इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୯

“ବ୍ୟଭିଚାରଠାରୁ ପଳାୟନ କର”

“ବ୍ୟଭିଚାରଠାରୁ ପଳାୟନ କର”

“ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‌ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମାପୂଜା ରୂପ ଲୋଭ, ଏହିସବୁ ପ୍ରତି ମୃତ ହୁଅ ।”—କଲସୀୟ ୩:୫.

୧, ୨. ବିଲୀୟମ ଯିହୋବାଙ୍କ ଲୋକମାନଙ୍କୁ ଫସାଇବା ପାଇଁ କେଉଁ ଉପାୟ ପାଞ୍ଚିଲେ ?

 କʼଣ ଆପଣ କେବେ ଜଣେ ମାଛଧରାଳିକୁ ମାଛ ଧରିବାର ଦେଖିଛନ୍ତି । ଯଦି ତାକୁ ଏକ ବିଶେଷ ପ୍ରକାରର ମାଛ ଧରିବାର ଅଛି, ତେବେ ସେ ସେହି ପୋଖରୀରେ ଯାଏ ଯେଉଁଠାରେ ତାହା ମିଳେ । ସେ ଭାବିଚିନ୍ତି ଚାରା ବାଛେ । ପରେ ସେ ଚାରାକୁ କଣ୍ଟାରେ ଲଗାଇ ପାଣିରେ ପକାଇ ଦିଏ ଏବଂ ଅପେକ୍ଷା କରେ । ଯେତେବେଳେ ମାଛ ଆସି ଚାରା ଖାଏ, ସେତେବେଳେ ମାଛଧରାଳି ତୁରନ୍ତ କଣ୍ଟାକୁ ମାଛ ମୁହଁରେ ଫସାଇ ବାହାରକୁ ଟାଣି ଆଣେ ।

ଠିକ୍‌ ସେହିପରି, ମନୁଷ୍ୟମାନଙ୍କୁ ମଧ୍ୟ ଚାରା ପକାଇ ଫସା ଯାଇପାରେ । ଇସ୍ରାଏଲୀୟମାନଙ୍କ ସହିତ ହୋଇଥିବା ଗୋଟିଏ ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ । ସେମାନେ ମୋୟାବ ଦେଶର ପଡ଼ିଆରେ ଛାଉଣୀ ଦେଇ ରହୁଥିଲେ ଏବଂ ଖୁବ୍‌ ଶୀଘ୍ର ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିଥାʼନ୍ତେ । ମୋୟାବ ଦେଶର ରାଜା, ବିଲୀୟମକୁ ପ୍ରତିଜ୍ଞା କରିଥିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବେ, ତେବେ ସେ ତାଙ୍କୁ ବହୁତ ଧନସମ୍ପତ୍ତି ଦେବେ । ଶେଷରେ ବିଲୀୟମ ଗୋଟିଏ ଉପାୟ ପାଞ୍ଚିଲେ, ଯେଉଁଥିରୁ ଇସ୍ରାଏଲୀୟମାନେ ନିଜେ ନିଜ ଉପରେ ଅଭିଶାପ ଆଣିଥାʼନ୍ତେ । ସେ ବହୁତ ଭାବିଚିନ୍ତି ଚାରା ପକାଇଲେ । ସେ ଇସ୍ରାଏଲୀୟ ପୁରୁଷମାନଙ୍କୁ ଅନୈତିକ କାମରେ ଫସାଇବା ପାଇଁ ମୋୟାବ ଦେଶର କିଛି ଯୁବା ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନଙ୍କ ଛାଉଣୀରେ ପଠାଇଲେ ।—ଗଣନା ପୁସ୍ତକ ୨୨:୧-୭; ୩୧:୧୫, ୧୬; ପ୍ରକାଶିତ ବାକ୍ୟ ୨:୧୪.

୩. ବିଲୀୟମର ଷଡ଼ଯନ୍ତ୍ର କିପରି ସଫଳ ହେଲା ?

କʼଣ ବିଲୀୟମଙ୍କ ଷଡ଼ଯନ୍ତ୍ର ସଫଳ ହେଲା ? ହଁ । ହଜାର ହଜାର ଇସ୍ରାଏଲୀୟ ପୁରୁଷମାନେ “ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ ।” ସେମାନେ ମିଥ୍ୟା ଦେବାଦେବୀଙ୍କୁ ପୂଜା କରିବାକୁ ଲାଗିଲେ, ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା ପିୟୋର ଦେଶର ବାଲ୍‌ ଦେବତା । ସେ ସେକ୍ସର ଦେବତା ଥିଲା । ଏହା ଯୋଗୁଁ ୨୪,୦୦୦ ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞାତ ଦେଶର ସୀମାରେ ହିଁ ମାରି ଦିଆଗଲା ।—ଗଣନା ପୁସ୍ତକ ୨୫:୧-୯.

୪. ହଜାର ହଜାର ଇସ୍ରାଏଲୀୟମାନେ କାହିଁକି ପାପ କଲେ ?

ହଜାର ହଜାର ଇସ୍ରାଏଲୀୟମାନେ କାହିଁକି ଏହି ଫାନ୍ଦରେ ଫସିଗଲେ ? ସେମାନେ କେବଳ ନିଜ ଶରୀରର ଇଚ୍ଛାକୁ ପୂରଣ କରିବାକୁ ଚାହୁଁଥିଲେ ଏବଂ ସେମାନେ ଭୁଲିଗଲେ ଯେ ଯିହୋବା ସେମାନଙ୍କ ପାଇଁ କʼଣ କʼଣ କରିଥିଲେ । ଯିହୋବା ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଥିଲେ, ମରୁଭୂମିରେ ସେମାନଙ୍କ ଯତ୍ନ ନେଇଥିଲେ ଏବଂ ପ୍ରତିଜ୍ଞାତ ଦେଶର ସୀମା ପର୍ଯ୍ୟନ୍ତ ସୁରକ୍ଷିତ ପହଞ୍ଚାଇଥିଲେ । (ଏବ୍ରୀ ୩:୧୨) ତଥାପି ସେମାନେ ଯିହୋବାଙ୍କ ଆଜ୍ଞା ପାଳନ କଲେ ନାହିଁ ଏବଂ ଅନୈତିକ କାମ କଲେ । ଏହି ଘଟଣାକୁ ଉଲ୍ଲେଖ କରି ପ୍ରେରିତ ପାଉଲ ପରାମର୍ଶ ଦେଲେ, ‘ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ ।’—୧ କରିନ୍ଥୀୟ ୧୦:୮.

୫, ୬. ପ୍ରତିଜ୍ଞାତ ଦେଶର ସୀମାରେ ଯାହା ଘଟିଲା, ସେଥିରୁ ଆମେ କʼଣ ଶିଖୁ ?

ଆମେ ନୂତନ ଜଗତର ବହୁତ ନିକଟରେ ଅଛୁ । ଯେପରି ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶର ସୀମାରେ ପହଞ୍ଚି ଯାଇଥିଲେ, ଠିକ୍‌ ସେହିପରି ଆଜି ଆମେ ମଧ୍ୟ ନୂତନ ଜଗତର ସୀମାରେ ପହଞ୍ଚି ଯାଇଛୁ । (୧ କରିନ୍ଥୀୟ ୧୦:୧୧) ଆଜିର ଜଗତ ପ୍ରାଚୀନ କାଳର ମୋୟାବୀୟମାନଙ୍କଠାରୁ ମଧ୍ୟ ଅଧିକ ଖରାପ ଏବଂ ସେକ୍ସ ପଛରେ ପାଗଳ । ଜଗତର ଏହି ଚିନ୍ତାଧାରା ଯିହୋବାଙ୍କ ଲୋକମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଲୋକମାନଙ୍କୁ ଫସାଇବାର ଶୟତାନର ସବୁଠୁ ବଢ଼ିଆ ଚାରା ହେଉଛି— ବ୍ୟଭିଚାର ବା ଅନୈତିକ ଯୌନ ସମ୍ପର୍କ ।—ଗଣନା ପୁସ୍ତକ ୨୫:୬, ୧୪; ୨ କରିନ୍ଥୀୟ ୨:୧୧; ଯିହୂଦା ୪.

ଆମେ ନିଜକୁ ପଚାରିବା ଉଚିତ୍‌, ‘କଅଣ ମୁଁ ଶରୀରର ଇଚ୍ଛା ପୂରଣ କରି କ୍ଷଣିକ ସୁଖ ପାଇବା ପାଇଁ ଚାହେଁ ନା ଈଶ୍ୱରଙ୍କ ଆଜ୍ଞା ପାଳନ କରି ନୂତନ ଜଗତରେ ସର୍ବଦା ଖୁସିରେ ଅନନ୍ତ ଜୀବନ ପାଇବାକୁ ଚାହେଁ ?’ ଯିହୋବା ଆଜ୍ଞା ଦେଇଛନ୍ତି ଯେ “ବ୍ୟଭିଚାରଠାରୁ ପଳାୟନ କର ।” ଏହି ଆଜ୍ଞାକୁ ପାଳନ କରିବା ପାଇଁ ଆମକୁ ଯାହା ମଧ୍ୟ ସଂଘର୍ଷ କରିବାକୁ ପଡ଼ୁ ନା କାହିଁକି, ଏଥିରୁ ଆମର ହିଁ ଲାଭ ହେବ ।—୧ କରିନ୍ଥୀୟ ୬:୧୮.

ଅନୈତିକ ଯୌନ ସମ୍ପର୍କ ରଖିବାରେ କʼଣ ସାମିଲ୍‌ ?

୭, ୮. (କ) ଅନୈତିକ ଯୌନ ସମ୍ପର୍କ ରଖିବାରେ କʼଣ କʼଣ ସାମିଲ୍‌ ? (ଖ) ଏହା କାହିଁକି ଏକ ଗମ୍ଭୀର କଥା ?

ଆଜି ଅଧିକାଂଶ ଲୋକ ଏତେ ନିର୍ଲଜ୍ଜ ହୋଇଯାଇଛନ୍ତି ଯେ ସେମାନେ ଖୋଲା ଖୋଲି ଭାବେ ଅନୈତିକ କାମ କରନ୍ତି । ବାଇବଲ ଅନୁସାରେ ଅନୈତିକ ଯୌନ ସମ୍ପର୍କ ରଖିବାର ଅର୍ଥ ହେଉଛି, ଏପରି ଦୁଇ ଜଣଙ୍କ ମଧ୍ୟରେ ଯୌନ ସମ୍ପର୍କ ଯେଉଁମାନେ ଆଇନ ଅନୁଯାୟୀ ବିବାହ କରି ନାହାନ୍ତି । ଅନୈତିକ ଯୌନ ସମ୍ପର୍କ ରଖିବାରେ ଅନ୍ୟକାମଗୁଡ଼ିକ ମଧ୍ୟ ସାମିଲ୍‌, ଯେପରି— ପୁରୁଷ ସହିତ ପୁରୁଷ, ସ୍ତ୍ରୀ ସହିତ ସ୍ତ୍ରୀ ଏବଂ ମଣିଷ ପଶୁ ସହିତ ଯୌନ ସମ୍ପର୍କ । ଏଥିରେ ମୁଖ ଗହ୍ୱର ଯୌନକ୍ରିୟା, ମଳଦ୍ୱାର ଯୌନକ୍ରିୟା ଏବଂ ଖରାପ ଉଦ୍ଦେଶ୍ୟରେ କାହାରି ଗୁପ୍ତାଙ୍ଗକୁ ଛୁଇଁବା ମଧ୍ୟ ସାମିଲ୍‌ ।—ଅଧିକ ବିବରଣୀ-୨୩ ଦେଖନ୍ତୁ ।

ବାଇବଲରୁ ସ୍ପଷ୍ଟ ଜଣାପଡ଼େ ଯେ ଯଦି ଜଣେ ଖ୍ରୀଷ୍ଟିୟାନ ଅନୈତିକ ଯୌନ ସମ୍ପର୍କ ରଖେ, ତେବେ ସେ ମଣ୍ଡଳୀର ସଦସ୍ୟ ହୋଇ ରହିପାରିବ ନାହିଁ । (୧ କରିନ୍ଥୀୟ ୬:୯; ପ୍ରକାଶିତ ବାକ୍ୟ ୨୨:୧୫) କେବଳ ଏତିକି ନୁହେଁ, ଏପରି ବ୍ୟକ୍ତି ନିଜ ଦୃଷ୍ଟିରେ ସମ୍ମାନ ହରାଏ ଏବଂ ଅନ୍ୟମାନେ ତାʼ ଉପରେ ଭରସା କରିପାରନ୍ତି ନାହିଁ । ଅନୈତିକ ଯୌନ ସମ୍ପର୍କ ରଖିବାର ପରିଣାମ ସର୍ବଦା ଖରାପ ହିଁ ହୋଇଥାଏ । ଦୋଷର ଭାବନା, ଅନିଚ୍ଛାକୃତ ଗର୍ଭଧାରଣ, ପତିପତ୍ନୀ ମଧ୍ୟରେ ସମସ୍ୟା, ରୋଗ, ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ । (ଗାଲାତୀୟ ୬:୭, ୮ ପଢ଼ନ୍ତୁ ।) ଯଦି ଜଣେ ବ୍ୟକ୍ତି ଚିନ୍ତା କରେ ଯେ ଅନୈତିକ ଯୌନ ସମ୍ପର୍କ ରଖିବାର ପରିଣାମ କେତେ ଖରାପ ହୁଏ, ତେବେ ସେ ହୁଏତ ଏପରି କାମ କେବେ ମଧ୍ୟ କରିବ ନାହିଁ । କିନ୍ତୁ ଅନୈତିକ କାମ କରୁଥିବା ଅଧିକାଂଶ ଲୋକ କେବଳ ନିଜ ଇଚ୍ଛାଗୁଡ଼ିକ ବିଷୟରେ ଭାବନ୍ତି । ସାଧାରଣତଃ ଏହି କାମର ପ୍ରଥମ ପଦକ୍ଷେପ ହେଉଛି, ଅଶ୍ଳିଳ ଚିତ୍ର ଦେଖିବା ।

ଅଶ୍ଳିଳ ଚିତ୍ର—ଭୁଲ ବାଟର ପ୍ରଥମ ପଦକ୍ଷେପ

୯. ଅଶ୍ଳିଳ ଚିତ୍ର ଦେଖିବା କାହିଁକି ବିପଜ୍ଜନକ ?

ଯୌନ ଇଚ୍ଛାଗୁଡ଼ିକୁ ଉତ୍ତେଜିତ କରିବା ପାଇଁ ଅଶ୍ଳିଳ ଚିତ୍ରଗୁଡ଼ିକୁ ତିଆରି କରାଯାଏ । ଆଜି ଅଶ୍ଳିଳ ଚିତ୍ରଗୁଡ଼ିକ ସବୁଆଡ଼େ ଦେଖିବାକୁ ମିଳେ । ଯେପରି— ବହି-ପତ୍ରିକା, ସଂଗୀତ, ଟିଭି କାର୍ଯ୍ୟକ୍ରମ ଏପରିକି ଇଣ୍ଟରନେଟ୍‌ଗୁଡ଼ିକରେ ମଧ୍ୟ । ଅନେକ ଲୋକମାନଙ୍କୁ ଲାଗେ ଯେ ଏସବୁ ଦେଖିବା କିମ୍ବା ଶୁଣିବାରେ କୌଣସି କ୍ଷତି ନାହିଁ । କିନ୍ତୁ ପ୍ରକୃତରେ ଏହା ବହୁତ ଭୟଙ୍କର ଅଟେ । ଯେଉଁ ବ୍ୟକ୍ତି ଅଶ୍ଳିଳ ଚିତ୍ରଗୁଡ଼ିକ ଦେଖେ ସେ ସବୁବେଳେ ଖରାପ କଥାଗୁଡ଼ିକୁ ଭାବୁଥାଏ ଏବଂ ତାʼ ମନରେ ଏପରି ଇଚ୍ଛାଗୁଡ଼ିକ ଉତ୍ପନ୍ନ ହୁଏ, ଯାହା ସ୍ୱାଭାବିକ ନୁହେଁ । ସେ ହସ୍ତମୈଥୁନର ଅଭ୍ୟସ୍ତ ହୋଇପାରେ, ତାʼ ବୈବାହିକ ଜୀବନରେ ସମସ୍ୟା ଆସିପାରେ ଏବଂ ଛାଡ଼ପତ୍ର ମଧ୍ୟ ହୋଇପାରେ ।—ରୋମୀୟ ୧:୨୪-୨୭; ଏଫିସୀୟ ୪:୧୯; ଅଧିକ ବିବରଣୀ-୨୪ ଦେଖନ୍ତୁ ।

ଇଣ୍ଟରନେଟ୍‌ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ୍‌

୧୦. ଯାକୁବ ୧:୧୪, ୧୫ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ଧ୍ୟାନରେ ରଖିଲେ, ଆମେ ଅନୈତିକ ଯୌନ ସମ୍ପର୍କର ଫାନ୍ଦରୁ କିପରି ରକ୍ଷା ପାଇପାରିବା ?

୧୦ ଏହା ବୁଝିବା ବହୁତ ଜରୁରୀ ଯେ ଆମେ ଅନୈତିକ ଯୌନ ସମ୍ପର୍କ ଆଡ଼କୁ କିପରି ପ୍ରଲୋଭିତ ହୋଇପାରୁ । ଯାକୁବ ୧:୧୪, ୧୫ ପଦରେ ଲେଖାଅଛି, “ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ ।” ମନରେ ଖରାପ ଚିନ୍ତାଧାରା ଆସିଲେ ତୁରନ୍ତ ତାହାକୁ ବାହାର କରିଦିଅନ୍ତୁ । ଯଦି ଆପଣଙ୍କ ଦୃଷ୍ଟି କୌଣସି ଉତ୍ତେଜିତ କରୁଥିବା ଚିତ୍ର ଉପରେ ପଡ଼େ, ତେବେ ତୁରନ୍ତ ନିଜ ଆଖିକୁ ତାʼଠାରୁ ଦୂର କରନ୍ତୁ । ଯଦି କମ୍ପ୍ୟୁଟର କିମ୍ବା ଟିଭିରେ ହଠାତ୍‌ ଅଶ୍ଳିଳ ଚିତ୍ର ଆସେ, ତେବେ ତାହା ବନ୍ଦ କରିଦିଅନ୍ତୁ କିମ୍ବା ଚ୍ୟାନେଲ ବଦଳି ଦିଅନ୍ତୁ । ଏଗୁଡ଼ିକୁ ଦେଖୁଥିଲେ ମନରେ ଖରାପ ଇଚ୍ଛାଗୁଡ଼ିକ ଆସିପାରେ ଏବଂ ଏଗୁଡ଼ିକ ଉପରେ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇପାରେ ।ମାଥିଉ ୫:୨୯, ୩୦ ପଢ଼ନ୍ତୁ । a

୧୧. ଖରାପ ଚିନ୍ତାଧାରାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଯିହୋବା ଆମକୁ କିପରି ସାହାଯ୍ୟ କରିପାରିବେ ?

୧୧ ଈଶ୍ୱର ଆମ ବିଷୟରେ ଆମଠାରୁ ଅଧିକ ଜାଣନ୍ତି । ସେ ଆମ ଦୁର୍ବଳତାଗୁଡ଼ିକୁ ଜାଣନ୍ତି । ସେ ଏହା ମଧ୍ୟ ଜାଣନ୍ତି ଯେ ଆମେ ଖରାପ ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣ କରିପାରିବା । ସେ ଆମକୁ କହନ୍ତି, “ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍‌ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମାପୂଜା ରୂପ ଲୋଭ, ଏହିସବୁ ପ୍ରତି ମୃତ ହୁଅ ।” (କଲସୀୟ ୩:୫) ଏପରି କରିବା ଏତେ ସହଜ ନୁହେଁ । କିନ୍ତୁ ଯିହୋବା ଆମକୁ ସାହାଯ୍ୟ କରନ୍ତି । ସେ ଆମ ପ୍ରତି ଧୈର୍ଯ୍ୟ ଦେଖାନ୍ତି । (ଗୀତସଂହିତା ୬୮:୧୯) ଜଣେ ଯୁବା ଭାଇକୁ ଅଶ୍ଳିଳ ଚିତ୍ର ଏବଂ ହସ୍ତମୈଥୁନ କରିବାର ଅଭ୍ୟାସ ଥିଲା । ତାଙ୍କ ସ୍କୁଲର ସାଙ୍ଗମାନେ ତାଙ୍କୁ କହୁଥିଲେ ଯେ ଏଥିରେ କିଛି ଖରାପ ନାହିଁ, ଏହା ତ ସମସ୍ତେ କରନ୍ତି । ଭାଇ ଜଣକ କହନ୍ତି, ‘ମୋ ବିବେକ କାମ କରିବା ବନ୍ଦ କରି ଦେଇଥିଲା, ଆଉ ମୁଁ ଅନୈତିକ ଜୀବନ ଜୀଉଁ ଥିଲି ।’ ସେ ହୃଦୟଙ୍ଗମ କଲେ ଯେ ତାଙ୍କୁ ନିଜ ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଏବଂ ଯିହୋବାଙ୍କ ସାହାଯ୍ୟରେ ସେ ଏହି ଅଭ୍ୟାସକୁ ଛାଡ଼ିପାରିଲେ । ଯଦି ଆପଣଙ୍କ ମନରେ ମଧ୍ୟ ଏପରି ଅନୈତିକ ଚିନ୍ତାଧାରା ଆସେ, ତେବେ ତାକୁ ଦୂର କରିବା ପାଇଁ ଯିହୋବାଙ୍କଠାରୁ “ମହାଶକ୍ତି” ମାଗନ୍ତୁ । ସେତେବେଳେ ସେ ଆପଣଙ୍କୁ ନିଜ ମନ ଶୁଦ୍ଧ ରଖିବା ପାଇଁ ସାହାଯ୍ୟ କରିବେ ।—୨ କରିନ୍ଥୀୟ ୪:୭; ୧ କରିନ୍ଥୀୟ ୯:୨୭.

୧୨. ଆମେ ନିଜ “ହୃଦୟକୁ ଅତି ଯତ୍ନରେ” କାହିଁକି ରଖିବା ଉଚିତ୍‌ ?

୧୨ ଶଲୋମନ ଲେଖିଲେ, “ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ ।” (ହିତୋପଦେଶ ୪:୨୩) ଏଠାରେ “ହୃଦୟ” ଶବ୍ଦର ଅର୍ଥ ହେଉଛି, ଜଣେ ବ୍ୟକ୍ତି ଭିତରୁ କିମ୍ବା ହୃଦୟରୁ କିପରି ଅଟେ, ଯାହାକୁ ଯିହୋବା ଧ୍ୟାନ ଦିଅନ୍ତି । ଆମେ ଯାହା ଦେଖୁ, ତାହା ଆମ ଉପରେ ଗଭୀର ପ୍ରଭାବ ପକାଏ । ବିଶ୍ୱସ୍ତ ସେବକ ଆୟୁବ କହିଥିଲେ, “ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି; ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି ?” (ଆୟୁବ ୩୧:୧) ଆୟୁବଙ୍କ ଭଳି ଆମେ ମଧ୍ୟ ନିଜ ସହିତ କଠୋର ହେବା ଉଚିତ୍‌ ଏବଂ ଖରାପ ଜିନିଷ ଦେଖିବା କିମ୍ବା ଭାବିବା ଉଚିତ୍‌ ନୁହେଁ । ଗୀତସଂହିତାର ଏକ ଲେଖକଙ୍କ ଭଳି ଆମେ ମଧ୍ୟ ପ୍ରାର୍ଥନା କରିବା ଉଚିତ୍‌: “ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ।”—ଗୀତସଂହିତା ୧୧୯:୩୭.

ଦୀଣାର ଭୁଲ ନିଷ୍ପତ୍ତି

୧୩. ଦୀଣା କେଉଁ ଭଳି ଲୋକମାନଙ୍କ ସହ ସାଙ୍ଗ ହେଲେ ?

୧୩ ଆମ ସାଙ୍ଗମାନଙ୍କ ଆମ ଉପରେ ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଏପରି ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତୁ, ଯେଉଁମାନେ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକୁ ପାଳନ କରନ୍ତି । ଏପରି କଲେ ଆପଣ ମଧ୍ୟ ସେହି ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିପାରିବେ । (ହିତୋପଦେଶ ୧୩:୨୦; ୧ କରିନ୍ଥୀୟ ୧୫:୩୩ ପଢ଼ନ୍ତୁ ।) ଦୀଣାଙ୍କ ସହ ଯାହା ହେଲା, ସେଥିରୁ ଆମେ ଶିଖୁ ଯେ ଆମେ ବୁଝିବିଚାରି ସାଙ୍ଗ ବାଛିବା ଉଚିତ୍‌ । ଦୀଣା ଯାକୁବଙ୍କ ଝିଅ ଥିଲେ । ସେ ଏପରି ପରିବାରରେ ବଢ଼ିଥିଲେ, ଯେଉଁଠାରେ ସମସ୍ତେ ଯିହୋବାଙ୍କ ଉପାସନା କରୁଥିଲେ । ଦୀଣାଙ୍କ ଚାଲିଚଳନ ଖରାପ ନ ଥିଲା କିନ୍ତୁ ସେ କିଣାନୀୟ ଝିଅମାନଙ୍କ ସହ ସାଙ୍ଗ ହେଲେ, ଯେଉଁମାନେ ମିଥ୍ୟା ଦେବତାମାନଙ୍କ ଉପାସନା କରୁଥିଲେ । ସେକ୍ସ ବିଷୟରେ କିଣାନୀୟ ଲୋକମାନଙ୍କ ଦୃଷ୍ଟିକୋଣ ଯିହୋବାଙ୍କ ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ସେମାନେ ଅନୈତିକ କାମ କରୁଥିବା ଲୋକ ଭାବେ ପରିଚିତ ଥିଲେ । (ଲେବୀ ପୁସ୍ତକ ୧୮:୬-୨୫) କିଣାନୀୟ ଝିଅମାନଙ୍କ ସହ ସଙ୍ଗତି କରିବା ସମୟରେ ଦୀଣାର ସାକ୍ଷାତ ଶିଖିମ ନାମକ ଜଣେ ଯୁବା କିଣାନୀୟ ବ୍ୟକ୍ତି ସହ ହେଲା । ସେ ଦୀଣା ପ୍ରତି ଆକର୍ଷିତ ହୋଇଗଲା । ଶିଖିମ ନିଜ ପରିବାରରେ “ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା ।” କିନ୍ତୁ ସେ ଯିହୋବାଙ୍କୁ ପ୍ରେମ କରୁ ନ ଥିଲା ।—ଆଦି ପୁସ୍ତକ ୩୪:୧୮, ୧୯.

୧୪. ଦୀଣାଙ୍କ ସହ କʼଣ ହେଲା ?

୧୪ ଶିଖିମ ଦୀଣା ଆଡ଼କୁ ଆକର୍ଷିତ ହୋଇଯାଇଥିଲା । ତେଣୁ ସେ ଦୀଣାକୁ ‘ନେଇ ଭ୍ରଷ୍ଟା କଲା ।’ ଏହି କାମ ଶିଖିମର ଦୃଷ୍ଟିରେ ଭୁଲ ନ ଥିଲା । କାରଣ କିଣାନୀୟ ଲୋକମାନଙ୍କ ପାଇଁ ଏହା ଏକ ସାଧାରଣ କଥା ଥିଲା । (ଆଦି ପୁସ୍ତକ ୩୪:୧-୪ ପଢ଼ନ୍ତୁ ।) ଏହି ଅପରାଧ ଯୋଗୁଁ ଗୋଟିଏ ପରେ ଗୋଟିଏ ଏପରି ଘଟଣାଗୁଡ଼ିକ ଘଟିଲା, ଯାହାଫଳରେ ଦୀଣା ଓ ତାʼ ପରିବାରକୁ ବହୁତ ଦୁଃଖ ସହିବାକୁ ପଡ଼ିଲା ।—ଆଦି ପୁସ୍ତକ ୩୪:୭, ୨୫-୩୧; ଗାଲାତୀୟ ୬:୭, ୮

୧୫, ୧୬. ଆମେ ବୁଦ୍ଧିମାନ କିପରି ହୋଇପାରିବା ?

୧୫ ଯିହୋବାଙ୍କ ନୈତିକ ମାନଦଣ୍ଡ କେତେ ଠିକ୍‌ ତାହା ଦୀଣା ନିଜ ଭୁଲରୁ ଶିଖିଲା । କିନ୍ତୁ ଆମେ ଭୁଲ କରି ସେଥିରୁ ଶିଖିବା ଆବଶ୍ୟକ ନୁହେଁ । ହିତୋପଦେଶ ୧୩:୨୦ ପଦରେ ଲେଖାଅଛି, “ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ; ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ ।” ବାଇବଲ ପଢ଼ି ଯିହୋବାଙ୍କର “ମଙ୍ଗଳର ସମସ୍ତ ପଥ” ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଆମେ ଦୁଃଖରୁ ଏବଂ ସମସ୍ୟାରୁ ରକ୍ଷା ପାଇପାରିବା ।—ହିତୋପଦେଶ ୨:୬-୯; ଗୀତସଂହିତା ୧:୧-୩.

୧୬ ଯଦି ଆମେ ବାଇବଲ ଅଧ୍ୟୟନ କରିବା, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯିହୋବାଙ୍କୁ ପ୍ରାର୍ଥନା କରିବା ଏବଂ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସର ପରାମର୍ଶ ପାଳନ କରିବା, ତେବେ ଆମେ ବୁଦ୍ଧିମାନ ହୋଇପାରିବା । (ମାଥିଉ ୨୪:୪୫; ଯାକୁବ ୧:୫) ଏହା ସତ ଯେ ଆମେ ସମସ୍ତେ ଅପରିପୂର୍ଣ୍ଣ ଏବଂ ଆମ ସମସ୍ତଙ୍କଠାରେ ଦୁର୍ବଳତା ରହିଛି । (ଯିରିମୀୟ ୧୭:୯) କିନ୍ତୁ ଯଦି କେହି ଆମକୁ ସତର୍କ କରାନ୍ତି ଯେ ଆମେ ଭୁଲ ବାଟରେ ଯାଉଛୁ, ତେବେ ଆମେ କʼଣ କରିବା ? କʼଣ ଆମେ ନିଜକୁ ଠିକ୍‌ ଭାବି ତାଙ୍କ ପରାମର୍ଶକୁ ଅଣଦେଖା କରିବା ? ନା ନମ୍ରତାର ସହ ପରାମର୍ଶକୁ ପାଳନ କରିବା ?—୨ ରାଜାବଳୀ ୨୨:୧୮, ୧୯.

୧୭. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଅନ୍ୟମାନଙ୍କ ପରାମର୍ଶ ପାଳନ କଲେ, ଆମର କିପରି ଲାଭ ହେବ ।

୧୭ କଳ୍ପନା କରନ୍ତୁ, ଜଣେ ଭଉଣୀ ଯେଉଁଠାରେ ଚାକିରି କରନ୍ତି, ସେଠାରେ ଜଣେ ବ୍ୟକ୍ତି ତାଙ୍କର ବହୁତ ଯତ୍ନ ନିଏ ଏବଂ ତାଙ୍କ ସହ କିଛି ସମୟ ବିତାଇବାକୁ ଚାହେଁ । ସେ ଯିହୋବାଙ୍କ ସେବକ ନୁହେଁ, କିନ୍ତୁ ଭଲ ବ୍ୟକ୍ତି ବୋଲି ଜଣାପଡ଼େ । ତେଣୁ ଭଉଣୀ ତାଙ୍କ ସହ ଯାʼନ୍ତି । ଆଉ ଜଣେ ଭଉଣୀ ସେହି ଦୁହିଁଙ୍କୁ ଏକା ସାଙ୍ଗରେ ଦେଖନ୍ତି । ତାʼପରେ ସେ ଭଉଣୀଙ୍କୁ ବୁଝାନ୍ତି ଯେ ସେ ଯାହା କରୁଛନ୍ତି, ତାହା ଠିକ୍‌ ନୁହେଁ । ଏବେ ସେ ଭଉଣୀଙ୍କୁ କʼଣ କରିବା ଉଚିତ୍‌ ? କʼଣ ସେ ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବେ ? ନା ଭଉଣୀ ଠିକ୍‌ କହୁଛନ୍ତି ବୋଲି ନିଜ ଭୁଲକୁ ସ୍ୱୀକାର କରିବେ ? ପ୍ରଥମ ଭଉଣୀ ଜଣକ ହୁଏତ ଯିହୋବାଙ୍କୁ ବହୁତ ପ୍ରେମ କରୁଥିବେ ଏବଂ ଯାହା ଠିକ୍‌ ତାହା କରିବା ପାଇଁ ମଧ୍ୟ ଚାହୁଁଥିବେ । କିନ୍ତୁ ଯଦି ସେ ସେହି ବ୍ୟକ୍ତି ସହ ସମୟ ବିତାଇବା ଜାରି ରଖିବେ, ତେବେ କʼଣ ସେ “ବ୍ୟଭିଚାରଠାରୁ ପଳାୟନ” କରୁଥିବେ ? କʼଣ ଏପରି କରି ସେ “ଆପଣା ଅନ୍ତଃକରଣରେ ନିର୍ଭର” କରୁ ନ ଥିବେ ?—ହିତୋପଦେଶ ୨୨:୩; ୨୮:୨୬; ମାଥିଉ ୬:୧୩; ୨୬:୪୧.

ଯୋଷେଫଙ୍କ ଉଦାହରଣରୁ ଶିଖନ୍ତୁ

୧୮, ୧୯. ଯୋଷେଫ ଯୌନ ସମ୍ପର୍କ ରଖିବା ପାଇଁ କାହିଁକି ମନା କରିପାରିଲେ ?

୧୮ ଯେତେବେଳେ ଯୋଷେଫ ଯୁବା ଥିଲେ, ସେତେବେଳେ ସେ ମିଶରରେ ଦାସ ଥିଲେ । ସେଠାରେ ପ୍ରତିଦିନ ତାଙ୍କ ମାଲିକଙ୍କ ପତ୍ନୀ ତାଙ୍କୁ ଯୌନ ସମ୍ପର୍କ ରଖିବାକୁ କହୁଥିଲେ । କିନ୍ତୁ ଯୋଷେଫ ଜାଣିଥିଲେ ଯେ ଏହା ଭୁଲ ଅଟେ । ଯୋଷେଫ ଯିହୋବାଙ୍କୁ ପ୍ରେମ କରୁଥିଲେ ଏବଂ ତାହାଙ୍କୁ ଦୁଃଖିତ କରିବାକୁ ଚାହୁଁ ନ ଥିଲେ । ଏହି କାରଣରୁ ହିଁ ଯେତେବେଳେ ତାଙ୍କ ମାଲିକଙ୍କ ପତ୍ନୀ ତାଙ୍କୁ ପ୍ରଲୋଭନ ଦେଉଥିଲା, ସେତେବେଳେ ସେ ମନା କରି ଦେଉଥିଲେ । କିନ୍ତୁ ଦାସ ହୋଇଥିବାରୁ ଯୋଷେଫ ନିଜ ମାଲିକଙ୍କ ଘର ଛାଡ଼ି ଯାଇପାରୁ ନ ଥିଲେ । ଦିନେ ତାଙ୍କ ମାଲିକଙ୍କ ପତ୍ନୀ ଜବରଦସ୍ତି ତାଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କଲା । କିନ୍ତୁ ସେ ସେଠାରୁ “ବାହାରକୁ ପଳାଇ ଗଲେ ।”ଆଦି ପୁସ୍ତକ ୩୯:୭-୧୨ ପଢ଼ନ୍ତୁ ।

୧୯ ଯଦି ଯୋଷେଫ ସବୁବେଳେ ଅନୈତିକ ଚିନ୍ତାଗୁଡ଼ିକରେ ବୁଡ଼ି ରହନ୍ତେ କିମ୍ବା ନିଜ ମାଲିକଙ୍କ ପତ୍ନୀଙ୍କ ସହ ଯୌନ ସମ୍ପର୍କ ରଖିବା ବିଷୟରେ କଳ୍ପନା କରନ୍ତେ, ତେବେ ହୁଏତ ସେ ଅନୈତିକ କାମ କରିପାରନ୍ତେ । କିନ୍ତୁ ଯୋଷେଫଙ୍କ ପାଇଁ ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ସବୁଠୁ ଅଧିକ ମହତ୍ତ୍ୱ ରଖୁଥିଲା । ସେ ନିଜ ମାଲିକଙ୍କ ପତ୍ନୀଙ୍କୁ କହିଲେ, ‘ମୋʼ ପ୍ରଭୁଙ୍କ ତୁମ୍ଭେ ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋʼ ପ୍ରତି ଆଉ କିଛି ମନା ନାହିଁ । ଏହେତୁ ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?’—ଆଦି ପୁସ୍ତକ ୩୯:୮, ୯.

୨୦. ଯିହୋବା ଯୋଷେଫଙ୍କଠାରୁ ଖୁସି ଥିଲେ ବୋଲି ଆମେ କିପରି ଜାଣୁ ?

୨୦ ଯୋଷେଫ ନିଜ ଘରରୁ ବହୁତ ଦୂରରେ ଥିଲେ, ତଥାପି ସେ ଯିହୋବାଙ୍କ ଆଜ୍ଞା ପାଳନ କଲେ । ତେଣୁ ଯିହୋବା ତାଙ୍କୁ ଅନେକ ଆଶିଷ ଦେଲେ । (ଆଦି ପୁସ୍ତକ ୪୧:୩୯-୪୯) ତାଙ୍କ ବିଶ୍ୱସ୍ତତା ଦେଖି ଯିହୋବା ବହୁତ ଖୁସି ହେଲେ । (ହିତୋପଦେଶ ୨୭:୧୧) ଏହା ସତ ଯେ ଅନୈତିକ କାମଗୁଡ଼ିକୁ ବିରୋଧ କରିବା ଏତେ ସହଜ ହୋଇ ନ ଥାଏ । କିନ୍ତୁ ବାଇବଲରେ ଲେଖା ହୋଇଥିବା ଏହି କଥାକୁ ମନେ ରଖନ୍ତୁ, “ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର; ସେ ଆପଣା ସଦ୍‌ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି । ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି ।”—ଗୀତସଂହିତା ୯୭:୧୦.

୨୧. ଜଣେ ଯୁବା ଭାଇ ଯୋଷେଫଙ୍କ ଭଳି କିପରି ବିଶ୍ୱସ୍ତ ରହିଲେ ?

୨୧ ଯିହୋବାଙ୍କ ସେବକମାନେ ‘ମନ୍ଦକୁ ଘୃଣା କରନ୍ତି’ ଏବଂ ‘ଭଲକୁ ଭଲ ପାଆନ୍ତି ।’ ତେଣୁ ସେମାନଙ୍କୁ ପ୍ରତିଦିନ ସାହସର ସହ କାମ କରିବାକୁ ପଡ଼େ । (ଆମୋଷ ୫:୧୫) ଆମେ ଛୋଟ ହେଉ କିମ୍ବା ବଡ଼, ଆମେ ସମସ୍ତେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା । ଥରେ ସ୍କୁଲରେ ପଢ଼ୁଥିବା ଜଣେ ଯୁବା ଭାଇଙ୍କ ବିଶ୍ୱସ୍ତତାର ପରୀକ୍ଷା ହେଲା । ଜଣେ ଝିଅ ତାଙ୍କୁ କହିଲା ଯେ ଯଦି ସେ ଗଣିତ ପରୀକ୍ଷାରେ ତାକୁ ସାହାଯ୍ୟ କରିବ, ତେବେ ସେ ତାଙ୍କ ସହ ଯୌନ ସମ୍ପର୍କ ରଖିବ । ଭାଇ ଜଣକ କʼଣ କଲେ ? ସେ କହନ୍ତି, ‘ମୁଁ ତୁରନ୍ତ ମନା କରିଦେଲି । ଯିହୋବାଙ୍କ ଆଜ୍ଞା ପାଳନ କରିବା ଯୋଗୁଁ ମୁଁ ନିଜ ଆତ୍ମସମ୍ମାନକୁ ରକ୍ଷା କରିପାରିଲି ।’ ସେହି ଭାଇ ଯୋଷେଫଙ୍କ ଭଳି ବିଶ୍ୱସ୍ତ ରହିଲେ । ଅନୈତିକ କାମ କଲେ କେବଳ “କ୍ଷଣିକ ସୁଖ” ମିଳେ, କିନ୍ତୁ ପରେ ଦୁଃଖ ଭୋଗିବାକୁ ପଡ଼ିଥାଏ । (ଏବ୍ରୀ ୧୧:୨୫) ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଆମେ ଖୁସିରେ ରହିପାରିବା ଏବଂ ସମସ୍ୟାରେ ପଡ଼ିବା ନାହିଁ ।—ହିତୋପଦେଶ ୧୦:୨୨.

ଯିହୋବା ସାହାଯ୍ୟ କରନ୍ତି

୨୨, ୨୩. ଯଦି ଆମେ କୌଣସି ବଡ଼ ପାପ କରୁ, ତେବେ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ?

୨୨ ଶୟତାନ ଅନୈତିକ ଯୌନ ସମ୍ପର୍କର ଜାଲ ବିଛାଇ ଆମକୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରେ । ଏହାର ସାମନା କରିବା ବହୁତ କଷ୍ଟକର ହୋଇପାରେ । ଆମ ସମସ୍ତଙ୍କ ମନରେ କେବେ ନା କେବେ ଖରାପ ଚିନ୍ତାଧାରା ଆସିଥାଏ । (ରୋମୀୟ ୭:୨୧-୨୫) ଏକଥା ଯିହୋବା ମଧ୍ୟ ଜାଣନ୍ତି ଏବଂ ସେ ମନେ ରଖନ୍ତି ଯେ ଆମେ “ଧୂଳିମାତ୍ର” ଅଟୁ । (ଗୀତସଂହିତା ୧୦୩:୧୪) କିନ୍ତୁ ଯଦି ଜଣେ ଖ୍ରୀଷ୍ଟିୟାନ ଅନୈତିକ ଯୌନ ସମ୍ପର୍କ ଭଳି ବଡ଼ ପାପ କରିଛି, ତାହେଲେ କʼଣ ତାʼ ପାଇଁ କିଛି ଆଶା ନାହିଁ ? ଯଦି ସେ ହୃଦୟରୁ ପଶ୍ଚାତାପ କରେ, ତେବେ ଯିହୋବା ତାକୁ ସାହାଯ୍ୟ କରିବେ । ବାଇବଲ କହେ ଯେ ଯିହୋବା “କ୍ଷମା କରିବାକୁ ପ୍ରସ୍ତୁତ” ରହନ୍ତି ।—ଗୀତସଂହିତା ୮୬:୫; ଯାକୁବ ୫:୧୬; ହିତୋପଦେଶ ୨୮:୧୩ ପଢ଼ନ୍ତୁ ।

୨୩ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ପ୍ରାଚୀନମାନଙ୍କର ବ୍ୟବସ୍ଥା କରିଛନ୍ତି । ସେମାନେ “ମନୁଷ୍ୟମାନଙ୍କ ରୂପରେ ଉପହାର” ଅଟନ୍ତି । (ଏଫିସୀୟ ୪:୮, ୧୨NW; ଯାକୁବ ୫:୧୪, ୧୫) ସେମାନେ ଆମର ଚିନ୍ତା କରନ୍ତି । ଯେଉଁମାନଙ୍କର ଯିହୋବାଙ୍କ ସହ ସମ୍ପର୍କ ଭାଙ୍ଗି ଯାଇଛି, ସେମାନଙ୍କର ସମ୍ପର୍କକୁ ପୁଣି ସ୍ଥାପନ କରିବା ପାଇଁ ପ୍ରାଚୀନମାନେ ସାହାଯ୍ୟ କରନ୍ତି ।—ହିତୋପଦେଶ ୧୫:୩୨.

“ବୁଦ୍ଧି” ବ୍ୟବହାର କରନ୍ତୁ

୨୪, ୨୫. “ବୁଦ୍ଧି” ବ୍ୟବହାର କରି ଆମେ ଅନୈତିକ ଯୌନ ସମ୍ପର୍କର ଫାନ୍ଦରୁ କିପରି ରକ୍ଷା ପାଇପାରିବା ?

୨୪ ଠିକ୍‌ କାମ କରିବା ପାଇଁ ଆମେ ଏହା ବୁଝିବା ଉଚିତ୍‌ ଯେ ଯିହୋବାଙ୍କ ନିୟମ ଆମ ପାଇଁ ବହୁତ ଲାଭଦାୟକ । ହିତୋପଦେଶ ୭:୬-୨୩ ପଦରେ ଜଣେ ଯୁବା ଲୋକ ବିଷୟରେ କୁହାଯାଇଛି ଯିଏ “ବୁଦ୍ଧିବିହୀନ” ଥିଲା । ତେଣୁ ସେ ଅନୈତିକ ଯୌନ ସମ୍ପର୍କର ଫାନ୍ଦରେ ଫସିଗଲା । ଆମେ ସେହି ଯୁବା ଲୋକ ପରି ହେବାକୁ ଚାହୁଁନୁ । ବାଇବଲ ଅନୁସାରେ ବୁଦ୍ଧିର ଅର୍ଥ କେବଳ ଜ୍ଞାନୀ ହେବା ନୁହେଁ, ବରଂ ଏହାର ଅର୍ଥ କୌଣସି ମାମଲାରେ ଈଶ୍ୱରଙ୍କ ଚିନ୍ତାଧାରା ଜାଣିବା ଏବଂ ତାʼ ମୁତାବକ କାମ କରିବା । ଆମେ ହିତୋପଦେଶ ୧୯:୮ ପଦରେ ଲେଖା ହୋଇଥିବା ଏହି କଥାକୁ ମନେ ରଖିବା ଉଚିତ୍‌, “ଯେଉଁ ଲୋକ ବୁଦ୍ଧି ଲାଭ କରେ, ସେ ଆପଣା ପ୍ରାଣକୁ ପ୍ରେମ କରେ; ଯେ ବିବେଚନା ରକ୍ଷା କରେ, ସେ ମଙ୍ଗଳ ପାଏ ।”

୨୫ କʼଣ ଆପଣ ଭରସା କରନ୍ତି ଯେ ଈଶ୍ୱରଙ୍କ ମାନଦଣ୍ଡ ଠିକ୍‌ ଅଟେ ? କʼଣ ଆପଣ ଭରସା କରନ୍ତି ଯେ ଏହି ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିଲେ ଆପଣ ଖୁସିରେ ରହିବେ ? (ଗୀତସଂହିତା ୧୯:୭-୧୦; ଯିଶାଇୟ ୪୮:୧୭, ୧୮) ଯଦି ଆପଣ ଭରସା କରିପାରୁ ନାହାନ୍ତି, ତେବେ ମନେ ପକାନ୍ତୁ ଯେ ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । “ସଦାପ୍ରଭୁ [ଯିହୋବା] ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ ।” (ଗୀତସଂହିତା ୩୪:୮) ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି, ତାʼ ଉପରେ ଆପଣ ଯେତେ ବେଶୀ ଚିନ୍ତନ କରିବେ, ସେତେ ବେଶୀ ଆପଣ ତାହାଙ୍କୁ ପ୍ରେମ କରିବେ । ଯିହୋବା ଯେଉଁ କାମଗୁଡ଼ିକୁ ପ୍ରେମ କରନ୍ତି, ଆପଣ ସେଗୁଡ଼ିକୁ ପ୍ରେମ କରନ୍ତୁ ଏବଂ ଯେଉଁ କାମଗୁଡ଼ିକୁ ଯିହୋବା ଘୃଣା କରନ୍ତି, ସେଗୁଡ଼ିକୁ ଆପଣ ମଧ୍ୟ ଘୃଣା କରନ୍ତୁ । ଆପଣ ନିଜ ମନରେ ଏପରି ବିଷୟଗୁଡ଼ିକୁ ଭରନ୍ତୁ ଯାହା ଯାହା ସତ୍ୟ, ଯଥାର୍ଥ, ବିଶୁଦ୍ଧ, ପ୍ରୀତିଭାଜନ ଓ ସଦ୍‌ଗୁଣ ଅଟେ । (ଫିଲିପ୍ପୀୟ ୪:୮, ୯) ଆପଣ ମଧ୍ୟ ଯୋଷେଫଙ୍କ ଭଳି ହୋଇପାରିବେ, ଯିଏ ଯିହୋବାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ଆଶିଷ ପାଇଲେ ।—ଯିଶାଇୟ ୬୪:୮.

୨୬. ପରବର୍ତ୍ତୀ ଦୁଇଟି ଅଧ୍ୟାୟରେ କେଉଁ ବିଷୟରେ ଆଲୋଚନା କରାଯିବ ?

୨୬ ଆପଣ ବିବାହିତ କିମ୍ବା ଅବିବାହିତ ଥାʼନ୍ତୁ ନା କାହିଁକି, ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ । ପରବର୍ତ୍ତୀ ଦୁଇଟି ଅଧ୍ୟାୟରେ ଏପରି ସିଦ୍ଧାନ୍ତଗୁଡ଼ିକ ଉପରେ ଆଲୋଚନା କରାଯିବ, ଯାହାକୁ ପାଳନ କଲେ ବୈବାହିକ ଜୀବନ ସୁଖମୟ ହୋଇପାରିବ ।

a ମାଥିଉ ୫:୨୯, ୩୦NW ): “ଯଦି ତୁମ ଡାହାଣ ଆଖି ତୁମର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗି ଦିଅ । ତୁମର ସମ୍ପୂର୍ଣ୍ଣ ଶରୀର ଜେହିନ୍ନାରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ । ଯଦି ତୁମର ଡାହାଣ ହାତଟି ତୁମ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗି ଦିଅ । କାରଣ ତୁମର ସମ୍ପୂର୍ଣ୍ଣ ଶରୀର ଜେହିନ୍ନାରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ ।”