इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଚଉଦ ଅଧ୍ୟାୟ

ଆପଣଙ୍କ ପରିବାର ସୁଖୀ ହୋଇପାରିବ

ଆପଣଙ୍କ ପରିବାର ସୁଖୀ ହୋଇପାରିବ

୧, ୨. ଯିହୋବା ପରିବାରଗୁଡ଼ିକ ପାଇଁ କʼଣ ଚାହାନ୍ତି ?

 ଯିହୋବା ଈଶ୍ୱର ବିବାହ ବନ୍ଧନର ଆରମ୍ଭ କରିଥିଲେ । ବାଇବଲ କହେ ଯେ ଈଶ୍ୱର ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ ଏବଂ ତାକୁ ‘ଆଦମ ନିକଟକୁ ଆଣିଲେ ।’ ସେହି ସ୍ତ୍ରୀକୁ ଦେଖି ଆଦମ ଏତେ ଖୁସି ହେଲା ଯେ ସେ କହିଲା: “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ ।” (ଆଦି ପୁସ୍ତକ ୨:୨୨, ୨୩) ଏହା ଦେଖାଏ ଯେ ବିବାହିତ ଦମ୍ପତିମାନେ ଖୁସିରେ ରହନ୍ତୁ ବୋଲି ଯିହୋବା ଚାହାନ୍ତି ।

କେତେ ଦୁଃଖର କଥା ଯେ ଆଜି ଅନେକ ପରିବାରଗୁଡ଼ିକରେ ଆଦୌ ଖୁସି ନାହିଁ ! କିନ୍ତୁ ବାଇବଲରେ ଏପରି ଅନେକ ସିଦ୍ଧାନ୍ତ ରହିଛି, ଯାହା ପରିବାରଗୁଡ଼ିକୁ ସାହାଯ୍ୟ କରିପାରିବ । ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଏହି ସିଦ୍ଧାନ୍ତଗୁଡ଼ିକୁ ଜୀବନରେ ଲାଗୁ କରନ୍ତି, ତେବେ ଘର ଖୁସି ଓ ଆନନ୍ଦରେ ଭରିଯିବ ଏବଂ ପରିବାରରେ ଏକତା ରହିବ ।— ଲୂକ ୧୧:୨୮.

ଈଶ୍ୱର ପତିମାନଙ୍କଠାରୁ କʼଣ ଚାହାନ୍ତି

୩, ୪. (କ) ଜଣେ ପତି ନିଜ ପତ୍ନୀଙ୍କ ସହ କିପରି ବ୍ୟବହାର କରିବା ଉଚିତ୍‌ ? (ଖ) ପତି-ପତ୍ନୀ ପରସ୍ପରକୁ କ୍ଷମା କରିବା କାହିଁକି ଜରୁରୀ ଅଟେ ?

ବାଇବଲ କହେ ଯେ ଜଣେ ପତି ନିଜ ପତ୍ନୀଙ୍କୁ ପ୍ରେମ କରିବା ଉଚିତ୍‌ ଏବଂ ତାଙ୍କୁ ଆଦର କରିବା ଉଚିତ୍‌ । ଏଫିସୀୟ ୫:୨୫-୨୯ ପଢ଼ନ୍ତୁ । ଜଣେ ଭଲ ପତି ସବୁବେଳେ ନିଜ ପତ୍ନୀଙ୍କ ସହ ପ୍ରେମର ସହିତ ବ୍ୟବହାର କରିବେ । ସେ ତାଙ୍କୁ ସୁରକ୍ଷା ଦେବେ ଏବଂ ତାଙ୍କ ଯତ୍ନ ନେବେ । ସେ ଏପରି କିଛି କରିବେ ନାହିଁ, ଯାହାଦ୍ୱାରା ପତ୍ନୀଙ୍କୁ କୌଣସି କ୍ଷତି ପହଞ୍ଚିପାରେ ।

କିନ୍ତୁ ଯେତେବେଳେ ପତ୍ନୀ କୌଣସି ଭୁଲ୍‌ କରନ୍ତି, ସେତେବେଳେ ପତି କʼଣ କରିବା ଉଚିତ୍‌ ? ପତିମାନଙ୍କୁ କୁହାଯାଇଛି, “ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ ।” (କଲସୀୟ ୩:୧୯) ପତିମାନେ, ମନେ ରଖନ୍ତୁ ଯେ ଭୁଲ୍‌ ଆପଣଙ୍କ ଦ୍ୱାରା ମଧ୍ୟ ହୋଇଥାଏ । ତେଣୁ ଯଦି ଆପଣ ଚାହାନ୍ତି ଯେ ଈଶ୍ୱର ଆପଣଙ୍କ ଭୁଲ୍‌ଗୁଡ଼ିକୁ କ୍ଷମା କରନ୍ତୁ, ତେବେ ଆପଣଙ୍କୁ ନିଜ ପତ୍ନୀଙ୍କ ଭୁଲ୍‌ଗୁଡ଼ିକୁ କ୍ଷମା କରିବାକୁ ହେବ । (ମାଥିଉ ୬:୧୨, ୧୪, ୧୫) ଯେତେବେଳେ ପତି-ପତ୍ନୀ ପରସ୍ପରକୁ ହୃଦୟର ସହିତ କ୍ଷମା କରନ୍ତି, ସେତେବେଳେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୫. ଜଣେ ପତି ନିଜ ପତ୍ନୀଙ୍କୁ କାହିଁକି ଆଦର କରିବା ଉଚିତ୍‌ ?

ଯିହୋବା ପତିଙ୍କଠାରୁ ଚାହାନ୍ତି ଯେ ସେ ନିଜ ପତ୍ନୀଙ୍କୁ ଆଦର କରନ୍ତୁ । ପତି ନିଜ ପତ୍ନୀଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତାଗୁଡ଼ିକ ପ୍ରତି ପୂରା ଧ୍ୟାନ ଦେବା ଉଚିତ୍‌ । ଏହା ଏକ ବହୁତ ଗମ୍ଭୀର ବିଷୟ ଅଟେ । କାରଣ ଯଦି ଜଣେ ପତି ନିଜ ପତ୍ନୀଙ୍କ ସହିତ ଭଲ ବ୍ୟବହାର କରନ୍ତି ନାହିଁ, ତେବେ ଯିହୋବା ହୁଏତ ପତିଙ୍କ ପ୍ରାର୍ଥନା ଶୁଣବେ ନାହିଁ । (୧ ପିତର ୩:୭) ଯିହୋବା ଏପରି ସମସ୍ତଙ୍କୁ ବହୁମୂଲ୍ୟ ମନେ କରନ୍ତି, ଯେଉଁମାନେ ତାହାଙ୍କୁ ପ୍ରେମ କରିଥାʼନ୍ତି । ସେ ଯେ ସ୍ତ୍ରୀମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ପ୍ରେମ କରନ୍ତି, ତାʼ ନୁହଁ । ତାହାଙ୍କ ଦୃଷ୍ଟିରେ ଉଭୟ ସମାନ ଅଟନ୍ତି ।

୬. ପତି-ପତ୍ନୀ ଦୁହେଁ “ଏକାଙ୍ଗ” ଅଟନ୍ତି, ଏହାର ଅର୍ଥ କʼଣ ?

ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ପତି-ପତ୍ନୀ “ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି ।” (ମାଥିଉ ୧୯:୬) ଏହାର ଅର୍ଥ ହେଉଛି, ସେମାନେ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌ ଏବଂ କେବେ ମଧ୍ୟ ବିଶ୍ୱାସଘାତ କରିବା ଉଚିତ୍‌ ନୁହଁ । (ହିତୋପଦେଶ ୫:୧୫-୨୧; ଏବ୍ରୀ ୧୩:୪) ପତି-ପତ୍ନୀ କେବଳ ନିଜ ବିଷୟରେ ଚିନ୍ତା କରିବା ଉଚିତ୍‌ ନୁହଁ, ବରଂ ସେମାନେ ପରସ୍ପରଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍‌ । ସେମାନେ ପରସ୍ପରଙ୍କ ଯୌନ ଆବଶ୍ୟକତା ପୂରଣ କରିବା ଉଚିତ୍‌ । (୧ କରିନ୍ଥୀୟ ୭:୩-୫) ଜଣେ ପତି ମନେ ରଖିବା ଉଚିତ୍‌ ଯେ ‘କେହି ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ ।’ ତେଣୁ ପତି ନିଜ ପତ୍ନୀଙ୍କୁ ପ୍ରେମ କରିବା ଉଚିତ୍‌ ଏବଂ ତାଙ୍କୁ ବହୁମୂଲ୍ୟ ମନେ କରିବା ଉଚିତ୍‌ । ଜଣେ ପତ୍ନୀ ସବୁବେଳେ ଏହା ହିଁ ଚାହାନ୍ତି ଯେ ତାଙ୍କ ପତି ତାଙ୍କୁ ପ୍ରେମ କରନ୍ତୁ ଏବଂ ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ ।— ଏଫିସୀୟ ୫:୨୯.

ଈଶ୍ୱର ପତ୍ନୀମାନଙ୍କଠାରୁ କʼଣ ଚାହାନ୍ତି

୭. ପରିବାରରେ ଜଣେ ମୁଖିଆ ରହିବା କାହିଁକି ଜରୁରୀ ଅଟେ ?

ପ୍ରତ୍ୟେକ ପରିବାରରେ ଜଣେ ମୁଖିଆ ରହିବା ଜରୁରୀ ଅଟେ, ଯାହାଙ୍କର ନିର୍ଦ୍ଦେଶରେ ସମସ୍ତେ ମିଶି କାମ କରିପାରିବେ । ବାଇବଲ ୧ କରିନ୍ଥୀୟ ୧୧:୩ ପଦରେ କହେ: ‘ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ପୁରୁଷ ସ୍ତ୍ରୀର ମସ୍ତକ ସ୍ୱରୂପ ଏବଂ ଈଶ୍ୱର ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ ।’ ଏହା ଦେଖାଏ ଯେ ପତି ପରିବାରର ମୁଖିଆ ଅଟନ୍ତି ।

୮. ଜଣେ ପତ୍ନୀ ନିଜ ପତିଙ୍କୁ କିପରି ସମ୍ମାନ କରିପାରିବେ ?

ପ୍ରତ୍ୟେକ ପତିଙ୍କ ଦ୍ୱାରା କିଛି ନା କିଛି ଭୁଲ୍‌ ହୋଇଥାଏ । କିନ୍ତୁ ଯେତେବେଳେ ପତ୍ନୀ ନିଜ ଇଚ୍ଛାରେ ପତିଙ୍କ ନିଷ୍ପତ୍ତିକୁ ସମର୍ଥନ କରନ୍ତି ଏବଂ ତାଙ୍କୁ ସହଯୋଗ କରନ୍ତି, ଏହାଦ୍ୱାରା ସମ୍ପୂର୍ଣ୍ଣ ପରିବାରର ଲାଭ ହୋଇଥାଏ । (୧ ପିତର ୩:୧-୬) ବାଇବଲ କହେ: “ପ୍ରତ୍ୟେକ ପତ୍ନୀ ନିଜର ପତିକୁ ସମ୍ମାନ କରିବା ଉଚିତ୍‌ ।” (ଏଫିସୀୟ ୫:୩୩, ଇଜି-ଟୁ-ରିଡ୍‌ ଭର୍ସନ) କିନ୍ତୁ ଯଦି ପତିଙ୍କ ଧାର୍ମିକ ବିଶ୍ୱାସ ପତ୍ନୀଙ୍କଠାରୁ ଅଲଗା ହୋଇଥାଏ, ତେବେ ପତ୍ନୀ କʼଣ କରିବା ଉଚିତ୍‌ ? ତଥାପି ସେ ପତିଙ୍କୁ ସମ୍ମାନ କରିବା ଉଚିତ୍‌ । ବାଇବଲ କହେ, ‘ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ [“ଗଭୀର ସମ୍ମାନର ସହିତ,” NW] ସଦାଚରଣ ଦେଖି ବିନା କୌଣସି କଥାରେ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ ।’ (୧ ପିତର ୩:୧, ୨) ପତ୍ନୀଙ୍କ ଭଲ ଉଦାହରଣ ଦେଖି ହୁଏତ ପତି ନିଜ ପତ୍ନୀଙ୍କ ବିଶ୍ୱାସକୁ ବୁଝିବେ ଏବଂ ଏହାର ଆଦର କରିବେ ।

୯. (କ) ଯଦି ଜଣେ ପତ୍ନୀ କୌଣସି କଥାରେ ନିଜ ପତିଙ୍କ ସହିତ ଏକମତ ହୁଅନ୍ତି ନାହିଁ, ତେବେ ସେ କʼଣ କରିବା ଉଚିତ୍‌ ? (ଖ) ତୀତସ ୨:୪, ୫ ପଦରେ ପତ୍ନୀମାନଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ?

ଯଦି ଜଣେ ପତ୍ନୀ କୌଣସି କଥାରେ ନିଜ ପତିଙ୍କ ସହିତ ଏକମତ ହୁଅନ୍ତି ନାହିଁ, ତେବେ ସେ କʼଣ କରିବା ଉଚିତ୍‌ ? ସେ ସମ୍ମାନର ସହିତ ପତିଙ୍କୁ ନିଜ ମତ ଜଣାଇବା ଉଚିତ୍‌ । ଉଦାହରଣସ୍ୱରୂପ, ଥରେ ଅବ୍ରହାମଙ୍କ ପତ୍ନୀ ସାରା କୌଣସି ଏକ ବିଷୟରେ ଅବ୍ରହାମଙ୍କୁ ନିଜ ମତ ଜଣାଇଲେ । କିନ୍ତୁ ଅବ୍ରହାମ ତାଙ୍କ କଥାକୁ ପସନ୍ଦ କଲେ ନାହିଁ । ସେସମୟରେ ଯିହୋବା ଅବ୍ରହାମଙ୍କୁ କହିଲେ: ‘ସାରାର କଥାରେ ମନୋଯୋଗ କର ।’ (ଆଦି ପୁସ୍ତକ ୨୧:୯-୧୨) ଯଦି ଜଣେ ପତି ଏପରି କୌଣସି ନିଷ୍ପତ୍ତି ନିଅନ୍ତି, ଯାହା ବାଇବଲର ବିରୁଦ୍ଧରେ ହୋଇ ନ ଥାଏ, ତେବେ ତାଙ୍କ ପତ୍ନୀ ଏଥିରେ ତାଙ୍କୁ ସହଯୋଗ କରିବା ଉଚିତ୍‌ । (ପ୍ରେରିତ ୫:୨୯; ଏଫିସୀୟ ୫:୨୪) ଜଣେ ଭଲ ପତ୍ନୀ ନିଜ ପରିବାରର ଯତ୍ନ ନେବା ଉଚିତ୍‌ । (ତୀତସ ୨:୪, ୫ ପଢ଼ନ୍ତୁ ।) ଯେତେବେଳେ ତାଙ୍କ ପତି ଓ ପିଲାମାନେ ଦେଖିବେ ଯେ ସେମାନଙ୍କ ପାଇଁ ସେ କେତେ ପରିଶ୍ରମ କରନ୍ତି, ସେମାନେ ତାଙ୍କୁ ଆହୁରି ବେଶି ପ୍ରେମ କରିବେ ଏବଂ ତାଙ୍କର ଆଦର କରିବେ ।— ହିତୋପଦେଶ ୩୧:୧୦, ୨୮.

ପତ୍ନୀମାନଙ୍କ ପାଇଁ ସାରା କିପରି ଏକ ଭଲ ଉଦାହରଣ ଅଟନ୍ତି ?

୧୦. ବାଇବଲ ଅଲଗା ହେବା ଏବଂ ଛାଡ଼ପତ୍ର ଦେବା ବିଷୟରେ କʼଣ କହେ ?

୧୦ ବେଳେ ବେଳେ ଆମେ ଦେଖୁ ଯେ ପତି-ପତ୍ନୀ ହଠାତ୍‌ ଅଲଗା ହେବା କିମ୍ବା ଛାଡ଼ପତ୍ର ଦେବା ପାଇଁ ନିଷ୍ପତ୍ତି ନିଅନ୍ତି । କିନ୍ତୁ ବାଇବଲ କହେ, ‘ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ଭିନ୍ନ ନ ହେଉ’ ଏବଂ ‘ସ୍ୱାମୀ ମଧ୍ୟ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ ।’ (୧ କରିନ୍ଥୀୟ ୭:୧୦, ୧୧) ତଥାପି ଯେତେବେଳେ ପରିସ୍ଥିତି ଅତି ବିଗିଡ଼ି ଯାଏ, ପତି-ପତ୍ନୀ ହୁଏତ ଅଲଗା ହୋଇପାରିବେ । କିନ୍ତୁ ସେମାନେ ମନେ ରଖିବା ଉଚିତ୍‌ ଯେ ଅଲଗା ହେବା ପାଇଁ ନିଷ୍ପତ୍ତି ନେବା ଏକ ଗମ୍ଭୀର ନିଷ୍ପତ୍ତି ଅଟେ । ଛାଡ଼ପତ୍ର ବିଷୟରେ କʼଣ ? ବାଇବଲ କହେ ଯେ କେବଳ ଗୋଟିଏ କାରଣରୁ ହିଁ ଛାଡ଼ପତ୍ର ଦିଆଯାଇପାରିବ । ତାହା ହେଉଛି, ଯଦି ପତି-ପତ୍ନୀ ମଧ୍ୟରୁ କେହି ଜଣେ ନିଜ ଜୀବନସାଥୀଙ୍କ ବ୍ୟତୀତ ଅନ୍ୟ କାହାରି ସହିତ ବ୍ୟଭିଚାର କରନ୍ତି ବା ଯୌନ ସମ୍ପର୍କ ରଖନ୍ତି ।— ମାଥିଉ ୧୯:୯.

ଈଶ୍ୱର ପିତାମାତାଙ୍କଠାରୁ କʼଣ ଚାହାନ୍ତି

ଯୀଶୁ ଖ୍ରୀଷ୍ଟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏକ ଉତ୍ତମ ଉଦାହରଣ ଅଟନ୍ତି

୧୧. ପିଲାମାନଙ୍କୁ ସବୁଠାରୁ ଅଧିକ କାହାର ଆବଶ୍ୟକତା ରହିଛି ?

୧୧ ପିତାମାତାମାନେ, ନିଜ ପିଲାଙ୍କ ସହିତ ଯେତେ ବେଶି ସମୟ ବିତାଇବା ସମ୍ଭବ ଅଟେ, ସେମାନଙ୍କ ସହିତ ବିତାନ୍ତୁ । ଆପଣଙ୍କ ପିଲାମାନଙ୍କୁ ସବୁଠାରୁ ଅଧିକ ଆପଣଙ୍କର ଆବଶ୍ୟକତା ରହିଛି । ଆପଣ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ଉଚିତ୍‌ ।— ଦ୍ୱିତୀୟ ବିବରଣ ୬:୪-୯.

୧୨. ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପିତାମାତା କʼଣ କରିବା ଉଚିତ୍‌ ?

୧୨ ଶୟତାନର ଏହି ଜଗତରେ ଦିନକୁ ଦିନ ଦୁଷ୍ଟତା ଅଧିକରୁ ଅଧିକ ବଢ଼ି ଚାଲିଛି । କିଛି ଲୋକ ହୁଏତ ଆପଣଙ୍କ ପିଲାଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି । ଏପରିକି ସେମାନେ ପିଲାଙ୍କୁ ଯୌନ ଶୋଷଣର ଶିକାର ମଧ୍ୟ କରିପାରନ୍ତି । ଅନେକ ପିତାମାତା ଏବିଷୟରେ ନିଜ ପିଲାଙ୍କ ସହିତ କଥା ହେବା ପାଇଁ ସଂକୋଚ କରିଥାʼନ୍ତି । କିନ୍ତୁ ସେମାନେ ଏବିଷୟରେ ନିଜ ପିଲାଙ୍କ ସହିତ କଥା ହେବା ଉଚିତ୍‌ ଏବଂ ସେମାନଙ୍କୁ ଏଭଳି ଲୋକଙ୍କଠାରୁ ସତର୍କ କରାଇବା ଉଚିତ୍‌ । ପିତାମାତା ନିଜ ପିଲାଙ୍କୁ ଶିକ୍ଷା ଦେବା ଉଚିତ୍‌ ଯେ ସେମାନେ ଏଭଳି ଲୋକଙ୍କଠାରୁ କିପରି ଦୂରେଇ ରହିପାରିବେ । ପିତାମାତାମାନେ, ନିଜ ପିଲାମାନଙ୍କୁ ସୁରକ୍ଷା ଦିଅନ୍ତୁ । a୧ ପିତର ୫:୮.

୧୩. ପିତାମାତା ନିଜ ପିଲାମାନଙ୍କୁ କିପରି ଶିକ୍ଷା ଦେବା ଉଚିତ୍‌ ?

୧୩ ପିଲାମାନେ ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍‌, ଏବିଷୟରେ ସେମାନଙ୍କୁ ଶିକ୍ଷା ଦେବା ପିତାମାତାମାନଙ୍କର ଦାୟିତ୍ୱ ଅଟେ । ଆପଣ କିପରି ଏହା କରିପାରିବେ ? ଆପଣଙ୍କ ପିଲାଙ୍କୁ ତାଲିମ୍‌ ଦେବା ଅତି ଜରୁରୀ ଅଟେ । ଯେତେବେଳେ ଆପଣଙ୍କ ପିଲାମାନେ କୌଣସି ଭୁଲ୍‌ କରନ୍ତି, ସେମାନଙ୍କୁ ସୁଧାରନ୍ତୁ; କିନ୍ତୁ ଏହା ରାଗିଯାଇ କିମ୍ବା ନିଷ୍ଠୁରତାର ସହିତ କରନ୍ତୁ ନାହିଁ । (ଯିରିମୀୟ ୩୦:୧୧) ଆପଣ କେବେ ମଧ୍ୟ ଚାହିଁବେ ନାହିଁ ଯେ ଆପଣଙ୍କ କଥା ସେମାନଙ୍କୁ “ଖଡ଼୍‌ଗ ପରି ଆଘାତ” କରୁ । (ହିତୋପଦେଶ ୧୨:୧୮, ଇଜି-ଟୁ-ରିଡ୍‌ ଭର୍ସନ) ଆପଣଙ୍କ ପିଲାଙ୍କୁ ବୁଝାନ୍ତୁ ଯେ ସେମାନେ କାହିଁକି ଆପଣଙ୍କ କଥା ମାନିବା ଉଚିତ୍‌ ।— ଏଫିସୀୟ ୬:୪; ଏବ୍ରୀ ୧୨:୯-୧୧; ଅଧିକ ବିବରଣୀ-୩୦ ଦେଖନ୍ତୁ ।

ଈଶ୍ୱର ପିଲାମାନଙ୍କଠାରୁ କʼଣ ଚାହାନ୍ତି

୧୪, ୧୫. ପିଲାମାନେ ନିଜ ପିତାମାତାଙ୍କ କଥା କାହିଁକି ମାନିବା ଉଚିତ୍‌ ?

୧୪ ଯୀଶୁ ସର୍ବଦା ନିଜ ପିତା ଯିହୋବାଙ୍କ ଆଜ୍ଞା ପାଳନ କଲେ । ଏପରି ସମୟରେ ମଧ୍ୟ ଯେତେବେଳେ ଯିହୋବାଙ୍କ ଆଜ୍ଞା ପାଳନ କରିବା ତାହାଙ୍କ ପକ୍ଷରେ ଅତି କଷ୍ଟକର ଥିଲା । (ଲୂକ ୨୨:୪୨; ଯୋହନ ୮:୨୮, ୨୯) ଯିହୋବା ମଧ୍ୟ ଚାହାନ୍ତି ଯେ ପିଲାମାନେ ପିତାମାତାଙ୍କ ଆଜ୍ଞା ପାଳନ କରନ୍ତୁ ।— ଏଫିସୀୟ ୬:୧-୩.

୧୫ ପିଲାମାନେ, ଆପଣମାନଙ୍କୁ ନିଜ ପିତାମାତାଙ୍କ କଥା ମାନିବା ହୁଏତ କଠିନ ଲାଗିପାରେ । କିନ୍ତୁ ମନେ ରଖନ୍ତୁ, ଯଦି ଆପଣ ସେମାନଙ୍କ କଥା ମାନିବେ, ତେବେ ଯିହୋବା ଏବଂ ଆପଣଙ୍କ ପିତାମାତା ଏହା ଦେଖି ଖୁସି ହେବେ । bହିତୋପଦେଶ ୧:୮; ୬:୨୦; ୨୩:୨୨-୨୫.

ଯେତେବେଳେ ପିଲାମାନଙ୍କୁ କିଛି ଭୁଲ୍‌ କାମ କରିବା ପାଇଁ ପ୍ରଲୋଭନ ଦିଆଯାଏ, ଈଶ୍ୱରଙ୍କ ବିଶ୍ୱସ୍ତ ରହିବା ପାଇଁ ସେମାନଙ୍କୁ କʼଣ ସାହାଯ୍ୟ କରିବ ?

୧୬. (କ) ଶୟତାନ ପିଲାମାନଙ୍କୁ ଭୁଲ୍‌ କାମ କରିବା ପାଇଁ କିପରି ପ୍ରଲୋଭନ ଦେଖାଏ ? (ଖ) ପିଲାମାନଙ୍କ ପାଇଁ ଏପରି ଲୋକମାନଙ୍କ ସହିତ ମିତ୍ରତା କରିବା କାହିଁକି ଜରୁରୀ ଅଟେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ?

୧୬ ଶୟତାନ ଆପଣଙ୍କ ସାଙ୍ଗସାଥୀ କିମ୍ବା ଅନ୍ୟ ପିଲାମାନଙ୍କ ମାଧ୍ୟମରେ ଆପଣଙ୍କୁ ଭୁଲ୍‌ କାମ କରିବା ପାଇଁ ପ୍ରଲୋଭନ ଦେଖାଇପାରେ । ସେ ଭଲ ଭାବେ ଜାଣେ ଯେ ଏହି ଚାପକୁ ବିରୋଧ କରିବା ଆପଣଙ୍କ ପକ୍ଷରେ କଷ୍ଟକର ହୋଇପାରେ । ବାଇବଲରେ ଏହାର ଏକ ଉଦାହରଣ ରହିଛି । ତାହା ହେଉଛି, ଯାକୁବଙ୍କର କନ୍ୟା ଦୀଣାର । ଦୀଣା ଏପରି ଲୋକମାନଙ୍କ ସହିତ ସଙ୍ଗତି କଲା, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁ ନ ଥିଲେ । ଏହି କାରଣରୁ ସେ ଏକ ବଡ଼ ବିପଦରେ ପଡ଼ିଗଲା ଏବଂ ତାʼର ପରିବାରକୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । (ଆଦି ପୁସ୍ତକ ୩୪:୧, ୨) ଯଦି ଆପଣଙ୍କର ମଧ୍ୟ ଏପରି ସାଙ୍ଗସାଥୀ ଅଛନ୍ତି, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତେବେ ସେମାନେ ଆପଣଙ୍କୁ ଏପରି କାମ କରିବା ପାଇଁ ପ୍ରଲୋଭିତ କରିପାରନ୍ତି, ଯେଉଁଗୁଡ଼ିକୁ ଯିହୋବା ଘୃଣା କରନ୍ତି । ଫଳସ୍ୱରୂପ, ଆପଣଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିପାରେ । ତାʼ ଛଡ଼ା, ଏହା ଆପଣଙ୍କ ପରିବାର ସଦସ୍ୟଙ୍କୁ ଏବଂ ଯିହୋବାଙ୍କୁ ବହୁତ କଷ୍ଟ ଦେଇପାରେ । (ହିତୋପଦେଶ ୧୭:୨୧, ୨୫) ତେଣୁ ଆପଣ ଏପରି ଲୋକମାନଙ୍କ ସହିତ ମିତ୍ରତା କରିବା ଅତି ଜରୁରୀ ଅଟେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ।— ୧ କରିନ୍ଥୀୟ ୧୫:୩୩.

ଆପଣଙ୍କ ପରିବାର ସୁଖୀ ହୋଇପାରିବ

୧୭. ପରିବାରର ପ୍ରତ୍ୟେକ ସଦସ୍ୟଙ୍କର କʼଣ ଦାୟିତ୍ୱ ରହିଛି ?

୧୭ ଯେତେବେଳେ ପରିବାରର ସମସ୍ତ ସଦସ୍ୟ ଈଶ୍ୱରଙ୍କ ନିର୍ଦ୍ଦେଶ ପାଳନ କରନ୍ତି, ସେମାନେ ଅନେକ ସମସ୍ୟାଗୁଡ଼ିକରୁ ରକ୍ଷା ପାଇଥାʼନ୍ତି । ତେଣୁ ଯଦି ଆପଣ ଏକ ପତି ଅଟନ୍ତି, ତେବେ ନିଜ ପତ୍ନୀଙ୍କୁ ପ୍ରେମ କରନ୍ତୁ ଏବଂ ତାଙ୍କ ସହ ପ୍ରେମର ସହିତ ବ୍ୟବହାର କରନ୍ତୁ । ଯଦି ଆପଣ ଜଣେ ପତ୍ନୀ ଅଟନ୍ତି, ତେବେ ନିଜ ପତିଙ୍କୁ ଗଭୀର ଆଦର କରନ୍ତୁ ଏବଂ ତାଙ୍କ ଅଧୀନରେ ରହନ୍ତୁ । ହିତୋପଦେଶ ୩୧:୧୦-୩୧ ପଦରେ ଥିବା ପରାମର୍ଶକୁ ପାଳନ କରି ଜଣେ ଭଲ ପତ୍ନୀ ହେବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ପିତାମାତା ଅଟନ୍ତି, ତେବେ ନିଜ ପିଲାମାନଙ୍କୁ ଈଶ୍ୱରଙ୍କୁ ପ୍ରେମ କରିବା ଶିଖାନ୍ତୁ । (ହିତୋପଦେଶ ୨୨:୬) ଯଦି ଆପଣ ଜଣେ ପିତା ଅଟନ୍ତି, ତେବେ ନିଜ ପରିବାରକୁ “ଉତ୍ତମ ରୂପେ” ମାର୍ଗଦର୍ଶନ ଦିଅନ୍ତୁ । (୧ ତୀମଥି ୩:୪, ୫; ୫:୮) ପିଲାମାନେ, ନିଜ ପିତାମାତାଙ୍କ ଆଜ୍ଞା ପାଳନ କରନ୍ତୁ । (କଲସୀୟ ୩:୨୦) ମନେ ରଖନ୍ତୁ ଯେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଦ୍ୱାରା ଭୁଲ୍‌ ହୋଇପାରେ । ତେଣୁ ନମ୍ର ହୁଅନ୍ତୁ ଏବଂ ନିଜ ଭୁଲ୍‌ଗୁଡ଼ିକ ପାଇଁ ପରସ୍ପରକୁ କ୍ଷମା ମାଗନ୍ତୁ । ହଁ, ଯିହୋବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ବାଇବଲରେ ପରାମର୍ଶ ଦେଇଛନ୍ତି ।

a ଆପଣ ନିଜ ପିଲାଙ୍କୁ କିପରି ସୁରକ୍ଷା ଦେଇପାରିବେ, ଏବିଷୟରେ ଅଧିକ ଜାଣିବା ପାଇଁ ମହାନ ଶିକ୍ଷକଙ୍କଠାରୁ ଶିଖନ୍ତୁ (ହିନ୍ଦୀ) ନାମକ ବହିର ୩୨ ଅଧ୍ୟାୟ ଦେଖନ୍ତୁ । ଏହାକୁ ଯିହୋବାଙ୍କ ସାକ୍ଷୀମାନେ ପ୍ରକାଶିତ କରିଛନ୍ତି ।

b ଜଣେ ପିଲା କେବଳ ଏପରି ସମୟରେ ନିଜ ପିତାମାତାଙ୍କ ଆଜ୍ଞା ମାନିବା ଉଚିତ୍‌ ନୁହଁ, ଯେତେବେଳେ ସେମାନେ ତାକୁ ଈଶ୍ୱରଙ୍କ ଆଜ୍ଞା ବିରୁଦ୍ଧରେ କିଛି କରିବା ପାଇଁ କହିଥାʼନ୍ତି ।— ପ୍ରେରିତ ୫:୨୯.