इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶାସନ ଦଳଠାରୁ ଚିଠି

ପ୍ରଶାସନ ଦଳଠାରୁ ଚିଠି

‘ତୁମ୍ଭେମାନେ ଶିକ୍ଷକ ହେବା ଉଚିତ୍‌ ।’ (ଏବ୍ରୀ ୫:୧୨) ଟିକେ କଳ୍ପନା କରନ୍ତୁ ! ସାରା ବିଶ୍ୱର ସବୁଠୁ ଉତ୍ତମ ଶିକ୍ଷକ ଯିହୋବା ଆମକୁ କହନ୍ତି ଯେ ଆମେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିଖାଉ ! ଆମ ପରିବାରରେ, ମଣ୍ଡଳୀରେ କିମ୍ବା ପ୍ରଚାର ସେବାରେ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଇବା ପାଇଁ ଆମକୁ ଯାହା ମଧ୍ୟ ଦାୟିତ୍ୱ ମିଳେ, ତାହା ଆମ ପାଇଁ ଏକ ବହୁମୂଲ୍ୟ ସମ୍ମାନ ଏବଂ ଏକ ଗୁରୁ ଦାୟିତ୍ୱ । ଏହା ଆମେ ସଫଳତାପୂର୍ବକ କିପରି କରିପାରିବା ?

ଏହାର ଉତ୍ତର ପ୍ରେରିତ ପାଉଲ ତୀମଥିଙ୍କୁ ଲେଖିଥିବା ଚିଠିରେ ମିଳେ: “ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।” ପାଉଲ ଆଗକୁ କହିଲେ: “ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।” (୧ ତୀମ. ୪:୧୩, ୧୬) ଆପଣ ଏପରି ବାର୍ତ୍ତା ଜାଣିଛନ୍ତି, ଯାହାଦ୍ୱାରା ଲୋକମାନଙ୍କର ଜୀବନ ରକ୍ଷା ହୋଇଥାଏ । ତେଣୁ ଆପଣ ପଢ଼ିବା ଓ ଶିଖାଇବାରେ ଉନ୍ନତି ଆଣିବା ପାଇଁ ପରିଶ୍ରମ କରିବା ଅତି ଜରୁରୀ । ଏପରି କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏ ପୁସ୍ତିକାକୁ ପ୍ରସ୍ତୁତ କରାଯାଇଛି । ଏହାର କିଛି ବିଶେଷତା ପ୍ରତି ଧ୍ୟାନ ଦିଅନ୍ତୁ:

ପ୍ରତ୍ୟେକ ପୃଷ୍ଠାରେ ଏକ ବାଇବଲ ପଦ ଦିଆଯାଇଛି । ଏହା ସେଠାକାର ବିଷୟ ସହ ଜଡ଼ିତ ବାଇବଲ ସିଦ୍ଧାନ୍ତ ଅଟେ କିମ୍ବା ସେହି ବିଷୟ ଉପରେ ଆଧାରିତ ବାଇବଲର ଏକ ଉଦାହରଣ ଅଟେ

ଯିହୋବା “ମହାନ ଉପଦେଶକ” ଅଟନ୍ତି । (ଯିଶା. ୩୦:୨୦, NW) ଏହି ପୁସ୍ତିକା ଯେ ଆପଣଙ୍କୁ ନିଜ ପଢ଼ିବା ଓ ଶିଖାଇବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ କରିବ ତାହା ସତ, କିନ୍ତୁ କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ଯିହୋବା ହିଁ ଆମ ବାର୍ତ୍ତାର ସ୍ରୋତ ଅଟନ୍ତି ଏବଂ ସେ ହିଁ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । (ଯୋହ. ୬:୪୪) ତେଣୁ ପବିତ୍ର ଶକ୍ତି ପାଇଁ ବାରମ୍ବାର ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ ବାକ୍ୟକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ । ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିବା ପରିବର୍ତ୍ତେ, ସେମାନଙ୍କ ଧ୍ୟାନ ଯିହୋବାଙ୍କ ଉପରେ କେନ୍ଦ୍ରିତ କରନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ଗଭୀର ପ୍ରେମ ବଢ଼ାଇବାରେ ପ୍ରୟାସ କରନ୍ତୁ ।

ଆପଣଙ୍କୁ ଏପରି ବାର୍ତ୍ତା ଶିଖାଇବା ପାଇଁ ଆହ୍ୱାନ କରାଯାଇଛି, ଯାହା ମାନବଜାତିକୁ ଏପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଅଟେ । ଆମ ଦୃଢ଼ ବିଶ୍ୱାସ ଯେ ଯଦି ଆପଣ “ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି” ସେବା କରିବେ, ତେବେ ଆପଣ ନିଶ୍ଚୟ ସଫଳ ହେବେ ।—୧ ପିତ. ୪:୧୧.

ଆପଣଙ୍କ ସହଶିକ୍ଷକ,

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ