ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସେପ୍ଟେମ୍ବର ମାସରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ବିଶେଷ ଅଭିଯାନ
ସେପ୍ଟେମ୍ବର ମାସରେ ଆମେ ସମସ୍ତଙ୍କ ସହ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପୂରା ଚେଷ୍ଟା କରିବା । ପ୍ରଚାରକ ଚାହିଁଲେ ଏହି ମାସରେ ୩୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ । ଆମେ ଏହି ଅଭିଯାନରେ କʼଣ କରିବା ?
-
ପ୍ରଥମ ସାକ୍ଷାତ: ଜଣେ ବ୍ୟକ୍ତି ସହ ସାଧାରଣ ବିଷୟଗୁଡ଼ିକରେ କଥାବାର୍ତ୍ତା ଆରମ୍ଭ କରନ୍ତୁ ଏବଂ ତାଙ୍କ ସହ ଚିହ୍ନା ପରିଚିତ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ । (ଫିଲିପ୍ ୨:୪) କିଛି ଥର ଭେଟିବା ପରେ ଯଦି ଆପଣଙ୍କୁ ଠିକ୍ ଲାଗେ, ତେବେ ଆପଣ ତାଙ୍କୁ ଈଶ୍ୱରଙ୍କ ବିଷୟରେ କହିପାରିବେ । ଯଦି ବ୍ୟକ୍ତି ଜଣକ କହନ୍ତି ଯେ ସେ ଆହୁରି ଜାଣିବା ପାଇଁ ଚାହାନ୍ତି, ତେବେ ତାଙ୍କୁ ବାଇବଲ ଅଧ୍ୟୟନ ବିଷୟରେ କହନ୍ତୁ । ଏହାଛଡ଼ା ଏପରି ଲୋକମାନଙ୍କୁ ପୁଣିଥରେ ଭେଟନ୍ତୁ, ଯେଉଁମାନେ ଆଗ୍ରହ ଦେଖାଇଥିଲେ । ପ୍ରଥମେ ସେ ଅଧ୍ୟୟନ ପାଇଁ ମନା କରିଦେଇଥିଲେ, କିନ୍ତୁ ହୁଏତ ସେମାନେ ଏହି ନୂଆ ପୁସ୍ତିକା ଓ ଏହି ନୂଆ ଉପାୟରେ ଅଧ୍ୟୟନ କରିବା ପାଇଁ ଚାହିଁବେ । ଯଦି ଘରେ କେହି ନାହାନ୍ତି, ତେବେ ସେଠାରେ ପୁସ୍ତିକା ଛାଡ଼ନ୍ତୁ ନାହିଁ । ଯେଉଁମାନେ ପ୍ରଥମେ ଆଗ୍ରହ ଦେଖାଇଲେ ନାହିଁ, ସେମାନଙ୍କୁ ପୁସ୍ତିକା ଲଫାପାରେ ପୂରାଇ ପଠାନ୍ତୁ ନାହିଁ । ମଣ୍ଡଳୀର ସେବା ସମିତି ଏହି ମାସରେ ପ୍ରଚାର କରିବା ପାଇଁ ଆହୁରି ସଭା ରଖିପାରିବେ ।
-
ଅନ୍ୟ ସୁଯୋଗ: ଯଦି ଆପଣଙ୍କ ମଣ୍ଡଳୀ କାର୍ଟ ଲଗାଇ ସାକ୍ଷ୍ୟ ଦିଏ, ତେବେ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ସେଥିରେ ରଖିପାରିବେ । ଯଦି କେହି ପୁସ୍ତିକା ନେବା ପାଇଁ ଚାହାନ୍ତି, ତାହେଲେ ଆପଣ ତାଙ୍କୁ କହିପାରିବେ ଯେ ଆପଣ ତାଙ୍କ ସହ ବାଇବଲ ବିଷୟରେ ଚର୍ଚ୍ଚା ମଧ୍ୟ କରିପାରିବେ ଏବଂ ଏହା ପାଇଁ ସେମାନଙ୍କୁ କିଛି ପଇସା ଦେବାକୁ ପଡ଼ିବ ନାହିଁ । ସେବା ଅଧ୍ୟକ୍ଷ ଚାହିଁଲେ କିଛି ଏପରି ଭାଇଭଉଣୀଙ୍କୁ ବିଜନେସ ଅଞ୍ଚଳରେ ପଠାଇପାରିବେ, ଯେଉଁମାନେ ସେଠାରେ ଭଲଭାବେ ସାକ୍ଷ୍ୟ ଦେବା ଜାଣନ୍ତି । ଆପଣ କାମ ଜାଗାରେ ଏବଂ ସୁଯୋଗ ଖୋଜି ମଧ୍ୟ ଲୋକମାନଙ୍କ ସହ କଥା ହୋଇପାରିବେ । ଯଦି ସେମାନେ ଆଗ୍ରହ ଦେଖାନ୍ତି, ତେବେ ସେମାନଙ୍କୁ ବାଇବଲ ଅଧ୍ୟୟନ ବିଷୟରେ କହିପାରିବେ ।
ଯୀଶୁ ଆମକୁ ଲୋକମାନଙ୍କୁ ‘ଶିକ୍ଷା ଦେବା’ ଏବଂ ସେମାନଙ୍କୁ ‘ଶିଷ୍ୟ କରିବା’ ପାଇଁ ଆଜ୍ଞା ଦେଇଛନ୍ତି । (ମାଥି ୨୮:୧୯, ୨୦) ଆମେ ଆଶା କରୁ ଯେ ଏହି ବିଶେଷ ଅଭିଯାନରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ଆମେ ଏହି କାମ ଭଲଭାବେ କରିପାରିବା ।