इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧିକ ବିବରଣୀ

ଅଧିକ ବିବରଣୀ

 ୧ ସିଦ୍ଧାନ୍ତ

ଈଶ୍ୱର ବାଇବଲରେ ଯେଉଁ ସତ୍ୟଗୁଡ଼ିକ ଲେଖାଇଛନ୍ତି, ସେଗୁଡ଼ିକ ତାହାଙ୍କ ସିଦ୍ଧାନ୍ତ ଅଟେ । ତାହାଙ୍କ ନିୟମ ଏହି ସିଦ୍ଧାନ୍ତଗୁଡ଼ିକ ଉପରେ ଆଧାରିତ । ଏଗୁଡ଼ିକ ସାହାଯ୍ୟରେ ଆମେ ଜାଣିପାରିବା ଯେ କୌଣସି ମାମଲାରେ ଯିହୋବାଙ୍କ ଦୃଷ୍ଟିକୋଣ ଓ ତାହାଙ୍କ ପସନ୍ଦ ନାପସନ୍ଦ କʼଣ । ଏହାଦ୍ୱାରା ଆମେ ସଠିକ୍‌ ନିଷ୍ପତ୍ତି ନେଇପାରୁ । ବିଶେଷ କରି ଯେଉଁ ମାମଲାଗୁଡ଼ିକରେ ଯିହୋବା କୌଣସି ନିୟମ ଦେଇ ନାହାନ୍ତି, ସେହି ମାମଲାଗୁଡ଼ିକରେ ଆମେ ସିଦ୍ଧାନ୍ତ ସାହାଯ୍ୟରେ ଜାଣିପାରିବା ଯେ ଆମେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ ।

୧ ଅଧ୍ୟାୟ, ୮ ଅନୁଚ୍ଛେଦ

 ୨ ଆଜ୍ଞା ପାଳନ କରିବା

ଯିହୋବାଙ୍କ ଆଜ୍ଞା ପାଳନ କରିବାର ଅର୍ଥ ଆମେ ନିଜ ଇଚ୍ଛାରେ ତାହାଙ୍କ ଆଜ୍ଞା ପାଳନ କରିବା । ସେ ଚାହାନ୍ତି ଯେ ଆମେ ତାହାଙ୍କ ପ୍ରତି ଥିବା ପ୍ରେମ ଯୋଗୁଁ ତାହାଙ୍କ ଆଜ୍ଞା ପାଳନ କରୁ । (୧ ଯୋହନ ୫:୩) ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁ ଏବଂ ତାହାଙ୍କ ଉପରେ ଭରସା କରୁ, ତାହେଲେ ଆମେ ପ୍ରତ୍ୟେକ କ୍ଷେତ୍ରରେ ତାହାଙ୍କ ଆଜ୍ଞା ପାଳନ କରିବା । ଆମେ ସବୁବେଳେ ତାହାଙ୍କ ଆଜ୍ଞା ପାଳନ କରିବା, ଏପରିକି କଠିନ ପରିସ୍ଥିତିରେ ମଧ୍ୟ । ଯିହୋବାଙ୍କ ଆଜ୍ଞା ପାଳନ କଲେ, ଆମର ହିଁ ମଙ୍ଗଳ ହୁଏ । ସେ କହିଛନ୍ତି ଯେ ଆଜି ଆମେ ଏକ ଉତ୍ତମ ଜୀବନ କିପରି ଜୀଇଁପାରିବା ଏବଂ ପ୍ରତିଜ୍ଞା କରିଛନ୍ତି ଯେ ଭବିଷ୍ୟତରେ ସେ ଆମକୁ ବହୁତ ଆଶିଷ ଦେବେ ।—ଯିଶାଇୟ ୪୮:୧୭.

୧ ଅଧ୍ୟାୟ, ୧୦ ଅନୁଚ୍ଛେଦ

 ୩ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା

ଯିହୋବା ଆମକୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଦେଇଛନ୍ତି, ଅର୍ଥାତ୍‌ ଆମେ କୌଣସି ମାମଲାରେ କʼଣ କରିବା ଓ କʼଣ ନାହିଁ, ତାହା ନିଷ୍ପତ୍ତି ନେବାର ଦକ୍ଷତା ସେ ଆମକୁ ଦେଇଛନ୍ତି । (ଦ୍ୱିତୀୟ ବିବରଣ ୩୦:୧୯; ଯିହୋଶୂୟ ୨୪:୧୫) ଯଦି ଆମେ ନିଜ ସ୍ୱାଧୀନତାର ସଠିକ୍‌ ବ୍ୟବହାର କରିବା ନାହିଁ, ତେବେ ହୁଏତ ଆମେ ଭୁଲ ନିଷ୍ପତ୍ତି ନେଇପାରୁ । ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ନା ନାହିଁ, ତାହା ନିଷ୍ପତ୍ତି ନେବାର ସ୍ୱାଧୀନତା ମଧ୍ୟ ସେ ଆମକୁ ଦେଇଛନ୍ତି । ଯଦି ଆମେ ତାହାଙ୍କ ବିଶ୍ୱସ୍ତ ରହିବା, ତେବେ ଆମେ ପ୍ରମାଣ କରିପାରିବା ଯେ ଆମେ ପ୍ରକୃତରେ ତାହାଙ୍କୁ ପ୍ରେମ କରୁ ।

୧ ଅଧ୍ୟାୟ, ୧୨ ଅନୁଚ୍ଛେଦ

 ୪ ନୈତିକ ମାନଦଣ୍ଡ

ଯିହୋବା ଆମ ପାଇଁ ନୈତିକ ମାନଦଣ୍ଡ ସ୍ଥିର କରିଛନ୍ତି, ଅର୍ଥାତ୍‌ ସେ ଆମକୁ କହନ୍ତି ଯେ ଆମ ଚାଲିଚଳନ ଓ ବ୍ୟବହାର କିପରି ହେବା ଉଚିତ୍‌ । ବାଇବଲରୁ ଆମେ ଜାଣିପାରୁ ଯେ ଏହି ମାନଦଣ୍ଡଗୁଡ଼ିକ କʼଣ କʼଣ ଏବଂ ସେଗୁଡ଼ିକ ଅନୁସାରେ ଚାଲିଲେ ଆମେ ଭଲ ଜୀବନ କିପରି ଜୀଇଁପାରିବା । (ହିତୋପଦେଶ ୬:୧୬-୧୯; ୧ କରିନ୍ଥୀୟ ୬:୯-୧୧) ଏହି ମାନଦଣ୍ଡଗୁଡ଼ିକ ସାହାଯ୍ୟରେ ଆମେ ଜାଣିପାରୁ ଯେ ଯିହୋବାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ । ଆମେ ଏହା ମଧ୍ୟ ଜାଣିପାରୁ ଯେ ସମସ୍ତଙ୍କ ସହିତ ପ୍ରେମର ସହ କିପରି ରହିବା, ସଠିକ୍‌ ନିଷ୍ପତ୍ତି କିପରି ନେବା ଏବଂ ଲୋକମାନଙ୍କୁ ସାହାଯ୍ୟ କିପରି କରିବା । ଯଦିଓ ଜଗତର ନୈତିକ ମାନଦଣ୍ଡ ଦିନକୁ ଦିନ ଖସି ଚାଲିଛି, ତଥାପି ଯିହୋବାଙ୍କ ମାନଦଣ୍ଡ କେବେ ମଧ୍ୟ ବଦଳେ ନାହିଁ । (ଦ୍ୱିତୀୟ ବିବରଣ ୩୨:୪-୬; ମଲାଖି ୩:୬) ଏହି ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିଲେ ଆମେ ଶାରୀରିକ କଷ୍ଟ, ଚିନ୍ତା ଓ ନିରାଶାରୁ ରକ୍ଷା ପାଇପାରିବା ।

୧ ଅଧ୍ୟାୟ, ୧୭ ଅନୁଚ୍ଛେଦ

 ୫ ବିବେକ

ବିବେକ ଆମ ନିଜ ଭିତରୁ ଆସୁଥିବା ଆବାଜ୍‌ ଅଟେ, ଯାହା ଆମକୁ ଠିକ୍‌ କʼଣ ଓ ଭୁଲ କʼଣ ଜାଣିବା ପାଇଁ ସାହାଯ୍ୟ କରେ । ଯିହୋବା ପ୍ରତ୍ୟେକ ବ୍ୟକ୍ତିକୁ ବିବେକ ଦେଇଛନ୍ତି । (ରୋମୀୟ ୨:୧୪, ୧୫) ଯଦି ଆମେ ଚାହୁଁ ଯେ ଆମ ବିବେକ ସଠିକ୍‌ ଭାବେ କାମ କରୁ, ତେବେ ଆମେ ତାକୁ ଯିହୋବାଙ୍କ ନୈତିକ ମାନଦଣ୍ଡ ଅନୁସାରେ ପ୍ରଶିକ୍ଷଣ ଦେବା ଉଚିତ୍‌ । ଏହା କଲେ ଆମେ ଏପରି ନିଷ୍ପତ୍ତି ନେଇପାରିବା, ଯେଉଁଥିରୁ ଯିହୋବା ଖୁସି ହେବେ । (୧ ତୀମଥି ୧:୧୯) କୌଣସି ଭୁଲ କରିବା ପୂର୍ବରୁ ଏହା ଆମକୁ ସତର୍କ କରାଏ କିମ୍ବା କୌଣସି ଭୁଲ କଲାପରେ ଏହା ଆମକୁ ବାରମ୍ବାର ହୃଦୟଙ୍ଗମ କରାଏ ଯେ ଆମେ ଯାହା କରିଛୁ, ତାହା ଭୁଲ ଅଟେ । ହୁଏତ ଆମ ବିବେକ ଠିକ୍‌ ଭାବେ କାମ କରି ନ ପାରେ, କିନ୍ତୁ ଆମେ ଯିହୋବାଙ୍କ ସାହାଯ୍ୟରେ ଏହାକୁ ପୁଣି ପ୍ରଶିକ୍ଷଣ ଦେଇପାରିବା । ଭଲ ବିବେକ ହେବା ଯୋଗୁଁ ଆମକୁ ମନର ଶାନ୍ତି ମିଳେ ଏବଂ ଆମେ ନିଜ ଆତ୍ମସମ୍ମାନକୁ ରକ୍ଷା କରିପାରୁ ।

୨ ଅଧ୍ୟାୟ, ୩ ଅନୁଚ୍ଛେଦ

 ୬ ପରମେଶ୍ୱରଙ୍କ ପ୍ରତି ଭୟ

ପରମେଶ୍ୱରଙ୍କ ପ୍ରତି ଭୟ ଥିବାର ଅର୍ଥ ତାହାଙ୍କୁ ପ୍ରେମ କରିବା, ତାହାଙ୍କୁ ଆଦର କରିବା ଏବଂ ଏପରି କୌଣସି କାମ କରିବା ନାହିଁ, ଯାହାଦ୍ୱାରା ତାହାଙ୍କୁ ଦୁଃଖ ପହଞ୍ଚିବ । ପରମେଶ୍ୱରଙ୍କ ପ୍ରତି ଭୟ ଥିବା ଯୋଗୁଁ ଆମେ ଠିକ୍‌ କାମ କରିଥାଉ ଏବଂ ଖରାପ କାମଗୁଡ଼ିକଠାରୁ ଦୂରେଇ ରହୁ । (ଗୀତସଂହିତା ୧୧୧:୧୦) ଆମେ ଈଶ୍ୱରଙ୍କ କଥାଗୁଡ଼ିକୁ ଗମ୍ଭୀରତାର ସହ ପାଳନ କରୁ । ଆମେ ତାହାଙ୍କୁ ବହୁତ ଆଦର କରୁ, ତେଣୁ ଆମେ ତାହାଙ୍କୁ କରିଥିବା ସମସ୍ତ ପ୍ରତିଜ୍ଞା ପୂରଣ କରୁ । ଆମେ ଚେଷ୍ଟା କରୁ ଯେ ଆମ ଚିନ୍ତାଧାରା ଈଶ୍ୱରଙ୍କ ଭଳି ହେଉ, ଆମେ ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରୁ ଏବଂ ଏପରି ନିଷ୍ପତ୍ତି ନେଉ, ଯାହାଦ୍ୱାରା ସେ ଖୁସି ହୁଅନ୍ତି ।

୨ ଅଧ୍ୟାୟ, ୯ ଅନୁଚ୍ଛେଦ

 ୭ ପଶ୍ଚାତାପ

ପଶ୍ଚାତାପ କରିବାର ଅର୍ଥ କୌଣସି ଭୁଲ କାମ କଲାପରେ ଗଭୀର ଦୁଃଖ ଅନୁଭବ କରିବା । ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ । ତେଣୁ ଯେତେବେଳେ ଆମେ ତାହାଙ୍କ ବିରୁଦ୍ଧରେ କୌଣସି କାମ କରୁ, ସେତେବେଳେ ଆମକୁ ବହୁତ ଦୁଃଖ ହୋଇଥାଏ । ଯଦି ଆମେ କୌଣସି ଭୁଲ କରିଛୁ, ତେବେ ଆମେ ଯୀଶୁଙ୍କ ମୁକ୍ତିର ମୂଲ୍ୟର ଆଧାରରେ ଯିହୋବାଙ୍କୁ କ୍ଷମା ପାଇଁ ପ୍ରାର୍ଥନା କରିବା ଉଚିତ୍‌ । (ମାଥିଉ ୨୬:୨୮; ୧ ଯୋହନ ୨:୧, ୨) ଆମେ ହୃଦୟରୁ ପଶ୍ଚାତାପ କରିବା ଉଚିତ୍‌ ଓ ସେହି ଭୁଲକୁ ଦୋହରାଇବା ଉଚିତ୍‌ ନୁହେଁ । ଏପରି କଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିବେ । ତାʼପରେ ଆମେ ନିଜ ଭୁଲକୁ ନେଇ ଅତ୍ୟଧିକ ଚିନ୍ତା କରିବା ଉଚିତ୍‌ ନୁହେଁ । (ଗୀତସଂହିତା ୧୦୩:୧୦-୧୪; ୧ ଯୋହନ ୧:୯; ୩:୧୯-୨୨) ଆମେ ନିଜ ଭୁଲରୁ ଶିଖିବା ଉଚିତ୍‌ । ଯଦି କୌଣସି ମାମଲାରେ ଆମ ଚିନ୍ତାଧାରା ଭୁଲ ହୋଇଥାଏ, ତେବେ ତାହା ସୁଧାରିବା ପାଇଁ ଏବଂ ଯିହୋବାଙ୍କ ମାନଦଣ୍ଡ ଅନୁସାରେ ଜୀଇଁବା ପାଇଁ ଆମେ ପୂରାପୂରି ଚେଷ୍ଟା କରିବା ଉଚିତ୍‌ ।

୨ ଅଧ୍ୟାୟ, ୧୮ ଅନୁଚ୍ଛେଦ

 ୮ ବହିଷ୍କାରର ବ୍ୟବସ୍ଥା

ଯଦି ଜଣେ ଖ୍ରୀଷ୍ଟିୟାନ ଗମ୍ଭୀର ପାପ କରେ ଏବଂ ପଶ୍ଚାତାପ କରେ ନାହିଁ, ତେବେ ସେ ମଣ୍ଡଳୀର ସଦସ୍ୟ ହୋଇ ରହିପାରିବ ନାହିଁ । ତାକୁ ବହିଷ୍କାର କରିବା ଜରୁରୀ । କାରଣ ସେ ଯିହୋବାଙ୍କ ମାନଦଣ୍ଡ ଅନୁସାରେ ଚାଲେ ନାହିଁ । ଆମେ ସେହି ବ୍ୟକ୍ତି ସହ କୌଣସି ସମ୍ପର୍କ ରଖି ନ ଥାଉ । ଏପରିକି ତାʼ ସହ କଥାବାର୍ତ୍ତା ମଧ୍ୟ ହୋଇ ନ ଥାଉ । (୧ କରିନ୍ଥୀୟ ୫:୧୧; ୨ ଯୋହନ ୯-୧୧) ବହିଷ୍କାରର ବ୍ୟବସ୍ଥା ଯୋଗୁଁ ଯିହୋବା ଓ ମଣ୍ଡଳୀର ନାମ ବଦନାମ ହୋଇ ନ ଥାଏ । (୧ କରିନ୍ଥୀୟ ୫:୬) ଏହି ବ୍ୟବସ୍ଥା ଦ୍ୱାରା ବହିଷ୍କୃତ ବ୍ୟକ୍ତିକୁ ହୃଦୟଙ୍ଗମ ହୋଇପାରେ ଯେ ସେ ଯାହା କରିଛି, ତାହା ଭୁଲ ଅଟେ ଏବଂ ତାକୁ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ପୁଣି ପଶ୍ଚାତାପ କରିବାକୁ ହେବ ।—ଲୂକ ୧୫:୧୭.

୩ ଅଧ୍ୟାୟ, ୧୯ ଅନୁଚ୍ଛେଦ

 ୯ ମାର୍ଗଦର୍ଶନ, ନିର୍ଦ୍ଦେଶ ଓ ଅନୁଶାସନ

ଯିହୋବା ଆମକୁ ପ୍ରେମ କରନ୍ତି ଓ ସାହାଯ୍ୟ କରିବାକୁ ଚାହାନ୍ତି । ତେଣୁ ସେ ବାଇବଲ ଓ ନିଜ ସେବକମାନଙ୍କ ଜରିଆରେ ମାର୍ଗଦର୍ଶନ, ନିର୍ଦ୍ଦେଶ ଓ ଅନୁଶାସନ ଦିଅନ୍ତି । ଅପରିପୂର୍ଣ୍ଣ ହେବା ଯୋଗୁଁ ଆମକୁ ସବୁବେଳେ ଯିହୋବାଙ୍କ ମାର୍ଗଦର୍ଶନର ଆବଶ୍ୟକତା ରହିଛି । (ଯିରିମୀୟ ୧୭:୯) ଯେଉଁ ଲୋକମାନଙ୍କ ଜରିଆରେ ଯିହୋବା ଆମକୁ ମାର୍ଗଦର୍ଶନ ଦିଅନ୍ତି, ଆମେ ସେମାନଙ୍କ କଥା ହୃଦୟରୁ ଶୁଣିବା ଉଚିତ୍‌ । ଏପରି କରି ଆମେ ଯିହୋବାଙ୍କ ଆଦର କରୁଥିବା ଏବଂ ତାହାଙ୍କ ଆଜ୍ଞା ପାଳନ କରୁଥିବା ।—ଏବ୍ରୀ ୧୩:୭.

୪ ଅଧ୍ୟାୟ, ୨ ଅନୁଚ୍ଛେଦ

 ୧୦ ଅହଂକାର ଓ ନମ୍ରତା

ଅପରିପୂର୍ଣ୍ଣ ହେବା ଯୋଗୁଁ ଆମେ ଅତି ସହଜରେ ସ୍ୱାର୍ଥୀ ଓ ଅହଂକାରୀ ହୋଇପାରୁ । କିନ୍ତୁ ଯିହୋବା ଚାହାନ୍ତି ଯେ ଆମେ ନମ୍ର ହେଉ । ଯିହୋବା କେତେ ମହାନ ଓ ଆମେ ତାହାଙ୍କ ଦୃଷ୍ଟିରେ କେତେ ଛୋଟ, ତାହା ଜାଣିଲେ ଆମେ ନମ୍ର ରହିପାରିବା । (ଆୟୁବ ୩୮:୧-୪) ଯେତେବେଳେ ଆମେ ନିଜ ଅପେକ୍ଷା ଅନ୍ୟମାନଙ୍କ ବିଷୟରେ ଭାବୁ ଓ ତାଙ୍କ ମଙ୍ଗଳ ବିଷୟରେ ଚିନ୍ତା କରୁ, ସେତେବେଳେ ମଧ୍ୟ ଆମେ ନମ୍ର ହେବା ଶିଖୁ । ଜଣେ ଅହଂକାରୀ ବ୍ୟକ୍ତି ନିଜକୁ ଅନ୍ୟମାନଙ୍କଠାରୁ ବଡ଼ ବୋଲି ମନେ କରେ । କିନ୍ତୁ ଜଣେ ନମ୍ର ବ୍ୟକ୍ତି ନିଜ ସୀମାକୁ ଜାଣେ । ସେ କେବଳ ନିଜ ଭଲ ଗୁଣଗୁଡ଼ିକୁ ନୁହେଁ, ବରଂ ନିଜ ଦୁର୍ବଳତାଗୁଡ଼ିକୁ ମଧ୍ୟ ଜାଣେ । ଭୁଲ କଲେ ସେ ତାହା ତୁରନ୍ତ ସ୍ୱୀକାର କରେ ଓ କ୍ଷମା ମାଗେ । ଯେତେବେଳେ ତାକୁ କୌଣସି ପରାମର୍ଶ ବା ଅନୁଶାସନ ଦିଆଯାଏ, ସେତେବେଳେ ସେ ତାହା ସ୍ୱୀକାର କରେ । ଜଣେ ନମ୍ର ବ୍ୟକ୍ତି ଯିହୋବାଙ୍କ ଉପରେ ଭରସା କରେ ଓ ତାହାଙ୍କ ମାର୍ଗଦର୍ଶନ ଅନୁସାରେ ଚାଲେ ।—୧ ପିତର ୫:୫.

୪ ଅଧ୍ୟାୟ, ୪ ଅନୁଚ୍ଛେଦ

 ୧୧ ଅଧିକାର

ଅଧିକାର ରଖିବାର ଅର୍ଥ ଅନ୍ୟମାନଙ୍କୁ ଆଦେଶ ଦେବା ଓ ଅନ୍ୟମାନଙ୍କ ପାଇଁ ନିଷ୍ପତ୍ତି ନେବାର ଅଧିକାର । ଯିହୋବା ସ୍ୱର୍ଗ ଓ ପୃଥିବୀରେ ସବୁଠାରୁ ଅଧିକ ଅଧିକାର ରଖୁଥିବା ବ୍ୟକ୍ତି ଅଟନ୍ତି । ସେ ସବୁକିଛି ସୃଷ୍ଟି କରିଛନ୍ତି । ତେଣୁ ସେ ସମଗ୍ର ବିଶ୍ୱରେ ସବୁଠାରୁ ବଡ଼ ଅଧିକାରୀ । ସେ ନିଜ ଅଧିକାରର ବ୍ୟବହାର ସବୁବେଳେ ଅନ୍ୟମାନଙ୍କର ମଙ୍ଗଳ ପାଇଁ କରନ୍ତି । ଯିହୋବା କିଛି ମଣିଷମାନଙ୍କୁ ଆମର ଯତ୍ନ ନେବାର ଦାୟିତ୍ୱ ଦେଇଛନ୍ତି । ଯେପରି— ପିତାମାତାମାନଙ୍କୁ, ମଣ୍ଡଳୀରେ ପ୍ରାଚୀନମାନଙ୍କୁ ଓ ସରକାରୀ ଅଧିକାରୀମାନଙ୍କୁ । ଆମେ ସେମାନଙ୍କ କଥା ଶୁଣିବା ଉଚିତ୍‌ । (ରୋମୀୟ ୧୩:୧-୫; ୧ ତୀମଥି ୫:୧୭) ଯେତେବେଳେ ମଣିଷମାନେ ଈଶ୍ୱରଙ୍କ ବିରୁଦ୍ଧରେ ନିୟମ ବାହାର କରିଥାʼନ୍ତି, ସେତେବେଳେ ଆମେ ସେହି ନିୟମଗୁଡ଼ିକୁ ପାଳନ କରିବା ପରିବର୍ତ୍ତେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁ । (ପ୍ରେରିତ ୫:୨୯) ଅଧିକାର ରଖୁଥିବା ବ୍ୟକ୍ତିଙ୍କର କଥା ଶୁଣିଲେ ଆମେ ଯିହୋବାଙ୍କ ନିଷ୍ପତ୍ତିଗୁଡ଼ିକୁ ଆଦର କରୁଥିବା ।

୪ ଅଧ୍ୟାୟ, ୭ ଅନୁଚ୍ଛେଦ

 ୧୨ ପ୍ରାଚୀନ

ଯିହୋବା ମଣ୍ଡଳୀର ଯତ୍ନ ନେବା ପାଇଁ ପ୍ରାଚୀନମାନଙ୍କୁ ନିଯୁକ୍ତ କରିଛନ୍ତି । (ଦ୍ୱିତୀୟ ବିବରଣ ୧:୧୩; ପ୍ରେରିତ ୨୦:୨୮) ଏହି ଅନୁଭବୀ ଭାଇମାନେ ଅନେକ ଉପାୟରେ ଆମକୁ ସାହାଯ୍ୟ କରିଥାʼନ୍ତି, ଯାହାଦ୍ୱାରା ଯିହୋବାଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୋଇଥାଏ ଏବଂ ଆମେ ଯିହୋବାଙ୍କ ଉପାସନା ଶାନ୍ତିପୂର୍ଣ୍ଣ ଓ ବ୍ୟବସ୍ଥିତ ଭାବରେ କରିପାରିଥାଉ । (୧ କରିନ୍ଥୀୟ ୧୪:୩୩, ୪୦) ପ୍ରାଚୀନମାନଙ୍କୁ ପବିତ୍ର ଶକ୍ତି ଜରିଆରେ ନିଯୁକ୍ତ କରାଯାଏ । କିନ୍ତୁ ଏହା ପାଇଁ ତାଙ୍କୁ ବାଇବଲର କିଛି ଯୋଗ୍ୟତାଗୁଡ଼ିକୁ ପୂରଣ କରିବାକୁ ହୁଏ । (୧ ତୀମଥି ୩:୧-୭; ତୀତସ ୧:୫-୯; ୧ ପିତର ୫:୨, ୩) ଆମେ ପ୍ରାଚୀନମାନଙ୍କ କଥା ଖୁସିର ସହ ଶୁଣି ଥାଉ, କାରଣ ଆମେ ଯିହୋବାଙ୍କ ସଂଗଠନ ଉପରେ ଭରସା କରୁ ଏବଂ ସଂଗଠନର ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବାକୁ ଚାହୁଁ ।—ଗୀତସଂହିତା ୧୩୮:୬; ଏବ୍ରୀ ୧୩:୧୭.

୪ ଅଧ୍ୟାୟ, ୮ ଅନୁଚ୍ଛେଦ

 ୧୩ ପରିବାରର ମୁଖିଆ

ଯିହୋବା ପିଲାମାନଙ୍କ ଓ ଘର ପରିବାରର ଯତ୍ନ ନେବାର ଦାୟିତ୍ୱ ପିତାମାତାଙ୍କୁ ଦେଇଛନ୍ତି । ବାଇବଲ ଅନୁସାରେ ପତି ପରିବାରର ମୁଖିଆ ଅଟନ୍ତି । କିନ୍ତୁ ଯଦି ଗୋଟିଏ ପରିବାରରେ ପିତା ନାହାନ୍ତି, ତାହେଲେ ମାଆ ପରିବାରର ମୁଖିଆ ଅଟନ୍ତି । ନିଜ ପରିବାର ପାଇଁ ଖାଦ୍ୟ, କପଡ଼ା ଓ ରହିବା ପାଇଁ ଘରର ବ୍ୟବସ୍ଥା କରିବାର ଦାୟିତ୍ୱ ପରିବାରର ମୁଖିଆଙ୍କର ଅଟେ । ତାଙ୍କ ସବୁଠାରୁ ବଡ଼ ଦାୟିତ୍ୱ ହେଉଛି, ନିଜ ପରିବାରର ସଦସ୍ୟମାନଙ୍କୁ ଯିହୋବାଙ୍କ ଉପାସନା କରିବା ପାଇଁ ସାହାଯ୍ୟ କରିବା । ତାଙ୍କୁ ଧ୍ୟାନ ଦେବା ଉଚିତ୍‌ ଯେ ପରିବାରର ସମସ୍ତ ଲୋକେ ନିୟମିତ ଭାବେ ସଭାରେ ଯାʼନ୍ତୁ, ପ୍ରଚାର କରନ୍ତୁ ଓ ସାଙ୍ଗରେ ମିଶି ବାଇବଲର ଅଧ୍ୟୟନ କରନ୍ତୁ । ପରିବାର ପାଇଁ ନିଷ୍ପତ୍ତି ନେବାର ଦାୟିତ୍ୱ ମଧ୍ୟ ବିଶେଷ କରି ତାଙ୍କର ଅଟେ । ତାଙ୍କୁ ଯୀଶୁଙ୍କ ଭଳି ଗୁଣ ଦେଖାଇବା ଉଚିତ୍‌ । ସେ ନିଜ ପରିବାରର ଲୋକଙ୍କ ସହ ଭଲ ବ୍ୟବହାର କରିବା ଉଚିତ୍‌, ସେମାନଙ୍କଠାରୁ ଅତ୍ୟଧିକ ଆଶା କରିବା ଉଚିତ୍‌ ନୁହେଁ ଏବଂ କେବେ ବି କଠୋରତାର ସହ ବ୍ୟବହାର କରିବା ଉଚିତ୍‌ ନୁହେଁ । ଏପରି କଲେ ସମସ୍ତଙ୍କ ମଧ୍ୟରେ ପ୍ରେମ ଓ ଖୁସି ରହିବ ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ମଧ୍ୟ ମଜବୁତ୍‌ ହେବ ।

୪ ଅଧ୍ୟାୟ, ୧୨ ଅନୁଚ୍ଛେଦ

 ୧୪ ପ୍ରଶାସନ ଦଳ

ଅଭିଷିକ୍ତ ଭାଇମାନଙ୍କ ଏକ ଛୋଟ ସମୂହ ଜରିଆରେ ଈଶ୍ୱର ନିଜ ଲୋକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି । ଏହି ସମୂହକୁ ପ୍ରଶାସନ ଦଳ କୁହାଯାଏ । ପ୍ରଥମ ଶତାବ୍ଦୀରେ ମଧ୍ୟ ଯିହୋବା ପ୍ରଶାସନ ଦଳ ଜରିଆରେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ମାର୍ଗଦର୍ଶନ ଦେଉଥିଲେ । ତାʼସହ ପ୍ରଚାର କାମ ଓ ଉପାସନା ମାମଲାରେ ମଧ୍ୟ ନିର୍ଦ୍ଦେଶ ଦେଉଥିଲା । (ପ୍ରେରିତ ୧୫:୨) ଆଜି ମଧ୍ୟ ପ୍ରଶାସନ ଦଳର ଭାଇ ଈଶ୍ୱରଙ୍କ ଲୋକମାନଙ୍କୁ ମାର୍ଗଦର୍ଶନ ଦିଅନ୍ତି, ସେମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି । କୌଣସି ନିଷ୍ପତ୍ତି ନେବା ସମୟରେ ସେମାନେ ଈଶ୍ୱରଙ୍କ ବାକ୍ୟର ସାହାଯ୍ୟ ନିଅନ୍ତି ଏବଂ ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରନ୍ତି । ଯୀଶୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଏହି ସମୂହକୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ବୋଲି କହିଲେ ।—ମାଥିଉ ୨୪:୪୫-୪୭.

୪ ଅଧ୍ୟାୟ, ୧୫ ଅନୁଚ୍ଛେଦ

 ୧୫ ମୁଣ୍ଡରେ ଓଢ଼ଣୀ ଦେବା

ବେଳେ ବେଳେ ଏପରି ପରିସ୍ଥିତି ଆସିପାରେ, ଯେତେବେଳେ ଜଣେ ଭଉଣୀଙ୍କୁ ମଣ୍ଡଳୀର କୌଣସି ଏପରି କାମ କରିବା ପାଇଁ କୁହାଯାଇପାରେ, ଯାହା କରିବାର ଦାୟିତ୍ୱ ଭାଇମାନଙ୍କର ଅଟେ । ଏପରି କାମ କରିବା ସମୟରେ ଜଣେ ଭଉଣୀଙ୍କୁ ନିଜ ମୁଣ୍ଡରେ ଓଢ଼ଣୀ ଦେବା ଉଚିତ୍‌ । ଏପରି କରିବା ଦେଖାଏ ଯେ ସେ ଏହି ମାମଲାରେ ଯିହୋବାଙ୍କ ବ୍ୟବସ୍ଥାକୁ ଆଦର କରୁଛନ୍ତି । ମୁଣ୍ଡରେ ଓଢ଼ଣୀ ଦେବା କେବଳ କିଛି କ୍ଷେତ୍ରରେ ହିଁ ଜରୁରୀ ହୋଇଥାଏ । ଉଦାହରଣ ପାଇଁ, ଯେତେବେଳେ ଜଣେ ଭଉଣୀ କୌଣସି ବାଇବଲ ଅଧ୍ୟୟନ କରନ୍ତି ଏବଂ ତାଙ୍କ ସହ ତାଙ୍କ ପତି କିମ୍ବା ବାପ୍ତିସ୍ମ ପ୍ରାପ୍ତ ଜଣେ ଭାଇ ଥାʼନ୍ତି ।—୧ କରିନ୍ଥୀୟ ୧୧:୧୧-୧୫.

୪ ଅଧ୍ୟାୟ, ୧୭ ଅନୁଚ୍ଛେଦ

 ୧୬ ନିଷ୍ପକ୍ଷତା

ନିଷ୍ପକ୍ଷତାର ଅର୍ଥ ରାଜନୈତିକ ମାମଲାରେ କାହାରି ପକ୍ଷ ନ ନେବା । (ଯୋହନ ୧୭:୧୬) ଯିହୋବାଙ୍କ ଲୋକମାନେ କେବଳ ଈଶ୍ୱରଙ୍କ ରାଜ୍ୟର ସମର୍ଥନ କରନ୍ତି । ଯୀଶୁଙ୍କ ଭଳି ସେମାନେ ମଧ୍ୟ ଜଗତର ମାମଲାଗୁଡ଼ିକରେ ନିଷ୍ପକ୍ଷ ରହନ୍ତି ।

ଯିହୋବା ଆମକୁ “କର୍ତ୍ତୃପକ୍ଷ ଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ” ହେବା ପାଇଁ ଆଜ୍ଞା ଦେଇଛନ୍ତି । (ତୀତସ ୩:୧, ୨; ରୋମୀୟ ୧୩:୧-୭) କିନ୍ତୁ ଈଶ୍ୱର ଏହା ମଧ୍ୟ ଆଜ୍ଞା ଦେଇଛନ୍ତି ଯେ କାହାରି ହତ୍ୟା କରିବ ନାହିଁ । ଏହି କାରଣରୁ ମଧ୍ୟ ଖ୍ରୀଷ୍ଟିୟାନମାନେ ଯୁଦ୍ଧରେ ଭାଗ ନିଅନ୍ତି ନାହିଁ । ଯଦି ସରକାର ସେନାରେ ଭର୍ତ୍ତି ହେବା ପରିବର୍ତ୍ତେ କୌଣସି ଜନସେବା କରିବା ପାଇଁ କହେ, ତାହେଲେ ଜଣେ ଖ୍ରୀଷ୍ଟିୟାନ ନିଜେ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ଉଚିତ୍‌ ଯେ ସେ ଏ ସେବା କରିବ ନା ନାହିଁ ।

ଆମେ କେବଳ ଯିହୋବାଙ୍କ ଉପାସନା କରିଥାଉ, କାରଣ ସେ ଆମ ସୃଷ୍ଟିକର୍ତ୍ତା ଅଟନ୍ତି । ଆମେ ରାଷ୍ଟ୍ରୀୟ ଚିହ୍ନଗୁଡ଼ିକୁ ଆଦର କରୁ, କିନ୍ତୁ ଜାତୀୟ ପତାକାକୁ ସାଲ୍ୟୁଟ୍‌ କରି ନ ଥାଉ କିମ୍ବା ରାଷ୍ଟ୍ରୀୟ ଗୀତ ଗାଇ ନ ଥାଉ । (ଯିଶାଇୟ ୪୩:୧୧; ଦାନିୟେଲ ୩:୧-୩୦; ୧ କରିନ୍ଥୀୟ ୧୦:୧୪) ଆମେ ପ୍ରତ୍ୟେକେ ନିଷ୍ପତ୍ତି ନେଇଛୁ ଯେ ଆମେ କୌଣସି ରାଜନୈତିକ ପାର୍ଟି କିମ୍ବା ପ୍ରାର୍ଥୀଙ୍କୁ ଭୋଟ ଦେବା ନାହିଁ । କାରଣ ଆମେ ଈଶ୍ୱରଙ୍କ ସରକାରର ପକ୍ଷ ନେଇଛୁ ।—ମାଥିଉ ୨୨:୨୧; ଯୋହନ ୧୫:୧୯; ୧୮:୩୬.

୫ ଅଧ୍ୟାୟ, ୨ ଅନୁଚ୍ଛେଦ

 ୧୭ ଜଗତର ଆତ୍ମା

ଏହି ଜଗତ ଶୟତାନର ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଏ । ଏହି ଚିନ୍ତାଧାରା ବିଶେଷ କରି ଏପରି ଲୋକମାନଙ୍କଠାରେ ଦେଖାଯାଏ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ ଓ ତାହାଙ୍କ ମାନଦଣ୍ଡ ଅନୁସାରେ ଚାଲନ୍ତି ନାହିଁ । (୧ ଯୋହନ ୫:୧୯) ଏପରି ସ୍ୱଭାବକୁ ବାଇବଲରେ ଜଗତର ଆତ୍ମା କୁହାଯାଇଛି । (ଏଫିସୀୟ ୨:୧, ୨) ଯିହୋବାଙ୍କ ଲୋକମାନେ ଧ୍ୟାନରେ ରଖନ୍ତି ଯେ ଏହି ସ୍ୱଭାବ ସେମାନଙ୍କ ଉପରେ ପ୍ରଭାବ ନ ପକାଉ । (ଏଫିସୀୟ ୬:୧୦-୧୮) ସେମାନେ ଚେଷ୍ଟା କରନ୍ତି ଯେ ସେମାନଙ୍କ ଚିନ୍ତାଧାରା ଯିହୋବାଙ୍କ ଭଳି ହେଉ, କାରଣ ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତି ।

୫ ଅଧ୍ୟାୟ, ୭ ଅନୁଚ୍ଛେଦ

 ୧୮ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିବା ଲୋକମାନେ

ଏହି ଲୋକମାନେ ବାଇବଲର ସତ୍ୟ ବିରୁଦ୍ଧରେ କାମ କରନ୍ତି, ଯିହୋବା ଓ ସେ ନିଯୁକ୍ତ କରିଥିବା ରାଜା ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି ଏବଂ ଅନ୍ୟମାନଙ୍କୁ ନିଜ ଆଡ଼କୁ କରିବା ପାଇଁ ଚେଷ୍ଟା କରନ୍ତି । ସେମାନଙ୍କୁ ଧର୍ମତ୍ୟାଗୀ ମଧ୍ୟ କୁହାଯାଏ । (ରୋମୀୟ ୧:୨୫) ସେମାନେ ଯିହୋବାଙ୍କ ସେବକମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତି । ପ୍ରାଚୀନ କାଳରେ କିଛି ଲୋକ ଏପରି ଥିଲେ ଏବଂ ଆଜି ମଧ୍ୟ କିଛି ଲୋକ ଏପରି ଅଛନ୍ତି । (୨ ଥେସଲନୀକୀୟ ୨:୩) ଆମେ ଏହି ବିଦ୍ରୋହୀ ଲୋକମାନଙ୍କ ସହ କୌଣସି ସମ୍ପର୍କ ରଖି ନ ଥାଉ, କାରଣ ଆମେ ଈଶ୍ୱରଙ୍କ ବିଶ୍ୱସ୍ତ ଅଟୁ । ଆମେ ସେମାନଙ୍କ ବିଷୟରେ ଜାଣିବା ପାଇଁ କୌଣସି ଆଗ୍ରହ ରଖି ନ ଥାଉ । ଏପରିକି ଅନ୍ୟମାନେ ଆମ ସହ ଜବରଦସ୍ତି କଲେ ମଧ୍ୟ ଆମେ ଧର୍ମତ୍ୟାଗୀମାନଙ୍କ ବିଷୟରେ ପଢ଼ି ନ ଥାଉ କିମ୍ବା ଶୁଣି ନ ଥାଉ । ଆମେ ଯିହୋବାଙ୍କ ବିଶ୍ୱସ୍ତ ରହୁ ଏବଂ କେବଳ ତାହାଙ୍କର ହିଁ ଉପାସନା କରୁ ।

୫ ଅଧ୍ୟାୟ, ୯ ଅନୁଚ୍ଛେଦ

 ୧୯ ପ୍ରାୟଶ୍ଚିତ୍ତ

ଯେତେବେଳେ ଇସ୍ରାଏଲ ରାଷ୍ଟ୍ର ମୋଶାଙ୍କ ନିୟମର ଅଧୀନରେ ଥିଲା, ସେତେବେଳେ ସେମାନଙ୍କୁ କ୍ଷମା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବାର ଥିଲା ଏବଂ ପ୍ରାୟଶ୍ଚିତ୍ତ ପାଇଁ ମନ୍ଦିରରେ ଶସ୍ୟ, ତେଲ କିମ୍ବା ପଶୁ ଅର୍ପଣ କରିବାର ଥିଲା । ଯିହୋବା ଏସବୁରୁ ସେମାନଙ୍କୁ ମନେ ପକାଇ ଦେଉଥିଲେ ଯେ ଜଣେ ମଣିଷ ପାପ କରୁ କିମ୍ବା ସମ୍ପୂର୍ଣ୍ଣ ରାଷ୍ଟ୍ର ସେ ସେମାନଙ୍କୁ କ୍ଷମା କରିବାକୁ ଚାହାନ୍ତି । ପରେ ଯୀଶୁ ମଣିଷମାନଙ୍କ ପାପର ପ୍ରାୟଶ୍ଚିତ୍ତ ପାଇଁ ନିଜ ଜୀବନ ବଳିଦାନ କଲେ । ତାʼପରେ ଅନ୍ୟ ବଳିଦାନଗୁଡ଼ିକର ଆବଶ୍ୟକତା ପଡ଼ିଲା ନାହିଁ । ଯୀଶୁଙ୍କ ବଳିଦାନ ପରିପୂର୍ଣ୍ଣ ଥିଲା ଏବଂ ଏହି ବଳିଦାନ ସେ “ଏକାଥରକେ” ଉତ୍ସର୍ଗ କରିଦେଲେ ।—ଏବ୍ରୀ ୧୦:୧, ୪, ୧୦.

୭ ଅଧ୍ୟାୟ, ୬ ଅନୁଚ୍ଛେଦ

 ୨୦ ପଶୁମାନଙ୍କର ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ

ମୋଶାଙ୍କ ନିୟମରେ ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦିଆଯାଇଥିଲା ଯେ ସେମାନେ ପଶୁମାନଙ୍କର ବଳି ଚଢ଼ାଇପାରିବେ ଓ ସେମାନଙ୍କ ମାଂସ ଖାଇପାରିବେ । (ଲେବୀ ପୁସ୍ତକ ୧:୫, ୬) କିନ୍ତୁ ଯିହୋବା ସେମାନଙ୍କୁ ପଶୁମାନଙ୍କ ସହ ନିଷ୍ଠୁର ଭାବେ ବ୍ୟବହାର କରିବା ପାଇଁ ଅନୁମତି ଦେଇ ନ ଥିଲେ । (ହିତୋପଦେଶ ୧୨:୧୦) ଯିହୋବା ଇସ୍ରାଏଲୀୟମାନଙ୍କୁ ଏପରି ଅନେକ ନିୟମ ଦେଇଥିଲେ, ଯାହାଦ୍ୱାରା କୌଣସି ବ୍ୟକ୍ତି ପଶୁମାନଙ୍କ ସହିତ ନିଷ୍ଠୁରତାର ସହ ବ୍ୟବହାର କରୁ ନ ଥିଲା । ଇସ୍ରାଏଲୀୟମାନଙ୍କୁ ନିଜ ପଶୁମାନଙ୍କର ଭଲଭାବେ ଯତ୍ନ ନେବା ପାଇଁ ଆଜ୍ଞା ଦିଆଯାଇଥିଲା ।—ଦ୍ୱିତୀୟ ବିବରଣ ୨୨:୬, ୭.

୭ ଅଧ୍ୟାୟ, ୬ ଅନୁଚ୍ଛେଦ

 ୨୧ ରକ୍ତର ଉପାଦାନ ଓ ଚିକିତ୍ସାର ପ୍ରକ୍ରିୟା

ରକ୍ତର ଉପାଦାନ । ରକ୍ତର ଚାରୋଟି ବଡ଼ ଉପାଦାନ ରହିଛି । ତାହା ହେଉଛି, ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟ୍‌ଲେଟ୍‌ସ ଓ ପ୍ଲାଜ୍‌ମା । ଏହି ଚାରୋଟି ବଡ଼ ଉପାଦାନରୁ ରକ୍ତର ଛୋଟ ଛୋଟ ଉପାଦାନ ବାହାର କରାଯାଏ । a

ଖ୍ରୀଷ୍ଟିୟାନମାନେ ନିଜ ଶରୀରରେ ରକ୍ତ ନେଇ ନ ଥାʼନ୍ତି । ଏପରିକି ରକ୍ତର ଚାରୋଟି ବଡ଼ ଉପାଦାନ ମଧ୍ୟରୁ ଗୋଟିଏ ମଧ୍ୟ ନେଇ ନ ଥାʼନ୍ତି । କିନ୍ତୁ କʼଣ ସେମାନେ ରକ୍ତର ଛୋଟ ଉପାଦାନ ନେଇପାରିବେ ? ବାଇବଲରେ ଏବିଷୟରେ ସ୍ପଷ୍ଟ ଭାବେ କୁହାଯାଇ ନାହିଁ । ତେଣୁ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ବାଇବଲରୁ ପ୍ରଶିକ୍ଷିତ ନିଜ ବିବେକ ଅନୁସାରେ ନିଜେ ଏହି ମାମଲାରେ ନିଷ୍ପତ୍ତି ନେବା ଉଚିତ୍‌ ।

କିଛି ଖ୍ରୀଷ୍ଟିୟାନମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ରକ୍ତର କୌଣସି ଛୋଟ ଉପାଦାନ ମଧ୍ୟ ନେବେ ନାହିଁ । ସେମାନେ ଏହାର କାରଣ ବୁଝାଇ କହନ୍ତି ଯେ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ନିୟମ ଦେଇଥିଲେ ଯେ ସେମାନେ ପଶୁମାନଙ୍କୁ ମାରିବା ପରେ ତାʼ ରକ୍ତକୁ ‘ଭୂମିରେ ଢାଳି ଦେବା’ ଉଚିତ୍‌ ।—ଦ୍ୱିତୀୟ ବିବରଣ ୧୨:୨୨-୨୪.

କିନ୍ତୁ କିଛି ଖ୍ରୀଷ୍ଟିୟାନମାନେ ନିଷ୍ପତ୍ତି ନେଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ସେମାନେ ରକ୍ତର ଛୋଟ ଉପାଦାନ ନେବେ । ତାଙ୍କ ବିବେକ ଏହାକୁ ଭୁଲ ବୋଲି ମନେ କରେ ନାହିଁ । କାରଣ ତାଙ୍କ ଅନୁସାରେ ଏହି ଉପାଦାନ ଏତେ ଛୋଟ ଯେ ଏବେ ଏହା ସେହି ପ୍ରାଣୀର ଜୀବନକୁ ଦର୍ଶାଏ ନାହିଁ, ଯାହାର ରକ୍ତରୁ ଏହା ବାହାର କରାଯାଇଛି ।

ରକ୍ତର ଛୋଟ ଉପାଦାନ ନେବେ ନା ନାହିଁ, ଏହା ନିଷ୍ପତ୍ତି ନେବା ପୂର୍ବରୁ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ କରନ୍ତୁ:

  • ରକ୍ତର ଏହି ଛୋଟ ଉପାଦାନରୁ ଏପରି ଔଷଧ ମଧ୍ୟ ତିଆରି କରାଯାଏ, ଯାହାଦ୍ୱାରା ରୋଗକୁ ପ୍ରତିରୋଧ କରିବାକୁ ଶକ୍ତି ମିଳେ ଏବଂ ରକ୍ତ ବୋହିବା ବନ୍ଦ ହୋଇଥାଏ । କʼଣ ମୁଁ ଜାଣେ ଯେ ରକ୍ତର କୌଣସି ଉପାଦାନ ନ ନେବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି, ତାʼ ଅର୍ଥ ଯେ ମୁଁ ଏପରି କୌଣସି ଔଷଧ ମଧ୍ୟ ନେଇପାରିବି ନାହିଁ ?

  • ମୁଁ କିପରି ଡାକ୍ତରଙ୍କୁ ବୁଝାଇପାରିବି ଯେ ମୁଁ କାହିଁକି ରକ୍ତର ଏକ କିମ୍ବା ଏକରୁ ଅଧିକ ଉପାଦାନ ନେବା ପାଇଁ କିମ୍ବା ନ ନେବା ପାଇଁ ନିଷ୍ପତ୍ତି ନେଇଛି ?

ଚିକିତ୍ସାର ପ୍ରକ୍ରିୟା । ଏହା ସ୍ପଷ୍ଟ ଯେ ଖ୍ରୀଷ୍ଟିୟାନମାନେ ରକ୍ତଦାନ କରି ନ ଥାʼନ୍ତି, ଏପରିକି ଅପରେସନ ପାଇଁ ପୂର୍ବରୁ ନିଜ ରକ୍ତକୁ ଜମା ମଧ୍ୟ କରି ନ ଥାʼନ୍ତି । କିନ୍ତୁ ଚିକିତ୍ସାର ଏପରି କିଛି ପ୍ରକ୍ରିୟା ଅଛି, ଯେଉଁଥିରେ ରୋଗୀର ନିଜ ରକ୍ତକୁ ବ୍ୟବହାର କରାଯାଏ । ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ନିଷ୍ପତ୍ତି ନେବାର ଅଛି ଯେ ଯଦି ଚିକିତ୍ସାର କୌଣସି ପ୍ରକ୍ରିୟା, ଯାଞ୍ଚ କିମ୍ବା ଅପରେସନ ସମୟରେ ତାʼର ନିଜ ରକ୍ତ ବ୍ୟବହାର କରାଯାଏ, ତେବେ ସେ ସେହି ପ୍ରକ୍ରିୟାରେ ନିଜ ଚିକିତ୍ସା କରାଇବ ନା ନାହିଁ । ଏମଧ୍ୟରୁ କିଛି ପ୍ରକ୍ରିୟାରେ ରୋଗୀର ରକ୍ତକୁ କିଛି ସମୟ ପାଇଁ ତାʼର ଶରୀରରୁ ବାହାର କରାଯାଏ ।—ଅଧିକ ଜାଣିବା ପାଇଁ ୧୫ ଅକ୍ଟୋବର, ୨୦୦୦ର ପ୍ରହରୀଦୁର୍ଗର (ହିନ୍ଦୀ) ୩୦-୩୧ ପୃଷ୍ଠା ପଢ଼ନ୍ତୁ ।

ଉଦାହରଣ ପାଇଁ, ଚିକିତ୍ସାର ଗୋଟିଏ ପ୍ରକ୍ରିୟା ହେଉଛି, ହିମୋ ଡାଲ୍ୟୁସନ୍‌ । ଏଥିରେ ଅପରେସନର କିଛି ସମୟ ପୂର୍ବରୁ ରୋଗୀର ଶରୀରରୁ କିଛି ରକ୍ତ ବାହାର କରାଯାଏ ଏବଂ ଯେଉଁ ରକ୍ତକୁ ବାହାର କରାଯାଇଛି, ତାʼ ଜାଗାରେ ଗୋଟିଏ ଦ୍ରବ୍ୟ ଶରୀରରେ ପକାଯାଏ । ପୁଣି ଅପରେସନ ସମୟରେ କିମ୍ବା ଅପରେସନର କିଛି ସମୟ ପରେ ରୋଗୀର ଶରୀରରୁ ବାହାର କରାଯାଇଥିବା ରକ୍ତକୁ ପୁଣିଥରେ ତାʼ ଶରୀରରେ ପକାଯାଏ ।

ଆଉ ଗୋଟିଏ ପ୍ରକ୍ରିୟା ହେଉଛି, ସେଲ୍‌ ସାଲୱେଜ୍‌ । ଏଥିରେ ଅପରେସନ ସମୟରେ ବୋହୁଥିବା ରକ୍ତକୁ ଗୋଟିଏ ମେସିନ୍‌ ଜରିଆରେ ଏକତ୍ର କରାଯାଏ, ତାହା ଶୁଦ୍ଧ କରାଯାଏ ଏବଂ ପୁଣି ଅପରେସନର ସମୟରେ କିମ୍ବା ଅପରେସନର କିଛି ସମୟ ପରେ ରୋଗୀର ଶରୀରରେ ପୁଣିଥରେ ଫେରାଇ ଦିଆଯାଏ ।

ଅନ୍ୟ ଅନ୍ୟ ଡାକ୍ତରମାନେ ଏହି ପ୍ରକ୍ରିୟାଗୁଡ଼ିକରେ ଚିକିତ୍ସା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାନ୍ତି । ତେଣୁ ଚିକିତ୍ସାର କୌଣସି ପ୍ରକ୍ରିୟା ବାଛିବା କିମ୍ବା ଯାଞ୍ଚ କିମ୍ବା ଅପରେସନ କରାଇବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନଙ୍କୁ ଭଲଭାବେ ଜାଣିବା ଉଚିତ୍‌ ଯେ ତାʼ ଚିକିତ୍ସା କିପରି କରାଯିବ ।

ଯଦି ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼େ ଯେ ଆପଣ ଏପରି କୌଣସି ପ୍ରକ୍ରିୟାରେ ଚିକିତ୍ସା କରାଇବେ, ଯେଉଁଠାରେ ଆପଣଙ୍କ ନିଜ ରକ୍ତର ବ୍ୟବହାର କରାଯିବ, ତେବେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ କରନ୍ତୁ:

  • ଚିକିତ୍ସାର ଏପରି କିଛି ପ୍ରକ୍ରିୟା ଅଛି, ଯେଉଁଠାରେ ଗୋଟିଏ ଟ୍ୟୁବ୍‌ ଜରିଆରେ ଟିକିଏ ରକ୍ତ ଶରୀରରୁ ବାହାର କରାଯାଏ ଏବଂ ଆଉ କିଛି ମାମଲାରେ ଟିକିଏ ସମୟ ପାଇଁ ରକ୍ତ ବୋହିବାକୁ ରୋକି ଦିଆଯାଏ । କʼଣ ମୋ ବିବେକ ଏପରି ଚିକିତ୍ସାକୁ ସ୍ୱୀକାର କରିବ ? କʼଣ ମୋ ବିବେକ ଏବେ ମଧ୍ୟ ସେହି ରକ୍ତକୁ ମୋ ଶରୀରର ଅଂଶ ବୋଲି ମନେ କରିବ ଏବଂ ସେହି ରକ୍ତକୁ ‘ଭୂମିରେ ଢାଳିବାର’ ଆବଶ୍ୟକତା ନାହିଁ ?—ଦ୍ୱିତୀୟ ବିବରଣ ୧୨:୨୩, ୨୪.

  • ଯଦି ଚିକିତ୍ସା ସମୟରେ ମୋ ଶରୀରରୁ ଟିକିଏ ରକ୍ତ ବାହାର କରାଯାଏ ଏବଂ ସେଥିରେ କୌଣସି ପରିବର୍ତ୍ତନ କରି ପୁଣି ମୋ ଶରୀରରେ ପକାଯାଏ, ତେବେ କʼଣ ମୋ ବିବେକ ତାହା ସ୍ୱୀକାର କରିପାରିବ ?

  • ଯଦି ମୁଁ ଏପରି କୌଣସି ଚିକିତ୍ସା ନ କରାଇବା ପାଇଁ ନିଷ୍ପତ୍ତି ନେଇଛି, ଯେଉଁଠାରେ ମୋ ରକ୍ତର ବ୍ୟବହାର କରାଯିବ, ତେବେ କʼଣ ମୁଁ ଜାଣେ ଯେ ମୁଁ ରକ୍ତର ଯାଞ୍ଚ (ବ୍ଲଡ ଟେଷ୍ଟ) ଏବଂ ହିମୋ ଡାଲ୍ୟୁସନ୍‌ ମଧ୍ୟ କରାଇପାରିବି ନାହିଁ ଏବଂ ହାର୍ଟ-ଲଙ୍ଗ ବାଇପାସ୍‌ ମେସିନ୍‌ ଦ୍ୱାରା ଚିକିତ୍ସା ମଧ୍ୟ କରାଇପାରିବି ନାହି ?

ରକ୍ତର ଉପାଦାନ ବିଷୟରେ ଏବଂ ଯେଉଁ ପ୍ରକ୍ରିୟାଗୁଡ଼ିକରେ ରୋଗୀର ନିଜ ରକ୍ତ ବ୍ୟବହାର କରାଯାଏ, ସେ ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ପରେ ଜରୁରୀ ତଥ୍ୟ ଅନୁସନ୍ଧାନ କରିବା ଉଚିତ୍‌ । (ଯାକୁବ ୧:୫, ୬) ତାʼପରେ ବାଇବଲରୁ ପ୍ରଶିକ୍ଷିତ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ଉଚିତ୍‌ ଯେ ମୁଁ କʼଣ କରିବି । ଆମେ ଅନ୍ୟମାନଙ୍କୁ ପଚାରିବା ଉଚିତ୍‌ ନୁହେଁ ଯେ ଯଦି ସେମାନେ ଏପରି ପରିସ୍ଥିତିରେ ଥାʼନ୍ତେ, ତେବେ ସେମାନେ କʼଣ କରିଥାʼନ୍ତେ । ଏହାଛଡ଼ା ଆମେ ନିଜ ନିଷ୍ପତ୍ତିକୁ ମାନିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରିବା ଉଚିତ୍‌ ନୁହେଁ ।—ରୋମୀୟ ୧୪:୧୨; ଗାଲାତୀୟ ୬:୫.

୭ ଅଧ୍ୟାୟ, ୧୧ ଅନୁଚ୍ଛେଦ

 ୨୨ ନୈତିକ ଶୁଦ୍ଧତା

ନୈତିକ ଶୁଦ୍ଧତାର ଅର୍ଥ ହେଉଛି, ଆମ ଚାଲିଚଳନ ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ହେବା । ଆମ ବ୍ୟବହାର, କଥାବାର୍ତ୍ତା ଓ ଚିନ୍ତାଧାରା ଠିକ୍‌ ସେହିପରି ହେବା ଉଚିତ୍‌, ଯେପରି ଯିହୋବା ଚାହାନ୍ତି । ଯିହୋବା ଆମକୁ ଆଜ୍ଞା ଦେଇଛନ୍ତି ଯେ ଆମେ ସମସ୍ତ ପ୍ରକାରର ଯୌନ ସମ୍ବନ୍ଧୀୟ ଅଶୁଦ୍ଧତା କିମ୍ବା ଅନୈତିକ କାମଠାରୁ ଦୂରେଇ ରହିବା ଉଚିତ୍‌ । (ହିତୋପଦେଶ ୧:୧୦; ୩:୧) ଆମେ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ଯଦି କୌଣସି ପରିସ୍ଥିତିରେ ଆମ ମନ ଆମକୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରେ, ତେବେ ମଧ୍ୟ ଆମେ ଯିହୋବାଙ୍କ ନୈତିକ ମାନଦଣ୍ଡଗୁଡ଼ିକୁ ପାଳନ କରିବା । ଆମେ ନିଜ ମନକୁ ଶୁଦ୍ଧ ରଖିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ଦୃଢ଼ ସଂକଳ୍ପ କରିବା ଉଚିତ୍‌ ଯେ ଆମ ମନ ଖରାପ କାମ କରିବା ପାଇଁ ଯେତେ ପ୍ରଲୋଭନ ଦେଲେ ମଧ୍ୟ ଆମେ ତାହା କରିବା ନାହିଁ ।—୧ କରିନ୍ଥୀୟ ୬:୯, ୧୦, ୧୮; ଏଫିସୀୟ ୫:୫.

୮ ଅଧ୍ୟାୟ, ୧୧ ଅନୁଚ୍ଛେଦ

 ୨୩ କାମୁକତା ଓ ଅଶୁଚିତା

କାମୁକତାର ଅର୍ଥ ନିର୍ଲଜ୍ଜ ହୋଇ ଏପରି କାମ କରିବା କିମ୍ବା କଥା କହିବା, ଯାହାଦ୍ୱାରା ଈଶ୍ୱରଙ୍କ ନିୟମଗୁଡ଼ିକର ଉଲ୍ଲଙ୍ଘନ ହୁଏ । ଏପରି କାମ କରୁଥିବା ବ୍ୟକ୍ତି ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକୁ ତୁଚ୍ଛ ମନେ କରେ । ଯଦି ଜଣେ ବ୍ୟକ୍ତି କାମୁକତା କରେ, ତେବେ ତାʼ ମାମଲାକୁ ନ୍ୟାୟିକ ସମିତି ସମାଧାନ କରିବ । ଅଶୁଚିତାରେ ଅନେକ ଖରାପ କାମ ସାମିଲ୍‌ ଅଛି । ଅଶୁଚିତାର କିଛି ଗମ୍ଭୀର ମାମଲାଗୁଡ଼ିକୁ ସମାଧାନ କରିବା ପାଇଁ ନ୍ୟାୟିକ ସମିତିର ଆବଶ୍ୟକ ପଡ଼ିପାରେ ।—ଗାଲାତୀୟ ୫:୧୯-୨୧; ଏଫିସୀୟ ୪:୧୯; ଅଧିକ ଜାଣିବା ପାଇଁ ୧ ଅକ୍ଟୋବର, ୨୦୦୯ର ପ୍ରହରୀଦୁର୍ଗରେ (ହିନ୍ଦୀ) ଥିବା ଲେଖା “ପାଠକମାନଙ୍କ ପ୍ରଶ୍ନ” ପଢ଼ନ୍ତୁ ।

୯ ଅଧ୍ୟାୟ, ୭ ଅନୁଚ୍ଛେଦ; ୧୨ ଅଧ୍ୟାୟ, ୧୦ ଅନୁଚ୍ଛେଦ

 ୨୪ ହସ୍ତମୈଥୁନ

ପତିପତ୍ନୀ ପରସ୍ପରକୁ ପ୍ରେମ ପ୍ରକାଶ କରିପାରିବେ ବୋଲି ଯିହୋବା ମଣିଷମାନଙ୍କୁ ଯୌନ ଇଚ୍ଛା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ହେଉଥିବା ସମ୍ପର୍କ ହିଁ ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ଅଟେ । କିନ୍ତୁ ନିଜ ଯୌନ ଇଚ୍ଛା ପୂରଣ କରିବା ପାଇଁ ହସ୍ତମୈଥୁନ କରିବା ଅଶୁଦ୍ଧ ଅଟେ, କାରଣ ଏପରି କରୁଥିବା ବ୍ୟକ୍ତି ନିଜ ଗୁପ୍ତାଙ୍ଗର ଭୁଲ ବ୍ୟବହାର କରୁଥାଏ । ଏହି ଖରାପ ଅଭ୍ୟାସ ଯୋଗୁଁ ଜଣେ ବ୍ୟକ୍ତିର ଯିହୋବାଙ୍କ ସହ ସମ୍ପର୍କ ଭାଙ୍ଗି ଯାଇପାରେ । ତାʼ ମନରେ ଖରାପ ଇଚ୍ଛା ଆସିପାରେ ଓ ଯୌନ ସମ୍ପର୍କ ବିଷୟରେ ତାʼ ଦୃଷ୍ଟିକୋଣ ଖରାପ ହୋଇପାରେ । (କଲସୀୟ ୩:୫) ଯଦି ଜଣେ ବ୍ୟକ୍ତିଠାରେ ଏହି ଖରାପ ଅଭ୍ୟାସ ଅଛି ଓ ସେ ତାହା ଛାଡ଼ିପାରୁ ନାହିଁ, ତାହେଲେ ତାକୁ ହାର୍‌ ମାନିବା ଉଚିତ୍‌ ନୁହେଁ । (ଗୀତସଂହିତା ୮୬:୫; ୧ ଯୋହନ ୩:୨୦) ତାକୁ ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ତାʼ ମନରେ ଖରାପ ଚିନ୍ତା ନ ଆସିବା ପାଇଁ ଅଶ୍ଳିଳ ଚିତ୍ର କିମ୍ବା ଭିଡିଓଗୁଡ଼ିକୁ ଦେଖିବା ଉଚିତ୍‌ ନୁହେଁ । ଯଦି ତାʼ ପିତାମାତା ଯିହୋବାଙ୍କ ସାକ୍ଷୀ ଅଟନ୍ତି, ତେବେ ସେ ଏବିଷୟରେ ତାଙ୍କ ସହ କଥା ହୋଇପାରିବ କିମ୍ବା କୌଣସି ଏପରି ମିତ୍ର ସହ କଥା ହୋଇପାରିବ ଯିଏ ଯିହୋବାଙ୍କ ନିୟମଗୁଡ଼ିକୁ ପାଳନ କରନ୍ତି ଓ ପ୍ରୌଢ଼ ଅଟନ୍ତି । (ହିତୋପଦେଶ ୧:୮, ୯; ୧ ଥେସଲନୀକୀୟ ୫:୧୪; ତୀତସ ୨:୩-୫) ଜଣେ ବ୍ୟକ୍ତି ନିଜ ଚାଲିଚଳନ ଶୁଦ୍ଧ ରଖିବା ପାଇଁ ଯାହା ମଧ୍ୟ ଚେଷ୍ଟା କରେ, ଯିହୋବା ତାହା ଧ୍ୟାନ ଦିଅନ୍ତି ଓ ଖୁସି ହୁଅନ୍ତି ।—ଗୀତସଂହିତା ୫୧:୧୭; ଯିଶାଇୟ ୧:୧୮.

୯ ଅଧ୍ୟାୟ, ୯ ଅନୁଚ୍ଛେଦ

 ୨୫ ଏକରୁ ଅଧିକ ବିବାହ

ଆରମ୍ଭରୁ ହିଁ ଯିହୋବା ଚାହିଁଥିଲେ ଯେ ଜଣେ ପୁରୁଷର କେବଳ ଗୋଟିଏ ପତ୍ନୀ ହୁଅନ୍ତୁ ଏବଂ ଜଣେ ସ୍ତ୍ରୀର କେବଳ ଗୋଟିଏ ପତି ହୁଅନ୍ତୁ । ପ୍ରାଚୀନ ସମୟରେ ଯେତେବେଳେ ଈଶ୍ୱରଙ୍କ ସେବକମାନେ ଏକରୁ ଅଧିକ ସ୍ତ୍ରୀ ରଖୁଥିଲେ, ସେତେବେଳେ ଈଶ୍ୱର ସେମାନଙ୍କୁ ମନା କଲେ ନାହିଁ । କିନ୍ତୁ ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟ ନ ଥିଲା । ଆଜି ଯିହୋବା ନିଜ ଲୋକମାନଙ୍କୁ ଏକରୁ ଅଧିକ ବିବାହ କରିବା ପାଇଁ ଅନୁମତି ଦେଇ ନାହାନ୍ତି । ଜଣେ ପୁରୁଷର କେବଳ ଗୋଟିଏ ପତ୍ନୀ ହେବା ଉଚିତ୍‌ ଏବଂ ଜଣେ ସ୍ତ୍ରୀର କେବଳ ଗୋଟିଏ ପତି ହେବା ଉଚିତ୍‌ ।—ମାଥିଉ ୧୯:୯; ୧ ତୀମଥି ୩:୨.

୧୦ ଅଧ୍ୟାୟ, ୧୨ ଅନୁଚ୍ଛେଦ

 ୨୬ ଛାଡ଼ପତ୍ର ଦେବା ଓ ଅଲଗା ହେବା

ଯିହୋବା ଆରମ୍ଭରୁ ଚାହିଁଥିଲେ ଯେ ପତିପତ୍ନୀଙ୍କ ବନ୍ଧନ ଜୀବନସାରା ପାଇଁ ଅତୁଟ ରହୁ । (ଆଦି ପୁସ୍ତକ ୨:୨୪; ମଲାଖି ୨:୧୫, ୧୬; ମାଥିଉ ୧୯:୩-୬; ୧ କରିନ୍ଥୀୟ ୭:୩୯) ସେ କହିଛନ୍ତି ଯେ ପତିପତ୍ନୀ କେବଳ ଗୋଟିଏ କାରଣ ଯୋଗୁଁ ନିଜ ସାଥୀକୁ ଛାଡ଼ପତ୍ର ଦେଇପାରିବ । ତାହା ହେଉଛି, ଯଦି ଦୁହିଁଙ୍କ ମଧ୍ୟରୁ ଜଣେ ସାଥୀ ବ୍ୟଭିଚାର କରେ, ତେବେ ଅନ୍ୟ ସାଥୀ ଚାହିଁଲେ ତାକୁ ଛାଡ଼ପତ୍ର ଦେଇପାରିବ ।—ମାଥିଉ ୧୯:୯.

କିଛି ଖ୍ରୀଷ୍ଟିୟାନ ପତିପତ୍ନୀଙ୍କ ମଧ୍ୟରୁ କେହି ଅନୈତିକ ସମ୍ପର୍କ ରଖି ନାହାନ୍ତି, ଏପରିକି ସେମାନେ ଛାଡ଼ପତ୍ର ମଧ୍ୟ ଦେଇ ନାହାନ୍ତି, କିନ୍ତୁ ଅଲଗା ରହନ୍ତି । (୧ କରିନ୍ଥୀୟ ୭:୧୧) ଆଗକୁ ଦିଆଯାଇଥିବା କାରଣଗୁଡ଼ିକ ଯୋଗୁଁ ଜଣେ ଖ୍ରୀଷ୍ଟିୟାନ ଚାହିଁଲେ ନିଜ ସାଥୀଠାରୁ ଅଲଗା ହେବା ବିଷୟରେ ଭାବିପାରନ୍ତି ।

  • ଯେତେବେଳେ ସାଥୀ ଜଣକ ପରିବାରର ଦାୟିତ୍ୱ ତୁଲାନ୍ତି ନାହିଁ: ଜଣେ ପତି ଜାଣିଶୁଣି ନିଜ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରଣ କରନ୍ତି ନାହିଁ, ଯାହାଫଳରେ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଖାଇବାକୁ ମଧ୍ୟ ମିଳେ ନାହିଁ ।—୧ ତୀମଥି ୫:୮.

  • ଯେତେବେଳେ ସାଥୀ ଜଣକ ବହୁତ ମାରପିଟ୍‌ କରନ୍ତି: କେହି କେହି ନିଜ ସାଥୀଙ୍କୁ ଏତେ ମାରପିଟ୍‌ କରନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ କ୍ଷତି ପହଞ୍ଚେ କିମ୍ବା ତାଙ୍କ ଜୀବନ ବିପଦରେ ପଡ଼ିଯାଏ ।—ଗାଲାତୀୟ ୫:୧୯-୨୧.

  • ଯେତେବେଳେ ସାଥୀ ଜଣକ ଯୋଗୁଁ ଯିହୋବାଙ୍କ ସହ ସମ୍ପର୍କ ବଜାୟ ରଖିବା କଷ୍ଟକର ହୋଇଯାଏ: ସାଥୀ ଜଣକ ଏତେ ସମସ୍ୟା ସୃଷ୍ଟି କରନ୍ତି ଯେ ଜଣେ ଖ୍ରୀଷ୍ଟିୟାନ ଯିହୋବାଙ୍କ ସେବା କରିପାରନ୍ତି ନାହିଁ ।—ପ୍ରେରିତ ୫:୨୯.

୧୧ ଅଧ୍ୟାୟ, ୧୯ ଅନୁଚ୍ଛେଦ

 ୨୭ ପ୍ରଶଂସା କରିବା ଓ ସାହସ ବଢ଼ାଇବା

ଆମେ ସମସ୍ତେ ଚାହୁଁ ଯେ କେହି ଆମର ପ୍ରଶଂସା କରନ୍ତୁ ଏବଂ ସାହସ ବଢ଼ାନ୍ତୁ । (ହିତୋପଦେଶ ୧୨:୨୫; ୧୬:୨୪) ଆମେ ପ୍ରେମର ସହ କଥା ହୋଇ ପରସ୍ପରର ସାହସ ବଢ଼ାଇପାରିବା ଏବଂ ପରସ୍ପରକୁ ସାନ୍ତ୍ୱନା ଦେଇପାରିବା । ଏପରି କଲେ ଭାଇଭଉଣୀମାନେ କଠିନ ସମୟରେ ଧୈର୍ଯ୍ୟ ଧରିପାରନ୍ତି ଏବଂ ଯିହୋବାଙ୍କ ସେବା ଉତ୍ସାହର ସହ କରିବା ଜାରି ରଖନ୍ତି । (ହିତୋପଦେଶ ୧୨:୧୮; ଫିଲିପ୍ପୀୟ ୨:୧-୪) ଯଦି କେହି ନିରାଶ ଅଛନ୍ତି, ତେବେ ଆମେ ତାଙ୍କ କଥା ଧ୍ୟାନର ସହ ଶୁଣିବା ଉଚିତ୍‌ ଏବଂ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯେ ସେମାନେ କିପରି ଅନୁଭବ କରୁଛନ୍ତି । ଏପରି କଲେ ଆମେ ଜାଣିପାରିବା ଯେ ଆମେ ତାଙ୍କୁ କିପରି ସାହାଯ୍ୟ କରିପାରିବା କିମ୍ବା ତାଙ୍କୁ କʼଣ କହିପାରିବା । (ଯାକୁବ ୧:୧୯) ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣ ବୁଝିପାରିବେ ଯେ ସେମାନଙ୍କୁ କʼଣ ଆବଶ୍ୟକ ଅଛି । ଏପରି କଲେ ଆପଣ ତାଙ୍କ ଧ୍ୟାନ ଯିହୋବାଙ୍କ ଆଡ଼କୁ ଟାଣିପାରିବେ, ଯିଏ ସାନ୍ତ୍ୱନା ଓ ସାହସର ସ୍ରୋତ ଅଟନ୍ତି । ସେ ତାଙ୍କ ମନକୁ ଶାନ୍ତି ଦେଇପାରିବେ ।—୨ କରିନ୍ଥୀୟ ୧:୩, ୪; ୧ ଥେସଲନୀକୀୟ ୫:୧୧.

୧୨ ଅଧ୍ୟାୟ, ୧୬ ଅନୁଚ୍ଛେଦ

 ୨୮ ବିବାହର ରୀତିନୀତି

ବିବାହ କିପରି ହେବା ଉଚିତ୍‌ ଏବିଷୟରେ ବାଇବଲରେ କୌଣସି ନିୟମ ଦିଆଯାଇ ନାହିଁ । ପ୍ରତ୍ୟେକ ଜାଗାରେ ବିବାହର ରୀତିନୀତି ଓ ନିୟମ ଅଲଗା ଅଲଗା ହୋଇଥାଏ । (ଆଦି ପୁସ୍ତକ ୨୪:୬୭; ମାଥିଉ ୧:୨୪; ୨୫:୧୦; ଲୂକ ୧୪:୮) ବରବଧୂ ଯିହୋବାଙ୍କ ସମ୍ମୁଖରେ ଯେଉଁ ବିବାହର ଶପଥ ନିଅନ୍ତି, ତାହା ଖ୍ରୀଷ୍ଟିୟାନମାନଙ୍କ ବିବାହର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟେ । ଅନେକ ଲୋକ ଏହି ସୁଯୋଗରେ ନିଜ ପରିବାର ଲୋକଙ୍କୁ ଓ ସାଙ୍ଗମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଅନ୍ତି ଏବଂ ଜଣେ ପ୍ରାଚୀନଙ୍କୁ ବାଇବଲ ଆଧାରିତ ଗୋଟିଏ ଭାଷଣ ଦେବା ପାଇଁ ଅନୁରୋଧ କରନ୍ତି । ତାʼପରେ ବରବଧୂ ଚାହିଁଲେ ଭୋଜି ଦେଇପାରିବେ । ଏହି ଭୋଜି କିପରି ହେବ, ଏହାର ନିଷ୍ପତ୍ତି ସେମାନେ ନିଜେ କରିପାରିବେ । (ଲୂକ ୧୪:୨୮; ଯୋହନ ୨:୧-୧୧) ସେମାନେ ନିଜ ବିବାହ ପାଇଁ ଯାହା ମଧ୍ୟ ବ୍ୟବସ୍ଥା କରନ୍ତି, ସେମାନଙ୍କୁ ଧ୍ୟାନ ରଖିବା ଉଚିତ୍‌ ଯେ ସେଥିରୁ ଯିହୋବାଙ୍କ ମହିମା ହେବ । (ଆଦି ପୁସ୍ତକ ୨:୧୮-୨୪; ମାଥିଉ ୧୯:୫, ୬) ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ, ସେମାନେ ସଠିକ୍‌ ନିଷ୍ପତ୍ତି ନେଇପାରିବେ । (୧ ଯୋହନ ୨:୧୬, ୧୭) ଯଦି ଭୋଜିରେ ମଦ ଦିଆଯାଏ, ତେବେ ଭଲ ତଦାରଖର ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ୍‌ । (ହିତୋପଦେଶ ୨୦:୧; ଏଫିସୀୟ ୫:୧୮) ଯଦି ସଙ୍ଗୀତ କିମ୍ବା ମନୋରଞ୍ଜନ ପାଇଁ କୌଣସି କାର୍ଯ୍ୟକ୍ରମ ରଖାଯାଏ, ତେବେ ତାହା ଏପରି ହେବା ଉଚିତ୍‌ ଯେଉଁଥିରୁ ଯିହୋବାଙ୍କ ମହିମା ହେବ । କିନ୍ତୁ ବରବଧୂକୁ ନିଜ ବିବାହ ଦିନର ପ୍ରସ୍ତୁତିରେ ଏତେ ବୁଡ଼ିଯିବା କଥା ନୁହେଁ ଯେ ସେମାନେ ପରସ୍ପରର ସମ୍ପର୍କ ଓ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଅଣଦେଖା କରିଦେବେ ।—ହିତୋପଦେଶ ୧୮:୨୨; ଅଧିକ ଜାଣିବା ପାଇଁ ୧ ନଭେମ୍ବର, ୨୦୦୬ର ପ୍ରହରୀଦୁର୍ଗର (ହିନ୍ଦୀ) ୧୨-୨୩ ପୃଷ୍ଠା ପଢ଼ନ୍ତୁ ।

୧୩ ଅଧ୍ୟାୟ, ୧୮ ଅନୁଚ୍ଛେଦ

 ୨୯ ସଠିକ୍‌ ନିଷ୍ପତ୍ତି

ଆମେ ବାଇବଲର ସିଦ୍ଧାନ୍ତ ଅନୁସାରେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଚାହୁଁ । କଳ୍ପନା କରନ୍ତୁ, ଜଣେ ଭଉଣୀଙ୍କ ପତି ଯିହୋବାଙ୍କ ସାକ୍ଷୀ ନୁହନ୍ତି ଏବଂ ସେ ତାଙ୍କୁ ପର୍ବରେ ସମ୍ପର୍କୀୟମାନଙ୍କ ସହ ଖାଇବା ପାଇଁ କହନ୍ତି । ଏପରି ସମୟରେ ଭଉଣୀଙ୍କୁ କʼଣ କରିବା ଉଚିତ୍‌ ? ଯଦି ଆପଣଙ୍କ ସାମନାରେ ଏପରି ପରିସ୍ଥିତି ଆସେ, ତେବେ ଆପଣ କʼଣ କରିବେ ? ଯଦି ଆପଣଙ୍କ ବିବେକ କହେ ଯେ ଆପଣ ସେଠାରେ ଯାଇପାରିବେ, ତେବେ ଆପଣଙ୍କୁ ନିଜ ଜୀବନସାଥୀକୁ ସେଠାରେ ଯିବା ପୂର୍ବରୁ ଜଣାଇବା ଉଚିତ୍‌ ଯେ ଯଦି ଖାଇବା ସମୟରେ କୌଣସି ମିଥ୍ୟା ଧର୍ମ ସହ ଜଡ଼ିତ ରୀତିନୀତି ପାଳନ କରାଯାଏ, ତେବେ ଆପଣ ତାହା କରିବେ ନାହିଁ । ତାʼସହ ଆପଣଙ୍କୁ ଅନ୍ୟମାନଙ୍କ ବିବେକ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌, କାରଣ ଆପଣ ସେଠାକୁ ଗଲେ ହୁଏତ ଅନ୍ୟ କାହାରି ବିବେକକୁ ଆଘାତ ପହଞ୍ଚିପାରେ ।—୧ କରିନ୍ଥୀୟ ୮:୯; ୧୦:୨୩, ୨୪.

ହୁଏତ ଆପଣଙ୍କ ମାଲିକ କୌଣସି ପର୍ବ ସମୟରେ ଆପଣଙ୍କୁ ବୋନସ୍‌ ଦେଉଛି । କʼଣ ଆପଣଙ୍କୁ ତାହା ନେବା ପାଇଁ ମନା କରିବା ଉଚିତ୍‌ ? ହୁଏତ ନୁହେଁ । ଆପଣଙ୍କୁ ଦେଖିବା ଉଚିତ୍‌ ଯେ ଆପଣଙ୍କ ମାଲିକ କେଉଁ ଉଦ୍ଦେଶ୍ୟରେ ଆପଣଙ୍କୁ ବୋନସ୍‌ ଦେଉଛି । କʼଣ ସେ ପର୍ବରେ ଉପହାର ଭାବେ ଏହା ଦେଉଛି ନା କେବଳ ଏଥିପାଇଁ ଯେ ସେ ଆପଣଙ୍କ ପରିଶ୍ରମ ପ୍ରତି କୃତଜ୍ଞତା ଦେଖାଇବାକୁ ଚାହୁଁଛି ? ଏହି କଥାଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଆପଣ ନିଷ୍ପତ୍ତି ନେଇପାରିବେ ଯେ ଆପଣ ବୋନସ୍‌ ନେବେ ନା ନାହିଁ ।

ହୁଏତ କେହି ଆପଣଙ୍କୁ ପର୍ବର ଦିନରେ ଉପହାର ଦେଇ କହେ, “ମୁଁ ଜାଣେ ଯେ ଆପଣ ଏହି ପର୍ବ ପାଳନ କରନ୍ତି ନାହିଁ, ତଥାପି ମୁଁ ଏହା ଆପଣଙ୍କୁ ଦେବାକୁ ଚାହେଁ ।” ଆପଣଙ୍କୁ ଧ୍ୟାନ ଦେବା ଉଚିତ୍‌ ଯେ ସେ ପ୍ରେମ ଯୋଗୁଁ ଆପଣଙ୍କୁ ଉପହାର ଦେଉଛି ନା ଆପଣଙ୍କ ବିଶ୍ୱାସ କେତେ ମଜବୁତ୍‌, ତାହା ପରୀକ୍ଷା କରିବା ପାଇଁ ଦେଉଛି ନା ଏପରି କରି ସେ ଆପଣଙ୍କୁ କୌଣସି ଭାବେ ପର୍ବରେ ସାମିଲ୍‌ କରିବା ପାଇଁ ଚେଷ୍ଟା କରୁଛି ? ଏହି କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ପରେ ଆପଣ ନିଷ୍ପତ୍ତି ନେଇପାରିବେ ଯେ ଆପଣ ସେହି ଉପହାର ନେବେ ନା ନାହିଁ । ଆମେ ସବୁବେଳେ ଏପରି ନିଷ୍ପତ୍ତି ନେବା ଉଚିତ୍‌, ଯାହାଦ୍ୱାରା ଆମ ବିବେକ ସଫା ରହିବ ଏବଂ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ।—ପ୍ରେରିତ ୨୩:୧.

୧୩ ଅଧ୍ୟାୟ, ୨୨ ଅନୁଚ୍ଛେଦ

 ୩୦ ବ୍ୟାପାର ଓ ଆଇନ ସମ୍ବନ୍ଧୀୟ ମାମଲା

ଯେତେବେଳେ ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହୁଏ, ଆଉ ସେମାନେ ତାକୁ ତୁରନ୍ତ ସମାଧାନ କରନ୍ତି, ତେବେ ଏହି ମାମଲା ଗମ୍ଭୀର ରୂପ ନିଏ ନାହିଁ । (ମାଥିଉ ୫:୨୩-୨୬) ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଚେଷ୍ଟା କରିବା ଉଚିତ୍‌ ଯେ ସେମାନଙ୍କ ବ୍ୟବହାରରୁ ଯିହୋବାଙ୍କ ମହିମା ହେଉ ଓ ମଣ୍ଡଳୀରେ ଏକତା ରହୁ ।—ଯୋହନ ୧୩:୩୪, ୩୫; ୧ କରିନ୍ଥୀୟ ୧୩:୪, ୫.

ଯଦି ଦୁଇ ଜଣ ଖ୍ରୀଷ୍ଟିୟାନ ସାଙ୍ଗରେ ମିଶି ବ୍ୟାପାର କରୁଛନ୍ତି ଏବଂ ତାଙ୍କ ମଧ୍ୟରେ ମତାନ୍ତର ହୁଏ, ତେବେ ସେମାନଙ୍କୁ ଅଦାଲତ ନ ଯାଇ ପରସ୍ପର ମଧ୍ୟରେ ହିଁ ଏହି ମାମଲା ସମାଧାନ କରିବା ଉଚିତ୍‌ । ପ୍ରଥମ କରିନ୍ଥୀୟ ୬:୧-୮ ପଦରେ ପ୍ରେରିତ ପାଉଲ ଏପରି ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ, ଯେଉଁମାନେ ପରସ୍ପର ବିରୁଦ୍ଧରେ ମକଦ୍ଦମା କରୁଥିଲେ । ଭାଇଭଉଣୀଙ୍କୁ ଅଦାଲତ ନେଲେ ଯିହୋବା ଓ ମଣ୍ଡଳୀର ନାମ ବଦନାମ ହୋଇପାରେ । ଖ୍ରୀଷ୍ଟିୟାନମାନଙ୍କୁ ଗମ୍ଭୀର ମାମଲାଗୁଡ଼ିକୁ କିପରି ସମାଧାନ କରିବା ଉଚିତ୍‌, ଏବିଷୟରେ ମାଥିଉ ୧୮:୧୫-୧୭ ପଦରେ ଭଲ ପରାମର୍ଶ ଦିଆଯାଇଛି । ଯେପରି, କାହାରିକୁ ବଦନାମ କରାଯାଇଛି କିମ୍ବା କାହାରି ସହ ଧୋକା ହୋଇଛି । ଏପରି ମାମଲାଗୁଡ଼ିକ ଏଥିରେ ସାମିଲ୍‌ । ସେହି ପଦଗୁଡ଼ିକରେ ତିନୋଟି ପଦକ୍ଷେପ ବିଷୟରେ କୁହାଯାଇଛି: (୧) ସେମାନଙ୍କୁ ପରସ୍ପର ମଧ୍ୟରେ ମାମଲାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । (୨) ଯଦି ମାମଲା ସମାଧାନ ହୁଏ ନାହିଁ, ତେବେ ସେମାନେ ମଣ୍ଡଳୀର ଜଣେ କିମ୍ବା ଦୁଇ ଜଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ସାହାଯ୍ୟ ନେଇପାରିବେ । (୩) ଏପରି କଲାପରେ ମଧ୍ୟ ଯଦି କୌଣସି ସମାଧାନ ହୁଏ ନାହିଁ, ତେବେ ସେମାନେ ପ୍ରାଚୀନମାନଙ୍କ ସମୂହକୁ ଏହି ମାମଲାକୁ ସମାଧାନ କରିବାକୁ କହିପାରିବେ । ପ୍ରାଚୀନ ଏହି ଭାଇମାନଙ୍କୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ବୁଝାନ୍ତି, ଯାହାଫଳରେ ଭାଇମାନେ ପରସ୍ପର ସହ ବୁଝାମଣା କରି ଗୋଟିଏ କଥାରେ ରାଜି ହୋଇଯାʼନ୍ତୁ ଓ ଝଗଡ଼ାକୁ ବନ୍ଦ କରନ୍ତୁ । କିନ୍ତୁ ଯଦି ସେମଧ୍ୟରୁ କୌଣସି ଭାଇ ବାଇବଲର ସିଦ୍ଧାନ୍ତକୁ ପାଳନ କରିବାକୁ ରାଜି ହୁଏ ନାହିଁ, ତେବେ ପ୍ରାଚୀନମାନଙ୍କୁ ନ୍ୟାୟିକ ପଦକ୍ଷେପ ନେବାକୁ ପଡ଼ିପାରେ ।

କିଛି ମାମଲାଗୁଡ଼ିକରେ ଆଇନର ସାହାଯ୍ୟ ନେବାକୁ ପଡ଼ିପାରେ । ଯେପରି— ଛାଡ଼ପତ୍ର ଦେବା, ଛାଡ଼ପତ୍ର ପରେ ପିଲାମାନେ କାହା ସହ ରହିବେ ତାହା ନିଷ୍ପତ୍ତି ନେବା, ଜୀବନସାଥୀକୁ ଗୁଜୁରାଣ ମେଣ୍ଟାଇବା ପାଇଁ କେତେ ଭତ୍ତା ମିଳିବ ତାହା ନିଷ୍ପତ୍ତି ନେବା, ବୀମାରୁ ମିଳୁଥିବା କ୍ଷତିପୂରଣକୁ କିପରି ବଣ୍ଟାଯିବ ତାହା ନିଷ୍ପତ୍ତି ନେବା, ଦେବାଳିଆପଣ କିମ୍ବା ଇଚ୍ଛାପତ୍ର (ଜମିବାଡ଼ି) ସହ ଜଡ଼ିତ ମାମଲାଗୁଡ଼ିକ । ଯଦି ଜଣେ ଖ୍ରୀଷ୍ଟିୟାନ ଏହି ମାମଲାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ଆଇନର ସାହାଯ୍ୟ ନିଏ, ତେବେ ସେ ପାଉଲଙ୍କ ପରାମର୍ଶର ବିରୁଦ୍ଧରେ କାମ କରୁ ନ ଥିବ ।

ଗମ୍ଭୀର ଅପରାଧ ମାମଲାରେ ସରକାରୀ ଅଧିକାରୀମାନଙ୍କ ପାଖରେ ମାମଲା ରୁଜୁ କରିବା ମଧ୍ୟ ପାଉଲଙ୍କ ପରାମର୍ଶର ବିରୁଦ୍ଧରେ ନୁହେଁ । ଏହା ବଳାତ୍କାର, ପିଲାମାନଙ୍କ ସହ ଦୁର୍ବ୍ୟବହାର, ମାରପିଟ୍‌, ଡକାୟତ କିମ୍ବା ହତ୍ୟା ପରି ଅପରାଧ ହୋଇପାରେ ।

୧୪ ଅଧ୍ୟାୟ, ୧୪ ଅନୁଚ୍ଛେଦ

 ୩୧ ଶୟତାନର ଫାନ୍ଦ

ଆଦମ ଓ ହବାର ସମୟରୁ ଶୟତାନ ମଣିଷମାନଙ୍କୁ ଧୋକା ଦେଇ ଆସିଛି । (ଆଦି ପୁସ୍ତକ ୩:୧-୬; ପ୍ରକାଶିତ ବାକ୍ୟ ୧୨:୯) ସେ ଆମ ଚିନ୍ତାଧାରା ଭ୍ରଷ୍ଟ କରିବାକୁ ଚାହେଁ, ଯାହାଦ୍ୱାରା ସେ ଆମକୁ ଅତି ସହଜରେ ଖରାପ କାମଗୁଡ଼ିକ କରାଇପାରିବ । (୨ କରିନ୍ଥୀୟ ୪:୪; ଯାକୁବ ୧:୧୪, ୧୫) ସେ ରାଜନୀତି, ଧର୍ମ, ବ୍ୟାପାର, ମନୋରଞ୍ଜନ, ଶିକ୍ଷା ଏବଂ ଏପରି ଅନେକ ଉପାୟରେ ନିଜ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଇଥାଏ । ସେ ଏଗୁଡ଼ିକୁ ଏପରି ଭାବେ ଦେଖାଇଥାଏ ଯେପରି ସେଥିରେ କୌଣସି ଭୁଲ ନାହିଁ ଏବଂ ଲୋକମାନେ ତାହା ସହଜରେ ଆପଣାଇଥାʼନ୍ତି ।—ଯୋହନ ୧୪:୩୦; ୧ ଯୋହନ ୫:୧୯.

ଶୟତାନ ଜାଣେ ଯେ ତାʼ ପାଖରେ ବହୁତ କମ୍‌ ସମୟ ରହିଛି । ତେଣୁ ସେ ଅଧିକରୁ ଅଧିକ ଲୋକଙ୍କୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରେ । ସେ ବିଶେଷ କରି ଯିହୋବାଙ୍କ ଲୋକମାନଙ୍କୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରେ । (ପ୍ରକାଶିତ ବାକ୍ୟ ୧୨:୧୨) ଯଦି ଆମେ ସାବଧାନ ରହିବା ନାହିଁ, ତେବେ ଶୟତାନ ଧୀରେ ଧୀରେ ଆମ ଚିନ୍ତାଧାରା ଭ୍ରଷ୍ଟ କରିପାରେ । (୧ କରିନ୍ଥୀୟ ୧୦:୧୨) ଉଦାହରଣ ପାଇଁ, ବିବାହ ବନ୍ଧନ ବିଷୟରେ ଭାବନ୍ତୁ । ଯିହୋବା ଚାହାନ୍ତି ଯେ ଏହି ବନ୍ଧନ ଅତୁଟ ରହୁ । (ମାଥିଉ ୧୯:୫, ୬, ୯) କିନ୍ତୁ ଆଜି ଅନେକ ଲୋକ ଏହି ବନ୍ଧନକୁ ସାଧାରଣ ବୋଲି ମନେ କରନ୍ତି ଏବଂ ଭାବନ୍ତି ଯେ ଏହାକୁ ଯେତେବେଳେ ଇଚ୍ଛା ସେତେବେଳେ ଭାଙ୍ଗି ଦିଆଯାଇପାରିବ । ଏପରିକି ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଏହାକୁ ପ୍ରୋତ୍ସାହନ ଦିଆଯାଏ । ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ଜଗତର ଏହି ଚିନ୍ତାଧାରା ଆମ ଉପରେ ପ୍ରଭାବ ନ ପକାଉ ।

ଶୟତାନ ଆମ ଚିନ୍ତାଧାରାକୁ ଭ୍ରଷ୍ଟ କରିବା ପାଇଁ ଆଉ ଗୋଟିଏ ଉପାୟ ପାଞ୍ଚିଥାଏ । ସେ ଆମକୁ ମନଇଚ୍ଛା କାମ କରିବାକୁ ପ୍ରୋତ୍ସାହନ ଦେଇଥାଏ । (୨ ତୀମଥି ୩:୪) ଯଦି ଆମେ ସତର୍କ ନ ରହୁ, ତେବେ ଆମେ ମଧ୍ୟ ମନଇଚ୍ଛା କାମ କରିପାରୁ । ହୁଏତ ଆମେ ସେହି ଲୋକମାନଙ୍କର ଆଦର କରି ନ ପାରୁ, ଯେଉଁମାନଙ୍କୁ ଯିହୋବା ଆମ ଉପରେ ଅଧିକାର ଦେଇଛନ୍ତି । ଯେପରି, ହୁଏତ ଜଣେ ଭାଇ ପ୍ରାଚୀନମାନଙ୍କ ନିର୍ଦ୍ଦେଶ ମାନେ ନାହିଁ କିମ୍ବା ଜଣେ ଭଉଣୀ ନିଜ ପତିଙ୍କ ଅଧିକାର ଉପରେ ପ୍ରଶ୍ନ କରେ ।—୧ କରିନ୍ଥୀୟ ୧୧:୩; ଏବ୍ରୀ ୧୨:୫.

ଆମେ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ଆମେ ଶୟତାନର ଚିନ୍ତାଧାରାକୁ ଆପଣାଇବା ନାହିଁ, ବରଂ ଯିହୋବାଙ୍କ ଚିନ୍ତାଧାରାକୁ ଆପଣାଇବା ଏବଂ “ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ” ହେବା ।—କଲସୀୟ ୩:୨; ୨ କରିନ୍ଥୀୟ ୨:୧୧.

୧୬ ଅଧ୍ୟାୟ, ୯ ଅନୁଚ୍ଛେଦ

 ୩୨ ଚିକିତ୍ସା

ଆମେ ସମସ୍ତେ ସୁସ୍ଥ ରହିବାକୁ ଚାହୁଁ । ତେଣୁ ଆମେ ରୋଗରେ ପଡ଼ିଲେ ଭଲ ଚିକିତ୍ସା କରାଇବାକୁ ଚେଷ୍ଟା କରୁ । (ଯିଶାଇୟ ୩୮:୨୧; ମାର୍କ ୫:୨୫, ୨୬; ଲୂକ ୧୦:୩୪) ଆଜି ଡାକ୍ତର, ବୈଦ୍ୟ, ଏପରିକି ସାଧାରଣ ଲୋକମାନେ ମଧ୍ୟ ଔଷଧଗୁଡ଼ିକ ବିଷୟରେ ଏବଂ ଚିକିତ୍ସାର ଭିନ୍ନ ଭିନ୍ନ ଉପାୟ ବିଷୟରେ ଜାଣନ୍ତି । ତେଣୁ ଆମେ କୌଣସି ଚିକିତ୍ସା କରାଇବା ପୂର୍ବରୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ଉଚିତ୍‌ । କିନ୍ତୁ ଆମେ ଭୁଲିବା ଉଚିତ୍‌ ନୁହେଁ ଯେ ସମସ୍ତ ରୋଗଗୁଡ଼ିକ କେବଳ ଈଶ୍ୱରଙ୍କ ରାଜ୍ୟରେ ହିଁ ଠିକ୍‌ ହେବ । ତେଣୁ ଆଜି ଆମେ ନିଜ ସ୍ୱାସ୍ଥ୍ୟକୁ ନେଇ ଅତ୍ୟଧିକ ଚିନ୍ତା କରିବା ଉଚିତ୍‌ ନୁହେଁ । କାରଣ ଏପରି କଲେ ଆମେ ଯିହୋବାଙ୍କ ଉପାସନାକୁ ଅଣଦେଖା କରିପାରୁ ।—ଯିଶାଇୟ ୩୩:୨୪; ୧ ତୀମଥି ୪:୧୬.

ଯଦି ଆମକୁ ଲାଗେ ଯେ କୌଣସି ପ୍ରକାରର ଚିକିତ୍ସାରେ ଅଲୌକିକ ଶକ୍ତିର ପ୍ରଭାବ ରହିଛି, ଯାହା ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ତରଫରୁ ଥାଏ, ତେବେ ଆମେ ତାହା ସ୍ୱୀକାର କରିବା ଉଚିତ୍‌ ନୁହେଁ । (ଦ୍ୱିତୀୟ ବିବରଣ ୧୮:୧୦-୧୨; ଯିଶାଇୟ ୧:୧୩) ଆମେ ଆଖିବୁଜି କୌଣସି ଔଷଧ କିମ୍ବା ଚିକିତ୍ସା ସ୍ୱୀକାର କରିବା ଉଚିତ୍‌ ନୁହେଁ, ବରଂ ତାʼ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେବା ଉଚିତ୍‌ ଏବଂ ତାହାର ସମ୍ପର୍କ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଅଛି ନା ନାହିଁ ତାହା ଜଣା ହେବା ଉଚିତ୍‌ । (ହିତୋପଦେଶ ୧୪:୧୫) ଆମେ ଏହା କେବେ ମଧ୍ୟ ଭୁଲିବା ଉଚିତ୍‌ ନୁହେଁ ଯେ ଶୟତାନ ଆମକୁ ଧୋକା ଦେଇ ଯାଦୁବିଦ୍ୟାରେ ଫସାଇପାରେ । ଯଦି ଆପଣଙ୍କୁ କୌଣସି ଚିକିତ୍ସା ବିଷୟରେ ଟିକିଏ ବି ସନ୍ଦେହ ଅଛି ଯେ ତାହା ଯାଦୁବିଦ୍ୟା ସହ ଜଡ଼ିତ ଅଟେ, ତେବେ ସେହି ଚିକିତ୍ସାରୁ ଦୂରେଇ ରହିବାରେ ହିଁ ଆପଣଙ୍କ ମଙ୍ଗଳ ।—୧ ପିତର ୫:୮.

୧୬ ଅଧ୍ୟାୟ, ୧୮ ଅନୁଚ୍ଛେଦ

a କେତେକ ଡାକ୍ତର ବିଶ୍ୱାସ କରନ୍ତି ଯେ ରକ୍ତର ଏହି ଚାରୋଟି ବଡ଼ ଉପାଦାନ ମଧ୍ୟ ଛୋଟ ଉପାଦାନ ଭଳି ରକ୍ତ ନୁହେଁ । ତେଣୁ ଆପଣଙ୍କୁ ଚିକିତ୍ସା ମାମଲାରେ ଡାକ୍ତରଙ୍କ ସହ କଥା ହେବା ସମୟରେ ତାଙ୍କୁ ସ୍ପଷ୍ଟ ଭାବେ କହିବା ଉଚିତ୍‌ ଯେ ଆପଣ ରକ୍ତ ନିଅନ୍ତି ନାହିଁ । ଏପରିକି ତାʼର ଚାରୋଟି ବଡ଼ ଉପାଦାନ (ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟ୍‌ଲେଟ୍‌ସ ଓ ପ୍ଲାଜ୍‌ମା) ମଧ୍ୟରୁ କୌଣସି ଉପାଦାନ ନିଅନ୍ତି ନାହିଁ ।