इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୮

ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?

ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?

ଡୋମିନିକାନ ରିପବ୍ଲିକ୍‌

ଜାପାନ

ହୈତି

ଯେତେବେଳେ କୌଣସି ପ୍ରାକୃତିକ ବିପତ୍ତି ଆସେ, ଯିହୋବାଙ୍କ ସାକ୍ଷୀମାନେ ଅତିଶୀଘ୍ର ସେହି ଜାଗାର ଭାଇମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦିଅନ୍ତି । ଏହା ଦେଖାଏ ଯେ ଆମେ ପରସ୍ପରକୁ ପ୍ରକୃତ ପ୍ରେମ କରୁ । (ଯୋହନ ୧୩:୩୪, ୩୫; ୧ ଯୋହନ ୩:୧୭, ୧୮) ଆମେ କେଉଁ ଉପାୟରେ ଆମ ଭାଇମାନଙ୍କୁ ସାହାଯ୍ୟ କରିଥାଉ ?

ଆମେ ଆର୍ଥିକ ସାହାଯ୍ୟ କରୁ । ଯେତେବେଳେ ପ୍ରଥମ ଶତାବ୍ଦୀରେ ଯିହୁଦାରେ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା, ଆନ୍ତିୟଖିଆର ଖ୍ରୀଷ୍ଟିୟାନମାନେ ଯିହୁଦାର ନିଜ ଭାଇଭଉଣୀଙ୍କ ପାଇଁ ଆର୍ଥିକ ସାହାଯ୍ୟ ପଠାଇଲେ । (ପ୍ରେରିତ ୧୧:୨୭-୩୦) ଠିକ୍‌ ସେହିପରି ଯେତେବେଳେ ପୃଥିବୀର କୌଣସି ଅଞ୍ଚଳରେ ଆମ ଭାଇମାନେ ସମସ୍ୟାର ସାମନା କରନ୍ତି ଏବଂ ସେମାନଙ୍କ ପାଖରେ ଖାଦ୍ୟ-ବସ୍ତ୍ର ମଧ୍ୟ ନ ଥାଏ, ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ମଣ୍ଡଳୀ ମାଧ୍ୟମରେ ପଇସା ପଠାଇଥାଉ ।—୨ କରିନ୍ଥୀୟ ୮:୧୩-୧୫.

ଆମେ ବ୍ୟବହାରିକ ସାହାଯ୍ୟ କରୁ । ପ୍ରଭାବିତ ଅଞ୍ଚଳରେ ଥିବା ପ୍ରାଚୀନମାନେ ଜାଣିବାକୁ ଚେଷ୍ଟା କରନ୍ତି ଯେ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ସୁରକ୍ଷିତ ଅଛନ୍ତି, ନା ନାହିଁ । ଗୋଟିଏ ରିଲିଫ୍‌ ସମିତି ଗଠନ କରାଯାଏ, ଯାହା ଭାଇଭଉଣୀଙ୍କୁ ଖାଦ୍ୟ, ପିଇବା ପାଣି, କପଡ଼ା, ରହିବା ପାଇଁ ଜାଗା ଏବଂ ଡାକ୍ତରୀ ସାହାଯ୍ୟର ବ୍ୟବସ୍ଥା କରେ । ଅନେକ ସାକ୍ଷୀ ଯେଉଁମାନଙ୍କ ପାଖରେ ବିଶେଷ ଦକ୍ଷତା ଥାଏ, ସେମାନେ ନିଜ ଇଚ୍ଛାରେ ଓ ନିଜ ଖର୍ଚ୍ଚରେ ସେଠାରେ ଯାଇ ସାହାଯ୍ୟ କାମରେ ଭାଗ ନିଅନ୍ତି । କିମ୍ବା ଭାଇମାନଙ୍କ ଭାଙ୍ଗି ଯାଇଥିବା ଘର ଏବଂ ରାଜ୍ୟଘରର ମରାମତିରେ ଭାଗ ନିଅନ୍ତି । ଏକ ସଂଗଠନ ଭାବରେ ଆମ ମଧ୍ୟରେ ଏକତା ରହିଛି ଏବଂ ଏକାଠି ମିଶି କାମ କରି ଆମେ ବେଶ୍‌ ଅନୁଭବ ହାସଲ୍‌ କରିଛୁ । ଏହି କାରଣରୁ ଆମେ ଜରୁରୀକାଳୀନ ପରିସ୍ଥିତିରେ ସାଙ୍ଗେ ସାଙ୍ଗେ ରିଲିଫ୍‌ ସାମଗ୍ରୀ ଏବଂ ସାହାଯ୍ୟ ପାଇଁ ଭାଇମାନଙ୍କୁ ଏକଜୁଟ କରିପାରୁ । ଏହା ସତ ଯେ ଆମେ ନିଜ “ବିଶ୍ୱାସୀ” ଭାଇଭଉଣୀମାନଙ୍କୁ ବିଶେଷ ସାହାଯ୍ୟ କରିଥାଉ; କିନ୍ତୁ ଯଦି ସମ୍ଭବ ହୁଏ, ଆମେ ଅନ୍ୟ ସମସ୍ତ ଧର୍ମର ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥାଉ ।—ଗାଲାତୀୟ ୬:୧୦.

ଆମେ ଲୋକଙ୍କୁ ବାଇବଲରୁ ସାନ୍ତ୍ୱନା ଦେଉ ଏବଂ ମାନସିକ ଯନ୍ତ୍ରଣାରୁ ବାହାରି ଆସିବା ପାଇଁ ସାହାଯ୍ୟ କରୁ । ବିପତ୍ତିର ଶିକାର ହୋଇଥିବା ଲୋକଙ୍କୁ ବିଶେଷ କରି ସାନ୍ତ୍ୱନା ଆବଶ୍ୟକ ହୁଏ । ଏପରି ସମୟରେ ଆମକୁ “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ଯିହୋବାଙ୍କଠାରୁ ସାହସ ମିଳେ । (୨ କରିନ୍ଥୀୟ ୧:୩, ୪) ହତାଶ ଲୋକଙ୍କୁ ଆମେ ବାଇବଲରୁ ଆଶା ଦେଉ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ଆଜିର ସମସ୍ତ ଦୁଃଖକଷ୍ଟର କାରଣକୁ ସମାପ୍ତ କରିଦେବ ।—ପ୍ରକାଶିତ ବାକ୍ୟ ୨୧:୪.

  • ଯିହୋବାଙ୍କ ସାକ୍ଷୀମାନେ କାହିଁକି ବିପତ୍ତି ସମୟରେ ଅତିଶୀଘ୍ର ନିଜ ଭାଇମାନଙ୍କୁ ସାହାଯ୍ୟ କରିପାରନ୍ତି ?

  • ବିପତ୍ତିର ଶିକାର ହୋଇଥିବା ଲୋକଙ୍କୁ ଆମେ ବାଇବଲରୁ କʼଣ ସାନ୍ତ୍ୱନା ଦେଇପାରିବା ?