इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୯

ଇସ୍ରାଏଲୀୟମାନେ ଏକ ରାଜା ଚାହିଁଲେ

ଇସ୍ରାଏଲୀୟମାନେ ଏକ ରାଜା ଚାହିଁଲେ

ଇସ୍ରାଏଲର ପ୍ରଥମ ରାଜା ଶାଉଲ, ଅବାଧ୍ୟ ପ୍ରମାଣିତ ହୋଇଥିଲେ । ତାହାଙ୍କର ଉତ୍ତରାଧିକାରୀ ଦାଉଦ ହେଲେ, ଯାହାଙ୍କ ସହିତ ଈଶ୍ୱର ଅନନ୍ତକାଳର ରାଜ୍ୟ ନିମନ୍ତେ ଚୁକ୍ତି କରିଥିଲେ

ଶାମ୍‌ଶୋନ୍‌ଙ୍କ ପରେ, ଶାମୁୟେଲ ଇସ୍ରାଏଲୀୟମାନଙ୍କର ଜଣେ ବିଚାରକର୍ତ୍ତା ଓ ଭବିଷ୍ୟବକ୍ତା ରୂପେ ସେବା କରିଥିଲେ । ଇସ୍ରାଏଲୀୟମାନେ ବାରମ୍ବାର ତାହାଙ୍କୁ କହିବାକୁ ଲାଗିଲେ, ଅନ୍ୟାନ୍ୟ ଜାତି ପରି ସେମାନଙ୍କୁ ମଧ୍ୟ ଜଣେ ମନୁଷ୍ୟ ରାଜା ଦରକାର । ଯଦ୍ୟପି ଏହା ଯିହୋବାଙ୍କ ପ୍ରତି ଅନାଦର ଥିଲା ତଥାପି ସେ ଶାମୁୟେଲଙ୍କୁ ସେମାନଙ୍କ କଥା ମାନିବାକୁ କହିଲେ । ଈଶ୍ୱର ଜଣେ ନମ୍ର ବ୍ୟକ୍ତି ଶାଉଲଙ୍କୁ ରାଜାରୂପେ ବାଛିଲେ । କାଳକ୍ରମେ, ରାଜା ଶାଉଲ ଅହଙ୍କାରୀ ଓ ଅବାଧ୍ୟ ହୋଇଗଲେ । ଯିହୋବା ତାହାଙ୍କୁ ରାଜପଦରୁ ବାହାର କରିଦେଲେ ଏବଂ ସେ ଶାମୁୟେଲଙ୍କୁ ଜଣେ ଯୁବକ, ଦାଉଦଙ୍କୁ ନିଯୁକ୍ତି କରିବାକୁ କହିଲେ । କିନ୍ତୁ ଏହାର ଅନେକ ବର୍ଷ ପରେ ଦାଉଦ ରାଜା ହେବେ ।

ଦାଉଦ ପ୍ରାୟ ଛୋଟ ଥିଲାବେଳେ, ଦିନେ ଶାଉଲଙ୍କ ସେନାଛାଉଣିକୁ ଯାଇଥିଲେ ଯେଉଁଠାରେ ତାହାଙ୍କ ଭାଇମାନେ ସୈନିକରୂପେ କାମକରୁଥିଲେ । ସମସ୍ତ ସୈନିକମାନେ ଶତ୍ରୁପକ୍ଷର ଜଣେ ମହା ଯୋଦ୍ଧା ଯାହାଙ୍କ ନାମ ଗଲିୟାତ, ତାଙ୍କୁ ବହୁତ ଡରୁଥିଲେ, ସେ ଇସ୍ରାଏଲୀୟ ଓ ସେମାନଙ୍କ ଈଶ୍ୱରଙ୍କୁ ନିନ୍ଦା କରୁଥିଲା । କ୍ରୋଧରେ ଦାଉଦ ସେହି ମହା ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିବାକୁ ଆଗେଇ ଆସିଲେ । ଦାଉଦ କେବଳ ଗୋଟିଏ ଛାଟିଣୀ ଓ କେତୋଟି ପଥରକୁ ନେଇ ସେହି ନଅ ଫୁଟ ବିଶିଷ୍ଟ ଯୋଦ୍ଧାଙ୍କୁ ସାମନା କରିବାକୁ ବାହାରିଲେ । ଯେତେବେଳେ ଗଲିୟାତ ଦାଉଦଙ୍କୁ ଦେଖି ଥଟ୍ଟା କରିବାକୁ ଲାଗିଲେ, ଦାଉଦ ଉତ୍ତର ଦେଇ କହିଲେ ତାʼ ପାଖରେ ଗଲିୟାତଙ୍କଠାରୁ ବେଶୀ ଅସ୍ତ୍ର ଅଛି, କାରଣ ସେ ଯିହୋବା ଈଶ୍ୱରଙ୍କ ନାମରେ ଯୁଦ୍ଧ କରୁଛନ୍ତି ! ଦାଉଦ ଗଲିୟାତଙ୍କୁ କେବଳ ଗୋଟିଏ ପଥରରେ ପରାଜିତ କଲେ ଓ ସେହି ଯୋଦ୍ଧାର ଖଡ୍ଗରେ ହିଁ ତାʼର ମୁଣ୍ଡକାଟି ହତ୍ୟା କଲେ । ପଲେଷ୍ଟୀୟମାନେ ଭୟଭୀତ ହୋଇ ପଳେଇ ଗଲେ ।

ଏହାପରେ, ଶାଉଲ ଦାଉଦଙ୍କ ସାହସରେ ଅଧିକ ପ୍ରଭାବିତ ହେଲେ ଏବଂ ଏହି ଯୁବକଟିକୁ ତାʼର ସୈନ୍ୟଙ୍କଉପରେ ସେନାପତି ନିଯୁକ୍ତି ଦେଲେ । କିନ୍ତୁ ଦାଉଦଙ୍କ ଉନ୍ନତି କୁ ଦେଖି ଶାଉଲ ଈର୍ଷା କରିବାକୁ ଲାଗିଲେ । ଦାଉଦ ନିଜ ଜୀବନ ରକ୍ଷା ପାଇଁ ପଳେଇ ଗଲେ ଏବଂ ଜଣେ ପଳାତକଭାବେ ବହୁବର୍ଷଧରି ଜୀବନ ବିତାଇଲେ । ତଥାପି ଦାଉଦ ରାଜାଙ୍କର ବିଶ୍ୱସ୍ତ ରହିଲେ ଯିଏ କି ତାହାଙ୍କୁ ଜୀବନରେ ମାରି ଦେବାକୁ ଚାହୁଁଥିଲେ କାରଣ ସେ ଏହା ମାନି ଆସୁଥିଲେ ଯେ ରାଜା ଶାଉଲଙ୍କୁ ଯିହୋବା ଈଶ୍ୱର ନିଜେ ଅଭିଷେକ କରିଛନ୍ତି । ଶେଷରେ, ଶାଉଲଙ୍କର ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ଘଟିଲା । ଠିକ୍‌ ଏହାପରେ ଦାଉଦ ଯିହୋବାଙ୍କ ପ୍ରତିଜ୍ଞା ଅନୁସାରେ ରାଜା ହେଲେ ।

“ଆମ୍ଭେ ତାହାର ରାଜ୍ୟ-ସିଂହାସନ ଅନନ୍ତକାଳସ୍ଥାୟୀ କରିବା ।”—୨ ଶାମୁୟେଲ ୭:୧୩

ରାଜା ହେଲା ପରେ, ଦାଉଦ ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିବାକୁ ବହୁତ ଇଚ୍ଛୁକ ଥିଲେ । କିନ୍ତୁ ଯିହୋବା ଦାଉଦଙ୍କୁ କହିଥିଲେ ଯେ ତାହାଙ୍କ ବଂଶଧର ମଧ୍ୟରୁ ଜଣେ ଏହି କାମ କରିବେ । ସେହି ବ୍ୟକ୍ତି ଜଣକ ଥିଲେ ଦାଉଦଙ୍କ ପୁତ୍ର ଶଲୋମନ । ଈଶ୍ୱର ଦାଉଦଙ୍କୁ ପୁରସ୍କୃତ କଲେ ଏବଂ ତାହାଙ୍କ ସହିତ ଗୋଟିଏ ରୋମାଞ୍ଚକ ଚୁକ୍ତି କଲେ: କେବଳ ତାହାଙ୍କ ପରିବାରରେ ଏପରି ଏକ ରାଜବଂଶ ସୃଷ୍ଟି କରିବେ ଯାହା ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ । ଅବଶେଷରେ, ଏହା ସେହି ଉଦ୍ଧାରକର୍ତ୍ତା ବା ବଂଶକୁ, ଉତ୍ପନ କରିବ ଯାହା ପାଇଁ ଏଦନ ଉଦ୍ୟାନରେ ପ୍ରତିଜ୍ଞା କରାଯାଇଥିଲା । ସେ ଜଣେ ମସୀହ ହେବେ ଯାହାର ଅର୍ଥ ହେଲା “ଅଭିଷିକ୍ତ ବ୍ୟକ୍ତି” ଯାହାଙ୍କୁ ଈଶ୍ୱର ନିଯୁକ୍ତ କରିଛନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେହି ମସୀହ ଏଭଳି ଗୋଟିଏ ରାଜ୍ୟ ବା ସରକାରର ଶାସକ ହେବେ ଯାହା ଚୀରସ୍ଥାୟୀ ରହିବ ।

ଦାଉଦ କୃତଜ୍ଞତାର ସହିତ ମନ୍ଦିର ତିଆରି କରିବା ପାଇଁ ବହୁପରିମାଣରେ ଜିନିଷ ଓ ବହୁମୂଲ୍ୟ ପଦାର୍ଥ ସଂଗ୍ରହ କଲେ । ସେ ଈଶ୍ୱରଙ୍କ ପ୍ରେରଣାରେ ଅନେକ ଗୀତ ମଧ୍ୟ ରଚନା କରିଛନ୍ତି । ନିଜ ଜୀବନର ଶେଷ ସମୟରେ ଦାଉଦ ଏହା ସ୍ୱୀକାର କରିଥିଲେ: “ସଦାପ୍ରଭୁଙ୍କ (ଯିହୋବା, NW) ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ୱାରେ ଥିଲା ।”—୨ ଶାମୁୟେଲ ୨୩:୨.

ଏହା ୧ ଶାମୁୟେଲ; ୨ ଶାମୁୟେଲ; ୧ ବଂଶାବଳୀ; ଯିଶାଇୟ ୯:୭; ମାଥିଉ ୨୧:୯; ଲୂକ ୧:୩୨; ଯୋହନ ୭:୪୨ ଉପରେ ଆଧାରିତ ।