इस जानकारी को छोड़ दें

ପରିଚାଳକ ସମିତିଠାରୁ ଚିଠି— ୨୦୧୭

ପରିଚାଳକ ସମିତିଠାରୁ ଚିଠି— ୨୦୧୭

ପ୍ରିୟ ଭାଇ ଓ ଭଉଣୀମାନେ,

ଖ୍ରୀଷ୍ଟ ପୂର୍ବ ସପ୍ତମ ଶତାବ୍ଦୀରେ ଭବିଷ୍ୟଦ୍‌ବକ୍ତା ଯିହିଜିକଲଙ୍କୁ ଏକ ବିସ୍ମୟକର ଦର୍ଶନ ଦିଆଯାଇଥିଲା। ସେ ଏକ ବିଶାଳ ସ୍ୱର୍ଗୀୟ ରଥ ଦେଖିଲେ, ଯାହା ସମଗ୍ର ବିଶ୍ୱର ଶାସନକର୍ତ୍ତା ଯିହୋବାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲୁଥିଲା। ସେହି ରଥର ବିଶେଷତା ଥିଲା, ତାʼର ଗତି କରିବାର ଶୈଳୀ । ରଥଟି ବିଜୁଳି ବେଗରେ ଗତି କରୁଥିଲା ଏବଂ ଏପରିକି ଦିଗ ପରିବର୍ତ୍ତନ କରିବା ସମୟରେ ମଧ୍ୟ ଏହା ଖୁବ୍‌ ବେଗରେ ଦୌଡ଼ୁଥିଲା। ଏହା ଛଡ଼ା, ରଥଟି ନିଜ ବେଗ କମ୍‌ ନ କରି ଯେକୌଣସି ଦିଗରେ ତାʼର ଗତି ପରିବର୍ତ୍ତନ କରିପାରୁଥିଲା!—ଯିହି. ୧:୪, ୯, ୧୨, ୧୪, ୧୬-୨୭.

ସେହି ଦର୍ଶନ ଆମକୁ ମନେ ପକାଇ ଦିଏ ଯେ ଯିହୋବାଙ୍କ ସଂଗଠନର ଯେଉଁ ଭାଗ ସ୍ୱର୍ଗରେ ରହିଛି, ତାହା ସର୍ବଦା ଆଗକୁ ବଢ଼ିଚାଲିଛି। ଆଉ, ଯେଉଁ ଭାଗ ପୃଥିବୀରେ ରହିଛି, ତାʼ ବିଷୟରେ କʼଣ କୁହାଯାଇପାରେ? ଗତ ସେବା ବର୍ଷର ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ପୃଥିବୀରେ ମଧ୍ୟ ନିଜ ସଂଗଠିତ ଲୋକମାନଙ୍କୁ ଖୁବ୍‌ ବେଗରେ ଆଗକୁ ବଢ଼ାଉଛନ୍ତି!

ଏଠି ଆମେରିକାରେ ବୈଥେଲ ପରିବାରର ସଦସ୍ୟମାନେ ନୂଆ ଜାଗାଗୁଡ଼ିକୁ ଯାଇ ରହିବାରେ ବ୍ୟସ୍ତ ଅଛନ୍ତି। କିଛି ଲୋକଙ୍କୁ ବ୍ରୁକଲିନ୍‌ରୁ ଆମ ନୂଆ ବିଶ୍ୱ ମୁଖ୍ୟାଳୟ ଏବଂ ବୈଥେଲର ଅନ୍ୟ ଘରଗୁଡ଼ିକରେ ରହିବା ପାଇଁ ପଠାଯାଉଛି। ଆଉ କେତେକଙ୍କୁ ବୈଥେଲରୁ ବାହାରେ ଅନ୍ୟ ଜାଗାଗୁଡ଼ିକୁ ପଠାଯାଉଛି। ନୂଆ ବିଶ୍ୱ ମୁଖ୍ୟାଳୟ ନ୍ୟୁ ୟର୍କ ରାଜ୍ୟର ୱାରୱିକ୍‌ରେ ରହିଛି। ପୃଥିବୀର ଅନେକ ଅନ୍ୟ ବୈଥେଲ ଘରଗୁଡ଼ିକରେ ସେବା କରୁଥିବା ଭାଇଭଉଣୀମାନେ ମଧ୍ୟ ନୂଆ ଶାଖା କାର୍ଯ୍ୟାଳୟ ନିର୍ମାଣ କରିବା, ପୁରୁଣା ଶାଖା କାର୍ଯ୍ୟାଳୟଗୁଡ଼ିକୁ ନୂଆ ରୂପ ଦେବା, କିଛି ଶାଖା କାର୍ଯ୍ୟାଳୟଗୁଡ଼ିକୁ ମିଶାଇ ଗୋଟିଏ ଶାଖା କାର୍ଯ୍ୟାଳୟରେ ପରିଣତ କରିବା, କିମ୍ବା ନୂଆ ଜାଗାଗୁଡ଼ିକରେ ଯାଇ ରହିବାରେ ବ୍ୟସ୍ତ ଅଛନ୍ତି। କʼଣ ଆପଣ ମଧ୍ୟ ବ୍ୟସ୍ତ ଅଛନ୍ତି? ହୁଏତ ଆପଣ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇ ନ ଥିବେ, କିନ୍ତୁ ଆପଣ ମଧ୍ୟ କୌଣସି ନା କୌଣସି ପ୍ରକାରେ ନିଜ ସେବାରେ ନିଶ୍ଚୟ ବ୍ୟସ୍ତ ରହିଥିବେ।

ପରିଚାଳକ ସମିତି ଏସବୁ ଦେଖି ବହୁତ ଖୁସି ଅଛନ୍ତି, କାରଣ ସାରା ପୃଥିବୀରେ ଯିହୋବାଙ୍କ ଲୋକମାନେ ତାହାଙ୍କର ସଂଗଠନ ସହିତ ପାଦରେ ପାଦ ମିଶାଇ ଚାଲିବା ପାଇଁ ଆଗ ଅପେକ୍ଷା କାହିଁ କେତେ ଅଧିକ ବ୍ୟସ୍ତ ଅଛନ୍ତି। ବହୁସଂଖ୍ୟାରେ ଭାଇଭଉଣୀମାନେ ଏପରି ଜାଗାଗୁଡ଼ିକରେ ଯାଇ ରହିଛନ୍ତି, ଯେଉଁଠାରେ ପ୍ରଚାରକମାନଙ୍କର ଅଧିକ ଆବଶ୍ୟକତା ରହିଛି। ଅନ୍ୟମାନେ ଭିନ୍ନ ଭନ୍ନ ନୂଆ ଉପାୟରେ ସେବା କରିବା ଆରମ୍ଭ କରିଛନ୍ତି, ଯେପରି— ଅନ୍ୟ ଭାଷାରେ ପ୍ରଚାର କରିବା। କିଛି ଭାଇଭଉଣୀମାନେ ସୁସମାଚାର ପ୍ରଚାର କରିବାର ଏପରି ପଦ୍ଧତି ଆପଣାଇଛନ୍ତି, ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଟେ। ଅନେକ ଲୋକେ ଆହୁରି ଭିନ୍ନ ଭିନ୍ନ ପଦ୍ଧତିଗୁଡ଼ିକରେ ନିଜ ସେବାକୁ ବଢ଼ାଇ ପାରିଛନ୍ତି। ସମସ୍ତ ବିଶ୍ୱସ୍ତ ଖ୍ରୀଷ୍ଟିୟାନ ଭାଇଭଉଣୀମାନେ, ଏପରିକି ରୋଗ ଓ ବୃଦ୍ଧାବସ୍ଥା ସତ୍ତ୍ୱେ ଜୀବନର ଦୌଡ଼ରେ ବିଶ୍ୱସ୍ତତାର ସହିତ ଦୌଡ଼ୁଛନ୍ତି। ସେମାନେ ଯିହୋବାଙ୍କ ସେବାରେ ଆଗକୁ ବଢ଼ୁଛନ୍ତି ଏବଂ ଏହିପରି ଭାବେ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରିବାରେ ଅଂଶଗ୍ରହଣ କରୁଛନ୍ତି।—୧ କରି. ୯:୨୪.

ଆପଣ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ ଉତ୍ସାହ ଦେଖାନ୍ତି, ତାକୁ ଯିହୋବା କେବେ ମଧ୍ୟ ଭୁଲିବେ ନାହିଁ। (ଏବ୍ରୀ ୬:୧୦) ଆପଣମାନେ ଯେପରି ଭାବେ ଖୁସିର ସହିତ ନିଜକୁ ଅର୍ପଣ କରିଦିଅନ୍ତି, ତାହା ଦେଖି ଆମକୁ ଅବ୍ରହାମ ଓ ସାରାଙ୍କ କଥା ମନେ ପଡ଼େ। ଯେତେବେଳେ ଅବ୍ରହାମ ନିଜ ପରିବାରକୁ ନେଇ କଲଦୀୟମାନଙ୍କ ଊର ସହରଠାରୁ ବହୁ ଦୂରରେ ଥିବା କିଣାନ ଦେଶକୁ ଗଲେ, ସେତେବେଳେ ତାଙ୍କ ବୟସ ୭୦ରୁ ଅଧିକ ହୋଇଥିଲା। ସେ ପରବର୍ତ୍ତୀ ୧୦୦ ବର୍ଷ ପର୍ଯ୍ୟନ୍ତ ତମ୍ବୁରେ ଜୀବନ ବିତାଇଥିଲେ। ଅବ୍ରହାମ ଓ ତାଙ୍କ ପ୍ରିୟ ପତ୍ନୀ ଯେଉଁ ତ୍ୟାଗର ଭାବନା ଦେଖାଇଥିଲେ, ତାହା କେତେ ପ୍ରଶଂସନୀୟ ଥିଲା!—ଆଦି. ୧୧:୩୧; ପ୍ରେରି. ୭:୨, ୩.

କʼଣ ଆପଣ ମଧ୍ୟ ସେଭଳି ଭାବନା ଦେଖାଉଛନ୍ତି? ଏହି ସମସ୍ୟାପୂର୍ଣ୍ଣ ସମୟରେ ଆପଣମାନେ ସମସ୍ତେ ଧୈର୍ଯ୍ୟର ସହିତ ସେହି କାମ କରୁଛନ୍ତି, ଯେଉଁ କାମ କରିବା ପାଇଁ ଯୀଶୁ ଖ୍ରୀଷ୍ଟ ଆମକୁ ଆଜ୍ଞା ଦେଇଥିଲେ। ସେ କହିଥିଲେ: “ତେଣୁ ଯାଅ, ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ।”—ମାଥି. ୨୮:୧୯, ଇଜି-ଟୁ-ରିଡ୍‌ ଭର୍ସନ।

ଧ୍ୟାନ ଦିଅନ୍ତୁ ଯେ ଯୀଶୁ ମଧ୍ୟ କହିଥିଲେ, “ଯାଅ।” ଏଥିରୁ ଜଣାପଡ଼େ ଯେ ଆମକୁ ଆଗକୁ ବଢ଼ିବା ଏବଂ କାମ କରିବା ବଜାୟ ରଖିବାକୁ ହେବ। ଗତ ବର୍ଷ ଯୀଶୁଙ୍କର ଶିଷ୍ୟମାନେ ଉତ୍ସାହର ସହିତ କାମ କରି ଯାହା ହାସଲ୍‌ କରିଛନ୍ତି, ସେଥିରୁ ଆମକୁ କେତେ ଖୁସି ମିଳେ! ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯିହୋବା ସମସ୍ତ ଜାତିର ଲୋକମାନଙ୍କଠାରେ ସୁସମାଚାର ପ୍ରଚାର କରାଯିବାର କାମରେ ଭରପୂର ଆଶିଷ ଦେଉଛନ୍ତି।—ମାର୍କ ୧୩:୧୦.

ବହୁସଂଖ୍ୟାରେ ଲୋକମାନେ ଆମର ବାର୍ତ୍ତାକୁ ସ୍ୱୀକାର କରୁଛନ୍ତି। ଗତ ବର୍ଷ ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟା ଥିଲା— ୮୩,୪୦,୮୪୭ ଏବଂ ପ୍ରତି ମାସରେ ହାରାହାରି ୧,୦୧,୧୫,୨୬୪ ବାଇବଲ ଅଧ୍ୟୟନ ସଂଗଠିତ କରାଯାଇଥିଲା। ହଁ, ସ୍ୱର୍ଗୀୟ ରଥ ଖୁବ୍‌ ବେଗରେ ଆଗକୁ ବଢ଼ି ଚାଲିଛି ଏବଂ ଆପଣ ମଧ୍ୟ ଆଗକୁ ବଢ଼ୁଛନ୍ତି! ଯିହୋବା ନିକଟ ଭବିଷ୍ୟତରେ ଉଦ୍ଧାରର ଦ୍ୱାର ବନ୍ଦ କରିବା ପୂର୍ବରୁ ଯାହା କିଛି ସମୟ ବାକି ରହିଛି, ଏହି ସମୟରେ ଆପଣମାନେ ଏହିପରି ଭାବେ ଉତ୍ତମ କାର୍ଯ୍ୟ କରିବା ବଜାୟ ରଖନ୍ତୁ।

୨୦୧୭ ମସିହାର ବାର୍ଷିକ ପଦରେ ମଧ୍ୟ ଏହି ପ୍ରୋତ୍ସାହନ ଦିଆଯାଇଛି, ‘ଯିହୋବାଙ୍କଠାରେ ନିର୍ଭର ରଖି ସୁକର୍ମ କର।’ (ଗୀତ. ୩୭:୩) ଯେତେବେଳେ ଆପଣ ଏହି ଆଜ୍ଞା ପାଳନ କରି ସୁକର୍ମ କରନ୍ତି, ଅର୍ଥାତ୍‌ ଯିହୋବାଙ୍କର ପବିତ୍ର ସେବା କରନ୍ତି, ସେତେବେଳେ ଆପଣ ତାହାଙ୍କଠାରେ ନିର୍ଭର କରିଥାʼନ୍ତି। ମନେ ରଖନ୍ତୁ ଯେ ଆପଣ ଏକାକୀ ନୁହନ୍ତି। ଯୀଶୁଙ୍କର ଏହି ବାଣୀ ସର୍ବଦା ସତ୍ୟ ପ୍ରମାଣିତ ହେବ: “ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”—ମାଥି. ୨୮:୨୦.

ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ସେବାରେ ଆଶିଷ ଦେବା ଜାରି ରଖିବେ। ହୁଏତ ଆପଣ ତାହାଙ୍କ ସେବାରେ ଅଧିକ କରୁଥାʼନ୍ତୁ କିମ୍ବା କମ୍‌, ସେ ଏହା ଦେଖନ୍ତି ଯେ ଆପଣ ନିଜ ସାମର୍ଥ୍ୟ ଅନୁଯାୟୀ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ସଠିକ୍‌ ମନୋଭାବର ସହିତ କାମ କରୁଛନ୍ତି। ଆପଣଙ୍କ ଏହି ଉପହାର ତାହାଙ୍କ ହୃଦୟକୁ ଛୁଇଁ ଯାଏ ଏବଂ ସେ ଏହା ଦେଖି ବହୁତ ଖୁସି ହୁଅନ୍ତି। (୨ କରି. ୯:୬, ୭) ତେଣୁ ନିୟମିତ ପ୍ରାର୍ଥନା କରିବା, ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା, ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେବା ଏବଂ ଉତ୍ସାହର ସହିତ ପ୍ରଚାର କାମରେ ଭାଗ ନେବା ଦ୍ୱାରା ଆପଣ ନିଜ ପ୍ରେମମୟ ପିତାଙ୍କ ନିକଟତର ହେବା ଜାରି ରଖନ୍ତୁ।

ଦୁଷ୍ଟ ଶୟତାନ ପାଖରେ “ସମୟ ଅତି ଅଳ୍ପ” ରହିଛି। ତେଣୁ ସେ ଆମ ଧ୍ୟାନ ଭଙ୍ଗ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛି, କାରଣ ସେ ଚାହେଁ ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ନ ରହୁ। (ପ୍ରକା. ୧୨:୧୨) ଆପଣ ଯିହୋବାଙ୍କ ନିକଟବର୍ତ୍ତୀ ହୋଇ ରହନ୍ତୁ ଏବଂ ଶୟତାନ ନିଜ ସମସ୍ତ ଚେଷ୍ଟାରେ ବିଫଳ ହେବ। (ଗୀତ. ୧୬:୮) ଆମେ ଆପଣମାନଙ୍କୁ ବହୁତ ପ୍ରେମ କରୁ ଏବଂ ଏହି ଶେଷକାଳରେ ଆପଣ ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ କାମରେ ଯାହା ମଧ୍ୟ ଯୋଗଦାନ କରୁଛନ୍ତି, ତାକୁ ଆମେ ଖୁବ୍‌ ପ୍ରଶଂସା କରିଥାଉ।

ଆପଣଙ୍କ ଭାଇ,

ଯିହୋବାଙ୍କ ସାକ୍ଷୀମାନଙ୍କର ପରିଚାଳକ ସମିତି