इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୬

ସହାୟକ ସେବକମାନଙ୍କର ଭୂମିକା କʼଣ ?

ସହାୟକ ସେବକମାନଙ୍କର ଭୂମିକା କʼଣ ?

ମ୍ୟାନ୍‌ମାର

ସଭାର ଗୋଟିଏ କାର୍ଯ୍ୟକ୍ରମ

ସେବା ସମୂହ

ରାଜ୍ୟଘରର ରକ୍ଷଣାବେକ୍ଷଣ

ବାଇବଲ କହେ ଯେ ମଣ୍ଡଳୀରେ ଦାୟିତ୍ୱ ବହନ କରିବା ପାଇଁ ଖ୍ରୀଷ୍ଟିୟାନ ପୁରୁଷଙ୍କ ଦୁଇ ପ୍ରକାର ସମୂହ ଥାଏ: ‘ଅଧ୍ୟକ୍ଷ ଓ ସହାୟକ ସେବକ ।’ (ଫିଲିପ୍ପୀୟ ୧:୧) ସାଧାରଣତଃ, ପ୍ରତ୍ୟେକ ମଣ୍ଡଳୀରେ ଅନେକ ପ୍ରାଚୀନ ଓ ସହାୟକ ସେବକ ଥାଆନ୍ତି । ଆସନ୍ତୁ ଦେଖିବା, ସହାୟକ ସେବକମାନେ କିପରି ଆମକୁ ସାହାଯ୍ୟ କରନ୍ତି ।

ସେମାନେ ପ୍ରାଚୀନମାନଙ୍କ ସମୂହକୁ ସାହାଯ୍ୟ କରନ୍ତି । ସହାୟକ ସେବକମାନଙ୍କର ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥାଏ । ସେମାନେ ଭରସାଯୋଗ୍ୟ ହୋଇଥାʼନ୍ତି ଏବଂ ପୂରା ମନ ଲଗାଇ କାମ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଯୁବକ, ଆଉ କେତେକ ବୃଦ୍ଧ ହୋଇଥାʼନ୍ତି । ସେମାନେ ମଣ୍ଡଳୀର ଛୋଟ-ମୋଟ କିନ୍ତୁ ଜରୁରୀ କାମ କରନ୍ତି ଏବଂ ଏପରି କାମ ମଧ୍ୟ କରନ୍ତି, ଯେଉଁଥିରେ କଠିନ ପରିଶ୍ରମ କରିବାକୁ ହୁଏ । ସେମାନଙ୍କ ଏହି କାମ ଯୋଗୁଁ ପ୍ରାଚୀନମାନେ ମଣ୍ଡଳୀକୁ ଶିଖାଇବାରେ ଏବଂ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବାରେ ଅଧିକ ଧ୍ୟାନ ଦେଇପାରନ୍ତି ।

ସେମାନେ ଅତି ଜରୁରୀ ସାହାଯ୍ୟ କରନ୍ତି । ସହାୟକ ସେବକମାନଙ୍କ ମଧ୍ୟରୁ କିଛି ଭାଇଙ୍କୁ ପରିଚାରକର ଦାୟିତ୍ୱ ଦିଆଯାଏ, ଯେଉଁମାନେ ସଭାକୁ ଆସୁଥିବା ସମସ୍ତଙ୍କୁ ସ୍ୱାଗତ କରନ୍ତି । ଅନ୍ୟ ଭାଇମାନଙ୍କୁ ହୁଏତ ସାଉଣ୍ଡ ସିଷ୍ଟମ୍‌ ସମ୍ଭାଳିବା, ପ୍ରକାଶନ ଯୋଗାଇବା, ମଣ୍ଡଳୀର ହିସାବକିତାବ ରଖିବା ଏବଂ ଭାଇଭଉଣୀଙ୍କୁ ପ୍ରଚାର କରିବା ପାଇଁ ପ୍ରଚାର ଅଞ୍ଚଳ ଦେବା କାମ ଦିଆଯାଏ । ଏହା ସହିତ, ରାଜ୍ୟଘରର ରକ୍ଷଣାବେକ୍ଷଣରେ ମଧ୍ୟ ସେମାନେ ସାହାଯ୍ୟ କରନ୍ତି । ଯଦି ଦରକାର ହୁଏ, ପ୍ରାଚୀନମାନେ ସେମାନଙ୍କୁ ମଣ୍ଡଳୀର ବୃଦ୍ଧ ଭାଇ ଓ ବୃଦ୍ଧା ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କହିପାରନ୍ତି । ସହାୟକ ସେବକମାନଙ୍କୁ ଯାହା ଦାୟିତ୍ୱ ଦିଆଯାଏ, ସେମାନେ ତାକୁ ଖୁସିର ସହିତ ପୂରା କରିଥାʼନ୍ତି । ଏହି କାରଣରୁ ଭାଇଭଉଣୀଙ୍କ ନଜରରେ ସେମାନଙ୍କ ସମ୍ମାନ ବଢ଼ିଯାଏ ।—୧ ତୀମଥି ୩:୧୩.

ସେମାନେ ଖ୍ରୀଷ୍ଟିୟାନ ପୁରୁଷ ହେବାର ଏକ ଭଲ ଉଦାହରଣ ରଖନ୍ତି । ସହାୟକ ସେବକମାନଙ୍କୁ ସେମାନଙ୍କ ଭଲ ଖ୍ରୀଷ୍ଟିୟାନ ଗୁଣଗୁଡ଼ିକ ଯୋଗୁଁ ବଛାଯାଏ । ସେମାନେ ସଭାରେ ଯେପରି ଭାବେ ନିଜ ଭାଗ ପ୍ରସ୍ତୁତ କରନ୍ତି, ସେଥିରୁ ଆମ ବିଶ୍ୱାସ ଦୃଢ଼ ହୋଇଥାଏ । ପ୍ରଚାର କାମରେ ସେମାନଙ୍କ ଭଲ ଉଦାହରଣ ଦେଖି ଆମର ମଧ୍ୟ ଉତ୍ସାହ ଆହୁରି ବଢ଼ିଥାଏ । ସେମାନେ ପ୍ରାଚୀନମାନଙ୍କୁ ସହଯୋଗ କରିଥାʼନ୍ତି, ଯାହା ଫଳରେ ମଣ୍ଡଳୀରେ ଏକତା ଏବଂ ଖୁସି ବଢ଼ିଥାଏ । (ଏଫିସୀୟ ୪:୧୬) ପରେ ଏମିତି ଏକ ସମୟ ଆସେ, ସହାୟକ ସେବକମାନେ ମଧ୍ୟ ପ୍ରାଚୀନର ଦାୟିତ୍ୱ ବହନ କରିବାର ଯୋଗ୍ୟ ହୋଇପାରନ୍ତି ।

  • ସହାୟକ ସେବକମାନଙ୍କଠାରେ କେଉଁ କେଉଁ ଭଲ ଗୁଣ ରହିଥାଏ ?

  • ମଣ୍ଡଳୀର କାମସବୁ ଠିକ୍‌ ଭାବରେ ଚାଲିବା ପାଇଁ ସହାୟକ ସେବକମାନେ କʼଣ କରିଥାʼନ୍ତି ?