इस जानकारी को छोड़ दें

ନରକାଗ୍ନି—ଏହା କʼଣ ପରମେଶ୍ୱରଙ୍କ ନ୍ୟାୟର ଏକ ଅଂଶ ?

ନରକାଗ୍ନି—ଏହା କʼଣ ପରମେଶ୍ୱରଙ୍କ ନ୍ୟାୟର ଏକ ଅଂଶ ?

ନରକାଗ୍ନି—ଏହା କʼଣ ପରମେଶ୍ୱରଙ୍କ ନ୍ୟାୟର ଏକ ଅଂଶ ?

ଆପଣ କେବେହେଲେ କୌଣସି ବ୍ୟକ୍ତିକୁ ଯନ୍ତ୍ରଣା ଦେବାର ଦେଖିଛନ୍ତି କି ? ଆଶା କରୁ ଆପଣ ଦେଖି ନଥିବେ । ଜାଣିଶୁଣି ଦେଇଥିବା ଯନ୍ତ୍ରଣା ଅତ୍ୟଧିକ ବିରକ୍ତିକର ଓ ଅତ୍ୟନ୍ତ ଘୃଣାଜନକ ଅଟେ । ତେବେ, ପରମେଶ୍ୱର ଯେଉଁ ଯନ୍ତ୍ରଣା ଦିଅନ୍ତି, ସେହି ବିଷୟରେ କʼଣ ? ଆପଣ ଏହି ବିଷୟରେ କେବେ କଳ୍ପନା କରି ପାରନ୍ତି କି ? କିନ୍ତୁ, ନରକାଗ୍ନିର ଧର୍ମତତ୍ତ୍ୱ ଆମକୁ ଏହା ଶିକ୍ଷା ଦିଏ । ନରକାଗ୍ନିର ଶିକ୍ଷା ଅନେକ ଧର୍ମର ମୁଖ୍ୟ ଧର୍ମତତ୍ତ୍ୱ ଅଟେ ।

କିଛି ସମୟ ପାଇଁ ଏହି ଭୟଙ୍କର ଦୃଶ୍ୟକୁ ମନରେ କଳ୍ପନା କରନ୍ତୁ: ଗୋଟିଏ ବ୍ୟକ୍ତିକୁ ଗରମ ତାୱାରେ ଭଜାଯାଉଛି । ଅତ୍ୟଧିକ ପୀଡ଼ା ଯୋଗୁଁ ସେହି ବ୍ୟକ୍ତି ବ୍ୟାକୁଳ ହୋଇ ଦୟା ପାଇଁ ଅନୁରୋଧ କରେ, କିନ୍ତୁ କେହି ଶୁଣନ୍ତି ନାହିଁ । ମାତ୍ର ଯନ୍ତ୍ରଣାର ଶେଷ ହୁଏ ନାହିଁ, ଏହା ଦିବାରାତ୍ର, ଅନବରତଭାବେ ଚାଲେ !

ସେହି ବ୍ୟକ୍ତିର ଅପରାଧ ଯାହା ବି ହେଉ ନା କାହିଁକି, ଆପଣ କି ତାହା ପାଇଁ ଦୟା ଅନୁଭବ କରିବେ ନାହିଁ ? ଯନ୍ତ୍ରଣା ନିମନ୍ତେ ଆଦେଶ ଦେଇଥିବା ବ୍ୟକ୍ତି ବିଷୟରେ କʼଣ କୁହାଯାଇପାରେ ? ସେ କି ଜଣେ ପ୍ରେମମୟ ବ୍ୟକ୍ତି ହୋଇ ପାରନ୍ତି ? କେବେ ହିଁ ନୁହେଁ ! ପ୍ରେମ କରୁଣା ଓ ଦୟା ଦେଖାଏ । ଏକ ପ୍ରେମମୟ ପିତା ନିଜ ପିଲାମାନଙ୍କୁ ଦଣ୍ଡ ଦେବେ, କିନ୍ତୁ ସେ ସେମାନଙ୍କୁ କେବେହେଲେ ଯନ୍ତ୍ରଣା ଦେବେ ନାହିଁ !

ତଥାପି, ଅନେକ ଧର୍ମ ଆଜି ଶିକ୍ଷା ଦିଏ ଯେ ପରମେଶ୍ୱର ପାପୀମାନଙ୍କୁ ସଦାସର୍ବଦା ପାଇଁ ନରକାଗ୍ନିରେ ଯନ୍ତ୍ରଣା ଦିଅନ୍ତି । ଅନେକ ଲୋକ ଦାବି କରନ୍ତି ଯେ ଏହା ପରମେଶ୍ୱରଙ୍କ ନ୍ୟାୟ ଅଟେ । ଯଦିଓ ଏହା ସତ୍ୟ ହୁଏ, ତେବେ ଅନନ୍ତ ଯନ୍ତ୍ରଣାର ଭୟଙ୍କର ସ୍ଥାନ କିଏ ନିର୍ମାଣ କଲେ ? ଏବଂ ସେଠାରେ ଲୋକମାନଙ୍କୁ ଯେଉଁ ଅସହ୍ୟ ପୀଡ଼ା ଦିଆଯାଏ, ସେଥିପାଇଁ ଦାୟୀ କିଏ ? ଉତ୍ତର ସ୍ପଷ୍ଟ ହୁଏ ଯେ ଯଦି ଏହିପରି ଏକ ସ୍ଥାନ ଅଛି, ତେବେ ପରମେଶ୍ୱର ତାʼର ନିର୍ମାଣକର୍ତ୍ତା ହେବ, ଏବଂ ସେଠାରେ ଯାହା ବି ହେଉଅଛି, ସେଥିପାଇଁ ସେ ନିଜେ ଦାୟୀ ଅଟନ୍ତି ।

ଆପଣ ଏହାକୁ ସ୍ୱୀକାର କରି ପାରନ୍ତି କି ? ବାଇବଲ a କହେ: ‘ଈଶ୍ୱର ପ୍ରେମ ଅଟନ୍ତି ।’ (୧ ଯୋହନ ୪:୮) ତେବେ, ଯେଉଁ ଯନ୍ତ୍ରଣା ଦେଖି ଭଦ୍ର ବ୍ୟକ୍ତିମାନେ ଘୃଣା କରନ୍ତି, ସେହି ପ୍ରକାର ଯନ୍ତ୍ରଣା ଜଣେ ପ୍ରେମମୟ ପରମେଶ୍ୱର ଦେବେ କି ? ନିଶ୍ଚିତଭାବେ ନୁହେଁ !

ଏହି ଶିକ୍ଷା ତର୍କସଙ୍ଗତ ନୁହେଁ

ତଥାପି, କେତେକ ଲୋକ ବିଶ୍ୱାସ କରନ୍ତି ଯେ ଦୁଷ୍ଟ ଲୋକମାନେ ଅଗ୍ନିମୟ ନରକରେ ସର୍ବଦା ଯନ୍ତ୍ରଣା ଭୋଗିବେ । ଏହି ଶିକ୍ଷା ଯୁକ୍ତିଯୁକ୍ତ କି ? ମଣିଷର ଜୀବନକାଳ କେବଳ ୭୦ କିମ୍ବା ୮୦ ବର୍ଷ ଅଟେ । ଯଦି କୌଣସି ବ୍ୟକ୍ତି ନିଜର ଜୀବନକାଳରେ ଅତ୍ୟନ୍ତ ଦୁଷ୍ଟକର୍ମ କରିଛି, ତେବେ ତାʼପାଇଁ ଅନନ୍ତକାଳର ଯନ୍ତ୍ରଣା ନ୍ୟାୟଯୁକ୍ତ ହେବ କି ? ନାହିଁ । କାରଣ ଜଣେ ବ୍ୟକ୍ତି ନିଜ ସୀମିତ ଜୀବନକାଳରେ ସୀମିତ ପାପ କରିପାରେ । କିନ୍ତୁ, ଏଥିପାଇଁ ତାକୁ ଅନନ୍ତକାଳ ଯନ୍ତ୍ରଣା ଦେବା ଘୋର ଅନ୍ୟାୟ ହେବ ।

ଆମର ମୃତ୍ୟୁ ପରେ କʼଣ ହେବ ବୋଲି କେହି ଜାଣନ୍ତି କି ? କେବଳ ପରମେଶ୍ୱର ଏହି ବିଷୟ ଜାଣନ୍ତି, ଓ ସେ ଏହି ବିଷୟକୁ ତାଙ୍କର ବାକ୍ୟ ଅର୍ଥାତ୍‌ ବାଇବଲରେ ଲିପିବଦ୍ଧ କରିଛନ୍ତି । ବାଇବଲ ଏହିପରିଭାବେ କୁହେ: “[ପଶୁ] ଯେପରି ମରେ, [ମନୁଷ୍ୟ] ସେପରି ମରେ; ପୁଣି, ସମସ୍ତଙ୍କ ପ୍ରାଣବାୟୁ ଏକ; . . . ସମସ୍ତେ ଏକ ସ୍ଥାନକୁ ଯାʼନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି ।” (ଉପଦେଶକ ୩:୧୯, ୨୦) ଏଥିରେ, ଅଗ୍ନିମୟ ନରକର ଉଲ୍ଲେଖ ହୋଇ ନାହିଁ । ମୃତ୍ୟୁ ପରେ, ମନୁଷ୍ୟ ପୁନର୍ବାର ଧୂଳିରେ—ଅସ୍ଥିତ୍ୱହୀନ ଅବସ୍ତାରେ—ଲୀନ ହୁଏ ।

କେବଳ ଜୀବିତ ବ୍ୟକ୍ତିକୁ ହିଁ ଯନ୍ତ୍ରଣା ଦିଆଯାଇପାରେ । ମୃତ ଲୋକମାନେ କିଛି ଜାଣନ୍ତି କି ? ସେମାନେ କଷ୍ଟ ଅନୁଭବ କରି ପାରନ୍ତି କି ? ନାହିଁ । “ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାʼନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ ।” (ଉପଦେଶକ ୯:୫) ମୃତ ଲୋକମାନେ “କିଛି ଜାଣନ୍ତି [କଷ୍ଟ ଅନୁଭବ କରି ପାରନ୍ତି] ନାହିଁ,” ତେଣୁ, ସେମାନେ ନରକାଗ୍ନିରେ ପୀଡ଼ା ଅନୁଭବ କରିବା ଅସମ୍ଭବ ।

ହାନିକାରକ ଧର୍ମତତ୍ତ୍ୱ

ନରକାଗ୍ନିର ଶିକ୍ଷା ସତ୍ୟ ହେଉ ବା ନ ହେଉ, କିନ୍ତୁ କେତେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଧର୍ମତତ୍ତ୍ୱ ଉପଯୋଗୀ । କାହିଁକି ? କାରଣ, ଏହି ଶିକ୍ଷା ଯୋଗୁଁ ଜଣେ ବ୍ୟକ୍ତି କୁକର୍ମ କରିବ ନାହିଁ । ଏହା ସତ୍ୟ କି ? ଯେଉଁ ସ୍ଥାନର ଲୋକମାନେ ନରକାଗ୍ନିର ଶିକ୍ଷାରେ ବିଶ୍ୱାସ କରନ୍ତି, ସେ ସ୍ଥାନର ଲୋକ ଅନ୍ୟ ସ୍ଥାନ ଅପେକ୍ଷା କʼଣ କମ୍‌ ଅପରାଧ କରନ୍ତି ? ନାହିଁ ! ବାସ୍ତବରେ, ନରକାଗ୍ନିର ଧର୍ମତତ୍ତ୍ୱ ଅତ୍ୟଧିକ ହାନିକାରକ ଅଟେ । ଯେଉଁ ବ୍ୟକ୍ତି ବିଶ୍ୱାସ କରେ ଯେ ପରମେଶ୍ୱର ନରକାଗ୍ନିରେ ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି, ସେହି ବ୍ୟକ୍ତିର ଦୃଷ୍ଟିରେ ଯନ୍ତ୍ରଣା ଏକ ଘୃଣାଜନକ କାର୍ଯ୍ୟ ହେବ କି ? ତାହା ପାଇଁ ଏହା ଘୃଣାଜନକ କାର୍ଯ୍ୟ କାହିଁକି ହେବ ? ଯେଉଁ ବ୍ୟକ୍ତିମାନେ ନିଷ୍ଠୁର ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମଧ୍ୟ ବେଳେବେଳେ ସେମାନଙ୍କର ପରମେଶ୍ୱରଙ୍କ ଭଳି ନିଷ୍ଠୁର ହୋଇ ଯାଆନ୍ତି ।

ଜଣେ ବ୍ୟକ୍ତି ନରକାଗ୍ନିର ବିଷୟରେ ଯେ କୌଣସି ପ୍ରକାରରେ ଚିନ୍ତା କଲେ ମଧ୍ୟ ସେ ନରକ ଏକ ଯନ୍ତ୍ରଣାର ସ୍ଥାନ ବୋଲି ସ୍ୱୀକାର କରି ପାରିବ ନାହିଁ । କାରଣ ଏହା ଯୁକ୍ତିଯୁକ୍ତ ନୁହେଁ । ମନୁଷ୍ୟ ଏହାକୁ ଗ୍ରହଣ କରି ପାରେ ନାହିଁ । ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ପରମେଶ୍ୱରଙ୍କ ବାକ୍ୟ ଏହା କହେ, ଏହି ପ୍ରକାରର ସ୍ଥାନ ଅସ୍ତିତ୍ୱରେ ନାହିଁ । ଜଣେ ବ୍ୟକ୍ତିର ମୃତ୍ୟୁ ପରେ, “ସେ . . . ମୃତ୍ତିକାକୁ ଫେରିଯାଏ; ସେହି ଦିନ ତାହାର ସଙ୍କଳ୍ପସବୁ ନଷ୍ଟ ହୁଏ ।”—ଗୀତସଂହିତା ୧୪୬:୪.

ପାପର ଦଣ୍ଡ କʼଣ ?

ଏହାର ଅର୍ଥ କʼଣ ପାପ କଲେ ଆମକୁ ଦଣ୍ଡ ମିଳେ ନାହିଁ ? ନା, ଏହା ସତ୍ୟ ନୁହେଁ । ଆମର ପବିତ୍ର ପରମେଶ୍ୱର ପାପୀମାନଙ୍କୁ ଦଣ୍ଡ ନିଶ୍ଚୟ ଦିଅନ୍ତି, କିନ୍ତୁ ସେ ସେମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ । ଏବଂ ଯେବେ ପାପୀମାନେ ପଶ୍ଚାତ୍ତାପ କରନ୍ତି, ତେବେ ସେ ସେମାନଙ୍କୁ କ୍ଷମା କରନ୍ତି । ପାପର ଦଣ୍ଡ କʼଣ ? ବାଇବଲ ସ୍ପଷ୍ଟରୂପେ ଉତ୍ତର ଦିଏ: “ପାପର ବେତନ ମୃତ୍ୟୁ ।” (ରୋମୀୟ ୬:୨୩) ଜୀବନ ପରମେଶ୍ୱରଙ୍କର ଏକ ଦାନ । ଆମେ ପାପ କଲେ ଏହି ଦାନକୁ ହରାଇ ଥାଉ, ଏବଂ ମୃତ୍ୟୁ ବରଣ କରୁ ।

ଆପଣ କହି ପାରନ୍ତି: ‘ଏହା କିପରି ନ୍ୟାୟଯୁକ୍ତ ? ସମସ୍ତ ଲୋକ ମୃତ୍ୟୁ ବରଣ କରନ୍ତି !’ ଏହି ବିଷୟ ସତ୍ୟ କାରଣ ଆମେ ସମସ୍ତେ ପାପୀ ଅଟୁ । ବାସ୍ତବରେ, ଜୀବିତ ରହିବା ପାଇଁ କୌଣସି ବ୍ୟକ୍ତି ଯୋଗ୍ୟ ନୁହେଁ । “ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।”—ରୋମୀୟ ୫:୧୨.

ଏଥିରୁ, ଆପଣ ଚିନ୍ତା କରି ପାରନ୍ତି: ‘ଯଦି ଆମେ ସମସ୍ତେ ପାପ କରୁ ଏବଂ ସେହି କାରଣରୁ ମୃତ୍ୟୁ ବରଣ କରୁ, ତେବେ ଆମେ କାହିଁକି ସଦ୍‌ବ୍ୟକ୍ତି ହେବାକୁ ଚେଷ୍ଟା କରିବୁ ? ଏହା ପ୍ରତୀୟମାନ ହୁଏ ଯେ ଦୁଷ୍ଟ ବ୍ୟକ୍ତି ଓ ପରମେଶ୍ୱରଙ୍କୁ ସେବା କରୁଥିବା ବ୍ୟକ୍ତି ଉଭୟଙ୍କ ସହିତ ସମାନ ବ୍ୟବହାର କରାଯାଏ ।’ କିନ୍ତୁ ଏହା ସତ୍ୟ ନୁହେଁ । ଯଦିଓ ଆମେ ସମସ୍ତେ ପାପୀ, ମାତ୍ର ଯେଉଁମାନେ ପ୍ରକୃତରେ ପଶ୍ଚାତ୍ତାପ କରି ନିଜର କୁକର୍ମ ପରିତ୍ୟାଗ କରନ୍ତି ଓ ସୁକର୍ମ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ପରମେଶ୍ୱର କ୍ଷମା କରନ୍ତି । ଯେତେବେଳେ ଆମେ ‘ଆମ ମନର ନବିକରଣ’ କରିବାକୁ ଚେଷ୍ଟା କରୁ ଓ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରୁ, ସେତେବେଳେ ପରମେଶ୍ୱର ଆମକୁ ପ୍ରତିଫଳ ଦିଅନ୍ତି । (ରୋମୀୟ ୧୨:୨, OCB) ଏହି ସତ୍ୟ ବିଷୟଗୁଡ଼ିକ ଅଦ୍ଭୁତ ଆଶାର ଆଧାର ଅଟେ ।

ଭଲ ଲୋକଙ୍କୁ ପ୍ରତିଫଳ ମିଳେ

ମୃତ୍ୟୁ ପରେ ଆମର ଅସ୍ତିତ୍ୱ ଶେଷ ହୁଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସବୁ କିଛି ଶେଷ ହୋଇ ଯାଏ । ଜଣେ ବିଶ୍ୱାସୀ ଲୋକ ଆୟୁବ ଜାଣିଥିଲେ ଯେ ମୃତ୍ୟୁ ପରେ ସେ କବରକୁ (ଶିଓଲ) ଯିବେ । କିନ୍ତୁ, ପରମେଶ୍ୱରଙ୍କୁ ତାଙ୍କର ପ୍ରାର୍ଥନାରେ ସେ କହିଲେ: “ଆଃ, ତୁମ୍ଭେ ଯେବେ ପାତାଳରେ [ଶିଓଲ] ମୋତେ ଲୁଚାଇ ରଖନ୍ତ, ତୁମ୍ଭର କୋପ ଅତୀତ ହେବା ପର୍ଯ୍ୟନ୍ତ ଯେବେ ମୋତେ ଗୋପନରେ ରଖନ୍ତ, ଯେବେ ମୋʼ ପାଇଁ ସମୟ ନିରୂପଣ କରି ମୋତେ ସ୍ମରଣ କରନ୍ତ ! ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ? . . . ତେବେ ତୁମ୍ଭେ ଡାକିବ ଓ ମୁଁ ତୁମ୍ଭକୁ ଉତ୍ତର ଦେବି ।”—ଆୟୁବ ୧୪:୧୩-୧୫.

ଆୟୁବର ବିଶ୍ୱାସ ଥିଲା ଯେ, ଯଦି ସେ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରହେ, ତେବେ ପରମେଶ୍ୱର ତାଙ୍କୁ ମନେ ରଖିବେ ଏବଂ ତାଙ୍କୁ ପୁନର୍ଜୀବିତ କରିବେ । ପ୍ରାଚୀନକାଳରେ ପରମେଶ୍ୱରଙ୍କ ସମସ୍ତ ସେବକ ଏହି ବିଶ୍ୱାସ କରୁଥିଲେ । ଯୀଶୁ ନିଜେ ଏହି ଆଶା ବିଷୟରେ କହି ଆମର ଭରସା ବୃଦ୍ଧି କରିଥିଲେ । ସେ କହିଥିଲେ: “ଯେଉଁ ସମୟରେ ସମାଧିସ୍ଥସମସ୍ତେ [ପରମେଶ୍ୱରଙ୍କ] ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କୃର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କୃର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।”—ଯୋହନ ୫:୨୮, ୨୯.

ପୁନରୁତ୍ଥାନ କେବେ ଆରମ୍ଭ ହେବ ? ବାଇବଲ ଅନୁସାରେ ପୁନରୁତ୍ଥାନ ଶୀଘ୍ର ହେବ । ବାଇବଲର ଭବିଷ୍ୟଦ୍‌ବାଣୀ ଦ୍ୱାରା ଆମେ ବୁଝି ପାରୁ ଯେ ୧୯୧୪ ମସିହାଠାରୁ ଏହି ସଂସାରର ‘ଶେଷକାଳ’ ଆରମ୍ଭ ହୋଇଛି । (୨ ତୀମଥି ୩:୧) ଏହି “ଶେଷକାଳରେ” ପରମେଶ୍ୱର ଅତି ଶୀଘ୍ର ଦୁଷ୍ଟ ଲୋକମାନଙ୍କୁ ବିନାଶ କରି ସ୍ୱର୍ଗୀୟ ଶାସନ ଦ୍ୱାରା ନୂତନ ସଂସାରକୁ ସ୍ଥାପିତ କରିବେ ବୋଲି କେତେକ ଲୋକ ବର୍ଣ୍ଣନା କରନ୍ତି ।—ମାଥିଉ, ଅଧ୍ୟାୟ ୨୪; ମାର୍କ, ଅଧ୍ୟାୟ ୧୩; ଲୂକ, ଅଧ୍ୟାୟ ୨୧; ପ୍ରକାଶିତ ବାକ୍ୟ ୧୬:୧୪.

ଏହା ପରେ କʼଣ ହେବ ? ଏହା ପରେ ସମ୍ପୂର୍ଣ୍ଣ ପୃଥିବୀ ପାରଦୀଶ ହେବ ଏବଂ ନିଷ୍କପଟଭାବେ ପରମେଶ୍ୱରଙ୍କର ସେବା କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନେ ପୃଥିବୀରେ ବାସ କରିବେ । ଯଦିଓ ଦୁଷ୍ଟ ଲୋକମାନଙ୍କୁ ନରକାଗ୍ନିରେ ଯନ୍ତ୍ରଣା ଦିଆଯିବ ନାହିଁ, ମାତ୍ର ସେମାନଙ୍କୁ ପାରଦୀଶରେ ମଧ୍ୟ ସ୍ଥାନ ଦିଆଯିବ ନାହିଁ । ଗୀତସଂହିତା ୩୭:୧୦, ୧୧ ପଦରେ ଆମେ ପଢ଼ୁ: “ଦୁଷ୍ଟଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ । ମାତ୍ର ନମ୍ରଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ ।”

ଉପରୋକ୍ତ ବିଷୟଟି ଗୋଟିଏ ସ୍ୱପ୍ନ କି ? ନାହିଁ, ଏହା ପରମେଶ୍ୱରଙ୍କ ପ୍ରତିଜ୍ଞା । ବାଇବଲରେ ଆମେ ପଢ଼ୁ: “ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶବ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଇଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୩, ୪.

ଆପଣ ଏହି ବାକ୍ୟକୁ ବିଶ୍ୱାସ କରନ୍ତି କି ? ଆପଣ ବିଶ୍ୱାସ କରିବା ଉଚିତ୍‌ । ପରମେଶ୍ୱରଙ୍କ ବାକ୍ୟ ସର୍ବଦା ସତ୍ୟ ହୁଏ । (ଯିଶାଇୟ ୫୫:୧୧) ମଣିଷଜାତି ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ । ଆପଣଙ୍କୁ ସାହାଯ୍ୟ କରିବା ନିମିତ୍ତ ଯିହୋବାଙ୍କ ସାକ୍ଷୀମାନେ ଖୁସି ହେବେ । ଯଦି ଆପଣ ତାଙ୍କର ସାହାଯ୍ୟ ଚାହାନ୍ତି, ତେବେ ନିମ୍ନୋକ୍ତ ଗୋଟିଏ ଠିକଣାରେ ଲିଖିବାକୁ ଆମେ ଆପଣଙ୍କୁ ଆମନ୍ତ୍ରଣ କରୁ ।

ଅନ୍ୟ ସୂଚନା ବ୍ୟତିତ, ଏହାର ସମସ୍ତ ବାଇବଲ ଉଦ୍ଧୃତାଂଶ ଓଡ଼ିଆ ଭାଷାର ଦ ହୋଲି ବାଇବଲ—BSI ରୁ ଗୃହୀତ ।

[ପାଦ ଟିପ୍ପଣୀଗୁଡ଼ିକ]

a ଇସ୍ଲାମ୍‌ ଗ୍ରନ୍ଥ ଅନୁସାରେ, ବାଇବଲରେ ତୋରା, ଜବୂର୍‌ ଓ ଇଞ୍ଜିଲ୍‌ ନାମକ ପୁସ୍ତକଗୁଡ଼ିକ ଅଛି । କୋରାନରେ ଅତିକମ୍‌ରେ ୬୪ଟି ଶାସ୍ତ୍ରପଦ ଅଛି, ତାହା ଏହି ବହିଗୁଡ଼ିକୁ ପରମେଶ୍ୱର ବାକ୍ୟ ବୋଲି କହେ ଏବଂ ଏହି ବହିଗୁଡ଼ିକ ପଢ଼ି ଏହାର ଆଦେଶ ପାଳନ କରିବାକୁ ଗୁରୁତ୍ୱ ଦିଏ । କେତେକ ଲୋକ ଦୃଢ଼ଭାବେ କହନ୍ତି ଯେ ତୋରା, ଜବୂର୍‌, ଓ ଇଞ୍ଜିଲ୍‌ ନାମକ ପୁସ୍ତକଗୁଡ଼ିକୁ ପରିବର୍ତ୍ତନ କରାଯାଇଛି । ଏହା କହିଲାବେଳେ ସେମାନେ କହନ୍ତି ଯେ ପରମେଶ୍ୱର ତାଙ୍କର ବାକ୍ୟକୁ ରକ୍ଷା କରି ପାରନ୍ତି ନାହିଁ ।