इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧

ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ

ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ

“ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”—୧ ଯୋହନ ୫:୩.

୧, ୨. ଆପଣ ଯିହୋବା ଈଶ୍ୱରଙ୍କୁ କାହିଁକି ପ୍ରେମ କରନ୍ତି ?

 କʼଣ ଆପଣ ଈଶ୍ୱରଙ୍କୁ ପ୍ରେମ କରନ୍ତି ? ବୋଧେ ଆପଣ ତାହାଙ୍କୁ ପ୍ରେମ କରୁଥିବେ ଏବଂ ଆପଣ ତାହାଙ୍କୁ ନିଜ ଜୀବନ ମଧ୍ୟ ସମର୍ପଣ କରିଥିବେ । ଆପଣ ତାହାଙ୍କୁ ନିଜର ସବୁଠୁ ଭଲ ସାଙ୍ଗ ବୋଲି ମନେ କରୁଥିବେ । କିନ୍ତୁ ଆପଣ ଯିହୋବାଙ୍କୁ ପ୍ରେମ କରିବା ପୂର୍ବରୁ, ସେ ଆପଣଙ୍କୁ ପ୍ରେମ କଲେ । ବାଇବଲ କହେ, “ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ ।”—୧ ଯୋହନ ୪:୧୯.

ଟିକେ ଭାବି ଦେଖନ୍ତୁ, ଯିହୋବା ଆମ ପାଇଁ କେତେ କʼଣ କରିଛନ୍ତି । ରହିବା ପାଇଁ ସେ ଆମକୁ ସୁନ୍ଦର ପୃଥିବୀ ଦେଇଛନ୍ତି ଏବଂ ସେସବୁ ଦେଇଛନ୍ତି, ଯାହାଦ୍ୱାରା ଆମେ ଜୀବନର ଆନନ୍ଦ ନେଇପାରିବା । (ମାଥିଉ ୫:୪୩-୪୮; ପ୍ରକାଶିତ ବାକ୍ୟ ୪:୧୧) ସେ ଚାହାନ୍ତି ଯେ ତାହାଙ୍କ ସହ ଆମର ଏକ ଭଲ ସମ୍ପର୍କ ହେଉ । ସେ ଆମ ପାଇଁ ବାଇବଲ ଦେଇଛନ୍ତି, ଯାହାଦ୍ୱାରା ଆମେ ତାହାଙ୍କୁ ଜାଣିପାରିବା । ଯେତେବେଳେ ଆମେ ବାଇବଲ ପଢ଼ୁ, ସେତେବେଳେ ଆମେ ଯିହୋବାଙ୍କ କଥା ଶୁଣୁ, ଆଉ ଯେତେବେଳେ ଆମେ ପ୍ରାର୍ଥନା କରୁ, ସେତେବେଳେ ସେ ଆମ କଥା ଶୁଣିଥାʼନ୍ତି । (ଗୀତସଂହିତା ୬୫:୨) ସେ ତାହାଙ୍କ ପବିତ୍ର ଶକ୍ତି ଜରିଆରେ ଆମକୁ ମାର୍ଗଦର୍ଶନ ଦିଅନ୍ତି ଓ ଆମର ସାହସ ବଢ଼ାନ୍ତି । (ଲୂକ ୧୧:୧୩) ଏପରିକି ଆମକୁ ପାପ ଓ ମୃତ୍ୟୁରୁ ମୁକ୍ତ କରିବା ପାଇଁ ସେ ନିଜ ଏକମାତ୍ର ପ୍ରିୟ ପୁତ୍ରଙ୍କୁ ଏ ପୃଥିବୀରେ ପଠାଇଲେ ।ଯୋହନ ୩:୧୬; ରୋମୀୟ ୫:୮ ପଢ଼ନ୍ତୁ ।

୩. ଯଦି ଆପଣ ଚାହାନ୍ତି ଯେ ଯିହୋବା ସବୁଦିନ ପାଇଁ ଆପଣଙ୍କ ମିତ୍ର ହୋଇ ରହନ୍ତୁ, ତେବେ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

କିଛି ସମୟ ପାଇଁ ନିଜ କୌଣସି ଭଲ ମିତ୍ର ବିଷୟରେ ଭାବନ୍ତୁ, ଯିଏ ସୁଖ ଦୁଃଖରେ ସବୁବେଳେ ଆପଣଙ୍କ ସହ ରହେ । ଆପଣ ମଧ୍ୟ ତାଙ୍କ ସହ ମିତ୍ର ହୋଇ ରହିବା ପାଇଁ ସବୁବେଳେ କିଛି ନା କିଛି କରନ୍ତି । ଠିକ୍‌ ସେହିପରି, ଯଦି ଆପଣ ଚାହାନ୍ତି ଯେ ଯିହୋବା ସବୁଦିନ ପାଇଁ ଆପଣଙ୍କ ମିତ୍ର ହୋଇ ରହନ୍ତୁ, ତେବେ ଆପଣଙ୍କୁ ବି କିଛି କରିବାକୁ ପଡ଼ିବ । ଯିହୋବାଙ୍କଠାରୁ ଭଲ ମିତ୍ର ଆମକୁ ଆଉ କେଉଁଠାରେ ବି ମିଳିବ ନାହିଁ । ଆମେ ସବୁଦିନ ପାଇଁ ଯିହୋବାଙ୍କ ମିତ୍ର ହୋଇ ରହିପାରିବା । ବାଇବଲ ଆମକୁ କହେ, “ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ ।” (ଯିହୂଦା ୨୧) ଆମେ ଏହା କିପରି କରିପାରିବା ? ବାଇବଲ ଏହାର ଉତ୍ତର ଦିଏ, “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”—୧ ଯୋହନ ୫:୩.

“ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ”

୪, ୫. ଆପଣଙ୍କ ହୃଦୟରେ ଯିହୋବାଙ୍କ ପ୍ରତି ପ୍ରେମ କିପରି ବଢ଼ିବାକୁ ଲାଗିଲା ?

ପ୍ରଥମ ଯୋହନ ୫:୩ ପଦରେ “ଈଶ୍ୱରଙ୍କୁ ପ୍ରେମ କରିବା” ବିଷୟରେ କୁହାଯାଇଛି । ମନେ ପକାନ୍ତୁ ଯେ ଆପଣଙ୍କ ହୃଦୟରେ ଯିହୋବାଙ୍କ ପ୍ରତି ପ୍ରେମ କିପରି ବଢ଼ିବାକୁ ଲାଗିଲା ।

ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରିବାକୁ ଚାହାନ୍ତି, ତେଣୁ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କଲେ ଏବଂ ବାପ୍ତିସ୍ମ ନେଲେ

ଆପଣ ଶିଖିଲେ ଯେ ଯିହୋବା ଏକ ନୂତନ ଜଗତ ଆଣିବାକୁ ଯାଉଛନ୍ତି । ଆଉ, ସେ ଚାହାନ୍ତି ଯେ ଆପଣ ସେଠାରେ ସବୁଦିନ ପାଇଁ ରହନ୍ତୁ । ତେଣୁ ସେ ବହୁତ ବଡ଼ ତ୍ୟାଗ କଲେ । ସେ ନିଜ ପ୍ରିୟ ପୁତ୍ରଙ୍କୁ ଆମ ପାଇଁ ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୮:୨୯; ରୋମୀୟ ୫:୧୨, ୧୮) ଏହା ଜାଣିବା ଦ୍ୱାରା ଆପଣ ଅନୁଭବ କରିପାରିଲେ ଯେ ଯିହୋବା ଆପଣଙ୍କୁ କେତେ ପ୍ରେମ କରନ୍ତି । ତାʼପରେ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ମଧ୍ୟ ବଢ଼ିବାକୁ ଲାଗିଲା ।—୧ ଯୋହନ ୪:୯, ୧୦ ପଢ଼ନ୍ତୁ ।

୬. (କ) ଯଦି ଆମେ କାହାରିକୁ ପ୍ରେମ କରୁ, ତେବେ ଆମେ କʼଣ କରିବା ? (ଖ) ଈଶ୍ୱରଙ୍କ ପ୍ରତି ପ୍ରେମ ଥିବା ଯୋଗୁଁ ଆପଣ କʼଣ କରିଛନ୍ତି ?

କିନ୍ତୁ ଏହି ପ୍ରେମ ଆପଣଙ୍କ ହୃଦୟରେ ହିଁ ସୀମିତ ରହିଲା ନାହିଁ । ଆପଣ ତାହାଙ୍କୁ ଖୁସି କରିବା ପାଇଁ କିଛି ପଦକ୍ଷେପ ମଧ୍ୟ ନେଲେ । ଯେପରି, ଯଦି କେହି ଆମ ଭଲ ମିତ୍ର ଅଛନ୍ତି, ତେବେ ଆମେ କେବଳ ଏହା କହିବା ନାହିଁ ଯେ ସେ ଆମ ଭଲ ମିତ୍ର ଅଟନ୍ତି, ବରଂ ଆମେ ତାଙ୍କ ପାଇଁ କିଛି କରିବା ମଧ୍ୟ । ଠିକ୍‌ ସେହିପରି, ଯେତେବେଳେ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ବଢ଼ିବାକୁ ଲାଗିଲା, ସେତେବେଳେ ଆପଣ ନିଜ ଜୀବନ ତାହାଙ୍କ ଇଚ୍ଛା ମୁତାବକ ଜୀଇଁବାକୁ ଲାଗିଲେ । ହୁଏତ ଆପଣ ନିଜ ଜୀବନ ତାହାଙ୍କୁ ସମର୍ପଣ କଲେ । ଆପଣ ତାହାଙ୍କୁ ପ୍ରତିଜ୍ଞା କଲେ ଯେ ଏବେଠାରୁ ଆପଣ ତାହାଙ୍କ ସେବା କରିବେ ଏବଂ ବାପ୍ତିସ୍ମ ମଧ୍ୟ ନେଲେ । (ରୋମୀୟ ୧୪:୭, ୮ ପଢ଼ନ୍ତୁ ।) ଆପଣ ଏହି ପ୍ରତିଜ୍ଞାକୁ କିପରି ପୂରଣ କରିପାରିବେ ?

“ତାହାଙ୍କ ଆଜ୍ଞା ପାଳନ କରିବା”

୭. (କ) ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ, ତେବେ ଆମେ କʼଣ କରିବା ? (ଖ) ତାହାଙ୍କ କିଛି ଆଜ୍ଞାଗୁଡ଼ିକ କʼଣ ?

ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ‘ତାହାଙ୍କ ଆଜ୍ଞା ପାଳନ କରୁ ।’ ଯିହୋବା କହନ୍ତି ଯେ ଆମର ଜୀବନଶୈଳୀ କିପରି ହେବା ଉଚିତ୍‌ । ଯେପରି— ସେ କହନ୍ତି ଯେ ଅତ୍ୟଧିକ ମଦ ପିଇବା, ଚୋରି କରିବା, ମିଛ କହିବା, ଅନୈତିକ ଯୌନ ସମ୍ପର୍କ ରଖିବା ଏବଂ ତାହାଙ୍କୁ ଛାଡ଼ି ଅନ୍ୟ କାହାରିକୁ ଉପାସନା କରିବା ଭୁଲ ଅଟେ ।—୧ କରିନ୍ଥୀୟ ୫:୧୧; ୬:୧୮; ୧୦:୧୪; ଏଫିସୀୟ ୪:୨୮; କଲସୀୟ ୩:୯.

୮, ୯. ଯେଉଁ କ୍ଷେତ୍ର ପାଇଁ କୌଣସି ନିୟମ ଦିଆଯାଇ ନାହିଁ, ସେସମୟରେ ଆମେ କିପରି ସଠିକ୍‌ ନିଷ୍ପତ୍ତି ନେଇ ପାରିବା ? ଗୋଟିଏ ଉଦାହରଣ ଦିଅନ୍ତୁ ।

କିନ୍ତୁ ଯିହୋବାଙ୍କୁ ଖୁସି କରିବା ପାଇଁ କେବଳ ତାହାଙ୍କ ଆଜ୍ଞା ପାଳନ କରିବା ଯଥେଷ୍ଟ ନୁହେଁ । ଆମକୁ ତାହାଙ୍କ ସିଦ୍ଧାନ୍ତଗୁଡ଼ିକୁ ମଧ୍ୟ ପାଳନ କରିବାକୁ ପଡ଼ିବ । ଯିହୋବା ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜ୍ଞାଗୁଡ଼ିକର ସୂଚୀ ଦେଇ ନାହାନ୍ତି, ବରଂ କିଛି ସିଦ୍ଧାନ୍ତ ଦେଇଛନ୍ତି । ଏହି ସିଦ୍ଧାନ୍ତ କʼଣ ଅଟେ ? ଏହା କିଛି ସତ୍ୟତା ଅଟେ, ଯାହାଦ୍ୱାରା ଆମେ ଜାଣିପାରିବା ଯେ କୌଣସି ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ । ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରୁ ଯେ ସେ କʼଣ ପସନ୍ଦ କରନ୍ତି ଓ କʼଣ ପସନ୍ଦ କରନ୍ତି ନାହିଁ । (ଏଫିସୀୟ ୫:୧୭) ଏହି ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଦ୍ୱାରା ଆମେ ଏପରି କ୍ଷେତ୍ରଗୁଡ଼ିକରେ ମଧ୍ୟ ସଠିକ୍‌ ନିଷ୍ପତ୍ତି ନେଇପାରିବା, ଯାହା ବିଷୟରେ ବାଇବଲରେ କୌଣସି ନିୟମ ଦିଆଯାଇ ନାହିଁ ।—ଗୀତସଂହିତା ୯୭:୧୦ ପଢ଼ନ୍ତୁ; ହିତୋପଦେଶ ୬:୧୬-୧୯; ଅଧିକ ବିବରଣୀ-୧ ଦେଖନ୍ତୁ ।

ଉଦାହରଣ ପାଇଁ, ମନୋରଞ୍ଜନ କ୍ଷେତ୍ରରେ ଆମେ ନିଷ୍ପତ୍ତି କିପରି ନେଇପାରିବା ଯେ ଆମେ ଟିଭିରେ କିମ୍ବା ଇଣ୍ଟରନେଟ୍‌ରେ କʼଣ ଦେଖିବା ଉଚିତ୍‌ । ଆମେ କʼଣ ଦେଖିବା ଓ ନ ଦେଖିବା ସେବିଷୟରେ ଯିହୋବା ଆମକୁ କୌଣସି ନିୟମ ଦେଇ ନାହାନ୍ତି । କିନ୍ତୁ ସେ ଆମକୁ ଏପରି ସିଦ୍ଧାନ୍ତଗୁଡ଼ିକ ଦେଇଛନ୍ତି, ଯାହାଦ୍ୱାରା ଆମେ ଏହି କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ନେଇପାରିବା । ଆଜିକାଲି ଅଧିକାଂଶ ମନୋରଞ୍ଜନ ହିଂସା ଓ ଅଶ୍ଳିଳ କାମରେ ଭରି ରହିଛି । ବାଇବଲରେ ଯିହୋବା ଲେଖାଇଛନ୍ତି ଯେ ସେ ‘ଦୌରାତ୍ମ୍ୟପ୍ରିୟ ଲୋକକୁ ଘୃଣା କରନ୍ତି’ ଏବଂ “ଯୌନ ଅସଦାଚାରୀମାନଙ୍କର ବିଚାର କରିବେ ।” (ଗୀତସଂହିତା ୧୧:୫; ଏବ୍ରୀ ୧୩:୪, NIBV) ଯେତେବେଳେ ଆମେ ବାଇବଲରୁ ଶିଖୁ ଯେ ଯିହୋବା କେଉଁ କଥାଗୁଡ଼ିକୁ ଘୃଣା କରନ୍ତି, ସେତେବେଳେ ଆମେ ସେପରି କାର୍ଯ୍ୟକ୍ରମ ଟିଭିରେ କିମ୍ବା ଇଣ୍ଟରନେଟ୍‌ରେ ଦେଖିବା ଉଚିତ୍‌ ନୁହେଁ ।

୧୦, ୧୧. ଆମେ କାହିଁକି ଯିହୋବାଙ୍କ ଆଜ୍ଞା ପାଳନ କରୁ ?

୧୦ ଆମେ କାହିଁକି ଯିହୋବାଙ୍କ ଆଜ୍ଞା ପାଳନ କରୁ ? କʼଣ କେବଳ ଏଥିପାଇଁ ଯେ ଆମକୁ ଦଣ୍ଡ ନ ମିଳୁ କିମ୍ବା ଭୁଲ ନିଷ୍ପତ୍ତି ଦ୍ୱାରା ଆମେ ସମସ୍ୟାରେ ନ ପଡ଼ୁ ? (ଗାଲାତୀୟ ୬:୭) ବିଲକୁଲ୍‌ ନୁହେଁ । ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ତାହାଙ୍କ ଆଜ୍ଞା ପାଳନ କରୁ । ଠିକ୍‌ ଯେପରି ପିଲାମାନେ ନିଜ ପିତାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ସେହିପରି ଆମେ ନିଜ ପିତା ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ । ଆମେ ଯିହୋବାଙ୍କୁ ଖୁସି କରିପାରୁ, ତାʼଠାରୁ ବଡ଼ କଥା ଆଉ କʼଣ !—ଗୀତସଂହିତା ୫:୧୨; ହିତୋପଦେଶ ୧୨:୨; ଅଧିକ ବିବରଣୀ-୨ ଦେଖନ୍ତୁ ।

୧୧ ଆମେ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରିଥାଉ । ଏପରିକି କଠିନ ପରିସ୍ଥିତିରେ କିମ୍ବା କୌଣସି ବାଧ୍ୟ ନ ଥିଲେ ମଧ୍ୟ । ଆମେ କେବଳ ଗୋଟେ ଦୁଇଟା ନିୟମ ନୁହେଁ, ବରଂ ସବୁ ନିୟମ ଓ ମାନଦଣ୍ଡଗୁଡ଼ିକୁ ପାଳନ କରୁ । (ଦ୍ୱିତୀୟ ବିବରଣ ୧୨:୩୨) ଆମକୁ ମଧ୍ୟ ଗୀତସଂହିତାର ଏକ ଲେଖକଙ୍କ ପରି ଲାଗେ, ଯିଏ କହିଲେ: “ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି ।” (ଗୀତସଂହିତା ୧୧୯:୪୭; ରୋମୀୟ ୬:୧୭) ଆମେ ନୋହଙ୍କ ପରି ହେବାକୁ ଚାହୁଁ । ସେ ଯିହୋବାଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ତାହାଙ୍କଠାରୁ ମିଳିଥିବା ସବୁ କାମ କଲେ । ବାଇବଲ କହେ ଯେ “ନୋହ ସେରୂପ କଲେ,” ଠିକ୍‌ ଯେପରି ଈଶ୍ୱର ତାଙ୍କୁ କହିଥିଲେ । (ଆଦି ପୁସ୍ତକ ୬:୨୨) କʼଣ ଆପଣ ଚାହାନ୍ତି ଯେ ଯିହୋବା ମଧ୍ୟ ଆପଣଙ୍କ ବିଷୟରେ ଏହା ହିଁ ଭାବନ୍ତୁ ?

୧୨. ଆମେ ଯିହୋବାଙ୍କ ହୃଦୟ କିପରି ଖୁସି କରିପାରିବା ?

୧୨ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତାହାଙ୍କୁ କିପରି ଲାଗେ ? ତାହାଙ୍କ “ମନରେ ଆନନ୍ଦ” ହୁଏ । (ହିତୋପଦେଶ ୧୧:୨୦; ୨୭:୧୧, NIBV) ଭାବି ଦେଖନ୍ତୁ, ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା ଯିହୋବା ଆମ କାମ ଦେଖି ଖୁସି ହୁଅନ୍ତି । ସେ ନିଜ ଆଜ୍ଞା ପାଳନ କରିବା ପାଇଁ ଆମକୁ କେବେ ମଧ୍ୟ ଜବରଦସ୍ତି କରନ୍ତି ନାହିଁ । ଆମେ ଠିକ୍‌ କାମ କରିବା ନା ଭୁଲ, ତାହା ନିଷ୍ପତ୍ତି ନେବାର ଅଧିକାର ସେ ଆମକୁ ଦେଇଛନ୍ତି । କିନ୍ତୁ ସେ ଚାହାନ୍ତି ଯେ ଆମେ ସଠିକ୍‌ ନିଷ୍ପତ୍ତି ନେଉ ଏବଂ ଭଲ ଜୀବନଯାପନ କରୁ ।—ଦ୍ୱିତୀୟ ବିବରଣ ୩୦:୧୫, ୧୬, ୧୯, ୨୦; ଅଧିକ ବିବରଣୀ-୩ ଦେଖନ୍ତୁ ।

“ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ”

୧୩, ୧୪. ଆମେ କାହିଁକି କହିପାରିବା ଯେ ଈଶ୍ୱରଙ୍କ “ଆଜ୍ଞାସବୁ ଭାରସ୍ୱରୂପ ନୁହେଁ” ? ଗୋଟିଏ ଉଦାହରଣ ଦିଅନ୍ତୁ ।

୧୩ ବେଳେ ବେଳେ ଆମକୁ ଲାଗିପାରେ ଯେ ଯିହୋବାଙ୍କ ଆଜ୍ଞା ପାଳନ କରିବା ବହୁତ କଷ୍ଟ କିମ୍ବା ଏହାକୁ ପାଳନ କଲେ ଆମ ସ୍ୱାଧୀନତା ଚାଲିଯିବ । ଏପରି ସମୟରେ ଆମକୁ ବାଇବଲର ଏହି କଥା ମନେ ରଖିବା ଉଚିତ୍‌ ଯେ “ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।” (୧ ଯୋହନ ୫:୩) ଏହି ପଦରେ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଭାରସ୍ୱରୂପ” କରାଯାଇଛି, ତାର ଅର୍ଥ “ଭାରି” କିମ୍ବା “ଓଜନିଆ ।” ଅନ୍ୟ ପଦଗୁଡ଼ିକରେ ଏହି ଶବ୍ଦର ବ୍ୟବହାର କଠିନ ନିୟମଗୁଡ଼ିକ ପାଇଁ ଏବଂ ଏପରି ଲୋକମାନଙ୍କ ପାଇଁ କରାଯାଇଛି, ଯେଉଁମାନେ ଅନ୍ୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖନ୍ତି ଏବଂ ସେମାନଙ୍କୁ କଷ୍ଟ ଦିଅନ୍ତି । (ମାଥିଉ ୨୩:୪; ପ୍ରେରିତ ୨୦:୨୯, ୩୦) ଯିହୋବାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା ଆମ ପାଇଁ ଭାରସ୍ୱରୂପ ନୁହେଁ । ସେ ଆମକୁ ଏପରି ଆଜ୍ଞାଗୁଡ଼ିକ ଦେଇଛନ୍ତି, ଯେଉଁଗୁଡ଼ିକୁ ପାଳନ କରିବା ଆମ ପାଇଁ ସମ୍ଭବ ।

୧୪ ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଜଣେ ଭଲ ମିତ୍ର ନିଜ ଘର ବଦଳାଉଛନ୍ତି । ସେ ନିଜ ଜିନିଷ ବାକ୍ସରେ ଭରି ଦେଇଛନ୍ତି । ସେମଧ୍ୟରୁ କିଛି ବାକ୍ସ ହାଲୁକା ଅଛି । ଆଉ କିଛି ଟିକେ ଭାରି ଅଛି, ଯାହାକୁ ଉଠାଇବା ପାଇଁ ଦୁଇ ଜଣ ଲୋକ ଦରକାର । କʼଣ ଆପଣଙ୍କ ମିତ୍ର ସେହି ଭାରି ବାକ୍ସ ଆପଣଙ୍କୁ ଏକୁଟିଆ ଉଠାଇବା ପାଇଁ କହିବେ ? ବିଲକୁଲ୍‌ ନୁହେଁ । ସେ ଚାହିଁବେ ନାହିଁ ଯେ ଆପଣଙ୍କୁ ଆଘାତ ପହଞ୍ଚୁ । ସେହି ମିତ୍ରଙ୍କ ପରି ଯିହୋବା ଆମକୁ ଏପରି କୌଣସି କାମ କରିବାକୁ କହିବେ ନାହିଁ, ଯାହା କରିବା ଆମ ପାଇଁ କଷ୍ଟକର । (ଦ୍ୱିତୀୟ ବିବରଣ ୩୦:୧୧-୧୪) ଯିହୋବା “ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ସେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି ।”—ଗୀତସଂହିତା ୧୦୩:୧୪.

୧୫. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଆଜ୍ଞାଗୁଡ଼ିକ ପାଳନ କଲେ ଆମର ମଙ୍ଗଳ ହେବ ?

୧୫ ମୋଶା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ଯିହୋବାଙ୍କ ଆଜ୍ଞା ପାଳନ କଲେ, ସେମାନେ “ସଜୀବ [ନିଜ ଜୀବନ] ରକ୍ଷା କରିପାରିବେ” ଏବଂ ସେମାନଙ୍କ “ନିତ୍ୟ ମଙ୍ଗଳ” ହେବ । (ଦ୍ୱିତୀୟ ବିବରଣ ୫:୨୮-୩୩; ୬:୨୪) ଆଜି ମଧ୍ୟ ଯିହୋବା ଆମକୁ ଯାହା କହନ୍ତି, ତାହା କଲେ ଆମେ ଉତ୍ତମ ଜୀବନଯାପନ କରିପାରିବା । (ଯିଶାଇୟ ୪୮:୧୭ ପଢ଼ନ୍ତୁ ।) ଆମ ପିତା ଯିହୋବା ଜାଣନ୍ତି ଯେ ଆମ ପାଇଁ ସବୁଠାରୁ ଉତ୍ତମ କʼଣ । (ରୋମୀୟ ୧୧:୩୩) ବାଇବଲ କହେ, “ଈଶ୍ୱର ତ ପ୍ରେମ ।” (୧ ଯୋହନ ୪:୮) ଏହାର ଅର୍ଥ ଯିହୋବା ପ୍ରେମ ଯୋଗୁଁ ହିଁ ସବୁ କିଛି କହିଥାʼନ୍ତି କିମ୍ବା କରିଥାʼନ୍ତି ।

୧୬. ପାପୀ ହୋଇଥିବାରୁ ଓ ଏକ ଦୁଷ୍ଟ ସଂସାରରେ ରହିବା ସତ୍ତ୍ୱେ ଆମେ କିପରି ଈଶ୍ୱରଙ୍କ ଆଜ୍ଞା ପାଳନ କରିପାରିବା ?

୧୬ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ସବୁବେଳେ ସହଜ ହୋଇ ନ ଥାଏ । ଆମେ ଏପରି ଏକ ସଂସାରରେ ରହୁଛୁ, ଯେଉଁଠାର ରାଜା ଶୟତାନ ଅଟେ । ସେ ଲୋକଙ୍କୁ ଭୁଲ କାମ କରାଇବା ପାଇଁ ଚେଷ୍ଟା କରିଥାଏ । (୧ ଯୋହନ ୫:୧୯) କେବଳ ଏତିକି ନୁହେଁ, ପାପୀ ହୋଇଥିବାରୁ ଆମକୁ ନିଜ ଭୁଲ ଚିନ୍ତାଧାରା ଏବଂ ଖରାପ ଭାବନାଗୁଡ଼ିକ ବିରୁଦ୍ଧରେ ମଧ୍ୟ ଲଢ଼ିବାକୁ ପଡ଼ିଥାଏ । ଯଦି ଆମେ ଏପରି ନ କରୁ, ତେବେ ଆମେ ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରିପାରୁ । (ରୋମୀୟ ୭:୨୧-୨୫) କିନ୍ତୁ ଈଶ୍ୱରଙ୍କ ପ୍ରତି ପ୍ରେମ ଥିବା ଯୋଗୁଁ ଆମକୁ ସଠିକ୍‌ କାମ କରିବା ପାଇଁ ସାହସ ମିଳେ । ସେ ଦେଖନ୍ତି ଯେ ଆମେ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ କେତେ ପରିଶ୍ରମ କରୁ । ସେ ଆମକୁ ସାହାଯ୍ୟ କରିବା ପାଇଁ ନିଜ ପବିତ୍ର ଶକ୍ତି ଦିଅନ୍ତି, ଯାହା ବହୁତ ଶକ୍ତିଶାଳୀ । (୧ ଶାମୁଏଲ ୧୫:୨୨, ୨୩; ପ୍ରେରିତ ୫:୩୨) ପବିତ୍ର ଶକ୍ତି ଆମକୁ ଏପରି ଗୁଣଗୁଡ଼ିକୁ ବଢ଼ାଇବାରେ ସାହାଯ୍ୟ କରେ, ଯାହାଦ୍ୱାରା ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଆମ ପାଇଁ ସହଜ ହୋଇଥାଏ ।—ଗାଲାତୀୟ ୫:୨୨, ୨୩.

୧୭, ୧୮. (କ) ଏହି ବହିରେ ଆମେ କʼଣ ଶିଖିବା ? (ଖ) ପରବର୍ତ୍ତୀ ଅଧ୍ୟାୟରେ କେଉଁ ବିଷୟରେ ଆଲୋଚନା କରିବା ?

୧୭ ଏହି ବହିରେ ଆମେ ଶିଖିବା ଯେ ଆମେ କିପରି ଜୀବନଯାପନ କଲେ, ଯିହୋବା ଖୁସି ହେବେ । ଆମେ ଏହା ମଧ୍ୟ ଶିଖିବା ଯେ ଆମେ ତାହାଙ୍କ ସିଦ୍ଧାନ୍ତଗୁଡ଼ିକୁ ଏବଂ ନୈତିକ ମାନଦଣ୍ଡଗୁଡ଼ିକୁ କିପରି ପାଳନ କରିପାରିବା । ମନେ ରଖନ୍ତୁ ଯେ ଯିହୋବା ଆମକୁ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ କେବେ ବି ବାଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି ଆମେ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ନିଷ୍ପତ୍ତି ନେଉ, ତେବେ ଆମ ଜୀବନ ଆହୁରି ଭଲ ହୋଇଯିବ ଏବଂ ଭବିଷ୍ୟତରେ ଆମେ ଏକ ଉତ୍ତମ ଜୀବନ ପାଇବା । ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଆମେ ଯିହୋବାଙ୍କ କଥା ପାଳନ କରୁ, ସେତେବେଳେ ଆମେ ଦେଖାଉ ଯେ ଆମେ ତାହାଙ୍କୁ ବହୁତ ପ୍ରେମ କରୁ ।—ଅଧିକ ବିବରଣୀ-୪ ଦେଖନ୍ତୁ ।

୧୮ ଠିକ୍‌ ଓ ଭୁଲ କʼଣ, ଏହା ଜାଣିବା ପାଇଁ ଯିହୋବା ଆମକୁ ବିବେକ ଦେଇଛନ୍ତି । ଯଦି ଆମେ ବିବେକକୁ ସଠିକ୍‌ ଭାବେ ପ୍ରଶିକ୍ଷଣ ଦେଉ, ତେବେ ଏହା ଆମକୁ ଈଶ୍ୱରଙ୍କ “ଆଜ୍ଞା ପାଳନ କରିବା” ପାଇଁ ସାହାଯ୍ୟ କରିବ । ବିବେକ କʼଣ ଏବଂ ଆମେ ଏହାକୁ କିପରି ପ୍ରଶିକ୍ଷଣ ଦେଇପାରିବା ? ଆସନ୍ତୁ ଦେଖିବା ।