इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୮

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକେ ଶୁଦ୍ଧ ରହନ୍ତୁ

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକେ ଶୁଦ୍ଧ ରହନ୍ତୁ

“ନିର୍ମଳ [ଶୁଦ୍ଧ] ଲୋକ ପ୍ରତି ତୁମ୍ଭେ ଆପଣାକୁ ନିର୍ମଳ ଦେଖାଇବ ।”—ଗୀତସଂହିତା ୧୮:୨୬.

୧-୩. (କ) ଜଣେ ମାଆ ନିଜ ପିଲାକୁ ସଫାସୁତୁରା କାହିଁକି ରଖେ ? (ଖ) ଯିହୋବା କାହିଁକି ଚାହାନ୍ତି ଯେ ତାହାଙ୍କ ସେବକମାନେ ଶୁଦ୍ଧ ରହନ୍ତୁ ?

 ଜଣେ ମାଆ ଯିଏ ନିଜ ପିଲାକୁ ସ୍ନେହ କରେ, ସେ ନିଜ ପିଲାର ସଫାସୁତୁରା ପ୍ରତି ବହୁତ ଧ୍ୟାନ ଦିଏ । ଯେପରି ସେ ତାକୁ ସ୍କୁଲ ପଠାଇବା ପୂର୍ବରୁ ଗାଧୋଇ ଦିଏ ଏବଂ ସଫା କପଡ଼ା ପିନ୍ଧାଏ । ସେ ଜାଣେ ଯେ ଏପରି କଲେ, ତାʼ ପିଲା ସୁସ୍ଥ ରହିବ ଏବଂ ଲୋକେ ଜାଣିପାରିବେ ଯେ ତାʼ ବାପାମାଆ ତାʼର କେତେ ଯତ୍ନ ନିଅନ୍ତି ଏବଂ ସେମାନେ ତାଙ୍କର ପ୍ରଶଂସା କରିବେ ।

ଆମ ପିତା ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ସଫାସୁତୁରା ଓ ଶୁଦ୍ଧ ରହୁ । (ଗୀତସଂହିତା ୧୮:୨୬) ସେ ଜାଣନ୍ତି ଯେ ସଫାସୁତୁରା ଓ ଶୁଦ୍ଧ ରହିଲେ ଆମର ହିଁ ଲାଭ ହେବ । ଏହା ସହିତ ଆମ ଈଶ୍ୱର ଯିହୋବାଙ୍କ ମହିମା ମଧ୍ୟ ହେବ ।—ଯିହିଜିକଲ ୩୬:୨୨; ୧ ପିତର ୨:୧୨ ପଢ଼ନ୍ତୁ ।

ସଫାସୁତୁରା ଓ ଶୁଦ୍ଧ ରହିବା ଦ୍ୱାରା ଆମର କିପରି ଲାଭ ହୁଏ ? ଶୁଦ୍ଧ ରହିବାରେ କʼଣ କʼଣ ସାମିଲ୍‌ ? ଏହି ପ୍ରଶ୍ନଗୁଡ଼ିକ ଉପରେ ଆମେ ଏହି ଅଧ୍ୟାୟରେ ଆଲୋଚନା କରିବା । ଏପରି କରିବା ଦ୍ୱାରା ହୁଏତ ଆମେ ଜାଣିପାରିବା ଯେ ଶୁଦ୍ଧତା ମାମଲାରେ ଆମକୁ ମଧ୍ୟ କିଛି ସୁଧାର କରିବାକୁ ପଡ଼ିବ ।

ଆମେ କାହିଁକି ଶୁଦ୍ଧ ରହିବା ଉଚିତ୍‌ ?

୪, ୫. (କ) ଆମେ କାହିଁକି ଶୁଦ୍ଧ ରହିବା ଉଚିତ୍‌ ? (ଖ) ସୃଷ୍ଟିରୁ କିପରି ଜଣାପଡ଼େ ଯେ ଯିହୋବା ସଫାସୁତୁରାକୁ ବହୁତ ମହତ୍ତ୍ୱ ଦିଅନ୍ତି ?

ଶୁଦ୍ଧ ରହିବାରେ ନିଜେ ଯିହୋବା ଆମ ପାଇଁ ଏକ ବଢ଼ିଆ ଉଦାହରଣ । (ଲେବୀ ପୁସ୍ତକ ୧୧:୪୪, ୪୫) ଆମକୁ “ଈଶ୍ୱରଙ୍କ ଅନୁକାରୀ” ହେବା ପାଇଁ କୁହାଯାଇଛି । ଏହା ହିଁ ଆମ ଶୁଦ୍ଧ ରହିବାର ମୁଖ୍ୟ କାରଣ ଅଟେ ।—ଏଫିସୀୟ ୫:୧.

ଯିହୋବା ସଫାସୁତୁରାକୁ କେତେ ମହତ୍ତ୍ୱ ଦିଅନ୍ତି, ଏକଥା ଆମେ ତାହାଙ୍କ ସୃଷ୍ଟିରୁ ଭଲଭାବେ ଜାଣିପାରୁ । ଯିହୋବା ପ୍ରାକୃତିକ ଚକ୍ରଗୁଡ଼ିକୁ ଏପରି ତିଆରି କରିଛନ୍ତି, ଯାହାଦ୍ୱାରା ପୃଥିବୀରେ ଥିବା ପବନ ଓ ପାଣି ଲଗାତାର ଶୁଦ୍ଧ ହେଉଥାଏ । (ଯିରିମୀୟ ୧୦:୧୨) ଯେତେବେଳେ ଆମେ ଦେଖୁ ଯେ ମଣିଷ ପ୍ରଦୂଷଣ କରିବା ସତ୍ତ୍ୱେ ପୃଥିବୀ କିପରି ନିଜେ ନିଜେ ସଫା ହୁଏ, ସେତେବେଳେ ଆମେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉ । ଉଦାହରଣସ୍ୱରୂପ, ଯିହୋବା କିଛି ସୂକ୍ଷ୍ମ ଜୀବ ସୃଷ୍ଟି କରିଛନ୍ତି, ଯେଉଁଗୁଡ଼ିକ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ହିଁ ଦେଖାଯାଏ । ଏହି ଜୀବଗୁଡ଼ିକ ବିଷାକ୍ତ ପଦାର୍ଥଗୁଡ଼ିକୁ ଏପରି ପଦାର୍ଥଗୁଡ଼ିକରେ ବଦଳାଇ ଦିଅନ୍ତି, ଯେଉଁଥିରୁ କୌଣସି କ୍ଷତି ହୁଏ ନାହିଁ । ସତରେ ଏହା ଦେଖି ଆମକୁ କେତେ ଆଶ୍ଚର୍ଯ୍ୟ ଲାଗେ  ! ବୈଜ୍ଞାନିକମାନେ ମଧ୍ୟ ଏହି ସୂକ୍ଷ୍ମ ଜୀବଗୁଡ଼ିକୁ ବ୍ୟବହାର କରି ପ୍ରଦୂଷଣରୁ ହେଉଥିବା କ୍ଷତିଗୁଡ଼ିକୁ ଠିକ୍‌ କରନ୍ତି ।—ରୋମୀୟ ୧:୨୦.

୬, ୭. ମୋଶାଙ୍କ ବ୍ୟବସ୍ଥାରୁ କିପରି ଜଣାପଡ଼େ ଯେ ଯିହୋବାଙ୍କ ଉପାସନା କରୁଥିବା ଲୋକମାନଙ୍କୁ ଶୁଦ୍ଧ ରହିବା ଉଚିତ୍‌ ?

ଯିହୋବା ମୋଶାଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ ଯେଉଁ ବ୍ୟବସ୍ଥା ଦେଇଥିଲେ, ସେଥିରୁ ମଧ୍ୟ ଆମେ ଜାଣିପାରୁ ଯେ ସଫାସୁତୁରା ରହିବା କେତେ ମହତ୍ତ୍ୱପୂର୍ଣ୍ଣ । ଗୋଟିଏ ନିୟମ ଥିଲା ଯେ ସେମାନଙ୍କୁ ନିଜ ଶରୀରକୁ ପରିଷ୍କାର ରଖିବାର ଥିଲା । ତେବେ ଯାଇ ଯିହୋବା ସେମାନଙ୍କ ଉପାସନା ସ୍ୱୀକାର କରନ୍ତେ । ପ୍ରାୟଶ୍ଚିତ୍ତର ଦିନରେ ମହାଯାଜକଙ୍କୁ ଦୁଇଥର ଗାଧୋଇବାର ଥିଲା । (ଲେବୀ ପୁସ୍ତକ ୧୬:୪, ୨୩, ୨୪) ଅନ୍ୟ ଯାଜକମାନେ ବଳିଦାନ ଚଢ଼ାଇବା ପୂର୍ବରୁ ନିଜ ଗୋଡ଼ ହାତ ଧୋଇବାର ଥିଲା । (ଯାତ୍ରା ପୁସ୍ତକ ୩୦:୧୭-୨୧; ୨ ବଂଶାବଳୀ ୪:୬) ଶୁଦ୍ଧତା ବିଷୟରେ ଦିଆଯାଇଥିବା କିଛି ନିୟମଗୁଡ଼ିକୁ ପାଳନ କରିବା ବହୁତ ଜରୁରୀ ଥିଲା । ଯଦି କେହି ସେହି ନିୟମଗୁଡ଼ିକୁ ଉଲ୍ଲଙ୍ଘନ କରୁଥିଲା, ତେବେ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା ।—ଲେବୀ ପୁସ୍ତକ ୧୫:୩୧; ଗଣନା ପୁସ୍ତକ ୧୯:୧୭-୨୦.

ମୋଶାଙ୍କ ବ୍ୟବସ୍ଥାରୁ ଆମେ ଯିହୋବାଙ୍କ ମାନଦଣ୍ଡ ବିଷୟରେ ବହୁତ କିଛି ଶିଖିପାରିବା । ସେଥିରୁ ଜଣାପଡ଼େ ଯେ ଇସ୍ରାଏଲୀୟମାନଙ୍କୁ ଶୁଦ୍ଧ ରହିବା କେତେ ଜରୁରୀ ଥିଲା । ଯିହୋବାଙ୍କ ମାନଦଣ୍ଡ ବଦଳି ନାହିଁ । (ମଲାଖି ୩:୬) ଆଜି ମଧ୍ୟ ସେ ଚାହାନ୍ତି ଯେ ତାହାଙ୍କ ଲୋକମାନେ ଶୁଦ୍ଧ ରହନ୍ତୁ ।—ଯାକୁବ ୧:୨୭.

ଶୁଦ୍ଧ ରହିବାରେ କʼଣ କʼଣ ସାମିଲ୍‌ ?

୮. ଆମେ କେଉଁ ମାମଲାଗୁଡ଼ିକରେ ଶୁଦ୍ଧ ରହିବା ଉଚିତ୍‌ ?

ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖିଲେ, ଶୁଦ୍ଧ ରହିବାର ଅର୍ଥ ଏହା ନୁହେଁ ଯେ କେବଳ ଆମେ ନିଜ ଶରୀରକୁ ସଫା ରଖିବା, ସଫାସୁତୁରା କପଡ଼ା ପିନ୍ଧିବା ଏବଂ ନିଜ ଘରକୁ ସଫା ରଖିବା, ବରଂ ଆମେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୁଦ୍ଧ ରହିବା ଉଚିତ୍‌ । ଆମ ଉପାସନା, ଆମ ଚାଲିଚଳନ ଏବଂ ଆମ ଚିନ୍ତାଧାରା ମଧ୍ୟ ଶୁଦ୍ଧ ହେବା ଉଚିତ୍‌ । ଯେତେବେଳେ ଆମେ ଏ ସମସ୍ତ ମାମଲାରେ ଶୁଦ୍ଧ ରହିବା, ସେତେବେଳେ ହିଁ ଯିହୋବା ଆମକୁ ଶୁଦ୍ଧ ବୋଲି ମନେ କରିବେ ।

୯, ୧୦. ଆମେ କିପରି ନିଜ ଉପାସନାକୁ ଶୁଦ୍ଧ ରଖିପାରିବା ?

ଶୁଦ୍ଧ ଉପାସନା । ଆମେ କୌଣସି ଉପାୟରେ ମିଥ୍ୟା ଧର୍ମ ସହ ସମ୍ପର୍କ ରଖିପାରିବା ନାହିଁ । ଯେତେବେଳେ ଇସ୍ରାଏଲୀୟମାନେ ବାବିଲରେ ବନ୍ଦୀ ଥିଲେ, ସେତେବେଳେ ସେମାନଙ୍କ ଆଖପାଖର ଲୋକମାନେ ମିଥ୍ୟା ଧର୍ମକୁ ମାନୁଥିଲେ ଏବଂ ସେମାନେ ନିଜ ଉପାସନା ସମୟରେ ଅନୈତିକ କାମ ମଧ୍ୟ କରୁଥିଲେ । ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ ଇସ୍ରାଏଲୀୟମାନେ ଦିନେ ନିଜ ଦେଶକୁ ଫେରିଯିବେ ଏବଂ ସେଠାରେ ଶୁଦ୍ଧ ଉପାସନା ପୁଣି ଆରମ୍ଭ କରିବେ । ସେମାନେ ବାବିଲ ଛାଡ଼ିବା ପୂର୍ବରୁ ଯିହୋବା ସେମାନଙ୍କୁ କହିଲେ, ‘ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ତୁମ୍ଭେମାନେ ଶୁଚି ହୁଅ  ।’ ଇସ୍ରାଏଲୀୟମାନଙ୍କୁ ଧ୍ୟାନରେ ରଖିବାର ଥିଲା ଯେ ସେମାନେ ନିଜ ଉପାସନାକୁ ବାବିଲର ମିଥ୍ୟା ଧର୍ମର ଶିକ୍ଷା ଓ ରୀତିନୀତିଗୁଡ଼ିକରୁ ଦୂଷିତ ନ କରନ୍ତୁ ।—ଯିଶାଇୟ ୫୨:୧୧.

୧୦ ଆଜି ସତ୍ୟ ଖ୍ରୀଷ୍ଟିୟାନମାନେ ମଧ୍ୟ ମିଥ୍ୟା ଧର୍ମ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ । (୧ କରିନ୍ଥୀୟ ୧୦:୨୧ ପଢ଼ନ୍ତୁ ।) ସାରା ଦୁନିଆରେ ଲୋକମାନେ ଏପରି ପରମ୍ପରା ଓ ରୀତିନୀତିଗୁଡ଼ିକୁ ପାଳନ କରନ୍ତି, ଯାହା ମିଥ୍ୟା ଧର୍ମର ଶିକ୍ଷାଗୁଡ଼ିକ ଉପରେ ଆଧାରିତ ହୋଇଥାଏ । ଉଦାହରଣସ୍ୱରୂପ, ଅନେକ ଧର୍ମରେ ବିଶ୍ୱାସ କରାଯାଏ ଯେ ମଣିଷର ଶରୀର କେବଳ ମରେ, କିନ୍ତୁ ଆତ୍ମା ମରେ ନାହିଁ, ତାହା ଅମର ହୋଇ ରହେ । ଏହା ସହ ଜଡ଼ିତ ଅନେକ ରୀତିନୀତି ମଧ୍ୟ ରହିଛି । (ଉପଦେଶକ ୯:୫, ୬, ୧୦) ଖ୍ରୀଷ୍ଟିୟାନମାନଙ୍କୁ ଏହି ରୀତିନୀତି ପାଳନ କରିବା ଉଚିତ୍‌ ନୁହେଁ । ହୁଏତ ଆମ ପରିବାର ଲୋକେ ଆମ ଉପରେ ଏପରି ରୀତିନୀତିକୁ ପାଳନ କରିବା ପାଇଁ ଚାପ ପକାଇପାରନ୍ତି । କିନ୍ତୁ ଆମେ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ରହିବାକୁ ଚାହୁଁ, ତେଣୁ ଆମେ ଏପରି କାମ କରି ନ ଥାଉ ।—ପ୍ରେରିତ ୫:୨୯.

୧୧. ନିଜ ଚାଲିଚଳନକୁ ଶୁଦ୍ଧ ରଖିବାର ଅର୍ଥ କʼଣ ?

୧୧ ଶୁଦ୍ଧ ଚାଲିଚଳନ । ଯଦି ଆମେ ଚାହୁଁ ଯେ ଯିହୋବାଙ୍କ ଦୃଷ୍ଟିରେ ଆମ ଚାଲିଚଳନ ଶୁଦ୍ଧ ରହୁ, ତେବେ ଆମେ ସମସ୍ତ ଅନୈତିକ କାମଠାରୁ ଦୂରେଇ ରହିବା ଉଚିତ୍‌ । (ଏଫିସୀୟ ୫:୫ ପଢ଼ନ୍ତୁ ।) ଯିହୋବା ଆମକୁ ଆଜ୍ଞା ଦେଇଛନ୍ତି ଯେ “ବ୍ୟଭିଚାରଠାରୁ ପଳାୟନ କର ।” ସେ ଏଠାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁମାନେ ଅନୈତିକ କାମ କରନ୍ତି ଏବଂ ପଶ୍ଚାତାପ କରନ୍ତି ନାହିଁ, ସେମାନେ “ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।”—୧ କରିନ୍ଥୀୟ ୬:୯, ୧୦, ୧୮; ଅଧିକ ବିବରଣୀ-୨୨ ଦେଖନ୍ତୁ ।

୧୨, ୧୩. ଆମ ମନର ଭାବନା ଶୁଦ୍ଧ ହେବା କାହିଁକି ଜରୁରୀ ?

୧୨ ଶୁଦ୍ଧ ଭାବନା । ଆମେ ଯେଉଁଭଳି କଥାଗୁଡ଼ିକ ଉପରେ ଚିନ୍ତନ କରୁ, ଅଧିକାଂଶ ସମୟରେ ସେହିଭଳି କାମ ମଧ୍ୟ କରିଥାଉ । (ମାଥିଉ ୫:୨୮; ୧୫:୧୮, ୧୯) ଯଦି ଆମ ଚିନ୍ତାଧାରା ଭଲ ଥିବ, ତେବେ ଆମେ ଭଲ କାମ ମଧ୍ୟ କରିବା । ଏହା ସତ ଯେ ଅପରିପୂର୍ଣ୍ଣ ହେବା ଯୋଗୁଁ ବେଳେ ବେଳେ ଆମ ମନରେ ଖରାପ ଚିନ୍ତାଗୁଡ଼ିକ ଆସେ । କିନ୍ତୁ ଆମେ ତୁରନ୍ତ ନିଜ ମନରୁ ସେହି କଥାଗୁଡ଼ିକୁ ବାହାର କରିଦେବା ଉଚିତ୍‌ । ଏପରି ନ କଲେ ଆଗକୁ ଯାଇ ଆମ ମନ ଖରାପ କଥାଗୁଡ଼ିକ ଦ୍ୱାରା ଦୂଷିତ ହୋଇଯିବ ଏବଂ ଆମେ ଯେଉଁ ଖରାପ କାମଗୁଡ଼ିକ ବିଷୟରେ ନିଜ ମନରେ ଭାବୁଥିଲୁ, ସେଗୁଡ଼ିକୁ କରିବା ମଧ୍ୟ ଆରମ୍ଭ କରି ଦେଇପାରୁ । ଏଥିରୁ ଜଣାପଡ଼େ ଯେ ଆମେ ନିଜ ମନରେ ଭଲ ଚିନ୍ତାଧାରା ଭରିବା କେତେ ଜରୁରୀ । (ଫିଲିପ୍ପୀୟ ୪:୮ ପଢ଼ନ୍ତୁ ।) ତେଣୁ ଆମେ ଅନୈତିକ ଓ ହିଂସାରେ ପରିପୂର୍ଣ୍ଣ ମନୋରଞ୍ଜନ କରିବା ଉଚିତ୍‌ ନୁହେଁ । ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ଆମେ କେଉଁ ପ୍ରକାରର ବହି ପଢ଼ୁ, ଫିଲ୍ମଗୁଡ଼ିକ ଦେଖୁ ଏବଂ ଅନ୍ୟମାନଙ୍କ ସହ କେଉଁ ବିଷୟରେ କଥା ହେଉ ।—ଗୀତସଂହିତା ୧୯:୮, ୯.

୧୩ ଯେପରି ଆମେ ଦେଖିଲୁ, ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିବା ପାଇଁ ଆମେ ନିଜ ଉପାସନା, ଚାଲିଚଳନ ଏବଂ ନିଜ ଭାବନାକୁ ଶୁଦ୍ଧ ରଖିବା ଉଚିତ୍‌ । କିନ୍ତୁ ତାʼ ସହ ଆମେ ଶାରୀରିକ ସ୍ୱଚ୍ଛତା ବିଷୟରେ ମଧ୍ୟ ଧ୍ୟାନ ଦେବା ଉଚିତ୍‌ ।

ଶାରୀରିକ ସ୍ୱଚ୍ଛତାରେ କʼଣ ସାମିଲ୍‌ ?

୧୪. ଶାରୀରିକ ସ୍ୱଚ୍ଛତା କାହିଁକି ଜରୁରୀ ?

୧୪ ଯଦି ଆମେ ନିଜ ଶରୀର ଓ ଘର ଆଖପାଖକୁ ସଫା ରଖିବା, ତେବେ ଆମକୁ ହିଁ ଲାଭ ହେବ ଏବଂ ଆମକୁ ଭଲ ଲାଗିବ । ଏପରି କଲେ ଅନ୍ୟମାନଙ୍କୁ ମଧ୍ୟ ଲାଭ ହେବ ଏବଂ ସେମାନଙ୍କୁ ଆମ ସହିତ ରହିବା ପାଇଁ ଭଲ ଲାଗିବ । କିନ୍ତୁ ଶାରୀରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାର ମୁଖ୍ୟ କାରଣ ହେଉଛି, ଏହାଦ୍ୱାରା ଯିହୋବାଙ୍କ ମହିମା ହୁଏ । ଟିକେ ଭାବନ୍ତୁ, ଯଦି ଜଣେ ପିଲା ସବୁବେଳେ ଅପରିଷ୍କାର ରହେ, ତେବେ କʼଣ ଲୋକମାନେ ଏହା କହିବେ ନାହିଁ ଯେ ତାʼ ବାପାମାଆ ତାʼର ଚିନ୍ତା କରନ୍ତି ନାହିଁ ? ଠିକ୍‌ ସେହିପରି, ଯଦି ଆମେ ସଫାସୁତୁରା ପ୍ରତି ଧ୍ୟାନ ଦେବା ନାହିଁ, ତେବେ ଯିହୋବାଙ୍କ ନାମ ଅପମାନିତ ହୋଇପାରେ । ପାଉଲ କହିଥିଲେ, “ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ, ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ . . . ଏହି ସମସ୍ତରେ ଆମ୍ଭେମାନେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ ।”—୨ କରିନ୍ଥୀୟ ୬:୩, ୪, ୧୦.

ଯିହୋବାଙ୍କ ଲୋକମାନଙ୍କୁ ସଫାସୁତୁରା ପ୍ରତି ଧ୍ୟାନ ଦେବା ଉଚିତ୍‌

୧୫, ୧୬. ଆମେ ସ୍ୱଚ୍ଛତାକୁ କିପରି ଧ୍ୟାନରେ ରଖିପାରିବା ?

୧୫ ଶରୀର ଓ ପୋଷାକ । ଶରୀରକୁ ସଫାସୁତୁରା ରଖିବା ଆମ ପ୍ରତିଦିନର କାମ ହେବା ଉଚିତ୍‌ । ଆମେ ସବୁଦିନ ଗାଧୋଇବା ଉଚିତ୍‌, ରୋଷେଇ କରିବା ଏବଂ ଖାଇବା ପୂର୍ବରୁ ଆମେ ନିଜ ହାତ ସାବୁନରେ ଧୋଇବା ଉଚିତ୍‌ । ଶୌଚାଳୟ ଯିବା ଏବଂ କୌଣସି ଗନ୍ଧିଆ ଜିନିଷ ଛୁଇଁବା ପରେ ଆମେ ନିଜ ହାତ ସାବୁନରେ ନିଶ୍ଚୟ ଧୋଇବା ଉଚିତ୍‌ । ହୁଏତ ଆମେ ଭାବିପାରୁ ଯେ ହାତ ଧୋଇବା ଏତେ ଜରୁରୀ ନୁହେଁ, କିନ୍ତୁ ଏହି ଅଭ୍ୟାସ ଆମ ଜୀବନ ରକ୍ଷା କରିପାରେ । ଏହାଦ୍ୱାରା ଜୀବାଣୁ ଓ ତାʼ ଦ୍ୱାରା ହେଉଥିବା ରୋଗ ବ୍ୟାପି ନ ଥାଏ । ଯଦି ଆମ ଘରେ ଶୌଚାଳୟ ନାହିଁ, ତେବେ ଆମେ ମଳ ବିସର୍ଜନ କରିବାର ଅନ୍ୟ କୌଣସି ବ୍ୟବସ୍ଥା କରିପାରିବା । ଯେତେବେଳେ ଇସ୍ରାଏଲୀୟମାନଙ୍କଠାରେ ମଳ ବିସର୍ଜନ କରିବାର କୌଣସି ବ୍ୟବସ୍ଥା ନ ଥିଲା, ସେତେବେଳେ ସେମାନେ ଘର ଓ ପାଣିର ସ୍ରୋତଠାରୁ ଦୂରରେ ଯାଇ ଶୌଚ କରୁଥିଲେ ଏବଂ ତାକୁ ମାଟିରେ ଢାଙ୍କି ଦେଉଥିଲେ ।—ଦ୍ୱିତୀୟ ବିବରଣ ୨୩:୧୨, ୧୩.

୧୬ ଯଦି ଆମେ ପୋଷାକ ବିଷୟରେ ଦେଖିବା, ତେବେ ଏହା ଜରୁରୀ ନୁହେଁ ଯେ ଆମ ପୋଷାକ ବହୁତ ମହଙ୍ଗା କିମ୍ବା ନୂଆ ଫେସନର ହେଉ କିନ୍ତୁ ତାହା ସଫାସୁତୁରା ହେବା ଉଚିତ୍‌ । (୧ ତୀମଥି ୨:୯, ୧୦ ପଢ଼ନ୍ତୁ ।) ଆମ ପୋଷାକ ଓ ସଜବାଜ ଏପରି ହେବା ଉଚିତ୍‌ ଯେଉଁଥିରୁ ଯିହୋବାଙ୍କ ମହିମା ହେବ ।—ତୀତସ ୨:୧୦.

୧୭. ଆମେ ନିଜ ଘର ଓ ତାʼ ଚାରିପାଖକୁ କାହିଁକି ସଫା ରଖିବା ଉଚିତ୍‌ ?

୧୭ ଘର ଓ ତାʼ ଚାରିପାଖ । ଆମେ ଯେଉଁଠାରେ ରହୁ ନା କାହିଁକି ତାହା ସଫାସୁତୁରା ହେବା ଉଚିତ୍‌ । ଯଦି ଆମ ପାଖରେ କାର, ସ୍କୁଟର, ବାଇକ୍‌ କିମ୍ବା ଅନ୍ୟ କୌଣସି ଗାଡ଼ି ଅଛି, ତେବେ ତାହା ସଫା ହେବା ଉଚିତ୍‌ । ବିଶେଷ କରି, ଯେତେବେଳେ ଆମେ ସଭା କିମ୍ବା ପ୍ରଚାର ପାଇଁ ଯାଉ । ଆମେ ଅନ୍ୟମାନଙ୍କୁ ବାର୍ତ୍ତା ଦେଉ ଯେ ଖୁବ୍‌ ଶୀଘ୍ର ଏହି ପୃଥିବୀ ସୁନ୍ଦର ଓ ସଫାସୁତୁରା ହୋଇଯିବ । (ଲୂକ ୨୩:୪୩; ପ୍ରକାଶିତ ବାକ୍ୟ ୧୧:୧୮) ଯଦି ଆମେ ନିଜ ଘର ଓ ତାʼ ଚାରିପାଖ ସଫାସୁତୁରା ରଖିବା, ତେବେ ଏଥିରୁ ଜଣାପଡ଼ିବ ଯେ ଆମେ ଏବେଠାରୁ ଏକ ସଫାସୁତୁରା ନୂତନ ଜଗତରେ ଜୀଇଁବା ପାଇଁ ପ୍ରସ୍ତୁତି କରୁଛୁ ।

୧୮. ଆମେ ନିଜ ଉପାସନାର ଜାଗାକୁ କାହିଁକି ସଫା ରଖିବା ଉଚିତ୍‌ ?

୧୮ ଉପାସନାର ଜାଗା । ଆମେ ନିଜ ଉପାସନାର ଜାଗାକୁ ମଧ୍ୟ ସଫା ରଖିବା ଉଚିତ୍‌, ଯେପରି— ରାଜ୍ୟଘର ଓ ସମ୍ମିଳନୀର ଜାଗାଗୁଡ଼ିକୁ । ଏଥିରୁ ଜଣାପଡ଼େ ଯେ ଆମେ ସଫାସୁତୁରାକୁ ବହୁତ ମହତ୍ତ୍ୱ ଦେଉ । ଯେତେବେଳେ ଲୋକେ ପ୍ରଥମ ଥର ରାଜ୍ୟଘର ଆସନ୍ତି, ସେତେବେଳେ ସେମାନେ ଧ୍ୟାନ ଦିଅନ୍ତି ଯେ ତାହା କେତେ ସଫାସୁତୁରା ଅଛି । ଏହାଦ୍ୱାରା ଯିହୋବାଙ୍କ ମହିମା ହୁଏ । ଆମେ ସମସ୍ତେ ମଣ୍ଡଳୀର ସଦସ୍ୟ ଅଟୁ, ତେଣୁ ଆମ ସମସ୍ତଙ୍କ ପାଖରେ ନିଜ ରାଜ୍ୟଘରକୁ ସଫାସୁତୁରା ରଖିବା ଓ ତାʼ ରକ୍ଷଣାବେକ୍ଷଣ କରିବାର ସୁଯୋଗ ରହିଛି ।—୨ ବଂଶାବଳୀ ୩୪:୧୦.

ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ନ୍ତୁ

୧୯. ଆମେ କେଉଁ ଜିନିଷଗୁଡ଼ିକର ଅଭ୍ୟସ୍ତ ହେବା ଉଚିତ୍‌ ନୁହେଁ ?

୧୯ ବାଇବଲରେ ସବୁ ଖରାପ ଅଭ୍ୟାସ ବିଷୟରେ କୁହାଯାଇ ନାହିଁ । କିନ୍ତୁ ଏଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକ ପ୍ରତି ଧ୍ୟାନ ଦେଲେ, ଆମେ ଜାଣିପାରିବା ଯେ ଯିହୋବାଙ୍କ ଦୃଷ୍ଟିରେ କେଉଁସବୁ ଜିନିଷ ଖରାପ ଅଟେ । ଈଶ୍ୱରଙ୍କ ମିତ୍ରମାନେ ସିଗାରେଟ୍‌ ପିଅନ୍ତି ନାହିଁ, ମଦ ଓ ନିଶାଦ୍ରବ୍ୟର ଅଭ୍ୟସ୍ତ ହୁଅନ୍ତି ନାହିଁ । କାରଣ ସେମାନେ ଜୀବନକୁ ବହୁତ ଆଦର କରନ୍ତି । ଏପରି ଅଭ୍ୟାସଗୁଡ଼ିକ ଆମକୁ ସମୟ ପୂର୍ବରୁ ମୃତ୍ୟୁ ମୁଖରେ ପକାଇପାରେ ଏବଂ ଆମର ଓ ଆମ ଆଖପାଖରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଅନେକ ଲୋକ ରୋଗୀ ନ ହେବା ପାଇଁ ଏହି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହି ଅଭ୍ୟାସଗୁଡ଼ିକୁ ଛାଡ଼ିବା ପଛରେ ଆମର ଅନ୍ୟ କିଛି କାରଣ ରହିଛି । ତାହା ହେଲା, ଆମେ ଯିହୋବାଙ୍କ ମିତ୍ର ହେବାକୁ ଚାହୁଁ ଏବଂ ଆମେ ତାହାଙ୍କୁ ବହୁତ ପ୍ରେମ କରୁ । ଜଣେ ଯୁବା ଝିଅ କହେ, “ଯିହୋବାଙ୍କ ସାହାଯ୍ୟରେ ମୁଁ ନିଜ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରିଲି ଏବଂ ଏବେ ଏକ ସଫାସୁତୁରା ଜୀବନ ଜୀଉଁଛି । . . . ହୁଏତ ମୁଁ ନିଜ ବଳରେ ଏସବୁ ପରିବର୍ତ୍ତନ କେବେ ମଧ୍ୟ କରିପାରି ନ ଥାʼନ୍ତି ।” ଆସନ୍ତୁ, ଆମେ ବାଇବଲର ପାଞ୍ଚଟି ସିଦ୍ଧାନ୍ତଗୁଡ଼ିକ ପ୍ରତି ଧ୍ୟାନ ଦେବା, ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବ ।

୨୦, ୨୧. ଆମେ କେଉଁ ପ୍ରକାରର ଅଭ୍ୟାସଗୁଡ଼ିକୁ ଛାଡ଼ିବା ଉଚିତ୍‌ ?

୨୦ “ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।” (୨ କରିନ୍ଥୀୟ ୭:୧) ଯିହୋବା ଚାହାନ୍ତି ଯେ ଆମେ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ି ଦେଉ, ଯାହାଦ୍ୱାରା ଆମ ଶରୀର କିମ୍ବା ମନ ଦୂଷିତ ହୋଇପାରେ ।

୨୧ ଆମେ “ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି” କାହିଁକି କରୁ ? ତାʼର ଗୋଟିଏ ମୁଖ୍ୟ କାରଣ ୨ କରିନ୍ଥୀୟ ୬:୧୭, ୧୮ ପଦରେ କୁହାଯାଇଛି । ଏହି ପଦଗୁଡ଼ିକରେ ଯିହୋବା ଆମକୁ କହନ୍ତି, “ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ ।” ଆଗକୁ ସେ ପ୍ରତିଜ୍ଞା କରନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ ।” ହଁ, ଯେତେବେଳେ ଆମେ ସବୁ ଅଶୁଦ୍ଧ ଜିନିଷରୁ ଦୂରେଇ ରହିବା, ସେତେବେଳେ ହିଁ ଯିହୋବା ଆମକୁ ଜଣେ ପିତା ଭଳି ପ୍ରେମ କରିବେ ।

୨୨-୨୫. ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟରେ ଆମେ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବା ?

୨୨ “ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାଥିଉ ୨୨:୩୭) ଏହା ସବୁଠୁ ବଡ଼ ଆଜ୍ଞା ଅଟେ । (ମାଥିଉ ୨୨:୩୮) ଆମେ ଯିହୋବାଙ୍କୁ ସମ୍ପୂର୍ଣ୍ଣ ହୃଦୟରୁ ପ୍ରେମ କରିବା ଉଚିତ୍‌ । କିଛି ଅଭ୍ୟାସଗୁଡ଼ିକ ଏତେ କ୍ଷତିକାରକ ହୋଇଥାଏ ଯେ ଏହାଦ୍ୱାରା ଜଣେ ବ୍ୟକ୍ତିର ମୃତ୍ୟୁ ହୋଇପାରେ କିମ୍ବା ତାʼ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ । ଯଦି ଆମେ ଏହି ଅଭ୍ୟାସଗୁଡ଼ିକୁ ଛାଡ଼ିପାରିବା ନାହିଁ, ତେବେ ଆମେ ଯିହୋବାଙ୍କୁ କିପରି ପ୍ରେମ କରିପାରିବା ? ଜୀବନ ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ, ତେଣୁ ଆମେ ତାହାର ଆଦର କରିବା ଉଚିତ୍‌ ।

୨୩ “[ଯିହୋବା] ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି ।” (ପ୍ରେରିତ ୧୭:୨୪, ୨୫) ଯଦି ଆପଣଙ୍କ ମିତ୍ର ଆପଣଙ୍କୁ ଏକ ବଢ଼ିଆ ଉପହାର ଦିଅନ୍ତି, ତେବେ କʼଣ ଆପଣ ତାହା ଫିଙ୍ଗି ଦେବେ କିମ୍ବା ଭାଙ୍ଗି ଦେବେ ? ଆପଣ ନିଶ୍ଚୟ ଏପରି କରିବେ ନାହିଁ । ଜୀବନ ମଧ୍ୟ ଯିହୋବାଙ୍କ ତରଫରୁ ଏକ ମୂଲ୍ୟବାନ ଉପହାର ଅଟେ । ଏହି ଉପହାର ପାଇଁ ଆମେ ଯିହୋବାଙ୍କଠାରେ ବହୁତ କୃତଜ୍ଞ । ତେଣୁ ଆମେ ନିଜ ଜୀବନ ଏପରି ଜୀଇଁବା ଉଚିତ୍‌, ଯାହାଦ୍ୱାରା ଯିହୋବାଙ୍କ ମହିମା ହେବ ।—ଗୀତସଂହିତା ୩୬:୯.

୨୪ “ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର ।” (ମାଥିଉ ୨୨:୩୯) ଖରାପ ଅଭ୍ୟାସଗୁଡ଼ିକ କେବଳ ଆମକୁ ନୁହେଁ, ବରଂ ଆମ ଆଖପାଖର ଲୋକମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଏ, ବିଶେଷ କରି ଆମ ପରିବାରର ଲୋକମାନଙ୍କୁ ଯେଉଁମାନଙ୍କୁ ଆମେ ବହୁତ ପ୍ରେମ କରୁ । ଯେପରି, ଯଦି କେହି ସିଗାରେଟ୍‌ ପିଏ, ତେବେ ତାʼ ଧୂଆଁରୁ ଘରର ଲୋକମାନଙ୍କୁ ମଧ୍ୟ ବଡ଼ ବଡ଼ ରୋଗ ହୋଇପାରେ । ଯଦି ଆମେ ପ୍ରକୃତରେ ଅନ୍ୟମାନଙ୍କୁ ପ୍ରେମ କରୁ, ତେବେ ଆମେ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିଦେବା ।—୧ ଯୋହନ ୪:୨୦, ୨୧.

୨୫ “କର୍ତ୍ତୃପକ୍ଷ ଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ . . . ସେମାନଙ୍କୁ ସ୍ମରଣ କରାଅ ।” (ତୀତସ ୩:୧, ୨) ଅନେକ ଦେଶରେ ନିୟମ ରହିଛି ଯେ ଲୋକେ ନିଶାଦ୍ରବ୍ୟ ନିଜ ପାଖରେ ରଖିପାରିବେ ନାହିଁ କିମ୍ବା ତାହା ସେବନ ମଧ୍ୟ କରିପାରିବେ ନାହିଁ । ଆମେ ଏଭଳି ନିୟମଗୁଡ଼ିକୁ ପାଳନ କରିବା ଉଚିତ୍‌ । କାରଣ ଯିହୋବା ଆମକୁ ଆଜ୍ଞା ଦେଇଛନ୍ତି ଯେ ଆମେ ସରକାରଗୁଡ଼ିକର ଅଧୀନରେ ରହୁ ।—ରୋମୀୟ ୧୩:୧.

ଆମ ଶୁଦ୍ଧ ଚାଲିଚଳନରୁ ଯିହୋବାଙ୍କ ମହିମା ହୋଇଥାଏ

୨୬. (କ) ଯିହୋବାଙ୍କ ମିତ୍ର ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଖ) ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ରହିବା ପାଇଁ କାହିଁକି ପୂରା ଚେଷ୍ଟା କରିବା ଉଚିତ୍‌ ?

୨୬ ଯିହୋବାଙ୍କ ମିତ୍ର ହେବା ପାଇଁ ହୁଏତ ଆମକୁ ଶୁଦ୍ଧତା ମାମଲାରେ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ । ତେଣୁ ଆମେ ତୁରନ୍ତ କିଛି ପଦକ୍ଷେପ ନେବା ଉଚିତ୍‌ । ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ଏତେ ସହଜ ହୋଇ ନ ଥାଏ, କିନ୍ତୁ ଆମେ ଏଗୁଡ଼ିକୁ ଛାଡ଼ିପାରିବା । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ସାହାଯ୍ୟ କରିବେ । ସେ କହନ୍ତି, “ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ ।” (ଯିଶାଇୟ ୪୮:୧୭) ଯେତେବେଳେ ଆମେ ଶୁଦ୍ଧ ରହିବା ପାଇଁ ପୂରା ଚେଷ୍ଟା କରୁ, ସେତେବେଳେ ଆମେ ଭରସା ରଖିପାରିବା ଯେ ଆମେ ନିଜ ଈଶ୍ୱରଙ୍କ ମହିମା କରୁଛୁ ।