इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୨

ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ

ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ

“ଶୁଚି [ଶୁଦ୍ଧ] ବିବେକ ଧରି ରଖ ।”—୧ ତୀମଥି ୧:୧୯.

୧, ୨. (କ) ଏକ ଅଜଣା ଜାଗା ଦେଇ ଯାତ୍ରା କରିବା ସମୟରେ, ଆମ ପାଖରେ ଦିଗ ଜାଣିବାର ଜରିଆ ହେବା କାହିଁକି ଜରୁରୀ ? (ଖ) ଯିହୋବା ଆମକୁ ସଠିକ୍‌ ବାଟ ଦେଖାଇବା ପାଇଁ କʼଣ ଦେଇଛନ୍ତି ?

 କଳ୍ପନା କରନ୍ତୁ, ଆପଣ ବହୁତ ବଡ଼ ମରୁଭୂମି ଦେଇ ଯାଉଛନ୍ତି । ପବନ ଏତେ ଜୋରରେ ବହୁଛି ଯେ ତାହା ବାଲିଗୁଡ଼ିକୁ ଭିନ୍ନ ଭିନ୍ନ ଦିଗରେ ଉଡ଼େଇ ନେଉଛି । ଆଉ, ଏହାଦ୍ୱାରା ସାରା ମରୁଭୂମିର ଦୃଶ୍ୟ ବଦଳୁଛି । ଏବେ ଆପଣ କʼଣ କରିବେ ? ଆପଣ କିପରି ଜାଣିବେ ଯେ ଆପଣଙ୍କୁ କେଉଁ ଦିଗରେ ଯିବାର ଅଛି ? ଏପରି ପରିସ୍ଥିତିରେ ଆପଣଙ୍କ ପାଖରେ ଏକ କମ୍ପାସ, ନକ୍ସା କିମ୍ବା ଜିପିଏସ୍‌ ହେବା ଉଚିତ୍‌ । ଯଦି ଆପଣଙ୍କ ପାଖରେ ଏସବୁ ନାହିଁ, ତେବେ ଆପଣଙ୍କୁ ସୂର୍ଯ୍ୟ ଓ ତାରାକୁ ଦେଖି ରାସ୍ତା କିପରି ଖୋଜାଯାଏ, ତାହା ଜଣା ହେବା ଉଚିତ୍‌ କିମ୍ବା ଆପଣଙ୍କ ସହ ଏପରି ଜଣେ ବ୍ୟକ୍ତି ହେବା ଉଚିତ୍‌ ଯିଏ ମରୁଭୂମି ଅଞ୍ଚଳ ବିଷୟରେ ଭଲ ଭାବେ ଜାଣେ । କିନ୍ତୁ ଯଦି ଆପଣଙ୍କ ପାଖରେ ସଠିକ୍‌ ଦିଗ ଜାଣିବା ପାଇଁ କୌଣସି ଜରିଆ ନାହିଁ, ତେବେ ଆପଣ ସମସ୍ୟାରେ ପଡ଼ିପାରନ୍ତି, ଏପରିକି ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ ।

ଆମେ ଜୀବନରେ ଅନେକ ସମସ୍ୟାଗୁଡ଼ିକର ସାମନା କରୁ ଏବଂ ଆମେ ଅତି ସହଜରେ ବାଟବଣା ହୋଇପାରୁ । କିନ୍ତୁ ଯିହୋବା ଠିକ୍‌ ବାଟ ଦେଖାଇବା ପାଇଁ ପ୍ରତ୍ୟେକ ମଣିଷକୁ ବିବେକ ଦେଇଛନ୍ତି । (ଯାକୁବ ୧:୧୭) ଆସନ୍ତୁ ଜାଣିବା ଯେ ବିବେକ କʼଣ ଏବଂ ଏହା କିପରି କାମ କରେ । ତାʼପରେ ଆମେ ଶିଖିବା ଯେ ଆମେ ନିଜ ବିବେକକୁ ଠିକ୍‌ ଭାବେ କାମ କରିବା ପାଇଁ କିପରି ଶିଖାଇପାରିବା, ଆମେ ଅନ୍ୟମାନଙ୍କ ବିବେକ ପ୍ରତି କାହିଁକି ଧ୍ୟାନ ରଖିବା ଉଚିତ୍‌ ଏବଂ ଏକ ଶୁଦ୍ଧ ବିବେକ ଥିଲେ ଆମେ ଏକ ଭଲ ଜୀବନ କିପରି ଜୀଇଁପାରିବା ।

ବିବେକ କʼଣ ଏବଂ ଏହା କିପରି କାମ କରେ ?

୩. ବିବେକ କʼଣ ?

ବିବେକ ଯିହୋବାଙ୍କ ତରଫରୁ ଏକ ଉପହାର ଅଟେ । ଏହା ଆମ ନିଜ ଭିତରୁ ଆସୁଥିବା ଆବାଜ୍‌ ବା କଥା ଅଟେ, ଯାହା ଆମକୁ ଠିକ୍‌ କʼଣ ଓ ଭୁଲ କʼଣ ଜାଣିବା ପାଇଁ ସାହାଯ୍ୟ କରେ । ବାଇବଲରେ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ବିବେକ” କରାଯାଇଛି, ତାର ଅର୍ଥ ହେଉଛି, “ନିଜ ବିଷୟରେ ଜ୍ଞାନ ।” ଯଦି ଆମ ବିବେକ ସଠିକ୍‌ ଭାବେ କାମ କରେ, ତେବେ ଏହା ଆମକୁ ଠିକ୍‌ ଭାବେ ଜାଣିବା ପାଇଁ ସାହାଯ୍ୟ କରିବ ଯେ ଆମେ ହୃଦୟରୁ କିପରି ମଣିଷ ଅଟୁ ଏବଂ ଆମ ଚିନ୍ତାଧାରା କିମ୍ବା ମନର ଇଚ୍ଛାଗୁଡ଼ିକ କିପରି ଅଟେ । ବିବେକ ଆମକୁ ସଠିକ୍‌ କାମ କରିବା ପାଇଁ ପ୍ରୋତ୍ସାହନ ଦିଏ ଏବଂ ଭୁଲ କାମ ନ କରିବା ପାଇଁ ସତର୍କ କରେ । ଯେତେବେଳେ ଆମେ ସଠିକ୍‌ ନିଷ୍ପତ୍ତି ନେଉ, ସେତେବେଳେ ବିବେକ ଆମକୁ ହୃଦୟଙ୍ଗମ କରାଏ ଯେ ଆମେ ସଠିକ୍‌ କାମ କରିଛୁ, ତେଣୁ ଆମକୁ ଖୁସି ଲାଗେ । ଆଉ, ଯେତେବେଳେ ଆମେ ଭୁଲ ନିଷ୍ପତ୍ତି ନେଉ, ସେତେବେଳେ ବିବେକ ଆମକୁ ଦୋଷୀ ଅନୁଭବ କରାଏ ।—ଅଧିକ ବିବରଣୀ-୫ ଦେଖନ୍ତୁ ।

୪, ୫. (କ) ଯେତେବେଳେ ଆଦମ ଓ ହବା ନିଜ ବିବେକର କଥା ଶୁଣିଲେ ନାହିଁ, ସେତେବେଳେ କʼଣ ହେଲା ? (ଖ) ବାଇବଲରୁ କିଛି ଲୋକଙ୍କ ଉଦାହରଣ ଦେଇ କୁହନ୍ତୁ ଯେ ବିବେକ କିପରି କାମ କରେ ।

ଏହା ଆମ ଉପରେ ନିର୍ଭର କରେ ଯେ ଆମେ ନିଜ ବିବେକର କଥା ଶୁଣିବା ନା ନାହିଁ । ଆଦମ ଓ ହବା ପାଖରେ ମଧ୍ୟ ବିବେକ ଥିଲା । ଏହା ଆମେ କିପରି କହିପାରିବା ? ଯେତେବେଳେ ସେମାନେ ପାପ କଲେ, ସେତେବେଳେ ସେମାନେ ଲଜ୍ଜା ଅନୁଭବ କରିବାକୁ ଲାଗିଲେ, କିନ୍ତୁ ଏବେ କିଛି ହୋଇପାରି ନ ଥାʼନ୍ତା । କାରଣ ସେମାନେ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିସାରିଥିଲେ । (ଆଦି ପୁସ୍ତକ ୩:୭, ୮) ସେ ଦୁହେଁ ପରିପୂର୍ଣ୍ଣ ଥିଲେ ଏବଂ ସେମାନଙ୍କ ବିବେକ ସେମାନଙ୍କୁ ଜଣାଇଥିଲା ଯେ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବା ଭୁଲ ଅଟେ, ତଥାପି ସେମାନେ ନିଜ ବିବେକର କଥା ଶୁଣିଲେ ନାହିଁ ।

କିନ୍ତୁ ଏପରି ଅନେକ ମଣିଷ ଥିଲେ, ଯେଉଁମାନେ ଅପରିପୂର୍ଣ୍ଣ ହେବା ସତ୍ତ୍ୱେ ନିଜ ବିବେକର କଥା ଶୁଣିଲେ । ଏପରି ଜଣେ ବ୍ୟକ୍ତି ଥିଲେ ଆୟୁବ । ସେ ନିଜ ଜୀବନରେ ସଠିକ୍‌ ନିଷ୍ପତ୍ତି ନେଇଥିଲେ । ତେଣୁ ସେ କହିପାରିଲେ, “ମୁଁ ବଞ୍ଚିଥିବାଯାଏ ମୋʼ ଅନ୍ତଃକରଣ ମୋତେ ନିନ୍ଦା କରିବ ନାହିଁ ।” (ଆୟୁବ ୨୭:୬) ଯେତେବେଳେ ସେ ଏଠାରେ “ଅନ୍ତଃକରଣ” କହିଲେ, ସେତେବେଳେ ସେ ନିଜ ବିବେକ ବିଷୟରେ କହୁଥିଲେ । ଆଉ ଜଣେ ବ୍ୟକ୍ତି ଥିଲେ, ଦାଉଦ । ଥରେ ସେ ନିଜ ବିବେକର କଥା ଶୁଣିଲେ ନାହିଁ ଏବଂ ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ, ଯାହାଫଳରେ ତାଙ୍କୁ ଏତେ ଖରାପ ଲାଗିଲା ଯେ ତାଙ୍କ “ଅନ୍ତଃକରଣ ତାଙ୍କୁ ଆଘାତ କଲା ।” (୧ ଶାମୁୟେଲ ୨୪:୫) ଦାଉଦଙ୍କ ବିବେକ ତାଙ୍କୁ କହୁଥିଲା ଯେ ସେ ଯାହା କଲେ ତାହା ଭୁଲ ଅଟେ । ସେ ନିଜ ବିବେକର କଥା ଶୁଣିଲେ ଏବଂ ଶିଖିଲେ ଯେ ସେ ପୁଣି ଏପରି ଭୁଲ କରିବେ ନାହିଁ ।

୬. ଆମେ କାହିଁକି କହିପାରିବା ଯେ ବିବେକ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ ?

ଯେଉଁମାନେ ଯିହୋବାଙ୍କୁ ଜାଣନ୍ତି ନାହିଁ, ସେମାନଙ୍କୁ ମଧ୍ୟ ଜଣାଥାଏ ଯେ ଠିକ୍‌ କʼଣ ଓ ଭୁଲ କʼଣ । ବାଇବଲ କହେ, “ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ ।” (ରୋମୀୟ ୨:୧୪, ୧୫) ଅନେକ ଲୋକ ଜାଣନ୍ତି ଯେ ହତ୍ୟା କରିବା ଓ ଚୋରି କରିବା ଭୁଲ ଅଟେ । ତେଣୁ ସେମାନେ ଏପରି କାମ କରନ୍ତି ନାହିଁ । ଏପରି ଭାବେ ସେମାନେ ଅଜାଣତରେ ନିଜ ବିବେକର କଥା ଶୁଣୁଥାʼନ୍ତି । ଯିହୋବା ସେମାନଙ୍କ ଭିତରେ ଠିକ୍‌ ଓ ଭୁଲକୁ ଜାଣିବାର ଯେଉଁ କ୍ଷମତା ଦେଇଛନ୍ତି, ତାʼ ମୁତାବକ ସେମାନେ କାମ କରୁଥାʼନ୍ତି । ଦେଖିବାକୁ ଗଲେ ସେମାନେ ମଧ୍ୟ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ ପାଳନ କରୁଛନ୍ତି, ଯାହା ସେ ମଣିଷମାନଙ୍କୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଦେଇଛନ୍ତି ।

୭. ବେଳେ ବେଳେ ବିବେକ ଆମକୁ ଭୁଲ ବାଟ କାହିଁକି ଦେଖାଇପାରେ ?

ବେଳେ ବେଳେ ଆମ ବିବେକ ଆମକୁ ଭୁଲ ବାଟ ଦେଖାଇପାରେ । କାରଣ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ । ଅପରିପୂର୍ଣ୍ଣ ହେବା ଯୋଗୁଁ ଆମ ଭୁଲ ଚିନ୍ତାଧାରା କିମ୍ବା ଖରାପ ଇଚ୍ଛାଗୁଡ଼ିକ ଆମକୁ ଭୁଲ ବାଟ ଦେଖାଇପାରେ । ଆମେ ନିଜ ବିବେକକୁ ପ୍ରଶିକ୍ଷଣ ଦେବା ଉଚିତ୍‌ । କାରଣ ଏହା ନିଜେ ନିଜେ ସଠିକ୍‌ ଭାବେ କାମ କରିପାରେ ନାହିଁ । (ଆଦି ପୁସ୍ତକ ୩୯:୧, ୨, ୭-୧୨) ଏହାକୁ ଠିକ୍‌ ଭାବେ ପ୍ରଶିକ୍ଷଣ ଦେବା ପାଇଁ ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ଏବଂ ବାଇବଲର ସିଦ୍ଧାନ୍ତ ଦେଇଛନ୍ତି । (ରୋମୀୟ ୯:୨) ଆସନ୍ତୁ ଦେଖିବା ଯେ ଏଗୁଡ଼ିକର ସାହାଯ୍ୟରେ ଆମେ ନିଜ ବିବେକକୁ ସଠିକ୍‌ ଭାବେ କାମ କରିବା ପାଇଁ କିପରି ଶିଖାଇପାରିବା ।

ବିବେକକୁ କିପରି ପ୍ରଶିକ୍ଷଣ ଦେବା ?

୮. (କ) ଆମ ହୃଦୟ ବିବେକ ଉପରେ କିପରି ପ୍ରଭାବ ପକାଇପାରେ ? (ଖ) କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ କʼଣ ଭାବିବା ଉଚିତ୍‌ ?

କିଛି ଲୋକ ଭାବନ୍ତି ଯେ ନିଜ ବିବେକର କଥା ଶୁଣିବାର ଅର୍ଥ, ନିଜ ହୃଦୟର କଥା ଶୁଣିବା । ସେମାନେ ଭାବନ୍ତି ଯେ ଯେଉଁ କାମ ସେମାନଙ୍କୁ ଭୁଲ ଲାଗେନି, ତାହା ସେମାନେ କରିପାରିବେ । କିନ୍ତୁ ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ପାପୀ ହେବା ଯୋଗୁଁ ଆମ ହୃଦୟ ଆମକୁ ବାଟବଣା କରିପାରେ । ଆମ ହୃଦୟ ବିବେକ ଉପରେ କୁପ୍ରଭାବ ପକାଏ । ଏହା ଆମକୁ ନିଜ ବିବେକର ଆବାଜ୍‌ ଶୁଣିବାକୁ ଦିଏ ନାହିଁ । ବାଇବଲ କହେ, “ଅନ୍ତଃକରଣ [ହୃଦୟ] ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ ?” (ଯିରିମୀୟ ୧୭:୯) ଆମେ ହୁଏତ ସମ୍ପୂର୍ଣ୍ଣ ଭୁଲ କାମଗୁଡ଼ିକୁ ଠିକ୍‌ ବୋଲି ଧରିପାରୁ । ପାଉଲ ମଧ୍ୟ ଏପରି ଭୁଲ କରିଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ସେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ ଏବଂ ସେ ଭାବୁଥିଲେ ଯେ ସେ ଠିକ୍‌ କାମ କରୁଛନ୍ତି । ପାଉଲଙ୍କ ମତରେ ତାଙ୍କ ବିବେକ ଶୁଦ୍ଧ ଥିଲା । କିନ୍ତୁ ପରେ ସେ ସତ କଥା ଜାଣି କହିଲେ, “ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ [ଯିହୋବା] ।” (୧ କରିନ୍ଥୀୟ ୪:୪; ପ୍ରେରିତ ୨୩:୧; ୨ ତୀମଥି ୧:୩) ସେ ହୃଦୟଙ୍ଗମ କଲେ ଯେ ଯିହୋବାଙ୍କ ଦୃଷ୍ଟିରେ ତାଙ୍କ କାମ ଭୁଲ ଅଟେ, ତେଣୁ ସେ ନିଜ ଭିତରେ ପରିବର୍ତ୍ତନ ଆଣିଲେ । ଏସବୁରୁ ସ୍ପଷ୍ଟ ଜଣାପଡ଼େ: ଆମେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମ ହୃଦୟ କʼଣ କହୁଛି, ତାହା ଭାବିବା ଉଚିତ୍‌ ନୁହେଁ, ବରଂ ଆମେ ନିଜକୁ ପଚାରିବା ଉଚିତ୍‌ ଯେ ‘ଯିହୋବା ମୋଠାରୁ କʼଣ ଚାହାନ୍ତି ?’

୯. ପରମେଶ୍ୱରଙ୍କ ପ୍ରତି ଭୟ ଥିବାରୁ ଆମେ କʼଣ କରିବା ନାହିଁ ?

ଯଦି ଆପଣ କାହାରିକୁ ପ୍ରେମ କରନ୍ତି, ତେବେ ଆପଣ ତାଙ୍କୁ ଦୁଃଖିତ କରିବାକୁ ଚାହିଁବେ ନାହିଁ । ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ଏପରି କୌଣସି କାମ କରିବାକୁ ଚାହିଁବା ନାହିଁ, ଯାହା ତାହାଙ୍କୁ ଭଲ ଲାଗେ ନାହିଁ । ଆମେ ଯିହୋବାଙ୍କୁ ଦୁଃଖିତ କରିବା ପାଇଁ କେବେ ମଧ୍ୟ ଭାବିପାରିବା ନାହିଁ । ନିହିମୀୟାଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଜଣେ ରାଜ୍ୟପାଳ ଥିଲେ ଏବଂ ନିଜ ପଦବୀର ଭୁଲ ବ୍ୟବହାର କରି ଧନସମ୍ପତ୍ତି ହାସଲ କରିପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ । କାରଣ ତାଙ୍କଠାରେ “ପରମେଶ୍ୱରଙ୍କ ପ୍ରତି ଭୟ” ଥିଲା । (ନିହିମୀୟା ୫:୧୫) ସେ ଯିହୋବାଙ୍କ ଦୃଷ୍ଟିରେ କୌଣସି ଭୁଲ କାମ କରିବାକୁ ଚାହୁଁ ନ ଥିଲେ । ନିହିମୀୟାଙ୍କ ଭଳି ଯଦି ଆମଠାରେ ମଧ୍ୟ ଯିହୋବାଙ୍କ ପ୍ରତି ଭୟ ରହିବ, ତେବେ ଯେଉଁସବୁ କାମ ତାହାଙ୍କୁ ଭଲ ଲାଗେ ନାହିଁ ସେଗୁଡ଼ିକୁ ଆମେ କରିବା ନାହିଁ । ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରିବା ଯେ ଆମେ ତାହାଙ୍କୁ କିପରି ଖୁସି କରିପାରିବା ।—ଅଧିକ ବିବରଣୀ-୬ ଦେଖନ୍ତୁ ।

୧୦, ୧୧. ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ମଦ୍ୟପାନ କରିବା ମାମଲାରେ ସଠିକ୍‌ ନିଷ୍ପତ୍ତି ନେଇପାରିବା ?

୧୦ ଉଦାହରଣ ପାଇଁ, ହୁଏତ ଜଣେ ଖ୍ରୀଷ୍ଟିୟାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିପାରେ ଯେ ସେ ମଦ ପିଇବେ ନା ନାହିଁ । ବାଇବଲରେ କିଛି ସିଦ୍ଧାନ୍ତ ଦିଆଯାଇଛି, ଯେଉଁଗୁଡ଼ିକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଇପାରିବେ । ଯେପରି ବାଇବଲରେ କୁହାଯାଇ ନାହିଁ ଯେ ମଦ ପିଇବା ଭୁଲ ଅଟେ, ବରଂ ଏହା କୁହାଯାଇଛି ଯେ ଦ୍ରାକ୍ଷାରସ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ । (ଗୀତସଂହିତା ୧୦୪:୧୪, ୧୫) କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଈଶ୍ୱରଙ୍କ ଲୋକମାନଙ୍କୁ ‘ଅତ୍ୟଧିକ ମଦ୍ୟପାନ’ କରିବା ଉଚିତ୍‌ ନୁହେଁ । (ଲୂକ ୨୧:୩୪, NW) ପାଉଲ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଏହା କହନ୍ତି ଯେ ସେମାନେ ‘ରଙ୍ଗରସ ଓ ମତ୍ତତାରେ [ମଦ ନିଶାରେ ବୁଡ଼ି ରହିବା] ଆଚରଣ ନ କରନ୍ତୁ ।’ (ରୋମୀୟ ୧୩:୧୩) ସେ କହିଲେ ଯେ ମଦୁଆମାନେ “ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।”—୧ କରିନ୍ଥୀୟ ୬:୯, ୧୦.

୧୧ ଜଣେ ଖ୍ରୀଷ୍ଟିୟାନ ନିଜକୁ ପଚାରିପାରେ, ‘ମୁଁ ମଦ୍ୟପାନ କାହିଁକି କରେ ? କʼଣ ନିଜ ଥକ୍କା ଦୂର କରିବା ପାଇଁ ? ପିଇବା ଦ୍ୱାରା କʼଣ ମୋର ଆତ୍ମବିଶ୍ୱାସ ବଢ଼ିଥାଏ ? କʼଣ ଅତ୍ୟଧିକ ନ ପିଇବା ଏବଂ ଏହାର ଅଭ୍ୟସ୍ତ ନ ହେବା ପାଇଁ ମୁଁ ନିଜକୁ ନିୟନ୍ତ୍ରଣ କରିପାରେ ? a ଯେତେବେଳେ ମୁଁ ସାଙ୍ଗମାନଙ୍କ ସହ ଫୁରସତର ସମୟ ବିତାଏ, ସେତେବେଳେ କʼଣ ମୋତେ ମଦ ବିନା ମଜା ଲାଗେ ନାହିଁ ?’ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଯେ ସେ ମଦ୍ୟପାନ କରିବା ବିଷୟରେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଆମକୁ ସାହାଯ୍ୟ କରନ୍ତୁ । (ଗୀତସଂହିତା ୧୩୯:୨୩, ୨୪ ପଢ଼ନ୍ତୁ ।) ଏପରି ଭାବେ ଆମେ ନିଜ ବିବେକକୁ ଈଶ୍ୱରଙ୍କ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ କାମ କରିବାକୁ ଶିଖାଉ । କିନ୍ତୁ ଏ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଆମେ ଆଉ ଏକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌ ।

ଅନ୍ୟମାନଙ୍କ ବିବେକ ପ୍ରତି କାହିଁକି ଧ୍ୟାନ ରଖିବା ?

୧୨, ୧୩. (କ) ପ୍ରତ୍ୟେକଙ୍କ ବିବେକ କାହିଁକି ଏକାପରି ହୋଇ ନ ଥାଏ ? (ଖ) ଯଦି କାହାରି ମତ ଆମ ମତଠାରୁ ଭିନ୍ନ ହୋଇଥାଏ, ତେବେ ଆମେ କʼଣ କରିବା ଉଚିତ୍‌ ?

୧୨ ପ୍ରତ୍ୟେକ ଲୋକଙ୍କ ବିବେକ ଏକାପରି ହୋଇ ନ ଥାଏ । ହୁଏତ ଜଣେ ବ୍ୟକ୍ତିର ବିବେକ କୌଣସି କାମକୁ ଠିକ୍‌ ବୋଲି ଭାବିପାରେ, କିନ୍ତୁ ଅନ୍ୟର ବିବେକ ସେହି କାମକୁ ଭୁଲ ବୋଲି ଭାବିପାରେ । ଯେପରି ହୁଏତ ଆପଣଙ୍କୁ ଲାଗିପାରେ ଯେ ମଦ ପିଇବା ଠିକ୍‌, କିନ୍ତୁ ଅନ୍ୟକୁ ଲାଗିପାରେ ଯେ ଏହା ତାଙ୍କ ପାଇଁ ଠିକ୍‌ ନୁହେଁ । ମଦ ପିଇବା କ୍ଷେତ୍ରରେ ଲୋକଙ୍କ ମତ କାହିଁକି ଭିନ୍ନ ଭିନ୍ନ ହୋଇଥାଏ ?

ପ୍ରଶିକ୍ଷିତ ବିବେକ ଆପଣଙ୍କୁ ଜାଣିବା ପାଇଁ ସାହାଯ୍ୟ କରିବ ଯେ ଆପଣ ମଦ୍ୟପାନ କରିବା ଉଚିତ୍‌ ନା ନୁହେଁ

୧୩ ଜଣେ ବ୍ୟକ୍ତି କେଉଁ ଭଳି ଅଞ୍ଚଳରେ ବଢ଼ିଛନ୍ତି, ତାଙ୍କ ପରିବାରର ଲୋକଙ୍କ ଚିନ୍ତାଧାରା କିପରି ଏବଂ ତାଙ୍କ ଜୀବନରେ କିପରି ଅନୁଭୂତି ରହିଛି, ଏଗୁଡ଼ିକ ତାଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ହୁଏତ ଜଣେ ଭାଇ ସତ୍ୟରେ ଆସିବା ପୂର୍ବରୁ ମଦ ପିଇବାର ଅଭ୍ୟସ୍ତ ଥିଲେ ଏବଂ ସେ ବହୁତ କଷ୍ଟରେ ଏହି ଅଭ୍ୟାସକୁ ଛାଡ଼ିଛନ୍ତି । ତେଣୁ ସେ ଦୃଢ଼ ସଂକଳ୍ପ କରିଛନ୍ତି ଯେ ସେ ମଦ ବିଲକୁଲ୍‌ ପିଇବେ ନାହିଁ । (୧ ରାଜାବଳୀ ୮:୩୮, ୩୯) ଯଦି ଆପଣ ସେହି ଭାଇଙ୍କୁ ମଦ ପିଇବାକୁ ଦିଅନ୍ତି ଏବଂ ସେ ମନା କରନ୍ତି, ତେବେ ଆପଣ କʼଣ କରିବେ ? କʼଣ ଆପଣ ଖରାପ ଭାବିବେ ? କʼଣ ତାଙ୍କୁ ପିଇବା ପାଇଁ ଜବରଦସ୍ତି କରିବେ ? କʼଣ ଆପଣ ବାରମ୍ବାର ତାଙ୍କୁ ପଚାରିବେ ଯେ ସେ କାହିଁକି ପିଉ ନାହାନ୍ତି ? ଏପରି କରିବା ଠିକ୍‌ ହେବ ନାହିଁ, କାରଣ ସେ ଭାଇଙ୍କୁ ନିଜ ବିବେକ ମୁତାବକ ନିଷ୍ପତ୍ତି ନେବାର ଅଧିକାର ଅଛି ।

୧୪, ୧୫. (କ) ପାଉଲଙ୍କ ସମୟରେ କʼଣ ହୋଇଥିଲା ? (ଖ) ପାଉଲ କʼଣ ପରାମର୍ଶ ଦେଲେ ?

୧୪ ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ପାଉଲଙ୍କ ସମୟରେ କʼଣ ହୋଇଥିଲା । ବଜାରରେ ବିକ୍ରି ହେଉଥିବା କିଛି ପ୍ରକାରର ମାଂସ ବିଷୟରେ ଖ୍ରୀଷ୍ଟିୟାନମାନଙ୍କ ମତ ଭିନ୍ନ ଭିନ୍ନ ଥିଲା । ସେହି ମାଂସକୁ ପ୍ରଥମେ ମୂର୍ତ୍ତି ଆଗରେ ବଳି ଚଢ଼ା ଯାଉଥିଲା ଏବଂ ପରେ ସେଗୁଡ଼ିକୁ ବଜାରରେ ବିକ୍ରି କରାଯାଉଥିଲା । (୧ କରିନ୍ଥୀୟ ୧୦:୨୫) ପାଉଲଙ୍କ ଦୃଷ୍ଟିରେ ଏପରି ମାଂସ ଖାଇବାରେ କୌଣସି ଭୁଲ ନ ଥିଲା । କାରଣ ସେ ଭାବୁଥିଲେ ସବୁକିଛି ଯିହୋବାଙ୍କ ତରଫରୁ ଅଟେ । କିନ୍ତୁ ଯେଉଁ ଭାଇଭଉଣୀମାନେ ପୂର୍ବରୁ ମୂର୍ତ୍ତିପୂଜା କରୁଥିଲେ, ସେମାନେ ଏପରି ଭାବୁ ନ ଥିଲେ । ସେମାନଙ୍କ ଦୃଷ୍ଟିରେ ସେହି ମାଂସ ଖାଇବା ଭୁଲ ଥିଲା । ତେବେ କʼଣ ପାଉଲ ଏହା ଭାବିଲେ, ‘ମୁଁ ଖାଇବି, ମୋ ବିବେକ ମୋତେ ମନା କରେନି, ଏହା ତ ମୋ ଅଧିକାର ।’

୧୫ ପାଉଲ ଏପରି ଭାବିଲେ ନାହିଁ । ସେ ଚାହୁଁ ନ ଥିଲେ ଯେ ଅନ୍ୟ ଭାଇଭଉଣୀଙ୍କ ଭାବନାକୁ ଆଘାତ ପହଞ୍ଚୁ । ତେଣୁ ସେ ନିଜ ଅଧିକାରକୁ ତ୍ୟାଗ କଲେ । ସେ କହିଲେ ଯେ ଆମେ କେବଳ “ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ ।” ସେ ଏହା ମଧ୍ୟ କହିଲେ, “ଖ୍ରୀଷ୍ଟ ମଧ୍ୟ ଆପଣାର ସୁଖ ଚେଷ୍ଟା କରି ନ ଥିଲେ ।” (ରୋମୀୟ ୧୫:୧, ୩) ଯୀଶୁଙ୍କ ଭଳି ପାଉଲ ମଧ୍ୟ ନିଜଠାରୁ ଅଧିକ ଅନ୍ୟମାନଙ୍କ ବିଷୟରେ ଭାବୁଥିଲେ ।—୧ କରିନ୍ଥୀୟ ୮:୧୩; ୧୦:୨୩, ୨୪, ୩୧-୩୩ ପଢ଼ନ୍ତୁ ।

୧୬. ଅନ୍ୟମାନେ ନିଜ ବିବେକ ଅନୁସାରେ ଯାହା କରନ୍ତି, ସେଗୁଡ଼ିକ ଉପରେ ଆମେ କାହିଁକି ପ୍ରଶ୍ନ କରିବା ଉଚିତ୍‌ ନୁହେଁ ?

୧୬ ହୁଏତ ଆମକୁ କୌଣସି କାମ ଭୁଲ ଲାଗିପାରେ, କିନ୍ତୁ ସେହି କାମ ଅନ୍ୟକୁ ଠିକ୍‌ ଲାଗିପାରେ । ସେତେବେଳେ ଆମେ କʼଣ କରିବା ଉଚିତ୍‌ ? ଆମେ ତାଙ୍କ ଉପରେ ପ୍ରଶ୍ନ କରିବା ଉଚିତ୍‌ ନୁହେଁ ଏବଂ ଗୋଟିଏ କଥାରେ ଅଳି କରିବା ଉଚିତ୍‌ ନୁହେଁ ଯେ ଆମେ ଠିକ୍‌ ଏବଂ ସେ ଭୁଲ । (ରୋମୀୟ ୧୪:୧୦ ପଢ଼ନ୍ତୁ ।) ଯିହୋବା ଆମ ପ୍ରତ୍ୟେକଙ୍କୁ ନିଜର ଯାଞ୍ଚ କରିବା ପାଇଁ ବିବେକ ଦେଇଛନ୍ତି ଯେ ଆମେ ଠିକ୍‌ କରୁଛୁ ନା ଭୁଲ, ଅନ୍ୟମାନଙ୍କ ଯାଞ୍ଚ କରିବା ପାଇଁ ନୁହେଁ । (ମାଥିଉ ୭:୧) ଆମେ ଭାବିବା ଉଚିତ୍‌ ନୁହେଁ ଯେ ଭାଇଭଉଣୀ ଆମ ଭଳି ଭାବନ୍ତୁ । କାରଣ ଏପରି କଲେ ମଣ୍ଡଳୀରେ ଫାଟ ସୃଷ୍ଟି ହୋଇପାରେ । କିନ୍ତୁ ଆମେ ମଣ୍ଡଳୀରେ ପ୍ରେମ ଓ ଏକତାକୁ ପ୍ରୋତ୍ସାହନ ଦେବା ଉଚିତ୍‌ ।—ରୋମୀୟ ୧୪:୧୯.

ଶୁଦ୍ଧ ବିବେକର ଲାଭ

୧୭. କିଛି ଲୋକଙ୍କ ବିବେକକୁ କʼଣ ହୋଇଯାଇଛି ?

୧୭ ପ୍ରେରିତ ପାଉଲ ତୀମଥିଙ୍କୁ ଲେଖିଲେ, “ଶୁଚି [ଶୁଦ୍ଧ] ବିବେକ ଧରି ରଖ ।” (୧ ତୀମଥି ୧:୧୯) ଦୁଃଖର କଥା ଯେ ଯେତେବେଳେ କେହି ବାରମ୍ବାର ଈଶ୍ୱରଙ୍କ ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧରେ କାମ କରେ, କିଛି ସମୟ ପରେ ତାʼର ବିବେକ ତାକୁ ଏହା କହିବା ଛାଡ଼ି ଦିଏ ଯେ ସେ ଯାହା କରୁଛି ତାହା ଭୁଲ ଅଟେ । ପାଉଲ କହିଲେ, “ତପ୍ତ ଲୁହାରେ ପୋଡ଼ିଗଲା ପରି ଏମାନଙ୍କ ବିବେକ ପୋଡ଼ି ଯାଇଛି ।” (୧ ତୀମଥି ୪:୨, NIBV) ଯଦି କାହାରି ଶରୀରର କୌଣସି ଅଂଶ ପୋଡ଼ିଯାଏ, ତେବେ କିଛି ସମୟ ପରେ ସେଠାରେ ଦାଗ ହୋଇଯାଏ ଏବଂ ସେହି ଅଂଶରେ ସେ କିଛି ଅନୁଭବ କରିପାରେ ନାହିଁ । ଠିକ୍‌ ସେହିପରି, ଯଦି ଜଣେ ବ୍ୟକ୍ତି ବାରମ୍ବାର ଭୁଲ କାମ କରି ଚାଲିଥାଏ, ତେବେ ତାʼର ବିବେକ ବି ‘ପୋଡ଼ିଯାଏ’ ଏବଂ କାମ କରିବା ବନ୍ଦ କରିଦିଏ ।

ଶୁଦ୍ଧ ବିବେକ ଆମକୁ ସଠିକ୍‌ ବାଟ ଦେଖାଇପାରେ ଏବଂ ଖୁସି ଓ ମନର ଶାନ୍ତି ଦେଇପାରେ

୧୮, ୧୯. (କ) କୌଣସି ଭୁଲ କଲା ପରେ ଯଦି ଆମେ ନିଜକୁ ଦୋଷୀ ମନେ କରୁ, ତେବେ ଏହାର ଅର୍ଥ କʼଣ ? (ଖ) ପଶ୍ଚାତାପ କଲା ପରେ ମଧ୍ୟ ଯଦି ଆମେ ନିଜକୁ ଦୋଷୀ ମନେ କରୁ, ତେବେ ଆମକୁ କʼଣ କରିବା ଉଚିତ୍‌ ?

୧୮ କୌଣସି ଭୁଲ କରିବା ପରେ ଯଦି ଆମେ ନିଜକୁ ଦୋଷୀ ମନେ କରୁ, ତେବେ ଏହାର ଅର୍ଥ ଆମ ବିବେକ ଆମକୁ କହୁଛି ଯେ ଆମେ କିଛି ଭୁଲ କରିଛୁ । ସେତେବେଳେ ଆମେ ନିଜ ବିବେକର କଥା ଶୁଣି ସେହି କାମ ତୁରନ୍ତ ଛାଡ଼ିଦେବା ଉଚିତ୍‌ । ଆମେ ନିଜ ଭୁଲଗୁଡ଼ିକରୁ ଶିଖିବା ଉଚିତ୍‌ ଏବଂ ପୁଣି ସେଗୁଡ଼ିକୁ କରିବା ଉଚିତ୍‌ ନୁହେଁ । ରାଜା ଦାଉଦଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ସେ ପାପ କଲେ, ତାଙ୍କ ବିବେକ ତାଙ୍କୁ ଦୋଷୀ ଅନୁଭବ କରାଇଲା । ପରେ ସେ ପଶ୍ଚାତାପ କଲେ । ତାଙ୍କୁ ବହୁତ ଦୁଃଖ ଲାଗିଲା, ତେଣୁ ସେ ଦୃଢ଼ ସଂକଳ୍ପ କଲେ ଯେ ସେ ଆଉ କେବେ ମଧ୍ୟ ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବେ ନାହିଁ । ଦାଉଦ ନିଜ ଅନୁଭୂତିରୁ କହିପାରିଲେ ଯେ ଯିହୋବା “ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ ।”—ଗୀତସଂହିତା ୫୧:୧-୧୯; ୮୬:୫; ଅଧିକ ବିବରଣୀ-୭ ଦେଖନ୍ତୁ ।

୧୯ ହୁଏତ ଜଣେ ବ୍ୟକ୍ତି ପଶ୍ଚାତାପ କରିବାର ଅନେକ ସମୟ ପରେ ମଧ୍ୟ ନିଜକୁ ଦୋଷୀ ମନେ କରିପାରେ । ଏପରି ଭାବନାଗୁଡ଼ିକୁ ସହିବା ବହୁତ କଷ୍ଟକର ହୋଇଥାଏ ଏବଂ ସେ ନିଜକୁ ବେକାରିଆ ଅନୁଭବ କରିପାରେ । ଯଦି ଆପଣଙ୍କୁ ମଧ୍ୟ ଏପରି ଲାଗେ, ତେବେ ମନେ ରଖନ୍ତୁ ଯେ ଯାହା ହୋଇସାରିଛି ତାକୁ କେବେ ମଧ୍ୟ ବଦଳା ଯାଇପାରିବ ନାହିଁ । ଆପଣ ସେହି ଭୁଲ ଜାଣିଶୁଣି କରିଥିଲେ କିମ୍ବା ଅଜାଣତରେ, ଯିହୋବା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରି ଦେଇଛନ୍ତି । ସେ ସେହି ପାପକୁ ଦୂର କରି ଦେଇଛନ୍ତି । ଯିହୋବା ଆପଣଙ୍କୁ ଦୋଷୀ ବୋଲି ମନେ କରନ୍ତି ନାହିଁ । ଆଉ, ଏବେ ଆପଣ ସଠିକ୍‌ କାମ ମଧ୍ୟ କରୁଛନ୍ତି । ଯଦି ଏବେ ବି ଆପଣଙ୍କ ହୃଦୟ ଆପଣଙ୍କୁ ଦୋଷୀ ଅନୁଭବ କରାଏ, ତେବେ ବାଇବଲର ଏହି କଥା ମନେ ରଖନ୍ତୁ ଯେ “ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ।” (୧ ଯୋହନ ୩:୧୯, ୨୦ ପଢ଼ନ୍ତୁ ।) ଏହାର ଅର୍ଥ ହେଉଛି, ଆପଣ ନିଜକୁ ଦୋଷୀ କିମ୍ବା ଲଜ୍ଜା ଅନୁଭବ କରନ୍ତୁ ନା କାହିଁକି, ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ଭାବନାଗୁଡ଼ିକୁ ବୁଝନ୍ତି ଏବଂ ଆପଣଙ୍କୁ ଏତେ ପ୍ରେମ କରନ୍ତି ଯେ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ କ୍ଷମା କରି ଦେଇଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଏକଥାକୁ ବୁଝେ, ସେତେବେଳେ ତାʼ ବିବେକ ତାକୁ ଦୋଷୀ ଅନୁଭବ କରାଏ ନାହିଁ ଏବଂ ସେ ଖୁସିର ସହ ଈଶ୍ୱରଙ୍କ ସେବା କରିପାରେ ।—୧ କରିନ୍ଥୀୟ ୬:୧୧; ଏବ୍ରୀ ୧୦:୨୨.

୨୦, ୨୧. (କ) ଏହି ବହିରୁ ଆପଣ କʼଣ ଶିଖିବେ ? (ଖ) ଯିହୋବା ଆମକୁ କʼଣ କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି ? (ଗ) ଆମେ ଏହି ସ୍ୱାଧୀନତାର କିପରି ବ୍ୟବହାର କରିବା ଉଚିତ୍‌ ?

୨୦ ଏହି ବହିରୁ ଆପଣ ଶିଖିପାରିବେ ଯେ ଆପଣ ନିଜ ବିବେକକୁ କିପରି ପ୍ରଶିକ୍ଷଣ ଦେଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ବିବେକ ଆପଣଙ୍କୁ ଭୁଲ କାମ କରିବା ପୂର୍ବରୁ ସତର୍କ କରାଇବ ଏବଂ ଏହି ଶେଷକାଳରେ ଆସିବାକୁ ଥିବା ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଜୀବନର ଭିନ୍ନ ଭିନ୍ନ ପରିସ୍ଥିତିରେ ଆପଣଙ୍କ ପ୍ରଶିକ୍ଷିତ ବିବେକ ଆପଣଙ୍କୁ ଜଣାଇବ ଯେ ଆପଣଙ୍କୁ ବାଇବଲର ସିଦ୍ଧାନ୍ତ ମୁତାବକ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ । ଆପଣଙ୍କୁ କେଉଁ ସମୟରେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ, ତାହା ଜାଣିବା ପାଇଁ ଏହି ବହିରେ ନିୟମଗୁଡ଼ିକର ସୂଚୀ ଦିଆଯାଇ ନାହିଁ । ଆମେ “ଖ୍ରୀଷ୍ଟଙ୍କ ବ୍ୟବସ୍ଥା” ପାଳନ କରୁ, ଯେଉଁଥିରେ ଈଶ୍ୱରଙ୍କ ସିଦ୍ଧାନ୍ତ ଦିଆଯାଇଛି । (ଗାଲାତୀୟ ୬:୨) ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ଯଦି କୌଣସି କ୍ଷେତ୍ର ପାଇଁ କିଛି ବ୍ୟବସ୍ଥା ବା ନିୟମ ଦିଆଯାଇ ନାହିଁ, ତେବେ ଆମେ ଭାବିବା ନାହିଁ ଯେ ଆମକୁ ଭୁଲ କରିବାର ସ୍ୱାଧୀନତା ମିଳିଯାଇଛି । (୨ କରିନ୍ଥୀୟ ୪:୧, ୨; ଏବ୍ରୀ ୪:୧୩; ୧ ପିତର ୨:୧୬) ଈଶ୍ୱର ଆମକୁ ଏପରି କ୍ଷେତ୍ରଗୁଡ଼ିକରେ ନିଜେ ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତେଣୁ ସେହି ସ୍ୱାଧୀନତାର ସଠିକ୍‌ ବ୍ୟବହାର କରୁ ।

୨୧ ଯେତେବେଳେ ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ଚିନ୍ତନ କରୁ ଏବଂ ସେଗୁଡ଼ିକୁ ଲାଗୁ କରୁ, ସେତେବେଳେ ଆମେ ନିଜ “ଜ୍ଞାନେନ୍ଦ୍ରିୟଗୁଡ଼ିକର” ବ୍ୟବହାର କରିବା ଶିଖୁ ଏବଂ ଆମ ଚିନ୍ତାଧାରା ଯିହୋବାଙ୍କ ଭଳି ହୋଇଥାଏ । (ଏବ୍ରୀ ୫:୧୪) ଏପରି କରିବା ଦ୍ୱାରା ଆମେ ନିଜ ବିବେକକୁ ପ୍ରଶିକ୍ଷଣ ଦେଇଥାଉ, ଯାହାଫଳରେ ଏହା ଆମକୁ ଜୀବନରେ ସଠିକ୍‌ ରାସ୍ତା ଦେଖାଇବ ଏବଂ ଆମେ ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିପାରିବା ।

a ଅଧିକାଂଶ ଡାକ୍ତର କହନ୍ତି ଯେ ଯେଉଁମାନେ ମଦ୍ୟପାନ କରିବାର ଅଭ୍ୟସ୍ତ, ସେମାନେ ଟିକେ ମଦ ପିଇ ରହିପାରିବେ ନାହିଁ । ତେଣୁ ଭଲ ହେବ ସେମାନେ ମଦଠାରୁ ପୂରାପୂରି ଦୂରେଇ ରହନ୍ତୁ ।