इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୨

ଆପଣ ଲୋକମାନଙ୍କୁ ଖୁସିର ଖବର କିପରି କହିପାରିବେ ?

ଆପଣ ଲୋକମାନଙ୍କୁ ଖୁସିର ଖବର କିପରି କହିପାରିବେ ?

ବାଇବଲର ସତ୍ୟ ଶିଖିବା ପରେ ହୁଏତ ଆପଣ ଭାବୁଥିବେ ଏକଥା ସମସ୍ତେ ଜାଣିବା ଉଚିତ୍‌ । ଆଉ ଏପରି ଭାବିବା ଠିକ୍‌ ମଧ୍ୟ । କିନ୍ତୁ ହୁଏତ ଆପଣଙ୍କୁ ଏକଥା ଅନ୍ୟମାନଙ୍କୁ କହିବା ପାଇଁ ଡର ଲାଗୁଥିବ । ଆସନ୍ତୁ ଦେଖିବା ଯେ ଆପଣ କିପରି ଏହି ଡରକୁ ଦୂର କରିପାରିବେ ଏବଂ ଖୁସିର ସହ ଅନ୍ୟମାନଙ୍କୁ ଖୁସିର ଖବର ଶୁଣାଇପାରିବେ ।

୧. ଆପଣ ଯାହା ଶିଖୁଛନ୍ତି ତାହା ଅନ୍ୟମାନଙ୍କୁ କିପରି କହିପାରିବେ ?

ଯୀଶୁଙ୍କ ଶିଷ୍ୟମାନେ ତାଙ୍କଠୁ ଯାହା ଶିଖୁଥିଲେ, ତାହା ସେମାନଙ୍କୁ ବହୁତ ଭଲ ଲାଗୁଥିଲା । ଆଉ ସେମାନେ ତାʼବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଚାହୁଁଥିଲେ । ସେମାନେ କହିଲେ, “ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ ।” (ପ୍ରେରିତ ୪:୨୦) କʼଣ ଆପଣଙ୍କୁ ବି ଏପରି ଲାଗେ ? ଆପଣ ଯାହା ଶିଖୁଛନ୍ତି, ତାହା ସୁଯୋଗ ଦେଖି ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କୁ ଆଦରର ସହ କହିପାରିବେ ।—କଲସୀୟ ୪:୬ ପଢ଼ନ୍ତୁ ।

କଥାବାର୍ତ୍ତା କିପରି ଆରମ୍ଭ କରିବା ?

  • ନିଜ ପରିବାର ଲୋକଙ୍କ ସହ କଥା ହେବା ସମୟରେ କହନ୍ତୁ, “ମୁଁ ଏହି ସପ୍ତାହରେ କିଛି ଭଲ କଥା ଶିଖିଛି !” ତାʼପରେ ସେମାନଙ୍କୁ ସେହି କଥା ବାଇବଲରୁ ଦେଖାନ୍ତୁ ।

  • ଯଦି ଆପଣଙ୍କ କୌଣସି ସାଙ୍ଗର ଦେହ ଠିକ୍‌ ନାହିଁ କିମ୍ବା ସେ ବହୁତ ଚିନ୍ତାରେ ଅଛି, ତାହେଲେ ତାକୁ ବାଇବଲରୁ ଏପରି ଏକ ପଦ ଦେଖାନ୍ତୁ, ଯାହାକୁ ପଢ଼ି ତାକୁ ଭଲ ଲାଗିବ ।

  • କାମ ଜାଗାରେ ଯଦି କେହି ଆପଣଙ୍କ ଭଲମନ୍ଦ ବିଷୟରେ ପଚାରନ୍ତି, ତାହେଲେ କଥା ହେଉ ହେଉ ତାଙ୍କୁ କହନ୍ତୁ ଯେ ଆପଣ ବାଇବଲ ଅଧ୍ୟୟନ କିମ୍ବା ସଭାଗୁଡ଼ିକରୁ କʼଣ ଶିଖିଲେ ।

  • ନିଜ ସାଙ୍ଗମାନଙ୍କୁ jw.org ୱେବସାଇଟ୍‌ ଦେଖାନ୍ତୁ ।

  • ଯେତେବେଳେ ଆପଣ ବାଇବଲ ଅଧ୍ୟୟନ କରନ୍ତି, ସେତେବେଳେ ଅନ୍ୟମାନଙ୍କୁ ମଧ୍ୟ ଡାକିପାରିବେ କିମ୍ବା ସେମାନଙ୍କୁ jw.org ୱେବସାଇଟ୍‌ରେ ବାଇବଲ ଅଧ୍ୟୟନ ପାଇଁ ଅନୁରୋଧ କିପରି କରାଯାଏ, ତାହା ଦେଖାଇପାରିବେ ।

୨. ଆପଣଙ୍କୁ କାହିଁକି ମଣ୍ଡଳୀ ସହ ମିଶି ପ୍ରଚାର କରିବା ଉଚିତ୍‌ ?

ଯୀଶୁଙ୍କ ଶିଷ୍ୟମାନେ କେବଳ ନିଜ ପରିଚିତ ଲୋକମାନଙ୍କୁ ନୁହେଁ, ବରଂ ସମସ୍ତଙ୍କୁ ପ୍ରଚାର କଲେ । ଯୀଶୁ ସେମାନଙ୍କୁ ‘ନଗରରେ ପ୍ରଚାର କରିବା ପାଇଁ ଦୁଇ ଦୁଇ ଜଣ କରି ପଠାଇଲେ ।’ (ଲୂକ ୧୦:୧) ଏପରି ବ୍ୟବସ୍ଥିତ ଭାବେ ପ୍ରଚାର କରିବା ଦ୍ୱାରା ସେମାନେ ଅନେକ ଲୋକଙ୍କୁ ଖୁସିର ଖବର ଶୁଣାଇପାରିଲେ । ସାଙ୍ଗରେ ମିଶି ପ୍ରଚାର କରିବା ଦ୍ୱାରା ସେମାନଙ୍କୁ ବହୁତ ଖୁସି ମିଳିଲା । (ଲୂକ ୧୦:୧୭) କʼଣ ତାଙ୍କ ଭଳି ଆପଣ ମଧ୍ୟ ମଣ୍ଡଳୀ ସହ ମିଶି ପ୍ରଚାର କରିବା ପାଇଁ ଚାହିଁବେ ?

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆପଣ ଅନ୍ୟମାନଙ୍କୁ ସାହସର ସହିତ କିପରି ପ୍ରଚାର କରିପାରିବେ ଏବଂ ଏହି କାମରୁ ଆପଣ ଖୁସି କିପରି ପାଇପାରିବେ ।

୩. ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ

କିଛି ଲୋକଙ୍କୁ ପ୍ରଚାର କରିବା ପାଇଁ ଇଚ୍ଛା ହୁଏ, କିନ୍ତୁ ସେମାନେ ଏହା ଭାବି ଡରିଯାʼନ୍ତି ଯେ ଲୋକମାନେ ତାଙ୍କ ବିଷୟରେ କʼଣ ଭାବିବେ । ସେମାନେ ଭାବନ୍ତି ଯେ ଲୋକମାନେ ଏହା ଶୁଣି ରାଗିଯିବେ କିମ୍ବା ତାଙ୍କୁ ଥଟ୍ଟା ମଜାକ କରିବେ ।

  • ଆପଣ ଯାହା ଶିଖୁଛନ୍ତି, କʼଣ ତାହା ଅନ୍ୟମାନଙ୍କୁ କହିବା ପାଇଁ ଆପଣଙ୍କୁ ଡର ଲାଗେ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଏହି ଯୁବାମାନେ କିପରି ନିଜ ଡର ଦୂର କଲେ ?

ଯିଶାଇୟ ୪୧:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଆପଣଙ୍କୁ ପ୍ରଚାର କରିବା ପାଇଁ ଡର ଲାଗେ, ସେତେବେଳେ ଆପଣ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ?

କʼଣ ଆପଣ ଜାଣନ୍ତି ?

ଅନେକ ଯିହୋବାଙ୍କ ସାକ୍ଷୀମାନଙ୍କୁ ଆରମ୍ଭରେ ପ୍ରଚାର କରିବା ପାଇଁ ବହୁତ ଡର ଲାଗୁଥିଲା । ସର୍ଗିଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ନିଜକୁ ବହୁତ ଛୋଟ ମନେ କରୁଥିଲେ । ତେଣୁ ତାଙ୍କୁ ଅନ୍ୟମାନଙ୍କ ସହ କଥା ହେବା ପାଇଁ ବହୁତ ଡର ଲାଗୁଥିଲା । କିନ୍ତୁ ଯେତେବେଳେ ସେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ, ସେତେବେଳେ ସେ ଯାହା ଶିଖୁଥିଲେ, ତାକୁ ଅନ୍ୟମାନଙ୍କୁ ବି କହିବାକୁ ଲାଗିଲେ । ସେ କହନ୍ତି, “ମୋତେ ଡର ତ ଲାଗୁଥିଲା, ତଥାପି ମୁଁ ବାଇବଲରୁ ଯାହା ଶିଖିଲି ତାହା ଅନ୍ୟମାନଙ୍କୁ କହିଲି । ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ମୁଁ ଯେତେ ଅଧିକ ଅନ୍ୟମାନଙ୍କୁ ଏହା ବିଷୟରେ କହିଲି, ସେତେ ଅଧିକ ମୋ ଡର କମ୍‌ ହେବାକୁ ଲାଗିଲା । ଏହା ଦେଖି ମୋର ସାହସ ବଢ଼ିଲା ଏବଂ ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ମୋ ଭରସା ମଧ୍ୟ ବଢ଼ିଲା ।”

୪. ଆଦରର ସହ କଥା ହୁଅନ୍ତୁ

ଖୁସିର ଖବର ଶୁଣାଇବା ସମୟରେ କେବଳ ଏହା ଭାବନ୍ତୁନି ଯେ ଆପଣ ଲୋକମାନଙ୍କୁ କʼଣ କହିବେ, ବରଂ ଏହା ମଧ୍ୟ ଭାବନ୍ତୁ ଯେ ଆପଣ ତାହା କିପରି କହିବେ । ୨ ତୀମଥି ୨:୨୪ ୧ ପିତର ୩:୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଅନ୍ୟମାନଙ୍କ ସହ ବାଇବଲ ବିଷୟରେ କଥା ହେବା ସମୟରେ ଆପଣ ଏହି ପଦଗୁଡ଼ିକରେ ଲେଖାଥିବା କଥାଗୁଡ଼ିକୁ କିପରି ଧ୍ୟାନରେ ରଖିପାରିବେ ?

  • ହୁଏତ ଆପଣଙ୍କ ପରିବାର ଲୋକ କିମ୍ବା କୌଣସି ସାଙ୍ଗ, ଆପଣଙ୍କ ସହ ସହମତ ହୋଇ ନ ପାରନ୍ତି । ଏପରି ସମୟରେ ଆପଣ କʼଣ କରିବେ ଏବଂ କʼଣ କରିବେ ନାହିଁ ?

  • କʼଣ କରିବା ବେଶି ଭଲ ହେବ, ଲୋକଙ୍କୁ ସିଧା ସିଧା କହିବା ଯେ ତାଙ୍କୁ କʼଣ ମାନିବା ଉଚିତ୍‌ ନା ତାଙ୍କୁ ଆଦରର ସହ ପ୍ରଶ୍ନ କରି ବୁଝାଇବା ? ଆପଣଙ୍କୁ ଏପରି କାହିଁକି ଲାଗେ ?

୫. ଖୁସିର ଖବର ଶୁଣାଇଲେ ଆମକୁ ଖୁସି ମିଳେ

ଯିହୋବା ଯୀଶୁଙ୍କୁ ଖୁସିର ଖବର ଶୁଣାଇବାର କାମ ଦେଇଥିଲେ । ଯୀଶୁଙ୍କୁ ଏହି କାମ କିପରି ଲାଗୁଥିଲା ? ଯୋହନ ୪:୩୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଭଲ ଖାଦ୍ୟ ଖାଇଲେ ଆମେ ଜୀବିତ ରହୁ ଏବଂ ଆମକୁ ଖୁସି ମିଳେ । ଯୀଶୁ କାହିଁକି ଈଶ୍ୱରଙ୍କ ଇଚ୍ଛା ପୂରା କରିବାକୁ, ଉଦାହରଣ ପାଇଁ ଖୁସିର ଖବର ଶୁଣାଇବାକୁ ଖାଦ୍ୟ ସହ ତୁଳନା କଲେ ?

  • ଆପଣ କʼଣ ଭାବନ୍ତି, ପ୍ରଚାର କଲେ ଆମକୁ କିପରି ଖୁସି ମିଳିପାରେ ?

କିଛି ପରାମର୍ଶ:

  • ସପ୍ତାହ ମଝିରେ ହେଉଥିବା ସଭାରେ ଶିଖନ୍ତୁ ଯେ ଆପଣ ପ୍ରଚାରରେ କିପରି କଥାବାର୍ତ୍ତା ଆରମ୍ଭ କରିପାରିବେ ।

  • ଆପଣଙ୍କୁ ଯିଏ ଶିଖାଇବାକୁ ଆସୁଛନ୍ତି, ତାଙ୍କୁ ପଚାରନ୍ତୁ ଯେ ବିଦ୍ୟାର୍ଥୀ ଭାଗ କରିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ । ଯେତେବେଳେ ଆପଣ ସେହି ଭାଗକୁ କରିବେ, ସେତେବେଳେ ଆପଣ ଜାଣିପାରିବେ ଯେ ଆପଣ ଅନ୍ୟମାନଙ୍କୁ ଖୁସିର ଖବର କିପରି ଶୁଣାଇପାରିବେ ।

  • “କିଛି ଲୋକ କହନ୍ତି” କିମ୍ବା “ହୁଏତ କେହି ପଚାରିପାରନ୍ତି” ଭାଗକୁ ପଢ଼ନ୍ତୁ ଏବଂ ଭାବନ୍ତୁ ଯେ ଯଦି କେହି ଆପଣଙ୍କୁ ଏପରି କିଛି ପ୍ରଶ୍ନ ପଚାରନ୍ତି, ତାହେଲେ ଆପଣ କʼଣ ଉତ୍ତର ଦେବେ ।

ହୁଏତ କେହି ପଚାରିପାରନ୍ତି: “ଆଉ ସବୁ କେମିତି ଚାଲିଛି ?”

  • ଏହି ସୁଯୋଗର ଲାଭ ଉଠାଇ ଆପଣ କିପରି ତାଙ୍କୁ ବାଇବଲର କୌଣସି କଥା କହିପାରିବେ ?

ଆମେ କʼଣ ଶିଖିଲୁ ?

ଖୁସିର ଖବର ଶୁଣାଇଲେ ଆମକୁ ଖୁସି ମିଳେ ଏବଂ ଅନ୍ୟମାନଙ୍କ ସହ କଥା ଆରମ୍ଭ କରିବା ଏତେ କଠିନ ବି ନୁହେଁ ।

ଆପଣ କʼଣ କହିବେ ?

  • ଆମେ କାହିଁକି ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ଉଚିତ୍‌ ?

  • ଆପଣ ଲୋକମାନଙ୍କ ସହିତ ଆଦରର ସହ କିପରି କଥା ହୋଇପାରିବେ ?

  • ଆପଣ ନିଜ ଡରକୁ କିପରି ଦୂର କରିପାରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆପଣ ଲୋକମାନଙ୍କୁ ସମ୍ପର୍କ କାର୍ଡ଼ ଦେଇ କିପରି ଖୁସିର ଖବର ଶୁଣାଇପାରିବେ, ତାʼର ଚାରୋଟି ଉପାୟ ଦେଖନ୍ତୁ ।

JW.ORG ସମ୍ପର୍କ କାର୍ଡ଼ର ପ୍ରଦର୍ଶନ (୧:୪୩)

ଜାଣନ୍ତୁ ଯେ ଭଲ ଭାବେ ପ୍ରଚାର କରିବା ପାଇଁ ଆପଣଙ୍କୁ କେଉଁ ଚାରୋଟି କଥା ଧ୍ୟାନରେ ରଖିବା ଉଚିତ୍‌ ।

“କʼଣ ଆପଣ ଜଣେ ପ୍ରଚାରକ ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?” (ପ୍ରହରୀଦୁର୍ଗ-ହି, ସେପ୍ଟେମ୍ବର ୨୦୨୦)

ଆପଣ ଛୋଟ ଥିଲେ ମଧ୍ୟ ଖୁସିର ଖବର ଶୁଣାଇପାରିବେ । ଆସନ୍ତୁ ଏବିଷୟରେ ବାଇବଲର ଗୋଟିଏ ଉଦାହରଣ ଦେଖିବା ।

ଯିହୋବା ଆପଣଙ୍କୁ ସାହସ ଦେବେ (୧୧:୫୯)

ଜାଣନ୍ତୁ ଯେ ଆପଣଙ୍କ ପରିବାରରେ ଯେଉଁମାନେ ଯିହୋବାଙ୍କ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଆପଣ କିପରି ଯିହୋବାଙ୍କ ବିଷୟରେ କହିପାରିବେ ।

“ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ହୃଦୟ ଛୁଇଁବା” (ପ୍ରହରୀଦୁର୍ଗ-ହି, ୧୫ ମାର୍ଚ୍ଚ, ୨୦୧୪)