इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୪

ସମସ୍ତ ବିଷୟରେ ସଚ୍ଚୋଟ ହୁଅନ୍ତୁ

ସମସ୍ତ ବିଷୟରେ ସଚ୍ଚୋଟ ହୁଅନ୍ତୁ

“ସମସ୍ତ ବିଷୟରେ ସଦାଚରଣ [“ସଚ୍ଚୋଟ,” NW ] କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।”—ଏବ୍ରୀ ୧୩:୧୮.

୧, ୨. ଯେତେବେଳେ ଆମେ ସଚ୍ଚୋଟ ହେଉ, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?

 ଜଣେ ପିଲାକୁ ସ୍କୁଲରୁ ଫେରିବା ସମୟରେ ବାଟରେ ଗୋଟିଏ ପର୍ସ ମିଳେ । ସେଠାରେ ବହୁତ ପଇସା ଥାଏ । କʼଣ ସେ ସେହି ପର୍ସକୁ ରଖିନିଏ ନା ସେହି ବ୍ୟକ୍ତିକୁ ଫେରାଇ ଦିଏ ? ସେ ସେହି ବ୍ୟକ୍ତିକୁ ତାହା ଫେରାଇ ଦିଏ । ଯେତେବେଳେ ସେହି ପିଲାର ମାଆ ଏକଥା ଜାଣନ୍ତି, ସେତେବେଳେ ସେ ନିଜ ପୁଅ ଉପରେ ବହୁତ ଗର୍ବ ଅନୁଭବ କରନ୍ତି ।

ଯେତେବେଳେ ବାପାମାଆ ଦେଖନ୍ତି ଯେ ତାଙ୍କ ପିଲାମାନେ ସଚ୍ଚୋଟ ଅଟନ୍ତି, ସେତେବେଳେ ତାଙ୍କୁ ବହୁତ ଖୁସି ହୁଏ । ଠିକ୍‌ ସେହିପରି, ଯେତେବେଳେ ଆମେ ସଚ୍ଚୋଟ ହେଉ, ସେତେବେଳେ ଆମ ପିତା ଯିହୋବା ମଧ୍ୟ ଖୁସି ହୁଅନ୍ତି । କାରଣ ସେ “ସତ୍ୟମୟ ପରମେଶ୍ୱର” ଅଟନ୍ତି । (ଗୀତସଂହିତା ୩୧:୫) ଆମେ ତାହାଙ୍କ ହୃଦୟ ଖୁସି କରିବାକୁ ଚାହୁଁ ଏବଂ “ସମସ୍ତ ବିଷୟରେ ସଦାଚରଣ [“ସଚ୍ଚୋଟ,” NW] କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।” (ଏବ୍ରୀ ୧୩:୧୮) ଆସନ୍ତୁ ଏବେ ଆମେ ନିଜ ଜୀବନର ଏପରି ଚାରୋଟି କ୍ଷେତ୍ର ପ୍ରତି ଧ୍ୟାନ ଦେବା, ଯେଉଁଠାରେ ସଚ୍ଚୋଟ ରହିବା ବେଳେ ବେଳେ କଠିନ ହୋଇପାରେ । ତାʼପରେ ଆମେ ଦେଖିବା ଯେ କଠିନ ପରିସ୍ଥିତିରେ ମଧ୍ୟ ସଚ୍ଚୋଟ ରହିଲେ କʼଣ କʼଣ ଲାଭ ମିଳେ ।

ନିଜ ପ୍ରତି ସଚ୍ଚୋଟ ହୁଅନ୍ତୁ

୩-୫. (କ) ଜଣେ ଖ୍ରୀଷ୍ଟିୟାନ ନିଜକୁ କିପରି ଧୋକା ଦେଇପାରେ ? (ଖ) ଆମେ କିପରି ଜାଣିପାରିବା ଯେ ଆମେ ନିଜକୁ ଧୋକା ଦେଉଛୁ ?

ସର୍ବପ୍ରଥମେ ଆମେ ନିଜକୁ ସତ କହିବା ଉଚିତ୍‌ ଅର୍ଥାତ୍‌ ଧ୍ୟାନ ଦେବା ଉଚିତ୍‌ ଯେ କʼଣ ମୋର ଚିନ୍ତାଧାରା ଓ ବ୍ୟବହାର ପ୍ରକୃତରେ ଠିକ୍‌ । ଏପରି କରିବା ସବୁବେଳେ ସହଜ ହୋଇ ନ ଥାଏ । ପ୍ରଥମ ଶତାବ୍ଦୀରେ ଲାଅଦିକୀଆର ଖ୍ରୀଷ୍ଟିୟାନମାନେ ଭାବୁଥିଲେ ଯେ ସେମାନେ ଈଶ୍ୱରଙ୍କୁ ଖୁସି କରୁଛନ୍ତି । କିନ୍ତୁ ପ୍ରକୃତରେ ସେମାନେ ଈଶ୍ୱରଙ୍କୁ ଖୁସି କରୁ ନ ଥିଲେ । (ପ୍ରକାଶିତ ବାକ୍ୟ ୩:୧୭) ଆମେ ମଧ୍ୟ ଈଶ୍ୱରଙ୍କୁ ଖୁସି କରୁଛୁ ବୋଲି ଭାବି ନିଜକୁ ଧୋକା ଦେଇପାରୁ ।

ଶିଷ୍ୟ ଯାକୁବ କହିଲେ, “ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।” (ଯାକୁବ ୧:୨୬) ଯଦି ଜଣେ ଖ୍ରୀଷ୍ଟିୟାନ ସାବଧାନ ନ ରହେ, ତେବେ ସେ ଭାବିପାରେ ଯେ ମୁଁ ତ ଈଶ୍ୱରଙ୍କ ସେବା କରୁଛି, ତେଣୁ ଯଦି ମୁଁ କାହାରି ସହ କଠୋରତା ଭାବେ କଥା ହୁଏ, କାହାରିକୁ ଥଟ୍ଟା କରେ କିମ୍ବା ବେଳେ ବେଳେ ମିଛ କହେ, ତେବେ ସେଥିରେ କୌଣସି ଭୁଲ ନୁହେଁ, ଈଶ୍ୱର ମୋତେ କ୍ଷମା କରିଦେବେ । ଏପରି ଭାବି ଜଣେ ବ୍ୟକ୍ତି ନିଜକୁ ଧୋକା ଦେଉଥାଏ । ଆମେ କିପରି ନିଜକୁ ଏପରି ଧୋକା ଦେବାଠାରୁ ଦୂରେଇ ରହିପାରିବା ?

ଯେତେବେଳେ ଆମେ ଦର୍ପଣରେ ନିଜକୁ ଦେଖୁ, ସେତେବେଳେ ଆମେ କେବଳ ନିଜ ବାହାର ରୂପକୁ ଦେଖିପାରିଥାଉ । କିନ୍ତୁ ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରୁ ଯେ ଆମେ ଭିତରୁ କିପରି ବ୍ୟକ୍ତି ଅଟୁ । ଆମେ ନିଜ ଗୁଣ ଓ ଖୁଣ ଜାଣିପାରୁ । ଆମେ ଜାଣିପାରୁ ଯେ ଆମକୁ ନିଜ ଚିନ୍ତାଧାରା, ନିଜ ବ୍ୟବହାର, ନିଜ କଥାବାର୍ତ୍ତାରେ କʼଣ କʼଣ ପରିବର୍ତ୍ତନ କରିବାର ଅଛି । (ଯାକୁବ ୧:୨୩-୨୫ ପଢ଼ନ୍ତୁ ।) କିନ୍ତୁ ଯଦି ଆମେ ଭାବିବା ଯେ ଆମଠାରେ କୌଣସି ଖୁଣ ନାହିଁ, ତେବେ ଆମେ କେବେ ବି ଜରୁରୀ ପରିବର୍ତ୍ତନ କରିପାରିବା ନାହିଁ । ତେଣୁ ବାଇବଲ ପଢ଼ିବା ସମୟରେ ଆମେ ନିଜକୁ ଯାଞ୍ଚ କରିବା ଉଚିତ୍‌ । ଏପରି କଲେ ଆମେ ଜାଣିପାରିବା ଯେ ଆମେ ବାହାରୁ ଯେପରି ଦେଖାଯାଉ, କʼଣ ପ୍ରକୃତରେ ଭିତରୁ ମଧ୍ୟ ସେପରି ଅଟୁ । (ବିଳାପ ୩:୪୦; ହାଗୟ ୧:୫) ଆମେ ପ୍ରକୃତରେ କିପରି ଅଟୁ, ତାହା ଜାଣିବାର ଆଉ ଗୋଟିଏ ଉପାୟ ହେଉଛି, ପ୍ରାର୍ଥନା କରିବା । ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଯେ ସେ ଆମକୁ ଯାଞ୍ଚ କରନ୍ତୁ ଏବଂ ଆମ ଦୁର୍ବଳତାଗୁଡ଼ିକୁ ଜାଣିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ, ଯାହାଫଳରେ ଆମେ ନିଜ ଭିତରେ ପରିବର୍ତ୍ତନ କରିପାରିବା । (ଗୀତସଂହିତା ୧୩୯:୨୩, ୨୪) ଏପରି କରିବା ବହୁତ ଜରୁରୀ, କାରଣ “ଖଳ [“କପଟୀ,” NW ] ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।” —ହିତୋପଦେଶ ୩:୩୨.

ପରିବାରର ସଦସ୍ୟମାନଙ୍କ ପ୍ରତି ସଚ୍ଚୋଟତା

୬. ପତିପତ୍ନୀଙ୍କୁ କାହିଁକି ପରସ୍ପରଠାରୁ କିଛି ଲୁଚାଇବା ଉଚିତ୍‌ ନୁହେଁ ?

ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପରସ୍ପର ପ୍ରତି ସଚ୍ଚୋଟ ହେବା ଉଚିତ୍‌ । ଯେଉଁ ପତିପତ୍ନୀ ପରସ୍ପରଠାରୁ କୌଣସି କଥା ଲୁଚାନ୍ତି ନାହିଁ, ସେମାନେ ପରସ୍ପର ଉପରେ ଭରସା କରିପାରନ୍ତି । କିନ୍ତୁ କିଛି ପତିପତ୍ନୀ ବିପରୀତ ଲିଙ୍ଗର ବ୍ୟକ୍ତି ସହ ପ୍ରେମର ଛଳନା କରନ୍ତି, ଅଶ୍ଳିଳ ଚିତ୍ର କିମ୍ବା ଫିଲ୍ମ ଦେଖନ୍ତି କିମ୍ବା ଲୁଚି ଲୁଚି ଅନ୍ୟ କାହାରିକୁ ପ୍ରେମ କରନ୍ତି । ଏପରି ଭାବେ ସେ ନିଜ ସାଥୀକୁ ଧୋକା ଦିଅନ୍ତି । ଗୀତସଂହିତାର ଲେଖକ କହନ୍ତି, “ମୁଁ ଅସାର [“ଛଳନା କରୁଥିବା,” NW ] ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ ।” (ଗୀତସଂହିତା ୨୬:୪) ଯଦି ଆପଣ ନିଜ ଜୀବନ ସାଥୀଙ୍କୁ ଛାଡ଼ି ଅନ୍ୟ କାହାରି ବିଷୟରେ ଭାବନ୍ତି, ତେବେ ଆପଣଙ୍କର ବିବାହ ବନ୍ଧନ ବିପଦରେ ପଡ଼ିପାରେ ।

ଆପଣଙ୍କ ବିବାହକୁ ଦୁର୍ବଳ କରୁଥିବା ସମସ୍ତ ଜିନିଷକୁ ନିଜଠାରୁ ଦୂର କରନ୍ତୁ

୭, ୮. ଆପଣ ନିଜ ପିଲାମାନଙ୍କୁ ସଚ୍ଚୋଟତାର ମହତ୍ତ୍ୱ ବିଷୟରେ କିପରି ଶିଖାଇପାରିବେ ?

ପିଲାମାନଙ୍କୁ ମଧ୍ୟ ଶିଖାଇବା ଉଚିତ୍‌ ଯେ ସଚ୍ଚୋଟ ହେବା କାହିଁକି ଜରୁରୀ । ପିତାମାତା ସେମାନଙ୍କୁ ବାଇବଲରୁ ଭଲ ଓ ଖରାପ ଉଦାହରଣ ଦେଇ ଏବିଷୟରେ ଶିଖାଇପାରିବେ । ବାଇବଲରେ ଏପରି କିଛି ଲୋକମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ସଚ୍ଚୋଟ ନ ଥିଲେ । ଯେପରି ଆଖାନ୍‌, ଗିହେଜୀ ଓ ଯିହୂଦା । ଆଖାନ୍‌ ଚୋରି କଲା, ଗିହେଜୀ ପଇସାର ଲୋଭରେ ମିଛ କହିଲା, ଯିହୂଦା ପଇସା ଚୋରି କରୁଥିଲା ଏବଂ ସେ ୩୦ ରୌପ୍ୟ ମୁଦ୍ରା ପାଇଁ ଯୀଶୁଙ୍କ ସହ ବିଶ୍ୱାସଘାତ କଲା ।—ଯିହୋଶୂୟ ୬:୧୭-୧୯; ୭:୧୧-୨୫; ୨ ରାଜାବଳୀ ୫:୧୪-୧୬, ୨୦-୨୭; ମାଥିଉ ୨୬:୧୪, ୧୫; ଯୋହନ ୧୨:୬.

ବାଇବଲରେ ଏପରି କିଛି ଲୋକମାନଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେଉଁମାନେ ସଚ୍ଚୋଟ ଥିଲେ । ଯେପରି— ଯାକୁବ, ଯିପ୍ତହ ଓ ତାʼ ଝିଅ ଏବଂ ଯୀଶୁ । ଯାକୁବ ନିଜ ପୁଅମାନଙ୍କୁ ଅନ୍ୟମାନଙ୍କ ପଇସା ଫେରାଇବା ପାଇଁ କହିଲେ । ଯିପ୍ତହ ଓ ତାଙ୍କ ଝିଅ ଈଶ୍ୱରଙ୍କୁ ଯାହା ପ୍ରତିଜ୍ଞା କରିଥିଲେ, ତାହାକୁ ପୂରଣ କଲେ । ଯୀଶୁ କଠିନ ପରିସ୍ଥିତିରେ ମଧ୍ୟ ସତ କହିଲେ । (ଆଦି ପୁସ୍ତକ ୪୩:୧୨; ବିଚାରକର୍ତ୍ତା ୧୧:୩୦-୪୦; ଯୋହନ ୧୮:୩-୧୧) ପିତାମାତା ନିଜ ପିଲାମାନଙ୍କୁ ଏହି ଲୋକମାନଙ୍କ ବିଷୟରେ କହି ସେମାନଙ୍କୁ ସଚ୍ଚୋଟତାର ମହତ୍ତ୍ୱ ବିଷୟରେ ଶିଖାଇପାରିବେ ।

୯. ପିତାମାତାଙ୍କ ଭଲ ଉଦାହରଣ ପିଲାମାନଙ୍କ ଉପରେ କିପରି ପ୍ରଭାବ ପକାଇପାରେ ?

ପିତାମାତାମାନଙ୍କୁ ନିଜେ ଏକ ଭଲ ଉଦାହରଣ ରଖିବା ଉଚିତ୍‌ । ବାଇବଲର ଗୋଟିଏ ସିଦ୍ଧାନ୍ତ ହେଉଛି, “ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ ?” (ରୋମୀୟ ୨:୨୧) ଯଦି ପିତାମାତା କହନ୍ତି କିଛି ଓ କରନ୍ତି କିଛି, ତାହେଲେ ପିଲାମାନେ ତାହା ତୁରନ୍ତ ଜାଣିପକାନ୍ତି । ଯଦି ଆମେ ପିଲାମାନଙ୍କୁ ଶିଖାଉ ଯେ ସେମାନଙ୍କୁ ସତ କହିବା ଉଚିତ୍‌ କିନ୍ତୁ ନିଜେ ମିଛ କହୁ, ତେବେ ପିଲାମାନେ ବୁଝିପାରିବେ ନାହିଁ ଯେ ସେମାନଙ୍କୁ କʼଣ କରିବା ଉଚିତ୍‌ । ଯଦି ପିଲାମାନେ ନିଜ ପିତାମାତାଙ୍କୁ ମିଛ କହିବାର ଦେଖନ୍ତି, ଏପରିକି ଛୋଟ ଛୋଟ କଥାରେ ମଧ୍ୟ, ତେବେ ହୁଏତ ସେମାନେ ବି ମିଛ କହିବା ଆରମ୍ଭ କରିପାରନ୍ତି । (ଲୂକ ୧୬:୧୦ ପଢ଼ନ୍ତୁ ।) କିନ୍ତୁ ଯେତେବେଳେ ପିଲାମାନେ ନିଜ ପିତାମାତାଙ୍କୁ ସତ କହିବାର ଦେଖନ୍ତି, ସେତେବେଳେ ତାଙ୍କ ଉପରେ ଭଲ ପ୍ରଭାବ ପଡ଼େ । ଯେତେବେଳେ ସେମାନେ ବଡ଼ ହୋଇ ବାପାମାଆ ହେବେ, ସେତେବେଳେ ସେମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଏକ ଭଲ ଉଦାହରଣ ରଖିପାରିବେ ।—ହିତୋପଦେଶ ୨୨:୬; ଏଫିସୀୟ ୬:୪.

ଖ୍ରୀଷ୍ଟୀୟ ଭାଇଭଉଣୀଙ୍କ ପ୍ରତି ସଚ୍ଚୋଟତା

୧୦. କଥାବାର୍ତ୍ତା ମାମଲାରେ ଆମେ କʼଣ ଧ୍ୟାନରେ ରଖିବା ଉଚିତ୍‌ ?

୧୦ ଆମେ ଖ୍ରୀଷ୍ଟୀୟ ଭାଇଭଉଣୀଙ୍କ ପ୍ରତି ମଧ୍ୟ ସଚ୍ଚୋଟ ହେବା ଉଚିତ୍‌ । ଯେପରି, କଥାବାର୍ତ୍ତା କରିବା ସମୟରେ । ଅନେକ ଥର ହୁଏତ ଆମେ ଜାଣି ନ ପାରୁ ଯେ କଥା ହେଉ ହେଉ, କେତେବେଳେ ଆମେ କୌଣସି ଭାଇ କିମ୍ବା ଭଉଣୀଙ୍କ ନିନ୍ଦା କରିବା ଆରମ୍ଭ କରିଦେଇଛୁ । ଯଦି ଆମେ କାହାରିଠାରୁ ଶୁଣିଥିବା କଥାକୁ ଅନ୍ୟ ଅନ୍ୟ ଲୋକଙ୍କୁ କହି ଚାଲିବା, ଆଉ କ୍ଷଣିକ ପାଇଁ ଭାବିବା ନାହିଁ ଯେ ତାହା ସତ ନା ମିଛ, ତେବେ ହୁଏତ ଆମେ ଏପରି କଥା କହିଦେବା ଯାହା ସତ ନୁହେଁ । ଭଲ ହେବ ଯେ ଆମେ ନିଜ “ଜିହ୍ୱାକୁ ସଂଯତ” କରୁ । (ହିତୋପଦେଶ ୧୦:୧୯, NIBV ) କିନ୍ତୁ ସତ କହିବାର ଅର୍ଥ ଏହା ନୁହେଁ ଯେ ଆମ ମନରେ ଯାହା ଆସିବ କିମ୍ବା ଯାହା ଆମେ ଜାଣିଛୁ କିମ୍ବା ଯାହା ଆମେ ଶୁଣିଛୁ, ସେସବୁ ଆମେ ଅନ୍ୟମାନଙ୍କୁ କହିଦେବା । ଯଦିଓ କୌଣସି କଥା ସତ ଅଟେ, ତଥାପି ଏହା ଜରୁରୀ ନୁହେଁ ଯେ ଆମେ ତାହା ଅନ୍ୟମାନଙ୍କୁ କହିବା । ହୁଏତ ସେହି ବିଷୟ ସହ ଆମର କୌଣସି ସମ୍ପର୍କ ନ ଥିବ କିମ୍ବା ଅନ୍ୟକୁ ସେହି କଥା କହିବା ଠିକ୍‌ ନ ଥିବ କିମ୍ବା ଜରୁରୀ ମଧ୍ୟ ନ ଥିବ । (୧ ଥେସଲନୀକୀୟ ୪:୧୧) ସତ କହିବାର ଅର୍ଥ ଏହା ନୁହେଁ ଯେ ଆମେ ଅନ୍ୟମାନଙ୍କ ଭାବନାକୁ ଧ୍ୟାନ ନ ଦେଇ କିଛି ବି କହିବା, ଯାହାଦ୍ୱାରା ତାଙ୍କୁ ଖରାପ ଲାଗିପାରେ । କିଛି ଲୋକ ଏପରି କଥା କହନ୍ତି ଓ ନିଜକୁ ଠିକ୍‌ ପ୍ରମାଣ କରିବା ପାଇଁ କହନ୍ତି, “ମୁଁ ମନରେ କିଛି ରଖେ ନାହିଁ, ଯାହା କହିବା ଥାଏ ମୁହଁରେ କହେ ।” କିନ୍ତୁ ଯିହୋବାଙ୍କ ଲୋକମାନଙ୍କୁ କେବେ ବି ରୁକ୍ଷ ଭାବେ କଥା ହେବା ଉଚିତ୍‌ ନୁହେଁ, ବରଂ ସଦାବେଳେ ଆଦର ଓ ପ୍ରେମର ସହ କଥା ହେବା ଉଚିତ୍‌ ।କଲସୀୟ ୪:୬ ପଢ଼ନ୍ତୁ ।

୧୧, ୧୨. (କ) ଯଦି ଜଣେ ବ୍ୟକ୍ତି ପାପ କଲାପରେ ତାʼକୁ ଲୁଚାଏ, ତେବେ ତାʼର କିପରି କ୍ଷତି ହୋଇପାରେ ? (ଖ) ଯଦି ଆମ ସାଙ୍ଗ ପାପ କରେ, ତେବେ ଆମେ କʼଣ କରିବା ଉଚିତ୍‌ ନୁହେଁ ଏବଂ କାହିଁକି ? (ଗ) ଆମେ ଯିହୋବାଙ୍କ ସଂଗଠନକୁ କେଉଁ ବିଷୟଗୁଡ଼ିକରେ ଠିକ୍‌ ଠିକ୍‌ ତଥ୍ୟ ଦେବା ଉଚିତ୍‌ ?

୧୧ ମଣ୍ଡଳୀକୁ ସାହାଯ୍ୟ କରିବାର ଦାୟିତ୍ୱ ଯିହୋବା ପ୍ରାଚୀନମାନଙ୍କୁ ଦେଇଛନ୍ତି । ଯେଉଁ କଥା ପ୍ରାଚୀନମାନଙ୍କୁ ଜାଣିବା ଉଚିତ୍‌, ସେସବୁ ଆମେ ସେମାନଙ୍କୁ ସତ ସତ କହିବା ଉଚିତ୍‌, ଯାହାଦ୍ୱାରା ସେମାନେ ଆମକୁ ଭଲଭାବେ ସାହାଯ୍ୟ କରିପାରିବେ । ତାହା କିପରି ? କଳ୍ପନା କରନ୍ତୁ, ଆପଣ ରୋଗରେ ପୀଡ଼ିତ ଅଛନ୍ତି ଏବଂ ଚିକିତ୍ସା ପାଇଁ ଡାକ୍ତର ପାଖକୁ ଯାʼନ୍ତି । କିନ୍ତୁ ଆପଣ ନିଜ ରୋଗର ସମସ୍ତ ଲକ୍ଷଣ ବିଷୟରେ ଡାକ୍ତରଙ୍କୁ କହନ୍ତି ନାହିଁ, ତେବେ କʼଣ ସେ ଆପଣଙ୍କୁ ଭଲଭାବେ ଚିକିତ୍ସା କରିପାରିବେ ? ଠିକ୍‌ ସେହିପରି, ଯଦି ଆମେ କୌଣସି ପାପ କରିଛୁ, ତେବେ ଆମେ ତାହା ଲୁଚାଇବା ଉଚିତ୍‌ ନୁହେଁ, ବରଂ ନିଜେ ଯାଇ ପ୍ରାଚୀନମାନଙ୍କୁ ସବୁକଥା ସତ ସତ କହିବା ଉଚିତ୍‌ । (ଗୀତସଂହିତା ୧୨:୨; ପ୍ରେରିତ ୫:୧-୧୧) ଏବେ ଆଉ ଏକ ପରିସ୍ଥିତି ବିଷୟରେ ଭାବନ୍ତୁ, ଯେତେବେଳେ ଆପଣଙ୍କୁ ଜଣାପଡ଼େ ଯେ ଆପଣଙ୍କ ଜଣେ ସାଙ୍ଗ କୌଣସି ପାପ କରିଛି, ତେବେ ଆପଣ କʼଣ କରିବେ ? (ଲେବୀ ପୁସ୍ତକ ୫:୧) କʼଣ ଆପଣ ଏହା ଭାବିବେ, “ମୁଁ ନିଜ ସାଙ୍ଗର ଏହି କଥା ବିଷୟରେ କାହାରିକୁ କିପରି କହିପାରିବି ?” ନା ଆପଣ ଏହା ଭାବିବେ, “ମୋତେ ପ୍ରାଚୀନମାନଙ୍କୁ ନିଶ୍ଚୟ କହିବା ଉଚିତ୍‌ । ସେମାନେ ତାʼର ନିଶ୍ଚୟ ସାହାଯ୍ୟ କରିପାରିବେ, ଯାହାଫଳରେ ଯିହୋବାଙ୍କ ସହ ସେ ନିଜ ସମ୍ପର୍କକୁ ସୁଧାରିପାରିବ ଏବଂ ତାକୁ ମଜବୁତ୍‌ କରିପାରିବ ।”—ଏବ୍ରୀ ୧୩:୧୭; ଯାକୁବ ୫:୧୪, ୧୫.

୧୨ ଆମେ ଯିହୋବାଙ୍କ ସଂଗଠନକୁ ଯାହା ତଥ୍ୟ ଦେଉ, ତାହା ମଧ୍ୟ ସଠିକ୍‌ ହେବା ଉଚିତ୍‌ । ଯେପରି— ପ୍ରଚାର ରିପୋର୍ଟରେ ସବୁକିଛି ଠିକ୍‌ ଠିକ୍‌ ଲେଖିବା ଉଚିତ୍‌ । ଯଦି ଆମେ ଅଗ୍ରଦୂତ ସେବା ପାଇଁ କିମ୍ବା ଅନ୍ୟ କୌଣସି ସେବା ପାଇଁ ଫର୍ମ ଭରୁ, ତେବେ ସେଠାରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଠିକ୍‌ ଠିକ୍‌ ଲେଖିବା ଉଚିତ୍‌ ।ହିତୋପଦେଶ ୬:୧୬-୧୯ ପଢ଼ନ୍ତୁ ।

୧୩. ବ୍ୟାପାର ଓ ଚାକିରି ମାମଲାରେ ଆମେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ ?

୧୩ ଆମେ ବ୍ୟାପାର କରିବା ମାମଲାରେ ମଧ୍ୟ ସଚ୍ଚୋଟ ହେବା ଉଚିତ୍‌ । ସର୍ବପ୍ରଥମେ ଆମେ ମନେ ରଖିବା ଉଚିତ୍‌ ଯେ ଯେଉଁ ସମୟ ଉପାସନା ପାଇଁ ଅଲଗା ରଖାଯାଇଛି, ସେ ସମୟରେ ଆମେ ବ୍ୟାପାର ନ କରୁ । ଯେପରି— ରାଜ୍ୟଘରେ କିମ୍ବା ପ୍ରଚାର କରିବା ସମୟରେ । ବ୍ୟାପାରରେ ଆମେ ନିଜ ଭାଇଭଉଣୀଙ୍କ ଲାଭ ଉଠାଇବା ଉଚିତ୍‌ ନୁହେଁ । ଯେପରି, ଯଦି ଆମେ କୌଣସି ଭାଇ କିମ୍ବା ଭଉଣୀଙ୍କୁ ନିଜଠାରେ କାମରେ ରଖିଛୁ, ତେବେ ତାଙ୍କୁ ଠିକ୍‌ ସମୟରେ ଦରମା ଦେବା ଉଚିତ୍‌ । ଯେତେ ଦରମା ଦେବାର କଥା ହୋଇଛି, ସେତେ ଦେବା ଉଚିତ୍‌ । ନିୟମରେ ଯେଉଁ ସୁବିଧାଗୁଡ଼ିକ ରହିଛି, ସେଗୁଡ଼ିକ ମଧ୍ୟ ଦେବା ଉଚିତ୍‌ । ଯେପରି— ସ୍ୱାସ୍ଥ୍ୟ ବୀମା କରାଇବା କିମ୍ବା ଛୁଟି ଦେବା । (୧ ତୀମଥି ୫:୧୮; ଯାକୁବ ୫:୧-୪) ଯଦି ଆମେ କୌଣସି ସାକ୍ଷୀ ଭାଇ କିମ୍ବା ଭଉଣୀଙ୍କଠାରେ ଚାକିରି କରୁଛୁ, ତେବେ ଆମେ ଭାବିବା ଉଚିତ୍‌ ନୁହେଁ ଯେ ସେ ଆମକୁ କୌଣସି ବିଶେଷ ସୁବିଧା ଦିଅନ୍ତୁ । (ଏଫିସୀୟ ୬:୫-୮) ଯେତେ କାମ କରିବା କିମ୍ବା ଯେତେ ସମୟ ପର୍ଯ୍ୟନ୍ତ କାମ କରିବା ପାଇଁ ଆମକୁ ଦରମା ମିଳେ, ଆମେ ସେତେ କାମ ସଚ୍ଚୋଟତାର ସହ କରିବା ଉଚିତ୍‌ ।—୨ ଥେସଲନୀକୀୟ ୩:୧୦.

୧୪. ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହ କୌଣସି ବ୍ୟାପାର ଆରମ୍ଭ କରିବା ପୂର୍ବରୁ ଆମେ କʼଣ କରିବା ଉଚିତ୍‌ ?

୧୪ ଜଣେ ଖ୍ରୀଷ୍ଟିୟାନ ଭାଇ କିମ୍ବା ଭଉଣୀଙ୍କ ସହ ବ୍ୟାପାର କରିବା ସମୟରେ ଆମେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ ? ଯେପରି, ଯଦି ଆମେ ତାଙ୍କ ସହ ବ୍ୟାପାରରେ ଟଙ୍କା ଲଗାଇଛୁ କିମ୍ବା ଉଧାର ନେଇଛୁ, ତେବେ କʼଣ କରିବା ଉଚିତ୍‌ ? ଏପରି ମାମଲାରେ ବାଇବଲର ଗୋଟିଏ ସିଦ୍ଧାନ୍ତ ପାଳନ କରିବା ବହୁତ ଲାଭଦାୟକ ହୋଇଥାଏ ‘ପ୍ରତ୍ୟେକ ବିଷୟକୁ ଲେଖି ରଖ ।’ ଯେତେବେଳେ ଭବିଷ୍ୟଦ୍‌ବକ୍ତା ଯିରିମୀୟ କିଛି ଜମି କିଣିଲେ, ସେ ଦୁଇଟି ଚୁକ୍ତିପତ୍ର ପ୍ରସ୍ତୁତ କରାଇଲେ, ଗୋଟିଏ ଚୁକ୍ତିପତ୍ରରେ ସେ ସାକ୍ଷୀମାନଙ୍କର ଦସ୍ତଖତ ନେଲେ ଏବଂ ଦୁଇଟିଯାକ ଚୁକ୍ତିପତ୍ରକୁ ସମ୍ଭାଳି ରଖିଲେ, ଯାହାଫଳରେ ପରେ ଆବଶ୍ୟକ ପଡ଼ିଲେ ସେ ତାକୁ ଦେଖିପାରନ୍ତେ । (ଯିରିମୀୟ ୩୨:୯-୧୪; ଆଦି ପୁସ୍ତକ ୨୩:୧୬-୨୦ ମଧ୍ୟ ଦେଖନ୍ତୁ ।) କିଛି ଭାଇଭଉଣୀ ଭାବନ୍ତି ଯେ ସବୁକଥା ଲେଖି ରଖିଲେ, ଏପରି ହେବ ଯେପରି ଆମେ ନିଜ ଭାଇ ଉପରେ ଭରସା କରୁ ନାହୁଁ । କିନ୍ତୁ ଦେଖିବାକୁ ଗଲେ ଚୁକ୍ତିପତ୍ର ଥିଲେ ଆଗକୁ ଯାଇ ଭୁଲ ବୁଝାମଣା ହୁଏ ନାହିଁ, ପରସ୍ପରକୁ ନିରାଶ କରିବାର ଅବସ୍ଥା ଆସେ ନାହିଁ ଏବଂ ଝଗଡ଼ା ମଧ୍ୟ ହୁଏ ନାହିଁ । ମନେ ରଖନ୍ତୁ ବ୍ୟାପାର କରିବାଠାରୁ ଅଧିକ ମଣ୍ଡଳୀରେ ଶାନ୍ତି ରହିବା ଅଧିକ ଜରୁରୀ ।—୧ କରିନ୍ଥୀୟ ୬:୧-୮; ଅଧିକ ବିବରଣୀ-୩୦ ଦେଖନ୍ତୁ ।

ସ୍କୁଲରେ, କାମ କରିବା ଜାଗାରେ ଓ ବ୍ୟାପାରରେ ସଚ୍ଚୋଟ ହୁଅନ୍ତୁ

୧୫. ଯେଉଁମାନେ ବ୍ୟାପାର କରିବା ସମୟରେ ଲୋକମାନଙ୍କୁ ଠକନ୍ତି, ଯିହୋବା ସେମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି ?

୧୫ ଯିହୋବା ଚାହାନ୍ତି ଆମେ ସମସ୍ତଙ୍କ ସହ ସଚ୍ଚୋଟତାର ସହିତ ବ୍ୟବହାର କରୁ । କେବଳ ନିଜ ଭାଇଭଉଣୀଙ୍କ ସହ ନୁହେଁ, ବରଂ ଜଗତର ଲୋକମାନଙ୍କ ସହ ମଧ୍ୟ । “ଅଯଥାର୍ଥ ନିକ୍ତି ସଦାପ୍ରଭୁଙ୍କର ଘୃଣା ବିଷୟ । ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର ।” (ହିତୋପଦେଶ ୧୧:୧; ୨୦:୧୦, ୨୩) ବାଇବଲ ସମୟରେ ବେପାରୀମାନେ ତରାଜୁ ବ୍ୟବହାର କରୁଥିଲେ । କିନ୍ତୁ କିଛି ବେପାରୀ ଗ୍ରାହକମାନଙ୍କୁ ଠକୁଥିଲେ । ସେମାନେ ଗ୍ରାହକମାନଙ୍କୁ କମ୍‌ ଜିନିଷ ଓଜନ କରି ଦେଉଥିଲେ କିମ୍ବା ଉଚ୍ଚ ଦରରେ ଜିନିଷ ବିକ୍ରି କରୁଥିଲେ । ଆଜି ମଧ୍ୟ ବ୍ୟାପାର ଜଗତରେ ଲୋକମାନଙ୍କୁ ଠକିବା ବହୁତ ସାଧାରଣ ହୋଇଯାଇଛି । କିନ୍ତୁ ଯେଉଁମାନେ ସଚ୍ଚୋଟ ଭାବେ କାମ କରନ୍ତି ନାହିଁ, ଯିହୋବା ସେମାନଙ୍କୁ ଆଜି ମଧ୍ୟ ଘୃଣା କରନ୍ତି । ଠିକ୍‌ ଯେପରି ସେ ପୂର୍ବେ କରୁଥିଲେ ।

୧୬, ୧୭. ଆମେ ଆଉ କେଉଁ ମାମଲାଗୁଡ଼ିକରେ ସଚ୍ଚୋଟ ରହିବା ଉଚିତ୍‌ ?

୧୬ ଆମେ ସମସ୍ତେ ଏପରି ପରିସ୍ଥିତିର ସାମନା କରୁ, ଯେତେବେଳେ ସଚ୍ଚୋଟ ରହିବା ଆମ ପାଇଁ କଷ୍ଟକର ହୋଇପାରେ । ଯେପରି— ଚାକିରି ପାଇଁ ଆବେଦନ କରିବା ସମୟରେ, ସରକାରୀ ଫର୍ମ ପୂରଣ କରିବା ସମୟରେ ଓ ସ୍କୁଲରେ ପରୀକ୍ଷା ଲେଖିବା ସମୟରେ । ଅନେକ ଲୋକ ଭାବନ୍ତି ଫର୍ମ ପୂରଣ କରିବା ସମୟରେ ମିଛ କଥା ଲେଖିବା କିମ୍ବା କୌଣସି କଥାକୁ ବଢେଇ ଚଢେଇ ଲେଖିବାରେ କୌଣସି ଭୁଲ ନାହିଁ । ଏହା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ । କାରଣ ବାଇବଲରେ ପୂର୍ବରୁ ଲେଖା ହୋଇଥିଲା ଯେ ଶେଷ କାଳରେ ଲୋକେ “ଆତ୍ମପ୍ରିୟ, ଧନଲୋଭୀ, . . . ଉତ୍ତମ ବିଷୟରେ ଘୃଣାକାରୀ” ହେବେ ।—୨ ତୀମଥି ୩:୧-୫.

୧୭ ବେଳେ ବେଳେ ଆମକୁ ଲାଗିପାରେ ଯେ ଏ ଜଗତରେ ଯେଉଁମାନେ ସଚ୍ଚୋଟ ନୁହନ୍ତି, ସେମାନେ ହିଁ ସଫଳ ହୁଅନ୍ତି । (ଗୀତସଂହିତା ୭୩:୧-୮) ସଚ୍ଚୋଟ ହେବା ଯୋଗୁଁ ହୁଏତ ଜଣେ ଖ୍ରୀଷ୍ଟିୟାନ ନିଜ ଚାକିରି ହରାଇପାରେ, ତାକୁ କିଛି କ୍ଷତି ସହିବାକୁ ପଡ଼ିପାରେ କିମ୍ବା କାମ ଜାଗାରେ ତାʼ ସହ ଖରାପ ବ୍ୟବହାର କରାଯାଇପାରେ । ହୁଏତ ସଚ୍ଚୋଟ ରହିବା ଯୋଗୁଁ ଆମକୁ କ୍ଷତି ସହିବାକୁ ପଡ଼ିପାରେ, କିନ୍ତୁ ତାହା କଲେ ଆମର ହିଁ ଲାଭ ହେବ । ତାହା କିପରି ?

ସଚ୍ଚୋଟ ହେବାର ଲାଭ

୧୮. ଭଲ ନାମ ଅର୍ଜନ କଲେ କʼଣ ଲାଭ ହୁଏ ?

୧୮ ଯଦି ଆଜିର ଜଗତରେ ଲୋକେ ଆମକୁ ସଚ୍ଚୋଟ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବେ ଜାଣନ୍ତି, ତେବେ ଏହା ବହୁତ ବଡ଼ କଥା । ଏହା ଆମ ସମସ୍ତଙ୍କ ପରିଚୟ ହେବା ଉଚିତ୍‌ । (ମୀଖା ୭:୨) ହୁଏତ ଆପଣଙ୍କ ସଚ୍ଚୋଟପଣିଆ ଦେଖି କିଛି ଲୋକ ଆପଣଙ୍କ ଥଟ୍ଟା ପରିହାସ କରିପାରନ୍ତି କିମ୍ବା ଆପଣଙ୍କୁ ମୂର୍ଖ ବୋଲି କହିପାରନ୍ତି । କିନ୍ତୁ କିଛି ଲୋକ ଆପଣଙ୍କ ସଚ୍ଚୋଟତା ଦେଖି ଆପଣଙ୍କୁ ଆଦର କରିବେ ଏବଂ ଆପଣଙ୍କ ଉପରେ ଭରସା କରିବେ । ସାରା ଜଗତରେ ଯିହୋବାଙ୍କ ସାକ୍ଷୀମାନେ ସେମାନଙ୍କ ସଚ୍ଚୋଟତା ପାଇଁ ପରିଚିତ । ଚାକିରି ଦେବା ସମୟରେ କିଛି ଲୋକ ସାକ୍ଷୀମାନଙ୍କୁ ପ୍ରଥମେ ସୁଯୋଗ ଦିଅନ୍ତି, କାରଣ ସେମାନେ ଜାଣନ୍ତି ସାକ୍ଷୀମାନେ ସଚ୍ଚୋଟ ଥାʼନ୍ତି । ଏପରି ଦେଖିବାକୁ ମିଳିଛି ଯେ କିଛି ମାଲିକମାନେ ନିଜ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିଦେଲେ, କାରଣ ସେମାନେ ସଚ୍ଚୋଟ ନ ଥିଲେ । କିନ୍ତୁ ସେ ସାକ୍ଷୀମାନଙ୍କୁ ବାହାର କଲେ ନାହିଁ, କାରଣ ସେମାନେ ସଚ୍ଚୋଟ ଥିଲେ ।

ଆମେ କଠିନ ପରିଶ୍ରମ କଲେ ଯିହୋବାଙ୍କ ମହିମା ହୁଏ

୧୯. ସଚ୍ଚୋଟ ରହିଲେ ଯିହୋବାଙ୍କ ସହ ଆମ ମିତ୍ରତା କିପରି ମଜବୁତ୍‌ ହୋଇପାରିବ ?

୧୯ ସବୁ ବିଷୟରେ ସଚ୍ଚୋଟ ରହିଲେ, ଆମ ବିବେକ ଶୁଦ୍ଧ ରହେ ଏବଂ ଆମକୁ ମନର ଶାନ୍ତି ମିଳେ । ଆମେ ମଧ୍ୟ ପାଉଲଙ୍କ ଭଳି କହିପାରିବା, “ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି ।” (ଏବ୍ରୀ ୧୩:୧୮) ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେ ଆମ ପିତା ଯିହୋବା ଆମକୁ ଧ୍ୟାନ ଦେବେ ଏବଂ ସେ ଗର୍ବ ଅନୁଭବ କରିବେ ଯେ ଆମେ ସବୁ ବିଷୟରେ ସଚ୍ଚୋଟ ରହିବା ପାଇଁ ଚେଷ୍ଟା କରୁଛୁ ।ଗୀତସଂହିତା ୧୫:୧, ୨; ହିତୋପଦେଶ ୨୨:୧ ପଢ଼ନ୍ତୁ ।