इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୩

କʼଣ ସବୁ ପର୍ବପର୍ବାଣୀ ଈଶ୍ୱରଙ୍କ ଦୃଷ୍ଟିରେ ଠିକ୍‌ ?

କʼଣ ସବୁ ପର୍ବପର୍ବାଣୀ ଈଶ୍ୱରଙ୍କ ଦୃଷ୍ଟିରେ ଠିକ୍‌ ?

“ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍‌ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର ।”—ରୋମୀୟ ୧୨:୨.

୧. ଆମେ କʼଣ କଲେ ଯିହୋବା ଆମ ଉପାସନା ସ୍ୱୀକାର କରିବେ ? ଆମେ କାହିଁକି ଏପରି କରିବା ଉଚିତ୍‌ ?

 ଯୀଶୁ କହିଥିଲେ, ‘ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି ।’ (ଯୋହନ ୪:୨୩; ୬:୪୪) ଆମେ ‘ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍‌ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣିବା’ ଉଚିତ୍‌ । (ରୋମୀୟ ୧୨:୨) ଏପରି କରିବା ସହଜ ହୋଇ ନ ଥାଏ । ଶୟତାନ ଜଣେ ପ୍ରବଞ୍ଚକ ଅଟେ । ତେଣୁ ସେ ଆମକୁ ପଥଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରେ, ଯାହାଦ୍ୱାରା ଆମେ ଏପରି କାମ କରିପାରୁ, ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ।—ପ୍ରକାଶିତ ବାକ୍ୟ ୧୨:୯.

୨. ସୀନୟ ପର୍ବତରେ କʼଣ ହୋଇଥିଲା ?

ଶୟତାନ ଆମକୁ କିପରି ପଥଭ୍ରଷ୍ଟ କରେ ? ତାʼର ଗୋଟିଏ ଉପାୟ ହେଉଛି— ଆମକୁ ଦ୍ୱନ୍ଦ୍ୱରେ ପକାଇବା, ଯାହାଦ୍ୱାରା ଆମେ ଜାଣିପାରିବା ନାହିଁ ଯେ ଠିକ୍‌ କʼଣ ଓ ଭୁଲ କʼଣ । ଏହାକୁ ବୁଝିବା ପାଇଁ ମନେ ପକାନ୍ତୁ ଯେତେବେଳେ ଇସ୍ରାଏଲୀୟମାନେ ସୀନୟ ପର୍ବତରେ ଛାଉଣୀ ଦେଇ ରହୁଥିଲେ, ସେତେବେଳେ ସେମାନଙ୍କ ସହ କʼଣ ହେଲା । ମୋଶା ପାହାଡ଼ ଉପରକୁ ଯାଇଥିଲେ ଏବଂ ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ଯେତେବେଳେ ସେମାନେ ଦେଖିଲେ ଯେ ମୋଶାଙ୍କୁ ଫେରିବାରେ ଡେରି ହେଉଛି, ସେତେବେଳେ ସେମାନେ ହାରୋଣଙ୍କୁ ସେମାନଙ୍କ ପାଇଁ ଏକ ଦେବତା ତିଆରି କରିବା ପାଇଁ କହିଲେ । ହାରୋଣ ସେମାନଙ୍କ ପାଇଁ ସୁନାର ବାଛୁରୀ ତିଆରି କଲେ ଏବଂ ସେମାନେ ଉତ୍ସବ ପାଳନ କଲେ । ସେମାନେ ବାଛୁରୀ ଆଗରେ ନାଚିଲେ ଏବଂ ତାକୁ ପୂଜା କଲେ । ସେମାନେ ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଉତ୍ସବ’ ପାଳନ କରୁଛନ୍ତି ବୋଲି ଭାବୁଥିଲେ । କିନ୍ତୁ ସେମାନଙ୍କ ଏପରି ଭାବିବା ଦ୍ୱାରା ସେହି ଉତ୍ସବ ‘ଯିହୋବାଙ୍କ ଉତ୍ସବ’ ହୋଇଗଲା ନାହିଁ । ସେମାନେ ଯାହା କଲେ ତାହା ଯିହୋବାଙ୍କ ଦୃଷ୍ଟିରେ ମୂର୍ତ୍ତିପୂଜା ଥିଲା । ତେଣୁ ବହୁତ ଲୋକ ନିଜ ଜୀବନ ହରାଇଲେ । (ଯାତ୍ରା ପୁସ୍ତକ ୩୨:୧-୬, ୧୦, ୨୮) ଏହି ଘଟଣାରୁ ଆମେ କʼଣ ଶିଖୁ ? ଆମେ ଉତ୍ସବ ବା ପର୍ବପର୍ବାଣୀ ମାମଲାରେ ସତର୍କ ରହିବା ଉଚିତ୍‌ । ବାଇବଲ କହେ, “କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ ।” ଅର୍ଥାତ୍‌ ମିଥ୍ୟା ଧର୍ମ ସହ ଜଡ଼ିତ କୌଣସି କାମ କରିବା ଉଚିତ୍‌ ନୁହେଁ । ଆମେ ଯିହୋବାଙ୍କ ବାକ୍ୟରୁ ଜାଣିପାରିବା ଯେ ତାହାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ ।—ଯିଶାଇୟ ୫୨:୧୧; ଯିହିଜିକଲ ୪୪:୨୩; ଗାଲାତୀୟ ୫:୯.

୩, ୪. ପର୍ବଗୁଡ଼ିକ କେଉଁଠାରୁ ଆରମ୍ଭ ହୋଇଛି, ତାହା ଆମେ କାହିଁକି ଜାଣିବା ଉଚିତ୍‌ ?

ଯୀଶୁ ପୃଥିବୀରେ ଥିବା ସମୟରେ ନିଜ ପ୍ରେରିତମାନଙ୍କୁ ଶୁଦ୍ଧ ଉପାସନା କରିବା ପାଇଁ ଶିଖାଇଥିଲେ, ଯାହାଫଳରେ ସେମାନେ ମଧ୍ୟ ଅନ୍ୟମାନଙ୍କୁ ତାହା ଶିଖାଇଥାʼନ୍ତେ । ଯୀଶୁଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେରିତମାନେ ନୂଆ ଶିଷ୍ୟମାନଙ୍କୁ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଶିଖାଇଲେ । କିନ୍ତୁ ପ୍ରେରିତମାନଙ୍କ ମୃତ୍ୟୁ ପରେ ମିଥ୍ୟା ଶିକ୍ଷକମାନେ ଖ୍ରୀଷ୍ଟିୟାନମାନଙ୍କୁ ଭୁଲ ଧାରଣାଗୁଡ଼ିକ ଶିଖାଇବାକୁ ଲାଗିଲେ, ଯାହାଫଳରେ ସେମାନେ ମିଥ୍ୟା ଧର୍ମଗୁଡ଼ିକର ରୀତିନୀତି ଏବଂ ପର୍ବଗୁଡ଼ିକୁ ପାଳନ କରିବାକୁ ଲାଗିଲେ । ମିଥ୍ୟା ଶିକ୍ଷକମାନେ ଏମଧ୍ୟରୁ କିଛି ପର୍ବଗୁଡ଼ିକର ନାମ ବଦଳାଇ ଖ୍ରୀଷ୍ଟିୟାନମାନଙ୍କ ପର୍ବ ଭାବେ ନାମିତ କଲେ, ଯାହାଫଳରେ ଏହା ଏପରି ଲାଗିଲା ଯେପରି ଏହା ଖ୍ରୀଷ୍ଟିୟାନ ଧର୍ମର ପର୍ବ ଅଟେ । (ପ୍ରେରିତ ୨୦:୨୯, ୩୦; ୨ ଥେସଲନୀକୀୟ ୨:୭, ୯, ୧୦; ୨ ଯୋହନ ୬, ୭) ଏମଧ୍ୟରୁ ଅନେକ ପର୍ବ ଆଜି ମଧ୍ୟ ବହୁତ ଧୁମ୍‌ଧାମରେ ପାଳନ କରାଯାଏ । କିନ୍ତୁ ପ୍ରାଚୀନ ସମୟ ଭଳି ଆଜି ମଧ୍ୟ ଏହି ପର୍ବଗୁଡ଼ିକର ସମ୍ପର୍କ ଅନ୍ଧବିଶ୍ୱାସ ଓ ଭୂତବିଦ୍ୟା କିମ୍ବା ଯାଦୁବିଦ୍ୟା ସହିତ ଅଛି । aପ୍ରକାଶିତ ବାକ୍ୟ ୧୮:୨-୪, ୨୩.

ଆଜି ସାରା ଜଗତରେ ଉତ୍ସବ ଓ ପର୍ବପର୍ବାଣୀ ପାଳନ କରିବା ଲୋକମାନଙ୍କ ଜୀବନର ଏକ ମୁଖ୍ୟ ଅଂଶ ହୋଇଯାଇଛି । କିନ୍ତୁ ଯେତେବେଳେ ଆପଣ ସବୁ ପର୍ବପର୍ବାଣୀଗୁଡ଼ିକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖିବା ପାଇଁ ଶିଖିବେ, ସେତେବେଳେ ଆପଣ ହୃଦୟଙ୍ଗମ କରିବେ ଯେ କିଛି ଉତ୍ସବ ବା ପର୍ବପର୍ବାଣୀଗୁଡ଼ିକ ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ନୁହେଁ । ହୁଏତ ଆପଣଙ୍କୁ ସେବିଷୟରେ ନିଜ ଦୃଷ୍ଟିକୋଣ ବଦଳାଇବାକୁ ପଡ଼ିପାରେ । ଏପରି କରିବା ମଧ୍ୟ ଆପଣଙ୍କ ପାଇଁ ସହଜ ହୋଇ ନ ପାରେ । କିନ୍ତୁ ମନେ ରଖନ୍ତୁ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ । ଏବେ ଆମେ କିଛି ଜଣାଶୁଣା ପର୍ବପର୍ବାଣୀଗୁଡ଼ିକର ଆରମ୍ଭ କିପରି ହେଲା, ସେବିଷୟରେ ଦେଖିବା । ଏହାଦ୍ୱାରା ଆମେ ଜାଣିପାରିବା ଯେ ପର୍ବଗୁଡ଼ିକ ବିଷୟରେ ଯିହୋବା କିପରି ଅନୁଭବ କରନ୍ତି ।

କ୍ରିସମାସ୍‌ ବା ବଡ଼ଦିନର ଆରମ୍ଭ

୫. ଯୀଶୁ ଡିସେମ୍ବର ମାସ ୨୫ ତାରିଖରେ ଜନ୍ମ ହୋଇ ନ ଥିଲେ ବୋଲି କʼଣ ପ୍ରମାଣ ମିଳେ ?

ସାରା ଜଗତର ଲୋକେ ବିଶ୍ୱାସ କରନ୍ତି ଯେ ଯୀଶୁ ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତେଣୁ ସେମାନେ ଏହି ଦିନକୁ କ୍ରିସମାସ୍‌ ଭାବେ ପାଳନ କରନ୍ତି । ଯୀଶୁ ଠିକ୍‌ କେଉଁ ଦିନ ଜନ୍ମ ହୋଇଥିଲେ, ସେବିଷୟରେ ବାଇବଲରେ କିଛି ଲେଖା ନାହିଁ । ଏପରିକି ସେ କେଉଁ ମାସରେ ଜନ୍ମ ହୋଇଥିଲେ ତାହା ମଧ୍ୟ ଲେଖା ନାହିଁ । କିନ୍ତୁ ବାଇବଲ ସାହାଯ୍ୟରେ ଅନୁମାନ କରାଯାଇପାରିବ ଯେ ସେ କେଉଁ ମାସରେ ଜନ୍ମ ହୋଇଥିବେ । ଲୂକ ଲେଖିଲେ ଯେ ଯୀଶୁ ବେଥଲିହିମରେ ଜନ୍ମ ହେବା ସମୟରେ “କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ ।” (ଲୂକ ୨:୮-୧୧) କିନ୍ତୁ ବେଥଲିହିମରେ ଡିସେମ୍ବର ମାସରେ ହାଡ଼ଭଙ୍ଗା ଶୀତ ଓ ବହୁତ ବର୍ଷା ହୋଇଥାଏ । ଏପରିକି ବରଫ ମଧ୍ୟ ପଡ଼ିଥାଏ । ତେଣୁ ସେସମୟରେ ମେଷପାଳକମାନେ ରାତିରେ ମେଷମାନଙ୍କ ସହ ପଦାରେ ବା ପଡ଼ିଆରେ ରହିବା ସମ୍ଭବ ନ ଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯୀଶୁ ଡିସେମ୍ବର ମାସରେ ନୁହେଁ, ବରଂ ଅନ୍ୟ କୌଣସି ମାସରେ ଜନ୍ମ ହୋଇଥିଲେ ଯେତେବେଳେ ଅଧିକ ଶୀତ ହୁଏ ନାହିଁ । ବାଇବଲ ଓ ଇତିହାସରେ ଅନୁସନ୍ଧାନ କଲେ ଜଣାପଡ଼େ ଯେ ଯୀଶୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଜନ୍ମ ହୋଇଥିଲେ ।

୬, ୭. (କ) କ୍ରିସମାସ୍‌ ସହ ଜଡ଼ିତ ଅଧିକାଂଶ ରୀତିନୀତିର ଆରମ୍ଭ କିପରି ହେଲା ? (ଖ) ଆମେ କେଉଁ କାରଣରୁ ଅନ୍ୟମାନଙ୍କୁ ଉପହାର ଦେବା ଉଚିତ୍‌ ?

ମିଥ୍ୟା ଧର୍ମର ପର୍ବଗୁଡ଼ିକରୁ କ୍ରିସମାସ୍‌ ପର୍ବର ଆରମ୍ଭ ହେଲା । ସେ ମଧ୍ୟରୁ ଗୋଟିଏ ପର୍ବ ଥିଲା ସ୍ୟାଟର୍ଣ୍ଣ୍ୟାଲିୟା । ଏହି ପର୍ବକୁ ରୋମର ଲୋକେ କୃଷି ଦେବତା ସ୍ୟାଟାର୍ଣ୍ଣଙ୍କ ସମ୍ମାନରେ ପାଳନ କରୁଥିଲେ । ଏକ ଜଣାଶୁଣା ଜ୍ଞାନକୋଷରେ ଲେଖାଅଛି, “ସ୍ୟାଟର୍ଣ୍ଣ୍ୟାଲିୟା ରୋମର ଲୋକମାନଙ୍କ ପର୍ବ ଥିଲା, ଯାହାକୁ ସେମାନେ ଡିସେମ୍ବର ମାସ ୧୫ ତାରିଖ ଆଖପାଖରେ ପାଳନ କରୁଥିଲେ । ସେହି ପର୍ବରୁ କ୍ରିସମାସ୍‌ ସହ ଜଡ଼ିତ ଅଧିକାଂଶ ରୀତିନୀତି ବା ପ୍ରଥାର ଆରମ୍ଭ ହୋଇଛି । ଯେପରି— ଉପହାର ଦେବା, ମହମବତୀ ଜଳାଇବା, ଭୋଜି କରିବା ଓ ମଉଜମଜଲିସ କରିବା ।” ପାର୍ଶୀ ଲୋକମାନେ ମଧ୍ୟ ଡିସେମ୍ବର ମାସ ୨୫ ତାରିଖରେ ସୂର୍ଯ୍ୟ ଦେବତା ମୀଥ୍ରାଙ୍କ ଜନ୍ମଦିନ ପାଳନ କରୁଥିଲେ ।

ଆଜି ଯେଉଁମାନେ କ୍ରିସମାସ୍‌ ପାଳନ କରନ୍ତି ସେମାନେ ଏହାର ଆରମ୍ଭ କେଉଁଠାରୁ ହୋଇଛି, ସେବିଷୟରେ କିଛି ଚିନ୍ତା କରନ୍ତି ନାହିଁ । ସେମାନେ ଭାବନ୍ତି ଯେ ଏହା ନିଜ ପରିବାରର ସଦସ୍ୟମାନଙ୍କ ସହ ଖୁସିର ସମୟ ବିତାଇବା, ଭଲ ଖାଦ୍ୟ ଖାଇବା ଏବଂ ଉପହାର ଦେବାର ଏକ ଦିନ ଅଟେ । ଯିହୋବାଙ୍କ ଲୋକମାନେ କ୍ରିସମାସ୍‌ ଭଳି ପର୍ବ ପାଳନ କରନ୍ତି ନାହିଁ । କିନ୍ତୁ ସେମାନେ ନିଜ ପରିବାରର ସଦସ୍ୟ ଓ ସାଙ୍ଗସାଥୀମାନଙ୍କୁ ପ୍ରେମ କରନ୍ତି । ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ନିଜ ପରିବାରର ସଦସ୍ୟମାନଙ୍କ ସହ ଖୁସିରେ ରହୁ ଏବଂ ପରସ୍ପର ପ୍ରତି ଥିବା ପ୍ରେମ ଯୋଗୁଁ ଉପହାର ଦେଉ । ଦ୍ୱିତୀୟ କରିନ୍ଥୀୟ ୯:୭ ପଦରେ ଲେଖାଅଛି, “ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି ।” ଯିହୋବା ଚାହାନ୍ତି ନାହିଁ ଯେ ଆମେ କୌଣସି ବିଶେଷ ଦିନରେ ହିଁ ଅନ୍ୟମାନଙ୍କୁ ଉପହାର ଦେଉ । ତେଣୁ ଆମେ ବର୍ଷର ଯେକୌଣସି ଦିନରେ ନିଜ ପରିବାରର ସଦସ୍ୟ ଓ ସାଙ୍ଗସାଥୀମାନଙ୍କୁ ଉପହାର ଦେଇଥାଉ ଏବଂ ପରସ୍ପର ସହ ଖୁସିର ସମୟ ବିତାଇଥାଉ । ଆମେ ପ୍ରେମ ଯୋଗୁଁ ଅନ୍ୟମାନଙ୍କୁ ଉପହାର ଦେଉ ।—ଲୂକ ୧୪:୧୨-୧୪.

ପର୍ବପର୍ବାଣୀଗୁଡ଼ିକର କିପରି ଆରମ୍ଭ ହେଲା, ତାହା ଜାଣିଲେ ଆମେ ନିର୍ଣ୍ଣୟ କରିପାରିବା ଯେ ତାହା ପାଳନ କରିବା ଉଚିତ୍‌ ନା ନୁହେଁ

୮. ଜ୍ୟୋତିଷୀମାନେ ଯୀଶୁଙ୍କୁ ଉପହାର ଦେବା ପାଇଁ ଆସିଥିବା ସମୟରେ କʼଣ ସେ ଏକ ନବଜାତ ଶିଶୁ ଥିଲେ ?

କିଛି ଲୋକ ଭାବନ୍ତି ଯେ କ୍ରିସମାସ୍‌ରେ ଅନ୍ୟମାନଙ୍କୁ ଉପହାର ଦେବା ଭୁଲ ନୁହେଁ । ସେମାନେ ଏହି କଥାକୁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ କହନ୍ତି ଯେ ଯେତେବେଳେ ଯୀଶୁ ଜନ୍ମ ହୋଇଥିଲେ, ସେତେବେଳେ ତାଙ୍କୁ ଦେଖିବା ପାଇଁ ତିନି ଜଣ ବୁଦ୍ଧିମାନ ବ୍ୟକ୍ତି ଆସିଥିଲେ ଏବଂ ସେମାନେ ଉପହାର ମଧ୍ୟ ଆଣିଥିଲେ । ଏହା ସତ ଯେ କିଛି ବ୍ୟକ୍ତି ଯୀଶୁଙ୍କୁ ଦେଖିବା ପାଇଁ ଆସିଥିଲେ ଏବଂ ସେମାନେ ଉପହାର ମଧ୍ୟ ଆଣିଥିଲେ । ବାଇବଲ ସମୟରେ କୌଣସି ବିଶେଷ ବ୍ୟକ୍ତିକୁ ଭେଟିବା ସମୟରେ ତାଙ୍କ ପାଇଁ ଉପହାର ନେବା ଏକ ସାଧାରଣ କଥା ଥିଲା । (୧ ରାଜାବଳୀ ୧୦:୧, ୨, ୧୦, ୧୩) କିନ୍ତୁ କʼଣ ଆପଣ ଜାଣନ୍ତି ଯେ ଯୀଶୁଙ୍କୁ ଭେଟିବାକୁ ଆସିଥିବା ବ୍ୟକ୍ତିମାନେ ଯିହୋବାଙ୍କ ଉପାସକ ନ ଥିଲେ । ସେମାନେ ଜ୍ୟୋତିଷୀ ଥିଲେ, ଯିଏ ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା ସହ ଜଡ଼ିତ କାମ କରୁଥିଲେ । କେବଳ ଏତିକି ନୁହେଁ ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିବାକୁ ଆସିଥିଲେ, ସେତେବେଳେ ସେ କୁଣ୍ଡରେ ଥିବା ଏକ ନବଜାତ ଶିଶୁ ନ ଥିଲେ । ସେ ଟିକେ ବଡ଼ ହୋଇ ଯାଇଥିଲେ ଏବଂ ଏକ ଘରେ ରହୁଥିଲେ ।—ମାଥିଉ ୨:୧, ପାଦଟୀକା; ୨:୨, ୧୧.

ଜନ୍ମଦିନ ବିଷୟରେ ବାଇବଲ କʼଣ କହେ ?

୯. ବାଇବଲରେ କେଉଁ ଦୁଇ ଜଣ ବ୍ୟକ୍ତିଙ୍କ ଜନ୍ମଦିନ ବିଷୟରେ ଲେଖାଅଛି ?

ଯେତେବେଳେ ଜଣେ ଶିଶୁ ଜନ୍ମ ହୁଏ, ସେତେବେଳେ ତାହା ଏକ ଖୁସିର ସମୟ ହୋଇଥାଏ । (ଗୀତସଂହିତା ୧୨୭:୩) କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପ୍ରତ୍ୟେକ ବର୍ଷ ସେହି ଦିନକୁ ଜନ୍ମଦିନ ଭାବେ ପାଳନ କରିବା । ବାଇବଲରେ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରାଯିବା ବିଷୟରେ ଲେଖାଅଛି । ସେମାନେ ଥିଲେ ମିଶରର ଫାରୋ ଓ ରାଜା ହେରୋଦ ଆନ୍ତିପା । (ଆଦି ପୁସ୍ତକ ୪୦:୨୦-୨୨; ମାର୍କ ୬:୨୧-୨୯ ପଢ଼ନ୍ତୁ ।) ସେମାନେ ଯିହୋବାଙ୍କ ଉପାସକ ନ ଥିଲେ । ପ୍ରକୃତରେ ବାଇବଲରେ କେଉଁଠାରେ ବି ଲେଖା ନାହିଁ ଯେ ଯିହୋବାଙ୍କ ସେବକମାନେ ଜନ୍ମଦିନ ପାଳନ କରିଥିଲେ ।

୧୦. ଜନ୍ମଦିନ ବିଷୟରେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ କʼଣ ମାନୁଥିଲେ ?

୧୦ ଦି ୱାଲ୍‌ଡ ବୁକ ଅଫ ଏନସାଇକ୍ଲୋପିଡିଆ ଅନୁସାରେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ “ଜନ୍ମଦିନ ପାଳନ କରିବାକୁ ମିଥ୍ୟା ଧର୍ମଗୁଡ଼ିକରୁ ଆସିଥିବା ଏକ ପ୍ରଥା ବୋଲି ମାନୁଥିଲେ ।” ଏହି ପ୍ରଥାଗୁଡ଼ିକ ଅନ୍ଧବିଶ୍ୱାସ ଉପରେ ଆଧାରିତ ଥିଲା । ଉଦାହରଣ ପାଇଁ, ପ୍ରାଚୀନ ଗ୍ରୀକ୍‌ମାନଙ୍କର ଅନ୍ଧବିଶ୍ୱାସ ଥିଲା ଯେ ପ୍ରତ୍ୟେକ ମଣିଷ ଯେଉଁ ଦିନ ଜନ୍ମ ହୁଏ, ସେହି ଦିନ ଗୋଟିଏ ଆତ୍ମା ଉପସ୍ଥିତ ଥାଏ । ଆଉ, ସେହି ଆତ୍ମା ଜୀବନସାରା ତାକୁ ସୁରକ୍ଷା ଦିଏ । ସେହି ଆତ୍ମାର ସମ୍ପର୍କ ସେହି ଦିନ ଜନ୍ମ ହୋଇଥିବା ଏକ ଦେବତା ସହ ଥାଏ । ଗ୍ରୀକ୍‌ମାନେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଯଦି ସେମାନେ ଜନ୍ମଦିନ ପାଳନ କରିବେ, ତାହେଲେ ସେହି ଆତ୍ମା ସେମାନଙ୍କୁ ସୁରକ୍ଷା ଦେବ । ଜନ୍ମଦିନର ପ୍ରଥା ଏପରି ଅନ୍ଧବିଶ୍ୱାସ, ଜ୍ୟୋତିଷବିଦ୍ୟା ଓ ଜାତକ ସହ ଜଡ଼ିତ ।

୧୧. ଉଦାରମନା ହେବା ବିଷୟରେ ଯିହୋବା ଆମଠାରୁ କʼଣ ଚାହାନ୍ତି ?

୧୧ ଅନେକ ଲୋକ ଭାବନ୍ତି ଯେ ଜଣେ ବ୍ୟକ୍ତିର ଜନ୍ମଦିନ ତାʼ ଜୀବନର ଏକ ବିଶେଷ ଦିନ ହୋଇଥାଏ । ତେଣୁ ସେହି ଦିନ କେବଳ ତାକୁ ପ୍ରେମ ପାଇବାର ଅଧିକାର । କିନ୍ତୁ ଆମେ ନିଜ ପରିବାରର ଲୋକମାନଙ୍କୁ ଓ ସାଙ୍ଗସାଥୀମାନଙ୍କୁ କେବଳ ତାଙ୍କ ଜନ୍ମଦିନରେ ନୁହେଁ, ବରଂ ସବୁଦିନ ପ୍ରେମ କରିବା ଉଚିତ୍‌ । ଯିହୋବା ଚାହାନ୍ତି ଯେ ଆମେ ପ୍ରତିଦିନ ଅନ୍ୟମାନଙ୍କ ଉପରେ ଦୟା କରୁ ଓ ଉଦାରମନା ହେଉ । (ପ୍ରେରିତ ୨୦:୩୫ ପଢ଼ନ୍ତୁ ।) ଯିହୋବା ଆମକୁ ଜୀବନ ଦେଇଛନ୍ତି । ତେଣୁ ଆମେ କେବଳ ନିଜ ଜନ୍ମଦିନରେ ନୁହେଁ, ବରଂ ସବୁଦିନ ତାହାଙ୍କ ପ୍ରତି ନିଜ କୃତଜ୍ଞତା ଦେଖାଇବା ଉଚିତ୍‌ ।—ଗୀତସଂହିତା ୮:୩, ୪; ୩୬:୯.

ଆମେ ଅନ୍ୟମାନଙ୍କୁ ପ୍ରେମ କରୁ, ତେଣୁ ସେମାନଙ୍କୁ ଉପହାର ଦେଉ

୧୨. ଜନ୍ମ ଦିନ ଅପେକ୍ଷା ମରଣ ଦିନ କିପରି ଭଲ ହୋଇପାରେ ?

୧୨ ଉପଦେଶକ ୭:୧ ପଦ କହେ, “ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ ।” ଜନ୍ମ ଦିନ ଅପେକ୍ଷା ମରଣ ଦିନ କିପରି ଭଲ ? ଯେତେବେଳେ ଆମେ ଜନ୍ମ ହେଉ, ସେତେବେଳେ ଆମେ କିଛି ବି ଭଲ ବା ଖରାପ କାମ କରି ନ ଥାଉ । କିନ୍ତୁ ମୃତ୍ୟୁର ଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଅନେକ କାମ କରି ସାରିଥାଏ । ଯଦି ସେ ଯିହୋବାଙ୍କ ସେବା କରିଥାଏ ଏବଂ ଲୋକମାନଙ୍କୁ ସାହାଯ୍ୟ କରିଥାଏ, ତେବେ ସେ “ଉତ୍ତମ ନାମ” ଅର୍ଜନ କରିଥାଏ ଏବଂ ଯିହୋବା ତାକୁ କେବେ ମଧ୍ୟ ଭୁଲନ୍ତି ନାହିଁ । (ଆୟୁବ ୧୪:୧୪, ୧୫) ଯିହୋବାଙ୍କ ଲୋକେ ନିଜ ଜନ୍ମଦିନ କିମ୍ବା ଯୀଶୁଙ୍କ ଜନ୍ମଦିନ ପାଳନ କରନ୍ତି ନାହିଁ । ପ୍ରକୃତରେ କେବଳ ଗୋଟିଏ ଘଟଣାକୁ ସ୍ମରଣ କରିବା ପାଇଁ ଯୀଶୁ ଆଜ୍ଞା ଦେଇଥିଲେ । ଆଉ, ତାହା ହେଉଛି— ତାଙ୍କର ମୃତ୍ୟୁର ଦିନ ।—ଲୂକ ୨୨:୧୭-୨୦; ଏବ୍ରୀ ୧:୩, ୪.

ଇଷ୍ଟରର ଆରମ୍ଭ

୧୩, ୧୪. ଇଷ୍ଟରର ସମ୍ପର୍କ କାହା ସହ ଅଛି ?

୧୩ ଅନେକ ଲୋକ ଭାବନ୍ତି ଯେ ଇଷ୍ଟରରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ହୋଇଥିଲା । ତେଣୁ ସେମାନେ ତାହା ପାଳନ କରନ୍ତି । କିନ୍ତୁ ଦେଖିବାକୁ ଗଲେ ଇଷ୍ଟରର ସମ୍ପର୍କ ଇଷ୍ଟ୍ର ଦେବୀ ସହ ଅଛି । ଯାହାକୁ ପଶ୍ଚିମ ୟୁରୋପର ଲୋକମାନେ ଭୋର ସକାଳ ଓ ବସନ୍ତ ଋତୁର ଦେବୀ ବୋଲି ମନେ କରନ୍ତି । ପୌରାଣିକ କାହାଣୀର ଶବ୍ଦକୋଷ (ଇଂରାଜୀ) ବହି ଅନୁସାରେ ଇଷ୍ଟ୍ରକୁ ପ୍ରଜନନ ଦେବୀ ବୋଲି ମନେ କରାଯାଉଥିଲା । ଇଷ୍ଟର ପର୍ବର କିଛି ରୀତିନୀତି ଏହା ସହିତ ଜଡ଼ିତ । ଉଦାହରଣ ପାଇଁ, ଇଷ୍ଟରରେ ଅଣ୍ଡାର ବ୍ୟବହାର । ଏହା କାହିଁକି ବ୍ୟବହାର କରାଯାଏ ତାʼର କାରଣ ଇଂରାଜୀ ଜ୍ଞାନକୋଷ, ବ୍ରିଟାନିକା କହେ, ‘ଅଣ୍ଡା ନୂଆ ଜୀବନ ଓ ମରିଯାଇଥିବା ଲୋକଙ୍କ ପୁଣି ଜୀବିତ ହେବାର ପ୍ରତୀକ ବୋଲି ମନେ କରାଯାଏ ।’ ଠିକ୍‌ ସେହିପରି, ଠେକୁଆକୁ ମଧ୍ୟ ପ୍ରାଚୀନ ସମୟରୁ ହିଁ ପ୍ରଜନନ କ୍ଷମତାର ପ୍ରତୀକ ବୋଲି ମନେ କରାଯାଏ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଇଷ୍ଟର ପର୍ବର ଯୀଶୁଙ୍କ ପୁଣି ଜୀବିତ ହେବା ସହ କୌଣସି ସମ୍ପର୍କ ନାହିଁ ।

୧୪ ଯେତେବେଳେ ଯିହୋବା ଦେଖନ୍ତି ଯେ ଲୋକେ ତାହାଙ୍କ ପୁତ୍ରଙ୍କ ପୁଣି ଜୀବିତ ହେବା ଖୁସିରେ ମିଥ୍ୟା ଧର୍ମର ରୀତିନୀତି ପାଳନ କରନ୍ତି, ସେତେବେଳେ କʼଣ ସେ ଖୁସି ହେଉଥିବେ ? ବିଲକୁଲ୍‌ ନୁହେଁ । (୨ କରିନ୍ଥୀୟ ୬:୧୭, ୧୮) ଯିହୋବା ଆମକୁ କେବେ ବି ଯୀଶୁଙ୍କ ପୁଣି ଜୀବିତ ହେବା ଖୁସିରେ ପର୍ବ ପାଳନ କରିବା ପାଇଁ କହି ନାହାନ୍ତି ।

ନୂଆ ବର୍ଷ ପାଳନ

୧୫. ନୂଆ ବର୍ଷ ପାଳନ କରିବା କିପରି ଆରମ୍ଭ ହେଲା ?

୧୫ ନୂଆ ବର୍ଷ ପାଳନ କରିବା କିପରି ଆରମ୍ଭ ହେଲା ? ଦି ୱାଲ୍‌ଡ ବୁକ ଅଫ ଏନସାଇକ୍ଲୋପିଡିଆ ଅନୁସାରେ “ଖ୍ରୀଷ୍ଟ ପୂର୍ବ ୪୬ ରେ ରୋମର ସମ୍ରାଟ ଜୁଲିୟସ ସିଜର ନୂଆ ବର୍ଷ ପାଳନ କରିବା ପାଇଁ ଜାନୁୟାରୀ ମାସ ୧ ତାରିଖକୁ ବାଛିଥିଲେ । ରୋମର ଲୋକମାନେ ଏହି ଦିନକୁ ଜେନସ ଦେବତାର ନାମରେ ସମର୍ପିତ କରିଥିଲେ । ଯିଏ ଫାଟକ, ଦ୍ୱାର, କବାଟ ଓ ଆରମ୍ଭର ଦେବତା ଥିଲା । ଜେନସରୁ ହିଁ ଜାନୁୟାରୀ ମାସର ନାମ ଆସିଛି । ଏହି ଦେବତାର ଦୁଇଟି ମୁହଁ ଥିଲା, ଗୋଟିଏ ଆଗ ପଟେ ଓ ଅନ୍ୟଟି ପଛ ପଟେ ।” ଅଧିକାଂଶ ଲୋକେ ନୂଆ ବର୍ଷ ଏହି ତାରିଖରେ ପାଳନ କରନ୍ତି । କିନ୍ତୁ କିଛି ଦେଶରେ ନୂଆ ବର୍ଷ ଅନ୍ୟ ଅନ୍ୟ ତାରିଖରେ ପାଳନ କରାଯାଏ । ଅନେକ ଜାଗାରେ ଲୋକେ ଏହି ଦିନରେ ଅତ୍ୟଧିକ ମଦ ପିଇ ମଉଜମଜଲିସ କରନ୍ତି । କିନ୍ତୁ ରୋମୀୟ ୧୩:୧୩ ପଦରେ ପରାମର୍ଶ ଦିଆଯାଇଛି ଯେ “ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ ।”

ଈଶ୍ୱରଙ୍କୁ ଖୁସି କରୁଥିବା ବିବାହ

୧୬, ୧୭. ବିବାହ ପାଇଁ ପ୍ରସ୍ତୁତି କରିବା ସମୟରେ ଆମେ କʼଣ ଧ୍ୟାନରେ ରଖିବା ଉଚିତ୍‌ ?

୧୬ ବିବାହ ଦିନ ଖୁସିର ଦିନ ଅଟେ । ସାରା ଦୁନିଆରେ ଲୋକେ ଅନ୍ୟ ଅନ୍ୟ ଉପାୟରେ ବିବାହ ଉତ୍ସବ ପାଳନ କରନ୍ତି । ଅନେକ ଲୋକ ଭାବନ୍ତି ନାହିଁ ଯେ ବିବାହର ରୀତିନୀତିଗୁଡ଼ିକର ଆରମ୍ଭ କେଉଁଠାରୁ ହୋଇଛି । କିନ୍ତୁ ଦେଖିବାକୁ ଗଲେ ଅନେକ ରୀତିନୀତି ମିଥ୍ୟା ଧର୍ମରୁ ଆସିଛି । ତେଣୁ ଯେଉଁ ଖ୍ରୀଷ୍ଟିୟାନମାନେ ନିଜ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କୁ ଧ୍ୟାନରେ ରଖିବା ଉଚିତ୍‌ ଯେ ସେମାନଙ୍କ ବିବାହ ଏପରି ହେବା କଥା ଯେଉଁଥିରୁ ଯିହୋବା ଖୁସି ହେବେ । ଯଦି ସେମାନେ ଜାଣିବେ ଯେ ବିବାହର ରୀତିନୀତିଗୁଡ଼ିକ କେଉଁଠାରୁ ଆରମ୍ଭ ହୋଇଛି, ତେବେ ସେମାନେ ସଠିକ୍‌ ନିଷ୍ପତ୍ତି ନେଇପାରିବେ ।—ମାର୍କ ୧୦:୬-୯.

୧୭ ବିବାହର କିଛି ରୀତିନୀତି ବିଷୟରେ ଲୋକେ ଭାବନ୍ତି ଯେ ତାହା ପାଳନ କଲେ ବରବଧୂର “ଭାଗ୍ୟ” ଭଲ ହୋଇଥାଏ । (ଯିଶାଇୟ ୬୫:୧୧) ଉଦାହରଣ ପାଇଁ, କିଛି ଜାଗାରେ ବରବଧୂ ଉପରେ ଚାଉଳ କିମ୍ବା ଫୁଲ ପକାଯାଏ । ସେମାନେ କହନ୍ତି ଯେ ଏପରି କଲେ ବରବଧୂର ଛୁଆପିଲା ହେବ, ସେମାନେ ସୁଖରେ ରହିବେ ଓ ବେଶୀ ଦିନ ଯାଏଁ ବଞ୍ଚିବେ ଏବଂ ତାହା ସେମାନଙ୍କୁ ଭୂତପ୍ରେତରୁ ରକ୍ଷା ମଧ୍ୟ କରିବ । କିନ୍ତୁ ଖ୍ରୀଷ୍ଟିୟାନମାନେ ଏପରି ରୀତିନୀତିଗୁଡ଼ିକୁ ପାଳନ କରନ୍ତି ନାହିଁ, ଯାହା ମିଥ୍ୟା ଧର୍ମରୁ ଆସିଥାଏ ।—୨ କରିନ୍ଥୀୟ ୬:୧୪-୧୮ ପଢ଼ନ୍ତୁ ।

୧୮. ବିବାହ ପାଇଁ ବ୍ୟବସ୍ଥା କରିବା ସମୟରେ ଜଣେ ଖ୍ରୀଷ୍ଟିୟାନକୁ ବାଇବଲର ଆଉ କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ ?

୧୮ ଯେଉଁ ଖ୍ରୀଷ୍ଟିୟାନମାନେ ନିଜ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କୁ ଧ୍ୟାନରେ ରଖିବା ଉଚିତ୍‌ ଯେ ବିବାହରେ ଆସିଥିବା ସମସ୍ତ ବ୍ୟକ୍ତି ବିବାହର ଆନନ୍ଦ ନିଅନ୍ତୁ ଏବଂ ବିବାହର ମର୍ଯ୍ୟାଦା ରହୁ । ଯଦି ଅତିଥିମାନଙ୍କୁ ମଞ୍ଚ ଉପରେ ଆସି କିଛି କହିବା ପାଇଁ ସୁଯୋଗ ଦିଆଯାଏ, ତେବେ ସେମାନେ ଏପରି କଥା କହିବା ଉଚିତ୍‌ ନୁହେଁ, ଯାହାଦ୍ୱାରା ଅନ୍ୟମାନଙ୍କୁ ଖରାପ ଲାଗିବ କିମ୍ବା ବରବଧୂ ଓ ଅନ୍ୟ କାହାରିକୁ ଲଜ୍ଜା ଅନୁଭବ ହେବ । ଏପରିକି ଅଶ୍ଳିଳ କଥା ମଧ୍ୟ କହିବା ଉଚିତ୍‌ ନୁହେଁ । (ହିତୋପଦେଶ ୨୬:୧୮, ୧୯; ଲୂକ ୬:୩୧; ୧୦:୨୭) ଖ୍ରୀଷ୍ଟିୟାନମାନେ ନିଜ ଜିନିଷପତ୍ରର ଦେଖାଣିଆ କରିବା ଉଚିତ୍‌ ନୁହେଁ । (୧ ଯୋହନ ୨:୧୬) ଯଦି ଆପଣ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏପରି ବ୍ୟବସ୍ଥା କରନ୍ତୁ, ଯାହାଦ୍ୱାରା ଆପଣଙ୍କ ବିବାହ ଆପଣଙ୍କ ପାଇଁ ସ୍ମରଣୀୟ ଦିନ ହେବ ।—ଅଧିକ ବିବରଣୀ-୨୮ ଦେଖନ୍ତୁ ।

ମୃତ୍ୟୁ ସହ ଜଡ଼ିତ ରୀତିନୀତି

୧୯, ୨୦. ସତ୍ୟ ଖ୍ରୀଷ୍ଟିୟାନମାନେ ମୃତ ଲୋକମାନଙ୍କ ସହ ଜଡ଼ିତ ରୀତିନୀତିଗୁଡ଼ିକୁ କାହିଁକି ପାଳନ କରନ୍ତି ନାହିଁ ?

୧୯ ସତ୍ୟ ଖ୍ରୀଷ୍ଟିୟାନମାନେ ମୃତ ବ୍ୟକ୍ତି ସହ ଜଡ଼ିତ କୌଣସି ରୀତିନୀତିକୁ ପାଳନ କରନ୍ତି ନାହିଁ । ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୁଏ, ସେତେବେଳେ ଶୋକରେ ଯାଇଥିବା ଲୋକମାନେ ସେଠାରେ ରହନ୍ତି ଓ ରାତି ସାରା ଶୋଇ ନ ଥାʼନ୍ତି । ସେମାନେ ମୃତ ବ୍ୟକ୍ତି ପାଇଁ ଖାଦ୍ୟ ରଖନ୍ତି, ଦର୍ପଣ କିମ୍ବା ଫଟୋଗୁଡ଼ିକୁ ଢାଙ୍କି ଦିଅନ୍ତି ଏବଂ ବିଧବା ହେବାର ରୀତିନୀତିଗୁଡ଼ିକୁ ମଧ୍ୟ ପାଳନ କରନ୍ତି । କବର ଦେବା ସମୟରେ, ମୃତ ବ୍ୟକ୍ତିର ସମ୍ପର୍କୀୟମାନେ ମୁଠାଏ ମାଟି କିମ୍ବା ଫୁଲ ନେଇ ଖୋଳା ଯାଇଥିବା ସ୍ଥାନରେ ପକାନ୍ତି ।

୨୦ ମୃତ୍ୟୁ ସହ ଜଡ଼ିତ ଅନ୍ୟ ରୀତିନୀତିଗୁଡ଼ିକୁ କିଛି ଦିନ, ମାସ କିମ୍ବା ବର୍ଷ ପରେ ପାଳନ କରାଯାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ମୃତ ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରିଥାଏ କିମ୍ବା କ୍ଷତି ପହଞ୍ଚାଇଥାଏ । ତେଣୁ ସେମାନେ ଏହି ରୀତିନୀତିଗୁଡ଼ିକୁ ପାଳନ କରନ୍ତି । କିନ୍ତୁ ବାଇବଲ ଶିଖାଏ ଯେ “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” ତେଣୁ ଯେଉଁମାନେ ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହିବା ପାଇଁ ଚାହାନ୍ତି, ସେମାନେ ଏପରି କୌଣସି ରୀତିନୀତିରେ ଭାଗ ନିଅନ୍ତି ନାହିଁ, ଯାହା ମୃତ ଲୋକମାନଙ୍କ ଉପାସନା ସହ ଜଡ଼ିତ ।—ଉପଦେଶକ ୯:୫, ୧୦.

‘ଯିହୋବାଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର’

୨୧. ଖ୍ରୀଷ୍ଟିୟାନମାନଙ୍କୁ ଆଉ କେଉଁ କେଉଁ ପର୍ବପର୍ବାଣୀ ପାଳନ କରିବା ଉଚିତ୍‌ ନୁହେଁ ?

୨୧ ଯେତେବେଳେ ଆପଣ ନିଷ୍ପତ୍ତି ନିଅନ୍ତି ଯେ କୌଣସି ପର୍ବପର୍ବାଣୀ କିମ୍ବା ଉତ୍ସବ ପାଳନ କରିବେ ନା ନାହିଁ, ସେତେବେଳେ ଧ୍ୟାନ ଦିଅନ୍ତୁ ଯେ ତାହା କିପରି ଚିନ୍ତାଧାରା ଓ ବ୍ୟବହାରକୁ ପ୍ରୋତ୍ସାହନ ଦିଏ । ଉଦାହରଣ ପାଇଁ, କିଛି ପର୍ବପର୍ବାଣୀ ଓ କାର୍ଣ୍ଣିଭାଲ ଉତ୍ସବରେ ଅଶ୍ଳିଳ ନାଚଗୀତ କରାଯାଏ, ଲୋକେ ଅତ୍ୟଧିକ ମଦ ପିଅନ୍ତି ଏବଂ ଅନୈତିକ ଯୌନ ସମ୍ପର୍କ ମଧ୍ୟ ରଖନ୍ତି । କିଛି ପର୍ବପର୍ବାଣୀଗୁଡ଼ିକରେ ସମାନ ଲିଙ୍ଗର ବ୍ୟକ୍ତି ସହ ସମ୍ପର୍କ ରଖିବା ଭଳି ଜୀବନଶୈଳୀ କିମ୍ବା ଦେଶ ଭକ୍ତିକୁ ପ୍ରୋତ୍ସାହନ ଦିଆଯାଏ । ଯଦି ଆମେ ଏପରି ପର୍ବପର୍ବାଣୀ ପାଳନ କରିବା, ତେବେ କʼଣ ଆମେ ଦେଖାଇପାରିବା ଯେ ଯିହୋବା ଯାହା ଘୃଣା କରନ୍ତି, ତାହା ଆମେ ମଧ୍ୟ ଘୃଣା କରୁ ?—ଗୀତସଂହିତା ୧:୧, ୨; ୯୭:୧୦; ୧୧୯:୩୭.

୨୨. ଜଣେ ଖ୍ରୀଷ୍ଟିୟାନ କିପରି ନିଷ୍ପତ୍ତି ନେଇପାରିବ ଯେ ସେ କୌଣସି ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ ପାଳନ କରିବ ନା ନାହିଁ ?

୨୨ ଖ୍ରୀଷ୍ଟିୟାନମାନେ ଏପରି କୌଣସି ପର୍ବପର୍ବାଣୀ କିମ୍ବା ଉତ୍ସବ ପାଳନ କରିବା ଉଚିତ୍‌ ନୁହେଁ, ଯାହାଦ୍ୱାରା ଯିହୋବାଙ୍କ ଅପମାନ ହୁଏ । ପ୍ରେରିତ ପାଉଲ ଲେଖିଲେ, “ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।” (୧ କରିନ୍ଥୀୟ ୧୦:୩୧; ଅଧିକ ବିବରଣୀ-୨୯ ଦେଖନ୍ତୁ ।) ଏହା ସତ ଯେ ସବୁ ପର୍ବପର୍ବାଣୀର ସମ୍ପର୍କ ଅନୈତିକ, ମିଥ୍ୟା ଧର୍ମ କିମ୍ବା ଦେଶ ଭକ୍ତି ସହ ନ ଥାଏ । ହୁଏତ ଏସବୁ ବାଇବଲ ସିଦ୍ଧାନ୍ତ ବିରୁଦ୍ଧରେ ମଧ୍ୟ ନ ଥିବ । କିନ୍ତୁ ଏଗୁଡ଼ିକୁ ଆମେ ପାଳନ କରିବା ନା ନାହିଁ, ଏହାର ନିଷ୍ପତ୍ତି ଆମକୁ ନିଜେ ନେବାକୁ ପଡ଼ିବ । ଆମେ ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍‌ ଯେ ଯଦି ଆମେ ଏଗୁଡ଼ିକୁ ପାଳନ କରିବା, ତେବେ ଅନ୍ୟମାନଙ୍କ ଉପରେ ଏହାର କିପରି ପ୍ରଭାବ ପଡ଼ିବ ।

ନିଜ କଥାବାର୍ତ୍ତା ଓ କାମରୁ ଯିହୋବାଙ୍କ ମହିମା କରନ୍ତୁ

୨୩, ୨୪. ଆମେ ନିଜ ସମ୍ପର୍କୀୟମାନଙ୍କୁ କିପରି ବୁଝାଇପାରିବା ଯେ ଆମେ କୌଣସି ନିର୍ଦ୍ଦିଷ୍ଟ ପର୍ବପର୍ବାଣୀକୁ ପାଳନ କରିବା କାହିଁକି ଛାଡ଼ିଦେଲୁ ?

୨୩ ହୁଏତ ଆପଣ ଏପରି ପର୍ବପର୍ବାଣୀ ପାଳନ କରିବା ଛାଡ଼ି ଦେଇଛନ୍ତି, ଯାହାଦ୍ୱାରା ଯିହୋବାଙ୍କ ଅପମାନ ହୁଏ । କିନ୍ତୁ ହୁଏତ ଏସବୁ ଦେଖି ଆପଣଙ୍କ ସମ୍ପର୍କୀୟମାନଙ୍କୁ ଭଲ ଲାଗି ନ ପାରେ, ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନୁହନ୍ତି । ସେମାନେ ଭାବନ୍ତି ଯେ ଏଗୁଡ଼ିକୁ ପାଳନ କରିବା ଦ୍ୱାରା ସେମାନଙ୍କୁ ନିଜ ପରିବାର ସଦସ୍ୟମାନଙ୍କ ସହିତ ସମୟ ବିତାଇବା ପାଇଁ ଭଲ ସୁଯୋଗ ମିଳିଥାଏ । ତେଣୁ ସେମାନେ ଭାବିପାରନ୍ତି ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି ନାହିଁ କିମ୍ବା ସେମାନଙ୍କ ସହ ସମୟ ବିତାଇବା ପାଇଁ ଚାହାନ୍ତି ନାହିଁ । ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣ ଭିନ୍ନ ଭିନ୍ନ ଉପାୟରେ ଦେଖାଇପାରିବେ ଯେ ଆପଣ ସେମାନଙ୍କୁ ଏବେ ମଧ୍ୟ ବହୁତ ପ୍ରେମ କରନ୍ତି । (ହିତୋପଦେଶ ୧୧:୨୫; ଉପଦେଶକ ୩:୧୨, ୧୩) ଆପଣ ଅନ୍ୟ କୌଣସି ସୁଯୋଗରେ ସେମାନଙ୍କୁ ଖାଇବା ପାଇଁ ଡାକିପାରିବେ ।

୨୪ ଯଦି ଆପଣଙ୍କ ସମ୍ପର୍କୀୟମାନେ ଜାଣିବା ପାଇଁ ଚାହାନ୍ତି ଯେ ଆପଣ କାହିଁକି କିଛି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ, ତେବେ ସେମାନଙ୍କୁ ଭଲଭାବେ ଉତ୍ତର ଦେବା ପାଇଁ ଆପଣ ଆମ ପ୍ରକାଶନଗୁଡ଼ିକରେ କିମ୍ବା jw.org ୱେବସାଇଟ୍‌ରେ ଅନୁସନ୍ଧାନ କରିପାରିବେ । କିନ୍ତୁ ଆପଣ ଯୁକ୍ତିତର୍କ କରିବା କିମ୍ବା ସେମାନଙ୍କ ଚିନ୍ତାଧାରାକୁ ଭୁଲ ପ୍ରମାଣିତ କଲା ଭଳି କଥାବାର୍ତ୍ତା କରନ୍ତୁ ନାହିଁ । ସେମାନଙ୍କୁ ପ୍ରେମର ସହ ବୁଝାନ୍ତୁ ଯେ ଆପଣ ଅନେକ ପ୍ରମାଣଗୁଡ଼ିକ ଯାଞ୍ଚ କଲାପରେ ହିଁ ନିଷ୍ପତ୍ତି ନେଇଛନ୍ତି ଯେ ଆପଣ ସେହି ପର୍ବପର୍ବାଣୀ ପାଳନ କରିବେ ନାହିଁ ଏବଂ ଏହା ଆପଣଙ୍କ ନିଜ ନିଷ୍ପତ୍ତି ଅଟେ । ସେମାନଙ୍କ ସହ ଶାନ୍ତ ଭାବରେ କଥା ହୁଅନ୍ତୁ । ଆପଣଙ୍କ “ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ୱାଦଯୁକ୍ତ ହେଉ ।”—କଲସୀୟ ୪:୬.

୨୫, ୨୬. ଆମେ ନିଜ ପିଲାମାନଙ୍କୁ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ କାହିଁକି ବୁଝାଇବା ଉଚିତ୍‌ ?

୨୫ ଆମ ପ୍ରତ୍ୟେକଙ୍କୁ ଜଣାହେବା ଉଚିତ୍‌ ଯେ କୌଣସି ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କିମ୍ବା ଉତ୍ସବ ଆମେ କାହିଁକି ପାଳନ କରି ନ ଥାଉ । (ଏବ୍ରୀ ୫:୧୪) ଏହାର ମୁଖ୍ୟ କାରଣ ହେଉଛି ଯେ ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ । ଆମେ ନିଜ ପିଲାମାନଙ୍କୁ ମଧ୍ୟ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ବୁଝାଇବା ଉଚିତ୍‌, ଯାହାଫଳରେ ସେମାନେ ଏହି ସିଦ୍ଧାନ୍ତଗୁଡ଼ିକୁ ପାଳନ କରି ଖୁସି ପାଇପାରିବେ । ଏପରି କରିବା ଦ୍ୱାରା ଯିହୋବାଙ୍କ ଉପରେ ସେମାନଙ୍କ ବିଶ୍ୱାସ ବଢ଼ିବ ଏବଂ ସେମାନେ ମଧ୍ୟ ତାହାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବେ ।—ଯିଶାଇୟ ୪୮:୧୭, ୧୮; ୧ ପିତର ୩:୧୫.

୨୬ ଯେତେବେଳେ ଆମେ ଶୁଦ୍ଧ ଓ ସଚ୍ଚୋଟ ମନରୁ ଯିହୋବାଙ୍କ ଉପାସନା କରିବା ପାଇଁ ଚେଷ୍ଟା କରୁ, ସେ ତାହା ଦେଖି ବହୁତ ଖୁସି ହୁଅନ୍ତି । (ଯୋହନ ୪:୨୩) କିନ୍ତୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁନିଆରେ ଜଣେ ବ୍ୟକ୍ତି ପ୍ରକୃତରେ ସଚ୍ଚୋଟ ହୋଇପାରିବ ନାହିଁ, ଯେଉଁଠି ସଚ୍ଚୋଟପଣିଆର ଚିହ୍ନବର୍ଣ୍ଣ ଦିଶେ ନାହିଁ । କʼଣ ଏହା ସତ ? ଏବିଷୟରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା ।

a ଆପଣ କୌଣସି ନିର୍ଦ୍ଦିଷ୍ଟ ପର୍ବ ବିଷୟରେ ଅଧିକ ତଥ୍ୟ ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ ଓ jw.org ୱେବସାଇଟ୍‌ରୁ ପାଇପାରିବେ ।