इस जानकारी को छोड़ दें

ଯିହୋବାଃ—ସେ କିଏ ?

ଯିହୋବାଃ—ସେ କିଏ ?

ଯିହୋବାଃ—ସେ କିଏ ?

ଉନବିଂଶ ଶତାବ୍ଦୀର ଜଣେ ଫ୍ରାନ୍‌ସ ଦେଶୀୟ ଅନ୍ୱେଷକ, ଅନରୀ ମୂଓ କାମ୍ବୋଡ଼ିଆର ଘନ ଅରଣ୍ୟ ଭୀତରେ ରାସ୍ତା କାଟି ଯାଉ ଯାଉ ଏକ ପ୍ରଶସ୍ତ ଗଡ଼ଖାଇ ନିକଟରେ ପହଞ୍ଚିଲେ, ସେହି ଗଡ଼ଖାଇ ମଝିରେ ଏକ ମନ୍ଦିର ଥିଲା । ଏହା ପୃଥିବୀର ସର୍ବବୃହତ୍‌ ଧର୍ମୀୟ ସ୍ମୃତି-ସୌଧ, ଅଙ୍ଗୋର ୱାଟ୍‌ ଥିଲା । ଏହି ସ୍ମୃତି-ସୌଧଟିକୁ ଦେଖି ମୂଓ କହି ପାରିଥିଲେ ଯେ ତାହା ମଣିଷ ଦ୍ୱାରା ନିର୍ମିତ । ସେହି ଭବନ ଶିଉଳି ଦ୍ୱାରା ଆବଦ୍ଧ ହୋଇଥିଲା । ସେ ଲେଖିଥିଲେ: “ପ୍ରାଚୀନ ମାଇକେଲ୍‌ଏଞ୍ଜେଲୋଙ୍କ ସଦୃଶ୍ୟ ଜଣେ କଳାକାର ଦ୍ୱାରା ନିର୍ମିତ ସେହି କଳାକୃତି, ଗ୍ରୀସ୍‌ କିମ୍ବା ରୋମୀୟମାନଙ୍କ ଦ୍ୱାରା ନିର୍ମିତ ସମସ୍ତ କଳାକୃତିଠାରୁ ଅଧିକ ସୁନ୍ଦର ଥିଲା ।” ଏହା ବହୁ ଶତାବ୍ଦୀ ଧରି ପଡ଼ି ରହିଥିଲା ଓ ଏହାର ତତ୍ୱାବଧାନ ହୋଇ ନ ଥିଲା, ଏହା ସତ୍ୱେ ତାଙ୍କ ମନରେ କୌଣସି ସନ୍ଦେହ ନ ଥିଲା ଯେ ସେହି ବୈଭବଶାଳୀ ଭବନର କୌଣସି ରଚୟିତା ଥିଲା ।

କୌତୁହଳପୂର୍ଣ୍ଣ, ବହୁ ଶତାବ୍ଦୀ ପୂର୍ବେ ଲିଖିତ ଜ୍ଞାନର ଏକ ବହି, ଏହି ପ୍ରକାର ତର୍କ କରି କହିଥିଲା: “ପ୍ରତ୍ୟେକ ଗୃହ କାହାରି ନା କାହାରି ଦ୍ୱାରା ଗଠିତ ହୁଏ; କିନ୍ତୁ ସମସ୍ତ ବିଷୟର ନିର୍ମାତା ଅଟନ୍ତି ଈଶ୍ୱର ।” (ଏବ୍ରୀ ୩:୪, OCB) କିନ୍ତୁ କେତେକ ବ୍ୟକ୍ତି କହନ୍ତି, ‘ପ୍ରକୃତିର କାର୍ଯ୍ୟ ମନୁଷ୍ୟଙ୍କ ଦ୍ୱାରା ନିର୍ମିତ କାର୍ଯ୍ୟଠାରୁ ଭିନ୍ନ ଅଟେ ।’ କିନ୍ତୁ, ସମସ୍ତ ବୈଜ୍ଞାନିକ ଏହି ଉକ୍ତିରେ ଏକମତ ନୁହନ୍ତି ।

“ଜୀବ-ରାସାୟନିକ ପ୍ରଣାଳୀଗୁଡ଼ିକ ନିର୍ଜୀବ ବସ୍ତୁ ନୁହଁ,” ଏହା ସ୍ୱୀକାର କଲା ପରେ, ଆମେରୀକାର ପେନ୍‌ସିଲଭେନିୟାରେ ଥିବା ଲୀହାଇ ବିଶ୍ୱବିଦ୍ୟାଳୟରେ ଜୀବ-ରାସାୟନ ବିଜ୍ଞାନର ସହ-ଅଧ୍ୟାପକ ମାଇକଲ ବୀହୀ ପଚାରିଥିଲେ: “ଜୀବ-ରାସାୟନ ପ୍ରଣାଳୀଗୁଡ଼ିକୁ ବୁଦ୍ଧିମତାରସହ ଗଠନ କରାଯାଇପାରେ କି ?” ସେ ଆହୁରି ମଧ୍ୟ କହିଥିଲେ ଯେ ବୈଜ୍ଞାନିକମାନେ ଅନୁବଂଶିକ ଇଞ୍ଜିନିୟର ମାଧ୍ୟମରେ, ଜୀବରେ ମୂଳ ପରିବର୍ତ୍ତନ ଗଠନ କରନ୍ତି । ହଁ, ଉଭୟ ସଜୀବ ଓ ନିର୍ଜୀବ ବସ୍ତୁଗୁଡ଼ିକର “ନିର୍ମାଣ” କରାଯାଇପାରେ ! ଅଣୁବିକ୍ଷଣୀୟ ଜଗତରେ, ଜୀବକୋଷର ପରୀକ୍ଷା କଲାବେଳେ ବୀହୀ ଆଶ୍ଚର୍ଯ୍ୟଜନକ ଜଟିଳ ପ୍ରଣାଳୀ ଲକ୍ଷ କରିଥିଲେ ଯାହା ଉପାଦାନଗୁଡ଼ିକ ଦ୍ୱାରା ଗଠିତ ହୋଇଥିଲା । ସେହି ଉପାଦାନଗୁଡ଼ିକ କାର୍ଯ୍ୟକ୍ଷମ ନିମିତ୍ତ ପରସ୍ପର ନିର୍ଭରଶୀଳ । ତାଙ୍କର ନିଷ୍କର୍ଷ କʼଣ ? “କୋଷଗୁଡ଼ିକର ପରୀକ୍ଷା—ଜୀବର ଆଣବିକ ସ୍ତରରେ ପରୀକ୍ଷା—କରିବା ପାଇଁ ସକଳ ପ୍ରୟାସ କରାଗଲା । ଏହାର ଫଳ ସ୍ପଷ୍ଟରୂପେ ଓ ଖୁବ୍‌ ଜୋରରେ ଘୋଷାଣା କରେ ଯେ, ସେମାନଙ୍କୁ ‘ଗଠନ’ କରାଯାଇଛି !”

ତେବେ, ଏହି ସକଳ ଜଟିଳ ପ୍ରଣାଳୀଗୁଡ଼ିକର ରଚୟିତା କିଏ ?

ରଚୟିତା କିଏ ?

ପୂର୍ବେ ଉଦ୍ଧୃତ କରାଯାଇଥିବା ପ୍ରାଚୀନ ଜ୍ଞାନର ଏକ ବହିରେ ଏହାର ଉତ୍ତର ମିଳେ । ସେହି ବହିଟି ବାଇବଲ । ସମସ୍ତ ବସ୍ତୁର ରଚୟିତା କିଏ ବୋଲି ବାଇବଲର ପ୍ରଥମ ବାକ୍ୟରେ ସରଳ ଓ ସ୍ପଷ୍ଟ ଭାଷାରେ ଲିଖିତ ହୋଇଅଛି: “ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।”—ଆଦିପୁସ୍ତକ ୧:୧.

ଯେଉଁମାନେ ନିଜକୁ ଈଶ୍ୱର ବୋଲି କହୁଛନ୍ତି, ସେମାନଙ୍କଠାରୁ ନିଜକୁ ପୃଥକ କରିବା ପାଇଁ ସୃଷ୍ଟିକର୍ତ୍ତା ଏକ ଅଦ୍ୱିତୀୟ ନାମ ଦ୍ୱାରା ନିଜର ପରିଚୟ କରାନ୍ତି: ‘ଯିଏ ଆକାଶମଣ୍ଡଳ ସୃଷ୍ଟି କଲେ; ଯିଏ ଭୂତଳ ଓ ତଦୁତ୍ପନ୍ନସକଳ ବିଛାଇଲେ; ଯିଏ ତହିଁ ଉପରିସ୍ଥ ସକଳ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ଦିଅନ୍ତି; ସେହି [ସତ୍ୟ] ପରମେଶ୍ୱର ଯିହୋବାଃ ଏହି କଥା କହନ୍ତି ।’ (ଯିଶାଇୟ ୪୨:୫, ୮) ଯିଏ ବିଶ୍ୱମଣ୍ଡଳ ଏବଂ ପୃଥିବୀ ଉପରିସ୍ଥ ସକଳ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ, ସେହି ପରମେଶ୍ୱରଙ୍କ ନାମ ଯିହୋବାଃ ଅଟେ । କିନ୍ତୁ ଯିହୋବାଃ କିଏ ? ସେ କିଭଳି ପରମେଶ୍ୱର ଅଟନ୍ତି ? ଏବଂ ଆପଣ କାହିଁକି ତାହାଙ୍କ କଥା ଶୁଣିବେ ?

ତାହାଙ୍କ ନାମର ଅର୍ଥ

ପ୍ରଥମତଃ, ସୃଷ୍ଟିକର୍ତ୍ତାଙ୍କ ନାମ, ଯିହୋବାଃର ଅର୍ଥ କʼଣ ? ଏହି ଐଶ୍ୱରିକ ନାମ ଏବ୍ରୀୟ ଭାଷାର ଚାରୋଟି ଅକ୍ଷରରେ (יהוה) ଲିଖିତ ହୋଇଛି । ଏହି ନାମ ବାଇବଲର ଏବ୍ରୀୟ ଭାଗରେ ପ୍ରାୟ ୭,୦୦୦ ଥର ଦେଖାଯାଏ । ଏହି ନାମ ଏବ୍ରୀୟ କ୍ରିୟାପଦ ହାୱାର (“ଆଣନ୍ତି”) କାରଣ ବାଚକ ରୂପକୁ ବୁଝାଏ ଓ ଏଥିପାଇଁ ଏହାର ଅର୍ଥ ହେଉଛି “ସେ ଅସ୍ତିତ୍ୱକୁ ଆଣନ୍ତି ।” ଅନ୍ୟ ଶବ୍ଦରେ, ନିଜର ଉଦ୍ଦେଶ୍ୟ ପୁରଣ କରିବା ପାଇଁ ଯେଉଁ ଭୂମିକାର ଆବଶ୍ୟକ ହୁଏ, ସେହି ଭୂମିକାରେ ସେ ନିଜକୁ ବୁଦ୍ଧିମତାପୂର୍ଣ୍ଣଭାବେ ଅସ୍ତିତ୍ୱରେ ଆଣନ୍ତି । ନିଜର ପ୍ରତିଜ୍ଞାକୁ ପୂରଣ କରିବା ନିମିତ୍ତ ସେ ସୃଷ୍ଟିକର୍ତ୍ତା, ବିଚାରକର୍ତ୍ତା, ତ୍ରାଣକର୍ତ୍ତା, ଜୀବନର ପୋଷଣକର୍ତ୍ତା ଇତ୍ୟାଦି ହୁଅନ୍ତି । ଏହା ଛଡ଼ା, ଏବ୍ରୀୟ କ୍ରିୟାପଦ ଏକ ବ୍ୟାକରଣସିଦ୍ଧ ରୂପ ନିଏ, ଏହା କାର୍ଯ୍ୟ ଚରିତାର୍ଥ ହେବାର ସ୍ଥିତିକୁ ବୁଝାଏ । ଏହା ସୂଚିତ କରେ ଯେ ଯିହୋବାଃ ନିଜର ପ୍ରତିଜ୍ଞା ପୁରଣ କରିବା ନିମିତ୍ତ ଆଜି ମଧ୍ୟ ଭିନ୍ନ-ଭିନ୍ନ ଭୂମିକାରେ ନିଜକୁ ଅସ୍ତିତ୍ୱରେ ଆଣନ୍ତି । ହଁ, ସେ ଜଣେ ଜୀବିତ ପରମେଶ୍ୱର !

ଯିହୋବାଙ୍କ ମୁଖ୍ୟ ଗୁଣଗୁଡ଼ିକ

ଏହି ସୃଷ୍ଟିକର୍ତ୍ତା ଓ ପ୍ରତିଜ୍ଞା ପୁରଣକର୍ତ୍ତାଙ୍କୁ ବାଇବଲ ଜଣେ ଚିତ୍ତାକର୍ଷକ ବ୍ୟକ୍ତି ବୋଲି କହେ । ଯିହୋବାଃ ନିଜେ ତାଙ୍କର ବିଶେଷ ଗୁଣଗୁଡ଼ିକ ସମ୍ବନ୍ଧରେ କହିଥିଲେ: “[ଯିହୋବାଃ, ଯିହୋବାଃ] ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞାଲଙ୍ଘନ ଓ ପାପ କ୍ଷମାକାରୀ” ଅଟନ୍ତି । (ଯାତ୍ରାପୁସ୍ତକ ୩୪:୬, ୭) ଯିହୋବାଙ୍କୁ ଦୟା ଓ ପ୍ରେମର ପରମେଶ୍ୱରରୂପେ ଚିତ୍ରିତ କରାଯାଇଛି । ଏଠାରେ ପ୍ରୟୋଗ କରାଯାଇଥିବା ଏବ୍ରୀୟ ଶବ୍ଦକୁ “ବିଶ୍ୱସ୍ତ ପ୍ରେମ” ରୂପେ ମଧ୍ୟ ଅନୂଦିତ କରାଯାଇପାରେ । ତାଙ୍କର ଅନନ୍ତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମିତ୍ତ ଯିହୋବାଃ ତାଙ୍କର ପ୍ରାଣୀମାନଙ୍କୁ ବିଶ୍ୱସ୍ତଭାବେ ସର୍ବଦା ପ୍ରେମ ଦେଖାନ୍ତି । ଆପଣ କʼଣ ଏହିପରି ପ୍ରେମକୁ ମନରେ ପୋଷଣ କରିବେ ନାହିଁ ?

ଯିହୋବାଃ କ୍ରୋଧରେ ଧୀର ଓ ଆମର ଭୂଲଗୁଡ଼ିକୁ କ୍ଷମା କରିବାରେ ତତ୍ପର ଅଟନ୍ତି । ଏପରି ବ୍ୟକ୍ତିଙ୍କ ସହିତ ରହିବା ବାସ୍ତବରେ ଆନନ୍ଦର ବିଷୟ ଯିଏ ଆମର ଦୋଷଦୁର୍ବଳତା ଧରନ୍ତି ନାହିଁ, କିନ୍ତୁ ଆମକୁ କ୍ଷମା କରନ୍ତି । କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯିହୋବାଃ କୂକର୍ମକୁ ଉପେକ୍ଷା କରନ୍ତି । ସେ ଘୋଷଣା କଲେ: “ଆମ୍ଭେ [ଯିହୋବାଃ] ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ ।” (ଯିଶାଇୟ ୬୧:୮) ଯେଉଁ ନିର୍ଲଜ୍ଜ ପାପୀମାନେ ସଦାସର୍ବଦା ଦୁଷ୍ଟକାର୍ଯ୍ୟ କରନ୍ତି, ସେମାନଙ୍କୁ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ସହ୍ୟ କରିବେ ନାହିଁ, କାରଣ ସେ ଜଣେ ନ୍ୟାୟବାନ ପରମେଶ୍ୱର ଅଟନ୍ତି । ତେଣୁ ଆମେ ନିଶ୍ଚିନ୍ତ ହୋଇପାରିବା ଯେ, ଯିହୋବାଃ ତାଙ୍କର ଉପଯୁକ୍ତ ସମୟ ଅନୁଯାଇ ପୃଥିବୀରୁ ଅନ୍ୟାୟକୁ ହଟାଇ ଦେବ ।

ପ୍ରେମ ଓ ନ୍ୟାୟର ଗୁଣ ମଧ୍ୟରେ ସନ୍ତୁଳନ ମନୋଭାବ ପ୍ରଦର୍ଶିତ କରିବା ପାଇଁ ବୁଦ୍ଧିର ଆବଶ୍ୟକ । ଏହି ଦୁଇଟି ଗୁଣ ମଧ୍ୟରେ ସନ୍ତୁଳିତ ମନୋଭାବ ରଖି ଯିହୋବାଃ ଆମ ସହିତ ବ୍ୟବହାର କରନ୍ତି । (ରୋମୀୟ ୧୧:୩୩-୩୬) ଅବଶ୍ୟ, ତାହାଙ୍କ ବୁଦ୍ଧି ସର୍ବତ୍ର ଦେଖାଯାଏ । ଅଦ୍ଭୁତ ପ୍ରକୃତିରୁ ଆମକୁ ଏହାର ପ୍ରମାଣ ମିଳେ ।—ଗୀତସଂହିତା ୧୦୪:୨୪; ହିତୋପଦେଶ ୩:୧୯.

କିନ୍ତୁ, କେବଳ ବୁଦ୍ଧି ଥିଲେ ଯଥେଷ୍ଟ ନୁହେଁ । ନିଜର ଇଚ୍ଛାକୁ ଚରିତାର୍ଥ କରିବା ନିମିତ୍ତ ସୃଷ୍ଟିକର୍ତ୍ତାଙ୍କ ପାଖରେ ପୂର୍ଣ୍ଣ ଶକ୍ତି ରହିବା ଆବଶ୍ୟକ । ବାଇବଲ କହେ ଯେ, ସୃଷ୍ଟିକର୍ତ୍ତା ଏଭଳି ଏକ ପରମେଶ୍ୱର ଅଟନ୍ତି: “ଉର୍ଦ୍ଧ୍ୱଦୃଷ୍ଟି କରି ଦେଖ, ଏସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି ? ସେ ସୈନ୍ୟସମୂହର . . . ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; . . . ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା . . . ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ ।” (ଯିଶାଇୟ ୪୦:୨୬) ପ୍ରକୃତରେ, ଯିହୋବାଙ୍କ ପାଖରେ ଅତ୍ୟଧିକ ‘ପରାକ୍ରମ’ ଅଛି, ଯଦ୍ୱାରା ସେ ନିଜ କାର୍ଯ୍ୟ ସମ୍ପନ କରିପାରନ୍ତି । ଏହି ପ୍ରକାର ଗୁଣ ଆପଣଙ୍କୁ ଯିହୋବାଙ୍କ ଆଡ଼େ ଆକର୍ଷିତ କରେ ନାହିଁ କି ?

ଯିହୋବାଙ୍କୁ ଜାଣିଲେ କʼଣ ଲାଭ ହୁଏ

ଯିହୋବାଃ ‘ପୃଥିବୀକୁ ଶୂନ୍ୟ କରି ସୃଷ୍ଟି କଲେ ନାହିଁ,’ କିନ୍ତୁ, ମଣିଷଜାତିର “ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ ।” (ଯିଶାଇୟ ୪୫:୧୮; ଆଦିପୁସ୍ତକ ୧:୨୮) ସେ ପାର୍ଥିବ ପ୍ରାଣୀମାନଙ୍କର ଚିନ୍ତା କରନ୍ତି । ସେ ମାନବଜାତିଙ୍କୁ ଉଦ୍ୟାନରୂପୀ ଘର ଅର୍ଥାତ୍‌ ପାରଦୀଶରେ ଏକ ଉତ୍ତମ ଆରମ୍ଭ ଦେଇଥିଲେ । କିନ୍ତୁ, ସେହି ମଣିଷଜାତି ପୃଥିବୀକୁ ଧ୍ୱଂସ କରୁଅଛି । ତେଣୁ ଯିହୋବାଃ ଅସନ୍ତୁଷ୍ଟ ହେଉଛନ୍ତି । ଯିହୋବାଃ ତାଙ୍କ ନାମର ଅର୍ଥ ଅନୁସାରେ ମଣିଷଜାତି ଓ ପୃଥିବୀ ସମ୍ବନ୍ଧୀୟ ମୂଳ ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିବେ । (ଗୀତସଂହିତା ୧୧୫:୧୬; ପ୍ରକାଶିତ ବାକ୍ୟ ୧୧:୧୮) ସେ ସେମାନଙ୍କ ପାଇଁ ପୃଥିବୀରେ ଏକ ପାରଦୀଶ ପୁନଃସ୍ଥାପିତ କରିବେ, ଯେଉଁମାନେ ତାଙ୍କର ସନ୍ତାନ ଭଳି ତାଙ୍କର ବାକ୍ୟ ପାଳନ କରିବା ନିମିତ୍ତ ଇଚ୍ଛୁକ ।—ହିତୋପଦେଶ ୮:୧୭; ମାଥିଉ ୫:୫.

ସେହି ପାରଦୀଶରେ, ଆମେ ଯେଉଁ ଜୀବନ ଉପଭୋଗ କରିବା, ତାହାର ଗୁଣାବଳି ବାଇବଲର ଶେଷ ସୁସ୍ତକରେ ବର୍ଣ୍ଣିତ ହୋଇଅଛି: “[ସେ] ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।” (ପ୍ରକାଶିତ ବାକ୍ୟ ୨୧:୩, ୪) ଆପଣ ସେହି ପ୍ରକୃତ ଜୀବନକୁ ଉପଭୋଗ କରନ୍ତୁ ବୋଲି ଯିହୋବାଃ ଚାହାନ୍ତି । ସେ କିଭଳି ପରୋପକାରୀ ପିତା ଅଟନ୍ତି ! ଆପଣ ଯିହୋବାଙ୍କ ବିଷୟ ଏବଂ ପାରଦୀଶରେ ବାସ କରିବା ପାଇଁ ଆବଶ୍ୟକୀୟ ବିଷୟରେ ଅଧିକ ଜାଣିବାକୁ ଇଚ୍ଛୁକ କି ?

ଅନ୍ୟ ସୂଚନା ବ୍ୟତିତ, ଏହାର ସମସ୍ତ ବାଇବଲ ଉଦ୍ଧୃତାଂଶ ଓଡ଼ିଆ ଭାଷାର ଦ ହୋଲି ବାଇବଲ—BSI ରୁ ଗୃହୀତ ।