इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୨୬

ପୁଣିଥରେ ପୃଥିବୀ ପାରାଦୀଶ ହେଲା !

ପୁଣିଥରେ ପୃଥିବୀ ପାରାଦୀଶ ହେଲା !

ଖ୍ରୀଷ୍ଟଙ୍କ ଶାସନ ଦ୍ୱାରା ଯିହୋବା ନିଜ ନାମକୁ ପବିତ୍ର କରିବେ, ନିଜ ସାର୍ବଭୌମତ୍ୱକୁ ସ୍ଥାପନ କରିବେ ଏବଂ ସମସ୍ତ ଦୁଷ୍ଟତାକୁ ବିନଷ୍ଟ କରିବେ

ବାଇବଲର ଶେଷ ପୁସ୍ତକ ଯାହାକୁ ପ୍ରକାଶିତ ବାକ୍ୟ କୁହାଯାଏ, ଏହା ସମସ୍ତ ମାନବଜାତିଙ୍କ ପାଇଁ ଏକ ଆଶାର କିରଣ ଦେଇଥାଏ । ଏହା ପ୍ରେରିତ ଯୋହନଙ୍କ ଦ୍ୱାରା ଲିଖିତ, ଏଥିରେ ଅନେକ ଦର୍ଶନର ଲେଖା ରହିଛି ଯାହା ଯିହୋବାଙ୍କ ଉଦ୍ଦେଶ୍ୟର ପରିପୂର୍ଣ୍ଣତାର ମାଧ୍ୟମରେ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବ ।

ପ୍ରଥମ ଦର୍ଶନରେ ଆମେ ଦେଖିବାକୁ ପାଉ, ପୁନରୁତ୍‌ଥିତ ଯୀଶୁ କେତେକ ମଣ୍ଡଳୀକୁ ପ୍ରଶଂସା ଓ ସଂଶୋଧନ କରିଛନ୍ତି । ପର ଦର୍ଶନଟି ଆମକୁ ଈଶ୍ୱରଙ୍କ ସ୍ୱର୍ଗୀୟ ସିଂହାସନ ନିକଟକୁ ନେଇଯାଏ, ଯେଉଁଠାରେ ଆମେ ଦେଖିବାକୁ ପାଉ ଯେ ଅନେକ ଆତ୍ମିକ ପ୍ରାଣୀ ତାହାଙ୍କ ପ୍ରଶଂସା କରନ୍ତି ।

ଈଶ୍ୱରଙ୍କ ଉଦ୍ଦେଶ୍ୟ ଯେତେ ପୂର୍ଣ୍ଣହେବାରେ ଲାଗିଛି, ମେଷଶାବକ ଅର୍ଥାତ୍‌ ଯୀଶୁଖ୍ରୀଷ୍ଟ ଗୋଟିଏ ପୁସ୍ତକ ପ୍ରାପ୍ତକରନ୍ତି ଯାହା ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ । ପ୍ରଥମ ଚାରିଗୋଟି ମୁଦ୍ରା ଖୋଲା ଗଲାପରେ, ଜଗତର ଦୃଶ୍ୟପଟରେ କିଛି ଲାକ୍ଷଣିକ ଅଶ୍ୱାରୋହୀ ଦେଖାଗଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ଜଣକ ହେଲେ ଯୀଶୁ ଯିଏ କି ରାଜମୁକୁଟରେ ବିଭୂଷିତ ହୋଇ ଶୁକ୍ଲବର୍ଣ୍ଣର ଅଶ୍ୱ ଆରୋହଣ କରିଥିଲେ । ଏହାର ପର ଅଶ୍ୱାରୋହୀମାନେ ଭିନ୍ନ ଭିନ୍ନ ବର୍ଣ୍ଣର ଅଶ୍ୱରେ ସବାରି ହୋଇ ଆସନ୍ତି ଯାହା ଲାକ୍ଷଣିକଭାବେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀକୁ ବୁଝାଏ । ଏସବୁ ଅନ୍ତିମ ଦିନରେ ଏହି ବିଧିବ୍ୟବସ୍ଥାର ଶେଷ ସମୟରେ ଦେଖାଯିବ । ସପ୍ତମ ମୁଦ୍ରା ଖୋଲାଗଲା ପରେ ସାତଟି ତୁରୀଧ୍ୱନୀ ବାଜି ଉଠେ ଯାହା ଲାକ୍ଷଣିକଭାବେ ଈଶ୍ୱରଙ୍କ ମହାବିଚାରର ଘୋଷଣା କରେ । ଏହାର ପରିଣାମସ୍ୱରୂପ, ସାତଟି ଲାକ୍ଷଣିକ ମାହାମାରୀ ବା ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ ।

ଈଶ୍ୱରଙ୍କ ରାଜ୍ୟ ଏକ ନବଜାତ ଶିଶୁ ପୁତ୍ର ସନ୍ତାନ ସଦୃଶ, ଯାହା ସ୍ୱର୍ଗରେ ସ୍ଥାପନ କରାଯାଇଛି । ଯୁଦ୍ଧ ହେଲା ଏବଂ ଶୟତାନ ଓ ତାର ଦୁଷ୍ଟଦୂତଙ୍କୁ ସ୍ୱର୍ଗରୁ ପୃଥିବୀରେ ନିକ୍ଷେପ କରାଗଲା । ଏହି ସମୟରେ ଏକ ଉଚ୍ଚ ସ୍ୱର ଶୁଣାଗଲା “ହାୟ, ପୃଥିବୀ” । ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ମହାକ୍ରୋଧରେ କ୍ରୋଧିତ ।—ପ୍ରକାଶିତ ବାକ୍ୟ ୧୨:୧୨.

ଯୋହନ ଯୀଶୁଙ୍କୁ ସ୍ୱର୍ଗରେ ଜଣେ ମେଷଶାବକ ରୂପେ ଦେଖନ୍ତି ଯାହାଙ୍କ ସଙ୍ଗେ ୧,୪୪,୦୦୦ ଜଣ ଥିଲେ ସେମାନଙ୍କୁ ପୃଥିବୀରୁ ମାନବଜାତି ମଧ୍ୟରୁ ବାଛି ନିଆଯାଇଛି । ଏମାନେ ଯୀଶୁଙ୍କ ସହ ‘ରାଜାରୂପେ ଶାସନ କରିବେ’ । ପ୍ରକାଶିତ ବାକ୍ୟ ଜଣାଏ ସେହି ବଂଶର ଗୌଣ ଭାଗର ମୋଟ ସଂଖ୍ୟା ହେଲା ୧,୪୪,୦୦୦ଜଣ ।—ପ୍ରକାଶିତ ବାକ୍ୟ ୧୪:୧; ୨୦:୬.

ପୃଥିବୀର ସମସ୍ତ ଶାସକମାନେ ହର୍ମିଗିଦ୍ଦୋନ୍‌ରେ ଏକତ୍ରିତ ହେଲେ ଯାହାକୁ “ଈଶ୍ୱରଙ୍କ ମହାଦିନର ଯୁଦ୍ଧ” କୁହାଯାଏ । ସେମାନେ ଶୁକ୍ଲବର୍ଣ୍ଣ ଅଶ୍ୱାରୋହୀ ଯୀଶୁଙ୍କ ସଙ୍ଗରେ ଯୁଦ୍ଧକଲେ ଯିଏକି ସ୍ୱର୍ଗୀୟ ସେନାବାହିନୀର ନେତୃତ୍ୱ ନେଉଥିଲେ । ଏହି ପୃଥିବୀର ସମସ୍ତ ଶାସକଙ୍କୁ ଧ୍ୱଂସ କରାଗଲା । ଶୟତାନକୁ ବାନ୍ଧି ଦିଆଗଲା ତତ୍ପରେ ଯୀଶୁ ଓ ୧,୪୪,୦୦୦ ଜଣ ପୃଥିବୀ ଉପରେ “ଏକ ସହସ୍ର ବର୍ଷ” ଶାସନ କଲେ । ଏହି ଏକ ହଜାର ବର୍ଷ ପରେ, ଶୟତାନକୁ ବିନାଶ କରାଗଲା ।—ପ୍ରକାଶିତ ବାକ୍ୟ ୧୬:୧୪; ୨୦:୪.

ଖ୍ରୀଷ୍ଟ ଓ ତାହାଙ୍କ ସହ ଶାସକଙ୍କ ଏକ ହଜାର ବର୍ଷ ଶାସନ, ଆଜ୍ଞାକାରୀମାନଙ୍କ ନିମନ୍ତେ କି ଅର୍ଥ ରଖେ ? ଏ ବିଷୟରେ ଯୋହନ ଲେଖନ୍ତି:“[ଯିହୋବା] ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।” (ପ୍ରକାଶିତ ବାକ୍ୟ ୨୧:୪) ହଁ, ପୃଥିବୀ ପୁଣିଥରେ ପାରାଦୀଶରେ ବଦଳି ଯିବ !

ପ୍ରକାଶିତ ବାକ୍ୟ ଏହିଭାବେ ବାଇବଲର ବାର୍ତ୍ତାକୁ ସମାପ୍ତ କରେ । ମସୀହଙ୍କ ରାଜ୍ୟ ଦ୍ୱାରା ଯିହୋବାଙ୍କ ନାମକୁ ପବିତ୍ର କରାଯିବ ଓ ଚୀରକାଳ ନିମନ୍ତେ ତାହାଙ୍କ ସାର୍ବଭୌମତ୍ୱର ସତ୍ୟତା ପ୍ରମାଣିତ ହେବ !

ଏହା ପ୍ରକାଶିତ ବାକ୍ୟ ଉପରେ ଆଧାରିତ ।