इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୬

ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?

ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?

“ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।”—୧ କରିନ୍ଥୀୟ ୧୦:୩୧.

୧, ୨. ମନୋରଞ୍ଜନ ମାମଲାରେ ଆମେ କାହିଁକି ବୁଝିବିଚାରି ନିଷ୍ପତ୍ତି ନେବା ଉଚିତ୍‌ ?

 କଳ୍ପନା କରନ୍ତୁ ଯେ ଆପଣ ଏକ ଫଳ ଖାଇବେ ବୋଲି ଭାବୁଛନ୍ତି, କିନ୍ତୁ ଯେତେବେଳେ ଆପଣ ସେହି ଫଳକୁ ଧରନ୍ତି, ସେତେବେଳେ ଆପଣ ଦେଖନ୍ତି ଯେ ସେହି ଫଳର କିଛି ଅଂଶ ପଚିଯାଇଛି । ଏବେ ଆପଣ କʼଣ କରିପାରିବେ ? ତାକୁ ଖାଇବେ ନା ଫିଙ୍ଗି ଦେବେ ? ନା ପଚିଯାଇଥିବା ଅଂଶକୁ କାଟି ବାହାର କରିଦେବେ ଏବଂ ଭଲ ଅଂଶକୁ ଖାଇବେ ?

ଆଜିକାଲି ଅଧିକାଂଶ ମନୋରଞ୍ଜନ ଠିକ୍‌ ସେହି ଫଳ ପରି । କିଛି ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମଗୁଡ଼ିକ ଭଲ ହୋଇଥାଏ, କିନ୍ତୁ ଅଧିକାଂଶ ବହୁତ ଖରାପ ହୋଇଥାଏ । ଅଧିକାଂଶ ମନୋରଞ୍ଜନରେ ଅନୈତିକ, ମାରପିଟ୍‌ ଓ ଭୂତପ୍ରେତର କାହାଣୀ ସବୁ ଦେଖିବାକୁ ମିଳେ । ମନୋରଞ୍ଜନ ମାମଲାରେ ଆପଣ କʼଣ ଭାବନ୍ତି ? କʼଣ ଆପଣ ଏପରି କହନ୍ତି, “ମୋତେ ଯାହା ଇଚ୍ଛା ତାହା ଦେଖିବି ଓ ଶୁଣିବି” କିମ୍ବା ଏପରି ଭାବନ୍ତି ଯେ କୌଣସି ମନୋରଞ୍ଜନ ଠିକ୍‌ ନୁହେଁ ନା ଆପଣ ବୁଝିବିଚାରି ମନୋରଞ୍ଜନ କରନ୍ତି ଏବଂ ଖରାପ ଜିନିଷଗୁଡ଼ିକୁ ଦେଖନ୍ତି ନାହିଁ ?

୩. ମନୋରଞ୍ଜନ ମାମଲାରେ ଆମେ କʼଣ ଭାବିବା ଉଚିତ୍‌ ?

ଆମ ସମସ୍ତଙ୍କୁ ମନୋରଞ୍ଜନର ଆବଶ୍ୟକତା ରହିଛି । କିନ୍ତୁ ଆମେ ଚାହୁଁ ଯେ ସେହି ମନୋରଞ୍ଜନ ଭଲ ହେଉ । ଆମେ ଭାବିବା ଉଚିତ୍‌ ଯେ ଆମେ କେଉଁ ପ୍ରକାରର ମନୋରଞ୍ଜନ କରୁ, କାରଣ ଏହା ଆମ ଉପାସନା ଉପରେ ଗଭୀର ପ୍ରଭାବ ପକାଇଥାଏ ।

“ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର”

୪. ଗୋଟିଏ ସିଦ୍ଧାନ୍ତ କୁହନ୍ତୁ, ଯାହାକୁ ମନରେ ରଖିଲେ ଆମେ ଭଲ ମନୋରଞ୍ଜନ ବାଛିପାରିବା ।

ଯେତେବେଳେ ଆମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରୁ, ସେତେବେଳେ ଆମେ ତାଙ୍କୁ ପ୍ରତିଜ୍ଞା କରୁ ଯେ ଆମେ ଜୀବନ ସାରା ତାହାଙ୍କ ସେବା କରିବା । (ଉପଦେଶକ ୫:୪ ପଢ଼ନ୍ତୁ ।) ଆମେ ଦୃଢ଼ ସଙ୍କଳ୍ପ କରିଛୁ ଯେ “ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ” କରିବା । (୧ କରିନ୍ଥୀୟ ୧୦:୩୧) ଏହାର ଅର୍ଥ ଆମେ କେବଳ ପ୍ରଚାର କରିବା ସମୟରେ କିମ୍ବା ସଭାରେ ନୁହେଁ, ବରଂ ସବୁ ସମୟରେ ଈଶ୍ୱରଙ୍କ ସମର୍ପିତ ସେବକ ଅଟୁ । ଏପରିକି ମନୋରଞ୍ଜନ କରିବା ସମୟରେ ମଧ୍ୟ ।

୫. ଆମ ଉପାସନା କିପରି ହେବା ଉଚିତ୍‌ ?

ଆମେ ଜୀବନରେ ଯାହା କରୁ, ସେଥିରୁ ଜଣାପଡ଼ିବ ଯେ ଈଶ୍ୱର ଆମ ଉପାସନା ସ୍ୱୀକାର କରିବେ ନା ନାହିଁ । ପାଉଲ ମଧ୍ୟ ଏହାକୁ ବୁଝାଇ କହିଲେ, “ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର ।” (ରୋମୀୟ ୧୨:୧) ଯୀଶୁ କହିଥିଲେ, “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) ଆମେ ଯିହୋବାଙ୍କ ଉପାସନାରେ ଯାହା କରୁ, ତାହା ଆମ ତରଫରୁ ସବୁଠାରୁ ଉତ୍ତମ ହେବା ଉଚିତ୍‌ । ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ଯେତେବେଳେ ସେମାନେ ଯିହୋବାଙ୍କ ପାଇଁ କୌଣସି ପଶୁକୁ ବଳିଦାନ କରିବେ, ସେତେବେଳେ ସେମାନଙ୍କୁ ଧ୍ୟାନରେ ରଖିବାର ଥିଲା ଯେ ସେହି ପଶୁ ସମ୍ପୂର୍ଣ୍ଣ ସୁସ୍ଥ ହେଉ । ଯଦି ପଶୁଠାରେ କୌଣସି ଖୁଣ ବା ଦୋଷ ରହୁଥିଲା, ତେବେ ଯିହୋବା ତାହାକୁ ସ୍ୱୀକାର କରୁ ନ ଥିଲେ । (ଲେବୀ ପୁସ୍ତକ ୨୨:୧୮-୨୦) ଠିକ୍‌ ସେହିପରି, ଯଦି ଆଜି ଆମ ଉପାସନାରେ କୌଣସି ଖୁଣ ବା ଦୋଷ ଥିବ, ତାହେଲେ ଯିହୋବା ତାହା ସ୍ୱୀକାର କରିବେ ନାହିଁ । ଏହାର ଅର୍ଥ କʼଣ ?

୬, ୭. ଆମେ ଯେଉଁ ମନୋରଞ୍ଜନ କରୁ, ସେଥିରୁ ଆମ ଉପାସନା କିପରି ଦୂଷିତ ହୋଇପାରେ ?

ଯିହୋବା ଆମକୁ କହନ୍ତି, “ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର ।” (୧ ପିତର ୧:୧୪-୧୬; ୨ ପିତର ୩:୧୧, ୧୨) ଯଦି ଆମ ଉପାସନା ପବିତ୍ର କିମ୍ବା ଶୁଦ୍ଧ ହୋଇଥିବ, ତେବେ ହିଁ ଯିହୋବା ତାହା ସ୍ୱୀକାର କରିବେ । (ଦ୍ୱିତୀୟ ବିବରଣ ୧୫:୨୧) ଯିହୋବା ଅନୈତିକ, ହିଂସା ଓ ଯାଦୁବିଦ୍ୟା ଭଳି କାମଗୁଡ଼ିକୁ ଘୃଣା କରନ୍ତି । ଯଦି ଆମେ ଏପରି କାମ କରିବା, ତାହେଲେ ଆମ ଉପାସନା ଅଶୁଦ୍ଧ ହୋଇଯିବ । (ରୋମୀୟ ୬:୧୨-୧୪; ୮:୧୩) ହୁଏତ ଆମେ ନିଜେ ଏପରି କାମ କରି ନ ଥାଉ, କିନ୍ତୁ ଫିଲ୍ମଗୁଡ଼ିକରେ ଏଗୁଡ଼ିକର ମଜା ନେଇଥାଉ । ଏପରି କଲେ ଆମ ଉପାସନା ଦୂଷିତ ହୋଇଯିବ । ଯିହୋବା ତାହା ସ୍ୱୀକାର କରିବେ ନାହିଁ ଏବଂ ତାହାଙ୍କ ସହ ଥିବା ଆମ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇପାରେ ।

ଆମେ ଭଲ ମନୋରଞ୍ଜନ କିପରି ବାଛିପାରିବା ? କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ଜାଣିପାରିବା ଯେ କେଉଁ ମନୋରଞ୍ଜନ ଭଲ ଓ କେଉଁ ମନୋରଞ୍ଜନ ଖରାପ ?

ମନ୍ଦକୁ ଘୃଣା କରନ୍ତୁ

୮, ୯. ଆମେ କେଉଁ ପ୍ରକାରର ମନୋରଞ୍ଜନ କରି ନ ଥାଉ ଓ କାହିଁକି ?

ଆଜି ବହୁତଗୁଡ଼ିଏ ମନୋରଞ୍ଜନ ଉପଲବ୍ଧ । ଏମଧ୍ୟରୁ କିଛି ମନୋରଞ୍ଜନ ଭଲ ହୋଇଥାଏ, ଯାହା ଆମେ ଖ୍ରୀଷ୍ଟିୟାନମାନେ କରିପାରିବା । କିନ୍ତୁ ଅଧିକାଂଶ ମନୋରଞ୍ଜନ ଖରାପ ହୋଇଥାଏ ଏବଂ ଆମେ ତାହା କରିବା ଉଚିତ୍‌ ନୁହେଁ । ଆସନ୍ତୁ ପ୍ରଥମେ ଦେଖିବା କେଉଁ ପ୍ରକାରର ମନୋରଞ୍ଜନ ଖରାପ ଅଟେ ।

ଅନେକ ଫିଲ୍ମ, ଟିଭି କାର୍ଯ୍ୟକ୍ରମ, ଗୀତ, ୱେବସାଇଟ୍‌ ଓ ଭିଡିଓ ଗେମ୍‌ ଅନୈତିକ, ହିଂସା ଓ ଯାଦୁବିଦ୍ୟା ଉପରେ ଆଧାରିତ ହୋଇଥାଏ । ସେଥିରେ ଖରାପ କାମଗୁଡ଼ିକୁ ଏପରି ଦେଖାନ୍ତି, ଯେପରି ସେଥିରେ କୌଣସି ଭୁଲ ନାହିଁ ଏବଂ ଏହାକୁ ଏପରି ପ୍ରସ୍ତୁତ କରନ୍ତି ଯାହାଦ୍ୱାରା ଲୋକମାନଙ୍କୁ ମଜା ଲାଗୁ । ଏସବୁ ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ, ତେଣୁ ଆମେ ଏପରି ମନୋରଞ୍ଜନ କରି ନ ଥାଉ । (ପ୍ରେରିତ ୧୫:୨୮, ୨୯; ୧ କରିନ୍ଥୀୟ ୬:୯, ୧୦) ଯେତେବେଳେ ଆମେ ମନ୍ଦକୁ ଘୃଣା କରୁ, ସେତେବେଳେ ଯିହୋବା ଖୁସି ହୁଅନ୍ତି ।—ଗୀତସଂହିତା ୩୪:୧୪; ରୋମୀୟ ୧୨:୯.

୧୦. ଖରାପ ମନୋରଞ୍ଜନ କରିବା ଦ୍ୱାରା କʼଣ ହୋଇପାରେ ?

୧୦ କିନ୍ତୁ କିଛି ଲୋକଙ୍କୁ ଲାଗେ ଯେ ଅନୈତିକ, ହିଂସାଯାଦୁବିଦ୍ୟା ଉପରେ ଆଧାରିତ ଫିଲ୍ମ ଦେଖିବାରେ କୌଣସି ଭୁଲ ନାହିଁ । ସେମାନେ କହନ୍ତି, ‘ମୁଁ ତ ସେହି କାମ କରୁନି, ମୁଁ କେବଳ ମଜା ପାଇଁ ତାହା ଦେଖୁଛି ।’ କିନ୍ତୁ ଏପରି ଭାବିଲେ ଆମେ ପ୍ରକୃତରେ ନିଜକୁ ଧୋକା ଦେଉଥିବା । ବାଇବଲ କହେ, “ଅନ୍ତଃକରଣ [ହୃଦୟ] ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ ।” (ଯିରିମୀୟ ୧୭:୯) ଯେଉଁ କାମଗୁଡ଼ିକୁ ଯିହୋବା ଘୃଣା କରନ୍ତି, ଯଦି ଆମେ ସେ କାମଗୁଡ଼ିକୁ କରିବା, ତାହେଲେ କʼଣ ଆମେ କହିପାରିବା ଯେ ଆମେ ସେଗୁଡ଼ିକୁ ଘୃଣା କରୁ ? ଆମେ ଯେତେବେଶୀ ସେଗୁଡ଼ିକର ମଜା ନେବା, ସେତେବେଶୀ ଆମକୁ ଲାଗିବ ଯେ ସେଗୁଡ଼ିକରେ କିଛି ଖରାପ ନାହିଁ । ଧୀରେ ଧୀରେ ଆମ ବିବେକ ଦୁର୍ବଳ ହୋଇଯିବ । ତାʼପରେ ଏପରି ଏକ ସମୟ ଆସିବ ଯେତେବେଳେ ଆମେ ଖରାପ କାମ କରିବାକୁ ଯାଉଥିଲେ ମଧ୍ୟ ଏହା ଆମକୁ ସାବଧାନ କରିବ ନାହିଁ ।—ଗୀତସଂହିତା ୧୧୯:୭୦; ୧ ତୀମଥି ୪:୧, ୨.

୧୧. ଗାଲାତୀୟ ୬:୭ ପଦରେ ଦିଆଯାଇଥିବା ସିଦ୍ଧାନ୍ତରୁ ଆମେ କʼଣ ଶିଖୁ ?

୧୧ ବାଇବଲ କହେ, “ମନୁଷ୍ୟ ଯାହା ବୁଣେ, ତାହାହିଁ କାଟିବ ।” (ଗାଲାତୀୟ ୬:୭) ଏକଥା ସମ୍ପୂର୍ଣ୍ଣ ସତ । ଯଦି ଆମେ ଖରାପ କଥାଗୁଡ଼ିକର ମଜା ନେବା, ତାହେଲେ କିଛି ସମୟ ପରେ ଆମେ ମଧ୍ୟ ଖରାପ କାମ କରିବାକୁ ଲାଗିପାରିବା । କିଛି ଖ୍ରୀଷ୍ଟିୟାନମାନଙ୍କ ସହ ଏପରି ହିଁ ହୋଇଛି । ସେମାନଙ୍କୁ ଅନୈତିକ ମନୋରଞ୍ଜନ କରିବାର ଖରାପ ଅଭ୍ୟାସ ଥିଲା । ଏହା ଯୋଗୁଁ ସେମାନେ ଅନୈତିକ ଯୌନ ସମ୍ପର୍କ ରଖି ପାପ କଲେ । ସେଥିପାଇଁ ଏହା ବହୁତ ଜରୁରୀ ଯେ ଆମେ କେବଳ ଭଲ ମନୋରଞ୍ଜନ କରିବା । ଏବିଷୟରେ ଯିହୋବା ଆମକୁ ଭଲ ପରାମର୍ଶ ଦିଅନ୍ତି ।

ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ନିଷ୍ପତ୍ତି ନିଅନ୍ତୁ

୧୨. ଆମେ ମନୋରଞ୍ଜନ ମାମଲାରେ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିବା ?

୧୨ ଯେଉଁ ମନୋରଞ୍ଜନଗୁଡ଼ିକ ବିଷୟରେ ଆମେ ଜାଣୁ ଯେ ଯିହୋବା ସେଗୁଡ଼ିକୁ ଘୃଣା କରନ୍ତି, ଆମେ ସେହି ମନୋରଞ୍ଜନଗୁଡ଼ିକୁ କରି ନ ଥାଉ । କିନ୍ତୁ ଭାବନ୍ତୁ ଯଦି କୌଣସି ମନୋରଞ୍ଜନ ବିଷୟରେ ଆମକୁ ଜଣାନାହିଁ ଯେ ଯିହୋବାଙ୍କ ଦୃଷ୍ଟିରେ ତାହା ଠିକ୍‌ ଅଟେ କି ନୁହେଁ, ତାହେଲେ ଆମେ କʼଣ କରିବା ? ଆମେ କʼଣ ଦେଖିବା, କʼଣ ଶୁଣିବା କିମ୍ବା କʼଣ ପଢ଼ିବା ସେ ବିଷୟରେ ଯିହୋବା ଆମକୁ ନିୟମଗୁଡ଼ିକର ସୂଚୀ ଦେଇ ନାହାନ୍ତି । ସେ ଚାହାନ୍ତି ଯେ ଆମେ ନିଜ ବିବେକକୁ ପ୍ରଶିକ୍ଷଣ ଦେଉ ଓ ତାʼ ମୁତାବକ ନିଷ୍ପତ୍ତି ନେଉ । (ଗାଲାତୀୟ ୬:୫ ପଢ଼ନ୍ତୁ ।) ଯିହୋବା ଆମକୁ ବାଇବଲରେ ଏପରି ସିଦ୍ଧାନ୍ତ ବା ସତ୍ୟଗୁଡ଼ିକ ଦେଇଛନ୍ତି, ଯାହା ସାହାଯ୍ୟରେ ଆମେ ଜାଣିପାରୁ ଯେ କୌଣସି ମାମଲାରେ ତାହାଙ୍କ ଦୃଷ୍ଟିକୋଣ କʼଣ । ଯଦି ଆମେ ନିଜ ବିବେକକୁ ଏହି ସିଦ୍ଧାନ୍ତଗୁଡ଼ିକ ଅନୁସାରେ କାମ କରିବା ପାଇଁ ଶିଖାଇବା, ତାହେଲେ ଏହା ଆମକୁ ମନୋରଞ୍ଜନ ମାମଲାରେ ଜାଣିବା ପାଇଁ ସାହାଯ୍ୟ କରିବ ଯେ “ପ୍ରଭୁଙ୍କର ଇଚ୍ଛା କଅଣ ।” (ଏଫିସୀୟ ୫:୧୭) ଏପରି କଲେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା, ଯାହାଦ୍ୱାରା ଯିହୋବା ଖୁସି ହେବେ ।

ବାଇବଲର ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା

୧୩. (କ) ମନୋରଞ୍ଜନ ମାମଲାରେ ଖ୍ରୀଷ୍ଟିୟାନମାନଙ୍କ ମତ ପରସ୍ପରଠାରୁ ଅଲଗା କାହିଁକି ହୋଇପାରେ ? (ଖ) ଖ୍ରୀଷ୍ଟିୟାନମାନଙ୍କୁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ ?

୧୩ ମନୋରଞ୍ଜନ ମାମଲାରେ ଖ୍ରୀଷ୍ଟିୟାନମାନଙ୍କ ମତ ପରସ୍ପରଠାରୁ ଅଲଗା ହୋଇପାରେ । ଏପରି କାହିଁକି ହୁଏ ? ଏହାର ଗୋଟିଏ କାରଣ ହେଉଛି, ଆମ ସମସ୍ତଙ୍କର ନିଜ ନିଜ ପସନ୍ଦ ଥାଏ । ଆଉ ଗୋଟିଏ କାରଣ ହେଉଛି, ଯେଉଁ ବିଷୟ ଜଣକୁ ଠିକ୍‌ ଲାଗେ ହୁଏତ ଅନ୍ୟ ଜଣକୁ ତାହା ଠିକ୍‌ ଲାଗି ନ ପାରେ । ତେଣୁ ଯାହା ହେଉ ନା କାହିଁକି ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ଏହି ମାମଲାରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ । (ଫିଲିପ୍ପୀୟ ୧:୯) ଏପରି କଲେ ଆମେ ଏଭଳି ମନୋରଞ୍ଜନ ବାଛିପାରିବା, ଯାହା ଯିହୋବାଙ୍କ ଦୃଷ୍ଟିରେ ଭଲ ହୋଇଥିବ ।—ଗୀତସଂହିତା ୧୧୯:୧୧, ୧୨୯; ୧ ପିତର ୨:୧୬.

୧୪. (କ) ଆମେ ମନୋରଞ୍ଜନରେ କେତେ ସମୟ ବିତାଉ, ତାʼ ପ୍ରତି ଆମେ କାହିଁକି ଧ୍ୟାନ ଦେବା ଉଚିତ୍‌ ? (ଖ) ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କʼଣ ପରାମର୍ଶ ଦେଇଥିଲେ ?

୧୪ ଆମେ ଆଉ ଗୋଟିଏ କଥା ମନେ ରଖିବା ଉଚିତ୍‌ । ତାହା ହେଉଛି ଆମେ ମନୋରଞ୍ଜନରେ କେତେ ସମୟ ବିତାଉଛୁ । ସେଥିରୁ ଜଣାପଡ଼ିବ ଯେ ଆମେ ଏହାକୁ କେତେ ମହତ୍ତ୍ୱ ଦେଉଛୁ । ଆମ ପାଇଁ ଯିହୋବାଙ୍କ ସେବା କରିବା ସବୁଠୁ ଜରୁରୀ । (ମାଥିଉ ୬:୩୩ ପଢ଼ନ୍ତୁ ।) ହୁଏତ ଆମେ ମନୋରଞ୍ଜନ କରିବାରେ ଏତେ ବୁଡ଼ିଯାଇପାରୁ ଯେ ଆମକୁ ଜଣାପଡ଼ିବ ନାହିଁ ଯେ ଆମେ ସେଥିରେ କେତେ ସମୟ ନଷ୍ଟ କରୁଛୁ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ ଯେ “ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, ପୁଣି, ସୁଯୋଗର ସଦ୍‌ବ୍ୟବହାର କର ।” (ଏଫିସୀୟ ୫:୧୫, ୧୬) ଆମେ ମନୋରଞ୍ଜନରେ କେତେ ସମୟ ଦେବା, ତାହା ଆମେ ନିର୍ଦ୍ଧାରଣ କରିବା ଉଚିତ୍‌ । ଆମେ ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍‌ ଯେ ଆମ ପାଇଁ ଯିହୋବାଙ୍କ ସେବା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ।—ଫିଲିପ୍ପୀୟ ୧:୧୦.

୧୫. ଆମେ ଏପରି ମନୋରଞ୍ଜନ ମାମଲାରେ କʼଣ କରିବା, ଯାହା ଯିହୋବାଙ୍କ ସହିତ ଆମ ସମ୍ପର୍କକୁ ବିପଦରେ ପକାଇପାରେ ?

୧୫ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଏପରି ମନୋରଞ୍ଜନ କରିବା ଉଚିତ୍‌ ନୁହେଁ ଯାହା ଯିହୋବା ଘୃଣା କରନ୍ତି । କିନ୍ତୁ ଯଦି କୌଣସି ମନୋରଞ୍ଜନ ବିଷୟରେ ଆମକୁ ସନ୍ଦେହ ଥାଏ, ତାହେଲେ ଆମେ କʼଣ କରିବା ଉଚିତ୍‌ ? କʼଣ ଏପରି ସମୟରେ ମଧ୍ୟ ଆମେ ସତର୍କ ରହିବା ଉଚିତ୍‌ ? କଳ୍ପନା କରନ୍ତୁ ଯେ ଆପଣ ଏକ ପାହାଡ଼ିଆ ରାସ୍ତା ଦେଇ ଯାଉଛନ୍ତି । କʼଣ ଆପଣ ସେ ରାସ୍ତାର କଡ଼ କଡ଼ରେ ଚାଲିବେ ? ନୁହେଁ । ଯଦି ଆପଣ ନିଜ ଜୀବନକୁ ପ୍ରେମ କରନ୍ତି, ତାହେଲେ ଆପଣ କେବେ ମଧ୍ୟ କଡ଼ରେ ଚାଲିବେ ନାହିଁ । ମନୋରଞ୍ଜନ ମାମଲାରେ ମଧ୍ୟ ଆମେ ଏପରି ସତର୍କ ରହିବା ଉଚିତ୍‌ । ବାଇବଲରେ କୁହାଯାଇଛି, “ତୁମ୍ଭ ପାଦ ମନ୍ଦଠାରୁ ଦୂର କର ।” (ହିତୋପଦେଶ ୪:୨୫-୨୭) ଯେଉଁ ମନୋରଞ୍ଜନ ବିଷୟରେ ଆମକୁ ସ୍ପଷ୍ଟ ଭାବେ ଜଣା ଯେ ଏହା ଖରାପ ଅଟେ, ଆମେ ତାହାଠାରୁ ଦୂରେଇ ରହିବା ଉଚିତ୍‌ । ଏହା ସହିତ ଆମେ ଏପରି ମନୋରଞ୍ଜନଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍‌, ଯାହା ବିଷୟରେ ଆମକୁ ସନ୍ଦେହ ଅଛି ଯେ ତାହା ଠିକ୍‌ କି ନୁହେଁ । ଏପରି ନ କଲେ ଯିହୋବାଙ୍କ ସହ ଆମ ସମ୍ପର୍କ ବିପଦରେ ପଡ଼ିପାରେ ।

ଯିହୋବାଙ୍କ ଦୃଷ୍ଟିକୋଣ ଆପଣାନ୍ତୁ

୧୬. (କ) ଯିହୋବା କେଉଁ କାମଗୁଡ଼ିକୁ ଘୃଣା କରନ୍ତି ? (ଖ) ଯଦି ଆମେ ମଧ୍ୟ ସେହି କାମଗୁଡ଼ିକୁ ଘୃଣା କରୁ, ତାହେଲେ ଆମେ କʼଣ କରିବା ?

୧୬ ଗୀତସଂହିତାର ଜଣେ ଲେଖକ ଲେଖିଲେ, “ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର ।” (ଗୀତସଂହିତା ୯୭:୧୦) ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରୁ ଯେ କୌଣସି ବିଷୟକୁ ନେଇ ଯିହୋବା କʼଣ ଭାବନ୍ତି ଏବଂ କିପରି ଅନୁଭବ କରନ୍ତି । ଆମକୁ ମଧ୍ୟ ସେହିପରି ଦୃଷ୍ଟିକୋଣ ଆପଣାଇବା ଉଚିତ୍‌ । ଉଦାହରଣ ପାଇଁ, ବାଇବଲରେ ଲେଖାଅଛି ଯେ ଯିହୋବା ‘ମିଥ୍ୟାବାଦୀ-ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ; ଅନିଷ୍ଟଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣକୁ’ ଘୃଣା କରନ୍ତି । (ହିତୋପଦେଶ ୬:୧୬-୧୯) ବାଇବଲରେ ଏହା ମଧ୍ୟ ଲେଖାଅଛି ଯେ ‘ବ୍ୟଭିଚାର, ପ୍ରତିମାପୂଜା, କୁହୁକ, ଦ୍ୱେଷ, କ୍ରୋଧ, ଈର୍ଷା, ମତ୍ତତା, ରଙ୍ଗରସ’ ଇତ୍ୟାଦି ପ୍ରକାରର କାମଗୁଡ଼ିକ ତାଙ୍କ ଦୃଷ୍ଟିରେ ଖରାପ । (ଗାଲାତୀୟ ୫:୧୯-୨୧) କʼଣ ଆପଣ ଜାଣିଲେ ଯେ ବାଇବଲର ଏହି ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ ଆପଣ ମନୋରଞ୍ଜନ ମାମଲାରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ? ଆମେ ଜୀବନର ସମସ୍ତ କ୍ଷେତ୍ରରେ ଏବଂ ସବୁ ସମୟରେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିବା ଉଚିତ୍‌, ଏପରିକି ଯେତେବେଳେ ଆମେ ଏକୁଟିଆ କିମ୍ବା ଲୋକଙ୍କ ଗହଳିରେ ଥାଉ । (୨ କରିନ୍ଥୀୟ ୩:୧୮) ପ୍ରକୃତରେ ଆମେ ଏକୁଟିଆରେ ଯେପରି କାମ କରୁ, ସେଥିରୁ ଜଣାପଡ଼େ ଯେ ଆମେ ହୃଦୟରୁ କିପରି ମଣିଷ ଅଟୁ ।—ଗୀତସଂହିତା ୧୧:୪; ୧୬:୮.

୧୭. ଆମେ କୌଣସି ମନୋରଞ୍ଜନ କରିବା ପୂର୍ବରୁ କʼଣ ଭାବିବା ଉଚିତ୍‌ ?

୧୭ କୌଣସି ପ୍ରକାରର ମନୋରଞ୍ଜନ କରିବା ପୂର୍ବରୁ ଭାବନ୍ତୁ, ‘ଏହି ମନୋରଞ୍ଜନ ଯୋଗୁଁ କʼଣ ଯିହୋବାଙ୍କ ସହିତ ମୋର ସମ୍ପର୍କ ଦୁର୍ବଳ ହୋଇଯିବ ? ଏହା ମୋ ବିବେକ ଉପରେ କʼଣ ପ୍ରଭାବ ପକାଇବ ?’ ଆସନ୍ତୁ ଆଉ କିଛି ସିଦ୍ଧାନ୍ତଗୁଡ଼ିକ ଉପରେ ଆଲୋଚନା କରିବା, ଯାହା ସାହାଯ୍ୟରେ ଆମେ ଭଲ ମନୋରଞ୍ଜନ ବାଛିପାରିବା ।

୧୮, ୧୯. (କ) ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କʼଣ ପରାମର୍ଶ ଦେଇଥିଲେ ? (ଖ) କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା ?

୧୮ ଆମେ ଯେଉଁ ପ୍ରକାରର ମନୋରଞ୍ଜନ କରୁ, ସେହି ପ୍ରକାରର କଥା ଓ କାମଗୁଡ଼ିକ ଆମ ମନରେ ଭରିଯାଏ । ପାଉଲ ଲେଖିଲେ, “ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‌ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର ।” (ଫିଲିପ୍ପୀୟ ୪:୮) ଯଦି ଆମେ ଭଲ କଥାଗୁଡ଼ିକୁ ନିଜ ମନରେ ଭରିବା, ତାହେଲେ ଆମେ କହିପାରିବା, “ହେ ସଦାପ୍ରଭୋ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋʼ ମୁଖର ବାକ୍ୟ ଓ ମୋʼ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ ।”—ଗୀତସଂହିତା ୧୯:୧୪.

୧୯ ନିଜକୁ ପଚାରନ୍ତୁ, ‘ମୁଁ ମୋ ମନରେ କେଉଁ ପ୍ରକାରର କଥାଗୁଡ଼ିକୁ ଭରୁଛି ? କୌଣସି ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖିବା ପରେ, ମୋତେ କିପରି ଲାଗେ ? କʼଣ ମୁଁ ଖୁସି ହୁଏ ? କʼଣ ମୋ ବିବେକ ଶାନ୍ତ ରହେ ? (ଏଫିସୀୟ ୫:୫; ୧ ତୀମଥି ୧:୫, ୬, ୧୯) କʼଣ ମୁଁ ନିଃସଙ୍କୋଚରେ ଯିହୋବାଙ୍କୁ ପ୍ରାର୍ଥନା କରିପାରେ ନା ମୋତେ ଖରାପ ଲାଗେ ? କʼଣ ସେହି ମନୋରଞ୍ଜନ ଯୋଗୁଁ ମୁଁ ହିଂସା ବିଷୟରେ ଭାବିବାକୁ ଲାଗେ କିମ୍ବା ମୋ ମନରେ ଅନୈତିକ ବିଚାର ଆସେ ? (ମାଥିଉ ୧୨:୩୩; ମାର୍କ ୭:୨୦-୨୩) ମୁଁ ଯେଉଁ ପ୍ରକାରର ମନୋରଞ୍ଜନ କରୁଛି, କʼଣ ତା ଯୋଗୁଁ ମୁଁ “ଏହି ବର୍ତ୍ତମାନ ଯୁଗର ଅନୁରୂପୀ” ହୋଇଯାଉଛି ?’ (ରୋମୀୟ ୧୨:୨) ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଯେପରି ଦେଉ, ସେଥିରୁ ଜଣାପଡ଼ିବ ଯେ ଯିହୋବାଙ୍କ ସହିତ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ ଆମକୁ ଆଉ କʼଣ କରିବାକୁ ହେବ । ଗୀତସଂହିତାର ଜଣେ ଲେଖକଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଯେ “ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ।” aଗୀତସଂହିତା ୧୧୯:୩୭.

ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବନ୍ତୁ

୨୦, ୨୧. ଆମେ ଅନ୍ୟମାନଙ୍କ ବିଷୟରେ କାହିଁକି ଭାବିବା ଉଚିତ୍‌ ?

୨୦ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଉଛି, “ ‘ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ ।’ କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ । କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ ।” (୧ କରିନ୍ଥୀୟ ୧୦:୨୩, ୨୪, ଇଜି-ଟୁ-ରିଡ୍‌ ଭର୍ସନ) ଯଦିଓ ଆମକୁ କିଛି କାମ କରିବା ପାଇଁ ସ୍ୱାଧୀନତା ଅଛି, କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମକୁ ସେହି କାମ କରିବା ହିଁ କଥା । ଆମକୁ ଏହା ମଧ୍ୟ ଭାବିବା ଉଚିତ୍‌ ଯେ ଯଦି ଆମେ ସେହି କାମ କରିବା, ତେବେ ତାହା ଆମ ଭାଇଭଉଣୀମାନଙ୍କ ଉପରେ କʼଣ ପ୍ରଭାବ ପକାଇବ ।

୨୧ ସମସ୍ତଙ୍କ ବିବେକ ଏକା ଭଳି କାମ କରେ ନାହିଁ । ଉଦାହରଣସ୍ୱରୂପ, ହୁଏତ ଆପଣଙ୍କ ବିବେକ ଆପଣଙ୍କୁ ଟିଭିର କୌଣସି ଏକ କାର୍ଯ୍ୟକ୍ରମ ଦେଖିବା ପାଇଁ ଅନୁମତି ଦେଇପାରେ । କିନ୍ତୁ ଯଦି ଆପଣଙ୍କୁ ଜଣାପଡ଼େ ଯେ କୌଣସି ଭାଇ କିମ୍ବା ଭଉଣୀଙ୍କୁ ସେହି କାର୍ଯ୍ୟକ୍ରମ ଦେଖିବା ପାଇଁ ତାଙ୍କ ବିବେକ ତାଙ୍କୁ ଅନୁମତି ଦେଉ ନାହିଁ, ତେବେ ଆପଣ କʼଣ କରିବେ ? ଯଦିଓ ଆପଣଙ୍କୁ ତାହା ଦେଖିବାର ଅଧିକାର ଅଛି, ତଥାପି ଆପଣ ନିଷ୍ପତ୍ତି ନିଅନ୍ତି ଯେ ଆପଣ ତାହା ଦେଖିବେ ନାହିଁ । ଯଦି ଆପଣ ତାହା ଦେଖିବେ, ତେବେ ଆପଣ ସେହି “ଭାଇମାନଙ୍କ ବିରୁଦ୍ଧରେ ପାପ” କରୁଥିବେ । ଏପରିକି ଆପଣ “ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ” କରୁଥିବେ । (୧ କରିନ୍ଥୀୟ ୮:୧୨) ଆମେ ଏପରି କୌଣସି କାମ କରିବା ଉଚିତ୍‌ ନୁହେଁ, ଯାହା ଆମ ଭାଇଭଉଣୀଙ୍କର ଝୁଣ୍ଟିବାର କାରଣ ହୁଏ ।—ରୋମୀୟ ୧୪:୧; ୧୫:୧; ୧ କରିନ୍ଥୀୟ ୧୦:୩୨.

୨୨. ଅନ୍ୟ ଭାଇଭଉଣୀମାନଙ୍କୁ ଯାହା ଠିକ୍‌ ଲାଗେ, ଆମେ ତାହାକୁ ଭୁଲ ବୋଲି କାହିଁକି କହିବା ଉଚିତ୍‌ ନୁହେଁ ?

୨୨ ହୁଏତ ଜଣେ ଭାଇ କିମ୍ବା ଭଉଣୀଙ୍କୁ ଯେଉଁ ଜିନିଷ ଦେଖିବା ଆଉ ପଢ଼ିବା ପାଇଁ ଭଲ ଲାଗେ, ତାହା ଆପଣଙ୍କୁ ଠିକ୍‌ ନ ଲାଗିପାରେ । ଏପରି ସମୟରେ ଆପଣ କʼଣ କରିବେ ? ଆପଣ ତାଙ୍କ ଉପରେ ଚାପ ପକାଇବେ ନାହିଁ ଯେ ସେ ଆପଣଙ୍କ ଭଳି ଭାବନ୍ତୁ, ଏପରିକି ଆପଣ ତାଙ୍କୁ ମନା ମଧ୍ୟ କରିବେ ନାହିଁ । କାରଣ ଆପଣ ତାଙ୍କୁ ପ୍ରେମ କରନ୍ତି । ଯଦିଓ ଆପଣ ଦୁହିଁଙ୍କ ମତ ଭିନ୍ନ ଭିନ୍ନ ଅଛି, ତଥାପି ଆପଣ ଦୁହେଁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ପାଳନ କରୁଛନ୍ତି । ଉଦାହରଣ ପାଇଁ, ଗାଡ଼ି ଚଳାଉଥିବା ଜଣେ ବ୍ୟକ୍ତି ଯେତେବେଳେ ଦେଖେ ଯେ ଅନ୍ୟ ଲୋକମାନେ ତାʼଠାରୁ ଅଧିକ ବେଗରେ କିମ୍ବା ଧୀରେ ଗାଡ଼ି ଚଳାଉଛନ୍ତି, ସେତେବେଳେ ସେ ଭାବେ ନାହିଁ ଯେ ସେମାନେ ଭଲ ଡ୍ରାଇଭର ନୁହନ୍ତି ।—ଉପଦେଶକ ୭:୧୬; ଫିଲିପ୍ପୀୟ ୪:୫.

୨୩. ଆମେ ଭଲ ମନୋରଞ୍ଜନ କିପରି ବାଛିପାରିବା ?

୨୩ ଆମେ ଭଲ ମନୋରଞ୍ଜନ କିପରି ବାଛିପାରିବା ? ଯଦି ଆମେ ନିଜ ବିବେକକୁ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ପ୍ରଶିକ୍ଷଣ ଦେବା ଏବଂ ନିଜ ଭାଇଭଉଣୀମାନଙ୍କ ବିଷୟରେ ଭାବିବା, ତେବେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା । ଏପରି କଲେ ଆମକୁ ବହୁତ ଖୁସି ମିଳିବ । କାରଣ ଆମେ “ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ” କରୁଥିବା ।

a ମନୋରଞ୍ଜନ ବିଷୟରେ ଆଉ କିଛି ସିଦ୍ଧାନ୍ତ ଏହି ପଦଗୁଡ଼ିକରେ ଦିଆଯାଇଛି: ହିତୋପଦେଶ ୩:୩୧; ୧୩:୨୦; ଏଫିସୀୟ ୫:୩, ୪କଲସୀୟ ୩:୫, ୮, ୨୦.