इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଶାସନ ଦଳର ଚିଠି

ପ୍ରଶାସନ ଦଳର ଚିଠି

ପ୍ରିୟ ଭାଇ ଓ ଭଉଣୀମାନେ:

ଆମେ ସମସ୍ତେ ଯିହୋବାଙ୍କୁ ଓ ଲୋକମାନଙ୍କୁ ବହୁତ ପ୍ରେମ କରୁ । ତେଣୁ ଆମେ ଯୀଶୁଙ୍କ ଏହି ଆଜ୍ଞାକୁ ମାନୁ ‘ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର ଓ ବାପ୍ତିସ୍ମ ଦିଅ ।’ (ମାଥି. ୨୮:୧୯, ୨୦; ମାର୍କ ୧୨:୨୮-୩୧) ପ୍ରକୃତ ପ୍ରେମରେ ବହୁତ ଶକ୍ତି ଥାଏ । ଏପରି ପ୍ରେମ ତାହାଙ୍କ “ଅନ୍ୱେଷଣକାରୀମାନଙ୍କର” ହୃଦୟକୁ ଛୁଇଁଯାଏ ।—ଏବ୍ରୀ ୧୧:୬.

ପୂର୍ବରୁ ଆମେ ଲୋକମାନଙ୍କ ପାଖକୁ ଯାଇ କʼଣ କହିବା ତାହା ମୁଖସ୍ଥ କରୁଥିଲୁ ଓ ବହି ପତ୍ରିକା ଦେବା ଉପରେ ଧ୍ୟାନ ଦେଉଥିଲୁ । କିନ୍ତୁ ଏବେ ଆମକୁ ଲୋକମାନଙ୍କ ସହ କଥାବାର୍ତ୍ତା ହେବାର ନିଜର ଦକ୍ଷତାକୁ ବଢ଼ାଇବାର ଅଛି । ଆମେ ଲୋକମାନଙ୍କୁ ପ୍ରେମ କରୁ । ତେଣୁ ଆମକୁ ସେମାନଙ୍କ ସହ ଏପରି ବିଷୟରେ କଥା ହେବା ଉଚିତ୍‌ ଯେଉଁଥିରେ ସେମାନଙ୍କର ଆଗ୍ରହ ଥିବ । ଆମକୁ ଭାବିବାର ଅଛି ଯେ ପ୍ରତ୍ୟେକ ବ୍ୟକ୍ତିର କʼଣ ଆବଶ୍ୟକତା ଅଛି, କʼଣ ଚିନ୍ତା ଅଛି ଆଉ ତାʼ ଅନୁସାରେ ତାଙ୍କ ସହ କଥାବାର୍ତ୍ତା ହେବାର ଅଛି । ଏହି ବହିରେ କୁହାଯାଇଛି ଯେ ଆମେ ଏହା କିପରି କରିପାରିବା ।

ଏହି ପୁସ୍ତିକାରେ ୧୨ଟି ପାଠ ଅଛି ଓ ପ୍ରତି ପାଠରେ ଗୋଟିଏ ଉପାୟ କୁହାଯାଇଛି ଯାହା ସାହାଯ୍ୟରେ ଆମେ ଲୋକମାନଙ୍କୁ ପ୍ରେମ ଦେଖାଇପାରିବା ଓ ସେମାନଙ୍କୁ ଭଲଭାବେ ଶିଖାଇପାରିବା । ପ୍ରତି ପାଠରେ ଯୀଶୁ କିମ୍ବା ପ୍ରଥମ ଶତାବ୍ଦୀର କୌଣସି ବିଶ୍ୱସ୍ତ ସେବକମାନଙ୍କର ଗୋଟିଏ ଘଟଣା ବିଷୟରେ ଦିଆଯାଇଛି । ଆମେ ଶିଖିବା ଯେ ସେମାନେ ଲୋକମାନଙ୍କ ସହ କଥା ହେବା ସମୟରେ କେଉଁ ଉପାୟ ଆପଣାଇଲେ । ଏହି ପୁସ୍ତିକାରେ ଏହା କୁହାଯାଇନାହିଁ ଯେ ଆମେ କʼଣ ମୁଖସ୍ଥ କରିକି ଯିବା ଆଉ ପ୍ରଚାର କଲାବେଳେ ତାହା କିପରି କହିବା । ତାʼ ପରିବର୍ତ୍ତେ ଆମେ ଶିଖିବା ଯେ ଆମେ କେଉଁ ଅଲଗା ଅଲଗା ଉପାୟରେ ଲୋକମାନଙ୍କ ପାଇଁ ପ୍ରେମ ଦେଖାଇପାରିବା । ଦେଖିବାକୁ ଗଲେ ଏହି ୧୨ଟି ଉପାୟଗୁଡ଼ିକ ପ୍ରଚାରର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । କିନ୍ତୁ ଆମେ ଦେଖିବା ଯେ କଥାବାର୍ତ୍ତା ଆରମ୍ଭ କରିବା, ପୁଣିଥରେ ଭେଟିବା କିମ୍ବା ବାଇବଲ ଅଧ୍ୟୟନ କରିବା ସମୟରେ ବିଶେଷ କରି କେଉଁ ଉପାୟର ବ୍ୟବହାର କରିପାରିବା ।

ପ୍ରତି ପାଠ ପଢ଼ିବା ସମୟରେ ଧ୍ୟାନର ସହ ଭାବନ୍ତୁ ଯେ ଆପଣ ଯେଉଁ ଜାଗାରେ ରହନ୍ତି ସେଠାର ଲୋକମାନଙ୍କୁ ପ୍ରଚାର କଲାବେଳେ ଆପଣ ଏହି ଉପାୟଗୁଡ଼ିକୁ କିପରି ଲାଗୁ କରିପାରିବେ । ଯିହୋବାଙ୍କ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରେମ ବଢ଼ାଇବା ଜାରି ରଖନ୍ତୁ । ଏହି ପ୍ରେମ ଶିଖାଇବାର ଯେକୌଣସି ଉପାୟଠାରୁ ବି ବେଶି ଜରୁରୀ ଅଟେ । ପ୍ରେମ ଯୋଗୁଁ ହିଁ ଆମେ ଲୋକମାନଙ୍କୁ ଭଲଭାବରେ ଶିଖାଇପାରିବା ଓ ସେମାନେ ଯୀଶୁଙ୍କ ଶିଷ୍ୟ ହୋଇପାରିବେ ।

ଆପଣଙ୍କ ସହ ଏକ ମନରେ ସେବା କରିବାରେ ଆମକୁ ବହୁତ ଖୁସି ଲାଗେ । (ସିଫ. ୩:୯) ଆମେ ପ୍ରାର୍ଥନା କରୁ ଯେ ଯିହୋବା ଆପଣମାନଙ୍କୁ ଅନେକ ଆଶିଷ ଦିଅନ୍ତୁ ଏବଂ ଆପଣମାନେ ଆଜି ଓ ଆଗକୁ ମଧ୍ୟ ଲୋକମାନଙ୍କୁ ପ୍ରେମ କରନ୍ତୁ ଓ ସେମାନଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ସାହାଯ୍ୟ କରନ୍ତୁ ।

ଆପଣଙ୍କ ଭାଇ,

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ