इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆଠ ଅଧ୍ୟାୟ

ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

୧. କେଉଁ ଜଣାଶୁଣା ପ୍ରାର୍ଥନା ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା ?

 ଆଜି ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଏକ ଜଣାଶୁଣା ପ୍ରାର୍ଥନା ଜାଣନ୍ତି, ଯାହାକୁ ପ୍ରଭୁଙ୍କ ପ୍ରାର୍ଥନା କୁହାଯାଏ । ଯୀଶୁ ଖ୍ରୀଷ୍ଟ ଏହି ପ୍ରାର୍ଥନାର ଉଦାହରଣ ଦେଇ ନିଜ ଶିଷ୍ୟମାନଙ୍କୁ ଶିଖାଇଥିଲେ ଯେ ପ୍ରାର୍ଥନା କିପରି କରାଯିବା ଉଚିତ୍‌ । ସେ ଏହି ପ୍ରାର୍ଥନାରେ କʼଣ କହିଥିଲେ ? ତାʼ ଛଡ଼ା, ଏହି ପ୍ରାର୍ଥନା ଆଜି ଆମ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟେ ?

୨. ଯୀଶୁ ଯେଉଁ ତିନୋଟି ମହତ୍ତ୍ୱପୂର୍ଣ୍ଣ ବିଷୟରେ ପ୍ରାର୍ଥନା କରିବା ପାଇଁ ଶିଖାଇଲେ, ସେଗୁଡ଼ିକ କʼଣ ?

ଯୀଶୁ ଖ୍ରୀଷ୍ଟ କହିଲେ: “ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୯-୧୩ ପଢ଼ନ୍ତୁ ।) ଏହି ତିନୋଟି ବିଷୟରେ ପ୍ରାର୍ଥନା କରିବା ପାଇଁ ଯୀଶୁ କାହିଁକି ଆମକୁ ଶିଖାଇଲେ ?— ଅଧିକ ବିବରଣୀ-୨୦ ଦେଖନ୍ତୁ ।

୩. ଈଶ୍ୱରଙ୍କ ରାଜ୍ୟ ବିଷୟରେ ଆମକୁ କʼଣ ଜାଣିବା ଆବଶ୍ୟକ ଅଟେ ?

ଆମେ ଶିଖିଛୁ ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ । ଆମେ ଏହା ମଧ୍ୟ ଆଲୋଚନା କରିଛୁ ଯେ ମାନବଜାତି ଓ ପୃଥିବୀ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ । କିନ୍ତୁ ଯେତେବେଳେ ଯୀଶୁ କହିଲେ: “ତୁମ୍ଭର ରାଜ୍ୟ ଆସୁ,” ଏହାର ଅର୍ଥ କʼଣ ଥିଲା ? ଏହି ଅଧ୍ୟାୟରେ ଆମେ ଶିଖିବା ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ, ଏହା କʼଣ କʼଣ କରିବ ଏବଂ ଏହା କିପରି ଈଶ୍ୱରଙ୍କ ନାମକୁ ପବିତ୍ର କରିବ ।

ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

୪. ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ଏବଂ ଏହାର ରାଜା କିଏ ?

ଯିହୋବା ଏକ ସ୍ୱର୍ଗୀୟ ସରକାର ସ୍ଥାପନ କରିଛନ୍ତି, ଯାହାକୁ ବାଇବଲରେ ଈଶ୍ୱରଙ୍କ ରାଜ୍ୟ ବୋଲି କୁହାଯାଇଛି । ଯିହୋବା ଯୀଶୁ ଖ୍ରୀଷ୍ଟଙ୍କୁ ଏହି ରାଜ୍ୟର ରାଜା ଭାବେ ନିଯୁକ୍ତ କରିଛନ୍ତି । ଯୀଶୁ “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ” ଅଟନ୍ତି । (୧ ତୀମଥି ୬:୧୫) ଯେକୌଣସି ମାନବୀୟ ଶାସକ ଆଜି ପର୍ଯ୍ୟନ୍ତ ଲୋକଙ୍କ ମଙ୍ଗଳ ପାଇଁ ଯାହା ମଧ୍ୟ କରିଛି, ତାʼ ଅପେକ୍ଷା କାହିଁ କେତେ ଅଧିକ କରିବାର ସାମର୍ଥ୍ୟ ଯୀଶୁଙ୍କ ପାଖରେ ଅଛି । ଏହା ଛଡ଼ା, ଯଦି ପୃଥିବୀର ସମସ୍ତ ଶାସକମାନଙ୍କୁ ଏକତ୍ରିତ କରାଯାଏ, ତଥାପି ଯୀଶୁ ସେମାନଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି ।

୫. ଈଶ୍ୱରଙ୍କ ରାଜ୍ୟ କେଉଁଠାରୁ ଶାସନ କରିବ ? ଏହା କାହା ଉପରେ ଶାସନ କରିବ ?

ଯୀଶୁ ଖ୍ରୀଷ୍ଟ ନିଜ ପୁନରୁତ୍ଥାନର ୪୦ ଦିନ ପରେ ସ୍ୱର୍ଗକୁ ଫେରିଗଲେ । ସମୟକ୍ରମେ ଯିହୋବା ତାହାଙ୍କୁ ନିଜ ସ୍ୱର୍ଗରାଜ୍ୟର ରାଜା ଭାବେ ନିଯୁକ୍ତ କଲେ । (ପ୍ରେରିତ ୨:୩୩) ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରୁ ପୃଥିବୀ ଉପରେ ଶାସନ କରିବ । (ପ୍ରକାଶିତ ବାକ୍ୟ ୧୧:୧୫) ସେଥିପାଇଁ ବାଇବଲ ଈଶ୍ୱରଙ୍କ ରାଜ୍ୟକୁ “ସ୍ୱର୍ଗୀୟ ରାଜ୍ୟ” ବୋଲି କହିଥାଏ ।— ୨ ତୀମଥି ୪:୧୮.

୬, ୭. ଯୀଶୁ କାହିଁକି ଅନ୍ୟ ଯେକୌଣସି ମାନବୀୟ ରାଜାଠାରୁ ଶ୍ରେଷ୍ଠ ଅଟନ୍ତି ?

ବାଇବଲ କହେ ଯେ ଯୀଶୁ ଖ୍ରୀଷ୍ଟ ଯେକୌଣସି ମାନବୀୟ ଶାସକଠାରୁ ମହାନ ଓ ଶ୍ରେଷ୍ଠ ଅଟନ୍ତି, କାରଣ ସେ “ଏକମାତ୍ର ଅମର” ଅଟନ୍ତି । (୧ ତୀମଥି ୬:୧୬) ସମସ୍ତ ମାନବୀୟ ଶାସକ ସମୟକ୍ରମେ ମରିଯାʼନ୍ତି, କିନ୍ତୁ ଯୀଶୁ କେବେ ମଧ୍ୟ ମରିବେ ନାହିଁ । ସେ ଆମ ପାଇଁ ଯାହାସବୁ ଭଲ କାମ କରିବେ, ସେସବୁ ଚିରଦିନ ପର୍ଯ୍ୟନ୍ତ ରହିବ ।

ଯୀଶୁ ଜଣେ ଦୟାବାନ ରାଜା ହେବେ ଏବଂ ସେ ପକ୍ଷପାତ କରିବେ ନାହିଁ । ଏବିଷୟରେ ବାଇବଲର ଭବିଷ୍ୟତବାଣୀ ଏପରି କହେ: ‘ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ରହିବ; ସଦାପ୍ରଭୁ ବିଷୟକ ଭୟରେ ସେ ଆନନ୍ଦିତ ହେବେ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣର ଶୁଣିବାନୁସାରେ ବିଚାର କରିବେ ନାହିଁ, ମାତ୍ର ସେ ଧର୍ମରେ ଦୀନହୀନମାନଙ୍କର ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ନିମନ୍ତେ ନ୍ୟାୟରେ ବିଚାର କରିବେ ।’ (ଯିଶାଇୟ ୧୧:୨-୪) କʼଣ ଆପଣ ଚାହିଁବେ ନାହିଁ ଯେ ଆପଣଙ୍କ ରାଜା ଏପରି ହୁଅନ୍ତୁ ?

୮. ଆମେ କିପରି ଜାଣୁ ଯେ ଯୀଶୁ ଏକାକୀ ଶାସନ କରିବେ ନାହିଁ ?

ଏହି ସ୍ୱର୍ଗୀୟ ରାଜ୍ୟରେ ଯୀଶୁଙ୍କ ସହିତ ଶାସନ କରିବା ପାଇଁ ଈଶ୍ୱର କେତେକ ମଣିଷଙ୍କୁ ବାଛିଛନ୍ତି । ଉଦାହରଣସ୍ୱରୂପ, ପାଉଲ ତୀମଥିଙ୍କୁ କହିଥିଲେ: ‘ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ରାଜତ୍ୱ ମଧ୍ୟ କରିବା ।’ (୨ ତୀମଥି ୨:୧୨) କେତେ ଜଣ ଯୀଶୁଙ୍କ ସହିତ ରାଜା ଭାବରେ ଶାସନ କରିବେ ?

୯. (କ) ଯୀଶୁଙ୍କ ସହିତ କେତେ ଜଣ ଶାସନ କରିବେ ? (ଖ) ଈଶ୍ୱର ସେମାନଙ୍କୁ କେବେଠାରୁ ବାଛିବା ଆରମ୍ଭ କଲେ ?

ଯେପରି ଆମେ ୭ ଅଧ୍ୟାୟରେ ଶିଖିଲୁ, ଯୋହନଙ୍କୁ ଏକ ଦର୍ଶନ ଦିଆଯାଇଥିଲା, ଯେଉଁଥିରେ ସେ ଯୀଶୁଙ୍କୁ ସ୍ୱର୍ଗରେ ରାଜା ଭାବରେ ଅନ୍ୟ ୧,୪୪,୦୦୦ ଜଣ ରାଜାମାନଙ୍କ ସହିତ ଥିବାର ଦେଖିଲେ । ଏହି ୧,୪୪,୦୦୦ ଜଣ ବ୍ୟକ୍ତି କେଉଁମାନେ ଅଟନ୍ତି ? ଯୋହନ ଏବିଷୟରେ କହନ୍ତି ଯେ ସେମାନଙ୍କ “କପାଳରେ [ଯୀଶୁଙ୍କ] ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା ।” (ପ୍ରକାଶିତ ବାକ୍ୟ ୧୪:୧ ପଢ଼ନ୍ତୁ ।) ସେ ଆହୁରି କହନ୍ତି: “ମେଷଶାବକ [ଅର୍ଥାତ୍‌ ଯୀଶୁ] ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି । ସେମାନେ . . . ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି ।” (ପ୍ରକାଶିତ ବାକ୍ୟ ୧୪:୪) ଏହି ୧,୪୪,୦୦୦ ଜଣ ବ୍ୟକ୍ତି ବିଶ୍ୱସ୍ତ ଖ୍ରୀଷ୍ଟିୟାନ ଅଟନ୍ତି, ଯେଉଁମାନଙ୍କୁ ଈଶ୍ୱର ଯୀଶୁଙ୍କ ସହିତ “ପୃଥିବୀ ଉପରେ ରାଜତ୍ୱ” କରିବା ପାଇଁ ବାଛିଛନ୍ତି । ଯେତେବେଳେ ସେମାନେ ମରିଯାʼନ୍ତି, ସେମାନଙ୍କୁ ସ୍ୱର୍ଗରେ ଜୀବନ ପାଇବା ପାଇଁ ପୁନରୁତ୍ଥାନ କରାଯାଏ । (ପ୍ରକାଶିତ ବାକ୍ୟ ୫:୧୦) ଯିହୋବା ଏହି ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ପ୍ରଥମ ଶତାବ୍ଦୀରୁ ବାଛି ଆସୁଛନ୍ତି ।

୧୦. ଯୀଶୁ ଏବଂ ୧,୪୪,୦୦୦ ଜଣ ମଣିଷଙ୍କୁ ରାଜା ଭାବରେ ବାଛି ଯିହୋବା କିପରି ଦେଖାଇଛନ୍ତି ଯେ ସେ ଆମକୁ ପ୍ରେମ କରନ୍ତି ?

୧୦ ଯୀଶୁ ଖ୍ରୀଷ୍ଟ ଏବଂ ୧,୪୪,୦୦୦ ଜଣ ମଣିଷଙ୍କୁ ରାଜା ଭାବରେ ବାଛି ଯିହୋବା ଦେଖାଇଛନ୍ତି ଯେ ସେ ଆମକୁ କେତେ ପ୍ରେମ କରନ୍ତି । ଯୀଶୁ ଜଣେ ଉତ୍ତମ ଶାସକ ହେବେ, କାରଣ ସେ ଆମକୁ ଭଲ ଭାବେ ବୁଝନ୍ତି । ସେ ଏହି ପୃଥିବୀରେ ବଞ୍ଚିଥିଲେ ତେଣୁ ସେ ଜାଣନ୍ତି ଯେ ମଣିଷ ଜୀବନ କିପରି ଅଟେ ଏବଂ ଜୀବନରେ ଦୁଃଖକଷ୍ଟ ଆସିଲେ, ମଣିଷକୁ କିପରି ଲାଗେ । ପାଉଲ କହିଥିଲେ ଯେ ଯୀଶୁ ଆମ ବିଷୟରେ ଚିନ୍ତା କରନ୍ତି, ସେ “ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି” ଦେଖାଇପାରନ୍ତି ଏବଂ ସେ ‘ଆମ୍ଭମାନଙ୍କ ପରି ସମ୍ପୂର୍ଣ୍ଣ ଭାବେ ପରୀକ୍ଷିତ ହୋଇଥିଲେ ।’ (ଏବ୍ରୀ ୪:୧୫; ୫:୮) ତାʼ ଛଡ଼ା, ୧,୪୪,୦୦୦ ଜଣ ଶାସକ ମଧ୍ୟ ଜାଣନ୍ତି ଯେ ମଣିଷ ଜୀବନ କିପରି ଅଟେ । ସେମାନେ ଆମ ଭଳି ଅସିଦ୍ଧତା ଓ ରୋଗ ସହିତ ସଂଘର୍ଷ କରିଛନ୍ତି । ତେଣୁ ଆମେ ନିଶ୍ଚିତ ହୋଇପାରିବା ଯେ ଯୀଶୁ ଏବଂ ୧,୪୪,୦୦୦ ଜଣ ଶାସକ କେବଳ ଆମେ କିପରି ଅନୁଭବ କରୁ ସେକଥା ବୁଝିବେ ନାହିଁ, ବରଂ ଆମକୁ କେଉଁ ପ୍ରକାର ସମସ୍ୟାଗୁଡ଼ିକର ସାମନା କରିବାକୁ ହୁଏ, ତାହା ମଧ୍ୟ ବୁଝିବେ ।

ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

୧୧. ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ସ୍ୱର୍ଗରେ ପୂରଣ ହେଉ ବୋଲି ପ୍ରାର୍ଥନା କରିବାକୁ କାହିଁକି ଶିଖାଇଥିଲେ ?

୧୧ ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ସ୍ୱର୍ଗରେ ମଧ୍ୟ ପୂରଣ ହେଉ ବୋଲି ପ୍ରାର୍ଥନା କରିବାକୁ ଶିଖାଇଥିଲେ । କାହିଁକି ? ଆମେ ୩ ଅଧ୍ୟାୟରେ ଶିଖିଲୁ ଯେ ଶୟତାନ ଯିହୋବାଙ୍କ ବିରୁଦ୍ଧରେ ବିଦ୍ରୋହ କଲା । ସେ ଅନ୍ୟ ସ୍ୱର୍ଗଦୂତମାନଙ୍କୁ ମଧ୍ୟ ଏହି ବିଦ୍ରୋହରେ ସାମିଲ୍‌ କଲା ଏବଂ ସେମାନେ ମଧ୍ୟ ଦୁଷ୍ଟ ହୋଇଗଲେ । ଯିହୋବା ଶୟତାନକୁ ଓ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରେ କିଛି ସମୟ ପାଇଁ ରହିବାକୁ ଅନୁମତି ଦେଲେ । ଏଥିରୁ ଜଣାପଡ଼େ ଯେ ଏପରି ଏକ ସମୟ ଥିଲା, ଯେତେବେଳେ ସ୍ୱର୍ଗରେ ଥିବା ସମସ୍ତେ ଈଶ୍ୱରଙ୍କ ଇଚ୍ଛା ପୂରଣ କରୁ ନ ଥିଲେ । ଆମେ ୧୦ ଅଧ୍ୟାୟରେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିଷୟରେ ଅଧିକ ଶିଖିବା ।

୧୨. ପ୍ରକାଶିତ ବାକ୍ୟ ୧୨:୧୦ ପଦରେ କେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଲେଖାଯାଇଛି ?

୧୨ ବାଇବଲ ସ୍ପଷ୍ଟ ଭାବେ କହେ ଯେ ଯୀଶୁଙ୍କୁ ଈଶ୍ୱରଙ୍କ ରାଜ୍ୟର ରାଜା କରାଯିବା ପରେ ସେ ତୁରନ୍ତ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବାହାରି ଥାʼନ୍ତେ । (ପ୍ରକାଶିତ ବାକ୍ୟ ୧୨:୭-୧୦ ପଢ଼ନ୍ତୁ ।) ପ୍ରକାଶିତ ବାକ୍ୟ ୧୨:୧୦ ପଦରେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ଲେଖାଯାଇଛି । ପ୍ରଥମ, ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ରାଜା ଭାବରେ ଶାସନ କରିବା ଆରମ୍ଭ କରନ୍ତି । ଦ୍ୱିତୀୟ, ଶୟତାନକୁ ସ୍ୱର୍ଗରୁ ବାହାର କରି ପୃଥିବୀକୁ ଫିଙ୍ଗି ଦିଆଯାଏ । ଆମେ ଆଗକୁ ଶିଖିବା ଯେ ଏହି ଉଭୟ ଘଟଣା ପୂର୍ବରୁ ଘଟି ସାରିଛି ।

୧୩. ଶୟତାନକୁ ସ୍ୱର୍ଗରୁ ଫିଙ୍ଗି ଦିଆଯିବା ପରେ ସେଠାରେ କʼଣ ହେଲା ?

୧୩ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ଫିଙ୍ଗି ଦିଆଯିବା ପରେ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା । ବାଇବଲ କହେ: ‘ହେ ସ୍ୱର୍ଗ ଓ ସେଥିର ନିବାସୀମାନେ, ଆନନ୍ଦ କର !’ (ପ୍ରକାଶିତ ବାକ୍ୟ ୧୨:୧୨) ବର୍ତ୍ତମାନ, ସ୍ୱର୍ଗରେ ସମ୍ପୂର୍ଣ୍ଣ ଶାନ୍ତି ଓ ଏକତା ଅଛି, କାରଣ ସେଠାରେ ସମସ୍ତେ ଈଶ୍ୱରଙ୍କ ଇଚ୍ଛା ପୂରଣ କରୁଛନ୍ତି ।

ଶୟତାନ ଓ ଦୁଷ୍ଟ ଦୂତମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଆଯିବା ପରଠାରୁ ପୃଥିବୀରେ ଦୁଃଖକଷ୍ଟ ଆହୁରି ବଢ଼ିଯାଇଛି । କିନ୍ତୁ ଖୁବ୍‌ ଶୀଘ୍ର ସମସ୍ତ ଦୁଃଖକଷ୍ଟ ସମାପ୍ତ ହେବ

୧୪. ଶୟତାନକୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଆଯିବା ପରେ ପୃଥିବୀରେ କʼଣ ହୋଇଛି ?

୧୪ କିନ୍ତୁ ପୃଥିବୀରେ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ମଣିଷଜାତିର ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇଛି, ‘କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ଓହ୍ଲାଇ ଆସିଅଛି ।’ (ପ୍ରକାଶିତ ବାକ୍ୟ ୧୨:୧୨) ଶୟତାନ କ୍ରୋଧରେ ଅତି ହିଂସ୍ର ପାଲଟିଛି । ତାକୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଆଯାଇଛି ଏବଂ ସେ ଜାଣେ ଯେ ଖୁବ୍‌ ଶୀଘ୍ର ତାକୁ ବିନାଶ କରିଦିଆଯିବ । ତେଣୁ ସେ ସାରା ପୃଥିବୀରେ ସମସ୍ୟା, ଦୁଃଖକଷ୍ଟ ଓ ଯନ୍ତ୍ରଣା ବଢ଼ାଇବା ପାଇଁ ଯାହାକିଛି କରିପାରିବ, ସେ କରିଚାଲିଛି ।

୧୫. ପୃଥିବୀ ପାଇଁ ଈଶ୍ୱରଙ୍କ ଇଚ୍ଛା କʼଣ ଅଟେ ?

୧୫ କିନ୍ତୁ ପୃଥିବୀ ପାଇଁ ଯିହୋବାଙ୍କ ଇଚ୍ଛା ବଦଳି ଯାଇ ନାହିଁ । ସେ ଏବେ ମଧ୍ୟ ଚାହାନ୍ତି ଯେ ଏହି ପୃଥିବୀ ପାରଦୀଶରେ ପରିଣତ ହେଉ ଏବଂ ଏଠାରେ ସିଦ୍ଧ ମଣିଷମାନେ ଚିରକାଳ ପାଇଁ ଜୀବିତ ରହନ୍ତୁ । (ଗୀତସଂହିତା ୩୭:୨୯) ତେବେ ଈଶ୍ୱରଙ୍କ ରାଜ୍ୟ ଈଶ୍ୱରଙ୍କ ଏହି ଉଦ୍ଦେଶ୍ୟକୁ କିପରି ପୂରଣ କରିବ ?

୧୬, ୧୭. ଦାନିୟେଲ ୨:୪୪ ପଦ ଆମକୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କʼଣ ଶିଖାଏ ?

୧୬ ଦାନିୟେଲ ୨:୪୪ ପଦରେ ଥିବା ଭବିଷ୍ୟତବାଣୀ କହେ: “ସେହି ରାଜଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ ।” ଏହି ଭବିଷ୍ୟତବାଣୀ ଆମକୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କʼଣ ଶିଖାଏ ?

୧୭ ପ୍ରଥମତଃ, ଏହା ଆମକୁ କହେ ଯେ ଈଶ୍ୱରଙ୍କ ରାଜ୍ୟ “ସେହି ରାଜଗଣର ସମୟରେ” ଶାସନ କରିବା ଆରମ୍ଭ କରିବ । ଏହାର ଅର୍ଥ ହେଉଛି, ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କରିବ, ସେତେବେଳେ ପୃଥିବୀରେ ଅନ୍ୟ ସରକାରଗୁଡ଼ିକ ମଧ୍ୟ ଶାସନ କରୁଥିବେ । ଦ୍ୱିତୀୟତଃ, ଈଶ୍ୱରଙ୍କ ରାଜ୍ୟ ଚିରକାଳ ପାଇଁ ରହିବ ଏବଂ ଏହାର ସ୍ଥାନ ଅନ୍ୟ କୌଣସି ସରକାର ନେବ ନାହିଁ । ତୃତୀୟତଃ, ଏକ ଯୁଦ୍ଧ ହେବ, ଯେଉଁଥିରେ ଗୋଟିଏ ପକ୍ଷରେ ଈଶ୍ୱରଙ୍କ ରାଜ୍ୟ ଏବଂ ଅନ୍ୟ ପକ୍ଷରେ ପୃଥିବୀର ସରକାରଗୁଡ଼ିକ ରହିବେ । ଏହି ଯୁଦ୍ଧରେ ଈଶ୍ୱରଙ୍କ ରାଜ୍ୟ ଜୟଲାଭ କରିବ ଏବଂ ଏହା ଏକମାତ୍ର ସରକାର ଭାବେ ସମଗ୍ର ପୃଥିବୀ ଉପରେ ଶାସନ କରିବ । ତାʼପରେ ମାନବଜାତି ଦେଖିପାରିବ ଯେ ଈଶ୍ୱରଙ୍କ ରାଜ୍ୟ ହିଁ ସବୁଠାରୁ ଉତ୍ତମ ସରକାର ଅଟେ ।

୧୮. ଜଗତର ସରକାରଗୁଡ଼ିକ ଏବଂ ଈଶ୍ୱରଙ୍କ ରାଜ୍ୟ ମଧ୍ୟରେ ହେବାକୁ ଥିବା ଅନ୍ତିମ ଯୁଦ୍ଧର ନାମ କʼଣ ?

୧୮ ଈଶ୍ୱରଙ୍କ ରାଜ୍ୟ ପୃଥିବୀର ଶାସନଭାର କିପରି ନିଜ ହାତକୁ ନେବ ? ଅନ୍ତିମ ଯୁଦ୍ଧ, ଅର୍ଥାତ୍‌ ହର୍ମିଗିଦ୍ଦୋନ୍‌ ପୂର୍ବରୁ ଦୁଷ୍ଟ ସ୍ୱର୍ଗଦୂତମାନେ “ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ” ସେମାନଙ୍କୁ ପଥଭ୍ରଷ୍ଟ କରିବେ । ହଁ, ମାନବୀୟ ସରକାରଗୁଡ଼ିକ ଈଶ୍ୱରଙ୍କ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବ, କିନ୍ତୁ ସେସବୁ ହାରିଯିବ ।— ପ୍ରକାଶିତ ବାକ୍ୟ ୧୬:୧୪, ୧୬; ଅଧିକ ବିବରଣୀ-୧୦ ଦେଖନ୍ତୁ ।

୧୯, ୨୦. ଆମକୁ ଈଶ୍ୱରଙ୍କ ରାଜ୍ୟ କାହିଁକି ଆବଶ୍ୟକ ଅଟେ ?

୧୯ ଆମକୁ ଈଶ୍ୱରଙ୍କ ରାଜ୍ୟ କାହିଁକି ଆବଶ୍ୟକ ଅଟେ ? ଏହାର ଅତି କମ୍‌ରେ ତିନୋଟି କାରଣ ରହିଛି । ପ୍ରଥମତଃ, ଆମେ ପାପୀ ଅଟୁ, ତେଣୁ ଆମେ ରୋଗରେ ପୀଡ଼ିତ ହେଉ ଏବଂ ମରିଯାଉ । କିନ୍ତୁ ବାଇବଲ କହେ ଯେ ଈଶ୍ୱରଙ୍କ ରାଜ୍ୟରେ ଆମେ ଚିରଦିନ ପାଇଁ ଜୀବିତ ରହିବା । ଏବିଷୟରେ ଯୋହନ ୩:୧୬ ପଦ କହେ: ‘ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।’

୨୦ ଦ୍ୱିତୀୟତଃ, ଆଜି ଆମ ଚାରିପଟେ ଦୁଷ୍ଟ ଲୋକମାନେ ଘେରି ରହିଛନ୍ତି । ଅନେକ ଲୋକ ମିଛ କହନ୍ତି, ବିଶ୍ୱାସଘାତ କରନ୍ତି ଏବଂ ଅନୈତିକ କାମ କରନ୍ତି । ଆମେ ସେମାନଙ୍କୁ ହଟାଇବା ପାଇଁ କିଛି କରିପାରିବା ନାହିଁ, କିନ୍ତୁ ଈଶ୍ୱର କରିବେ । ସେ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଏପରି ସମସ୍ତଙ୍କୁ ବିନାଶ କରିଦେବେ, ଯେଉଁମାନେ ଦୁଷ୍ଟତାର କାମ କରି ଚାଲିଥାʼନ୍ତି । (ଗୀତସଂହିତା ୩୭:୧୦ ପଢ଼ନ୍ତୁ ।) ତୃତୀୟତଃ, ମାନବୀୟ ସରକାରଗୁଡ଼ିକ ଦିନକୁ ଦିନ ଦୁର୍ବଳ, ନିଷ୍ଠୁର ବା ଦୁର୍ନୀତିଗ୍ରସ୍ତ ହୋଇ ଚାଲିଛି । ଲୋକମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ପାଇଁ ସାହାଯ୍ୟ କରିବାରେ ସେମାନଙ୍କ କୌଣସି ଆଗ୍ରହ ନାହିଁ । ବାଇବଲ କହେ ଯେ “ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ ।”— ଉପଦେଶକ ୮:୯.

୨୧. ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଈଶ୍ୱରଙ୍କ ଉଦ୍ଦେଶ୍ୟ କିପରି ପୂରଣ କରିବ ?

୨୧ ହର୍ମିଗିଦ୍ଦୋନ୍‌ ପରେ, ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କରିବ । ଉଦାହରଣସ୍ୱରୂପ, ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ହଟାଇ ଦିଆଯିବ । (ପ୍ରକାଶିତ ବାକ୍ୟ ୨୦:୧-୩) ସମୟକ୍ରମେ, ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ପାଇବେ । କେହି ମଧ୍ୟ ରୋଗରେ ପୀଡ଼ିତ ହେବେ ନାହିଁ କିମ୍ବା ମରିବେ ନାହିଁ । ମୁକ୍ତିର ମୂଲ୍ୟ ଯୋଗୁଁ ସମସ୍ତ ବିଶ୍ୱସ୍ତ ଲୋକମାନେ ପାରଦୀଶରେ ଚିରଦିନ ପାଇଁ ଜୀବିତ ରହିବେ । (ପ୍ରକାଶିତ ବାକ୍ୟ ୨୨:୧-୩) ଈଶ୍ୱରଙ୍କ ରାଜ୍ୟ ଯିହୋବାଙ୍କ ନାମକୁ ପବିତ୍ର କରିବ । ଏହାର ଅର୍ଥ କʼଣ ? ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ପୃଥିବୀ ଉପରେ ଶାସନ କରିବ, ସେତେବେଳେ ସମଗ୍ର ମାନବଜାତି ଯିହୋବାଙ୍କ ନାମର ମହିମା କରିବ ।— ଅଧିକ ବିବରଣୀ-୨୧ ଦେଖନ୍ତୁ ।

ଯୀଶୁ ଖ୍ରୀଷ୍ଟ କେବେ ରାଜା ହେଲେ ?

୨୨. ଆମେ କିପରି ଜାଣୁ ଯେ ଯୀଶୁ ପୃଥିବୀରେ ଥିବା ବେଳେ କିମ୍ବା ତାହାଙ୍କୁ ପୁନରୁତ୍ଥାନ କରାଯିବାର ତୁରନ୍ତ ପରେ ସେ ରାଜା ହୋଇ ନ ଥିଲେ ?

୨୨ ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ପାଇଁ ଶିଖାଇଥିଲେ: “ତୁମ୍ଭର ରାଜ୍ୟ ଆସୁ ।” ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ଭବିଷ୍ୟତରେ ଆସିଥାʼନ୍ତା । ଯିହୋବା ପ୍ରଥମେ ନିଜ ରାଜ୍ୟ ସ୍ଥାପନ କରିଥାʼନ୍ତେ ଏବଂ ଯୀଶୁଙ୍କୁ ଏହାର ରାଜା ନିଯୁକ୍ତ କରିଥାʼନ୍ତେ । ଯୀଶୁ ସ୍ୱର୍ଗକୁ ଫେରିବା ପରେ କʼଣ ତୁରନ୍ତ ତାହାଙ୍କୁ ରାଜା କରାଗଲା ? ନା । ତାହାଙ୍କୁ ଅପେକ୍ଷା କରିବାକୁ ପଡ଼ିଥାʼନ୍ତା । ଯୀଶୁଙ୍କ ପୁନରୁତ୍ଥାନର କିଛି ସମୟ ପରେ, ଉଭୟ ପିତର ଓ ପାଉଲ ସ୍ପଷ୍ଟ କଲେ ଯେ ଗୀତସଂହିତା ୧୧୦:୧ ପଦରେ ଥିବା ଭବିଷ୍ୟତବାଣୀ ଯୀଶୁଙ୍କ ବିଷୟରେ ଥିଲା । ଏହି ଭବିଷ୍ୟତବାଣୀରେ ଯିହୋବା କହନ୍ତି: ‘ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣ ପାର୍ଶ୍ୱରେ ବସ ।’ (ପ୍ରେରିତ ୨:୩୨-୩୫; ଏବ୍ରୀ ୧୦:୧୨, ୧୩) ଯୀଶୁଙ୍କୁ ରାଜା ହେବା ପାଇଁ କେବେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାʼନ୍ତା ?

ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କରିବ

୨୩. (କ) ଯୀଶୁ କେବେ ଈଶ୍ୱରଙ୍କ ରାଜ୍ୟର ରାଜା ଭାବରେ ଶାସନ କରିବା ଆରମ୍ଭ କଲେ ? (ଖ) ପରବର୍ତ୍ତୀ ଅଧ୍ୟାୟରେ ଆମେ କʼଣ ଶିଖିବା ?

୨୩ ଯୀଶୁ ଖ୍ରୀଷ୍ଟ ଯେ ୧୯୧୪ ମସିହାରେ ସ୍ୱର୍ଗ ରାଜ୍ୟର ରାଜା ହେବେ, ଏହାର ଅନେକ ବର୍ଷ ପୂର୍ବେ ସଚ୍ଚୋଟ ଖ୍ରୀଷ୍ଟିୟାନମାନଙ୍କର ଏକ ସମୂହ ସଠିକ୍‌ ଭାବେ ବୁଝିପାରିଥିଲେ । ସେମାନେ ବୁଝିପାରିଥିଲେ ଯେ ଏହି ବର୍ଷ ବାଇବଲର ଅନେକ ଭବିଷ୍ୟତବାଣୀ ପୂରଣ ହେବ । ୧୯୧୪ ମସିହାଠାରୁ ଜଗତରେ ଘଟି ଆସୁଥିବା ଘଟଣାଗୁଡ଼ିକରୁ ଏହା ପ୍ରମାଣିତ ହୋଇଛି ଯେ ସେମାନେ ସମ୍ପୂର୍ଣ୍ଣ ଠିକ୍‌ କହୁଥିଲେ । ଏହି ବର୍ଷ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ରାଜା ଭାବରେ ଶାସନ କରିବା ଆରମ୍ଭ କଲେ । (ଗୀତସଂହିତା ୧୧୦:୨) ଏହାର ତୁରନ୍ତ ପରେ, ଶୟତାନକୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଆଗଲା ଏବଂ ବର୍ତ୍ତମାନ ‘ଶୟତାନ ପାଖରେ ଅତି ଅଳ୍ପ ସମୟ ରହିଛି ।’ (ପ୍ରକାଶିତ ବାକ୍ୟ ୧୨:୧୨) ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହାର ଆହୁରି ଅଧିକ ପ୍ରମାଣ ଦେଖିବା ଯେ କିପରି ଆମେ ଠିକ୍‌ ସେହି ‘ଅଳ୍ପ ସମୟରେ’ ବଞ୍ଚୁଅଛୁ । ଆମେ ଏହା ମଧ୍ୟ ଶିଖିବା ଯେ ଈଶ୍ୱରଙ୍କ ରାଜ୍ୟ କିପରି ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ଇଚ୍ଛା ପୃଥିବୀରେ ପୂରଣ କରିବା ପାଇଁ ପଦକ୍ଷେପ ନେବ ।— ଅଧିକ ବିବରଣୀ-୨୨ ଦେଖନ୍ତୁ ।