इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୧

ବିବାହ ପରେ

ବିବାହ ପରେ

“ପ୍ରେମ କଦାପି ଶେଷ ହୁଏ ନାହିଁ ।”—୧ କରିନ୍ଥୀୟ ୧୩:୮.

୧, ୨. ପତିପତ୍ନୀଙ୍କ ମଧ୍ୟରେ ସମସ୍ୟା ଆସିବାର ଅର୍ଥ କʼଣ ଏହା ଯେ ସେମାନଙ୍କ ବିବାହ ବିଫଳ ହୋଇଗଲା ? ବୁଝାନ୍ତୁ ।

 ବିବାହ ବନ୍ଧନ ଯିହୋବାଙ୍କ ତରଫରୁ ଏକ ଉପହାର ଅଟେ । ବିବାହ ଜଣେ ବ୍ୟକ୍ତିର ଜୀବନରେ ଅନେକ ଖୁସି ଆଣିଥାଏ । କିନ୍ତୁ ବେଳେ ବେଳେ ସମସ୍ୟା ମଧ୍ୟ ଆସିପାରେ । ଏପରି ଲାଗେ ଯେପରି ସମସ୍ୟାଗୁଡ଼ିକ ସମାଧାନ ହେବ ନାହିଁ । ଏହା ଯୋଗୁଁ ପତିପତ୍ନୀ ପରସ୍ପରଠାରୁ ଦୂରେଇ ଯାଇପାରନ୍ତି ଏବଂ ସେମାନଙ୍କ ପ୍ରେମ ମଧ୍ୟ କମ୍‌ ହୋଇ ଯାଇପାରେ ।

ସମୟ ସମୟରେ ଯଦି ଆମ ବୈବାହିକ ଜୀବନରେ ସମସ୍ୟା ଆସେ, ତେବେ ଆମେ ଚିନ୍ତିତ ହେବା ଉଚିତ୍‌ ନୁହେଁ । ଆମେ ଏହା ଭାବିବା ଉଚିତ୍‌ ନୁହେଁ ଯେ ଆମେ ଏହି ସମ୍ପର୍କକୁ ତୁଲାଇବାରେ ବିଫଳ ହୋଇଗଲୁ । କିଛି ପତିପତ୍ନୀଙ୍କ ସମ୍ପର୍କ ଭାଙ୍ଗିବା ଅବସ୍ଥାରେ ଥିଲା, କିନ୍ତୁ ସେମାନେ ନିଜ ସମ୍ପର୍କକୁ ଠିକ୍‌ କଲେ ଏବଂ ନିଜ ବିବାହ ବନ୍ଧନକୁ ମଜବୁତ୍‌ କଲେ । ସେମାନେ ଏହା କିପରି କରିପାରିଲେ ?

ଈଶ୍ୱର ଓ ନିଜ ଜୀବନସାଥୀଙ୍କ ନିକଟତର ହୋଇ ରହନ୍ତୁ

୩, ୪. କିଛି ପତିପତ୍ନୀ ପରସ୍ପରଠାରୁ କିପରି ଦୂରେଇ ଯାଇପାରନ୍ତି ?

ବିବାହ ଏପରି ଦୁଇ ବ୍ୟକ୍ତିଙ୍କୁ ଗୋଟିଏ ବନ୍ଧନରେ ବାନ୍ଧେ, ଯେଉଁମାନେ ପରସ୍ପରଠାରୁ ଭିନ୍ନ ହୋଇଥାʼନ୍ତି । ସେମାନଙ୍କ ପସନ୍ଦ ନାପସନ୍ଦ, ଚିନ୍ତାଧାରା ଏବଂ କାମ କରିବାର ଶୈଳୀ ମଧ୍ୟ ବହୁତ ଭିନ୍ନ ହୋଇଥାଏ । କିଛି ପତିପତ୍ନୀଙ୍କ ଭାଷା ଓ ସଂସ୍କୃତି ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇଥାଏ । ଦୁହିଁଙ୍କୁ ପରସ୍ପରକୁ ଜାଣିବା ଓ ବୁଝିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ଏବଂ ଏପରି କରିବା ପାଇଁ ବହୁତ ସମୟ ମଧ୍ୟ ଲାଗେ ।

ବିବାହ ପରେ ସମୟ ଯେପରି ଗଡ଼ି ଗଡ଼ି ଚାଲେ, ପତିପତ୍ନୀ ନିଜ ନିଜ କାମରେ ଏତେ ବ୍ୟସ୍ତ ହୋଇ ଯାଇପାରନ୍ତି ଯେ ସେମାନେ ପରସ୍ପରଠାରୁ ଦୂରେଇ ଯାଇପାରନ୍ତି । ଅନେକ ଥର ହୁଏତ ଏପରି ଲାଗିପାରେ ଯେପରି ସେମାନେ ଦୁହେଁ ଭିନ୍ନ ଭିନ୍ନ ଜୀବନ ଜୀଉଁଛନ୍ତି । ପରସ୍ପରର ନିକଟତର ହୋଇ ରହିବା ପାଇଁ ସେମାନଙ୍କୁ କʼଣ ସାହାଯ୍ୟ କରିପାରିବ ?

ବାଇବଲର ପରାମର୍ଶ ପାଳନ କଲେ ହିଁ ବୈବାହିକ ଜୀବନ ସୁଖମୟ ହୋଇପାରିବ

୫. (କ) ଜଣେ ଖ୍ରୀଷ୍ଟିୟାନକୁ ନିଜ ଜୀବନସାଥୀର ନିକଟତର ହେବା ପାଇଁ କʼଣ ସାହାଯ୍ୟ କରିପାରିବ ? (ଖ) ଏବ୍ରୀ ୧୩:୪ ପଦ ଅନୁସାରେ ଆମେ ବିବାହ ବନ୍ଧନ ବିଷୟରେ କିପରି ଦୃଷ୍ଟିକୋଣ ରଖିବା ଉଚିତ୍‌ ?

ଯିହୋବାଙ୍କ ପରାମର୍ଶ ପତିପତ୍ନୀଙ୍କୁ ସାହାଯ୍ୟ କରିପାରିବ । ସେହି ପରାମର୍ଶକୁ ପାଳନ କଲେ, ସେମାନେ ଯିହୋବାଙ୍କ ଓ ପରସ୍ପରର ନିକଟତର ହୋଇପାରିବେ । (ଗୀତସଂହିତା ୨୫:୪; ଯିଶାଇୟ ୪୮:୧୭, ୧୮) ଈଶ୍ୱର ଆମକୁ କହନ୍ତି, “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ।” (ଏବ୍ରୀ ୧୩:୪) କୌଣସି ଜିନିଷକୁ ଆଦରଣୀୟ ବୋଲି ମନେ କରିବାର ଅର୍ଥ ହେଉଛି ତାହାକୁ ବହୁମୂଲ୍ୟ ମନେ କରିବା, ତାʼର ରକ୍ଷା କରିବା ଏବଂ ତାହାକୁ ସାଧାରଣ ବୋଲି ମନେ ନ କରିବା । ଯିହୋବା ଚାହାନ୍ତି ଯେ ଆମେ ବିବାହ ବିଷୟରେ ଠିକ୍‌ ସେହିପରି ଦୃଷ୍ଟିକୋଣ ରଖୁ ।

ଯିହୋବାଙ୍କ ପ୍ରତି ପ୍ରେମ, ବିବାହ ବନ୍ଧନକୁ ମଜବୁତ୍‌ କରିବ

୬. ମାଥିଉ ୧୯:୪-୬ ପଦ ଅନୁସାରେ ବିବାହ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ ?

ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ଯିହୋବା ହିଁ ବିବାହ ବନ୍ଧନରେ ବାନ୍ଧିଥିଲେ । ଯିହୋବାଙ୍କ ପୁତ୍ର ଯୀଶୁ କହିଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ ? ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ, ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ।” (ମାଥିଉ ୧୯:୪- ୬) ଯିହୋବା ଆରମ୍ଭରୁ ହିଁ ଚାହାନ୍ତି ଯେ ବିବାହ ଏକ ଅତୁଟ ବନ୍ଧନ ହେଉ । ସେ ଚାହାନ୍ତି ଯେ ପରିବାରର ସମସ୍ତେ ମିଳିମିଶି ଖୁସିରେ ରହନ୍ତୁ ।

୭. ପତିପତ୍ନୀ ନିଜ ସମ୍ପର୍କକୁ ଭାଙ୍ଗିବାଠାରୁ କିପରି ରକ୍ଷା କରିପାରିବେ ?

ଆଜି ବୈବାହିକ ଜୀବନରେ ମାନସିକ ଚାପ ଓ ସମସ୍ୟାଗୁଡ଼ିକ ଆଗ ଅପେକ୍ଷା ଅଧିକ ବଢ଼ିଯାଇଛି । ବେଳେ ବେଳେ ପତିପତ୍ନୀଙ୍କ ମଧ୍ୟରେ ମାନସିକ ଚାପ ଏତେ ବଢ଼ିଯାଏ ଯେ ସେମାନେ ଭାବନ୍ତି ଏବେ ସେମାନେ ଆଉ ଏକା ସହ ରହିପାରିବେ ନାହିଁ ଏବଂ ସେମାନେ ନିଜ ସମ୍ପର୍କ ଭାଙ୍ଗି ଦିଅନ୍ତି । କିନ୍ତୁ ଯଦି ପତିପତ୍ନୀ ବିବାହ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖିବେ, ତେବେ ସେମାନେ ନିଜ ସମ୍ପର୍କକୁ ଭାଙ୍ଗିବାରୁ ରକ୍ଷା କରିପାରିବେ ।—୧ ଯୋହନ ୫:୩.

୮, ୯. (କ) ପତିପତ୍ନୀ ଯିହୋବାଙ୍କ ପରାମର୍ଶକୁ କିପରି ପରିସ୍ଥିତିରେ ମଧ୍ୟ ପାଳନ କରିବା ଉଚିତ୍‌ ? (ଖ) ଯଦି ସେମାନେ ବିବାହ ବନ୍ଧନକୁ ବହୁମୂଲ୍ୟ ମନେ କରନ୍ତି, ତେବେ ସେମାନେ କʼଣ କରିବା ଉଚିତ୍‌ ?

ଯିହୋବାଙ୍କ ପରାମର୍ଶ ସବୁବେଳେ ଆମ ମଙ୍ଗଳ ପାଇଁ ହୋଇଥାଏ । ଯେପରି ଆମେ ଦେଖିଲୁ, ସେ ପରାମର୍ଶ ଦିଅନ୍ତି ଯେ “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ।” (ଏବ୍ରୀ ୧୩:୪; ଉପଦେଶକ ୫:୪) ଯିହୋବାଙ୍କ କଥା ଶୁଣିବା ପତିପତ୍ନୀଙ୍କ ପାଇଁ ବେଳେ ବେଳେ ହୁଏତ କଷ୍ଟକର ହୋଇପାରେ । କିନ୍ତୁ ଯଦି ସେମାନେ ତାହାଙ୍କ କଥା ଶୁଣିବେ, ତେବେ ସେମାନଙ୍କର ହିଁ ମଙ୍ଗଳ ହେବ ।—୧ ଥେସଲନୀକୀୟ ୧:୨; ଏବ୍ରୀ ୬:୧୦.

ଯଦି ଆମେ ନିଜ ବିବାହ ବନ୍ଧନକୁ ବହୁମୂଲ୍ୟ ମନେ କରୁ, ତେବେ ଆମେ ଏପରି କିଛି କରିବା ନାହିଁ, ଯାହାଦ୍ୱାରା ଏହି ସମ୍ପର୍କ ଭାଙ୍ଗି ଯାଇପାରେ । ଏହା ବ୍ୟତୀତ ଆମେ ଏହି ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଏହା ଆମେ କିପରି କରିପାରିବା ?

ନିଜ କଥାବାର୍ତ୍ତା ଓ ବ୍ୟବହାର ଦ୍ୱାରା ଏହି ବନ୍ଧନକୁ ଆଦର କରନ୍ତୁ

୧୦, ୧୧. (କ) କିଛି ପତିପତ୍ନୀଙ୍କ ମଧ୍ୟରେ କେଉଁ ଗମ୍ଭୀର ସମସ୍ୟା ଅଛି ? (ଖ) ଏହା କାହିଁକି ଧ୍ୟାନ ଦେବା ଜରୁରୀ ଯେ ଆମେ ନିଜ ଜୀବନସାଥୀ ସହ କିପରି କଥା ହେଉ ?

୧୦ ଅନେକ ଥର ଜଣେ ବ୍ୟକ୍ତି ଅଜାଣତରେ ନିଜ ଜୀବନସାଥୀର ହୃଦୟକୁ କଷ୍ଟ ପହଞ୍ଚାଇଥାଏ । ହୁଏତ ସେ ଏପରି କିଛି କହେ କିମ୍ବା କାମ କରେ, ଯାହାଦ୍ୱାରା ତାʼ ଜୀବନସାଥୀକୁ ବହୁତ ଦୁଃଖ ପହଞ୍ଚେ । ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ସେମାନଙ୍କୁ ନିଜ ଜୀବନସାଥୀ ଉପରେ ହାତ ଉଠାଇବା ଏବଂ ତାଙ୍କୁ ମାରପିଟ୍‌ କରିବା ଉଚିତ୍‌ ନୁହେଁ । ହୁଏତ ସେମାନେ ଏପରି କରୁ ନ ଥିବେ । କିନ୍ତୁ ଅନେକ ଥର ଆମେ ନିଜ ଶବ୍ଦ ଦ୍ୱାରା ତାଙ୍କୁ କଷ୍ଟ ପହଞ୍ଚାଇପାରୁ । ଏହା ତାଙ୍କୁ ବହୁତ ବାଧିପାରେ । ଜଣେ ସ୍ତ୍ରୀ କହନ୍ତି, ‘ମୋ ପତି ମୋତେ ମାରନ୍ତି ନାହିଁ କିନ୍ତୁ ଶବ୍ଦ ଦ୍ୱାରା ପ୍ରହାର କରନ୍ତି । ମୋତେ ଯେଉଁ ଆଘାତ ମିଳିଛି ତାହା ଦେଖାଯାଏ ନାହିଁ କିନ୍ତୁ ତାʼ କଥା ଶୁଣି ମୋର ହୃଦୟ ଚୁର୍‌ମାର ହୋଇଯାଇଛି । ଦିନରାତି ସେ ମୋତେ ଅସହ୍ୟ କଥା ସବୁ କହନ୍ତି । ସବୁବେଳେ ସେ ମୋତେ କହୁଥାʼନ୍ତି, “ତୁ କିଛି କାମର ନୋହୁଁ ” “ସବୁବେଳେ ମୋତେ ହଇରାଣ କରୁଥାଉ ।” ’ ଆଉ ଜଣେ ବ୍ୟକ୍ତି କହନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ସବୁବେଳେ ନୀଚ ଦୃଷ୍ଟିରେ ଦେଖନ୍ତି । ସେ କହନ୍ତି, “ସେ ମୋତେ ଏପରି କଥାଗୁଡ଼ିକ କହେ, ଯାହା ମୁଁ ଲୋକଙ୍କ ସାମନାରେ କହିପାରିବି ନାହିଁ, ତେଣୁ ମୁଁ ଚାହିଁଲେ ସୁଦ୍ଧା ତାʼ ସହ କଥା କରିପାରେ ନାହିଁ ଏବଂ ଡେରି ପର୍ଯ୍ୟନ୍ତ କାମ କରୁଥାଏ । ଚାକିରି ଜାଗାରେ ମୁଁ ବହୁତ ଆରାମରେ ଥାଏ ।” ନିଜ ଜୀବନସାଥୀକୁ ଗାଳିଗୁଲଜ କରିବା ଏବଂ କଷ୍ଟ ପହଞ୍ଚାଉଥିବା କଥା କହିବା ଆଜି ବହୁତ ସାଧାରଣ ହୋଇଯାଇଛି ।

୧୧ ଶବ୍ଦର ପ୍ରହାରରୁ ଯେଉଁ ଘାʼ ହୁଏ, ତାହା ଠିକ୍‌ ହେବା ପାଇଁ ବହୁତ ଲମ୍ବା ସମୟ ଲାଗିପାରେ । ଯିହୋବା ଚାହାନ୍ତି ନାହିଁ ଯେ ପତିପତ୍ନୀ ପରସ୍ପରକୁ ଏପରି କଥା କହନ୍ତୁ । କିନ୍ତୁ ହୋଇପାରେ ଅନେକ ଥର ଆପଣ ଅଜାଣତରେ ନିଜ ଜୀବନସାଥୀକୁ କଷ୍ଟ ପହଞ୍ଚାଇପାରନ୍ତି । ହୁଏତ ଆପଣଙ୍କୁ ଲାଗିପାରେ ଯେ ଆପଣ ନିଜ ଜୀବନସାଥୀ ସହିତ ପ୍ରେମର ସହ କଥା ହେଉଛନ୍ତି । କିନ୍ତୁ କʼଣ ଆପଣଙ୍କ ସାଥୀକୁ ମଧ୍ୟ ଏପରି ଲାଗେ ? ଯଦି ଆପଣଙ୍କ କିଛି କଥା ତାଙ୍କୁ କଷ୍ଟ ପହଞ୍ଚାଏ, ତେବେ କʼଣ ଆପଣ ନିଜଠାରେ ପରିବର୍ତ୍ତନ କରିବେ ?—ଗାଲାତୀୟ ୫:୧୫; ଏଫିସୀୟ ୪:୩୧ ପଢ଼ନ୍ତୁ ।

୧୨. ଯିହୋବାଙ୍କ ସହ ଜଣେ ପତି କିମ୍ବା ପତ୍ନୀଙ୍କ ସମ୍ପର୍କ କିପରି ଖରାପ ହୋଇପାରେ ?

୧୨ ଯିହୋବା ଧ୍ୟାନ ଦିଅନ୍ତି ଯେ ଆପଣ ନିଜ ଜୀବନସାଥୀ ସହ କିପରି କଥା ହୁଅନ୍ତି । ଆପଣ ତାʼ ସହ ଏକୁଟିଆରେ କଥା ହୁଅନ୍ତୁ କିମ୍ବା ଲୋକଙ୍କ ଗହଳିରେ, ଯିହୋବା ତାହା ଧ୍ୟାନ ଦିଅନ୍ତି । (୧ ପିତର ୩:୭ ପଢ଼ନ୍ତୁ ।) ଯାକୁବ ୧:୨୬ ପଦରେ ମନେ ପକାଇ ଦିଆଯାଇଛି ଯେ “ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।”

୧୩. ଜଣେ ବ୍ୟକ୍ତିର ବ୍ୟବହାର ଯୋଗୁଁ କିପରି ତାʼର ଜୀବନସାଥୀଙ୍କୁ କଷ୍ଟ ପହଞ୍ଚିପାରେ ?

୧୩ ଏପରି କିଛି ମାମଲା ଅଛି, ଯେଉଁଠାରେ ପତିପତ୍ନୀଙ୍କୁ ପରସ୍ପରର ଭାବନାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ । ସେମାନଙ୍କୁ ଅନ୍ୟ କୌଣସି ବ୍ୟକ୍ତି ସହ ଅତ୍ୟଧିକ ସମୟ ବିତାଇବା ଉଚିତ୍‌ ନୁହେଁ । ଟିକେ ଭାବନ୍ତୁ, ଯଦି ଜଣେ ଭାଇ ଅନ୍ୟ କୌଣସି ଭଉଣୀଙ୍କ ସହ ଅଧିକ ସମୟ ବିତାନ୍ତି, ତେବେ ତାଙ୍କ ପତ୍ନୀଙ୍କୁ କିପରି ଲାଗିବ ? ହୁଏତ ଭାଇ ଜଣକ କେବଳ ସେହି ଭଉଣୀଙ୍କ ସହ ପ୍ରଚାର କରନ୍ତି କିମ୍ବା କୌଣସି ସମସ୍ୟାର ସମାଧାନ କରିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତି । ଯଦିଓ ସେ ଭଲ ଉଦ୍ଦେଶ୍ୟରେ ଏହା କରୁଥିବେ, ତଥାପି ତାଙ୍କୁ ଭାବିବା ଉଚିତ୍‌ ଯେ ଏପରି କରିବା ଦ୍ୱାରା କାଳେ ତାଙ୍କ ପତ୍ନୀଙ୍କୁ ଖରାପ ତ ଲାଗୁ ନାହିଁ । ଜଣେ ଭଉଣୀ କହନ୍ତି, “ଯେତେବେଳେ ମୁଁ ଦେଖେ ମୋ ପତି ମଣ୍ଡଳୀର ଅନ୍ୟ ଏକ ଭଉଣୀଙ୍କୁ ଅତ୍ୟଧିକ ଧ୍ୟାନ ଦେଉଛନ୍ତି, ସେତେବେଳେ ମୋତେ ଏହା ସହିବା ବହୁତ କଷ୍ଟକର ହୋଇଯାଏ । ମୁଁ ନିଜକୁ ବେକାରିଆ ଅନୁଭବ କରେ ।”

୧୪. (କ) ଆଦି ପୁସ୍ତକ ୨:୨୪ ପଦରୁ ଆମେ କʼଣ ଶିଖୁ ? (ଖ) ଆମେ ନିଜକୁ କେଉଁ ପ୍ରଶ୍ନ ପଚାରିବା ଉଚିତ୍‌ ?

୧୪ ଏହା ସତ ଯେ ନିଜ ବାପାମାଆ ଓ ମଣ୍ଡଳୀର ଭାଇଭଉଣୀଙ୍କୁ ସାହାଯ୍ୟ କରିବା ସମସ୍ତ ଖ୍ରୀଷ୍ଟିୟାନମାନଙ୍କ କର୍ତ୍ତବ୍ୟ ଅଟେ । କିନ୍ତୁ ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ବିବାହ କରେ, ସେତେବେଳେ ତାʼର ପ୍ରଥମ କର୍ତ୍ତବ୍ୟ ହେଉଛି, ନିଜ ଜୀବନସାଥୀ ପ୍ରତି ଧ୍ୟାନ ଦେବା । ଯିହୋବା କହିଥିଲେ ଯେ ପତି “ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ ।” (ଆଦି ପୁସ୍ତକ ୨:୨୪) ଜଣେ ଖ୍ରୀଷ୍ଟିୟାନଙ୍କ ପାଇଁ ତାଙ୍କ ଜୀବନସାଥୀର ଭାବନାଗୁଡ଼ିକ ବହୁତ ମହତ୍ତ୍ୱ ରଖେ । ନିଜକୁ ପଚାରନ୍ତୁ, ‘କଅଣ ମୁଁ ନିଜ ପତି କିମ୍ବା ପତ୍ନୀଙ୍କୁ ଯେତେ ସମୟ ଦେବା ଉଚିତ୍‌, ସେତେ ସମୟ ଦିଏ ? କʼଣ ମୁଁ ନିଜ ପତି କିମ୍ବା ପତ୍ନୀଙ୍କୁ ଯେତେ ପ୍ରେମ କରିବା ଉଚିତ୍‌, ସେତେ ପ୍ରେମ କରେ ?’

୧୫. ବିବାହିତ ଖ୍ରୀଷ୍ଟିୟାନମାନଙ୍କୁ ଅନ୍ୟ କୌଣସି ବିପରୀତ ଲିଙ୍ଗର ବ୍ୟକ୍ତି ସହ କାହିଁକି ଅତ୍ୟଧିକ ସାଙ୍ଗ ହେବା ଉଚିତ୍‌ ନୁହେଁ ?

୧୫ ଯଦି ଜଣେ ବିବାହିତ ଖ୍ରୀଷ୍ଟିୟାନ ଅନ୍ୟ କୌଣସି ବିପରୀତ ଲିଙ୍ଗର ବ୍ୟକ୍ତି ସହ ଅତ୍ୟଧିକ ସାଙ୍ଗ ହୁଏ, ତେବେ ତାʼର ବୈବାହିକ ଜୀବନରେ ସମସ୍ୟା ଆସିପାରେ । ହୁଏତ ଖ୍ରୀଷ୍ଟିୟାନ ଜଣକ ସେହି ବ୍ୟକ୍ତି ପ୍ରତି ଆକର୍ଷିତ ହୋଇପାରେ ଏବଂ ମନେ ମନେ ତାକୁ ପସନ୍ଦ କରିପାରେ । (ମାଥିଉ ୫:୨୮) ଏହି ଆକର୍ଷଣ ବଢ଼ିପାରେ ଏବଂ ହୁଏତ ସେ ଏପରି କିଛି କାମ କରିପାରେ, ଯାହାଦ୍ୱାରା ତାʼ ବିବାହର ଶେଯ ଦୂଷିତ ହୋଇପାରେ ।

‘ବିବାହର ଶଯ୍ୟା ଶୁଚି ଥାଉ’

୧୬. ବାଇବଲରେ ବିବାହ ବିଷୟରେ କʼଣ ଆଦେଶ ଦିଆଯାଇଛି ?

୧୬ “ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ,” ଏହା କହିବା ପରେ ବାଇବଲ ଆଦେଶ ଦିଏ ଯେ ‘ବିବାହର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ୱର ପାରଦାରିକ [“ଅନୈତିକ ଯୌନ ସମ୍ପର୍କ,” NW ] ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ ।’ (ଏବ୍ରୀ ୧୩:୪) ଏହି ପଦରେ ‘ବିବାହର ଶଯ୍ୟା’ ପତିପତ୍ନୀଙ୍କ ମଧ୍ୟରେ ଥିବା ଯୌନ ସମ୍ପର୍କକୁ ସୂଚାଏ । (ହିତୋପଦେଶ ୫:୧୮) ଆମେ ଯୌନ ସମ୍ପର୍କକୁ ପବିତ୍ର ମନେ କରିବା ଉଚିତ୍‌ ଏବଂ ଏହି ସମ୍ପର୍କକୁ ଅଶୁଚି ବା ଦୂଷିତ କରିବା ଉଚିତ୍‌ ନୁହେଁ । ଆସନ୍ତୁ ଦେଖିବା ଆମେ ଏହା କିପରି କରିପାରିବା ?

୧୭. (କ) ଅନେକ ଲୋକ ବ୍ୟଭିଚାର ବିଷୟରେ କʼଣ ଭାବନ୍ତି ? (ଖ) ଏବିଷୟରେ ଖ୍ରୀଷ୍ଟିୟାନମାନଙ୍କ କିପରି ଦୃଷ୍ଟିକୋଣ ହେବା ଉଚିତ୍‌ ?

୧୭ କିଛି ଲୋକ ଭାବନ୍ତି ଯେ ନିଜ ଜୀବନସାଥୀକୁ ଛାଡ଼ି ଅନ୍ୟ ବ୍ୟକ୍ତି ସହ ଶାରୀରିକ ସମ୍ପର୍କ ରଖିବା ଭୁଲ ନୁହେଁ । କିନ୍ତୁ ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଏପରି ଚିନ୍ତାଧାରା ଆମ ଉପରେ ପ୍ରଭାବ ନ ପକାଉ । ଯିହୋବା ସ୍ପଷ୍ଟଭାବେ କହିଛନ୍ତି ଯେ ସେ ଅନୈତିକ ଯୌନ ସମ୍ପର୍କ ଓ ବ୍ୟଭିଚାରକୁ ଘୃଣା କରନ୍ତି । (ରୋମୀୟ ୧୨:୯ ପଢ଼ନ୍ତୁ; ଏବ୍ରୀ ୧୦:୩୧; ୧୨:୨୯) ଯଦି ଆମେ ନିଜ ଜୀବନସାଥୀକୁ ଛାଡ଼ି ଅନ୍ୟ କାହାରି ସହ ସମ୍ପର୍କ ରଖିବା, ତେବେ ଆମେ ନିଜ ବିବାହର ଶେଯକୁ ଅଶୁଚି କରୁଥିବା । ଯଦି ଆମେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକୁ ମହତ୍ତ୍ୱ ଦେବା ନାହିଁ, ତେବେ ତାଙ୍କ ସହ ଆମ ସମ୍ପର୍କ ଭାଙ୍ଗି ଯାଇପାରେ । ତେଣୁ ଆମେ ନିଜ ମନରେ ଅନ୍ୟ କୌଣସି ବ୍ୟକ୍ତି ପାଇଁ ଖରାପ ଚିନ୍ତାଧାରା ବଢ଼ିବାକୁ ଦେବା ଉଚିତ୍‌ ନୁହେଁ ।—ଆୟୁବ ୩୧:୧.

୧୮. (କ) ବ୍ୟଭିଚାର କରିବା ଓ ମିଥ୍ୟା ଦେବାଦେବୀଙ୍କ ଉପାସନା କରିବାରେ କେଉଁ କଥା ସମାନ ଥିଲା ? (ଖ) ଇସ୍ରାଏଲୀୟମାନଙ୍କ ସମୟରେ ବ୍ୟଭିଚାର ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କିପରି ଥିଲା ?

୧୮ ମୋଶାଙ୍କ ବ୍ୟବସ୍ଥାରେ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ବ୍ୟଭିଚାର ଏକ ଗମ୍ଭୀର ପାପ ଅଟେ । ଏହା ମିଥ୍ୟା ଦେବାଦେବୀଙ୍କୁ ଉପାସନା କରିବା ଭଳି ଗମ୍ଭୀର ପାପ ଥିଲା । ଏହି ଦୁଇ ପାପର ଦଣ୍ଡ ମୃତ୍ୟୁ ଥିଲା । (ଲେବୀ ପୁସ୍ତକ ୨୦:୨, ୧୦) ବ୍ୟଭିଚାର କରିବା ଏବଂ ମିଥ୍ୟା ଦେବାଦେବୀଙ୍କୁ ଉପାସନା କରିବାରେ କʼଣ କଥା ସମାନ ଥିଲା ? ଯେଉଁ ଇସ୍ରାଏଲୀୟ ବ୍ୟକ୍ତି ମିଥ୍ୟା ଦେବାଦେବୀଙ୍କୁ ଉପାସନା କରୁଥିଲା, ସେ ଯିହୋବାଙ୍କ ବିଶ୍ୱସ୍ତ ରହିବାର ନିଜ ପ୍ରତିଜ୍ଞାକୁ ଭାଙ୍ଗି ଦେଉଥିଲା । ଠିକ୍‌ ସେହିପରି ଯିଏ ବ୍ୟଭିଚାର କରେ, ସେ ନିଜ ଜୀବନସାଥୀ ପ୍ରତି ବିଶ୍ୱସ୍ତ ରହିବାର ପ୍ରତିଜ୍ଞାକୁ ଭାଙ୍ଗି ଦିଏ । (ଯାତ୍ରା ପୁସ୍ତକ ୧୯:୫, ୬; ଦ୍ୱିତୀୟ ବିବରଣ ୫:୯; ମଲାଖି ୨:୧୪ ପଢ଼ନ୍ତୁ ।) ଏଥିରୁ ଆମେ ଜାଣିପାରୁ ଯେ ଇସ୍ରାଏଲୀୟମାନଙ୍କ ସମୟରେ ବ୍ୟଭିଚାର ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ ଥିଲା । ସେ ଏହାକୁ ବହୁତ ବଡ଼ ପାପ ବୋଲି ମନେ କରୁଥିଲେ ।

୧୯. କେଉଁ କଥାକୁ ଧ୍ୟାନରେ ରଖିଲେ ଆମେ କେବେ ମଧ୍ୟ ବ୍ୟଭିଚାର କରିବା ନାହିଁ ?

୧୯ କʼଣ ବ୍ୟଭିଚାର ବିଷୟରେ ଆଜି ମଧ୍ୟ ଯିହୋବା ଏପରି ଭାବନ୍ତି ? ଯଦିଓ ଆଜି ଆମେ ମୋଶାଙ୍କ ନିୟମର ଅଧୀନରେ ନାହୁଁ, ତଥାପି ବ୍ୟଭିଚାର ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଏବେ ବି ବଦଳି ନାହିଁ । ଯେପରି ଆମେ କେବେ ବି ମିଥ୍ୟା ଦେବାଦେବୀଙ୍କୁ ଉପାସନା କରିବା ନାହିଁ, ଠିକ୍‌ ସେହିପରି ଆମେ ନିଜ ଜୀବନସାଥୀ ପ୍ରତି ବିଶ୍ୱାସଘାତ କରିବା ନାହିଁ । (ଗୀତସଂହିତା ୫୧:୧, ୪; କଲସୀୟ ୩:୫) ଯେଉଁ ଖ୍ରୀଷ୍ଟିୟାନ ବ୍ୟଭିଚାର କରେ, ସେ ନିଜ ବିବାହ ବନ୍ଧନର ଓ ନିଜ ଈଶ୍ୱର ଯିହୋବାଙ୍କ ମଧ୍ୟ ଅପମାନ କରେ ।—ଅଧିକ ବିବରଣୀ-୨୬ ଦେଖନ୍ତୁ ।

ବିବାହ ବନ୍ଧନକୁ କିପରି ମଜବୁତ୍‌ କରିବା ?

୨୦. ବୁଦ୍ଧିମତ୍ତାର ସହ କାମ କଲେ ବୈବାହିକ ଜୀବନ କିପରି ହୋଇପାରିବ ?

୨୦ ଆପଣ ନିଜ ବିବାହ ବନ୍ଧନକୁ କିପରି ମଜବୁତ୍‌ କରିପାରିବେ ? ଈଶ୍ୱରଙ୍କ ବାକ୍ୟ କହେ, “ଜ୍ଞାନରେ ଗୃହ ନିର୍ମିତ ହୁଏ ଓ ବୁଦ୍ଧିରେ ତାହା ସ୍ଥିର ହୁଏ ।” (ହିତୋପଦେଶ ୨୪:୩) ଗୋଟିଏ ଘର ହୁଏତ ଖାଲି ଖାଲି ଲାଗିପାରେ କିମ୍ବା ଆରାମଦାୟକ ଓ ସୁରକ୍ଷିତ ଲାଗିପାରେ । ପତିପତ୍ନୀଙ୍କ ସମ୍ପର୍କ ମଧ୍ୟ ଠିକ୍‌ ସେହିଭଳି । ଏହି ସମ୍ପର୍କ ହୁଏତ ଖାଲି ଖାଲି ଲାଗିପାରେ କିମ୍ବା ଦୁହିଁଙ୍କୁ ଖୁସି, ଶାନ୍ତି ଓ ସୁରକ୍ଷା ଦେଇପାରେ । ଯେଉଁ ପତିପତ୍ନୀ ବୁଦ୍ଧିମତ୍ତାର ସହ କାମ କରନ୍ତି, ସେମାନେ ନିଜ ବୈବାହିକ ଜୀବନକୁ ସୁଖମୟ କରିପାରିବେ ଏବଂ ନିଜ ସମ୍ପର୍କକୁ ଭାଙ୍ଗିବାରୁ ରକ୍ଷା କରିପାରିବେ ।

୨୧. ବାଇବଲର ଜ୍ଞାନ ନେବା ଦ୍ୱାରା ପତିପତ୍ନୀଙ୍କ ସମ୍ପର୍କ କିପରି ମଜବୁତ୍‌ ହୋଇପାରିବ ?

୨୧ ଘରର ଉଦାହରଣ ଦେଇ ବାଇବଲ ଆଗକୁ କହେ, “ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ ।” (ହିତୋପଦେଶ ୨୪:୪) ବୈବାହିକ ଜୀବନ ବିଷୟରେ ବାଇବଲ ଆମକୁ ଯାହା କହେ, ସେବିଷୟରେ ଶିଖିଲେ ଆପଣ ଦୁହିଁଙ୍କ ସମ୍ପର୍କ ଦିନକୁ ଦିନ ଆହୁରି ମଜବୁତ୍‌ ହୋଇଯିବ । (ରୋମୀୟ ୧୨:୨; ଫିଲିପ୍ପୀୟ ୧:୯) ଦୁହେଁ ମିଶି ବାଇବଲ ଓ ତାʼସହ ଜଡ଼ିତ ପ୍ରକାଶନ ପଢ଼ନ୍ତୁ । ତାʼପରେ ସେଠାରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ କିପରି ଲାଗୁ କରାଯାଇପାରିବ ସେବିଷୟରେ ଆଲୋଚନା କରନ୍ତୁ । ନିଜ ଜୀବନସାଥୀ ପାଇଁ କିଛି ନା କିଛି କରନ୍ତୁ, ଯାହାଦ୍ୱାରା ସେ ଜାଣିପାରିବେ ଯେ ଆପଣ ତାଙ୍କୁ ପ୍ରେମ କରନ୍ତି, ତାଙ୍କୁ ଆଦର କରନ୍ତି ଏବଂ ତାଙ୍କ ଯତ୍ନ ନିଅନ୍ତି । ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ ଯେ ସେ ଆପଣଙ୍କୁ ଏପରି ଗୁଣ ବଢ଼ାଇବାରେ ସାହାଯ୍ୟ କରିବେ, ଯାହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କର ଆହୁରି ନିକଟତର ଅନୁଭବ କରିବେ ଏବଂ ଆପଣଙ୍କୁ ପ୍ରେମ କରିବେ ।—ହିତୋପଦେଶ ୧୫:୧୬, ୧୭; ୧ ପିତର ୧:୭.

ପାରିବାରିକ ଉପାସନାରେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ

୨୨. ଆମେ ନିଜ ଜୀବନସାଥୀଙ୍କୁ କାହିଁକି ପ୍ରେମ ଓ ଆଦର କରିବା ଉଚିତ୍‌ ?

୨୨ ନିଜ ଜୀବନସାଥୀଙ୍କୁ ପ୍ରେମ କରନ୍ତୁ ଏବଂ ତାଙ୍କୁ ଆଦର କରନ୍ତୁ । ଏହି ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଆପଣଙ୍କ ଦ୍ୱାରା ଯାହା ସମ୍ଭବ ତାହା କରନ୍ତୁ । ଏପରି କଲେ ଆପଣ ଦୁହେଁ ପରସ୍ପରର ଆହୁରି ନିକଟତର ହୋଇପାରିବେ ଏବଂ ଆପଣଙ୍କ ବନ୍ଧନ ଅତୁଟ ରହିବ । ସବୁଠୁ ବଡ଼ କଥା ଯିହୋବା ଖୁସି ହେବେ ।—ଗୀତସଂହିତା ୧୪୭:୧୧; ରୋମୀୟ ୧୨:୧୦.