इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୬

ଶୟତାନର ବିରୋଧ କରନ୍ତୁ

ଶୟତାନର ବିରୋଧ କରନ୍ତୁ

“ଶୟତାନକୁ ପ୍ରତିବାଧା କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ ।”—ଯାକୁବ ୪:୭.

୧, ୨. ଶୟତାନ ଓ ତାʼ ଦୁଷ୍ଟ ଦୂତମାନଙ୍କ ବିଷୟରେ ଆମେ କʼଣ ଜାଣିବା ଉଚିତ୍‌ ?

 ଆଜି ଆମେ ସମସ୍ତେ ନୂତନ ଜଗତର ଅପେକ୍ଷା କରୁଛୁ, ଯେଉଁଠାରେ ଆମେ ସମସ୍ତେ ଖୁସିରେ ରହିବା । ଶେଷରେ ଆମେ ଏପରି ଜୀବନ ଜୀଇଁପାରିବା ଯେପରି ଯିହୋବା ଚାହୁଁଥିଲେ । ଆଜି ଆମେ ଯେଉଁ ଜଗତରେ ରହୁଛୁ, ତାହା ଶୟତାନ ଓ ତାହାର ଦୁଷ୍ଟ ଦୂତମାନଙ୍କ ଅଧୀନରେ ଅଛି । (୨ କରିନ୍ଥୀୟ ୪:୪) ଏହା ସତ ଯେ ସେମାନେ ଆମକୁ ଦେଖାଯାଆନ୍ତି ନାହିଁ । କିନ୍ତୁ ସେମାନେ ବାସ୍ତବରେ ଅଛନ୍ତି ଓ ବହୁତ ଶକ୍ତିଶାଳୀ ।

ଏହି ଅଧ୍ୟାୟରେ ଆମେ ଦେଖିବା ଯେ ଆମେ ଯିହୋବାଙ୍କ ନିକଟତର କିପରି ହୋଇପାରିବା ଏବଂ ନିଜକୁ ଶୟତାନଠାରୁ କିପରି ରକ୍ଷା କରିପାରିବା । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଶୟତାନଠାରୁ ରକ୍ଷା ପାଇବା ପାଇଁ ସେ ଆମକୁ ସାହାଯ୍ୟ କରିବେ । ଆମେ ଜାଣିବା ଉଚିତ୍‌ ଯେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ଆମକୁ ଫାନ୍ଦରେ ପକାଇବା ପାଇଁ ଓ ଆମ ଉପରେ ଆକ୍ରମଣ କରିବା ପାଇଁ କେଉଁ କେଉଁ ଉପାୟ ଆପଣାନ୍ତି ।

‘ସିଂହ ପରି ଗର୍ଜନ କରି’

୩. ଶୟତାନ କʼଣ କରିବାକୁ ଚାହେଁ ?

ଶୟତାନ ଦାବି କରେ ଯେ ମଣିଷ ନିଜ ସ୍ୱାର୍ଥ ପାଇଁ ଯିହୋବାଙ୍କ ସେବା କରେ । କିନ୍ତୁ ଯଦି ତାʼ ଜୀବନରେ ସମସ୍ୟା ଆସେ, ତେବେ ସେ ଯିହୋବାଙ୍କୁ ଛାଡ଼ିଦେବ । (ଆୟୁବ ୨:୪, ୫ ପଢ଼ନ୍ତୁ ।) ଯେତେବେଳେ ଜଣେ ବ୍ୟକ୍ତି ଯିହୋବାଙ୍କ ବିଷୟରେ ଶିଖିବା ଆରମ୍ଭ କରେ, ସେତେବେଳେ ଶୟତାନ ଓ ତାʼ ଦୁଷ୍ଟ ଦୂତମାନେ ତାʼ ଉପରେ ଧ୍ୟାନ ଦିଅନ୍ତି ଓ ତାକୁ ରୋକିବା ପାଇଁ ଚେଷ୍ଟା କରନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରେ ଓ ବାପ୍ତିସ୍ମ ନିଏ, ସେତେବେଳେ ଶୟତାନ ଓ ତାʼ ଦୁଷ୍ଟ ଦୂତମାନେ ବହୁତ ରାଗିଯାʼନ୍ତି । ବାଇବଲ କହେ ଯେ ଶୟତାନ “ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି ।” (୧ ପିତର ୫:୮) ଯିହୋବାଙ୍କ ସହ ଆମ ସମ୍ପର୍କକୁ ଶୟତାନ ଭାଙ୍ଗିବାକୁ ଚାହେଁ ।—ଗୀତସଂହିତା ୭:୧, ୨; ୨ ତୀମଥି ୩:୧୨.

ଯେତେବେଳେ ଆମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରୁ, ସେତେବେଳେ ଶୟତାନ ତାହା ଦେଖି ବହୁତ କ୍ରୋଧିତ ହୋଇଯାଏ

୪, ୫. (କ) ଶୟତାନ କʼଣ କରିପାରିବ ନାହିଁ ? (ଖ) ଆମେ “ଶୟତାନକୁ ପ୍ରତିବାଧା” କିପରି କରିପାରିବା ?

କିନ୍ତୁ ଆମେ ଶୟତାନ ଓ ତାʼ ଦୁଷ୍ଟ ଦୂତମାନଙ୍କୁ ଡରିବା ଉଚିତ୍‌ ନୁହେଁ । ଯିହୋବା ସେମାନଙ୍କ ଉପରେ କିଛି ସୀମା ନିର୍ଦ୍ଧାରଣ କରିଛନ୍ତି, ତେଣୁ ସେମାନେ ଯାହା ଇଚ୍ଛା ତାହା କରିପାରିବେ ନାହିଁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ଏକ ମହା ଜନତା ମହାକ୍ଳେଶରୁ’ ନିଶ୍ଚୟ ରକ୍ଷା ପାଇବ । (ପ୍ରକାଶିତ ବାକ୍ୟ ୭:୯, ୧୪) ଯିହୋବାଙ୍କ ଏହି ଉଦ୍ଦେଶ୍ୟକୁ ଶୟତାନ ରୋକିପାରିବ ନାହିଁ । କାରଣ ଯିହୋବା ନିଜ ଲୋକମାନଙ୍କର ରକ୍ଷା କରୁଛନ୍ତି ।

ଯଦି ଆମେ ଯିହୋବାଙ୍କ ନିକଟତର ହୋଇ ରହିବା, ତେବେ ଶୟତାନ ତାହାଙ୍କ ସହ ଆମ ସମ୍ପର୍କକୁ ଭାଙ୍ଗିପାରିବ ନାହିଁ । ବାଇବଲ ଆମକୁ ଭରସା ଦିଏ ଯେ “ତୁମ୍ଭେମାନେ ସଦାପ୍ରଭୁଙ୍କ ସଙ୍ଗେ ଥିବା ଯାଏ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି ।” (୨ ବଂଶାବଳୀ ୧୫:୨; ୧ କରିନ୍ଥୀୟ ୧୦:୧୩ ପଢ଼ନ୍ତୁ ।) ପ୍ରାଚୀନ ସମୟରେ ଅନେକ ବିଶ୍ୱସ୍ତ ସେବକମାନେ ଯିହୋବାଙ୍କ ନିକଟତର ହୋଇ ରହିବା ଯୋଗୁଁ ଶୟତାନର ବିରୋଧ କରିପାରିଲେ । ଯେପରି— ହେବଲ, ହୋନକ, ନୋହ, ସାରା ଓ ମୋଶା । (ଏବ୍ରୀ ୧୧:୪-୪୦) ଆମେ ମଧ୍ୟ ଏପରି କରିପାରିବା । ବାଇବଲରେ ଲେଖାଅଛି, “ଶୟତାନକୁ ପ୍ରତିବାଧା କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ ।”—ଯାକୁବ ୪:୭.

ଆମେ କେଉଁ ଯୁଦ୍ଧ ଲଢ଼ୁଛୁ ?

୬. ଶୟତାନ ଆମକୁ ଯିହୋବାଙ୍କଠାରୁ ଦୂରେଇ ନେବା ପାଇଁ କʼଣ କରେ ?

ଶୟତାନ ଜାଣେ ଯେ ସେ ଆମ ସହ ଯାହା ଇଚ୍ଛା ତାହା କରିପାରିବ ନାହିଁ, କାରଣ ତାକୁ ଏପରି କରିବା ପାଇଁ ସ୍ୱାଧୀନତା ଦିଆଯାଇ ନାହିଁ । ତଥାପି ସେ ଯିହୋବାଙ୍କ ସହ ଆମ ସମ୍ପର୍କକୁ ଦୁର୍ବଳ କରିବାକୁ ପଛଘୁଞ୍ଚା ଦିଏ ନାହିଁ । ଏପରି କରିବା ପାଇଁ ସେ ଆଜି ମଧ୍ୟ ଅନେକ ଉପାୟ ପାଞ୍ଚିଥାଏ ଓ ଷଡ଼ଯନ୍ତ୍ର କରିଥାଏ, ଯାହା ସେ ହଜାର ହଜାର ବର୍ଷରୁ ଆପଣାଇ ଆସିଛି । ଆସନ୍ତୁ ତାʼର କିଛି ଷଡ଼ଯନ୍ତ୍ର ବିଷୟରେ ଦେଖିବା ।

୭. ଶୟତାନ ଆମ ଉପରେ ସମସ୍ୟା କାହିଁକି ଆଣେ ?

ପ୍ରେରିତ ଯୋହନ ଲେଖିଲେ, ‘ସମସ୍ତ ଜଗତ ପାପାତ୍ମାର [ଶୟତାନର] ଅଧୀନ ।’ (୧ ଯୋହନ ୫:୧୯) ଏହି ଦୁଷ୍ଟ ସଂସାର ଶୟତାନର ଅଧୀନରେ ଅଛି ଏବଂ ସେ ଯିହୋବାଙ୍କ ଲୋକମାନଙ୍କୁ ମଧ୍ୟ ନିଜ ଅଧୀନରେ କରିବାକୁ ଚାହେଁ । (ମୀଖା ୪:୧; ଯୋହନ ୧୫:୧୯; ପ୍ରକାଶିତ ବାକ୍ୟ ୧୨:୧୨, ୧୭) ସେ ଜାଣେ ଯେ ତାʼ ପାଖରେ ଆଉ ବେଶୀ ସମୟ ନାହିଁ । ତେଣୁ ସେ ଆମ ପ୍ରତ୍ୟେକଙ୍କୁ ଯିହୋବାଙ୍କଠାରୁ ଦୂରେଇ ନେବା ପାଇଁ ଆମ ଉପରେ ସମସ୍ୟା ଆଣେ । ଏପରି କରିବା ପାଇଁ ସେ ବେଳେ ବେଳେ ଆମ ଉପରେ ସିଧାସଳଖ ଆକ୍ରମଣ କରିଥାଏ । ଆଉ କେତେବେଳେ ଚତୁରତାର ସହ ଆମକୁ ନିଜ ଫାନ୍ଦରେ ଫସାଇଥାଏ ।

୮. ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ କେଉଁ କଥା ବୁଝିବା ଉଚିତ୍‌ ?

ଏଫିସୀୟ ୬:୧୨ ପଦରେ ଲେଖାଅଛି: ‘ଆମ୍ଭମାନଙ୍କ ଯୁଦ୍ଧ ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଅଛି ।’ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ଏହି ଯୁଦ୍ଧ ନିଜେ ଲଢ଼ିବାକୁ ହେବ । ସେ ଏକଥା ବୁଝିବା ଉଚିତ୍‌ ଯେ ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରେ, ସେତେବେଳେ ସେ ଏହି ଯୁଦ୍ଧରେ ସାମିଲ୍‌ ହୋଇଯାଏ । ପ୍ରେରିତ ପାଉଲ ଏଫିସୀୟମାନଙ୍କୁ ଲେଖିଥିବା ନିଜ ଚିଠିରେ ଖ୍ରୀଷ୍ଟିୟାନମାନଙ୍କୁ କହନ୍ତି ଯେ ସେମାନଙ୍କୁ ଶୟତାନ ବିରୁଦ୍ଧରେ “ଅଟଳ” ରହିବା ଉଚିତ୍‌ ।—ଏଫିସୀୟ ୬:୧୧, ୧୩, ୧୪.

୯. ଶୟତାନ ଓ ତାʼ ଦୁଷ୍ଟ ଦୂତମାନେ କʼଣ କରିବା ପାଇଁ ଚେଷ୍ଟା କରନ୍ତି ?

ଶୟତାନ ଓ ତାʼ ଦୂତମାନେ ଆମକୁ ଫସାଇବା ପାଇଁ ଭିନ୍ନ ଭିନ୍ନ ଫାନ୍ଦ ପକାଇଥାʼନ୍ତି । ଯଦି ଆମେ ଶୟତାନର ଗୋଟିଏ ଫାନ୍ଦରୁ ରକ୍ଷା ପାଇଗଲୁ, ତାʼ ଅର୍ଥ ଏହା ନୁହେଁ ଯେ ଆମେ ତାʼ ଅନ୍ୟ ଫାନ୍ଦରେ ଫସିବା ନାହିଁ । ସେ ଆମକୁ ଫସାଇବା ପାଇଁ ଆମ ଦୁର୍ବଳତାଗୁଡ଼ିକୁ ଖୋଜୁଥାଏ । କିନ୍ତୁ ଆମେ ତାʼ ଫାନ୍ଦରେ ପଡ଼ିବାଠାରୁ ରକ୍ଷା ପାଇପାରିବା, କାରଣ ବାଇବଲରେ ଆଗରୁ କୁହାଯାଇଛି ଯେ ଶୟତାନ କେଉଁ କେଉଁ ଫାନ୍ଦ ବ୍ୟବହାର କରେ । (୨ କରିନ୍ଥୀୟ ୨:୧୧; ଅଧିକ ବିବରଣୀ-୩୧ ଦେଖନ୍ତୁ ।) ତାʼର ଗୋଟିଏ ଫାନ୍ଦ ହେଉଛି ଜ୍ୟୋତିଷବିଦ୍ୟା, ଯାଦୁବିଦ୍ୟା ଓ ଭୂତବିଦ୍ୟା ।

ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ କୌଣସି ସମ୍ପର୍କ ରଖନ୍ତୁ ନାହିଁ

୧୦. (କ) କେଉଁ କେଉଁ କାମ ଜଣେ ବ୍ୟକ୍ତିକୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସମ୍ପର୍କରେ ଆଣିଥାଏ ? (ଖ) ଏହି କାମଗୁଡ଼ିକ ପ୍ରତି ଯିହୋବାଙ୍କ ଦୃଷ୍ଟିକୋଣ କʼଣ ?

୧୦ ଯାଦୁବିଦ୍ୟା, ଭୂତବିଦ୍ୟା, ତନ୍ତ୍ରମନ୍ତ୍ର କରିବା, ଜ୍ୟୋତିଷବିଦ୍ୟା, ମରିଯାଇଥିବା ଲୋକମାନଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିବା ଏବଂ ଏପରି ଅନେକ କାମ ଜଣେ ବ୍ୟକ୍ତିକୁ ଦୁଷ୍ଟ ଦୂତମାନଙ୍କର ସମ୍ପର୍କରେ ଆଣିଥାଏ । ବାଇବଲରେ ଲେଖାଅଛି ଯେ ଏସବୁ କାମ “ଘୃଣ୍ୟ” ଅଟେ । (ଦ୍ୱିତୀୟ ବିବରଣ ୧୮:୧୦-୧୨; ପ୍ରକାଶିତ ବାକ୍ୟ ୨୧:୮) ଯଦି କେହି ଏପରି କାମ କରେ ଓ ତାʼ ସହ ଯିହୋବାଙ୍କ ସେବା ମଧ୍ୟ କରେ, ତେବେ ଯିହୋବା ତାʼ ଉପାସନା ସ୍ୱୀକାର କରିବେ ନାହିଁ । ଖ୍ରୀଷ୍ଟିୟାନମାନଙ୍କୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଜଡ଼ିତ କୌଣସି କାମ କରିବା ଉଚିତ୍‌ ନୁହେଁ ।—ରୋମୀୟ ୧୨:୯.

୧୧. ଅଲୌକିକ ବିଷୟଗୁଡ଼ିକରେ ଆଗ୍ରହ ରଖିଲେ କʼଣ ହୋଇପାରେ ?

୧୧ ଯେତେବେଳେ ଶୟତାନ ଦେଖେ ଯେ ଜଣେ ବ୍ୟକ୍ତି ଅଲୌକିକ ବିଷୟଗୁଡ଼ିକରେ ବହୁତ ଆଗ୍ରହ ରଖୁଛି, ସେତେବେଳେ ସେ ତାକୁ ଅତି ସହଜରେ ଜ୍ୟୋତିଷବିଦ୍ୟା, ଯାଦୁବିଦ୍ୟା ଓ ଭୂତବିଦ୍ୟା ଭଳି କାମରେ ଫସାଏ । ତେଣୁ ଆମେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ସମ୍ପର୍କ ରଖୁଥିବା କୌଣସି କାମ କରିବା ଉଚିତ୍‌ ନୁହେଁ । ଏପରି ନ କଲେ ଯିହୋବାଙ୍କ ସହ ଆମ ସମ୍ପର୍କ ଭାଙ୍ଗି ଯାଇପାରେ ।

ଶୟତାନର ଫାନ୍ଦ

୧୨. ଶୟତାନ ଆମ ଚିନ୍ତାଧାରାକୁ ବଦଳାଇବା ପାଇଁ କିପରି ଚେଷ୍ଟା କରେ ?

୧୨ ଶୟତାନ ଲୋକଙ୍କ ଚିନ୍ତାଧାରାକୁ ବଦଳାଇବା ପାଇଁ ଚେଷ୍ଟା କରେ । ସେ ଧୀରେ ଧୀରେ ଲୋକଙ୍କ ମନରେ ଭଲ ଓ ମନ୍ଦ ବିଷୟରେ ସନ୍ଦେହ ସୃଷ୍ଟି କରେ, ଯାହାଫଳରେ ସେମାନେ “ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି ।” (ଯିଶାଇୟ ୫:୨୦) ଶୟତାନ ଚାହେଁ ଲୋକେ ବିଶ୍ୱାସ କରନ୍ତୁ ଯେ ଈଶ୍ୱରଙ୍କ ମାନଦଣ୍ଡ ଅନୁସାରେ ଚାଲିବା ଅସମ୍ଭବ ଅଟେ ଏବଂ ସେମାନେ ଏହା ନ ମାନିଲେ ଅଧିକ ଖୁସିରେ ରହିପାରିବେ ।

୧୩. ଶୟତାନ ପୂର୍ବ ସମୟରେ ମଧ୍ୟ ସନ୍ଦେହ ସୃଷ୍ଟି କରିବାର ଉପାୟକୁ କିପରି ବ୍ୟବହାର କରିଛି ?

୧୩ ସନ୍ଦେହ ସୃଷ୍ଟି କରିବା ଶୟତାନର ଏପରି ଏକ ଉପାୟ, ଯାହାକୁ ବ୍ୟବହାର କରି ତାକୁ ବହୁତ ସଫଳତା ମିଳିଛି । ସେ ପୂର୍ବରୁ ଏପରି କରି ଆସିଛି । ଏଦନ ଉଦ୍ୟାନରେ ହବାଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ପାଇଁ ସେ ତାଙ୍କୁ ପଚାରେ, “ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି ?” (ଆଦି ପୁସ୍ତକ ୩:୧) ପରେ ଆୟୁବଙ୍କ ସମୟରେ ଶୟତାନ ସ୍ୱର୍ଗଦୂତମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ଚେଷ୍ଟା କଲା । ସେ ସେମାନଙ୍କ ସାମନାରେ ଯିହୋବାଙ୍କୁ କହେ, “ଆୟୁବ କʼଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି ?” (ଆୟୁବ ୧:୯) ଯୀଶୁଙ୍କ ବାପ୍ତିସ୍ମ ପରେ ଶୟତାନ ତାଙ୍କୁ କହେ, “ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବା ପାଇଁ ଆଜ୍ଞା ଦିଅ ।”—ମାଥିଉ ୪:୩.

୧୪. ଶୟତାନ ଯାଦୁବିଦ୍ୟା ଓ ଭୂତବିଦ୍ୟା ବିଷୟରେ ଲୋକଙ୍କ ଚିନ୍ତାଧାରାକୁ କିପରି ବଦଳାଇ ଥାଏ ?

୧୪ ଆଜି ମଧ୍ୟ ଶୟତାନ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ଚେଷ୍ଟା କରେ । ସେ ଜ୍ୟୋତିଷବିଦ୍ୟା, ଯାଦୁବିଦ୍ୟା ଓ ଭୂତବିଦ୍ୟାକୁ ଏପରି ଭାବରେ ଦେଖାଏ, ଯେପରି ଲୋକଙ୍କୁ ଲାଗିବ ଯେ ଏଥିରେ କୌଣସି କ୍ଷତି ନାହିଁ । କିଛି ଖ୍ରୀଷ୍ଟିୟାନ ଏହି କଥାକୁ ଧ୍ୟାନ ଦେଲେ ନାହିଁ ଏବଂ ବିପଦରେ ପଡ଼ିଗଲେ । (୨ କରିନ୍ଥୀୟ ୧୧:୩) ଆମ ଭିତରେ ଏପରି ଚିନ୍ତାଧାରା ନ ଆସିବା ପାଇଁ ଆମେ କʼଣ କରିପାରିବା ? ଆସନ୍ତୁ ଆମେ ଏପରି ଦୁଇଟି ମାମଲା ପ୍ରତି ଧ୍ୟାନ ଦେବା, ଯେଉଁଥିରେ ଶୟତାନ ଆମକୁ ଧୋକା ଦେଇ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଫାନ୍ଦରେ ଫସାଇପାରେ । ସେଗୁଡ଼ିକ ହେଲା, ମନୋରଞ୍ଜନ ଓ ଚିକିତ୍ସା ।

ଶୟତାନ ଆମ ସ୍ୱାଭାବିକ ଇଚ୍ଛାଗୁଡ଼ିକର ଲାଭ ଉଠାଇଥାଏ

୧୫. ଦୁଷ୍ଟ ସ୍ୱର୍ଗନଦୂତମାନେ ମନୋରଞ୍ଜନ ଜରିଆରେ ଆମକୁ ଫାନ୍ଦରେ କିପରି ଫସାଇପାରନ୍ତି ?

୧୫ ଆଜି ଅନେକ ଫିଲ୍ମ, ଭିଡିଓ, ଟିଭି କାର୍ଯ୍ୟକ୍ରମ, କମ୍ପ୍ୟୁଟର ଗେମ୍‌ ଓ ୱେବସାଇଟ୍‌ଗୁଡ଼ିକରେ ଯାଦୁ, ଭୂତପ୍ରେତର କାହାଣୀ କିମ୍ବା ଅଲୌକିକ ଶକ୍ତିଗୁଡ଼ିକର କାହାଣୀ ଦେଖିବାକୁ ମିଳେ । ଏଗୁଡ଼ିକୁ ଲୋକେ ବହୁତ ଉତ୍ସାହର ସହ ଦେଖନ୍ତି । କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଯେ ଏପରି କରି ସେମାନେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ସମ୍ପର୍କ ଗଢ଼ୁଥାʼନ୍ତି । ଆଉ କିଛି ଲୋକ ଜାତକ ତିଆରି କରନ୍ତି, ରାଶିଫଳ ଦେଖନ୍ତି, ହାତରେଖା ପଢ଼ି ଭବିଷ୍ୟତ ଜାଣିବା ପାଇଁ ଚେଷ୍ଟା କରନ୍ତି । ଏଗୁଡ଼ିକରେ ଥିବା ବିପଦକୁ ଶୟତାନ ଲୋକମାନଙ୍କଠାରୁ ଲୁଚାଇ ଦିଏ, ତେଣୁ ଏହା ସେମାନଙ୍କୁ ବହୁତ ରୋମାଞ୍ଚକ ଓ ରହସ୍ୟମୟ ଲାଗେ । ସେମାନେ ଏଗୁଡ଼ିକୁ ବହୁତ ମଜା ନେଇ ଦେଖନ୍ତି ଏବଂ ଏଥିରେ ଥିବା ବିପଦଗୁଡ଼ିକୁ ଜାଣିପାରନ୍ତି ନାହିଁ । ଜଣେ ବ୍ୟକ୍ତି ହୁଏତ ଭାବିପାରେ ଯେ ଭୂତପ୍ରେତ ଆଧାରିତ ଫିଲ୍ମ କିମ୍ବା କାର୍ଯ୍ୟକ୍ରମଗୁଡ଼ିକ ଦେଖିବାରେ କୌଣସି କ୍ଷତି ନାହିଁ, କାରଣ ସେ ନିଜେ ତ ଏହି ସବୁ କରୁ ନାହିଁ । କିନ୍ତୁ ଏପରି ଭାବିବା ବହୁତ ବିପଦଜନକ ହେବ ।—୧ କରିନ୍ଥୀୟ ୧୦:୧୨.

୧୬. ଆମେ ଅଲୌକିକ ବିଷୟ ଉପରେ ଆଧାରିତ ମନୋରଞ୍ଜନ କାହିଁକି କରିବା ଉଚିତ୍‌ ନୁହେଁ ?

୧୬ ଆମ ମନର ବିଚାରକୁ ଶୟତାନ ଓ ତାʼ ଦୂତମାନେ ଜାଣିପାରନ୍ତି ନାହିଁ । କିନ୍ତୁ ସେମାନେ ଧ୍ୟାନ ଦିଅନ୍ତି ଯେ ଆମେ କʼଣ ପସନ୍ଦ କରୁ ଓ କʼଣ ପସନ୍ଦ କରି ନ ଥାଉ । ଯେପରି, ଆମେ ଯେଉଁଭଳି ମନୋରଞ୍ଜନ କରୁ, ସେଥିରୁ ସେମାନେ ଆମ ବିଷୟରେ ବହୁତ କିଛି ଜାଣିପାରନ୍ତି । ଯଦି ଆମେ ଯାଦୁବିଦ୍ୟା, ଭୂତବିଦ୍ୟା, ତନ୍ତ୍ରମନ୍ତ୍ର, ବଶୀଭୂତ, ଭୂତପିଶାଚ ଇତ୍ୟାଦି ଉପରେ ଆଧାରିତ ଫିଲ୍ମଗୁଡ଼ିକ ଦେଖୁ, ସଙ୍ଗୀତ ଶୁଣୁ କିମ୍ବା ବହି-ପତ୍ରିକା ପଢ଼ୁ, ତେବେ ଶୟତାନ ଓ ତାʼ ଦୂତମାନେ ଜାଣିପାରିବେ ଯେ ଆମେ ସେମାନଙ୍କ ପ୍ରତି କେତେ ଆଗ୍ରହ ରଖୁଛୁ । ଆଉ ସେମାନେ ଆମକୁ ଯାଦୁବିଦ୍ୟା, ଭୂତବିଦ୍ୟାଗୁଡ଼ିକ ଭଳି କାମଗୁଡ଼ିକରେ ଆହୁରି ବେଶୀ ଫସାଇବା ପାଇଁ ଚେଷ୍ଟା କରିବେ ।—ଗାଲାତୀୟ ୬:୭ ପଢ଼ନ୍ତୁ ।

୧୭. ଭଲ ସ୍ୱାସ୍ଥ୍ୟ ପାଇବା ପାଇଁ ଆମର ଯେଉଁ ଇଚ୍ଛା ଅଛି, ଶୟତାନ ତାʼର ଲାଭ କିପରି ଉଠାଇପାରେ ?

୧୭ ଚିକିତ୍ସା ମାମଲାରେ ମଧ୍ୟ ଶୟତାନ ଆମକୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଫାନ୍ଦରେ ଫସାଇପାରେ । ତାହା କିପରି ? ପ୍ରତ୍ୟେକ ମଣିଷ ଭଲ ସ୍ୱାସ୍ଥ୍ୟ ପାଇବା ପାଇଁ ଚାହେଁ, ଆଉ ଶୟତାନ ଏହାର ଲାଭ ଉଠାଏ । ହୁଏତ ଜଣେ ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ପୀଡ଼ିତ ହୁଏ ଏବଂ ଭିନ୍ନ ଭିନ୍ନ ଚିକିତ୍ସା କଲାପରେ ମଧ୍ୟ ତାକୁ କୌଣସି ଲାଭ ହୁଏ ନାହିଁ । (ମାର୍କ ୫:୨୫, ୨୬) ସେସମୟରେ ହୁଏତ ସେ ଠିକ୍‌ ହେବା ପାଇଁ ଯେକୌଣସି ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ହୋଇପାରେ, ଏପରି ଚିକିତ୍ସା ମଧ୍ୟ ଯେଉଁଥିରେ ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା ସାମିଲ୍‌ ଥାଏ । କିନ୍ତୁ ଜଣେ ଖ୍ରୀଷ୍ଟିୟାନକୁ “ଗୁଣିଆମାନଙ୍କ” ଦ୍ୱାରା ଚିକିତ୍ସା କରାଇବା ଉଚିତ୍‌ ନୁହେଁ ।—ଲେବୀ ପୁସ୍ତକ ୧୯:୩୧.

ରୋଗରେ ପୀଡ଼ିତ ଥିବା ସମୟରେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ

୧୮. ଖ୍ରୀଷ୍ଟିୟାନମାନେ କେଉଁଭଳି ଚିକିତ୍ସା କରାଇବା ଉଚିତ୍‌ ନୁହେଁ ?

୧୮ ପ୍ରାଚୀନ ଇସ୍ରାଏଲରେ କିଛି ଲୋକ “ଗୁଣିଆ” ଥିଲେ । ଯିହୋବା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ ।” (ଯିଶାଇୟ ୧:୧୫) ଟିକେ ଭାବି ଦେଖନ୍ତୁ ଯିହୋବା ଯାଦୁବିଦ୍ୟା ଓ ଭୂତବିଦ୍ୟା ସହ ଜଡ଼ିତ କାମଗୁଡ଼ିକୁ ଏତେ ଘୃଣା କରନ୍ତି ଯେ ସେ ସେମାନଙ୍କ ପ୍ରାର୍ଥନା ମଧ୍ୟ ଶୁଣିବାକୁ ଚାହାନ୍ତି ନାହିଁ । ଏଥିରୁ ଆମେ ଶିଖୁ ଯେ ଏପରି କାମଗୁଡ଼ିକ କଲେ, ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇଯାଏ ଏବଂ ଆମକୁ ଯିହୋବାଙ୍କ ସାହାଯ୍ୟ ମଧ୍ୟ ମିଳେ ନାହିଁ । ରୋଗରେ ଥିବା ସମୟରେ ଆମକୁ ବିଶେଷ କରି ଯିହୋବାଙ୍କ ସାହାଯ୍ୟର ଆବଶ୍ୟକତା ହୋଇଥାଏ । ତେଣୁ ଆମେ ଏପରି କୌଣସି କାମ କରିବା ଉଚିତ ନୁହେଁ, ଯାହାଦ୍ୱାରା ଯିହୋବା ଆମଠାରୁ ଦୂରେଇ ଯାଇପାରନ୍ତି । (ଗୀତସଂହିତା ୪୧:୩) କୌଣସି ଚିକିତ୍ସା କରାଇବା ପୂର୍ବରୁ ଆମେ ଜାଣିବା ଉଚିତ୍‌ ଯେ କʼଣ ତାହାର ସମ୍ପର୍କ ଯାଦୁବିଦ୍ୟା, ଭୂତବିଦ୍ୟା କିମ୍ବା ଅଲୌକିକ ଶକ୍ତି ସହ ତ ନାହିଁ । (ମାଥିଉ ୬:୧୩) ଯଦି ଆମ ମନରେ ଟିକେ ବି ସନ୍ଦେହ ହୁଏ ଯେ ଏ କାମଗୁଡ଼ିକ ଭୂତବିଦ୍ୟା ଓ ଯାଦୁବିଦ୍ୟା ସହ ଜଡ଼ିତ ଅଛି, ତେବେ ଆମେ ସେହି ଚିକିତ୍ସା କରାଇବା ଉଚିତ୍‌ ନୁହେଁ ।—ଅଧିକ ବିବରଣୀ-୩୨ ଦେଖନ୍ତୁ ।

ଭୂତପ୍ରେତର କାହାଣୀ

୧୯. ଲୋକମାନେ ଶୟତାନକୁ କିପରି ଡରିବାକୁ ଲାଗନ୍ତି ?

୧୯ କିଛି ଲୋକ ଭାବନ୍ତି ଯେ ଶୟତାନ ଓ ଦୁଷ୍ଟ ଦୂତ ସବୁ କାଳ୍ପନିକ । କିନ୍ତୁ କିଛି ଲୋକଙ୍କ ସହ ଏପରି କିଛି ଘଟିଥାଏ, ଯାହା ଯୋଗୁଁ ସେମାନେ ବିଶ୍ୱାସ କରନ୍ତି ଯେ ଶୟତାନ ଓ ଦୁଷ୍ଟ ଦୂତମାନେ ସତରେ ଅଛନ୍ତି । ଅଧିକାଂଶ ଲୋକ ଭୂତପ୍ରେତଗୁଡ଼ିକୁ ଡରନ୍ତି, ଏବଂ ଅନ୍ଧବିଶ୍ୱାସ ଯୋଗୁଁ ଅନେକ ପ୍ରଥାଗୁଡ଼ିକୁ ମାନନ୍ତି, ଆଉ କିଛି ଲୋକ ଭୂତପ୍ରେତର କାହାଣୀ ଶୁଣାନ୍ତି ଯେ ସେମାନେ ଲୋକଙ୍କ ସହ କʼଣ କʼଣ କରିଛନ୍ତି । ଲୋକେ ଉତ୍ସାହର ସହ ଏହାକୁ ଶୁଣନ୍ତି ଏବଂ ଅନ୍ୟମାନଙ୍କୁ ବି ଏବିଷୟରେ କହନ୍ତି । ଏପରି କାହାଣୀଗୁଡ଼ିକ ଯୋଗୁଁ ଲୋକେ ଶୟତାନକୁ ଆହୁରି ଡରନ୍ତି ।

୨୦. ଆମେ କʼଣ କଲେ ଶୟତାନକୁ ସାହାଯ୍ୟ କରୁଥିବା ?

୨୦ ଶୟତାନ ମିଛ ସାହାଯ୍ୟରେ ଲୋକଙ୍କୁ ଡରାଇବା ପାଇଁ ଚେଷ୍ଟା କରେ । (୨ ଥେସଲନୀକୀୟ ୨:୯, ୧୦) ସେ ଲୋକମାନଙ୍କୁ ଏପରି କଥାଗୁଡ଼ିକ ଉପରେ ଭରସା କରାଏ, ଯାହା ସତ ନୁହେଁ । ଯେଉଁମାନଙ୍କର ଭୂତବିଦ୍ୟା ଓ ଯାଦୁବିଦ୍ୟାରେ ଆଗ୍ରହ ଥାଏ, ସେମାନଙ୍କୁ ସେ ଭ୍ରମିତ କରେ । କିଛି ଲୋକ ଅନ୍ୟମାନଙ୍କୁ ଏପରି କାହାଣୀଗୁଡ଼ିକ ଶୁଣାନ୍ତି, ଯେଉଁଗୁଡ଼ିକ ବିଷୟରେ ସେମାନଙ୍କୁ ଲାଗେ ଯେ ସେମାନେ ସତରେ ଦେଖିଛନ୍ତି କିମ୍ବା ଶୁଣିଛନ୍ତି । କିନ୍ତୁ ପ୍ରକୃତରେ ସେପରି କିଛି ହୋଇ ନ ଥାଏ । ଆଉ ଯେଉଁମାନେ ଏପରି କାହାଣୀଗୁଡ଼ିକ ଶୁଣନ୍ତି, ସେମାନେ ବଢେଇ ଚଢେଇ ଏଗୁଡ଼ିକୁ ଅନ୍ୟମାନଙ୍କୁ ମଧ୍ୟ କହିଥାʼନ୍ତି । ଆମେ ଏପରି କାହାଣୀଗୁଡ଼ିକୁ ଅନ୍ୟମାନଙ୍କୁ କହିବା ଉଚିତ୍‌ ନୁହେଁ । କାରଣ ଏପରି କଲେ ଲୋକମାନେ ଶୟତାନକୁ ଡରିବାକୁ ଲାଗିବେ ଏବଂ ଏପରି କଲେ ଆମେ ଶୟତାନକୁ ସାହାଯ୍ୟ ମଧ୍ୟ କରୁଥିବା ।—ଯୋହନ ୮:୪୪; ୨ ତୀମଥି ୨:୧୬.

୨୧. ଭୂତପ୍ରେତର କାହାଣୀ ଶୁଣାଇବା ପରିବର୍ତ୍ତେ ଆମେ କେଉଁ ବିଷୟରେ କହିବା ଉଚିତ୍‌ ?

୨୧ ଯଦି ଯିହୋବାଙ୍କ ଜଣେ ସେବକଙ୍କ ସହ ପୂର୍ବରୁ ଏପରି କିଛି ଘଟଣା ଘଟିଥିଲା ଯେଉଁଥିରେ ଦୁଷ୍ଟ ଦୂତମାନେ ସାମିଲ୍‌ ଥିଲେ, ତେବେ ତାଙ୍କୁ ଏପରି ଘଟଣାଗୁଡ଼ିକୁ ଅନ୍ୟମାନଙ୍କୁ କହିବା ଉଚିତ୍‌ ନୁହେଁ । ଯିହୋବାଙ୍କ ସେବକମାନଙ୍କୁ ଶୟତାନ ଓ ତାର ଦୁଷ୍ଟ ଦୂତମାନଙ୍କଠାରୁ ଡରିବା ଉଚିତ୍‌ ନୁହେଁ, ବରଂ ସେମାନଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଯୀଶୁଙ୍କ ଉପରେ ହେବା ଉଚିତ୍‌ ଏବଂ ଯିହୋବା ଯୀଶୁଙ୍କୁ ଦେଇଥିବା ଶକ୍ତି ଉପରେ ହେବା ଉଚିତ୍‌ । (ଏବ୍ରୀ ୧୨:୧, ୨) ଯେତେବେଳେ ଯୀଶୁ ପୃଥିବୀରେ ଥିଲେ ସେତେବେଳେ ସେ ଲୋକମାନଙ୍କୁ ରାଜ୍ୟର ସୁସମାଚାର ଏବଂ “ଈଶ୍ୱରଙ୍କ ମହତ୍‌ ମହତ୍‌ କର୍ମ” ବିଷୟରେ କହୁଥିଲେ, ଦୁଷ୍ଟ ସ୍ୱର୍ଗଦୂତଙ୍କ କାହାଣୀ ନୁହେଁ ।—ପ୍ରେରିତ ୨:୧୧; ଲୂକ ୮:୧; ରୋମୀୟ ୧:୧୧, ୧୨.

୨୨. ଆପଣ କʼଣ କରିବା ପାଇଁ ଦୃଢ଼ ସଂକଳ୍ପ କରିଛନ୍ତି ?

୨୨ ଆମେ ସବୁବେଳେ ମନେ ରଖିବା ଉଚିତ୍‌ ଯେ ଶୟତାନ ଆମକୁ ଯିହୋବାଙ୍କଠାରୁ ଦୂରେଇ ନେବା ପାଇଁ ଚେଷ୍ଟା କରେ । ଏପରି କରିବା ପାଇଁ ସେ ସବୁ ପ୍ରକାରର ଫାନ୍ଦ ଆପଣାଇଥାଏ । କିନ୍ତୁ ଆମେ ତାʼର ସବୁ ଫାନ୍ଦକୁ ଭଲଭାବେ ଜାଣିଛୁ । ଆମେ ଦୃଢ଼ ସଂକଳ୍ପ କରିବା ଉଚିତ୍‌ ଯେ ଆମେ ଏପରି କୌଣସି କାମ କରିବା ନାହିଁ, ଯାହାର ସମ୍ପର୍କ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଥାଏ । ଶୟତାନ ଆମର ଏହି ସଂକଳ୍ପକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ, କିନ୍ତୁ ଆମେ ‘ଶୟତାନକୁ ସ୍ଥାନ [“ସୁଯୋଗ,” NW ] ଦେବା ନାହିଁ ।’ (ଏଫିସୀୟ ୪:୨୭ ପଢ଼ନ୍ତୁ ।) ଯଦି ଆମେ ଶୟତାନକୁ ବିରୋଧ କରିବା, ତେବେ ଆମେ ତାʼର ଫାନ୍ଦରେ ଫସିବା ନାହିଁ । ଆମେ ଯିହୋବାଙ୍କଠାରେ ସୁରକ୍ଷିତ ରହିବା ।—ଏଫିସୀୟ ୬:୧୧.