इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟାୟ ୧୨

ସାହସ ବଢ଼ାଉଥିବା କଥା କହନ୍ତୁ

ସାହସ ବଢ଼ାଉଥିବା କଥା କହନ୍ତୁ

‘ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ନିଷ୍ଠାଜନକ [“ସାହସ ବଢ଼ାଉଥିବା,” NW ] ବାକ୍ୟ ନିର୍ଗତ ହେଉ ।’—ଏଫିସୀୟ ୪:୨୯.

୧-୩. (କ) ଯିହୋବା ଆମକୁ କେଉଁ ଉପହାର ଦେଇଛନ୍ତି ? ଆମେ ସେହି ଉପହାରର କିପରି ଭୁଲ ବ୍ୟବହାର କରିପାରୁ ? (ଖ) କଥା ହେବାର ଦକ୍ଷତାକୁ ଆମେ କିପରି ବ୍ୟବହାର କରିବା ଉଚିତ୍‌ ?

 ଜଣେ ପିତା ନିଜ ପୁଅକୁ ଗୋଟିଏ ଉପହାର ଦେବାକୁ ଚାହାନ୍ତି । ସେ ତାʼ ପାଇଁ ଏକ ନୂଆ ସାଇକେଲ କିଣି ଆଣିଛନ୍ତି । ନିଜ ପୁଅକୁ ଏହି ଉପହାର ଦେଇ ସେ ବହୁତ ଖୁସି ହୁଅନ୍ତି । କିନ୍ତୁ ଭାବନ୍ତୁ, ଯଦି ସେହି ପିଲା ବେଖାତିର ଭାବେ ସାଇକେଲ ଚଲାଏ ଏବଂ କାହାରିକୁ ଆଘାତ ପହଞ୍ଚାଏ, ତେବେ ତାʼ ପିତାଙ୍କୁ କିପରି ଲାଗିବ ?

ଆମ ପିତା ଯିହୋବା ମଧ୍ୟ ଆମକୁ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର” ଦେଇଛନ୍ତି । (ଯାକୁବ ୧:୧୭) ସେମଧ୍ୟରୁ ଗୋଟିଏ ଉପହାର ହେଉଛି— କଥା ହେବାର ଦକ୍ଷତା । କଥା ହେବାର ଦକ୍ଷତା ଥିବା ଯୋଗୁଁ ଆମେ ଯାହା ଭାବୁ ଏବଂ ଅନୁଭବ କରୁ, ତାହା ଆମେ ଅନ୍ୟମାନଙ୍କୁ କହିପାରୁ । ଆମେ ସେମାନଙ୍କୁ ଏପରି କଥାଗୁଡ଼ିକ କହିପାରୁ, ଯାହାଦ୍ୱାରା ସେମାନଙ୍କୁ ଭଲ ଲାଗିବ । କିନ୍ତୁ ହୁଏତ ଆମେ ଅନ୍ୟମାନଙ୍କୁ ଏପରି କିଛି କହିପାରୁ, ଯାହାଦ୍ୱାରା ସେମାନଙ୍କୁ ଦୁଃଖ କିମ୍ବା କ୍ଷତି ପହଞ୍ଚିପାରେ ।

ଆମ କଥା ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ତେଣୁ ଯିହୋବା ଆମକୁ ଶିଖାନ୍ତି ଯେ ଆମେ ଏହି ଦକ୍ଷତାକୁ ଠିକ୍‌ ଭାବେ କିପରି ବ୍ୟବହାର କରିପାରିବା । ସେ ଆମକୁ କହନ୍ତି, “ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକତାନୁସାରେ ନିଷ୍ଠାଜନକ [“ସାହସ ବଢ଼ାଉଥିବା,” NW ] ବାକ୍ୟ ନିର୍ଗତ ହେଉ ।” (ଏଫିସୀୟ ୪:୨୯) ଆସନ୍ତୁ ଦେଖିବା ଯେ ଯିହୋବା ଦେଇଥିବା ଏହି ଦକ୍ଷତାକୁ ଆମେ ଭଲଭାବେ କିପରି ବ୍ୟବହାର କରିପାରିବା, ଯାହାଫଳରେ ଈଶ୍ୱର ଆମଠାରୁ ଖୁସି ହେବେ ଏବଂ ଆମେ ଅନ୍ୟମାନଙ୍କର ସାହସ ବଢ଼ାଇପାରିବା ।

ନିଜ କଥାବାର୍ତ୍ତା ପ୍ରତି ଧ୍ୟାନ ଦିଅନ୍ତୁ

୪, ୫. ବାଇବଲରେ ଦିଆଯାଇଥିବା ହିତୋପଦେଶଗୁଡ଼ିକରୁ ଆମେ କଥାବାର୍ତ୍ତା ବିଷୟରେ କʼଣ ଶିଖୁ ?

ଶବ୍ଦରେ ବହୁତ ଶକ୍ତି ଥାଏ, ତେଣୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କʼଣ କଥା ହେଉ ଏବଂ କିପରି କଥା ହେଉ । ହିତୋପଦେଶ ୧୫:୪ ପଦରେ ଲେଖାଅଛି, “ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ ।” ଯେପରି ଗୋଟିଏ ବଡ଼ ସବୁଜ ଗଛର ଛାଇ ତଳେ ଆମକୁ ଶାନ୍ତି ମିଳେ, ଠିକ୍‌ ସେହିପରି ଆମର କୋମଳ କଥା ଦ୍ୱାରା ଅନ୍ୟମାନଙ୍କ ମନକୁ ଶାନ୍ତି ମିଳିପାରେ । କିନ୍ତୁ ଯଦି ଆମେ ଆଘାତ ପହଞ୍ଚାଉଥିବା କଥା କହିବା, ତେବେ ଜଣେ ବ୍ୟକ୍ତିକୁ କଷ୍ଟ ପହଞ୍ଚିପାରେ ।—ହିତୋପଦେଶ ୧୮:୨୧.

କୋମଳ କଥା ଦ୍ୱାରା ଅନ୍ୟମାନଙ୍କ ମନକୁ ଶାନ୍ତି ମିଳେ

ହିତୋପଦେଶ ୧୨:୧୮ ପଦରେ ଲେଖାଅଛି, “କାହାର କାହାର ବାଚାଳତା [“ବିନା ଭାବିଚିନ୍ତି କହିବା,” NW ] ଖଡ଼୍‌ଗାଘାତ ପରି ।” କଟୁ ବାକ୍ୟ ଅନ୍ୟମାନଙ୍କ ଭାବନାଗୁଡ଼ିକୁ ଆଘାତ ପହଞ୍ଚାଇପାରେ । ଏପରିକି ସମ୍ପର୍କ ମଧ୍ୟ ଭାଙ୍ଗିପାରେ । ହୁଏତ କେହି ଆପଣଙ୍କ ସହ ମଧ୍ୟ ରୁକ୍ଷ ଭାବେ କଥା ହୋଇଥିବେ, ଯାହାଦ୍ୱାରା ଆପଣଙ୍କୁ ବହୁତ ଦୁଃଖ ପହଞ୍ଚିଥିବ । କିନ୍ତୁ ଯଦି କେହି ଆପଣଙ୍କ ସହ ଭଲଭାବେ କଥା ହୁଅନ୍ତି, ତେବେ ଆପଣଙ୍କୁ ବହୁତ ଭଲ ଲାଗେ । ଠିକ୍‌ ଏପରି କିଛି କଥା ହିତୋପଦେଶ ୧୨:୧୮ ପଦରେ ଆଗକୁ ଲେଖାଯାଇଛି, “ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ ।” କଷ୍ଟ ପହଞ୍ଚିଥିବା କାହାରି ମନକୁ ସାନ୍ତ୍ୱନା ଦେବା ପାଇଁ ଆମେ କିଛି ଭଲ କଥା କହିପାରିବା, ଯାହାଦ୍ୱାରା ତାଙ୍କ କଷ୍ଟ କମି ଯାଇପାରେ । ଯଦି ଭୁଲ ବୁଝାମଣା ଯୋଗୁଁ କାହାରି ସହ ଆପଣଙ୍କ ମିତ୍ରତା ଭାଙ୍ଗିଯାଇଛି, ତେବେ ତାଙ୍କ ସହିତ ପ୍ରେମର ସହ କଥା ହୁଅନ୍ତୁ । ଏହାଦ୍ୱାରା ଆପଣଙ୍କ ମିତ୍ରତା ପୁଣି ସ୍ଥାପନ ହୋଇପାରିବ । (ହିତୋପଦେଶ ୧୬:୨୪ ପଢ଼ନ୍ତୁ ।) ଆମେ ମନେ ରଖିବା ଉଚିତ୍‌ ଯେ ଆମ କଥାବାର୍ତ୍ତା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଏ, ତେଣୁ ଆମେ ଭାବିଚିନ୍ତି କଥା ହେବା ଉଚିତ୍‌ ।

୬. ନିଜ କଥାବାର୍ତ୍ତାରେ ଲଗାମ ଦେବା କାହିଁକି ସହଜ ହୋଇ ନ ଥାଏ ?

ଆମେ ସମସ୍ତେ ଅପରିପୂର୍ଣ୍ଣ । ଏହା ଆଉ ଏକ କାରଣ ଯାହା ଯୋଗୁଁ ଆମେ ନିଜ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ । “ମନୁଷ୍ୟ ମନର କଳ୍ପନା ମନ୍ଦ” ହୋଇଥାଏ ଏବଂ ଏହା ଆମ କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡ଼େ । (ଆଦି ପୁସ୍ତକ ୮:୨୧; ଲୂକ ୬:୪୫) ଆମେ ନିଜ କଥାବାର୍ତ୍ତାରେ ଲଗାମ ଦେବା ଏତେ ସହଜ ହୋଇ ନ ଥାଏ । (ଯାକୁବ ୩:୨-୪ ପଢ଼ନ୍ତୁ ।) ତଥାପି ଆମେ ନିଜ କଥାବାର୍ତ୍ତା ସୁଧାରିବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ୍‌ ।

୭, ୮. ନିଜ କଥାବାର୍ତ୍ତା ପ୍ରତି ଧ୍ୟାନ ନ ଦେଲେ କʼଣ ହୋଇପାରେ ?

ଆମେ ଯିହୋବାଙ୍କ ସମ୍ମୁଖରେ ଉତ୍ତର ଦେବା ପାଇଁ ଦାୟୀ । ଏହା ଆଉ ଏକ କାରଣ ଯାହା ଯୋଗୁଁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କʼଣ କଥା ହେଉ ଏବଂ କିପରି କଥା ହେଉ । ଯାକୁବ ୧:୨୬ ପଦରେ ଲେଖାଅଛି, “ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।” ମୂଳ ଭାଷାରେ ଯେଉଁ ଶବ୍ଦର ଅନୁବାଦ “ବୃଥା” କରାଯାଇଛି, ତାହାର ଅର୍ଥ “ନିଷ୍ଫଳ” ମଧ୍ୟ ହୋଇପାରେ । (୧ କରିନ୍ଥୀୟ ୧୫:୧୭) ଯଦି ଆମେ କʼଣ କଥା ହେଉ ତାʼ ପ୍ରତି ଧ୍ୟାନ ଦେବା ନାହିଁ, ତାହେଲେ ଯିହୋବାଙ୍କ ସହ ଆମ ସମ୍ପର୍କ ଖରାପ ହୋଇପାରେ କିମ୍ବା ପୂରାପୂରି ସମାପ୍ତ ହୋଇପାରେ ।—ଯାକୁବ ୩:୮-୧୦.

ଏପର୍ଯ୍ୟନ୍ତ ଆମେ ଦେଖିଲୁ ଯେ ଆମେ କʼଣ କଥା ହେଉ ଏବଂ କିପରି କଥା ହେଉ, ତାʼ ପ୍ରତି ଆମେ କାହିଁକି ଧ୍ୟାନ ଦେବା ଉଚିତ୍‌ । ଆମେ ଚାହୁଁ ଯେ ଯିହୋବା ଯେପରି ଚାହାନ୍ତି ସେପରି କଥା ହେଉ । ତାʼ ପାଇଁ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ ଆମେ କିପରି କଥା ହେବା ଉଚିତ୍‌ ନୁହେଁ ।

ଏପରି କଥା ଯାହା ସାହସ ଭାଙ୍ଗେ

୯, ୧୦. (କ) ଆଜି କେଉଁ ପ୍ରକାରର କଥା ଅତି ସାଧାରଣ ହୋଇଯାଇଛି ? (ଖ) ଆମେ ଅଶ୍ଳିଳ କଥା କାହିଁକି କହିବା ଉଚିତ୍‌ ନୁହେଁ ?

ଅଭଦ୍ର ଓ ଅଶ୍ଳିଳ କଥା କହିବା ଆଜି ବହୁତ ସାଧାରଣ ହୋଇଯାଇଛି । ଅନେକ ଲୋକ ଭାବନ୍ତି ଯେ ଅଶ୍ଳିଳ କିମ୍ବା ଅଭଦ୍ର ଭାଷା କହିଲେ ହିଁ ସେମାନଙ୍କ କଥାର ଓଜନ ବଢ଼ିବ, ନହେଲେ ଲୋକେ ତାଙ୍କ କଥାକୁ ମହତ୍ତ୍ୱ ଦେବେ ନାହିଁ । ହାସ୍ୟ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ହସାଇବା ପାଇଁ ଖରାପ ଚୁଟକୁଲା ଓ ଅଶ୍ଳିଳ କଥା କୁହାଯାଏ । କିନ୍ତୁ ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ, “ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍‌ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର ।” (କଲସୀୟ ୩:୮) ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଏହା ମଧ୍ୟ କହିଲେ ଯେ ‘ଅସଭ୍ୟ ଥଟ୍ଟା-ତାମସାର ନାମଗନ୍ଧ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ନ ହେଉ ।’—ଏଫିସୀୟ ୫:୩, ୪, NIBV.

୧୦ ଯିହୋବା ଅଶ୍ଳିଳ କଥାଗୁଡ଼ିକୁ ଘୃଣା କରନ୍ତି ଏବଂ ତାହାଙ୍କ ଲୋକମାନେ ମଧ୍ୟ ତାହା ଘୃଣା କରନ୍ତି । ଏପରି କଥାଗୁଡ଼ିକ ଅଶୁଦ୍ଧ ହୋଇଥାଏ । ବାଇବଲ ଅନୁସାରେ “ଶରୀରର କାର୍ଯ୍ୟଗୁଡ଼ାକ” ମଧ୍ୟରେ “ଅଶୁଚିତା” ମଧ୍ୟ ସାମିଲ୍‌ । (ଗାଲାତୀୟ ୫:୧୯-୨୧) ‘ଅଶୁଚିତାରେ’ ଅନେକ ଖରାପ ଅଭ୍ୟାସଗୁଡ଼ିକ ମଧ୍ୟ ସାମିଲ୍‌ । ଯଦି ଜଣେ ବ୍ୟକ୍ତି ଅଶୁଦ୍ଧ କିମ୍ବା ଖରାପ ଅଭ୍ୟାସଗୁଡ଼ିକର ଅଭ୍ୟସ୍ତ ହୋଇଯାଏ, ତାହେଲେ ଏହା ନିଶ୍ଚିତ ଯେ ସେ ଅନ୍ୟ ଖରାପ କାମଗୁଡ଼ିକର ଅଭ୍ୟସ୍ତ ମଧ୍ୟ ହୋଇପାରେ । ଯେଉଁ ଖ୍ରୀଷ୍ଟିୟାନ ବହୁତ ଖରାପ କିମ୍ବା ଅଶ୍ଳିଳ କଥା କହିବାକୁ ଲାଗେ ଏବଂ ବୁଝାଇବା ସତ୍ତ୍ୱେ ତାହା ଛାଡ଼େ ନାହିଁ, ସେ ମଣ୍ଡଳୀର ସଦସ୍ୟ ହୋଇ ରହିପାରିବ ନାହିଁ ।—୨ କରିନ୍ଥୀୟ ୧୨:୨୧; ଏଫିସୀୟ ୪:୧୯; ଅଧିକ ବିବରଣୀ-୨୩ ଦେଖନ୍ତୁ ।

୧୧, ୧୨. (କ) କେଉଁ ପ୍ରକାରର ଗପସପ କ୍ଷତି ପହଞ୍ଚାଏ ? (ଖ) ଆମେ କାହିଁକି କାହାରିକୁ ବଦନାମ କରିବା ଉଚିତ୍‌ ନୁହେଁ ?

୧୧ ଆମେ ଏପରି ଗପସପ କରିବା ଉଚିତ୍‌ ନୁହେଁ, ଯାହାଦ୍ୱାରା ଅନ୍ୟମାନଙ୍କ କ୍ଷତି ହୁଏ । ଅନ୍ୟମାନଙ୍କ ବିଷୟରେ ଜାଣିବା ଏବଂ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା ଆମକୁ ବହୁତ ଭଲ ଲାଗେ । ପ୍ରଥମ ଶତାବ୍ଦୀରେ ମଧ୍ୟ ଖ୍ରୀଷ୍ଟିୟାନମାନେ ଜାଣିବାକୁ ଚାହୁଁଥିଲେ ଯେ ସେମାନଙ୍କ ଖ୍ରୀଷ୍ଟିୟାନ ଭାଇଭଉଣୀମାନେ କିପରି ଅଛନ୍ତି ଏବଂ କʼଣ ସେମାନଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଅଛି । (ଏଫିସୀୟ ୬:୨୧, ୨୨; କଲସୀୟ ୪:୮, ୯) ଏପରି କଥା କହିବାରେ କୌଣସି ଭୁଲ ନାହିଁ । କିନ୍ତୁ ଅନ୍ୟମାନଙ୍କ ସହ କଥା ହେଉ ହେଉ ଆମେ କେତେବେଳେ ତାଙ୍କ ନିନ୍ଦା କରିବାକୁ ଲାଗିପାରୁ, ହୁଏତ ଆମକୁ ଜଣା ମଧ୍ୟ ପଡ଼ି ନ ପାରେ । ଯଦି ଆମେ କାହାରିଠାରୁ ଶୁଣିଥିବା କଥାକୁ ଅନ୍ୟ ଅନ୍ୟ ଲୋକଙ୍କୁ କହି ଚାଲିବା, ତେବେ ହୁଏତ ଅନ୍ୟମାନଙ୍କୁ ଆମେ ଏପରି କଥା କହିଦେବା, ଯାହା ସତ ନୁହେଁ କିମ୍ବା ଯେଉଁଗୁଡ଼ିକୁ ଗୁପ୍ତ ରଖିବା ଉଚିତ୍‌ । ଯଦି ଆମେ ଧ୍ୟାନ ଦେବା ନାହିଁ, ତେବେ ହୁଏତ ଆମେ ଏପରି ଗପସପ କରିପାରୁ, ଯାହାଦ୍ୱାରା ଅନ୍ୟମାନଙ୍କର ନିନ୍ଦା ହୋଇପାରେ କିମ୍ବା ବଦନାମ ହୋଇପାରେ । ଫାରୂଶୀମାନେ ଯୀଶୁଙ୍କୁ ବଦନାମ କରିବା ପାଇଁ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଇଲେ । (ମାଥିଉ ୯:୩୨-୩୪; ୧୨:୨୨-୨୪) କାହାରିକୁ ବଦନାମ କଲେ ତାଙ୍କ ମାନସମ୍ମାନ ମାଟିରେ ମିଶି ଯାଇପାରେ, ଝଗଡ଼ା ହୋଇପାରେ, କଷ୍ଟ ପହଞ୍ଚିପାରେ ଏବଂ ମିତ୍ରତା ଭାଙ୍ଗି ଯାଇପାରେ ।—ହିତୋପଦେଶ ୨୬:୨୦.

୧୨ ଯିହୋବା ଚାହାନ୍ତି ଯେ ଆମେ ଏପରି କଥା ହେଉ ଯାହା ଶୁଣି ଅନ୍ୟମାନଙ୍କୁ ଭଲ ଲାଗିବ, ଏପରି କଥା ନୁହେଁ ଯାହାଦ୍ୱାରା ମିତ୍ର ଶତ୍ରୁ ପାଲଟି ଯିବ । ଯିହୋବା ଏପରି ଲୋକମାନଙ୍କୁ ଘୃଣା କରନ୍ତି, ଯେଉଁମାନେ “ଭାଇମାନଙ୍କ ମଧ୍ୟରେ କଳିର ବୀଜ” ବୁଣନ୍ତି । (ହିତୋପଦେଶ ୬:୧୬-୧୯) ଅନ୍ୟମାନଙ୍କୁ ବଦନାମ କରିବାରେ ସବୁଠାରୁ ପ୍ରଥମ ବ୍ୟକ୍ତି ଥିଲା, ଶୟତାନ । ସେ ଈଶ୍ୱରଙ୍କୁ ବଦନାମ କଲା । (ପ୍ରକାଶିତ ବାକ୍ୟ ୧୨:୯, ୧୦) ଆଜି ଅନ୍ୟମାନଙ୍କ ବିଷୟରେ ମିଛ କହିବା ଅତି ସାଧାରଣ କଥା ହୋଇଯାଇଛି । କିନ୍ତୁ ଖ୍ରୀଷ୍ଟିୟାନମାନେ ଏପରି କରିବା ଉଚିତ୍‌ ନୁହେଁ । (ଗାଲାତୀୟ ୫:୧୯-୨୧) ଆମେ ବୁଝିବିଚାରି କଥା ହେବା ଉଚିତ୍‌ । କାହାରି ବିଷୟରେ ଅନ୍ୟମାନଙ୍କୁ କହିବା ପୂର୍ବରୁ ଟିକେ ଭାବନ୍ତୁ, ‘ମୁଁ ଯାହା କହିବାକୁ ଯାଉଛି, କʼଣ ତାହା ସତ ? କʼଣ ଏହା କହିବା ଠିକ୍‌ ହେବ ? ମୁଁ ଯାହା ବିଷୟରେ କହିବାକୁ ଯାଉଛି, ଯଦି ତାଙ୍କୁ ଜଣାପଡ଼ିବ, ତେବେ ତାଙ୍କୁ କିପରି ଲାଗିବ ? ଯଦି କେହି ମୋ ବିଷୟରେ ଅନ୍ୟମାନଙ୍କୁ ଏପରି କଥା କହେ, ତେବେ ମୋତେ କିପରି ଲାଗିବ ?’ ୧ ଥେସଲନୀକୀୟ ୪:୧୧ ପଢ଼ନ୍ତୁ ।

୧୩, ୧୪. (କ) ନିନ୍ଦା କଲେ ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼େ ? (ଖ) ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ଅପମାନଜନକ କଥା କହିବା ଉଚିତ୍‌ ନୁହେଁ ?

୧୩ ବେଳେ ବେଳେ ଆମେ ଏପରି କିଛି କହିପାରୁ, ଯାହାଦ୍ୱାରା ପରେ ଆମକୁ ଅବଶୋଷ ହୋଇପାରେ । ସବୁବେଳେ ଅନ୍ୟମାନଙ୍କ ଦୋଷ ବାହାର କରିବା କିମ୍ବା ସେମାନଙ୍କ ବିଷୟରେ ଖରାପ କଥା କହିବା, ଆମ ଅଭ୍ୟାସ ହେବା ଉଚିତ୍‌ ନୁହେଁ । ଆମେ କେବେ ବି କାହାରି ନିନ୍ଦା କରିବା ଉଚିତ୍‌ ନୁହେଁ । ପାଉଲ କହିଲେ, ‘ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା ତୁମ୍ଭମାନଙ୍କଠାରୁ ଦୂର ହେଉ ।’ (ଏଫିସୀୟ ୪:୩୧) ଅନ୍ୟମାନଙ୍କ ନିନ୍ଦା କରିବା ଦ୍ୱାରା ସେମାନଙ୍କର ମାନସମ୍ମାନ ଚାଲିଯାଏ । ସେମାନେ ନିଜକୁ ବେକାରିଆ ଅନୁଭବ କରନ୍ତି । ବିଶେଷ କରି ପିଲାମାନଙ୍କୁ ଏପରି କଥା କହିବା ଉଚିତ୍‌ ନୁହେଁ । କାରଣ ଏପରି କଲେ ସେମାନଙ୍କର କୋମଳ ହୃଦୟକୁ କଷ୍ଟ ପହଞ୍ଚିପାରେ ।—କଲସୀୟ ୩:୨୧.

୧୪ କିଛି ଲୋକମାନଙ୍କ ଅଭ୍ୟାସ ଥାଏ ଯେ ସେମାନେ ଅନ୍ୟମାନଙ୍କୁ କଷ୍ଟ ପହଞ୍ଚାଇବା ପାଇଁ ଜାଣିଶୁଣି ଅପମାନଜନକ ଶବ୍ଦ କହନ୍ତି । କିନ୍ତୁ ବାଇବଲ ସତର୍କ କରାଏ ଯେ ଖ୍ରୀଷ୍ଟିୟାନମାନଙ୍କଠାରେ ଏପରି ଖରାପ ଅଭ୍ୟାସ ହେବା ଉଚିତ୍‌ ନୁହେଁ । କୌଣସି ଖ୍ରୀଷ୍ଟିୟାନଙ୍କୁ ନିଜ ପତି କିମ୍ବା ପତ୍ନୀ କିମ୍ବା ପିଲାମାନଙ୍କୁ ଏପରି ଅପମାନଜନକ କଥା କହିବା ଉଚିତ୍‌ ନୁହେଁ । ସତରେ ଏପରି କରିବା କେତେ ଦୁଃଖର କଥା  ! ଏହା ଏକ ଗମ୍ଭୀର ମାମଲା । ତେଣୁ ଯେଉଁ ଖ୍ରୀଷ୍ଟିୟାନ ଏପରି ଅଭ୍ୟାସ ଛାଡ଼େ ନାହିଁ, ତାକୁ ମଣ୍ଡଳୀରୁ ବହିଷ୍କାର ମଧ୍ୟ କରାଯାଇପାରେ । (୧ କରିନ୍ଥୀୟ ୫:୧୧-୧୩; ୬:୯, ୧୦) ଯେପରି ଆମେ ଦେଖିଲୁ ଯେଉଁ କଥା ଅଶ୍ଳିଳ, ସତ ନୁହେଁ ଏବଂ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇପାରେ, ସେପରି କଥା ଆମେ କହିବା ଉଚିତ୍‌ ନୁହେଁ । ଏହା ଯୋଗୁଁ ଯିହୋବା ଓ ଅନ୍ୟମାନଙ୍କ ସହ ଆମ ସମ୍ପର୍କ ଖରାପ ହୋଇଯାଇପାରେ ।

ସାହସ ବଢ଼ାଉଥିବା କଥା କହନ୍ତୁ

୧୫. କିପରି କଥା ଅନ୍ୟମାନଙ୍କ ସାହସ ବଢ଼ାଇପାରେ ?

୧୫ ଆସନ୍ତୁ ଏବେ ଦେଖିବା ଯେ ଯିହୋବା କେଉଁ ପ୍ରକାରର କଥା ପସନ୍ଦ କରନ୍ତି । ବାଇବଲରେ ଏହା କୁହାଯାଇ ନାହିଁ ଯେ ଆମେ କʼଣ କହିବା ଉଚିତ୍‌ ଏବଂ କʼଣ କହିବା ଉଚିତ୍‌ ନୁହେଁ । କିନ୍ତୁ ଲେଖାଅଛି ଯେ ଆମେ “ନିଷ୍ଠାଜନକ [“ସାହସ ବଢ଼ାଉଥିବା,” NW ] ବାକ୍ୟ” କହିବା ଉଚିତ୍‌ । (ଏଫିସୀୟ ୪:୨୯) ଯେଉଁ କଥାସବୁ ଶୁଦ୍ଧ, ଭଲ ଓ ସତ ସେଗୁଡ଼ିକରୁ ସାହସ ବଢ଼େ । ଯିହୋବା ଚାହାନ୍ତି ଯେ ଆମ କଥାବାର୍ତ୍ତାରୁ ଅନ୍ୟମାନଙ୍କର ମଙ୍ଗଳ ହେଉ । କିନ୍ତୁ ଏପରି କରିବା ସହଜ ହୋଇ ନ ଥାଏ । ଖରାପ କଥା କହିବା ପାଇଁ ଆମକୁ ଭାବିବାକୁ ପଡ଼େ ନାହିଁ । କିନ୍ତୁ ଭଲ କଥା କହିବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼େ । (ତୀତସ ୨:୭, ୮) ତାହେଲେ ଆସନ୍ତୁ ଆମେ ଦେଖିବା ଯେ ଆମେ କିଭଳି ଭଲ କଥା କହିପାରିବା ।

୧୬, ୧୭. (କ) ଆମେ କାହିଁକି ଅନ୍ୟମାନଙ୍କ ପ୍ରଶଂସା କରିବା ଉଚିତ୍‌ ? (ଖ) ଆମେ କେଉଁମାନଙ୍କ ପ୍ରଶଂସା କରିପାରିବା ?

୧୬ ଭଲ କଥା କହିବାର ଗୋଟିଏ ଉପାୟ ହେଉଛି ଅନ୍ୟମାନଙ୍କର ପ୍ରଶଂସା କରିବା । ଯିହୋବା ଓ ଯୀଶୁ ହୃଦୟରୁ ଅନ୍ୟମାନଙ୍କ ପ୍ରଶଂସା କରନ୍ତି । (ମାଥିଉ ୩:୧୭; ୨୫:୧୯-୨୩; ଯୋହନ ୧:୪୭) ଅନ୍ୟମାନଙ୍କ ପ୍ରଶଂସା କରିବା ପାଇଁ ଆମେ ସେମାନଙ୍କ ଭଲ ଗୁଣ ପ୍ରତି ଧ୍ୟାନ ଦେବା ଉଚିତ୍‌ ଏବଂ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇବା ଉଚିତ୍‌ । ହିତୋପଦେଶ ୧୫:୨୩ ପଦରେ କୁହାଯାଇଛି, “ଯଥାକାଳର କଥା କିପରି ଉତ୍ତମ  !” ଯେତେବେଳେ କେହି ଆମ କଠିନ ପରିଶ୍ରମକୁ କିମ୍ବା କାମକୁ ଦେଖି ପ୍ରଶଂସା କରନ୍ତି, ସେତେବେଳେ ଆମକୁ ବହୁତ ଭଲ ଲାଗେ ।ମାଥିଉ ୭:୧୨ ପଢ଼ନ୍ତୁ; ଅଧିକ ବିବରଣୀ-୨୭ ଦେଖନ୍ତୁ ।

୧୭ ଯଦି ଆପଣ ଲୋକମାନଙ୍କର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବାର ଅଭ୍ୟାସ କରିବେ, ତାହେଲେ ଆପଣ ସେମାନଙ୍କର ପ୍ରଶଂସା କରିପାରିବେ । ଉଦାହରଣ ପାଇଁ, ହୁଏତ ଜଣେ ଭାଇ ବହୁତ ଭଲ ଭାବେ ପ୍ରସ୍ତୁତି କରି ଭାଷଣ କିମ୍ବା ଉତ୍ତର ଦିଅନ୍ତି । ଜଣେ ଯୁବା ଭାଇ କିମ୍ବା ଭଉଣୀ ସ୍କୁଲରେ ଅନେକ ସମସ୍ୟାଗୁଡ଼ିକର ସାମନା କରିବା ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି କିମ୍ବା ଜଣେ ଭାଇ ବୃଦ୍ଧ ହେବା ସତ୍ତ୍ୱେ ଲଗାତାର ପ୍ରଚାରରେ ଭାଗ ନିଅନ୍ତି । ଏପରି ଭାଇଭଉଣୀଙ୍କୁ ପ୍ରଶଂସା କଲେ ସେମାନଙ୍କ ସାହସ ବଢ଼ିପାରେ । ସେହିପରି ପରିବାରର ସଦସ୍ୟମାନଙ୍କୁ ମଧ୍ୟ ପରସ୍ପରକୁ ପ୍ରଶଂସା କରିବା ଉଚିତ୍‌ । ପତି ନିଜ ପତ୍ନୀଙ୍କୁ କହିବା ଉଚିତ୍‌ ଯେ ସେ ତାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ ପରିଶ୍ରମ ପାଇଁ ସେ ବହୁତ କୃତଜ୍ଞ । (ହିତୋପଦେଶ ୩୧:୧୦, ୨୮) ଯେପରି ଗଛଲତାକୁ ସୂର୍ଯ୍ୟର କିରଣ ଓ ପାଣିର ଆବଶ୍ୟକ ହୁଏ, ଠିକ୍‌ ସେହିପରି ମଣିଷମାନଙ୍କ ପାଇଁ ଏହା ବହୁତ ଜରୁରୀ ଯେ କେହି ତାଙ୍କର ପ୍ରଶଂସା କରନ୍ତୁ । ବିଶେଷ କରି ପିଲାମାନଙ୍କର ପ୍ରଶଂସା କରିବା ବହୁତ ଜରୁରୀ । ସେମାନଙ୍କ ଭଲ ଗୁଣ ଓ ପରିଶ୍ରମ ପାଇଁ ସେମାନଙ୍କର ପ୍ରଶଂସା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ସାହସ ବଢ଼ିବ, ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ସେମାନେ ଭଲ କାମ କରିବା ପାଇଁ ଆହୁରି ପରିଶ୍ରମ କରିବେ ।

ଭଲ କଥା କହିବା ଓ ଭଲଭାବେ କହିବା ଦ୍ୱାରା ଅନ୍ୟମାନଙ୍କର ସାହସ ବଢ଼ିପାରେ

୧୮, ୧୯. ଆମେ କାହିଁକି ଅନ୍ୟମାନଙ୍କ ସାହସ ବଢ଼ାଇବା ଉଚିତ୍‌ ? ଏହା ଆମେ କିପରି କରିପାରିବା ?

୧୮ ଅନ୍ୟମାନଙ୍କ ସାହସ ବଢ଼ାଇବା ଏବଂ ସେମାନଙ୍କୁ ସାନ୍ତ୍ୱନା ଦେବା ଭଲ କଥା କହିବାର ଆଉ ଗୋଟିଏ ଉପାୟ । ଏହି ମାମଲାରେ ମଧ୍ୟ ଯିହୋବା ଆମ ପାଇଁ ଏକ ଭଲ ଉଦାହରଣ । ସେ “ନମ୍ର ଲୋକମାନଙ୍କର” ଏବଂ “ଚୂର୍ଣ୍ଣମନା ଲୋକମାନଙ୍କର” ବହୁତ ଚିନ୍ତା କରନ୍ତି । (ଯିଶାଇୟ ୫୭:୧୫) ସେ ଚାହାନ୍ତି ଯେ ଆମେ “ପରସ୍ପରର ନିଷ୍ଠା [“ସାହସ,” NW ] ବଢ଼ାଉ ଏବଂ “ସାହସ-ହୀନମାନଙ୍କୁ ସାନ୍ତ୍ୱନା” ଦେଉ । (୧ ଥେସଲନୀକୀୟ ୫:୧୧, ୧୪) ଯେତେବେଳେ ଆମେ ଏପରି କରୁ, ଯିହୋବା ଧ୍ୟାନ ଦିଅନ୍ତି ଏବଂ ଆମ ପରିଶ୍ରମ ପ୍ରତି କୃତଜ୍ଞତା ଦେଖାନ୍ତି ।

୧୯ ଯଦି ଆପଣଙ୍କ ମଣ୍ଡଳୀରେ କୌଣସି ଭାଇ କିମ୍ବା ଭଉଣୀ ନିରାଶ ଅଛନ୍ତି, ତେବେ ଆପଣ ତାଙ୍କ ସାହସ କିପରି ବଢ଼ାଇପାରିବେ ? ହୁଏତ ଆପଣ ତାଙ୍କ ସମସ୍ୟାର ସମାଧାନ କରିପାରିବେ ନାହିଁ । କିନ୍ତୁ ଆପଣ ତାଙ୍କୁ ଅନୁଭବ କରାଇପାରିବେ ଯେ ଆପଣ ତାଙ୍କର ବହୁତ ଚିନ୍ତା କରନ୍ତି । ଆପଣ ତାଙ୍କ ସହ କଥା ହୋଇ କିଛି ସମୟ ବିତାଇପାରିବେ । ତାଙ୍କ ସାହସ ବଢ଼ାଇବା ପାଇଁ ଆପଣ ବାଇବଲରୁ କୌଣସି ପଦ ପଢ଼ି ଶୁଣାଇପାରିବେ ଏବଂ ପ୍ରାର୍ଥନା ମଧ୍ୟ କରିପାରିବେ । (ଗୀତସଂହିତା ୩୪:୧୮; ମାଥିଉ ୧୦:୨୯-୩୧) ତାଙ୍କୁ ଭରସା କରାନ୍ତୁ ଯେ ମଣ୍ଡଳୀର ଲୋକେ ତାଙ୍କ ଭାଇଭଉଣୀ ଅଟନ୍ତି ଏବଂ ତାଙ୍କୁ ବହୁତ ପ୍ରେମ କରନ୍ତି । (୧ କରିନ୍ଥୀୟ ୧୨:୧୨-୨୬; ଯାକୁବ ୫:୧୪, ୧୫) ତାଙ୍କୁ ସହାନୁଭୂତି ଦେଖାନ୍ତୁ ଏବଂ ହୃଦୟରୁ ତାଙ୍କ ସହ କଥା ହୁଅନ୍ତୁ ।ହିତୋପଦେଶ ୧୨:୨୫ ପଢ଼ନ୍ତୁ ।

୨୦, ୨୧. କେଉଁ ଭଳି ପରାମର୍ଶକୁ ଗ୍ରହଣ କରିବା ସହଜ ହୋଇଥାଏ ?

୨୦ ଭଲ କଥା କହିବାର ଆଉ ଗୋଟିଏ ଉପାୟ ହେଉଛି ଅନ୍ୟମାନଙ୍କୁ ପରାମର୍ଶ ଦେବା । ଅପରିପୂର୍ଣ୍ଣ ହୋଇଥିବାରୁ ଆମ ସମସ୍ତଙ୍କୁ ସମୟ ସମୟରେ ପରାମର୍ଶର ଆବଶ୍ୟକତା ହୋଇଥାଏ । ହିତୋପଦେଶ ୧୯:୨୦ ପଦରେ ଲେଖାଅଛି, “ଶେଷାବସ୍ଥାରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର ।” ଭାବନ୍ତୁ ନାହିଁ ଯେ ପରାମର୍ଶ ଦେବାର କାମ କେବଳ ପ୍ରାଚୀନମାନଙ୍କର । ପିତାମାତା ନିଜ ପିଲାମାନଙ୍କୁ ବୁଝାଇପାରିବେ । (ଏଫିସୀୟ ୬:୪) ଭଉଣୀମାନେ ମଧ୍ୟ ପରସ୍ପରକୁ ପରାମର୍ଶ ଦେଇପାରିବେ । (ତୀତସ ୨:୩-୫) ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେଣୁ ସେମାନଙ୍କୁ ପରାମର୍ଶ ଦେବା ସମୟରେ ଆମେ ଧ୍ୟାନରେ ରଖିବା ଉଚିତ୍‌ ଯେ ଯେପରି ସେମାନଙ୍କୁ ଖରାପ ନ ଲାଗୁ । ଆମେ ପରାମର୍ଶ କିପରି ଦେଇପାରିବା ?

୨୧ ହୁଏତ ଆପଣଙ୍କୁ ସେହି ସମୟ ମନେ ଥିବ ଯେତେବେଳେ କେହି ଆପଣଙ୍କୁ ଭଲ ପରାମର୍ଶ ଦେଇଥିଲେ ଏବଂ ତାହା ମଧ୍ୟ ଏପରି ଭାବରେ ଦେଇଥିଲେ, ଯାହାଦ୍ୱାରା ଆପଣ ତାହା ସହଜରେ ଗ୍ରହଣ କରିପାରିଲେ । ଆପଣ ତାଙ୍କ ପରାମର୍ଶ କାହିଁକି ଗ୍ରହଣ କରିପାରିଲେ ? ହୁଏତ ଆପଣ ଅନୁଭବ କରିପାରିଥିଲେ ଯେ ସେହି ବ୍ୟକ୍ତି ଜଣକ ପ୍ରକୃତରେ ଆପଣଙ୍କ ଚିନ୍ତା କରନ୍ତି କିମ୍ବା ହୁଏତ ସେ ଆପଣଙ୍କୁ ବହୁତ ପ୍ରେମର ସହ ବୁଝାଇଥିଲେ । (କଲସୀୟ ୪:୬) ହୁଏତ ତାଙ୍କ ପରାମର୍ଶ ବାଇବଲରୁ ଥିଲା । (୨ ତୀମଥି ୩:୧୬) ଆମେ ଅନ୍ୟମାନଙ୍କୁ ପରାମର୍ଶ ଦେବା ସମୟରେ ବାଇବଲରୁ ପଦ ଦେଖାଉ ବା ନ ଦେଖାଉ, କିନ୍ତୁ ତାହା ବାଇବଲରୁ ହେବା ଉଚିତ୍‌ । ନିଜ ମତ ଅନ୍ୟମାନଙ୍କୁ ମାନିବା ପାଇଁ ବାଧ୍ୟ କରିବା ଉଚିତ୍‌ ନୁହେଁ ଏବଂ ନିଜ ବିଚାରଗୁଡ଼ିକୁ ଠିକ୍‌ ପ୍ରମାଣିତ କରିବା ପାଇଁ ପଦଗୁଡ଼ିକର ଭୁଲ ବ୍ୟବହାର କରିବା ଉଚିତ୍‌ ନୁହେଁ । ଆପଣଙ୍କୁ ଯେପରି ଭାବେ ପରାମର୍ଶ ଦିଆଯାଇଥିଲା, ତାହାକୁ ମନେ ରଖିବା ଦ୍ୱାରା ଆପଣ ମଧ୍ୟ ଅନ୍ୟମାନଙ୍କୁ ଭଲଭାବେ ପରାମର୍ଶ ଦେଇପାରିବେ ।

୨୨. ଆପଣ କଥା ହେବାର ଦକ୍ଷତାକୁ କିପରି ବ୍ୟବହାର କରିବାକୁ ଚାହାନ୍ତି ?

୨୨ କଥା ହେବାର ଦକ୍ଷତା ଈଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ । ଆମେ ମନେ ରଖିବା ଉଚିତ୍‌ ଯେ ଆମ କଥାରୁ କାହାରି ସାହସ ବଢ଼ିପାରେ କିମ୍ବା ଭାଙ୍ଗିପାରେ । ଆସନ୍ତୁ ଆମେ ପୂରା ଚେଷ୍ଟା କରିବା ଯେ ଆମ କଥାବାର୍ତ୍ତା ଏପରି ହେବା ଉଚିତ୍‌, ଯାହାଦ୍ୱାରା ଅନ୍ୟମାନଙ୍କର ସାହସ ବଢ଼ିବ ।