଏହାର ଅର୍ଥ, ଯିହୋବା ପତିମାନଙ୍କଠାରୁ ଆଶା କରନ୍ତି ଯେ ସେମାନେ ନିଜ ପତ୍ନୀ ଓ ପିଲାମାନଙ୍କର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କୁ ସଠିକ୍‌ ବାଟ ଦେଖାନ୍ତୁ । ଜଣେ ପତି ନିଜ ପରିବାରର ଯେପରି ଯତ୍ନ ନିଅନ୍ତି, ତାʼ ପାଇଁ ସେ ଯିହୋବାଙ୍କ ନିକଟରେ ଉତ୍ତର ଦେବା ପାଇଁ ଦାୟୀ । ଜଣେ ଖ୍ରୀଷ୍ଟିୟାନ ପତିକୁ ନିଜ ପତ୍ନୀ ଓ ପିଲାମାନଙ୍କ ସହ ପ୍ରେମର ସହିତ ବ୍ୟବହାର କରିବା ଉଚିତ୍‌, ଠିକ୍‌ ଯେପରି ଯୀଶୁ ମଣ୍ଡଳୀ ସହିତ ବ୍ୟବହାର କରନ୍ତି । ଯଦି ଜଣେ ପତି ଏପରି କରେ, ତେବେ ସେ ଦେଖାଏ ଯେ ସେ ଯିହୋବାଙ୍କୁ ଆଦର କରୁଛି ।—ଏଫିସୀୟ ୫:୨୩; ଅଧିକ ବିବରଣୀ-୧୩ ଦେଖନ୍ତୁ ।

ଜଣେ ପିତା ନିଜ ପରିବାରର ଯତ୍ନ ନେଇ ଦେଖାଉଛନ୍ତି ଯେ ସେ ଖ୍ରୀଷ୍ଟଙ୍କୁ ଅନୁକରଣ କରୁଛନ୍ତି

୧୩. ଜଣେ ପତ୍ନୀ ନିଜ ପତିଙ୍କ ଆଦର କିପରି କରିପାରିବ ?

୧୩ ପତ୍ନୀଙ୍କ ଭୂମିକା ମଧ୍ୟ ବହୁତ ମହତ୍ତ୍ୱ ରଖେ । ଈଶ୍ୱର ତାଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି । ଯେତେବେଳେ ସେ ନିଜ ପତିଙ୍କୁ ପୂରାପୂରି ସହଯୋଗ କରନ୍ତି, ସେତେବେଳେ ପତି ମୁଖିଆ ଭାବରେ ଥିବା ନିଜ ଦାୟିତ୍ୱକୁ ଭଲଭାବେ ତୁଲାଇପାରନ୍ତି । ପତିଙ୍କ ସହ ତାଙ୍କୁ ମଧ୍ୟ ପିଲାମାନଙ୍କୁ ଶିଖାଇବାର ଦାୟିତ୍ୱ ଦିଆଯାଇଛି । ଏପରି କରିବାର ଗୋଟିଏ ଉପାୟ ହେଉଛି, ସେ ନିଜେ ପତିଙ୍କୁ ଆଦର କରି ପିଲାମାନଙ୍କୁ ଆଦର କରିବା ଶିଖାଇପାରିବେ । (ହିତୋପଦେଶ ୧:୮) ସେ ନିଜ ପତିଙ୍କ ନିଷ୍ପତ୍ତିକୁ ଆଦର କରନ୍ତି ଓ ସହଯୋଗ କରନ୍ତି । ଯଦି କୌଣସି ନିଷ୍ପତ୍ତିକୁ ନେଇ ସେ ନିଜ ପତିଙ୍କ ସହ ସହମତ ହୁଅନ୍ତି ନାହିଁ, ତେବେ ମଧ୍ୟ ସେ ନିଜ କଥା ତାଙ୍କୁ ଆଦରର ସହ କହନ୍ତି । ଯଦି ଜଣେ ଭଉଣୀଙ୍କ ପତି ସାକ୍ଷୀ ନୁହନ୍ତି, ତେବେ ତାଙ୍କୁ ଅନ୍ୟ ଏକ ସମସ୍ୟାର ସାମନା ମଧ୍ୟ କରିବାକୁ ପଡ଼ିପାରେ । ଏପରି ସମୟରେ ଯଦି ସେ ନିଜ ପତିଙ୍କୁ ପ୍ରେମ କରିବେ ଏବଂ ତାଙ୍କ ଆଦର କରିବେ, ତେବେ ହୋଇପାରେ ଦିନେ ତାଙ୍କ ପତି ମଧ୍ୟ ଯିହୋବାଙ୍କୁ ଜାଣିବା ପାଇଁ ଏବଂ ତାହାଙ୍କ ଉପାସନା କରିବା ପାଇଁ ପଦକ୍ଷେପ ନେବେ ।୧ ପିତର ୩:୧, ୨ ପଢ଼ନ୍ତୁ ।

୧୪. ପିଲାମାନେ ନିଜ ପିତାମାତାଙ୍କର ଆଦର କିପରି କରିପାରିବେ ?

୧୪ ପିଲାମାନେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି । ସେ ଚାହାନ୍ତି ଯେ ପିତାମାତା ସେମାନଙ୍କ ଯତ୍ନ ନିଅନ୍ତୁ ଏବଂ ସେମାନଙ୍କୁ ଠିକ୍‌ ବାଟ ଦେଖାନ୍ତୁ । ଯେତେବେଳେ ପିଲାମାନେ ପିତାମାତାଙ୍କ କଥା ଶୁଣନ୍ତି, ସେତେବେଳେ ସେମାନେ ନିଜ ପିତାମାତାଙ୍କୁ ଖୁସି କରନ୍ତି । ସେମାନେ ଯିହୋବାଙ୍କୁ ଆଦର କରନ୍ତି ଏବଂ ତାହାଙ୍କୁ ଖୁସି ମଧ୍ୟ କରନ୍ତି । (ହିତୋପଦେଶ ୧୦:୧) ଅନେକ ପରିବାରଗୁଡ଼ିକରେ କେବଳ ମାଆ କିମ୍ବା ବାପା ଥାʼନ୍ତି । ସେମାନଙ୍କୁ ଏକୁଟିଆ ହିଁ ନିଜ ପିଲାମାନଙ୍କ ଯତ୍ନ ନେବାକୁ ପଡ଼ିଥାଏ । ଏପରି ସମୟରେ ମାଆ କିମ୍ବା ବାପାଙ୍କ ସହିତ ପିଲାମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥାଏ । କିନ୍ତୁ ଯଦି ପିଲାମାନେ ମାଆ କିମ୍ବା ବାପାଙ୍କ କଥା ଶୁଣିବେ ଏବଂ ତାଙ୍କୁ ସହଯୋଗ କରିବେ, ତେବେ ସମସ୍ୟା କମ୍‌ ହୋଇପାରିବ । ପରିବାରରେ ପିତାମାତା ଦୁହେଁ ଥାʼନ୍ତୁ କିମ୍ବା କେବଳ ମାଆ କିମ୍ବା ବାପା ଥାʼନ୍ତୁ, ଏପରି କୌଣସି ପରିବାର ନାହିଁ ଯେଉଁଠି ସମସ୍ୟା ନାହିଁ । ଏହା ସତ୍ତ୍ୱେ, ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଯିହୋବାଙ୍କ ମାର୍ଗଦର୍ଶନକୁ ମାନିବେ, ତାହେଲେ ପରିବାର ସୁଖୀ ହୋଇପାରିବ । ଏହାଦ୍ୱାରା ଯିହୋବାଙ୍କ ମହିମା ହେବ, ଯିଏ ପରିବାରର ବ୍ୟବସ୍ଥା କରିଛନ୍ତି ।—ଏଫିସୀୟ ୩:୧୪, ୧୫.

ମଣ୍ଡଳୀରେ ଅଧିକାର ଥିବା ବ୍ୟକ୍ତିଙ୍କର ଆଦର

୧୫. ମଣ୍ଡଳୀରେ ଆମେ ଯିହୋବାଙ୍କ ଆଦର କିପରି କରିପାରିବା ?

୧୫ ଯିହୋବା ଖ୍ରୀଷ୍ଟୀୟ ମଣ୍ଡଳୀ ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି । ସେ ଯୀଶୁଙ୍କୁ ମଣ୍ଡଳୀ ଉପରେ ପୂରା ଅଧିକାର ଦେଇଛନ୍ତି । (କଲସୀୟ ୧:୧୮) ପୃଥିବୀରେ ଯୀଶୁ ନିଜ ଲୋକମାନଙ୍କ ଯତ୍ନ ନେବାର ଦାୟିତ୍ୱ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ଦେଇଛନ୍ତି । (ମାଥିଉ ୨୪:୪୫-୪୭) ସେହି “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ପ୍ରଶାସନ ଦଳ ଅଟେ । ଆମ ବିଶ୍ୱାସ ମଜବୁତ୍‌ ରହିବା ପାଇଁ ଆମକୁ ଯାହା ଦରକାର, ପ୍ରଶାସନ ଦଳ ସଠିକ୍‌ ସମୟରେ ସେସବୁ ଆମକୁ ଦେଇଥାଏ । ପ୍ରଶାସନ ଦଳ ପ୍ରାଚୀନ, ସହାୟକ ସେବକସର୍କିଟ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶନ ଦିଏ, ଯେଉଁମାନେ ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକର ଯତ୍ନ ନିଅନ୍ତି । ଏହି ସମସ୍ତ ଭାଇମାନଙ୍କୁ ଆମର ଯତ୍ନ ନେବାର ଦାୟିତ୍ୱ ଦିଆଯାଇଛି । ସେମାନେ ନିଜ ଦାୟିତ୍ୱ ଯେପରି ଭାବରେ ତୁଲାନ୍ତି, ତାʼ ପାଇଁ ସେମାନେ ଯିହୋବାଙ୍କ ନିକଟରେ ଉତ୍ତର ଦେବା ପାଇଁ ଦାୟୀ । ଯେତେବେଳେ ଆମେ ସେମାନଙ୍କୁ ଆଦର କରୁ, ସେତେବେଳେ ଆମେ ଯିହୋବାଙ୍କୁ ଆଦର କରିଥାଉ ।—୧ ଥେସଲନୀକୀୟ ୫:୧୨; ଏବ୍ରୀ ୧୩:୧୭ ପଢ଼ନ୍ତୁ; ଅଧିକ ବିବରଣୀ-୧୪ ଦେଖନ୍ତୁ ।

୧୬. ଆମେ କାହିଁକି କହିପାରିବା ଯେ ପ୍ରାଚୀନ ଓ ସହାୟକ ସେବକମାନଙ୍କୁ ପବିତ୍ର ଶକ୍ତି ଜରିଆରେ ନିଯୁକ୍ତ କରାଯାଏ ?

୧୬ ପ୍ରାଚୀନ ଓ ସହାୟକ ସେବକମାନେ ମଣ୍ଡଳୀର ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି, ଯାହାଫଳରେ ସେମାନଙ୍କ ବିଶ୍ୱାସ ମଜବୁତ୍‌ ହୁଏ ଏବଂ ସେମାନଙ୍କ ମଧ୍ୟରେ ଏକତା ରହେ । ସେମାନେ ମଧ୍ୟ ଆମ ପରି ଅପରିପୂର୍ଣ୍ଣ ମଣିଷ ଅଟନ୍ତି, ତଥାପି ସେମାନଙ୍କୁ ଏହି ଦାୟିତ୍ୱ ପାଇଁ ପବିତ୍ର ଶକ୍ତି ଦ୍ୱାରା ନିଯୁକ୍ତ କରାଯାଏ । ଆମେ ଏହା କାହିଁକି କହିପାରିବା ? ଏହି ଦାୟିତ୍ୱ ପାଇଁ ଏପରି ଭାଇମାନଙ୍କୁ ବଛାଯାଏ, ଯେଉଁମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରଣ କରିଥାʼନ୍ତି । (୧ ତୀମଥି ୩:୧-୭, ୧୨; ତୀତସ ୧:୫-୯) ଏହି ଯୋଗ୍ୟତା ପବିତ୍ର ଶକ୍ତି ଜରିଆରେ ଲେଖାଯାଇଛି । ତାʼ ସହ ମଣ୍ଡଳୀର ପ୍ରାଚୀନମାନେ କୌଣସି ଭାଇକୁ ପ୍ରାଚୀନ କିମ୍ବା ସହାୟକ ସେବକ ଭାବେ ନିଯୁକ୍ତ କରିବା ସମୟରେ ପବିତ୍ର ଶକ୍ତି ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଥାʼନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ମଣ୍ଡଳୀର ମାର୍ଗଦର୍ଶନ ଯିହୋବା ଓ ଯୀଶୁ ହିଁ କରୁଛନ୍ତି । (ପ୍ରେରିତ ୨୦:୨୮) ଯେଉଁ ଭାଇମାନଙ୍କୁ ଆମର ଯତ୍ନ ନେବା ଏବଂ ଆମକୁ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଛି, ସେମାନେ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟନ୍ତି ।—ଏଫିସୀୟ ୪:୮, ୧୧.

୧୭. ଜଣେ ଭଉଣୀ କିପରି ଦେଖାଇପାରିବେ ଯେ ସେ ଯିହୋବାଙ୍କ ବ୍ୟବସ୍ଥାକୁ ଆଦର କରନ୍ତି ?

୧୭ ବେଳେ ବେଳେ ହୁଏତ ମଣ୍ଡଳୀର ଦାୟିତ୍ୱ ତୁଲାଇବା ପାଇଁ କୌଣସି ପ୍ରାଚୀନ କିମ୍ବା ସହାୟକ ସେବକ ନ ଥାଇପାରନ୍ତି । ଏପରି ସମୟରେ ବାପ୍ତିସ୍ମପ୍ରାପ୍ତ ଅନ୍ୟ ଭାଇମାନେ ଏହି କାମ କରିପାରିବେ । ଯଦି ଏପରି କୌଣସି ଭାଇ ନ ଥିଲେ, ଜଣେ ଭଉଣୀ ଏହି କାମ କରିପାରେ । କିନ୍ତୁ ତାଙ୍କୁ ଏହି ଦାୟିତ୍ୱ ତୁଲାଇବା ସମୟରେ ନିଜ ମୁଣ୍ଡରେ ଓଢ଼ଣୀ ଦେବା ଉଚିତ୍‌ । (୧ କରିନ୍ଥୀୟ ୧୧:୩-୧୦) ମଣ୍ଡଳୀରେ କିମ୍ବା ପରିବାରରେ ଏପରି ଦାୟିତ୍ୱ ତୁଲାଇବା ସମୟରେ ସେ ମୁଣ୍ଡରେ ଓଢ଼ଣୀ ଦେଇ ଦେଖାନ୍ତି ଯେ ସେ ଯିହୋବାଙ୍କ ବ୍ୟବସ୍ଥାକୁ ଆଦର କରୁଛନ୍ତି ।—ଅଧିକ ବିବରଣୀ-୧୫ ଦେଖନ୍ତୁ ।

ସରକାରୀ ଅଧିକାରୀମାନଙ୍କୁ ଆଦର

୧୮, ୧୯. (କ) ରୋମୀୟ ୧୩:୧-୭ ପଦରୁ ଆମେ କʼଣ ଶିଖୁ ? (ଖ) ଆମେ ଅଧିକାରୀମାନଙ୍କୁ ଆଦର କିପରି କରିପାରିବା ?

୧୮ ଯିହୋବା ସରକାରକୁ କିଛି ଅଧିକାର ଦେଇଛନ୍ତି । ତେଣୁ ଆମେ ସରକାରୀ ଅଧିକାରୀମାନଙ୍କୁ ଆଦର କରିବା ଉଚିତ୍‌ । ସେମାନେ ଦେଶ ଓ ସମାଜ ପାଇଁ ଭଲ ବ୍ୟବସ୍ଥା କରନ୍ତି । ଫଳରେ ସାଧାରଣ ଜନତା ହଇରାଣ ହୁଏ ନାହିଁ ଏବଂ ସେମାନଙ୍କୁ ଆବଶ୍ୟକ ହେଉଥିବା ସେବା ମିଳେ । ରୋମୀୟ ୧୩:୧-୭ (ପଢ଼ନ୍ତୁ ।) ପଦରେ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଆମେ ପାଳନ କରୁ । ଆମେ ନିଜ ଦେଶ ଓ ଅଞ୍ଚଳର “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଆଦର କରିବା ଉଚିତ୍‌ ଏବଂ ସେମାନଙ୍କ ନିୟମଗୁଡ଼ିକୁ ପାଳନ କରିବା ଉଚିତ୍‌ । ଏ ନିୟମଗୁଡ଼ିକ ଆମ ପରିବାର, ବ୍ୟାପାର, ଚାକିରି କିମ୍ବା ଆମ ଜମିବାଡ଼ି ବିଷୟରେ ହୋଇପାରେ । ଯେପରି— ସରକାରକୁ କର ଦେବା କିମ୍ବା ଏପରି ତଥ୍ୟ ଦେବା ଯାହା ସେ ଆମଠାରୁ ଚାହାନ୍ତି । କିନ୍ତୁ ଯଦି ସରକାର ଆମକୁ ଈଶ୍ୱରଙ୍କ ନିୟମ ବିରୁଦ୍ଧରେ କୌଣସି କାମ କରିବାକୁ କହେ, ତାହେଲେ ଆମେ କʼଣ କରିବା ଉଚିତ୍‌ ? ଏବିଷୟରେ ପ୍ରେରିତ ପିତର କହିଥିଲେ, “ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।”—ପ୍ରେରିତ ୫:୨୮, ୨୯.

୧୯ ଯେତେବେଳେ ଆମେ କୌଣସି କାମ ଯୋଗୁଁ ସରକାରୀ ଅଧିକାରୀମାନଙ୍କ ପାଖକୁ ଯାଉ, ଯେପରି ନ୍ୟାୟଧୀଶ କିମ୍ବା ପୋଲିସ ଅଧିକାରୀମାନଙ୍କ ପାଖରେ, ସେତେବେଳେ ଆମେ ତାଙ୍କ ସହିତ ଆଦରର ସହ ବ୍ୟବହାର କରିବା ଉଚିତ୍‌ । ସ୍କୁଲ ଯାଉଥିବା ପିଲାମାନଙ୍କୁ ନିଜ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଆଦର କରିବା ଉଚିତ୍‌ । ଯଦିଓ ଆମେ କାମ କରୁଥିବା ଜାଗାରେ ଅନ୍ୟ କର୍ମଚାରୀମାନେ ମାଲିକଙ୍କୁ ଆଦର କରନ୍ତି ନାହିଁ, ତଥାପି ଆମେ ତାଙ୍କୁ ଆଦର କରିବା ଉଚିତ୍‌ । ଯେତେବେଳେ ଆମେ ଏପରି କରୁ, ସେତେବେଳେ ଆମେ ପ୍ରେରିତ ପାଉଲଙ୍କୁ ଅନୁକରଣ କରିଥାଉ । ଯଦିଓ ଅଧିକାରୀମାନଙ୍କୁ ଆଦର କରିବା ତାଙ୍କ ପାଇଁ କଠିନ ଥିଲା, ତଥାପି ସେ ସେମାନଙ୍କୁ ଆଦର କରୁଥିଲେ । (ପ୍ରେରିତ ୨୬:୨, ୨୫) ଯେତେବେଳେ କେହି ଆମ ସହ ଖରାପ ବ୍ୟବହାର କରନ୍ତି, ସେତେବେଳେ ମଧ୍ୟ ଆମେ ତାଙ୍କୁ ଆଦର କରିବା ଉଚିତ୍‌ ।—ରୋମୀୟ ୧୨:୧୭, ୧୮ ପଢ଼ନ୍ତୁ; ୧ ପିତର ୩:୧୫.

୨୦, ୨୧. ଅନ୍ୟମାନଙ୍କ ଆଦର କରିବା ଦ୍ୱାରା ଆମର କʼଣ ଲାଭ ହୋଇପାରେ ?

୨୦ ଆଜି ଦୁନିଆରେ ବହୁତ କମ୍‌ ଲୋକ ଅନ୍ୟମାନଙ୍କୁ ଆଦର କରନ୍ତି । କିନ୍ତୁ ଯିହୋବାଙ୍କ ଲୋକମାନେ ସେପରି ନୁହନ୍ତି । ସେମାନେ ସମସ୍ତଙ୍କୁ ଆଦର କରନ୍ତି । ସେମାନେ ପ୍ରେରିତ ପିତରଙ୍କ ଏହି ପରାମର୍ଶ ମାନନ୍ତି, “ସମସ୍ତଙ୍କୁ ସମାଦର [ଆଦର] କର ।” (୧ ପିତର ୨:୧୭) ଯେତେବେଳେ ଆମେ ଲୋକମାନଙ୍କୁ ଆଦର କରୁ, ସେତେବେଳେ ସେମାନେ ଆମ ପ୍ରତି ଧ୍ୟାନ ଦିଅନ୍ତି । ତେଣୁ ଯୀଶୁ ଆମକୁ କହିଲେ, “ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।”—ମାଥିଉ ୫:୧୬.

୨୧ ଯେତେବେଳେ ଆମେ ପରିବାରର ଓ ମଣ୍ଡଳୀର ଲୋକମାନଙ୍କୁ ଆଦର କରୁ ଏବଂ ଅନ୍ୟ ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଉ, ସେତେବେଳେ ଆମ ଚାଲିଚଳନ ଦେଖି ହୁଏତ ଲୋକେ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିବେ । ଯେତେବେଳେ ଆମେ ଲୋକମାନଙ୍କ ଆଦର କରିଥାଉ, ସେତେବେଳେ ପ୍ରକୃତରେ ଆମେ ଯିହୋବାଙ୍କ ଆଦର କରୁ । ଏହାଦ୍ୱାରା ଯିହୋବା ଖୁସି ହୁଅନ୍ତି ଏବଂ ଆମେ ଦେଖାଉ ଯେ ଆମେ ତାହାଙ୍କୁ ପ୍ରେମ କରୁ ।