इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୦

ବିବାହ—ଈଶ୍ୱରଙ୍କ ତରଫରୁ ଏକ ଉପହାର

ବିବାହ—ଈଶ୍ୱରଙ୍କ ତରଫରୁ ଏକ ଉପହାର

“ତ୍ରିଗୁଣ ରଜ୍ଜୁ [ସୂତା] ଶୀଘ୍ର ଛିଣ୍ଡି ଯାଏ ନାହିଁ ।”—ଉପଦେଶକ ୪:୧୨.

୧, ୨. (କ) ବୈବାହିକ ଜୀବନ ବିଷୟରେ ଲୋକମାନଙ୍କର କʼଣ କʼଣ ଆଶା ଥାଏ ? (ଖ) ଏହି ଅଧ୍ୟାୟରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?

 ବିବାହର ଦିନ ବରବଧୂଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥାଏ । ସେମାନେ ଦୁହେଁ ଉତ୍ତମ ଭବିଷ୍ୟତ ପାଇଁ ଆଶା କରନ୍ତି ଏବଂ ପରସ୍ପର ସହ ନିଜ ସାରା ଜୀବନ କଟାଇବା ପାଇଁ ଚାହାନ୍ତି । ଅନେକ ଆଶା ବାନ୍ଧି ସେମାନେ ନୂଆ ଜୀବନର ପ୍ରଥମ ପାହାଚରେ ପାଦ ଦିଅନ୍ତି ।

ଅଧିକାଂଶ ଲୋକଙ୍କ ବୈବାହିକ ଜୀବନ ଆରମ୍ଭରେ ବହୁତ ଭଲ ହୋଇଥାଏ । କିନ୍ତୁ କିଛି ସମୟ ପରେ ତାଙ୍କୁ ଏହି ଜୀବନ ବହୁତ କଷ୍ଟକର ଲାଗେ । ତେଣୁ ଯଦି ପତିପତ୍ନୀ ପରସ୍ପର ସହ ସାରା ଜୀବନ କଟାଇବା ପାଇଁ ଏବଂ ଖୁସିରେ ରହିବା ପାଇଁ ଚାହାନ୍ତି, ତାହେଲେ ସେମାନଙ୍କୁ ଈଶ୍ୱରଙ୍କ ପରାମର୍ଶ ପାଳନ କରିବାକୁ ହେବ । ଆସନ୍ତୁ ଦେଖିବା ଯେ ବାଇବଲ ବିବାହ ଜଡ଼ିତ କିଛି ପ୍ରଶ୍ନଗୁଡ଼ିକର କʼଣ ଉତ୍ତର ଦିଏ । ଯେପରି ବିବାହର କିଛି ଲାଭଗୁଡ଼ିକ କʼଣ ? ଯଦି ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏକ ଭଲ ଜୀବନସାଥୀ କିପରି ବାଛିପାରିବେ ? ଆପଣ ନିଜେ ଏକ ଭଲ ଜୀବନସାଥୀ କିପରି ହୋଇପାରିବେ ? ଆପଣ ଦୁହେଁ ମିଶି ବିବାହର ବନ୍ଧନକୁ କିପରି ମଜବୁତ୍‌ କରିପାରିବେ ?ହିତୋପଦେଶ ୩:୫, ୬ ପଢ଼ନ୍ତୁ ।

କʼଣ ମୁଁ ବିବାହ କରିବି ?

୩. ଖୁସିରେ ରହିବା ପାଇଁ କʼଣ ବିବାହ କରିବା ଜରୁରୀ ? ବୁଝାନ୍ତୁ ।

କିଛି ଲୋକ ଭାବନ୍ତି ଯେ ଖୁସିରେ ରହିବା ପାଇଁ ବିବାହ କରିବା ବହୁତ ଜରୁରୀ । କିନ୍ତୁ ଏହା ସତ ନୁହେଁ । ଯୀଶୁ କହିଥିଲେ ଯେ ଅବିବାହିତ ରହିବା ଈଶ୍ୱରଙ୍କ ତରଫରୁ ମିଳିଥିବା ଏକ ଉପହାର ଭଳି । (ମାଥିଉ ୧୯:୧୧, ୧୨) ଜଣେ ବ୍ୟକ୍ତି ବିବାହ ନ କରି ମଧ୍ୟ ଖୁସିରେ ରହିପାରିବ । ଅବିବାହିତ ରହିଲେ କʼଣ କʼଣ ଲାଭ ହୁଏ, ସେବିଷୟରେ ପ୍ରେରିତ ପାଉଲ କହିଲେ । (୧ କରିନ୍ଥୀୟ ୭:୩୨-୩୫) ଆପଣଙ୍କୁ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ଯେ ଆପଣ ବିବାହ କରିବେ ନା ନାହିଁ । ଆପଣଙ୍କ ସଂସ୍କୃତିରେ ବିବାହକୁ ଜରୁରୀ ବୋଲି ମନେ କରାଯାଉ ଥିବାରୁ କିମ୍ବା ସାଙ୍ଗସାଥୀ ଓ ପରିବାରର ସଦସ୍ୟମାନେ ଆପଣଙ୍କ ଉପରେ ଚାପ ପକାଉ ଥିବାରୁ, ଆପଣଙ୍କୁ ବିବାହ କରିବା ଉଚିତ୍‌ ନୁହେଁ ।

୪. ପତିପତ୍ନୀଙ୍କ ସମ୍ପର୍କ ମଜବୁତ୍‌ ରହିଲେ କʼଣ ଲାଭ ହୋଇଥାଏ ?

ବାଇବଲ କହେ ଯେ ବିବାହ ବନ୍ଧନ ମଧ୍ୟ ଈଶ୍ୱରଙ୍କ ତରଫରୁ ମିଳିଥିବା ଏକ ଉପହାର ଭଳି ଏବଂ ଏହାର କିଛି ଲାଭ ମଧ୍ୟ ରହିଛି । ଯିହୋବା ଆଦମ ବିଷୟରେ କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା ।” (ଆଦି ପୁସ୍ତକ ୨:୧୮) ଈଶ୍ୱର ହବାକୁ ଆଦମର ଜୀବନସାଥୀ ହେବା ପାଇଁ ସୃଷ୍ଟି କରିଥିଲେ । ଏପରି ଭାବେ ମନୁଷ୍ୟ ପରିବାରର ଆରମ୍ଭ ହେଲା । ଯଦି ଗୋଟିଏ ପରିବାରରେ ପିଲାମାନେ ଅଛନ୍ତି, ତାହେଲେ ପରିବାରର ପରିବେଶ ଏପରି ହେବା ଉଚିତ୍‌ ଯେଉଁଠାରେ ପିଲାମାନଙ୍କର ଭଲଭାବେ ଲାଳନପାଳନ ହେବ । ଏଥିପାଇଁ ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ହେବା ଉଚିତ୍‌ । କିନ୍ତୁ ବିବାହ କରିବାର ଉଦ୍ଦେଶ୍ୟ କେବଳ ସନ୍ତାନ ଜନ୍ମ କରିବା ନୁହେଁ ।—ଗୀତସଂହିତା ୧୨୭:୩; ଏଫିସୀୟ ୬:୧-୪.

୫, ୬. ବିବାହର ବନ୍ଧନ କିପରି “ତ୍ରିଗୁଣ ରଜ୍ଜୁ” ଭଳି ହୋଇପାରେ ?

ରାଜା ଶଲୋମନ ଲେଖିଲେ, “ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି । ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକି ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର । . . . ତ୍ରିଗୁଣ ରଜ୍ଜୁ [ସୂତା] ଶୀଘ୍ର ଛିଣ୍ଡି ଯାଏ ନାହିଁ ।”—ଉପଦେଶକ ୪:୯-୧୨.

ଯଦି ପତିପତ୍ନୀଙ୍କ ସମ୍ପର୍କ ଭଲ ଥାଏ, ତାହେଲେ ସେମାନେ ଦୁହେଁ ଭଲ ମିତ୍ର ମଧ୍ୟ ହୋଇଥାʼନ୍ତି । ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି, ପରସ୍ପରର ସାହସ ବଢ଼ାନ୍ତି ଓ ରକ୍ଷା କରନ୍ତି । ପ୍ରେମ ବିବାହର ବନ୍ଧନକୁ ମଜବୁତ୍‌ କରିଥାଏ ଏବଂ ଯେଉଁ ପତିପତ୍ନୀ ଯିହୋବାଙ୍କ ଉପାସନା କରନ୍ତି, ସେମାନଙ୍କ ବନ୍ଧନ ଆହୁରି ମଜବୁତ୍‌ ହୋଇଥାଏ । ସେମାନଙ୍କ ବନ୍ଧନ “ତ୍ରିଗୁଣ ରଜ୍ଜୁ” ଅର୍ଥାତ୍‌ ତିନୋଟି ସୂତାରୁ ତିଆରି ରଶି ଭଳି ଅତୁଟ ହୋଇଥାଏ । ଏପରି ରଶି ଦୁଇଟି ସୂତାରୁ ତିଆରି ହୋଇଥିବା ରଶିଠାରୁ ଅଧିକ ମଜବୁତ୍‌ ହୋଇଥାଏ । ଯେତେବେଳେ ଯିହୋବା ସେମାନଙ୍କ ବନ୍ଧନର ଏକ ଭାଗ ହୁଅନ୍ତି ଅର୍ଥାତ୍‌ ତୃତୀୟ ସୂତା ହୁଅନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହୁଏ ।

୭, ୮. ବିବାହ ବିଷୟରେ ପାଉଲ କʼଣ ପରାମର୍ଶ ଦେଲେ ?

ଯେତେବେଳେ ଜଣେ ପୁଅଝିଅ ବିବାହ କରନ୍ତି, ସେତେବେଳେ ସେମାନେ ପରସ୍ପରର ଯୌନ ଇଚ୍ଛାଗୁଡ଼ିକୁ ପୂରଣ କରି ଖୁସି ପାଇପାରିବେ । (ହିତୋପଦେଶ ୫:୧୮) କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ ଏହି ଉଦ୍ଦେଶ୍ୟରେ ବିବାହ କରିବାକୁ ଚାହେଁ, ତେବେ ହୁଏତ ସେ ଜୀବନସାଥୀ ବାଛିବା ମାମଲାରେ ଭୁଲ ନିଷ୍ପତ୍ତି ନେଇପାରେ । ପାଉଲ ପରାମର୍ଶ ଦେଇଥିଲେ ଯେ ଜଣେ ବ୍ୟକ୍ତିକୁ “ଯୌବନ ଅବସ୍ଥାର ଆରମ୍ଭ ସମୟ” ପାର କରିବା ପରେ ହିଁ ବିବାହ ବିଷୟରେ ଭାବିବା ଉଚିତ୍‌, କାରଣ ଏହି ସମୟରେ ଯୌନ ଇଚ୍ଛାଗୁଡ଼ିକ ବହୁତ ପ୍ରବଳ ହୋଇଥାଏ । (୧ କରିନ୍ଥୀୟ ୭:୩୬, NW ) ତେଣୁ ଯେପର୍ଯ୍ୟନ୍ତ ସେ ନିଜ ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଶିଖେ ନାହିଁ, ସେପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବା ଉଚିତ୍‌ । ଏପରି କଲେ ସେ ବୁଝିବିଚାରି ସଠିକ୍‌ ନିଷ୍ପତ୍ତି ନେଇପାରିବ ।—୧ କରିନ୍ଥୀୟ ୭:୯; ଯାକୁବ ୧:୧୫.

ଯଦି ଆପଣ ବିବାହ କରିବା ପାଇଁ ଭାବୁଛନ୍ତି, ତେବେ ଭାବନ୍ତୁ ନାହିଁ ଯେ କେବେ ସମସ୍ୟା ଆସିବ ନାହିଁ । ପାଉଲ କହିଥିଲେ ଯେ ଯେଉଁମାନେ ବିବାହ କରନ୍ତି ସେମାନଙ୍କୁ “ଶରୀରରେ କ୍ଳେଶ” ଭୋଗିବାକୁ ପଡ଼େ । (୧ କରିନ୍ଥୀୟ ୭:୨୮) ପତିପତ୍ନୀଙ୍କ ସମ୍ପର୍କ ଯେତେ ଦୃଢ଼ ହୋଇଥାଉ ନା କାହିଁକି, ସେମାନଙ୍କୁ ସମସ୍ୟାର ସାମନା କରିବାକୁ ପଡ଼ିଥାଏ । ତେଣୁ ଆପଣଙ୍କୁ ବୁଝିବିଚାରି ଜୀବନସାଥୀ ବାଛିବା ଉଚିତ୍‌ ।

ଭଲ ଜୀବନସାଥୀ କିପରି ବାଛିପାରିବା ?

୯, ୧୦. ଯେଉଁ ବ୍ୟକ୍ତି ଯିହୋବାଙ୍କର ଉପାସନା କରେ ନାହିଁ, ତାଙ୍କ ସହ ବିବାହ କଲେ କʼଣ ହୋଇପାରେ ?

ଜୀବନସାଥୀ ବାଛିବା ମାମଲାରେ ବାଇବଲର ଗୋଟିଏ ସିଦ୍ଧାନ୍ତ ଆମକୁ ସାହାଯ୍ୟ କରିପାରେ । ସେହି ସିଦ୍ଧାନ୍ତଟି ହେଉଛି, “ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ ।” (୨ କରିନ୍ଥୀୟ ୬:୧୪) ଏହି ଉଦାହରଣ ଚାଷ କାମ ସହ ଜଡ଼ିତ । ଯଦି ଗୋଟିଏ ବଡ଼ କିମ୍ବା ଶକ୍ତିଶାଳୀ ପଶୁକୁ ଛୋଟ କିମ୍ବା ଦୁର୍ବଳ ପଶୁ ସହିତ ଯୋଚା ଯାଏ, ତେବେ ଦୁହିଁଙ୍କୁ କଷ୍ଟ ହେବ । ଠିକ୍‌ ସେହିପରି, ଯଦି ଯିହୋବାଙ୍କ ଜଣେ ସେବକ ଏପରି ଜୀବନସାଥୀ ବାଛେ ଯିଏ ଯିହୋବାଙ୍କ ଉପାସନା କରେ ନାହିଁ, ତେବେ ସେମାନଙ୍କ ମଧ୍ୟରେ ଅନେକ ସମସ୍ୟା ଆସିପାରେ । ତେଣୁ ବାଇବଲ ଆମକୁ “ପ୍ରଭୁଙ୍କଠାରେ ବିଶ୍ୱାସୀ” ଲୋକକୁ ବିବାହ କରିବା ପାଇଁ ପରାମର୍ଶ ଦିଏ ।—୧ କରିନ୍ଥୀୟ ୭:୩୯.

୧୦ କିଛି ଖ୍ରୀଷ୍ଟିୟାନମାନେ ଭାବନ୍ତି ଯେ ଏକୁଟିଆ ଜୀବନ ବିତାଇବାଠାରୁ ଭଲ ଆମେ କାହାରିକୁ ବି ବିବାହ କରିପାରିବା, ଏପରିକି ଯେଉଁମାନେ ଯିହୋବାଙ୍କ ଉପାସକ ନୁହନ୍ତି । କିନ୍ତୁ ବାଇବଲର ପରାମର୍ଶ ନ ମାନିଲେ ଅଧିକାଂଶ ସମୟରେ ଦୁଃଖ ସହିବାକୁ ପଡ଼େ । ଯିହୋବାଙ୍କ ଲୋକମାନଙ୍କ ଜୀବନର ଉଦ୍ଦେଶ୍ୟ ହେଉଛି, ତାହାଙ୍କ ସେବା କରିବା । ଭାବନ୍ତୁ ଯଦି ଆପଣଙ୍କ ଜୀବନର ଏହି ଉଦ୍ଦେଶ୍ୟରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସହଯୋଗ ନ କରେ, ତାହେଲେ ଆପଣଙ୍କୁ କିପରି ଲାଗିବ । ଅଧିକାଂଶ ଲୋକମାନେ ଏହା ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଅବିବାହିତ ରହିବେ, କିନ୍ତୁ ଏପରି ବ୍ୟକ୍ତି ସହ ବିବାହ କରିବେ ନାହିଁ ଯେଉଁମାନେ ଯିହୋବାଙ୍କ ଉପାସନା କରନ୍ତି ନାହିଁ ।ଗୀତସଂହିତା ୩୨:୮ ପଢ଼ନ୍ତୁ ।

୧୧. ଆପଣ ଭଲ ଜୀବନସାଥୀ କିପରି ବାଛିପାରିବେ ?

୧୧ ଏହାର ଅର୍ଥ ଏହା ନୁହେଁ ଯେ ଯିହୋବାଙ୍କ ସେବା କରୁଥିବା ଯେକୌଣସି ବ୍ୟକ୍ତି ଆପଣଙ୍କ ପାଇଁ ଭଲ ଜୀବନସାଥୀ ହୋଇପାରିବ । ଏପରି ଜୀବନସାଥୀ ବାଛନ୍ତୁ, ଯାହାକୁ ଆପଣ ପ୍ରକୃତରେ ପସନ୍ଦ କରନ୍ତି ଏବଂ ଯାହା ସହ ଆପଣଙ୍କ ଚିନ୍ତାଧାରା ମେଳ ଖାଏ । ଯେପର୍ଯ୍ୟନ୍ତ ଆପଣଙ୍କୁ ଏପରି ଜୀବନସାଥୀ ମିଳିନି, ଯାହାର ଲକ୍ଷ୍ୟ ଆପଣଙ୍କ ଭଳି ଏବଂ ଯିଏ ଯିହୋବାଙ୍କ ସେବାକୁ ସବୁଠାରୁ ଅଧିକ ମହତ୍ତ୍ୱ ଦିଏ, ସେପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ପ୍ରକାଶନଗୁଡ଼ିକରେ ବିବାହ ମାମଲାରେ ଯେଉଁ ବଢ଼ିଆ ପରାମର୍ଶଗୁଡ଼ିକ ଦେଇଛି, ସେଗୁଡ଼ିକୁ ପଢ଼ନ୍ତୁ ଏବଂ ସେଗୁଡ଼ିକ ଉପରେ ଚିନ୍ତନ କରନ୍ତୁ ।ଗୀତସଂହିତା ୧୧୯:୧୦୫ ପଢ଼ନ୍ତୁ ।

୧୨. ବାଇବଲ ସମୟରେ ଯେପରି ବିବାହ ହେଉଥିଲା, ସେଥିରୁ ଆମେ କʼଣ ଶିଖୁ ?

୧୨ କିଛି ଦେଶରେ ପିତାମାତା ନିଜ ପୁଅଝିଅଙ୍କ ପାଇଁ ଜୀବନସାଥୀ ଖୋଜନ୍ତି । ସେମାନେ କହନ୍ତି ଯେ ପିତାମାତା ହିଁ ପିଲାମାନଙ୍କ ପାଇଁ ସଠିକ୍‌ ନିଷ୍ପତ୍ତି ନେଇପାରିବେ । ବାଇବଲ ସମୟରେ ମଧ୍ୟ ଏହି ପରମ୍ପରା ବହୁତ ସାଧାରଣ ଥିଲା । ଯଦି ଆପଣଙ୍କ ପରିବାର ଲୋକେ ମଧ୍ୟ ଏହା ଭାବନ୍ତି, ତେବେ ଆପଣଙ୍କ ପିତାମାତାଙ୍କୁ ବାଇବଲରୁ ସାହାଯ୍ୟ ମିଳିପାରିବ, ଯାହାଦ୍ୱାରା ସେମାନେ ଆପଣଙ୍କ ପାଇଁ ଭଲ ଜୀବନସାଥୀ ଖୋଜିପାରିବେ । ଏହାକୁ ପଢ଼ିଲେ ସେମାନେ ଜାଣିପାରିବେ ଯେ ଜଣେ ପୁଅ କିମ୍ବା ଝିଅଠାରେ କେଉଁ କେଉଁ ଗୁଣ ହେବା ଉଚିତ୍‌ । ଯେତେବେଳେ ଅବ୍ରହାମ ନିଜ ପୁଅ ଇସ୍‌ହାକଙ୍କ ପାଇଁ ଝିଅ ଖୋଜୁଥିଲେ, ସେତେବେଳେ ସେ ଏହା ଦେଖିଲେ ନାହିଁ ଯେ ଝିଅର ଘର ଲୋକଙ୍କଠାରେ କେତେ ଧନସମ୍ପତ୍ତି ଅଛି କିମ୍ବା ସମାଜରେ କେତେ ମାନସମ୍ମାନ ଅଛି, ବରଂ ଝିଅଟି ଯିହୋବାଙ୍କୁ ପ୍ରେମ କରେ ନା ନାହିଁ ସେ ତାହା ଦେଖିଲେ ।—ଆଦି ପୁସ୍ତକ ୨୪:୩, ୬୭; ଅଧିକ ବିବରଣୀ-୨୫ ଦେଖନ୍ତୁ ।

ଜଣେ ଭଲ ଜୀବନସାଥୀ କିପରି ହୋଇପାରିବା ?

୧୩-୧୫. (କ) ଜଣେ ପୁଅ ଭଲ ପତି କିପରି ହୋଇପାରିବ ? (ଖ) ଜଣେ ଝିଅ ଭଲ ପତ୍ନୀ କିପରି ହୋଇପାରିବ ?

୧୩ ଯଦି ଆପଣ ବିବାହ କରିବା ପାଇଁ ଭାବୁଛନ୍ତି, ତାହେଲେ ପ୍ରଥମେ ଆପଣଙ୍କୁ ତାହା ପାଇଁ ଯୋଗ୍ୟ ହେବା ଉଚିତ୍‌ । ହୁଏତ ଆପଣ ନିଜକୁ ଯୋଗ୍ୟ ବୋଲି ମନେ କରୁଥିବେ, ତଥାପି ଆସନ୍ତୁ ବାଇବଲରୁ ଦେଖିବା ଯେ ବିବାହର ଯୋଗ୍ୟ ହେବା ପାଇଁ ଆପଣଙ୍କୁ ଆଉ କେଉଁ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ । ଆପଣଙ୍କୁ ଏହି କଥାଗୁଡ଼ିକୁ ଜାଣିବା ପରେ ବୋଧେ ଲାଗିପାରେ ଯେ ଆପଣଙ୍କୁ ଏବେ ମଧ୍ୟ ବହୁତ କିଛି ଶିଖିବାର ଅଛି ।

ବାଇବଲରେ ବିବାହ ବିଷୟରେ ଦିଆଯାଇଥିବା ପରାମର୍ଶକୁ ପଢ଼ନ୍ତୁ ଓ ଚିନ୍ତନ କରନ୍ତୁ

୧୪ ବାଇବଲ ଅନୁସାରେ ପରିବାରରେ ପତି ଓ ପତ୍ନୀଙ୍କ ଅଲଗା ଅଲଗା ଭୂମିକା ଥାଏ । ଜଣେ ପୁଅ ଓ ଝିଅ ବିବାହର ଯୋଗ୍ୟ ହେବା ପାଇଁ ଅଲଗା ଅଲଗା କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ । ଜଣେ ପୁଅ ଭାବିବା ଉଚିତ୍‌ ଯେ ସେ କʼଣ ପରିବାରକୁ ଭଲ ଭାବେ ଚଳାଇପାରିବ । ଜଣେ ପତିଙ୍କ ଏହା ଦାୟିତ୍ୱ ଅଟେ ଯେ ସେ ନିଜ ପତ୍ନୀ ଓ ପିଲାମାନଙ୍କର ଭରଣପୋଷଣ କରନ୍ତୁ ଏବଂ ସେମାନଙ୍କୁ ପ୍ରେମ କରନ୍ତୁ । ତାʼସହ ଯିହୋବା ଚାହାନ୍ତି ଯେ ସେ ଉପାସନା ମାମଲାରେ ନିଜ ପରିବାରର ନେତୃତ୍ୱ ମଧ୍ୟ ନିଅନ୍ତୁ, ଯାହା ତାଙ୍କ ସବୁଠୁ ବଡ଼ ଦାୟିତ୍ୱ ଅଟେ । ବାଇବଲ କହେ ଯେ ଯେଉଁ ବ୍ୟକ୍ତି ନିଜ ପରିବାରର ଭଲ ଯତ୍ନ ନିଏ ନାହିଁ, ସେ “ଅବିଶ୍ୱାସୀଠାରୁ ଅଧମ ଅଟେ ।” (୧ ତୀମଥି ୫:୮) ଯେଉଁ ପୁଅ ବିବାହ କରିବାକୁ ଚାହେଁ, ସେ ବାଇବଲର ଏହି ସିଦ୍ଧାନ୍ତ ବିଷୟରେ ଭାବିବା ଉଚିତ୍‌, “ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର, କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର; ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର ।” ଅନ୍ୟ ଶବ୍ଦରେ କହିଲେ, ଆପଣ ଦେଖିବା ଉଚିତ୍‌ ଯେ କʼଣ ଆପଣ ଏପରି ପତି ହୋଇପାରିବେ ଯେପରି ଯିହୋବା ଚାହାନ୍ତି ।—ହିତୋପଦେଶ ୨୪:୨୭.

୧୫ ଜଣେ ଝିଅ ମଧ୍ୟ ଏହା ଭାବିବା ଉଚିତ୍‌ ଯେ ସେ କʼଣ ଜଣେ ପତ୍ନୀ ହେବାର ଦାୟିତ୍ୱକୁ ଭଲଭାବେ ତୁଲାଇପାରିବ । ଆଗକୁ ଯାଇ ଯଦି ସେ ଜଣେ ମାଆ ହେବ, ତେବେ କʼଣ ସେ ଏହି ଦାୟିତ୍ୱକୁ ମଧ୍ୟ ତୁଲାଇପାରିବ ? ବାଇବଲରେ ଲେଖାଅଛି ଯେ ଜଣେ ଭଲ ପତ୍ନୀ ନିଜ ପତି ଓ ପିଲାମାନଙ୍କ ଯତ୍ନ ନେବା ପାଇଁ କʼଣ କʼଣ କରନ୍ତି । (ହିତୋପଦେଶ ୩୧:୧୦-୩୧) ଆଜି ଯେତେବେଳେ ଲୋକେ ବିବାହ କରିବା ବିଷୟରେ ଭାବନ୍ତି, ସେମାନେ ଏହା ଦେଖନ୍ତି ଯେ ତାଙ୍କ ଜୀବନସାଥୀ ତାଙ୍କ ପାଇଁ କʼଣ କʼଣ କରିପାରିବ । କିନ୍ତୁ ଯିହୋବା ଚାହାନ୍ତି, ଆମେ ଏହା ଭାବୁ ଯେ ଆମେ ନିଜ ଜୀବନସାଥୀ ପାଇଁ କʼଣ କʼଣ କରିପାରିବା ।

୧୬, ୧୭. ବିବାହ କରିବା ପୂର୍ବରୁ ଜଣେ ପୁଅ ଓ ଝିଅକୁ କେଉଁ କଥା ବିଷୟରେ ଭାବିବା ଉଚିତ୍‌ ?

୧୬ ବିବାହ କରିବା ପୂର୍ବରୁ ଭାବନ୍ତୁ ଯେ ଯିହୋବା ପତିପତ୍ନୀଙ୍କ ପାଇଁ କʼଣ ପରାମର୍ଶ ଦେଇଛନ୍ତି । ଜଣେ ପୁଅ ମନେ ରଖିବା ଉଚିତ୍‌ ଯେ ପତି ପରିବାରର ମୁଖିଆ ଅଟନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଯେପରି ଚାହିଁବେ ସେପରି ବ୍ୟବହାର ଦେଖାଇପାରିବେ । ପତ୍ନୀ ଓ ପିଲାମାନଙ୍କୁ ମାରପିଟ୍‌ କରିବେ କିମ୍ବା ସେମାନଙ୍କୁ କଷ୍ଟ ପହଞ୍ଚାଉଥିବା କଥା କହିବେ । ଜଣେ ଭଲ ପତି ସର୍ବଦା ଯୀଶୁଙ୍କ ଭଳି ପ୍ରେମ ଓ କୃପାର ସହ ବ୍ୟବହାର ଦେଖାଇବେ । (ଏଫିସୀୟ ୫:୨୩) ଆଉ, ଜଣେ ଝିଅ ଭାବିବା ଉଚିତ୍‌ ଯେ ନିଜ ପତିଙ୍କୁ ମୁଖିଆ ବୋଲି ମନେ କରି ତାଙ୍କ ନିଷ୍ପତ୍ତିଗୁଡ଼ିକୁ ମାନିବା ଏବଂ ତାଙ୍କୁ ସହଯୋଗ ଦେବାରେ କʼଣ କʼଣ ସାମିଲ୍‌ ଅଛି । (ରୋମୀୟ ୭:୨) ସେ ମନେ ରଖିବା ଉଚିତ୍‌ ଯେ ତାʼ ପତି ମଧ୍ୟ ଜଣେ ଅପରିପୂର୍ଣ୍ଣ ବ୍ୟକ୍ତି । କʼଣ ସେ ଖୁସିର ସହ ତାଙ୍କ ଅଧୀନରେ ରହିପାରିବ ? ଯଦି ସେ ଭାବେ ଯେ ସେ ତାଙ୍କ ଅଧୀନରେ ରହିପାରିବ ନାହିଁ, ତେବେ ଭଲ ହେବ ଯେ ସେ ଏବେ ବିବାହ ବିଷୟରେ ନ ଭାବୁ ।

୧୭ ଜଣେ ପତି କିମ୍ବା ପତ୍ନୀଙ୍କୁ ନିଜଠାରୁ ଅଧିକ ନିଜ ଜୀବନସାଥୀର ଖୁସି ବିଷୟରେ ଚିନ୍ତା କରିବା ଉଚିତ୍‌ । (ଫିଲିପ୍ପୀୟ ୨:୪ ପଢ଼ନ୍ତୁ ।) ପାଉଲ ଲେଖିଲେ, “ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମ ତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକି ଭକ୍ତି କରୁ ।” (ଏଫିସୀୟ ୫:୨୧-୩୩) ପୁରୁଷ ଓ ସ୍ତ୍ରୀ ଦୁହେଁ ଚାହାନ୍ତି ଯେ ସେମାନଙ୍କୁ ପ୍ରେମ ଓ ଆଦର ମିଳୁ । କିନ୍ତୁ ବିଶେଷ କରି ପୁରୁଷମାନେ ଚାହାନ୍ତି ଯେ ସେମାନଙ୍କ ସ୍ତ୍ରୀମାନେ ସେମାନଙ୍କୁ ଆଦର କରନ୍ତୁ ଏବଂ ସ୍ତ୍ରୀମାନେ ଚାହାନ୍ତି ଯେ ସେମାନଙ୍କ ପତି ସେମାନଙ୍କୁ ପ୍ରେମ କରନ୍ତୁ । ଯେତେବେଳେ ଦୁହେଁ ପରସ୍ପରର ଏହି ଆବଶ୍ୟକତାକୁ ପୂରଣ କରନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ ଏବଂ ସେମାନେ ଖୁସିରେ ରହନ୍ତି ।

୧୮. ବିବାହ ପୂର୍ବରୁ ଭେଟ କରିବା ସମୟରେ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ?

୧୮ ଯଦି ଜଣେ ପୁଅଝିଅ ବିବାହ କରିବାକୁ ଚାହାନ୍ତି ଏବଂ ପରସ୍ପରକୁ ଜାଣିବା ପାଇଁ ଭେଟ ହୁଅନ୍ତି, ତେବେ ସେମାନେ ପରସ୍ପରର ସଙ୍ଗତିର ଆନନ୍ଦ ନେଇପାରିବେ । ସେମାନେ ପ୍ରକୃତରେ ଯେପରି ବ୍ୟକ୍ତି ଅଟନ୍ତି, ଠିକ୍‌ ସେହିପରି ପରସ୍ପର ସହ ବ୍ୟବହାର କରିବା ଉଚିତ୍‌ ଏବଂ ବାସ୍ତବରେ ସେମାନେ ଯେପରି ଅଟନ୍ତି, ତାକୁ ଅଣଦେଖା କରିବା ଉଚିତ୍‌ ନୁହେଁ । ଏପରି କରିବା ଦ୍ୱାରା ସେ ଜାଣିପାରିବେ ଯେ ସେହି ବ୍ୟକ୍ତି ଜଣକ ତାଙ୍କ ପାଇଁ ଠିକ୍‌ ଅଟନ୍ତି ନା ନୁହନ୍ତି । ଆଉ, କʼଣ ସେ ତାଙ୍କ ସହ ନିଜ ସାରା ଜୀବନ ବିତାଇପାରିବେ ନା ନାହିଁ । ଏପରି ଭେଟ କରିବା ଦ୍ୱାରା ସେମାନେ ପରସ୍ପରକୁ ନିଜ ମନର କଥା କହିବା ପାଇଁ ଶିଖିପାରିବେ ଏବଂ ପରସ୍ପରକୁ ଭଲଭାବେ ଜାଣିପାରିବେ । କିନ୍ତୁ ଯେତେବେଳେ ସେମାନଙ୍କ ମିତ୍ରତା ଦୃଢ଼ ହୋଇ ହୋଇ ଯାଏ, ସେମାନଙ୍କ ଆକର୍ଷଣ ମଧ୍ୟ ବଢ଼ି ବଢ଼ି ଯାଏ । ଏପରି ସମୟରେ ସେମାନଙ୍କୁ ନିଜ ଭାବନାଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଉଚିତ୍‌, ଯାହାଫଳରେ ସେମାନେ ବିବାହ ପୂର୍ବରୁ କୌଣସି ଭୁଲ କାମ କରିବେ ନାହିଁ । ପ୍ରକୃତ ପ୍ରେମ ସେମାନଙ୍କୁ ଆତ୍ମସଂଯମର ଗୁଣ ଦେଖାଇବା ପାଇଁ ସାହାଯ୍ୟ କରିବ, ଯାହାଫଳରେ ସେମାନେ ଏପରି କୌଣସି କାମ କରିବେ ନାହିଁ, ଯାହାଦ୍ୱାରା ସେମାନଙ୍କ ପରସ୍ପରର ସମ୍ପର୍କ ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇପାରେ ।—୧ ଥେସଲନୀକୀୟ ୪:୬.

ବିବାହ କରିବା ଉଦ୍ଦେଶ୍ୟରେ ଭେଟିବା ସମୟରେ ପୁଅଝିଅ ପରସ୍ପରକୁ ନିଜ ମନର କଥା କହିବା ପାଇଁ ଶିଖିପାରିବେ

ବୈବାହିକ ଜୀବନକୁ ସଫଳ କିପରି କରିପାରିବା ?

୧୯, ୨୦. ବିବାହର ବନ୍ଧନ ବିଷୟରେ ଖ୍ରୀଷ୍ଟିୟାନମାନଙ୍କର ଦୃଷ୍ଟିକୋଣ କିପରି ହେବା ଉଚିତ୍‌ ?

୧୯ ଅଧିକାଂଶ ବହି ଓ ଫିଲ୍ମଗୁଡ଼ିକରେ ଦେଖାନ୍ତି ଯେ ପ୍ରେମ କାହାଣୀଗୁଡ଼ିକର ଶେଷରେ ପୁଅଝିଅ ଧୂମଧାମରେ ବିବାହ କରନ୍ତି ଏବଂ ଜୀବନ ସାରା ଖୁସିରେ ରହନ୍ତି । କିନ୍ତୁ ପ୍ରକୃତ ଜୀବନରେ, ବିବାହ ଏକ ନୂଆ ସମ୍ପର୍କର ଆରମ୍ଭ ମାତ୍ର । ଯିହୋବା ଆରମ୍ଭରୁ ହିଁ ଚାହାନ୍ତି ଯେ ବିବାହ ବନ୍ଧନ କେବେ ନ ଭାଙ୍ଗୁ ।—ଆଦି ପୁସ୍ତକ ୨:୨୪.

୨୦ ଆଜି ଅଧିକାଂଶ ଲୋକ ବିବାହକୁ ସାରା ଜୀବନର ବନ୍ଧନ ବୋଲି ମନେ କରନ୍ତି ନାହିଁ । ବିବାହ କରିବା ଓ ଛାଡ଼ପତ୍ର ଦେବା ବହୁତ ସହଜ ହୋଇଯାଇଛି । ବିବାହ ପରେ ଯେତେବେଳେ ସେମାନଙ୍କ ସମ୍ପର୍କରେ ସମସ୍ୟା ଆସେ, ସେତେବେଳେ ଅନେକ ଲୋକ ଭାବନ୍ତି ଯେ ଏବେ ସେମାନେ ଅଲଗା ହୋଇଯିବା ଉଚିତ୍‌ ଏବଂ ଏହି ସମ୍ପର୍କକୁ ଭାଙ୍ଗି ଦେବା ଉଚିତ୍‌ । କିନ୍ତୁ ବାଇବଲର ସେହି କଥାକୁ ମନେ ପକାନ୍ତୁ ଯେ ଏହି ସମ୍ପର୍କ ତିନୋଟି ସୂତାରେ ତିଆରି ରଶି ଭଳି ଅଟେ, ଯାହା ପରସ୍ପର ସହ ବୁଣି ହୋଇ ରହିଛି । ଏପରି ରଶିକୁ ଛିଣ୍ଡାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଛିଣ୍ଡେ ନାହିଁ । ସମସ୍ୟା ଆସିବା ସମୟରେ ଯଦି ଆମେ ଏହି ରଶିର ତୃତୀୟ ସୂତା ଅର୍ଥାତ୍‌ ଯିହୋବାଙ୍କ ସାହାଯ୍ୟ ନେବା, ତେବେ ଆମ ବିବାହ ବନ୍ଧନ କେବେ ମଧ୍ୟ ଭାଙ୍ଗିବ ନାହିଁ । ଯୀଶୁ କହିଥିଲେ, “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ।”—ମାଥିଉ ୧୯:୬.

୨୧. ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ପତିପତ୍ନୀ କʼଣ କରିବା ଉଚିତ୍‌ ?

୨୧ ଆମ ସମସ୍ତଙ୍କଠାରେ କିଛି ନା କିଛି ଭଲ ଗୁଣ ଓ ଦୁର୍ବଳତାଗୁଡ଼ିକ ଅଛି । ଅନ୍ୟମାନଙ୍କ ଦୁର୍ବଳତାଗୁଡ଼ିକୁ ଧ୍ୟାନ ଦେବା ବହୁତ ସହଜ ହୋଇଥାଏ, ବିଶେଷ କରି ନିଜ ଜୀବନସାଥୀର । ଏପରି କଲେ ଆମେ ଖୁସିରେ ରହିପାରିବା ନାହିଁ । କିନ୍ତୁ ଯଦି ଆମେ ନିଜ ଜୀବନସାଥୀର ଭଲ ଗୁଣ ପ୍ରତି ଧ୍ୟାନ ଦେବା, ତାହେଲେ ଆମ ବୈବାହିକ ଜୀବନ ସୁଖମୟ ହୋଇପାରିବ । କʼଣ ଏହା ସମ୍ଭବ ଯେ ଆମେ ନିଜ ଜୀବନସାଥୀର ଦୁର୍ବଳତାଗୁଡ଼ିକୁ ଜାଣି ମଧ୍ୟ କେବଳ ତାʼର ଭଲ ଗୁଣଗୁଡ଼ିକୁ ଧ୍ୟାନ ଦେବା ? ବିଲକୁଲ୍‌ । ଟିକେ ଭାବନ୍ତୁ ଯିହୋବା ଆମ ସହ କିପରି ବ୍ୟବହାର କରନ୍ତି । ସେ ଜାଣନ୍ତି ଯେ ଆମଠାରେ କେତେ ଦୁର୍ବଳତା ରହିଛି । ତଥାପି ସେ ଆମ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି । ଯଦି ସେ ଏପରି କରନ୍ତେ ନାହିଁ, ତେବେ ଆମର କʼଣ ହୁଅନ୍ତା ? ଗୀତସଂହିତାର ଜଣେ ଲେଖକ କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଯେବେ ଅପରାଧସବୁ ଧରିବ, ତେବେ ହେ ପ୍ରଭୋ, କିଏ ଠିଆ ହେବ ?” (ଗୀତସଂହିତା ୧୩୦:୩) ଯିହୋବାଙ୍କ ଭଳି ପତିପତ୍ନୀମାନେ ମଧ୍ୟ ପରସ୍ପରର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ଏବଂ ଯଦି କେହି ଭୁଲ କରେ, ତେବେ ପରସ୍ପରକୁ ଶୀଘ୍ର କ୍ଷମା କରିବା ଉଚିତ୍‌ ।କଲସୀୟ ୩:୧୩ ପଢ଼ନ୍ତୁ ।

୨୨, ୨୩. ଅବ୍ରହାମ ଓ ସାରାଙ୍କଠାରୁ ପତିପତ୍ନୀ କʼଣ ଶିଖିପାରିବେ ?

୨୨ ବର୍ଷକୁ ବର୍ଷ ବିବାହ ବନ୍ଧନ ଆହୁରି ମଜବୁତ୍‌ ହୋଇପାରେ । ଅବ୍ରହାମ ଓ ସାରା ପରସ୍ପର ସହ ସାରା ଜୀବନ ବିତାଇଲେ ଏବଂ ସେମାନଙ୍କ ବୈବାହିକ ଜୀବନ ବହୁତ ସୁଖମୟ ଥିଲା । ଯେତେବେଳେ ଯିହୋବା ଅବ୍ରହାମଙ୍କୁ ନିଜ ସହର ଊରକୁ ଛାଡ଼ିବାକୁ କହିଲେ, ସେତେବେଳେ ସାରାଙ୍କ ବୟସ ୬୦ରୁ ବି ଅଧିକ ଥିଲା । ଟିକିଏ ଭାବି ଦେଖନ୍ତୁ, ଏ ବୟସରେ ନିଜ ଆରାମଦାୟକ ଘର ଛାଡ଼ି ଏକ ତମ୍ବୁରେ ରହିବା ସାରାଙ୍କ ପାଇଁ କେତେ କଷ୍ଟକର ହୋଇଥିବ । କିନ୍ତୁ ସେ ଅବ୍ରହାମଙ୍କ ଏକ ଭଲ ମିତ୍ର ଓ ଭଲ ଜୀବନସାଥୀ ଥିଲେ ଏବଂ ହୃଦୟରୁ ତାଙ୍କର ଆଦର କରୁଥିଲେ । ତେଣୁ ସେ ଅବ୍ରହାମଙ୍କ ନିଷ୍ପତ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କଲେ ।—ଆଦି ପୁସ୍ତକ ୧୮:୧୨; ୧ ପିତର ୩:୬.

୨୩ ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ହେବାର ଅର୍ଥ ଏହା ନୁହେଁ ଯେ ସେମାନେ ପରସ୍ପରର ପ୍ରତ୍ୟେକ କଥାରେ ରାଜି ହେବେ । ଥରେ ଅବ୍ରହାମ ମଧ୍ୟ ସାରାଙ୍କ କଥାରେ ରାଜି ହୋଇ ନ ଥିଲେ । ସେତେବେଳେ ଯିହୋବା ଅବ୍ରହାମଙ୍କୁ କହିଲେ, “ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର ।” ସେ ସାରାଙ୍କ କଥା ଶୁଣିଲେ ଏବଂ ଏହାର ଭଲ ପରିଣାମ ହେଲା । (ଆଦି ପୁସ୍ତକ ୨୧:୯-୧୩) ଯଦି ବେଳେ ବେଳେ ଆପଣ ପରସ୍ପର ସହ ରାଜି ହୁଅନ୍ତି ନାହିଁ, ତେବେ ନିରାଶ ହୁଅନ୍ତୁ ନାହିଁ । ଯଦିଓ ଆପଣ ପରସ୍ପର ସହ ସହମତ ହୁଅନ୍ତି ନାହିଁ, ତଥାପି ଆପଣ ପ୍ରେମ ଓ ଆଦରର ସହ ବ୍ୟବହାର କରିବା ଉଚିତ୍‌ ।

ବିବାହ କରିବା ଦିନଠାରୁ ହିଁ ଈଶ୍ୱରଙ୍କ ବାକ୍ୟରୁ ପରାମର୍ଶ ନେବା ଜାରି ରଖନ୍ତୁ

୨୪. ଆମ ବୈବାହିକ ଜୀବନରୁ ଯିହୋବାଙ୍କର ମହିମା କିପରି ହୋଇପାରେ ?

୨୪ ଖ୍ରୀଷ୍ଟୀୟ ମଣ୍ଡଳୀରେ ଆଜି ଏପରି ହଜାର ହଜାର ପତିପତ୍ନୀ ଅଛନ୍ତି, ଯେଉଁମାନେ ଖୁସିରେ ପରସ୍ପର ସହ ରହୁଛନ୍ତି । ଯଦି ଆପଣ ବିବାହ କରିବାକୁ ଚାହାନ୍ତି, ତେବେ ବୁଝିବିଚାରି ଜୀବନସାଥୀ ବାଛନ୍ତୁ । ଏହା ଏକ ଗମ୍ଭୀର ନିଷ୍ପତ୍ତି । କାରଣ ଏହା ଆପଣଙ୍କ ପୂରା ଜୀବନ ବଦଳାଇ ଦେଇପାରେ । ଯିହୋବାଙ୍କୁ ମାର୍ଗଦର୍ଶନ ପାଇଁ ପ୍ରାର୍ଥନା କରନ୍ତୁ । ଏପରି କଲେ ଆପଣ ସଠିକ୍‌ ଜୀବନସାଥୀ ବାଛିପାରିବେ, ନିଜେ ଏକ ଭଲ ଜୀବନସାଥୀ ହୋଇପାରିବେ ଏବଂ ନିଜ ଜୀବନସାଥୀ ସହ ମିଶି ପ୍ରେମର ଅତୁଟ ବନ୍ଧନ ବଜାୟ ରଖିପାରିବେ, ଯେଉଁଥିରୁ ଯିହୋବାଙ୍କର ମହିମା ହେବ ।

a ୧ କରିନ୍ଥୀୟ ୭:୩୬ (NW ): “କିନ୍ତୁ ଯଦି କୌଣସି ଅବିବାହିତ ବ୍ୟକ୍ତିକୁ ଲାଗେ ଯେ ସେ ଖରାପ ବ୍ୟବହାର କରୁଛି ଏବଂ ଯଦି ସେ ଯୌବନ ଅବସ୍ଥାର ଆରମ୍ଭ ସମୟ ପାର କରି ସାରିଛି, ତେବେ ତାକୁ ବିବାହ କରିବା ଉଚିତ୍‌ । ଏପରି କରି ସେ କୌଣସି ପାପ କରୁ ନାହିଁ । ଏପରି ଲୋକେ ବିବାହ କରନ୍ତୁ ।”