इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୩

ଈଶ୍ୱରଙ୍କ ମିତ୍ରମାନଙ୍କୁ ନିଜ ମିତ୍ର କରନ୍ତୁ

ଈଶ୍ୱରଙ୍କ ମିତ୍ରମାନଙ୍କୁ ନିଜ ମିତ୍ର କରନ୍ତୁ

“ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ ।”—ହିତୋପଦେଶ ୧୩:୨୦.

୧-୩. (କ) ଆମେ ହିତୋପଦେଶ ୧୩:୨୦ ପଦରୁ କʼଣ ଶିଖୁ ? (ଖ) ଆମେ କାହିଁକି ବୁଝିବିଚାରି ମିତ୍ରତା କରିବା ଉଚିତ୍‌ ?

 କʼଣ ଆପଣ କେବେ ଦେଖିଛନ୍ତି, ଜଣେ ଛୋଟ ଶିଶୁ ନିଜ ପିତାମାତାଙ୍କୁ କିପରି ଧ୍ୟାନ ଦିଏ ? ସେ କଥା କହି ଶିଖିବା ଆଗରୁ ସେହି କଥାଗୁଡ଼ିକୁ ବୁଝିବାକୁ ଲାଗେ, ଯାହା ସେ ତାʼ ଆଖପାଖରେ ଦେଖେ କିମ୍ବା ଶୁଣେ । ଧୀରେ ଧୀରେ ଯେତେବେଳେ ସେ ବଡ଼ ହେବାକୁ ଲାଗେ, ସେ ଆପେ ଆପେ ନିଜ ପିତାମାତାଙ୍କ ଭଳି ବ୍ୟବହାର କରିବାକୁ ଲାଗେ । ଅନେକ ଥର ବଡ଼ ଲୋକମାନେ ମଧ୍ୟ ଯାହା ସହିତ ଅଧିକ ସମୟ ବିତାଇଥାʼନ୍ତି, ସେମାନଙ୍କ ପରି ବ୍ୟବହାର କରନ୍ତି । ସେମାନେ ତାଙ୍କ ପରି ଚିନ୍ତା କରିବା ଓ କାମ କରିବାକୁ ଲାଗନ୍ତି ।

ହିତୋପଦେଶ ୧୩:୨୦ ପଦରେ ଲେଖାଅଛି, “ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ ।” ଏହି ପଦରେ କାହାରି “ସଙ୍ଗରେ ଗମନାଗମନ” କରିବାର ଅର୍ଥ ହେଉଛି, କେବଳ ଜଣେ ବ୍ୟକ୍ତିର ଆଖପାଖରେ ରହିବା ନୁହେଁ, ବରଂ ତାଙ୍କ ସହ ସମୟ ବିତାଇବା । ଜଣେ ବାଇବଲ ବିଦ୍ୱାନ୍‌ କହନ୍ତି ଯେ କାହାରି ସହ ଗମନାଗମନ କରିବାରେ ତାଙ୍କ ପ୍ରତି ପ୍ରେମ ଏବଂ ତାଙ୍କ ନିକଟତର ଅନୁଭବ କରିବା ମଧ୍ୟ ସାମିଲ୍‌ । ଆମେ ଯେଉଁ ଲୋକଙ୍କ ନିକଟତର ଅନୁଭବ କରୁ, ତାଙ୍କ ସହ ଆମେ ଅଧିକ ସମୟ ବିତାଇଥାଉ ଏବଂ ଏହା ଯୋଗୁଁ ଆମ ଉପରେ ତାଙ୍କ ପ୍ରଭାବ ମଧ୍ୟ ପଡ଼ିଥାଏ ।

ଆମ ଉପରେ ଆମ ମିତ୍ରମାନଙ୍କର ଭଲ କିମ୍ବା ଖରାପ ପ୍ରଭାବ ପଡ଼ିଥାଏ । ହିତୋପଦେଶ ୧୩:୨୦ ପଦରେ ଏହା ମଧ୍ୟ ଲେଖାଅଛି, “ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ ।” ଏବ୍ରୀ ଭାଷାରେ “ସଙ୍ଗୀ” ଶବ୍ଦର ଅର୍ଥ ହେଉଛି କାହାରି “ସଙ୍ଗରେ ମିତ୍ରତା” କରିବା । (ହିତୋପଦେଶ ୨୨:୨୪; ବିଚାରକର୍ତ୍ତା ୧୪:୨୦) ଈଶ୍ୱରଙ୍କୁ ପ୍ରେମ କରୁଥିବା ମିତ୍ରମାନେ ଆମକୁ ଈଶ୍ୱରଙ୍କ ବିଶ୍ୱସ୍ତ ରହିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । ଆମେ ବୁଝିବିଚାରି କିପରି ମିତ୍ରତା କରିପାରିବା, ଏହା ଜାଣିବା ପାଇଁ ଆସନ୍ତୁ ଦେଖିବା ଯେ ଯିହୋବା କିପରି ଲୋକମାନଙ୍କ ସହିତ ମିତ୍ରତା କରନ୍ତି ।

ଈଶ୍ୱରଙ୍କ ମିତ୍ର କିଏ ?

୪. (କ) ଈଶ୍ୱରଙ୍କ ମିତ୍ର ହେବା କାହିଁକି ଏକ ସମ୍ମାନର କଥା ? (ଖ) ଯିହୋବା ଅବ୍ରହାମଙ୍କୁ ନିଜ “ମିତ୍ର” ବୋଲି କାହିଁକି କହିଲେ ?

ଟିକିଏ ଭାବି ଦେଖନ୍ତୁ, ଯିହୋବାଙ୍କ ମିତ୍ର ହେବା ଆମ ପାଇଁ କେତେ ସମ୍ମାନର କଥା ! ସେ ସମସ୍ତ ଜଗତର ଅଧିକାରୀ, ତଥାପି ସେ ଚାହାନ୍ତି ଯେ ଆମେ ତାହାଙ୍କ ମିତ୍ର ହେଉ । କିନ୍ତୁ ଯିହୋବା ସମସ୍ତଙ୍କ ସହ ମିତ୍ରତା କରନ୍ତି ନାହିଁ । ସେ କେବଳ ସେମାନଙ୍କ ସହିତ ମିତ୍ରତା କରନ୍ତି, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଏବଂ ତାହାଙ୍କ ଉପରେ ବିଶ୍ୱାସ ରଖନ୍ତି । ଅବ୍ରହାମଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଈଶ୍ୱରଙ୍କ ବିଶ୍ୱସ୍ତ ଥିଲେ ଏବଂ ତାହାଙ୍କ ଆଜ୍ଞା ପାଳନ କରୁଥିଲେ । ସେ ଈଶ୍ୱରଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାହାଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥିଲେ । ସେ ନିଜ ପୁତ୍ର ଇସ୍‌ହାକକୁ ମଧ୍ୟ ବଳି କରିବାରୁ ପଛଘୁଞ୍ଚା ଦେଲେ ନାହିଁ । କାରଣ ତାଙ୍କୁ ବିଶ୍ୱାସ ଥିଲା ଯେ ତାଙ୍କ ପୁତ୍ରକୁ ‘ଈଶ୍ୱର ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନା କରିବାକୁ ସମର୍ଥ ।’ (ଏବ୍ରୀ ୧୧:୧୭-୧୯; ଆଦି ପୁସ୍ତକ ୨୨:୧, ୨, ୯-୧୩) ଅବ୍ରହାମଙ୍କ ପ୍ରେମ ଏବଂ ବିଶ୍ୱସ୍ତତା ଯୋଗୁଁ ହିଁ ଯିହୋବା ତାଙ୍କୁ ନିଜ “ମିତ୍ର” ବୋଲି କହିଲେ ।—ଯିଶାଇୟ ୪୧:୮; ଯାକୁବ ୨:୨୧-୨୩.

୫. ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି, ସେମାନଙ୍କ ବିଷୟରେ ସେ କିପରି ଭାବନ୍ତି ?

ଯିହୋବା ନିଜ ମିତ୍ରମାନଙ୍କୁ ବହୁମୂଲ୍ୟ ମନେ କରନ୍ତି । ତାଙ୍କ ମିତ୍ରମାନେ ସବୁବେଳେ ମନେ ରଖନ୍ତି ଯେ ସେମାନେ ଅନ୍ୟ କାହାରିଠୁ ଅଧିକ ଯିହୋବାଙ୍କ ସଦ୍‌ଭକ୍ତ ହୁଅନ୍ତୁ କିମ୍ବା ବିଶ୍ୱସ୍ତ ରହନ୍ତୁ । (ଗୀତସଂହିତା ୪:୩ ପଢ଼ନ୍ତୁ ।) ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ତେଣୁ ସେମାନେ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତି । ବାଇବଲରେ କୁହାଯାଇଛି ଯେ ଯିହୋବାଙ୍କର ‘ସରଳାଚାରୀମାନଙ୍କ ସଙ୍ଗେ ମିତ୍ରାଳାପ ଥାଏ ।’ ଅର୍ଥାତ୍‌, ଯେଉଁମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି । (ହିତୋପଦେଶ ୩:୩୨) ସେ ନିଜ ମିତ୍ରମାନଙ୍କୁ ନିଜ “ଆବାସରେ” ବିଶେଷ ଅତିଥି ହେବା ପାଇଁ ନିମନ୍ତ୍ରଣ ଦିଅନ୍ତି । ଏହାର ଅର୍ଥ ହେଉଛି ଯେ ସେ ସେମାନଙ୍କୁ ତାହାଙ୍କ ଉପାସନା କରିବା ପାଇଁ ଏବଂ ଯେକୌଣସି ସମୟରେ ତାହାଙ୍କୁ ପ୍ରାର୍ଥନା କରିବାର ସମ୍ମାନ ଦେଇଛନ୍ତି ।—ଗୀତସଂହିତା ୧୫:୧-୫.

୬. ଯଦି ଆମେ ଯୀଶୁଙ୍କୁ ପ୍ରେମ କରୁ, ତେବେ ଆମେ କʼଣ କରିବା ?

ଯୀଶୁ କହିଥିଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି ମୋହର ପିତା ତାହାକୁ ପ୍ରେମ କରିବେ ।” (ଯୋହନ ୧୪:୨୩) ଯଦି ଆମେ ଯିହୋବାଙ୍କ ମିତ୍ର ହେବାକୁ ଚାହୁଁ, ତେବେ ଆମେ ଯୀଶୁଙ୍କୁ ପ୍ରେମ କରିବା ଏବଂ ତାଙ୍କ ଆଜ୍ଞା ପାଳନ କରିବା । ଯେପରି— ସୁସମାଚାର ପ୍ରଚାର କରିବା ଏବଂ ଲୋକଙ୍କୁ ତାଙ୍କ ଶିଷ୍ୟ କରିବା । (ମାଥିଉ ୨୮:୧୯, ୨୦; ଯୋହନ ୧୪:୧୫, ୨୧) ଆମେ ଯୀଶୁଙ୍କୁ ପ୍ରେମ କରୁ, ତେଣୁ ଆମେ ତାଙ୍କ ‘ପଦଚିହ୍ନ ଦେଇ ଗମନ କରୁ ।’ (୧ ପିତର ୨:୨୧) ଆମେ ନିଜ କଥାବାର୍ତ୍ତା ଓ ବ୍ୟବହାରରେ ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଆମ ଏହି ଚେଷ୍ଟା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି ।

୭. ଆମେ ଯିହୋବାଙ୍କ ମିତ୍ରମାନଙ୍କ ସହ କାହିଁକି ମିତ୍ରତା କରିବା ଉଚିତ୍‌ ?

ଯିହୋବାଙ୍କ ମିତ୍ରମାନେ ଭରସାଯୋଗ୍ୟ, ବିଶ୍ୱସ୍ତ ଓ ଆଜ୍ଞାକାରୀ ହୋଇଥାʼନ୍ତି ଏବଂ ସେମାନେ ତାହାଙ୍କ ପୁତ୍ରଙ୍କୁ ମଧ୍ୟ ପ୍ରେମ କରନ୍ତି । ଯିହୋବା ଯେପରି ଲୋକଙ୍କ ସହ ମିତ୍ରତା କରନ୍ତି, କʼଣ ଆମେ ମଧ୍ୟ ସେପରି ଲୋକମାନଙ୍କ ସହ ମିତ୍ରତା କରୁ ? ଯୀଶୁଙ୍କ ଭଳି ଗୁଣ ବଢ଼ାଇବାରେ ଏବଂ ଲୋକଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିଖାଇବାରେ ଯେଉଁମାନେ ପରିଶ୍ରମ କରନ୍ତି, ଆମେ ତାଙ୍କ ସହ ମିତ୍ରତା କରିବା ଉଚିତ୍‌ । ସେମାନଙ୍କ ସହ ମିତ୍ରତା କଲେ ଆମକୁ ଏକ ଭଲ ମଣିଷ ହେବା ପାଇଁ ଏବଂ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ ମିଳିବ ।

ମିତ୍ରତା ବିଷୟରେ ବାଇବଲରୁ ଶିଖନ୍ତୁ

୮. ରୂତ ଓ ନୟମୀଙ୍କ ମିତ୍ରତା ବିଷୟରେ କେଉଁ କଥା ଆପଣଙ୍କୁ ଭଲ ଲାଗେ ?

ବାଇବଲରେ ଏପରି ଅନେକ ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଭଲ ମିତ୍ର ଥିଲେ । ଯେପରି ରୂତ ଏବଂ ତାଙ୍କ ଶାଶୁ ନୟମୀ । ଦୁହେଁ ଭିନ୍ନ ଭିନ୍ନ ଦେଶ ଓ ସଂସ୍କୃତିର ଥିଲେ । ନୟମୀ ରୂତଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ । ଦୁହେଁ ଯିହୋବାଙ୍କୁ ପ୍ରେମ କରୁଥିଲେ, ତେଣୁ ସେମାନେ ପରସ୍ପରର ଭଲ ମିତ୍ର ହୋଇପାରିଲେ । ଯେତେବେଳେ ନୟମୀ ମୋୟାବ ଦେଶ ଛାଡ଼ି ଇସ୍ରାଏଲକୁ ଫେରିବା ପାଇଁ ଇଚ୍ଛା କଲେ, ସେତେବେଳେ ‘ରୂତ ତାଙ୍କୁ ଧରି ରହିଲେ ।’ ସେ ନୟମୀଙ୍କୁ କହିଲେ, “ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ ।” (ରୂତ ୧:୧୪, ୧୬) ରୂତ ନୟମୀଙ୍କ ବହୁତ ଯତ୍ନ ନେଉଥିଲେ । ଯେତେବେଳେ ସେମାନେ ଇସ୍ରାଏଲ ପହଞ୍ଚିଲେ, ସେଠାରେ ନୟମୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ରୂତ ବହୁତ ପରିଶ୍ରମ କଲେ । ନୟମୀ ମଧ୍ୟ ରୂତକୁ ବହୁତ ପ୍ରେମ କରୁଥିଲେ ଏବଂ ତାକୁ ଭଲ ପରାମର୍ଶ ଦେଉଥିଲେ । ରୂତ ତାଙ୍କ ପରାମର୍ଶ ପାଳନ କଲେ, ତେଣୁ ଦୁହିଁଙ୍କୁ ଅନେକ ଆଶିଷ ମିଳିଲା ।—ରୂତ ୩:୬.

୯. ଦାଉଦ ଓ ଯୋନାଥନଙ୍କ ମିତ୍ରତା ବିଷୟରେ କେଉଁ କଥା ଆପଣଙ୍କୁ ଭଲ ଲାଗେ ?

ଦାଉଦ ଓ ଯୋନାଥନ ମଧ୍ୟ ଭଲ ମିତ୍ର ଥିଲେ । ସେମାନେ ଦୁହେଁ ଯିହୋବାଙ୍କ ବିଶ୍ୱସ୍ତ ଥିଲେ । ଯୋନାଥନ ଦାଉଦଙ୍କଠାରୁ ବୟସରେ ପ୍ରାୟ ୩୦ ବର୍ଷ ବଡ଼ ଥିଲେ ଏବଂ ଇସ୍ରାଏଲର ପରବର୍ତ୍ତୀ ରାଜା ହୋଇଥାʼନ୍ତେ । (୧ ଶାମୁୟେଲ ୧୭:୩୩; ୩୧:୨; ୨ ଶାମୁୟେଲ ୫:୪) ଯେତେବେଳେ ସେ ଜାଣିଲେ ଯେ ଯିହୋବା ତାଙ୍କ ପରିବର୍ତ୍ତେ ଦାଉଦଙ୍କୁ ରାଜା ଭାବେ ବାଛିଛନ୍ତି, ସେତେବେଳେ ସେ ଦାଉଦଙ୍କୁ ଈର୍ଷା କଲେ ନାହିଁ କିମ୍ବା ନିଜେ ରାଜା ହେବା ପାଇଁ କୌଣସି ଷଡ଼ଯନ୍ତ୍ର କଲେ ନାହିଁ । ଏହା ପରିବର୍ତ୍ତେ, ସେ ଦାଉଦଙ୍କୁ ସହଯୋଗ କଲେ । ଥରେ ଯେତେବେଳେ ଦାଉଦ ବିପଦରେ ଥିଲେ, ସେତେବେଳେ ଯୋନାଥନ ତାଙ୍କୁ ସାହାଯ୍ୟ କଲେ ଏବଂ ‘ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲେ ।’ ସେ ଦାଉଦଙ୍କ ପାଇଁ ନିଜ ଜୀବନ ବିପଦରେ ପକାଇଲେ । (୧ ଶାମୁୟେଲ ୨୩:୧୬, ୧୭) ଦାଉଦ ମଧ୍ୟ ଯୋନାଥନଙ୍କ ବିଶ୍ୱସ୍ତ ରହିଲେ । ସେ ଯୋନାଥନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ତାଙ୍କ ପରିବାରର ଯତ୍ନ ନେବେ । ଦାଉଦ ଏହି ପ୍ରତିଜ୍ଞାକୁ ଯୋନାଥନଙ୍କ ମୃତ୍ୟୁ ପରେ ମଧ୍ୟ ପୂରଣ କଲେ ।—୧ ଶାମୁୟେଲ ୧୮:୧; ୨୦:୧୫-୧୭, ୩୦-୩୪; ୨ ଶାମୁୟେଲ ୯:୧-୭.

୧୦. ତିନି ଏବ୍ରୀ ଯୁବକଙ୍କଠାରୁ ଆପଣ ମିତ୍ରତା ବିଷୟରେ କʼଣ ଶିଖନ୍ତି ?

୧୦ ଶଦ୍ରକ୍‌, ମୈଶକ ଓ ଅବେଦ୍‌-ନଗୋ ନାମକ ତିନି ଏବ୍ରୀ ଯୁବକ ମଧ୍ୟ ଭଲ ମିତ୍ର ଥିଲେ । ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂର ଏକ ଅଜଣା ଦେଶରେ ନିଆଯାଇଥିଲା । ସେଠାରେ ସେମାନଙ୍କ ସହ ତାଙ୍କ ପରିବାର ଲୋକେ ନ ଥିଲେ । ଏପରି ପରିସ୍ଥିତିରେ ସେମାନେ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ପରସ୍ପରକୁ ସାହାଯ୍ୟ କଲେ । ବଡ଼ ହେବା ପରେ, ଥରେ ସେମାନଙ୍କ ବିଶ୍ୱାସର ପରୀକ୍ଷା ହେଲା । ରାଜା ନବୂଖଦ୍‌ନିତ୍ସର ଏକ ଆଜ୍ଞା ଦେଲେ ଯେ ସବୁଲୋକ ସୁନାର ମୂର୍ତ୍ତିକୁ ଉପାସନା କରନ୍ତୁ । କିନ୍ତୁ ଶଦ୍ରକ୍‌, ମୈଶକ ଓ ଅବେଦ୍‌-ନଗୋ ସେହି ମୂର୍ତ୍ତିର ଉପାସନା କରିବାକୁ ମନା କରିଦେଲେ ଏବଂ ରାଜାଙ୍କୁ କହିଲେ, “ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ ।” ଏପରି ଭାବେ ଏହି ତିନି ମିତ୍ର ପରୀକ୍ଷା ସମୟରେ ମଧ୍ୟ ନିଜ ଈଶ୍ୱରଙ୍କ ଉପାସନା କରିବା ଛାଡ଼ିଲେ ନାହିଁ ।—ଦାନିୟେଲ ୧:୧-୧୭; ୩:୧୨, ୧୬-୨୮.

୧୧. ପାଉଲ ଓ ତୀମଥି ଭଲ ମିତ୍ର କିପରି ହୋଇପାରିଲେ ?

୧୧ ଯେତେବେଳେ ପାଉଲଙ୍କ ସାକ୍ଷାତ ତୀମଥି ନାମକ ଏକ ଯୁବକଙ୍କ ସହିତ ହେଲା, ସେ ଦେଖିପାରିଲେ ଯେ ତୀମଥି ଯିହୋବାଙ୍କୁ କେତେ ପ୍ରେମ କରନ୍ତି ଏବଂ ମଣ୍ଡଳୀ ପାଇଁ କେତେ ଚିନ୍ତା କରନ୍ତି । ଏହି କାରଣ ଯୋଗୁଁ ପାଉଲ ତୀମଥିଙ୍କୁ ନିଜ ସହ ଭିନ୍ନ ଭିନ୍ନ ସ୍ଥାନକୁ ନେଲେ ଏବଂ ତାଙ୍କୁ ଭାଇଭଉଣୀଙ୍କ ସାହାଯ୍ୟ କରିବା ପାଇଁ ଶିଖାଇଲେ । (ପ୍ରେରିତ ୧୬:୧-୮; ୧୭:୧୦-୧୪) ତୀମଥି ଈଶ୍ୱରଙ୍କ ସେବାରେ ବହୁତ ପରିଶ୍ରମ କରିଥିଲେ । ତେଣୁ ପାଉଲ ତାଙ୍କ ବିଷୟରେ କହିଲେ ଯେ ‘ସେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ ।’ ପାଉଲଙ୍କୁ ଭରସା ଥିଲା ଯେ ତୀମଥି ନିଜ ଭାଇଭଉଣୀଙ୍କ ବିଷୟରେ “ପ୍ରକୃତରେ ମନୋଯୋଗ କରିବ ।” ସେ ଦୁହେଁ ମିଶି ଯିହୋବାଙ୍କ ସେବାରେ ବହୁତ ପରିଶ୍ରମ କଲେ । ତେଣୁ ସେମାନେ ଭଲ ମିତ୍ର ହୋଇପାରିଲେ ।—ଫିଲିପ୍ପୀୟ ୨:୨୦-୨୨; ୧ କରିନ୍ଥୀୟ ୪:୧୭.

କାହା ସହ ମିତ୍ରତା କରିବା ?

୧୨, ୧୩. (କ) ଆମକୁ ମଣ୍ଡଳୀରେ ମଧ୍ୟ କାହିଁକି ବୁଝିବିଚାରି ମିତ୍ର ବାଛିବା ଉଚିତ୍‌ ? (ଖ) ପ୍ରେରିତ ପାଉଲ ୧ କରିନ୍ଥୀୟ ୧୫:୩୩ ପଦରେ କʼଣ ପରାମର୍ଶ ଦେଇଛନ୍ତି ?

୧୨ ଆମେ ମଣ୍ଡଳୀର ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା ଏବଂ ସତ୍ୟରେ ମଜବୁତ୍‌ ରହିବା ପାଇଁ ପରସ୍ପରକୁ ସାହାଯ୍ୟ କରିପାରିବା । (ରୋମୀୟ ୧:୧୧, ୧୨ ପଢ଼ନ୍ତୁ ।) କିନ୍ତୁ ମଣ୍ଡଳୀରେ ମଧ୍ୟ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କାହା ସହିତ ଅଧିକାଂଶ ସମୟ ବିତାଉ । କାରଣ ମଣ୍ଡଳୀରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଥାʼନ୍ତି । କିଛି ଲୋକ ଭିନ୍ନ ଭିନ୍ନ ଭାଷା ଓ ସଂସ୍କୃତିର ହୋଇଥାʼନ୍ତି । ହୁଏତ କିଛି ଲୋକ ସତ୍ୟରେ ନୂଆ ଅଟନ୍ତି, ଆଉ କିଛି ଲୋକ ବହୁତ ବର୍ଷରୁ ଯିହୋବାଙ୍କ ସେବା କରୁଛନ୍ତି । ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ସମୟ ଲାଗେ, ଠିକ୍‌ ଯେପରି ଗୋଟିଏ ଫଳକୁ ପାଚିବା ପାଇଁ ସମୟ ଲାଗିଥାଏ । ତେଣୁ ଆମେ ପରସ୍ପର ସହ ପ୍ରେମ ଏବଂ ଧୈର୍ଯ୍ୟର ସହ ବ୍ୟବହାର କରିବା ଉଚିତ୍‌ ଏବଂ ସର୍ବଦା ବୁଝିବିଚାରି ମିତ୍ର ବାଛିବା ଉଚିତ୍‌ ।—ରୋମୀୟ ୧୪:୧; ୧୫:୧; ଏବ୍ରୀ ୫:୧୨–୬:୩.

୧୩ ବେଳେ ବେଳେ ଆମକୁ ମିତ୍ରତା ବିଷୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିପାରେ । ହୁଏତ ଜଣେ ଭାଇ କିମ୍ବା ଭଉଣୀ ଏପରି କାମ କରୁଛନ୍ତି, ଯାହା ବାଇବଲ ମୁତାବକ ଭୁଲ ଅଟେ କିମ୍ବା ସେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ଚୁଗଲି କରୁଛନ୍ତି, ଯାହାଦ୍ୱାରା ମଣ୍ଡଳୀରେ ଖରାପ ପ୍ରଭାବ ପଡ଼ୁଛି । ଏହା ଦେଖି ଆମେ ଆଶ୍ଚର୍ଯ୍ୟ ହେବା ଉଚିତ୍‌ ନୁହେଁ, କାରଣ ପ୍ରଥମ ଶତାବ୍ଦୀରେ ମଧ୍ୟ ମଣ୍ଡଳୀରେ ସମସ୍ୟା ହେଉଥିଲା । ତେଣୁ ପ୍ରେରିତ ପାଉଲ ସେହି ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ ।” (୧ କରିନ୍ଥୀୟ ୧୫:୧୨, ୩୩) ପାଉଲ ତୀମଥିଙ୍କୁ ପରାମର୍ଶ ଦେଲେ ଯେ ମିତ୍ର ବାଛିବା କ୍ଷେତ୍ରରେ ତାଙ୍କୁ ବୁଝିବିଚାରି କାମ କରିବା ଉଚିତ୍‌ । ଆମେ ମଧ୍ୟ ଏପରି କରିବା ଉଚିତ୍‌ ।—୨ ତୀମଥି ୨:୨୦-୨୨ ପଢ଼ନ୍ତୁ ।

୧୪. ଯଦି ଆମେ ଖରାପ ଲୋକମାନଙ୍କ ସହ ମିତ୍ରତା କରିବା, ତେବେ ଯିହୋବାଙ୍କ ସହ ଆମ ସମ୍ପର୍କ କିପରି ବିପଦରେ ପଡ଼ିପାରେ ?

୧୪ ଯିହୋବାଙ୍କ ସହ ଆମ ସମ୍ପର୍କକୁ ସବୁବେଳେ ରକ୍ଷା କରିବା ଉଚିତ୍‌ । ଆମ ଜୀବନରେ ଯିହୋବାଙ୍କ ସହ ଆମ ସମ୍ପର୍କ ସବୁଠୁ ଅଧିକ ମହତ୍ତ୍ୱ ରଖେ । ଆମେ ଏପରି ଲୋକମାନଙ୍କ ସହ ମିତ୍ରତା କରିବା ଉଚିତ୍‌ ନୁହେଁ, ଯେଉଁମାନଙ୍କ ଯୋଗୁଁ ଯିହୋବାଙ୍କ ସହ ଆମ ସମ୍ପର୍କ ବିପଦରେ ପଡ଼ିପାରେ । ଯଦି ଆମେ ଏକ ସ୍ପଞ୍ଜକୁ ମଇଳା ପାଣିରେ ବୁଡ଼ାଇବା, ତେବେ ତାହା ମଇଳା ପାଣିକୁ ହିଁ ଶୋଷିବ ସଫା ପାଣିକୁ ନୁହେଁ । ଠିକ୍‌ ସେହିପରି, ଯଦି ଆମେ ଖରାପ କାମ କରୁଥିବା ଲୋକମାନଙ୍କ ସହ ମିତ୍ରତା କରିବା, ତେବେ ଆମେ ମଧ୍ୟ ସେପରି କରିପାରୁ ଏବଂ ଠିକ୍‌ କାମ କରିବା ଆମ ପାଇଁ କଷ୍ଟକର ହୋଇପାରେ । ତେଣୁ ଆମେ ଭାବିଚିନ୍ତି ମିତ୍ର ବାଛିବା ଉଚିତ୍‌ ।—୧ କରିନ୍ଥୀୟ ୫:୬; ୨ ଥେସଲନୀକୀୟ ୩:୬, ୭, ୧୪.

ଆପଣ ଏପରି ମିତ୍ର ପାଇପାରିବେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି

୧୫. ମଣ୍ଡଳୀରେ ଭଲ ମିତ୍ର ପାଇବା ପାଇଁ ଆପଣ କʼଣ କରିପାରିବେ ?

୧୫ ମଣ୍ଡଳୀରେ ଆପଣ ଏପରି ମିତ୍ର ପାଇବେ, ଯେଉଁମାନେ ଯିହୋବାଙ୍କୁ ହୃଦୟରୁ ପ୍ରେମ କରନ୍ତି । ସେମାନେ ଆପଣଙ୍କ ପ୍ରକୃତ ମିତ୍ର ହୋଇପାରିବେ । (ଗୀତସଂହିତା ୧୩୩:୧) କେବଳ ସେମାନଙ୍କ ସହିତ ମିତ୍ରତା କରନ୍ତୁ ନାହିଁ, ଯେଉଁମାନେ ଆପଣଙ୍କ ବୟସ, ଭାଷା ଓ ସଂସ୍କୃତିର ଅଟନ୍ତି । ମନେ ପକାନ୍ତୁ ଯେ ଯୋନାଥନ ଦାଉଦଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ ଏବଂ ରୂତ ନୟମୀଙ୍କଠାରୁ ବହୁତ ଛୋଟ ଥିଲେ । ଆମେ ବାଇବଲର ଏହି ପରାମର୍ଶକୁ ପାଳନ କରିବା ଉଚିତ୍‌, ‘ତୁମ୍ଭେମାନେ ପ୍ରଶସ୍ତମନା [ନିଜ ହୃଦୟକୁ ବଡ଼ କରିବା] ହୁଅ ।’ (୨ କରିନ୍ଥୀୟ ୬:୧୩; ୧ ପିତର ୨:୧୭ ପଢ଼ନ୍ତୁ ।) ଆମେ ଯିହୋବାଙ୍କ ପରି ଗୁଣ ଯେତେ ଅଧିକ ନିଜ ଭିତରେ ବଢ଼ାଇବା, ସେତେ ଅଧିକ ଲୋକମାନେ ଆମ ସହ ମିତ୍ରତା କରିବାକୁ ଚାହିଁବେ ।

ଯେତେବେଳେ ସମସ୍ୟା ଆସେ

୧୬, ୧୭. ଯଦି କୌଣସି ଭାଇ କିମ୍ବା ଭଉଣୀ ଆମ ମନକୁ ଆଘାତ ପହଞ୍ଚାନ୍ତି, ତେବେ ଆମେ କାହିଁକି ମଣ୍ଡଳୀରୁ ଦୂରେଇଯିବା ଉଚିତ୍‌ ନୁହେଁ ?

୧୬ ଯେପରି ଗୋଟିଏ ପରିବାରରେ ସମସ୍ତଙ୍କ ସ୍ୱଭାବ, ଚିନ୍ତାଧାରା ଏବଂ କାମ କରିବାର ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ, ଠିକ୍‌ ସେହିପରି ମଣ୍ଡଳୀରେ ମଧ୍ୟ ସମସ୍ତେ ଭିନ୍ନ ଭିନ୍ନ ହୋଇଥାʼନ୍ତି । ଭିନ୍ନ ଭିନ୍ନ ହୋଇଥିବା ଯୋଗୁଁ ଆମକୁ ଅନ୍ୟମାନଙ୍କ ସହିତ ରହିବା ଭଲ ଲାଗେ ଏବଂ ଆମେ ବହୁତ କିଛି ଶିଖିପାରୁ । କିନ୍ତୁ ବେଳେ ବେଳେ ଏହି ଭିନ୍ନତା ଆମ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରିପାରେ ଏବଂ ଆମେ ପରସ୍ପର ଉପରେ ବିରକ୍ତ ହୋଇପାରୁ । ହୁଏତ ଆମକୁ ତାଙ୍କ କୌଣସି କଥା ଖରାପ ଲାଗିପାରେ ଏବଂ ଆମ ମନକୁ ଆଘାତ ପହଞ୍ଚିପାରେ । (ହିତୋପଦେଶ ୧୨:୧୮) କʼଣ ଏପରି ସମୟରେ ଆମେ ରାଗିଯିବା କିମ୍ବା ମଣ୍ଡଳୀରୁ ଦୂରେଇଯିବା ?

୧୭ ନାହିଁ । କେହି ଆମ ମନକୁ ଆଘାତ ପହଞ୍ଚାନ୍ତୁ ନା କାହିଁକି, ଆମେ ମଣ୍ଡଳୀରୁ ଦୂରେଇଯିବା ଉଚିତ୍‌ ନୁହେଁ । ମଣ୍ଡଳୀର ବ୍ୟବସ୍ଥା ଯିହୋବା କରିଛନ୍ତି, ଯାହାଦ୍ୱାରା ଆମର ବିଶ୍ୱାସ ମଜବୁତ୍‌ ହୁଏ । (ଏବ୍ରୀ ୧୩:୧୭) ଯିହୋବା ଆମ ମନକୁ ଆଘାତ ପହଞ୍ଚାଇ ନାହାନ୍ତି, ବରଂ ସେ ଆମକୁ ଜୀବନ ଓ ଅନ୍ୟସବୁ ଜିନିଷ ଦେଇଛନ୍ତି । ତେଣୁ ଆମେ ତାହାଙ୍କୁ ପ୍ରେମ କରିବା ଉଚିତ୍‌ ଏବଂ ତାହାଙ୍କ ବିଶ୍ୱସ୍ତ ରହିବା ଉଚିତ୍‌ । (ପ୍ରକାଶିତ ବାକ୍ୟ ୪:୧୧) ଆମେ ଅନ୍ୟ କାହାରି ଯୋଗୁଁ ମଣ୍ଡଳୀରୁ ଦୂରେଇଯିବା ଉଚିତ୍‌ ନୁହେଁ ।—ଗୀତସଂହିତା ୧୧୯:୧୬୫ ପଢ଼ନ୍ତୁ ।

୧୮. (କ) ଆମେ ଭାଇଭଉଣୀଙ୍କ ସହ ଭଲ ସମ୍ପର୍କ କିପରି ରଖିପାରିବା ? (ଖ) ଆମେ ଅନ୍ୟମାନଙ୍କୁ କାହିଁକି କ୍ଷମା କରିବା ଉଚିତ୍‌ ?

୧୮ ଆମେ ନିଜ ଭାଇଭଉଣୀଙ୍କୁ ପ୍ରେମ କରୁ ଏବଂ ତାଙ୍କ ସହ ଏକ ଭଲ ସମ୍ପର୍କ ରଖିବାକୁ ଚାହୁଁ । ଯିହୋବା କୌଣସି ବ୍ୟକ୍ତିଠାରୁ ଆଶା କରନ୍ତି ନାହିଁ ଯେ ସେ କେବେ କୌଣସି ଭୁଲ କରିବ ନାହିଁ । ଆମେ ମଧ୍ୟ ଅନ୍ୟମାନଙ୍କଠାରୁ ଏପରି ଆଶା କରିବା ନାହିଁ । (ହିତୋପଦେଶ ୧୭:୯; ୧ ପିତର ୪:୮) ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ, କିନ୍ତୁ ଯଦି ଆମ ମଧ୍ୟରେ ପରସ୍ପର ପ୍ରତି ପ୍ରେମ ଥାଏ, ତେବେ ଆମେ “ଏକକୁଆରେକ କ୍ଷମା” କରିପାରିବା । (କଲସୀୟ ୩:୧୩) କୌଣସି ଭୁଲ ବୁଝାମଣା ହେଲେ, ଆମେ ତାହାକୁ ତିଳକୁ ତାଳ କରି କହିବା ଉଚିତ୍‌ ନୁହେଁ । ଏହା ସତ ଯେ ଯଦି କେହି ଆମ ମନକୁ ଆଘାତ ପହଞ୍ଚାଏ, ତେବେ ଆମେ ବହୁତ ରାଗିଯାଉ । ଆଉ, ଅନେକ ଦିନ ଯାଏଁ ଏହା ଆମ ମନରେ ରହିଯାଏ ଏବଂ ସେହି କଥାକୁ ଭୁଲିବା ଏତେ ସହଜ ହୋଇ ନ ଥାଏ । ଏହାଦ୍ୱାରା ଆମ ଖୁସି ଚାଲିଯାଏ ଏବଂ ଆମେ ମନ ଭିତରେ ହୁଏତ ରାଗ ରଖିପାରୁ । କିନ୍ତୁ ଯଦି ଆମେ ସେହି ବ୍ୟକ୍ତିକୁ କ୍ଷମା କରିଦେଉ, ତେବେ ଆମକୁ ମନର ଶାନ୍ତି ମିଳିବ, ମଣ୍ଡଳୀରେ ଏକତା ରହିବ ଏବଂ ସବୁଠୁ ଜରୁରୀ ଆମେ ଯିହୋବାଙ୍କ ସହ ଏକ ଭଲ ସମ୍ପର୍କର ଆନନ୍ଦ ନେଇପାରିବା ।—ମାଥିଉ ୬:୧୪, ୧୫; ଲୂକ ୧୭:୩, ୪; ରୋମୀୟ ୧୪:୧୯.

ଯେତେବେଳେ କାହାରିକୁ ବହିଷ୍କାର କରାଯାଏ

୧୯. ଆମେ କେତେବେଳେ ମଣ୍ଡଳୀର କୌଣସି ସଦସ୍ୟ ସହ ସମ୍ପର୍କ ରଖିବା ଉଚିତ୍‌ ନୁହେଁ ?

୧୯ ଯେଉଁ ପରିବାରରେ ପ୍ରେମ ଥାଏ, ସେଠାରେ ସମସ୍ତେ ନିଜ ଦାୟିତ୍ୱ ଭଲ ଭାବେ ତୁଲାନ୍ତି । ଏପରି କଲେ ସମସ୍ତେ ଖୁସିରେ ରହନ୍ତି । କିନ୍ତୁ କଳ୍ପନା କରନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ପରିବାରର ନିୟମ ମୁତାବକ ଚାଲେ ନାହିଁ । ପରିବାରର ସମସ୍ତେ ତାକୁ ବୁଝାନ୍ତି, କିନ୍ତୁ ସେ କାହାରି କଥା ଶୁଣେ ନାହିଁ । ପରେ ସେ ଘର ଛାଡ଼ି ଚାଲିଯାଏ କିମ୍ବା ହୁଏତ ପରିବାରର ମୁଖିଆ ତାକୁ ଘର ଛାଡ଼ି ଚାଲିଯିବା ପାଇଁ କହନ୍ତି । ଠିକ୍‌ ସେହିପରି, ମଣ୍ଡଳୀରେ ମଧ୍ୟ ହୁଏ । ଜଣେ ଭାଇ କିମ୍ବା ଭଉଣୀ ହୁଏତ ଜାଣିଶୁଣି ଏପରି କାମ କରନ୍ତି, ଯାହାଦ୍ୱାରା ଯିହୋବାଙ୍କୁ ଦୁଃଖ ପହଞ୍ଚିପାରେ ଏବଂ ମଣ୍ଡଳୀ ଉପରେ ତାʼର ଖରାପ ପ୍ରଭାବ ପଡ଼ିପାରେ । ଅନେକ ଲୋକ ତାକୁ ବୁଝାନ୍ତି । କିନ୍ତୁ ସେ ତାଙ୍କ କଥା ଶୁଣେ ନାହିଁ ଏବଂ ନିଜ ଇଚ୍ଛା ଅନୁସାରେ କାମ କରିଚାଲେ । ଏପରି କରି ସେ ଦେଖାଏ ଯେ ସେ ଆଉ ମଣ୍ଡଳୀର ସଦସ୍ୟ ହୋଇ ରହିବାକୁ ଚାହେଁ ନାହିଁ । ହୁଏତ ସେ ନିଜେ ମଣ୍ଡଳୀ ଛାଡ଼ି ଚାଲି ଯାଇପାରେ କିମ୍ବା ତାକୁ ବହିଷ୍କାର କରି ଦିଆଯାଇପାରେ । ବାଇବଲ ସ୍ପଷ୍ଟ ଭାବେ କହେ ଯେ ଆମେ ଏପରି ବ୍ୟକ୍ତିଙ୍କ ସହ ‘ସମ୍ପର୍କ ରଖିବା’ ଉଚିତ୍‌ ନୁହେଁ । (୧ କରିନ୍ଥୀୟ ୫:୧୧-୧୩ ପଢ଼ନ୍ତୁ; ୨ ଯୋହନ ୯-୧୧) ଯଦି କୌଣସି ମିତ୍ର କିମ୍ବା ଆମ ପରିବାରର ଜଣେ ସଦସ୍ୟ ଏପରି କରନ୍ତି, ତେବେ ତାଙ୍କ ସହ ସମ୍ପର୍କ ନ ରଖିବା ଆମ ପାଇଁ କଷ୍ଟକର ହୋଇପାରେ । ଏପରି ପରିସ୍ଥିତିରେ ଆମକୁ ମନେ ରଖିବା ଉଚିତ୍‌ ଯେ ଆମେ କୌଣସି ବ୍ୟକ୍ତିଠାରୁ ଅଧିକ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌ ।—ଅଧିକ ବିବରଣୀ-୮ ଦେଖନ୍ତୁ ।

୨୦, ୨୧. (କ) ବହିଷ୍କାରର ବ୍ୟବସ୍ଥାରୁ ପ୍ରେମ କିପରି ଜଣାପଡ଼େ ? (ଖ) ଆମେ ବୁଝିବିଚାରି ମିତ୍ର କାହିଁକି ବାଛିବା ଉଚିତ୍‌ ?

୨୦ ବହିଷ୍କାର କରିବାର ବ୍ୟବସ୍ଥା ଯିହୋବାଙ୍କ ତରଫରୁ ଏକ ପ୍ରେମଭରା ବ୍ୟବସ୍ଥା ଅଟେ । ଏହି ବ୍ୟବସ୍ଥା ଯୋଗୁଁ ମଣ୍ଡଳୀ ଉପରେ ଏପରି ଲୋକଙ୍କ ଖରାପ ପ୍ରଭାବ ପଡ଼େ ନାହିଁ, ଯେଉଁମାନେ ଯିହୋବାଙ୍କ ମାନଦଣ୍ଡ ଅନୁଯାୟୀ ଚାଲନ୍ତି ନାହିଁ । (୧ କରିନ୍ଥୀୟ ୫:୭; ଏବ୍ରୀ ୧୨:୧୫, ୧୬) ଆମକୁ ଏହା ଦେଖାଇବାର ସୁଯୋଗ ମିଳେ ଯେ ଆମେ ଯିହୋବା, ତାହାଙ୍କ ପବିତ୍ର ନାମ ଏବଂ ତାହାଙ୍କ ଉଚ୍ଚ ମାନଦଣ୍ଡଗୁଡ଼ିକୁ କେତେ ପ୍ରେମ କରୁ । (୧ ପିତର ୧:୧୫, ୧୬) ଏହି ବ୍ୟବସ୍ଥା ଦ୍ୱାରା ବହିଷ୍କୃତ ବ୍ୟକ୍ତିକୁ ମଧ୍ୟ ଲାଭ ହୁଏ । କିପରି ? ଯେତେବେଳେ ତାʼକୁ କଡ଼ା ଅନୁଶାସନ ଦିଆଯାଏ, ସେତେବେଳେ ହୁଏତ ସେ ହୃଦୟଙ୍ଗମ କରିପାରେ ଯେ ସେ ଯାହା କଲା, ତାହା ଭୁଲ ଥିଲା ଏବଂ ତାʼକୁ ସେହି କାମ ଛାଡ଼ିବା ଉଚିତ୍‌ । ବହିଷ୍କାର କରାଯାଇଥିବା ଅନେକ ଲୋକ ଯିହୋବାଙ୍କ ପାଖକୁ ଫେରି ଆସିଛନ୍ତି ଏବଂ ମଣ୍ଡଳୀର ଭାଇଭଉଣୀମାନେ ତାଙ୍କୁ ପୁଣିଥରେ ପ୍ରେମର ସହ ଆପଣାଇଛନ୍ତି ।—ଏବ୍ରୀ ୧୨:୧୧.

୨୧ ଆମ ମିତ୍ରମାନଙ୍କ ଆମ ଉପରେ ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଆମେ ବୁଝିବିଚାରି ମିତ୍ର ବାଛିବା ଉଚିତ୍‌ । ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ସହ ମିତ୍ରତା କରିବା, ତେବେ ଆମେ ଏପରି ଲୋକମାନଙ୍କ ସହ ରହୁଥିବା, ଯେଉଁମାନେ ସର୍ବଦା ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ସାହାଯ୍ୟ କରିବେ ।